spot_img
Home Blog Page 6311

ଦେଶରେ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ, ୧.୦୮ ଲକ୍ଷ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦଶରେ କରୋନା ସଂକ୍ରମଣ ତୁହାକୁ ତୁହା ବଢ଼ିବାରେ ଲାଗିଛି । ଭାରତରେ ୭୦ ଲକ୍ଷ ପାର ହୋଇଛି କରୋନା ସଂକ୍ରମଣ । ସେଥିମଧ୍ୟରୁ ୧ ଲକ୍ଷ ୮ ହଜାର ୩୩୪ ରୋଗୀଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦେଶରେ ସୁସ୍ଥ ହେବା ସଂଖ୍ୟା ୬୦ ଲକ୍ଷରୁ ଅଧିକ ହୋଇଛି । ଏଦେ ଦେଶରେ କରୋନ ସକ୍ରିୟ ମାମଲା ସଂଖ୍ୟା ୮ ଲକ୍ଷ ୬୭ ହଜାରକୁ ଖସି ଆସିଛି । ସୁସ୍ଥ ଲୋକଙ୍କ ସଂଖ୍ୟା ସଂକ୍ରମଣର ସକ୍ରିୟ ମାମଲା ଠାରୁ ଛଅ ଗୁଣରୁ ଅଧିକ । ତେବେ ୩ ସପ୍ତାହରୁ ଅଧିକ ହେବ କରୋସା ସଂକ୍ରମଣ ଠାରୁ କରୋନାରେ ସୁସ୍ଥ ସଂଖ୍ୟା ଅଧିକ ଆସିବାରେ ଲାଗିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନଗଦ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୭୪,୩୮୩ ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି । ତେବେ ୮୯,୧୫୪ ରୋଗୀ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ତେବେ ୯୧୮ ରୋଗୀ ମଧ୍ୟ ପ୍ରାଣ ହରାଇଛନ୍ତି । ନୂଆ ମାମଲା ମଧ୍ୟରୁ ୬୧ % କେବଳ ଏହି ୫ ଟି ରାଜ୍ୟରେ ରେକର୍ଡ କରାଯାଇଛି । ମୋଟ ସକ୍ରିୟ ମାମଲାର ୫୪.୦୩% ମଧ୍ୟ ଏହି ୫ ଟି ରାଜ୍ୟରେ ରେକର୍ଡ କରାଯାଇଛି ।

ଆଇସିଏମଆର ଅନୁଯାୟୀ, ଅକ୍ଟୋବର ୧୦ ପର୍ଯ୍ୟନ୍ତ ମୋଟ  ୮ କୋଟି ୬୮ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଗତକାଲି ୧୧ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ଜଣାପଡ଼ିଥିଲା କରୋନା ପଜିଟିଭ ସଂଖ୍ୟା ମାତ୍ର ୭ % ରହିଥିଲା ।

ତେବେ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ର ପରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ସର୍ବାଧିକ ସକ୍ରିୟ ମାମଲା ରହିଛି । ସକ୍ରିୟ କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । କରୋନା ସଂକ୍ରମଣ ସଂଖ୍ୟା ଅନୁସାରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ । ସେହିଭଳି ମୃତ୍ୟୁ ରେ ଦେଖିବା ତେବେ ଆମେରିକା ଏବଂ ବ୍ରାଜିଲରେ ପରେ ଭାରତ ସଂଖ୍ୟାରେ ରହିଛି । ସବୁଠାରୁ ବଡ଼ କଥା ହେଉଛି ମୃତ୍ୟୁହାରରେ ଏବଂ ସକ୍ରିୟ ମାମଲା କ୍ରମାଗତ ହ୍ରାସ ରେକର୍ଡ କରାଯାଉଛି ।

ଚାନ୍ଦା ଆଦାୟ କରୁଥିବା ମହିଳା କନେଷ୍ଟବଳଙ୍କୁ ଆକ୍ରମଣ !

ବାରିପଦା: ବାରିପଦା ବିଶୋଇ ହାଟରେ ମହିଳା ପୋଲିସ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ହାଟରେ ବ୍ୟବସାୟ କରୁଥିବା କିଛି ମହିଳା, ପୋଲିସ କନେଷ୍ଟବଳଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଆକ୍ରମଣକାରୀ ମହିଳାଙ୍କୁ ପୋଲିସ ଗିରଫ କରିଛି ।

   

ହାଟରେ ବ୍ୟବସାୟ କରୁଥିବା ମହିଳାଙ୍କ ଅଭିଯୋଗ ଅନୁଯାୟୀ, ମହିଳା କନେଷ୍ଟବଳ ମଞ୍ଜୁଲତା ସାହୁ ହାଟରେ ଚାନ୍ଦା ଆଦାୟ କରୁଥିଲେ । ଏହାକୁ ବିରୋଧ କରିବାରୁ ମହିଳା କନେଷ୍ଟବଳ ମଞ୍ଜୁଲତା ସାହୁ ଓ କିଛି ବ୍ୟବସାୟୀ ମହିଳାଙ୍କ ମଧ୍ୟରେ ତୁତୁ ମେଁମେଁ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ପରିସ୍ଥିତି ଏତେ ଗମ୍ଭୀର ହୋଇଥିଲା ଯେ, ମହିଳା କନେଷ୍ଟବଳଙ୍କୁ ଆକ୍ରମଣ କରିବାକୁ ବି ପଛେଇ ନଥିଲେ ହାଟରେ ବ୍ୟବସାୟ କରୁଥିବା ମହିଳାମାନେ । ପରେ ଏହି ଘଟଣାରେ ହଟାରୁ ଆକ୍ରମଣ କରିଥିବା ମହିଳାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ତେବେ ପୋଲିସର କହିବାନୁଯାୟୀ ହାଟରେ ମହିଳାମାନେ ମଦ ତଥା ହାଣ୍ଡିଆ ବ୍ୟବସାୟ କରୁଥିଲେ, ଯାହାକୁ ପୋଲିସ ବାରଣ କରିଥିଲା । ତେଣୁ ଏଭଳି ପରିସ୍ଥିତି ଉପୁଜିଥିଲା । ସେପଟେ ହାଟରେ ବ୍ୟବସାୟ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି ଯେ, କନେଷ୍ଟବଳ ମଞ୍ଜୁଲତା ସାହୁ ବିଶୋଇ ହାଟରେ ବ୍ୟବସାୟୀଙ୍କଠାରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିଲେ ଯାହାଫଳରେ ଏଭଳି ପରିସ୍ଥିତିି ଉପୁଜିଥିଲା । ସୂଚନାଯୋଗ୍ୟ, ସ୍ଥାନୀୟ ଥାନା ଅଧିକାରୀଙ୍କ ପକ୍ଷରୁ ଚାନ୍ଦା ଆଦାୟ ଘଟଣାକୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇଛି ।

ଟିଆରପି ମାମଲାରେ ରିପବ୍ଲିକ ଟିଭିର ୬ ଜଣ କର୍ମଚାରୀଙ୍କୁ ଜେରା ପାଇଁ କ୍ରାଇମବ୍ରାଞ୍ଚର ନୋଟିସ

ମୁମ୍ବାଇ: ଦେଶରେ ନିଜକୁ ନମ୍ବର ଓ୍ୱାନ ଚ୍ୟାନେଲ କହୁଥିବା ରିପବ୍ଲିକ ଟିଭି ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି । ସେ ଲୋକଙ୍କୁ ଟଙ୍କା ଦେଇ ଟିଭି ଦେଖିବାକୁ କହୁଥିବା ନେଇ ଅଭିଯୋଗ ହୋଇଛି । ତେବେ ଏନେଇ ଟିଆରପି ସ୍କାମର ତଦନ୍ତ କରୁଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଆଜି ମୁମ୍ବାଇ କ୍ରାଇମବ୍ରାଞ୍ଚ ୬ ଜଣଙ୍କୁ ପଚରାଉଚରା ପାଇଁ ଡ଼କାଇ ପାରେ । ଶନିବାର କ୍ରାଇମବ୍ରାଞ୍ଚ ଏହି ସମନ ଜାରି କରିଛି । ଯେଉଁମାନଙ୍କୁ ଡକାଯାଇଛି ସେମାନଙ୍କ ମଧ୍ୟରେ ରିପବ୍ଲିକ୍ ଟିଭିର ସିଇଓ ବିକାଶ କାନଚାନ୍ଦାନୀ, ସିଓ ହର୍ଷ ଭଣ୍ଡାରୀ, ସିଓଓ ପ୍ରିୟା ମୁଖାର୍ଜୀ, ବିତରଣ ମୁଖ୍ୟ ଘନଶ୍ୟାମ ସିଂ ଅଛନ୍ତି । ଏଥିସହ ହାନସା ଏଜେନ୍ସିର ସିଇଓ ତଥା ହାନସାର ଜଣେ କର୍ମଚାରୀଙ୍କୁ ପଚରାଉଚରା ପାଇଁ କୁହାଯାଇଛି । ଆଜି ସମସ୍ତଙ୍କୁ ସକାଳ ୯ ଟାରେ ପହଞ୍ଚିବାକୁ କୁହାଯାଇଛି ।

ଏହାପୂର୍ବରୁ ଶନିବାର ଦିନ ରିପବ୍ଲିକ୍ ଟିଭି CFO ଏସ୍ ସୁନ୍ଦରମ ଏବଂ ଘନଶ୍ୟାମ ସିଂଙ୍କୁ କ୍ରାଇମ ବ୍ରାଞ୍ଚରେ ହାଜର  ପାଇଁ ନୋଟିସ୍‌ ହୋଇଥିଲେ ମଧ୍ୟ ହାଜର ହୋଇନଥିଲେ । ସେ କ୍ରାଇମବ୍ରାଞ୍ଚକୁ ଏକ ଚିଠି ମଧ୍ୟ ଦେଇଛନ୍ତି । ଏଥିରେ କୁହାଯାଇଛି ଯେ ଘନଶ୍ୟାମ ସିଂ ମୁମ୍ବାଇ ବାହାରେ ଏବଂ ସୁନ୍ଦରମ୍ ରିପବ୍ଲିକ୍ ଦ୍ୱାରା ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ବିଷୟରେ କହିଛନ୍ତି । ୧୬ ଅକ୍ଟୋବର ପର୍ଯ୍ୟନ୍ତ ତାଙ୍କର କିଛି କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସୁନ୍ଦରାମ କ୍ରାଇମବ୍ରାଞ୍ଚରୁ ସମୟ ମାଗିଛନ୍ତି ଏବଂ ଶନିବାର ଦିନ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚକୁ ଆସିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି । ଧାରା ୩୨ ଅନୁଯାୟୀ ଉକ୍ତ ମାମଲାରେ ସୁପ୍ରିମକୋର୍ଟରେ ମଧ୍ୟ ଦାଖଲ କରାଯାଇଛି ।

ବିନା କାରଣରେ ସରପଞ୍ଚଙ୍କୁ ଅଟକ, ବିଳମ୍ବିତ ରାତିରେ ବୁର୍ଲା ଥାନା ଘେରିଲେ ଗ୍ରାମବାସୀ

ସମ୍ବଲପୁର: ବିଳମ୍ବିତ ରାତିରେ ବୁର୍ଲା ଥାନା ଘେରାଉ କଲେ ଶତାଧିକ ଗ୍ରାମବାସୀ । ଚାଂରପୁର ଗ୍ରାମର ପୂର୍ବତନ ସରପଞ୍ଚକୁ ବୁର୍ଲା ପୋଲିସ କୌଣସି କାରଣ ନଥାଇ ଥାନାରେ ଅଟକ ରଖିଥିବା ଅଭିଯୋଗରେ ବୁର୍ଲା ଥାନା ଘେରିଥିଲେ ଗ୍ରାମବାସୀ । ଚାଂରପୁର ଗ୍ରାମରେ ଗତ କିଛି ଦିନ ହେବ ବିଦ୍ୟୁତ କାଟ ହେଉଛି । ଫଳରେ ଚାଷ ଜମିରେ ପାଣି ଯୋଗାଣ ହୋଇପାରୁନଥିବା ବେଳେ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠ ପଢ଼ାରେ ମଧ୍ୟ ଅନେକ ସମସ୍ୟା ଦେଖାଦେଉଛି ।

Sambalpur Burla

ଘଟଣାକୁ ନେଇ ପୂର୍ବତନ ସରପଞ୍ଚ ଆହ୍ଲଦ ମେହେର ଓ ବିଦ୍ୟୁତ୍‌ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଅଭିଯୋଗ ପରେ ବୁର୍ଲା ପୋଲିସ ଗ୍ରାମର ୩ ଜଣଙ୍କୁ ଥାନାରେ ଅଟକ ରଖିଥିଲା । ଏହାକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ବୁର୍ଲା ଥାନାକୁ ଘେରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନା ଘେରିବା ପରେ ବିଦ୍ୟୁତ ବିଭାଗର ଏସ୍‌ଡିଓ ଓ କନିଷ୍ଠ ଯନ୍ତ୍ରୀ ଆସି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ।

Sambalpur Burla

ଜନ୍ମଦିନରେ ମଧ୍ୟ ‘କୌନ ବନେଗା କରୋଡ଼ପତି’ର ସୁଟିଂ କରିବେ ବିଗ୍‌ ବି ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ଆଜି ହେଉଛି ବଲିଉଡର ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ସେ ୧୧ ଅକ୍ଟୋବର ୧୯୪୨ରେ ପ୍ରୟାଗରାଜରେ ଜନ୍ମ ହୋଇଥିଲେ  । ଏହି ଅବସରରେ ସାରା ଦେଶରୁ ଅମିତାଭଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି  । ହିନ୍ଦି ସିନେମା ଜଗତରେ ଅମିତାଭଙ୍କୁ ସବୁଠୁ କ୍ଷମତାଶାଳୀ ଅଭିନେତା ଭାବେ ବିବେଚନା କରାଯାଏ  । ବଲିଉଡର ଏହି ସେହେନ୍‌ସା ଆଜି ୭୮ ବର୍ଷରେ ପାଦ ଥାପିଛନ୍ତି  ।

ବିଗ୍ ବି ଅନେକ ସୁପର-ଡୁପର ହିଟ୍ ଚଳଚ୍ଚିତ୍ରରେ ନିଜକୁ ଅଲଗା ଅନ୍ଦାଜରେ ଲୋକଙ୍କ ସାମ୍ନାକୁ ଆଣିଛନ୍ତି । ଅମିତାଭ ତାଙ୍କ ପ୍ରେମ ଜୀବନରେ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଆଜିକାଲି, ବିଗ୍ ବି ସୋନି ଟିଭିର ଗେମ ରିଆଲିଟି ସୋ ‘କୌନ ବନେଗା କରୋଡ଼ପତି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେଣୁ ଏଥର ତାଙ୍କ ଜନ୍ମଦିନ ସୁଟିଂ ସେଟ୍‌ରେ ହିଁ ପାଳନ କରାଯିବ ବୋଲି ସ୍ଥିର ହୋଇଛି ।

ସୂଚନାନୁସାରେ, ବିଗ୍ ବିଙ୍କ ଜନ୍ମଦିନ ପାଇଁ ଏଥର କୌଣସି ପ୍ରକାରର ଜାକଜକମର ବ୍ୟବସ୍ଥା କରାଯାଇନାହିଁ । କାରଣ କରୋନା ପାଇଁ ଏଥର ସବୁକୁ ବାଦ୍‌ ଦିଆଯାଇଛି ବୋଲି ବିଗ୍‌ ବି’ଙ୍କ ପରିବାର ଲୋକେ କହିଛନ୍ତି ।

ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାଶ, ୮ ଗିରଫ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାଶ । ୮ ଜଣଙ୍କୁ ଗିରଫ କଲା ପୋଲିସ । ଘଟଣାରେ ସମ୍ପୃକ୍ତ ୭ ଅଭିଯୁକ୍ତଙ୍କ ସହ ଯନ୍ତ୍ରୀଙ୍କ ସୁନା ଚେନ୍ କିଣିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ଶିବ ତାଣ୍ଡି, ପଙ୍କଜ ବାଗ, ଲଲିତ ତାଣ୍ଡି, ବୁଲୁ ମନହିରା, ପ୍ରକାଶ ମହାକୁଡ଼, ନିରଞ୍ଜନ ଅଚାରୀ, ତୋଫାନ ତାଣ୍ଡି ଓ ସଞ୍ଜୟ ସୋନୀ ବୋଲି ଜଣାପଡ଼ିଛି ।

jharsuguda police

ଅପହରଣ ଘଟଣାର ମାଷ୍ଟର ମାଇଣ୍ଡ ରବି ତାଣ୍ଡି ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କ ଅଫିସରେ କାମ କରୁଥିବା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ସେ କିଛିଦିନ ଅଫିସ ଆସି ନଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକ । ଏଥିରେ ଉତ୍ୟକ୍ତ ହୋଇ ତାଙ୍କର ଦୁଇ ପୁଅ ଶିବ ଓ ତୋଫାନ ସାଙ୍ଗମାନଙ୍କ ସହ ନିର୍ବାହୀ ଯନ୍ତ୍ରୀଙ୍କୁ ଅପହରଣ କରିବାକୁ ଷଡଯନ୍ତ୍ର କରିଥିଲେ । ଗତ ୬ ତାରିଖ ବିଳମ୍ବିତ ରାତିରେ ଘଟିଥିଲା ଏହି ଅପହରଣ ଘଟଣା । ଯନ୍ତ୍ରୀଙ୍କ ଠାରୁ ଚୋରି ହୋଇଥିବା ସୁନା ଚେନ୍‌ କିଣିଥିବା ବ୍ୟକ୍ତିଙ୍କୁ ଗିରଫ ପରେ ସମସ୍ତ ଅଭିଯୁକ୍ତ ଧରା ପଡିଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ଏସପି ।

ସିଏସ୍‌କେ କୁ ହରାଇ ପଏଣ୍ଟ ତାଲିକାର ୪ର୍ଥ ସ୍ଥାନରେ ରହିଲା ଆର୍‌ସିବି

ଦୁବାଇ: ଆପିଏଲ୍‌ର ୧୩ ତମ ସିଜିନରେ ଚାଲିଛି ଧମା ଧମ ମ୍ୟାଚ୍‌ । ଗତ କାଲି ଆର୍‌ସିବି ଏବଂ ସିଏସ୍‌କେ ମଧ୍ୟରେ ଯୋରଦାର ଟକ୍କର ପରେ ଆର୍‌ସିବି ମ୍ୟାଚ୍‌କୁ ହାତେଇ ନେଇଛି । ଶନିବାର ରାତିରେ ଦୁବାଇରେ ଆରସିବି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) କୁ ୩୭ ରନରେ ପରାସ୍ତ କରିଛି । ଆର୍‌ସିବି ପ୍ରଥମେ ବ୍ୟାଟିଂ କରି ସିଏସ୍‌କେ ୧୭୦ ରନର ଲକ୍ଷ୍ୟ ଦେଇଥିଲା । ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଦଳ ନିର୍ଦ୍ଧାରିତ ଓଭରରେ ମାତ୍ର ୧୩୨/୮ ରନ୍ ରେ ପରାସ୍ତ ମାନିନେଇଥିଲା ।

ଏହି ବିଜୟ ସହିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚତୁର୍ଥ ବିଜୟ ହାସଲ କଲା । ବର୍ତ୍ତମାନ ପଏଣ୍ଟ ଟେବୁଲରେ ୮ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ଆର୍‌ସିବି ପାଇଁ ଏହା ଷଷ୍ଠ ମ୍ୟାଚ୍ ଥିବାବେଳେ ସିଏସ୍‌କେର ଏହା ୫ମ ପରାଜୟ ରହିଛି ।

ୱାଟସନ ୧୪ ରନ, ଫାଫ ଡୁପଲେସିସ୍  ୮ରନ ଏବଂ  ଅଧିନାୟକ ଧୋନି  ୧୦ ରନ କରି ବ୍ୟାଟିଂରେ ବିଫଳ ହୋଇଥିଲେ । ଏନ ଜଗଦୀଶାନ ୩୩ ଏବଂ ଅମ୍ବାତି ରାୟୁଡୁଙ୍କ ବହୁ ଉଦ୍ୟମ ପରାଜୟର ସହ ବୃଥା ହୋଇଥିଲା । ସେପଟେ ଆର୍‌ସିବିର ବୋଲର ମାନେ ସିଏସ୍‌କେ ଉପରେ ଭାରି ପଡ଼ିଥିଲା । ଅଫ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ଧୋନିଙ୍କ ଓ୍ୱିକେଟ ନେଇଥିଲେ ।  ଏଥର ପ୍ରଥମ ମ୍ୟାଚ୍ ଖେଳିଥିବା କ୍ରିସ୍ ମୋରିସଙ୍କୁ ତିନୋଟି ସଫଳତା ମିଳିଥିଲା । ଇସ୍‌ରୁ ଉଦାନାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।

୧୭ ଓଭର ପରେ ଚେନ୍ନାଇ ସୁପର କିଙ୍ଗ୍ସର ସ୍କୋର ୧୦୯ ଥିବା ବେଳେ ଜିତିବା ପାଇଁ ୧୮ ବଲରେ ୬୧ ଆବଶ୍ୟକତା ରହିଥିଲା ।  ରାଇଡୁ ଏବଂ ରବିନ୍ଦ୍ର ଜାଡେଜା କ୍ରିଜରେ ଥିଲେ ମଧ୍ୟ ଟାର୍ଗେଟ ଅସମ୍ଭବ ଥିଲା । ଉଦୟଙ୍କ ବଲକୁ ସ୍ୱିପ୍ କରିବା ଳକ୍ଷରେ ରୟୁଡ଼ୁ ନିଜ ଓ୍ୱିକେଟକୁ ହରାଇଥିଲେ । ଏହା ପରେ ମୋରିସ୍ ତାଙ୍କର ଅନ୍ତିମ ତଥା ଚତୁର୍ଥ ଓଭରରେ ଡୱେନ ବ୍ରାଭୋ ଏବଂ ଜାଡେଜା ଙ୍କ ୱିକେଟ୍‌କୁ ହାତେଇଥିଲେ ।

ଭିନ୍ନକ୍ଷମ ଓ ବୃଦ୍ଧଙ୍କ ପାଇଁ ଘରକୁ ପଠାଯିବ ବାଲାଟ ପେପର !

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭିନ୍ନକ୍ଷମ, କରୋନା ରୋଗୀ, ୮୦ ବର୍ଷରୁ ଉର୍ଦ୍ଧ୍ୱ ଭୋଟର କିପରି ଭୋଟ ଦେବେ, ସେଥିପାଇଁ ସେମାନଙ୍କ ଇଚ୍ଛା ପଚାରିବାକୁ ସମସ୍ତ ବ୍ଲକ ତରଫରୁ ଅଧିକାରୀମାନେ ଘର ଘର ବୁଲିଛନ୍ତି । ସେମାନେ ବାଲଟ ପେପରରେ ଭୋଟ ଦେବେ ନା ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବେ ସେନେଇ ଲିଖିତ ଭାବେ ବ୍ଲକ ଅଧିକାରୀ ତଥ୍ୟ ସଂଗ୍ରହ କରୁଛନ୍ତି । ଯେଉଁମାନେ ବାଲଟ ପେପରେ ଭୋଟ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସେମାନଙ୍କ ଘରକୁ ନିର୍ବାଚନ ଦିନ ବାଲଟ ପେପର ପଠାଯିବ । ତିର୍ତ୍ତୋଲ ବ୍ଲକର ୧୬୦ଟି ବୁଥ୍‌ରୁ ଏଭଳି ରିପୋର୍ଟ ଅଣାଯାଉଛି ।

ଅନ୍ୟପଟେ ଉପ ନିର୍ବାଚନ ପାଇଁ ସରଗରମ ହେଉଛି ତିର୍ତ୍ତୋଲ ରାଜନୀତି । ସବୁ ରାଜନୈତିକ ଦଳର ନଜର ଏବେ ତିର୍ତ୍ତୋଲ ଉପରେ । ଏହି କ୍ରମରେ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା ରଘୁନାଥପୁର ବ୍ଲକ ଗସ୍ତ କରି ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । କିଭଳି ଉପନିର୍ବାଚନରେ ଦଳ ବିଜୟ ଲାଭ କରିବ ସେ ନେଇ ଆଗ ଧାଡ଼ିର ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ ସଞ୍ଜୟ ଦାସବର୍ମା ।

ଆକ୍ସନ ମୋଡ୍‌ରେ ଖୋର୍ଦ୍ଧା ପୋଲିସ, OTVର ୩ କର୍ମଚାରୀଙ୍କୁ ୮ ଘଣ୍ଟା ଜେରା

ଖୋର୍ଦ୍ଧା: ଆକ୍ସନ ମୋଡରେ ଖୋର୍ଦ୍ଧା ଜିଲ୍ଲା ପୋଲିସ । ଓଟିଭି ସାରୁଅ ଜମି କେଳେଙ୍କାରୀ କେସ୍‌ରେ ଖୋଲୁଛି ଗୁମର । ଗ୍ରାମବାସୀଙ୍କ ଅଭିଯୋଗ ପରେ ୬ ଦିନ ଗ୍ରାଉଣ୍ଡଜିରୋରେ ମାପଚୁପ । ଏବେ ଆରମ୍ଭ ହୋଇଯାଇଛି ପଚରାଉଚରା । ଶନିବାର ବାଘମାରୀ ଥାନାକୁ ତିନି ଜଣ ଓଟିଭି କର୍ମଚାରୀଙ୍କୁ ଡକାଇ ଦିନ ୧୧ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଏସପି ଅଜୟ କୁମାର ସ୍ୱାଇଁ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଘନ ଘନ ଜେରା କରିଥିଲେ ।

ଏଥିରେ ଜଣେ ପୂର୍ବତନ କର୍ମଚାରୀ ଥିବାବେଳେ ବର୍ତ୍ତମାନର ଦୁଇ ଜଣ କର୍ମଚାରୀ ଅଛନ୍ତି । ଓଟିଭିର ଚିଫ୍‌ ଫାଇନାନସିଆଲ ଅଫିସର ମନୋରଞ୍ଜନ ଷଡ଼ଙ୍ଗୀ, ସାରୁଅ ଷ୍ଟୁଡିଓ ଦାୟିତ୍ୱରେ ଥିବା ଅଧିକାରୀ ଅନିରୁଦ୍ଧ ପଣ୍ଡା ଏବଂ ସାରୁଅ ପ୍ରୋଜେକ୍ଟ ଦାୟିତ୍ୱରେ ଥିବା ପୂର୍ବତନ କର୍ମଚାରୀ ସଲିଲ ମହାନ୍ତି ବାଘମାରୀ ଥାନାରେ ହାଜର ହୋଇ ପକ୍ଷ ରଖିଛନ୍ତି ।

କାହାଠାରୁ ଜମି କିଣାଯାଇଛି ? କାହା ନାଁରେ କେତେ ପରିମାଣର ଜମି କିଣାଯାଇଛି ? ଜମି ବାଉଣ୍ଡାରୀ କରିବା ପାଇଁ କେଉଁ ମାନଙ୍କୁ ଆଦେଶ ଦିଆଯାଇଥିଲା ? ସ୍ଥାନୀୟ ଲୋକଙ୍କ ମୁଖ୍ୟ ଅଭିଯୋଗ ଅନୁଯାୟୀ କାହିଁକି ଜମିକୁ ପାଣି ଛଡ଼ାଯାଉନି ? ଏସବକୁ ନେଇ ଜେରା କରିଛି ପୋଲିସ । ପୋଲିସ ଏହି ତିନି ଜଣଙ୍କୁ ଗ୍ରାମବାସୀଙ୍କ ଦୁଇଟି ଏତଲାକୁ ଭିତ୍ତି କରି ନୋଟିସ କରିଥିଲା । ଗତ ଶୁକ୍ରବାର ମଧ୍ୟ ଖୋର୍ଦ୍ଧା ପୋଲିସର ୫ ଜଣିଆ ଟିମ ଭୁବନେଶ୍ୱର ପଟିଆସ୍ଥିତ ଓଟିଭି ଅଫିସ୍‌ ଯାଇ ଦୀର୍ଘ ୭ ଘଣ୍ଟା ଧରି ଯାଞ୍ଚ କରିଥିଲେ । ସାରୁଅ ଜମି କିଣା ନେଇ ବିଭିନ୍ନ କାଗଜପତ୍ର ତନଖି କରିଥିଲେ । ଗ୍ରାମବାସୀଙ୍କ ଦ୍ୱାରା ୨ଟି ଏତଲାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ତାଙ୍କ ବାପା ଓ ଭାଇଙ୍କ ନାଁ ମଧ୍ୟ ରହିଛି ।

ସତର୍କ ! ଆଜି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରହିଛି ବିପଦ

ଆଜିର ପଞ୍ଚାଙ୍ଗ:

୧୧ ଅକ୍ଟୋବର, ୨୦୨୦, ରବିବାର

୧୪୨୮ ସାଲ, ୧୯୪୨ଶକାବ୍ଦ, ୨୦୭୭ ସମ୍ବତ୍,

କନ୍ୟା ୨୬ ଦିନ, ଆଶ୍ୱିନ ମଳମାସ କୃଷ୍ଣପକ୍ଷ , ନବମୀ ତିଥି

– କର୍କଟ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

– ପୁଷ୍ୟା ନକ୍ଷତ୍ର

-ଘାତଚନ୍ଦ୍ର- କୌଣସି ବ୍ୟକ୍ତିର ଘାତଚନ୍ଦ୍ର ନାହିଁ

– ଘାତ ବାର- ମେଷ ରାଶିର

ଯୋଗିନୀ ପୂର୍ବ ଦିଗରେ ରହିବେ

ତେଣୁ ପୂର୍ବ ଦିଗକୁ ଯାତ୍ରା ନିଷେଧ

– ଶୁଭ ସମୟ –

ସକାଳ ୭ଟା ୪୨ ରୁ ସକାଳ ୯ଟା ୧୫ ମିନିଟ୍

ଦିନ ୧୧ଟା ୩୫ ରୁ ଦିନ ୧ଟା ୪୨

– ଅଶୁଭ ସମୟ –

ଦିନ ୪ଟା ୩୦ ମିନିଟ୍ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ

ଆଜି କଳମୀ ଶାଗ ଖାଇବା ମନା

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ନୂଆ କାମ ପାଇଁ କିଛି ଯୋଜନା କରିବେ, ପରିବାର ସହ ସମୟ କଟିବ

ଦ୍ୱିଜା ନକ୍ଷତ୍ର – ଛୋଟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ଝଗଡା ହୋଇପାରେ

କୃତ୍ତିକା ନକ୍ଷତ୍ର – କ୍ୟାରିୟର ପ୍ରଫେସନକୁ ନେଇ ଖୁସି ଖବର ପାଇବେ, ପ୍ରତୀକ୍ଷାର ଅନ୍ତ ହେବ

କଳା,ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ, ରୋଜଗାରର ନୂଆ ମାଧ୍ୟମ ପାଇଯିବେ

ରୋହିଣି ନକ୍ଷତ୍ର – ସଫଳତା ପାଇଁ ଅଧିକ ପ୍ରୟାସ କରିଚାଲନ୍ତୁ

ମୃଗଶିରା ନକ୍ଷତ୍ର – ପୂରା ଦିନ ଆପଣଙ୍କ ସପକ୍ଷରେ ରହିବେ, ଆକସ୍ମିକ ଭାବରେ କିଛି ଲାଭର ଯୋଗ ରହିଛି

ଧଳାବସ୍ତ୍ର ପରିଧାନ କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ, ସନ୍ତାନଙ୍କର ସଫଳତାକୁ ନେଇ ଖୁସି ରହିବେ

ଆର୍ଦ୍ରା ନକ୍ଷତ୍ର – କର୍ମ ଅନୁସାରେ ସଫଳତା ପାଇବେ, ବନ୍ଧୁଙ୍କର ପରାମର୍ଶ ଯୋଗୁ ଆଗକୁ ବଢିବେ

ପୂନର୍ବସୁ ନକ୍ଷତ୍ର -ପ୍ରୟାସରେ ଥିବା କାମ ସହଜରେ ହୋଇଯିବ

ମା’ତାରିଣୀଙ୍କୁ ନଡ଼ିଆ ଅର୍ପଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – କିଛି ଶୁଭ ଖବର ପାଇବେ, ପରିବାର ସହ ହସଖୁସିରେ ସମୟ କଟିବ

ପୁଷ୍ୟା ନକ୍ଷତ୍ର – ସତର୍କ ରହିବେ, ସବୁ ଯୋଜନାକୁ ଗୋପନୀୟ ରଖନ୍ତୁ

ଅଶ୍ଲେଷା ନକ୍ଷତ୍ର – ପୂର୍ବରୁ ଥିବା ସବୁ ସମସ୍ୟାର ସମାଧାନ ହୋଇଯିବ

ଅସହାୟ ମହିଳାଙ୍କୁ କିଛି ଖାଦ୍ୟ ଦିଅନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ସମାଜରେ ପ୍ରତିଷ୍ଠା ମାନ ସମ୍ମାନ ବଢିବ

ପୂର୍ବାଫାଲଗୁନି ନକ୍ଷତ୍ର – ସତର୍କ ହୋଇ ଚଳନ୍ତୁ, ବିପଦ ରହିଛି

ଉତ୍ତରାଫାଲଗୁନୀ ନକ୍ଷତ୍ର – ପାରିବାରିକ ସ୍ଥିତି ଅତି ଉତ୍ତମ ରହିବ, ସଫଳତା ପାଇଁ ଚେଷ୍ଟା କରନ୍ତୁ

ଗାୟତ୍ରୀ ମନ୍ତ୍ର ୨୭ ଥର ଜପ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଦିନଟି ଅତି ମଙ୍ଗଳମୟ ରହିବ, ଆର୍ଥିକ ଲାଭ ଇଛା ପୂରଣ ହେବ

ହସ୍ତା ନକ୍ଷତ୍ର – ସତର୍କ ହୋଇ ଚଳନ୍ତୁ, ନିଜର ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ

ଚିତ୍ରା ନକ୍ଷତ୍ର – ଅନେକ ଦିନର ଆଶା ସଫଳ ହେବ, ଗୁରୁଜନଙ୍କର ଆଶିର୍ବାଦ ମିଳିବ

ମଥାରେ କେଶର ଟିକେ ଲଗାନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ପରିଚିତ ଲୋକଙ୍କ ସହ ସାକ୍ଷାତ ହେବ, ଭାବୁଥିବା କାମ ସହଜରେ ହୋଇଯିବ

ସ୍ୱାତୀ ନକ୍ଷତ୍ର – ଦିନଟି ବିପଦ ରହିଛି, ଶରୀର ପ୍ରତି ଯତ୍ନଶୀଳ ହୁଅନ୍ତୁ

ବିଶାଖା ନକ୍ଷତ୍ର – ମାର୍କେଟିଙ୍ଗ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଶୁଭ ଖବର ରହିଛି

ଭଉଣୀଙ୍କୁ କିଛି ଉପହାର ଦିଅନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ନୂଆ କାମ ପାଇଁ ପଦକ୍ଷେପ ନିଅନ୍ତୁ, ଦିନଟି ଭଲ ରହିଛି

ଅନୁରାଧା ନକ୍ଷତ୍ର – କର୍ମକ୍ଷେତ୍ରରେ ଆଶାଜନକ ସଫଳତା ପାଇବେ ନାହିଁ

ଜ୍ୟେଷ୍ଠା ନକ୍ଷତ୍ର – ନିଜର କାମ ଓ ବ୍ୟବହାରକୁ ନେଇ ପ୍ରଶଂସା ପାଇବେ

ପିତାଙ୍କୁ ପ୍ରଣାମ କରି ତାଙ୍କୁ ମିଠା ଖାଇବାକୁ ଦିଅନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – ମିଡିଆ ସଂଗୀତ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଦିନଟି ଭଲ ରହିବ

ପୂର୍ବାଷାଢା ନକ୍ଷତ୍ର – ଦିନଟି ଅଶୁଭ ରହିଛି,କିଛି ଜିନିଷ ହଜିଯାଇପାରେ

ଉତ୍ତରାଷାଢା ନକ୍ଷତ୍ର – ପରିବାର ସହିତ ସମୟ ଦିଅନ୍ତୁ, ହସ,ଖୁସିରେ ଦିନଟିକୁ ଉପଭୋଗ କରନ୍ତୁ

ଗୋ-ମାତାଙ୍କୁ ଗୁଡ,ରୁଟି ଖାଇବାକୁ ଦିଅନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ବ୍ୟବସାୟ,କର୍ମକ୍ଷେତ୍ରରେ ଆଶାଜନକ ସଫଳତା ମିଳିବ

ଶ୍ରବଣା ନକ୍ଷତ୍ର – ଶରୀର ପ୍ରତି ବିଶେଷ ଧ୍ୟାନ ଦେଇ ଚଳିବାକୁ ପଡିବ

ଧନିଷ୍ଠା ନକ୍ଷତ୍ର – ପ୍ରେମ ସଂପର୍କ ଦୃଷ୍ଟିରୁ ଦିନଟି ଭଲ ରହିବ

ଜୀବନସାଥୀକୁ କିଛି ଉପହାର ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ନିଜର ପରିଶ୍ରମ ସାର୍ଥକ ହେବ, ଦିନଟି ଭଲରେ କଟିବ

ଶତଭିଷା ନକ୍ଷତ୍ର – ସତର୍କ ହୋଇ ଚଳନ୍ତୁ, ଅଜଣା ଲୋକଠାରୁ ଦୁରେଇ ରୁହନ୍ତୁ

ପୂର୍ବଭାଦ୍ର ନକ୍ଷତ୍ର – କର୍ମକ୍ଷେତ୍ରକୁ ନେଇ ଶୁଭ ଖବର ପାଇବେ

ବ୍ରାହ୍ମଣଙ୍କୁ କିଛି ଦାନ ଦିଅନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ସାମାଜିକ କାର୍ଯ୍ୟରେ ସମୟ କଟିବ

ଉତ୍ତରଭାଦ୍ର ନକ୍ଷତ୍ର – ଦିନଟି ଭଲ ରହିବ ନାହିଁ, ଅନ୍ୟମନସ୍କ ହୋଇ କିଛି କରନ୍ତୁ ନାହିଁ

ରେବତୀ ନକ୍ଷତ୍ର – ଜୀବନରେ କିଛି ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଅନ୍ତୁ ନାହିଁ

ଅନାମିକା ଆଙ୍ଗୁଳିରେ ତମ୍ବା ରିଙ୍ଗ ଧାରଣ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935