spot_img
Home Blog Page 6119

କେନ୍ଦ୍ରମନ୍ତ୍ରୀଙ୍କୁ ଯୁବ କଂ‌ଗ୍ରେସର କଳା ପତାକା ପ୍ରଦର୍ଶନ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳା ପତାକା ଦେଖାଇଲେ ଯୁବ କଂଗ୍ରେସ କର୍ମୀ । ତେଲ ଦର ବୃଦ୍ଧି ଓ କୃଷି ଆଇନ ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀଙ୍କୁ ଗାଡି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା ।

କେୟାର ହସ୍ପିଟାଲରେ ନିକଟରେ ୩୦ରୁ ୪୦ କଂଗ୍ରେସ କର୍ମୀ କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ଦେଖାଇଥିବା ଜଣାପଡିଛି । ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନେତୃତ୍ୱରେ ବିକ୍ଷୋଭ କରାଯାଇଥିବାବେଳେ ଆଗକୁ ପ୍ରତି ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧ କରାଯିବ ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି ।

ସ୍କୁଲକୁ ବହି ଆଣିବାକୁ ଯାଇ ଆଉ ଫେରିଲେନି ୨ ଛାତ୍ର

ପିପିଲି: ପୁଣି ଦୁଇ ସ୍କୁଲ ଛାତ୍ର ନିଖୋଜ। ପିପିଲି ଥାନା କମଳାସାଗର ପାଟଣା ଗ୍ରାମର ଦୁଇ ସ୍କୁଲ ଛାତ୍ର ନିଖୋଜ ହୋଇଛନ୍ତି। ଏନେଇ ପରିବାର ପକ୍ଷରୁ ପିପିଲି ଥାନାରେ ଅଭିଯୋଗ କରାଯାଇଛି। ଦୁଇ ଜଣ ଛାତ୍ର ହେଲେ ଗ୍ରାମର ପବିତ୍ର ଦାସଙ୍କ ପୁଅ ନିରଞ୍ଜନ ଦାସ ଓ ଅନ୍ୟ ଜଣେ କେଦାର ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ ବେହେରା। ଗତକାଲି ସକାଳୁ ଘରୁ ସାଇକେଲ ନେଇ ସ୍କୁଲକୁ ବହି ଆଣିବା ପାଇଁ ଯାଇ ଆଉ ଫେରିନାହାନ୍ତି ଦୁହେଁ।

ତେବେ ଥାନାରେ ନିଖୋଜ ସମ୍ପର୍କରେ ଅଭିଯୋଗ ପରେ ପିପିଲି ପୋଲିସର ଏକ ଟିମ ଆଖପାଖ ଅଞ୍ଚଳରେ ଖୋଜାଖୋଜି ଜାରି ରଖିଛି। ଅନ୍ୟପଟେ ଦୁଇ ଛାତ୍ର ନିଖୋଜ ସମ୍ପର୍କରେ ଖଣ୍ଡିମଙ୍ଗଳପୁର ସ୍କୁଲର ପ୍ରଧାନ ଶିକ୍ଷକ ମହେଶ୍ୱର ପ୍ରଧାନଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲା। ତେବେ ପିଲା ନିଖୋଜ ହେବା କଥା ଜାଣିଥିବା କହିଛନ୍ତି ସ୍କୁଲର ଶିକ୍ଷକ। କିନ୍ତୁ ସେମାନଙ୍କୁ ସ୍କୁଲ ପକ୍ଷରୁ ବହି ଦିଆଯିବା ନେଇ ଡକା ଯାଇନଥିଲା ବୋଲି କହିଛନ୍ତି ଶିକ୍ଷକ।

କାର ସହ ଅଟୋ ଘଷି ହୋଇଗଲା,ଡ୍ରାଇଭରକୁ ନିସ୍ତୁକ ପିଟିଲେ ମହିଳା କନଷ୍ଟେବଳ

କେନ୍ଦ୍ରାପଡ଼ା: ମହିଳା ପୋଲିସଙ୍କ ଦବଙ୍ଗଗିରି। ପୋଲିସ ବାବୁଆଣିଙ୍କ କାରରେ ଡାଲା ଅଟୋ ଘସି ହୋଇଗଲା । ଏହାପରେ କନେଷ୍ଟବଲଙ୍କ ରାଗ ପଂଚମ ହେଲା । ଆଇନ ରକ୍ଷକ ହୋଇ ଆଇନ ଭାଙ୍ଗିଲେ । ଫୈସଲ ଅନ୍ ଦ ସ୍ପଟ୍ କଲେ । ନା କୋର୍ଟ ନା କଚେରି । ରାସ୍ତା ଉପରେ ହେଲା ଶୁଣାଣି । ଗୋଡେଇ ଗୋଡେଇ ଗଲେ । ଅଟୋକୁ ଅଟକାଇଲେ । ଆଉ ବିଚ୍ ରାସ୍ତାରେ ଡ୍ରାଇଭରକୁ ନିର୍ଧୁମ ପିଟିଲେ । 

ଯାହାର ଭିଡିଓ ଭାଇରାଲ ହେବା ପରେ ମହାକାଳପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମାର୍ଶାଘାଇ ଜମ୍ବୁ ରାସ୍ତାର ଅରୁଣନଗର ଛକ ଠାରେ ଜଣେ ମହିଳା କନେଷ୍ଟବଳ ଜଣେ ଅଟୋ ଡ୍ରାଇଭରଙ୍କୁ ବିଚ୍ ରାସ୍ତା ଉପରେ ସର୍ବସାଧାରଣରେ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, କନଷ୍ଟେବଳଙ୍କ କାରକୁ ରାମନଗର ଯାଉଥିବା ଏକ ଅଟୋ ଓଭରଟେକ୍ କଲା ବେଳେ ସାମାନ୍ୟ ଘସି ଦେଇଥିଲା। ଫଳରେ ମହିଳା କନେଷ୍ଟବଳ ରାଗିଯାଇ ଅଟୋ ପିଛା କରିଥିଲେ। ଅଟୋ ଚାଳକ ହେଉଛନ୍ତି ରାମନଗର ଅଞ୍ଚଳର ବିଶ୍ୱଜିତ ମିତ୍ର। ଅଟୋକୁ ରାସ୍ତା ଉପରେ ଅଟକାଇବା ପରେ ରାସ୍ତା ରେ ମାଡ ମାରିଥିଲେ ମହିଳା କନଷ୍ଟେବଳ। ଅଟୋ ଡ୍ରାଇଭର ବିଶ୍ୱଜିତ ଏନେଇ ମହିଳା କନଷ୍ଟେବଳଙ୍କ ବିରୋଧରେ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପାଣି ପମ୍ପ୍ ଚୋରି କରି ଧରା ପଡ଼ିଲେ, ବିଜୁଳି ଖୁଣ୍ଟରେ ବାନ୍ଧା ହୋଇ ଛେଚା ଖାଇଲେ

ଜଳେଶ୍ୱର: ଚୋରି ଅଭିଯୋଗରେ ଯୁବକଙ୍କୁ ବିଜୁଳି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼। ଚୋରି କରୁଥିବା ସମୟରେ ଧରା ପଡ଼ିବା ପରେ ମାରିଲେ ଗ୍ରାମବାସୀ। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଖଗଡାପାଳ ଗାଁରେ ଘଟିଛି ଏଭଳି ଘଟଣା। ଗତକାଲି ପାହନ୍ତା ୪ଟାରେ ଗାଁର ଜଣେ ଲୋକଙ୍କ ଘରୁ ପାଣି ଉଠା ମଟର ଚୋରୀ କରୁଥିଲେ ସ୍ଥାନୀୟ ଯୁବକ।

ଏହି ସମୟରେ ଘର ଲୋକେ ଚୋରି କରୁଥିବା ଯୁବକକୁ ଧରି ଏକ ବିଜୁଳି ଖୁଣ୍ଟରେ ବାନ୍ଧି ଦେଇଥିଲେ। ଖୁଣ୍ଟରେ ବାନ୍ଧିବା ପରେ ଗାଁ ଲୋକ ନିର୍ଦ୍ଧୁମ ପିଟିଥିଲେ ଚୋରକୁ। ତେବେ ଏହି ପୂର୍ବରୁ ଗାଁରେ କିଛି ଦିନ ହେବା ଚୋରି ବଢ଼ିବାକୁ ଲାଗିଥିଲା। ଏହି ଚୋର ଚୋରି କରୁଥିବା ସନ୍ଦେହରେ ଲୋକେ ଯୁବକଙ୍କୁ ବିଜୁଳି ଖୁଣ୍ଟରେ ବାନ୍ଧି ମାଡ଼ ମାରିଛନ୍ତି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନି।

ଭାରତ ଭୂଇଁରେ ରାଷ୍ଟ୍ରପୁରୁଷ, ବେଦାନ୍ତର ବିଶ୍ୱ ପ୍ରସିଦ୍ଧ ବିବେକାନନ୍ଦ

ସେଦିନର ସେ ସୂର୍ଯ୍ୟଦୋୟ ଥିଲା ଅଦ୍ଭୁତ । ସକାଳର ପହିଲି କିରଣ ସତେ ଯେମିତି ବିଶ୍ୱକୁ ବାର୍ତ୍ତା ଦେବା ଅପେକ୍ଷାରେ ବସି ରହିଥାଏ । ପ୍ରକୃତିସ୍ଥ ପୁରପଲ୍ଲୀ ମଧ୍ୟ ନବ ସମ୍ବାଦକୁ ଶୁଣିବା ପାଇଁ ଆତୁର ହୋଇ ଉଠୁଥାଏ । କାରଣ ୧୮୬୩ ମସିହା ଆଜିର ଦିନରେ ଭାରତ ଭୂଖଣ୍ଡରେ ଜନ୍ମ ନେବାକୁ ଯାଉଥିବା ସେ ସନ୍ତାନ ଥିଲେ ଅଦ୍ୱିତୀୟ ରାଷ୍ଟ୍ରପୁରୁଷ ନରେନ୍ଦ୍ରନାଥ ଦତ୍ତ । ଏହି ନବଜାତକ ପରବର୍ତ୍ତୀ କାଳରେ ସାଜିଥିଲେ ବିଶ୍ୱବରେଣ୍ୟ ଯୁଗାଚାର୍ଯ୍ୟ ସ୍ୱାମୀ ବିବେକାନନ୍ଦ । ଯିଏ କହିଥିଲେ, ‘ମୁଁ ଜାଣେ, ଯେଉଁ ଜାତି ସୀତାଙ୍କୁ ସୃଷ୍ଟି କରିଛି, ଯଦି ସେହି ସୃଷ୍ଟି କାଳ୍ପନିକ ହୁଏ ତଥାପି ସେହି ଜାତିର ନାରୀ ପ୍ରତି ଶ୍ରଦ୍ଧା ପୃଥିବୀରେ ଅତୁଳନୀୟ ’।

ଅଭାବର ଅନ୍ଧାରୀ କୋଠରୀ ଭିତରେ ମଧ୍ୟ ସ୍ୱପ୍ନ ଦେଖିବାର ଅଭିଳାଷାକୁ ଆଡେଇ ଯାଉନଥିଲେ  ।   ପିଲାବେଳୁ ହିଁ ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ମଗ୍ନ ରହୁଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ୧୮୮୧ ମସିହାରେ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୂପେ ବରଣ କରିଥିଲେ । ଦରିଦ୍ରର ଦାରୁଣ ସ୍ଥିତିକୁ ପ୍ରତିହତ କରିବା ପାଇଁ ମା ଦକ୍ଷିଣକାଳୀଙ୍କୁ ଉପାସନା କରିଥିଲେ  । ଗୁରୁ ରାମକୃଷ୍ଣ ପରମହଂସଙ୍କ ସିଦ୍ଧମତେ ମା ଙ୍କୁ ଦର୍ଶନ କରିଥିଲେ, କିନ୍ତୁ ଭାବ ଏବଂ ଭକ୍ତିରେ ବଳିପଡିଥିଲା ଦାରିଦ୍ରତା  । ନିଜ କଷ୍ଟ ଜଣାଇବା ପରିବର୍ତ୍ତେ ଦକ୍ଷିଣକାଳୀଙ୍କ ସାନିଧ୍ୟରେ ବିଭୋର ହୋଇପଡିଥିଲେ ବିବେକାନନ୍ଦ  ।

ତିରିଶ ବର୍ଷ ଯୁବକର ବାର୍ତ୍ତା ବିଶ୍ୱକୁ ଶୁଣାଇଥିଲା ଧର୍ମ ଦର୍ଶନର ଗାଥା । ୧୮୯୩ ମସିହାରେ ଆମେରିକାର ଚିକାଗୋରେ ଚାଲିଥାଏ ବିଶ୍ୱଧର୍ମ ସମ୍ମିଳନୀ । ଭାରତର ପ୍ରତିନିଧିତ୍ୱ କରିବାକୁ ମଞ୍ଚରେ ଅବତୀର୍ଣ୍ଣ ଜଣେ ଅସାଧାରଣ ଜ୍ଞାନରେ ପରିପୂର୍ଣ୍ଣ ସାଧାରଣ ଯୁବକ । ପୃଥିବୀର ମହାନ ପଣ୍ଡିତ ମାନଙ୍କ ମଧ୍ୟରେ ବସି ରହିଥାନ୍ତି ବିବେକାନନ୍ଦ । ସାଧାରଣ ଯୁବକର ଅଭିବାଦନ ଶୁଣିବା ପାଇଁ ସଭିଙ୍କ ମନରେ ଉତ୍ସୁକତା । ଶେଷରେ ସୁଯୋଗ ପାଇଥିବା ବିବେକାନନ୍ଦଙ୍କ ପ୍ରଥମ ବାକ୍ୟ ଥିଲା, ମୋର ଆମେରିକାର ଭାଇ-ଭଉଣୀଗଣ । ଭାଷଣର ପ୍ରଥମ ବାକ୍ୟ ହିଁ, କରତାଳିରେ ପରିପୂର୍ଣ୍ଣ କରିଥିଲା ସମ୍ମିଳନୀ କକ୍ଷ । ହିନ୍ଦୁ ଧର୍ମ ଉପରେ ତାଙ୍କର ମର୍ମସ୍ପର୍ଶୀ ଅଭିବାଦନ ରଚନା କରିଥିଲା ଇତିହାସ ।

ଯୁବ ବୟସରେ ବିଶ୍ବ ପରିଭ୍ରମଣ କରି ପରଖି ଥିଲେ ପାଶ୍ଚାତ୍ୟ ଦେଶର ସଭ୍ୟତା ।  ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ । ପରେ ଭାରତ ପ୍ରତ୍ୟାବର୍ତ୍ତନ କରି ଯୁବ ଶକ୍ତିଙ୍କୁ ଦେଇଥିଲେ ପରିବର୍ତ୍ତନର ମନ୍ତ୍ର । ସ୍ୱାମୀଜୀ କହିଥିଲେ, ‘ବାସ୍ତବ ପକ୍ଷେ କହିବାକୁ ଗଲେ ମୋର କାମର ପ୍ରକୃତ ଆଦର ହୋଇପାରେ ଭାରତବର୍ଷରେ ।’ କିନ୍ତୁ ସେ କେବେ ଭାବିନାହାନ୍ତି ଯେ ତାଙ୍କୁ ବରଣ କରିନେବା ପାଇଁ ଦେଶବ୍ୟାପୀ ଅଭାବନୀୟ ଅୟୋଜନ ହୋଇଛି ଓ ସମଗ୍ର ଦେଶ ଅଧୀର ଆଗ୍ରହରେ ତାଙ୍କୁ ପ୍ରତୀକ୍ଷା କରିଛି । ଭାରତର ମୁଖଉଜ୍ଜ୍ୱଳକାରୀ ବିବେକାନନ୍ଦ ଫେରି ଆସୁଛନ୍ତି ।

ଭାରତ ମାଟିରେ ନବଶକ୍ତିକୁ ଆବିଷ୍କାର କରିଥିବା ବେଦାନ୍ତର ବିଶ୍ୱପ୍ରସିଦ୍ଧ ଏହି ଧର୍ମଗୁରୁଙ୍କ ବାଣୀ ଥିଲା ‘ହେ ଭ୍ରାତୃବୃନ୍ଦ, ଆମ ସମସ୍ତଙ୍କୁ ଭବିଷ୍ୟତରେ ଶୁଭ ଉଦ୍‌ବୋଧନ କାର୍ଯ୍ୟରେ ବ୍ରତୀ ହେବାକୁ ହେବ । ଆଉ ଶୋଇ ରହି କାଳ କଟାଇବାର ସମୟ ନାହିଁ । ଉଠ ତାକୁ ଜାଗ୍ରତ କରି ଦେଖ, ନବଜୀବନ ଲାଭ କରି ଆମର ଦେଶମାତୃକା ପୂର୍ବ ଯୁଗ ଅପେକ୍ଷା ଅଧିକତର ମହିମାରେ ତାଙ୍କର ଶାଶ୍ୱତ ସିଂହାସନରେ ପ୍ରତିଷ୍ଠିତ ହୋଇଛନ୍ତି ’। ଭାରତର ଯୁବ ଶକ୍ତି ହିଁ ପରିବର୍ତ୍ତନର ଆଧାରଶିଳୀ ବୋଲି ସର୍ବଦା ଉଲ୍ଲେଖ କରୁଥିଲେ ସ୍ବାମୀଜୀ  । ସେଥିପାଇଁ ପ୍ରଚେଷ୍ଟାରତ ମଧ୍ୟ ରହିଥିଲେ  ।

ଭାରତର ଯୁବକ ହିଁ ନବ ଉର୍ଜାର ଆବିଷ୍କାରକ । ତେଣୁ ଦେଶର ଯୁବକଙ୍କୁ ସଠିକ ଭାବେ ନିୟୋଜିତ କରିବାକୁ ସଦା ଚେଷ୍ଟିତ ରହୁଥିଲେ ସ୍ବାମୀ ବିବେକାନନ୍ଦ । ୨୬ ବର୍ଷ ବୟସରେ ସନ୍ୟାସୀ ବ୍ରତୀ ସାଜିଥିବା ସ୍ବାମୀଜୀ ୧୮୯୭ ମସିହାରେ କୋଲକୋତାରେ ପ୍ରତିଷ୍ଠା କରିଥିଲେ ରାମକୃଷ୍ଣ ମିଶନ । ଦେଶର ଯୁବକମାନଙ୍କ ଉପରେ ମୋର ଗଭୀର ଆସ୍ଥା ଅଛି । ଦଶବର୍ଷ ମୁଁ ସାରା ଭାରତରେ ବୁଲିଛି । ମୋର ସ୍ଥିର ଧାରଣା ହୋଇଛି ଯେ ଭାରତର ଯୁବସମାଜରୁ ଯେଉଁ ଶକ୍ତି ଆସିବ, ତାହା ଭାରତକୁ ପୁନରାୟ ତା’ର ଯଥାର୍ଥ ଆଧ୍ୟାତ୍ମିକ ମହିମାରେ ଉଜ୍ଜୀବିତ କରିବ ବୋଲି ଆହ୍ୱାନ ଭରୁଥିଲେ ସ୍ବାମୀ ବିବେକାନନ୍ଦ ।

ହିନ୍ଦୁ ଧର୍ମର ପବିତ୍ର ଭୂମି ଭାରତରେ ସ୍ବାମୀଜୀଙ୍କ ଜନ୍ମକୁ ପୁରିଛି ୧୫୮ ବର୍ଷ । ଆଜି ମଧ୍ୟ ଭାରତୀୟ ଯୁବକଙ୍କ ପ୍ରେରଣା ବିବେକାନନ୍ଦ । ପ୍ରତିଟି ଆତ୍ମାର ଅସ୍ମିତା ସେ  ।  ବିଶ୍ବକୁ ହିନ୍ଦୁ ଧର୍ମର ଦର୍ଶନ ଦେଇଥିବା ଏହି ଯୁଗପୁରୁଷଙ୍କ ଜନ୍ମ ଜୟନ୍ତୀଙ୍କୁ ‘ଜାତୀୟ ଯୁବ ଦିବସ’ ଭାବେ ପାଳନ କରୁଛି ଭାରତ । ଦେବ ଭୂମି ଭାରତରେ ସିଦ୍ଧ ପୁରୁଷ ସ୍ୱାମୀଜୀଙ୍କ ଜନ୍ମ ବୟାନ କରେ ଏ ମାଟିର ମହାନତା  । ଧର୍ମ ସଂସ୍କାରକ, ପଥ ପଦର୍ଶକ, ଭାରତୀୟ ସାଂସୃତିକ ସମାଜର ସେନାପତି, ଅଗଣିତ ଯୁବକଙ୍କ ପ୍ରେରଣା କେନ୍ଦ୍ର, ହିନ୍ଦୁ ଧର୍ମର ବାର୍ତ୍ତା ବାହକ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀରେ ଶତକୋଟି ପ୍ରଣିପାତ ।

ପୁଣେରୁ ସ୍ୱତନ୍ତ୍ର ବିମାନରେ ଓଡ଼ିଶା ଆସୁଛି କରୋନା ଟିକା କୋଭିସିଲ୍ଡ , ୪ଟା ୨୫ରେ ପହଞ୍ଚିବ ଟିକା

ପୁଣେ: ସାରା ଦେଶ କରୋନା ରାକ୍ଷସ ସହ ଲଢ଼େଇ କରୁଛି। ଏହି ଲଢ଼େଇରେ ଅସ୍ତ୍ର ହେବାକୁ ଯାଉଛି କୋଭିସିଲ୍ଡ କରୋନା ଟିକା। ଏନେଇ ଦେଶରେ ଟିକାକରଣ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍‌। ପୁଣେ ସେରମ୍‌ ଇନଷ୍ଟିଚ୍ୟୁଟରୁ କରୋନା ଟିକା ସପ୍ଲାଏ ଆରମ୍ଭ ହୋଇଛି। ଭୋରରୁ ୩ଟି ଟ୍ରକରେ ୩ ଡିଗ୍ରୀ ତାପମାତ୍ରାରେ କୋଭିସିଲ୍ଡ ଟିକାକୁ ପୁଣେ ଏୟାରପୋର୍ଟ ପର୍ଯ୍ୟନ୍ତ ନିଆଯାଇଛି। ସେଠାରୁ ୮ଟି ବିମାନରେ ଦେଶର ୧୩ଟି ସ୍ଥାନକୁ ନିଆଯିବ।

ତେବେ ଆଜି ପୁଣେରୁ ଓଡ଼ିଶା ଆସୁଛି କରୋନା ସଞ୍ଜିବନି କୋଭିସଲ୍ଡ। ଠିକ ୪ଟା ୨୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ଏହି ଟିକ। ସ୍ୱତନ୍ତ୍ର ବିମାନରେ ଏହି ଟିକା ଭୁବନେଶ୍ୱର ଆସୁଛି। ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ୮୦୦ ଡୋଜ ସିରମ ଇନଷ୍ଟିଚ୍ୟୁଟରୁ ଓଡ଼ିଶାକୁ ଆସୁଛି। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପସ୍ତୁତି ଶେଷ ହୋଇଛି। ଟିକା ପାଇଁ ରାଜ୍ୟରେ ୧୬୦ଟି ଟିକାକରଣର କେନ୍ଦ୍ର କରାଯାଇଛି।

 

ସେପଟେ ପ୍ରଥମ ଫ୍ଲାଇଟ ଦିଲ୍ଲୀ ଏୟାରପୋର୍ଟ ଯାଉଛି। ସେଠାରୁ ଦେଶର ବିଭିନ୍ନ ସ୍ଥାନକୁ ଟିକା ପଠାଯିବ। ଆଗାମୀ ଦିନରେ ୫ଟି କଣ୍ଟେନରରେ ଗୁଜୁରାଟ, ମଧ୍ୟପ୍ରଦେଶ ଓ ହରିୟାଣାକୁ ଟିକା ପଠାଯିବ। ପ୍ରଥମ ପର୍ଯାୟରେ ଭାରତ ସରକାର ସେରମ ଇନଷ୍ଟିଚ୍ୟୁଟରୁ ୧କୋଟି ୧୧ ଲକ୍ଷ ଡୋଜ ପାଇଁ ଅର୍ଡର ଦେଇଛନ୍ତି। ଏହାର ସପ୍ଲାଏ ଆଜିଠୁ ଆରମ୍ଭ ହୋଇଛି।

କଡ଼ା ସୁରକ୍ଷା ମଧ୍ୟରେ ଭ୍ୟାକସିନ୍ କଣ୍ଟେନର ବାହାରିଛି। ଏଥିପାଇଁ ଜିପିଏସ୍ ଲାଗିଥିବା ୩ଶହ କୁଲ୍ ଏକ୍ସ କୋଲ୍‌ଡ ଚେନ୍ ଟ୍ରକ୍ ବ୍ୟବହାର କରାଯିବ। ତେବେ ଏନେଇ ଅଧିକ ଆବଶ୍ୟକ ହେଲେ ଆଉ ୫ଶହ ଟ୍ରକ୍‌ ବ୍ୟବହାର କରାଯିବ। ଆସନ୍ତା ୧୬ତାରିଖରୁ ଦେଶରେ ଟିକାକରଣ ଆରମ୍ଭ ହେଉଛି। ଏହାପୂର୍ବରୁ ସୁରକ୍ଷିତ ଭାବେ କରୋନା ଟିକା ପହଞ୍ଚାଇାବାକୁ ଲକ୍ଷ୍ୟ ରଖିଛି ସେରମ୍।

ସେପଟେ ଟିକାକରଣ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କାଲି ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ରାଜ୍ୟ ଓ କେନ୍ଦ୍ରର ମିଳିତ ସହଯୋଗରେ ଆରମ୍ଭ ହେବ ଟିକାକରଣ। ୨ କରୋନା ଟିକା ଭରସାଯୋଗ୍ୟ ଓ ଶସ୍ତା। ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମିଳିବ ମାଗଣା ଟିକା। ପରେ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାଦାନ କରାଯିବ। ଟିକାକରଣ ପାଇଁ ବୁଥ୍ ସ୍ତରରେ ରଣନୀତି ପ୍ରସ୍ତୁତ ହୋଇଛି। ଟିକା ପାଇଥିବା ଲୋକଙ୍କୁ ଡିଜିଟାଲ ସାର୍ଟିଫିକେଟ ଦିଆଯିବ। ମୋଟ୍ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି।

ବୋମାମାଡ଼ କରି ଲୋକଙ୍କୁ ଘର ବାହାରକୁ ଆଣିଲେ‌, ସୁନା ଗହଣା ସହ ଟଙ୍କା ଲୁଟିନେଲେ

କଟକ: ଲୁଟପାଟ କରିବାର ପୂର୍ବରୁ ବୋମାମାଡ଼।  ବିଳମ୍ବିତ ରାତିରେ ଘର ଆଗରେ କଲେ ବୋମାମାଡ଼। ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ହରିପୁର ଗାଁରେ। ତେବେ ବୋମାମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ। ଥାନାରେ ଏତଲା ପରେ ବୋମାମାଡ଼ ସନ୍ଦେହରେ ୨ଜଣଙ୍କୁ ଅଟକ ରଖିଛି ପୋଲିସ।

ସୂଚନା ଅନୁଯାୟୀ, ଗତ କାଲି ହରିପୁର ଗାଁର ଅମୀୟ ପଣ୍ଡାଙ୍କ ପରିବାର ଏକ ଦଶାହ କାର୍ଯ୍ୟରେ ଯୋଗ ଦେଇ ବିଳମ୍ବିତ ରାତ୍ରିରେ ଘରକୁ ଫେରିଥିଲେ। ଘର ବାହାରେ କିଛି ଶବ୍ଦ ଶୁଣି ଅମୀୟ ବାହାରକୁ ଆସିବା ମାତ୍ରେ ତାଙ୍କ ଗାଁର ୮ ରୁ ୧୦ ଜଣ ବ୍ୟକ୍ତି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ସୁନା ଗହଣା ଯାହା ଅଛି ଦିଅ ବୋଲି କହିଥିଲେ। ଏହି ସମୟରେ ଅମୀୟ ପାଟି କରିବାରୁ ପରିବାର ଲୋକେ ବାହାରକୁ ଚାଲିଆସିଥିଲେ। ଲୁଟେରା ସମସ୍ତଙ୍କଠାରୁ ସୁନା ଗହଣା ଲୁଟିନେଇଥିବା ଥାନାରେ ଏତଲା ହୋଇଛି। କାନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦୁଇ ଜଣକୁ ଅଟକ ରଖି ପଚରା ଉଚରା କରୁଛି।

ପାରାଦ୍ୱୀପ ଉପକୂଳରେ ଆରମ୍ଭ ହେଲା ‘ସି ଭିଜିଲ’ ସମରାଭ୍ୟାସ, ସାମିଲ ହୋଇଛନ୍ତି ୧୬ଟି ବିଭାଗ

ପାରାଦ୍ୱୀପ: ପାରାଦ୍ୱୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’। ଭାରତୀୟ ନୌସେନା, କୋଷ୍ଟଗାର୍ଡ, ସମେତ ୧୮ ଟି ସାମୁଦ୍ରିକ ଥାନାର କର୍ମଚାରୀ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ଏହା ଇଣ୍ଟନ ନାଭାଲ କମାଣ୍ଡ ବିଶାଖାପଟନମ ଓ ନାଭାଲ ଅଫିସର ଇନଚାର୍ଜ ଓଡ଼ିଶା ପକ୍ଷରୁ ମିଳିତ ଭାବେ ଆୟୋଜିତ ହେଉଛି। ଗତ ନଭେମ୍ବର ୫ ଓ ୬ ତାରିଖରେ ଦୁଇଦିନ ଧରି ସାଗର କବଚ ଅନୁଷ୍ଠିତ ହେବାର ଦୁଇମାସ ପରେ ପୁଣି ଏକ ସମରାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ହଠାତ କୌଣସି ବାହ୍ୟ ଶତୃଙ୍କୁ ମୁକାବିଲା କରିବା ପାଇଁ ସବୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ କରାଯାଉଛି। ଏହି ସମରାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା, ପାରାଦ୍ୱୀପ ବନ୍ଦର, ସିଆଇଏସଫ, ଓଡ଼ିଶା ପୋଲିସ, ମେରାଇନ୍ ପୋଲିସ୍, ଇଣ୍ଟେଲିଜେନ୍ସ, ଅଗ୍ନିଶମ, ମତ୍ସ୍ୟ ବିଭାଗ, ବନ ବିଭାଗ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରାୟ ୧୬ଟି ବିଭାଗ ଏଥିରେ ସାମିଲ ହୋଇଛନ୍ତି ।

ରେଡ ଟିମ ଓ ବ୍ଲୁ ଟିମ ଗଠନ କରାଯାଇ ଆତଙ୍କବାଦୀ ବେଶରେ ଗୋଟିଏ ଟିମ୍ ସ୍ଥଳଭାଗରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିବେ ଏବଂ ଅନ୍ୟ ଟିମ ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ। ଦୁଇଦିନ ଧରି ଏହି ସମରାଭ୍ୟାସ କାର୍ଯ୍ୟକ୍ରମ ଚାଲିବ।

ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ୍‌ ଘଟଣା: NGT ପଷରୁ ରାଉରକେଲା ଇସ୍ପାତ କାରଖାନାକୁ ନୋଟିସ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ରେ ଗ୍ୟାସ ଲିକ୍‌ ଘଟଣା। ଏଥିରେ ୪ଜଣ ଠିକା କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଏବେ ଯୋରଦାର ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ମଧ୍ୟରେ ଏବେ ନ୍ୟାସନାଲ ଗ୍ରୀନ ଟ୍ରୀବ୍ୟୁନାଲ NGT ପଷରୁ ରାଉରକେଲା ଇସ୍ପାତ କାରଖାନାକୁ ନୋଟିସ ଜାରି କରାଯାଇଛି। ଗ୍ୟାସ୍‌ ଲିକ ଘଟଣାରେ ପରିବେଶରେ କଣ କ୍ଷତି ହୋଇଛି ସେନେଇ ରିପୋର୍ଟ ଦେବାକୁ ନୋଟିସ ଜାରି କରିଛି NGT ।

ଏକମାସ ମଧ୍ୟରେ ନୋଟିସର ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେଲ ପଷରୁ ୪ଜଣିଆ ଉଚ୍ଚ ସ୍ତରୀୟ ତଦନ୍ତ କମିଟି କରୁଥିବା ତଦନ୍ତ ଗତକାଲି ଶେଷ ହୋଇଛି। ଆଜି ସେଲ ଅଧ୍ୟକ୍ଷଙ୍କୁ ଦିଆଯିବ ତଦନ୍ତ ରିପୋର୍ଟ। ତେବେ ୪ଜଣିଆ କମିଟି ତଦନ୍ତ କରୁଥିଲେ। ତଦନ୍ତ ଟିମରେ ରହିଛନ୍ତି ବୋକାରୋ ଷ୍ଟିଲ ପ୍ଲାଣ୍ଟ ଇଡି, ଭିଲାଇ ଷ୍ଟିଲ ପ୍ଲାଣ୍ଟ ସିଜିଏମ, ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟ ସିଜିଏମ ଓ କୋଲକାତା ପରିବେଶ ମ୍ୟାନେଜମେଣ୍ଟ ସିଜିଏମ । ସେପଟେ ରାଉରକେଲା ସହରରେ ବିଭିନ୍ନ କୃଷି ସଂଗଂଠନ ପକ୍ଷରୁ ଆନ୍ଦୋଳନ ଯୋରଧରିବାରେ ଲାଗିଛି।

କାର ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଗୁରୁତର, ପତ୍ନୀଙ୍କ ଦେହାନ୍ତ

ବେଙ୍ଗାଲୁର: ଦୁର୍ଘଟଣାଗ୍ରସ୍ତ ହୋଇଛି କେନ୍ଦ୍ରମନ୍ତ୍ରୀଙ୍କ କାର । ଫଳରେ କେନ୍ଦ୍ରୀୟମନ୍ତ୍ରୀ ଶ୍ରୀପଦ ନାୟକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ସ୍ଥାନୀୟ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ମୁତାବକ ଦୁର୍ଘଟଣାରେ ଜଣେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟ ମୃତ୍ୟୁ ଘଟିଛି ।

କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରେ ଏଭଳି ଦୟନୀୟ ଦୁର୍ଘଟଣା ଘଟିଛି । ଶ୍ରୀପଦ ନାୟକଙ୍କ ଗାଡିରେ ୬ଜଣ ବ୍ୟକ୍ତି ରହିଥିବା ଜଣାପଡିଛି । ଘଟଣାଟି ଏତେ ମର୍ମନ୍ତୁଦ ରହିଥିଲା ଯେ, ଦୁର୍ଘଟଣା ପରେ ଚେତାଶୂନ୍ୟ ହୋଇପଡିଥିଲେ ସମସ୍ତ ଯାତ୍ରୀ । କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ତାଙ୍କ ପତ୍ନୀଙ୍କର ମଧ୍ୟ ଚେତା ଫେରିନଥିଲା ।

ସେପଟେ ମେଡିକାଲରେ ଭର୍ତ୍ତିହେବା ପରେ କେନ୍ଦ୍ର ମନ୍ତ୍ରୀଙ୍କ ପତ୍ନୀ ବିଜୟା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକଙ୍କ ଚିକିତ୍ସା ଜାରି ରହିଛି । ଉନ୍ନତ ଚିକିତ୍ସା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଗୋଆ ପଠାଯାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଫୋନ ଯୋଗେ କଥା ହୋଇଛନ୍ତି ।