spot_img
Home Blog Page 6180

ଚିନ୍ତା ବଢାଉଛି ନୂଆ ଷ୍ଟ୍ରେନ୍, ଭାରତରୁ ୬ ବ୍ରିଟେନ୍ ଫେରନ୍ତା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିନ୍ତା ବଢାଇଥିବା ବେଳେ ଏବେ ଏହି ‌ କରୋନାର ନୂଆ ଷ୍ଟ୍ରେନ୍ ଭାରତରେ‌ ଚିହ୍ନଟ ହୋଇଛି । ନୂଆ ଭୂତାଣୁରେ ସଂକ୍ରମିତ ୬ ବ୍ରିଟେନ୍ ଫେରନ୍ତା ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ବାଙ୍ଗାଲୋର ଲ୍ୟାବରୁ ୩ ଜଣଙ୍କ ନମୁନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ହାଇଦ୍ରାବାଦରୁ ୨ ଓ ପୁନେ ସ୍ଥିତ ଲ୍ୟାବରୁ ଜଣେ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କୁ ସରକାରୀ ସଂଗରୋଧ ଗୃହରେ ରଖାଯାଇଛି ।

ଏହାବ୍ୟତୀତ ସେମାନଙ୍କ ପରିବାର ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି କ୍ୱାରେଣ୍ଟାଇନରେ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ବ୍ରିଟେନ‌ରୁ ପାଖାପାଖି ୩୩ ହଜାର ଯାତ୍ରୀ ଭାରତ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ତେବେ ପଜିଟିଭ୍ ଚିହ୍ନଟ ପରେ ଆଡ୍‌ଭାନ୍ସ ଟେଷ୍ଟିଂ ପାଇଁ ସେମାନଙ୍କ ସ୍ୱାବ୍ ନମୁନା ଦେଶର ୧୦ଟି ଲ୍ୟାବକୁ ପଠାଯାଇଥିଲା । ସେଥିରୁ ୬ ଜଣଙ୍କ ନମୁନା ପଜିଟିଭ୍ ଆସିଛି ।

ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ; ବ୍ୟାପକ ଫସଲ ନଷ୍ଟ

ଟାଙ୍ଗୀ: ଟାଙ୍ଗୀ ବନାଞ୍ଚଳରେ ବଢୁଛି ହାତୀପଲଙ୍କ ଉପଦ୍ରବ । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଏକପ୍ରକାର ଆତଙ୍କିତ ହୋଇପଡିଛନ୍ତି।

ସୂଚନା ଅନୁସାରେ ନିରାକାରପୁର ଡିଆ ଗ୍ରାମରେ ଧାନ କାଟି ଅମଳ ପାଇଁ ରଖାଯାଇଥିବା ଧାନକୁ ଗତକାଲି ରାତିରେ କିଛି ଜଙ୍ଗଲୀ ହାତୀମାନେ ନଷ୍ଟ କରିଛନ୍ତି ।  ୨ ହଜାରରୁ ଅଧିକ ଧାନ କଳେଇ ଖାଇ ଦେବାସହିତ ଦଳିଚକଟି ନଷ୍ଟ କରିଦେଇଥିବା ନେଇ ଚାଷୀମାନେ  ଅଭିଯୋଗ କରିଛନ୍ତି । ଅମଳ ସମୟରେ ହାତୀପଲ ଫସଲ ନଷ୍ଟ କରୁଥିବାରୁ ଚିନ୍ତାରେ ଚାଷୀକୂଳ ।

ହାତୀ ପଲ ଦିନବେଳା ନିକଟସ୍ଥ ଚିତ୍ରକୂଟ ପାହାଡରେ ରହୁଥିବା ବେଳେ ରାତିରେ ଗାଁ ନିକଟ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଜଣା ପଡିଛି । ହାତୀଙ୍କ ଉତ୍ପାତ ଜାରି ରହିଥିବା ବେଳେ ବନ ବିଭାଗ ନିଦାବିଷ୍ଣୁ ସାଜିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଆହୁରି ମଧ୍ୟ ହାତୀ ଘଉଡାଇଵା ପାଇଁ ବନବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।

କୋରାପୁଟରେ ମାଲବାହୀ ଟ୍ରେନର ୧୩ ବଗି ଲାଇନଚ୍ୟୁତ

କୋରାପୁଟ: କୋରାପୁଟ ମାଲିଗୁଡା ଜରଥୀ ଷ୍ଟେସନ ମଝିରେ ଭୋର ୪ଟା ୩୦ମି. ସମୟରେ ମାଲବାହୀ ଟ୍ରେନର ୧୩ଟି ବଗି ଲାଇନଚ୍ୟୁତ ହୋଇଛି ।

ଟ୍ରେନଟି କିରାଣ୍ଡୁଲରୁ ବିଶାଖାପାଟନା ଓ କୋରାପୁଟ ଦେଇ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଘଟଣାରେ କେବଳ ରେଲୱେ ଟ୍ରାକ୍ ହିଁ କ୍ଷତିଗ୍ରସ୍ତ ହୋଇଛି ।

ତେବେ ରେଲୱେ ପୋଲିସ ପକ୍ଷରୁ ଟ୍ରାକ୍ ମରାମତି ଚାଲିଥିବା ବେଳେ ଟ୍ରାକରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି ।

 ହ୍ରଦରେ ଫସିଲେ ୧୦ ଟିକିଆ ହାତୀ ପଲ

ଗଞ୍ଜାମ: ଗଞ୍ଜାମର ଚିକିଟି ସୋରଳ ବାହୁଦା ହ୍ରଦରେ ଫସି ରହିଛନ୍ତି ହାତୀ ପଲ।  ହାତୀ ପଲ ପାଣିରେ ଫସି ରହିଥିବା ନେଇ ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ସୂଚନା ମୁତାବକ ଚିକିଟିରେ ହାତୀ ପଲ ବ୍ୟାପକ ଫସଲ ନଷ୍ଟ ସହ ଘରଦ୍ୱାର ଭାଙ୍ଗିବା ପରେ  ୧୦ଟିକିଆ ହାତୀପଲ ଉକ୍ତ ହ୍ରଦରେ ଫସି ଯାଇଥିଲେ । ହାତୀ ପଲ ଲକ୍ଷାଧିକ ଟଙ୍କାର ମାଛ ଧରା ଯନ୍ତ୍ରାଂଶ, ଜାଲ ସହ ଡଙ୍ଗାକୁ ଭାଙ୍ଗି ହ୍ରଦରେ ପଶିଥିବା ସୂଚନା ମିଳିଛି । ସପ୍ତାହେରୁ ଅଧିକ ଦିନ ହେବ ଏହି ଅଞ୍ଚଳରେ ଗଜରାଜ ଆତଙ୍କ ଖେଳାଇଛନ୍ତି ।

ତେବେ ହାତୀ ଉତ୍ପାତକୁ ଦେଖି ସ୍ଥାନୀୟ ବାସୀନ୍ଦା ଆତଙ୍କିତ ଅବସ୍ଥାରେ ରହୁଥିବା ଅଭିଯୋଗ ହୋଇଛି।

ମେଲବର୍ଣ୍ଣରେ ଟିମ୍ ଇଣ୍ଡିଆର ମହାବିଜୟ, ଏଡିଲେଡରେ ହାରିବା ପରେ ମେଲବର୍ଣ୍ଣରେ ନେଲା ପ୍ରତିଶୋଧ

ମେଲବର୍ଣ୍ଣ: ମେଲବର୍ଣ୍ଣ ଗ୍ରାଉଣ୍ଡରେ ଭାରତର ବାଜିମାତ୍। ଅଜିଙ୍କ୍ୟ ରାହାଣେଙ୍କ କ୍ୟାପ୍ଟେନସିପରେ କଙ୍ଗାରୁ ଦଳକୁ ଧୂଳି ଚଟେଇଲା ଭାରତ। ଏଡିଲେଡଠାରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚରେ ହାରିବା ପରେ ପ୍ରତିଶୋଧ ନେଇଛନ୍ତି ଭାରତୀୟ ଖେଳାଳି। ମଙ୍ଗଳବାର ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଟିମ୍ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରିଛି।

ସିରିଜର ତୃତୀୟ ଟେଷ୍ଟ ୭ ଜାନୁୟାରୀରେ ଖେଳାଯିବ। ଏଡିଲେଡ ଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳର କ୍ୟାପଟେନ ବିରାଟ କୋହଲି ଅନୁପସ୍ଥିତ ଥିବାରୁ ରାହାଣେଙ୍କୁ କ୍ୟାପଟେନ୍ସି ମିଳିଥିଲା। ତେବେ କୋହଲିଙ୍କ ଅନୁପସ୍ଥିତିରେ ଟିମ୍ ଭଲ ପ୍ରଦର୍ଶନ କରିଛି ।

ଏଡିଲେଡରେ ଅଷ୍ଟ୍ରେଲିଆ ଦଳ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ପରାସ୍ତ କରିଥିଲା। କିନ୍ତୁ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ମେଲବର୍ଣ୍ଣରେ ଅଧିନାୟକତ୍ୱ ପାଇବା ମାତ୍ରେ ସେ କଙ୍ଗାରୁଙ୍କ ଠାରୁ ପରାଜୟର ପ୍ରତିଶୋଧ ନେଇଥିଲେ। ଏଡିଲେଡ୍ ଟେଷ୍ଟର ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ୩୬ ରନରେ ପରାସ୍ତ ସହ ୮ ୱିକେଟରେ ମ୍ୟାଚ୍ ଜିତିଥିଲା।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଭିଜିଲାନ୍ସ ଜାଲରେ ୨ ଅଧିକାରୀ

ବୌଦ୍ଧ: ଭିଜିଲାନ୍ସ ଜାଲରେ ପୁଣି ଫସିଛନ୍ତି ଦୁଇ ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଅଧିକାରୀଙ୍କ ଘରେ ଚଢାଉ କରିଛି ।

ଏହି ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି- ବୌଦ୍ଧ କଣ୍ଟାମାଳ ସେବା ସମବାୟ ସମିତି ସମ୍ପାଦକ । ତାଙ୍କର କୋଟିଏରୁ ଅଧିକ ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍। ଗତକାଲି ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରେଡ୍ ଚାଲିଥିଲା ।

ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ନିର୍ଦେଶରେ ଫୁଲବାଣୀ, ବୌଦ୍ଧ ଓ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ୧୮ ଜଣିଆ ଟିମ୍ ମିଳିତ ଚଢ଼ାଉ କରିଥିଲା । ରେଡ୍ ବେଳେ ଏହି କୁବେର ସମ୍ପାଦକଙ୍କ ନିକଟରୁ ୧ କୋଟି ୯ ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ଠାବ ହୋଇଛି । ଉମା ଗାଁରେ ଥିବା ତାଙ୍କର ଦୁଇଟି କୋଠାର ମୂଲ୍ୟ ୪୫ ଲକ୍ଷ ହେବ ବୋଲି ଆକଳନ କରାଯାଇଛି ।

ତାଙ୍କ ଘରୁ ୭ ଲକ୍ଷରୁ ଅଧିକ ନଗଦ ଟଙ୍କା, ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଗହଣା, ବିଭିନ୍ନ ବ୍ୟାଙ୍କରେ ଜମା ହୋଇଥିବା ୩ ଲକ୍ଷ ୫୫ ହଜାର ଟଙ୍କା, ୨ଲକ୍ଷ ଟଙ୍କାର ଆସବାବପତ୍ର ଠାବ ହୋଇଛି । ୧୯୮୪ ମସିହାରେ ସେଲସମ୍ୟାନ ଭାବରେ ଚାକିରୀ ଆରମ୍ଭ କରିଥିବା ଏହି କୁବେର ସମ୍ପାଦକଙ୍କ ପାଖରେ ଏତେ ସମ୍ପତି କେଉଁଠୁ ଆସିଲା ସେନେଇ ଭିଜିଲାନ୍ସ ଖୋଳତାଡ଼ କରୁଛି ।

ସେହିପରି ଭିଜିଲାନ୍ସ ଜାଲରେ ଫସିଛନ୍ତି ଅନ୍ୟଜଣେ ସରକାରୀ ବାବୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଏହି ବାବୁ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି କଲେଜର ଡେମନଷ୍ଟେଟର କୈଳାସ ଚନ୍ଦ୍ର ମହାନ୍ତି। ଏକକାଳୀନ ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ତାଙ୍କ ବାସଭବନ ସମେତ ବ୍ରହ୍ମପୁରର ୫ଟି ସ୍ଥାନରେ ରେଡ୍ ଚାଲିଛି ।

ଏହାବ୍ୟତୀତ ଭୁବନେଶ୍ୱର ସ୍ଥିତ ତାଙ୍କ ଘରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ରେଡ୍ ଜାରି ରଖିଛି ।

ନନ୍ଦନକାନନ ପାଳୁଛି ୬୧ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଭୁବନେଶ୍ୱରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଙ୍ଗଳବାର ଦିନ ନିଜର ୬୧ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି।

ପ୍ରତିଷ୍ଠା ଦିବସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ ଯୋଗଦେବେ ଅତିଥି ଭାବେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଏହି ଅବସରରେ ସଫାରି ପାଇଁ ୪ଟି ନୂତନ ବସ ଷ୍ଟାଣ୍ଡ ଉଦଘାଟନ କରାଯିବ ।

Nandankanan

ମଲ୍ଟି ପାର୍କିଂର ମୁଖ୍ୟ ରାସ୍ତାର ହେବ ଲୋକାର୍ପଣ । ଯାହାକି ପର୍ଯ୍ୟଟକ ମାନଙ୍କ ଯା ଆସ ପାଇଁ ପୂର୍ବାପେକ୍ଷା ସୁବିଧା ହୋଇପାରିବ। ଦୀର୍ଘ ୯ ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ବୋଟିଂ ଵ୍ୟବସ୍ଥା । ଜାନୁଆରୀ ମାସ ଆରମ୍ଭରୁ ପୁଣି ବୋଟିଂର ପୁନର୍ବାର ମଜା ଉଠାଇ ପାରିବେ ପର୍ଯ୍ୟଟକ।

ସେପଟେ ଟଏ ଟ୍ରେନ, ରୋପ ୱେ ବି ନୂଆବର୍ଷଠାରୁ ଆରମ୍ଭ କରାଯିବାକୁ ଯୋଜନା ରଖାଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲବିଭାଗ ଏବଂ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

ଭକ୍ତଙ୍କ ପାଇଁ ଖୋଲିଲା ମା’ ବିରଜାଙ୍କ ମନ୍ଦିର

ଯାଜପୁର: ବହୁ ଦିନର ପ୍ରତୀକ୍ଷା ପରେ ଭକ୍ତଙ୍କ ପାଇଁ ଖୋଲିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର। ଆଜି ସକାଳ ୬ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ।

ସୂଚନା ମୁତାବକ ସକାଳ ୬ଟାରୁ ସଂଧ୍ୟା ୫ଟା ଯାଏଁ ସମସ୍ତ ଭକ୍ତ ମାଆଙ୍କୁ ଦର୍ଶନ କରିପାରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଏଥିସହ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ରକ୍ଷା, ମାସ୍କ ଓ ସାନିଟାଇଜେସନକୁ ଗୁରୁତ୍ବ ଦିଆଯାଇଛି।

Maa-Biraja-Temple-Jajpur-Odisha

ତେବେ ଚଣ୍ଡୀମଣ୍ଡପ ନିକଟରୁ ବ୍ୟାରିକେଡରେ ଆସି ମାଆଙ୍କୁ ଦର୍ଶନ କରିବା ବ୍ୟବସ୍ଥା ହୋଇଛି। ଏହା ସହିତ ମନ୍ଦିରରେ ଅଧିକ ସମୟ ରହିବାକୁ ବାରଣ କରିଛି ପ୍ରଶାସନ ।

ହେଲେ ଆସନ୍ତା ଜାନୁଆରୀ ୧, ୨ ଓ ୩ ତାରିଖ ଯାଏଁ ମନ୍ଦିର ବନ୍ଦ ରହିବ । ଏହା ପରେ ପୁଣି ମାଙ୍କୁ ଦର୍ଶନ କରିପାରିବେ ଭକ୍ତ। ମନ୍ଦିର ମଧ୍ୟରେ କୌଣସି ବିବାହ କାର୍ଯ୍ୟ ହୋଇପାରିବ ନାହିଁ । ହେଲେ କେବଳ ପିଣ୍ଡଦାନ ପାଇଁ ଅନୁମତି ମିଳିବ ବୋଲି ସୂଚନା ମିଳିଛି।

ପୁଣି ଫେରିଲା ସଟଡାଉନ୍, ୬ ଜଣ ପଜିଟିଭ ପରେ କାକୁଡିଆ ଗାଁରେ କଟକଣା

କଟକ: ପୁଣି ରାଜ୍ୟକୁ ଫେରିଲା ସଟଡାଉନ୍ । କଟକ ଜିଲ୍ଲା ନରସିଂହପୁର ବ୍ଲକ କାକୁଡିଆ ଗାଁକୁ ସଟଡାଉନ୍ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ  । ଗାଁକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି  । ଗତ ୨୧ ତାରିଖରେ ଗାଁରୁ ୫ ଜଣ ମହିଳାଙ୍କ ସହ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ନିଆଯାଇଛି ଏହି ନିଷ୍ପତ୍ତି  ।

କାକୁଡ଼ିଆ ଗାଁକୁ ୭୨ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ରବିବାର ସଂଧ୍ୟା ୬ଟା ୩୦ରୁ ବୁଧବାର ସଂଧ୍ୟା ୬ଟା ପର୍ଯ୍ୟନ୍ତ ଗାଁକୁ ସଟଡାଉନ୍ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ । ଗତ ରବିବାର ଅଗ୍ନିଶମ ବାହିନୀ ପକ୍ଷରୁ ଗାଁକୁ ବିଶୋଧିତ କରାଯାଇଛି । ସୋମବାରଠୁ କାକୁଡ଼ିଆର ସମସ୍ତ ଲୋକଙ୍କର ସ୍ୱାବ୍‌ ପରୀକ୍ଷା କରାଯାଇଛି  ।

ପୋଲିସ-ନକ୍ସଲ ଗୁଳି ବିନିମୟ, ୨ ମହିଳା ନକ୍ସଲ ନିହତ

ମାଲକାନଗିରି: ସୀମାନ୍ତ ଦନ୍ତେୱାଡ଼ା ଜିଲ୍ଲାରେ ପୋଲିସ-ନକ୍ସଲ ଗୁଳି ବିନିମୟ। ଘଟଣାରେ ଦୁଇ ସିପିଆଇ ମହିଳା ନକ୍ସଲ ନିହତ ହୋଇଛନ୍ତି। ସୋମବାର ସନ୍ଧ୍ୟା ବେଳେ ଦନ୍ତେୱାଡ଼ା କିରନ୍ଦୁଲ ଥାନା ନିକଟସ୍ଥ ପରୋକକାଡି ଜଙ୍ଗଲରେ ଡିଆରଜି ଯବାନ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

ମୃତ ଦୁଇ ଜଣ ନକ୍ସଲ ହେଲେ ଅୟେତେ ମାଣ୍ଡାଭି ଏବଂ ଭିଯେ ମାର୍କାମ୍।  ଅୟେତେ ମାଣ୍ଡାଭି ଏରିଆ କମିଟିର ସଦସ୍ୟ ରହିଥିବାବେଳେ  ତାଙ୍କ ମୁଣ୍ଡରେ ୫ଲକ୍ଷ ଟଙ୍କାର ପୁରସ୍କାର ଥିଲା। ସେହିପରି ଭିଯେ ମାର୍କାମ୍ ମିଲିଟାରୀ ଇଣ୍ଟେଲିଜେନ୍ସ ମେମ୍ବର ଥିବା ବେଳେ ତାଙ୍କ ମୁଣ୍ଡ ଉପରେ ୨ଲକ୍ଷ ଟଙ୍କାର ପୁରସ୍କାର ଥିଲା ବୋଲି ସୂଚନା ଦେଇଛନ୍ତି ବିଲାସପୁର ଆଇଜି ଦିପାଂଶୁ କାଵ୍ରା।

ଗୁଳିବିନିମୟରେ ଗୋଟେ ପିସ୍ତଲ ଏବଂ ଗୋଟେ ଗୁଳି ଭର୍ତି ବନ୍ଧୁକ ଜବତ କରିଛି ପୋଲିସ। ଦୁଇଜଣ ନକ୍ସଲଙ୍କ ମୃତ ଦେହକୁ ମୁଖ୍ୟାଳୟକୁ ଅଣାଯାଇଛି। ଏହି ଅପରେସନରେ ଆହୁରି କିଛି ନକ୍ସଲ ମୃତାହତ ହେବାର ସମ୍ଭାବନା ରହିଛି। ଯାହାକି ସର୍ଚ୍ଚ ଅପରେସନ ପରେ ହିଁ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।