spot_img
Home Blog Page 6064

ବିଶ୍ୱ ଦେଖିଲା ସେନାର ସାହସ, ଶୌର୍ଯ୍ୟ ଓ ପରାକ୍ରମ… ପ୍ରଜ୍ଞାପନ ମେଢରେ ଦେଶର ସାଂସ୍କୃତିକ ବିବିଧତାର ଝଲକ

ନୂଆଦିଲ୍ଲୀ: ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳୁଛି ଭାରତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ତିନି ସେନାର ମୁଖ୍ୟ ଉପସ୍ଥିତ ଥିଲେ । ଗଣତନ୍ତ୍ର ଦିବସରେ ରାଜପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ପତାକା ଉତ୍ତୋଳନ ବେଳେ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ରହିଥିଲେ । ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଛି ପରେଡ୍‌ । ପରେଡରେ ସାରା ବିଶ୍ୱକୁ ନିଜର ଶକ୍ତି ଓ ସାମର୍ଥ୍ୟ ଦେଖାଉଛି ଭାରତ।

ପ୍ରଥମ ଥର ଲାଗି ଯୁଦ୍ଧ ବିମାନ ରାଫେଲ୍‌ ପରେଡ୍‌ରେ ସାମିଲ ହୋଇଥିବା ବେଳେ ଦମ୍ ଦେଖାଇଛି ମିଗ୍‌-୨୯ । ତେବେ ଗତ ୫ ଦଶନ୍ଧିରେ ପ୍ରଥମ ଥର ପାଇଁ ଚଳିତବର୍ଷ ଦିଲ୍ଲୀରେ ବିନା ମୁଖ୍ୟ ଅତିଥିରେ ପରେଡ ଅନୁଷ୍ଠିତ ହେଉଛି। ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ବିଗତ ବର୍ଷଗୁଡ଼ିକ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅତିଥି ଓ ଦର୍ଶକଙ୍କ ସଂଖ୍ୟା ଦୁଇ ତୃତୀୟାଂଶ କମ୍‌ କରାଯାଇଥିଲା ।

ପରେଡରେ ମାତ୍ର ୪ଟି ସ୍କୁଲର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଛନ୍ତି । ଏଥିରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଚଳିତବର୍ଷ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ପରେଡ ସ୍ଥଳକୁ ଅନୁମତି ଦିଆଯାଇ ନ ଥିଲା। ପରେଡ୍‌ ପରେ ୧୭ଟି ରାଜ୍ୟ ଓ ୯ଟି ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା ।

କୃଷି ଆଇନ୍‌କୁ ବିରୋଧ କରି ରାଉରକେଲାରେ ଟ୍ରାକ୍ଟର ରାଲି

ସମ୍ବଲପୁର: ରାଉରକେଲାରେ ଟ୍ରାକ୍ଟର ରାଲି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ରାଉରକେଲାରେ ଆରମ୍ଭ ହୋଇଛି ଟ୍ରାକ୍ଟର ରାଲି । ସହରର ସିଟୁ ଶ୍ରମିକ ସଂଗଠନ ପ’ରୁ ଏହି ରାଲିର ଆୟୋଜନ କରଯାଇଛି । ରାଉରକେଲା ସହରର ପାନପୋଷ ମହାତ୍ମା ଗାନ୍ଧୀ ଛକଠାରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଛି ।

ସିଟୁ ଶ୍ରମିକ ସଂଗଠନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଶତାଧିକ ଶ୍ରମିକ ଓ ଚାଷୀ ଅଂଶ ଗ୍ରହଣ କରିଥିଲେ । କେନ୍ଦ୍ର ସରକାର ଆଣିଥିବା କୃଷି ବିରୋଧୀ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା, ୪ଟି ଲେବର କୋର୍ଡ ପ୍ରତ୍ୟାହାର କରିବା, ବିଦ୍ୟୁତ୍‌ ଵିଲ୍‌ ୨୦୨୦ ପ୍ରତ୍ୟାହାର କରିବା ଓ ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇ କରଣ ବନ୍ଦ କରିବା ଦାବିରେ ଏହି ଶୋଭାଯାତ୍ରା କରଯାଇଥିବା ନେତାମାନେ କହିଛନ୍ତି ।

ସେପଟେ ଆଜି ରାଜଧାନୀ ଦିଲ୍ଲୀରେ ମଧ୍ୟ ଟ୍ରାକ୍ଟର ରାଲି କରିଛନ୍ତି ଚାଷୀ । ପାଖା ପାଖି ୩୦ ହଜାରରୁ ଅଧିକ ଟ୍ରାକ୍ଟର ରାଲିରେ ସାମିଲ ହୋଇଛି । ଟ୍ରାକ୍ଟର ରାଲି ପାଇଁ ଭିନ୍ନ ଭିନ୍ନ ରୁଟ୍‌ ମ୍ୟାପ୍‌ ପ୍ରସ୍ତୁତ କରିଥିଲା ଦିଲ୍ଲୀ ପୋଲିସ ।

ଏଣିକି ଦିଲ୍ଲୀରେ କାଠ ବଦଳରେ ଗୋବର ଘସିରେ ହେବ ଶବଦାହ

ଦିଲ୍ଲୀ: ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ(ଏସ୍‌ଡିଏମ୍‌ସି) ଅଧୀନରେ ଥିବା ଅଞ୍ଚଳରେ ଏଣିକି କାଠରେ ନୁହେଁ ଗୋବର ଘସି(ଗୋବରରୁ ତିଆରି ଏକ ଜାଳେଣି)ରେ କରାଯିବ ଶବ ସତ୍କାର। ବିଜେପି ନେତୃତ୍ୱାଧୀନ ଏସଡିଏମସି ହାଉସରେ ଚଳିତ ସପ୍ତାହରେ ହୋଇଥିବା ଏକ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ବୋଲି ଏକ ବିବୃତି ଜାରି କରାଯାଇ କୁହାଯାଇଛି।

ଏ ନେଇ ଦକ୍ଷିଣ ଦିଲ୍ଲୀର ମେୟର ଅନାମିକା କହିଛନ୍ତି ଯେ ‘ଏଣିକି ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ(ଏସ୍‌ଡିଏମ୍‌ସି) ଅଧୀନରେ ଥିବା ଅଞ୍ଚଳରେ କାଠ ବଦଳରେ ଘସିରେ ଅନ୍ତିମ ସତ୍କାର କରାଯିବ। ଏସ୍‌ଡିଏମ୍‌ସି ଶବଦାହ କେନ୍ଦ୍ରରେ କାଠ, ଘସି ଓ ନଡ଼ା  ଆଦି ଉପଲବ୍ଧ ରହିବ।’

ସେ ଆହୁରି ବି କହିଛନ୍ତି ଯେ ଘସିଗୁଡ଼ିକର ଆକାର କ୍ଷୁଦ୍ରତମ ହୋଇଥିବାରୁ ଲୋକମାନେ ବେଶି କାଠକୁ ପସନ୍ଦ କରିଥାନ୍ତି। ସେହି କାରଣରୁ ଏବେ ଗୋବରରେ କାଠ ଗଣ୍ଡି ଆକାରର ଜାଳେଣି ପ୍ରସ୍ତୁତ କରିବାକୁ ପ୍ରସ୍ତାବ ରହିଛି।

ଏହି ଗୋବର ନିର୍ମିତ ବଡ଼ ଆକାରର ଜାଳେଣି ବିଶେଷ କରି ଅଭାବୀ ଲୋକଙ୍କ ପାଇଁ ବେଶି ଲାଭପ୍ରଦ ହେବ। ଗୋବର ଆମ ସଂସ୍କୃତି ସହ ଜଡ଼ିତ ବୋଲି ମଧ୍ୟ ବିବୃତିରେ କୁହାଯାଇଛି । ଏସ୍‌ଡିଏମ୍‌ସିର ମେୟର କହିଛନ୍ତି କି ଏପରି ନିଷ୍ପତ୍ତିକୁ କିଛି ସାମାଜିକ ସଂଗଠନ ପକ୍ଷରୁ ସମର୍ଥନ ମିଳିଛି। ଏହି ସୁବିଧା ଖୁବ୍ ଶୀଘ୍ର ଲୋକମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି ସେ ଆଶ୍ବାସନା ଦେଇଛନ୍ତି।

ଗଣତନ୍ତ୍ର ଦିବସରେ ଚାଷୀଙ୍କୁ ନେଇ ତିନି ଦଳର ରାଜନୀତି, ପରସ୍ପରକୁ ଦୋଷ ଲଦିଲେ

ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ ଚାଷୀ ରାଜନୀତି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଚାଷୀ ପ୍ରସଙ୍ଗରେ ଦେଲେ ପ୍ରତିକ୍ରିୟା । ଚାଷୀଙ୍କ ଟ୍ରାକ୍ଟର ରାଲିକୁ ନେଇ ମତ ରଖିଲେ ବିଜେଡି ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା । ସେ କହିଲେ ଭାରତ ବର୍ଷର ଚାଷୀମାନଙ୍କ ପାଇଁ ରାଜ୍ୟ ତଥା ଦେଶ ସମୃଦ୍ଧ ହୋଇଛି । କୃଷକ ମାନଙ୍କୁ ଛାଡି ଦେଶର ବିକାଶ ଚିନ୍ତା କରାଯାଇ ପାରିବ ନାହିଁ । ସେମାନେ ଜାତିର ଅନ୍ନଦାତା । ଏହି ପବିତ୍ର ଦିବସରେ ଅନ୍ନଦାତାଙ୍କର ବହୁ ଦିନର ଦାବିକୁ ସରକାର ସହୃଦୟତାର ସହ ଗ୍ରହଣ କରିବା ସହ ଏକ ଉଚ୍ଚ ପରମ୍ପରା ସୃଷ୍ଟି କରିବେ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି ।

ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ତିନୋଟି କୃଷି ବିଲ୍ ମୁଷ୍ଟିମେୟ ଓ ପୁଞ୍ଜିପତିମାନଙ୍କର ସ୍ୱାର୍ଥରେ ପ୍ରସ୍ତୁତ କରାଯାଇଛି । ତେଣୁ ଏହା ଠିକ୍ ନୁହେଁ । ଏହି ବିଲ୍ କର୍ପୋରେଟ ସଂସ୍ଥା ମାନଙ୍କ ସ୍ୱାର୍ଥ ପାଇଁ କରାଯାଇଛି, ନାଁ କି ଚାଷୀଙ୍କ ସ୍ୱାର୍ଥ ଉଦେଶ୍ୟରେ । ତେଣୁ ସରକାର ଏହା ବୁଝିବା ଦରକାର ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଅନ୍ୟପଟେ ଚାଷୀଙ୍କୁ ନେଇ ଡବଲ ଷ୍ଟାଣ୍ଡାର୍ଡ ନୀତି ଆପଣାଉଥିବା ବିଜେପି ନିଜ ଭୂଲକୁ ଲୁଚାଇବାକୁ ଚେଷ୍ଟା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି । ରାଜ୍ୟ ସଭାପତି ସମୀର ମହାନ୍ତି, ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ଚାଷୀଙ୍କ ଦୁଃଖ ବୁଝନ୍ତୁ ବୋଲି ଅନୁରୋଧ କରିଛନ୍ତି । ସେ କହିଛନ୍ତି ମଣ୍ଡିରେ ନୂଆ ଧାନ ପଡ଼ି ରହିଛି । ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ।

ବିଭିନ୍ନ ସ୍ଥାନରେ ନିରାଡମ୍ବର ଗଣତନ୍ତ୍ର ଦିବସ ପାଳିତ

0

ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ପାଳିତ । ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ଠାରେ କାର୍ଯ୍ୟକ୍ରମ ଆୟୋଜିତ । ଏହି ଅବସରରେ ଓଡିଶା ସରକାରଙ୍କ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି । କରୋନା କଟକଣା ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କରୋନା କଟକଣା ଯୋଗୁଁ ଚଳିତ ବର୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ୟାରେଡ କାର୍ଯ୍ୟକ୍ରମରୁ ବାଦ ଦିଆଯାଇଛି । ନିଜ ଅଭିଭାଷଣରେ ମନ୍ତ୍ରୀ ସ୍ଵାଧୀନତା ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲା ଭୂମିକା ବିଷୟରେ ସ୍ମୃତି ଚାରଣ କରିବା ସହିତ ସେମାନଙ୍କ ବଳିଦାନକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଥିଲା ।

ସେହିଭଳି ରାଉରକେଲା ସହରର ଉଦିତନଗର ପ୍ୟାରେଡ୍‌ ପଡ଼ିଆରେ ୭୨ତମ ସାଧାରଣତନ୍ତ୍ର ଦିବସ ଆଜି ପାଳିତ ହୋଇଯାଇଛି । ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ନିରଞ୍ଜନ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ୧୦୨ ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବା ସ‌ହ ୭ ଜଣଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ରାଉରକେଲା ସରକାରୀ ଡାକ୍ତରଖାନାର ୬୫ ଜଣ ଓ ଜୟ ପ୍ରକାଶ ହସ୍ପିଟାଲର ୩୭ ଜଣ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା । କୋଭିଡ କଟକଣା ପାଇଁ ପ୍ରଶାସନ ପକ୍ଷରୁ ଆଜି ନିରାଡମ୍ବର ଭାବେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ସହ ସମ୍ମିଳିତ ପ୍ୟାରେଡରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଅଂଶ ଗ୍ରହଣ କରିଥିଲେ । ପଶ୍ଚିମାଞ୍ଚଳ ପୋଲିସ ଆଇଜି କବିତା ଜଲାନ, ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ ଓ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଗଞ୍ଜାମ ଛତ୍ରପୁରଠାରେ ମଧ୍ୟ ଜିଲ୍ଲା ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ । ମନ୍ତ୍ରୀ ପଦ୍ମନାଭ ବେହେରା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସେହିଭଳି ବ୍ରହ୍ମପୁରରେ ଉପଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି .ଆଓ ପତକା ଉତ୍ତୋଳନ କରିଛନ୍ତି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମଠାରେ ୭୨ତମ ସାଧାରଣ ତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତଳନ କରିଛନ୍ତି ।

ପାରଳାଖେମୁଣ୍ଡି ଷ୍ଟାଡିୟମ୍‌ ପରିସରରେ ଜିଲ୍ଲା ସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି ।

ଆଜି ଦେଶ ଦେଖିବ ବିରାଟ ଟ୍ରାକ୍ଟର ପରେଡ୍… ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡିବ ହଜାର ହଜାର ଟ୍ରାକ୍ଟର

ନୂଆଦିଲ୍ଲୀ: ଆଜି ବିଶ୍ୱ ଦେଖିବ ବିରାଟ ଟ୍ରାକ୍ଟର ପରେଡ୍ । ଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସ ପାଇଁ ପରେଡ୍ ହେଉଥିବା ବେଳେ ଏପଟେ ହକ୍ ପାଇଁ ଟ୍ରାକ୍ଟର ପରେଡ୍ ବା ‘କିଷାନ ଗଣତନ୍ତ୍ର ପରେଡ୍‌’ କରିବେ ଅନ୍ନଦାତା। ରାଲି ବେଳେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସଜାଗ ରହିଛନ୍ତି ସୁରକ୍ଷାକର୍ମୀ । ପରେଡ୍‌ ଉପରେ ନଜର ରଖିବ ଡ୍ରୋନ୍‌ । ଦିନ ୧୨ଟାରୁ ୫ଟା ପର୍ଯ୍ୟନ୍ତ ପରେଡ୍‌ କରିବାକୁ ଚାଷୀଙ୍କୁ ଦିଲ୍ଲୀ ପୋଲିସ ଅନୁମତି ଦେଇଛି । ଏହି ପରେଡ୍‌ରେ ପ୍ରାୟ ୨୦ହଜାର ଟ୍ରାକ୍ଟର ସାମିଲ ହେବ । ପ୍ରତି ଟ୍ରାକ୍ଟରରେ ୩ଜଣ ଲେଖାଏଁ ବସିବାକୁ ଅନୁମତି ମିଳିଛି ।

ତେବେ ଟ୍ରାକ୍ଟର ଛଡ଼ା ଅନ୍ୟ କୌଣସି ଗାଡ଼ି ଯଥା-ବାଇକ୍, ଜେସିବି, ଟ୍ରଲି, ବଳଦଗାଡ଼ି, ଘୋଡ଼ାଗାଡ଼ି ଆଦିକୁ ରାଲିରେ ସାମିଲ ହେବାକୁ ବାରଣ କରାଯାଇଛି । ଏହାଛଡ଼ା ରାଲି ବେଳେ ଚାଷୀମାନେ କୌଣସି ସମାବେଶ, ଧାରଣା ମଧ୍ୟ ନ କରିବାକୁ ସର୍ତ୍ତ ରଖିଛି ଦିଲ୍ଲୀ ପୋଲିସ । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ୧୨ଟା ବେଳେ ଆରମ୍ଭ ହେବ ଟ୍ରାକ୍ଟର ପରେଡ୍‌ । ଏ ନେଇ ଟିକ୍ରି, ସିଂଘୁ, ଗାଜିପୁର ସୀମାରେ ପ୍ରସ୍ତୁତ ରହିଛନ୍ତି ଚାଷୀ ।

ଟିକ୍ରି ସୀମାରେ ୬୩ରୁ ୬୪ କିଲୋମିଟର, ସିଂଘୁ ସୀମାରେ ୬୨ରୁ ୬୩ କିଲୋମିଟର ଓ ଗାଜିପୁରରେ ୪୬ କିଲୋମିଟର ରାସ୍ତା ଦେଇ ଟ୍ରାକ୍ଟର ପରେଡ ହେବ । ପୋଲିସ ସୂଚନା ଅନୁସାରେ ପରେଡ ସମୟରେ ବନ୍ଦ ରହିବ ଦିଲ୍ଲୀର ରିଙ୍ଗ ରୋଡର ସମସ୍ତ ଦୋକାନବଜାର । କୋଣ ଅନୁକୋଣରେ ଛାଇ ହୋଇ ରହିବେ ସୁରକ୍ଷାକର୍ମୀ । କୃଷକମାନଙ୍କ ପାଇଁ ମୁତୟନ ହେବେ ୧ ହଜାର ସ୍ବେଚ୍ଛାସେବୀ । ଟ୍ରାକ୍ଟରରେ ଲାଗି ପାରିବ ତିନି ପ୍ରକାର ପତାକା । କୃଷକ ସଙ୍ଗଠନ, ତ୍ରିରଙ୍ଗା ଓ ଖାଲସା ପନ୍ତ ପତାକା ଲଗାଇ ପାରିବେ ଚାଷୀ । ଯଦି କୌଣସି ବିଶୃଙ୍ଖଳା ପରିସ୍ଥିତ ସୃଷ୍ଟି ହୁଏ ତେବେ ଏଥିପାଇଁ କୃଷକ ନେତା ଦାୟୀ ରହିବେ ବୋଲି ପୋଲିସ ଚେତାଇ ଦେଇଛି । ତେବେ କୃଷି ମନ୍ତ୍ରୀ କହିଛନ୍ତି ସମସ୍ତ ଚାଷୀ ନୁହଁନ୍ତି, ପଞ୍ଜାବର କିଛି ଚାଷୀ ଆଇନକୁ ବିରୋଧ କରୁଛନ୍ତି । ତେବେ ଦିଲ୍ଲୀରେ ଚାଲିଥିବା କୃଷି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଦେଶର ଅନେକ ଚାଷୀ ସଙ୍ଗଠନ ।

ବାଲୁକା କଳା ମାଧ୍ୟମରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଗଣତନ୍ତ୍ର ଦିବସ ଶୁଭେଚ୍ଛା

ପୁରୀ: ବାଲୁକା କଳାରେ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ତ୍ରିରଙ୍ଗା ଆଙ୍କି ଦେଶର ଉନ୍ନତି କାମନା କରିଛନ୍ତି ମାନସ । ବାଲୁକା କଳାଟି ୧୫ ଫୁଟ୍‌ ଓସାର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୫ ଟନ୍ ବାଲି ବ୍ୟବହାର କରାଯାଇଛି । ଏଥିରେ ମେରା ଭାରତ ମହାନର ବାର୍ତ୍ତା ଦେଇଛନ୍ତି ମାନସ ।

ଅନ୍ୟପଟେ ଆଜି କୋଭିଡ୍‌ କଟକଣା ମଧ୍ୟରେ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ପାଳନ ହୋଉଛି । ସବୁଠି ଉଡୁଛି ତ୍ରିରଙ୍ଗା । ଭୁବନେଶ୍ୱର ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ ଅନୁଷ୍ଠିତ ହେଉଛି । ଏଥିପାଇଁ ସଜେଇ ହୋଇଛି ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗ । ସାଢେ ୮ଟାରେ ପରେଡ୍ ଆରମ୍ଭ ହେବ । ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ପତାକା ଉତ୍ତୋଳନ କରିବେ ।

ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରେଡରେ ଯୋଗଦେବେ । ପରେଡ ଗ୍ରାଉଣ୍ଡରେ ଲାଗିଛି ମହାତ୍ମାଗାନ୍ଧୀ ଓ ବରପୁତ୍ରଙ୍କ ଫଟୋ ଚିତ୍ର । ଚଳିତ ବର୍ଷ ପରେଡରେ୧୪ଟି ଟ୍ରୁପ୍‌ ଭାଗ ନେବେ । କେସିଙ୍ଗା ଏସ୍‌ଡିପିଓ ଏସ୍‌. ସୁଶ୍ରୀ ପରେଡ୍‌ କମାଣ୍ଡର ଭାବରେ ଦାୟିତ୍ୱ ନେଇଛନ୍ତି ।

ସେପେଟ ସାଧାରଣ ଲୋକଙ୍କ ଯାତାୟତ ଉପରେ ଲାଗୁ ହୋଇଛି ଟ୍ରାଫିକ କଟକଣା । ପରେଡ୍‌ ଗ୍ରାଉଣ୍ଡର ଚାରିପଟୁ ଉତ୍ସବ ସ୍ଥଳ ଯାଏଁ ସିଲ କରାଯାଇଛି । ସୁରକ୍ଷା ଲାଗି ମୁତୟନ ହୋଇଛନ୍ତି ୨୫ ପ୍ଲାଟୁନ୍‌ ପୋଲିସ ଫୋର୍ସ । ଏହା ସହିତ ଟେରରିଷ୍ଟ ସ୍କ୍ୱାଡ୍, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍‌, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୋଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫ୍‌ଟପ୍‌ ସିକ୍ୟୁରିଟି, ସାର୍ପ ସୁଟର୍ ସମେତ ୨୫ରୁ ଅଧିକ ଇନ୍ସେସପେକ୍ଟର ପରେଡ୍‌ସ୍ଥଳ ଚାରିପଟେ ଉପସ୍ଥିତ ରହିଛନ୍ତି ।

ପିପିଲି ଉପନିର୍ବାଚନ: ଅଣ୍ଟା ଭିଡ଼ିଲେଣି ସବୁ ଦଳ, ୭୫ଟି ଅତି ସମ୍ବେଦନଶୀଳ ବୁଥ୍ ଉପରେ ନଜର

ପିପିଲି: ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ସଂପୂର୍ଣ୍ଣ ପ୍ରସ୍ତୁତ । ଖୁବ ଶୀଘ୍ର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି । ନିର୍ବାଚନ ପରିଚାଳନା ପାଇଁ ମଙ୍ଗଳବାରଠୁ ପୋଲିଂ ପାର୍ଟିଗୁଡ଼ିକର ତାଲିମ ଆରମ୍ଭ ।

କୋଭିଡ କଟକଣା ଭିତରେ ଉପନିର୍ବାଚନ କରାଯିବା ସହ ଶୃଙ୍ଖଳିତ ଭୋଟ କରିବା ପାଇଁ ଅଧିକ ବୁଥ୍‌ ଆୟୋଜନ କରାଯାଇଛି । ପିପିଲିରେ ମୋଟ ୨ ଲକ୍ଷ ୨୯ ହଜାର ୯୦୩ ଜଣ ଭୋଟର ଅଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୧୯ ହଜାର ୨୦ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟର ୧ ଲକ୍ଷ ୧୦ ହଜାର ୫୬୧ ଜଣ ଅଛନ୍ତି । ପୋଷ୍ଟାଲ ବାଲାଟ ଭୋଟରଙ୍କ ସଂଖ୍ୟା ୩୨୦ ।

ସେହିଭଳି ମୋଟ ବୁଥ୍‌ ସଂଖ୍ୟା ୨୭୩ ଥିବାବେଳେ ସେଥିରେ ୭୫ଟି ଅତି ସମ୍ବେଦନଶୀଳ ବୁଥ୍‌ ରହିଛି । ଉପନିର୍ବାଚନ ପାଇଁ ପ୍ରତି ବୁଥ୍‌ରେ ୧୦୦୦ ଜଣ ଭୋଟର ଭୋଟ ଦେବେ । ସେଥିପାଇଁ ଅଧିକ ବୁଥ୍‌ ମଧ୍ୟ କରାଯାଇଛି । ଏନେଇ ନିର୍ବାଚନ କମିଶନ ଅନୁମତି ମଧ୍ୟ ଦେଇ ସାରିଛନ୍ତି ।

ଗତ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ହୋଇଥିଲା । ସେଦିନଠାରୁ ଖାଲି ପଡିଛି ପିପିଲି ଆସନ । ନିୟମ ଅନୁସାରେ ୬ ମାସ ମଧ୍ୟରେ ହେବ ଉପନିର୍ବାଚନ । ଏପ୍ରିଲ ମାସରେ ୬ ମାସ ପୂରୁଥିବାରୁ ପିପିଲି ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

ବାୟୁସେନାର ହେଲିକାପ୍ଟର ଦୁର୍ଘଟଣା, ୨ ପାଇଲଟ ଗୁରୁତର

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର:ଜାମ୍ମୁ-କାଶ୍ମୀରରେ ବାୟୁ ସେନାର ଆଡ଼ଭାନ୍ସଡ ଲାଇଟ ହେଲିକାପ୍ଟର ‘ଧ୍ରୁବ’ ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ସୂଚନା ମିଳିଛି । ଗୁରୁତ୍ୱର ଆହତ ହୋଇଛନ୍ତି ୨ ପାଇଲଟ । ସେମାନଙ୍କୁ ପଠାନକୋଟ ସ୍ଥିତ ସେନା  ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ,ଜମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାରେ  ଦୁର୍ଘଟଣାଗ୍ରସ୍ତ ହୋଇଛି ବାୟୁସେନାର ଏହି ହେଲିକାପ୍ଟର । କୌଣସି ଯାନ୍ତ୍ରିକ ତ୍ରୁଟି ହେତୁ ଦୁର୍ଘଟଣା ଘଟିଥିବା ନେଇ ଅନୁମାନ କରାଯାଉଛି ।

ପାଟ୍ରୋଲିଂ ସମୟରେ ଏହି ଦୁର୍ଘଟଣା ଘଟିଛି । ହଠାତ ହେଲିକାପ୍ଟରରେ ନିଆ ଲାଗିଯିବା ହେତୁ ଏହା ଭାରସାମ୍ୟ ହରାଇଥିଲା । ଏଥିରେ ଥିବା ଦୁଇ ଜଣ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ଉଭୟେ ଗୁରୁତର ଭାବରେ ଆହତ ହୋଇଛନ୍ତି । ଭାରତୀୟ ବାୟୁ ସେନାର ବରିଷ୍ଠ ଅଧିକାରୀ ଏହି ଦୁର୍ଘଟଣା ପଛରେ କଣ କାରଣ ରହିଛି ତାର ତଦନ୍ତ ଆରମ୍ଭ କରିଛନ୍ତି ।

 

 

ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟପାଳ କରିବେ ପତାକା ଉତ୍ତୋଳନ, କଡ଼ା ସୁରକ୍ଷା ବଳୟରେ ପରେଡ୍‌ ସ୍ଥଳ

ଭୁବନେଶ୍ୱର: ଆଜି ୭୨ତମ ଗଣତନ୍ତ୍ର ଦିବସ । ସବୁଠି ଉଡୁଛି ତ୍ରିରଙ୍ଗା । ଭୁବନେଶ୍ୱର ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ ଅନୁଷ୍ଠିତ ହେଉଛି । ଏଥିପାଇଁ ସଜେଇ ହୋଇଛି ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗ । ସାଢ଼େ ୮ଟାରେ ପରେଡ୍ ଆରମ୍ଭ ହେବ । ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ପତାକା ଉତ୍ତୋଳନ କରିବେ ।

ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରେଡରେ ଯୋଗଦେବେ । ପରେଡ ଗ୍ରାଉଣ୍ଡରେ ଲାଗିଛି ମହାତ୍ମାଗାନ୍ଧୀ ଓ ବରପୁତ୍ରଙ୍କ ଫଟୋ ଚିତ୍ର । କୋଭିଡ କଟକଣା ଭିତରେ ଉତ୍ସବ ପାଳନ କରାଯିବ । ଚଳିତ ବର୍ଷ ପରେଡରେ୧୪ଟି ଟ୍ରୁପ୍‌ ଭାଗ ନେବେ । କେସିଙ୍ଗା ଏସ୍‌ଡିପିଓ ଏସ. ସୁଶ୍ରୀ ପରେଡ୍‌ କମାଣ୍ଡର ଭାବରେ ଦାୟିତ୍ୱ ନେଇଛନ୍ତି ।

ସେପେଟ ସାଧାରଣ ଲୋକଙ୍କ ଯାତାୟତ ଉପରେ ଲାଗୁ ହୋଇଛି ଟ୍ରାଫିକ୍‌ କଟକଣା । ପରେଡ୍‌ ଗ୍ରାଉଣ୍ଡର ଚାରିପଟୁ ଉତ୍ସବ ସ୍ଥଳ ଯାଏଁ ସିଲ କରାଯାଇଛି । ସୁରକ୍ଷା ଲାଗି ମୁତୟନ ହୋଇଛନ୍ତି ୨୫ ପ୍ଲାଟୁନ୍‌ ପୋଲିସ ଫୋର୍ସ । ଏହା ସହିତ ଟେରରିଷ୍ଟ ସ୍କ୍ୱାଡ୍, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍‌, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୋଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫ୍‌ଟପ୍‌ ସିକ୍ୟୁରିଟି, ସାର୍ପ ସୁଟର୍ ସମେତ ୨୫ରୁ ଅଧିକ ଇନ୍ସେସପେକ୍ଟର ପରେଡ୍‌ସ୍ଥଳ ଚାରିପଟେ ଉପସ୍ଥିତ ରହିଛନ୍ତି ।