ନନ୍ଦିଘୋଷ ବ୍ୟୁରୋ : ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର। ଦିଲ୍ଲୀ ଏମସରେ ଚିକିତ୍ସା ଚାଲିଛି। ଏବେ ଅକ୍ସିଜେନ ସପୋର୍ଟରେ ଅଛନ୍ତି ବଳଙ୍ଗା ପୀଡ଼ିତା। ଶରୀରର ୭୫ ପ୍ରତିଶତ ପୋଡି ଯାଇଥିବା କାରଣରୁ ପୀଡିତାଙ୍କର ସର୍ଜରୀ କରାଯାଇଛି। ସ୍ବତନ୍ତ୍ର ଡାକ୍ତରୀ ଟିମଙ୍କ ପକ୍ଷରୁ ଜାରି ରହିଛି ଚିକିତ୍ସା। ଅନ୍ୟପଟେ ଘଟଣାକୁ ୬ ଦିନ ବିତିଲାଣି। ହେଲେ ଏଯାଏଁ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ ପୋଲିସ। ତଦନ୍ତକାରୀ ଟିମ୍ ୩ ଜଣ ସ୍ଥାନୀୟ ଯୁବକଙ୍କୁ ଜେରା କରିଛି। ଗତ ୬ ଦିନ ଭିତରେ ପୋଲିସ ପାଖାପାଖି ୧୮ ଜଣଙ୍କୁ ପଚରାଉଚରା କରିସାରିଲାଣି। ଅନ୍ୟପଟେ ଆଜି ହୋଇପାରେ ପୀଡ଼ିତାଙ୍କ ବୟାନ ରେକର୍ଡ। ଏଥିପାଇଁ ଦିଲ୍ଲୀ ଅଭିମୁଖେ ଯାଇଛି ବଳଙ୍ଗା ପୋଲିସ ଓ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍। କୋଣାର୍କ ଅଞ୍ଚଳରେ ଥିବା ପୀଡ଼ିତାଙ୍କ ମାମୁଁ ଘରେ ପୋଲିସ ପହଞ୍ଚି ପଚରାଉଚରା କରିଛି। ଘଟଣାସ୍ଥଳକୁ ଯାଇ ପୋଲିସ ଯାଞ୍ଚ କରିଛି। କିନ୍ତୁ ଏଯାଏଁ କୌଣସି ଠୋସ ସୁରାକ୍ ମିଳୁନାହିଁ। ପୋଲିସର ତଦନ୍ତ ପୀଡ଼ିତାଙ୍କ ଗାଁ ନୂଆ ଗୋପାଳପୁର ଓ ଏହାର ଆଖପାଖ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବାରୁ ଘଟଣାର ରହସ୍ୟ ସଂପୃକ୍ତ ଅଞ୍ଚଳରେ ହିଁ ଛପି ରହିଥିବା ଅନୁମାନ କରାଯାଉଛି।
ରିଷଭ ପନ୍ତ ଗୁରୁତର ଆହତ, ଗ୍ରାଉଣ୍ଡ ଆମ୍ବୁଲାନ୍ସରେ ପଡ଼ିଆ ବାହାରକୁ ନିଆଗଲା
ନନ୍ଦିଘୋଷ ବ୍ୟୁରୋ : ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ସମୟରେ ଭାରତୀୟ କ୍ରିକେଟ୍ ଟିମକୁ ବଡ଼ ଝଟକା ଲାଗିଛି। ଭାରତୀୟ ଦଳର ଷ୍ଟାର ୱିକେଟକିପର-ବ୍ୟାଟସମ୍ୟାନ୍ ରିଷଭ ପନ୍ତଙ୍କ ଡାହାଣ ଗୋଡରେ ଆଘାତ ଲାଗିଛି । ଫଳରେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଛି । ଏହି ଘଟଣା ଭାରତୀୟ ଇନିଂସର ୬୮ତମ ଓଭରରେ ଘଟିଥିଲା, ଯେତେବେଳେ ପନ୍ତ ଇଂଲଣ୍ଡର ଦ୍ରୁତ ବୋଲର କ୍ରିସ୍ ୱକ୍ସଙ୍କ ସାମ୍ନା କରୁଥିଲେ। ଏହି ଆଘାତ ଭାରତୀୟ ପ୍ରଶଂସକଙ୍କ ଚିନ୍ତା ବଢାଇଛି ।
ଭାରତୀୟ ଇନିଂସର ୬୮ତମ ଓଭରରେ, କ୍ରିସ୍ ୱକ୍ସଙ୍କ ଏକ ଦ୍ରୁତ ୟର୍କର ବଲ ପନ୍ତଙ୍କୁ ଅସୁବିଧାରେ ପକାଇଥିଲା। ପନ୍ତ ଏହି ବଲ୍ ଉପରେ ରିଭର୍ସ-ସ୍ୱାଇପ୍ ଖେଳିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲଟି ସିଧାସଳଖ ତାଙ୍କ ଜୋତାରେ ବାଜିଥିଲା। ଏହି ଶକ୍ତ ଆଘାତ ପରେ ପନ୍ତ ଯନ୍ତ୍ରଣାରେ କାନ୍ଦୁଥିବା ଦେଖାଯାଇଥିଲା। ପଡ଼ିଆରେ ଉପସ୍ଥିତ ଫିଜିଓ ତୁରନ୍ତ ତାଙ୍କୁ ପରୀକ୍ଷା କରିଥିଲେ ଓ ଦେଖାଯାଇଥିଲା ଯେ ତାଙ୍କ ପାଦରୁ ରକ୍ତ ବାହାରିଥିଲା। ଯନ୍ତ୍ରଣା ଏବଂ ଆଘାତର ଗମ୍ଭୀରତାକୁ ଦେଖି ପନ୍ତ ଆଉ ବ୍ୟାଟିଂ କରିପାରି ନଥିଲେ। ଏହା ପରେ, ତାଙ୍କୁ ଏକ ଗ୍ରାଉଣ୍ଡ ଆମ୍ବୁଲାନ୍ସରେ ପଡ଼ିଆ ବାହାରକୁ ନିଆଯାଇଥିଲା।
ଏହି ସିରିଜରେ ରିଷଭ ପନ୍ତ ଆହତ ହେବା ଏହା ପ୍ରଥମ ଥର ନୁହେଁ। ସେ ତୃତୀୟ ଟେଷ୍ଟ ମ୍ୟାଚରେ ମଧ୍ୟ ଆଘାତ ପାଇଥିଲେ। ସେହି ମ୍ୟାଚ ସମୟରେ ଜସପ୍ରିତ ବୁମରାହଙ୍କ ଦ୍ରୁତ ବାଉନ୍ସର ପନ୍ତଙ୍କ ଆଙ୍ଗୁଠିରେ ବାଜିଥିଲା, ଯାହା ଫଳରେ ସେ ସମଗ୍ର ମ୍ୟାଚରେ ୱିକେଟକିପିଂ କରିପାରି ନଥିଲେ। ତଥାପି, ସେ ବ୍ୟାଟିଂ କରିଥିଲେ। ଏହା ପରେ ମାଞ୍ଚେଷ୍ଟର ଟେଷ୍ଟରେ ତାଙ୍କ ଖେଳିବା ଉପରେ ସସପେନ୍ସ ଥିଲା। କିନ୍ତୁ ଲମ୍ବା ବ୍ୟବଧାନ ଯୋଗୁଁ ସେ ସୁସ୍ଥ ହୋଇପାରିଥିଲେ।
ବେଦାନ୍ତ ଆଲୁମିନିୟମର ତୀରନ୍ଦାଜ ତାଲିମ ପଦକ୍ଷେପ, କଳାହାଣ୍ଡି ପାଇଁ ଗୌରବ ଆଣିଲେ ଯୁବ ତୀରନ୍ଦାଜ
ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡିର ଯୁବ ତୀରନ୍ଦାଜମାନଙ୍କୁ ସମର୍ଥନ କରିଆସୁଛି । ଏହି ଅଞ୍ଚଳର ଜଣେ ଯୁବ ତୀରନ୍ଦାଜ ଖିରୋଦ କୁମାର କୋଲକାତାରେ ଅନୁଷ୍ଠିତ CBSE ପୂର୍ବଜୋନାଲ ତୀରନ୍ଦାଜ ଚାମ୍ପିଅନସିପରେ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି। ୧୯ବର୍ଷରୁ କମ ଭାରତୀୟ ରାଉଣ୍ଡ ବର୍ଗରେ ପ୍ରତିଯୋଗିତା କରି, ଖିରୋଦ ଉଲ୍ଲେଖନୀୟ ଧ୍ୟାନ ଏବଂ ସଠିକତା ପ୍ରଦର୍ଶନ କରି ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବରେ ଉଭା ହୋଇଛନ୍ତି। ଜଣେ ଅନୁଶାସିତ ଓ କ୍ରୀଡା ଅନୁରାଗୀ ଛାତ୍ର ଭାବରେ, ସେ ପୂର୍ବରୁ ଜାତୀୟ ସ୍କୁଲ ତୀରନ୍ଦାଜ ଚାମ୍ପିଅନ ସିପରେ ପାଞ୍ଚଟି ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଗତ ତିନି ବର୍ଷ ଧରି ବେଦାନ୍ତର ତୀରନ୍ଦାଜ ତାଲିମ ପଦକ୍ଷେପ ଅଧୀନରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।
ଏହି ଅବସରରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, “ଖିରୋଦର ସଫଳତା ଆମର ତୃଣମୂଳସ୍ତରୀୟ କ୍ରୀଡା ପଦକ୍ଷେପର ପରିବର୍ତ୍ତନକାରୀ ପ୍ରଭାବର ଏକ ଶକ୍ତିଶାଳୀ ପ୍ରମାଣ। ବେଦାନ୍ତରେ, ଆମେ କ୍ରୀଡା ମାଧ୍ୟମରେ ଗ୍ରାମୀଣ ଯୁବପିଢ଼ିଙ୍କୁ ସଶକ୍ତ କରିବା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ଜାତୀୟ ଗର୍ବକୁ ପ୍ରୋତ୍ସାହିତ କରିବା ପାଇଁ ଗଭୀର ଭାବରେ ପ୍ରତିବଦ୍ଧ। ଆମେ ଖିରୋଦର ଉତ୍ସର୍ଗ ଏବଂ ପ୍ରତିଭା ପାଇଁ ଗର୍ବିତ, ଏବଂ ଆମେ କଳାହାଣ୍ଡିରୁ ଏପରି ଆହୁରି ଅନେକ ଚାମ୍ପିଅନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ।”
୨୦୧୮ମସିହାରେଆରମ୍ଭହୋଇଥିବା, ବେଦାନ୍ତର କ୍ରୀଡା ତାଲିମ ପଦକ୍ଷେପ ଅନୁନ୍ନତସମ୍ପ୍ରଦାୟର କ୍ରୀଡା ପ୍ରତିଭାଙ୍କୁ ଚିହ୍ନଟ ଏବଂ ପ୍ରୋତ୍ସାହିତ କରେ, ଗୁଣାତ୍ମକ ଉପକରଣ ଏବଂ ତାଲିମ ଭିତ୍ତିଭୂମିୟର ଉପଲବ୍ଧତା ସହିତ ଧନୁର୍ବିଦ୍ୟା ଏବଂ ଆଥଲେଟିକ୍ସରେ ବିଶେଷଜ୍ଞଙ୍କ ନେତୃତ୍ୱରେ ତାଲିମ ପ୍ରଦାନ କରେ। କମ୍ପାନୀ ଦେଶବ୍ୟାପୀ ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କର ଅଂଶଗ୍ରହଣକୁ ମଧ୍ୟ ସୁବିଧା ପ୍ରଦାନ କରେ। ଆଜି ପର୍ଯ୍ୟନ୍ତ, ଏହି କାର୍ଯ୍ୟକ୍ରମ ଅଧୀନରେ ୧୦୦ରୁ ଅଧିକ ଯୁବ ତୀରନ୍ଦାଜଙ୍କୁ ତାଲିମ ଦିଆଯାଇଛି, ଯେଉଁମାନେ ଗତବର୍ଷ ରାଜ୍ୟ ଏବଂ ଜାତୀୟ ଚାମ୍ପିଅନସିପରେ ସାମୂହିକ ଭାବରେ ୪୦ ପଦକ ଜିତିଛନ୍ତି। ଗ୍ରାମୀଣ ଭାରତର ଯୁବ ଖେଳାଳିମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ସୃଷ୍ଟି କରିବା, ସେମାନଙ୍କର ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୋଚନ କରିବା ଏବଂ ବିଶ୍ୱସ୍ତରୀୟ କ୍ରୀଡ଼ାରେ ଦେଶର ଉଦୀୟମାନ ଯୋଗଦାନ ପାଇଁ ବେଦାନ୍ତ ଆଲୁମିନିୟମ ତାର ମିଶନରେ ସ୍ଥିର ରହିଛି।

