ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ମେଟ୍ରୋ ରେଲ ପ୍ରକଳ୍ପ ଟେଣ୍ଡର ବାତିଲ ହେବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ, ଭୁବନେଶ୍ବରକୁ ଏକ ବିଶ୍ବସ୍ତରୀୟ ସହରରେ ପରିଣତ କରିବା ଥିଲା ବିଜେଡି ସରକାରର ସ୍ବପ୍ନ । ଭୁବନେଶ୍ବରରେ ବିଶ୍ବସ୍ତରୀୟ କ୍ରୀଡା ଭିତ୍ତିଭୂମୀ ସାଙ୍ଗକୁ ଆନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିସହିତ ଆଧୁନିକ ପରବହନ ସେବା ସାଙ୍ଗକୁ ଆଇଟି ଭିତ୍ତିଭୂମୀ ସୃଷ୍ଟି କରାଯାଇ ମନ୍ଦିରମାଳିନୀ ସହରକୁ ବିଶ୍ବସ୍ତରୀୟ ସହରରେ ପରିଣତ କରିବାକୁ ଉଦ୍ୟମ କରୁଥିଲା ବିଜେଡି ସରକାର । ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ସହରର ସମ୍ପ୍ରସାରଣ ଓ ମୋ ବସ ରୁଟ ସହ ତାଳ ଦେଇ ସମ୍ପ୍ରସାରିତ କରିବାର ଥିଲା । ସହର ମଧ୍ୟରେ ଭିଡ ବୃଦ୍ଧି କରିବା ପରିବର୍ତ୍ତେ ସହରର ସମ୍ପ୍ରସାରଣ ଜୁରୁରୀ । ମେଟ୍ରୋ ସହର ଭଳି ଆବଶ୍ୟକତାକୁ ଉପଲବ୍ଧୀ କରି ବିଜେଡି ସରକାର ୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ କାମ ସାରିବାକୁ ଟାର୍ଗେଟ କରିଥିଲା । କିନ୍ତୁ ଏବେ ଏହି ପ୍ରକଳ୍ପ ପାଇଁ ହୋଇଥିବା ଟେଣ୍ଡରକୁ ବାତିଲ କରିଦିଆଯାଇଛି । ଡବଲ ଇଂଜିନ ସରକାର ଓଡିଶାବାସୀଙ୍କୁ ଧୋକା ଦେଇଛି ବୋଲି ନବୀନ କହିଛନ୍ତି । ବିଜେପି ସରକାରଙ୍କ ଏହି ନିଷ୍ପତ୍ତି ସହରକୁ ଆହୁରି ୧୦ ବର୍ଷ ପଛକୁ ଠେଲିଦେବ ବୋଲି ନବୀନ କହିଛନ୍ତି ।
ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ନୀତିଶଙ୍କୁ ଟାର୍ଗେଟ କଲେ ଚିରାଗ ପାଶଓ୍ବାନ
ନନ୍ଦିଘୋଷ ବ୍ୟୁରୋ: ଆଗକୁ ବିହାର ନିର୍ବାଚନ ହେବାକୁ ଥିବାବେଳେ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ଖବରମାନ ନଜର ଆସୁଥିବାବେଳେ ଏବେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ବାନ ନୀତିଶ କୁମାରଙ୍କ ସରକାରକୁ ଟାର୍ଗେଟ କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସେ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି କି, ବିହାରରେ ଗୋଟିଏ ପରେ ଗୋଟିଏ ଅପରାଧିକ ଘଟଣାମାନ ଘଟୁଛି । କିନ୍ତୁ ପ୍ରଶାସନ ଅପରାଧୀଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବା ଭଳି ହେଉଛି । କାହିଁକି ବିହାରରେ ବାରମ୍ବାର ଏଭଳି ଘଟଣା ଘଟୁଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ବିହାରରେ ଗୋଟିଏ ପରେ ଗୋଟିଏ ଅପରାଧିକ ଘଟଣାମାନ ଘଟିବାରେ ଲାଗିଛି । ତଥାପି ପ୍ରଶାସନ ଏହାକୁ ରୋକିବାରେ ବିଫଳ ହେଉଛି । ଯେଉଁମାନେ ତାଙ୍କ ପରିବାର ଲୋକଙ୍କୁ ହରାଇଛନ୍ତି କେତେ କଷ୍ଟରେ ରହିଥିବେ ତାହା ସମସ୍ତଙ୍କୁ ଜଣା । ପ୍ରଶାସନ ନିଜର ଦୋଷ ମାନୁନଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରି ପାରୁନି । ଏହାସହ ଚିରାଗ କହିଛନ୍ତି କି, ମୁଁ ଦୁଃଖିତ କି, ଏଭଳି ଏକ ସରକାରକୁ ସମର୍ଥନ କରୁଥିଲି । ବିହାରୀମାନେ ସୁରକ୍ଷିତ ନୁହଁନ୍ତି, ସରକାର ସମୟ ଥାଉ ଥାଉ ସଜାଗ ହୁଅନ୍ତୁ । ନିକଟରେ ବିହାରରେ ଦୁଇଟି ବଡ଼ ଘଟଣା ଘଟିଛି । ଜଣେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଥିବାବେଳେ ଅନ୍ୟଜଣେ ଗ୍ୟାଙ୍ଗଷ୍ଟାରଙ୍କୁ ମେଡିକାଲରେ ମଧ୍ୟ ଗୁଳି କରାଯାଇଛି । ଯାହାକୁ ନେଇ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଉଠିଛି ।
ପାଣିରେ ବୁଡ଼ି ୨ ଛାତ୍ରଛାତ୍ରୀ ମୃତ
ନନ୍ଦିଘୋଷ ବ୍ୟୁରୋ: ପାଣିରେ ବୁଡ଼ି ମେଡିକାଲ ପଢୁଥିବା ଜଣେ ଛାତ୍ର ଓ ଜଣେ ଛାତ୍ରୀ ମୃତ। ବୁର୍ଲା ଭିମସାରରେ ପଢୁଥିଲେ ଦୁଇ ଛାତ୍ରଛାତ୍ରୀ। ଉଭୟେ ଶେଷ ବର୍ଷର ଛାତ୍ରଛାତ୍ରୀ। ଦେବଝରନ ନିକଟରେ ପାଣିରେ ବୁଡି ଯାଇଥିବା ସୂଚନା। ଉଭୟ ମୃତକ ହେଲେ ଛାତ୍ର ସନ୍ଦୀପ ପୁରୀ ଓ ଛାତ୍ରୀ ମୋନିକା ମୀନା। ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଉଭୟଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି।

