spot_img
Home Blog Page 6088

ଆନ୍ଦୋଳନରତ ଚାଷୀଙ୍କୁ ଦେଶଦ୍ରୋହୀ କହିଲେ ବିଜେପି ନେତା ପୃଥ୍ୱୀରାଜ

ଭୁବନେଶ୍ୱର: ଚାଷୀଙ୍କୁ ଦେଶଦ୍ରୋହୀ କହିଲା ବିଜେପି । କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଯେଉଁମାନେ ଆନ୍ଦୋଳନ କରୁଛନ୍ତି, ସେମାନେ ଦେଶଦ୍ରୋହୀ ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଚାଷୀଙ୍କୁ କଂଗ୍ରେସ ଓ ବାମଦଳ ଉସ୍‌କାଇ ରାଜନୈତିକ ଫାଇଦା ପାଇଁ ଚେଷ୍ଟା କରୁଥିବା ବିଜେପି ଅଭିଯୋଗ କରିଛି । ବିଜେପିର ଏପରି ଆଭିମୁଖ୍ୟକୁ ନାପସନ୍ଦ କରିଛି ବିଜେଡି । କଂଗ୍ରେସ ମଧ୍ୟ ବିଜେପିର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛି ।

ସେପଟେ ଓଡ଼ିଶାରେ ଧାନମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଚାଷୀ ହଇରାଣ ହେଉଥିବା ମଧ୍ୟ ବିଜେପି ଅଭିଯୋଗ କରିଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛି ବିଜେପି । ବିଜେପିର ଏଭଳି ଆଭିମୁଖ୍ୟକୁ ବିଜେଡି କଡ଼ା ସମାଲୋଚନା କରିଛି । ଏହା ବିଜେପିର କେଉଁଭଳି ଥିଓରି ବୁଝି ହେଉନାହିଁ କହିଛି ବିଜେଡି । ଏହା କହିବା ପୂର୍ବରୁ ବିଜେପି ନେତାମାନେ ସମୀକ୍ଷା କରିବା ଦରକାର । ଗଣତନ୍ତ୍ରରେ ଆନ୍ଦୋଳନ କରିବା ଅଧିକାର ସମସ୍ତଙ୍କର ଅଛି ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ।

ସେପଟେ କଂଗ୍ରେସ ଚାଷୀ ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି । ଗୋଟିଏ ପଟେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି ଦିଲ୍ଲୀରେ ଚାଷୀ ଶୀତ କାକରରେ ବସିଥିବା ବେଳେ ରାଜ୍ୟରେ ଚାଷୀମାନେ ଶାଗମାଛ ଦରରେ ଧାନ ବିକୁଛନ୍ତି । ଉଭୟ ସରକାର ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ କଂଗ୍ରେସ ଦାବି କରିଛି । ଆଗକୁ ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି  ।

ଏକତରଫା ପ୍ରେମକୁ ନେଇ ବିବାହିତ ମହିଳାଙ୍କୁ ଭୁଜାଲି ମାଡ଼

ଭୁବନେଶ୍ୱର: ଏକତରଫା ପ୍ରେମ ଓ ଟଙ୍କା କାରବାରକୁ ନେଇ ବିବାହିତ ମହିଳାଙ୍କୁ ଭୁଜାଲି ମାଡ଼ । ଜଣେ ଅଟୋ ଚାଳକଙ୍କ ଭୁଜାଲି ମାଡ଼ରେ ମହିଳା ଗୁରୁତର । ମହିଳା ଜଣକ ହେଲେ ପଟିଆ ଷ୍ଟେସନ ଅଞ୍ଚଳର ରଶ୍ମିତା ମହାନ୍ତି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମହିଳାଙ୍କ ପିଠି, ପେଟ ଓ ଜଂଘରେ ଲାଗିଛି ଗୁରୁତର ଆଘାତ । ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ପଟିଆ ଷ୍ଟେସନ ନିକଟରେ । ଆକ୍ରମଣକାରୀ ଅଟୋ ଚାଳକ ହେଉଛନ୍ତି ପଟିଆ ଅଞ୍ଚଳର ଦୟାନିଧି ମହାପାତ୍ର । ଘଟଣା ପରେ ଅଭିଯୁକ୍ତ ଦୟାନିଧି ଫେରାର ହୋଇଯାଇଛି । ସ୍ୱାମୀ ମଦନ ମହାନ୍ତି ହାଇଦ୍ରାବାଦରେ ଚାକିରୀ କରୁଥିବା ବେଳେ ରଶ୍ମିତା ୨ ଝିଅଙ୍କ ସହିତ ପଟିଆ ଷ୍ଟେସନ ନିକଟ ମହାବୀର ବସ୍ତିରେ ରହୁଥିଲେ । ରଶ୍ମିତା ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ ସଂସ୍ଥାରେ ଚାକିରୀ କରୁଥିଲେ ।

ଗତ କିଛି ମାସ ହେଲା ରଶ୍ମିତାଙ୍କର ଅଟୋ ଚାଳକ ଦୟାନିଧିଙ୍କ ସହିତ ସମ୍ପର୍କ ସୃଷ୍ଟି ହୋଇଥିଲା । ରଶ୍ମିତାଙ୍କୁ ଦୟାନିଧି ବାରମ୍ବାର ଏକତରଫା ପ୍ରେମ ନିବେଦନ ସହ ଜୋର ଜବରଦସ୍ତ ଟଙ୍କା ଛଡାଇ ନେଉଥିଲା । ଏନେଇ ପୂର୍ବରୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇ ମାମଲା ସମାଧାନ ହୋଇଥିଲା । ତେବେ ଆଜି ଅଫିସ୍‌ରୁ ଫେରିବା ସମୟରେ ରଶ୍ମିତାଙ୍କୁ ଆକ୍ରମଣ କରି ଦୟାନିଧି ଫେରାର ହୋଇଯାଇଛି ।

ବଜେଟ୍‌ ପୂର୍ବରୁ କେନ୍ଦ୍ର ପାଖରେ ରାଜ୍ୟର ଦାବି, ଓଡ଼ିଶା ତାର ପ୍ରାପ୍ୟ ପାଉନି

ଭୁବନେଶ୍ୱର: ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‌ ଆଗତ ପୂର୍ବରୁ କେନ୍ଦ୍ର ପାଖରେ ରାଜ୍ୟ ରଖିଛି ଦାବି । ରେଳ ପ୍ରକଳ୍ପ ପାଇଁ ଓଡ଼ିଶାକୁ ୭ ହଜାର ୨ଶହ କୋଟି ଟଙ୍କା ଦେବାକୁ ଓଡ଼ିଶା ଦାବି କରିବା ସହ ୧୩ଟି ପ୍ରସ୍ତାବ ଦେଇଛି । ଏହାସହ ଇଣ୍ଟରନେଟ୍‌ ଓ ଟେଲି ପ୍ରକଳ୍ପ ସେସ୍‌କୁ କେନ୍ଦ୍ରୀୟ ଟିକସରେ ଅନ୍ତର୍ଭୁକ୍ତ କରିବା ଆଦି ଦାବି, କେନ୍ଦ୍ର ପାଖରେ ରଖିଛି ରାଜ୍ୟ । ଏଥର ବଜେଟରେ ଓଡ଼ିଶା ତାର ହକ୍ ମାଗିଛି, ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ଖୋର୍ଦ୍ଧା-ବଲାଙ୍ଗିର, ନବରଙ୍ଗପୁର-ଜୟପୁର, ତାଳଚେର-ବିମଳାଗଡ ଓ ଜୟପୁର-ମାଲକାନଗିରି ପରି ରେଳ ପ୍ରକଳ୍ପଗୁଡିକ ବର୍ଷବର୍ଷ ଧରି ଅଧପନ୍ତରିଆ ଭାବରେ ପଡ଼ିରହିଛି । ଆଉ ଏଥିଲାଗି ଅର୍ଥ ସାଜିଛି ପ୍ରତିବନ୍ଧକ । ୨୦୨୧-୨୨ ଆର୍ଥିକ ବର୍ଷରେ ଓଡିଶାରେ ରେଳପ୍ରକଳ୍ପର ଉନ୍ନତିକରଣ ପାଇଁ ଅତିକମ୍‌ରେ କେନ୍ଦ୍ରର ୭ହଜାର ୨ଶହ କୋଟି ଟଙ୍କା ଆବଶ୍ୟକ ଅଛି । ବଜେଟ ପୂର୍ବରୁ କେନ୍ଦ୍ର ନିକଟରେ ଏହି ଦାବି ରଖିଛି ରାଜ୍ୟ ।

ତେବେ ଏଥର କେନ୍ଦ୍ର ବଜେଟରେ କେତେ ଟଙ୍କା ଦେଉଛି ତାହାକୁ ନେଇ ଆରମ୍ଭ ହୋଇଗଲାଣି ବାକ୍ ଯୁଦ୍ଧ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ରେଳବାଇ କ୍ଷେତ୍ରରେ କେନ୍ଦ୍ର ସିଂହଭାଗ ଟିକସ୍ ନେଉଛି । ହେଲେ ସେହି ଅନୁସାରେ ଅର୍ଥ ଦେଉନଥିବାରୁ ରାଜ୍ୟରେ ଅନେକ ରେଳପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିରହିଛି । ବିଜେଡି କହିଛି ଯେ, କେନ୍ଦ୍ରୀୟ ବଜେଟରେ ଓଡିଶା ପାଇଁ ଅନୁଦାନ କମିବା ଓ ଠିକ ସମୟରେ ନମିଳିବାରୁ ଅନେକ ପ୍ରକଳ୍ପ ବର୍ଷବର୍ଷ ଧରି ସଂପୂର୍ଣ୍ଣ ହୋଇପାରୁନାହିଁ ।

ସେପଟେ ବିଜେପିର ଯୁକ୍ତି କିନ୍ତୁ, ଭିନ୍ନ । ଓଡିଶା ବଜେଟ୍‌ରେ ଅନୁଦାନ ମାଗିବା ପୁର୍ବରୁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଛନ୍ତି । ହେଲେ ରାଜ୍ୟ ସରକାର ନିଜ ଭୂମିକା ଠିକ୍ ରୁପେ ତୁଲାଉନଥିବାରୁ ଟଙ୍କା ଖର୍ଚ୍ଚ ହୋଇପାରୁନାହିଁ । ଏପରିକି ରେଳପ୍ରକଳ୍ପ ଗୁଡିକ ପାଇଁ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା ସାଜିଛି ବୋଲି ବିଜେପି ଅଭିଯୋଗ କରିଛି । ଖୋର୍ଦ୍ଧା-ବଲାଙ୍ଗିର ପରି ଦୀର୍ଘଦିନ ଧରି ପଡିରହିଥିବା ରେଳପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ରାଜ୍ୟ ନିଜସ୍ୱ ପାଣ୍ଠି ବ୍ୟୟ କରିଛି ।

୩,୮୮୪ ଜଣ ଚୁକ୍ତିଭତ୍ତିକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ପାଇଲେ ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ । ୩ ହଜାର ୮୮୪ ଜଣ ଚୁକ୍ତିଭତ୍ତିକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ଉପରେ ମଞ୍ଜୁରୀ ମାରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

ମହଙ୍ଗା ହେବ ସଂସଦର ଖାଇବା, ଆଉ ମିଳିବନି ସବସିଡି

ନୂଆଦିଲ୍ଲୀ: ସଂସଦର କ୍ୟାଣ୍ଟିନରେ ଆଉ ମିଳିବନି ସବସିଡି । ଏହାକୁ ସଂପୂର୍ଣ୍ଣ ବନ୍ଦ କରାଯିବା ନେଇ ମଙ୍ଗଳବାର ଦିନ ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି। ଯାହା ଫଳରେ ଏବେ ସଂସଦର କ୍ୟାଣ୍ଟିନରେ ଖାଇବା ଦାମ୍ ମହଙ୍ଗା ହେବ।

ଏହି ସବସିଡି ବନ୍ଦ ହେଲେ ସଂସଦ ବାର୍ଷିକ ୮ କୋଟି ଟଙ୍କା ସଞ୍ଚୟ କରିବା ନେଇ ଯୋଜନା କରିଛି। ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ବଜେଟ ଅଧିବେଶନରୁ ହିଁ କ୍ୟାଣ୍ଟିନରେ ସବସିଡି ବ୍ୟବସ୍ଥା ବନ୍ଦ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂସଦ କ୍ୟାଣ୍ଟିନରେ ଖାଦ୍ୟ ଉପରେ ଦିଆଯାଉଥିବା ସବସିଡି ସାଂସଦ ତଥା ଅନ୍ୟମାନଙ୍କ ଲାଗି ବନ୍ଦ ହେବ । ଏବେ ଉତ୍ତର ରେଲୱେ ବଦଳରେ ଆଇଟିଡିସି ସଂସଦର କ୍ୟାଣ୍ଟିନ ବ୍ୟବସ୍ଥାର ସଞ୍ଚାଳନା କରିବ ।

ସୂଚନା ଅନୁସାରେ କ୍ୟାଣ୍ଟିନରେ ଦିଆଯାଉଥିବା ସବସିଡି ବନ୍ଦ କରିବାକୁ ଲୋକସଭା ବାଚସ୍ପତି ଓମ ବିର୍ଲା ହିଁ ପରାମର୍ଶ ଦେଇଥିଲେ। ଆଉ ଏହି ପ୍ରସଙ୍ଗରେ ସମସ୍ତ ପକ୍ଷ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ତେବେ ଅନେକ ସମୟରେ ସଂସଦର କ୍ୟାଣ୍ଟିନରେ ମିଳୁଥିବା ସବସିଡି ବିବାଦର ଅଂଶ ପାଲଟିଥାଏ ।

ସବସିଡି ଯୋଗୁଁ ସଂସଦର କ୍ୟାଣ୍ଟିନରେ ଦେଶର ସାଂସଦ ମାନଙ୍କୁ ଖୁବ୍ କମ୍ ଦାମରେ ଖାଇବା ମିଳିଥାଏ । ଖାଲି ଏତିକି ନୁହେଁ ଟିକସଦାତାଙ୍କ ପଇସାରେ ସାଂସଦ ମାନେ ଶସ୍ତାରେ ଖାଦ୍ୟ ଖାଉଛନ୍ତି ବୋଲି ଚର୍ଚ୍ଚା ହୋଇଥାଏ । ଯେଉଁଥିପାଇଁ  ସବସିଡି ଉଠାଇବାକୁ ଦୀର୍ଘ ସମୟ ଧରି ଦାବି କରାଯାଉଥିଲା ।

ତେବେ ଏକଦା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ହଷ୍ଟେଲ ଫି ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପାଠ ପଢାରେ ସବସିଡି ମିଳୁନଥିବା ବେଳେ ସାଂସଦ ମାନଙ୍କୁ କାହିଁକି କମ୍ ଦାମରେ ଖାଦ୍ୟ ମିଳୁଛି ସେନେଇ ଛାତ୍ରଛାତ୍ରୀ ମାନେ ସେ ସମୟରେ ଯୁକ୍ତିବାଢି ଥିଲେ ।

ସୂଚନାଯୋଗ୍ୟ, ଆସନ୍ତା ଜାନୁଆରି ୨୯ ତାରିଖରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।

୮ ବର୍ଷ ଝିଅକୁ କୋର୍ଟ ଚାଲାଣ କଲା ପୋଲିସ

ଭୁବନେଶ୍ୱର: ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ୮ ବର୍ଷ ଝିଅକୁ କୋର୍ଟ ଚାଲାଣ କଲା ପୋଲିସ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟରେ ଥିବା କୋର୍ଟ ପରିସରରେ । ବାଲିପାଟଣା ଥାନା ଅନ୍ତର୍ଗତ ଦେଉଳିଧର ପାଟଣାର ଧର୍ମାନନ୍ଦ ଜେନାଙ୍କ ସାନ ଝିଅ ୮ ବର୍ଷର ହୋଇଥିବା ବେଳେ ବାଲିପାଟଣା ପୋଲିସ ତାଙ୍କୁ କୋର୍ଟଚାଲାଣ କରିଛି ।

ତେବେ ଜଣେ ୮ ବର୍ଷର ଝିଅକୁ କିଭଳି ଭାବେ ଜମିବାଡ଼ି ଗଣ୍ଡଗୋଳ ଘଟଣାରେ ଦଫା ୧୨୭ ଲଗାଇ ଡିସିପି କୋର୍ଟରେ ହାଜର କରାଗଲା ସେ ନେଇ ପରିବାର ବର୍ଗ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ଏହି କେସ୍‌ରେ ଜଣେ ନାବାଳିକାଙ୍କୁ ଜୁଭେନାଇଲ ହୋମକୁ ପଠାଇବା ନିହାତି ଅବାସ୍ତବ । ପୋଲିସ ଲାଞ୍ଚ ନେଇ ଝିଅକୁ ଗିରଫ କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ଓକିଲ ।

ସାଇଲେଣ୍ଟ ହୋଇଗଲା ରିକି ପଣ୍ଟିଂଙ୍କ ଟ୍ୱିଟ୍‌ର, ଚୁପ୍‌ କରିଦେଲା ଭାରତୀୟ ଟିମ୍‌

ବ୍ୟୁରୋ: ସେଦିନ ଥିଲା ଭାରତ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ତୃତୀୟ ଦିନ । ସକାଳୁ ଟିଭି ଖୋଲିଲା ବେଳକୁ ଖେଳ ପ୍ରାୟ ସରିଯାଇଥାଏ । ଭାରତ ମାତ୍ର ୩୬ ରନ କରି ଅଲ୍‌ଆଉଟ୍‌ ହେଇଥିଲା ଓ ଅଷ୍ଟ୍ରେଲିଆ ଅତି ସହଜରେ ପ୍ରଥମ ଟେଷ୍ଟ ଜିତି ସାରିଥିଲା । ଆଉ ସବୁ ଟିଭି ବନ୍ଦ ହେଇଯାଇଥିଲା । ହେଲେ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ସମସ୍ତଙ୍କ ନଜର ଟିଭି ଉପରେ ଥାଏ, କାରଣ ଭାରତ ଐତିହାସିକ ବିଜୟରୁ ମାତ୍ର ୨ ରନ ପଛରେ ଥିଲା । ବୋଲିଂ କରୁଥିଲେ ହାଜେଲଉଡ୍‌ ଓ କ୍ରିଜ୍‌ରେ ଥିଲେ ଋଷଭ ପନ୍ଥଙ୍କ ସହ ନବଦ୍ୱୀପ ସାଇନି ।

ଭାରତ ଏବଂ ଅଷ୍ଟ୍ରେଲିଆ  ବର୍ଡ଼ର-ଗାଭାସ୍କର ସିରିଜ୍‌ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆର ଦୁଇ ମହାନ ଖେଳାଳି ରିକି ପଣ୍ଟିଂ ଓ ଗ୍ଲେନ୍‌ ମାକଗ୍ରାଥ୍‌ କହିଥିଲେ ଯେ ଅଷ୍ଟ୍ରେଲିଆ ଏହି ସିରିଜ ୪-୦ ରେ ଜିତିବ । ପ୍ରଥମ ଟେଷ୍ଟ ସରିଲା ପରେ ପୁରା ବିଶ୍ୱ ତାଙ୍କ କଥା ସତ ହେବ ବୋଲି ମାନି ନେଇଥିଲା । ସାରା ବିଶ୍ୱ, ଭାରତୀୟ ଖେଳାଳିଙ୍କୁ ସୋସିଆଲ ମେଡିଆରେ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲା । ତାର କାରଣ ମଧ୍ୟ ଥିଲା, ଟିମରେ ବିରାଟ କୋହଲି ନଥିଲେ ଓ ଟିମ୍‌ର କିଛି ଖେଳାଳି ମଧ୍ୟ ଆହତ ଥିଲେ । କେବଳ ପଣ୍ଟିଂ ଓ ଗ୍ଲେନ୍‌ ନୁହଁନ୍ତି ବରଂ ବ୍ରାଡ୍‌ ହାଡିନ୍‌, ମାଇକେଲ କ୍ଲାର୍କ, ମାର୍କ ଓ୍ୱାଗ୍‌, ମାଇକେଲ ଭନ୍‌ ମଧ୍ୟ ସୋସିଆଲ ମିଡିଆରେ ଭାରତୀୟ ଟିମ୍‌କୁ ତାତ୍ସଲ୍ୟ କରିଥିଲେ ।

ହେଲେ ଦ୍ୱିତୀୟ ଟେଷ୍ଟ ପରଠାରୁ ପୁରା ଚିତ୍ର ପରିବର୍ତ୍ତନ ହୋଇଯାଇ ଥିଲା । ଏହି ଟେଷ୍ଟରେ ଭାରତର ଚମତ୍କାର ପ୍ରଦର୍ଶନ ସମସ୍ତଙ୍କ ମନରେ ଉନ୍ମାଦନା ସୃଷ୍ଟି କରିଥିଲା । ଭାରତୀୟଙ୍କ ମନରେ ଜିତିବାର ଆଶା ସଂଚାର କରିଥିଲା । ବିଦେଶ ମାଟିରେ କ୍ୟାପଟେନ୍‌ ଆଜିଙ୍କ୍ୟ ରାହାଣେ ଓ ଅନ୍ୟ ଖେଳାଳିଙ୍କ ଉଚ୍ଚ କୋଟିର ପ୍ରଦର୍ଶନ ପୁରା ବିଶ୍ୱକୁ ଦେଖାଇଥିଲା ଯେ ଭାରତ ବିଦେଶ ମାଟିରେ ବି ଭଲ ପ୍ରଦର୍ଶନ କରିପାରିବ ।

ତୃତୀୟ ଟେଷ୍ଟରେ ହାରିବା ମ୍ୟାଚ୍‌କୁ ଡ୍ର ରଖିବାରେ ଭାରତୀୟ ଖେଳାଳି ସକ୍ଷମ ହୋଇଥିଲେ । ଏହି ଟେଷ୍ଟ ଡ୍ର ହେବା, ଅଷ୍ଟ୍ରେଲିଆବାସୀଙ୍କ ମନରେ ରାଗ ଭରିଦେଇଥିଲା । ଗୋଟେ ସମୟରେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ସ୍ମିଥଙ୍କୁ ଋଷବ ପଂଥଙ୍କ ବ୍ୟାଟିଂ ଗାର୍ଡକୁ ଲିଭେଇବାର ଦେଖିବାକୁ ମିଳିଥିଲା । ଏମିତି କି ପଡିଆରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ପରି ଅଷ୍ଟ୍ରେଲିଆରେ ଦର୍ଶକ ମାନେ ମଧ୍ୟ ଭାରତୀୟ ଖେଳାଳିଙ୍କୁ ଖରାପ ବ୍ୟବହାର କରିଥିଲେ । ହେଲେ ଏହି ସବୁ ଘଟଣା କିଛି ବି, ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଇପାରିନଥିଲା ବରଂ ଭାରତୀୟ ଖେଳାଳିଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ଖୋରାକ ଯୋଗାଇଥିଲା ।

ହେଲେ ଏହି ଟେଷ୍ଟରେ କିଛି ସିନିଅର ଖେଳାଳିଙ୍କ ଆହତ ସମସ୍ୟା ଏକ ଚିନ୍ତାର କାରଣ ହୋଇଥିଲା । ଟିମ୍‌ରେ ହନୁମା ବିହାରୀ, ଅଶ୍ୱିନୀ କିମ୍ବା ରବୀନ୍ଦ୍ର ଜାଡେଜା ନଥିଲେ, ହେଲେ ସେତେବେଳକୁ ଭାରତୀୟ ଖେଳାଳିଙ୍କ ମନରେ ଉତ୍ସାହ ବଢ଼ି ସାରିଥିଲା ।

ଚତୁର୍ଥ ଟେଷ୍ଟ ବେଳକୁ ଟିମ୍‌ରେ କିଛି ନୂଆ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ପଡିଆ ଓଲ୍ହାଇଥିଲା । ପୁଣି ଚତୁର୍ଥ ଟେଷ୍ଟ ଖେଳା ଯାଇଥିଲା ଅଷ୍ଟ୍ରେଲିଆର ଗାବାରେ, ଯେଉଁଠି ଅଷ୍ଟ୍ରେଲିଆ ବିଗତ ୩୩ ବର୍ଷ ମଧ୍ୟରେ କେବେ ହାରି ନଥିଲା । ହେଲେ ଭାରତ ର ପ୍ରଥମ ଇଂନିଙ୍ଗସରେ ଭାରତୀୟ ଖେଳାଳିଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସମସ୍ତ ଅଷ୍ଟ୍ରେଲିଆବାସୀଙ୍କୁ ଚକିତ କରିଦେଇଥିଲା । ରିକି ପଣ୍ଟିଂ ପାରମ୍ପରିକ ଭାବରେ କହିଲେ ଯେ ଅଷ୍ଟ୍ରେଲିଆ ଯଦି ଏହି ସିରିଜ ଡ୍ର କରୁଛି ତେବେ ଏହା ଏକ ଲଜ୍ୟା ଜନକ ଘଟଣା ।

କିନ୍ତୁ ଭାରତୀୟ ଖେଳାଳିମାନେ ସିରିଜ ଜିତିବ ପାଇଁ ଖେଳୁଥିଲେ । ବ୍ୟାଟିଂ ଓ ବୋଲିଂରେ ଭାରତୀୟ ଖେଳାଳି ଧୂଆଁଧାର ପ୍ରଦର୍ଶନ ଜାରି ରଖିଲେ ଓ କଙ୍ଗାରୁ ଦଳକୁ ଅଷ୍ଟ୍ରେଲିଆ ଭିତରେ ଧୂଳି ଚଟେଇ ଦେଲେ । ନିଜର ଖରାପ ପ୍ରଦର୍ଶନ ପାଇଁ ସମାଲୋଚନାର ଶିକାର ହେଉଥିବା ପଂଥ ହିଁ ନାୟକ ହୋଇଥିଲେ ଏହି ଟେଷ୍ଟରେ । ପଂଥ ଖେଳିଥିବା ଶେଷ ୫୪ ବଲ ରେ ୫୫ ରନ କରି ଭାରତ ପାଇଁ ଇତିହାସ ରଚିଥିଲେ । ହେଲେ ଭାରତ ର ଏହି ବିଜୟ ପରେ ସେହି ଦୁଇ ମହାନ ଖେଳାଳି ରିକି ପଣ୍ଟିଂ ଓ ଗ୍ଲେନ୍‌ ମାକଗ୍ରାଥ ଙ୍କ ଟ୍ୱିଟର ଆକାଉଣ୍ଟ ପୁରା ନିସ୍ତବ୍ଦ ହୋଇଯାଇଛି ।

ଭଗବାନଙ୍କ ଦ୍ୱିତୀୟ ଅବତାର ଡାକ୍ତର, ଚାକିରି ସରିବା ପରେ ବି ଜାରି ରଖିଛନ୍ତି ମାଗଣା ରୋଗୀ ଚିକିତ୍ସା

ଯାଜପୁର: ଡାକ୍ତର ଭଗବାନଙ୍କ ଦ୍ୱିତୀୟ ଅବତାର । ଏହାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ଚିକିତ୍ସାଧିକାରୀ ତଥା ଅବସର ପ୍ରାପ୍ତ ଡାକ୍ତର ବିଜୟ କୁମାର ଶତପଥୀ । ଚିକିତ୍ସା ଅଭାବରୁ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଙ୍କୁ ସହାୟତାର ହାତ ବଢାଇଛନ୍ତି । ଆଉ ଘର ଘର ବୁଲି ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ଅବସର ପରେ ବି ସେ ଜାରି ରଖିଛନ୍ତି ରୋଗୀ ସେବା । ରୋଗୀ ସେବା ପାଇଁ ଜୀବନକୁ କରିଛନ୍ତି ଉତ୍ସର୍ଗୀକୃତ ।

Jajpur Doctor Help

ଧାନମଣ୍ଡଳ ଗାଁର ଚନ୍ଦ୍ର ଶେଖର ବେହେରାଙ୍କର ଗୋଡ଼ ଦୁଇଟି ସଂପୂର୍ଣ୍ଣ ଅଚଳ ହୋଇଯାଇଥିବା ବେଳେ ତାଙ୍କର ସଂପୂର୍ଣ୍ଣ ଚିକିତ୍ସା ଦାୟିତ୍ୱ ନେଇଛନ୍ତି ଏହି ଡାକ୍ତର । କେବଳ ସେତିକି ନୁହେଁ ପରିବାର ଚଳିବା ପାଇଁ ଆବଶ୍ୟକ ରାସନ ଯୋଗାଇବା ସହ ଆଗକୁ ସଂପୂର୍ଣ୍ଣ ଚିକିତ୍ସା କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

Jajpur Doctor Help

ଚନ୍ଦ୍ର ଶେଖରଙ୍କ ପରି ଅନେକ ଅସହାୟ ଗରିବ ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇ ଡାକ୍ତର ଭଗବାନ ପାଲଟିଯାଇଛନ୍ତି ବିଜୟ କୁମାର ଶତପଥୀ । ଆଗକୁ ଏପରି ସେବା କରିବେ ବୋଲି ଡାକ୍ତର ପଣ କରିଛନ୍ତି ।

ବିବାଦୀୟ ଅଭିନେତା ସୈଫ ଅଲି ଖାନ୍‌, ପୂର୍ବରୁ ମଧ୍ୟ ହୋଇଛି ତାଣ୍ଡବ

ନୂଆଦିଲ୍ଲୀ: ବିବାଦୀୟ ଷ୍ଟାରଙ୍କ ମଧ୍ୟରେ  ବଲିଉଡ ନବାବ  ସୈଫ ଅଲି ଖାନ୍‌ ଜଣେ ।  ଫିଲ୍ମର କାହାଣୀ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ଏବଂ ବୟାନକୁ ନେଇ ସେ ସବୁବେଳେ ଚର୍ଚ୍ଚାକୁ ଆସିଯାନ୍ତି  । କେବେ ପୁଅର ନାଁକୁ ନେଇ ତ କେବେ କୌଣସି ଓ୍ୱେବସିରିଜରେ କାମ କରି । ନିକଟରେ ସୈଫଙ୍କୁ ନେଇ ଆରମ୍ଭ ହୋଇଛି ଆଉ ଏକ ନୂଆ ବିବାଦ । ବିବାଦ ନିକଟରେ ରିଲିଜ ହୋଇଥିବା ଓ୍ୱେବସିରିଜ ତାଣ୍ଡବକୁ ନେଇ । ଓ୍ୱେବସିରିଜ ଉପରେ ହିନ୍ଦୁ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି ।

ବିଜେପି  ବିଧାୟକ ରାମ କଦମ  ଫିଲ୍ମ ଅଭିନେତା ସୈଫ ଅଲି ଖାନଙ୍କୁ ଟାର୍ଗେଟ କରିଛନ୍ତି । ଯେଉଁଥିରେ ସୈଫ ଅଲି ଖାନ ଏହି ଭୁଲ ପୁଣି ଦୋହରାଇଥିବା ସେ ବୟାନ ଦେଇଛନ୍ତି ।

୨୦୧୬ରେ ପୁଅ ତୈମୁରକୁ ଜନ୍ମ ଦେଇଥିଲେ କରୀନା । ଯାହାକୁ ନେଇ ଫ୍ୟାନ୍ସ ଖୁବ ଖୁସି ହୋଇଥିଲେ । କିନ୍ତୁ ସୈଫ ଏବଂ କରୀନା ପୁଅର ନାମ ତୈମୁର ରଖିବାରୁ ଆରମ୍ଭ ହେଲା ବିବାଦ ।  ସୂଚନା ମୁତାବକ ତୁର୍କୀର ଜଣେ କ୍ରୁର ଶାସକ ଥିଲେ ତୈମୁର । ତେଣୁ ପୁଅର ଏଭଳି ନାମକରଣ ହୋଇଥିବାରୁ ଫ୍ୟାନ୍ସ ଖପା ହୋଇ ଯାଇଥିଲେ । ଏହାକୁ ନଜରରେ ରଖି ବିବାଦ ଆରମ୍ଭ ହୋଇଥିଲା । କିନ୍ତୁ ସେଭଳି କୌଣସି ତଥ୍ୟକୁ ଆଧାର କରି ପୁଅର ନାମକରଣ କରିନାହିଁ ବୋଲି ବୟାନ ଦେଇଥିଲେ ସୈଫ ।

ଖାଲି ସେତିକି ନୁହେଁ ଫିଲ୍ମ ଆଦିପୁରୁଷକୁ ନେଇ ମଧ୍ୟ ବିବାଦକୁ ଆସିଥିଲେ ସୈଫ । ଫିଲ୍ମରେ ରାବଣର ମାନବୀୟ ଚେହେରାକୁ ଦେଖାଇବାକୁ ଚେଷ୍ଟା କରିଥିବା କହିଥିଲେ ସୈଫ । ଯାହା ତାଙ୍କପାଇଁ ବିବାଦର କାରଣ ସାଜିଥିଲା । କିନ୍ତୁ କାହାର ଭାବନାକୁ ଆଘାତ ପହଞ୍ଚାଇବା ଉଦ୍ଦେଶ୍ୟରେ କହିନଥିବା ସେ ବୟାନ ଦେଇଥିଲେ । ଏହା ସହିତ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ ।

ଅଜୟ ଦେବଗନ ଷ୍ଟାରର ଫିଲ୍ମ ତାହ୍ନାଜୀରେ ଭିଲେନ ଚରିତ୍ରରେ ନଜର ଆସିଥିଲେ ସୈଫ । ତାଙ୍କ ଜବରଦସ୍ତ ଆକ୍ଟିଂକୁ ଦର୍ଶକ ଖୁବ ପ୍ରଶଂସା କରିଥିଲେ । କିନ୍ତୁ ଏହାକୁ ନେଇ ମଧ୍ୟ ବିବାଦ ଆରମ୍ଭ ହୋଇଯାଇଥିଲା ଏବଂ ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସି ଯାଇଥିଲେ ସୈଫ । ଖାଲି ସେତିକି ନୁହେଁ ସୈଫ ଅଲି ଖାନଙ୍କ ଅଭିନୀତ ସାକ୍ରେଡ ଗେମ୍ସ ମଧ୍ୟ ବିବାଦକୁ ଆସିଥିଲା ।

 

ପୁଣି ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର, ମହିଳାଙ୍କ ଚିକିତ୍ସା ଓ ପାର୍ଥିବ ଶରୀର

ଭୁବନେଶ୍ୱର: ପୁଣି ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର । ମହିଳାଙ୍କ ଚିକିତ୍ସା ଓ ପାର୍ଥିବ ଶରୀରକୁ ଫେରାଇବାରେ କଲା ସହାୟତା । ଓଡ଼ିଶା ମୋ-ପରିବାରର ସହାୟତା କ୍ରମେ ବରଗଡ଼ ଦିପ୍ତିପୁର ତାଳଗ୍ରାମକୁ ଫେରିଛି ଶୋଭାଙ୍ଗୀନୀ ଗରତିଆଙ୍କ ମରଶରୀର । ଏନେଇ ଓଡ଼ିଶା-ମୋ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ମୃତକଙ୍କ ପରିବାର ।

ଗତ ୧୭ ତାରିଖରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଶୋଭାଙ୍ଗୀନୀ । ପରେ ତାଙ୍କୁ ବିକାଶ ମଲ୍ଟି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ କାର୍ଡିଓ ଚିକିତ୍ସା ସୁବିଧା ଉପଲବ୍ଧ ନଥିବାରୁ ତାଙ୍କୁ ଭୁବନେଶ୍ୱର ଆମ୍ରି ହସପିଟାଲ ସ୍ଥାନାନ୍ତରଣ କରାଯାଇଥିଲା । ରାସ୍ତାରେ ସ୍ୱାସ୍ଥ୍ୟବସ୍ଥା ଅଧିକ ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ୧୮ ତାରିଖରେ ଆମ୍ରି ହସପିଟାଲରେ ଭର୍ତ୍ତି ହୋଇଥିଲେ ଶୋଭାଙ୍ଗୀନୀ ।

ଏସଂପର୍କରେ ଭୁବନେଶ୍ୱର ଅତିରିକ୍ତ ତହସିଲଦାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇବା ପରେ ସହାୟତା ପାଇଁ ଆଗେଇ ଆସିଥିଲା ଓଡ଼ିଶା ମୋ ପରିବାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଶୋଭାଙ୍ଗିନୀଙ୍କ ଚିକିତ୍ସା ସୁନିଶ୍ଚିତ କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଶୋଭାଙ୍ଗିନୀ ପ୍ରାଣ ହରାଇଥିଲେ । ପରେ ଶୋଭାଙ୍ଗିନୀଙ୍କ ମରଶରୀରକୁ ଗାଁକୁ ଫେରାଇନେବାକୁ ସମସ୍ତ ବ୍ୟବସ୍ଥା ମଧ୍ୟ କରିଥିଲା ଓଡ଼ିଶା ମୋ-ପରିବାର ।