spot_img
Home Blog Page 609

ପୃଥିବୀକୁ ଫେରିଲେ ମହାକାଶଚାରୀ ଶୁଭାଂଶୁ: ଜାଣନ୍ତୁ, ସାଙ୍ଗରେ କ’ଣ ଆଣିଛନ୍ତି ଓ କେମିତି ଥିଲା ଲ୍ୟାଣ୍ଡିଂ

ନନ୍ଦିଘୋଷ ବ୍ୟୁରୋ: ୧୮ ଦିନ ମହାକାଶରେ ରହିବା ପରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ପୃଥିବୀକୁ ଫେରିଛନ୍ତି । ଜୁଲାଇ ୧୫ ଅପରାହ୍ନ ୩ଟାରେ ଅନ୍ତରାଷ୍ଟ୍ରୀୟ ଅନ୍ତରିକ୍ଷ ଷ୍ଟେସନ (ଆଇସିସି)ରୁ ଫେରି ପୃଥିବୀରେ ପାଦ ରଖି ଇତିହାସ ରଚିଛନ୍ତି ଭାରତୀୟ ମହାକାଶଚାରୀ ଗ୍ରରପ୍ କ୍ୟାପଟେନ ଶୁଭାଂଶୁ । ଏହା ତାଙ୍କର ପ୍ରଥମ ଅନ୍ତରି’ ଯାତ୍ରା ଥିଲା ଯାହା ଏକ୍ସିଓମ ମିଶନ-୪ (Ax-4)ର ଏକ ଅଂଶ ଥିଲା । ଶୁଭାଂଶୁ ସ୍ପେସଏକ୍ସର ଗ୍ରେସ୍ ଯାନରେ ପୃଥିବୀକୁ ଫେରିଛନ୍ତି । ଯାହା କାଲିଫର୍ଣ୍ଣିଆ ନିକଟରେ ପ୍ରଶାନ୍ତ ମହାସାଗରରେ ଲ୍ୟାଣ୍ଡ କରିଥିଲା । ଶୁଭାଂଶୁଙ୍କ ସମେତ ୪ ଜଣ ମହାକାଶଚାରୀ ପୃଥିବୀକୁ ଫେରିଛନ୍ତି । ଏବେ ଆସନ୍ତୁ ଜାଣିବା ଏମାନେ ଫେରିବା ବେଳର ସମୟ କେମିତି ଥିଲା । ମହାକାଶରୁ ଏମାନେ ସାଙ୍ଗରେ କ’ଣ ଆଣିଛନ୍ତି ।

ସୂଚନାଯୋଗ୍ୟ, ଶୁଭାଂଶୁ ଜୁନ ୨୫ରେ ଫାଲକନ-୯ ରକେଟରେ ଯାଇ ତା’ ପରଦିନ ଆଇସିସିରେ ପହଞ୍ଚି ଥିଲେ । ଏହି ସମୟରେ ସେ ୬୦ରୁ ଅଧିକ ବୈଜ୍ଞାନିକ ପ୍ରୟୋଗ କରିଥିଲେ । ଯେଉଁଥିରେ ମାଂସପେଶୀ ହାନୀ, ମାନସିକ ସ୍ବାସ୍ଥ୍ୟ ଓ ଅନ୍ତରି’ରେ ଚାଷ ପରି ବୈଜ୍ଞାନିକ ପ୍ରୟୋଗ କରିଥିଲେ ।

ଜୁଲାଇ ୧୪ରେ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪ଟା ୪୫ରେ ଗ୍ରେସ ଯାନରେ ଆଇସିସିରୁ ଅଲଗା ହୋଇ ପୃଥିବୀ ଆଡକୁ ଅଗ୍ରସର ହୋଇଥିଲେ । ଲ୍ୟାଣ୍ଡିଂ ସମୟରେ ଗ୍ରେସ ଯାନ ଏକାଧିକ ପର୍ଯ୍ୟାୟ ଦେଇ ଗତି କରିଥିଲା ।

ଲ୍ୟାଣ୍ଠିଂର ରୋମାଞ୍ଚ

ଗ୍ରେସ ଯାନ ଲ୍ୟାଣ୍ଡିଂ ପୂର୍ବରୁ ଏକ ଜୋରଦାର ସୋନିକ ବୁମ୍ ଶୁଣିବାକୁ ମିଳିଥିଲା । ଯାହା ଏହାର କ୍ଷୀପ୍ର ଗତିର ସଙ୍କେତ ଥିଲା । ଲ୍ୟାଣ୍ଡିଂ ସମୟରେ ଯୋଗାଯୋଗ କିଛଇ ସମୟ ପାଇଁ ବନ୍ଦ ହୋଇଯାଇଥିଲା । କାରଣ ପ୍ଲାଜମା ସ୍ତର ସିଗନାଲକୁ ବ୍ଲକ କରୁଥିଲା । ହେଲେ ଉଦ୍ଧାରକାରୀ ଟିମଙ୍କ ଡଙ୍ଗା ଓ ହେଲିକପ୍ଟର ତୁରନ୍ତ ଆକ୍ଟିଭ ହୋଇଯାଇଥିଲା । ଏହାପରେ ଶୁଭାଂଶୁଙ୍କ ସମେତ ୪ ଜଣ କ୍ରୁ ମେମ୍ବର ସୁରକ୍ଷିତ ବାହାରକୁ ଆସିଥିଲେ ।

ସାଙ୍ଗରେ କ’ଣ ଆଣିଛନ୍ତି ଶୁଭାଂଶୁ

ଶୁଭାଂଶୁଙ୍କୁ ନେଇ ଫେରିଥିବା ଗ୍ରେସ ଯାନ ସାଙ୍ଗରେ ୫୮୦ ପାଉଣ୍ଡ (ପ୍ରାୟ ୨୬୩ କେଜି) ଓଜନର ସାମଗ୍ରୀ ଆଣିଛନ୍ତି । ଏଥିରେ ନାଶର ହାର୍ଡଓ୍ବେର, ପ୍ରୟୋଗ ଡାଟା, ଓ ଆଇସିସିରୁ କିଛି ଅଳିଆ ରହିଛି । ତେବେ ଶୁଭାଂଶୁ ସାଙ୍ଗରେ ଆଣିଥିବା ଅନ୍ତରିକ୍ଷ ଡାଟା ମାନବ ଜୀବନ ଓ ବିଜ୍ଞାନକୁ ବୁଝିବାକୁ ସହାୟକ ହେବ । ଏହି ଗସ୍ତ ସମୟରେ ଶୁଭାଂଶୁ ତ୍ରିରଙ୍ଗା ଓ ତାଙ୍କ ପୁଅର ଖେଳନା ହଂସକୁ ସାଙ୍ଗରେ ନେଇଥିଲେ ।

ଅବତରଣ ପରେ ଶୁଭାଂଶୁ ଓ ତାଙ୍କ ସହଯୋଗୀଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଛି । ଏମାନେ ପ୍ରାୟ ୧୦ ଦିନ କ୍ବାରେଣ୍ଟାଇନରେ ରହିବେ । ଏହି ସମୟରେ ତାଙ୍କ ଉପରୁ ଅନ୍ତରିକ୍ଷ ପ୍ରଭାବ କମିବ । ଏହି ସମୟରେ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯିବ । ଏହା ଭାରତ ପାଇଁ ଏକ ମାଇଲ ଖୁଣ୍ଟ ପରି । ଯାହା ଗଗନଯାନ ଏବଂ ଭବିଷ୍ୟତର ଅନ୍ତରିକ୍ଷ ଅଭିଯାନ ପାଇଁ ପ୍ରେରଣା ଦେବ । ଏହି ଅବସରରେ ଶୁଭାଂଶୁ କହିଛନ୍ତି, ଅନ୍ତରିକ୍ଷରେ ଭାରତର ପତାକା ଉଠାଇବା ଗର୍ବର ବିଷୟ । ଏହା ନୂଆ ଆରମ୍ଭର ପ୍ରସ୍ତୁତି ।

ନ୍ୟାୟ ପାଇବା ପାଇଁ ଲଢି ଲଢି ଶେଷରେ ଆଖି ବୁଜିଲେ ସୌମ୍ୟାଶ୍ରୀ

ନନ୍ଦିଘୋଷ ବ୍ୟୁରୋ : ଶେଷରେ ଆଖି ବୁଜିଲେ ବାଲେଶ୍ୱର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଆତ୍ମାହୁତି ଉଦ୍ୟମ କରି ଜଳି ଯାଇଥିବା ଛାତ୍ରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଶନିବାର ଦିନ ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ଜଳିଯାଇଥିଲା । ୮ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ । ମାତ୍ର ବଞ୍ଚାଇ ପାରିନାହାନ୍ତି । ଗତ ରାତି ୧୧ଟା ୪୬ରେ ତାଙ୍କର ମୃତ୍ୟୁ ହୋଇଥିବା ଏମସ୍ ପକ୍ଷରୁ ଘୋଷଣା କରାଯାଇଛି । ନ୍ୟାୟ ଭିକ୍ଷା କରି ହାରି ଯାଇଛନ୍ତି ସେଇ ହତଭାଗିନୀ ଝିଅ ।

ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁରେ ପୋଡ଼ି ହୋଇଥିବା ଛାତ୍ରୀଙ୍କୁ ୧୨ ତାରିଖରେ ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ଏବଂ ପରେ ଏମସ୍ ହସ୍ପିଟାଲ୍ ଅଣାଯାଇଥିଲା । ସେତେବେଳକୁ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା । ଏମସ୍ ଡାକ୍ତରମାନେ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରିଥିଲେ । ମାତ୍ର ଅବସ୍ଥାରେ ସୁଧାର ଆସି ନ ଥିଲା । ତାଙ୍କର ଶରୀରର ଉପର ଭାଗ ୯୫ ପ୍ରତିଶତ ପୋଡ଼ିଥିଲା ବେଳେ ଭିତରେ ୭୦ ଭାଗ ଗଭୀର ପୋଡ଼ି ଯାଇଥିଲା । କିଡନୀ, ଲଙ୍ଗସ୍, ଶ୍ୱାସନଳୀ ଆଦି ଗୁରୁତର ପ୍ରଭାବିତ ହୋଇଥିଲା । ଅବସ୍ଥା ଏଭଳି ଥିଲା ଯେ ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରିବା ସମ୍ଭବପର ନ ଥିଲା ।

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଯୋଜନାବଦ୍ଧ ଭାବେ ଘୋଷଣା କରାଯାଇଛି । ସୋମବାର ରାତି ୧୧ଟା ୪୬ ରେ ହୋଇଛି ବୋଲି ଏମସ୍ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଏହାକୁ ସାର୍ବଜନୀନ କରାଯାଇ ନ ଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାତି ୧ଟା ୧ ମିନିଟ୍ ରେ ତାଙ୍କ ଏକ୍ସ ହାଣ୍ଡଲରେ ପ୍ରଥମେ ଏହି ମୃତ୍ୟୁ ଖବର ଦେଇଥିଲେ । ଗୋଟେ ମିନିଟ୍ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଏକ୍ସ ହାଣ୍ଡଲରେ ସୂଚନା ଦେଇଥିଲେ । ସେତେବେଳକୁ ମୃତ ଶରୀରର ବ୍ୟବଚ୍ଛେଦ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ରାତି ଅଧରେ ଶବ ବ୍ୟବଚ୍ଛେଦ ପାଇଁ ନିଷ୍ପତ୍ତି ନିଆ ସରିଥିଲା । ତେବେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ମୃତଦେହକୁ ପଛ ଗେଟ୍ ଦେଇ ବ୍ୟବଚ୍ଛେଦ ଗୃହକୁ ନିଆଯାଇଥିଲା ।
ରାତି ଅଧରେ ପୋଷ୍ଟମର୍ଟମକୁ ନେଇ ହସ୍ପିଟାଲ୍ ପରିସରରେ ପ୍ରବଳ ହଙ୍ଗାମା ହୋଇଛି । ଲୁଚାଇ ଛପାଇ ରାତି ଅଧରେ ଶବ ବ୍ୟବଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ବିରୋଧ କରି ବିଜେଡି ଏବଂ କଂଗ୍ରେସର ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଥିଲେ । ଶବ ବ୍ୟବଚ୍ଛେଦ ଗୃହ ଆଗରେ ସେମାନଙ୍କର ବିକ୍ଷୋଭ କରିବା ସହ ଧାରଣାରେ ବସିରହିଥିଲେ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଏମସକୁ ପୁଲିସ ଛାଉଣି କରାଯାଇଥିଲା । ନିଜେ ଡିସିପି ଜଗମୋହନ ମୀନା ସେଠାରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ ।

ସୋମବାର ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମସ୍ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ସହ ତାଙ୍କ ପରିବାରକୁ ଭେଟିଥିଲେ । ତେବେ ରାତି ୧୧ଟା ପରେ ନାଟକୀୟ ଘଟଣାକ୍ରମ ଦେଖିବାକୁ ମିଳିଲା । ସମଗ୍ର କ୍ୟାମ୍ପସ୍ ପୁଲିସ ଛାଉଣି ହୋଇଯାଇଥିଲା । ମୃତକଙ୍କ ପରିବାରକୁ ସ୍ୱତନ୍ତ୍ର ବ୍ୟବସ୍ଥାରେ ସେଠାରେ ରଖାଯାଇଥିଲା । କିଛି ବିଜେପି ନେତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ ପ୍ରମୁଖ ସେଠାରେ ପହଞ୍ଚି ଏମସ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ। ସୌମ୍ୟଶ୍ରୀ ମୃତ୍ୟୁ ପଛରେ ରହିଛି ଅନେକ ରହସ୍ୟ । ତାକୁ ଚପେଇ ଦେବାକୁ ଚକ୍ରାନ୍ତ ହେଉଛି ।

ଲର୍ଡସରେ ଲଢ଼େଇ କରି ହାରିଲା ଭାରତ: ଟେଷ୍ଟ ସିରିଜରେ ୨-୧ରେ ଇଂଲଣ୍ଡ ଆଗୁଆ

ଲର୍ଡସରେ ଲଢ଼େଇ କରି ପରାଜୟବରଣ କରିଛି ଭାରତ । ଏହାଫଳରେ ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ରବିନ୍ଦ୍ର ଜାଡେଜା ଲଢ଼ୁଆ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ହେଁ ଶେଷରେ ଭାରତ ୨୨ ରନରେ ପରାଜିତ ହୋଇଥିଲା । ଏହି ମ୍ୟାଚରେ ଦୁଇ ଟିମର ଖେଳାଳିଙ୍କ ମଧ୍ୟରେ ବେଶ୍ ସଂଘର୍ଷ ଦେଖିବାକୁ ମିଳିଥିଲା । ମାତ୍ର ଶେଷରେ ଇଂଲଣ୍ଡ ବାଜି ମାରିନେଇଥିଲା । ଭାରତ ପାଇଁ ଜିତିବାର ଏକ ଭଲ ସୁଯୋଗ ରହିଥିଲେ ହେଁ ତାହା ହାତଛଡ଼ା କରିଥିଲା । ଏହି ମ୍ୟାଚ ହାରିବା ସହ ଭାରତ ସିରିଜରେ ପଛୁଆ ହୋଇ ଯାଇଛି । ସିରିଜରେ ଜିତିବାକୁ ହେଲେ ଭାରତକୁ ପରବର୍ତ୍ତୀ ୨ଟି ଯାକ ଟେଷ୍ଟ ଜିତିବାକୁ ପଡ଼ିବ । ଜାଡେଜା ୧୮୧ଟି ବଲ ଖେଳି ୬୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ବିଜେଡି ଟିମ୍

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ବିଜେଡି ଟିମ୍। ରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡିର ୩ ଜଣିଆ ଟିମ୍। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ବରେ ଭେଟିଛନ୍ତି ଟିମ୍। ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ନିର୍ଯାତନା ଘଟଣାକୁ ନେଇ ବିଜେଡି ଟିମ ରାଷ୍ଟ୍ରପତିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏଥିସହ ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାର ପ୍ରମାଣ ଦେଇଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବିଜେଡି ଟିମ୍।

କମୁନି ହଇଜାର ଭୟାବହତା: ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ସାଙ୍ଗକୁ ରିପୋର୍ଟ ବଢ଼ାଇଲା ଚିନ୍ତା

ଭୁବନେଶ୍ବର: କମୁନି ହଇଜାର ଭୟାବହତା । କଲେରାରେ ଲୋକଙ୍କ ଜୀବନ ଗଲା । କଣାସକୁ ପୁଣି କଡ଼ ଲେଉଟେଇଲା ହଇଜା । ରାଜ୍ୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ଅଡ଼ୁଆ ସାଜିଛି ଜୁଲାଇ ପ୍ରଥମ ସପ୍ତାହର ରିପୋର୍ଟ । ଜୁଲାଇ ଏକରୁ ୭ ଭିତରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ରୋଗ କାୟାବିସ୍ତାର କଲାଣି । ଏହି ୭ ଦିନରେ ୬ ଚିକେନ ପକ୍ସ, ୫୦୭ ଡେଙ୍ଗୁ, ଗୋଟିଏ ଡିପଥେରିଆ, ୮ଟି ଲେପ୍ଟୋସ୍ପାଇରାସିସ୍, ୬ ମିଳିମିଳା, ଦୁଇ ମେନିଙ୍ଗିଟାଇସ୍ ଓ ୮୯୦ ଟାଇଫଏଡ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେପଟେ ବର୍ଷା ସହ ମଶା ବଂଶ ବୃଦ୍ଧି ବି ହେଲାଣି । ୬୨୦୦ ମ୍ୟାଲେରିଆ ରୋଗୀ ଥିବା ବି ରିପୋର୍ଟ ହୋଇଛି । ବିଲକୁ ବିପଦ ଆହୁରି ବଢିଲାଣି । କାରଣ ୭ ଦିନରେ ୯୦ ଜଣ ସ୍କ୍ରବ ଟାଇଫସ୍ ରୋଗୀ ବି ଚିହ୍ନଟ ହୋଇଛନ୍ତି । ବାକି ୭୪ ଜଣ ଅଚିହ୍ନା ରୋଗରେ ପୀଡ଼ିତ ଥିବାରୁ ସେମାନଙ୍କ କାରଣ ଖୋଜୁଛି ସ୍ବାସ୍ଥ୍ୟ ବିଭାଗ । ୭ ଦିନରେ ବିପଦ ଟଳିବା ବଦଳରେ ବଢୁଛି । ଏହା ସମୟରେ ଡାଇରିଆ ରୋଗୀଙ୍କ ସଂଖ୍ୟା ୧୧ ହଜାର ୧୮୦ରେ ପହଞ୍ଚିଥିଲା । ଏଥିପାଇଁ କଟକ, ପୁରୀ ଓ ମୟୂରଭଞ୍ଜ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି । ଯାଜପୁରରେ ବି ସଂଖ୍ୟା କମୁନି ।

ଜୁଲାଇ ଆରମ୍ଭରୁ ହିଁ ଘର ଘରେ ଥଣ୍ଡା ଜ୍ବର କାଶ କମିବାର ନାଁ ନେଉନି । ପିଲାମାନଙ୍କ ଭିତରେ ବର୍ଷା ଦିନିଆ ରୋଗ ଦାନା ବାନ୍ଧିଛି । ୪୮୧୭ ଜଣ ୫ ବର୍ଷରୁ କମ୍ ପିଲାଙ୍କୁ ୭ ଦିନରୁ କମ୍ ଦିନ ଧରି ଜ୍ବର ଥିବାବେଳେ ୩୦ ହଜାର ୮୫୫ ଜଣଙ୍କୁ ୭ ଦିନ ହେବ ଜ୍ବର ଛାଡ଼ିନି । ସେହପରି ଗତ ଦୁଇ ସପ୍ତାହରୁ ୧୩୧୪ ପିଲାଙ୍କୁ କାଶ ସହ ଜ୍ବର ଲାଗି ରହିଥିବାବେଳେ ୨୬୪୭ ଜଣଙ୍କ କାଶ ବନ୍ଦ ହେଉନି । ୧୫୮୪ ଜଣ ପିଲାଙ୍କ ଝାଡ଼ା ଲାଗି ରହିଥିଲା । ଦିନେ ଦୁଇ ଦିନ ଭିତରେ ଜୁଲାଇ ଦ୍ବିତୀୟ ସପ୍ତାହର ସ୍ବାସ୍ଥ୍ୟ ରିପୋର୍ଟ ଆସିପାରେ । ବର୍ଷା ବଢିବା ସହ ସଂକ୍ରମଣ ବଢୁଛି । ହେଲେ କୋଭିଡ ପରେ ପ୍ରତିଷେଧକ ଶକ୍ତି କମି ଯାଇଥିବାରୁ, ଲୋକଙ୍କ ଭିତରେ ଆଶଂକା ବଢିବାରେ ଲାଗିଛି ।

ଗାଁରୁ ସହର ଝାଡ଼ାବାନ୍ତି ବ୍ୟାପିବା ପରେ ଏବେ ଶିକ୍ଷାନୁଷ୍ଠାନ ବି ଏଥିରୁ ବାଦ ପଡିନି

ଭୁବନେଶ୍ବର: ରାଜ୍ୟରେ ମାଡି ଚାଲିଛି ଝାଡ଼ାବାନ୍ତି। ଗାଁରୁ ସହର ବ୍ୟାପିବା ପରେ ଏବେ ଶିକ୍ଷାନୁଷ୍ଠାନ ବି ଏଥିରୁ ବାଦ ପଡିନି। ଯାହାକୁ ନେଇ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିରୋଧୀ। ପଞ୍ଚଦଶ ଅର୍ଥ କମିଶନ ଅର୍ଥ ଦେଲା, ଜଳ ଜୀବନ ମିଶନରେ ଅର୍ଥ ଆସିଲା। ତେଣୁ ସବୁ ପରିବାର ଟ୍ୟାପ ଜଳ ପାଇବା କଥା।କିନ୍ତୁ ବର୍ଷେରୁ ଅଧିକ ସମୟ ସରକାରଙ୍କୁ ବିତିଲା ହେଲେ ଲୋକେ ବିଶୁଦ୍ଧ ପାଣି ଟିକିଏ ପାଇଲେନି। ଜଳ ଜୀବନ ମିଶନ କରୁଛି କଣ ବୋଲି ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ଏଥିଲାଗି ଯୋଜନା କରିବା ଦରକାର। କଣାସ ପ୍ରସଙ୍ଗରୁ କିଛି ଶିଖିଲେନି ସରକାର। ସଚେତନତା କି ଜଳ ଯୋଗାଣ ଦୃଷ୍ଟିରୁ କେଉଁଥିରେ ବି ସଫଳ ହେଲେନି। ଯାହା ଫଳରେ ଲୋକେ ମଲେ। ଯେତେ ଲୋକଙ୍କ ମୃତ୍ୟୁ ହେବ ସେଥିଲାଗି ସରକାର ଦାୟୀ ରହିବେ। ଏତେ ସବୁ ପରେ ବି ସରକାରଙ୍କ ନିଦ ଭାଙ୍ଗୁନି ବୋଲି ଅଭିଯୋଗ ହୋଇଛି ।

ସେପଟେ କେବଳ ଦୂଷିତ ଜଳ ନୁହେଁ ଖାଦ୍ୟ ଯୋଗୁଁ ମଧ୍ୟ ରାଜ୍ୟରେ ହଇଜା ବ୍ୟାପୁଛି। ଅର୍ଥ ଲାଳସାରେ ସରକାର ମନଇଚ୍ଛା ଫୁଡ଼ ଲାଇସେନ୍ସ ଦେଉଛନ୍ତି। ଏଥିପାଇଁ ସରକାର ହିଁ ଦାୟୀ ବୋଲି ଅଭିଯୋଗ ଆଣିଛି ବ୍ୟବସାୟୀ ମହାସଂଘ। ଯେଉଁ ଅଧିକାରୀ ଲାଇସେନ୍ସ ଦେଉଛନ୍ତି ସେମାନେ କରୁଛନ୍ତି କଣ ବୋଲି ପ୍ରଶ୍ନ କରିଛି ମହାସଂଘ। କେବଳ ସରକାର ଟଙ୍କା ଆଦାୟରେ ମାତିଛନ୍ତି। ଖାଦ୍ୟପେୟର ମାନ ଯାଞ୍ଚ ହେଉନି। ସବୁକ୍ଷେତ୍ରରେ ରାଜ୍ୟର ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଅସୁରକ୍ଷିତ ଥିବା ଅଭିଯୋଗ ଆଣିଛି ନାଗରିକ ସୁରକ୍ଷା ମଞ୍ଚ। କେତେବେଳେ ଯୌନ ଶୋଷଣ ତ ଆଉ କେତେବେଳେ ଦୁଷ୍କର୍ମ ଭଳି ଘଟଣା ଘଟୁଛି। ସରକାର ଉପରେ ଭରସା ନକରି ନିଜ ସୁରକ୍ଷା ନିଜେ ନିଅ ବୋଲି କହିଛି ମଞ୍ଚ। ସରକାରକୁ ଯେତେ ଶୀଘ୍ର ସମ୍ଭବ କ୍ଷମତାରୁ କାଢ଼ିବା ଆବଶ୍ୟକ । ହଇଜା ଶବ୍ଦ ଅନେକ ଦଶନ୍ଧୀ ଧରି ଲୋପ ପାଇଥିବାବେଳେ ଏବେ ରାଜ୍ୟବ୍ୟାପି ସବୁଆଡେ ହଇଜା ବ୍ୟାପିବା ସହ ଲୋକଙ୍କ ଜୀବନ ନେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା: ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ କଲା ବିଜେଡି

ଭୁବନେଶ୍ବର: ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା । ଛାତ୍ରୀଙ୍କ ଆଶୁ ଆରଗ୍ୟ କାମନା କରି ଦୀପଦାନ କଲା ବିଜେଡି । କାର୍ଯ୍ୟକ୍ରମରେ ବିଜେଡି ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ରାମ ମନ୍ଦିରରେ ଦୀପଦାନ କରିଛନ୍ତି ବିଜେଡି ନେତା ।

ବିଜେପି ସରକାରରେ ବଢିଛି ନାରୀ ନିର୍ଯାତନା: ଅସୁରକ୍ଷିତ ଜନତା, ବଢୁଛି ଜନ ଅସନ୍ତୋଷ

ଭୁବନେଶ୍ବର: ତେର ମାସରେ ବିଜେପି ସରକାର । ବଢିଛି ନାରୀ ନିର୍ଯାତନା, ଅସୁରକ୍ଷିତ ଜନତା । ନ୍ୟାୟରୁ ବଂଚିତ ଚାଷୀ, ଦଳିତ, ଆଦିବାସୀ ଓ ପଛୁଆ ବର୍ଗ । ବଢୁଛି ଜନ ଅସନ୍ତୋଷ ରାସ୍ତାରେ ବିରୋଧୀଙ୍କ ଗର୍ଜନ । ଏମିତି କୋଉ ଦିନ ନାହିଁ ଯେଉଁଦିନ ନାରୀ ନିର୍ଯାତନାର ଖବର ପଦାକୁ ଆସିନାହିଁ । ଗତ ୧୩ ମାସ ମଧ୍ୟରେ ଶାନ୍ତିପ୍ରିୟ ଓଡିଶାରେ ଅଶାନ୍ତିର ବାତାବରଣ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଅସୁରକ୍ଷିତ ଶିଶୁ ଓ ମହିଳା । ଶାସନ ବ୍ୟବସ୍ଥା ଢିଲା ଯୋଗୁଁ ରାଜ୍ୟରେ ବଢିବଢି ଚାଲିଛି ଅରାଜକତା । ବିଜେପି ସରକାର ଆସିବା ପରେ ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ ମାରିବା ଠାରୁ ଆରମ୍ଭ କରି ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ନ୍ୟାୟ ପାଇଁ ଦେହରେ ନିଆଁ ଲଗାଇ ଆତ୍ମାହୁତି ଦେବା ଘଟଣା ଓଡିଶା ଶାସନ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏପରି ସ୍ଥିତିରେ ମହାମହିମ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କଥା କେହି ଶୁଣୁନାହାନ୍ତି । ଦିନକୁ ୧୫ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି । ବାଲେଶ୍ବର ପୀଡି଼ତା ସମସ୍ତଙ୍କୁ ଗୁହାରୀ କରିବା ପରେ ବି ନ୍ୟାୟ ମିଳିଲାନି । ସରକାରରେ ଶାସନ ବ୍ୟବସ୍ଥା କେତେ ଫଳପ୍ରଦ ତାହା ଏହି କେସରୁ ଜଣାପଡିଯାଇଛି । ବଡ ଠାକୁର ପଡିଯିବା ସହ ବିଭିନ୍ନ ଘଟଣାରେ ସରକାର ତଦନ୍ତ ରିପୋର୍ଟ କୁଆଡେ ଗଲା ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି । ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ ଓଡିଶାରେ ସରକାର ଅଛି ବୋଲି କେହି ଅନୁଭବ କରିପାରୁନାହାନ୍ତି ।

ବିଜେପି ସରକାର ଗଠନରେ ରାଜ୍ୟପାଳ ପୁଅ ଏଏସଓଙ୍କୁ ମାଡ ମାରିବା, ମାଣ୍ଡିପଙ୍କା ଗାଁରେ ଖାଦ୍ୟ ନପାଇ ଲୋକେ ଆମ୍ବ ଟାକୁଆ ଖାଇବା, ଧରାକୋଟରେ ଦଳିତଙ୍କ ବ୍ୟକ୍ତିଙ୍କୁ ନର୍ଦ୍ଦମା ପାଣି ପିଆଇ ରାସ୍ତାରେ ଆଣ୍ଠେଇ ଚଲାଇବା, ରାୟଗଡାରେ ପ୍ରେମୀ ଯୁଗଳଙ୍କୁ ବିଲରେ ହଳ କରାଇବା, ବିଏମସି ଅଫିସରେ ପଶି ସରକାରୀ ଅଧିକାରୀଙ୍କୁ ମାଡ ମାରିବା, ବିରୋଧୀ ନେତ୍ରୀଙ୍କୁ ବିଜେପି ବିଧାୟକ ଦେହଜୀବୀ କହିବା ପରି ବହୁ ପ୍ରସଙ୍ଗ ଓଡିଶାକୁ ଭାରତବର୍ଷରେ ଲଜ୍ଜିତ କରିଛି । ଏ ସବୁ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରିଛି । ନବୀନଙ୍କ ଶାସନରେ ଲୋକେ ଶାନ୍ତିରେ ଥିଲେ ।

ବିଜେପି ଯଦି ଶାସନ ବ୍ୟବସ୍ଥା ସମ୍ଭାଳି ପାରୁନି ଓ ଲୋକଙ୍କ ନ୍ୟାୟ ଦେଇପାରୁନି ତେବେ ଗାଦି ଛାଡନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ । ସେପଟେ ନବ ନିର୍ମାଣ କୃଷକ ସଂଘ ମଧ୍ୟ ୧୩ ମାସରେ ବିଜେପି ସରକାର ବର୍ଷ ଏକ ଉପଲବ୍ଧି ଅନେକ ପ୍ରଚାରକୁ କଟାକ୍ଷ କରିଛି । ବିଜେପିର ଉପଲବ୍ଧି କଣ ତାହା ଲୋକେ ଦେଖୁଛନ୍ତି ବୋଲି ନବ ନିର୍ମାଣ କୃଷକ ସଂଘ କହିଛି । ରାଜନୈତିକ ସମୀକ୍ଷକ କହିଛନ୍ତି ୧୩ମାସରେ ଅଧାଗଢା ସରକାର ରହିଛି । ମନ୍ତ୍ରିମଣ୍ଡଳରେ ୬ ମନ୍ତ୍ରୀପଦ ଖାଲିପଡିଥିବା ବେଳେ ଏଯାଏ ନିଗମ ବଣ୍ଟନ ବି କରିପାରୁନାହାନ୍ତି ସରକାର । ଦିଲ୍ଲୀରୁ ଫେରିବା ଦିନ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଠିକ ସମୟରେ ମନ୍ତ୍ରିମଣ୍ଡଳ ଓ ନିଗମ କଥା ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ୧୩ମାସ ପରେ ବିଜେପି ସରକାର ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛି । ବଦଳରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଦେବା ସହ ଚାଷୀ ଓ ଗରିବଗୁରୁବାଙ୍କ ପ୍ରତି ସରକାର ଆଖି ବୁଜିଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

ବୋଲବମ ଧ୍ବନିରେ କମ୍ପିଲା ଶୈବପୀଠ: ଶ୍ରାବଣର ପ୍ରଥମ ସୋମବାର ଦିନ ଜଳଲାଗି କଲେ କାଉଡ଼ିଆ

ବୋଲବମ ଧ୍ବନିରେ କମ୍ପିଲା ଶୈବପୀଠ । ଶ୍ରାବଣର ପ୍ରଥମ ସୋମବାର ଦିନ ଜଳଲାଗି କଲେ କାଉଡ଼ିଆ । ଏଥିପାଇଁ ଶିବମୟ ହୋଇଛି ଶ୍ରୀକ୍ଷେତ୍ର । ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ପୁରୀର ବାବା ଲୋକନାଥଙ୍କ ପୀଠର ଜଳଲାଗି କରିଛନ୍ତି ହଜାର ହଚାର କାଉଡ଼ିଆ । ମାନସିକ ରଖି ଦୂର ଦୂରାନ୍ତରୁ ଛୁଟି ଆସିଥିଲେ କାଉଡ଼ିଆ । କାନ୍ଧରେ ବାହୁଙ୍ଗୀ ଧରି ରାତିରୁ ମନ୍ଦିର ପରିସରରେ ଲଗାଇଥିଲେ ଲମ୍ବା ଧାଡ଼ି । ବର୍ଷସାରା ଯିଏ ଜଳରେ ବୁଡି ରହିଥାନ୍ତି, ସେହି ଲୋକନାଥ ବାବାଙ୍କ ପୀଠରେ ଜଳଲାଗି କରି ଆନନ୍ଦିତ ହୋଇଛନ୍ତି ଶ୍ରଦ୍ଧାଳୁ ।

ଜଳଲାଗି ପାଇଁ ରବିବାର ଅପରାହ୍ନରୁ ଆରମ୍ଭ ହୋଇଥିଲା ଟିକେଟ ବିକ୍ରି । ରାତି ୧୨ଟା ୧୫ ରୁ ମଙ୍ଗଳ ଆଳତି ସରିବା ପରେ ମଇଲମ ଅବକାଶ ହୋଇ ରାତି ୧୨ଟା ୩୦ରୁ ଆରମ୍ଭ ହୋଇଥିଲା ଜଳଲାଗି । ମନ୍ଦିର ପରିସର ଟିକେଟ କାଉଣ୍ଟରରୁ ୩0 ଟଙ୍କାର ଟିକେଟ ନେଇ ଧାଡ଼ିବାନ୍ଧି ଯାଇଥିଲେ କାଉଡ଼ିଆ । ବ୍ୟାରିକେଡରେ ଯାଇ ରୋଷଘର ପଛପାର୍ଶ୍ଵ ପଟୁ ମନ୍ଦିର ପ୍ରବେଶ କରିବା ସହ ଲକ୍ଷ୍ମୀ ଦ୍ୱାର ନିକଟରେ ଜଳଲାଗି କରି ଫେରିଥିଲେ । ସୁରକ୍ଷା ବ୍ୟବସ୍ଥା ସହ ପ୍ରାୟ ୨ ହଜାର କାଉଡ଼ିଆଙ୍କ ପାଇଁ ଅସ୍ଥାୟୀ ସେଡ, ପାନୀୟ ଜଳ ଆଦି ବ୍ୟବସ୍ଥା କରିଥିଲା ପ୍ରଶାସନ । ଆସନ୍ତା ସୋମବାରରେ ଆହୁରି ଭିଡ଼ ହେବା ସମ୍ଭବାନ ଥିବାରୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଚାଷୀଙ୍କୁ ଘାରିଛି ସାର ଚିନ୍ତା: ସରକାରୀ କେନ୍ଦ୍ରରେ ମିଳୁନି ସାର

ଚାଷୀଙ୍କୁ ଘାରିଛି ସାର ଚିନ୍ତା । ସରକାରୀ କେନ୍ଦ୍ରରେ ମିଳୁନି ସାର । ତଳି ପକାଇ ଚାହିଁ ବସିଛନ୍ତି ଚାଷୀକୂଳ । ମାତିଛନ୍ତି ସାର କରବଜାରୀ । ଜିଲ୍ଲା କୃଷି ଅଧିକାରୀଙ୍କୁ ଘେରିଲେ ଚାଷୀ । ଚଳିତ ବର୍ଷ ବର୍ଷା ଭଲ ହୋଇଥିବାରୁ ଚାଷୀ ମୁହଁରେ ହସ ଫୁଟିଛି । କାହାର ତଳି ସଂଗ୍ରହ ଚାଲିଥିବାବେଳେ କିଏ ବିଲରେ ତଳି ରୋଇବା ଆରମ୍ଭ କଲେଣି । ହେଲେ ସାର ନ ମିଳିବାରୁ ପଡିଛି ଚଡ଼କ । ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କୃଷି ଅଧିକାରୀଙ୍କୁ ଘେରାଉ କରିଥିଲେ ଚାଷୀ । ବାହାର ଦୋକାନରେ ସାର ମିଳୁଥିବାବେଳେ ସରକାରୀ କେନ୍ଦ୍ରକୁ କାହିଁକି ଆସିନି ବୋଲି ପ୍ରଶ୍ନ କରିଛନ୍ତି । ଅଧିକ ଲାଭ ପାଇବା ଆଶାରେ ସାର ବାଟମାରଣ କରାଯାଉଥିବା ଅଭିଯୋଗ କରିଛି ଚାଷୀ ସଂଗଠନ ।

ଜିଲ୍ଲାରେ ୨୪ହଜାର ମେଟ୍ରିକ ଟନ ୟୁରିଆ ସାର ଆବଶ୍ୟକ ରହିଥିବାବେଳେ ଏ ପର୍ଯ୍ୟନ୍ତ କେବଳ ୧୧ ହଜାର ମେଟ୍ରିକ ଟନ ଆସିଛି । ସେପଟେ ଜିଲ୍ଲାରେ DAP ସାର ୧୧ ହଜାର ମେଟ୍ରିକ ଟନ ଆବଶ୍ୟକ ରହିଥିବାବେଳେ ଆସିଛି ମାତ୍ର ୩୫୮୨ ମେଟ୍ରିକ ଟନ । ସାର ମିଳୁ ନଥିବାରୁ ଚାଲିଛି କଳାବଜାରୀ । ଚାଷୀଙ୍କ ଆବଶ୍ଯକତାକୁ ଦେଖି ଚଢା ଦରରେ ବିକ୍ରି କରୁଛନ୍ତି ଦୋକାନୀ । ସେପଟେ କିପରି ଚାଷୀ ସାର ପାଇ ପାରିବେ ସେନେଇ ଦୃଷ୍ଟି ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ।