spot_img
Home Blog Page 6312

ଆଜିଠୁ ପୁଣି ଭିଜିବ ସାରା ଓଡ଼ିଶା…

ଭୁବନେଶ୍ୱର: ଆଜିଠୁ ପୁଣି ଭିଜିବ ଓଡ଼ିଶା  । ଓ୍ୱେଲ୍‌ ମାର୍କଡ ଲୋ’ ପ୍ରେସର୍‌ରେ ପରିଣତ ହେଲା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ  । ଏହାର ପ୍ରଭାବରେ ଆଜିଠାରୁ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି  । ଏଥିପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଗଜପତି, ଗଞ୍ଜାମ, ରାୟଗଡ଼ା ଓ ପୁରୀକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

ମାଲକାନଗିରି, କୋରାପୁଟ, କନ୍ଧମାଳ, ଜଗତସିଂହପୁର, ଖୋର୍ଦ୍ଧା ଓ ନୟାଗଡ଼କୁ ଜାରି କରାଯାଇଛି ୟେଲୋ ଆଲର୍ଟ । ଆସନ୍ତାକାଲି ପାଇଁ ୬ଜିଲ୍ଲାକୁ ଅରେଞ୍ଜ ଓ ୮ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି  । ଲଘୁଚାପ ପ୍ରଭାବରେ ଘଣ୍ଟାପ୍ରତି ୪୫-୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି  । ତେଣୁ ଆସନ୍ତା ୧୩ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

ରାଜ୍ୟରେ ଆଜି ସୁସ୍ଥ ହେଲେ ୩୮୮୫, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୩୮୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ସୁସ୍ଥଙ୍କୁ ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇଛି । ଏହି ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୨ ଲକ୍ଷ ୨୨ ହଜାର ୪୩୭ ଜଣ ସୁସ୍ଥ ହୋଇସାରିଛନ୍ତି ।

୩୮୮୫ ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୧୪୩, କଟକରୁ ୩୨୫, ପୁରୀରୁ ୧୯୩, ବାଲେଶ୍ୱରରୁ ୧୩୩, ମୟୂରଭଞ୍ଜରୁ ୧୨୯, ସମ୍ବଲପୁରରୁ ୭୨, କେନ୍ଦୁଝରରୁ ୧୨୪, ବରଗଡରୁ ୮୧, ଯାଜପୁରରୁ ୧୨୬, କେନ୍ଦ୍ରାପଡ଼ାରୁ ୧୨୨, ଭଦ୍ରକରୁ ୬୪ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ଜଗତ୍‌ସିଂହପୁରରୁ ୭୨, ଝାରସୁଗୁଡ଼ାରୁ ୧୫୯, ଅନୁଗୁଳରୁ ୧୯, ନୁଆପଡାରୁ ୮୦, ନୟାଗଡ଼ରୁ ୫୨, କଳାହାଣ୍ଡିରୁ ୧୧୨, କନ୍ଧମାଳରୁ ୫୯, ବଲାଙ୍ଗିରରୁ ୧୦୩, ଢ଼େଙ୍କାନାଳରୁ ୭୯, ସୁନ୍ଦରଗଡରୁ ୧୨୧, କୋରାପୁଟରୁ ୪୮, ନବରଙ୍ଗପୁରରୁ ୫୬, ଗଞ୍ଜାମରୁ ୪୨, ସୋନପୁରରୁ ୫୦, ମାଲକାନଗିରିରୁ ୨୬, ବୌଦ୍ଧରୁ ୨୬, ଗଜପତିରୁ ୧୫,  ଦେଓଗଡ଼ରୁ ୧୬, ରାୟଗଡ଼ାରୁ ୭୦ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଷ୍ଟେଟ୍‌ ପୁଲ୍‌ରୁ ୧୬୮ ଜଣ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି ।

୨୪ ଘଣ୍ଟାରେ ୭୦ ମିଲିୟନ ଭ୍ୟୁ: କିନ୍ତୁ ଏହି କାରଣରୁ ସୋସିଆଲ ମିଡିଆରେ ହେଉଛି ଟ୍ରୋଲ

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ଲକ୍ଷ୍ମୀ ବମ୍ ର ଟ୍ରେଲର ଆସିସାରିଛି ଏବଂ ଚାରିଆଡ଼େ ଏବେ ଏହାକୁ ନେଇ ଚର୍ଚ୍ଚା । ଏହି ହରର କମେଡି ଫିଲ୍ମରେ ଅକ୍ଷୟ ଏଭଳି ଏକ ଚରିତ୍ର ଅଭିନୟ କରୁଛନ୍ତି, ଯାହା ଦେହରେ ଏକ ମହିଳାଙ୍କ ଆତ୍ମା ପଶିଯାଇଛି । ଏହି ମହିଳା ଜଣଙ୍କ ନିଜ ପ୍ରତିଶୋଧ ନେବାକୁ ଆସିଛନ୍ତି । ଅକ୍ଷୟ ପ୍ରଥମ ଥର ପାଇଁ ଏକ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସୁଛନ୍ତି । ପ୍ରଥମ ଥର ଏଭଳି ଏକ ଭିନ୍ନ ଚରିତ୍ର ଅଭିନୟ କରୁଥିବାରୁ ଅକ୍ଷୟଙ୍କୁ ବିଭିନ୍ନ ମହଲରୁ ପ୍ରଂଶସା ମଧ୍ୟ କରାଯାଉଛି ।

ଫ୍ୟାନ୍ସ ମାନଙ୍କ ପାଇଁ ଏହା ଖୁସି ଖବର ଯେ, ୟୁଟ୍ୟୁବରେ ଫିଲ୍ମର ଟ୍ରେଲରକୁ ୨୪ ଘଣ୍ଟାରେ ୭୦ ମିଲିୟନ ଭ୍ୟୁ ମିଳିସାରିଛି । ଏହା ସହିତ ଏହା ଭାରତରେ ଏଯାବତ ସବୁଠାରୁ ଅଧିକ ଦେଖାଯାଇଥିବା ଟ୍ରେଲର ଅଟେ । ଅବଶ୍ୟ ଲକ୍ଷ୍ମୀ ବମର ଟ୍ରେଲରକୁ ନେଇ ସୋସିଆଲ ମିଡିଆରେ ଗୋଟେ ପଟେ ଫ୍ୟାନସ ପ୍ରଂଶସା କରୁଥିବା ବେଳେ ଅନ୍ୟପଟେ କିଛି ୟୁଜର୍ସ ଫିଲ୍ମକୁ ବୟକଟ କରିବା ପାଇଁ ଆହ୍ୱାନ ଦେଉଛନ୍ତି ।

ଲକ୍ଷ୍ମୀ ବମକୁ ବୟକଟ କରିବା ପାଇଁ ଜୋର ଧରୁଛି ଦାବି

ୟୁଜର୍ସଙ୍କ ଏହି ଦାବି ପଛରେ କାରଣ ହେଉଛି ବଲିଉଡ ଡ୍ରଗ୍ସ କନେକସନ ଉପରେ ଅକ୍ଷୟ କୁମାରଙ୍କ ଭିଡିଓ । ଲକ୍ଷ୍ମୀ ବମ୍ ର ଟ୍ରେଲର ଆସିବା କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ସୁଶାନ୍ତ ସିଂହ ରାଜପୁତ ମାମଲାରେ ବଲିଉଡରେ ଡ୍ରଗ୍ସ ଲିଙ୍କକୁ ନେଇ ମତ ଦେଇଥିଲେ । ଅକ୍ଷୟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଥିଲେ ଯେ, କିଛି ଲୋକଙ୍କ ପାଇଁ ପୁରା ଇଣ୍ଡଷ୍ଟ୍ରି ଉପରେ କାଦୁଅ ଭିଙ୍ଗିବା ଉଚିତ ନୁହେଁ ।

https://twitter.com/_Its__Sakshi/status/1314628087997362178

ଏବେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ମତରେ ଏହା ସବୁ ଲୋକ ଦେଖାଣିଆ ଏବଂ ଅକ୍ଷୟ ନିଜ ଫିଲ୍ମର ଟ୍ରେଲରକୁ ବଞ୍ଚାଇବା ପାଇଁ ଏପରି କରିଛନ୍ତି । ଏହା ବ୍ୟତୀତ କିଛି ୟୁଜର୍ସ ଟ୍ରେଲରରେ ହାଇଡ କରାଯାଇଥିବା ଲାଇକ ଡିସଲାଇକ ବଟନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଟ୍ୱିଟରରେ #BoycottBollywood #BoycuttLaxmiBomb ଖୁବ ଟ୍ରେଣ୍ଡ କରୁଛି ।

https://twitter.com/sumit_real07/status/1314476001510875138

ଜଣାଇ ରଖୁଛୁ ଯେ, ଫିଲ୍ମ ଲକ୍ଷ୍ମୀ ବମରେ ଅଭିନେତା ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ କିଆରା ଅଡଭାନୀ ମଧ୍ୟ ନଜର ଆସୁଛନ୍ତି । ଏହାର ନିର୍ଦ୍ଦେଶନା ରାଘବ ଲରେନ୍ସ କରିଛନ୍ତି । ଏହି ଫିଲ୍ମଟି ସାଉଥ ଫିଲ୍ମ ମୁନି ୨: କଞ୍ଚନାର ରିମେକ ଅଟେ । ଏହି ଫିଲ୍ମ ନଭେମ୍ବର ଡିଜନୀ ପ୍ଲସ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି ।

ନବମ ଶ୍ରେଣୀ ଛାତ୍ରୀଙ୍କ ଗୀତ ଶୁଣି ମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ, ଭିନ୍ନ ଢ଼ଙ୍ଗରେ ଜଣାଇଲେ ଅଭିନନ୍ଦନ

କୋଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳର ଜଣେ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଯାହାର ସୁମଧୁର ସ୍ୱରରେ ଏକ ହିମାଚଳି ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଛାତ୍ରୀଙ୍କ ନାମ ଦେବିକା । ଛାତ୍ରୀ ଜଣକ କହିଛନ୍ତି, ତାଙ୍କ ଶିକ୍ଷକଙ୍କ ପ୍ରେରଣା ଓ ତାଲିମ ଯୋଗୁଁ ସେ ଏଭଳି ଗୀତ ଗାଇପାରିଛନ୍ତି ।

ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଏକ ନ୍ୟୁଜ୍ ଭିଡିଓ ସେୟାର କରି ତାଙ୍କର ମଧୁର ସ୍ୱରକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମାଲାୟାଲମରେ ଟୁଇଟ୍ କରି ମନୋରାମା ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ଏହି ଖବର ସେୟାର କରି କହିଛନ୍ତି, ମୁଁ ଦେବିକାଙ୍କ ପାଇଁ ଗର୍ବିତ । ତାଙ୍କର ସୁମଧୁର ଗୀତ ‘ଏକ ଭରତ, ଶ୍ରେଷ୍ଠ ଭାରତ !’ ର ଆଭିମୁଖ୍ୟକୁ ଦୃଢ଼ କରିଛି ।

ତେବେ ଛାତ୍ରୀ ଜଣକ ଏନେଇ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସେ କେବେ ବି ଭାବିନଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗୀତକୁ ପ୍ରଶଂସା କରିବେ । ଏଥିପାଇଁ ସେ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏକ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ଦେବିକା କହିଛନ୍ତି ଯେ, ‘ମୁଁ ଯେତେବେଳେ ଏହି ଗୀତ ଗାଇଥିଲି ସେତେବେଳେ ଭାବିନଥିଲି ମୋ ଗୀତ ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ ଆସିବ ।’

ମନୋରାମା ନ୍ୟୁଜ୍ ଚ୍ୟାନେଲ ଦ୍ୱାରା ପ୍ରକାଶିତ ଖବରରେ ଦେବିକା କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୪୦ ଲକ୍ଷରୁ ଅଧିକ ଲୋକ ତାଙ୍କ ଭିଡିଓ ଦେଖିଛନ୍ତି । ତେବେ ଏହାର ଗୋଟିଏ ଦିନ ପୂର୍ବରୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଥିରୁବନନ୍ତପୁରମ ଦେବିକାଙ୍କ ଆଉ ଏକ ଭିଡିଓ ନିଜ ଫେସବୁକ୍‌ ପେଜରେ ସେୟାର କରିଛନ୍ତି । ଯେଉଁଥିରେ ସେ ‘ଚାମ୍ବା କିତ୍‌ନୀ… ଦୂର’ ଗୀତ ଗାଉଥିବାର ନଜର ଆସିଛନ୍ତି । ଠାକୁର ଏହି ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, ଦେବିକା ସମଗ୍ର ରାଜ୍ୟର ହୃଦୟ ଜିତିଛନ୍ତି ।

https://www.facebook.com/jairamthakurbjp/videos/358121258642720/

ଠାକୁର ମଧ୍ୟ ଦେବିକାଙ୍କୁ ହିମାଚଳ ପ୍ରଦେଶ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଥିଲେ । ତିରୁବନନ୍ତପୁରମର ପୋଟମସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଦେବିକା ‘ଏକ ଭରତ, ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅବସରରରେ ଏହି ହିମାଚଳି ଗୀତ ଗାଇଥିଲେ । କେରଳର ସଂସ୍କୃତି ମନ୍ତ୍ରୀ ଏ.କେ ବାଲାନ ମଧ୍ୟ ଦେବିକାଙ୍କୁ ଟେଲିଫୋନ୍ କରି ଅଭିନନ୍ଦନ ଜଣାଇଛନ୍ତି ।

ବିନା ଔଷଧରେ କରନ୍ତୁ କିଡନୀ ସଫା, ଷ୍ଟୋନ ଏବଂ ଇମ୍ୟୁନିଟି ପାଇଁ ମଧ୍ୟ ଲାଭଦାୟକ ଏହି ୩ଟି ଦ୍ରବ୍ୟ

କିଡନୀ ଆମ ଶରୀରକୁ ଡିଟକ୍ସିଫାଇ କରିବାର କାମ କରିଥାଏ । ଏହା ବର୍ଜ୍ୟବସ୍ତୁ, ବିଷାକ୍ତ ଏବଂ ଅତିରିକ୍ତ ତରଳ ପଦାର୍ଥକୁ ୟୁରିନ ମାଧ୍ୟମରେ ଶରୀରରୁ ବାହାର କରିଥାଏ । ଶରୀରରେ ରକ୍ତ ପରିଷ୍କାର କରୁଥିବା କିଡନୀକୁ ଯଦି ପରିଷ୍କାର ରଖାନଯାଏ ତେବେ ୟୁରିନାରୀ ଡିଜଅର୍ଡର, ପେଟ କାଟିବା, ଜର ଏବଂ ବାନ୍ତି ଭଳି ଗମ୍ଭୀର ସମସ୍ୟା ଦେଖାଦେଇଥାଏ ।

କେବଳ ସେତିକି ନୁହେଁ କିଡନୀରେ ଜମିରହିଥିବା ବିଷାକ୍ତ ପଦାର୍ଥ ରକ୍ତ ପରିଷ୍କାର କରିବାରେ ବାଧା ସୃଷ୍ଟି କରିବା ସହ ମନୁଷ୍ୟର ମୃତ୍ୟୁର କାରଣ ମଧ୍ୟ ହୋଇଥାଏ । ଯଦି ଆପଣ ନିଜ ଖାଦ୍ୟପେୟ ସହିତ ଡାଏଟ ପ୍ଲାନରେ ଏହି ୩ଟି ଜିନିଷ ସାମିଲ କରିବେ ତେବେ ଅତି ସହଜରେ କିଡନୀ ପରିଷ୍କାର ହୋଇପାରିବ । ଏହି ଦ୍ରବ୍ୟ ଗୁଡ଼ିକୁ ଆପଣ ରନ୍ଧା ଖାଦ୍ୟ ସହ ପାନୀୟ ଭାବରେ ମଧ୍ୟ ବ୍ୟବହାର କରିପାରିବେ ।

ସାଧାରଣତଃ ରୋଷେଇ ଘରେ ଧରିଆ ପତ୍ରର ବ୍ୟବହାର ଖାଇବାର ସ୍ୱାଦ ବଢ଼ାଇବାରେ ବ୍ୟବହାର କରାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଧନିଆରେ ଥିବା ଡିଟକ୍ସିଫିକେସନ ଗୁଣ ଶରୀରେ ଥିବା ବିଷାକ୍ତ ବର୍ଜ୍ୟବସ୍ତୁକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଆପଣ ଡିନର ଡାଏଟରେ ହେଉ କିମ୍ବା ଜୁସ କରି ଏହାକୁ ପିଇପାରିବେ ।

ଡାଲି ଆଦି ରୋଷେଇରେ ଝୁଙ୍କ ଦେବାପାଇଁ ବ୍ୟବହାର କରାଯାଉଥିବା ଜିରା ମଧ୍ୟ କିଡୀନକୁ ସଫା ରଖିବାରେ ଖୁବ ସାହାଯ୍ୟ କରିଥାଏ । ଲେମ୍ବୁ, ଜିରା ଏବଂ ଧନିଆର ମିଶ୍ରଣରେ ଏକ ଡିଟକ୍ସିଫାଇ ଡ୍ରିଙ୍କ ପ୍ରସ୍ତୁତ କରି ଏହାକୁ ସେବନ କରନ୍ତୁ  । ଏହା ଦୃତ ଗତିରେ କିଡନୀରୁ ସଫା କରିବାରେ ସାହାଯ୍ୟ କରିଥାଏ ।

ଏକ ଲିଟର ପାଣିକୁ ଅଳ୍ପ ଉଷୁମ କରି ଏଥିରେ ଧନିଆ ପତ୍ର ପକାଇ ଫୁଟାନ୍ତୁ । ଫୁଟୁଥିବା ପାଣିରେ ଲେମ୍ବୁକୁ ଛୋଟ ଛୋଟ କାଟି ପକାଇବା ସହ କିଛି ଜିରା ମଧ୍ୟ ପକାନ୍ତୁ । ତିନୋଟି ଦ୍ରବ୍ୟକୁ ଭଲ ଭାବରେ ପାଞ୍ଚ ମିନିଟ ଯାଏ ଫୁଟାନ୍ତୁ ଏବଂ ଏହାକୁ ଛାଣି ପିଅନ୍ତୁ । ଏହି ଡ୍ରିଙ୍କକୁ ପ୍ରତିଦିନ ପିଇବା ଦ୍ୱାରା କିଡନୀ ସଫା ରୁହେ ଏବଂ ପେଟ ଜନିତ ଅନ୍ୟ ରୋଗ ମଧ୍ୟ ଦୂର ହୋଇଥାଏ ।

ଆପଣ ପ୍ରାୟତଃ ଲୋକଙ୍କୁ ମକାର ଦାନା ଖାଉଥିବା ଦେଖିଥିବେ, କିନ୍ତୁ ଆପଣ ଜାଣିଛନ୍ତି କି ଦାନା ଉପରେ ଥିବା ଗୋଲ୍ଡେନ ରଙ୍ଗର କେଶ ଆପଣଙ୍କ କିଡନୀ ଡିଟକ୍ସିଫାଇ କରିଥାଏ । ଏହା କିଡନୀ ଏବଂ ବ୍ଲାଡରକୁ ଡିଟକ୍ସିଫାଇ କରିବା ସହ ବ୍ଲଡ ସୁଗାରକୁ ରେଗ୍ୟୁଲେଟ କରିବା ଏବଂ ଇମ୍ୟୁନିଟିକୁ ବୁଷ୍ଟ କରିବାରେ ସାହାଯ୍ୟ କରିଥାଏ ।

ମକାରେ ଥିବା କେଶର ଡ୍ରିଙ୍କ ପ୍ରସ୍ତୁତ କରିବା ପାଇଁ ଦୁଇ ଗ୍ଲାସ ପାଣିକୁ ଭଲ ଭାବରେ ଫୁଟାନ୍ତୁ । ଏହାପରେ ପାଣିରେ ଏକ ଗୀନା ମକା କେଶ ପକାଇ ଧିମା ଆଞ୍ଚରେ ଫୁଟାନ୍ତୁ । ଏଥିରେ ଗୋଟିଏ ଲେମ୍ବୁ ଚିପୁଡ଼ି ସେପର୍ଯ୍ୟନ୍ତ ଫୁଟାନ୍ତୁ ଯେପର୍ଯ୍ୟନ୍ତ ଏହା ଏକ ଗ୍ଲାସ ହୋଇନଯାଏ । ଏହି ଡ୍ରିଙ୍କକୁ ପ୍ରତିଦିନ ସକାଳ ସନ୍ଧ୍ୟାରେ ପିଇଲେ ଅତି ଶୀଘ୍ର ଏହାର ପ୍ରଭାବ ଆପଣଙ୍କ ଶରୀରେ ଦେଖିବାକୁ ମିଳିବ । ଯେଉଁ ଲୋକମାନଙ୍କୁ ଷ୍ଟୋନର ସମସ୍ୟା ରହିଛି ସେମାନେ ବି ଏହି ଡ୍ରିଙ୍କକୁ ପିଇଲେ ଲାଭବାନ ହେବେ ।

ବିଜେପି ସରକାର ନିଆଁ ସହ ଖେଳୁଛି ! ତାଇଓ୍ୱାନ୍‌କୁ ନେଇ ପ୍ରଶ୍ନ ଦୁଇ ଦେଶ ମଧ୍ୟରେ ଅଧିକ ତିକ୍ତତା ବଢ଼ାଉଛି

ନୂଆଦିଲ୍ଲୀ: ତାଇୱାନ୍‌ ଜାତୀୟ ଦିବସରେ, ନୂଆଦିଲ୍ଲୀସ୍ଥିତ ଚୀନ୍ ଦୂତାବାସ ବାହାରେ ଦିଲ୍ଲୀ ବିଜେପି ନେତା ତାଜିନ୍ଦର ବଗା ଲଗାଇଥିଲେ ପୋଷ୍ଟର । ଏହାକୁ ନେଇ କ୍ରୋଧ ପ୍ରକାଶ କରିଛି ଚୀନ୍‌ର ସରକାରୀ ପତ୍ରିକା ଗ୍ଲୋବାଲ୍‌ ଟାଇମ୍‌ସ । ଗ୍ଲୋବାଲ ଟାଇମ୍‌ସ କହିଛି ଯେ, ଏହାଦ୍ୱାରା ଭାରତ-ଚୀନ୍ ସମ୍ପର୍କ ଅଧିକ ଖରାପ ହେବ । ଭାରତରେ ଥିବା ବିଜେପି ସରକାର ମୁର୍ଖଙ୍କ ଭଳି ବ୍ୟବହାର କରୁଛି । ସେ ନିଆଁ ସହ ଖେଳୁଛନ୍ତି ବୋଲି ଯଥାଶୀଘ୍ର ବୁଝିଯିବା ଆବଶ୍ୟକ ।

ଚାଇନାର ବିଶେଷଜ୍ଞ ଲିୟୁ କାୟୁଙ୍କ ପକ୍ଷରୁ ଗ୍ଲୋବାଲ ଟାଇମ୍‌ସ କହିଛି ଯେ, ବିଜେପି ନେତା ଏଭଳି ଏକ ସମୟରେ ଏହି ପଦକ୍ଷେପ ନେଇଛନ୍ତି, ଯେଉଁ ସମୟରେ ଭାରତୀୟ ଗଣମାଧ୍ୟମ ତାଇୱାନର ଜାତୀୟ ଦିବସକୁ ସମର୍ଥନ କରିଛି । ଏହାସହ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ, ଭାରତୀୟ ଗଣମାଧ୍ୟମର ଚୀନ୍‌ ନୀତିକୁ ସମ୍ମାନ ନକରି ନିଜର ମତାମତ ପ୍ରକାଶ କରିବା ଅଧିକାରକୁ ସମର୍ଥନ ଜଣାଇଛନ୍ତି ।

Chinese Embassy In india

ଚାଇନାର ବିଶେଷଜ୍ଞ କହିଛନ୍ତି ଯେ, ଭାରତ ପକ୍ଷରୁ ତାଇୱାନକୁ ନେଇ କରାଯାଇଥିବା ଉତ୍ତେଜନାପୂର୍ଣ୍ଣ ପ୍ରଶ୍ନ, ଭାରତ-ଚୀନ୍ ସମ୍ପର୍କକୁ ଆହୁରି ତିକ୍ତତା ଆଡ଼କୁ ନେଉଛି । ଯାହା ଆଗକୁ ସମାଧାନ ନହେବାର ସମ୍ଭାବନା ବେଶି । ସାଂଘାଇ ପ୍ରତିଷ୍ଠାନର ଅନ୍ତର୍ଜାତୀୟ ବ୍ୟାପାର ବିଶେଷଜ୍ଞ ଜାଓ ଗାନଚେଙ୍ଗ୍‌ କହିଛନ୍ତି ଯେ, ଚୀନ୍‌ର ଏକ ଚୀନ୍ ନୀତିକୁ ଚ୍ୟାଲେଞ୍ଜ କରି ଭାରତ ନିଆଁ ସହ ଖେଳୁଛି । ସେ ଦାବି କରିଛନ୍ତି ଯେ ଭାରତ ତାଇୱାନକୁ ନେଇ ଯେଉଁଭଳି ପ୍ରଶ୍ନ କରୁଛି, ଏହାଦ୍ୱାରା ତଳ ସ୍ତରରେ ଲୋକଙ୍କ ମନରେ ଚୀନ୍ ବିରୋଧୀ ଭାବନା ଉତ୍ତେଜିତ ହେବାର ଆଶଙ୍କା ରହିଛି । ଭାରତ ପକ୍ଷରୁ ଏଭଳି ଆଚରଣ, ଚୀନ୍‌କୁ ଏକ ପଡୋଶୀ ଦେଶ ଭଳି ବ୍ୟବହାର ନକରିବାକୁ ବାଧ୍ୟ କରୁଛି ।

Chinese Embassy In india

ତାଇଓ୍ୱାନ୍‌କୁ ନେଇ ପ୍ରଶ୍ନ, ତିକ୍ତତାକୁ ଅଧିକ ବଢ଼ାଉଛି

ଝାଓ କହିଛନ୍ତି ଯେ, ଭାରତ-ଚୀନ୍‌ ମଧ୍ୟରେ ଯେତେବେଳେ ଅର୍ଥନୈତିକ ତଥା ପାରସ୍ପରିକ ଆଦାନ-ପ୍ରଦାନ ବନ୍ଦ ହୋଇଯିବ ସେତେବେଳେ ଭାରତ ଚିନ୍ତା କରିବ । ଭାରତ ସରକାର ଖୋଲାଖୋଲି ଭାବରେ ଚୀନ୍ ନୀତି ଅନୁସରଣ କରୁଛନ୍ତି କିନ୍ତୁ ସାମ୍ବାଦିକ ସ୍ୱାଧୀନତା ଆଳରେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି । ଚାଇନାର ଜଣେ ରିସର୍ଚ୍ଚ ଫେଲୋ ହୁ ଜିଓଙ୍ଗ କହିଛନ୍ତି ଯେ, ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ଲାଗିରହିଥିବା ବେଳେ ଅନୈତିକ ଭାବେ ବିଜେପି ତାଇୱାନ ପ୍ରଶ୍ନକୁ ନେଇ ପରିସ୍ଥିତିକୁ ଆହୁରି ବିଗାଡ଼ୁଛି । ସେ ଆହୁରି କହିଛନ୍ତି ଯେ, ବିଜେପି ସରକାର ଲକ୍ଷ୍ମଣରେଖା ପାର କରି, ତାଇଓ୍ୱାନ୍‌ କାର୍ଡ ଖେଳିବା ଦ୍ୱାରା ଚୀନ୍‌ ସହ ମୁଲଚାଲ ସମୟରେ ସହଯୋଗ ହେବ ବୋଲି ଭାବୁଛି ।

ଏଭଳି ଆଚରଣ ଭାରତ ପାଇଁ ଆଦୌ ଲଭାଦାୟକ ନୁହେଁ ବରଂ ଦ୍ୱିପାକ୍ଷିକ ତିକ୍ତତାକୁ ଆହୁରି ଅଧିକ କରୁଛି । ଏପରିକି ଏହା ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀକୁ କ୍ଷତି ପହଞ୍ଚାଇବ । ଗ୍ଲୋବାଲ ଟାଇମ୍ସ କହିଛି ଯେ, ମସ୍କୋରେ ହୋଇଥିବା ୫ଟି ଚୁକ୍ତି ଉପରେ ଭାରତ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ । ଭାରତ ନିଜର ସାମରିକ ଶକ୍ତିକୁ ସୀମାରେ ବୃଦ୍ଧି କରିଛି । ଯାହାକି ଚୀନ୍‌ ସେନା ପକ୍ଷରୁ କୌଣସି ପରିସ୍ଥିତିରେ ବି ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ବାଧ୍ୟ କରିଛି ।

କଟକ ବଡ଼ ମେଡିକାଲକୁ ମଡେଲ୍ ରୋଡ୍ : ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ….

କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌କୁ ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ଲୁ-ପ୍ରିଣ୍ଟର ପ୍ରଥମ ରୂପାୟନ ହୋଇଛି  । ଉଦ୍‌ଘାଟିତ ହୋଇଛି ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ଦୁଇପଟ ବନ୍ଧର ନୂଆରାସ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହାକୁ ଲୋକାର୍ପଣ କରିଛନ୍ତି । ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ ଟ୍ରାନ୍‌ସଫର୍ମେସନ ପ୍ରୋଜେକ୍ଟର ଏକ ଅଂଶ ଭାବେ ନୂଆରାସ୍ତା ଉଦ୍‌ଘାଟିତ ହୋଇଛି  ।

ଓଡ଼ିଶାର ବିକାଶରେ ହଜାରେ ବର୍ଷର ସହର, ଭାଇଚାରାର ସହର କଟକର ଏବଂ ଓଡ଼ିଶାବାସୀଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନରେ କଟକ ଏସ୍‌ସିବି ମେଡିକାଲର ଯଥେଷ୍ଟ ଅବଦାନ ରହିଛି  । ଏସ୍‌ସିବିକୁ ଏମ୍‌ସ ପ୍ଲସ ଓ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ  । ତାଳଦଣ୍ଡା କେନାଲର ଉଭୟ ପଟ ବନ୍ଧର ନୂଆରାସ୍ତାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି  । ଏସ୍‌ସି‌ବିର ବିକାଶ ଓ କଟକ ସହରର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହ ଏଥିପାଇଁ ଉଚ୍ଛେଦ ହୋଇଥିବା ଲୋକଙ୍କ ଥଇଥାନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି  ।

ମହାନଦୀ ରିଂ-ରୋଡ୍ ନିକଟରୁ ରାଣୀହାଟ ପର୍ଯ୍ୟନ୍ତ ଏହି ୩ଲେନ୍‌ ବିଶିଷ୍ଟ ଦେଢ଼ କିଲୋମିଟର ରାସ୍ତାର ୫ଟି ସ୍ଥାନରେ ୧୨୦ କାର୍ ପାଇଁ ସୁଦୃଶ୍ୟ ପାର୍କିଂ ବ୍ୟବସ୍ଥା ରହିଛି  । ରାସ୍ତା ପ୍ରଶସ୍ତ କରାଯିବା ସହିତ ନିର୍ମାଣ ହୋଇଛି ଫୁଟପାଥ୍‌ । ଏହି ରାସ୍ତାକୁ ଏକ ମଡେଲ ରାସ୍ତା ଭାବେ ଗ୍ରହଣ କରାଯାଉଛି । ସୁନ୍ଦର ଆଲୋକରେ ସଜା ଯାଇଛି  । ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ମହାନଦୀ କୂଳରେ ୬ ଲେନ୍‌ ବିଶିଷ୍ଟ ରିଂ ରୋଡ୍‌, ମହାନଦୀ ରିଭର୍‌ ଫ୍ରଣ୍ଟର୍ ବିକାଶ ଏବଂ ଅନ୍ୟ ଆନୁଷଙ୍ଗିକ ସ୍ମାର୍ଟପ୍ଲାନ୍‌ର ବ୍ୟବସ୍ଥା କରାଯାଇଛି ।

ଚାଣକ୍ୟ ନୀତି: ଏହି ସବୁ କଥା ଉପରେ ଦିଅନ୍ତୁ ଧ୍ୟାନ, କେବେ ରହିବନି ଅର୍ଥର ଅଭାବ

ଚାଣକ୍ୟ ନୀତି: ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ଧନ ସମ୍ବନ୍ଧରେ ଅନେକ ନୀତି ଉଲ୍ଲେଖ କରିଛନ୍ତି । ଚାଣକ୍ୟଙ୍କ ମତରେ ଅର୍ଥ ଉପାର୍ଜନ କରିବା ଯେତିକି କଠିନ ତା’ଠାରୁ ଅଧିକ କଠିନ ଏହାକୁ ସଠିକ ରୂପରେ ଖର୍ଚ୍ଚ କରିବା । ଅର୍ଥକୁ ସର୍ବଦା ଭାବିଚିନ୍ତି ସଠିକ ଦିଗରେ ଖର୍ଚ୍ଚ କଲେ ଧନହାନୀର ସମ୍ଭାବନା ହ୍ରାସ ପାଇଥାଏ । ଅର୍ଥ ଉପାର୍ଜନ ସହିତ ସଞ୍ଚୟ ଉପରେ ମଧ୍ୟ ବ୍ୟକ୍ତିକୁ ବିଶେଷ ଧ୍ୟାନ ଦେବା ଉଚିତ ।

  • ଚାଣକ୍ୟଙ୍କ ମତରେ ବିପଦ ସମୟରେ ଟଙ୍କା ହିଁ ମନୁଷ୍ୟର ପରମ ମିତ୍ର ଅଟେ । ବ୍ୟକ୍ତିକୁ ଟଙ୍କା ଉପାର୍ଜନ କରିବା ସହ ତାକୁ ସଠିକ ରୂପରେ ବ୍ୟବହାର କରିବାର କୌଶଳ ମଧ୍ୟ ଜଣାଥିବା ଦରକାର । ଯେଉଁ ବ୍ୟକ୍ତି ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରିଥାଏ ତା ପାଖରେ କେବେବି ଅର୍ଥର ଅଭାବ ଦେଖାଦିଏ ନାହିଁ ।
  • ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ, ଟଙ୍କା ବ୍ୟକ୍ତିର ଆତ୍ମବିଶ୍ୱାର ବୃଦ୍ଧି କରିଥାଏ । ଧନକୁ ଆବଶ୍ୟକତା ରୂପେ ଖର୍ଚ୍ଚ କରିବା ଉଚିତ । ଏହା ସହିତ ଭବିଷ୍ୟତ ପାଇଁ ସର୍ବଦା ଟଙ୍କା ସଞ୍ଚୟ କରିବା ଉଚିତ । ଛୋଟ ଛୋଟ ବିନିଯୋଗ କରି ମଧ୍ୟ ଟଙ୍କାକୁ ସୁରକ୍ଷିତ ରଖାଯାଇପାରିବ ।
  • ମନ୍ଦିରରେ ଟଙ୍କା ଦେବାଦ୍ୱାରା ଇଶ୍ୱରୀୟ କୃପା ବର୍ଷିଥାଏ ଏବଂ ଟଙ୍କା ଦେଉଥିବା ବ୍ୟକ୍ତିର ଆର୍ଥିକ ସ୍ଥିତି ସୁଦୃଢ଼ ରହିଥାଏ । ଏହା ସହିତ ସମୟ ସମୟରେ ମନ୍ଦିରରେ ଟଙ୍କା ଦାନ କରିବା ଦ୍ୱାରା ବ୍ୟକ୍ତିର ଘରେ କେବେ ଦରିଦ୍ରତା ଦେଖାଦିଏନାହିଁ ବୋଲି ଚାଣକ୍ୟ କହିଛନ୍ତି ।
  • ଚାଣକ୍ୟଙ୍କ ମତରେ ବ୍ୟକ୍ତିକୁ ସ୍ୱାର୍ଥୀ ଏବଂ ଲୋଭୀ ସ୍ୱଭାବୀ ହେବା ଉଚିତ ନୁହେଁ । ଧନର ଦେବୀ ଲକ୍ଷ୍ମୀ ସ୍ୱାର୍ଥୀ ଏବଂ ଲୋଭୀ ଲୋକଙ୍କ ଠାରୁ ଦୂରେଇ ରୁହନ୍ତି । ସେଥିପାଇଁ ଟଙ୍କା ପଇସା ମାମଲାରେ କେବେ ଲୋଭ ବା ସ୍ୱାର୍ଥ ମନୋଭାବ ରଖିବା ଉଚିତ ନୁହେଁ ।
  • ଯେଉଁ ବ୍ୟକ୍ତି ଗରୀବ ଏବଂ ଅସହାୟ ଲୋକଙ୍କ ସହାୟତା କରେ, ଦିନକୁ ଦିନ ତାଙ୍କ ଟଙ୍କା ଦ୍ୱିଗୁଣିତ ହେବାରେ ଲାଗିଥାଏ । ଗରିବଙ୍କୁ ଆର୍ଥିକ ସହାୟତା କଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ଚାଣକ୍ୟ କହିଛନ୍ତି ।
  • ଯେଉଁ ବ୍ୟକ୍ତି ଆୟ ମୁତାବକ ଅଧିକ ଖର୍ଚ୍ଚ କରିଥାନ୍ତି, ସେମାନେ ଆର୍ଥିକ ଚିନ୍ତାକୁ ସାମ୍ନା କରିଥାନ୍ତି । ସେଥିପାଇଁ ଅର୍ଥ ଉପାର୍ଜନ ସହିତ ସଞ୍ଚୟ କରିବା ମଧ୍ୟ ନିହାତି ଆବଶ୍ୟକ ।
  • ଚାଣକ୍ୟଙ୍କ ମତରେ ସୁରକ୍ଷା, ଦାନ ଏବଂ ବାଣିଜ୍ୟରେ ଟଙ୍କା ନିବେଶ କରିବା ଦ୍ୱାରା କେବେ ଆର୍ଥାଭାବ ସ୍ଥିତି ଉପୁଜିନଥାଏ ବରଂ ଟଙ୍କା ବୃଦ୍ଧି ପାଇଥାଏ ।
  • ଚାଣକ୍ୟଙ୍କ ମତରେ ବ୍ୟକ୍ତିକୁ ସର୍ବଦା ସଚ୍ଚୋଟ ଏବଂ ପରିଶ୍ରମର ସହ ଟଙ୍କା ଉପାର୍ଜନ କରିବା ଉଚିତ । ଖରାପ କାମ କରି ଉପାର୍ଜିତ ଧନ ଏବଂ ଅଦରକାରୀ ଖର୍ଚ୍ଚ କରିବା ଦ୍ୱାରା ଟଙ୍କା ସଞ୍ଚୟ ହୋଇପାରେ ନାହିଁ ।

ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଦୁର୍ଘଟଣାର ତଦନ୍ତ, ଦାୟିତ୍ୱରେ ଅଛି ସ୍ୱତନ୍ତ୍ର ଫରେନସିକ୍ ଟିମ୍…

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପରେ ବିସ୍ପୋରଣ ଘଟଣାରେ କମିଶନ୍‌ରେଟ୍ ପୋଲିସର ତଦନ୍ତ ଜାରି ରହିଛି  । ଫରେନ୍‌ସିକ୍‌ ଟିମ୍ ଓ କ୍ୟାପିଟାଲ ଥାନା ପକ୍ଷରୁ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛନ୍ତି । ଫରେନ୍‌ସିକ୍‌ ଲ୍ୟାବ୍‌ରେ ମିଳିଥିବା ମାଂସ ଟୁକୁଡା ଓ ହାଡ଼ର ଡିଏନ୍‌ଏ ଟେଷ୍ଟ ହେବ ବୋଲି ସୂଚନା ମିଳିଛି । ନିଖୋଜ ସୀମାଞ୍ଚଳଙ୍କ ପରିବାର ଲୋକଙ୍କ ସାମ୍ପୁଲ ଅଣାଯିବ ଏବଂ ମା୍ଂସ ଟୁକୁଡ଼ାର ଡିଏନ୍‌ଏ ଟେଷ୍ଟ କରି ସାମ୍ପୁଲ ମ୍ୟାଚ କରାଯିବ ।

ଖଣ୍ଡ ବିଖଣ୍ଡିତ ମାଂସ ଓ ହାଡ଼ ମଣିଷ ନା ଜୀବଜନ୍ତୁଙ୍କର ତାହା ଜାଣିବାକୁ ପୋଷ୍ଟମର୍ଟମ୍‌ କରାଯାଇଛି । ତେବେ ଏଭଳି ଘଟଣା କେବଳ ଏକ ବଡ଼ ଦାୟିତ୍ୱହୀନତାର ପରିଣାମ । ଅବହେଳା ପାଇଁ ଦାୟୀ କିଏ ତାର ଖୋଳତାଡ କରୁଛି କମିଶନରେଟ୍ ପୋଲିସ ।  ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ଆଜି ଦୁଇ ଜଣ ଆହତ ଫେରି ଘଟଣାସ୍ଥଳରୁ ନିଜ ନିଜ ମୋଟର ସାଇକେଲ ସଂଗ୍ରହ କରିଛନ୍ତି । ଘଟଣା ଦିନ ଉଭୟେ ପେଟ୍ରୋଲ ପକାଇବାକୁ ଆସିଥିବା ବେଳେ ଏହି ଭୟାନକ ଦୁର୍ଘଟଣା ହୋଇଥିଲା ।

ଯେଉଁଥିରେ ସେମାନେ ଆହତ ହୋଇଥିଲେ । ଜଣେ ନିଜର ଶ୍ରବଣ ଶକ୍ତି ହରାଇଥିବା ବେଳେ ଅନ୍ୟଜଣଙ୍କ ଗୋଡରେ ଆଘାତ ଲାଗିଥିଲା  । ଅପରପକ୍ଷେ ପେଟ୍ରାଲ ପମ୍ପ ବନ୍ଦ ହେବା ପରେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ଚିନ୍ତା ବଢିଯାଇଛି । ପଟ୍ରୋଲ ପମ୍ପରେ କାର୍ଯ୍ୟରତ ୩୦ଜଣ କର୍ମଚାରୀଙ୍କୁ ଗତ ୪ମାସର ଦରମା ମିଳିନାହିଁ । ବର୍ତ୍ତମାନ ପରିସ୍ଥିତିରେ କେବେ ପେଟ୍ରାଲ ପମ୍ପ ଖୋଲିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ମାଲିକ ଫୋନ୍ ମଧ୍ୟ ଉଠାଉନଥିବା ଅଭିଯୋଗ ହୋଇଛି । ଏନେଇ ପେଟ୍ରୋଲ ପମ୍ପର କର୍ମଚାରୀମାନେ କ୍ୟାପିଟାଲ ଥାନାକୁ ଯାଇ ଅଭିଯୋଗ କରିଥିବା ଜଣାପଡିଛି।

‘ସମସ୍ତଙ୍କୁ ଭୋଟ ଦେବାର ଅଧିକାର ଦେବା ଅନୁଚିତ, ଏକଛତ୍ରବାଦୀ ଶାସନ ହିଁ ସମାଜରେ ଆଣିବ ପରିବର୍ତ୍ତନ’: ବିଜୟ ଦେଭରକୋଣ୍ଡା

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଚଳଚିତ୍ର ଅର୍ଜୁନ ରେଡ୍ଡୀରୁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତା ବିଜୟ ଦେଭରକୋଣ୍ଡାଙ୍କ ଏକ ବୟାନ ଏବେ ସମସ୍ତଙ୍କୁ ଚକିତ କରିଛି । ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ, ପୁରା ଦେଶକୁ ଭୋଟ ଦେବାର ଅଧିକାର ଦେବା ଉଚିତ ନୁହେଁ । କେବଳ ସେତିକି ନହେଁ ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ସେ ରାଜନୀତିକୁ ଆସିବେ ତେବେ ସେ ଏକଛତ୍ରବାଦୀ ଶାସକ ହେବାକୁ ପସନ୍ଦ କରିବେ । ଡିଜିଟାଲ ପ୍ଲାଟଫର୍ମ ଫିଲ୍ମ କମ୍ପାନିୟନରେ ବିଜୟଙ୍କୁ ପଚରାଯାଇଥିଲା ଯେ, ଯେଉଁଭଳି ଭାବରେ ଅନ୍ୟ ଚଳଚିତ୍ର ଅଭିନେତା ରାଜନୀତିରେ ପାଦ ଥାପୁଛନ୍ତି ସେହିଭଳି ସେ ରାଜନୀତିରେ ଆସିବାକୁ ଚାହୁଁଛନ୍ତି କି ? ଏହାର ଉତ୍ତରରେ ସେ ଏହି ବିବାଦିୟ ମନ୍ତବ୍ୟ ଦେଇଥିଲେ ।

ଅଭିନେତା ଜଣଙ୍କ ବର୍ତ୍ତମାନର ନିର୍ବାଚନୀ ପ୍ରଣାଳୀକୁ ବିରୋଧ କରି କହିଛନ୍ତି ଯେ, ତାଙ୍କ ପାଖରେ ରାଜନୀତି ପାଇଁ ଧୈର୍ଯ୍ୟ ନାହିଁ । ସେ କହିଛନ୍ତି ଯେ, ‘ ରାଜନୈତିକ ବ୍ୟବସ୍ଥା ଏଭଳି ଭାବରେ ରହିଛି ଯାହାକି ସହଜରେ ବୁଝା ପଡ଼େନି, ଠିକ ସେମିତି ନିର୍ବାଚନକୁ ମଧ୍ୟ ସମସ୍ତେ ବୁଝିପାରନ୍ତି ନାହିଁ । ମୋ ମତରେ ସମସ୍ତଙ୍କୁ ଭୋଟ ଦେବାର ଅଧିକାର ଦିଆଯିବା ଉଚିତ ନୁହେଁ । ଯଦି ଆପଣ ଏକ ବିମାନରେ ଯାଉଛନ୍ତି, ତେବେ କଣ ବିମାନରେ ବସିଥିବା ସମସ୍ତ ୩୦୦ ଯାତ୍ରୀ ନିଷ୍ପତ୍ତି ନେବେ କିଏ ବିମାନ ଚଲାଇବ ? ନାଁ ! ଏଥିପାଇଁ ଆମେ ଏୟାରଲାଇନ୍ସ ଭଳି କୁଶଳ ଏଜେନ୍ସିର ନିଷ୍ପତ୍ତି ଉପରେ ଭରସା କରିଥାନ୍ତି । ଯିଏ ସବୁଠୁ ସକ୍ଷମ ସାବ୍ୟସ୍ତ ହେବ କମ୍ପାନୀ ତାକୁ ହିଁ ବିମାନ ଉଡ଼ାଇବାର ଅନୁମତି ଦେବ ।’

‘ଲୋକ ଟଙ୍କା ପାଇଁ କାହିଁକି ଭୋଟ ଦିଅନ୍ତି ?’

ବିଜୟ କହିଛନ୍ତି ଯେ, ‘କାହିଁକି ଟଙ୍କା ପାଇଁ ଭୋଟ ଦିଆଯାଏ ? କାହିଁକି ଶସ୍ତା ମଦ ପାଇଁ ଲୋକ ଭୋଟ ଦିଅନ୍ତି ? ଏହା ନିହାତି ହାସ୍ୟାସ୍ପଦ । ମୁଁ ଏହା କହୁନି ଯେ ଧନୀ ଲୋକମାନଙ୍କୁ ଭୋଟ ଦିଅ, କିନ୍ତୁ ମୋ ମତରେ ମଧ୍ୟମ ବର୍ଗଙ୍କ ପାଖରେ ଅଧିକ ଅଂଶୀଦାର ରହିଛି ଏବଂ ଶିକ୍ଷିତ ଲୋକମାନେ ମଧ୍ୟ କେବେ ଟଙ୍କା ପାଇଁ ଭୋଟ ବଦଳାନ୍ତି ନାହିଁ । ସେଥିପାଇଁ ମୋ ମତରେ ସମସ୍ତଙ୍କୁ ଭୋଟ ଦେବାର ଅଧିକାର ଦେବା ଉଚିତ ନୁହେଁ କାରଣ ଜନତା ନିଜେ ଜାଣିନାହାନ୍ତି ସେ କାହାକୁ ଭୋଟ ଦେଉଛନ୍ତି ଓ କାହିଁକି ଭୋଟ ଦେଉଛନ୍ତି ।’

ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଏକଛତ୍ରବାଦୀ ଶାସନ ହିଁ ସମାଜରେ ପରିବର୍ତ୍ତନ ଆଣିପାରିବ ଏବଂ ସେ ତାହା ହେବାକୁ ପସନ୍ଦ କରିବେ ।