spot_img
Home Blog Page 6308

ହାଥ୍‌ରସ୍ ଗଣଦୁଷ୍କର୍ମ ମାମଲା: ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ପାଇଁ କଡ଼ା ସୁରକ୍ଷାରେ ଲକ୍ଷ୍ନୌ ଗଲେ ପୀଡ଼ିତାଙ୍କ ପରିବାର

ଲକ୍ଷ୍ନୌ: ହାଥରସ୍ ମାମଲା ନେଇ ଆଜି ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ହେବ। ପୀଡିତାଙ୍କ ପରିବାରର ପାଞ୍ଚଜଣ ସଦସ୍ୟଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଲକ୍ଷ୍ନୌକୁ ନିଆଯାଇଛି । ଗଣଦୁଷ୍କର୍ମ ପରେ ପୀଡିତାଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗର ଆଜି ଶୁଣାଣି ହେବ । ପୁରା ପରିବାର କୋର୍ଟରେ ଉପସ୍ଥିତ ରହିବେ । ଗତ ମାସ ସେପ୍ଟେମ୍ବର ୧୪ତାରିଖରେ ହାଥରସରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯିବା ସହ ତାଙ୍କ ଜିଭ କାଟି ଦିଆଯାଇଥିଲା। ପରେ ସ୍ଥିତି ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଅଣାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତ ୨୯ ତାରିଖରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ବିରୋଧୀ ସରକାରଙ୍କୁ ପ୍ରବଳ ଟାର୍ଗେଟ କରିଥିଲେ  । ଦେଶ ସାରା ବିରୋଧ ପ୍ରଦର୍ଶନ ହୋଇଥିଲା  । ପରେ ରାଜ୍ୟ ସରକାର ଏସଆଇଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ  ।

 ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଅପରାହ୍ନ ୨:୩୦ରୁ ଶୁଣାଣି ଆରମ୍ଭ ହେବ। ଲକ୍ଷ୍ନୌ ଯିବା ପାଇଁ ପୋଲିସ ଟିମ୍ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ନେବା ପାଇଁ ବୁଲଗଡୀ ଗ୍ରାମରେ ପହଞ୍ଚିଥିଲେ। ପ୍ରଥମେ ପରିବାରକୁ ରବିବାର ରାତିରେ ନିଆଯିବାକୁ ପ୍ରସ୍ତୁତି କରାଯାଇଥିଲା । କିନ୍ତୁ ରାତିରେ ଯିବାକୁ ମନା କରିବା ପରେ ସେମାନଙ୍କୁ ସକାଳେ ଲକ୍ଷ୍ନୌ ନିଆଯାଇଛି । ପୋଲିସର ବିଳମ୍ବ ପରେ ସୁରକ୍ଷା କାରଣ ଦର୍ଶାଇ ପୀଡିତାଙ୍କ ପରିବାର ରାତିରେ ଲକ୍ଷ୍ନୌ ଯିବାକୁ ମନା କରିଦେଇଥିଲେ। ଗତ ୧ ତାରିଖରେ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଥିଲେ । ହାଇକୋର୍ଟଙ୍କ ଦାଖଲ ପରେ ପୀଡ଼ିତାଙ୍କ ପରିବାରକୁ ଯୋଗୀ ସରକାର ସୁରକ୍ଷା ଯୋଗାଇ ଦେଇଥିଲେ । ପରିବାର ସଦସ୍ୟଙ୍କ ସୁରକ୍ଷାରେ ୬୦ ଜଣ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଘରକୁ ଯାଆସ କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି ।

ଏହି ପୂରା ମାମଲା ନେଇ ସିବିଆଇ ମାମଲା ରୁଜୁ କରିଛି । ଏଥିସହ ସିବିଆଇ ଏହି ମାମଲାରେ ତଦନ୍ତ ଆରମ୍ଭ କରିସାରିଛି। ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାରେ ଆଜି ସିବିଆଇ ତଦନ୍ତର ଦ୍ୱିତୀୟ ଦିନ। ମାମଲାରେ ତଦନ୍ତ ପାଇଁ ଉତ୍ତରପ୍ରଦେଶରେ ପହଁଚିଛି ସିବିଆଇ ଟିମ୍। ଉତ୍ତରପ୍ରଦେଶ ସରକାରଙ୍କ ଅନୁରୋଧ କ୍ରମେ ସିବିଆଇ ଏହି ମାମଲା ରୁଜୁ କରିଛି । ଏଥିପାଇଁ ଏକ ଦଳ ଗଠନ କରାଯାଇଛି । ଗାଜିଆବାଦ ସିବିଆଇ ୟୁନିଟରେ ପୋଷ୍ଟ ହୋଇଥିବା ଡିଏସପି ସୀମା ପାହୁଜା ଏହି ମାମଲାର ତଦନ୍ତ କରୁଛନ୍ତି ।

ବଡ଼ପୁଅର ଆକ୍ରମଣରେ ଚାଲିଗଲା ବାପାର ଜୀବନ

କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । ପୁଅର ଆକ୍ରମଣରେ ବାପା ମୃତ । କେନ୍ଦୁଝର ରାମଚନ୍ଦ୍ରପୁର ଥାନା ମଦନପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ରାତିରେ ଗାଁର ପ୍ରମୋଦ ଓଝାଙ୍କୁ ତାଙ୍କ ବଡ଼ପୁଅ ରଂଜନ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ପ୍ରମୋଦଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ରଞ୍ଜନ ଅରୁଣାଚଳ ପ୍ରଦେଶରେ ଆଇଟିବିପି ଯବାନ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ୧୦ ଦିନ ପୂର୍ବରୁ ଛୁଟିରେ ଗାଁକୁ ଆସିଥିଲେ । ପୂର୍ବରୁ ଭଉଣୀ ବାହାଘର ଖର୍ଚ୍ଚ ପାଇଁ ହୋଇଥିବା କରଜ ଟଙ୍କା ନେଇ ପରିବାରରେ କଳହ ଲାଗି ରହୁଥିଲା । ଗତକାଲି କଳହ ଉଗ୍ରରୂପ ଧାରଣ କରିଥିଲା। ପ୍ରଥମେ ରଞ୍ଜନ ଏବଂ ତାଙ୍କ ଭାଇଙ୍କ ମଧ୍ୟରେ ଝଗଡା ଲାଗିଥିଲେ । ବାପା ପ୍ରମୋଦ ସେମାନଙ୍କୁ ଛଡାଇବାକୁ ଯାଇଥିବା ବେଳେ ରଞ୍ଜନ ଉତ୍ୟକ୍ତ ହୋଇ ଗୋଟିଏ ଭୁଜାଲିରେ ବାପାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ବାପା ପ୍ରମୋଦଙ୍କର ମୃତ୍ୟୁ ହୋଇ ଯାଇଥିଲା । ରଞ୍ଜନ ଏବଂ ତାଙ୍କ ଭାଇ ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରିବା ସହ ରଞ୍ଜନଙ୍କ ଭାଇଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

ଗାଁରେ ଥିବା ଦେଶୀ ମଦ ଭାଟି ଭାଙ୍ଗିଲେ ଶତାଧିକ ମହିଳା

ପୁରୁଷୋତ୍ତମପୁର: ତେଜିଲା ମଦ ବିରୋଧୀ ଆନ୍ଦୋଳନ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ଗାଁରେ ମଦ ଭାଟି ଭାଙ୍ଗିଲେ ଶତାଧିକ ମହିଳା । ଗାଁର ମଝିରେ ଏହି ଦେଶୀ ମଦ ଭାଟି ଓ ବିକ୍ରି ହେଉଥିବା ଯୋଗୁଁ ଲୋକେ ନାହିଁ  ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲା । ଫଳରେ ଏହି ମଦଭାଟି ଉତ୍ସେଦ ପାଇଁ ବାରମ୍ୱାର ଦାବୀ କରିଥିଲା ସ୍ଥାନୀୟବାସୀ ।

Anti Liquor Protest By Woman In Purushottampur Ganjam

ହେଲେ କୌଣସି ସୁଫଳ ନମିଳିବାରୁ ଗାଁର ଶତାଧିକ ମହିଳା ଏକତ୍ରିତ ହୋଇ  ଭାଟିରେ ମହଜୁଦ୍ ଥିବା ସମସ୍ତ ମଦକୁ ନଷ୍ଟ କରି ଦେଇଛନ୍ତି । ସେପଟେ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ଚାଲିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।

ବିହାର ରାଜନୀତିରେ ବାହୁବଳୀ, କେଉଁଠି ନିଜେ ତ ନ ହେଲେ ପତ୍ନୀଙ୍କୁ କରିଛନ୍ତି ପ୍ରାର୍ଥୀ

ପାଟନା : ଆଉ କିଛିଦିନ ପରେ ବିହାରରେ ଅନୁଷ୍ଠିତ ହେବାକୁ ବିଧାନସଭା ନିର୍ବାଚନ। ଭାରତୀୟ ରାଜନୀତିରେ ବିହାର ରାଜନୀତିର ଅନେକ ଗୁରୁତ୍ୱ ରହିଛି। ସ୍ୱାଧୀନତା ପୂର୍ବରୁ ହେଉ କିମ୍ବା ସ୍ୱାଧୀନତା ପରେ ବିହାରର ରାଜନୈତିକ ଘଟଣା ହିଁ ମୋଡ଼ ପରିବର୍ତ୍ତନ କରିଛି।  ଏଭଳି କେତେକ ଘଟଣାକୁ ବାଦ ଦେଲେ ରାଜନୀତିର ଅପରାଧିକରଣ ପାଇଁ ମଧ୍ୟ କୁଖ୍ୟାତି ରହିଛି। ସେ ଯେ କୌଣସି ଦଳ ହେଉ ନା କାହିଁକି, ଆପରାଧିକ ପୃଷ୍ଠଭୂମି ଥିବା ନେତା ନିର୍ବାଚନ ରଣାଙ୍ଗନରେ ଭାଗ ନେଇଥାନ୍ତି।

ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 28 ତାରିଖରେ ହେବାକୁ ଯାଉଛି। ଏଥିରେ 71ଟି ଆସନରେ ଭୋଟ ଗ୍ରହଣ ହେବ। ଗତ 9 ତାରିଖରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଯାଇଛି।  ଏଯାବତ୍ ବିଭିନ୍ନ ଦଳରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅନେକ ପ୍ରାର୍ଥୀଙ୍କ ଆପରାଧିକ ରେକର୍ଡ ରହିଛି। କେବଳ ସେତିକି ନୁହେଁ। ଘୋଷଣା କରାଯାଇଥିବା ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଆପରାଧିକ ପୃଷ୍ଠଭୂମି ଥିବା ନେତାଙ୍କର ଅଭାବ ନାହିଁ। ସବୁଥର ଭଳି ଏଥର ମଧ୍ୟ ଯେଉଁ ବାହୁବଳୀ ବିଧାୟକମାନେ ଦଳୀୟ ପ୍ରାର୍ଥୀ ହେବାରୁ ବଞ୍ଚିତ ହୋଇଛନ୍ତି, ସେମାନେ ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି। କେତେକ ଜେଲ ଭୋଗୁଥିବା ବାହୁବଳୀ ନେତା ନିଜ ନିଜ ପତ୍ନୀମାନଙ୍କୁ ନିର୍ବାଚନ ମଇଦାନରେ ଉତାରିଛନ୍ତି।

ଚଳିତ ନିର୍ବାଚନରେ ଚର୍ଚ୍ଚିତ ହୋଇଥିବା ବାହୁବଳୀ ନେତା ହେଉଛନ୍ତି- ଅନନ୍ତ ସିଂ। ସେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ପକ୍ଷରୁ ପାଟନା ମୋକାମରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ବିରୋଧରେ ଗୋଟିଏ କି ଦୁଇଟି ନୁହେଁ, ବହୁ ଆପରାଧିକ ମାମଲା ରହିଛି। ଏହା ସତ୍ତ୍ୱେ ତାଙ୍କୁ ପ୍ରାର୍ଥୀ କରାଯାଇଛି। କୌଣସି କାରଣରୁ ଯଦି ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥାଏ, ତେବେ ତାହାର ବିକଳ୍ପ ମଧ୍ୟ ସେ ଚିନ୍ତା କରିଛନ୍ତି। ଏଥିପାଇଁ ନିଜ ପତ୍ନୀ ନୀଲମ ଦେବୀଙ୍କୁ ମଧ୍ୟ ସେହି ସିଟରୁ ଛିଡା କରିଛନ୍ତି। ପ୍ରାର୍ଥୀପତ୍ର ଯାଞ୍ଚ ପରେ ଦୁହିଁଙ୍କ ମଧ୍ୟରେ ଜଣେ ଓହରିବେ ବୋଲି ଜଣା ପଡିଛି। ବିହାର ରାଜନୀତିରେ ଛୋଟେ ସରକାର ବୋଲାଉଥିବା ଅନନ୍ତ ସିଂ ପୂର୍ବରୁ 4 ଥର ଜେଡିୟୁ ଏବଂ ଥରେ ସ୍ୱାଧୀନ ଭାବେ ଜିତି ସାରିଛନ୍ତି। କଥା କେବଳ ଅନନ୍ତଙ୍କ ନିକଟରେ ସୀମିତ ହୋଇ ନାହିଁ।

ଆରେଜେଡି ପକ୍ଷରୁ ବିଭା ଦେବୀ ଏବଂ କିରଣ ଦେବୀଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇଛି। ବିଭା ଦେବୀ ବାହୁବଳୀ ନେତା ରାଜବଲ୍ଲଭ ପ୍ରସାଦ ଯାଦବଙ୍କ ଧର୍ମପତ୍ନୀ। ସେହିପରି କିରଣଦେବୀ ହେଉଛନ୍ତି- ବାହୁବଳୀ ନେତା ଅରୁଣ ଯାଦବଙ୍କ ସ୍ତ୍ରୀ। ଏହି 2 ଜଣ ଯଥାକ୍ରମେ ନୱାଦା ଏବଂ ସନ୍ଦେଶ ବିଧାନସଭା ଆସନରୁ ନିର୍ବାଚନ ଲଢିବେ।  ଆଶ୍ଚର୍ଯ୍ୟର କାରଣ ଏହି କି ଯେ, ବିଭା ଦେବୀଙ୍କ ସ୍ୱାମୀ ରାଜବଲ୍ଲଭ ପ୍ରସାଦ ଆଜୀବନ କାରାଦଣ୍ଡ ଭୋଗ କରୁଛନ୍ତି। ତାହା ପୁଣି ଜଣେ ନାବାଳିକାର ଦୁଷ୍କର୍ମ ମାମାଲାରେ। ଏଭଳି ଆପରାଧିକ ପୃଷ୍ଠଭୂମି ଥିବା ପରିବାର ସଦସ୍ୟଙ୍କୁ ଟିକେଟରୁ ବଞ୍ଚିତ କରାଯାଇନାହିଁ।

ଆରଜେଡିର ଆଉ ଜଣେ ବାହୁବଳି ନେତା ହେଉଛନ୍ତି- ମଗଧ ସମ୍ରାଟ ବୋଲାଉଥିବା ସୁରେନ୍ଦ୍ର ଯାଦବ। ତାଙ୍କ ବିରୋଧରେ ମଧ୍ୟ ଥାନାରେ ରହିଛି ବିଭିନ୍ନ ଆପରାଧିକ ମାମଲା। ଏହି ଧାରା ଯେ କେବଳ ଆରଜେଡିରେ ରହିଛି, ତାହା ନୁହେଁ। ଦୀର୍ଘ 15 ବର୍ଷ ଧରି ଶାସନ କ୍ଷମତାରେ ଥିବା ଜେଡିୟୁ ମଧ୍ୟ ଏଥିରୁ ବାଦ୍ ପଡିନାହିଁ।  ନିକଟରେ ପ୍ରାଣ ହରାଇଥିବା ବାହୁବଳୀ ନେତା ବିନ୍ଦି ଯାଦବଙ୍କ ସ୍ତ୍ରୀ ମନୋରମା ଦେବୀଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ଏକଦା ତାଙ୍କ ଘରୁ ମଦ ଜବତ ହୋଇଥିବାରୁ ମନୋରମାଙ୍କୁ ଜେଲର ଚାରିକାନ୍ଥ ମଧ୍ୟରେ ଦିନ କଟାଇବାକୁ ପଡିଥିଲା। ଏହା ସତ୍ତ୍ବେ ବି ତାଙ୍କୁ ଦଲୀୟ ଟିକେଟରୁ ବଞ୍ଚିତ କରାଯାଇନାହିଁ। ମନୋରମାଙ୍କ ପତ୍ର ମଧ୍ୟ ହତ୍ୟା ମାମଲାରେ ଆଜୀବନ ସଜ୍ଜା କାଟୁଛନ୍ତି।

ଇଏ ତ ଗଲା ଲାଲୁ ଏବଂ ନୀତିଶଙ୍କ ପାର୍ଟି କଥା।  ଦିବଂଗତ ନେତା ରାମବିଳାସ ପାଶୱାନଙ୍କ ଏଲଜେପି ମଧ୍ୟ ଏଥରୁ ବାଦ ପଡିନି। ଏକଦା ଏଲଜେପିର ଉପସଭାପତି ଥିବା ସୁନୀଲ ପାଣ୍ଡେଙ୍କ ବିରୋଧରେ ବେଆଇନ ବନ୍ଧୁକ ରଖିବା ଏବଂ ଅପହରଣ ପରି ସଙ୍ଗୀନ ମାମଲା ରହିଛି।  ଆଶ୍ଚର୍ଯ୍ୟର କଥା ଏହି ନେତା 4 ଥର ବିଧାୟକ ହୋଇସାରିଛନ୍ତି।

ଏତେ ସବୁ ପରେ ବି ଭୋଟର ମାନଙ୍କ ପାଇଁ ଏକ ବ୍ୟବସ୍ଥା ରହିଛି। ଯାହା ଦ୍ୱାରା ସେମାନେ ପ୍ରାର୍ଥୀମାନଙ୍କ ନାଁରେ ଥିବା ମାମଲା, ଅପରାଧ ସମ୍ପର୍କରେ ଜାଣିପାରିବେ। ଏପରିକି ପ୍ରାର୍ଥୀମାନେ ନିଜ ନିଜ ଆପରାଧିକ ପୃଷ୍ଠିଭୂମି ଏବଂ ନିଜ ନାଁରେ ଥିବା ମାମଲାକୁ ଏକାଧିକ ଥର ସାର୍ବଜନୀନ କରିବେ। ସ୍ଥାନୀୟ ଭାବେ ପ୍ରକାଶିତ ଖବର କାଗଜ ଏବଂ ଗଣମାଧ୍ୟମ ଜରିଆରେ ଏହା କରିପାରିବେ। ତେଣୁ କାହାକୁ ଭୋଟର ବିହାରୀ ଜିତାଇବେ, କାହାକୁ ନ ଜିତାଇବେ… ସେ ନିଷ୍ପତ୍ତି ସେମାନଙ୍କର….

 

 

ବିହାରରେ ବର୍ବରତା: ଦୁଷ୍କର୍ମ କରି ଛୋଟ ଶିଶୁ ସହ ମହିଳାଙ୍କୁ ନଦୀକୁ ଫୋପାଡ଼ିଦେଲେ

ପାଟଣା: ବିହାର ବକ୍ସରରେ ଘଟିଛି ଲୋମହର୍ଷଣକାରୀ ଘଟଣା । ନିଜ ପାଞ୍ଚ ବର୍ଷର ପୁଅ ସହିତ ବ୍ୟାଙ୍କ ଯାଉଥିବା ମହିଳା ହୋଇଛନ୍ତି ଗଣଦୁଷ୍କର୍ମର ଶିକାର । ଏହା ପରେ ମହିଳା ଏବଂ  ତାଙ୍କ ଶିଶୁକୁ ସହିତ ବାନ୍ଧି ନଦୀକୁ ଫୋପାଡ଼ି ଦେଇଥିଲେ । ଯାହା ଦ୍ୱାରା ଶିଶୁଟିର ମୃତ୍ୟୁ ହୋଇଥିଲା । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।

ଘଟଣା ଅନୁଯାୟୀ, ବକ୍ସରର ମୁରାର ଥାନାର ଓଝା ବରାବ ଗାଁରେ ପୀଡ଼ିତା ମହିଳା ଜଣଙ୍କ ନିଜର ପାଞ୍ଚ ବର୍ଷର ଛୁଆକୁ ନେଇ ବ୍ୟାଙ୍କ ଯାଉଥିବା ଜଣେ ମହିଳାଙ୍କୁ ତାଙ୍କ ୫ ବର୍ଷର ଶିଶୁ ସହ ଅପହରଣ କରିନିଆଗଲା । ପରେ ଗଣଦୁଷ୍କର୍ମ କରିବା ସହ ମହିଳା ଏବଂ ତାଙ୍କ ଛୋଟ ଶିଶୁକୁ ବାନ୍ଧି ନଦୀକୁ ଫୋପାଡ଼ି ଦିଆଯାଇଥିଲା ।

            ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ବାପାଙ୍କ କହିବା ଅନୁଯାୟୀ, ମହିଳା ଜଣଙ୍କ ନିଜ ପାଞ୍ଚ ବର୍ଷର ଶିଶୁକୁ ନେଇ ବ୍ୟାଙ୍କକୁ ବାହାରିଥଇଲେ । କିନ୍ତୁ ୧୧ଟାରେ  ପରେ ତାଙ୍କ ମୋବାଇଲ ବନ୍ଦ ହୋଇଯାଇଥିଲା । ପର ଦିନ ସକାଳେ ଝିଅ ସହିତ ତାଙ୍କ ଛୁଆକୁ ବନ୍ଧା ହୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । କିନ୍ତୁ ସେତେବେଳକୁ ଆଖି ବୁଜିସାରିଥିଲା ଛୋଟ ଛୁଆଟି । ପୀଡ଼ିତା ମହିଳଙ୍କ ବାପାଙ୍କ କହିବା ଅନୁଯାୟୀ କିଛି ଲୋକ ମହିଳାଙ୍କ ଯିବା ବାଟରେ ତାକୁ ଘେରିନେଇଥିଲେ ପରେ ତାକୁ ସେଠାରୁ ଅପହରଣ କରିନେଇଥିଲେ ଏବଂ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ଶିଶୁ ସହ ମହିଳାଙ୍କୁ ବାନ୍ଧି ନଦୀକୁ ଫୋପାଡ଼ି ଦେଇଥିଲେ । କିଛି ଲୋକ ମହିଳାଙ୍କୁ ନଦୀ କୂଳରୁ ଉଦ୍ଧାର କରିଥିବା ସୂଚନା ରହିଛି । କିନ୍ତୁ ଶିଶୁଟିକୁ ମୃତ୍ୟୁ ମୁଖରୁ ବଞ୍ଚାଇପାରିଲେନି । ତେବେ ଏବେ ହସ୍ପିଟାଲରେ ମହିଳାଙ୍କ ଚିକିତ୍ସା ଚାଲିଛି । ଏବଂ ଅପରାଧୀଙ୍କୁ ଗିରଫ କରି ପଚରାଉଚରା କରୁଛନ୍ତି ।

ପାଣି ପାଇଁ ଗାଁ ଦାଣ୍ଡରେ ଚାଲିଲା ମାରଣାସ୍ତ୍ର; ୨ ମୃତ, ୯ ଆହତ

ପୁରୀ/ବ୍ରହ୍ମଗିରି: ପାଣି ପାଇଁ ମହାଭାରତ । ବ୍ରହ୍ମଗିରି ଡିମିରିସେଣା ହରିଜନ ସାହିର ଦୁଇ ପରିବାର ମଧ୍ୟରେ ପିଇବା ପାଣି ପାଇପ୍ ସଂଯୋଗକୁ ନେଇ ରକ୍ତାକ୍ତ ସଂଘର୍ଷ ହୋଇଛି । ଉଭୟ ପରିବାର ପକ୍ଷରୁ ତେଣ୍ଟା, କୁରାଢି ଓ ଭଲାରେ ଆକ୍ରମଣ କରାଯାଇଥିଲା । ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସୁରେନ୍ଦ୍ର ଭୋଇ ଓ କାଳିଆ ଭୋଇ ।

Clash For Water Between Two Family In Brahmagiri Puri, Two Dead

ଦୁଇ ପରିବାରର ଆହତଙ୍କୁ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ପୁରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ଉଭୟ ପରିବାର ମଧ୍ୟରେ ଜମି ବିବାଦ ଲାଗି ରହିଥିବା ବେଳେ ରବିବାର ପାଣି ପାଇପ୍‌କୁ ନେଇ ରକ୍ତାକ୍ତ ସଂଘର୍ଷ ହୋଇଛି । ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟଣାରେ ବ୍ରହ୍ମଗିରି ଥାନାରେ ୨ଟି ମାମଲା ରୁଜୁ ହୋଇଛି ।

Clash For Water Between Two Family In Brahmagiri Puri, Two Dead

ଉଭୟ ପକ୍ଷରୁ ୧୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ସଂଘର୍ଷ ପରେ ଡିମିରିସେଣା ହରିଜନ ସାହିରେ ଚାପା ଉତ୍ତେଜନା ଲାଗିରହିଛି । ଘଟଣାସ୍ଥଳକୁ ଯାଇ ପୁରୀ ଏସ୍‌ପି ଓ ଏସ୍‌ଡିପିଓ ଅନୁଧ୍ୟାନ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଢ଼ାଇଲେ କୋଭିଡ୍ ଯୋଦ୍ଧାଙ୍କ ମନୋବଳ

ଭୁବନେଶ୍ୱର: ସମ୍ ହସ୍ପିଟାଲର ୨ ଡାକ୍ତରଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ ସମ୍ ହସ୍ପିଟାଲର ଡାକ୍ତର ପ୍ରଦୀପ କୁମାର ପାତ୍ର ଏବଂ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରାଙ୍କ ସହ କଥା ହେବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଏଥିସହ ସେମାନଙ୍କ ସହଯୋଗୀ ଓ ସମ୍ ହସପିଟାଲର ଉତ୍ସର୍ଗୀକୃତ ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ଡାକ୍ତର ପ୍ରଦୀପ କୁମାର ପାତ୍ର ଏବଂ ଡାକ୍ତର ଇଶ୍ୱର ଚନ୍ଦ୍ର ବେହେରା ନିରବିଚ୍ଛିନ୍ନ ଭାବେ ରୋଗୀଙ୍କୁ ସେବା ଯୋଗାଇବା ସହ ସୁସ୍ଥ ହେଉଥିବା ରୋଗୀଙ୍କୁ ମଧ୍ୟ ପରବର୍ତ୍ତୀ ସମୟରେ ପରାମର୍ଶ ଦେଉଛନ୍ତି । ଡାକ୍ତର ଇଶ୍ୱର ବେହେରା ଆଇସିୟୁରେ ରହୁଥିବା ରୋଗୀଙ୍କ ଦାୟିତ୍ୱ ନେଉଥିବା ବେଳେ ଇମ୍ୟୁନୋଲୋଜିଷ୍ଟ ଡାକ୍ଚର ପ୍ରଦୀପ କୁମାର ପାତ୍ର ସାମଗ୍ରିକ ଭାବେ କୋଭିଡ୍ ରୋଗୀଙ୍କ ଦାୟିତ୍ୱରେ ରହିଛନ୍ତି ।

CM Naveen Patnaik Talked With Sum Covid Hospitals Doctor

ଭଲ ହୋଇ ଯାଇଥିବା ବିଭିନ୍ନ ଆକ୍ରାନ୍ତଙ୍କଠୁ ଉଭୟଙ୍କ ସଂପର୍କରେ ଜାଣିବା ପରେ ଆଜି ମୁଖ୍ୟମନ୍ତ୍ରୀ ଏମାନଙ୍କ ସହ କଥା ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କଠାରୁ ସାଧୁବାଦ ପାଇବା ପରେ ଉଭୟ ଡାକ୍ତର ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀ କଥା ହେବା ପରେ ସେମାନେ ଆହୁରି ଉତ୍ସାହର ସହ ରୋଗୀ ସେବା କରିବେ । ଉଭୟ ଡାକ୍ତର ମଧ୍ୟ ସମ୍ ହସ୍ପିଟାଲ ଏବଂ ତାଙ୍କ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

IPL 2020 : 164 ରନ୍ କଲେ ଜିତିବ ମୁମ୍ବାଇ,

0

ଆବୁଧାବି : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିଛନ୍ତି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ପକ୍ଷରୁ ନିର୍ଦ୍ଦାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୬୨ ରନ ସଂଗ୍ରହ କରିଛି । ଦଳ ପକ୍ଷରୁ ପୃଥ୍ବୀ ସ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ । ଓପନିଂ ଆସିଥିବା ଧାୱନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୬୯ ରନ୍ ସଂଗ୍ରହ କରିଥିଲେ ।  ସେ ୬ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ । ସେହିପରି ରାହାନେ ୧୫, ଆୟାର ୪୨ ରନ ସଂଗ୍ରହ କରିଥିଲେ । ସେହିଭଳି ଷ୍ଟଏନିସ ୧୩ ଏବଂ କାରେ ୧୪ ରନ ସଂଗ୍ରହ କରିଥିଲେ ।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବୋଲ୍ଟ ଗୋଟିଏ ଏବଂ ପାଣ୍ଡ୍ୟା ୨ଟି ଉଇକେଟ ସଂଗ୍ରହ କରିଥିଲେ । ମୁମ୍ବାଇ ୧୬୩ ରନ କଲେ ଦିଲ୍ଲୀଠାରୁ ବିଜୟୀ ହେବ । ଖବର ସଂଗ୍ରହ ବେଳକୁ ମୁମ୍ବାଇ ବ୍ୟାଟିଂ ଆରମ୍ଭ କରିସାରିଥିଲା । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଏବଂ କ୍ୱାଣ୍ଟେନ ଡି କକ୍ ବ୍ୟାଟିଂ କରୁଥିଲେ ।

 

ପୁଣି ମାମଲା ଜାଲରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ତେଜିଲା ଗିରଫଦାରୀ ଦାବି

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପିଛା ଛାଡୁନି ବିବାଦ । ଲଗାତାର କୋଭିଡ୍‌ ନିୟମ ଉଲ୍ଲଂଘନ କରି ଚାଲିଛନ୍ତି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବୋଲଗଡ଼ ଥାନାରେ ମାମଲା ରୁଜୁ ହୋଇଛି । ତଥାପି ସୁଧୁରୁ ନାହାନ୍ତି ଅପରାଜିତା । ଭୁଲ୍‌ କରି ଅନୁତାପ ବଦଳରେ ଜନ- ଅଭିଯୋଗ ଶୁଣାଣି କରି ପୁଣି ନିୟମ ଭାଙ୍ଗିଛନ୍ତି । ଖୋର୍ଦ୍ଧା ଆଦର୍ଶ ଥାନାରେ ମଧ୍ୟ ଆଉଏକ ମାମଲା ରୁଜୁ ହୋଇଛି ।

Another FIR Against BJP Bhubaneswar MP Aparajita Sarangi For Violating Covid Norms

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ମାମଲା । ଜୋର୍‌ ଧରିଲା ଗିରଫ ଦାବି । ଅନୁତାପ କଲେନି ଅପରାଜିତା, ପୁଣି ହେଲେ ଅମାନିଆ । ଭୁବନେଶ୍ୱରରେ କଲେ ଆଉ ଏକ ପବ୍ଲିସିଟି ଷ୍ଟଣ୍ଟ । କୋଭିଡ ନିୟମ ଉଲ୍ଲଂଘନର ବ୍ରାଣ୍ଡ ଆମ୍ବାସଡର ସାଜିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାତି ପାହିବା ପୂର୍ବରୁ କୋଭିଡ୍‌ କଟକଣା ଭାଙ୍ଗିବା ପାଇଁ ଯୋଜନା କରୁଛନ୍ତି । ଅମାନିଆ ଅପରାଜିତାଙ୍କ ବିରୋଧରେ ଲମ୍ବି ଚାଲିଛି ନିୟମ ଉଲ୍ଲଂଘନର ତାଲିକା । ଏବେ ପୁଣି ବୋଲଗଡ଼ ଥାନାରେ ଅପରାଜିତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅପରାଜିତାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ଅଭିଯୋଗକାରୀ । ଶନିବାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ପାଟପୁର ଶାସନ ପଞ୍ଚାୟତରେ କର୍ମୀ ସମ୍ମିଳନୀ କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ । କୋଭିଡ୍‌ ନିୟମକୁ ନମାନି କର୍ମୀଙ୍କ ସହ ମିଳାମିଶା କରିଥିଲେ । ଏନେଇ ତଦନ୍ତ ସହ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ  ଦାବି ହୋଇଛି ।

Another FIR Against BJP Bhubaneswar MP Aparajita Sarangi For Violating Covid Norms

ଜନ- ଅଭିଯୋଗ ଶୁଣାଣି ନାଁରେ ଭୁବନେଶ୍ୱରରରେ ଆଉ ଏକ ପବ୍ଲିସିଟି ଷ୍ଟଣ୍ଟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । କର୍ମୀଙ୍କ ମେଳରେ ଲକ୍ଷ୍ମୀସାଗରରେ ଆୟୋଜନ ହୋଇଥିଲା ଜନ- ଅଭିଯୋଗ ଶୁଣାଣି । ମାଳ ମାଳ ବିଜେପି କର୍ମୀ ସାଙ୍ଗକୁ ଶତାଧିକ ଲୋକ । ସାମାଜିକ ଦୂରତା ରଖିବା ପାଇଁ କାନ୍ଥରେ କାଗଜ ଖଣ୍ଡେ ଲଗାଇଦେଲେ । କିନ୍ତୁ ବାସ୍ତବରେ କୋଭିଡ୍‌ ନିୟମକୁ ଦଳି ମକଚି ମାଇଲେଜ ନେବାକୁ ଭୁଲିଲେନି ଅପରାଜିତା । ବାରମ୍ବାର ନିୟମ ଉଲ୍ଲଂଘନ କରୁଥିଲେ ବି ଅନୁତାପ ନାହିଁ, ବରଂ ଅନ୍ୟଙ୍କୁ ଦୋଷ ଦେବାକୁ ପଛାଉନାହାନ୍ତି ସାଂସଦ ଅପରାଜିତା ।

Another FIR Against BJP Bhubaneswar MP Aparajita Sarangi For Violating Covid Norms

ଖୋର୍ଦ୍ଧା ଜିଲ୍ଲାରେ କରୋନା ବଢ଼ିବାରେ ଲାଗିଛି । କରୋନା ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା କରୁଛନ୍ତି । କିନ୍ତୁ ଏହି ସମୟରେ ଅପରାଜିତାଙ୍କ ପବ୍ଲିସିଟି ଷ୍ଟଣ୍ଟ ଲୋକଙ୍କୁ ବିପଦରେ ପକାଇବାର ଆଶଙ୍କା ରହିଛି ।

ଉପନିର୍ବାଚନ ପୂର୍ବରୁ ବାଲେଶ୍ୱର ଓ ତିର୍ତ୍ତୋଲରେ ବଢୁଛି ବିଜେଡିର ବଳ

ବାଲେଶ୍ୱର/ଜଗତସିଂହପୁର: ଉପନିର୍ବାଚନ ପୂର୍ବରୁ ବଢୁଛି ବିଜେଡିର ଶକ୍ତି । ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡିରେ ଯୋଗଦେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ଅରୁଣ ଦେଙ୍କ ପରେ ବାଲେଶ୍ୱରରେ ତୃଣମୂଳସ୍ତରର ଅନେକ ବିଜେପି ଓ କଂଗ୍ରେସ ନେତା ଏବଂ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ସେପଟେ ତିର୍ତ୍ତୋଲରେ ଶଙ୍ଖ ଧରିଛନ୍ତି ୫୦ରୁ ଅଧିକ କଂଗ୍ରେସ କର୍ମୀ ।

Balasore And Tirtol By Election, BJP And Congress Workers Joins In BJD

ବାଲେଶ୍ୱରରେ ବଢୁଛି ବିଜେଡି ବଳ । ଉପନିର୍ବାଚନ ପୂର୍ବରୁ ଶଙ୍ଖ ଧରିଲେ ବିଜେପି ଓ କଂଗ୍ରେସ କର୍ମୀ । ବିରୋଧୀଙ୍କୁ ମାତ୍ ଦେବା ପାଇଁ ବିଜେଡିର ବିଜୟ ରଣନୀତି । ଆଉ ଦିନ କେଇଟା ପରେ ବାଲେଶ୍ୱର ସଦର ଉପନିର୍ବାଚନ । ତା’ ପୂର୍ବରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣାଶୁଣା ନେତା ଓ ପୂର୍ବତନ କାଉନସିଲର ବିଜେଡିରେ ଯୋଗଦେଇଛନ୍ତି । ଏଥିସହ ସାମିଲ ହୋଇଛନ୍ତି ୧୪ଟି ୱାର୍ଡର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ମିଶିଛନ୍ତି । ପୂର୍ବରୁ ଅରୁଣ ଦେ ବିଜେଡିରେ ଯୋଗଦେଇଥିବା ବେଳେ ଏହି ମିଶ୍ରଣ ପର୍ବ ଦଳକୁ ଆହୁରି ସଶକ୍ତ କରିବ ବୋଲି ଦଳୀୟ ନେତା କହିଛନ୍ତି ।

Balasore And Tirtol By Election, BJP And Congress Workers Joins In BJD

ସେହିପରି ତିର୍ତ୍ତୋଲରେ ବଢୁଛି ଉପନିର୍ବାଚନ ତାତି । ବଢୁଛି ବିଜେଡିର ଶକ୍ତି । ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ମୂଳିସିଂହ ପଞ୍ଚାୟତରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ୫୦ରୁ ଅଧିକ କଂଗ୍ରେସ କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ହାତ ଛାଡ଼ି ଶଙ୍ଖ ଧରିଥିବା ସେମାନେ କହିଛନ୍ତି । ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନରେ ବିଜେଡିର ଭୋଟ୍ ହାର ଆହୁରି ବଢିବ ବୋଲି ଆଶା ପ୍ରକାଶ କରିଛନ୍ତି ।