spot_img
Home Blog Page 625

୧୫ ଜଣଙ୍କୁ ପଛରେ ପକାଇ ୬ ନମ୍ବରକୁ ଡେଇଁଲେ ଟିମ୍ ଇଣ୍ଡିଆ ଅଧିନାୟକ ଶୁବମନ ଗିଲ୍

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦମଦାର ପାରିର ଲାଭ ମିଳିଛି ଭାରତୀୟ କ୍ରିକେଟ ଟିମର ଟେଷ୍ଟ ଅଧିନାୟକ ଶୁବମନ ଗିଲଙ୍କୁ । ୧୫ ଜଣ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି ଗିଲ୍ । ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ରାକିଂରେ ୨୧ ନମ୍ବର ସ୍ଥାନରୁ ଉପରକୁ ଉଠି ଗିଲ ଷଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି ।ଦ୍ବିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଦ୍ବିଶତକ ଓ ଦ୍ବିତୀୟ ଇଂନିସରେ ଶତକ ମାରି ଭାରତ ବିଜୟର କର୍ଣ୍ଣଧାର ସାଜିଥିବା ଗିଲଙ୍କୁ ଏହି ସଫଳତା ମିଳିଛି । ସପଟେ, ଟେଷ୍ଟ କ୍ରିକେଟରେ ଜୋ ରୁଟଙ୍କୁ ହଟାଇ ହ୍ୟାରି ବ୍ରୁକ୍ ଏକ ନମ୍ବର ସ୍ଥାନ ଦଖଲ କରି ନେଇଛନ୍ତି । ହ୍ୟାରି ଏକ ନମ୍ବର ସ୍ଥାନକୁ ଉଠିଥିବା ବେଳେ ରୁଟ୍ ଗୋଟିଏ ସ୍ଥାନ ତଳକୁ ଖସି ଦ୍ବିତୀୟ ସ୍ଥାନକୁ ଆଓି ଯାଇଛନ୍ତି ।

ସୂଚନାଯୋଗ୍ୟ, ଗିଲ ଇଂଲଣ୍ଡକୁ ଟେଷ୍ଟ ଖେଳିବାକୁ ଆସିବା ସମୟରେ ତାଙ୍କ ଟେକନିକକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଥିଲା । ପ୍ରଥମ ଟେଷ୍ଟରେ ଶତକ ଲଗାଇ ଗିଲ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଥିଲେ । ଏହାପରେ ଏଜବେଷ୍ଟନରେ ଖେଳା ଯାଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ପାରିରେ ଦ୍ବିଶତକ ଲଗାଇଥିଲେ । ଏହାପରେ ଦ୍ବିତୀୟ ପାରିରେ ଶତକ ଲଗାଇ ଥିଲେ । ଏହି ଟେଷ୍ଟରେ ଗିଲ୍ ୪୩୦ ରନ କରିବା ସହ ଆଇସିସି ଟେଷ୍ଟ ରାକିଂରେ ଷଷ୍ଠ ସ୍ଥାନକୁ ଉଠିଛନ୍ତି । ଏହାସହ ତାଙ୍କ ରାକିଂ ପଏଣ୍ଟ ୮୦୭ ହୋଇଯାଇଛି ।

ହ୍ୟାରି ବ୍ରୁକ୍ ଏକ ନମ୍ବର

ହ୍ୟାରି ବ୍ରୁକଙ୍କ କଥା କହିବା ତ, ଇଂଲଣ୍ଡର ଏହି ଖଷଳାଳି ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ ୯୯ ଓ ଦ୍ବିତୀୟ ଇଂନିସରେ ଶତକ ମାରିଥିଲେ । ଏହା ତାଙ୍କୁ ଆଇସିସି ଟେଷ୍ଟ ରାକିଂର ଏକ ନମ୍ବର ସ୍ଥାନରେ ପହଞ୍ଚାଇ ଦେଇଥିଲା । ଦୁଇଟି ଟେଷ୍ଟରେ ଜୋ ରୁଟ୍ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଯାହା ଫଳରେ ତାଲିକାରେ ସେ ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି । ଅନ୍ୟ ଖେଳାଳିଙ୍କ କଥା କହିବା ତ କେନ ଓ୍ବିଲିୟମସନ ତୃତୀୟ ସ୍ଥାନରେ ଥିବା ବଳେ ୟଶସ୍ବୀ ଜଶଓ୍ବାଲ ଚତୁର୍ଥ ଏବଂ ଷ୍ଟିବ ସ୍ମିତ ପଞ୍ଚମ ସ୍ଥାନରେ ରହିଛନ୍ତି । ଟେମ୍ବା ବାବୁମା ୭ମ ସ୍ଥାନରେ ରହିଛନ୍ତି । ସେହିପରି ଏହି ସିରିଜରେ ଭଲ ପ୍ରଦର୍ଶନ କରିଥିଲେ ବି ରିଷଭ ପନ୍ତ ତଳକୁ ଖସି ଅଷ୍ଟମ ସ୍ଥାନକୁ ଚାଲି ଆସିଛନ୍ତି ।

ଇଂଲଣ୍ଡର ଜେମି ସ୍ମିଥ ୧୬ ଜଣ ବ୍ୟାଟରଙ୍କୁ ପଛରେ ପକାଇ ଟପ୍ ଟେନରେ ନିଜ ସ୍ଥାନ ପକ୍କା କରିଛନ୍ତି । ଆଗକୁ ଲର୍ଡ୍ସ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି । ଏଥିରେ ଭଲ ପ୍ରଦର୍ଶନ କରିବା ଖେଳାଳି ପୁଣି ଥରେ ଟେଷ୍ଟ ରାକିଂରେ ବଡ଼ ଧରଣ ଏପଟ ସେପଟ କରିପାରନ୍ତି । ଏବେ ଦେଖିବାକୁ ବାକି ରହିଲା ଗିଲ ଆଉ ଏକେ ଆଗକୁ ଯାଇ ପାରୁଛନ୍ତି । କାରଣ ତାଙ୍କ ଲକ୍ଷ୍ୟ ଏକ ନମ୍ବର ବ୍ୟାଟର ହେବାର ଅଛି । ଦିନିକିଆରେ ଏକ ନମ୍ବର ପୋଜିସନ ତାଙ୍କ ପାଖରେ ଥିବା ବେଳେ ଟେଷ୍ଟରେ ଏହା ମିଳିବାକୁ ଆଉ କେତେ ଅପେକ୍ଷା କରିବାକୁ ପଡ଼ିବ ଦେଖିବାକୁ ବାକି ରହିଛି ।

ଆଇପିଏସ ସ୍ତରରେ ଅଦଳବଦଳ , ସଞ୍ଜୀବ ପଣ୍ଡା ହେଲେ ନକ୍ସଲ ବିରୋଧୀ ଅପରେସନ ଏଡିଜି

ନନ୍ଦିଘୋଷ ବ୍ୟୁରୋ : ଆଇପିଏସ ସ୍ତରରେ ଅଦଳବଦଳ। ସଞ୍ଜୀବ ପଣ୍ଡା ହେଲେ ନକ୍ସଲ ବିରୋଧୀ ଅପରେସନ ଏଡିଜି। କେ.ଭି ସିଂହ ହେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି। ଅଖିଳେଶ୍ବର ସିଂହ ହେଲେ ସ୍ବତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜି। ସେହିପରି ଅନୁପ କୁମାର ସାହୁଙ୍କୁ BPSPAର ନିର୍ଦ୍ଦେଶକ ଦାୟିତ୍ଵ ଦିଆଯାଇଛି। ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଆଇଜି ଅଛନ୍ତି ଅନୁପ ସାହୁ।

ରାଜସ୍ଥାନ ଚୁରୁରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ , ପାଇଲଟ୍ ମୃତ

ନନ୍ଦିଘୋଷ ବ୍ୟୁରୋ : ରାଜସ୍ଥାନ ଚୁରୁରେ ବୁଧବାର ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାଟି ରତ୍ନଗଡ଼ରେ ଘଟିଛି । ଘଟଣାସ୍ଥଳରୁ ପାଇଲଟଙ୍କ ମୃତଦେହ ମିଳିଛି । ଦୁର୍ଘଟଣା ନେଇ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ  । ଦୁର୍ଘଟଣାଗ୍ରସ୍ତ ବିମାନଟି IAFର ଜାଗୁଆର ଫାଇଟର ଜେଟ୍ ବୋଲି ଜଣାପଡିଛି । ଏହି ପ୍ଲେନ୍ କ୍ରାସ୍ ଭାନୁଦା ଗ୍ରାମର ଏକ କ୍ଷେତରେ ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନର ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି ।

ମହାଗଠବନ୍ଧନର ବିହାର ବନ୍ଦ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାମିଲ

ନନ୍ଦିଘୋଷ ବ୍ୟୁରୋ :  ମହାଗଠବନ୍ଧନର ବିହାର ବନ୍ଦ। ବନ୍ଦରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବନ୍ଦ ପରିପ୍ରେକ୍ଷୀରେ ଗିରଫ ହୋଇଛନ୍ତି ବହୁ ନେତା। ରାହୁଲ କହିଛନ୍ତି ବିହାରର ଗରିବମାନଙ୍କ ଭୋଟ ଅଧିକାର ଛଡ଼ାଇନେବା ଲାଗି ଚାଲିଛି ଷଡ଼ଯନ୍ତ୍ର। ଏହି ପ୍ରକ୍ରିୟା ବନ୍ଦ ହେଉ ବୋଲି ସେ ଦାବି କରିଛନ୍ତି। ଆନ୍ଦୋଳନ ଅବସରରେ ପାଟନାର ଏନଏଚ ୩୦ରେ ଟାୟର ଜାଳି ରାସ୍ତା ଅବରୋଧ କରାଯାଇଛି। ବିଭିନ୍ନ ସ୍ଥାନରେ ରେଳରୋକ ବି କରାଯାଇଛି। ବିହାରରେ ଚାଲିଥିବା ସ୍ପେସାଲ ଇଣ୍ଟେନସିଭ ରିଭିଜନ ପ୍ରକ୍ରିୟା ବିରୋଧରେ ମହାଗଠବନ୍ଧନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି।

ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିବା ସହ ଏସଆଇଆର ବିରୋଧରେ ସ୍ଲୋଗାନ ଦେଇଥିଲେ। ବିହାରର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି ବନ୍ଦ ପାଳନ ବି କରାଯାଉଛି। ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ସ୍ପେସାଲ ଇଣ୍ଟେନସିଭ ରିଭିଜନ ପ୍ରକ୍ରିୟା କରାଯାଉଥିବାରୁ ଏହାକୁ ନେଇ ଗର୍ଜିଛନ୍ତି ବିରୋଧୀ। ସ୍ପେସାଲ ଇଣ୍ଟେନସିଭ ରିଭିଜନ ପ୍ରକ୍ରିୟା ଆଳରେ ୨ କୋଟି ଭୋଟର ମତାଧିକାରରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରାଯାଇଛି। SIR ଅନୁସାରେ ଭୋଟର ତାଲିକାରେ ଥିବା ଭୋଟରଙ୍କୁ ସେମାନଙ୍କ ନାଗରିକ ଓ ଜନ୍ମ ପ୍ରମାଣପତ୍ର ଦେବାକୁ ପଡ଼ିବ । ଯଦି ନ ଦେଇପାରିବେ ତାହେଲେ ତାଙ୍କ ନାମ ଭୋଟର ତାଲିକାରୁ କଟିଯିବ । ଚଳିତ ବର୍ଷ ଶେଷ ଆଡକୁ ବିହାରରେ ବିଧାନସଭା ନିର୍ବାଚନ ହେବ । ଏତେ କମ ସମୟରେ ଏହା କିପରି ସମ୍ଭବ ବୋଲି ଅଭିଯୋଗ କରିଥିଲେ ବିରୋଧୀ।

ଜାରି ରହିବ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୭ ଦଫା ଦାବିରେ ଚାଲିଛି ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ : ଜାରି ରହିବ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ୭ ଦଫା ଦାବିରେ ଚାଲିଛି ପ୍ରତିବାଦ। ଆଜି ବି ଗଡୁନି ବସ କି ଟ୍ରକ୍। ଫଳରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ଆଲୋଚନାରୁ ବାହାରିଲାନି ନିଷ୍କର୍ସ। ଗତକାଲି ପରିବହନ ମନ୍ତ୍ରୀ, ପରିବହନ କମିଶନର ଓ ସଚିବଙ୍କ ୪ ଘଣ୍ଟାର ବୈଠକ ବସିଥିଲା। ତେବେ ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିଲା। ଡ୍ରାଇଭର ସଙ୍ଘ ସହ ବୈଠକ ପରେ ପରିବହନ ମନ୍ତ୍ରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ଡ୍ରାଇଭର ସଙ୍ଘ ସଦସ୍ୟଙ୍କ ସହ ସେମାନଙ୍କ ଦାବି ନେଇ ଆଲୋଚନା ହୋଇଛି। ସେମାନଙ୍କ ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ବିଭିନ୍ନ ଶିଳ୍ପରେ ଡ୍ରାଇଭରଙ୍କୁ ନିଯୁକ୍ତି ଏବଂ ରାଜ୍ୟ ରାଜପଥରେ ରେଷ୍ଟ ରୁମ ଆଦି ନିର୍ମାଣ କରିବା ଦିଗରେ ଆଲୋଚନା ହୋଇଛି। ଅନ୍ରପଟେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ କଟକ ନେତାଜୀ ବସ ଟର୍ମିନାଲରେ ବସ ଚଳାଚଳ ପ୍ରଭାବିତ ହୋଇଛି। କେବଳ ସରକାରୀ ବସ ଓ ଆମ ବସ ଚଳାଚଳ କରୁଛି।

ଉଦୟପୁର ଫାଇଲ୍ସ ଫିଲ୍ମ ରିଲିଜକୁ ସୁପ୍ରିମକୋର୍ଟଙ୍କ ସବୁଜ ସଂକେତ

ନନ୍ଦିଘୋଷ ବ୍ୟୁରୋ : ଏଥର ରିଲିଜ୍ ହେବ ‘ଉଦୟପୁର ଫାଇଲ୍ସ’ ଫିଲ୍ମ । ସୁପ୍ରିମକୋର୍ଟରୁ ମିଳିଲା ସବୁତ ସଂକେତ । ବଲିଉଡ୍ ଫିଲ୍ମ ‘ଉଦୟପୁର ଫାଇଲ୍ସ’ର ନିର୍ମାତାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, କାରଣ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଛି ସୁପ୍ରିମକୋର୍ଟ । ଏହି ଫିଲ୍ମ ବିରୋଧରେ ଦାୟର ଅଭିଯୋଗ ଆବେଦନ ଗୁଡିକର ଶୁଣାଣି କରିବାକୁ ମଧ୍ୟ ମନା କରିଦେଇଛି ସୁପ୍ରିମକୋର୍ଟ । ପ୍ରସିଦ୍ଧ କନହୈୟାଲାଲ ହତ୍ୟା ମାମଲାର ଅଭିଯୁକ୍ତ ମହମ୍ମଦ ଯାବେଦ ଏହି ଯାଚିକା ଦାୟର କରିଥିଲା ।

ଯେତେବେଳେ ସୁପ୍ରିମକୋର୍ଟରେ ମାମଲାଟିର ଶୁଣାଣି ହୋଇଥିଲା ‘ଉଦୟପୁର ଫାଇଲ୍ସ’ ଫିଲ୍ମ ପକ୍ଷରୁ ଉପସ୍ଥିତ ଓକିଲ କହିଥିଲେଯେ, ଫିଲ୍ମଟି ଶୁକ୍ରବାର ରିଲିଜ୍ ହେବାକୁ ଯାଉଛି। ଏହା ଦ୍ୱାରା ଟ୍ରାୟନ ପରେ ପ୍ରଭାବ ପଡିପାରେ । କିନ୍ତୁ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ ତାଙ୍କୁ କହିଲେ ଯେ, ଯେ ଫିଲ୍ମଟି ରିଲିଜ୍ ହେବାକୁ ଦିଅ ଏବଂ କୋର୍ଟରେ ଆପଣଙ୍କର ମତାମତ ଉପସ୍ଥାପନ କର।

କେବଳ ଏତିକି ନୁହେଁ, ଫିଲ୍ମକୁ ନେଇ ଜାମିୟତ ଉଲେମା-ଏ-ହିନ୍ଦ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ଗୁଜରାଟ ହାଇକୋର୍ଟରେ ପିଟିସନ ଦାୟର କରିଛନ୍ତି  । ଯେଉଁଥିରେ ଫିଲ୍ମର ରିଲିଜ୍ ଉପରେ ରୋକ ​​ଲଗାଇବା ଏବଂ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ୍ (CBFC) ଦ୍ୱାରା ଦିଆଯାଇଥିବା ପ୍ରମାଣପତ୍ରକୁ ବାତିଲ କରିବା ଦାବି କରାଯାଇଛି।

‘ଉଦୟପୁର ଫାଇଲ୍ସ’କୁ ନେଇ କାହିଁକି ବିବାଦ?

‘ଉଦୟପୁର ଫାଇଲ୍ସ’ ଫିଲ୍ମଟି ୨୦୨୨ ମସିହାରେ ହୋଇଥିବା କନହୈୟାଲାଲ ହତ୍ୟା ମାମଲା ଉପରେ ଆଧାରିତ। ଏହାର ଟ୍ରେଲରରେ ନୁପୁର ଶର୍ମାଙ୍କ ବିବାଦୀୟ ବୟାନ, ଜ୍ଞାନବାପୀ ବିବାଦ ଏବଂ ମୁସଲିମ ସମ୍ପ୍ରଦାୟକୁ ଟାର୍ଗେଟ କରୁଥିବା ଦୃଶ୍ୟ ଅନ୍ତର୍ଭୁକ୍ତ ରହିଛି । ତେଣୁ ଜାମିୟତ ଉଲେମା-ଏ-ହିନ୍ଦ ଏହାକୁ ସାମ୍ପ୍ରଦାୟିକ ସଦ୍ଭାବନା ଉପରେ ପ୍ରଭାବ ପକାଇବ କହି ଫିଲ୍ମ ରିଲିଜକୁ ବନ୍ଦ କରିବା ପାଇଁ ଦିଲ୍ଲୀ, ମୁମ୍ବାଇ ଏବଂ ଗୁଜରାଟ ହାଇକୋର୍ଟରେ ଆବେଦନ ଦାଖଲ କରିଛି। ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ଫିଲ୍ମଟି ଘୃଣା ପ୍ରସାର ଦେଉଛି ଅନ୍ୟପଟେ ନିର୍ମାତା ଏଥିରେ ସତ୍ୟ ଦେଖାଇଥିବା ଦାବି କରୁଛନ୍ତି।

 

ଗୁଜୁରାଟରେ ବଡ଼ ଅଘଟଣ : ଖସିପଡିଲା ଗମ୍ଭୀରା ବ୍ରିଜ୍, ନଦୀ ମଝିରେ ଝୁଲି ରହିଛି ଟ୍ରକ୍ , ୧୦ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଗୁଜୁରାଟରେ ଘଟିଛି ଏକ ବଡ଼ ଅଘଟଣ । ପାଦ୍ରାରେ  ଭଦୋଦରା ଏବଂ ଆନନ୍ଦକୁ ସଂଯୋଗ କରୁଥିବା ମହିସାଗର ନଦୀ ଉପରେ ନିର୍ମିତ ଗମ୍ଭୀରା ବ୍ରିଜ୍ ଭାଙ୍ଗି ପଡ଼ିଛି। ଏହି ଅଘଟଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ତଥାପି, ଏହି ଘଟଣାରେ କେତେ ଲୋକ ନଦୀରେ ଖସି ପଡ଼ିଛନ୍ତି ସେ ବିଷୟରେ ସୂଚନା ମିଳିନାହିଁ । କିନ୍ତୁ କୁହାଯାଉଛି ଯେ ଦୁଇଟି ଟ୍ରକ୍, କାର, ଦୁଇ ଚକିଆ ଯାନ ସମେତ ଅନେକ ଗାଡ଼ି ନଦୀକୁ ଖସିପଡିଛି ।

ଅନ୍ୟପଟେ ସେତୁ ମଝିରେ ଏକ ଟ୍ରକ୍ ଝୁଲି ରହିଥିବା ଦେଖିବାକୁ ମିଳିଛି। ନଦୀରେ ଫସି ରହିଥିବା ଗାଡ଼ି ଏବଂ ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଅଗ୍ନିଶମ ବିଭାଗର ଏକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ନଦୀରେ ଖସିପଡ଼ିଥିବା ଲୋକଙ୍କୁ ବୁଡ଼ାଳିଙ୍କ ସହାୟତାରେ ଖୋଜାଖୋଜି କରାଯାଉଛି। ସକାଳ ପ୍ରାୟ ସାଢ଼େ ୭ଟାରେ ମହିସାଗର ନଦୀ ଉପରେ ଥିବା ପୋଲର ଏକ ଅଂଶ ଭାଙ୍ଗି ପଡ଼ିଥିଲା ​​ଏବଂ ପ୍ରାୟ ଚାରିଟି ଗାଡ଼ି ନଦୀରେ ପଡ଼ି ଯାଇଥିବା ନେଇ ସୂଚନା ମିଳିଛି। ସୂଚନା ମୁତାବକ ଦୁଇଟି ଟ୍ରକ୍ ଏବଂ ଦୁଇଟି ଭ୍ୟାନ ସମେତ ଅନେକ ଗାଡ଼ି ନଦୀରେ ପଡ଼ି ଯାଇଥିଲା। ଏପର୍ଯ୍ୟନ୍ତ ୫ ଜଣଙ୍କୁ ଉଦ୍ଧାର କରାଯାଇଛି।

ଗମ୍ଭୀରା ବ୍ରିଜ୍ ୪୩ ବର୍ଷ ପୁରୁଣା

ସୂଚନା ଅନୁଯାୟୀ, ସୌରାଷ୍ଟ୍ରରୁ ଆସୁଥିବା ବଡ଼ ବଡ଼ ଯାନବାହନ ଟୋଲ୍ ଟ୍ୟାକ୍ସରୁ ବଞ୍ଚିବା ପାଇଁ ଏହି ବ୍ରିଜ୍ ଦେଇ ଯାଆନ୍ତି । ତଥାପି, ଭଦୋଦରା କଲେକ୍ଟରଙ୍କ ଅନୁଯାୟୀ, ବର୍ତ୍ତମାନ ଯାତାୟାତ ପାଇଁ କୌଣସି ବିକଳ୍ପ ରାସ୍ତା ଯୋଗାଇ ଦିଆଯାଇ ନାହିଁ। ମହିସାଗର ନଦୀ ଉପରେ ନିର୍ମିତ ଏହି ସେତୁ ୪୩ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ଗମ୍ଭୀରା ସେତୁକୁ ସୁଇସାଇଡ୍ ପଏଣ୍ଟ ମଧ୍ୟ କୁହାଯାଏ। ଏହାର ମରାମତି ଆବଶ୍ୟକ ଥିଲେ ସୁଦ୍ଧା ଏହାର ମରାମତି କରା ନଯାଇ ସେତୁ ପାଖରେ ଏକ ନୂତନ ସେତୁ ନିର୍ମାଣ ପାଇଁ ଯୋଜନା କରାଯାଇଛି।

ଅଭିଯୋଗ ରହିଛି ଯେ, ନୂତନ ସେତୁ ପାଇଁ ଅନୁମୋଦନ ସତ୍ତ୍ୱେ, ଏହାର କାମ ଆରମ୍ଭ ହୋଇନାହିଁ। ବର୍ଷା ଆରମ୍ଭ ହେବା ପୂର୍ବରୁ ମଧ୍ୟ କୌଣସି ସତର୍କତା ଦିଆଯାଇ ନଥିଲା। ସେତୁଟି ଜୀର୍ଣ୍ଣାବସ୍ଥା ସତ୍ତ୍ୱେ, ଏହାକୁ ଯାତାୟାତ ପାଇଁ ବନ୍ଦ କରାଯାଇ ନଥିଲା। ଅଭିଯୋଗ ହେଉଛି ଯେ ସେତୁଟି ଦୀର୍ଘ ସମୟ ଧରି ଥରୁଥିଲା ଏବଂ ଏହା ବିଷୟରେ ନିରନ୍ତର ଅଭିଯୋଗ କରାଯାଇଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା ଏବଂ ସମୟ ମଧ୍ୟରେ ଏହାର ମରାମତି କରାଯାଇ ନଥିଲା।

 

ଆମେରିକାରେ ପ୍ରବେଶ ପାଇଁ ୪୦ କୋଟି ! ଟ୍ରମ୍ପଙ୍କ ଗୋଲ୍ଡେନ୍ ଭିସାକୁ ପସନ୍ଦ କରୁଛନ୍ତି ଧନୀ ଭାରତୀୟ

ନନ୍ଦିଘୋଷ ବ୍ୟୁରୋ:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ଗୋଲ୍ଡ କାର୍ଡ ଇମିଗ୍ରେସନ ଧନୀ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ସୃଷ୍ଟି କରିଛି। ଯଦିଓ ଏହି ଯୋଜନା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇନାହିଁ, ତଥାପି ଉଚ୍ଚ-ସମ୍ପତ୍ତି-ସମ୍ପନ୍ନ ବ୍ୟକ୍ତି  ଅର୍ଥାତ୍ ଧନୀ ଭାରତୀୟମାନେ ଏହା ବିଷୟରେ ସୂଚନା ସଂଗ୍ରହ କରିବା ଆରମ୍ଭ କରିସାରିଛନ୍ତି।  ବିଶେଷଜ୍ଞଙ୍କ ଅନୁଯାୟୀ, ବିଶେଷକରି ଆମେରିକାରେ ପ୍ରଯୁକ୍ତିବିଦ୍ୟା, ଆର୍ଥିକ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହୁଥିବା ଭାରତୀୟ ବୃତ୍ତିଗତ ବ୍ୟକ୍ତି, ଯାହାଙ୍କ ବୟସ ୨୮ ରୁ ୪୫ ବର୍ଷ ମଧ୍ୟରେ, ସେମାନେ ଏହି ଯୋଜନାରେ ଗଭୀର ଆଗ୍ରହ ଦେଖାଉଛନ୍ତି।

ଡେଭିସ୍ ଆଣ୍ଡ୍ ଆସୋସିଏଟ୍ସର ଇମିଗ୍ରେସନ୍ ଲ’ ଫାର୍ମର କଣ୍ଟ୍ରି ହେଡ୍ ସୁକନ୍ୟା ରମଣଙ୍କ ଅନୁଯାୟୀ, ପ୍ରାୟ ୫୦% ଆଗ୍ରହ ମଧ୍ୟପ୍ରାଚ୍ୟ ଏବଂ ଅନ୍ୟ କିଛି ଧନୀ ଦେଶରୁ ଆସୁଛି, ଯେଉଁଠାରେ ଭାରତୀୟ ପ୍ରବାସୀ ବହୁ ସଂଖ୍ୟାରେ ବାସ କରନ୍ତି।

୪୦ କୋଟି ଦେଇ ଆମେରିକାରେ ପ୍ରବେଶ !

ଟ୍ରମ୍ପଙ୍କ ଗୋଲ୍ଡ କାର୍ଡ ଭିସା ଯୋଜନା ଆରମ୍ଭ ହେବାର କିଛି ଦିନ ମଧ୍ୟରେ ୭୦ହଜାର ରୁ ଅଧିକ ପଞ୍ଜୀକରଣ କରାଯାଇଥିବା ଜଣା ପଡିଛି । ଯେଉଁଥିରେ ୪୦ କୋଟି ଦେଇ ଆମେରିକାରେ ପ୍ରବେଶ ପାଇଁ ନିୟମ ରହିଛି ।

ଏହି ଯୋଜନା ବିଶେଷ ଭାବରେ ମଧ୍ୟମ ସ୍ତରର ବୃତ୍ତିଗତମାନଙ୍କ ପାଇଁ ନୁହେଁ, ବରଂ ଅତ୍ୟନ୍ତ ଧନୀ ଏବଂ ନିବେଶକମାନଙ୍କୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି। ସୂଚନା ଅନୁଯାୟୀ, ଏହି ଯୋଜନାରେ ଭାରତରୁ ମଧ୍ୟ ପଚରାଉଚରା କରାଯାଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ ବର୍ତ୍ତମାନ ଏହି ଯୋଜନା କେବଳ ଏକ ମାର୍କେଟିଂ ରଣନୀତି ପରି ମନେ ହେଉଛି, କାରଣ ଏହା ପଛରେ କୌଣସି ବୈଧାନିକ କିମ୍ବା ଆଇନଗତ ଢାଞ୍ଚା ନାହିଁ। କାରଣ ରେଜିଷ୍ଟ୍ରେସନ ୱେବସାଇଟରେ କେବଳ ନାମ ପୂରଣ କରିବା ଭଳି ମୌଳିକ ସୂଚନା ହିଁ ମଗାଯାଉଛି।

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଗୋଲ୍ଡ କାର୍ଡ ଏବଂ EB5 ଭଳି କାର୍ଯ୍ୟକ୍ରମ ଏକାଠି ଚାଲିପାରିବ। ବର୍ତ୍ତମାନ ପାଇଁ, ଯେପର୍ଯ୍ୟନ୍ତ ଗୋଲ୍ଡ କାର୍ଡର ଆଇନଗତ ଆଧାରରେ ସ୍ଥିର ନହୁଏ, ଲୋକମାନେ H-1B, EB5 କିମ୍ବା ଜାତୀୟ ସୁଧ ଛାଡ ଭଳି ରାସ୍ତାଗୁଡ଼ିକୁ ବାଛିବା ଭଳି ବୁଦ୍ଧିମାନର କାମ କରୁଛନ୍ତି।

ବର୍ତ୍ତମାନ, ଟ୍ରମ୍ପ ଗୋଲ୍ଡ କାର୍ଡ ୱେବସାଇଟରେ କେବଳ ଏକ ବିଜ୍ଞପ୍ତି ଫର୍ମ ଉପଲବ୍ଧ ଅଛି, ଯେଉଁଥିରେ ଆଗ୍ରହୀ ଲୋକମାନେ ପଞ୍ଜିକରଣ କରିପାରିବେ ଯାହା ଦ୍ଵାରା ସେମାନେ ଭବିଷ୍ୟତରେ ଯୋଜନାର ଶୁଭାରମ୍ଭ ବିଷୟରେ ସୂଚନା ପାଇପାରିବେ। ସାମଗ୍ରିକ ଭାବରେ, ଟ୍ରମ୍ପଙ୍କ ଗୋଲ୍ଡେନ ଭିସା ଯୋଜନା ଧନୀ ଭାରତୀୟଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିଛି, କିନ୍ତୁ ଏହାର ସତ୍ୟତା ଏପର୍ଯ୍ୟନ୍ତ ଆଇନଗତ ଭାବରେ ନିଶ୍ଚିତ ହୋଇନାହିଁ।

ଆଲିଆ ଭଟ୍ଟ ସହ ୭୭ ଲକ୍ଷ ଟଙ୍କାର ଠକେଇ ! ଅଭିଯୋଗରେ ପୂର୍ବତନ ମ୍ୟାନେଜର ଗିରଫ

ନନ୍ଦିଘୋଷ ବ୍ୟୁରୋ : ଆଲିଆ ଭଟ୍ଟଙ୍କ ନାଁ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣାଯାଏ। ସେ ଦୀର୍ଘ ସମୟ ଧରି ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ରହିଆସିଛନ୍ତି ଏବଂ ଲଗାତାର ଭାବରେ ଅନେକ ବଡ଼ ଫିଲ୍ମ ସାଇନ୍ କରିଛନ୍ତି। ଫିଲ୍ମ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଆଲିଆ ଭଟ୍ଟଙ୍କ ବିରୋଧରେ ୭୭ ଲକ୍ଷ ଟଙ୍କାର ଠକେଇ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ତାଙ୍କ ପୂର୍ବତନ ମ୍ୟାନେଜରଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଆଲିଆ ଭଟ୍ଟଙ୍କ ସହିତ ଠକେଇ ମାମଲା ନେଇ ଜୁହୁ ପୋଲିସ ପୂର୍ବତନ ମ୍ୟାନେଜରଙ୍କୁ ଗିରଫ କରିଛି। ସୂଚନା ରହିଛି ଯେ ଆଲିଆଙ୍କ ମାଆ ସୋନି ରାଜଦାନଙ୍କ ଅଭିଯୋଗ କ୍ରମେ କିଛି ମାସ ପୂର୍ବରୁ ଏହି ମାମଲା ରୁଜୁ କରାଯାଇଥିଲା ।

ଆଲିଆଙ୍କ ପୂର୍ବତନ ମ୍ୟାନେଜର ଗିରଫ

ଆଲିଆ ଭଟ୍ଟଙ୍କ ମାଆ ସୋନି ରାଜଦାନ ପୋଲିସରେ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅ ଆଲିଆ ୭୭ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଏହା ପରେ ପୋଲିସ୍ ଏ ନେଇ ତଦନ୍ତ ଆରମ୍ଭ କରିଦେଇଥିଲା । ଏହି ଠକେଇ ଆଲିଆ ଭଟ୍ଟଙ୍କ ସହିତ ମେ ୨୦୨୨ ରୁ ଅଗଷ୍ଟ ୨୦୨୪ ମଧ୍ୟରେ ଦୁଇ ବର୍ଷ ମଧ୍ୟରେ କରାଯାଇଥିଲା।  ପ୍ରାୟ ୫ ମାସ ପରେ ପୋଲିସ ଅଭିଯୁକ୍ତ ପୂର୍ବତନ ମ୍ୟାନେଜରଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ଏବଂ ତାଙ୍କୁ କୋର୍ଟରେ ମଧ୍ୟ ହାଜର କରିଛି। ସୂଚନା ଅନୁଯାୟୀ, ବେଦିକା ପ୍ରକାଶ ସେଟ୍ଟୀକୁ ପାଞ୍ଚ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ମୁମ୍ବାଇ ଅଣାଯାଇଛି।

ପୋଲିସ କଲା ବଡ଼ ଖୁଲାସା

ପୋଲିସର ସୂଚନା ଅନୁଯାୟୀ, ବେଦିକା ପ୍ରକାଶ ସେଟ୍ଟୀ ମୁମ୍ବାଇର ମାରୋଲରେ ଥିବା ଏନଜି କୋଅପରେଟିଭ୍ ହାଉସିଂ ସୋସାଇଟିରେ ରୁହନ୍ତି। ସେ ସେତେବେଳେ ଆଲିଆଙ୍କ ମ୍ୟାନେଜର ଥିଲେ, ତେଣୁ ତାଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଦାୟିତ୍ୱ ଦିଆଯାଇଥିଲା। ଯାହାର ସୁଯୋଗ ନେଇ ଠକେଇ କରିଥିଲେ । ସୂଚନା ଅନୁଯାୟୀ, ଅଭିଯୁକ୍ତ ବେଦିକା ସେଟ୍ଟୀ ୨୦୨୧ ରୁ ୨୦୨୪ ପର୍ଯ୍ୟନ୍ତ ଆଲିଆ ଭଟ୍ଟଙ୍କ ମ୍ୟାନେଜର ଭାବରେ କାମ କରୁଥିଲା । ଏହା ପୂର୍ବରୁ ସେ ଅନେକ ଅଭିନେତାଙ୍କ ବ୍ୟକ୍ତିଗତ ମ୍ୟାନେଜର ରହି ସାରିଛନ୍ତି।

ସୂଚନା ଅନୁଯାୟୀ, ଆଲିଆଙ୍କ ସହ କାମ କରିବା ସମୟରେ ବେଦିକା ନକଲି କାଗଜପତ୍ର ତିଆରି କରିଥିଲେ ଏବଂ ସେଗୁଡ଼ିକୁ ଆଲିଆ ଭଟ୍ଟଙ୍କଠାରୁ ଦସ୍ତଖତ କରାଇଥିଲେ। ବେଦିକା କହିଛନ୍ତି ଯେ ଏହି କାଗଜପତ୍ରଗୁଡ଼ିକ ତାଙ୍କ ଟ୍ରାଭେଲ୍, ମିଟିଂ ଏବଂ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ଥିଲା। ଏହା ମଧ୍ୟ ଜଣାପଡ଼ିଥିଲା ​​ଯେ ବେଦିକା ଅନଲାଇନ୍ ଇମେଜିଂ ଆପ୍ ବ୍ୟବହାର କରି ଇନଭଏସ୍ ପରିବର୍ତ୍ତନ କରୁଥିଲେ। ସେ ନକଲି କାଗଜପତ୍ର ମଧ୍ୟ ପ୍ରସ୍ତୁତ ଆଲିଆଙ୍କଠୁ ଦସ୍ତଖତ ନେଇ ଟଙ୍କା ହଡ଼ପ କରିଛନ୍ତି । ଯେତେବେଳେ ଆଲିଆ ଇନଭଏସ୍ ଦସ୍ତଖତ କରୁଥିଲେ, ବେଦିକା ସେଗୁଡ଼ିକୁ ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ପଠାଇ ଦେଉଥିଲେ, ଯିଏ ତାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରୁଥିଲେ।

 

କାହା ପାଖରେ ଅଛି ଭାରତ ବନ୍ଦ ଡାକରାର ଅଧିକାର ? ପ୍ରତିବାଦ ବେଳେ ହିଂସା ଘଟିଲେ କିଏ ହେବ ଦାୟୀ ?

ନନ୍ଦିଘୋଷ ବ୍ୟୁରୋ : ଆଜି ସାରା ଭାରତ ବନ୍ଦ ଡାକରା । ବ୍ୟାଙ୍କିଂ, ଖଣି, ପରିବହନ ଏବଂ ଉତ୍ପାଦନ ସମେତ ଅନେକ କ୍ଷେତ୍ରର ୨୫ କୋଟିରୁ ଅଧିକ କର୍ମଚାରୀ ଆଜି ଧର୍ମଘଟରେ ଅଛନ୍ତି। କର୍ମଚାରୀମାନେ ସାରା ଦେଶରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ଏବଂ ସେମାନଙ୍କୁ ମିଳୁଥିବା ସେବା ଉପରେ ପଡ଼ିବ। AITUC (ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ୍ କଂଗ୍ରେସ), HMS, CITU, INTUC, INUTUC, TUCC, AICCTU, LPF ଏବଂ UTUC ଭାରତ ବନ୍ଦରେ ଅଂଶଗ୍ରହଣ କରିବେ। କୃଷି ମଜଦୁର ସଂଘ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ମଧ୍ୟ ଏହି ଧର୍ମଘଟକୁ ସମର୍ଥନ କରିଛନ୍ତି।

ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠେ ଯେ ସମ୍ବିଧାନ କ’ଣ ଭାରତ ବନ୍ଦ ଡାକରା ପାଇଁ ସବୁ ଲୋକଙ୍କୁ ଅଧିକାର ଦେଇଛି? ଯଦି ଭାରତ ବନ୍ଦ ସମୟରେ କୌଣସି ହିଂସା ଘଟେ, ତେବେ ଏହାର ଦାୟୀ କିଏ ରହିବ? ହିଂସା କ୍ଷେତ୍ରରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ? ଏହା ବିଷୟରେ ଅଧିକ ସୂଚନା ନିମ୍ନରେ ଜାଣନ୍ତୁ..

କିଏ ଭାରତ ବନ୍ଦ ଘୋଷଣା କରିପାରିବେ?

ସୂଚନାନୁଯାୟୀ, ଭାରତ ଏକ ଗଣତାନ୍ତ୍ରିକ ଦେଶ ଏବଂ ସମସ୍ତଙ୍କର ନିଜର ମତାମତ ପ୍ରକାଶ କରିବାର ଅଧିକାର ଅଛି। ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ଅଧିକାର ଏହାକୁ ନିଶ୍ଚିତ କରେ। ସମ୍ବିଧାନର ଧାରା (19) (A) ଯେକୌଣସି ଭାରତୀୟଙ୍କୁ ବାକ୍ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ପ୍ରଦାନ କରେ।

ଧାରା-19 (B)ରେ କୁହାଯାଇଛି ଯେ, ଭାରତୀୟମାନେ କୌଣସି ଅସ୍ତ୍ର ବିନା ଯେକୌଣସି ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ଏକତ୍ରିତ ହୋଇପାରିବେ। ଏହାର ଅର୍ଥ ହେଉଛି ସେମାନେ ଦେଶରେ ଭାରତ ବନ୍ଦ ଘୋଷଣା ମଧ୍ୟ କରିପାରିବେ। ଶାନ୍ତିପୂର୍ଣ୍ଣ ଭାବରେ କରାଯାଇଥିବା ଭାରତ ବନ୍ଦ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ।

 ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ କି ?

ଶାନ୍ତିପୂର୍ଣ୍ଣ ଭାବରେ କରାଯାଉଥିବା ଭାରତ ବନ୍ଦ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ, କିନ୍ତୁ ଯେତେବେଳେ ଭାରତ ବନ୍ଦ କିମ୍ବା ଏହା ମଧ୍ୟରେ ପ୍ରତିବାଦ ହିଂସାତ୍ମକ ହୁଏ, ପ୍ରତିବାଦକାରୀମାନେ ହିଂସାତ୍ମକ ହୋଇଯାଆନ୍ତି ଏବଂ ଅନ୍ୟମାନଙ୍କ ସମ୍ପତ୍ତି କିମ୍ବା ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଆରମ୍ଭ କରନ୍ତି। ଲୋକଙ୍କୁ ଭୟଭୀତ କରନ୍ତି କିମ୍ବା ଧମକ ଦିଅନ୍ତି। ବା ଯଦି ସେମାନେ ଏପରି କିଛି କରନ୍ତି ଯାହା ଅନ୍ୟ ନାଗରିକଙ୍କୁ କ୍ଷତି ପହଞ୍ଚାଏ କିମ୍ବା ସେମାନଙ୍କ ଅଧିକାର ଉଲ୍ଲଂଘନ କରେ କିମ୍ବା ଜୋରଜବରଦସ୍ତି ଦୋକାନ ବନ୍ଦ କରାଏ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।

ଯଦି ପ୍ରତିବାଦ ହିଂସାତ୍ମକ ହୁଏ ତେବେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ?

ଭାରତୀୟ ସମ୍ବିଧାନ ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଅନୁମତି ଦିଏ, କିନ୍ତୁ ଏହା ଅସ୍ତ୍ରଶସ୍ତ୍ର ସହିତ କରାଯାଇପାରିବ ନାହିଁ। ପ୍ରତିବାଦ ହିଂସାତ୍ମକ ରୂପ ନେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଯଦି ହିଂସାତ୍ମକ ପ୍ରତିବାଦକାରୀମାନେ କାହାର ସମ୍ପତ୍ତିକୁ କ୍ଷତି ପହଞ୍ଚାନ୍ତି, ତେବେ ସାର୍ବଜନୀନ ସମ୍ପତ୍ତି କ୍ଷତି ନିବାରଣ ଆଇନ ୧୯୮୪ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଆଇନରେ କୁହାଯାଇଛି ଯେ ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଉଥିବା ଯେକୌଣସି ବ୍ୟକ୍ତିଙ୍କୁ ପାଞ୍ଚ ବର୍ଷ ଜେଲଦଣ୍ଡ ଏବଂ ଜରିମାନା ଦିଆଯାଇପାରିବ।

ସମୟ ସହିତ ପ୍ରତିବାଦରେ ହିଂସାର ବଢ଼ୁଥିବା ଘଟଣା ଦେଖି, ସୁପ୍ରିମକୋର୍ଟ ଏହି ଆଇନକୁ ଆହୁରି ଉନ୍ନତ କରିବା ପାଇଁ ସ୍ୱତଃସ୍ପୃତ ଭାବରେ ବିଚାର କରିଥିଲେ ଏବଂ ୨୦୦୭ ମସିହାରେ ଏଥିପାଇଁ ଏକ କମିଟି ଗଠନ କରିଥିଲେ। ପ୍ରଥମଟି ଥିଲା ଜଷ୍ଟିସ୍ ଥମାସ କମିଟି ଏବଂ ଦ୍ୱିତୀୟଟି ଥିଲା ନରିମାନ କମିଟି। ତଥାପି, ଏହି ପଦକ୍ଷେପ ବହୁତ ପ୍ରଭାବଶାଳୀ ପ୍ରମାଣିତ ହୋଇନଥିଲା। ପ୍ରତିବାଦ ଏବଂ ଦଙ୍ଗା ସଂଖ୍ୟା ବୃଦ୍ଧି ପାଇବାରୁ, ସୁପ୍ରିମକୋର୍ଟ ଏକ ଟ୍ରିବ୍ୟୁନାଲ ଗଠନ ବିଷୟରେ କଥା ହୋଇଥିଲେ, କିନ୍ତୁ ଏହି ପଦକ୍ଷେପ ମଧ୍ୟ ଏହାର ନିଷ୍କର୍ଷରେ ପହଞ୍ଚି ନଥିଲା।

ଉତ୍ତର ପ୍ରଦେଶ ସରକାର ଏ ସମ୍ପର୍କରେ ଏକ ଆଇନ ପ୍ରଣୟନ କରିଥିଲେ। ରାଜ୍ୟରେ CAA ପାଇଁ ପ୍ରତିବାଦ ଜୋର ଧରିବା ସମୟରେ ଏହି ଆଇନ ପ୍ରଣୟନ କରାଯାଇଥିଲା। ଆଇନର ନାମ ହେଉଛି ଉତ୍ତର ପ୍ରଦେଶ କ୍ଷତିପୂରଣ ବା ଫର ଡ୍ୟାମେଜ୍ ଟୁ ପବ୍ଲିକ୍ ଆଣ୍ଡ୍ ପ୍ରାଇଭେଟ୍ ପ୍ରପର୍ଟି ଆକ୍ଟ ୨୦୨୦। ଏହି ଆଇନରେ କୁହାଯାଇଛି ଯେ ଯଦି ପ୍ରତିବାଦକାରୀଙ୍କ ଯୋଗୁଁ କାହାର ସମ୍ପତ୍ତି କ୍ଷତିଗ୍ରସ୍ତ ହୁଏ, ତେବେ ସେହି ସମ୍ପତ୍ତିକୁ ମଧ୍ୟ ସମାନ ଦଙ୍ଗାକାରୀଙ୍କ ଦ୍ୱାରା କ୍ଷତିପୂରଣ ଦିଆଯିବ। ଦେଶର ଜନସାଧାରଣଙ୍କର ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିବାର ଅଧିକାର ଅଛି, କିନ୍ତୁ ହିଂସା ଏବଂ ଭଙ୍ଗାରୁଜା କରିବାର ଅଧିକାର ନାହିଁ।