spot_img
Home Blog Page 6139

ଡାକ୍ତରି ଓ ଇଞ୍ଜିନିୟରିଂ ଶିକ୍ଷାରେ ହାଇସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ କମିଟି ଗଠନ

ଭୁବନେଶ୍ୱର: ସରକାରୀ ହାଇସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷାରେ ସ୍ଥାନ ସଂରକ୍ଷଣ ବାବଦରେ ରାଜ୍ୟ କ୍ୟାବିନେଟର ନିଷ୍ପତିକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ପରାମର୍ଶ ଦେବା ନିମନ୍ତେ ଓଡ଼ିଶା ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି ।

ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷା କ୍ଷେତ୍ରରେ ରାଜ୍ୟର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ନିମନ୍ତେ ଏହି କମିଟି ଆବଶ୍ୟକ ପରାମର୍ଶ ଦେବ।

ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ ମିଶ୍ର ଏହି କମିଟିର ଅଧ୍ୟକ୍ଷ ରହିବେ । ୧୯୮୮ ମସିହାରେ ଜନ୍ମିତ ଜଷ୍ଟିସ ମିଶ୍ର ମଧୁସୁଧନ ଲ’ କଲେଜ କଟକରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ସେ ପୂର୍ବରୁ ଓଡ଼ିଶା ଜୁଡିସିଆଲ ଆକାଡେମିର ନିର୍ଦ୍ଦେଶକ, ସିବିଆଇ ସ୍ପେଶାଲ ଜଜ୍ ଓ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନରାଲ ଭାବେ କାର୍ଯ୍ୟ କରିଛନ୍ତି ।

କମିଟିର ଅନ୍ୟ ସଦସ୍ୟ ମାନେ ହେଉଛନ୍ତି ପ୍ରଫେସର ଅଶୋକ କୁମାର ଦାସ, ପ୍ରଫେସର ସିବିକେ ମହାନ୍ତି, ବିଏସ ପୁନିଆ, ଜି.ରଘୁ ଏବଂ ଏ.କେ ନାୟକ । ପ୍ରଫେସର ଅଶୋକ ଦାସ ଉତ୍କଳ ବିଶ୍ୱବିଦ୍ୟାଳର ପୂର୍ବତନ ଉପକୁଳପତି ହୋଇଥିବା ବେଳେ ସି.ବି.କେ ମହାନ୍ତି ଡାକ୍ତରି ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ଅଛନ୍ତି ।

ସେହିଭଳି ବି.ଏସ ପୁନିଆ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ଅଧ୍ୟକ୍ଷ ଅଛନ୍ତି । ଅନ୍ୟପକ୍ଷରେ ଜି. ରଘୁ ଓଡ଼ିଶା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ଅଛନ୍ତି ।

ରାଜଧାନୀରେ ମାତିଛି ଦନ୍ତା ହାତୀ, ବ୍ୟାପକ ଫସଲ ନଷ୍ଟ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଦନ୍ତା ହାତୀ ଉପଦ୍ରବ କରିବା ସହ ବ୍ୟାପକ ଫସଲ ନଷ୍ଟ କରିଛି । ଏପରିକି ଘର ଗୁଡିକର ପାଚେରୀ ମଧ୍ୟ ଭାଙ୍ଗୁଥିବା ଖବର ମିଳିଛି ।

ଉପକଣ୍ଠରେ ଥିବା ଗାଁ ଗୁଡିକରେ ପଶିବା ସହ ଚନ୍ଦକାର ଜଙ୍ଗଲୀ ଦନ୍ତା ହାତୀ ରାମୁ ଉତ୍ପାତ ମଚାଇବାରେ ଲାଗିଛି । ତା’ର ଉପଦ୍ରବରେ ଭୟଭୀତ ହୋଇପଡିଛନ୍ତି ଗ୍ରାମବାସୀ । ସଞ୍ଜ ହେଲା ମାତ୍ରେ ରାମୁ ଗାଁ ମୁହାଁ ହେବା ସହ ଫସଲ ନଷ୍ଟ କରୁଛି। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ମାନେ ।

ସୂଚନା ଅନୁସାରେ ଭୁବନେଶ୍ୱର ଉପକଣ୍ଠ ସ୍ଥିତ ମେଣ୍ଢାଶାଳ, ଆରିସଲ, ମଦନପୁର, ପାଇକରାପୁର, ଚନ୍ଦକା, ଭରତପୁର ଆଦି ଗ୍ରାମ ଗୁଡିକରେ ଉପଦ୍ରବ ଚଳାଇଛି ଏହି ହାତୀ । ହାତୀଟିକୁ ଘଉଡାଇବା ପାଇଁ ବନ ବିଭାଗ ଚେଷ୍ଟା କରୁଥିଲେ ବି ସଫଳ ହେଉନଥିବା ଜଣାପଡିଛି ।

ଆହୁରି ମଧ୍ୟ ମଦନପୁର ଗ୍ରାମର ଜିତେନ୍ଦ୍ର ଚମ୍ପତି ନାମକ ଜଣେ ଚାଷୀଙ୍କ ଧାନ ବାଡିରେ ବିଳମ୍ବିତ ରାତିରେ ହାତୀଟି ପଶି ଅନେକ ଧାନ ଫସଲ ଖାଇବା ସହ ନଷ୍ଟ କରିଦେଇଛି । ଖବର ପାଇ ଘଟଣାସ୍ଥଳରେ ପାତ୍ରପଡା ସିଟି ଫରେଷ୍ଟ ବନବିଭାଗ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ତେବେ ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

ରାଜ୍ୟରେ କିଭଳି ହେବ ଟୀକାକରଣ?

ରାଜ୍ୟକୁ ଆସିବ କରୋନା ଟିକା। ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତିକୁ ଠିକ୍‌ ଭାବରେ ତୁଲାଇଛନ୍ତି। ଏହାରି ଭିତରେ କେନ୍ଦ୍ର ସରକାର  ଟୀକାକରଣ ପାଇଁ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି। ଖୁବଶୀଘ୍ର ଓଡ଼ିଶାକୁ ଟିକା ଆସିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ହେଲେ ଟିକା କେବେ ଆସିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଉଲ୍ଲେଖ ହୋଇନାହିଁ। କିନ୍ତୁ ଯଦି ଟିକା ଆସେ ତେବେ କିଭଳି ସୁରୁଖୁରୁରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇପାରିବ ବା ପ୍ରତ୍ୟେକ ଜିଲ୍ଲାରେ କିଭଳି ଏହି ଟିକା ପହଞ୍ଚି ପାରିବ, ତାହାକୁ ନେଇ ଓଡ଼ିଶା ପୁରା ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ଟିକା ତିଆରି କରୁଥିବା କମ୍ପାନୀ ପାଖରୁ ଓଡ଼ିଶାକୁ ସିଧା ଟିକା ଆସିବ । ଟିକା ଆସିବା ପରେ ତାକୁ ଭୁବନେଶ୍ୱରରେ ଥିବା ଟିକା କେନ୍ଦ୍ରରେ ରଖାଯିବ। ଏହା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବ । ଜିଲ୍ଲାରେ ଟିକା ପହଞ୍ଚିଲା ପରେ ସେଠାରେ ଥିବା ‘ଜିଲ୍ଲା ଟିକା କେନ୍ଦ୍ର’ରେ ଟିକା ରଖାଯିବ। ଟୀକାକରଣ ପାଇଁ ଯେଉଁ ସରଞ୍ଜାମ ରହିଛି ତାହା ଟୀକାକରଣ ପାଇଁ ଯଥେଷ୍ଟ ବୋଲି କହିଛନ୍ତି ଡାକ୍ତର ବିଜୟ ପାଣିଗ୍ରାହୀ ।

ଡାଟାବେସକୁ ଆଧାର କରି ଟିକା ମଗାଯାଇଛି। କେତେ ପରିମାଣର ଟିକା ପଠାଯିବ ତାହା ଦିଆଯାଇଥିବା ତଥ୍ୟ ଉପରେ ନିର୍ଭର କରେ । । ରାଜ୍ୟରେ ଟିକା ପହଞ୍ଚିଲା ପରେ କେଉଁଠି ଟୀକାକରଣ ବ୍ୟବସ୍ଥା କରାଯିବ, ତାହାକୁ ନେଇ ୮ ତାରିଖ ସୁଦ୍ଧା ଜିଲ୍ଲାପାଳମାନେ ରିପୋର୍ଟ ଦେବେ । ସମସ୍ତ ପ୍ରକ୍ରିୟା ୧୦ ତାରିଖ ସୁଦ୍ଧା ଶେଷ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ରାଜ୍ୟ ଭ୍ୟାକସିନ ଷ୍ଟୋରକୁ ଟିକା ଆସିଲେ ସେଠାରୁ ୯ଟି ଆଞ୍ଚଳିକ ଟିକା ଷ୍ଟୋରକୁ ଟିକା ପଠାଯିବ । ଭୁବନେଶ୍ୱର, କଟକ, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, କନ୍ଧମାଳ, ବଲାଙ୍ଗୀର ଏବଂ ବାଲେଶ୍ୱରକୁ ଏଥିପାଇଁ ଚିହ୍ନଟ କରାଯାଇଛି। ସେଠାରୁ ୩୨ ଟି ଜିଲ୍ଲାରେ ଥିବା ଶୀତଳ ଭଣ୍ଡାରକୁ ଟିକା ଯିବ। ସେଠାରୁ 1222 କୋଲ୍ଡ ଚେନ ପଏଣ୍ଟକୁ ଯିବ । ଏଠାରୁ 29 ହଜାର 272 ସେସନ ସାଇଟକୁ ପଠାଯିବ। ଏହାପରେ ଭ୍ୟାକସିନେସନ ରୁମରେ ଷ୍ଟୋର ହେବ ।
ତେବେ ଟୀକାକରଣ କେନ୍ଦ୍ରରେ କେଉଁସବୁ ବ୍ୟବସ୍ଥା କରାଯିବ:

ଟିକା ବଣ୍ଟନ ଏବଂ ପ୍ରଶାସନ ସମ୍ବନ୍ଧରେ ଜାରି କରାଯାଇଥିବା SOPରେ କେନ୍ଦ୍ର ରାଜ୍ୟମାନଙ୍କୁ ଅନେକ କିଛି ନିର୍ଦ୍ଦେଶ ଦେଇଛି। ପ୍ରଥମେ ଟିକା ପାଇଁ ପଞ୍ଜୀକୃତ କରିବା ବାଧ୍ୟତାମୂଳକ। ଏହା ପରେ ସେମାନଙ୍କୁ ଏକ ତାରିଖ ଦିଆଯିବ । ଧାର୍ଯ୍ୟ ହୋଇଥିବା ତାରିଖରେ ସେମାନଙ୍କୁ ଟିକାକରଣ କେନ୍ଦ୍ରରେ ପହଞ୍ଚିବାକୁ ପଡ଼ିବ। ଏହି କେନ୍ଦ୍ରଗୁଡିକରେ ଅତି କମରେ ତିନୋଟି ଭିନ୍ନ କୋଠରୀ ରହିବା ଉଚିତ ବୋଲି କେନ୍ଦ୍ର ପରାମର୍ଶ ଦେଇଛି।
କେନ୍ଦ୍ର ଦେଇଥିବା ପରାମର୍ଶ ଅନୁସାରେ ଟିକା ଦିଆଯାଉଥିବା ସ୍ଥାନରେ ତିନୋଟି କୋଠରୀ ରହିବ। ଏହି ତିନୋଟିରୁ ପ୍ରଥମଟି ଅପେକ୍ଷା କକ୍ଷ, ଦ୍ୱିତୀୟଟି ଟୀକାକରଣ କକ୍ଷ ଏବଂ ତୃତୀୟଟି ପର୍ଯ୍ୟବେକ୍ଷଣ କକ୍ଷ ।

ଅପେକ୍ଷା କକ୍ଷ:

ଅପେକ୍ଷା କକ୍ଷରେ ଟିକା ନେବାକୁ ଯାଇଥିବା ବ୍ୟକ୍ତିଙ୍କୁ ନିଜ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ସେଠାରେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ କରାଯିବ। ଯାଞ୍ଚ ସମୟରେ ପରିଚୟପତ୍ର, ଫଟୋ ପ୍ରଭୃତି ପୈଠ କରିବା ବାଧ୍ୟତାମଳୂକ ହେବ । ସେହି କକ୍ଷରେ ହ୍ୟାଣ୍ଡୱସ୍ ଓ ସାନିଟାଇଜରର ସୁବିଧା ରହିବ ।

ଟିକାକରଣ କକ୍ଷ:
ଏହି କକ୍ଷରେ ଆପଣଙ୍କୁ ଟୀକାର ଡୋଜ୍ ଦିଆଯିବ। ଏକ ସମୟରେ କେବଳ ଜଣେ ବ୍ୟକ୍ତି ହିଁ ଏହି କକ୍ଷରେ ପ୍ରବେଶ କରିପାରିବେ। ମହିଳା ଟିକା ଗ୍ରହଣ କରିବାବେଳେ ଟୀକାକରଣ କକ୍ଷରେ ଜଣେ ମହିଳା କର୍ମଚାରୀଙ୍କ ଉପସ୍ଥିତି ବାଧ୍ୟତାମୂଳକ ହେବ ।

ପର୍ଯ୍ୟବେକ୍ଷଣ କକ୍ଷ:
ଟିକା ନେବା ପରେ ଉକ୍ତ ବ୍ୟକ୍ତିଙ୍କୁ ଏହି କକ୍ଷକୁ ପଠାଇ ଦିଆଯିବ। ଏଠାରେ ୩୦ ମିନିଟ୍ ପର୍ଯ୍ୟନ୍ତ ମନିଟରିଂ କରାଯିବ । ଟୀକାର କିଛି ପ୍ରତିକୂଳ ପ୍ରଭାବ ପଡ଼ୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ। ଟୀକାକରଣ ଟିମ୍ ସନ୍ତୁଷ୍ଟ ହେବା ପରେ ଯାଇ ଟିକା ନେଇଥିବା ବ୍ୟକ୍ତିଙ୍କୁ ଘରକୁ ପଠାଯିବ।
ସମସ୍ତ ତିନୋଟି ସ୍ଥାନରେ ସାମାଜିକ ଦୂରତା ଅନୁସରଣ କରିବାକୁ ପଡ଼ିବ। ଏହି ଟିକା ବିତରଣ ଦଳରେ ଜଣେ ଟିକା ଅଧିକାରୀ ଏବଂ ଚାରି ଜଣ ଟୀକାକରଣ ଅଧିକାରୀ ରହିବେ। ନିର୍ଦ୍ଦେଶାବଳୀ ଅନୁଯାୟୀ, ଟୀକାକରଣ ସ୍ଥାନରେ ଦିନକୁ ମାତ୍ର ୧୦୦ ଜଣ ଲୋକଙ୍କୁ ଟିକା ଦିଆଯିବ। ଯଦି ସୁବିଧା ଥିବ ତେବେ ଏହାକୁ ୨୦୦କୁ ମଧ୍ୟ ବୃଦ୍ଧି କରାଯାଇପାରେ ।

ଟୀକାକରଣ ପାଇଁ ମତଦାନ ବୁଥ, କଲେଜ ଏବଂ କମ୍ୟୁନିଟି ହଲ୍ ବ୍ୟବହାର କରାଯାଇପାରିବ। ଏହା ବ୍ୟତୀତ ମ୍ୟୁନିସିପାଲିଟି କର୍ପୋରେସନ୍ ବିଲ୍ଡିଂ, ପଞ୍ଚାୟତ ବିଲଡିଂ, କ୍ୟାଣ୍ଟ ହସ୍ପିଟାଲ୍, ରେଳ ହସ୍ପିଟାଲ୍, ପାରାମିଲିଟାରୀ ଫୋର୍ସର ଶିବିରକୁ ଟିକାକରଣ ସ୍ଥାନ ଭାବରେ ବ୍ୟବହାର କରିବାର ଯୋଜନା ରହିଛି।

ମେଡିକାଲରୁ ଡିସ୍‌ଚାର୍ଜ ହେଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି ଗୁରୁବାର ଦିନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ନିକଟରେ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

କୋଲକାତାର ଉଡ୍‌ଲାଣ୍ଡ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ସେ ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି । ଗାଙ୍ଗୁଲି ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

ଗତ ଶନିବାର କୋଲକାତା ସ୍ଥିତ ବାସଭବନରେ ବ୍ୟାୟାମ କରିବା ବେଳେ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତତପରେ ସଙ୍ଗେସଙ୍ଗେ ତାଙ୍କୁ ଉଡ୍‌ଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ କରୋନାରିରେ ବ୍ଲକେଜ୍ ଯୋଗୁ ସେ ଅସୁସ୍ଥ ଥିବା ଜଣାପଡ଼ିଥିଲା ।

ପରେ ୯ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସାରେ ଲାଗି ପଡିଥିଲେ । ମେଡିକାଲରେ ଚିକିତ୍ସିତ ହେବାର ୫ ଦିନ ପରେ ଆଜି ସୌରଭ ଗାଙ୍ଗୁଲିଙ୍କୁ ଡିସଚାର୍ଜ କରାଯାଇଛି ।

ନିକଟରେ ହସ୍ପିଟାଲରେ ଗାଙ୍ଗୁଲିଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଯାହା ସଫଳ ହୋଇଥିବା ବେଳେ ଡାକ୍ତରଙ୍କ ପକ୍ଷରୁ କୁହାଯାଇଥିଲା । ତାଙ୍କର ଏଞ୍ଜିଓପ୍ଲାଷ୍ଟି ପରେ ଜାରି କରାଯାଇଥିବା ଏକ ବୁଲେଟିନରେ କୁହାଯାଇଥିଲା ଯେ, ୪୮ ବର୍ଷୀୟ ସୌରଭଙ୍କ ଅବସ୍ଥା ସ୍ଥିର ରହିଛି । ଏଞ୍ଜିଓପ୍ଲାଷ୍ଟି ପରେ ତାଙ୍କ ଧମନୀରେ ଷ୍ଟଣ୍ଟ୍ ଲଗାଯାଇଛି। ଭଗବାନଙ୍କ କୃପାରୁ ସେ ଏବେ ସୁସ୍ଥ ଅଛନ୍ତି।

ଏଥିସହ ପଢନ୍ତୁ- ସୌରଭ ଗାଙ୍ଗୁଲିଙ୍କ ଏଞ୍ଜିଓପ୍ଲାଷ୍ଟି ସଫଳ, ହସ୍ପିଟାଲ ଜାରି କଲା ଅପଡେଟ୍

ରାଉରକେଲାରେ ଗ୍ୟାସ ଲିକ୍ ଘଟଣା, ଆଉ ଜଣେ ଅଧିକାରୀ ନିଲମ୍ବିତ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ଗ୍ୟାସ ଲିକ୍ ଘଟଣାରେ ଆଉ ଜଣେ ଅଧିକାରୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ସେଫ୍‌ଟି ବିଭାଗ ସହାୟକ ମ୍ୟାନେଜର ସ୍ମୃତି ରଞ୍ଜନ ସାହୁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ଏହି ଗ୍ୟାସ୍‌ ଲିକ୍‌ ଘଟଣାରେ ଗତକାଲି ୨ ଜଣ ଡିଜିଏମଙ୍କୁ ନିଲମ୍ବନ କରାଯାଇଥିଲା। ଅନ୍ୟପଟେ ଷ୍ଟିଲ ପ୍ଲାଣ୍ଟ ଗ୍ୟାସ ଲିକ ଘଟଣାର ତଦନ୍ତ ଚାଲିଛି। କାରଖାନା ଓ ବାଷ୍ପିତ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି । ଡେପୁଟି ଡାଇରେକ୍ଟର ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଗ୍ୟାସ୍‌ ପାଇପ୍‌ ଲାଇନ ମରାମତି ସମୟରେ ଗ୍ୟାସ୍ ଲିକ୍ ହୋଇ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରାଉରକେଲା ଇସ୍ପାତ କାରଖାନାର ସିସିଡି ବିଭାଗରେ ମରାମତି ଚାଲିଥିବା ବେଳେ ଗ୍ୟାସ ଲିକ୍ ହେବାରୁ ୪ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।

ତେବେ ୪ ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ପରେ ଶ୍ରମିକ ସଙ୍ଗଠନ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । କଣ ପାଇଁ ନିଲମ୍ବିତ ଅଧିକାରୀଙ୍କୁ ଗିରଫ କରାଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରମିକ ସଙ୍ଗଠନ ।

ସେହିପରି ଅଧିକାରୀଙ୍କ ବିରୋଧରେ କାହିଁକି ହତ୍ୟା ମାମଲା ହେବ ନାହିଁ । ଗ୍ୟାସ ପାଇପ୍ ମରାମତି ସମୟରେ ଠିକା ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଦିଆଯାଇଥିଲା ନାନାହିଁ । ଏଭଳି ପ୍ରଶ୍ନ କରିଛି ଶ୍ରମିକ ସଙ୍ଗଠନ।

ସୂଚନାଯୋଗ୍ୟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର କୋଲ୍ କେମିକାଲ ଡିପାର୍ଟମେଣ୍ଟ ବା ସିସିଡି ବିଭାଗରେ ଗତ ବୁଧବାର ଦିନ ଗ୍ୟାସ ଲିକ୍ ହେବା ଫଳରେ ବହୁ କର୍ମଚାରୀ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଗୁରତର ଅବସ୍ଥାରେ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।

ଗ୍ୟାସ୍ ଲିକର କାରଣ ଅସ୍ପଷ୍ଟ ଥିବା ବେଳେ ଆରଏସପିର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।

ଆମେରିକା ସଂସଦ ପରିସରରେ ହିଂସାକାଣ୍ଡ; ୧୫ ଦିନ ଯାଏଁ ପବ୍ଲିକ ଇମରଜେନ୍ସି ଜାରି

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ବିବାଦ ଥମିବାର ନା ନେଉନି। ଏଭଳି ସ୍ଥଳେ ଆମେରିକା କଂଗ୍ରେସର ଇଲୋକ୍ଟ୍ରାଲ କଲେଜ ବୈଠକ ପୂର୍ବରୁ ଟ୍ରମ୍ପ ସମର୍ଥକ ମାନେ ସଂସଦ ପରିସରରେ ହଙ୍ଗାମା କରିଛନ୍ତି। ଯେଉଁ ହିଂସାରେ ୪ ଜଣଙ୍କର ପ୍ରାଣହାନୀ ଘଟିଛି

ଏହି ବୖଠକ ପୂର୍ବରୁ କ୍ୟାପିଟାଲ୍ ହିଲରେ ଟ୍ରମ୍ପ ସମର୍ଥକ ମାନେ ହତିଆର ଧରି ପ୍ରବେଶ କରିଥିଲେ । ଆଉ ପୋଲିସ ଓ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା । ଏଥିରେ ଅନେକ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । ସମର୍ଥନ କାରୀଙ୍କୁ କାବୁ କରିବାକୁ ଯାଇ ଟିୟର ଗ୍ୟାସ୍ ଓ ଲାଠି ଚାର୍ଜ ବି କରିଥିଲା ଆମେରିକା ପୋଲିସ ।

ସ୍ଥିତି ଅଣାୟତ ହେବାରୁ ଓ୍ୱାଶିଂଟନ ଡିସିରେ ୧୫ ଦିନ ଯାଏ ପବ୍ଲିକ୍ ଇମରଜେନ୍ସି ଜାରି କରାଯାଇଛି । ଟ୍ରମ୍ପଙ୍କ ସମର୍ଥକ କ୍ୟାପିଟାଲ ବିଲ୍ଡିଂର ସୁରକ୍ଷା ଭଙ୍ଗ କରିଥିବା ନେଇ ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ, ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପ୍ରମୁଖ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି । ସେପଟେ ଏହି ହଙ୍ଗାମା ପରେ ଇନଷ୍ଟାଗ୍ରାମ, ଟୁଇଟର ଓ ଫେସ୍‌ବୁକ୍ ପକ୍ଷରୁ ଆମେରିକାର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍‌ କରାଯାଇଛି ।

ଆମେରିକାର କ୍ୟାପିଟାଲରେ ହିଂସାତ୍ମକ ବିରୋଧ ପରେ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କ ଷ୍ଟାଫ ମୁଖ୍ୟ ଷ୍ଟେଫାନି ଗ୍ରିଶାମ, ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟେରୀ ସାରା ମାଥ୍‌ୟୁ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଇସ୍ତଫା ଦେଇଛନ୍ତି ।

ଏହି ଘଟଣାକୁ ରାଜଦ୍ରୋହ କହିବା ସହ ସମ୍ବିଧାନର ରକ୍ଷା କରିବାକୁ ଟ୍ରମ୍ପଙ୍କୁ ଆହ୍ୱାନ ଦେଇଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍‌ । ଠିକ୍ ସେହିପରି ଓ୍ୱାଶିଂଟନରେ ଟ୍ରମ୍ପ ସମର୍ଥକଙ୍କ ହିଂସାକୁ ନେଇ ଚିନ୍ତାବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକତନ୍ତ୍ରରେ କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି ମୋଦି ମତ ଦେଇଛନ୍ତି ।

 

ଆମେରିକା ଇତିହାସର କଳାଦିନ, ଫଟୋରେ ଦେଖନ୍ତୁ ଟ୍ରମ୍ପ ସମର୍ଥକଙ୍କ କାଣ୍ଡ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ଓ୍ୱାଶିଂଟନ ଡିସି ସ୍ଥିତ କ୍ୟାପିଟାଲ ହିଲ ମଧ୍ୟକୁ ଅନୁପ୍ରବେଶ କରିଥିଲେ । ସେମାନେ ସେଠାରେ ଭଙ୍ଗାରୁଜା କରିଥିଲେ । ହିଂସା ବେକାବୁ ହେବାରୁ ସେନାକୁ ମୁତୟନ କରାଯାଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ଅରାଜକତାବାଦୀ ପ୍ରାଣ ହରାଇଥିଲେ ।

ଟ୍ରମ୍ପ ସମର୍ଥକ କ୍ୟାପିଟାଲ ହିଲକୁ ନିଜ କବଜାକୁ ନେବା ପରେ ସିନେଟରଙ୍କୁ ବାହାର କରି ଦେଇଥିଲେ । ଟ୍ରମ୍ପ ସମର୍ଥକ ପୁଣିଥରେ ଭୋଟ ଗଣତି ଦାବି କରୁଛନ୍ତି । ଓ୍ୱାଶିଂଟନରେ ଟ୍ରମ୍ପ ସମର୍ଥକଙ୍କ ମାର୍ଚ୍ଚ ପରଠାରୁ ସୁରକ୍ଷାକୁ ବଢା ଯାଇଥିଲା ତଥାପି ହିଂସା ହୋଇଥିଲା ।

ଟ୍ରମ୍ପ ସମର୍ଥକ କ୍ୟାପିଟାଲ ହିଲରୁ ନହଟିବା ପରେ ପୋଲିସ ଲାଠିଚାର୍ଜ୍ କରିଥିଲା । ପୋଲିସ ସେମାନଙ୍କଠାରୁ ବନ୍ଧୁକ ମଧ୍ୟ ଜବତ କରିଛି । ବିଶ୍ୱର ଅନେକ ଦେଶ ଏହି ହିଂସାକୁ ନିନ୍ଦା କରିଛନ୍ତି । ଆମେରିକା ଗୃହଯୁଦ୍ଧ ଆଡକୁ ଯିବାର ଆଶଙ୍କାକୁ ନେଇ ବିଶ୍ୱ ଚିନ୍ତିତ ।

ଓ୍ୱାଶିଂଟନ ପୋଲିସ ଅନୁସାରେ ଗୁରୁବାର ହିଂସାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ବିକ୍ଷୋଭକାରୀଙ୍କୁ ସୁରକ୍ଷାବଳ ଅଟକାଇବାରେ ବିଫଳ ହେବାକୁ ସେନାର ଗୋଟିଏ ୟୁନିଟକୁ ଘଟଣାସ୍ଥଳକୁ ଡକା ଯାଇଥିଲା । ୨୦ ମିନିଟରେ ସେନା ୟୁନିଟ୍ କ୍ୟାପିଟାଲ ହିଲରେ ପଂହଚି ସ୍ଥିତିକୁ କାବୁ କରିଥିଲା ।

ଟ୍ରମ୍ପ ନିଜ ସମର୍ଥକଙ୍କୁ ଫେରିଯିବାକୁ ଟ୍ୱିଟ୍ କରି ନିବେଦନ କରିଥିଲେ । ତେବେ ଏଥିରେ ସେ ନିର୍ବାଚନରେ ଜାଲିଆତି ହୋଇଥିବା କଥା ମଧ୍ୟ ଦୋହରାଇଥିଲେ । ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ କାଳେ ଟ୍ରମ୍ପ ସମର୍ଥକଙ୍କୁ ଅଧିକ ଉତେଜିତ କରିବେ ସେଥିପାଇଁ ଟ୍ୱିଟର,ଫେସବୁକ ତାଙ୍କ ଆକାଉଣ୍ଟ୍ ବ୍ଲକ୍ କରି ଦେଇଛି । ୟୁଟ୍ୟୁବ୍ ତାଙ୍କ ଭିଡିଓକୁ ହଟାଇ ଦେଇଛି ।

ଆଜି ବୖଠକ ପୂର୍ବରୁ କ୍ୟାପିଟାଲ୍ ହିଲରେ ଟ୍ରମ୍ପ ସମର୍ଥକ ମାନେ ହତିଆର ଧରି ପ୍ରବେଶ କରିଥିଲେ । ଆଉ ପୋଲିସ ଓ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା । ଆଉ ସମର୍ଥନ କାରୀଙ୍କୁ କାବୁ କରିବାକୁ ଯାଇ ଟିୟର ଗ୍ୟାସ୍ ଓ ଲାଠି ଚାର୍ଜ ବି କରିଥିଲା ଆମେରିକା ପୋଲିସ ।

ସ୍ଥିତି ଅଣାୟତ ହେବାରୁ ଓ୍ୱାଶିଂଟନ ଡିସିରେ ୧୫ ଦିନ ଯାଏ ଇମରଜେନ୍ସି ଜାରି କରାଯାଇଛି । ଟ୍ରମ୍ପଙ୍କ ସମର୍ଥକ କ୍ୟାପିଟାଲ ବିଲ୍ଡିଂର ସୁରକ୍ଷା ଭଙ୍ଗ କରିଥିବା ନେଇ ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ, ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପ୍ରମୁଖ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି । ସେପଟେ ଏହି ହଙ୍ଗାମା ପରେ ଇନଷ୍ଟାଗ୍ରାମ, ଟୁଇଟର ଓ ଫେସ୍‌ବୁକ୍ ପକ୍ଷରୁ ଆମେରିକାର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍‌ କରାଯାଇଛି ।

୫୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା, ପୂଜକଙ୍କ ସମେତ ୩ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜଣେ ୫୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ନୃଶଂସ ଭାବେ ହତ୍ୟା କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାରେ ବଦାୟୁଁ ପୋଲିସ ଜଣେ ମନ୍ଦିର ପୂଜକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ।

ପୀଡ଼ିତା ଜଣକ ଜଣେ ଅଙ୍ଗନଓ୍ୱାଡି ସହାୟିକା ବୋଲି ଜଣାପଡ଼ିଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କୁ ଦୁର୍ବୃତ୍ତମାନେ ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି ।

ଗତ ୩ ତାରିଖ ସନ୍ଧ୍ୟାରେ ମହିଳା ଜଣକ ଘର ନିକଟ ଏକ ମନ୍ଦିରକୁ ପୂଜା କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ବର୍ଗ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ଯାହା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ ।

ସେହିଦିନ ରାତିରେ ଅଭିଯୁକ୍ତ ମାନେ ମହିଳାଙ୍କ ମୃତଦେହ ଗାଡ଼ିରେ ଆଣି ତାଙ୍କ ଘର ଆଗରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ହେଲେ ଏନେଇ ରବିବାରଠାରୁ ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସ ମଙ୍ଗଳବାର ପର୍ଯ୍ୟନ୍ତ ମାମଲା ରୁଜୁ କରିନଥିଲା ।

ଅନ୍ୟପଟେ ପୋଲିସର ଅବହେଳା ଯୋଗୁ ମହିଳାଙ୍କ ମୃତଦେହ ୪୮ ଘଣ୍ଟା ପରେ ବ୍ୟବଚ୍ଛେଦ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଆହୁରି ମଧ୍ୟ ଏଭଳି ସ୍ପର୍ଶକାତର ଘଟଣା ସମ୍ପର୍କରେ ଖବର ପାଇବା ପରେ  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଦନ୍ତ ରିପୋର୍ଟ ମାଗିଥିବା ସୂଚନା ମିଳିଛି ।

ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ ଅଫିସରେ ଭିଜିଲାନ୍ସ ରେଡ୍

ଅନୁଗୁଳ: ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବାଉଁଶ ଚାରା ରୋପଣରେ ହେର୍‌ଫେର୍ ଅଭିଯ଼ୋଗରେ ଏହି ଚଢାଉ କରିଛି ଭିଜିଲାନ୍ସ ।

ବିଭିନ୍ନ ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସର ୪୦ ଜଣିଆ ଟିମ୍। ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜରେ ବାଉଁଶ ଗଛ ଲଗାଇବାରେ ହେରଫେର୍ ହେବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଯେଉଁ ଅଭିଯୋଗ ପରେ ବନ୍ତଳା ରେଞ୍ଜ ନୂଆକ୍ଷେତା ଜଙ୍ଗଲ ଭିତରେ ଛାନଭିନ୍ କରିଛନ୍ତି ଭିଜିଲାନ୍ସ ଅଧିକାରୀ ମାନେ।

ଅଭିଯୋଗ ଅନୁସାରେ ଗତ ତିନିବର୍ଷ ତଳେ ଜଙ୍ଗଲରେ ବାଉଁଶ ଗଛ ଲଗାଇବା ସହିତ ବାଉଁଶ ବୁଦାର ବିକାଶ ଓ ସଂରକ୍ଷଣ ପାଇଁ କାମ୍ପା ପାଣ୍ଠିରୁ ବନ୍ତଳା ରେଞ୍ଜକୁ ଅନୁଦାନ ଦିଆଯାଇଥିଲା । ହେଲେ କାମ ନହୋଇ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଥିଲା।

ଏନେଇ ଲୋକାୟୁକ୍ତଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି ଲୋକାୟୁକ୍ତ ଘଟଣାର ତଦନ୍ତ କରିବାକୁ ଅନୁଗୁଳ ଭିଜିଲାନ୍ସ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲୋକାୟୁକ୍ତ ଙ୍କ ନିର୍ଦ୍ଦେଶ ପରେ ଆଜି ଭିଜିଲାନ୍ସର ୪୦ ଜଣିଆ ଟିମ୍ ଏହି ଚଢାଉ ଜାରି ରଖିଛନ୍ତି ।

ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ

ପୁରୀ: ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ସିଦ୍ଧମହାବୀର ଏନସିସି ବାଟାଲିଆନ ଅଂଚଳରୁ ପାଖାପାଖି ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି।

ଏହି ଘଟଣାରେ ସମ୍ପୃକ୍ତି ନେଇ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ। ଅଟକଥିବା ଅଭିଯୁକ୍ତ ମାନେ ରଘୁନାଥ ଦାସ ଓ ଶିବ ପ୍ରସାଦ ବେହେରା ବୋଲି ଜଣାପଡିଛି ।

ସୂଚନା ଅନୁସାରେ ବ୍ରାଉନସୁଗାର କାରବାର ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇବା ପରେ ସ୍ଥାନୀୟ ଅବକାରୀ ବିଭାଗ ଆଜି ଭୋର ୫ଟା ୩୦ମି. ସମୟରେ ଚଢ଼ାଉ କରିଥିଲା । ବାଲେଶ୍ୱରରୁ ବ୍ରାଉନସୁଗାର ଆସି ପୁରୀରେ ପହଁଚିଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରି ପ୍ରାୟ ୨୦୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ।

ତେବେ ପୂର୍ବରୁ ଅଟକ ଥିବା ଦୁଇ ଅଭିଯୁକ୍ତଙ୍କ ଉପରେ ଅବକାରୀ ବିଭାଗ ନଜର ରଖିଥିଲା ବୋଲି ସୁତ୍ରରୁ ପ୍ରକାଶ।