spot_img
Home Blog Page 6145

କେରଳ ଗୋଲ୍ଡ ସ୍ମଗ୍‌ଲିଂ ମାମଲା, ୨୦ ଜଣଙ୍କ ବିରୋଧରେ ଚାର୍ଜସିଟି

ନୂଆଦିଲ୍ଲୀ: କେରଳ ଗୋଲ୍ଡ ସ୍ମଗ୍‌ଲିଂ ମାମଲା । ୨୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟି ଦାଖଲ କଲା ଏନଆଇଏ । କେରଳରେ ସ୍ୱତନ୍ତ୍ର କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି । ୮ ମାସ ଧରି ୧୬୭ କେଜି ସୁନାର ସ୍ମଗ୍‌ଲିଂ କରିଥିଲେ ଏହି ଅଭିଯୁକ୍ତମାନେ ।

ମାମଲାରେ ୨୦ ଜଣ ଗିରଫ ହୋଇଥିବାବେଳେ ଏବେ ବି ୮ ଜଣ ଫେରାର ଥିବା ଜଣାପଡ଼ିଛି । ସେମାନଙ୍କ ବିରୋଧରେ ଛାନଭିନ୍‌ ଜାରି ରହିଛି । ଚାର୍ଜସିଟ୍ ଦାଖଲ ହୋଇଥିବା ଅଭିଯୁକ୍ତମାନେ ହେଲେ ସରୀଥ ପିଏସ, ସ୍ବପ୍ରଭା ସୁରେଶ, ଫୈସଲ ଫରିଦ, ସନ୍ଦିପ ନୟର ପ୍ରମୁଖ । ଦୁବାଇରୁ ଆସୁଥିବା ବିଭିନ୍ନ ଜିନିଷରେ ଏମାନେ ସୁନାକୁ ଲୁଚାଇ ବିଦେଶ ଚାଲାଣ କରୁଥିଲେ ।

ବିଶେଷ କରି ବାହାରିନ୍, ସାଉଦିଆରବ ଓ ମାଲେସିଆକୁ ଚାଲାଣ ହେଉଥିଲା ଏହି ସୁନା । ଯାଞ୍ଜ ସମୟରେ ଧରା ପଡିଥିବା ଅଭିଯୁକ୍ତମାନେ ଲମ୍ବା ସମୟ ଧରି ଏଭଳି କାରବାର କରି ଆସୁଥିଲେ । ୨୦୧୯ ନଭେମ୍ବରରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ୧୬୭ କେଜି ସୁନାର ସ୍ମଗ୍‌ଲିଂ କରିଥିଲେ ଅଭିଯୁକ୍ତମାନେ ।

ପୁଣି ପଦାରେ ପଡ଼ିଲା ଛାତ୍ର କଂଗ୍ରେସ କଳି, ସଭାପତିଙ୍କ ବିନା ଅନୁମତିରେ ହୋଇଥିଲା ଶୋଭାଯାତ୍ରା

ଭୁବନେଶ୍ୱର: କଂଗ୍ରେସର ଛାମୁଆ ସଂଗଠନରେ ବିବାଦ । ରାଜ୍ୟ ଛାତ୍ର କଂଗ୍ରେସ ସଭାପତିଙ୍କ ଅଜାଣତରେ ଛାତ୍ର କଂଗ୍ରେସ ନାଁରେ ରାଲି ଓ ପ୍ରତିବାଦକୁ ନେଇ ମୁହାମୁହିଁ । କାହା ଇଙ୍ଗିତରେ ଆଜି ଛାତ୍ର କଂଗ୍ରେସ ନାଁରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି, ସଂଗଠନର ସଭାପତି ପ୍ରଶ୍ନ ଉଠାଇଛନ୍ତି । ଯେଉଁମାନେ ଦଳର ଶୃଙ୍ଖଳା ଭଙ୍ଗ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି । ଯାହାକୁ ନେଇ ଛାତ୍ର କଂଗ୍ରେସ ଏବେ ଦୁଇଫାଳ ।

କିଏ ଅସଲି, କିଏ ନକଲି ? ଛାତ୍ର କଂଗ୍ରେସ ଦୁଇଫାଳ । ଏଥର ଦଳର ଛାତ୍ର ସଂଗଠନରେ ବିବାଦ ଉଗ୍ରରୂପ ନେଇଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଘେରାଉ ନିଷ୍ପତ୍ତି ନେଇ ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ୟାସିବ ନଓ୍ୱାଜ ଓ ବିରୋଧୀ ଗୋଷ୍ଠୀ ମୁହାମୁହିଁ ହୋଇଛନ୍ତି । ଛାତ୍ର କଂଗ୍ରେସ ସଭାପତିଙ୍କ କହିବା କଥା, ତାଙ୍କ ଅନୁମତି ବିନା କିଛି ଯୁବକ ଛାତ୍ର କଂଗ୍ରେସର ବ୍ୟାନରରେ ପ୍ରତିବାଦ କରିଛନ୍ତି । କାହା ଇଙ୍ଗିତରେ ଏପରି କରାଯାଇଛି, ତା’ର ଜବାବ ମଗାଯିବ । ଦଳୀୟ ଶୃଙ୍ଖଳା ଭାଙ୍ଗି ଯିଏ ଏହି ଶୋଭାଯାତ୍ରା ଓ ପ୍ରତିବାଦ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଛାତ୍ର କଂଗ୍ରେସ ସଭାପତି କହିଛନ୍ତି ।

ପ୍ରତିବାଦ ନେଇ ଛାତ୍ର କଂଗ୍ରେସ ସଭାପତି ପ୍ରଶ୍ନ ଉଠାଇବା ପରେ ଜବାବ ଦେଇଛନ୍ତି ଆନ୍ଦୋଳନକାରୀ ଛାତ୍ରନେତା । ଛାତ୍ର କଂଗ୍ରେସର କିଛି ନକଲି ସଂଗଠନ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ମାହାଙ୍ଗା ଡବଲ ମର୍ଡର ପ୍ରତିବାଦରେ ଛାତ୍ର କଂଗ୍ରେସ ନାଁରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଘେରାଉ ଓ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା । ଭୁବନେଶ୍ୱର ଶିଶୁଭବନ ଛକରେ ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି । ଅନେକ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିଲା ।

ସଫଳତା ଆଣିଲା ‘ମିଲେଟ ମିଶନ’ ଓ ‘ମୋ ଉପକରୀ ବଗିଚା’, ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ୱର: ପୁଣି ଓଡ଼ିଶାକୁ ପ୍ରଶଂସା । ରାଜ୍ୟ ସରକାରଙ୍କ ଯୋଜନାକୁ ନୀତି ଆୟୋଗଙ୍କ ସାର୍ଟିଫିକେଟ୍‌ । ସଫଳତା ଆଣିଲା ‘ମିଲେଟ ମିଶନ’ ଓ ‘ମୋ ଉପକରୀ ବଗିଚା’ । ପଛରେ ପଡ଼ିଲେ ଅନ୍ୟରାଜ୍ୟ । ପୁଷ୍ଟି ସାଧନ କ୍ଷେତ୍ରରେ ରାଜ୍ୟ ପାଇଁ ସଫଳତା ଆାଣିଛି ରାଜ୍ୟର ଦୁଇ ଯୋଜନା- ମିଲେଟ ମିଶନ ଓ ମୋ ଉପକରୀ ବଗିଚା ।

ଦୁଇ ଯୋଜନାକୁ ପ୍ରଶଂସା କରିଛନ୍ତି ନୀତି ଆାୟୋଗ । ଗର୍ଭବତୀ, ପ୍ରସୂତି, କିଶୋରୀ ଓ ଶିଶୁଙ୍କ ଖାଦ୍ୟ ସାରଣୀରେ ବିବିଧତା ଆଣିବା ସହ ପୁଷ୍ଟି ସାଧନ କ୍ଷେତ୍ରରେ ସଫଳ ରୂପାୟପନ ଯୋଗୁଁ ଏହି ସଫଳତା ମିଳିଛି । ୨୦୧୭ ମସିହାରେ ରାଜ୍ୟ ସରକାର ମିଲେଟ ମିଶନ ଆରମ୍ଭ କରିଥିଲେ । ଶିଶୁ ବିକାଶ ଯୋଜନା, ସ୍କୁଲରେ ମଧ୍ୟାହ୍ନ ଭୋଜନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆକୁ ସାମିଲ କରିବା ପାଇଁ ବହୁମୁଖୀ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

ପାଇଲଟ ପ୍ରୋଜେକ୍ଟ ଭାବେ କେନ୍ଦୁଝର ଜିଲ୍ଲାର ୩୩୫ଟି ଅନଙ୍ଗବାଡ଼ି କେନ୍ଦ୍ରରେ ଶିଶୁଙ୍କ ଖାଦ୍ୟରେ ସାମିଲ ହୋଇଥିଲା ମାଣ୍ଡିଆ । ସୁନ୍ଦରଗଡ଼ରେ ମଧ୍ୟ ଏହି ଯୋଜନାର ସଫଳ ରୂପାୟନ କରାଯାଇଛି । ଯାହାକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି । ନୀତି ଆୟୋଗଙ୍କ ପ୍ରଶଂସା ରାଜ୍ୟ ସରକାରଙ୍କୁ ଉତ୍ସାହିତ କରିଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ୨୦୧୯ରୁ ମୋ ଉପକାରୀ ବଗିଚା ଯୋଜନା କାର୍ଯ୍ୟକାରୀ ହେଉଛି । ବିଶେଷକରି ଅନଙ୍ଗବାଡ଼ି କେନ୍ଦ୍ରରେ ଏହି ଯୋଜନା ମାଧ୍ୟମରେ ୧୭ ହଜାର ବଗିବା ସୃଷ୍ଟି କରାଯାଇଛି । ତେବେ ଏହି ଦୁଇ ଯୋଜନାକୁ ନୀତି ଆାୟୋଗ ପ୍ରଶଂସା କରିବା ପରେ ଏହାକୁ ବିରୋଧୀ ସହଜରେ ହଜମ କରିପାରୁନାହାନ୍ତି । ରାଜ୍ୟର ଗ୍ରାମାଞ୍ଚଳରେ ପୁଷ୍ଟିହୀନତା ଦୂର ପାଇଁ ଉଦ୍ଧିଷ୍ଟ ଏହି ଦୁଇ ଯୋଜନା ଓଡ଼ିଶାକୁ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଦେଇଛି ।

କଟକ ମହାନଦୀ ପାଳଟିଛି ଡିଜାଷ୍ଟର ରେସକ୍ୟୁ ଅପରେସନର ଟ୍ରେନିଂ ସେଣ୍ଟର

କଟକ: କଟକ ମହାନଦୀ ଏବେ ପାଳଟିଛି ଡିଜାଷ୍ଟର ରେସକ୍ୟୁ ଅପରେସନର ଟ୍ରେନିଂ ସେଣ୍ଟର । ଏହାର ଗଭୀର ଜଳରାଶି ପ୍ରଶିକ୍ଷଣ ପାଇଁ ପାଲଟିଛି ଉପଯୁକ୍ତ ସ୍ଥାନ । ଫଳରେ ଏଠାରା ଶିକ୍ଷା ଗ୍ରହଣ ପାଇଁ ଟାଣି ହୋଇ ଆସନ୍ତି ରାଜ୍ୟ ବାହାରର ଅନେକ ପୋଲିସ ଓ ଫାୟାରା ବ୍ରିଗେଡ, ଡିଜାଷ୍ଟର ରେସପନସ ଫୋର୍ସ । ଏବେ ପୁଣି ଥରେ ଉତ୍ତରପ୍ରଦେଶ ପୋଲିସର ତୃତୀୟ ଡିଜାଷ୍ଟର ରେସ୍‌ପନ୍‌ସ ଫୋର୍ସର ଅନେକ ଯବାନ ଟ୍ରେନିଂ ପାଇଁ ଆସିଛନ୍ତି । ଆଉ ଏମାନଙ୍କ ଟ୍ରେନର ସାଜିଛନ୍ତି ଜଣାଶୁଣା ସ୍କୁବା ଡାଇଭର ସବୀର ବକ୍ସ ଓ ଟିମ୍‌ ।

ପୂର୍ବରୁ ୟୁପିର ଦୁଇଟି ଟିମ୍‌ ସନ୍ତରଣ ଓ ଡାଇଭିଂ ଟ୍ରେନିଂ ନେଇ ଫେରିଛନ୍ତି । ଏବେ ନୂଆ ବର୍ଷରେ ତୃତୀୟ ଟିମ୍‌ର ପ୍ରଶିକ୍ଷଣ ଜୋରସୋରରେ ଚାଲିଛି । ପ୍ରଶିକ୍ଷଣ ନେଉଥିବା ଯବାନ ମାନେ ବେଶ୍‌ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ଉତ୍ତର ପ୍ରଦେଶ ପୋଲିସ ଟିମ୍‌ର ପ୍ରତିଟି ବ୍ୟାଚ୍‌ର ପ୍ରଶିକ୍ଷଣରେ ଓଡିଶା ସରକାରଙ୍କ ବିଶେଷ ସହଯୋଗ ମିଳୁଥିବାରୁ ଟ୍ରେନର ଖୁସି ପ୍ରକଟ କରିଛନ୍ତି ।

ପାର୍କ ନୁହେଁ ପୋଲିସ ଷ୍ଟେସନ୍‌ ! ଦେଖିଲେ ବିଶ୍ୱାସ ହେଉନି…

ଭୁବନେଶ୍ୱର: କମିଶନରେଟ ପୋଲିସର କ୍ଳିନ କ୍ୟାମ୍ପସ ଅଭିଯାନ । ବଦଳିଲା ଥାନା ପରିବେଶ । ଭୁବନେଶ୍ୱରରେ ବଭିନ୍ନ ଥାନାରେ ପାର୍କର ଭ୍ରମ । ଫୁଲର ଗାଲିଚା ସାଙ୍ଗକୁ କୃତ୍ରିମ ଝରଣା । ସାଧାରଣରେ ଥାନା ନାଁ ଶୁଣିଲେ ଲୋକ ମାନେ ଭୟଭୀତ ହୋଇଥାନ୍ତି । ଲୋକଙ୍କ ମନରେ ପୋଲିସ ପ୍ରତି ଥିବା ଧାରଣା ଓ ଭୟକୁ ଦୂର କରିବା ମୁଖ୍ୟ ଲକ୍ଷ୍ୟ । ମୋ ସରକାର ଆସିଲା ପରେ ପ୍ରତି ଥାନାର ଚିତ୍ର ସହ ଲୋକଙ୍କ ମନର ଧାରଣା ବଦଳିବାରେ ଲାଗିଛି । ପୋଲିସ ଲୋକଙ୍କୁ ଦୁର୍ବ୍ୟବହାର ନୁହେଁ, ପୋଲିସ ବନ୍ଧୁ ଭଳି କାର୍ଯ୍ୟ କରୁଛି ।

ପୋଲିସ୍ ଥାନାରେ ଏବେ ଚୋରା ବାଇକ ଗଦା ନୁହେଁ, ଫୁଲର ବଗିଚା ଦେଖିବାକୁ ମିଳୁଛି । ଥାନା କାନ୍ଥରେ ଝଲସୁଛି ଐତିହ୍ୟ ଓ ସଂସ୍କୃତିର ଚିତ୍ର । ପାହଡ଼ ଉପରୁ ଝରି ଆସୁଛି ପାଣି । କୁଳୁ କୁଳୁ ଝରଣାର ଶବ୍ଦ ସାଙ୍ଗକୁ ବୁଦ୍ଧଙ୍କ ଶାନ୍ତି ସ୍ତୁପ । ଯାହା କି କୌଣସି ପାର୍କ କି ପର୍ଯ୍ୟଟନ ସ୍ଥଳିର ଠାରୁ କମ୍‌ ନୁହେଁ ।

ଭୁବନେଶ୍ୱର କମିଶନରେଟ ପୋଲିସର ସର୍ବ ପୁରାତନ ଚନ୍ଦକା ଥାନା । ଖାକି ହାତରେ ବନ୍ଧୁକ କି ରୋଲ ବାଡି ନୁହେଁ । ସାଧରଣ ମଣିଷ ପରି ଥାନା ବାବୁ ଫୁଲ ଗଛରେ ପାଣି ଦେବା ସହ ଘାସ ଉପାଡୁଛନ୍ତି । ଥାନା କ୍ୟାମ୍ପସ ଭିତରେ ଘାସର ଗାଲିଚା ସାଙ୍ଗକୁ ରଙ୍ଗ ବେରଙ୍ଗର ଫୁଲର ସମ୍ଭାର । ପିପୁଲ-ଫ୍ରେଣ୍ଡଲି ପୋଲିସ ସେବା ଦେବାକୁ ଏହେଉଛି ଥାନର ପ୍ରୟାସ ।

କେବଳ ଚନ୍ଦକା ନୁହେଁ ଭୁବନେଶ୍ୱର ୟୁପିଡିର ବିଭିନ୍ନ ଥାନାରେ ଏଭଳି କ୍ଳିନ କ୍ୟାମ୍ପସ ଦେଖିବାକୁ ମିଳିଛି । ସେହିଭଳି ଏୟାରଫିଲ୍ଡ ଥାନା କାନ୍ଥ କହୁଛି ଓଡିଶାର କଳା ସଂସ୍କୃତିର କାହାଣୀ । କ୍ୟାମ୍ପସ ଭିତରେ ମନ୍ଦିର ସାଙ୍ଗକୁ ମନୋରମ ବଗିଚା ମନ ମୋହୁଛି । ଷ୍ଟାଫ୍‌ ଫିଟ୍‌ ରହିବା ପାଇଁ ଥାନା ଭିତରେ ରହିଛି ଜିମ୍‌ । ରାଜ୍ୟ ତଥା ରାଜ୍ୟ ବାହରର ରଙ୍ଗବେରଙ୍ଗର ଫୁଲ ଲାଗିଛି । ସେହିଭଳି ଧଉଳି ଥାନା କାନ୍ଥରେ ଦେଖିବାକୁ ମିଳିଛି ଓଡିଶାର ପଟ୍ଟଚିତ୍ର, ଐତିହ୍ୟ କଳାକୃତି, ଝୋଟି ସାଙ୍ଗକୁ ମନ୍ଦିରର ଚିତ୍ର । କ୍ୟାପିଟାଲ ଥାନାର ପରିସରରେ ମଧ୍ୟ ସୃଷ୍ଟି କରାଯାଇଛି ମନୋରମ ପରିବେଶ ।

ଉଚ୍ଛେଦ ବେଳେ ହଟ୍ଟହଟା ହେଲା BDA, ମହିଳା ଗୋଷ୍ଠୀ ଦେଲେ ସାମୂହିକ ଆତ୍ମହତ୍ୟା ଧମକ

ଭୁବନେଶ୍ୱର: ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ହଟହଟା ହେବାକୁ ପଡିଛି ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡକୁ । ମହିଳା ସ୍ୱୟଂସହାୟିକା ଗୋଷ୍ଠି ସଦସ୍ୟାଙ୍କ ପ୍ରତିବାଦ ଓ ଆତ୍ମହତ୍ୟା ଧମକ ପରେ ପଛଘୁଞ୍ଚା ଦେଇଛି ବିଡିଏ । ଘଟଣା ସ୍ଥଳରେ ଦୀର୍ଘ ସମୟ ଧରି ଲାଗି ରହିଥିଲା ଚାପା ଉତ୍ତେଜନା । ବଡ଼ଗଡ଼ ବ୍ରିଟ୍ କଲୋନୀର ଏହି ଦୃଶ୍ୟ ସମଗ୍ର ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

 ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ୍ କଲୋନୀରେ ସାଇ ଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ଦଖଲରେ ସରକାରୀ ଜମି । ଦୀର୍ଘ ଦିନ ଧରି ଏହି ଜମିରେ ନିଜ କାର୍ଯ୍ୟାଳୟ କରି ସମ୍ପୃକ୍ତ ଅଞ୍ଚଳର ବହୁ ମହିଳା ସ୍ୱାବଲମ୍ବୀ ହୋଇଆସୁଥିଲେ । ଜବରଦଖଲ ଉଚ୍ଛେଦ କରିବାକୁ ଘଟଣାସ୍ଥଳରେ ପୋଲିସ ସହ ପହଁଞ୍ଚିଥିଲା ବିଡିଏ ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡ । ଡାକବାଜି ଯନ୍ତ୍ର ଯୋଗେ ଅଞ୍ଚଳ ଖାଲି କରିବାକୁ ଘୋଷଣା କରାଯାଇଥିଲା । ତେବେ ହଠାତ୍ ସାଇ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠିର କାର୍ଯ୍ୟାଳୟକୁ ଉଚ୍ଛେଦ କରିବା ପାଇଁ ବିଡିଏର ଉଦ୍ୟମକୁ ତୀବ୍ର ବିରୋଧ କରିଥିଲେ ମହିଳା । କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ କରି ଉଚ୍ଛେଦକୁ ବିରୋଧ କରିଥିଲେ । ଏପରିକି ନିଜେ ପ୍ରସ୍ତୁତ କରିଥିବା ଫିନାଇଲ ବୋତଲ ଧରି ସାମୁହିକ ଆତ୍ମାହତ୍ୟା ଧମକ ମଧ୍ୟ ଦେବାକୁ ପଛାଇ ନଥିଲେ ମହିଳା ଗୋଷ୍ଠୀ । ଫଳରେ ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ଚାପା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପୂର୍ବରୁ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ତଥାପି ପୁଣି ସେଠାରେ ନିର୍ମାଣ କାର୍ଯ୍ୟ କରାଯାଇଥିଲା । ଯାହାକୁ ଉଚ୍ଛେଦ ପାଇଁ ଆସିଥିବାବେଳେ ଏନ୍‌ଫୋର୍ସମେଣ୍ଟ ଟିମକୁ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଛି । ବର୍ତ୍ତମାନ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖାଯାଇ ଥିଲେ ସୁଦ୍ଧା ଆଗକୁ ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଏନ୍‌ଫୋର୍ସମେଣ୍ଟ ଅଧିକାରୀ ।

ବୟସ ୫୦ରୁ ଅଧିକ ହେଲେ ବାର୍ଦ୍ଧକ୍ୟ ଛୁଇଁନି, ଏବେ ବି ମାଟି ସାଙ୍ଗେ ଲଢ଼େଇ କରି କରୁଛନ୍ତି ଫୁଲ ଚାଷ

ଗଞ୍ଜାମ: ପରିଣତ ବୟସରେ ଫୁଲ ଚାଷ । ରାତି ଦିନ ଏକ କରି ନିଜ ଜମିରେ ଭଳି କି ଭଳି ଫୁଲ ଚାଷ କରୁଛନ୍ତି ବୃଦ୍ଧ । ଆଉ ଏହାକୁ ବିକ୍ରି କରି ଦିପଇସା ରୋଜଗାର କରୁଛନ୍ତି ନଟବର । ଏଥିପାଇଁ ସରକାରଙ୍କ ପକ୍ଷରୁ ନଟବରଙ୍କୁ କୌଣସି ପ୍ରୋତ୍ସାହନ ମିଳିନାହିଁ । କି ସରକାରଙ୍କ ପକ୍ଷରୁ କୌଣସି ତାଲିମ ମଧ୍ୟ ଦିଆଯାଇନାହିଁ । ତେବେ ସରକାରୀ ପ୍ରୋତ୍ସାହନ ମିଳିଲେ ଆଗକୁ ଅଧିକ ଚାଷ କରିବେ ବୋଲି ଆଶା ରଖିଛନ୍ତି ସେ ।

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ସାହସପୁରର ନଟବର ନାହାକ । ବୟସ ଟପିଲାଣି ୫୦ । ହେଲେ ଏପର୍ଯ୍ୟନ୍ତ ଏହି ବୃଦ୍ଧଙ୍କୁ ଛୁଇଁ ନାହିଁ ବାର୍ଦ୍ଧକ୍ୟ । ପରିଣତ ବୟସରେ ମାଟିର ମଣିଷ ପରି ମାଟି ହୋଇ ସଂଘର୍ଷ କରୁଛନ୍ତି । ଆଉ ନିଜ ଅଳ୍ପ କେଇ ଖଣ୍ଡ ଜମିରେ ଫୁଲ ଚାଷ କରୁଛନ୍ତି । ବିଭିନ୍ନ ପ୍ରକାର ଗେଣ୍ଡୁ, ଗୋଲାପ, ସେବତୀ ସାଙ୍ଗକୁ ଭଳି କି ଭଳି ଫୁଲ ଚାଷ କରୁଛନ୍ତି ନଟବର । ଆଉ ଏହାକୁ ବିକ୍ରି କରି ଦିପଇସା ରୋଜଗାର କରୁଛନ୍ତି ।

ଫୁଲଚାଷ କରିବା ପାଇଁ ନଟବରଙ୍କୁ କୌଣସି ପ୍ରୋତ୍ସାହନ ମିଳିନାହିଁ । କି ସରକାରଙ୍କ ପକ୍ଷରୁ କୌଣସି ତାଲିମ ମଧ୍ୟ ଦିଆଯାଇନାହିଁ । ମାତ୍ର ନିଜ ଇଚ୍ଛାଶକ୍ତି ବଳରେ ଜଣେ ସଫଳ ଫୁଲଚାଷୀ ହୋଇପାରିଛନ୍ତି ନଟବର । ଅନ୍ୟପଟେ ନଟବର ଚାହିଁଲେ ଫୁଲଚାଷ ପାଇଁ ତାଙ୍କୁ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦାୟିତ୍ୱରେ ଥିବା ହର୍ଟିକଲଚର ଅଧିକାରୀ ।

ମୋହମାୟା ବାନ୍ଧି ପାରିଲାନି, କୋଟିକୋଟି ସମ୍ପତ୍ତି ଛାଡି ହେଲେ ଜୖେନ ଭିକ୍ଷୁ

ନୂଆଦିଲ୍ଲୀ: ଜୀବନକୁ ସୁଖ ସ୍ୱାଚ୍ଛନ୍ଦରେ ଅତିବାହିତ କରିବା ଲାଗି ଏବେକା ସମୟରେ ସମସ୍ତେ ଲାଗି ପଡିଛନ୍ତି । ହେଲେ ଦୁନିଆରେ ଏଭଳି ଲୋକ ମଧ୍ୟ ରହିଛନ୍ତି ଯେଉଁମାନେ ଅଚଳାଚଳ ସମ୍ପତ୍ତିକୁ ଛାଡି ଆଧ୍ୟାତ୍ମିକ ପଥ ଅନୁସରଣ କରିଛନ୍ତି। ଆଉ କେହିକେହି ଘରଦ୍ୱାର ଛାଡି ସାଧୁସନ୍ଥ ହୋଇଛନ୍ତି ।

ଆସନ୍ତୁ ଜାଣିବା ସେଭଳି କିଛି ବ୍ୟକ୍ତିଙ୍କ ସମ୍ପର୍କରେ…

ହଂକଂର ହୀରା ବ୍ୟବସାୟୀ-

ହଂକଂ ବାସିନ୍ଦା ପ୍ୟାରୀ ଶାହା (୨୩) ତାଙ୍କ ଜେଜେମା ଇନ୍ଦୁବେନ୍ ଶାହା ଏବଂ ମାତା ହେତଲବେନ୍ ରାମଚନ୍ଦ୍ର ସମ୍ପ୍ରଦାୟର ସାଧ୍ୱୀ ହିତଦର୍ଶନୀଶ୍ରୀଜିଙ୍କ ମାର୍ଗ ଅନୁସରଣ କରି ଦୀକ୍ଷା ନେଇଥିଲେ । ଏହି ତିନିଜଣ ମହିଳା ହଂକଂର ଏକ ପ୍ରମୁଖ ହୀରା ଫାର୍ମ ପରିବାରର ସଦସ୍ୟ । ଅଚଳାଚଳ ସମ୍ପତ୍ତି ମଧ୍ୟ ସେମାନଙ୍କୁ ଆକର୍ଷିତ କରିପାରିନାହିଁ । ବର୍ତ୍ତମାନ ସେମାନେ ନିଜ ଜୀବନକୁ ଜୖେନ ଭିକ୍ଷୁ ଭାବରେ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି ।

୨୪ ବର୍ଷୀୟ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ହେଲେ ଜୖେନ ଭିକ୍ଷୁ-

୨୦୧୮ ମସିହା ଏପ୍ରିଲ ମାସରେ ଜଣେ ୨୪ ବର୍ଷୀୟ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ (ସିଏ) ଜୖେନ ଭିକ୍ଷୁ ହେବାକୁ ନିଷ୍ପତ୍ତି ନେଇଥିଲେ । ମୁମ୍ବାଇର ଏକ ବ୍ୟବସାୟିକ ପରିବାରରୁ ଆସିଥିବା ମୋକ୍ଷେଶ ସେଠ କୋଟି କୋଟି ସମ୍ପତ୍ତି ଛାଡି ଆଧ୍ୟାତ୍ମିକ ମାର୍ଗ ଆପଣାଇଥିଲେ । ଗାନ୍ଧିନଗର-ଅହମ୍ମଦାବାଦ ରାସ୍ତାରେ ଥିବା ତପୋବନ ସର୍କଲରେ ଆୟୋଜିତ ଏକ ସମାରୋହରେ ସେ ଜୖେନ ଭିକ୍ଷୁରେ ପରିଗଣିତ ହୋଇଥିଲେ । ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ମୋକ୍ଷେଶ କୁହନ୍ତି ଯେ ସେ ଶାନ୍ତି ଚାହୁଁଥିଲେ ହେଲେ ତାହା ଭୗେତିକ ଜଗତରେ ମିଳିପାରୁନଥିଲା । ଯେଉଁଥିପାଇଁ ସେ ଏଭଳି ପଥ ଅନୁସରଣ କଲେ ।

୩ ବର୍ଷର ଝିଅକୁ ଛାଡି ଦୀକ୍ଷା ନେଲେ ଏହି ଦମ୍ପତ୍ତି

୨୦୧୭ ମସିହାରେ ମଧ୍ୟପ୍ରଦେଶର ନିମୁଚରେ ଜଣେ ଦମ୍ପତ୍ତି ନିଜ ୩ ବର୍ଷର ଝିଅକୁ ଛାଡି ଦୀକ୍ଷା ନେଇଥିଲେ । ଯାହା ସେସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେପ୍ଟେମ୍ବର ୨୩ରେ ସ୍ୱାମୀ ସୁମିତ ପ୍ରଥମେ ଦୀକ୍ଷା ନେଇଥିବା ବେଳେ ପରେ ତାଙ୍କ ପତ୍ନୀ ଅନାମିକା ଦୀକ୍ଷା ନେଇଥିଲେ । ୧୦୦ କୋଟି ଟଙ୍କାର ସମ୍ପତ୍ତି ଓ ଝିଅ ମୋହ ଛାଡି ସେ ପରିଶେଷରେ ଜୖେନ ଭିକ୍ଷୁ ହୋଇଥିଲେ ।

ନବମ ରାଜ୍ୟ ସୁଟିଂ ସ୍ପୋର୍ଟ୍ସ ପ୍ରତିଯୋଗିତାରେ ବେଷ୍ଟ ସୁଟର ରାଣା ପ୍ରତାପ ବ୍ରହ୍ମା

ଭୁବନେଶ୍ୱର: ନବମ ରାଜ୍ୟ ସୁଟିଂ ସ୍ପୋର୍ଟ୍ସ ପ୍ରତିଯୋଗିତା ଉଦଯାପିତ । ରାଜ୍ୟ ରାଇଫଲ ସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ଜାନୁଆରୀ ୧ ତାରିଖ ଠାରୁ ଆରମ୍ଭ ହୋଇ ମଙ୍ଗଳବାର ୫ ତାରିଖରେ ଶେଷ ହୋଇଛି । ଜାନୁଆରୀ ୧ ଓ ୨ ତାରିଖରେ ୨୨ ରାଇଫଲ ଓ ୨୨ ପିସ୍ତଲ (୨୫ ମିଟର) ଫାୟାରିଂ ପ୍ରତିଯୋଗିତା ନରାଜ ଫାୟାରିଂ ରେଞ୍ଜରେ କରାଯାଇଥିଲା । ପରେ ୩ ତାରିଖ ୪ ତାରିଖ ଓ ୫ ତାରିଖରେ ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ପରିସରରେ ଥିବା ଇଲେକ୍ଟ୍ରୋନିକ୍ ରେଞ୍ଜ‌ରେ ୧୦ ମିଟର ଫାୟାରିଂ ପ୍ରତିଯୋଗିତା କରାଯାଇଥିଲା ।

କୋଭିଡ୍‌ କଟକଣା ଭିତରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ପୁରୁଷ ବର୍ଗରେ ବେଷ୍ଟ ସୁଟର ଭାବେ ରାଣା ପ୍ରତାପ ବ୍ରହ୍ମା ବିବେଚିତ ହୋଇଥିବା ବେଳେ ମହିଳା ବର୍ଗରେ ବେଷ୍ଟ ସଟର ପୁରସ୍କାର ପ୍ରୀୟା ପ୍ରତିଶ୍ରୁତି ବେହେରାଙ୍କୁ ମିଳିଛି ।

ବଢୁଛି FASTagର ଚାହିଦା, ଟୋଲ୍ କଲେକ୍ସନ୍ କାରବାର ୧.୩୬ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ: ଏବେ ଡିଜିଟାଲ୍ କାରବାରକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ୨୦୨୦ରେ ଇଲେକ୍ଟ୍ରୋନିକ୍ ଟୋଲ୍ କଲେକ୍ସନ୍ ସିଷ୍ଟମ ଫାସଟାଗର ଚାହିଦା ବଢିଛି । ଗତ ଡିସେମ୍ବର ମାସରେ ଏହା ମାଧ୍ୟମରେ ଟୋଲ୍ କଲେକ୍ସନ୍ ମାଧ୍ୟମରେ କାରବାର ସଂଖ୍ୟା ୧.୩୬ କୋଟି ବୃଦ୍ଧି ପାଇଛି ବୋଲି ମଙ୍ଗଳବାର ଦିନ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଆହୁରି ମଧ୍ୟ ଡିସେମ୍ବରରେ ଫାସଟାଗ ଜରିଆରେ ୧୩.୮୪ କୋଟି ଟଙ୍କାର କାରବାର କରି ରେକର୍ଡ କରିଛି । ନଭେମ୍ବର ମାସରେ ୧୨.୪୮ କୋଟି କାରବାର ତୁଳନାରେ ୧୦.୮୩ ପ୍ରତିଶତ ଅଧିକ ଅଟେ।

ସେହିପରି ଡିସେମ୍ବରରେ ଫାସଟାଗ ମାଧ୍ୟମରେ ଟୋଲ ସଂଗ୍ରହ ୨୦୧ କୋଟିରୁ ଅଧିକ ବୃଦ୍ଧି ପାଇ ୨.୩୦୩.୭୯ କୋଟିରେ ପହଞ୍ଚିଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ପ୍ରାୟ ୨.୩୦ କୋଟିରୁ ଅଧିକ ଫାସଟାଗ ବ୍ୟବହାରକାରୀ ରହିଥିବା ବେଳେ ଏଥିରେ ମୋଟ ଟୋଲ ସଂଗ୍ରହର ୭୫ ପ୍ରତିଶତରୁ ଅଧିକଙ୍କର ଯୋଗଦାନ ରହିଛି । ତେବେ ୨୦୨୧ ମସିହା ଫେବୃଆରୀ ୧୫ ତାରିଖ ବେଳକୁ ଇ-ଟୋଲିଂ ମାଧ୍ୟମରେ ଶତପ୍ରତିଶତ ଟୋଲ ପେମେଣ୍ଟ ଆଦାୟ କରାଯିବାକୁ ଲକ୍ଷ୍ୟ ରହିଛି ବୋଲି ସୂଚନା ମିଳିଛି ।

ଫାସଟାଗ୍ କଣ ?

ଫାସଟାଗ୍ ହେଉଛି ଏକ ଇଲେକ୍ଟ୍ରୋନିକ୍ ଟ୍ୟାଗ୍ ବ୍ୟବସ୍ଥା । ଏହା ଏକ ପ୍ରି-ପେଡ୍ ଟ୍ୟାଗ୍ ସର୍ଭିସ୍ । ଥରୁଟିଏ ଏହା ଆକ୍ଟିଭ୍ ହେବା ପରେ ଗାଡ଼ିର ଓ୍ୱିଣ୍ଡସ୍କ୍ରିନରେ ଏହାକୁ ଲଗାଇ ଦିଆଯିବ । ଟୋଲ୍ ଗେଟରେ ଥିବା ଏଣ୍ଟିନା ଫାସଟାଗ୍ ଲାଗିଥିବା ଗାଡିକୁ ତୁରନ୍ତ ରେଡିଓ ଫ୍ରିକ୍ୱେନ୍ସିରେ ସ୍କାନ କରିପାରିବ । ଗାଡ଼ି ଚାଲୁଥିବା ଅବସ୍ଥାରେ ଏହାକୁ ସ୍କାନ୍ କରି ଆପେ ଆପେ ଛାଡ଼ିଦେବ।

ଫାସଟାଗ୍ ବ୍ୟବସ୍ଥା ଲାଗୁ ହେବା ପରେ, ଟୋଲ ଗେଟ ଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ କରାଯିବା ସହ, ଡିଜିଟାଲ୍ ପେମେଣ୍ଟ ମଧ୍ୟ ସହଜ ହୋଇପାରିବ । ଅଧିକ ସମୟଧରି ଆଉ ଟୋଲ୍ ଗେଟରେ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।