spot_img
Home Blog Page 625

ଆଇନ ଶୃଙ୍ଖଳା ବିଗିଡ଼ିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ବିଗିଡ଼ିଥିବା ଆଇନ ଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଧାୟକ ବ୍ୟୋମକେଶ ରାୟ ଓ ଦେବୀରଂଜନ ତ୍ରିପାଠୀ ଏହି ପ୍ରସଙ୍ଗରେ ବିଜେପି ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।  ପ୍ରତିଦିନ ଦୁଷ୍କର୍ମ ହେଉଛି। ଆଇନ ଶୃଙ୍ଖଳା ବିଗିଡ଼ି ଯାଇଛି। ଶାସନ ବ୍ୟବସ୍ଥାକୁ ଅପରାଧୀଙ୍କ ଭୟ ନାହିଁ ବୋଲି କହିଛି ବିଜେଡି।

ରାଜ୍ୟ ସରକାରକୁ ବ୍ୟୋମକେଶ ରାୟ ଚେତାବନୀ ଦେଇଛନ୍ତି, ଆଇନ ଶୃଙ୍ଖଳା ସଜାଡ଼ ନ ହେଲେ ଗାଦି ଛାଡ଼। ନାରୀ ଆଜି ସବୁଠି ଅସୁରକ୍ଷିତ। ଏପରିକି କ୍ୟାମ୍ପସରେ ମଧ୍ୟ ଛାତ୍ରୀମାନେ ଅସୁରକ୍ଷିତ। ଏହାର ପ୍ରତିବାଦରେ ଆଜି ବିଜେଡିର ଛାତ୍ର ଓ ଯୁବ ସଂଗଠନ ସାରା ରାଜ୍ୟରେ ବିକ୍ଷୋଭ କରିଛି। ଏହାକୁ ଅଭୂତପୂର୍ବ ସଫଳତା ମିଳିଥିବା କହିଛନ୍ତି ଦେବୀରଂଜନ ତ୍ରିପାଠୀ। ସମସ୍ତେ ଏଥିରେ ସାମିଲ ହୋଇଥିଲେ। ଆଗକୁ ଯଦି ସ୍ଥିତି ନ ସୁଧୁରିବ, ତେବେ ଦୁର୍ବାର ଆନ୍ଦୋଳନ ହେବ ବୋଲି ସେ ବିଜେପି ସରକାରକୁ ଚେତାଇ ଦେଇଛନ୍ତି।

ହସ୍ପିଟାଲରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ନେତା

ମୁମ୍ୱାଇ: ସୁସ୍ଥ ହେଉଛନ୍ତି ନବୀନ। ସେପଟେ ବିରୋଧୀ ଦଳ ନେତାଙ୍କୁ ମୁମ୍ବାଇରେ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ବିଜେଡିର ବରିଷ୍ଠ ନେତାମାନେ ଭେଟିଛନ୍ତି । ହସ୍ପିଟାଲରେ ବିଜେଡି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସାଂସଦ ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ ରାଉତ, ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପ୍ରଣବ ବଳବନ୍ତରାୟ, ବିଜେଡି ନେତା ଅମିତ ମଲ୍ଲିକ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଓ ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ନବୀନଙ୍କୁ ଭେଟିଛନ୍ତି ।

ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ସହ ବି ସ୍ୱାସ୍ଥ୍ୟ ଅବସ୍ଥା ନେଇ ଆଲୋଚନା କରିଛନ୍ତି ବିଜେଡି ନେତା । ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ବି ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ । ଅପରେସନ ସଫଳ ହେବା ସହ ନବୀନ ସୁସ୍ଥ ଥିବା ନେଇ ପୂର୍ବରୁ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଓ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର ରମାକାନ୍ତ ପଣ୍ଡା ସୂଚନା ଦେଇଥିଲେ । ନବୀନ ସୁସ୍ଥ ଅଛନ୍ତି ଓ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ଭୁବନେଶ୍ୱର ଫେରି ଜନସେବାରେ ଯୋଗ ଦେବେ ବୋଲି ନେତାମାନେ କହିଛନ୍ତି।

 

କୁଳିଅଣା ତହସିଲଦାରଙ୍କ ଟଣାଓଟରା ସହ ମାଡ଼, ପୋଲିସ ଉପସ୍ଥିତିରେ ମାଡ଼ ମାରିଲେ ଲୋକେ

ବାରିପଦା : କୁଳିଅଣା ତହସିଲଦାରଙ୍କୁ ଟଣାଓଟରା ସହ ମାଡ଼। ପୋଲିସ ଉପସ୍ଥିତିରେ ମାଡ଼ ମାରିଲେ ଲୋକେ। ସରକାରଙ୍କ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଚାଲୁଥିବାବେଳେ କୁଳିଅଣା ଥାନା ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡି ନେଲେ ଉତ୍ୟକ୍ତ ଗ୍ରାମବାସୀ। ଏହାକୁ ନେଇ କୁଳିଅଣା ଥାନାରେ ଉତ୍ତେଜନା ଜାରି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କୁଳିଅଣା ବ୍ଲକର ତିତିରି ଅଞ୍ଚଳରେ ଘର ଭାଙ୍ଗିବା ନେଇ ଦିଆଯାଇଥିଲା ସୂଚନା। ପ୍ରଥମ ପର୍ଯ୍ୟାୟରେ ୩୫ଟି ଘର ଉଚ୍ଛେଦ ଲାଗି ନୋଟିସ ଦିଆଯାଇଥିଲା। ସରକାରୀ ଜାଗାରେ ଦୀର୍ଘ ବର୍ଷ ଧରି ଲୋକେ କରିଥିଲେ ଘର।କୁଳିଅଣା ବ୍ଲକର ତିତିରି ଅଞ୍ଚଳରେ ଘର ଉଚ୍ଛେଦ କାମ ଆରମ୍ଭ ହୋଇଥିଲା। ଏହାକୁ ନେଇ ବିରୋଧ କରିବା ସହ ତାତିଥିଲେ ଗ୍ରାମବାସୀ। ନିଆଁ ଜାଳି ବାଉଁଶ ବାନ୍ଧି ଉତ୍ତ୍ୟକ୍ତ ଲୋକେ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ କୁଳିଅଣା ପୋଲିସ ପହଞ୍ଚି ଳୋକଙ୍କୁ ବୁଝାସୁଝା ଜାରି ରଖିଛି। ପୂର୍ବରୁ ବସବାସ କରୁଥିବା ୧୩୦ଟି ଘରକୁ ଉଚ୍ଛେଦ ଲାଗି ନୋଟିସ୍ ଜାରି କରିଥିଲା ପ୍ରଶାସନ।

ଲଞ୍ଚ୍ ହେଲା ଆକ୍ସିଅମ୍-୪, ଇତିହାସ ରଚିଲେ ଆଷ୍ଟ୍ରୋନଟ୍ ଶୁଭାଂଶୁ ଶୁକ୍ଳା

ନନ୍ଦିଘୋଷ ବ୍ୟୁରୋ :  ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାତ୍ରା କରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨ଟା ୦୧ ରେ ମହାକାଶକୁ ଯାତ୍ରା ପାଇଁ ମିଶନ ଆରମ୍ଭ କରିଛନ୍ତି । ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କରିଛନ୍ତି । ଏହାସହ ଦ୍ୱିତୀୟ ଭାରତୀୟ ଭାବେ ରେକର୍ଡ କରିଛନ୍ତି ଶୁଭାଂଶୁ । ଭାରତର ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ତିନି ଜଣ ମହାକାଶଚାରୀଙ୍କୁ ନେଇ ଆକ୍ସିଅମ୍-୪ ମିଶନ କେନେଡି ସ୍ପେସ୍ ସେଣ୍ଟରର କମ୍ପ୍ଲେକ୍ସ ୩୯ଏ ରୁ ଉଡ଼ାଣ ଭରିଛି । ୨୮ ଘଣ୍ଟାର ଯାତ୍ରା ପରେ, ଗୁରୁବାର ଅପରାହ୍ନ ପ୍ରାୟ ୪.୩୦ରେ ଏହି ମହାକାଶଯାନ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ସହିତ ଡକ୍ ହେବାର ସୂଚନା ରହିଛି । ମହାକାଶକୁ ଉଡ଼ାଣ ଭରିବା ପୂର୍ବରୁ ଭାରତବାସୀଙ୍କୁ ଦେଇଥିଲେ ବାର୍ତ୍ତା । କହିଥିଲେ ମୋ କାନ୍ଧରେ ମୋର ତ୍ରିରଙ୍ଗା ଅଛି, ଯାହା ଦର୍ଶାଏ ଯେ ସମଗ୍ର ଭାରତ ମୋ ସହିତ ଅଛି । ମୁଁ ଚାହେଁ ଯେ ସମଗ୍ର ଦେଶ ଏହି ଖୁସିରେ ସାମିଲ ହେଉ। ଜୟ ହିନ୍ଦ।

ପାକିସ୍ତାନୀ ମେଜର ମୁଇଜଙ୍କୁ ହତ୍ୟା, ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବନ୍ଦୀ କରିଥିବା ଦାବି କରିଥିଲେ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ସେନାର ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ହତ୍ୟା ଖବର ଆସିଛି। ଅଧିକାରୀଙ୍କ ନାମ ମେଜର ମୁଇଜ୍। ଦକ୍ଷିଣ ୱାଜିରିସ୍ତାନରେ ତେହେରିକ-ଏ-ତାଲିବାନ୍ ପାକିସ୍ତାନର ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି। ମେଜର ମୁଇଜ୍‌ଙ୍କ ହତ୍ୟା ପାକିସ୍ତାନ ସେନା ପାଇଁ ଏକ ବଡ଼ ଧକ୍କା। ମେଜର ମୁଇଜ୍ ଷଷ୍ଠ କମାଣ୍ଡୋ ବାଟାଲିୟନରେ ନିୟୋଜିତ ଥିଲେ। ସରଗୋଗା ନିକଟରେ ଆମ୍ବୁସରେ ପଡ଼ି ରହିଥିବା ଆତଙ୍କବାଦୀମାନେ ମୁଇଜ୍ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ମୁଇଜଙ୍କ ମୃତ୍ୟୁ ହୋଇଥିଲା। ମେଜର ମୁଇଜ୍ ବ୍ୟତୀତ ଆତଙ୍କବାଦୀମାନେ ପାକିସ୍ତାନ ସେନାର ଲାନ୍ସ ନାୟକ ଜିବ୍ରାନୁଲ୍ଲାହଙ୍କୁ ମଧ୍ୟ ହତ୍ୟା କରିଥିଲେ।

୨୦୧୯ ମସିହାରେ ପାକିସ୍ତାନ ବିରୁଦ୍ଧରେ ଭାରତର ଅପରେସନ ସମୟରେ ମୁଇଜ୍ ଚର୍ଚ୍ଚାକୁ ଆସିଥିଲେ। ସେହି ସମୟରେ ମୁଇଜ୍ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବନ୍ଦୀ କରିଥିବା ଦାବି କରିଥିଲେ। ମେଜର ମୁଇଜ୍ ମୂଳତଃ ପାକିସ୍ତାନର ଚକୱାଲର ବାସିନ୍ଦା ଥିଲେ।

ପାକିସ୍ତାନ ସେନାର ସୂଚନା ଅନୁଯାୟୀ, ବିଶ୍ୱସ୍ତ ଗୁପ୍ତ ସୂଚନା ଆଧାରରେ, ଉଭୟ ଅଧିକାରୀ ଅପରେସନ ପାଇଁ ସରଗୋଗାରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ମାତ୍ରେ ଟିଟିପିର ଆତଙ୍କବାଦୀମାନେ ସେମାନଙ୍କୁ ହତ୍ୟା କରିଥିଲେ। ପାକିସ୍ତାନ ସେନା କହିଛି ଯେ ଏହି ଅଞ୍ଚଳରେ ଏକ ଅପରେସନରେ 11 ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଛି। ତଥାପି, ଆତଙ୍କବାଦୀମାନେ ଯେଭଳି ଭାବରେ ମେଜର ମୁଇଜଙ୍କୁ ହତ୍ୟା କଲେ ତାହା ପାକିସ୍ତାନ ସେନା ପାଇଁ ଏକ ବଡ଼ ଆଘାତ। ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମୁଇଜଙ୍କ ହତ୍ୟା ଉପରେ ଦୁଃଖ ପ୍ରକାଶ କରିଛନ୍ତି।

ସୋନମ କାହିଁକି ହେବନି ନାର୍କୋ ଟେଷ୍ଟ ? ଏହାର କାରଣ କହିଲା ମେଘାଳୟ ପୋଲିସ..

ନନ୍ଦିଘୋଷ ବ୍ୟୁରୋ : ରାଜା ରଘୁବଂଶୀ ହତ୍ୟା ମାମଲାକୁ ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହି ମାମଲାରେ ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳୁଛି। ପୋଲିସ ଗୋଟିଏ ପରେ ଗୋଟିଏ ଆଠ ଜଣଙ୍କୁ ଗିରଫ କରିଛି। ରାଜା ରଘୁବଂଶୀଙ୍କ ଭାଇ ବିପିନ ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀ ଏବଂ ତାଙ୍କ ପ୍ରେମିକ ରାଜ କୁଶୱାହାର ନାର୍କୋ ଟେଷ୍ଟ ଦାବି କରିଥିଲେ। କିନ୍ତୁ ଏବେ ଏହା ସାମ୍ନାକୁ ଆସିଛି ଯେ ସୋନମଙ୍କ ନାର୍କୋ ଟେଷ୍ଟ କରାଯିବ ନାହିଁ। ଏହାର କାରଣ ମେଘାଳୟ ପୋଲିସ ଦେଇଛି।

ମେଘାଳୟ ପୋଲିସ ନିକଟରେ ପ୍ରକାଶ କରିଥିଲା ​​ଯେ ସୋନମ ରଘୁବଂଶୀ ଓ ରାଜ କୁଶୱାହା ପ୍ରେମ ସମ୍ପର୍କ ଥିବା ସ୍ୱୀକାର କରିଛନ୍ତି। ଦୁହେଁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ସୋନମର ପିତାମାତା ରାଜଙ୍କ ସହ ତାଙ୍କ ସମ୍ପର୍କକୁ ଅନୁମୋଦନ କରିନଥିଲେ। ଏହି ସମୟରେ, ରାଜାଙ୍କ ପ୍ରସ୍ତାବ ଆସିଲା ଓ ସୋନମ ରାଜାଙ୍କ ସହିତ ବିବାହ କଲେ। ତେଣୁ, ରାଜ ଓ ସୋନମ ପୂର୍ବରୁ ରାଜାଙ୍କୁ ହତ୍ୟା କରିବା ଏବଂ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଏକ ଷଡ଼ଯନ୍ତ୍ର ରଚିଥିଲେ।

ଶିଲଂ ପୋଲିସ ଏହି ହତ୍ୟା ମାମଲାର ତଦନ୍ତ କରୁଛି। ରାଜା ରଘୁବଂଶୀଙ୍କ ପରିବାର ସୋନମ ଏବଂ ରାଜଙ୍କ ନାର୍କୋ ଟେଷ୍ଟ ଦାବି କରିଥିଲେ। କିନ୍ତୁ ମାମଲାର ତଦନ୍ତ କରୁଥିବା ଏସଆଇଟି ପୀଡିତାଙ୍କ ପରିବାରର ନାର୍କୋ ଟେଷ୍ଟ ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ତେଣୁ ଏବେ ସୋନମ ନାର୍କୋ ଟେଷ୍ଟ କରିବେ ନାହିଁ। ଏହା ପଛରେ କାରଣ ଦର୍ଶାଯାଇଛି ଯେ ପୋଲିସ ପାଖରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ଅଛି। ତେଣୁ, ନାର୍କୋ ଟେଷ୍ଟର କୌଣସି ଆବଶ୍ୟକତା ନାହିଁ।

୫୦ହଜାର ଟଙ୍କା ଋଣ ପରିଶୋଧ କରିପାରିଲାନି ବୋଲି ସ୍ତ୍ରୀଙ୍କୁ ବିକିଦେଲା ସ୍ବାମୀ…

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ୱାମୀ ଋଣ ପରିଶୋଧ କରିବା ପାଇଁ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ସାଙ୍ଗଙ୍କୁ ବିକ୍ରି କରିଦେଇଥିଲେ। ସେହି ବନ୍ଧୁ ମଧ୍ୟ ମହିଳାଙ୍କୁ ନିର୍ମମ ଭାବରେ ଦୁଷ୍କର୍ମ କରିଥିଲେ। ପୀଡିତା ଏହି ମାମଲାରେ ଏକ ଏଫଆଇଆର ଦାୟର କରିଛନ୍ତି। ମହିଳାଙ୍କ କଥା ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ପୋଲିସ ଅନୁସାରେ, ମହିଳାଙ୍କ ସ୍ୱାମୀ ଧାର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୩୫ କିଲୋମିଟର ଦୂର କାନୱାନ ଥାନା ଅଞ୍ଚଳର ବାସିନ୍ଦା । ଯେତେବେଳେ ତାଙ୍କ ସ୍ତ୍ରୀ ଇନ୍ଦୋରରେ ରହୁଥିଲେ। ଜୁଆଡ଼ି ସ୍ୱାମୀ ୫୦ ହଜାର ଟଙ୍କା ଋଣ ପରିଶୋଧ କରି ନ ପାରି ତାଙ୍କ ନିଜ ସ୍ତ୍ରୀଙ୍କୁ ତାଙ୍କର ଜଣେ ବନ୍ଧୁଙ୍କୁ ବିକ୍ରି କରିଦେଇଥିଲେ, ଯିଏ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। କାନୱାନ ଥାନା ଅଧିକରରୀ କହିଛନ୍ତି ଯେ ମହିଳା ଅଭିଯୋଗ କରିଛନ୍ତି – ମୋ ସ୍ୱାମୀ ଜଣେ ଜୁଆଡ଼ି। ଏହି ଅଭ୍ୟାସ ଯୋଗୁଁ ତାଙ୍କର ଋଣ ବଢ଼ି ଯାଉଥିଲା, ଯାହା ଫଳରେ ସେ ମୋତେ ବିକି ଦେଲେ ।

ମହିଳା ଜଣକ ଅଭିଯୋଗ କରିଛନ୍ତି, ତାଙ୍କ ଋଣଗ୍ରସ୍ତ ସ୍ୱାମୀ ତାଙ୍କୁ ତାଙ୍କ ଜଣେ ସାଙ୍ଗଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଯିଏ ତାଙ୍କୁ ୫୦ ହଜାର ଟଙ୍କା ଋଣ ଦେଇଥିଲେ। ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି । ଅଭିଯୋଗ ଅନୁଯାୟୀ, ଯେତେବେଳେ ସ୍ୱାମୀ ଋଣ ପରିଶୋଧ କରିବାରେ ଅସମର୍ଥ ହେଲେ, ସେ ଜଣେ ସାଙ୍ଗଙ୍କ ସହ ଏକ ଚୁକ୍ତି କଲେ  । ଋଣ ପରିଶୋଧ କରିବା ପାଇଁ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲେ।

ଓଡ଼ିଶାରେ ନାରୀ ଅସୁରକ୍ଷିତ, କଲେଜ କ୍ୟାମ୍ପସରେ ବିଜେଡିର ସୁରକ୍ଷା ପ୍ରତିବାଦ

ଭୁବନେଶ୍ବର : ଓଡ଼ିଶାରେ ନାରୀ ଅସୁରକ୍ଷିତ। ଦିନକୁ ଦିନ ମହିଳାମାନଙ୍କ ଉପରେ ଗଣ ଦୁର୍ଷମ ଓ ଅତ୍ୟାଚାର ବଢି ବଢି ଚାଲିଛି ।  ଏହା ବିରୋଧରେ ଆଜି ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜେଡ଼ିର ଅଲ ଓଡିଶା ଷ୍ଟୁଡେଣ୍ଟ ଷ୍ଟ୍ରାଇକ। ରାଜ୍ୟରେ ବଢି ଚାଲିଥିବା ମହିଳା ନିର୍ଯାତନା, ଦୁଷ୍କର୍ମ, ହତ୍ୟା ଓ ଅନ୍ୟ ଅପରାଧ ବିରୋଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ। ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ ହେଉଥିବା ବେଳେ ଭୁବନେଶ୍ୱରର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ହୁଙ୍କାର ଦେଖିବାକୁ ମିଳିଛି। ଏହି କ୍ରମରେ ଭୁବନେଶ୍ୱର ରାଜଧାନୀ କଲେଜରେ ଛାତ୍ରଛାତ୍ରୀ ଏକାଠି ହୋଇ ରାଜ୍ୟବ୍ୟାପି ମହିଳା ହିଂସାର ପ୍ରତିବାଦ କରୁଛନ୍ତି। ମହିଳାଙ୍କୁ ସୁରକ୍ଷା, ନ୍ୟାୟ ଓ ସମ୍ମାନ ସହ ମହିଳା ବିରୋଧୀ ଅପରାଧ ତୁରନ୍ତ ରୋକିବାକୁ ଦାବି ହୋଇଛି। ଛାତ୍ରଛାତ୍ରୀ ମାନେ ଶ୍ରେଣୀ ବର୍ଜନ କରିବା ସହ କଳା ବ୍ୟାଜ୍ ପରିଧାନ କରି ପିକେଟିଂ କରୁଛନ୍ତି। ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଅଞ୍ଜନା ମିଶ୍ର ଘଟଣାରୁ ବଳି ଯାଇଛି ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣା। ଯାହା ବିଶ୍ବ ମାନଚିତ୍ରରେ ଓଡ଼ିଶାକୁ ନିନ୍ଦିତ କରିଛି। ପ୍ରତିଦିନ ୧୫ରୁ ଅଧିକ ମହିଳା ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେଉଛନ୍ତି। ବିଜେପି ସରକାରକୁ ଆସିବ ଦିନଠାରୁ ଅସୁରକ୍ଷିତ ହୋଇପଡ଼ିଛନ୍ତି ମହିଳା। ଏହା ବିରୋଧରେ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରତିବାଦ କରୁଛି ବିଜେଡି।

ଇସ୍ରାଏଲରୁ ଫେରିଲେ ଆଉ ୨୮୨ ଭାରତୀୟ

ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଧୁରେ ଇସ୍ରାଏଲରୁ ଫେରିଲେ ଆଉ ୨୮୨ ଭାରତୀୟ। ସେମାନଙ୍କ ମଧ୍ଯରେ ଅଛନ୍ତି ଛାତ୍ରଛାତ୍ରୀ, କର୍ମଚାରୀ। ମଧ୍ଯପ୍ରାଚ୍ୟ ସଙ୍କଟ ଘନୀଭୂତ ହେଉଥିବାରୁ ଅପରସେନ ସିନ୍ଧୁ ଜରିଆରେ ଭାରତୀୟମାନଙ୍କୁ ଫେରାଇ ଆଣୁଛନ୍ତି ସରକାର। ଉଭୟ ଇରାନ ଓ ଇସ୍ରାଏଲ ରହିଛନ୍ତି ହଜାର ହଜାର ଭାରତୀୟ। ସେମାନଙ୍କୁ ନିରାପଦରେ ଭାରତୀୟ ବାୟୁସେନା ବିମାନରେ ଫେରାଇ ଅଣାଯାଉଛି। ଗତକାଲି ରାତିରେ ଆସି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି ୨୮୨ ଭାରତୀୟ। ବର୍ତ୍ତମାନ ସୁଦ୍ଧା ଇରାନରୁ ୨, ୮୫୮ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଗଲାଣି।

କାରକୁ ମୁହାଁମୁହିଁ ଧକ୍କା ଦେଲା ଟିପ୍ପର, ଜଣେ ମୃତ

ନୀଳଗିରି : ନୀଳଗିରି ଥାନା ବାଲିଗୋହିରୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କାରକୁ ମୁହାଁମୁହିଁ ଧକ୍କା ଦେଲା ଟିପ୍ପର। ଦୁର୍ଘଟଣାରେ ଚାଲିଗଲା ଦାଦାର ଜୀବନ। ପୁତୁରା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଦିନକ ପରେ ବାହାଘର ଥିବାବେଳେ ଚାଲିଗଲା ଦାଦାର ଜୀବନ। କ୍ଷତିପୂରଣ ଦାବିରେ ୧୯ ନଂ ରାଜ୍ୟ ରାଜପଥର ବାଲିଗୋହିରୀ ଛକ ନିକଟରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଦାବି ପୂରଣ ନହେବା ଯାଏଁ ରାସ୍ତାରୋକ ହଟିବନି ବୋଲି ଚେତାବନୀ ଦେଇଛନ୍ତି। ମୃତକ ହେଉଛନ୍ତି ଗୋବରା ଗ୍ରାମର ହରେକୃଷ୍ଣ ମହାଳିକ। ଦାଦା ହରେକୃଷ୍ଣ ଓ ପୁତୁରା ଜ୍ୟୋତିଶଙ୍କର ବାହାଘର ନିମନ୍ତେ ବନ୍ଧୁଙ୍କୁ ଆଣିବାକୁ ବାଲେଶ୍ବର ଷ୍ଟେସନକୁ ଯାଉଥିଲେ। ଭୋର ସମୟରେ ଦ୍ରୁତ ଗତିରେ ନୀଳଗିରି ଅଭିମୁଖେ ଆସୁଥିବା ଏକ ଟିପ୍ପର ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ହରେକୃଷ୍ଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୁତୁରା ଜ୍ୟୋତିଶଙ୍କରଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ବାହାଘରକୁ ଆଉ ଗୋଟିଏ ଦିନ ଥିବାରୁ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି।