spot_img
Home Blog Page 6079

ଫେସ୍‌ବୁକ୍‌ରୁ ଭାରତୀୟଙ୍କ ତଥ୍ୟ ଚୋରି ମାମଲା, କେମ୍ବ୍ରିଜ୍‌ ଆନାଲିଟିକା ନାଁରେ CBIର ମାମଲା ରୁଜୁ

ନୂଆଦିଲ୍ଲୀ: ପୁଣି ଫେରିଲା କେମ୍ବ୍ରିଜ ଆନାଲିଟିକା ତଥ୍ୟ ଚୋରି ପ୍ରସଙ୍ଗ । ଆକ୍ସନ ମୋଡ୍‌ରେ ସିବିଆଇ । ବେଆଇନ ଭାବେ ଭାରତୀୟ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ଅଭିଯୋଗରେ କେମ୍ବ୍ରିଜ୍‌ ଆନାଲିଟିକା ନାଁରେ ମାମଲା ରୁଜୁ କଲା ସିବିଆଇ । ଘଟଣାରେ ଇଂଲଣ୍ଡର ଅନ୍ୟ ଏକ ପ୍ରତିଷ୍ଠାନ ଗ୍ଲୋବାଲ୍‌ ସାଇନ୍‌ସ୍‌ ରିସର୍ଚ୍ଚ ନାଁରେ ବି ସିବିଆଇ ମାମଲା ରୁଜୁ କରିଥିବା ସୂଚନା ରହିଛି ।

ଫେସ୍‌ବୁକ୍‌ କେମ୍ବ୍ରିଜ୍‌ ଆନାଲିଟିକା ତଥ୍ୟ ଚୋରି ମାମଲାର ସିବିଆଇ ତଦନ୍ତ ହେବ ବୋଲି ପୂର୍ବରୁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ସଂସଦରେ ସୂଚନା ଦେଇଥିଲେ । ସିବିଆଇରେ ଅଭିଯୋଗ ପରେ ଫେସ୍‌ବୁକ୍‌ କହିଥିଲା, ଗ୍ଲୋବାଲ୍‌ ସାଇନ୍‌ସ୍‌ ରିସର୍ଚ୍ଚ ବେଆଇନ ଭାବେ ଭାରତର ଫେସବୁକ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରି କେମ୍ବ୍ରିଜ୍‌ ଆନାଲିଟିକାକୁ ଦେଇଛି ।

ଭାରତରେ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ କେମ୍ବ୍ରିଜ୍‌ ଆନାଲିଟିକା ଏହି ତଥ୍ୟକୁ ବ୍ୟବହାର କରିଥିବା ଉଲ୍ଲେଖ କରିଛି ଫେସ୍‌ବୁକ୍‌ । ବିନା ଅନୁମତିରେ ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲ୍‌ରୁ ବ୍ୟକ୍ତିଗତ ସୂଚନା ସଂଗ୍ରହ କରିଛି ବୋଲି ୨୦୧୮ ମାର୍ଚ୍ଚରେ ଏକାଧିକ ଆନ୍ତର୍ଜାତିକ ଗଣମାଧ୍ୟମ କେମ୍ବ୍ରିଜ୍‌ ଆନାଲିଟିକା ବିରୋଧରେ ରିପୋର୍ଟ କରିଥିଲେ । ଅଭିଯୋଗ ପରେ କେମ୍ବ୍ରିଜ୍‌ ଆନାଲିଟିକା ଓ ଗ୍ଲୋବାଲ୍‌ ସାଇନ୍‌ସ୍‌ ରିସର୍ଚ୍ଚ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ସିବିଆଇ ।

ସଞ୍ଜୟ କୁମାର ନାୟକ ରେଭେନ୍ସାର ନୂଆ କୁଳପତି

ଭୁବନେଶ୍ୱର: ଚେନ୍ନାଇ ସ୍ଥିତ ସିପେଟର ମହାନିର୍ଦେଶକ ତଥା ମୁଖ୍ୟ ପ୍ରଶାସନିକ ଅଧିକାରୀ ସଞ୍ଜୟ କୁମାର ନାୟକଙ୍କୁ ରେଭେନସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଚୟନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେ ଆସନ୍ତା ୪ ବର୍ଷ ଯାଏ ଅଥବା ପରବର୍ତ୍ତୀ ଆଦେଶ ନପାଇବା ଯାଏ କୁଳପତି ଭାବେ କାର୍ଯ୍ୟ କରିବେ।

Ravenshaw University

ବିଗତ ୩୪ ବର୍ଷରୁ ଅଧିକ ସମୟ ହେଲା ଶିକ୍ଷାଦାନ କରି ଆସୁଥିବା ପ୍ରଫେସର ନାୟକ ୩୫ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କ ନାଁରେ ୨୫ରୁ ଅଧିକ ଭାରତୀୟ ପ୍ୟାଟେଣ୍ଟ ଏବଂ ୩୦ରୁ ଅଧିକ ଅଭିନବ ଡିଜାଇନ ରେଜିଷ୍ଟ୍ରସନ୍ ରହିଛି । ୪୦ରୁ ଅଧିକ ଛାତ୍ର ତାଙ୍କ ଅଧୀନରେ ଗବେଷଣା କରି ପିଏଚଡି ଲାଭ କରିବାରେ ସକ୍ଷମ ହୋଇଛନ୍ତି।

ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୨୦୨୦ର ଧାରା ୬ ଅନୁସାରେ ରାଜ୍ୟପାଳ ପ୍ରଫେସର ଲାଲ୍ ତାଙ୍କୁ ନିଯୁକ୍ତ କରିଛନ୍ତି। ପ୍ରେଫସର ନାୟକଙ୍କ ଯୋଗଦେବା ଦିନଠାରୁ ତାଙ୍କର କାର୍ଯ୍ୟକାଳ ଗଣତି କରାଯିବ ବୋଲି ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାରେ କୁହାଯାଇଛି ।

କୁନା ତ୍ରିପାଠୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା, ୫୨ ସରି ୫୩ ଛୁଇଁଲା

ଭୁବନେଶ୍ୱର: ଅଭିନେତା ତଥା ଓଡ଼ିଶା ଫିଲ୍ମ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ୍‌ର ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା । କୁନା ତ୍ରିପାଠୀ ନାଁରେ ଘରେ ଘରେ ପରିଚିତ ଥିବା ଏହି ଅଭନେତା ଜଣଙ୍କର ପ୍ରକୃତ ନାମ ହେଉଛି ସତ୍ୟବ୍ରତ ତ୍ରିପାଠୀ । ତାଙ୍କର ଜନ୍ମ ୧୯୬୮ ମସିହା ଜାନୁଆରୀ ୨୨ ତାରିଖରେ । ଅନେକ ଓଡ଼ିଆ ଚଳଚ୍ଚିତ୍ର ତଥା ମେଗା ଧାରାବାହିକରେ ନିଜର ନିଖୁଣ ଅଭିନୟ ପାଇଁ ବେଶ ପ୍ରଶଂସିତ ହୋଇପାରିଛନ୍ତି ।

ପୂର୍ବରୁ କୁନା ତ୍ରିପାଠୀ ଖଳନାୟକ ଭୂମିକାରେ ବେଶ୍‌ ଚର୍ଚ୍ଚାରେ ଥିଲେ । ଏବେ ସେ ଜଣେ ହାସ୍ୟ ଅଭିନେତା ଭାବେ ପରିଚିତ । ସେ ରେଡିଓର ବିଭିନ୍ନ କାର୍ଯ୍ୟକ୍ରମରେ ନିଜର କଣ୍ଠଦାନ କରି ବେଶ କ୍ଷତି ଅର୍ଜନ ମଧ୍ୟ କରିଛନ୍ତି । ତାଙ୍କ କଣ୍ଠରୁ ଅନର୍ଗଳ ଶ୍ଲୋକ ଓ ସ୍ତୁତି ଆଦି ଶୁଣିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଥାଏ ।

ସେ ଅଭିନେତା ହେବା ସହ ଏକାଧାରରେ ଜଣେ ମଞ୍ଚ ପରିଚାଳକ, ଲେଖକ, ସଂଳାପକାର ଓ ନର୍ଦ୍ଦେଶକ ଭାବେ ମଧ୍ୟ କାମ କରିସାରିଛନ୍ତି । ଅନେକ କ୍ଷୁଦ୍ର ଚଳଚ୍ଚିତ୍ରରେ ସେ ନିର୍ଦ୍ଦେଶନା ଦେଇ ଲୋକଙ୍କ ମନ ଜିଣିପାରିଛନ୍ତି । କୁନା ତ୍ରିପାଠୀ ନିଜ ନିଆରା ଅଭିନୟ ଶୈଳି ପାଇଁ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । କେବଳ ଖଳନାୟକ କିମ୍ବା ହାସ୍ୟ ଅଭିନେତା ନୁହେଁ ଚରିତ୍ର ଅଭନେତା ଭାବେ ମଧ୍ୟ ସେ ନିଜକୁ ବେଶ ପ୍ରତିପାଦିତ କରିପାରିଛନ୍ତି ।

କାଗଜଶୂନ୍ୟ ହେବ ବିଧାନସଭାର କାର୍ଯ୍ୟଧାରା: ଅନ୍ଲାଇନ୍‌ରେ ମିଳିବ ପ୍ରଶ୍ନ-ଉତ୍ତର

ଭୁବନେଶ୍ୱର: ଫେବୃୟାରୀ ମଧ୍ୟଭାଗରେ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ । ପରମ୍ପରା ଅନୁସାରେ ଏହା ସବୁଠାରୁ ଲମ୍ବା କାର୍ଯ୍ୟଦିବସ ବିଶିଷ୍ଟ ଅଧିବେଶନ ହୋଇଥିବାରୁ ବିଧାନସଭା ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ଆରମ୍ଭ ହୋଇଛି । ଏହା ବ୍ୟତୀତ ରାଜ୍ୟ ବିଧାନସଭାର କାର୍ଯ୍ୟଧାରାକୁ କାଗଜଶୂନ୍ୟ କରିବା ପାଇଁ ମଧ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଉ ଦୁଇପାଦ ଆଗକୁ ବଢ଼ିଛନ୍ତି । ନୂଆ ନିଷ୍ପତ୍ତି ଅନୁସାରେ ବିଧାୟକମାନଙ୍କୁ ଅନ୍ଲାଇନ୍‌ରେ ପ୍ରଶ୍ନ ପଚାରିବା ଏବଂ ଉତ୍ତର ପ୍ରଦାନ ବ୍ୟବସ୍ଥାକୁ ଲାଗୁ କରିବା ଲାଗି ବିଧାନସଭା ପ୍ରସ୍ତୁତ ଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି, ଜାନୁୟାରୀ ୨୯ରୁ ସଂସଦ ଆରମ୍ଭ ହେଉଛି । ବିଧି ଅନୁସାରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଆବଶ୍ୟକ ପରାମର୍ଶ ଓ ଅନୁମତି ପରେ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏଥର ଅଧିବେଶନ ସମୟରେ କୌଣସି ସରକାରୀ କାର୍ଯ୍ୟ ଲାଗି କାଗଜ ବ୍ୟବହାର ନକରିବାକୁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି । ସମସ୍ତଙ୍କୁ ନିର୍ଦ୍ଧାରିତ ତାଲିମ ବି ଦିଆଯାଇଛି ।

ସେହିପରି ଏଥର ପ୍ରଥମଥର ପାଇଁ ବିଧାୟକଙ୍କୁ ସେମାନଙ୍କ ପ୍ରଶ୍ନ ଅନ୍ଲାଇନ୍‌ରେ ପଚାରିବାର ସୁବିଧା ଦିଆଯାଇଛି । ନାଭା ଆପ୍ ଜରିଆରେ ସେମାନେ ନିଜ ମେବାଇଲରୁ ବିଧାନସଭା କାର୍ଯ୍ୟାଳୟକୁ ପ୍ରଶ୍ନ ପଚାରିପାରିବେ । ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଧାରିତ ବିଭାଗ ସଙ୍ଗେ ସଂଯୋଜନା କରାଯାଇ ସେହି ପ୍ରଶ୍ନର ଉତ୍ତର ମଧ୍ୟ ସମ୍ପୃକ୍ତ ବିଧାୟକଙ୍କୁ ଆପ୍ ମାଧ୍ୟମରେ ଯୋଗାଇ ଦିଆଯିବ । ଏଣୁ ଯେଉଁ ବିଧାୟକମାନେ ଚାହିଁବେ ସେମାନେ ଏହି ସୁବିଧା ଉପଯୋଗ କରିପାରିବେ ବୋଲି ଶ୍ରୀ ପାତ୍ର କହିଛନ୍ତି । ବିଧାନସଭା ଅଧିବେଶନ ଶେଷ ହେବା ପରେ ବିଧାୟକଙ୍କୁ ଏଥିନେଇ ସବିଶେଷ ତାଲିମ ଦିଆଯିବ ବୋଲି ସେ କହିଛନ୍ତି ।

ସମଗ୍ର ଦେଶରେ ରାଜ୍ୟ ବିଧାନସଭାକୁ କାଗଜମୁକ୍ତ କରିବା ଲାଗି ଯେଉଁ ପଦକ୍ଷେପ ନିଆଯାଉଛି ସେଥିରେ ଅରୁଣାଚଳ ପ୍ରଦେଶ ସର୍ବାଗ୍ରେ ରହିଛି । ଏହାପଛକୁ ଓଡ଼ିଶାର ଏପରି ଉଦ୍ୟମ ଦେଶରେ ଏକ ନୂଆ ପରମ୍ପରା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

ମାଟିରୁ ୪ ଫୁଟ ଉପରକୁ ଉଠିବ ଦୁଇ ମହଲା କୋଠାଘର, ଲାଗିବ ଦୁଇ ମାସ

କେନ୍ଦୁଝର: ମାଟିରୁ ୪ ଫୁଟ ଉପରକୁ ଉଠିବ କୋଠାଘର । ଏଭଳି ଘଟଣା ଓଡ଼ିଶା ପାଇଁ କିମ୍ବା ଭାରତୀୟଙ୍କ ପାଇଁ ନୂଆ ନୁହେଁ । ହେଲେ ଏମିତି ଘଟଣା ସାଧାରଣତଃ ଦେଖିବାକୁ ମିଳିନଥାଏ । କୋଠା ଘରକୁ ମାଟିରୁ ଉପରକୁ ଉଠାଇବା ସାଧାରଣ କଥା ନୁହେଁ । ପୂର୍ବରୁ ଏଭଳି ଘଟଣାକୁ ଲୋକ ବିଶ୍ୱାସ କରିପାରୁ ନଥିଲେ । କିନ୍ତୁ ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ନଜର ଆସିବା ପରେ ଲୋକଙ୍କ ବିଶ୍ୱାସ ହୋଇଥିଲା ।

ତେବେ ଏମିତି ଏକ କୋଠାଘରକୁ ମାଟିରୁ ୪ଫୁଟ୍‌ ଉପରକୁ ଉଠାଇବା ପାଇଁ କେନ୍ଦୁଝରରେ ବ୍ୟବସ୍ଥା କରଯାଉଛି । ସହର ଭିତରେ ଥିବା ମନୋଜ କୁମାର ନାଏକଙ୍କ ଘର ଖାଲ ଜମିରେ ଥିବାରୁ ସେ ଏହାକୁ ୪ଫୁଟ ଉପରକୁ ଉଠାଇବାକୁ ଯୋଜନା ଆରମ୍ଭ କରିଛନ୍ତି । ପ୍ରାୟ ୧୨ଜଣ କୁଶଳୀ ଶ୍ରମିକ ଓ ୧୮୦ଟି ଜ୍ୟାକ୍‌ ସାହାଯ୍ୟରେ ତାଙ୍କ କୋଠାଘରକୁ ଉଠାଯାଉଛି । ୧୫ ଦିନରେ ପ୍ରାୟ ୨ଫୁଟ୍‌ ଉପରକୁ ଘର ଉଠାଯାଇଥିବା ବେଳେ କାର୍ଯ୍ୟ ସାରିବାକୁ ପ୍ରାୟ ୨ ମାସ ଲାଗିବ ବୋଲି ଠିକାଦାର କହିଛନ୍ତି ।

ମନୋଜଙ୍କ ଘର ଏକ ଖାଲୁଆ ଜମିରେ ଥିବା ବେଳେ ବର୍ଷାଦିନେ ପାଣି ପଶୁଥିଲା । ୟୁଟ୍ୟୁବ୍‌ରୁ ଠିକାଦାରଙ୍କ ଠିକଣା ପାଇ ମନୋଜ ନାଏକ ନିଜ ଘର ଉଠାଇବାକୁ ଯୋଗାଯୋଗ କରିଥିଲେ । ଏହି ପ୍ରକ୍ରିୟା ଦ୍ୱାରା ଘରପ୍ରତି କୌଣସି ବିପଦ ନଥିବା କହିଛନ୍ତି ଠିକାଦାର । ପୂର୍ବରୁ ଭୁବନେଶ୍ୱରରେ ଏଭଳି କୌଶଳରେ ଦୁଇରୁ ଅଧିକ ଥର ଘର ଉଠାଯାଇଛି । କେନ୍ଦୁଝର ସହରରେ ଏହା ପ୍ରଥମ ଘଟଣା ହୋଇଥିବାରୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି ।

Sandalwood drugs case: କନ୍ନଡ଼ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ମିଳିଲା ଜାମିନ

ବେଙ୍ଗାଲୁରୁ: ଡ୍ରଗ୍ସ ରାକେଟ୍ ଲିଂଙ୍କରେ ଗିରଫ ହୋଇଥିବା କନ୍ନଡ଼ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ମିଳିଲା ଜାମିନ। ଗତ ଗୁରୁବାର ସୁପ୍ରିମକୋର୍ଟ ଅଭିନେତ୍ରୀ ରାଗିଣୀଙ୍କୁ ଦ୍ୱିବେଦୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେପ୍ଟେମ୍ବର ୪ରୁ ଜେଲରେ ଥିବା ରାଗୀଣୀଙ୍କୁ ୪ ମାସ ପରେ ଆଶ୍ୱସ୍ତି ମିଳିଛି।

ରାଗିଣୀ ଦ୍ୱିବେଦୀଙ୍କୁ ଜାମିନ ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁ ବିଭାଗରେ ରାଗିଣୀଙ୍କୁ ଗିରଫ କରାଯାଇଛି ସେଥିରେ ଏକ ବର୍ଷ ଜେଲ ଦଣ୍ଡ ରହିଛି, ତେଣୁ ଅଭିନେତ୍ରୀ ଜାମିନ ପାଇବାକୁ ହକଦାର। ଅନ୍ୟପଟେ ରାଗିଣୀ ଦ୍ୱିବେଦୀଙ୍କ ଓକିଲ କହିଛନ୍ତି ଯେ ଅଭିନେତ୍ରୀଙ୍କଠାରୁ କୌଣସି ଡ୍ରଗ୍ସ କିମ୍ବା ନିଶାଦ୍ରବ୍ୟ ଜବତ ହୋଇନାହିଁ। ଏକ ଷଡ଼ଯନ୍ତ୍ର ରଚାଯାଇ ରାଗିଣୀଙ୍କୁ ଗିରଫ କରାଯାଇଥିବା ତାଙ୍କ ଓକିଲ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ପୂର୍ବରୁ  ନଭେମ୍ବର ୨ରେ କର୍ଣ୍ଣାଟକ ହାଇକୋର୍ଟ ରାଗିଣୀଙ୍କ ଜାମିନ ଆବେଦନକୁ ଖାରଜ କରିଦେିଥିଲେ।

ସୂଚନାଯୋଗ୍ୟ, ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ୍ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ବ୍ୟବହାର ଅଭିଯୋଗରେ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଗିରଫ କରିଥିଲା। ରାଗିଣୀଙ୍କୁ ସାଣ୍ଡଲଉଡ୍ ପାର୍ଟିରେ ଡ୍ରଗ୍ସ ସପ୍ଲାଇ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା।

 

 

ଚର୍ଚ୍ଚାରେ ବଲିଉଡ ଖଳନାୟକଙ୍କ ସୁନ୍ଦରୀ ଝିଅ

ମୁମ୍ବାଇ:   ପରଦାରେ ଦେଖିବାକୁ ଖୁବ ଭୟଙ୍କର । କାରଣ ସେମାନେ ଖଳନାୟକ । କିନ୍ତୁ ସେହିମାନେ ହିଁ ସିନେମାରେ ନାୟକର ଭୂମିକାକୁ ଗୁରୁତ୍ୱ ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ସେମାନଙ୍କର ଭିଲେନିୟସ ଡାଏଲଗ୍‌ଏବଂ ଆକ୍ଟିଂର ଯାଦୁ ଆଉ ତା ସାଙ୍ଗକୁ ବେଶ ପୋଷାକ ଦର୍ଶକଙ୍କ ହୃଦୟରେ ଏକ ସ୍ମୃତି ଛାଡ଼ିଯାଏ। ଠିକ୍‌ଯେମିତି ଗବର ଏବଂ ସକଲ । କିନ୍ତୁ ପରଦାରେ ଦେଖିବାକୁ ଭୟଙ୍କର ହୋଇଥିଲେ ମଧ୍ୟ ବାସ୍ତବ ଜୀବନରେ ସେମାନେ ସମ୍ପୂର୍ଣ୍ଣ ଓଲଟା ।
ଆଜି ଆମେ ଆପଣଙ୍କୁ ବି-ଟାଉନର ଟପ୍‌ଆଇକନିକ ଭିଲେନ ଏବଂ ସେମାନଙ୍କର ସୁନ୍ଦରୀ ଝିଅ ମାନଙ୍କ ବିଷୟରେ ଜଣାଇବୁ ।

ଅଭିନେତା ରଞ୍ଜିତ୍‌:
କ୍ୟାରେକ୍ଟର ରୋଲ ପାଇଁ ବେଶ୍‌ପରିଚିତ ରଞ୍ଜିତ୍‌। ପ୍ରାୟ ୨୦୦ରୁ ଅଧିକ ଫିଲ୍ମରେ ତାଙ୍କୁ ଭିଲେନ ଚରିତ୍ରରେ ଦେଖିବାକୁ ମିଳିଛି । ତାଙ୍କ ଝିଅ ଦିବ୍ୟାଙ୍କା ଜଣେ ସଫଳ ଜ୍ୱେଲରୀ ଡିଜାଇନର । ଏକାଧିକ ପ୍ରତିଭାର ଅଧିକାରୀ ଦିବ୍ୟାଙ୍କା କେବଳଯେ ଜ୍ୱେଲରୀ ଡିଜାଇନର ତାହା ନୁହେଁ ବରଂ ସେ ରକ୍‌କ୍ଲାଇମ୍ବିଂରେ ମଧ୍ୟ ବେଶ୍‌ଧୁରନ୍ଧର । ଏଥିପାଇଁ ସେ ଦେଶରେ ଏକ ପରିଚିତ ଚେହେରା । ଏହା ସହିତ ମ୍ୟୁଜିକ୍‌ମଧ୍ୟ ତାଙ୍କର ବେଶ୍‌ପସନ୍ଦ ।

 

କୂଳଭୂଷଣ:
କୂଳଭୂଷଣ ଖରବନ୍ଦା ବଲିଉଡର ଜଣେ ଲୋକପ୍ରିୟ ଭିଲେନ ଚରିତ୍ର । ତାଙ୍କ ଝିଅ ଶୃତି ଖରବନ୍ଦା ପ୍ରୋଫେସନରେ ଜଣେ ଜ୍ୱେଲରୀ ଡିଜାଇନର । ଶୃତି ସୋଶଲ ମିଡିଆରେ ଖୁବ ଆକ୍ଟିଭ୍‌। ଅଧିକାଂଶ ସମୟରେ ସେ ତାଙ୍କ ଫଟୋ ସୋଶଲ ସାଇଟରେ ଶେୟାର କରିଥାନ୍ତି ।

ମ୍ୟାକ୍‌ମୋହନ:
ସୋଲେ ଚଳଚ୍ଚିତ୍ରରେ ସାମ୍ଭା ଚରିତ୍ର ପାଇଁ ମନେ ପଡ଼ନ୍ତି ମ୍ୟାକ୍‌ ମୋହନ । ତାଙ୍କର ଦୁଇ ଝିଅ ବଲିଉଡରେ ଏକ ଫିଚର ଫିଲ୍ମ ମାଧ୍ୟମରେ ପାଦ ଥାପିବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି ।

ଡ୍ୟାନି:
ବଲିଉଡରେ ଚାରି ଦଶନ୍ଧି ଧରି ରାଜ୍‌କରିଛନ୍ତି ପଦ୍ମଶ୍ରୀ ପୁରସ୍କୃତ ଡ୍ୟାନି । ଭିଲେନ ନା କହିଲେ ସାମ୍ନାକୁ ଚାଲିଆସେ ଏହି ପ୍ରସିଦ୍ଧ ଅଭିନେତାଙ୍କ ଚେହେରା । ସିକିମର ଜଣେ ରାଜକୁମାରୀକୁ ବିବାହ କରିଛନ୍ତି ଡ୍ୟାନି । ତାଙ୍କ ଝିଅ ପେମା ଦେଖିବାକୁ ଖୁବ ସୁନ୍ଦର ହୋଇଥିଲେ ମଧ୍ୟ ଲାଇମଲାଇଟ ଠାରୁ ନିଜକୁ ଦୂରେଇ ରଖିଛନ୍ତି ।

ଶକ୍ତି କପୂର:
ସିନେମାରେ ସେ ହେଉଛନ୍ତି କ୍ରାଇମ ମାଷ୍ଟର । ତାଙ୍କ ଭଳି ତାଙ୍କ ଝିଅ ଶ୍ରଦ୍ଧା କପୂର ମଧ୍ୟ ଖୁବ ଟ୍ୟାଲେଣ୍ଟେଡ । ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସେ ଜଣେ ।

ପ୍ରେମ୍‌ଚୋପ୍ରା:ଏକାଧିକ ହିନ୍ଦୀ ଚଳଚ୍ଚିତ୍ରରେ ଭିଲେନ ରୂପରେ ନଜର ଆସିଛନ୍ତି ପ୍ରେମ ଚୋପ୍ରା । ତାଙ୍କର ତିନି ଝିଅ କୌଣସି ହିରୋଇନଙ୍କ ଠାରୁ କମ୍‌ନୁହଁନ୍ତି । ତାଙ୍କ ବଡ଼ ଝିଅ ରତିକା ସ୍କ୍ରିନ ରାଇଟର ଏବଂ ପବ୍ଲିସିଟି ଡିଜାଇନର ରାହୁଲ ନନ୍ଦାଙ୍କୁ ବିବାହ କରିଥିବା ବେଳେ ଦ୍ୱିତୀୟ ଝିଅ ପୁନିତା ସିଙ୍ଗର ଏବଂ ଟିଭି ଆକ୍ଟର ବିକାଶ ଭଲ୍ଲାଙ୍କୁ ବିବାହ କରିଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ସାନ ଝିଅ ପ୍ରେରଣା ବଲିଉଡର ଲୋକପ୍ରିୟ ଅଭିନେତା ଶରମନ ଯୋଶୀଙ୍କୁ ବିବାହ କରିଛନ୍ତି ।

ରାଜ୍‌ବବର:
ପ୍ରସିଦ୍ଧ ଅଭିନେତା ଓ ରାଜନେତା ରାଜ୍‌ବବରଙ୍କ ଝିଅ ଜୁହି ଦେଖିବାକୁ କୌଣସି ଅଭିନେତ୍ରୀଙ୍କ ଠାରୁ କମ୍‌ନୁହଁନ୍ତି । ଜୁହି ବବର ଟିଭି ଅଭିନେତା ଅନୁପ ସୋନିଙ୍କୁ ବିବାହ କରିଛନ୍ତି ।

ନସିରୁଦ୍ଦିନ:
୧୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ ମଧ୍ୟ ମିର୍ଚ ମସାଲାରେ ନସିରୁଦ୍ଦିନଙ୍କ ଅଭିନୟକୁ ମନେ ପକାଯାଏ । ତାଙ୍କର ଜ୍ୱଳନ୍ତ ଅଭିନୟ ଦର୍ଶକଙ୍କୁ ମୁଗ୍ଧ କରିଛି । ତାଙ୍କ ଝିଅ ହିବା ମଧ୍ୟ ତାଙ୍କ ଭଳି ଖୁବ ଟ୍ୟାଲେଣ୍ଟେଡ । ଥିଏଟର ଜଗତରେ ସେ ସୃଷ୍ଟି କରିଛନ୍ତି ଏକ ଭିନ୍ନ ପରିଚୟ ।

କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେଙ୍କୁ କଳା ପତାକା ପ୍ରଦର୍ଶନ

ରାଉରକେଲା: ରାଉରକେଲାରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ । କେନ୍ଦ୍ର ଇସ୍ପାତ ରାଷ୍ଟମନ୍ତ୍ରୀ ଫଗନ ସିଂ କୁଲସ୍ତେ ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସିଛନ୍ତି । ଶୁକ୍ରବାର ଯୁବ କଂଗ୍ରେସ ପକ୍ଷରୁ ତାଙ୍କ ଗସ୍ତକୁ ବିରୋଧ କରି ସେକ୍ଟର ୨୧ ଛକରେ କଳା ପତାକା ପ୍ରଦର୍ଶନ କରାଯାଇଛି । ବିରୋଧ ପ୍ରଦର୍ଶନ ବେଳେ ୧୦ଜଣ ଯୁବ କଂଗ୍ରେସ ନେତା ଓ କର୍ମୀଙ୍କୁ ପୋଲିସ ପ୍ଲାଣ୍ଟ୍‌ ସାଇଟ୍‌ ଥାନାରେ ଅଟକ ରଖିଛି । କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଶୁକ୍ରବାର ସେଲ୍‌ ଖଣି ଅଞ୍ଚଳ ଗସ୍ତ କରିଥିବା ବେଳେ ଆଜି ରାଉରକେଲା ଇସ୍ପାତ କାରଖାନା ଯାଇଛନ୍ତି ।

Congress

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ କଳାପତାକା ଦେଖାଇଥିଲା କଂଗ୍ରେସ । ପେଟ୍ରୋଲ ଓ ଡିଜେଲ ଦର ବାରମ୍ବାର ବଢୁଥିବାରୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍‌ କରିଥିଲା ରାଜ୍ୟ ଯୁବ କଂଗ୍ରେସ । ଭୁବନେଶ୍ୱରରେ ଧର୍ମେନ୍ଦ୍ରଙ୍କ ଗାଡ଼ି ଆଗକୁ ହଠାତ୍‌ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ଆସି କଳାପତାକା ଦେଖାଇ ଧର୍ମେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇଥିଲେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ବିରୋଧ କରିଥିଲା କଂଗ୍ରେସ । ଆଗକୁ ସବୁଆଡ଼େ ବିରୋଧ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇତିଲା ଯୁବ କଂଗ୍ରେସ ।

ସପ୍ତାହେ ଭିତରେ ଆଉ ଲକ୍ଷେ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା ଆସିବ

ଭୁବନେଶ୍ୱର: ସପ୍ତାହେ ଭିତରେ ଆଉ ୧ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା ଆସିବ । ରାଜ୍ୟରେ କେବଳ ଭୁବନେଶ୍ୱରରେ କୋଭାକ୍ସିନ୍ ଟିକା ଦିଆଯାଉଛି । ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ୩ଦିନ ଟିକାକରଣ ହେବ । ସେହିପରି ମେଡିକାଲ କଲେଜରେ ଛୁଟିଦିନ ଛାଡ଼ି ସବୁଦିନ ଟିକା ଦିଆଯିବ । ମଙ୍ଗଳ, ବୁଧ, ଶୁକ୍ରବାର ଓ ରବିବାର ଟିକାକରଣ ବନ୍ଦ ରହିବ । ଗୁରୁବାର ୪୩୬ ସେସନରେ ୪୪ ହଜାର ୮୮୦ ଟିକାକରଣ ହୋଇଛି । ୧୬ରୁ ୨୧ ତାରିଖ ଭିତରେ ୧ ଲକ୍ଷ ୧୩ ହଜାର ୬୨୩ ଟିକାକରଣ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।

ତେବେ ଜାନୁଆରୀ ୧୯ ତାରିଖରେ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ଟିକା ପହଞ୍ଚିଥିଲା । ସ୍ପାଇସ୍‌ ଜେଟ୍‌ ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା କରୋନା ସଞ୍ଜିବନୀ । ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ସମସ୍ତ ଟିକାକୁ ଟିକା ଭଣ୍ଡାରକୁ ନିଆଯାଇଥିଲା । ସେଠାରୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଥିଲା ।

ଠିକ୍‌ ସେହିଭଳି ଗତ ୧୨ ତାରିଖରେ ଭୁବନେଶ୍ୱରରେ ପହଞ୍ଚିଥିଲା ପ୍ରଥମ ପର୍ଯ୍ୟାୟ କରୋନା ଟିକା‌ । ଭୁବନେଶ୍ୱର ବିମାନବନ୍ଦରରେ ସ୍ପାଇସଜେଟ୍ ଯୋଗେ ପହଞ୍ଚିଥିଲା କୋଭିସିଲ୍ଡ ଟିକା । ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଓଡ଼ିଶା ରାଜ୍ୟ ଟିକା ଭଣ୍ଡାରକୁ ନିଆଯାଇଥିଲା । ପରେ କୋଲ୍‌ଡ ଚେନ୍ ମାଧ୍ୟମରେ ସ୍ଥିରୀକୃତ ହୋଇଥିବା ଶହେଟି ସ୍ଥାନକୁ ଟିକା ପଠାଯାଇଥିଲା ।

ମାଓବାଦୀଙ୍କ ଯୋଜନା ଫେଲ୍, ଅପରେସନ୍‌ ବେଳେ ବିପୁଳ ବିସ୍ଫୋରକ ଜବତ କଲା ସୁରକ୍ଷା ବାହିନୀ

ମାଲକାନଗିରି: ମାଓବାଦୀଙ୍କ ଯୋଜନା ଫେଲ୍, ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମାଲକାନଗିରି ମାରିଗେଟା ଅଞ୍ଚଳରୁ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ । କାଲିମେଳା ଗୋମ୍ଫାକୋଣ୍ଡା ବନାଞ୍ଚଳକୁ ଲାଗିଥିବା ମାରିଗେଟା ଅଞ୍ଚଚଳରେ ବିଏସ୍‌ଏଫ୍ ଓ ଜିଲ୍ଲା ପୋଲିସ ମିଳିତ ଚଢାଉ କରିଥିଲେ । ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ଫଳରେ ମାଓବାଦୀଙ୍କ ବଡଧରଣର ଷଡ଼ଯନ୍ତ୍ର ଯୋଜନା ଫେଲ୍ ମାରିଛି । ବଡ଼ିଗେଟାରେ ଥିବା ୭୬ ବିଏସ୍ଏଫ୍‌ ବାଟାଲିଅନର ଯବାନମାନେ କମ୍ବିଂ ଅପରେସନ ସମୟରେ ବିସ୍ଫୋରକ ଠାବ କରିଥିଲେ । ମାଟି ତଳୁ ଜିଲେଟିନ ଷ୍ଟିକ୍‌, ଡିଟୋନେଟର, ବିଦ୍ୟୁତ ତାର ସହ ଅନ୍ୟ ବିସ୍ଫୋରକ ସାମଗ୍ରୀ ମିଳିଛି । ପୂର୍ବରୁ ମାଲକାନଗିରି ପୋଲିସ ସ୍ୱାଭିମାନ ଅଞ୍ଚଳକୁ ଲାଗି ରହିଥିବା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଥିଲା । ଆଗକୁ ମାଓ ଦମନ ଅପରେସନ୍‌କୁ ଜୋରଦାର କରାଯିବ ବୋଲି କୁହାଯାଉଛି ।

ତେବେ କିଛି ଦିନ ପୂର୍ବରୁ ମାଓ ସଂଗଠନକୁ ଏକ ବଡ଼ ଝଟକା ଲାଗିଛି । ଆତ୍ମସମର୍ପଣ କରିଛନ୍ତି ୧୪ ହାଡ୍‌କୋର୍‌ ମାଓବାଦୀ । ତାଙ୍କ ମଧ୍ୟରୁ ଦୁଇ ଜଣ ବାମନ ମିଡିଆମି ଏବଂ ରାଜୁ ମିଡ଼ିଆମିଙ୍କ ମୁଣ୍ଡରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା ।

ମାଓ ସଂଗଠନରୁ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି । ଦନ୍ତେଓ୍ୱାଡ଼ା ଏସ୍‌ପି ଅଭିଷେକ ପଲ୍ଲବଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଅସ୍ତ୍ର ତ୍ୟାଗ କରିବା ମାତ୍ରେ ଏମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା ।