spot_img
Home Blog Page 6054

କୃଷି ଆଇନ୍ ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ପାରିତ

କୋଲକାତା: ତିନି କୃଷି ଆଇନ୍ ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ପାରିତ କରାଇଛନ୍ତି ତୃଣମୂଳ କଂଗ୍ରେସ ସରକାର। ବିଧାନସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ କୃଷି ଆଇନ୍ ବିରୋଧରେ ପ୍ରସ୍ତାବ ଆଣିଥିଲେ ।

ଏହି ସମୟରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୃଷି ଆଇନ୍ ଚାଷୀ ବିରୋଧୀ ଅଟେ, ଏଣୁ ସରକାର ଏହାକୁ ପ୍ରତ୍ୟାହର କରିବା ଆବଶ୍ୟକ। ପଶ୍ଚିମବଙ୍ଗ ସରକାର ସବୁବେଳେ ଚାଷୀଙ୍କ ସହ ରହିଛନ୍ତି ଓ ଆଗକୁ ରହିବେ ବୋଲି କହିଥିଲେ ମମତା ବାନାର୍ଜୀ ।

ଗଣତନ୍ତ୍ର ଦିବସରେ ଯେଉଁ ହିଂସା ଘଟଣା ହେଲା ଏଥିପାଇଁ ଦିଲ୍ଲୀ ପୋଲିସ ହିଁ ଦାୟୀ। ହିଂସା ନେଇ ପୂର୍ବ ସୂଚନା ଥିଲେ ମଧ୍ୟ କାହିଁକି ପୋଲିସ ଆଗୁଆ ପଦକ୍ଷେପ ନେଲାନି ସେ ନେଇ ପ୍ରଶ୍ନ କରିଛନ୍ତି ମମତା। ବିଧାନସଭାରେ ପ୍ରସ୍ତାବ ପାରିତ ସମୟରେ ଗୃହ ତ୍ୟାଗ କରିଥିଲେ ବିଜେପି ବିଧାୟକ ।

ତେବେ କଂଗ୍ରେସ ଓ ସିପିଏମ ବିଧାୟକମାନେ ଏହାକୁ ସମର୍ଥନ ଜଣାଇଥିଲେ । ପଞ୍ଜାବ, ରାଜସ୍ଥାନ, ଛତିଶଗଡ, କେରଳ, ଦିଲ୍ଲୀ ଓ ପୁଡୁଚେରୀ ପରେ ଏବେ ପଶ୍ଚିମବଙ୍ଗ ସରକାର ତିନି କୃଷି ଆଇନ୍ ବିରୋଧରେ ବିଧାନସଭାରେ ପ୍ରସ୍ତାବ ପାରିତ କରାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା କୃଷକଙ୍କ ଟ୍ରାକ୍ଟର ପରେଡକୁ ନେଇ ଚାରିଆଡେ ଚର୍ଚ୍ଚା। ଏହି ହିଂସା ଘଟଣା ପରେ ଚାଷୀ ଆନ୍ଦୋଳନକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଏହି ପରିପ୍ରେକ୍ଷୀରେ ଗାଜିପୁର ସୀମାରେ ବସିଥିବା ଚାଷୀଙ୍କୁ ହଟିଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ ଜିଲ୍ଲାପାଳ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ନିଷ୍ପତ୍ତି ନେଇଛି ଗାଜିପୁର ପ୍ରଶାସନ।

ଅପରପକ୍ଷରେ ପରେଡ୍ ସମୟରେ ହୋଇଥିବା ହିଂସାକାଣ୍ଡରେ ଆହତ ହୋଇ ଚିକିତ୍ସାଧିନ ଥିବା ପୋଲିସ କର୍ମଚାରୀଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ପ୍ରାୟ ୩୦୦ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହେଲେ ଛାତ୍ର ବିଜେଡ଼ି କର୍ମକର୍ତ୍ତା

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ବାତାବରଣ ସୃଷ୍ଟି କରିବା ପାଇଁ ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟ, ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିଜୁବାବୁଙ୍କ ମହାନତାକୁ ପାଥେୟ କରି ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆଜି ଗତ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ବିଜୁ ଛାତ୍ର ଜନତା ଦଳର ପ୍ରଥମ ୧୦ ଜଣ କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଯୋଡ଼ି ହୋଇ ପୁରସ୍କୃତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଥିବା ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ହେଲେ ଅବଦୁଲ ହବିବ, ଅମରେନ୍ଦ୍ର ଧଲ୍, ହେମନ୍ତ କୁମାର ସାହୁ, ଇପ୍ସିତା ସାହୁ, ସ୍ଥିତପ୍ରଜ୍ଞା ପଣ୍ଡା, ରଶ୍ମି ରଞ୍ଜନ ପରିଡ଼ା, ରଞ୍ଜିତ ଦାସ, ସ୍ମୃତି ଦାସ, ସୌମ୍ୟ ପ୍ରକାଶ ବିଶ୍ଵାଳ ଓ ଆଶୁତୋଷ ସାହୁ।

ଏହି କାର୍ଯ୍ୟକ୍ରମକୁ ପାଥେୟ କରି ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କ ମଧ୍ୟରେ ଆହୁରି ଅଧିକ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିବ ବୋଲି ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ତ୍ରିପାଠୀ କହିଥିଲେ। ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ ପରିଚାଳନା କରୁଥିଲେ।

ଏହା ସହ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ଲାଟଫର୍ମ ରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କର୍ମକର୍ତ୍ତା ସମେତ ବହୁ ପ୍ରାନ୍ତରରୁ ଛାତ୍ରଛତ୍ରୀମାନେ ମଧ୍ୟ ଯୋଗଦାନ କରିଥିଲେ।

ଆତ୍ମହତ୍ୟା କରିବା ପାଇଁ ଧମକ ଦେଲେ କୃଷି ନେତା ରାକେଶ ଟିକାୟତ

ନୂଆଦିଲ୍ଲୀ: ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ପରେଡ୍ ସମୟରେ ଘଟିଥିବା ହିଂସାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି । ଏପରିକି ଗାଜିପୁର ବର୍ଡରରେ ବହୁ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଥିବା ବେଳେ ଧାରଣାସ୍ଥଳରୁ ହଟିବା ଲାଗି ଉତ୍ତରପ୍ରଦେଶ ସରକାର କୃଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ନିଷ୍ପତ୍ତି ନେଇଛି ଗାଜିପୁର ପ୍ରଶାସନ।  ଏଭଳି ସମୟରେ ଚାଷୀ ନେତା ରାକେଶ ଟିକାୟତ ଆତ୍ମହତ୍ୟା କରିବା ଲାଗି ଧମକ ଦେଇଛନ୍ତି । ସେ କାନ୍ଦି କାନ୍ଦି କହିଛନ୍ତି ଯେ ‘‘ଯଦି ୩ ନୂଆ କୃଷି ବିଲକୁ ପ୍ରତ୍ୟାହାର କରାନଯାଏ ତାହେଲେ ଆତ୍ମହତ୍ୟା କରିବି। ଯଦି ମୋତେ କିଛିବି ହୁଏ ତାହେଲେ ପ୍ରଶାସନ ଦାୟୀ ରହିବ । ମୁଁ କୃଷକଙ୍କ ଜୀବନକୁ ବର୍ବାଦ ହେବାକୁ ଦେବିନି । ଚାଷୀ ମାନଙ୍କୁ ଜାଣିଶୁଣି ମାରିବାକୁ ଷଡଯନ୍ତ୍ର କରାଯାଉଛି’’।

ଖାଲି ଏତିକି ନୁହେଁ ବିଜେପି ଉପରେ ଆରୋପ ଲଗାଇ ଏହି ଚାଷୀ ନେତା ଜଣକ କହିଛନ୍ତି ଯେ ପୋଲିସ ସହ ବିଜେପି ବିଧାୟକ ମାନେ ସାମିଲ ହୋଇଛନ୍ତି । ଏବେ ସେମାନଙ୍କ ଗୁଣ୍ଡାଗର୍ଦ୍ଦି ଚଳିବ ନାହିଁ ।

ତେବେ ଏନେଇ ଗାଜିପୁର ବର୍ଡରରେ ମୁତୟନ ଥିବା ପ୍ରିତ ବିହାରର ଏସପି ବିରେନ୍ଦ୍ର ପୁଞ୍ଜ କହିଛନ୍ତି ଯେ କୃଷକ ମାନଙ୍କୁ ଆପଣା ଛାଏଁ ଧାରଣା ସ୍ଥଳ ଛାଡିଦେବା ଉଚିତ୍ । ଆମେ ପୂର୍ବରୁ ଶାନ୍ତି ପାଇଁ ଅପିଲ୍ କରିଥିଲୁ । ଆଉ ଏବେ ବି କରୁଛୁ ।

ଅଧିକ ପଢନ୍ତୁ- କୃଷକ ଆନ୍ଦୋଳନ; ଗାଜିପୁର ସୀମାରୁ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ

ସେପଟେ ହିଂସା ଘଟଣାକୁ ନେଇ ପ୍ରଶାସନକୁ ସମାଲୋଚନା କରିଛନ୍ତି ଚାଷୀ ନେତା। ଲାଲକିଲ୍ଲାରେ ଯେଉଁ ଘଟଣା ଘଟିଲା ତାହାର ଯାଞ୍ଚ କରନ୍ତୁ ସୁପ୍ରିମକୋର୍ଟ । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ଦୁଇ ମାସର କଲ୍ ଡିଟେଲ୍ସ ଯାଞ୍ଚ କରାଯାଉ । ହିଂସା ନୁହେଁ ଅହିଂସା ମାର୍ଗ ଥିଲା ଚାଷୀଙ୍କ ଲକ୍ଷ୍ୟ ।

ଗାଁ ଭିତରେ ପଶିଲା କେନାଲ ପାଣି

ଧର୍ମଗଡ଼: ଗାଁ ଭିତରେ ପଶିଲା କେନାଲ ପାଣି । କଳାହାଣ୍ଡି ଜିଲ୍ଲା କଲମପୁରରେ କେନାଲ ପାଣି ପଶିବା ଫଳରେ ଲୋକ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଅନେକ ଦିନରୁ କଲମପୁର ମାଇନର ୧ କେନାଲ ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି । ଅପରାହ୍ଣରେ ଏହି କେନାଲରେ ଆବଶ୍ୟକତା ଠାରୁ ଅଧିକ ପାଣି ଛଡ଼ାଯିବାରୁ ଏଭଳି ଘଟଣା ଘଟିଛି ।

Canal Water Entered Into Village Of Kalampur

ପ୍ରାଣୀ ଚିକିତ୍ସାଳୟ ନିକଟରେ ଥିବା ଏକ ପୋଲରେ ଆବର୍ଜନା ଭର୍ତ୍ତି ହୋଇଯିବାରୁ ତଳମୁଣ୍ଡକୁ ପାଣି ଯାଇ ନପାରି ଗାଁ ଭିତରକୁ ପଶି ଯାଇଥିଲା । ବିଭାଗୀୟ ଅଧିକାରୀ ଖବର ପାଇ କେନାଲର ଜଳସ୍ତରକୁ ନିୟନ୍ତ୍ରଣକୁ ଆଣିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି । ତୁରନ୍ତ କେନାଲ ମରାମତି ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Budget 2021: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରତ୍ୟାଖ୍ୟାନ କରିବନି ବିଜେଡି, ଗୃହରେ ରହି ପ୍ରସଙ୍ଗ ଉଠାଇବ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ୩ କୃଷି ବିଲକୁ ନେଇ ଦେଶର ତମାମ୍ ବିରୋଧୀ ଦଳ ଏକଜୁଟ୍ ହୋଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ଉପସ୍ଥିତ ରହିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ, ଆପ୍ ସହ ପ୍ରାୟ ୧୬ଟି ଦଳର ସଦସ୍ୟ ସଦନର ଉଭୟ ଗୃହରେ ଉପସ୍ଥିତ ରହିବେ ନାହିଁ । ଏ ପ୍ରସଙ୍ଗରେ ବିଜେଡି ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି ।

Biju Janata Dal Will Attend The President's Address Tomorrow Budget 2021

ରାଜ୍ୟସଭା ସାଂସଦ ତଥା ମୁଖ୍ୟ ସଚେତକ ଡକ୍ଟର ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ବିଜୁ ଜନତା ଦଳ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରତ୍ୟାଖ୍ୟାନ କରିବ ନାହିଁ । ଦଳର ସମସ୍ତ ସାଂସଦ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥିତ ରହିବେ । ଲୋକଙ୍କ ସମସ୍ତ ସମସ୍ୟା ଓ ପ୍ରସଙ୍ଗକୁ ଦଳର ସଦସ୍ୟ ସଂସଦର ଉଭୟ ଗୃହରେ ଉପସ୍ଥାପନ କରିବେ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

Biju Janata Dal Will Attend The President's Address Tomorrow Budget 2021

କଂଗ୍ରେସ, ନ୍ୟାସନାଲ୍ କନଫ୍ରେନ୍ସ (ଏନସି), ଡିଏମକେ, ତୃଣମୂଳ କଂଗ୍ରେସ୍ (ଟିଏମସି), ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇ (ଏମ୍), ଆଇଜେଏମଏଲ୍, ଆରସିପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ, ଏଆଇୟୁଡିଏଫ୍, ଅକାଳୀ ଦଳ, ଆମ୍ ଆଦମୀ ପାର୍ଟି (ଆପ୍), ରାଷ୍ଟ୍ରବାଦୀ କଂଗ୍ରେସ୍ ପାର୍ଟି (ଏନସିପି) ବୈଠକରୁ ବିରତ ରହିବେ ବୋଲି ଘୋଷଣା କରିଛନ୍ତି ।

ଏଥସହ ପଢ଼ନ୍ତୁ- ବଜେଟ୍ ଅଧିବେଶନ: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବେ କଂଗ୍ରେସ ସମେତ ଏହିସବୁ ଦଳ

ଚୌଦ୍ୱାର ଚାରବାଟିଆ ARCରେ ପୁଣି ବଡ଼ ଧରଣର ଅଗ୍ନିକାଣ୍ଡ

କଟକ: ଚୌଦ୍ୱାର ଚାରବାଟିଆ ARCରେ ଅଗ୍ନିକାଣ୍ଡ ଘଟିଛି । ଦୀର୍ଘ ସମୟ ଧରି ନିଆଁ ଲାଗିଥିବା ବେଳେ ଅଗ୍ନକାଣ୍ଡର କାରଣ ଜଣାପଡ଼ିନାହିଁ । ନିଆଁ ଆୟତ୍ତ କରିବାକୁ କଟକ, ଚୌଦ୍ୱାର ଓ ARCର ଦମକଳ ସହିତ ୧୦ରୁ ଅଧିକ ଗାଡ଼ି ନିୟୋଜିତ ହୋଇଛି । ଚଣ୍ଡିଖୋଲରୁ ମଧ୍ୟ ଅଗ୍ନିଶମ ବାହିନୀ ଆସି ପହଞ୍ଚିଛି । ୪ ଘଣ୍ଟାରୁ ଅଧିକ ସମୟ ଧରି ନିଆଁ ଲାଗିଥିବା ବେଳେ ଏଯାବତ୍ ଆୟତ୍ତ ହୋଇପାରି ନାହିଁ ।

ଏୟାର ବେସ୍ ନିକଟରେ ନିଆଁ ଲାଗିଛି । ARC ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବା ବେଳେ ପରିସର ମଧ୍ୟ ବ୍ୟାପକ । ପୂର୍ବରୁ ମଧ୍ୟ ୨୦୧୭ ମସିହା ମାର୍ଚ୍ଚ ୩ ତାରିଖରେ ARC ପରିସରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା ।

ସନ୍ଧ୍ୟାରୁ ଦୀର୍ଘ ସମୟ ଧରି ARC ପରିସରରେ ନିଆଁ ଲାଗିଥିବା ବେଳେ ଆୟତ୍ତ ହୋଇପାରିନାହିଁ । ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଛି । ବୁଦାରେ ନିଆଁ ଲାଗିଥିବା ନେଇ ଆସିଷ୍ଟାଣ୍ଟ ଫାୟାର ଅଫିସର ସୂଚନା ଦେଇଛନ୍ତି । ତେବେ, ନିଆଁ ଲାଗିବାର କାରଣ ଏଯାବତ୍ ଜଣାପଡ଼ିନାହିଁ । କମିଶନରେଟ ପୋଲିସ ପହଞ୍ଚି ତଦନ୍ତ କରୁଛି ।

କୃଷକ ଆନ୍ଦୋଳନ; ଗାଜିପୁର ସୀମାରୁ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ

ଗାଜିପୁର: ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା କୃଷକଙ୍କ ଟ୍ରାକ୍ଟର ପରେଡକୁ ନେଇ ଚାରିଆଡେ ଚର୍ଚ୍ଚା। ଏହି ହିଂସା ଘଟଣା ପରେ ଚାଷୀ ଆନ୍ଦୋଳନକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଏହି ପରିପ୍ରେକ୍ଷୀରେ ଗାଜିପୁର ସୀମାରେ ବସିଥିବା ଚାଷୀଙ୍କୁ ହଟିଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ ଜିଲ୍ଲାପାଳ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ନିଷ୍ପତ୍ତି ନେଇଛି ଗାଜିପୁର ପ୍ରଶାସନ। ସେପଟେ ହିଂସା ଘଟଣାକୁ ନେଇ ପ୍ରଶାସନକୁ ସମାଲୋଚନା କରିଛନ୍ତି ଚାଷୀ ନେତା। ଲାଲକିଲ୍ଲାରେ ଯେଉଁ ଘଟଣା ଘଟିଲା ତାହାର ଯାଞ୍ଚ କରନ୍ତୁ ସୁପ୍ରିମକୋର୍ଟ । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ଦୁଇ ମାସର କଲ୍ ଡିଟେଲ୍ସ ଯାଞ୍ଚ କରାଯାଉ । ହିଂସା ନୁହେଁ ଅହିଂସା ମାର୍ଗ ଥିଲା ଚାଷୀଙ୍କ ଲକ୍ଷ୍ୟ ।

ହେଲେ ଚାଷୀମାନଙ୍କୁ ଉସୁକାଇ ନିଜ ମାର୍ଗରେ ସେମାନଙ୍କୁ ପରିଚାଳିତ କରିବାରେ କିଛି ଲୋକ ସଫଳ ହେଲେ । ଯାହାଫଳରେ ଏହାକୁ ନେଇ ଆଜି ନିନ୍ଦିତ ହେଉଛି ପୁରା ଚାଷୀ ସମାଜ । ଆନ୍ଦୋଳନ ଭଙ୍ଗ କରିବା ପାଇଁ ଷଡଯନ୍ତ୍ର ଥିଲା, ଯେଉଁଥିରେ ସଫଳ ହେଲେ କିଛି ଲୋକ । ହିଂସା ଶଦ୍ଦ ଆମ ସୂଚିରେ ନଥିଲା ଆଗକୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଟିକାୟତ।

ଏହି ଘଟଣା ପରେ ପ୍ରଶ୍ନ ଘେରରେ ଥିବା ଦିଲ୍ଲୀ ପୋଲିସ ଏବେ ଆକସନ ମୁଡକୁ ଆସିଛି । ଚାଷୀ ନେତାଙ୍କ ବିରୋଧରେ ଲୁକ୍ ଆଉଟ୍ ଜାରି କରିବା ସହ ଅନେକ ନେତାଙ୍କୁ ନୋଟିସ୍ ଜାରି କରିଛି ପୋଲିସ । ହିଂସା ଘଟଣାକୁ ନେଇ ଖୁବ ଶୀଘ୍ର ଜବାବ ରଖିବା ପାଇଁ ନିର୍ଦ୍ଦେଶ ରହିଛି ।

ସେପଟେ ଆଜି ପୁଣି ଥରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଦିଲ୍ଲୀ ପୋଲିସ କମିଶନର ଏସ ଏନ ଶ୍ରୀବାସ୍ତବ । ରୁଜୁ ହୋଇଥିବା ମାମଲା ମଧ୍ୟରୁ ୯ଟି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ସ୍ପେଶାଲ ସେଲ୍ ସହ କ୍ରାଇମବ୍ରାଞ୍ଚ କରିବ ହିଂସା ଘଟଣାର ତଦନ୍ତ । ସେପଟେ ଚାଷୀ ନେତା କହିଛନ୍ତି ଲାଲକିଲ୍ଲାରେ ଯେଉଁ ଘଟଣା ଘଟିଲା, ସେଥିପାଇଁ ଯିଏ ଦାୟୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ଏପଟେ ହିଂସାକାଣ୍ଡରେ ଆହତ ହୋଇ ଚିକିତ୍ସିତ ହେଉଥିବା ପୋଲିସ କର୍ମଚାରୀଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ପ୍ରାୟ ୩୦୦ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।

ଜୁଇ ନିଆଁରୁ ଅର୍ଦ୍ଧଦଗ୍ଧ ଶବ ଜବତ କଲା ପୋଲିସ

କରଞ୍ଜିଆ: ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ । ଜୁଇ ନିଆଁରୁ ଶବକୁ ଜବତ କଲା ରରୁଆଁ ଥାନା ପୋଲିସ । ଦମକଳ ବାହିନୀ ସହାୟତାରେ ଜୁଇ ନିଆଁ ଲିଭାଇବା ପରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଖାପରାସାହିରେ ଦେଖିବାକୁ ମିଳିଛି । ଜୁଇ ନିଆଁରୁ ଅର୍ଦ୍ଧଦଗ୍ଧ ଶବ ଜବତ ହେବା ଘଟଣାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି ହୋଇଛି ।

Police Seized Half Brunt Dead body In Karanjia

ସୂଚନା ଅନୁଯାୟୀ ୪୭ ବର୍ଷୀୟ ମୃତ ଉଜ୍ଜ୍ୱଳ ଗାଗରାଇ ବୁଧବାର କାମରେ କେଉଁଆଡ଼େ ଯାଇଥିଲେ । ସନ୍ଧ୍ୟାରେ ୨ ଜଣ ଯୁବକ ଉଜ୍ଜ୍ୱଳଙ୍କୁ ଘରେ ଆଣି ବାଇକରେ ଛାଡ଼ିଥିଲେ । ହେଲେ ସକାଳୁକୁ ଜୀବିତ ନଥିଲେ ଉଜ୍ଜ୍ୱଳ । ତାଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ପରେ ସାହି ଭାଇ ମିଶି ଶବ ସତ୍କାର ପାଇଁ ଶ୍ମଶାନ ନେଇଥିଲେ, ଜୁଇ ଜଳିଥିଲା ।

Police Seized Half Brunt Dead body In Karanjia

ଗାଁର କେହି ଜଣେ ବ୍ୟକ୍ତି ସନ୍ଦେହ ପ୍ରକଟ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଦମକଳ ବାହିନୀ ପହଞ୍ଚିବା ସହ ଜୁଇ ନିଆଁ ଲିଭାଇଥିଲେ । ପରେ ଅର୍ଦ୍ଧଦଗ୍ଧ ଶବକୁ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଅନ୍ୟପଟେ ପୁଅ କେମିତି ମଲା ମାଆ ମଧ୍ୟ ଜାଣିନାହାଁନ୍ତି ।

୧୦୦ ଫୁଟ୍ ତଳକୁ ଖସିଲା ଯାତ୍ରୀବାହୀ ଅଟୋ, ଘରକୁ ଫେରୁଥିଲେ ୧୫ ଶ୍ରମିକ

ଗଜପତି: ଗଜପତି ଜିଲ୍ଲାର କାଶୀନଗର ବ୍ଲକ ପାର୍ତଡ଼ା ନିକଟ ଲୁହାଜଲ ନାଳ ଘାଟିରେ ବଡ଼ ଦୁର୍ଘଟଣା ଘଟିଛି । ଶ୍ରମିକଙ୍କୁ ନେଇ ଫେରୁଥିବା ଏକ ଅଟୋ ରିକ୍ସା ଲୁହାଜଲ ଘାଟି ଉଠି ନପାରି ୧୦୦ ଫୁଟ୍ ତଳକୁ ଖସିପଡ଼ିଛି । ଏଥିରେ ୩ ଶିଶୁଙ୍କ ସମେତ ୮ ଜଣ ଗୁରୁତର ଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଅଟୋରେ ୧୫ ଜଣ ଶ୍ରମିକ ଥିଲେ ।

Auto Rickshaw Over Turned In Gajapati, 15 Injured

ପାଞ୍ଚ ମାଇଲ ରାଗାଇସିଂ ଠାରୁ ଅଡେଇସିଂ ଗାଁକୁ ୧୫ ଜଣ ଶ୍ରମିକଙ୍କୁ ନେଇ ଅଟୋଟି ଯାଉଥିଲା । ଲୁହାଜଲ ନାଳ ଘାଟି ଉଠିବା ବେଳେ ଭାରସାମ୍ୟ ହରାଇଥିଲା ଅଟୋଟି । ଫଳରେ ୧୦୦ ଫୁଟ୍ ତଳକୁ ଖସି ପଡ଼ିଥିଲା । ଖବର ପାଇ ଅଡାଇସିଂ ଗାଁ ଲୋକ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Auto Rickshaw Over Turned In Gajapati, 15 Injured

୫ ବର୍ଷୀୟା ଚାନ୍ଦିନୀ ଗମାଙ୍ଗର ଗୋଡ଼ ଭାଙ୍ଗି ଯାଇଥିବା ବେଳେ ୩ ବର୍ଷୀୟା ପ୍ରିଞ୍ଜିଲିନା ଗମାଙ୍ଗଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି । ଅଟୋରେ ନିର୍ଦ୍ଧାରିତ ଯାତ୍ରୀଙ୍କ ଠାରୁ ଅଧିକ ଶ୍ରମିକ ଥିଲେ । ଫଳରେ ଅଟୋଟି ଘାଟି ରାସ୍ତାରେ ଉପରକୁ ଉଠିନପାରି ଓଲଟି ପଡ଼ିଥିଲା ।

ସୋସିଆଲ୍ ମିଡିଆରୁ ଶିଖିଲା ହ୍ୟାକିଂ, ବାପାଙ୍କୁ ମାଗିଲା ୧୦ କୋଟି ଟଙ୍କା

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର ଜଣେ ୫ମ ଶ୍ରେଣୀର ନାବାଳକ ଏଭଳି କାରନାମା କରି ଦେଖାଇଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଏହି ୧୧ ବର୍ଷୀୟ ପିଲାଟି ୟୁଟ୍ୟୁବରୁ ହ୍ୟାକିଂ ଶିଖିବା ସହ ନିଜ ବାପାଙ୍କ ଇମେଲ୍ ଆଇଡି ହ୍ୟାକ୍ କରିବାକୁ ପଛାଇ ନାହିଁ। ଏମିତିକି ସେ ୧୦ କୋଟି ଟଙ୍କା ଦାବି କରିଛି ।

ଏହି ଘଟଣାରେ ପୋଲିସ ତଦନ୍ତରୁ ଯାହା ସୁରାକ୍ ମିଳିଲା ତାହା ସମସ୍ତଙ୍କୁ ଚକିତ କରିଦେବା ଭଳି । ଜାଣନ୍ତୁ ସମ୍ପୂର୍ଣ୍ଣ ପୂରା ଘଟଣା…

ଗାଜିଆବାଦର ବସୁନ୍ଧରା କଲୋନୀରେ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୧ ସପ୍ତାହ ପୂର୍ବରୁ ଧମକ ଭରା ଇମେଲ୍ ଆସିଥିଲା । ଯେଉଁଥିରେ ୧୦ କୋଟି ଟଙ୍କା ଦେବା ପାଇଁ କୁହାଯାଇଥିଲା । ଟଙ୍କା ନଦେଲେ ତାଙ୍କର ଅଶ୍ଲୀଳ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବାକୁ ଧମକ ଦିଆଯାଇଥିଲା । ଏହାବ୍ୟତିତ ତାଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଜୀବନରୁ ମାରିବା ପାଇଁ ଧମକ ମିଳିଥିଲା ।

Pakistan Hackers Helping China In Suspected Operation Sidecopy Cyber Attacks On India

ଯାହା ପରେ ଇମେଲ୍ ଆଇଡି ହ୍ୟାକ୍ ଏବଂ ତାଙ୍କ ଇମେଲ୍ ପାସଓ୍ୱାଡ୍ ବଦଳା ଯାଇଥିବା ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ପୋଲିସରେ ଜଣାଇଥିଲେ । ଅଭିଯୋଗ ପରେ ପୋଲିସର ସାଇବର ସେଲ୍ ଯାଞ୍ଚ ଆରମ୍ଭ କରିଥିଲା । ହେଲେ ଇମେଲ୍ ପଠାଇଥିବା ଲୋକର ଆଇପି ଆଡ୍ରେସ୍ ଖୋଜିବା ବେଳେ ତାହା ସମ୍ପୃକ୍ତ ବ୍ୟକ୍ତିଙ୍କର ଘରର ଠିକଣାରୁ ଆସିଥିବା ଜଣାପଡିଥିଲା ।

ଏହା ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ୧୧ ବର୍ଷୀୟ ପୁଅକୁ ପଚରାଉଚରା କରିବା ପରେ ସେ ସବୁ ସତକଥା ମାନି ଯାଇଥିଲା । ହେଲେ ଏତେ କମ୍ ବୟସର ପିଲାଟି କିଭଳି ହ୍ୟାକିଂ ଶିଖିଲା ସେନେଇ ପୋଲିସ ଖୋଳତାଡ କରୁଛି ।

ପୋଲିସର ସୂଚନା ଅନୁଯାୟୀ ଏହି ପିଲାଟିକୁ କିଛି ଦିନ ତଳେ କମ୍ପ୍ୟୁଟର ଅନଲାଇନ୍ କ୍ଲାସରେ ସାଇବର କ୍ରାଇମ୍ ସମ୍ପର୍କରେ ପଢାଯାଇଥିଲା । ଏଥିସହିତ ସାଇବର କ୍ରାଇମରୁ କିଭଳି ବର୍ତ୍ତି ପାରିବେ ସେନେଇ ମଧ୍ୟ କ୍ଲାସରେ ପଢାଯାଇଥିଲା ।