spot_img
Home Blog Page 6071

ରେକର୍ଡ ଅତିକ୍ରମ କରୁଛି ତୈଳ ଦର, ଭୁବନେଶ୍ୱରରେ ପେଟ୍ରୋଲ ୮୬ ଟଙ୍କା ୩୮ ପଇସା

ଭୁବନେଶ୍ୱର: ସର୍ବକାଳୀନ ରେକର୍ଡରେ ପହଞ୍ଚିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା 86 ଟଙ୍କା 38 ପଇସା ଥିବା ବେଳେ ଡିଜେଲ ଲିଟର ପିଛା 82 ଟଙ୍କା 68 ପଇସାରେ ପହଁଚିଛି। ରାଜ୍ୟରେ ମାଲକାନଗିରିରେ ସବୁ ରେକର୍ଡ ଭାଙ୍ଗିଛି ତେଲଦର । ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା 91ଟଙ୍କା 42 ପଇସା ଓ ଡିଜେଲ ଲିଟର ପିଛା 87 ଟଙ୍କା 56 ପଇସାରେ ପହଞ୍ଚିଛି । ୨୦୨୦ ମେ’ ମାସ ଠାରୁ ଏପର୍ଯ୍ୟନ୍ତ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି 16 ଟଙ୍କା ଏବଂ ଡିଜେଲ 13 ଟଙ୍କା ବଢ଼ିଛି ।

ଦିଲ୍ଲୀରେ ଗତ ଶନିବାର ଲିଟର ପିଛା ପେଟ୍ରୋଲ ଦର ୨୫ ପଇସା ବୃଦ୍ଧି ପାଇ ୮୫ ଟଙ୍କା ୭୦ ପଇସାରେ ପହଞ୍ଚିଛି । ଏଠାରେ ଡିଜେଲ ରହିଛି ୭୫ ଟଙ୍କା ୮୮ ପଇସା । ସେହିଭଳି ମୁମ୍ବାଇରେ ମଧ୍ୟ ଏହି ଦର ୯୨ ଟଙ୍କା ୨୮ ପଇସା ହୋଇଛି । ଚଳିତ ସପ୍ତାରେ ତୈଳଦର ଚତୁର୍ଥଥର ପାଇଁ ବଢ଼ିଛି । ଲିଟର ପିଛା ହାରାହାରି ଏହା ବଢ଼ିଛି ଏକ ଟଙ୍କା । ତୈଳଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ଘଟୁଛି ।

ଅନ୍ତର୍ଜାତୀୟ ବଜାରରେ କଞ୍ଚାତେଲର ଦାମ ବୃଦ୍ଧି ଫଳରେ ଏହା ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିଛି । କରୋନା ସମୟରେ ଅନ୍ତର୍ଜାତୀୟ ବଜାର ସାଙ୍ଗକୁ ଦେଶରେ ତୈଳ ବିକ୍ରି କମିଥିଲା। ଏହାର ଭରଣା ପାଇଁ ସରକାର ମଧ୍ୟ ଟିକସ ବଢାଇଥିଲେ । ଅନ୍ତର୍ଜାତୀୟ ବଜାରରେ ତୈଳ କମ୍ପାନୀମାନେ ମଧ୍ୟ ଦର ବୃଦ୍ଧି କରିଛନ୍ତି। ଫଳରେ ତୈଳଦର ଏବେ ବୃଦ୍ଧି ଘଟୁଥିବା କୁହାଯାଉଛି ।

ନୂତନ କୃଷି ଆଇନରେ କ’ଣ ରହିଛି ତ୍ରୁଟି, ହରଡଘଣାରେ ପଡିବ କି ବିଜେପି ?

ନୂଆଦିଲ୍ଲୀ: କୃଷକମାନଙ୍କର ଆନ୍ଦୋଳନ ପ୍ରଥମ ପ୍ରତିବାଦ ନୁହେଁ, କିମ୍ବା ଶେଷ ଆନ୍ଦୋଳନ ମଧ୍ୟ ହେବନାହିଁ । କିନ୍ତୁ ସଂପ୍ରତି ଚାଲିଥିବା କୃଷକ ଆନ୍ଦୋଳନ ନିଶ୍ଚିତରୂପେ ଏକଥା ନିର୍ଦ୍ଧାରଣ କରିବ ଯେ ଅନ୍ନଦାତାମାନେ କିପରି ଭାବରେ ସେମାନଙ୍କ ସମସ୍ୟା ସମାଧାନ କରୁଛନ୍ତି । ଆଜି, ଆମ ଦେଶରେ ବିଦେଶୀ ଶାସକ ନାହାନ୍ତି । ଆମ ନିଜ ସରକାର ଚାଲିଛି । ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ କୃଷକ ଓ କୃଷିଜାତ ଦ୍ରବ୍ୟ ପ୍ରସଙ୍ଗ ଓ ସମସ୍ୟାର ଏକ ସମାଧାନ ବାହାର କରାଯିବାର ସମୟ ଆସିଛି । ଏହା ଏବେ ଆଉ କେବଳ କୃଷକମାନଙ୍କର ଆନ୍ଦୋଳନ ହୋଇ ରହିନାହିଁ, ବରଂ ସାମଗ୍ରିକ ଭାବେ ଏକ ଜନ ଆନ୍ଦୋଳନର ରୂପ ନେଇ ସାରିଲାଣି । ମଜରୁହ ସୁଲତାନପୁରୀଙ୍କ ଏକ କବିତାରେ ସେ ଲେଖିଛନ୍ତି, ମୈଁ ଐକେଲା ହିଁ ଚଲାଥା ଜାନିବ-ଏ-ମଞ୍ଜିଲ, ମଗର ଲୋକ ସାଥ ଆତେ ଗୟେ ଔର କାରୱାଁ ବନତା ଗୟା । (ମୁଁ ଏକୁଟିଆ ହିଁ ଲକ୍ଷ୍ୟ ସ୍ଥଳ ପାଇଁ ବାହାରିଥିଲି, କିନ୍ତୁ ଲୋକେ ମୋ ସହଯୋଗ ଦେଇ ଚାଲିଲେ ଏବଂ ତାହା ପଥିକମାନଙ୍କର ଏକ ବିଶାଳ ଶୋଭାଯାତ୍ରା ପାଲଟିଗଲା!) ଏହା ହିଁ ଆଜି କୃଷକ ଆନ୍ଦୋଳନ ସ୍ଥଳୀରେ ଦେଖିବାକୁ ମିଳିଛି ଏବଂ ଏହା ଦିନକୁ ଦିନ ବିଶାଳ ରୂପ ନେଉଛି ଏହାକୁ ଗଣତନ୍ତ୍ରର ସରକାର ଭୁଲିଯିବା ଉଚିତ୍ ନୁହେଁ ।

ଅର୍ଥନୈତିକ କହିବେ ଯେ ସର୍ବନିମ୍ନ ସହାୟକ ମୂଲ୍ୟ କେବଳ କେତେକ ଧନୀ କୃଷକଙ୍କୁ ଅଧିକ ଧନୀ କରେ । ସେମାନଙ୍କର ମିଛ କଥା କିମ୍ବା ଅର୍ଦ୍ଧସତ୍ୟକୁ ଆଦୌ କାନ ଦିଅନ୍ତୁ ନାହିଁ । ଅବଶ୍ୟ ଏକଥା ସତ ଯେ କେବଳ କିଛି ଭାଗ୍ୟବାନ କୃଷକ ହିଁ ସେମାନଙ୍କର ସବୁତକ ତଥା ଅଧିକାଂଶ ଶସ୍ୟକୁ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ସଂଗ୍ରହ ମୂଲ୍ୟ (ଏମଏସପି) ରେ ବିକ୍ରି କରିପାରନ୍ତି । କିନ୍ତୁ ସରକାରଙ୍କ ଦ୍ୱାରା ଘୋଷାଣା କରାଯାଇଥିବା ସର୍ବନିମ୍ନ ସଂଗ୍ରହ ମୂଲ୍ୟ ସାରାଦେଶରେ କୃଷିଜାତ ସାମଗ୍ରୀକୁ ନେଇ କରାଯାଉଥିବା ସମସ୍ତ ପ୍ରକାରର ବ୍ୟବସାୟ ପାଇଁ ଏକ ସଂକେତ ରୂପେ କାର୍ଯ୍ୟ କରେ । ଏହା ଘଟେ କିପରି? ଯଦିଓ ଅଧିକାଂଶ ପ୍ରଦେଶରେ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ କୃଷିଜାତ ବିପଣନ ସାମଗ୍ରୀ କମିଟି ମଣ୍ଡିର ଘୋର ଅଭାବ ରହିଛି ତଥାପି ଯେଉଁ ଅଳ୍ପ କେତୋଟି ମଣ୍ଡି ଗୋଟିଏ ପ୍ରଦେଶରେ ଅଛନ୍ତି, ସେଗୁଡ଼ିକ ମାଧ୍ୟମରେ ରାଜ୍ୟରେ ଉତ୍ପାଦିକ ଅଧିକାଂଶ ଫସଲ ବିକ୍ରି ହୋଇଥାଏ । କୃଷକମାନେ ନିଜେ ଏହି ମଣ୍ଡିରେ ସେମାନଙ୍କର ଉତ୍ପାଦ ବିକ୍ରି କରିବାରେ ବ୍ୟର୍ଥ ହୋଇପାରନ୍ତି, ମାତ୍ର ସ୍ଥାନୀୟ ଖାଦ୍ୟଶସ୍ୟ ବ୍ୟବସାୟୀମାନେ ଏହି ମଣ୍ଡି ବ୍ୟବସ୍ଥାର ପୂର୍ଣ୍ଣ ସୁଯୋଗ ନିଅନ୍ତି । ଫସଲ ଅମଳ ହେବା ସଙ୍ଗେ ସଙ୍ଗେ ଛୋଟ ଚାଷୀମାନଙ୍କର ଅର୍ଥ ଆବଶ୍ୟକ । ତେଣୁ ସେମାନେ ତାଙ୍କର ଫସଲକୁ ସ୍ଥାନୀୟ ଖାଦ୍ୟଶସ୍ୟ ବ୍ୟବସାୟକୁ ବିକ୍ରି କରିଦିଅନ୍ତି । ବ୍ୟବସାୟୀମାନେ ସେହି ଅଞ୍ଚଳର ସବୁତକ ଫସଲ କିଣିନିଅନ୍ତି ଏବଂ ସରକାରୀ ଭାବେ ଖାଦ୍ୟଶସ୍ୟ ସଂଗ୍ରହ ଆରମ୍ଭ ହେବା ପର୍ଯ୍ୟନ୍ତ ତାହାକୁ ଗଚ୍ଛିତ ରଖନ୍ତି ।

ଏହି ବ୍ୟବସାୟୀମାନଙ୍କର ବଜାରରେ ଭଲ ସଂଯୋଗ ଥିବା କାରଣରୁ ସେମାନେ ଖାଦ୍ୟଶସ୍ୟ କିଣିବା ପାଇଁ ଅର୍ଥ ସଂଗ୍ରହ କରିପାରନ୍ତି, ଗୋଦାମ ଭଡ଼ାରେ ନେଇପାରନ୍ତି ଏବଂ ପରବର୍ତ୍ତୀ ସମୟରେ ବିପୁଳ ପରିମାଣର ଗହମ, ଧାନ,ଡ଼ାଲି ଓ ତୈଳବୀଜ ପରିବହନ କରିଥାଆନ୍ତି । ଖାଦ୍ୟଶସ୍ୟକୁ କିଛି ଦିନ ପାଇଁ ଧରି ରଖିବାର କ୍ଷମତା ଏହି ବ୍ୟବସାୟୀମାନଙ୍କର ଥାଏ, ଯାହାକି ଛୋଟ ଓ ମଧ୍ୟମ ଚାଷୀମାନଙ୍କଠାରେ ନ\’ଥାଏ । ଭାରତୀୟ ଖାଦ୍ୟ ନିଗମ (ଏଫ.ସି.ଆଇ) ଶସ୍ୟ କିଣିବା ଆରମ୍ଭ କରିବା ପରେ ଏହି ବ୍ୟବସାୟୀମାନେ ସେମାନଙ୍କ ନିକଟରେ ଥିôବା ଖାଦ୍ୟଶସ୍ୟର ଗୋଟିଏ ଅଂଶ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରୀ କରିଦେଇ ଥାଆନ୍ତି । ଏହା ସେମାନଙ୍କ ପାଇଁ ଏକପ୍ରକାର ବୀମା ଭଳି କାମ କରିଥାଏ । ଏହା ଦ୍ୱାରା ସେମାନେ ପୁଞ୍ଜି ସଂଗ୍ରହ, ପରିବହନ ଏବଂ ଗୋଦାମରେ ଗଚ୍ଛିତ ରଖିବା ବାବଦକୁ ଖର୍ଚ୍ଚର ଭରଣାକୁ ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ବେଶ୍ କିଛି ଲାଭ ମଧ୍ୟ କରିଥାଆନ୍ତି । ଖୋଲା ବଜାରରେ ଖାଦ୍ୟଶସ୍ୟର ମୂଲ୍ୟ କମିଗଲେ ମଧ୍ୟ କୃଷି ବ୍ୟବସାୟୀଙ୍କର ବିଶେଷ କ୍ଷତି ହୁଏ ନାହିଁ ।

ଏକଥା ସୁନିଶ୍ଚିତ ଯେ, ବ୍ୟବସାୟୀମାନେ ଯେଉଁମାନଙ୍କଠାରୁ ଖାଦ୍ୟସାମଗ୍ରୀ କିଣନ୍ତି ସେମାନଙ୍କୁ ଏକ ସ୍ଥିରମୂଲ୍ୟ ଦେବାରେ ସମର୍ଥ ହୋଇଥାଆନ୍ତି । ଯଦି ଖାଦ୍ୟଶସ୍ୟ ବ୍ୟବସାୟୀମାନଙ୍କୁ ସାରା ବିଶ୍ୱରେ ଚାଲିଥିବା କୃଷିଜାତ ଦ୍ରବ୍ୟର ବଜାରରେ ଅସ୍ଥିରତାର ସମ୍ମୁଖୀନ ହେବାକୁ ପଡ଼ୁଥାଆନ୍ତା, ତେବେ କ୍ଷୁଦ୍ର ଚାଷୀମାନେ ସେମାନଙ୍କ ଉତ୍ପାଦ ସକାଶେ ଆହୁରି କମ୍ ମୂଲ୍ୟ ପାଉଥାଆନ୍ତେ । ଯେଉଁ ଫସଲଗୁଡ଼ିକୁ ସରକାରୀ ଭାବେ ସଂଗ୍ରହ କରାଯାଏ ନାହିଁ ସେଗୁଡ଼ିକର ଦୃଷ୍ଟାନ୍ତରୁ ଏକଥା ବେଶ୍ ସ୍ପଷ୍ଟ ହୋଇଯାଏ ।
ପନିପରିବା ହେଉଛି ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ । ପନିପରିବା କ୍ଷେତ୍ରରେ କୌଣସି ନିର୍ଦ୍ଧାରିତ ମୂଲ୍ୟ ନ’ଥାଏ । ତେଣୁ କୃଷକମାନେ ଖୋଲା ବଜାରରେ ମୂଲ୍ୟର ତାରତମ୍ୟ ଦ୍ୱାରା ପ୍ରଭାବିତ ହୁଅନ୍ତି । ସେଇଥିପାଇଁ ଆମେ ଶୁଣୁ ଯେ କୃଷକମାନେ କିଲୋଗ୍ରାମ ପ୍ରତି ମାତ୍ର ଟଙ୍କାଏରେ ପିଆଜ ବିକ୍ରି କରୁଥିବା ବେଳେ ଖାଉଟି ସେହି ଏକ କିଲୋ ପିଆଜ ପାଇଁ ୩୦ଟଙ୍କା ଏବଂ ବେଳେବେଳେ ୧୦୦ଟଙ୍କା ମଧ୍ୟ ଦେବାର ଦୃଷ୍ଟାନ୍ତ ରହିଛି । ସେହି ଏକା କାରଣରୁ ଆମେ ରାସ୍ତା ଉପରେ ଟମାଟୋ, କୋବି ଏବଂ ଅନ୍ୟାନ୍ୟ ପରିବା ଗଦା ହୋଇଥିବାର ଦେଖୁ, କାରଣ ସେମାନେ ଏଭଳି ପନିପରିବା ବିକ୍ରି କରି ତାର ପରିବହନ ମୂଲ୍ୟ ମଧ୍ୟ ପାଇପାରନ୍ତି ନାହିଁ ।

ସାରା ଜଗତରେ କୃଷିର ଅଭିଜ୍ଞତା ଏକଥା କୁହେ, ଯୋଗାଣ ଓ ଚାହିଦାର ପାରମ୍ପରିକ ପ୍ରକ୍ରିୟା ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରେନାହିଁ । ସେଇଥି ପାଇଁ ବିକଶିତ ପୁଞ୍ଜିବାଦୀ ବିଶ୍ୱ ମଧ୍ୟ ଏହାର କୃଷକମାନଙ୍କୁ ରିହାତି ପ୍ରଦାନ କରେ । ଯଦିଓ ଏହି ବିଶ୍ୱରେ ମୁକ୍ତ ବଜାର ଅର୍ଥନୀତିର ହିଁ ପ୍ରଭାବ ରହିବା କଥା, ଯାହା ରିହାତିକୁ ବିରୋଧ କରେ । ଏହାର କାରଣ ହେଲା, କୃଷିର ନିଜସ୍ୱ ନିର୍ଦ୍ଦିଷ୍ଟ ସମୟ ଅଛି ଏବଂ ଏକ ନିର୍ଦ୍ଦିଷ୍ଟ ଛନ୍ଦ ରହିଛି, ଯାହାକୁ ମେସିନ ଦ୍ୱାରା ନିୟନ୍ତ୍ରିତ କରାଯାଇ ପାରିବ ନାହିଁ । କାରଖାନାଗୁଡ଼ିକ ସ୍ୱଳ୍ପ ସମୟ ମଧ୍ୟରେ, ଏପରିକି ଦିନକରୁ ମଧ୍ୟ କମ୍ ସମୟରେ ସାମଗ୍ରୀମାନ ପ୍ରସ୍ତୁତ କରିପାରନ୍ତି । ତେଣୁ ସେମାନେ ଚାହିଦାରେ କିମ୍ବା ଯୋଗାଣରେ ପରିବର୍ତ୍ତନକୁ ଦେଖି ତୁରନ୍ତ ସେମାନଙ୍କ ପ୍ରତିକ୍ରିୟା ପ୍ରଦର୍ଶନ କରିପାରନ୍ତି ।

ପୂର୍ବ ଋତୁର ଚାହିଦାକୁ ବିଚାରକୁ ନେଇ କୃଷକ ମଞ୍ଜି ବୁଣିବା ଆରମ୍ଭ କରେ । ଏପରିକି ସବୁଠାରୁ ଜ୍ଞାନୀ ଯିଏକି ବିଶ୍ୱବ୍ୟାପୀ ଚାହିଦାର ଖବର ରଖେ ସିଏ ମଧ୍ୟ କେଇ ଏକର ଜମିରେ ମଞ୍ଜି ବୁଣିଥାଏ । ଫସଲ ବଢି ଅମଳ ହେବା ମଧ୍ୟରେ କେଇ ସପ୍ତାହରେ ଯଦି ଯୋଗାଣ କିମ୍ବା ଚାହିଦାରେ ପରିବର୍ତ୍ତନ ଘଟେ ତେବେ କୃଷକର ସେ କ୍ଷେତ୍ରରେ କିଛି ହେଲେ କରିବାର ନାହିଁ । ଏହି କାରଣ ଯୋଗୁଁ କୃଷି କ୍ଷେତ୍ରରେ ଯୋଗାଣ ଓ ଚାହିଦା ମଧ୍ୟରେ ଥିବା ତାରତମ୍ୟର ପ୍ରତିକାର କରାଯାଇ ପାରେ ନାହିଁ । ଋତୁଭିତ୍ତିକ ପାର୍ଥକ୍ୟ, ପାଣିପାଗର ପରିବର୍ତ୍ତନ ଏବଂ ଦୈବ ଦୁର୍ବିପାକ ଯୋଗୁଁ ଯୋଗାଣ ଓ ଚାହିଦା ମଧ୍ୟରେ ସଂଘାତ ଲାଗି ରହିଥାଏ । ଏପରି ପରିସ୍ଥିତିରେ କେବଳ ସରକାରଙ୍କ ସ୍ଥିର ମୂଲ୍ୟର ପ୍ରତିଶ୍ରୁତି (ଏମଏସପି) ହିଁ କୃଷକମାନଙ୍କ ପାଇଁ ଏକ ନିୟମିତ ରୋଜଗାରକୁ ସୁନିଶ୍ଚିତ କରିପାରିବ । ଏହା ନ’ ହେଲେ ହଠାତ୍ ବଜାରରେ ଯୋଗାଣ ଆଶାତୀତ ଭାବେ ବୃଦ୍ଧି ପାଇଲେ ତାହା କୃଷକମାନଙ୍କୁ ଦେବାଳିଆ କରି ଦେଇପାରେ । ଏବଂ ଆମେ ଏକଥା ଜାଣିଛୁ ଯେଉଁ ଅଞ୍ଚଳରେ କୃଷକ ଏ.ପି.ଏମ୍.ସି ମଣ୍ଡିରେ ସେମାନଙ୍କ ଉତ୍ପାଦ ବିକ୍ରୀ କରିପାରନ୍ତି ନାହିଁ କିମ୍ବା ସର୍ବନିମ୍ନ ସହାୟକ ମୂଲ୍ୟ ପାଆନ୍ତି ନାହିଁ ସେହି ଅଞ୍ଚଳରେ ଏପରି ଘଟଣା ଘଟେ । ସେମାନେ ଫସଲ ଋତୁ ଆରମ୍ଭରେ ନେଇଥିବା କୃଷି ଋଣ ପରିଶୋଧ କରିବାରେ ଅସମର୍ଥ ହୁଅନ୍ତି । ମାଇକ୍ରୋ ଫାଇନାନ୍ସ, ଗାଁ ସାହୁକାର ଓ ବ୍ୟାଙ୍କମାନେ ସେମାନେ ଦେଇଥିବା ଋଣ ଫେରିପାଇବା ପାଇଁ କୃଷକମାନଙ୍କ ଉପରେ ଚାପ ପକାନ୍ତି । ବେଳେ ବେଳେ କୃଷକମାନେ ଏତେ ବେଶି ଋଣଭାର ସହିନପାରି ସେମାନେ ଶେଷରେ ଆତ୍ମହତ୍ୟା କରନ୍ତି ।

କେବଳ ସରକାର ଓ ଏମଏସପି କୃଷକମାନଙ୍କ ବଜାର ବ୍ୟବସ୍ଥାର ବିଭିନ୍ନ ଶୋଷଣକାରୀ ଶକ୍ତିର କବଳରୁ ରକ୍ଷା କରିପାରିବେ । ତାହା କେବଳ ସେତେବେଳେ ହିଁ ସମ୍ଭବ ହେବ ଯେତେବେଳେ ସରକାର ପୂର୍ବ ଘୋଷିତ ସର୍ବନିମ୍ନ ସଂଗ୍ରହ ମୂଲ୍ୟରେ କୃଷିଜାତ ଦ୍ରବ୍ୟ ସଂଗ୍ରହ କରିବେ । ଯେତେ ବଡ଼ କୃଷି ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ବ୍ୟବସାୟୀ ଏକଥା କରିବା ସମ୍ଭବ ନୁହେଁ । କେବଳ ଅର୍ଥନୀତି ପୁସ୍ତକର ଦୁନିଆରେ ଏକଥା ସମ୍ଭବ ହୋଇପାରିବ । କେବଳ ସେହି ଦୁନିଆରେ ହିଁ ଯଦି କୃଷି ବ୍ୟବସାୟକୁ ସମସ୍ତଙ୍କ ପାଇଁ ମୁକ୍ତ କରି ଦିଆଯାଏ, ତେବେ କୃଷକମାନଙ୍କ ପାଖରେ ବାଛିବା ପାଇଁ ଅନେକଗୁଡ଼ିଏ କ୍ରେତାଙ୍କର ବିକଳ୍ପ ରହିବ । ଏହା ଫଳରେ ସେମାନେ ସେମାନଙ୍କର ଉତ୍ପାଦ ପାଇଁ ଅଧିକ ମୂଲ୍ୟ ଦାବୀ କରିପାରିବେ ଏବଂ ଶେଷରେ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ସେମାନେ ଅଧିକ ମୂଲ୍ୟ ପାଇପାରିବେ ।

କୃଷିଜାତ ଦ୍ରବ୍ୟ ସଂଗ୍ରହ ଏକ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା । ଏହି ଜଟିଳତା ଏକଥା ସୁନିଶ୍ଚିତ କରିବ ଯେ କେତେକ ବଡ଼ ଧରଣର କୃଷି ବ୍ୟବସାୟ କମ୍ପାନୀମାନେ, ବର୍ତ୍ତମାନର ଖାଦ୍ୟଶସ୍ୟ କାରବାର କରୁଥିବା ବ୍ୟବସାୟୀମାନଙ୍କର ନେଟୱାର୍କକୁ ନିଜ ସହ ସାମିଲ କରିନେବେ, ଏବଂ ଖୁବ୍ ଶୀଘ୍ର ବଜାରକୁ ନିଜ ନିୟନ୍ତ୍ରଣକୁ ନେଇଯିବେ । ଯେଉଁ କୃଷି ବ୍ୟବସାୟ କମ୍ପାନୀ ପ୍ରଥମେ ସଫଳତାର ସହ ଏକଥା କରିପାରିବ ସେହି କମ୍ପାନୀ ବଜାରରେ ଏକାଧିପତ୍ୟ ଜାହିର କରିବ ବା ଏକଚାଟିଆ କାରବାର କରିବ । ଏପରି କମ୍ପାନୀ ବଜାରରେ ଏକତରଫା ଭାବେ ମୂଲ୍ୟ ନିର୍ଦ୍ଧାରଣ କରିବ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ସେମାନଙ୍କୁ ଉତ୍ପାଦର ମୂଲ୍ୟ ସୁରକ୍ଷା ନ\’ଦେବା କାରଣରୁ କୃଷକମାନଙ୍କ ପାଇଁ ଆଉ କୌଣସି ଉପାୟ ନ\’ଥିବ । ବର୍ତ୍ତମାନ ଯେଉଁ ବ୍ୟବସାୟୀମାନେ ସରକାରୀ ଫସଲ ସଂଗ୍ରହ ବ୍ୟବସ୍ଥା ଯୋଗୁଁ ଛୋଟ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦ ପାଇଁ କେତେକାଂଶରେ ସ୍ଥିରମୂଲ୍ୟ ପ୍ରଦାନ କରୁଛନ୍ତି, ପରିବର୍ତ୍ତିତ ପରିସ୍ଥିତିରେ ସେମାନେ କଠୋର ହୋଇଯିବେ ଏବଂ ବଡ଼ କମ୍ପାନୀଗୁଡ଼ିକର ସଂଗ୍ରହ ବ୍ୟବସ୍ଥାରେ ସାମିଲ ହୋଇଯିବେ । ଭାରତର ଗ୍ରାମାଞ୍ଚଳରେ ବ୍ୟାପକ ଭାବେ ଥିବା ଶୋଷଣମୂଳ ସଂପର୍କ ଓ ବ୍ୟବସ୍ଥା ଜାରି ରହିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟର ଜୀବନତରୀକୁ କୃଷକମାନଙ୍କଠାରୁ ଛଡ଼େଇ ନିଆଯିବ । କୃଷକମାନଙ୍କର ଜୀବନ ଓ ଜୀବିକା ଅସୁରକ୍ଷିତ ହୋଇପଡ଼ିବ ।

ମୋଦି ସରକାର ଯଦି ପ୍ରକୃତପକ୍ଷେ କୃଷକମାନଙ୍କର ରୋଜଗାର ବଢାଇବାକୁ ଗୁରୁତ୍ୱ ଦେଉଛନ୍ତି, ତେବେ ଏହା ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରିତ କୃଷି ଉତ୍ପାଦ ସଂଗ୍ରହକୁ ଅକାମୀ କରିବା ବଦଳରେ ଆହୁରି ଦୃଢ କରିଥାଆନ୍ତେ । ଏଥିପାଇଁ ସରକାର ଯଥେଷ୍ଟ ସଂଖ୍ୟକ ଏ.ପି.ଏମ୍.ସି ମଣ୍ଡି ସ୍ଥାପନ କରିଥାଆନ୍ତେ, ଏପି.ଏମ୍.ସିକୁ ଦୁର୍ବଳ କରିଦେଇ ନଥାନ୍ତେ । ଏ.ପି.ଏମ୍.ସି ଗୁଡ଼ିକରେ ରହିଥିବା ବିଭିନ୍ନ ପ୍ରକାରର ଦୋଷ ଦୁର୍ବଳତାକୁ ଠିକ୍ କରାଯିବ ଦିଗରେ ପଦକ୍ଷେପ ନେଇଥାଆନ୍ତେ, ଏବଂ ଏଗୁଡ଼ିକ ଉପରେ ବଡ଼ ଚାଷୀମାନଙ୍କର ନିୟନ୍ତ୍ରଣକୁ କିପରି ହ୍ରାସ କରାଯାଇପାରିବ ସେଥିପାଇଁ ଉଦ୍ୟମ କରିଥାଆନ୍ତେ । ଏସବୁ ନକରି ସରକାର କେନ୍ଦ୍ର ସରକାର କୃଷକମାନଙ୍କୁ ବଜାର ବ୍ୟବସ୍ଥାର ଦୟାରେ ବଞ୍ଚିବାକୁ ଛାଡ଼ି ଦେଇଛନ୍ତି । ବିଶ୍ୱବ୍ୟାପୀ ଏକଥା ଦେଖାଯାଇଛି ଯେ ଏପରି ପରିବର୍ତ୍ତନ କୃଷକମାନଙ୍କର ପରିସ୍ଥିତିକୁ କେବଳ ଅଧିକ ଖରାପ ହିଁ କରିଛି । ସବୁଠାରୁ ବେଶୀ ଦୁଃଖ ଦୁର୍ଦ୍ଦଶା କୃଷି ଶ୍ରମିକ ଭୋଗ କରିଛନ୍ତି ।

କୃଷିଜାତ ଦ୍ରବ୍ୟର ମୂଲ୍ୟ ଢାଞ୍ଚାକୁ ଭଲଭାବରେ ତର୍ଜମା କଲେ କେଉଁଠାରେ ସମସ୍ୟା ରହିଛି ସେକଥା ବେଶ ସ୍ପଷ୍ଟ ହୋଇଯିବ । କୃଷକମାନଙ୍କର ଫସଲ ବିକ୍ରିରୁ ଯାହା କିଛି ସଂଗ୍ରହ କରାଯାଏ, ସେ ସବୁକୁ ଶେଷରେ ଖାଉଟୀକୁ ଯଥେଷ୍ଟ ଚଢା ମୂଲ୍ୟରେ ବିକ୍ରୀ କରାଯାଏ । ମାତ୍ର ଖାଉଟୀ ଯେଉଁ ମୂଲ୍ୟରେ ସାମଗ୍ରୀ ଖରିଦ କରେ କୃଷକ ସେହି ମୂଲ୍ୟର ମାତ୍ର ୧୦ ରୁ ୪୦% ପର୍ଯ୍ୟନ୍ତ ହିଁ ପାଇଥାଏ । ଏହାର କାରଣ ହେଲା ଉତ୍ପାଦିତ ସାମଗ୍ରୀ ଶେଷତମ ଖାଉଟୀ ପାଖରେ ପହଞ୍ଚିବା ପୂର୍ବରୁ ଚାରି ପାଞ୍ଚ ଥାକରେ ବ୍ୟବସାୟୀମାନଙ୍କ ହାତରେ ଲାଗିଥାଏ । ” ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଉତ୍ପାଦନକାରୀ ନାମକୁ ମାତ୍ର ମୂଲ୍ୟ ପାଉଥିବା ବେଳେ ବ୍ୟବସାୟୀମାନେ ହିଁ ସବୁତକ ଲାଭ ପାଇଥାଆନ୍ତି । ଏହି ମଧ୍ୟସ୍ଥ ବ୍ୟବସାୟୀମାନଙ୍କୁ ଲୋପ କରିଦେଲେ ମଧ୍ୟ ଏହା ଫଳପ୍ରଦ ହୋଇ ନ’ ପାରେ । କାରଣ ଏପରି କଲେ କମ୍ପାନୀମାନେ କୃଷିଜାତ ଦ୍ରବ୍ୟର ବଜାରକୁ ସେମାନଙ୍କର ଏକଚାଟିଆ ବଜାରରେ ପରିବର୍ତ୍ତନ କରିଦେଇ ପାରନ୍ତି । ଏପରି କ୍ଷେତ୍ରରେ କୃଷକମାନଙ୍କର ଏହି ବଡ଼ କମ୍ପାନୀଗୁଡ଼ିକ ସହ ମୂଲଚାଲ କରିବାର କ୍ଷମତା ରହିବନାହିଁ ।

ବିଭୂତି ପତି
ସଫ୍ଦରଜଙ୍ଗ୍ ଏନକ୍ଲେଭ, ନୂଆଦିଲ୍ଲୀ
୯୯୧୦୭୪୦୮୩୯

କୃଷକଙ୍କ ସ୍ୱରକୁ ଚପାଇ ଦେବାକୁ ଚାହୁଁଛି ବିଜେପି: କମଳନାଥ

ଇନ୍ଦୋର: ମଧ୍ୟପ୍ରଦେଶରେ କଂଗ୍ରେସ ପକ୍ଷରୁ ଆୟୋଜିତ କୃଷକ ଆନ୍ଦୋଳନ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଯାହାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ମଧ୍ୟପ୍ରଦେଶ ପ୍ରଦେଶ କଂଗ୍ରେସ ସଭାପତି କମଳନାଥ । ସେ କହିଛନ୍ତି, ସରକାର କୃଷକଙ୍କ ସ୍ୱରକୁ ଚପାଇଦେବାକୁ ଚାହୁଁଛନ୍ତି ।

          ଶନିବାର ଅନୁଷ୍ଠିତ କୃଷକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ପ୍ରଦେଶ କଂଗ୍ରେସ ସଭାପତି କମଳନାଥ । ଇନ୍ଦୋରଠାରୁ ୫୦ କିଲୋମିଟର ଦୂର ଦୀପାଲପୁରଠାରେ ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନରେ ଟ୍ରାକ୍ଟର ରାଲି ହୋଇଥିଲା । ଯେଉଁଥିରେ ସେ ନିଜେ ଟ୍ରାକ୍ଟର ଚଳାଉଥିବା ଦେଖିବାକୁ ମିଳିଥିଲା । ତେବେ ଶନିବାର ଅନୁଷ୍ଠିତ ଏହି ଆନ୍ଦୋଳନରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । କଂଗ୍ରେସକର୍ମୀ ମାନେ ରାଜଧାନୀ ମୁହାଁ ହୋଇଥିବା ବେଳେ ପୋଲିସ ପକ୍ଷରୁ ପାଣି ମାଡ଼ କରାଯିବା ସହ ଟିୟର ଗ୍ୟାସ୍ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି ।

ଏଥିସହିତ ପଢ଼ନ୍ତୁ: ଗଣତନ୍ତ୍ର ଦିବସ ପାଇଁ ବଢ଼ିଲା ସୁରକ୍ଷା: ଆତଙ୍କବାଦୀ ଆକ୍ରମଣ ଆଶଂକା

          ପୋଲିସର ଏଭଳି କାର୍ଯ୍ୟ ନେଇ ମଧ୍ୟପ୍ରଦେଶ ବିଜେପିକୁ ନିନ୍ଦା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ । ସରକାର କୃଷି କ୍ଷେତ୍ରର ୩ ନୂଆ କୃଷି ଆଇନ ବଳରେ ଘରୋଇକରଣ କରିବାକୁ ଚାହୁଁଥିବା ସେ କହିଛନ୍ତି । ଏଣୁ  ଲକ୍ଷ ଲକ୍ଷ ଚାଷୀ ଏହି କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହି ଆଇନ ଆମ ଦେଶର ଅର୍ଥନୀତିକୁ ବରବାଦ୍ କରିଦେବ । ଏଥିସହିତ ନକଲି ମଦ ପିଇ  ୨୪ ଜଣଙ୍କ ମୃତ୍ୟୁ ଘଟଣାରେ ମଧ୍ୟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈହାନଙ୍କୁ ତୀବ୍ର ନିନ୍ଦା କରିଛନ୍ତି ।

ପୁଣି ଶୀର୍ଷରେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ବାଲେଶ୍ୱର ବିଜେଡ଼ିର ଧନ୍ୟବାଦ

ବାଲେଶ୍ୱର: ପୁଣି ଲୋକପ୍ରିୟ ନବୀନ । ଲୋକପ୍ରିୟତାର ଶୀର୍ଷରେ ନବୀନ ହୋଇଛନ୍ତି ନମ୍ବର-୧ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ ଦେଉଛି ବାଲେଶ୍ବର ବିଜେଡି । ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଉପସ୍ଥିତ ରହିଛନ୍ତି । ଅନେକ ବିଧାୟକମାନେ ମଧ୍ୟ ଯୋଗଦେଇ ଦେଶର ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟତା ପାଇଥିବା ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ମନ୍ତ୍ରୀ ପ୍ରତାପ ଜେନାଙ୍କୁ କର୍ମୀମାନେ ମୋଟର ସାଇକେଲ ରାଲିରେ ସ୍ବାଗତକରି ସଭା ସ୍ଥଳକୁ ଆଣିଥିଲେ । ରାଜ୍ୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସହିତ ସାଧାରଣ ଲୋକଙ୍କ ପାଇଁ କରାଯାଇ ଥିବା ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏଥିସହିତ କରୋନାର ସଫଳ ପରିଚାଳନା, ସଂକ୍ରମିତ ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା, ବିଭିନ୍ନ ବର୍ଗର କର୍ମଚାରୀଙ୍କ ସୁବିଧା ପାଇଁ ସୁଯୋଗ ସୃଷ୍ଟି ପ୍ରଭୃତି ବିଷୟକୁ ପର୍ଯ୍ୟାଲୋଚନା କରି ନବୀନ ପଟ୍ଟନାୟକଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ମାନ୍ୟତା ପ୍ରଦାନ କରାଯାଇଥିବାରୁ ବାଲେଶ୍ବର ବିଜେଡ଼ି ତରଫରୁ ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ ଦିଆଯାଇଛି ।

ଓପନିଂ ବ୍ୟାଟିଂ ପାଇଁ ଆଗ୍ରହ ପ୍ରକାଶ କଲେ ଓ୍ୱାସିଂଟନ ସୁନ୍ଦର: କହିଲେ, ଏହା ମୋ ପାଇଁ ଆଶୀର୍ବାଦ ହେବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ପାଇଁ ଟେଷ୍ଟ କ୍ରିକେଟରେ ଓପନିଂ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଯୁବ ସ୍ପିନର ଓ୍ୱାସିଂଟନ ସୁନ୍ଦର । ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଠାରୁ ପ୍ରେରଣା ପାଇଁ ଟେଷ୍ଟ କ୍ରିକେଟରେ ଭାରତୀୟ ଦଳ ପାଇଁ ଓପନିଂ କରିବାକୁ ଆଗ୍ରହ ପ୍ରକାଶ କରିବା ସହ ଏଭଳି କରିବାକୁ ମିଳିବା ତାଙ୍କ ବଡ଼ ଆଶୀର୍ବାଦ ହେବ ବୋଲି ସେ କହିଛନ୍ତି ।

          ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ଗସ୍ତ ସମୟରେ କୋଚ ରବି ଶାସ୍ତ୍ରିଙ୍କ ସହ ଅନେକ ଆଲୋଚନା କରିଥିଲେ ଯୁବ ତାରକା ଓ୍ୱାସିଂଟନ । ଆଲୋଚନାରେ ଶାସ୍ତ୍ରି ନିଜ କ୍ୟାରିୟର ଉତ୍ଥାନ ଓ ପତନ ସମ୍ପର୍କରେ ସୁନ୍ଦରଙ୍କୁ କହିଥିଲେ । ଶାସ୍ତ୍ରି କହିଥିଲେ ସେ ମଧ୍ୟ ଭାରତୀୟ ଦଳରେ ସ୍ପିନର ଭାବେ ସ୍ଥାନ ପାଇଥିଲେ । ପ୍ରଥମ ମ୍ୟାଚ୍‌ରେ ୪ଟି ଓ୍ୱିକେଟ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ଟେଷ୍ଟ ଟିମ୍ ପାଇଁ ଓପନିଂ କରିଥିଲେ । ରବି ଶାସ୍ତ୍ରିଙ୍କ କ୍ୟାରିୟର ସମ୍ପର୍କରେ ଜାଣିବା ପରେ ସୁନ୍ଦରଙ୍କ ମନରେ ମଧ୍ୟ ଆତ୍ମବିଶ୍ୱାସ ବଢ଼ିଛି । ସେ ମଧ୍ୟ ଭାରତୀୟ ଦଳ ପାଇଁ ଟେଷ୍ଟ କ୍ରିକେଟରେ ଓପନିଂ କରିବା ନେଇ ଆଶା ପ୍ରକାଶ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଗଡ଼କରୀଙ୍କ ଚେତାବନୀ: ଷ୍ଟିଲ୍ ଦର ହ୍ରାସ ନକଲେ ସିନ୍ଥେଟିକ୍ ଫାଇବରର ବ୍ୟବହାରକୁ ଦିଆଯିବ ଅନୁମତି

ଉଲ୍ଲେଖ ଥାଉ କି,ଓ୍ୱାସିଂଟନ ସୁନ୍ଦର ଅଣ୍ଡର-୧୯ ଖେଳିବା ସମୟରେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବେ ଭଲ ପ୍ରଦର୍ଶନ କରିଛନ୍ତି । ଅଷ୍ଟ୍ରେଲିଆ ଗସ୍ତ ବେଳେ ଗାବ୍ବା ଟେଷ୍ଟରେ ସେ ଲଢ଼ୁଆ ୬୨ ରନ୍ କରିଥିଲେ ଯାହା ଭାରତକୁ ମ୍ୟାଚ୍‌ରେ ଜୀବିତ ରଖିଥିଲା । ଏଥିସହିତ ମ୍ୟାଚ୍ ଶେଷ ଆଡ଼କୁ ସେ କରିଥିବା ଦ୍ରୁତତମ୍ ୨୨ ରନ୍ ମ୍ୟାଚ୍  ବିଜୟରେ ସହାୟକ ହୋଇଥିଲା ।

ଗଣତନ୍ତ୍ର ଦିବସ ପାଇଁ ବଢ଼ିଲା ସୁରକ୍ଷା: ଆତଙ୍କବାଦୀ ଆକ୍ରମଣ ଆଶଂକା

0

ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଜାନୁୟାରୀ ୨୬ରେ ଦିଲ୍ଲୀ, ବୋଧଗୟା ଓ ଅଯୋଦ୍ଧାରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ସୂଚନା ମିଳିଛି । ଏ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଯିବା ପରେ  ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ଗଣତନ୍ତ୍ର ଦିବସରେ ଖଲିସ୍ତାନୀ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିବା ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି। ଏହାପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଅଯୋଦ୍ଧା ଓ ବୋଧଗୟାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ପ୍ରତ୍ୟେକ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯିବା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ବି ନଜର ରଖାଯାଇଛି। ରାଜଧାନୀରେ ପୋଲିସ ଫୋର୍ସ ସମେତ ଯବାନଙ୍କୁ ମୁତୟନ କରାଯାଇଛି। ଏଥିସହ ସୁରକ୍ଷା ଦୃଷ୍ଟିରୁ ଜାନୁଆରୀ ୨୫ ରୁ ୨୬ ତାରିଖ ଦିନ ୨ଟା ଯାଏ ଦିଲ୍ଲୀରେ ମେଟ୍ରୋ ସେବା ମଧ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି।

ଅନ୍ୟପଟେ ରାଜଧାନୀର ରାଜରାସ୍ତାରେ ଗଣତନ୍ତ୍ର ଦିବସର ଦିନକ ପୂର୍ବରୁ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଶୁଭିଛି। ନୂଆଦିଲ୍ଲୀର ଖାନ ମାର୍କେଟ ସ୍ଥିତ ପିଏସ୍ ତୁଗଲକ ରୋଡ ନିକଟ ମେଟ୍ରୋ ଷ୍ଟେସନ ବାହାରେ କିଛି ଦୁବୃର୍ତ୍ତ ଏହି ନାରା ଦେଇଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 

ରାଜ୍ୟରେ ସବୁ ଅଙ୍ଗନାୱାଡି କର୍ମୀଙ୍କୁ ମିଳିବ ମୋବାଇଲ ଫୋନ୍‌: ମନ୍ତ୍ରୀ ଟୁକୁନି ସାହୁ

ଗଞ୍ଜାମ: ଅଙ୍ଗନାୱାଡି କର୍ମୀଙ୍କୁ ପ୍ରଦାନ କରାଯିବ ମୋବାଇଲ୍ ଫୋନ୍। ରାଜ୍ୟରେ ସବୁ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ପାଖରେ ଏବେ ରହିବ ନିଜର ମୋବାଇଲ ଫୋନ୍‌। ଏନେଇ ଘୋଷଣା କରିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ। ବିଭିନ୍ନ ସରକାରୀ ସୂଚନା ଜାଣିବା ପାଇଁ ଅଙ୍ଗନଓ୍ୱାଡି କର୍ମୀଙ୍କୁ ମୋବାଇଲ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। କୌଣସି ସରକାରୀ ଖବର ପାଇବାକୁ ହେଲେ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା।

କିନ୍ତୁ ମୋବାଇ ଦେବା ଦ୍ୱାରା ବହୁତ ଅଳ୍ପ ସମୟରେ ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ଖବର ଶୀଘ୍ର ପହଞ୍ଚିବ। ସମସ୍ତ ଅଙ୍ଗନୱେଡ଼ି କେନ୍ଦ୍ରରେ SHG ମହିଳା ମାନଙ୍କୁ ସକ୍ରୀୟ କରିବା ପାଇଁ ଏହି ଫୋନ ବଣ୍ଟନ କରାଯିବ। ଏହା ସହିତ ସବୁ ଅଙ୍ଗନଓ୍ୱାଡ଼ି ସେଣ୍ଟରରେ ପିଲାମାନଙ୍କର ହାଇଟ ଏବଂ ଓ୍ୱେଟ ମାପିବା ପାଇଁ ମେସି ଦିଆଯିବ। ଖାଲି ସେତିକି ନୁହେଁ ସବୁ ଅଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ଫିଲଟର ଦିଆଯିବାର ବ୍ୟବସ୍ଥା କରାଯାଇଛି। ଆଜିର ବୈଠକରେ ଅଙ୍ଗନଓ୍ୱାଡ଼ି କର୍ମୀ ମାନଙ୍କର ଅନେକ ଅସୁବିଧା ସାମ୍ନାକୁ ଆସିଥିଲା। ଏହି ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ କହିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ।

ଗଡ଼କରୀଙ୍କ ଚେତାବନୀ: ଷ୍ଟିଲ୍ ଦର ହ୍ରାସ ନକଲେ ସିନ୍ଥେଟିକ୍ ଫାଇବରର ବ୍ୟବହାରକୁ ଦିଆଯିବ ଅନୁମତି

ନୂଆଦିଲ୍ଲୀ: ଷ୍ଟିଲ୍ ନର୍ମାଣକାରୀ କମ୍ପାନୀଗୁଡ଼ିକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଗୁଗଲି । ନିର୍ମାଣ କାର୍ଯ୍ୟ ପାଇଁ ଷ୍ଟିଲ୍ ପରିବର୍ତ୍ତେ ସିନ୍ଥେଟିକ୍ ଫାଇବରର ବ୍ୟବହାରକୁ ଅନୁମତି ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଲଗାତାର ଭାବେ ଷ୍ଟିଲ୍ ନିର୍ମାଣକାରୀ କମ୍ପାନୀଗୁଡ଼ିକ ଷ୍ଟିଲ ଦରରେ ବୃଦ୍ଧି କରୁଥିବା ବେଳେ ସେ ଏଭଳି କହିଛନ୍ତି । ଏଥିସହିତ ସିମେଣ୍ଟ କମ୍ପାନୀଗୁଡ଼ିକ ମଧ୍ୟ ସମାନ ଆଭିମୁଖ୍ୟ ଆପଣାଇଥିବା ଶ୍ରୀ ଗଡ଼କରୀ କହିଛନ୍ତି ।

          ମୁମ୍ୱାଇରେ ଅନୁଷ୍ଠିତ ଏକ ଶିଳ୍ପ ଅନୁଷ୍ଠାନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଷ୍ଟିଲର ଦର ବୃଦ୍ଧି ଯଥାର୍ଥ ନୁହେଁ । କଞ୍ଚାମାଲ, ଶ୍ରମିକ ଓ ବ୍ୟବହାର ହେଉଥିବା ଶକ୍ତି ନିମନ୍ତେ ଖର୍ଚ୍ଚରେ କୌଣସି ପ୍ରକାର ବୃଦ୍ଧି ଘଟିନଥିବା ବେଳେ ବାରମ୍ୱାର ଷ୍ଟିଲ୍ କମ୍ପାନୀଗୁଡ଼ିକ ଦରବୃଦ୍ଧି କରୁଛନ୍ତି । ଯାହାର କୌଣସି ଯଥାର୍ଥତା ନାହିଁ । ଏଣୁ ଆମେ ସିନ୍ଥଟିକ ପାଇବର ଯୋଗାଇବାକୁ ଯୋଜନା କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏଥିସହିତ ପଢ଼ନ୍ତୁ: ରିଲରୁ ରିୟଲ ହେଲା ‘ନାୟକ’ ଫିଲ୍ମର କାହାଣୀ, ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହେଲେ ଛାତ୍ରୀ

ରାସ୍ତା  ଓ ବ୍ରିଜ ନିର୍ମାଣରେ ପାଖାପାଖି ୪୦ ପ୍ରତିଶତ ଷ୍ଟିଲ୍ ବ୍ୟବହାର କରାଯାଉଛି । ଯଦି ସେମାନେ ଦର ହ୍ରାସ ନକରନ୍ତି ତେବେ ଆମେ ଷ୍ଟିଲର ଅଲଟନେଟିଭ ବ୍ୟବହାର ନେଇ ଅନୁମତି ଦେବୁ ବୋଲି ଚେତାଇ ଦେଇଛନ୍ତି ଶ୍ରୀ ଗଡ଼କରୀ ।

 

ଏଣିକି ଘରେ ଅଧିକ ମଦ ରଖିଲେ ଗଣିବେ ତଣ୍ଡ

0

ଲକ୍ଷ୍ନୌ: ଘରେ ମଦ ରଖୁଥିଲେ ସାବଧାନ୍। ଏଣିକି ଧାର୍ଯ୍ୟ ମାତ୍ରାଠାରୁ ଅଧିକ ମାଦକ ଦ୍ରବ୍ୟ ରଖିଲେ ତଣ୍ଡ ଗଣିବାକୁ ହେବ। ସରକାର ଧାର୍ଯ୍ୟ କରିଥିବା ଲିମିଟ୍ ଠାରୁ ଅଧିକ ମଦ ଘରେ ରଖିବାକୁ ଚାହୁଁଥିଲେ ଅବକାରୀ ବିଭାଗଠାରୁ ଅନୁମତି ନେବାକୁ ପଡ଼ିବ। ଏହି ନୂଆ ଅବକାରୀ ନୀତି ଆରମ୍ଭ କରିଛନ୍ତି ଉତ୍ତରପ୍ରଦେଶ ସରକାର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏ ନେଇ ଘୋଷଣା କରିଛନ୍ତି ।

ଯଦି ଆପଣ ଘରେ  ଅଧିକ ପରିମାଣର ମଦ ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଅବକାରୀ ବିଭାଗଠାରୁ ଲାଇସେନ୍ସ ନେବାକୁ ପଡ଼ିବ। ଏଥିପାଇଁ ବର୍ଷକୁ ରାଜ୍ୟ ସରକାରଙ୍କୁ ୧୨ହଜାର ଟଙ୍କା ଲେଖାଏଁ ଦେବାକୁ ହେବ। ଏହାବ୍ୟତୀତ ୫୧ ହଜାର ଟଙ୍କାର ସିକ୍ୟୁରିଟି ମଧ୍ୟ ଦେବାକୁ ପଡ଼ିବ। ବିନା ଲାଇସେନ୍ସରେ ଘରେ ମାତ୍ରାଧିକ ମଦ ରଖିଲେ ଜୋରିମାନା ଗଣିବେ ଘର ମାଲିକ।

କିନ୍ତୁ ଏହି ଲାଇସେନ୍ସ କେବଳ ଗତ ୫ବର୍ଷ ଧରି ଆୟକର ଭରୁଥିବା କରଦାତାଙ୍କୁ ହିଁ ଲାଇସେନ୍ସ ମିଳିବ। ଲାଇସେନ୍ସ ଆବେଦନ କରିବା ସମୟରେ ଇନକମ ଟ୍ୟାକ୍ସ ପୈଠ କରିଥିବା ନେଇ ରିସିଟ ବି ଦେଖାଇବାକୁ ପଡ଼ିବ। ଏଥିସହ ଆଧାର କାର୍ଡ଼ ଓ ପାନ କାର୍ଡ଼ର କପି ମଧ୍ୟ ଜମା କରିବାକୁ ପଡ଼ିବ। କେବଳ ସେତିକି ନୁହେଁ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ଘରେ କେବଳ ମଦ ଛଡ଼ା ଅନ୍ୟ କୌଣସି ନିଶା ଦ୍ରବ୍ୟ ରଖିପାରିବେ ନାହିଁ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ଦିନକୁ ଦିନ ବେଆଇନ ମଦ କାରବାର ବଢ଼ିବାରେ ଲାଗିଛି। ରାଜ୍ୟରେ ଏଥିଯୋଗୁଁ ବର୍ଷକୁ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ବି ଘଟୁଛି। ତେଣୁ ଏହାକୁ ରୋକିବା ପାଇଁ ଉତ୍ତରପ୍ରଦେଶ ସରକାର ଏଭଳି ନୂଆ ନିୟମ ଜାରି କରିଛନ୍ତି।

 

ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗ, ଭିଡିଓ ଯାଞ୍ଚ ପରେ ଦୋଷୀ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱରରେ ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗ। ପ୍ରତିକ୍ରିୟା ରଖିଲେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ। ଘଟଣା ପଦାକୁ ଆସିବା ପରେ, ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ନିର୍ଦେଶ ଦେଲେ କମିଶନ। ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ଭିନ୍ନକ୍ଷମ କମିଶନ। ଭିଡିଓରେ କଣ ରହିଛି, ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରିବା ସହ, ଅଭିଯୁକ୍ତଙ୍କୁ ତଦନ୍ତ ଘେରକୁ ଅଣାଯିବ ବୋଲି କହିଛନ୍ତି ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା। ଯିଏ ଦୋଷୀ ଦଣ୍ଡ ପାଇବେ ବୋଲି ସେ କହିଛନ୍ତି। ଏହା ଅତ୍ୟନ୍ତ ଲଜ୍ୟାଜନକ କଥା ହେବା ସହ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। ସେପଟେ ଏନେଇ କମିଶନଙ୍କ ପାଖରେ କେହି ଅଭିଯୋଗ କରିନାହାନ୍ତି। ସୋମୋଟ ଭାବରେ ଘଟଣାକୁ ଗ୍ରହଣ କରିଛନ୍ତି କମିଶନ। ଭିନ୍ନକ୍ଷମଙ୍କୁ ଶୋଷଣ କରିବାରେ କାହାର ଅଧିକାର ନାହିଁ। ତେବେ ଭିଡ଼ିଓକୁ କମିଶନ ତର୍ଜମା କରି ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ। ଦିବ୍ୟାଙ୍ଗଙ୍କ ସୁରକ୍ଷା କମିଶନଙ୍କ ଦାଇତ୍ୱ ବୋଲି କହିଲେ କମିଶନ ଅଧ୍ୟକ୍ଷା।