spot_img
Home Blog Page 6334

ସ୍ମାର୍ଟ ସିଟି ହେବ କିନ୍ନର ଭିକାରୀ ମୁକ୍ତ; ସଂଘ ସହ ଆଲୋଚନା କଲା ବିଏମସି…

ଭୁବନେଶ୍ୱର: ସ୍ମାର୍ଟସିଟିକୁ ଭିକାରୀ ମୁକ୍ତ କରିବାକୁ ବିଏମସି ପଦକ୍ଷେପ ନେଇଛି । ଧାର୍ମିକ ସ୍ଥଳରୁ ଭିକ୍ଷୁକଙ୍କୁ ବାରଣ କରାଯିବା ପରେ ଏବେ ଟ୍ରାଫିକ ଛକମାନଙ୍କରେ କିନ୍ନରଙ୍କୁ ଭିକ୍ଷାବୃତ୍ତି ନକରିବାକୁ କୁହାଯାଇଛି । ଯାହାକୁ ନେଇ ଭୁବନେଶ୍ବରର ବିଭିନ୍ନ କିନ୍ନର ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଛି ପୃଥକ୍ ପୃଥକ୍ ବୈଠକ । ବୈଠକରେ କିନ୍ନରଙ୍କ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି । ପ୍ରଶାସନର ଅନୁରୋଧକୁ ରକ୍ଷା କରି କିନ୍ନରମାନେ ପୂର୍ବଭଳି ଏଣିକି ଟ୍ରାଫିକ ଛକମାନଙ୍କରେ ଭିକ୍ଷା ବୃତ୍ତି ନକରିବାକୁ ନିଷ୍ପତ୍ତି ହୋଇଛି । ସଂଘର ନିଷ୍ପତ୍ତିକୁ ଖିଲାପ କଲେ ଖିଲାପକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସଂଘ ପକ୍ଷରୁ କୁହାଯାଇଛି। କିଛି କିନ୍ନରଙ୍କ ପାଇଁ ବଦନାମ ହେଉଛି ସମଗ୍ର କିନ୍ନର ଜାତି ।

ଅନ୍ୟପକ୍ଷରେ କିନ୍ନରମାନଙ୍କ ପକ୍ଷରୁ ଦାବି ମଧ୍ୟ ଉଠିଛି । ପ୍ରଥମେ ଟ୍ରେନରେ ଭିକ୍ଷାବୃତ୍ତି କରି ଗୁଜରାଣ କରୁଥିବା କିନ୍ନରଙ୍କୁ ଟ୍ରେନରେ ବାରଣ କରାଗଲା । ବର୍ତ୍ତମାନ ପୁଣି ସ୍ମାର୍ଟସିଟିକୁ ଭିକାରୀ ମୁକ୍ତ କରିବାକୁ ଯାଇ ଟ୍ରାଫିକ ଛକରୁ ଭିକ୍ଷାବୃତ୍ତିକୁ କିନ୍ନରଙ୍କୁ ବାରଣ କରାଗଲା ।

ତେବେ ରୋଜଗାରର କୌଣସି ବିକଳ୍ପ ପନ୍ଥା ନଥିବା ଦର୍ଶାଇ ସରକାରଙ୍କ ପକ୍ଷରୁ ଘୋଷିତ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବାକୁ କିନ୍ନରମାନେ ଦାବି କରିଛନ୍ତି । ସେପଟେ କେବଳ କିନ୍ନରଙ୍କୁ ନୁହେଁ ବରଂ ରାଜ୍ୟ ବାହାରୁ ଆସି ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରୁଥିବା ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ କରିବାକୁ ଦାବି କରିଛନ୍ତି କିନ୍ନର।

ନୂଆ ଗାଇଡ୍‌ଲାଇନ୍‌: ବାହାଘର ପାଇଁ ୧୦୦ ନୁହେଁ ୨୦୦ ଲୋକଙ୍କୁ ଅନୁମତି…

ଭୁବନେଶ୍ୱର: ଡିସେମ୍ବର ପାଇଁ ଆସିଲା ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ । ଏଣିକି ବାହାଘର ପାଇଁ ଆଉ ୧୦୦ ଲୋକରେ ସୀମିତ ରଖିବାକୁ ପଡ଼ିବନି । ରାଜ୍ୟ ସରକାର ଏଥିପାଇଁ ୨୦୦ ଲୋକଙ୍କୁ ଏକାଠି ହେବାର ଅନୁମତି ପ୍ରଦାନ କରିଛନ୍ତି ।

ଖାଲି ସେତିକି ନୁହେଁ ନୂଆ ଗାଇଡ୍‌ଲାଇନ୍‌ରେ ଅନେକ କଟକଣାକୁ କୋହଳ କରାଯାଇଛି । ହେଲେ କଣ୍ଟେନମେଣ୍ଟ୍‌ ଜୋନ୍‌ ଗୁଡ଼ିକରେ ଲକ୍‌ଡାଉନ୍ ନିୟମ‌ ବଳବତ୍ତର ରହିବ ବୋଲି ନିଷ୍ପତି ହୋଇଛି ।

ସେହିଭଳି ଆନ୍ତର୍ଜାତିକ ବିମାନ ସେବାକୁ ନା’ କରିଛନ୍ତି ସରକାର । ବଡ଼ ଧରଣର ଧାର୍ମିକ, କ୍ରୀଡ଼ା, ସାଂସ୍କୃତିକ ଓ ରାଜନୈତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସରକାର ।

ବିଜନେସ୍‌ ଟୁ ବିଜନେସ୍ ପ୍ରଦର୍ଶନୀକୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି । କିନ୍ତୁ ବିଜନେସ୍ ଟୁ କଷ୍ଟମର୍ ପ୍ରଦର୍ଶନୀକୁ ଅନୁମତି ଦିଆଯାଇ ନାହିଁ । ଏହି କ୍ରମରେ ଭୁବନେଶ୍ୱରରେ ହେଉଥିବା ପ୍ରସିଦ୍ଧ ତୋଷାଳି ମେଳାର ଆୟୋଜନ ହୋଇପାରିବ ନାହିଁ । ଅନ୍ୟପଟେ ଶିଶିର ସରସକୁ ମଧ୍ୟ ଅନୁମତି ନାହିଁ ବୋଲି କୁହାଯାଇଛି ।

ବିବାହ ଉତ୍ସବ ପାଇଁ ୨ଶହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୫୦ ଲୋକଙ୍କୁ ଅନୁମତି ଦିଆଯାଇଛି । ଏହା ପୂର୍ବରୁ ବିବାହ ଉତ୍ସବ ପାଇଁ ୧୦୦ ଲୋକ ଏକାଠି ହେବାକୁ ଅନୁମତି ଦିଆଯାଇଥିଲା । ତେବେ ସବୁଠାରୁୁ ବଡ଼ କଥା ହେଲା ଡିସେମ୍ୱର ୧ରୁ ସବୁ ମେଡିକାଲ କଲେଜ୍ ଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିସାରିଛି ।

ସେପଟେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବାକୁ ପରାମର୍ଶ ଦିଆଯାଇଛି । ପରିସ୍ଥିତି ଦେଖି ବିଭାଗ ପକ୍ଷରୁ ସ୍କୁଲ ଖୋଲିବାକୁ କୁହାଯାଇଛି । ସେହିଭଳି ମନ୍ଦିର ତଥା ଧର୍ମାନୁଷ୍ଠାନ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବେ ।

କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଲେ ଚାଷୀ, କହିଲେ ନମାନିଲେ ଦିଲ୍ଲୀ ଅଚଳ ହେବ…

ନୂଆଦିଲ୍ଲୀ: ଦିଲ୍ଲୀ ସୀମା ସିନ୍ଧୁରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ସେମାନଙ୍କର ଗୋଟିଏ ଜିଦ୍ କେନ୍ଦ୍ର ସରକାର ବିନା ସର୍ତ୍ତରେ ସମସ୍ୟାର ସମାଧାନ କରନ୍ତୁ । ଏଥିସହ ବିନା କୌଣସି ଆଲୋଚନାରେ ତିନୋଟି ଯାକ କୃଷି ବିଲ୍‌କୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବି କରିଛନ୍ତି । ନହେଲେ ଦିଲ୍ଲୀକୁ ସଂଯୋଗ କରୁଥିବା ୫ଟି ଯାକ ରାସ୍ତାକୁ ବନ୍ଦ କରିଦିଆଯିବ । ଏଥିସହ ଯେଉଁଠି ଆନ୍ଦୋଳନ କରୁଛନ୍ତି ସେଇଠି କ୍ୟାମ୍ପ କରି ଆସନ୍ତା ଜାନୁୟାରୀ ୨୬ ପର୍ଯ୍ୟନ୍ତ ଡେରା ପକାଇବାକୁ ଚାଷୀ ଯୋଜନା କରୁଛନ୍ତି ବୋଲି ଜଣାପଡିଛି । ଚାଷୀଙ୍କ ଏଭଳି ଚେତାବନୀକୁ ଗୁରୁତ୍ୱର ସହ ନେଇଛନ୍ତି କେନ୍ଦ୍ର ସରକାର ।

Farmers

ରବିବାର ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିବା ବେଳେ ସୋମବାର କୃଷିମନ୍ତ୍ରୀଙ୍କ ସହ ଅମିତ ଶାହା ବୈଠକ କରିଛନ୍ତି । ଆସନ୍ତା ୩ରେ ସରକାରଙ୍କ ସହ ଆଲୋଚନାରେ ଚାଷୀଙ୍କ ସାମ୍ନାରେ କେଉଁ କେଉଁ ପ୍ରସ୍ତାବ ରଖାଯିବ ସେ ପ୍ରସଙ୍ଗରେ ଆଲୋଚନା ହୋଇଛି ।

ସେପଟେ ଚାଷୀଙ୍କ ଆନ୍ଦୋଳନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସରକାରଙ୍କ ଏହି ଆଇନ ଚାଷୀଙ୍କ ବିକାଶ ପାଇଁ ହୋଇଛି । ଏଥିରେ ସାମାନ୍ୟତମ ଚାଷୀଙ୍କୁ ହଇରାଣ କଲାଭଳି ପ୍ରାବଧାନ ରଖାଯାଇନାହିଁ । ନିଜ ସାମଗ୍ରୀ ବିକ୍ରି କରିବା ପାଇଁ ସେମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧିନତା ଦିଆଯାଇଛି । କିଛି ରାଜନୈତିକ ସ୍ୱାର୍ଥସମ୍ପୃକ୍ତି ବ୍ୟକ୍ତିଙ୍କ ଅପପ୍ରଚାର ଯୋଗୁଁ ଚାଷୀ ଆନ୍ଦୋଳନ କରୁଛନ୍ତି ବୋଲି ମୋଦି କହିଛନ୍ତି ।

ପୂର୍ବରୁ ବୁରାଡିରେ ଆନ୍ଦୋଳନ କଲେ ଚାଷୀଙ୍କ ସହ ସରକାର ଆଲୋଚନା କରିବେ ବୋଲି ସର୍ତ୍ତ ରଖିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ହେଲେ ବୁରାଡିକୁ ଖୋଲା ଜେଲ ବୋଲି କହି ଚାଷୀ ଏହି ସର୍ତ୍ତକୁ ଖଣ୍ଡନ କରିଥିଲେ ।

ହାତୀ ମୃତ୍ୟୁ ରୋକିବ ହ୍ୱାଟସ୍‌ ଆପ୍ ଗ୍ରୁପ୍

ଭୁବନେଶ୍ୱର: ଗଜରାଜଙ୍କ ସୁରକ୍ଷାକୁ ଗୁରୁତ୍ବ । ହାତୀ ମୃତ୍ୟୁ ରୋକିବ ହ୍ବାଟସ୍ ଆପ୍ ଗ୍ରୁପ । ଗତିବିଧି ଉପରେ ନଜର ରଖିବ ବନ ବିଭାଗ । ହାତୀଙ୍କୁ ଘଉଡ଼ାଇବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି । ହାତୀ- ମଣିଷ ଲଢେଇ ହେଉ କି ଚାଷୀଙ୍କ ବିଦ୍ୟୁତ୍ ତାର କିମ୍ବା ଦାନ୍ତ ତସ୍କରୀ ବା ଟ୍ରେନ୍ ଧକ୍କା, ପ୍ରତିବର୍ଷ ବଲାଙ୍ଗିର ଜିଲ୍ଲାରେ ହାତୀ ମୃତ୍ୟୁ ଖବର ଶୁଣିବାକୁ ମିଳୁଛି । ଏହାକୁ ରୋକିବାକୁ ଏବେ ବନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ରଣନୀତି । ବିଦ୍ୟୁତ୍, ରେଳ ଓ ବନ ବିଭାଗକୁ ନେଇ ତିଆରି ହୋଇଛି ହ୍ବାଟସ୍ ଆପ୍ ଗ୍ରୁପ୍ । ଏହାଦ୍ବାରା ହାତୀଙ୍କ ଗତିବିଧି ଉପରେ ନଜର ରଖିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଝାଡଖଣ୍ଡ ହାତୀପଲ ସବୁବେଳେ ଜିଲ୍ଲାରେ ଉପଦ୍ରବ କରୁଛନ୍ତି । ପ୍ରତିଦିନ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି ଏହି ଜଙ୍ଗଲୀ ଜନ୍ତୁ । ବନ ବିଭାଗ ସେମାନଙ୍କୁ ଘଉଡାଇବାରେ ସକ୍ଷମ ହେଉ ନଥିବା ସହ ଆବଶ୍ୟକ କ୍ଷତିପୂରଣ ଦେଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ପଦକ୍ଷେପ ନିଆଯାଉଥିବା କହିଛନ୍ତି ବନ ଅଧିକାରୀ । ହାତୀଙ୍କୁ ଘଉଡାଇବା ଓ ସେମାନଙ୍କ ସୁରକ୍ଷା ନେଇ ବନ ବିଭାଗ ନୟାନ୍ତ ଥିବାବେଳେ ଅଞ୍ଚଳରେ ଲୋକଙ୍କ ସହାୟତା ଲୋଡିଛି ପ୍ରଶାସନ ।

କୋଭିଡ୍‌ ଟିକା କମ୍ପାନୀ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କହିଲେ…

ନୂଆଦିଲ୍ଲୀ: ତିନୋଟି କୋଭିଡ ଟିକା କମ୍ପାନୀ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜେନୋଭା ବାୟୋଫାର୍ମାଟିକ୍ସ, ବାୟୋଲୋଜିକାଲ ଲିମିଟେଡ୍‌ ଏବଂ ଡକ୍ଟର ରେଡ୍ଡି ଲ୍ୟାବ ସହ ଭିଡିଓ କନଫରେନ୍ସିଂରେ ମୋଦି କଥା ହୋଇଛନ୍ତି ।

ଟିକା ତିଆରି ପାଇଁ ବୈଜ୍ଞାନିକ ମାନେ କରୁଥିବା ଅହରହ ପରିଶ୍ରମକୁ ମୋଦି ପ୍ରଶଂସା କରିଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ଏହି ଟିକା ସବୁ ପରୀକ୍ଷଣ ହେଉଥିବାରୁ ଏହା ସଫଳ ହେବ ବୋଲି ଆଶା କରାଯାଉଛି । ଟିକା ବିତରଣ ପାଇଁ ଯୋଜନା ସମ୍ପର୍କରେ ମଧ୍ୟ ମୋଦି ଆଲୋଚନା କରିଛନ୍ତି ।

ଭାରତ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ଦେବାକୁ ମୋଦି ନିଜେ ଘୋଷଣା କରିଛନ୍ତି । ଡକ୍ଟର ରେଡ୍ଡି ଲ୍ୟାବ ଋଷିଆ ଟିକା ସ୍ପୁଟନିକ୍‌-ଭି ସହ ଚୁକ୍ତି କରି ପରୀକ୍ଷଣ କରୁଥିବା ବେଳେ ଜେନୋଭା ବାୟୋଫାର୍ମାଟିକ୍ସ ଏମ-ଆର.ଏନ.ଏ ଟିକାର ପରୀକ୍ଷଣ କରୁଛି । ଗତ ଶନିବାର ଅହମ୍ମଦାବାଦ, ହାଇଦ୍ରାବାଦ ଓ ପୁନେ ଗସ୍ତ କରି ଟିକା ଉତ୍ପାଦନ ପ୍ରକ୍ରିୟା ସଂପର୍କରେ ସମୀକ୍ଷା କରିଥିଲେ ମୋଦି । ପୁନେରେ ସେରମ୍ ଇନଷ୍ଟିଚ୍ୟୁଟ୍‌ରେ କରୋନା ଭ୍ୟାକସିନ୍ ପ୍ରସ୍ତୁତି ସଂପର୍କରେ ବୁଲି ଦେଖିଥିଲେ ।

ସୁର ଭାଇଙ୍କ ସାଉଥ୍ ଲୁକ୍; ରିଲିଜ୍ ହେଲା ‘ଆସିଗଲା ସୁର ରାଉତ’ ସଙ୍ଗୀତ

ଭୁବନେଶ୍ୱର: ରେଡି, ମାଡି ଚାଲ ଓ ବିୟୁଟିଫୁଲ୍ । ସାଉଥ୍ ଲୁକରେ ସୁର ଭାଇ । ନାଲି କୁର୍ତ୍ତା, ବ୍ଳାକ ଚଷମାରେ ଦମଦାର ଏଣ୍ଟ୍ରି । ରାପ୍ ସାଙ୍ଗକୁ ଦେଶୀ ଠୁମକା । ରଙ୍ଗବତୀର ତାଳେ ତାଳେ ଝୁମିବାରେ ଆସ ସଙ୍ଗାତ । ଗତ କିଛି ଦିନ ପୂର୍ବରୁ ରଙ୍ଗବତୀ ଟାଇଟଲ ଟ୍ରାକରେ ‘ଆସିଗଲା ସୁର ରାଉତ’ ରାପ ଗାଇ ଚର୍ଚ୍ଚାକୁ ଆସିଥିଲେ କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ । ଯାହାର ଭିଡିଓ ଏବେ ରିଲିଜ ହୋଇଛି । ଓଡିଶାର ଯାନି-ଯାତରା ଓ ପରମ୍ପରାକୁ ନେଇ ସୁର ରାପ୍ କରିଥିବା ବେଳେ ସଂଗୀତ ଦେଇଛନ୍ତି ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଜାପାନୀ । ଭିଡିଓ ଗୀତଟି ଦୟା ନଦୀକୂଳରେ ସୁଟିଂ ହୋଇଛି ।ରଙ୍ଗବତୀ ଭିଡିଓ ଗୀତ ରିଲିଜ ପରେ ସୁରଙ୍କ ନୂଆ ଟାଲେଣ୍ଟକୁ ବେଶ ପ୍ରଶଂସା କରିଛନ୍ତି ସୁରଙ୍କ ପତ୍ନୀ ।

ସେହିପରି ସୁର ମଧ୍ୟ ନିଜ କଲେଜ ବେଳର ଅନୁଭୂତିକୁ ମନେ ପକାଇଛନ୍ତି । ଆଗକୁ ଓଡିଆ ଫିଲ୍ମରେ ଅଭିନୟର ସୁଯୋଗ ପାଇଲେ ଅଭିନୟ କରିବେ ବୋଲି କହିଛନ୍ତି ସୁର । ତେବେ ଖଳନାୟକ ଓ ଅଭିଭାବକ ଚରିତ୍ର ତାଙ୍କ ପ୍ରଥମ ପସନ୍ଦ ବୋଲି ସେ କହିଛନ୍ତି । ସୁର ରାଉତଙ୍କ ଡାନ୍ସ ମ୍ୟୁଜିକ ଭିଡିଓ ରିଲିଜ ପରେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଛି । ତା ସହ ତାଳ ଦେଇ ବଢୁଛି ଲାଇକ, ସେୟାର ଓ ଭ୍ୟୁ ।

ପହିଲାରୁ ଏହି ୫ଟି ବଡ଼ ନିୟମରେ ପରିବର୍ତ୍ତନ ହେବ, ଜାଣନ୍ତୁ ନଚେତ୍‌ କ୍ଷତି ସହିପାରନ୍ତି…

ନୂଆଦିଲ୍ଲୀ: ୧ ଡିସେମ୍ବର, ୨୦୨୦ ଠାରୁ ଭାରତରେ ପାଞ୍ଚଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ଜୀବନରେ ସିଧାସଳଖ ପ୍ରଭାବ ପକାଇବ । ତେବେ ଏହି ନୂଆ ପରିବର୍ତ୍ତନ ଗୋଟିଏ ପଟେ ଆପଣଙ୍କୁ ଆସ୍ୱସ୍ତ କରୁଥିବା ବେଳେ ଅନ୍ୟପଟେ ଯଦି ଆପଣ କିଛି ଜିନିଷକୁ ଅଣଦେଖା କରନ୍ତି ତେବେ ଆର୍ଥିକ କ୍ଷତି ମଧ୍ୟ ସହିପାରନ୍ତି । ଏଥିମଧ୍ୟରେ ଗ୍ୟାସ୍ ସିଲିଣ୍ଡର, ବୀମା ପ୍ରିମିୟମ୍, ରେଳବାଇ, ଏଟିଏମ୍‌ରୁ ଟଙ୍କା ଉଠାଣ ଓ ଟଙ୍କା ନେଣଦେଣ ସହ ଜଡ଼ିତ ନିୟମ ସାମିଲ ରହିଛି । ସେହି ପରିବର୍ତ୍ତନଗୁଡ଼ିକ ହେଲା:-

LPG ଦର

ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସ ଆରମ୍ଭରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି । ପହିଲାରୁ ଦେଶରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବଦଳିବ । ତେବେ ପ୍ରତ୍ୟେକ ରାଜ୍ୟରେ ଟାକ୍ସ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଏଲ୍‌ପିଜି ଦର ମଧ୍ୟ ଭିନ୍ନ ରହିଥାଏ ।

PNB ବଦଳାଇବ ATMରୁ ଟଙ୍କା ଉଠାଣ ନିୟମ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ପକ୍ଷରୁ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଅନ୍‌ଲାଇନ୍‌ ଠକେଇ ସହ ବିଭିନ୍ନ ଠକେଇକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଣ ବେଳେ ନିୟମକୁ କଡ଼ାକଡ଼ି କରିଛି । ଗ୍ରାହକଙ୍କ ସୁବିଧା ଓ ଟଙ୍କାର ସୁରକ୍ଷାକୁ ନଜରରେ ରଖି ବ୍ୟାଙ୍କ ପକ୍ଷରୁ ଏହି ନୂଆ ନିୟମ ଲାଗୁ କରିବାକୁ ନିଷ୍ପତି ହୋଇଛି । ତାହା ହେଲା ଏଣିକି ଯଦି ଗ୍ରାହକ ୧୦ ହଜାର କିମ୍ବା ତାଠାରୁ ଅଧିକ ଟଙ୍କା ଏଟିଏମ୍‌ରୁ ଉଠାଣ କରିବାକୁ ଚେଷ୍ଟା କରେ, ତେବେ ବ୍ୟାଙ୍କରେ ପଞ୍ଜିକୃତ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ପଠାଯିବ । ଆଉ ସେହି ଓଟିପିକୁ ବ୍ୟବହାର କଲେ ହିଁ ଗ୍ରାହକ ଟଙ୍କା ଉଠାଇପାରିବ । ଏହି ନିୟମ ଡିସେମ୍ବର ପହିଲା ଲାଗୁ ହେବ । ତେବେ ଗ୍ରାହକଙ୍କ ପାଇଁ ବିଶେଷ ସୂଚନା ଯେ, ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ଗଲା ବେଳେ ସାଥିରେ ମୋବାଇଲ ରଖିଥାନ୍ତୁ । ନଚେତ୍‌ ହଇରାଣ ହେବାର ସମ୍ଭାବନା ରହିଛି ।

୨୪ ଘଣ୍ଟିଆ RTGS ସୁବିଧା

ଗ୍ରାହକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ବିଭିନ୍ନ ସମୟରେ କିଛି ନା କିଛି ଘୋଷଣା କରାଯାଇଥାଏ । ଏବେ ପୁଣି କୋଟି କୋଟି ଗ୍ରାହକଙ୍କ ପାଇଁ ଆରବିଆଇ ଆରବିଆଇ ଆଉ ଏକ ବଡ଼ ଘୋଷଣା କରିଛି । ଆସନ୍ତା ମାସରୁ ବ୍ୟାଙ୍କଗୁଡିକ ଟଙ୍କା ନେଣଦେଣ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି ।

ଅକ୍ଟୋବରରେ, ଆରବିଆଇ ଘୋଷଣା କରିଥିଲା ଯେ, ରିଅଲ୍ ଟାଇମ୍ ଗ୍ରସ୍ ସେଟେଲମେଣ୍ଟ (RTGS) ସିଷ୍ଟମ ୧ ଡିସେମ୍ବର ୨୦୨୦ରୁ ଲାଗୁ କରାଯିବ । ୨୪*୭ ଏହି ପ୍ରକ୍ରିୟା ଚାଲିବ । ପୂର୍ବରୁ ଏହା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଚାଲିଥିଲା । ନୂଆ ନିୟମ ପରେ ଗ୍ରାହକ ଯେଉଁ ସମୟରେ ହେଲେ ମଧ୍ୟ ଏହାର ଫାଇଦା ନେଇପାରିବେ । ଅଧିକ ପରିମାଣର ଟଙ୍କା ନେଣ ଦେଣ ପାଇଁ ବ୍ୟାଙ୍କ ଖୋଲିବା ପର୍ଯ୍ୟନ୍ତ ଗ୍ରାହକଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

ଟଙ୍କା ନେଣଦେଣର ପରିମାଣ ଅନ୍ୟୁନ ୨ ଲକ୍ଷ ଟଙ୍କା

ସାରା ଦେଶରେ ଡିଜିଟାଲ ବ୍ୟାଙ୍କିଂକୁ ପ୍ରୋତ୍ସାହିତ କରିବା ପାଇଁ ଆରବିଆଇ ଏହି ପଦକ୍ଷେପ ନେଇଛି । କରୋନା କାଳରେ ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ପାଇଛି । ତେବେ ଏଠି କହି ରଖୁଛୁ ଯେ, RTGS ମଧ୍ୟମରେ ସର୍ବନିମ୍ନ ଟ୍ରାନ୍ସପର ପରିମାଣ ହେଉଛି ଦୁଇ ଲକ୍ଷ ଟଙ୍କା ଏବଂ ସର୍ବାଧିକ ପରିମାଣର କୌଣସି ସୀମା ନାହିଁ ।

ନୂତନ ଟ୍ରେନ୍ ଲଞ୍ଚ କରାଯିବ

କରୋନା ସଙ୍କଟ ସମୟରେ ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଥିଲା । ଏହି କ୍ରମରେ ଡିସେମ୍ବର ପହିଲାରୁ ରେଳବାଇ ଅନେକ ନୂତନ ଟ୍ରେନ୍ ଚଳାଇବାକୁ ଯାଉଛି । ମଙ୍ଗଳବାରଠାରୁ ଅଧିକ ଯାତ୍ରୀଙ୍କୁ ସୁବିଧା ମିଳିବା ସହ ଅଧିକ ଟ୍ରେନ୍ ପରିଚାଳନା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏଥିରେ ଉଭୟ ଜେଲମ୍ ଏକ୍ସପ୍ରେସ୍ ଏବଂ ପଞ୍ଜାବ ମେଲ୍ ସାମିଲ ଅଛି । ଏହି ଦୁଇଟି ଟ୍ରେନ୍ ସାଧାରଣ ବର୍ଗ ଅଧୀନରେ ଚାଲୁଛି

‘ଆସିକ୍‌ ୨’ ଅଭିନେତା ରାହୁଲ ରଏଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍…

ମୁମ୍ବାଇ: ଅଭିନେତା ରାହୁଲ ରଏଙ୍କୁ ଫିଲ୍ମ ‘L.A.C – Live The Battle’ର ସୁଟିଂ ସମୟରେ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବା ଖବର ସାମ୍ନାକୁ ଆସିଛି । ଅସୁସ୍ଥ ହେବା ପରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫିଲ୍ମଟି କାର୍ଗିଲରେ ସୁଟିଂ କରାଯାଉଥିଲା । ଅସୁସ୍ଥ ହେବା ପରେ ତାଙ୍କୁ ତୁରନ୍ତ ଶ୍ରୀନଗରରୁ ମୁମ୍ବାଇ ଅଣାଯାଇଥିଲା । ରାହୁଲଙ୍କୁ କଥା କହିବାରେ ଅସୁବିଧା ହେଉଥିଲା ବୋଲି ସୂଚନା ରହିଛି ।

ନାନାବତୀ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ନିବେଦିତା ବାସୁ ପୁରା ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ‘ନିର୍ଦ୍ଦେଶକଙ୍କ ଘନିଷ୍ଠ ବନ୍ଧୁ ହେଉଛନ୍ତି ରାହୁଲ, ଆଉ ଏହି ପ୍ରୋଜେକ୍ଟରେ ଆସିଥିବା ପ୍ରଥମ ବ୍ୟକ୍ତି । ଯେତେବେଳେ ଅନ୍ୟ କାଷ୍ଟ ଖୋଜାଯାଉଥିଲା ସେତେବେଳେ, ଆମେ ଜାଣିଥିଲୁ ଯେ ସେ ଏହି ପ୍ରୋଜେକ୍ଟରେ ଅଛନ୍ତି । ଲକ୍‌ଡାଉନ୍‌ ସମୟରେ ତାଙ୍କ ସହ ‘ଓ୍ୱାକ୍‌’ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର କରିବା ପରେ ନୀତିନ ଜାଣିଥିଲେ ରାହୁଲଙ୍କ ଏକ ଭଲ ଅପ୍‌ସନ୍ ବୋଲି ଭାବିଥିଲେ‌ ।’

ନିବେଦିତା କହିଛନ୍ତି ‘କାର୍ଗିଲରେ ତାପମାତ୍ରା ମାଇନସ୍‌ ୧୨ ଡିଗ୍ରୀ ସେଲସିୟସ୍‌ ଏବଂ ମାଇନସ୍‌ ୧୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ରହିଥିଲା । ଥଣ୍ଡା ଅତ୍ୟଧିକ ଥିଲା । ଏହା ଏମିତି ଏକ ସମୟ ଥିଲା ଯେ, ସମସ୍ତେ ଥାଣ୍ଡା ଆଗରେ ହାର ମାନିଥିଲେ । ଥଣ୍ଡା ଯୋଗୁଁ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ତେବେ ସୁଟିଂର ଆଉ ଗୋଟିଏ ଦିନ ବାକି ଥିବା ବେଳେ ରହୁଲଙ୍କ ସ୍ୱାସ୍ଥ୍ୟ ଖରାପ ହେଲା । ଏନେଇ ସୂଚନା ମିଳିବା ପରେ ନୀତିନଙ୍କୁ କୁହାଗଲା ଯେ, ତାଙ୍କୁ ଏଠାରୁ ବାହାର କରିବା ଆବଶ୍ୟକ ।

ସୂଚନାଯୋଗ୍ୟ, L.A.C -Live The Battle ହେଉଛି ନିଶାନ୍ତ ସିଂହଙ୍କ ମାଲିକାନାର OTT ପ୍ଲାଟ୍‌ଫର୍ମରେ ପ୍ରଥମ ଫିଲ୍ମ । ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ନୀତିନ କୁମାର ଗୁପ୍ତା । ଚିତ୍ରା ଭାକିଲ ଶର୍ମା ଏବଂ ନିବେଦିତା ବାସୁ ଏହାର ପ୍ରଯୋଜକ ରହିଛନ୍ତି ।

ନିବେଦିତା ଆହୁରି କହିଛନ୍ତି ଯେ, ନୀତିନ ରାହୁଲଙ୍କୁ କାର୍ଗିଲରୁ ଶ୍ରୀନଗର ଏବଂ ପରେ ମୁମ୍ବାଇକୁ ନେବା ପାଇଁ ବ୍ୟବସ୍ଥା କରିଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପାଇଁ ପ୍ରଡକ୍ସନ ହାଉସ ଦ୍ୱାରା ଖର୍ଚ୍ଚର ବ୍ୟବସ୍ଥା କରାଯାଇଛି । ତାଙ୍କର ଆଶୁଆରୋଗ୍ୟ କାମନା କରୁଛୁ ।

କୋ-ଆକ୍ଟର ନିଶାନ୍ତ କହିଛନ୍ତି ଯେ, ମଙ୍ଗଳବାର ଦିନ ଏହି ଘଟଣା ଘଟିଛି । ସୋମବାର ରାତିରେ ଆମେ ସମସ୍ତେ ଶୋଇବାକୁ ଯିବାବେଳେ ସେ ସୁସ୍ଥ ଥିଲେ । ଥଣ୍ଡା ଜଳବାୟୁ ଯୋଗୁଁ ତାଙ୍କର ଏଭଳି ପରିସ୍ଥିତି ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି । କାର୍ଗିଲରେ ତାପମାତ୍ରା ମାଇନସ୍‌ ୧୫ ଡିଗ୍ରୀ ରହୁଥିଲା । ମଙ୍ଗଳବାର ରାହୁଲଙ୍କ ସ୍ୱାସ୍ଥ୍ୟ ଠିକ୍‌ ନଥିବା ଭଳି ଲାଗୁଥିଲା । କାରଣ ସେ ଡାଇଲଗ୍‌ ମନେ ରଖିଥିଲେ କିନ୍ତୁ ପୁରା କହିପାରୁନଥିଲେ । ତାଙ୍କୁ କଷ୍ଟ ଅନୁଭବ ହେଉଥିଲା ।

୮ ଜିଲ୍ଲାରେ ବଢିଛି ସଡ଼କ ଦୁର୍ଘଟଣା, ଜିଲ୍ଲା ଗସ୍ତ କରି ସୁପ୍ରିମକୋର୍ଟକୁ ରିପୋର୍ଟ ଦାଖଲ କରିବ ସ୍ୱତନ୍ତ୍ର କେନ୍ଦ୍ରୀୟ ଟିମ୍…

ଭୁବନେଶ୍ୱର: ଲକ୍‌ଡାଉନ୍‌ ବେଳେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ବୃଦ୍ଧିର କାରଣ ଖୋଜିବା ଓ ପ୍ରତିକାର ପାଇଁ ଓଡ଼ିଶା ଆସିବ ସୁପ୍ରିମ୍‌କୋର୍ଟଙ୍କ ସଡ଼କ ସୁରକ୍ଷା‌ କମିଟି । ଲକ୍‌ଡାଉନ୍‌ ବେଳେ କରୋନା ମୃତ୍ୟୁକୁ ଟପି ଯାଇଛି ସଡ଼କ ଦୁର୍ଘଟଣା ମୃତ୍ୟୁ । କମିଟି ୮ଟି ଦୁର୍ଘଟଣାପ୍ରବଣ ଜିଲ୍ଲା ଗସ୍ତ କରି ସୁପ୍ରିମ୍‌କୋର୍ଟରେ ରିପୋର୍ଟ ଦାଖଲ କରିବ । ତେବେ ଏହି ମୃତ୍ୟୁ ପାଇଁ ପ୍ରାଥମିକ ଭାବେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରାଯାଇଛି । ତେବେ ଶତପ୍ରତିଶତ ପରିବହନ ନିୟମ ଖିଲାଫକାରୀଙ୍କ ଡ୍ରାଇଭିଂ ଲାଇସେନସ୍ ରଦ୍ଦ କରିବା ଓ ସଡ଼କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଗଞ୍ଜାମ, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ, କେନ୍ଦୁଝର, ଯାଜପୁର, ବାଲେଶ୍ବର ଓ ମୟୂରଭଞ୍ଜ । ଏହି ୮ଟି ଜିଲ୍ଲାରେ ଗତ ୮ମାସରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଛି । ଖାସ୍ କରି ଲକ୍‌ଡାଉନ୍‌ ବେଳେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା କରୋନା ମୃତ୍ୟୁକୁ ଟପିଯାଇଛି । ଗତ ସେପ୍ଟେମ୍ବର ମାସରେ ୨୦ ଜଣ ପ୍ରାଣ ହରାଇଥିଲେ। ରାଜ୍ୟର ଏହି ସମ୍ବେଦନଶୀଳ ଖବର ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ୮ଟି ଜିଲ୍ଲା ଗସ୍ତ କରି ରିପୋର୍ଟ ସଂଗ୍ରହ କରିବ ।

ଜାତୀୟ ରାଜପଥର ସ୍ଥିତି, ପଞ୍ଜିକୃତ ଗାଡ଼ି ଚାଳକଙ୍କ ତାଲିକା, ନିୟମ ଖିଲାଫକାରୀଙ୍କ ତାଲିକା, ଫାଇନ ଆଦାୟ ପରିମାଣ, ଏନ୍‌ଏଚ୍‌ଏଆଇର ସଡ଼କ ସୁରକ୍ଷା ସଚେତନତା, ଇଣ୍ଟରସେପ୍‌ଟର ବ୍ୟବସ୍ଥା, ହାଇଓ୍ବେ ପାଟ୍ରୋଲିଂ, ସ୍ପିଡ ଟ୍ରାକର୍‌ ଆଦି ସମ୍ପର୍କରେ କମିଟି ତଥ୍ୟ ସଂଗ୍ରହ କରିବ । ଦୁର୍ଘଟଣା ରୋକିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଜ ଦାୟିତ୍ବ ଠିକ୍‌ ଭାବେ ନିର୍ବାହ କରୁନଥିବା ବିଶେଷଜ୍ଞ ଅଭିଯୋଗ କରିଛନ୍ତି ।

ସେପଟେ ପୋଲିସ ଏବଂ ଆର୍‌ଟିଓଙ୍କ ମଧ୍ୟରେ ସମନ୍ବୟର ଅଭାବ ପରିଲକ୍ଷିତ କରିଛି କ୍ରାଇମ୍‌ବ୍ରାଞ୍ଚ୍‌ । ଯାହା ଜିଲ୍ଲାସ୍ତରରେ ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ ପାଇଁ ବାଧକ ସାଜୁଛି । ଗତ ଜାନୁଆରୀରୁ ସେପ୍ଟେମ୍ବର ମାସ ମଧ୍ୟରେ ୨ଲକ୍ଷ ୧୫ ହଜାର ଲୋକଙ୍କୁ ବିନା ହେଲ୍‌ମେଟ୍‌ରେ ପୋଲିସ ଧରିଥିବା ବେଳେ ୫୦ହଜାର ଖିଲାଫକାରୀଙ୍କ ଫାଇନ୍ କାଟିଛି ଆର୍‌ଟିଓ । ସେହିପରି ୩୬୭ଟି ଡ୍ରାଇଭିଂ ଲାଇସେନ୍‌ସ ବାତିଲ୍ କରାଯାଇଛି ।

କାଲି କୋଣାର୍କ ମହୋତ୍ସବ; ଶାସ୍ତ୍ରୀୟ ସଙ୍ଗୀତ ଓ ବାଲୁକାକଳାରେ ଚମକିବ ଚନ୍ଦ୍ରଭାଗା….

କୋଣାର୍କ: କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ଆଉ ବେଶୀ ସମୟ ନୁହେଁ । ଆସନ୍ତାକାଲି କୋଣାର୍କ ନୃତ୍ୟ ଉତ୍ସବ ଓ ଚନ୍ଦ୍ରଭାଗାର ବାଲୁକା କଳା ମହୋତ୍ସବ ଆରମ୍ଭ ହେଉଛି । ଏଥିପାଇଁ ପ୍ରସ୍ତୁତି ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି । ପ୍ରତିଦିନ ସନ୍ଧ୍ୟାରେ ଓଡିଶୀ ନୃତ୍ୟ ସହ କୁଚୁପୁଡ଼ି, ଭରତନାଟ୍ୟମ୍ ଓ ଶାସ୍ତ୍ରୀୟ ନୃତ୍ୟ ପରିବେଷଣର କାର୍ଯ୍ୟକ୍ରମ ରହିଛି । ସେହିପରି ଚନ୍ଦ୍ରଭାଗା ବେଳାଭୂମିରେ ନବମ ଥର ପାଇଁ ଆୟୋଜିତ ହେବ ବାଲୁକା କଳା ମହୋତ୍ସବ ।

ଏହି କାର୍ଯ୍ୟକ୍ରମ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି । ତେବେ ପ୍ରଥମ ଥର ପାଇଁ କୌଣସି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀଙ୍କୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନକରିବାର ଦେଖିବାକୁ ମିଳିବ । ପ୍ରାୟ ୭୦ ଭାରତୀୟ ବାଲୁକା ଶିଳ୍ପୀ ନିଜ ନିଜ କଳା ପ୍ରଦର୍ଶନ କରିବେ । ସେହିଭଳି ସବୁ କାର୍ଯ୍ୟକ୍ରମ ଓ ଉତ୍ସବ କୋଭିଡ୍ କଟକଣା ମଧ୍ୟରେ ପାଳିତ ହେଉଥିବା ହେତୁ କୋଣାର୍କ ମହତ୍ସୋବ ମଧ୍ୟ ଏଥିରୁ ବାଦ ପଡ଼ିବ ନାହିଁ । ଗ୍ୟାଲେରୀରେ ସାମାଜିକ ଦୂରତ୍ୱ ରହିବ ।

ବାଲୁକା କଳା ଦେଖିବାକୁ ଆସୁଥିବା ଦର୍ଶକମାନେ ନାମ ପଞ୍ଜିକରଣ କରାଇବେ । ମାସ୍କ ଓ ସାନିଟାଇଜର ବ୍ୟବହାର ଭଳି ପ୍ରାବଧାନକୁ ମାନିବେ । ଏଥିପାଇଁ ପ୍ରସ୍ତୁତିଜନିତ କାର୍ଯ୍ୟକଳାପର ପରିଚାଳନା କରିବା ପାଇଁ ସ୍ଥିତି ସମୀକ୍ଷା ହୋଇଛି ।ଆଜି ପର୍ଯ୍ୟଟନ ସଚିବ ଵିଶାଲ ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମପାଲ ଯାଦବ, ପୁରୀ ଜିଲ୍ଲା ପାଳ ବଲବନ୍ତ ସିଂ ଓ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ଓ ଚନ୍ଦ୍ରଭାଗା ବାଲୁକା କଳା ସ୍ଥାନ ବୁଲିବା ସହିତ ଉତ୍ସଵର ସ୍ଥିତି ସମୀକ୍ଷା କରିଛନ୍ତି ।