spot_img
Home Blog Page 6292

ଭାରତରେ କୋଭିଶିଲ୍ଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ସେରମ୍

ନୂଆଦିଲ୍ଲୀ: ଫାଇଜର ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ରବିବାର ଦିନ ଭାରତରେ ଏହାର କୋଭିଶିଲ୍ଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)କୁ ଅନୁମତି ମାଗିଛି। ପୂର୍ବରୁ ବ୍ରିଟିଶ କମ୍ପାନୀ ଫାଇଜର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା ।

ସରକାରୀ ସୂତ୍ର ଅନୁଯାୟୀ, କୋଭିଶିଲ୍ଡ ଟୀକାକରଣର ଜରୁରୀକାଳୀନ ବ୍ୟବହାର ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆରୁ ଅନୁମୋଦନ ଲୋଡିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର୍) ଓ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ମିଳିତ ଭାବେ କୋଭିଶିଲ୍ଡର ଉତ୍ପାଦନ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଦେଶୀ ଫାର୍ମା କମ୍ପାନୀ ଫାଇଜରର ଭାରତୀୟ ୟୁନିଟ୍ ଏହାର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଡ୍ରଗରୁ ଅନୁମତି ମାଗିଥିଲା। ବ୍ରିଟେନ ଏବଂ ବାହାରେନରେ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଟିକା ଅନୁମୋଦନ କରାଯାଇଛି।

କାବୁ ହେଲା ପୁରୀରେ ଆତଙ୍କ ଖେଳାଇଥିବା ବାର୍‌ହା, ଗତକାଲି ବାରାହା ଆକ୍ରମଣରେ ତିନିଜଣ ହୋଇଥିଲେ ଆହତ

ପୁରୀ: କାବୁ ହେଲା ପୁରୀରେ ଆତଙ୍କ ଖେଳାଇଥିବା ବାର୍‌ହା । ନାଳରୁ ବାରହାକୁ କାବୁ କଲେ ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀ । ବାର‌ହାକୁ ଧରିବା ପାଇଁ ବନ ବିଭାଗ ତରଫରୁ ଯନ୍ତା ବସାଯାଇଥିବା ବେଳେ ବାର୍‌ହାଟି ନାଳରେ ଖସି ପଡ଼ିଥିଲା ।  ଲୋକନାଥ ରୋଡ୍‌ ଛପନଛକ ନାଳରେ ବାର‌ହାଟି ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ବାର‌ହାକୁ କାବୁ କରିଛନ୍ତି ।

ଗତକାଲି ପୁରୀ ସହରରେ ବାର‌ହା ଆକ୍ରମଣରେ ତିନିଜଣ ଆହତ ହୋଇଥିଲେ । ପାହାନ୍ତା ସମୟରେ ସ୍ୱର୍ଗଦ୍ୱାର ଭାରତ ସେବାଶ୍ରମ ଛକ ନିକଟରେ ସଫେଇ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା ବାର୍‌ହା  । ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ବୃଦ୍ଧ ଥିଲେ  । ସ୍ୱର୍ଗଦ୍ୱାରଠାରେ ରୋହିଣୀ ନାୟକ ଓ ପ୍ରମିଳା ନାୟକଙ୍କୁ ବାର୍‌ହା ଆକ୍ରମଣ କରିଥିଲା  । ବାଲି ନୋଳିଆ ସାହିର ଜଣେ ବୃଦ୍ଧ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ  ।

ଦେଶରେ ୩୨ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ସମଗ୍ର ବିଶ୍ୱ ଏବେ କରୋନା କବଳରେ ରହିଥିବା ବେଳେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଗତ  କିଛି ଦିନ ହେବ କରୋନା ପଜିଟିଭ ସଂଖ୍ୟା ୩୦ ହଜାରରୁ ଅଧିକ ରହୁଛି । ଏଯାବତ୍ ଦେଶରେ ୯୬ ଲକ୍ଷ ଟପିଛି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୋଟିଏ ଦିନରେ ୩୨,୯୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯୬,୭୭,୨୦୩ରେ ପହଞ୍ଚିଛି ।

ସେହିପରି ୩୯୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୪୦ ହଜାର ୫୭୩ ଟପିଛି । ୯୧ ଲକ୍ଷରୁ ଅଧିକ ରୋଗୀ କରୋନା ଭାଇରସ ସହ ଯୁଦ୍ଧ କରି ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥତାଙ୍କ ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୯୦୧ ଟପିଛି ।

ଯେଉଁଥିରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ହାର ୯୪.୪୫ ପ୍ରତିଶତ ହୋଇଛି । ବର୍ତ୍ତମାନ ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା ୩ ଲକ୍ଷ ୯୬ ହଜାର ୭୨୯ ରହିଛି ।

 

ମାମୁଁଘରୁ ଆସୁଛି ମହାପ୍ରଭୁଙ୍କ ପାଇଁ ପ୍ରଥମାଷ୍ଟମୀ ଭାର

ପୁରୀ: ମର୍ତ୍ତ୍ୟରେ ମହାପ୍ରଭୁଙ୍କ ମାନବୀୟ ଲୀଳା । ଆସନ୍ତାକାଲି ପ୍ରଥମାଷ୍ଟମୀ ଥିବାରୁ ମହାପ୍ରଭୁ ହେବେ ପଢୁଆଁ । ଶ୍ରୀଜିଉଙ୍କ ମାମୁଁଘର ନିଆଳି ମାଧବ ମନ୍ଦିରରୁ ମହାପ୍ରଭୁଙ୍କ ପାଇଁ ଆସୁଛି ପ୍ରଥମାଷ୍ଟମୀ ଭାର । ପରମ୍ପରା ଅନୁସାରେ ଶ୍ରୀଜୀଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର , ଅରୁଆ ଚାଉଳ , ବିରି , ନଡିଆ , ଗୁଡ , ପାଚିଲା କଦଳୀ ଆସୁଛି ମାମୁଁଘରୁ ।

Mahaprabhu Nagatjuna Besa Puri Jagannath Mandir

କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ହେଉଛି ଶ୍ରୀ ଜଗନ୍ନାଥଙ୍କ ମାମୁଁଘର । କେଜାଣି କେଉଁ ଆବାହାମାନକାଳରୁ ମାଧବ ମନ୍ଦିର ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପଢୁଆଁ ପରମ୍ପରା ରହିଛି । କିନ୍ତୁ ଗତ କିଛି ବର୍ଷ ହେବ ଏହି ପରମ୍ପରା ବନ୍ଦ ହୋଇଯାଇଥିଲା । ଗତ ବର୍ଷ ଠାରୁ ଏହି ପରମ୍ପରାର ପୁନଃ ପ୍ରଚଳନ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଶ୍ରୀକ୍ଷେତ୍ର ଅଭିମୁଖେ ଯାଉଛି ଏହି ପଢୁଆଁ ଭାର।

ଏନେଇ ସଂକୀର୍ତନ ମଣ୍ଡଳୀର ସଂକୀର୍ତନ, ଢ଼ୋଲମହୁରୀ ବାଜାର ତାଳେ ତାଳେ ପ୍ରଥମାଷ୍ଟମୀ ଭାର ନିଆଳି ମାଧବ ମନ୍ଦିରରୁ ବାହାରିଛି ଶ୍ରୀକ୍ଷେତ୍ର ଅଭିମୁଖେ । ଗତ କିଛି ବର୍ଷ ହେବ ବନ୍ଦ ରହିଥିଲା ଏହି ପ୍ରଥା । କିନ୍ତୁ ପରମ୍ପରାକୁ ପୁନଃ ପ୍ରଚଳନ କରିବା ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଛି ।

କୋଭିଡ ସେଣ୍ଟରରେ ନିଆରା ବିବାହ, ପିପିଇ କିଟ ପିନ୍ଧି ସାତ ଜନ୍ମର ସାଥୀ ହେଲେ ବର କନ୍ୟା

ଜୟପୁର: ରାଜସ୍ଥାନର ବାରାଁ ଅଞ୍ଚଳର କେଲବାରା କୋଭିଡ ସେଣ୍ଟରରେ ବିବାହ କରିଛନ୍ତି ବର କନ୍ୟା । ପିପିଇ କିଟ ପିନ୍ଧି ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ନବଦମ୍ପତି । ବିବାହରେ ସପରିବାର ସହ ପୁରୋହିତ ମଧ୍ୟ ପିପିଇ କିଟ୍ ପିନ୍ଧିବାର ନଜର ଆସିଛନ୍ତି । ସୂଚନା ଅନୁଯାୟୀ ବଧୂକୁ କରୋନାର ପ୍ରାରମ୍ଭିକ ଲକ୍ଷଣ ଅନୁଭବ ହେବାପରେ ସେ କରୋନା ଟେଷ୍ଟ କରାଇଥିଲେ ।

ତେବେ ବିବାହ ତାରିଖ ଦିନ ତାଙ୍କର କରୋନା ରିପୋର୍ଟ ଆସିଥିଲା । ଯେଉଁଥିରେ ସେ କରୋନା ପଜିଟିଭ ଆସିଥିଲେ । କରୋନା ରିପୋର୍ଟ ଆସିବା ପରେ ତାଙ୍କୁ କୋଭିଡ ସେଣ୍ଟରରେ ନିଆଯାଇଥିଲା । ବିବାହ ପାଇଁ ପୂର୍ବରୁ ସବୁ ବ୍ୟବସ୍ଥା ହୋଇସାରିଥିବାରୁ ଏହାକୁ ବାତିଲ କରିବା ପାଇଁ ଉଭୟ ପକ୍ଷ ରାଜି ହୋଇନଥିଲେ । ତେଣୁ ସରକାରଙ୍କ ନିୟମ ଅନୁଯାୟୀ, ନିର୍ଦ୍ଧାରିତ ଦିନରେ ବର କନ୍ୟା ପିପିଇ କିଟ ପିନ୍ଧି ବିବାହ କରିଥିଲେ ।

ପ୍ରସୂତିଙ୍କ, ଓଟି ଚାର୍ଜ ଓ ଷ୍ଟ୍ରେଚର ଚାର୍ଜ ବାବଦକୁ ନେଉଥିଲେ ଲାଞ୍ଚ ! ଭାଇରାଲ ହେଲା ଭିଡ଼ିଓ

ପୁରୀ: ପୁରୀ ମେଡିକାଲରେ ଲାଞ୍ଚ କାରବାର ଅଭିଯୋଗ । ହସପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ଗର୍ଭବତୀଙ୍କ ସଂପର୍କୀୟଙ୍କଠାରୁ ମେଡିକାଲ କର୍ମଚାରୀ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ଗୋପ ଅଞ୍ଚଳର ସଂଗ୍ରାମ ପରିଡା ଏହି ଅଭିଯୋଗ ଆଣିଛନ୍ତି । ନିଜ ସମ୍ପର୍କୀୟଙ୍କ ପ୍ରସବ ପାଇଁ ସେ ଲାଞ୍ଚ ଦେଇଥିବା ଅଭିଯୋଗ କରିଛନ୍ତି ।

ଓଟି ଚାର୍ଜ, ଷ୍ଟ୍ରେଚର ଚାର୍ଜ ବାହାନାରେ ଏହି ଟଙ୍କା ମେଡିକାଲ କର୍ମଚାରୀ ନେଇଥିବା ସଂଗ୍ରାମ ଅଭିଯୋଗ କରିଛନ୍ତି । ଲାଞ୍ଚ କାରବାରର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି । ତେବେ ଏନେଇ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ୍ । ଦୀର୍ଘ ଦିନ ହେଲା ମେଡିକାଲରେ ଲାଞ୍ଚ କାରବାର ନେଇ ଅଭିଯୋଗ ହୋଇ ଆସୁଥିଲା । ଭିଡିଓ ଭାଇରାଲ୍ ହେବା ପରେ ମେଡିକାଲ କର୍ମଚାରୀଙ୍କ ସ୍ଵଛ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି ।

ସୂଚନା ଅନୁସାରେ, ପ୍ରଥମେ ପ୍ରସୂତିଙ୍କ ପରିବାରଙ୍କୁ ଓଟି ଚାର୍ଜ, ଷ୍ଟ୍ରେଚର ଚାର୍ଜ ବାବଦକୁ ୨୨ଶହ ଟଙ୍କା ମାଗିଥିଲେ ମେଡ଼ିକାଲ କର୍ତ୍ତୃପକ୍ଷଷ । ପରେ ପୁଣି ୯ଶହ ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ଟଙ୍କା ନ ଦେଲେ ସେମାନେ ନବଜାତ ଶିଶୁକୁ ଡିସଚାର୍ଜ କରିବେନାହିଁ ବୋଲି କହିଥିବା ପ୍ରସୂତିଙ୍କ ସମ୍ପର୍କିୟ ଅଭିଯୋଗ କରିଛନ୍ତି ।

କ୍ରମାଗତ ବଢିବାରେ ଲାଗିଛି ତୈଳ ଦର; ଜାଣନ୍ତୁ ଆଜିର ପେଟ୍ରାେଲ୍ ଓ ଡିଜେଲ ମୂଲ୍ୟ

ନୂଆଦିଲ୍ଲୀ: ଦେଶରେ ତୖେଳ ଦର କ୍ରମାଗତ ଭାବରେ ବଢିବାରେ ଲାଗିଛି । ନଭେମ୍ବର ୨୦ତାରିଖରୁ ତୈଳ କମ୍ପାନୀ ମାନେ ପେଟ୍ରାେଲ ଓ ଡିଜେଲ ଦରକୁ ବୃଦ୍ଧି କରିବାରେ ଲାଗିଛନ୍ତି ।

ଗତ ସୋମବାର ଦିନ ପେଟ୍ରୋଲ୍ ମୂଲ୍ୟ ପ୍ରତି ଲି. ୩୦ରୁ ୩୩ପ. ବୃଦ୍ଧି ଘଟିଥିବା ବେଳେ ଡିଜେଲ୍ ୨୫ରୁ ୩୧ପ. ବଢିଛି । ଯାହା ଫଳରେ ଦିଲ୍ଲୀରେ ପେଟ୍ରାେଲ ଦର ୮୩.୭୧ ଟଙ୍କା ରହିଥିବା ବେଳେ ରବିବାର ଦିନ ଏହା ୮୩.୪୧ଟଙ୍କା ରହିଥିଲା ।

ମୁମ୍ବାଇରେ ପେଟ୍ରାେଲ ମୂଲ୍ୟ ୩୩ପ. ବୃଦ୍ଧି ଘଟିଛି । ଯାହା ଫଳରେ ଦର ୯୦.୦୧ ଟଙ୍କାରୁ ୯୦.୩୪ ଟଙ୍କା ରହିଛି । ଆହୁରି ମଧ୍ୟ କୋଲକାତାରେ ପେଟ୍ରାେଲ ମୂଲ୍ୟ ଲିଟର ପିଛା ୮୫.୧୯ ଟଙ୍କା ରହିଛି ।

ସେହିପରି ଗତ ସୋମବାର ଦିନ ଡିଜେଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଯାହା ଫଳରେ ଦିଲ୍ଲୀରେ ଡିଜେଲ୍ ଦର ୭୩.୮୭ ଟଙ୍କା ରହିଥିବା ବେଳେ ରବିବାର ଦିନ ଏହା ୭୩.୬୨ ଟଙ୍କା ରହିଥିଲା ।

ମୁମ୍ବାଇରେ ଡିଜେଲ ମୂଲ୍ୟ ୮୦.୫୧ ଟଙ୍କାରେ ପହଞ୍ଚିଛି । ଆହୁରି ମଧ୍ୟ କୋଲକାତାରେ ଡିଜେଲ ମୂଲ୍ୟ ଲିଟର ପିଛା ୭୭.୪୪ ଟଙ୍କା ରହିଛି ।

 

 

୩ ସପ୍ତାହ ପରେ ଭାରତରେ କୋଭିଡ୍ ୧୯ ସଂକ୍ରମଣ ୧୬% ହ୍ରାସ ପାଇଛି

ନୂଆଦିଲ୍ଲୀ : ଭାରତରେ ଏବେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁଛି। ପଜିଟିଭ୍‌ ହାର ଅର୍ଥାତ ଟେଷ୍ଟିଂରୁ ସଂକ୍ରମଣ ଚିହ୍ନଟ ହାର ୩.୨୭ ପ୍ରତିଶତ ରହିଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣରୁ ଆରୋଗ୍ୟ ହାର ୯୪.୩୬ ପ୍ରତିଶତ ରହିଛି। ଏବେ ଦେଶରେ ମାତ୍ର ୪.୧୮ ପ୍ରତିଶତ ସକ୍ରିୟ ମାମଲା ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୪୮୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ଏବଂ ୩୬,୦୧୧ ନୂଆ ମାମଲା ଚିହ୍ନଟ ହୋଇଛି। ଭାରତରେ କରୋନା ସଂକ୍ରମଣର ମୋଟ୍‌ ମାମଲା ୯୬,୪୪,୨୨୨ରେ ପହଞ୍ଚିଯାଇଛି। ବିଗତ ୨୪ ଘଣ୍ଟାରେ ୪୧ ହଜାର ୯୭୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ୯୧,୦୦୭୯୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଏବେ କରୋନା ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଛି ।

ଗତ ଚାରି ସପ୍ତାହ ମଧ୍ୟରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ନଭେମ୍ବର ୨୯ରୁ ଡିସେମ୍ବର ୬ ମଧ୍ୟରେ ୩,୫୩୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଅନ୍ୟପଟେ ଭାରତରେ ଖୁବଶୀଘ୍ର ଆରମ୍ଭ ହୋଇପାରେ ଟିକାକରଣ। ଫାଇଜର ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ଦେଶରେ କୋଭିସିଲ୍‌ଡର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି ।

 

ଏନେଇ ଡିସିଜିଆଇକୁ ଅନୁମତି ମାଗିଛି ସେରମ୍। ମହାମାରୀ ସମୟରେ ଚିକିତ୍ସା ଆବଶ୍ୟକତାକୁ ଆଖିରେ ରଖି ଅନୁମତି ମାଗିଛି । ଏହାପୂର୍ବରୁ ଫାଇଜର କୋଭିଡ୍ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା । ଅନୁମତି ମିଳିଲେ ସାରା ଦେଶରେ ଟିକାକରଣ ସମ୍ଭବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଗତ ୪ତାରିଖରେ କମ୍ପାନୀ ପକ୍ଷରୁ ଚିଠି ମାଧ୍ୟମରେ ସରକାରଙ୍କ ଠାରୁ ଅନୁମତି ମଗାଯାଇଛି। ପୂର୍ବ ନିୟମ ଅନୁଯାୟୀ ଭାରତରେ ଟିକାକରଣ କରିବାକୁ ହେଲେ କ୍ଲିନିକାଲ ଟ୍ରାଏଲରେ ଶତ ପ୍ରତିଶତ ସଫଳତା ପାଇବା ଆବଶ୍ୟକ । କିନ୍ତୁ ଫାଇଜର ତରଫରୁ ଏଭଳି କିଛି କ୍ଲିନିକାଲ ଟ୍ରାଏଲ କରାଯାଇନାହିଁ ବୋଲି ଜଣାପଡିଛି । ସେପଟେ ଗତକାଲି ଠାରୁ ଋଷିଆରେ ଆରମ୍ଭ ହୋଇଛି ଟିକାକରଣ । ପ୍ରାଥମିକ ପର୍ଯ୍ୟାୟରେ ମସ୍କୋରେ ୭୦ଟି କ୍ଲିନିକରେ ଟିକା ଦିଆଯାଇଛି । ଋଷିଆ ତିଆରି କରିଥିବା ସ୍ପୁଟନିକ ଭି ଟିକାକୁ ଲୋକଙ୍କ ପାଖରେ ପହଁଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି

ବିବାଦୀୟ ସୁର ବାବାଙ୍କ ଦେହାନ୍ତ, ଆଶ୍ରମରେ ତାଙ୍କ ପାର୍ଥିବ ଶରୀରକୁ ଦର୍ଶନ କରୁଛନ୍ତି ସମର୍ଥକ

ଭୁବନେଶ୍ୱର: ବିବାଦୀୟ ସୁର ବାବାଙ୍କ ଦେହାନ୍ତ । ଭୁବନେଶ୍ୱର ଉପକଣ୍ଠ ଝିଇଁଣ୍ଟି ଶାସନର ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ପରଲୋକ ହୋଇଛି । ଅସୁସ୍ଥତା କାରଣରୁ ବହୁଦିନ ଧରି ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି । ସାରଥୀ ବାବା ବିବାଦ ସମୟରେ ସୁର ବାବା ପ୍ରତି ଜନ ଆକ୍ରୋସ ଦେଖାଦେଇଥିଲା ।

ସୁର ବାବା ସମ ଭଣ୍ଡ ବୋଲି ଭାବି ଲୋକେ ପୋଲିସ ପହରା ସତ୍ତ୍ୱେ ଆଶ୍ରମରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଗାଡି ପୋଡିଦେଇଥିଲେ । ଆଶ୍ରମରେ ୧୪୪ ଧାରା ଜାରି ହୋଇଥିଲା । ଅନୁସନ୍ଧାନ ବେଳେ ସୁର ମିଶ୍ରଙ୍କ ନାଁରେ ୮୪ ଏକର ଜମି ଠାବ କରିଥିଲା କ୍ରାଇମବ୍ରାଞ୍ଚ । ସୁର ବାବା ସମେତ ତାଙ୍କର ୨ ପୁଅ ଜମି ଓ ଆଶ୍ରମ କେଲେଙ୍କାରୀ ମାମଲାରେ ୩୧ ଅଗଷ୍ଟ ୨୦୧୫ରେ ଗିରଫ ହୋଇଥିଲେ । ପରେ ସୁପ୍ରମକୋର୍ଟରୁ ଜାମିନ ପାଇ ଡିସେମ୍ବର ୧ରେ ଆଶ୍ରମକୁ କମବ୍ୟାକ କରିଥିଲେ ସୁର ବାବା । ଆଜି ତାଙ୍କ ବିୟୋଗରେ ଆଶ୍ରମରେ ତାଙ୍କ ପାର୍ଥିବ ଶରୀରକୁ ଦର୍ଶନ କରୁଛନ୍ତି ତାଙ୍କ ସମର୍ଥକ ।

5T ସଚିବଙ୍କ ଏକାମ୍ର କ୍ଷେତ୍ର ପରିଦର୍ଶନ, ଦୋକାନୀଙ୍କ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ବୁଲିଦେଖିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିର ପରେ ଫୋକସରେ ରହିଛି ଏକାମ୍ର କ୍ଷେତ୍ର । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏକାମ୍ର କ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ । ଆଜି ଭୋରରୁ ଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି  ।

ଏକାମ୍ର କ୍ଷେତ୍ର ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ । ବରିଷ୍ଠ ଅଧିକାରୀଙ୍କ ସହ ସେ ପ୍ରକଳ୍ପ ଅଗ୍ରଗତି ନେଇ ଅନୁଧ୍ୟାନ କରିଛନ୍ତି । ଦୋକାନୀଙ୍କ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମଧ୍ୟ ୫ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଭଙ୍ଗା ଯାଇଥିବା ରାସ୍ତାଘାଟ ସଫା କରିବା ସହ ବିକଳ୍ପ ରାସ୍ତା ବ୍ୟବସ୍ଥା କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର କ୍ଷେତ୍ର ପରିଦର୍ଶନ କରିଥିଲେ । ଲିଙ୍ଗରାଜ ମନ୍ଦିରର ରୂପାନ୍ତର କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ।ଏକାମ୍ର କ୍ଷେତ୍ର ବୁଲି ଦେଖିବା ପରେ ଲିଙ୍ଗରାଜ ମନ୍ଦିର ପାଇଁ ଶ୍ରୀମନ୍ଦିର ଢାଞ୍ଚାରେ ସ୍ୱତନ୍ତ୍ର ଆଇନ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।