ନବୀନଙ୍କୁ ଭେଟିଲେ ବିଜେଡି ନେତ୍ରୀ । ମୁମ୍ବାଇରେ ଚିକିତ୍ସାଧୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେଡି ସାଂସଦ ସୁଲତା ଦେଓ, ବରିଷ୍ଠ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଏମସି ମେୟର ସୁଲୋଚନା ଦାସ ଓ ବିଜେଡି ନେତ୍ରୀ ଏଲିନା ଦାସ । ନବୀନ ଗତକାଲି ଆଇସିୟୁରୁ ରୁମକୁ ଆସିବା ପରେ ଆଜି ତାଙ୍କର ଫିଜିଓଥେରାପି ଚାଲିଛି । ସେ ସୁସ୍ଥ ଅଛନ୍ତି ଏବଂ ରୁମରେ ଚଲାବୁଲା କରୁଥିବା କହିଛନ୍ତି ବିଜେଡିର ନେତ୍ରୀ । ନବୀନ ମଧ୍ୟ ସେମାନଙ୍କୁ ଦେଖି ବହୁତ ଖୁସି ହେବା ସହ କଥା ହୋଇଛନ୍ତି । ଏହିସମୟରେ ନବୀନଙ୍କ ସହ ବଡ଼ ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ଓଡିଶାବାସୀ ତାଙ୍କୁ ଅପେକ୍ଷା କରିଛନ୍ତି । ନବୀନ ପଟ୍ଟନାୟକ ଖୁବଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଓଡିଶା ଫେରିବାକୁ କାମନା କରିଛନ୍ତି ଏହି ନେତ୍ରୀମାନେ ।
ଯାତ୍ରା ଦୁନିଆରେ ନୂଆ ଚର୍ଚ୍ଚା: ତମସା-ନାଣ୍ଡୁ-ପ୍ରମୋଦଙ୍କ ଅଡିଓ ଭାଇରାଲ
ତମସା-ନାଣ୍ଡୁ-ପ୍ରମୋଦଙ୍କ ଅଡିଓ ଭାଇରାଲ । ଯାତ୍ରା ଅଭିନେତ୍ରୀ ତମସା ମିଶ୍ର, ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଓ ସୂର୍ଯ୍ୟ ମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ଅଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସିଂହବାହିନୀରେ କାମ କରିବାକୁ ଚୁକ୍ତିବଦ୍ଧ ତମସାଙ୍କୁ ତୁଳସୀ ମାଲିକ ଅନନ୍ତ ସିଂହବାହିନୀକୁ ନଯିବାକୁ କହୁଛନ୍ତି । ତାଙ୍କର ବାଟ ଓଗାଳୁଛନ୍ତି ଉଭୟ ଅନନ୍ତ ଓ ପ୍ରମୋଦ । ଯାହାର କଥପୋକଥନ ଏବେ ଯାତ୍ରା ଦୁନିଆରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ଭାଇରାଲ ଅଡିଓରେ ଅନନ୍ତ ତମସାକୁ କହୁଛନ୍ତି, ବାଲିଆପାଳ ବହୁତ ବାଟ । ଏତେବାଟ କାହିଁକି ଯାଇ ନାଚ କରିବୁ ? ଘର ପାଖରେ ତୁଳସୀ ପାର୍ଟିରେ କାମ କରେ । ଯଦି ଏବେ ତୁ ନ ଆସିବୁ, ତେବେ ଜାନୁଆରୀ ୬ତାରିଖରେ ସିଂହବାହିନୀରୁ ବିଦା ହେବୁ । ଏହାର ଉତ୍ତରରେ ତମସା କହୁଛନ୍ତି, ମୋର ଛୋଟ ଛୁଆ । ମୋର କାମ ଦରକାର । ସିଂହବାହିନୀରୁ ପଇସା ଆଣିଛି । କାମ ନକଲେ ମାଲିକ ସଞ୍ଜୀବ ପାଢୀ ସଂଘରେ ଅଭିଯୋଗ କରି ହଇରାଣ କରିବେ । ଏହି ଅଡିଓ ଏବେ ଯାତ୍ରା ପାର୍ଟିର ଗୁମରକୁ ପଦାରେ ପକାଇଛି । କିପରି କଳାକାରଙ୍କୁ ମାଲିକମାନେ ହଇରାଣ ହରକତ କରୁଛନ୍ତି ତାର ବଡ଼ ପ୍ରମାଣ ହେଉଛି ଏହି ଅଡିଓ । ତମସା ମିଶ୍ର ହେଉଛନ୍ତି ସିରିଆଲ୍ ଓ ଯାତ୍ରା ଜଗତର ଜଣେ ପରିଚିତ ଅଭିନେତ୍ରୀ। ଗତ ବର୍ଷ ତୁଳସୀରେ କାମ କରୁଥିବା ତମସା ଚଳିତ ବର୍ଷ ସିଂହବାହିନୀରେ ଯୋଗ ଦେଇଛନ୍ତି ।
ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତଙ୍କ ଆଜି ସରିଲା ରିମାଣ୍ଡ
ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତଙ୍କ ଆଜି ସରିଲା ରିମାଣ୍ଡ। ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥଲା। ରିମାଣ୍ଡ ସରିବା ପରେ ଅଦାଲତ ଅଭିଯୁକ୍ତଙ୍କୁ ଜେଲକୁ ପଠାଇ ଦେଇଛନ୍ତି। ଗତ ଶୁକ୍ରବାର ଏହି ୬ ଅଭିଯୁକ୍ତଙ୍କ ବ୍ରହ୍ମପୁର ଜେଲରେ ହୋଇଥିଲା ଟିଆଇ ପରେଡ। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନିଥିଲେ ପୀଡ଼ିତା ଓ ତାଙ୍କ ସାଙ୍ଗ। ୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ। ତ୍ଵରିତ ଫଇସଲା ପାଇଁ ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ। ଗତ ରଜସଂକ୍ରାନ୍ତିରେ ଗୋପାଳପୁର ବିଚ୍ ରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଥିଲା।
ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା, ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ: ଅବକାରୀ ମନ୍ତ୍ରୀ
ଭୁବନେଶ୍ବବର: ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା। ଗଞ୍ଜେଇ ଚାଷରୁ ଲୋକଙ୍କୁ ନିବୃତ୍ତ କରାଯିବ। ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରାଜ୍ୟରେ ବିଭିନ୍ନ ଜାଗାରେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ଅନେକ ଜାଗାରେ ଚୋରା ଗଞ୍ଜେଇ ବ୍ୟବସାୟ କରାଯାଉଛି। ଚଳିତବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଆଗାମୀ ଦିନ ଗୁଡିକରେ ଜନଜାତିର ଗରିବ ଲୋକଙ୍କୁ ମିଛ କହି ଯେଉଁମାନେ ଗଞ୍ଜେଇ ଚାଷ କରନ୍ତି ସରକାର ତାଙ୍କ ଉପରେ ନଜର ରଖିଛନ୍ତି। ଜନଜାତିଙ୍କୁ ଏହାର ବିକଳ୍ପ ଜୀବିକା କଣ ହୋଇ ପାରିବ ସେନେଇ ପୋଲିସ ବିଭାଗ ସହ ମିଶି ଆଲୋଚନା କରାଯାଉଛି।
ଗୁଜରାଟ ଉପନିର୍ବାଚନ ବିଜୟକୁ ନେଇ ଆପ୍ ଖୁସୀକୁ ଲାଗିଲା ନଜର: ଜିତିବାର ୭୨ ଘଣ୍ଟା ପରେ ଦଳ ଛାଡ଼ିଲେ ନବନିର୍ବାଚିତ ବିଧାୟକ
ବୋଟାଦ: ଗୁଜରାଟର ବୋଟାଦରୁ ଆମ ଆଦମୀ ପାର୍ଟି (ଆପ)ର ବିଧାୟକ ଉମେଶ ମକଓ୍ବାନା ପାର୍ଟିର ରାଷ୍ଟ୍ରୀୟ ସଂଯୁକ୍ତ ସଚିବ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ସେ କହିଛନ୍ତି, ’ମୁଁ ୨୦ ବର୍ଷ ପର୍ଯ୍ୟନ୍ତ ବିଜେପିରେ ଅଲଗା ଅଲଗା ପଦରେ କାମ କରିଛି । ଗୁଜରାଟରେ ଆପର କୌଣସି ପରିଚୟ ନଥିବା ସମୟରେ ମୁଁ କ୍ଷମତାସୀନ ବିଜେପି ଛାଡ଼ି ଆପରେ ସାମିଲ ହୋଇଥିଲି । ମୋତେ ଲାଗୁଛି, ଆମେ ଡ. ବି.ଆର ଆମ୍ବେଦକରଙ୍କ ସିଦ୍ଧାନ୍ତ ଠାରୁ ଦୂରେଇ ଯାଉଛେ । ଏହି କାରଣରୁ ମୁଁ ଆପର ସବୁ ପଦରୁ ଇସ୍ତଫା ଦେଇଛି ।’
ଉମେଶ ପୁଣି କହିଛନ୍ତି, ମୁଁ ପାର୍ଟିର କାର୍ଯ୍ୟକର୍ତ୍ତା ଭାବେ ନିଜର କାମ ଜାରି ରଖିବି । ମୁଁ ବୋଟାଦର ଲୋକଙ୍କ ପାଖକୁ ଯିବି । ମୁଁ କିଛି ଲୋକଙ୍କ ସହ ମିଶି ଅଲଗା ପାର୍ଟି ଗଠନ କରିବା, ନ କରିବା ଉପରେ ଚର୍ଚ୍ଚା କରିବି । ବିସାବଦର ଆସନରୁ ଆପର ବିଜୟର ୭୨ ଘଣ୍ଟା ମଧ୍ୟରେ ଉମେଶ ପାର୍ଟିର ପଦରୁ ଇସ୍ତଫା ଦେଇଛନ୍ତି । ଦଳ ନିଜର ମୂଳ ବିଚାରଧାରା ଠାରୁ ଦୂରେଇ ଯାଉଥିବା ସେ କହିଛନ୍ତି । ଆମ୍ବେଦକର ଓ ଭଗତ ସିଂହଙ୍କ ବିଚାରଧାରା ଠାରୁ ଦୂରେଇ ଯିବା କାରଣରୁ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି । ତେବେ ଜଣେ କାର୍ଯ୍ୟକର୍ତ୍ତା ଭାବେ କାମ ଜାରି ରଖିବେ ଓ ବିଧାୟକ ହୋଇ ରହିବେ ବୋଲି କହିଛନ୍ତି ।
ଫୋନ୍ କଲେ ତୁରନ୍ତ ଲାଗିବ କଲ୍, ଆଉ ଶୁଭିବନି ଅମିତାଭଙ୍କ ସାଇବର ଫ୍ରଡ୍ ଠକେଇ ଚେତାବନୀ
ନୂଆଦିଲ୍ଲୀ: ଦେଶରେ ଅନଲାଇନ କାର୍ଯ୍ୟ ବଢ଼ିବା ସହିତ ସାଇବର ଫ୍ରଡ ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ଏନେଇ ସଚେତନତା ସୃଷ୍ଟି କରିବା ପାଇଁ ସରକାର ଏକ ବ୍ୟାପକ ଅଭିଯାନ ଚଳାଇଥିଲେ । ଆପଣମାନେ ଯେତେବେଳେ ବି ଫୋନ କରୁଥିଲେ, ସେହି ସମୟରେ ଏକ କଲର ଟ୍ୟନ ବାଜୁଥିଲା । ସେଥିରେ ଶତାବ୍ଦୀର ମହାନାୟକ ଅମିତାଭ ବଚନ ସାଇବର କ୍ରାଇମ ବାବଦରେ ସୂଚନା ଦେଉଥିଲେ । ମାତ୍ର ସେହି କଲର ଟ୍ୟୁନ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା ଓ ସୋସିଆଲ ମିଡ଼ିଆରେ ତାହାକୁ ବନ୍ଦ କରିବା ପାଇଁ ସ୍ବର ଉଠିଥିଲା ।
ମିଡ଼ିଆା ରିପୋର୍ଟ ମୁତାବକ, ସରକାର ଏବେ ତାହାକୁ ହଟାଇବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସୂତ୍ର ମୁତାବକ, ଏହି ଅଭିଯାନ ଏବେ ସମାପ୍ତ ହୋଇଯାଇଛି । ଏଥିପାଇଁ କଲର ଟ୍ୟୁନକୁ ହଟାଇ ଦିଆଯାଇଛି । ବହୁ ଲୋକଙ୍କ ଠାରୁ ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଜରୁରୀକାଳୀନ କଲ୍ କରିବା ସମୟରେ ତାହା ଲୋକଙ୍କୁ ଅସୁବିଧାରେ ପକାଉଥିଲା । ଏହି କାରଣରୁ ଫୋନ କଲେ ସାମ୍ନା ଲୋକଙ୍କ ସହ ତୁରନ୍ତ କଥା ହେବା ସମ୍ଭବ ହୋଇପାରୁନଥିଲା । ପୂର୍ବରୁ ଅମିତାଭଙ୍କ ସ୍ବର ଥିବା ଟ୍ୟୁନ ୪୦ ସେକେଣ୍ଡ ପର୍ଯ୍ୟନ୍ତ ବାଜୁଥିଲା, ତା’ପରେ କଲ୍ ସଂଯୋଗ ହେଉଥିଲା । ନିକଟରେ ଅମିତାଭଙ୍କୁ ଏହି ଟ୍ୟୁନ ପାଇଁ ଟ୍ରୋଲ କରାଯାଇଥିଲା ।
ରଥଯାତ୍ରା ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ କାର୍ଯ୍ୟକ୍ଷମ ହେଲା ଆଣ୍ଟିଡ୍ରୋନ ବ୍ୟବସ୍ଥା
ପୁରୀ: ରଥଯାତ୍ରା ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ କାର୍ଯ୍ୟକ୍ଷମ ହେଲା ଆଣ୍ଟିଡ୍ରୋନ ବ୍ୟବସ୍ଥା । ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ନିକଟରେ ଉଡୁଥିବା ଡ୍ରୋନକୁ ଖସାଇଲା ଆଣ୍ଟିଡ୍ରୋନ । ଆଣ୍ଟି ଡ୍ରୋନ ଟେକ୍ନୋଲୋଜି ଦ୍ୱାରା ଡ୍ରୋନକୁ ଖସାଇଲା ପୋଲିସ । ସମ୍ପୃକ୍ତ ଡ୍ରୋନକୁ ଜବତ କରିଛି ପୋଲିସ । ଡ୍ରୋନ ଉଡାଉଥିବା ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। କେଉଁ ଉଦେଶ୍ୟରେ ଉଡ଼ାଉଥିଲା ଡ୍ରୋନ ସେ ନେଇ ଚାଲିଛି ତଦନ୍ତ ।
ବ୍ରହ୍ମପୁର ଦୁଷ୍କର୍ମ ଘଟଣା: ଦକ୍ଷିଣାଞ୍ଚଳ IGଙ୍କୁ ଭେଟିଲା ବିଜେଡି ଟିମ୍
ଦକ୍ଷିଣାଞ୍ଚଳ IGଙ୍କୁ ଭେଟିଲା ବିଜେଡି ଟିମ୍। ବ୍ରହ୍ମପୁର ଦୁଷ୍କର୍ମ ଘଟଣାରେ ବ୍ରହ୍ମପୁର IGଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ବିଜେଡି ଟିମ। ୧୭ ବର୍ଷର ଗରିବ ନାବାଳିକାଙ୍କୁ ନର୍ସିଂରେ ବିଏସସି କରାଇ ଦେବାକୁ ପ୍ରଲୋଭିତ କରି ଦୁଷ୍କର୍ମ କରିଥିଲେ ଜଣେ ନକଲି ହୋମିଓପାଥି ଡାକ୍ତର ।
ମା’ ହେବାକୁ ଯାଉଛନ୍ତି ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ! ଫ୍ୟାନ୍ସଙ୍କୁ ଦେଲେ ଗୁଡ୍ ନ୍ୟୁଜ୍
ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସମୟରେ ଅଙ୍କିତା ଓ ତାଙ୍କ ପତି ଭିକ୍କି ଜୈନ ’ଲାଫ୍ଟର ଶେଫ ୨’ରେ ଆସୁଛନ୍ତି । ଦୁହିଙ୍କର ରୋମାଣ୍ଟିକ କେମେଷ୍ଟ୍ରିକୁ ଦର୍ଶକ ବେଶ୍ ଭଲପାଇବା ଦେଉଛନ୍ତି । ଏହା ମଧ୍ୟରେ କଲର୍ସ ପକ୍ଷରୁ ଏକ ଭିଡିଓ ଶେୟାର କରାଯାଇଛି । ସେଥିରେ ଅଭିନେତ୍ରୀ କହୁଛନ୍ତି, ମୁଁ ପ୍ରେଗନେଣ୍ଟ ଅଛି, ଦୌଡ଼ି ପାରିବି ନାହିଁ । କମେଡ଼ିଆନ କ୍ରିଷ୍ଣା ଅଭିଷେକଙ୍କ ପଛରେ ଅଙ୍କିତା ଦୌଡ଼ୁଥିଲେ । ମାତ୍ର କିଛି ଦୂର ଯିବା ପରେ ଅଙ୍କିତା ଅଟକି ଯାଇଥିଲେ ଓ ସେଟ ଉପରେ ଏହା ଘୋଷଣା କରିଥିଲେ ।
କଲର୍ସ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ କ୍ରିଷ୍ଣାଙ୍କ ଖାଦ୍ୟ ସାମଗ୍ରୀ ଧରି ଅଭିନେତ୍ରୀ ଦୌଡ଼ି ପଳାଇଥିଲେ । ପୂରା ସେଟରେ କିଛି ସମୟ ଧରି ବୁଲିବା ପରେ ’ସେ ଗର୍ଭବତୀ ଅଛନ୍ତି, ଦୌଡ଼ି ପାରିବେ’ ନାହି ବୋଲି ଅଙ୍କିତା କହିଥିଲେ । ଏହା ଶୁଣି କ୍ରିଷ୍ଣା ଚକିତ ହୋଇଯାଇଥିଲେ । ତେବେ ଏହି ଗୁଡ୍ ନ୍ୟୁଜ୍ ଦେବା ପରେ ଅଙ୍କିତା ଲାଜେଇ ଯାଇଥିଲେ । କିଛି ସମୟ ପରେ କରଣ କୁନ୍ଦ୍ରା ମଧ୍ୟ ପଚାରିଥିଲେ । ଅଙ୍କିତା ମୁଣ୍ଡ ହଲାଇ ହଁ ଉତ୍ତର ଦେଇଥିଲେ । ଏହି ଭିଡିଓ ଦେଖିବା ପରେ ବହୁତ କମେଣ୍ଟ ଆସିଛି । କିଛି ଏହାକୁ ସତ ବୋଲି ଗ୍ରହଣ କରୁଥିବା ବେଳେ ଆଉ କିଛି ମଜାକ ବୋଲି କହୁଛନ୍ତି । ପୂର୍ବରୁ ଅଙ୍କିତା ଅନେକ ଥର ମଜାକ୍ କରିସାରିଛନ୍ତି । ୪୦ ବର୍ଷୀୟା ଅଭିନେତ୍ରୀ ମାଆ ହେବାକୁ ନେଇ ତାଙ୍କର ଶାଶୂ ଅନେକ ଥର ନ୍ୟାସନାଲ ଟିଭିରେ କହିସାରିଛନ୍ତି । ୨୦୨୧ ମସିହା ଡିସେମ୍ବର ୧୪ରେ ଅଙ୍କିତା ଓ ଭିକ୍କି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
କେନ୍ଦ୍ର ସରକାରଙ୍କ ନୂଆ ନିୟମ: ଏଣିକି ଦୁଇଚକିଆ ଯାନରେ ଲାଗିବ ଟୋଲ ଟ୍ୟାକ୍ସ
ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଯାତାୟାତ କରୁଥିବା ଦୁଇଚକିଆ ଯାନକୁ ନେଇ ଆସିଛି ଏକ ବଡ଼ ଖବର । ସୂଚନା ମୁତାବକ, ଜାତୀୟ ରାଜପଥର ଟୋଲରେ ଏଣିକି ଦୁଇଚକିଆ ଯାନଗୁଡ଼ିକୁ ମଧ୍ୟ ଟ୍ୟାକ୍ସ ଦେବାକୁ ପଡ଼ିବ । ଜୁଲାଇ ୧୫ ତାରିଖରୁ ଏହି ନିୟମ ଲାଗୁ ହେବ । ସାଧାରଣ ଭାବେ ଦୁଇଚକିଆ ଯାନ କିଣିବା ସମୟରେ ଟୋଲ ଟ୍ୟାକ୍ସ ଆଦାୟ କରାଯାଇଥାଏ । ମାତ୍ର ଜାତୀୟ ରାଜପଥରେ ଯାତାୟାତ କରୁଥିବା ଦୁଇଚକିଆ ଯାନଗୁଡ଼ିକ ଠାରୁ ଟୋଲ ଟ୍ୟାକ୍ସ ନିଆଯାଇନଥାଏ । କେବଳ ଚାରି ଚକିବା ଯାନ ବା ଅଧିକ ଚକିଆ ଯାନଗୁଡ଼ିକ ଠାରୁ ଟୋଲ ଟ୍ୟାକ୍ସ ଆଦାୟ କରାଯାଇଥାଏ ।
ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) ପାଇଁ କେନ୍ଦ୍ର ସରକାର ଏହି ନିୟମ ଲାଗୁ କରିଛନ୍ତି । ନୂଆ ନିୟମ ମୁତାବକ, ଦୁଇଚକିଆ ଯାନଗୁଡ଼ିକ ପାଇଁ FASTag ମାଧ୍ୟମରେ ଟୋଲ ଭରଣା କରିବାକୁ ପଡ଼ିବ । ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ, ସେମାନଙ୍କ ଠାରୁ ୨ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ ।

