spot_img
Home Blog Page 606

ଭାରତୀୟ ପାଣିପାଗ ବିଭାଗର ଆକଳନକୁ ନେଇ ଚିନ୍ତାରେ ରାଜ୍ୟବାସୀ

ଭୁବନେଶ୍ବର : ଟଳୁନି ବନ୍ୟା ଆଶଙ୍କା । ମେ’ ମାସର ପ୍ରାକ୍-ମୌସୁମୀ ପରେ ମୌସୁମୀ ଓ ଦୁଇ ଦୁଇଟି ଲଘୁଚାପ ଯୋଗୁଁ ଜୁନରୁ ଜୁଲାଇ ଭିତରେ ବଢ଼ିଛି ବର୍ଷାର ପରିମାଣ। ବର୍ତ୍ତମାନ ସୁଦ୍ଧା ୨୧ ପ୍ରତିଶତ ଅଧିକ ବର୍ଷା ହୋଇଛି । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ଯୋଗୁଁ ୪୬ଟି ପଞ୍ଚାୟତ ପ୍ରଭାବିତ ହୋଇଥିଲା । ଏବେ ପୁଣି ଜୁଲାଇରେ ପ୍ରବଳ ବର୍ଷିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି। ଜୁଲାଇରେ ରାଜ୍ୟରେ ଦେଖା ଦେଇପାରେ ବନ୍ୟା ଆଶଙ୍କା। ଜୁନ୍ ପହିଲାରୁ ଜୁଲାଇ ୧ ତାରିଖ ମଧ୍ୟରେ ମୟୂରଭଞ୍ଜରେ ୪୭୨.୮ ମିଲିମିଟର ବର୍ଷା ହୋଇଛି। ଯାହାକି ସ୍ବାଭାବିକ ଠାରୁ ୬୯% ଅଧିକ। ସେହିଭଳି ବାଲେଶ୍ଵରରେ ୨୮%, କେନ୍ଦୁଝରରେ ୪୦% ଓ ଭଦ୍ରକରେ ୧୬% ଅଧିକ ବର୍ଷା ହୋଇଛି। ପାଣିପାଗ ବିଭାଗ କହିଛି, ଜୁଲାଇରେ କେନ୍ଦ୍ରୀୟ ଭାରତ ଓ ସଂଲଗ୍ନ ଦକ୍ଷିଣ ଉପଦ୍ବୀପ ଅଞ୍ଚଳରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା ତଥା ସଂଲଗ୍ନ ଅଞ୍ଚଳ ସମେତ ବିଦର୍ଭ, ତେଲେଙ୍ଗାନା, ଗୁଜରାଟ ଓ ମହାରାଷ୍ଟ୍ରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଇଏମଡି। ଉତ୍ତର ଓଡ଼ିଶା ଉପରେ ଥିବା ଲଘୁଚାପ କ୍ଷେତ୍ର ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି। ଅନ୍ୟପଟେ ସୁବର୍ଣ୍ଣରେଖାର ଜଳ ଧାରଣ କ୍ଷମତା ଓଡ଼ିଶାର ନଥିବାରୁ ଆହୁରି ବଢିଛି ବିପଦ।

ସ୍ବାଭାବିକ ଠାରୁ ଅଧିକ ବର୍ଷା କିଛି ଜିଲ୍ଲା ପାଇଁ ଶୁଭଙ୍କର ହୋଇପାରେ । ଗଜପତି, ନୂଆପଡ଼ା ଓ ଝାରସୁଗଡ଼ାରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଛି । ଆଗକୁ ହେବାକୁ ଥିବା ଲଘୁଚାପ ବର୍ଷା ଏହାର ଭରଣା କରିପାରେ। ହେଲେ ଉତ୍ତର ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶା ପ୍ରତି ବିପଦ ରହିଛି । ଯେଉଁଥି ପାଇଁ ଚାଷ କାମକୁ ବାରଣ କରିଛି ଓୟୁଏଟି । ବର୍ଷାର ପରିମାଣ ବଢୁଥିବାରୁ ସାର ସିଞ୍ଚନ ଓ ତଳିବୁଣା କ୍ଷତି ଆଣିବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ଉପରେ ଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି। ଏହାର ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼ରେ ବି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଗୁଜରାଟ ମଡେଲରେ ଜିଲ୍ଲା ସଭାପତି ଚୟନ କରିବ ଓଡିଶା କଂଗ୍ରେସ

ଭୁବନେଶ୍ବର :  ଓଡିଶା କଂଗ୍ରେସରେ ଗୁଜରାଟ ମଡେଲ । ‘ସଂଗଠନ ସୂର୍ୟନ’ ଚୟନ କରିବ ଜିଲ୍ଲା ସଭାପତି । ଏଆଇସିସି ଭିଡିଲା ଅଣ୍ଟା । ମାସେ ଭିତରେ ସରିବ ପ୍ରକ୍ରିୟା । ୧୧ରେ ଓଡିଶା ଆସୁଛନ୍ତି ରାହୁଲ ଓ ଖଡଗେ । ସୁପାରିସ କି ଲବି ନୁହେଁ। ଜିଲ୍ଲାସ୍ତରରୁ  ଏଆଇସିସିର ଟିମ ଚୟନ କରିବେ ଜିଲ୍ଲା କଂଗ୍ରେସ ସଭାପତି। ପଡୋଶୀ ରାଜ୍ୟର କ୍ୟାବିନେଟ ଓ ପିସିସି ସ୍ତରର ଜଣେ ଜଣେ ନେତା ଜିଲ୍ଲା ଗସ୍ତରେ ଯିବେ । ସେମାନେ ଲଗାତାର କିଛି ଦିନ ଧରି ଜିଲ୍ଲାସ୍ତରୀୟ ସଂଗଠନର ତର୍ଜମା କରିବେ । ଏହାପରେ ସେହି ସଦସ୍ୟମାନେ ଜିଲ୍ଲାର ସଭାପତି ଓ କମିଟି ଗଠନ କିଭଳି ହେବ ତାହା ଚୟନ କରିବେ । ୬ ରୁ ୮ ଜଣଙ୍କୁ ନେଇ ଜିଲ୍ଲା କମିଟି ଗଠନ ହେବ । ପିସିସିର ୩୫ଟି ସାଂଗଠନିକ ଜିଲ୍ଲା ସଭାପତି ଚୟନ କରିବାକୁ ଏଆଇସିସି ଓଡିଶାରେ ଗୁଜରାଟ ମଡେଲ ଆପଣାଇଛି । ଗୁଜରାଟ ମଡେଲ ଦ୍ବାରା ଜିଲ୍ଲା ସଭାପତିଙ୍କୁ ଅଧିକ କ୍ଷମତା ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି । ନିର୍ବାଚନ ନୁହେଁ, ସିଲେକ୍ସନ ଭିତ୍ତିରେ କମିଟି ଗଠନ କରାଯିବ । ଏହି ପ୍ରକ୍ରିୟା ଆସନ୍ତା ମାସରେ ଆରମ୍ଭ ହୋଇ ଏକ ମାସ ମଧ୍ୟରେ ସରିବ ବୋଲି ପିସିସି ସଭାପତି କହିଛନ୍ତି । ‘ସଂଗଠନ ସୂର୍ୟନ’ ନାମରେ ଅଭିଯାନ ଆରମ୍ଭ କରାଯିବ। ମଧ୍ୟବର୍ତ୍ତୀକାଳୀନ ସଭାପତିମାନଙ୍କୁ ‘ଜିଲ୍ଲା ସଂଯୋଜକ’ ଭାବେ ନାମିତ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ।

ଆସନ୍ତା ୧୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ “ସମ୍ବିଧାନ ବଞ୍ଚାଓ” ସମାବେଶରେ ଯୋଗ ଦେବେ । ନାରୀ ନିର୍ଯାତନା, ଚାଷୀଙ୍କୁ ଅବହେଳା, ଯୁବକଙ୍କୁ ପ୍ରତାରଣା ଆଦି ୫ଟି ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ସମାବେଶରେ ଡବଲ ଇଞ୍ଜିନ ସରକାରକୁ ପ୍ରଶ୍ନ କରିବେ । ରାହୁଲଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓ  ସାଧାରଣ ସମ୍ପାଦକ ଆସିବେ। ଦିନିକିଆ ଓଡିଶା ଗସ୍ତରେ ରାହୁଲ ଗାନ୍ଧୀ ସମାବେଶରେ ଯୋଗଦେଇ କଂଗ୍ରେସ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବାର କାର୍ଯକ୍ରମ ରହିଛି । ରାହୁଲଙ୍କ ଓଡିଶାଗସ୍ତ ନେଇ ଉତ୍ସାହିତ ଅଛନ୍ତି କଂଗ୍ରେସ କର୍ମୀ ଓ ନେତା । ଡବଲ ଇଞ୍ଜିନ ସରକାରଙ୍କ ବିଫଳତାକୁ ରାହୁଲ ମୁଖ୍ୟ ପ୍ରସଙ୍ଗ କରି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ବୋଲି ବରିଷ୍ଠ  କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ବିଜେପି ସରକାର ଓଡିଶାବାସୀଙ୍କୁ ଯେପରି ପ୍ରତାରଣ କରିଛନ୍ତି ତାହା ଲୋକଙ୍କୁ ବୁଝାଇବ ଦଳ । ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଚଳଚଞ୍ଚଳ କଂଗ୍ରେସ । ଦୁର୍ବଳ ସଂଗଠନକୁ ସଜାଡିବା ପଇଁ ଏଆଇସିସି ଓଡିଶାକୁ  ଫୋକସ କରିଛି ।

ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସାରା ରାଜ୍ୟରେ ସରକାରୀ ଦପ୍ତରରେ କାମ ଠପ

ନନ୍ଦିଘୋଷ ବ୍ୟୁରୋ ;  ସାରା ରାଜ୍ୟରେ ସରକାରୀ ଦପ୍ତରରେ କାମ ଠପ । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ସମୂହ ଛୁଟିରେ ଗଲେ ଓଏଏସ ଅଫିସର । ସରକାରଙ୍କ ଜିଦ ଯୋଗୁ ଲୋକେ ହନ୍ତସନ୍ତ । ସାରା ରାଜ୍ୟରେ ଜୋର ଧରିଲା ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି । ଜଗନ୍ନାଥ ପ୍ରଧାନଙ୍କ ଇଙ୍ଗିତରେ ଆକ୍ରମଣ ହୋଇଥିବାରୁ ସେ ହେଉଛନ୍ତି ମାଷ୍ଟରମାଇଣ୍ଡ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବାକୁ ସବୁ ଜିଲ୍ଲାରେ ଓଏଏସ ଅଫିସର ନେଇଛନ୍ତି ନିଷ୍ପତ୍ତି । ଓଏଏସ ଅଫିସରମାନେ ସମୂହ ଛୁଟିରେ ଯାଇଥିବାରୁ ଜିଲ୍ଲାରେ ପ୍ରଶାସନିକ କାମ ଠପ । ସବୁ ସରକାରୀ ଅଫିସ ଖାଁ ଖାଁ, ଚେୟାର ଟେବୁଲ ବି ଖାଲି ପଡିଛି । ନିଜ ନିଜର ସମସ୍ୟାକୁ ନେଇ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି ।

ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଘଟଣାକୁ ଏ ଭିତରେ ତିନି ଦିନ ହେଲାଣି । ବାରମ୍ବାର ଦାବି ପରେ ପୋଲିସ ଗତକାଲି ସୁଦ୍ଧା ୫ଜଣଙ୍କୁ ଗିରଫ କରିଛି । ହେଲେ ମୁଖ୍ୟ କାର୍ପଟଦାର ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଉନି । ଖୋଦ ରତ୍ନାକର ସାହୁ ତାଙ୍କ ଏଫଆଇଆରରେ ଜଗନ୍ନାଥ ପ୍ରଧାନଙ୍କ ନିର୍ଦ୍ଦେଶରେ ଆକ୍ରମଣ ହୋଇଥିବା କହିଥିବା ବେଳେ ଓଏଏସ ସଂଘ ମଧ୍ୟ ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ କାର୍ପଟଦାର ବୋଲି ଅଭିଯୋଗ କରିଛି । ତଥାପି ତାଙ୍କୁ ଏଯାଏଁ ଗିରଫ କରାଯାଉନି । ଏହାର ଫଳସ୍ବରୂପ ରାଜ୍ୟ ସାରା ସରକାରୀ କାର୍ଯ୍ୟାଳୟରେ କୌଣସି କାମ ହେଉନି । କିନ୍ତୁ ସରକାରଙ୍କୁ ନେଇ କୌଣସି ନିଘା ଥିଲା ଭଳି ଲାଗୁନି । ନିଜ ଦଳର ନେତାଙ୍କୁ ସୁରକ୍ଷା ଦେବାକୁ ଯାଇ ଦିନକୁ ଦିନ ଏହି ବିବାଦ ଅଧିକ ଜଟିଳ ହେବାରେ ଲାଗିଛି । ଏବେ ସାଧାରଣ ଲୋକ ବି ଏହି ବିବାଦରେ ଛନ୍ଦି ହୋଇ ହନ୍ତସନ୍ତ ହେଉଛନ୍ତି । ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ନକରାଯିବା ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ଦୃଢ ଭାବେ ଅଫିସରମାନେ କହୁଛନ୍ତି । ସବୁ କିଛି ନିର୍ଭର କରୁଛି ସରକାରଙ୍କ ଉପରେ ।

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ରତ୍ନାକର ସାହୁ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଭୁବନେଶ୍ବର : ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ନିଜ ଚାମ୍ବରରେ ବସିଥିବା ବେଳେ ହଠାତ୍ ଖସିପଡ଼ିଲେ ରତ୍ନାକର। ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ରେ ହସ୍ପିଟାଲକୁ ନିଆଯାଇଥିଲା। ଗତ ସୋମବାର ଦିନ ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକଣ ସାହୁଙ୍କୁ ଆକ୍ରମଣ କରିଥିଲେ ବିଜେପି ନେତା। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରକାଶ ପାଇଛି ପ୍ରତିକ୍ରିୟା। ସରକାରୀ କାର୍ଯ୍ୟାଳୟରେ ଜଣେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରାଯିବା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଓଏଏସ ସଂଘ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଓଏଏସ ସଂଘ ଦାବି କରିବା ସହ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି।

ବଲାଙ୍ଗୀରରେ ଗଡ଼ିପାରୁନି ବିକାଶ ଗାଡ଼ି, ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ଖାଲି ଥିବା ବେଳେ ଆସୁନି କେବିକେ ଅନୁଦାନ

ବଲାଙ୍ଗୀର : ବଲାଙ୍ଗୀରକୁ ଭୋକର ଭୁଗୋଳରୁ ବିକଶିତ ଜିଲ୍ଲାର ଭାବେ ଗଢି ତୋଳିବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ଆର୍ଥିକ ବିକାଶ ସହ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଜଳସେଚନ କରାଯାଇଥିଲା ଫୋକସ । ହେଲେ ଏବେ ବିକାଶ ବିକାଶର ଗାଡ଼ି ଗଡ଼ିବାର ନାଁ ନେଉନି । ଜିଲ୍ଲାରେ ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ଖାଲିଥିବା ବେଳେ କେବିକେ ବିକାଶ ଅନୁଦାନ ଆସିନାହିଁ  I ଅନ୍ୟପଟେ ଜିଲ୍ଲାରେ ଦୁର୍ନୀତି ଚରମସୀମାରେ ପହଞ୍ଚିଛି । ଜିଲ୍ଲାରେ ରବିୠତୁ ପାଇଁ ୩ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରିବାକୁ କମିଟି ବୈଠକରେ ସ୍ଥିର କରାଯାଇଥିଲା । କିନ୍ତୁ ଜିଲ୍ଲା ଯୋଗାଣ ବିଭାଗ ସାଢେ ୫ ଲକ୍ଷ କୁଇଣ୍ଟାଲ ଧାନ କିଣୁଥିବା ଜଣାପଡିଛି I ଅଧିକ ୨ ଲକ୍ଷ କୁଇଣ୍ଟାଲ ଧାନ କେଉଁଠୁ ଆଣିଲେ ବୋଲି ବଲାଙ୍ଗୀର ବିଧାୟକ ଓ ରାଜ୍ୟସଭା ସାଂସଦ ପ୍ରଶ୍ନ କରିଛନ୍ତି  I

ଅନେକ ସମୟରେ ଜିଲ୍ଲାରେ ବିକାଶ କାମକୁ ନେଇ ବିଭିନ୍ନ ସ୍ଥାନରେ ଧାରଣା ଦେଉଛନ୍ତି ଜନ ପ୍ରତିନିଧି । ଗତ ୨୪ ଓ ୨୫ ଦୁଇଦିନ ଧରି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ନେତୃତ୍ବରେ ଜିଲ୍ଲାର ପାଖାପାଖି ୨୫ ଜଣ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଆନ୍ଦୋଳନରେ ବସିଥିଲେ । ପୂଜା ଥାଳି ଧରି ଘଣ୍ଟ ବଜାଇ ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରକୁ ଧସେଇ ପଶି ପ୍ରତିବାଦ କରିଥିଲେ I ଶେଷରେ ଜିଲ୍ଲାପାଳ ଆନ୍ଦୋଳନ ସ୍ଥାନକୁ ଯାଇ ଦାବିପତ୍ର ଗ୍ରହଣ କରିଥିଲେ  I ସେହିପରି ପାଟଣାଗଡ଼ ବ୍ଲକ ଓ ଏନ୍ଏସି ସମୁଖରେ ଗତ କିଛିଦିନ ହେଲା ଲୋକ ପ୍ରତିନିଧି ଧାରଣାରେ ବସିଛନ୍ତି  I ଏନେଇ ଜିଲ୍ଲା ପରିଷଦ ବୈଠକରେ ମଧ୍ଯ ହୋହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା I ଏକ ରିଜୋଲୁସନ କରି ସରକାରଙ୍କୁ ପଠା ଯାଇଛି । ତେବେ  ଏନେଇ ବଲାଙ୍ଗୀର ଜିଲ୍ଲାପାଳ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ ସାଂସଦ କଡା ସମାଲୋଚନା କରିଛନ୍ତି I

ରାଉରକେଲା NITର ଗବେଷଣା, ସାଟେଲାଇଟ୍ ଦ୍ବାରା ଲୋହିତ ଗ୍ରହର ପାଣିପାଗ ମଡେଲ ନେଇ ମିଳିଲା ଆଶ୍ଚର୍ଯ୍ୟ ଜନକ ତଥ୍ୟ

ରାଉରକେଲା : ମଙ୍ଗଳ ଗ୍ରହରେ କେମିତି ସୃଷ୍ଟିହେବ ଜୀବନ ? ଏଠାରେ ପୂର୍ବରୁ ଥିଲା କି ଜୀବ ସତ୍ତା ? ଏଠାକାର ପାଣିପାଗ ଜୀବନ ଧାରଣ ପାଇଁ କେତେ ଉପଯୋଗୀ ? ରୋବୋଟିକ୍ ଓ ମାନବ ମିଶନ ଯୋଜନା ପାଇଁ ମଙ୍ଗଳ ଗ୍ରହରେ ପାଣିପାଗର ପୂର୍ବାନୁମାନକୁ ଉନ୍ନତ କରିବା ପାଇଁ ରାଉରକେଲା ସଫଳ ହୋଇଛି NITର ଗବେଷଣା । ଦୁଇ ଦଶନ୍ଧିର ସାଟେଲାଇଟ୍ ତଥ୍ୟ ଅଧ୍ୟୟନ କରିଛନ୍ତି ବିଜ୍ଞାନୀ । ଗ୍ରହର ପାଣିପାଗ ପ୍ରକ୍ରିୟା ଜାଣିବା ଦ୍ୱାରା ମହାକାଶଯାନକୁ ସୁରକ୍ଷା ଦେବା, ଭବିଷ୍ୟତର ମହାକାଶଚାରୀଙ୍କୁ ମିଳିବ ସହାୟତା । ଗବେଷଣାର ନିଷ୍କର୍ଷ ଗୁଡ଼ିକୁ ପ୍ରତିଷ୍ଠିତ ପତ୍ରିକା ନ୍ୟୁ ଆଷ୍ଟ୍ରୋନୋମି ରିଭ୍ୟୁଜ୍ ଇମ୍ପାକ୍ଟ ଫ୍ୟାକ୍ଟର ୨୬.୮ ରେ ପ୍ରକାଶିତ ପାଇଛି । ଯାହାକୁ ଗବେଷଣା ପରେ ପ୍ରସ୍ତୁତ କରିଛନ୍ତି ପୃଥିବୀ ଓ ବାୟୁମଣ୍ଡଳ ବିଜ୍ଞାନ ବିଭାଗର ପ୍ରଫେସର ଜଗବନ୍ଧୁ ପଣ୍ଡା ଓ  ଗବେଷଣା ଛାତ୍ର ଅନିର୍ବାଣ ମଣ୍ଡଳ ।

ମଙ୍ଗଳ ଗ୍ରହର ବାୟୁମଣ୍ଡଳ ଏହାର ଦ୍ରୁତ ଗତିରେ ଘୂର୍ଣ୍ଣନ କରୁଥିବା ଧୂଳିକଣା, ଶକ୍ତିଶାଳୀ ଧୂଳିଝଡ଼ ଓ ଜଳୀୟ ବରଫ ମେଘ ଦ୍ୱାରା କିପରି ପ୍ରଭାବିତ ହୋଇପାରେ ସେନେଇ ଅଧ୍ଯୟନ କରିଛି ଟିମ୍ । ଲୋହିତ ଗ୍ରହରେ ରହିଛି ଆଶ୍ଚର୍ଯ୍ୟଜନକ ପାଣିପାଗ ସ୍ଥିତି । ଲୋହତ ଗ୍ରହ ପାଣିପାଗର ୩ଟି ପ୍ରମୁଖ ଉପାଦାନ ଧୂଳିକଣା , ବଡ଼ ଧୂଳିଝଡ଼ ଓ ବରଫ ବାଦଲ ଉପରେ ଗବେଷଣା କରାଯାଇଛି । ୟୁଏଇ ବିଶ୍ୱବିଦ୍ୟାଳୟ ଓ ଚୀନର ସନ୍ ୟାତ୍ ସେନ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ସହଯୋଗରେ ଗବେଷଣା କରାଯାଇ ମିଳିଛି ଅନେକ ସଫଳତା । ଏହି ଗବେଷଣା ଦ୍ଵାରା ମଙ୍ଗଳ ଗ୍ରହର ଜଳବାୟୁ ପ୍ରଣାଳୀ ବିଷୟରେ ମାନବ ଜ୍ଞାନ ଓ ଭବିଷ୍ୟତର ପାଣିପାଗ ପୂର୍ବାନୁମାନ କରିବା ପାଇଁ ଉପଯୋଗୀ ହୋଇପାରିବ ।

ହୋଟେଲ ବୁକ କରୁଥିଲେ ସାବଧାନ ! ବୁକିଂ ନାଁରେ ଆକାଉଣ୍ଟ ଖାଲି କରି ନେଉଛନ୍ତି ସାଇବର ଲୁଟେରା

ଭୁବନେଶ୍ୱର : ପୁରୀ ଯିବା ପାଇଁ ହୋଟେଲ ବୁକିଂ କରୁଛନ୍ତି କି ? ଯଦି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ବୁକିଂ ନାଁ ରେ ଆକାଉଣ୍ଟ ଖାଲି କରୁଛନ୍ତି ସାଇବର ଠକ । ପୁରୀ ପରେ ଠକଙ୍କ ନଜରରେ ଭୁବନେଶ୍ୱର ହୋଟେଲ । ଦେଖିବାକୁ ପୁରା ଅବିକଳ । ୱେବସାଇଟ ଡିଜାଇନ, ହୋଟେଲ ଫଟୋ, ଗୁଗୁଲ ରିଭ୍ଯୁ, ସବୁ ମିଛ । ରଥଯାତ୍ରା ସମୟରେ ପାଖାପାଖି ୪ ଶହ ପର୍ଯ୍ୟଟକ ପୁରୀରେ ହୋଟେଲ ବୁକିଂ ନାଁ ରେ ଠକେଇର ଶିକାର ହେବା ପରେ ସତର୍କ କରିଛି କ୍ରାଇମବ୍ରାଞ୍ଚ । ଟୁରିଷ୍ଟ ଯେତେବେଳେ ଗୁଗୁଲରେ ହୋଟେଲ ନାଁ ସର୍ଚ୍ଚ କରୁଛନ୍ତି, ସେତେବେଳେ ଏହି ନକଲି ୱେବ୍ସସାଇଟ ଗୁଡିକ ସାମ୍ନାକୁ ଆସିବା ସହ ରିହାତି ଦେବା, ଆକର୍ଷଣୀୟ ଅଫରର ଲୋଭ ଦେଖାଇ ଲକ୍ଷ ଲକ୍ଷ ଲୁଟୁଛନ୍ତି । ସାଧାରଣ ନୁହେଁ ବରଂ ପ୍ରତିଷ୍ଠିତ ହୋଟେଲ ନାଁ ରେ ଠକେଇ ଖବର ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ସାଇବର ଟିମ ପକ୍ଷରୁ ଏହି ନକଲି ୱେବସାଇଟ ଗୁଡିକୁ ବ୍ଲକ କରାଯାଇଛି । ପୂର୍ବରୁ ହୋଟେଲର ଆଇଟି ସୁଦୃଢ଼ କରିବା ଦିଗରେ କ୍ରାଇମବ୍ରାଞ୍ଚ ସହ ହୋଟେଲ ମାଲିକଙ୍କ ଆଲୋଚନା ହୋଇଥିଲେ ମଧ୍ୟ ଏହାର କୌଣସି ସୁଫଳ ପର୍ଯ୍ୟଟକ ପାଇନଥିବା ଦେଖାଯାଇଛି ।

କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ହୋଇଥିବା ସଚେତନତା ବାର୍ତ୍ତା ମୁତାବକ ସ୍ବୀକୃତିପ୍ରାପ୍ତ ୱେବସାଇଟରୁ ହୋଟେଲ ବୁକିଂ କରନ୍ତୁ । ଗୁଗୁଲ ମ୍ୟାପ ବ୍ୟବହାର କରି ହୋଟେଲର ଠିକଣା ଓ ନମ୍ବର କ୍ରସ ଚେକ କରନ୍ତୁ । ସୁରକ୍ଷିତ ପେମେଣ୍ଟ ଗେଟ ୱେ ବ୍ୟବହାର କରନ୍ତୁ । ବୈଧ ଇନ ଭଏସ ପାଆନ୍ତୁ । ତେବେ ବଡ଼ କଥା ହେଉଛି, ହୋଟେଲ ନୁହେଁ ପୁରୀରେ ରେଷ୍ଟୁରାଣ୍ଟରେ ଟେବୁଲ ବୁକିଂ ବେଳେ ମଧ୍ୟ ଅଧିକାଂଶ ରାଜ୍ୟ ବାହାର ପର୍ଯ୍ୟଟକ ଠକେଇର ଶିକାର ହେଉଥିବା କହିଛନ୍ତି ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ମାଲିକ । କିଛି କ୍ଷେତ୍ରରେ ସାଇବର ଠକ ନିଜର ସୈତାନ ଦିମାଗ ଲଗାଉଥିବା ବେଳେ ଆଉ କିଛି କ୍ଷେତ୍ରରେ ପର୍ଯ୍ୟଟକ, ଶସ୍ତାରୁ ହୀନସ୍ତା ହେଉଥିବା ସେ କହିଛନ୍ତି । ପୂର୍ବରୁ କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଟେଲ ଆସୋସିଏସନ ସହ ଆଲୋଚନା କରାଯାଇଥିଲା । ସେମାନଙ୍କ ଆଇଟି କୁ ସୁଦୃଢ କରିବା ପାଇଁ ଆଲୋଚନା ମଧ୍ୟ ହୋଇଥିଲା । କିନ୍ତୁ କିଛି ମାଲିକଙ୍କ ବୈମାତୃକ ମନୋଭାବ ପାଇଁ ଓଡ଼ିଶାର ପର୍ଯ୍ଯଟନ କ୍ଷେତ୍ର ପ୍ରଭାବିତ ହେଉଥିବା ମତ ପ୍ରକାଶ ପାଇଛି ।

ଜୟପୁର ସହରରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ଜୟପୁର : ସ୍କୁଲ ଅଛି । ପାଠପଢା ଚାଲିଛି । କିନ୍ତୁ ପାଠ ପଢାଉଥିବା ମହିଳା ଜଣଙ୍କ ଶିକ୍ଷୟିତ୍ରୀ ନୁହଁନ୍ତି । ସେ ହେଉଛନ୍ତି ଜଳ ସେଚନ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରୋଗ୍ରେସ ରେକର୍ଡର ମଞ୍ଜୁଲତା ମିଶ୍ର । ଶିକ୍ଷାର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ଖୋଦ ଜୟପୁର ସହରରେ ।  ଜୟପୁର ସହରର ଇରିଗେସନ କଲୋନୀରେ ଥିବା ଅପର କୋଲାବ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ତାଙ୍କୁ ଜଳସେଚନ ବିଭାଗ ପକ୍ଷରୁ ନିୟୋଜିତ କରାଯାଇଛି । ସେ ଶିକ୍ଷା ବିଭାଗର ନିୟମ ଅନୁସାରେ କୌଣସି ତାଲିମ ପାଇ ନାହାନ୍ତି । ସେହିପରି ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ଵ ଜଣେ ପ୍ରୋଗ୍ରେସ ରେକର୍ଡର ତୁଲାଉଛନ୍ତି । ସ୍କୁଲରେ ଶିଶୁ ବାଟିକା ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ୬୩ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ସେମାନଙ୍କୁ କେଉଁ ପ୍ରକାର ଶିକ୍ଷା ଦିଆଯାଉଥିବ ତାକୁ ନେଇ ଉଠିଛି ପ୍ରଶ୍ନ । ସେହିପରି ଜଳସେଚନ ବିଭାଗ ଦ୍ବାରା ପରିଚାଳିତ ପ୍ରୋଜେକ୍ଟ ହାଇସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୩୬ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ସେମାନଙ୍କ ପାଇଁ କେବଳ ୨ ଜଣ ଶିକ୍ଷକ ରହିଛନ୍ତି, ଯିଏକି ଚଳିତ ମାସରେ ଅବସର ନେବେ । ତାପରେ ସ୍କୁଲରେ ଶିକ୍ଷାଦାନ କିପରି ଚାଲିବ ସେନେଇ ଚିନ୍ତାରେ ଅଭିଭାବକ ଓ ପୂର୍ବତନ ଛାତ୍ର । ସ୍କୁଲରେ ଶିକ୍ଷକ ଅଭାବ ସଂପର୍କରେ ବାରମ୍ବାର ଶିକ୍ଷା ବିଭାଗ ଓ ଜଳ ସେଚନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ।

ଅପର କୋଲାବ ପ୍ରୋଜେକ୍ଟ ଅଧୀନରେ କୋରାପୁଟ ଜିଲ୍ଲାରେ ଗୋଟିଏ ହାଇସ୍କୁଲ ଓ ୪ଟି ପ୍ରାଥମିକ ବିଦ୍ଯାଳୟ ଥିବା ବେଳେ ସବୁ ବିଦ୍ଯାଳୟ ଅବସ୍ଥା ସମାନ । ଏ ସଂପର୍କରେ ନନ୍ଦିଘୋଷ ଟିଭି ପ୍ରତିନିଧି ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ଯଯନ୍ତ୍ରୀଙ୍କ ଧ୍ଯାନ ଆକର୍ଷଣ କରିଥିଲେ । ସେ ଶିକ୍ଷା ବିଭାଗ ଓ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିବା ସହ ବିଦ୍ଯାଳୟଗୁଡିକୁ ଶିକ୍ଷା ବିଭାଗକୁ ହନ୍ତାନ୍ତର କରିବାକୁ ଚିଠି ଲେଖିଥିବା କହିଛନ୍ତି । ଅନ୍ଯପଟେ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ । ପୂର୍ବରୁ ଯେଉଁ ହାଇସ୍କୁଲରେ ପାଠ ପଢି ବହୁ ଛାତ୍ରଛାତ୍ରୀ ଆଜି ବହୁ ଉଚ୍ଚ ପଦସ୍ଥ ଅଧିକାରୀ ହୋଇପାରିଛନ୍ତି, ସେହି ସ୍କୁଲ ଆଜି ଅବହେଳିତ । ଏହାଠୁ ଦୁର୍ଭାଗ୍ଯର ବିଷୟ କଣ ହୋଇପାରେ ?

ଝାରସୁଗୁଡାରେ ୧୭୩ ଜଣ ଚାଷୀଙ୍କ ଟୋକନ ଲାପ୍ସ, ଚିନ୍ତାରେ ହୀରାକୁଦ ବୁଡି ଅଞ୍ଚଳ ଅନ୍ନଦାତା

ଝାରସୁଗୁଡ଼ା : ଜୁନ ୩୦ରେ ସାରା ରାଜ୍ଯରେ ସରିଗଲା ରବି ଧାନ କିଣା । ପୂରଣ ହେଲାନି କିନ୍ତୁ ଟାର୍ଗେଟ । ଝାରସୁଗୁଡାରେ ଚାଷୀଙ୍କ ଟୋକନ ଲାପ୍ସ । ଅଦିନିଆ ବର୍ଷାରୁ ବର୍ତ୍ତି ଯାଇଥିବା ୧୭୩ ଜଣ ଚାଷୀଙ୍କ ୬ ଶହ ୩୪ କ୍ଵିଣ୍ଟାଲ ଧାନ ଏବେ ମଧ୍ଯ ଖତ ଖାଉଛି । ଧାନ ଘରକୁ ନେଇଯାଇଥିଲେ ସୁଦ୍ଧା ଧାନ କିନ୍ତୁ ନଷ୍ଟ ହୋଇଯାଇଛି । ଧାନ ବିକି ପାରିନଥିବା ଅଧିକାଂଶ ଚାଷୀ ହୀରାକୁଦ ବୁଡି ଅଞ୍ଚଳର । ଏଭଳି ସମ୍ବେଦନଶୀଳ ଘଟଣା ପାଇଁ ଦାୟୀ କିଏ ? ଝାରସୁଗୁଡା ଚାଷୀଙ୍କ ଦୁଃଖ ବୁଝିବ କିଏ ? ଏନେଇ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ଦାୟୀ କରିଛନ୍ତି ଚଷା ପୁଅ ।

ଝାରସୁଗୁଡାରେ ଚଳିତ ବର୍ଷ ୨ ହଜାର ୮୯ ଜଣ ଚାଷୀଙ୍କ ଠାରୁ ୯୨ ହଜାର ୬୪୪.୧୫ କ୍ଵିଣ୍ଟାଲ ଧାନ କିଣା ଯାଇଛି । ଧାନ କିଣାକୁ ନେଇ ବାରମ୍ବାର ବାଦ ବିବାଦ ପରେ ଜିଲ୍ଲାପାଳ ଏବଂ ରାଜ୍ୟ ସରକାର ସମସ୍ତ ଚାଷୀଙ୍କ ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ବାଦ ପଡିଗଲେ ୧୭୩ ଜଣ ଚାଷୀ । ଯାହାକୁ ନେଇ ଚାଷୀ ଚିନ୍ତାରେ ଥିବା ବେଳେ ଅତିରିକ୍ତ ସିଏସଓ କହିଛନ୍ତି ଯଦି କୌଣସି ଜେନ୍ୟୁଇନ ଚାଷୀ ରହି ଯାଇଥିବେ ତେବେ ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ସେ ପ୍ରସଙ୍ଗରେ ସରକାରଙ୍କୁ ଜଣାଇ କୌଣସି ପଦକ୍ଷେପ ନିଆଯିବ। ଏଠି ପ୍ରଶ୍ନ ଉଠୁଛି- ଜିଲ୍ଲା ପ୍ରଶାସନ ପରଖ କରି ଟୋକନ ଦେଇଥିବା ଚାଷୀ କିଭଳି ହେଲେ ଫେକ ଚାଷୀ ? ଚାଷୀଙ୍କୁ ଢାଲ କରି କେବଳ ରାଜନୈତିକ ଉଦ୍ଦେଶ୍ଯ ସାଧନ କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ ।

ପ୍ରେମୀ ଯୁଗଳଙ୍କୁ ରୀତିନୀତିରେ ବାହାଘର କଲେ ବଡଚଣା ଥାନା ଅଧିକାରୀ

ଚଣ୍ଡିଖୋଲ : ମଥାରେ ଟିପିଟିପି ଚନ୍ଦନ, ପାଦରେ ଲାଗିଛି ଅଳତା । ନା ଅଛନ୍ତି ବରଯାତ୍ରୀ ନା ଅଛି ବାଜା ରୋଷଣୀ । ଏହା କୌଣସି ମଣ୍ଡପ କିମ୍ବା ଘର ନୁହେଁ ବରଂ ଥାନାର ଦୃଶ୍ଯ । ବର କନ୍ୟାଙ୍କୁ ବେଦୀକୁ ପାଛୋଟି ନେଉଛନ୍ତି ପୋଲିସ କର୍ମଚାରୀ । ଦୁଇ ପ୍ରେମୀ ଯୁଗଳଙ୍କ ସାହାରା ପାଲଟିଲା ବଡଚଣା ପୋଲିସ । ବଡଚଣା ଥାନା ଅଧୀନ ଚଣ୍ଡିତଳ ଗାଁର କେଶବ ସାମଲଙ୍କ ପୁଅ ରିତୁ ସାମଲ ଓ ମହେଶ୍ଵର ମଲିକଙ୍କ ଝିଅ ରିନୁ ମଲ୍ଲିକ ପରସ୍ପରକୁ ଦୀର୍ଘ ୬ ବର୍ଷ ଧରି ଭଲ ପାଉଥିଲେ । ହେଲେ ବିବାହ ପାଇଁ ପରିବାର ଲୋକେ ରାଜି ହେଉନଥିଲେ କି ସାମାଜିକ ସ୍ଵିକୃତୀ ମିଳୁନଥିଲା । ଶେଷରେ ଦୁହେଁ ବଡ଼ଚଣା ପୋଲିସର ଦ୍ବାରସ୍ଥ ହୋଇଥିଲେ। ଉଭୟ ପରିବାରଙ୍କୁ ବୁଝାଇ ବଡଚଣା ଥାନା ଅଧିକାରୀ ନିଜେ ସମସ୍ତ ଦାୟିତ୍ବ ନେଇ ଥାନା ପରିସରରେ ଥିବା ମନ୍ଦିରରେ ରୀତିନୀତି ସହ ବିବାହ କରାଇଛନ୍ତି ।

ବଡଚଣା ପୋଲିସ ଉଭୟଙ୍କ ବାହାଘରର ସମସ୍ତ ଦାୟିତ୍ଵ ହାତକୁ ନେଇଥିଲେ । ଉଭୟ ପରିବାରର ସହମତି କ୍ରମେ ମନ୍ଦିରରେ ବିବାହ ହେଲା । ଏମିତିକି ବିବାହରେ କନ୍ୟା ପିତା ସାଜିଥିଲେ ପୋଲିସ କର୍ମଚାରୀ । ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ରିତୁ ଆଉ ରିନୁ ବାନ୍ଧି ହୋଇଥିବା ବେଳେ ବାହାଘରରେ ବହୁ ବୁଦ୍ଧିଜୀବୀ ସହଯୋଗ କରିଥିଲେ । ବଡ଼ଚଣା ପୋଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।