spot_img
Home Blog Page 634

ଦୃଢ ଇଚ୍ଛା ଆଗରେ ହାର ମାନିଲା ଗରିବୀ, ନିଟ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ପ୍ରଶଂସା ସାଉଁଟୁଛନ୍ତି ଦୁଇ ସାଙ୍ଗ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା, ବୋଲଗଡ଼ ବ୍ଲକ ଆରିକିମାର ଦେବପ୍ରକାଶ ସାହୁ ଓ ରୀତେଶ ବେହେରା । ଦୁହେଁ ପିଲା ଦିନର ସାଙ୍ଗ । ପିଲା ଦିନରୁ ଏକାଠି ଖେଳିବା ସହ ପାଠ ପଢିଛନ୍ତି ଦୁହେଁ । ଆଉ ଏବେ ଏକାଠି ମିଶି ଡାକ୍ତର ପଢିବେ । ରୋଗୀ ସେବା କରିବେ । ଦୁହେଁ ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଛନ୍ତି । କଟକ SCB ମେଡିକାଲ କଲେଜରେ ଏମବିବିଏସ ପାଠ ପଢିବାକୁ ଯୋଗ୍ୟତା ହାସଲ କରିଛନ୍ତି । ଡାକ୍ତରୀ ପଢି ଆଗାମୀ ଦିନରେ ମାଗଣାରେ ରୋଗୀ ସେବା କରିବେ ବୋଲି କହିଛନ୍ତି ଦୁହେଁ  ।

ଏକା ସାଙ୍ଗରେ ଦୁଇ ସାଙ୍ଗଙ୍କ ଏହି ଅଭୂତପୂର୍ବ ସଫଳତାରେ ଆରିକିମା ଉଚ୍ଚ ବିଦ୍ୟାଳୟରେ ଖୁସିର ମାହୋଲ ଖେଳିଯାଇଥିଲା । ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଉଭୟ ସାଥି ତଥା ସ୍କୁଲର ସୁନାମ ଧନ୍ୟ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ମିଠା ଖୁଆଇ ଶୁଭ ମନାସି ଥିଲେ। ଦୃଢ଼ ଇଚ୍ଛା, ପରିଶ୍ରମ ଓ ସଂଘର୍ଷ ଯେ, ସଫଳତାର ପଥକୁ ସଜାଇଦିଏ । ଦେବପ୍ରକାଶ ଓ ରୀତେଶ ତାହାର ଜ୍ଵଳନ୍ତ ଉଦାହରଣ ।

ଶରତର ଆଗମନରେ ମନ ମୋହୁଛି କାଶତଣ୍ଡୀ

କଣ୍ଟାମାଳ: କାଶତଣ୍ଡୀ ଫୁଲେ ମହୀ ଦିଶଇ ଧବଳ ।  ସରୋବରେ ଫୁଟିଅଛି କୁମୁଦ କମଳ । ଧରାକୁ ଛୁଇଁଛି ପାର୍ବଣ  । ସଜେଇ ହୋଇଛି ପ୍ରକୃତି ରାଣୀ । ମାଆ ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଉଛି କାଶତଣ୍ଡୀ । ସତେ ଯେମିତି ମାଆଙ୍କ ସ୍ବାଗତ ପାଇଁ ବାହୁମେଲାଇ ବସିଛି କାଶତଣ୍ଡୀ ଫୁଲ । ବୌଦ୍ଧ ଜିଲ୍ଲା କଣ୍ଟାମାଳର ନଇକୂଳ, ଧାନ ଖେତ, ପୋଖରୀତୁଠ, ସବୁଠି ଦେଖିବାକୁ ମିଳୁଛି କାଶତଣ୍ଡୀର ସମ୍ଭାର । କଅଁଳିଆ ପବନରେ ଦୋଳିଖେଳି ଖେଳି ବାଟୋଇଙ୍କୁ ଆନମନା କରୁଛି ଧୋବ ଫରଫର କାଶତଣ୍ଡୀ । ସତେ ଯେମିତି ଶସ୍ଯ ଶ୍ଯାମଳା ଧରଣୀରେ ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ । ଯାହାକୁ ଦେଖି କବି ଲିଖନୀରୁ ଝରିପଡୁଛି ଅନେକ କବିତା ।

ଧରାପୃଷ୍ଠରେ ପାର୍ବଣ ଆସିଲେ କାଶତଣ୍ଡୀର ପସରା ଦେଖିବାକୁ ମିଳେ । ଓଡ଼ିଆ ସଂସ୍କୃତି ଓ କାଶତଣ୍ଡୀ ମଧ୍ୟରେ ରହିଛି ଅନେକ ନିବିଡ଼ତା । କାଶତଣ୍ଡୀ ମାଆ ଦୁର୍ଗାଙ୍କ ଆବାହନର ସଂକେତ ଦିଏ । ପାର୍ବଣ ଋତୁର ବନ୍ଦନା ଗାଇବା ପାଇଁ ସତେଯେମିତି ଆନମନା ହୋଇଛି ପ୍ରକୃତିରାଣୀ । ଧରଣୀ କୋଳରେ ବେଶ ଶୋଭା ପାଉଛି ଧବଳରାଣୀ କାଶତଣ୍ଡୀ ।

ବିପଦଶଙ୍କୁଳ ଅବସ୍ଥାରେ ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରମୁଖ ରାସ୍ତା

ଯାଜପୁର ରୋଡ : ରାସ୍ତା ନୁହେଁ ତ ମରଣଯନ୍ତା । ପାଦେ ପାଦେ ଭୟ । ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ସୁନିଶ୍ଚିତ । ଏ କୌଣସି ଉପାନ୍ତ ଇଲାକା ନୁହେଁ, ଖୋଦ ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରମୁଖ ରାସ୍ତାର ଦୃଶ୍ୟ । ଯାଜପୁର ରୋଡ଼ ନୂଆଗଡ଼ ଠାରୁ ମିଲିଟାରୀ ଛକ ଦେଇ ଡ଼ୁବୁରୀ ପର୍ଯ୍ୟନ୍ତ ୧୫ କି.ମି ଲମ୍ବିଛି ଏହି ରାସ୍ତା । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଭାରିଯାନ ବିଭିନ୍ନ ସ୍ଥାନ ସମେତ ରାଜ୍ୟ ବାହାରକୁ ଚଳାଚଳ କରୁଛି । ହେଲେ ମରାମତି ଅଭାବରୁ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ବଡବଡ ଗାତ ସୃଷ୍ଟି ହୋଇଛି । ଖାଲରେ ପାଣି ଜମି ରହୁଥିବାରୁ ଯାତ୍ରୀ ଓ ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସହ ଦୁର୍ଘଟଣାର ଶିକାର ହେଉଛନ୍ତି । ଅନେକ ସମୟରେ ଲୋକଙ୍କ ଜୀବନ ହାନୀ ହେଉଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଓ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରମୁଖ ରାସ୍ତାର ଦୂରାବସ୍ଥା ପାଇଁ ଲୋକେ ବର୍ଷା ଦିନେ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି । ଏହି ରାସ୍ତାର ମାନପୁର ନିକଟରେ ଏକ ରେଲୱେ ଓଭରବ୍ରିଜ ରହିଛି । ଏହି ବ୍ରିଜ ଉପରେ ମଧ୍ୟ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଦୀର୍ଘ ଦିନରୁ ଏପରି ସମସ୍ୟା ଦେଖାଯାଉଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଖୁବଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ।

ମୟୂରଙ୍କ ସୁରକ୍ଷା ଓ ଅଣ୍ଡା ସଂରକ୍ଷଣ କରୁନି ବନବିଭାଗ, ପ୍ରାଣୀ ଉଦ୍ୟାନ କେଜରେ ଏଣେତେଣେ ପଡିଛି ମୟୂରଙ୍କ ଅଣ୍ଡା

ଢେଙ୍କାନାଳ : ବିପଦରେ ଜାତୀୟ ପକ୍ଷୀ ମୟୂର । ମୟୂରଙ୍କ ସୁରକ୍ଷା ଓ ଅଣ୍ଡା ସଂରକ୍ଷଣ ବ୍ୟବସ୍ଥା କରୁନି ବନବିଭାଗ । କେଜ ମଧ୍ୟରେ ଅଣ୍ଡା ଗୁଡ଼ିକ ଏଣେତେଣେ ହୋଇ ପଡିଛି । କିଛି ନଷ୍ଟ ହୋଇଗଲାଣି ତ ଆଉ କିଛି ବାଲିରେ ଗଡୁଛି । ଢେଙ୍କାନାଳ ଜିଲ୍ଲା କପିଳାସ ପ୍ରାଣୀ ଉଦ୍ୟାନରେ ଦେଖିବାକୁ ମିଳିଛି ଏଭଳି ଅବସ୍ଥା । ମୟୂରର ଅଣ୍ଡା ଗୁଡିକ ବନବିଭାଗ  ସଂରକ୍ଷିତ କରିବାରେ ଅସମର୍ଥ ସାଜିଛି । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଅଛନ୍ତି ଶହ ଶହ ମୟୂର । ବିଶେଷ କରି କପିଳାସ ରେଞ୍ଜ ଅଧିନରେ ଥିବା କପିଳାସ ଅଭୟାରଣ୍ୟ, ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କୋଇ ଓ କନ୍ଧରା ଜଙ୍ଗଲରେ ଅଣ୍ଡିରା ଓ ମାଈ ପ୍ରଜାତିର ମୟୂର ଅଛନ୍ତି । ବିଶେଷ କରି ଅଣ୍ଡିରା ମୟୂର ମାନେ ପୁଚ୍ଛ ମେଲାଇ ନାଚିଥାନ୍ତି । ଯାହା ଦେଖିବା ଅତି ବିରଳ । ହେଲେ ବିଡମ୍ବନାର ବିଷୟ ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଶିକାରୀ ମାନଙ୍କ ଲୋଲୁପ ଦୃଷ୍ଟିର ଶିକାର ହେଉଛନ୍ତି ନୀରିହ ମୟୂର । ଏପରିକି ମୟୂର ଶିକାରରେ କିଛି ବନବିଭାଗ କର୍ମଚାରୀ, ଅଧିକାରୀ ଶିକାରୀ ମାନଙ୍କ ସହ ହାତ ମିଳାଇଥିବା ଅଭିଯୋଗ ହୋଇଛି ।

ସଂରକ୍ଷିତ ଜଙ୍ଗଲ ସମେତ କେଜ ମଧ୍ୟରେ ମୟୂରର ଅଣ୍ଡାକୁ ସଂରକ୍ଷଣ କରି ରଖିବାରେ ଧ୍ୟାନ ଦେଉନି ବନବିଭାଗ । ଅନ୍ୟ ପଟରେ ଶିକାରୀ ମାନେ ମୟୂର ଶିକାର କରି ଏହାର ପୁଚ୍ଛକୁ ବିଭିନ୍ନ ସ୍ଥାନରେ ବହୁମୂଲ୍ୟ ଟଙ୍କାରେ ବିକ୍ରି କରିଦେଉଛନ୍ତି । ୧୯୭୨ ମସିହାରୁ ମୟୂରକୁ ଜାତୀୟ ପକ୍ଷୀ ଭାବେ ଘୋଷଣା କରି କେନ୍ଦ୍ର ସରକାର ଦାୟିତ୍ଵ ସାରିଦେଇଛନ୍ତି । ହେଲେ ଜାତୀୟ ପକ୍ଷୀ କିପରି ସୁରକ୍ଷିତ ରହିବେ ? ଏହାର କିପରି ବଂଶବୃଦ୍ଧି ହୋଇପାରିବ ସେଥିପାଇଁ ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତରରେ କୌଣସି ଯୋଜନା ପ୍ରସ୍ତୁତ ହେଉନାହିଁ । ଫଳରେ ଦିନ ଆସିବ ଜନମାନସରୁ ମୟୂର ଲୋପ ପାଇଯିବା ଆଶଙ୍କା ଦେଖାଦେଇଛି । ଏପଟେ ଘଟଣାକୁ ସ୍ବୀକାର କରିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ।

ହାଟ ସମସ୍ୟାକୁ ନେଇ ବିଜେପି କର୍ମୀଙ୍କ ଭିତରେ ବାକ ଯୁଦ୍ଧ

କୋଣାର୍କ : ହାଟ ସମସ୍ୟାକୁ ନେଇ ବିଜେପି କର୍ମୀଙ୍କ ଭିତରେ ବାକ ଯୁଦ୍ଧ, ଅଭିନଵ ଉପାୟରେ ହାଟ ମଧ୍ୟରେ ଧାନ ଚାଷ । ଲୋକଙ୍କ ସାମ୍ନାରେ ବିଜେପି କର୍ମୀଙ୍କ ମଧ୍ୟରେ କଥା କଟାକଟି। ପୁରୀ ଜିଲ୍ଲା କାକଟପୁର ଅଞ୍ଚଳ ସମେତ ସନ୍ନିକଟ ଅଞ୍ଚଳର ଶତାଧିକ ପରିବାର ଓଥକା ସାପ୍ତାହିକ ପରିବା ହାଟ ଓ ପରିବା ବଜାର ଉପରେ ନିର୍ଭର କରିଥାନ୍ତି। ବେପାରୀ, ଚାଷୀ ଓ ଖାଉଟି ସମସ୍ତେ ପୁତ୍ତିଗନ୍ଧମୟ ପରିବେଶରେ ପ୍ରବେଶ କରୁଥିଲେ ମଧ୍ୟ ଏହାର ପ୍ରତିକାର ଦିଗରେ କେହି ପଦକ୍ଷେପ ନେଉନାହାନ୍ତି । ନିର୍ବାଚିତ ଲୋକ ପ୍ରତିନିଧି ମାନେ ନୀରବତା ଅବଲମ୍ବନ କରୁଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ନିର୍ବିକାର ଭାବେ ରହିଛନ୍ତି। ଯାହାକୁ ନେଇ ଯାତାୟାତ କରୁଥିବା ଚାଷୀ, ବ୍ୟବସାୟୀ ଓ କ୍ରେତା ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାକଟପୁର ବ୍ଲକ ଓଥକା ସାପ୍ତାହିକ ହାଟ ଓଥକା ପଂଚାୟତ ମାଧ୍ୟ୍ୟମରେ ପରିଚାଳନା ହେଉଛି। ପ୍ରତି ସପ୍ତାହକୁ ଦୁଇ ଥର ହାଟରେ କାରବାର ହୋଇଥାଏ।କାକଟପୁର ବଜାର ସମେତ ୧୦ରୁ ୧୫କିଲୋମିଟର ସନ୍ନିକଟ ଗ୍ରାମରୁ ବେପାରୀ ଓ ଖାଉଟି ଏହି ହାଟ ଉପରେ ନିର୍ଭର କରିଥାନ୍ତି। ହାଟ ଭିତରକୁ ୪ଟି ପ୍ରବେଶ ପଥ ଅଛି। ଗୋଟିଏ ପ୍ରବେଶ ପଥକୁ ଛାଡି ଦେଲେ ଅନ୍ୟ ପ୍ରବେଶ ପଥ ଦେଈ ହାଟ କୁ ଆସିବା କାଠିକର ପାଠ । ଯାହାକୁ ନେଇ ହାଟ ସମସ୍ୟା ଦୂର ନହେବାରୁ ସ୍ଥାନୀୟ ଯୁବକ ଅଭିନଵ ଉପାୟରେ ହାଟ ମଧ୍ୟରେ ଧାନ ତଳି ଲଗାଛନ୍ତି। ଯାହାକୁ ବିରୋଧ କରି ସରପଞ୍ଚ ଙ୍କ ପ୍ରତିନିଧି ଓ ସ୍ଥାନୀୟ ଯୁବକ ମଧ୍ୟରେ ଦୀର୍ଘ ସମୟରେ ବାକ ଯୁଦ୍ଧ ହୋଇଥିଲା। ପୂର୍ବରୁ ଏହି ସବୁ କିଛି ସ୍ଥାନ କଂକ୍ରିଟ ଥିଲା, ରକ୍ଷଣାବେକ୍ଷଣ ଅଭାବ ରୁ ଧୀରେ ଧୀରେ ନଷ୍ଟ ହୋଇଗଲା ପରେ ଏପରି ଅବସ୍ଥା ହୋଇଛି। ହାଟ ମଧ୍ୟରେ ଅନେକ ସ୍ଥାନରେ ଚାଷୀ ଓ ବେପାରୀ ମୁଣ୍ଡରେ ଜରିପାଲ ଦେଈ ପରିବା ସମେତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି। ଯେଉଁ ଆଡ଼େ ଦେଖିବ କାଦୁଅ ପଚ ପଚ। ପଚା ସଢା ପରିବା ପଚି ସଢ଼ି ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷ ବର୍ଷ ଧରି ଏପରି ସମସ୍ୟା ରହିଛି । ଏହି ସ୍ଥାନଟି ଗାଈ ଷଣ୍ଡଙ୍କ ଚରାଭୂଇଁ ପାଲଟିଛି। ଜିଲ୍ଲା ପ୍ରଶାସନ ଚାଷୀ, ବ୍ୟବସାୟୀ ଓ ଖାଉଟି ଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ସେଡ ସହ ହାଟ ଉର୍ନ୍ନତି କରଣ ପାଇଁ ଏବେ ଦାବି ଜୋର ଧରିଛି ।

ନବମ ଶ୍ରେଣୀ ଛାତ୍ରୀଙ୍କୁ କାର୍ ଭିତରେ ଦୁଷ୍କର୍ମ ଅଭିଯୋଗ

ବାଲିଗୁଡା : ଗଣେଶ ପୂଜା ଭସାଣୀ ଦେଖିବାକୁ ଆସି ଫେରିବା ବେଳେ ନବମ ଶ୍ରେଣୀ ଛାତ୍ରୀଙ୍କୁ କାର ଭିତରେ ଜବରଦସ୍ତ ଦୁଷ୍କର୍ମ ଅଭିଯୋଗ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ଅଭିଯୁକ୍ତ ଯୁବକ ବିବାହିତ ହୋଇଥିବା ବେଳେ ଘଟଣା ଘଟାଇବା ପରେ ଫେରାର ହୋଇଥିବା ସୂଚନା ମିଳିଛି । ନାବାଳିକା ଜଣକ ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଦାରିଙ୍ଗବାଡ଼ି ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ନାବାଳିକା ଛାତ୍ରୀଜଣକ କିଛି ଦିନ ପୂର୍ବେ ଦାରିଙ୍ଗବାଡ଼ି ଅଞ୍ଚଳରେ ରହୁଥିବା ନିଜ ବଡ଼ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ । ହେଲେ ଗତ ୫ ତାରିଖ ସନ୍ଧ୍ୟାରେ ନାବାଳିକା ଛାତ୍ରୀ ଜଣକ ଗଣେଶ ପୂଜା ବିସର୍ଜନ ଭସାଣୀ ଦେଖିବାକୁ ଆସି ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ଯୁବକ ଜଣକ ଜବରଦସ୍ତ ତାଙ୍କୁ କାର୍ ଭିତରକୁ ଟେକି ନେଇଥିଲା ଏବଂ ଯୋର୍ ଜବରଦସ୍ତ ଦୁଷ୍କର୍ମ କରିବା ସହ ମାଡ଼ ମାରି ନାବାଳିକାଙ୍କ ଭଉଣୀ ଘର ନିକଟରେ ଛାଡ଼ି ଚାଲିଯାଇଥିଲା ।

ଭଣଜା ପ୍ରେମରେ ମାମୁଁଙ୍କୁ ମାରି ପୋତିଦେଲା ମାଇଁ

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ପ୍ରଦେଶ କାନପୁରର ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ପ୍ରେମ ବିବାହର ୨୦ ବର୍ଷ ପରେ ୩ ଛୁଆର ମାଆକୁ ଭଣଜା ସହ ପ୍ରେମ ହୋଇଗଲା । ସ୍ବାମୀଙ୍କୁ ସ୍ତ୍ରୀର ପ୍ରେମ ସମ୍ପର୍କ ବିଷୟକୁ ନେଇ ସନ୍ଦେହ କରିବାକୁ ଲାଗିଲା । ପତ୍ନୀ ଏକଥଶ ଜାଣିବା ପରେ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ନିଶା ବଟିକା ଦେଇ ମାରିବା ପରେ  ବାରିପଟେ ପୋତି ଦେଲା । ସମ୍ପର୍କୀୟ ଓ ଘର ଲୋକ ପଚାରିବାରୁ ସ୍ବାମୀ ଗୁଜୁରାଟ କାମ କରିବାକୁ ଯାଇଥିବା କହିଥିଲେ । ମୃତକଙ୍କ ମାଆଙ୍କୁ ଏଭଳି ମିଛ କଥା କହି ୧୦ ମାସ ପର୍ଯ୍ୟନ୍ତ ଭଣ୍ଡାଇ ଚାଲିଥିଲେ ।

ମାଓ୍ବାଇ ଚୋହରାର ଶିବବୀର ସିଂ ୨୦ ବର୍ଷ ପୂର୍ବେ ବାରଣାସୀର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ୬ ବର୍ଷ ହେଲା ଶିବବୀର ମାଆ ସାବିତ୍ରୀ, ସ୍ତ୍ରୀ ଲକ୍ଷ୍ମୀ ଓ ତିନି ଛୁଆଙ୍କୁ ନେଇ ସଚେଣ୍ଡି ଥାନା ଅଞ୍ଚଳରେ ଭଡାରେ ରହୁଥିଲେ । ମାଆଙ୍କ ସାବିତ୍ରୀଙ୍କ କହିବାନୁଯାୟୀ, ଶିବବୀର ଗୁଜରାଟର ଏକ କମ୍ପାନୀରେ କାମ କରୁଥିଲେ । ୨୦୨୪ ଅକ୍ଟୋବର ୩୦ ତାରିଖ ଦିନ ଶିବବୀର ଗାଁକୁ ଆସିଥିଲେ । ନଭେମ୍ବର ମାସରେ ବୋହୂ ଶିବବୀର ଗୁଜୁରାଟ ଚାଲିଯାଇଥିବା କଥା କହିଥିଲେ ।

ଏହି ସମୟରେ ପଡୋଶୀ ଘରେ ରହୁଥିବା ଜଣେ ଭଣଜା ଘରକୁ ବହୁବାର ଯିବା ଆସିବା କାରୁଥିଲେ । ଶାଶୂଙ୍କୁ ସନ୍ଦେହ ହେବାରୁ ସେ ପୋଲିସକୁ ଖବର ଦେଇଥିଲେ । ବୋହୂ ନମ୍ବରର ସିଡିଆର ପୋଲିସ ବାହାର କରିଥିଲା । ଦୀର୍ଘ ୧୦ ବର୍ଷ ହେଲା ବୋହୂର ଶିବବୀର ସହ ସମ୍ପର୍କ ନଥିବା ଜାଣିବାକୁ ପାଇଲା । ଆଉ ଭଣଜା ସହ ସବୁବେଳେ କଥା ହେଉଥିବା ଜାଣିବାକୁ ପାଇଲା । ପୋଲିସ ଭଣଜାଙ୍କୁ ଗିରଫ କରିଥିଲା । ଅନ୍ୟପଟେ ଘର ବାରିପଟେ ଏକ ବ୍ରେସଲେଟ ମିଳିଲା, ଯାହା ଶିବୀରର ବୋଲି ଘର ଲୋକ ଚିହ୍ନଟ କରିଥିଲେ ।

ଭଣଜାକୁ ଗିରଫ କରିବ ପଚରାଉଚରା କରିବା ପରେ ସତ ଜଣାପଡିଥିଲା । ଭଣଜା କହିବାନୁଯାୟୀ, ତାଙ୍କର ପ୍ରେମ ସମ୍ପର୍କ ବିଷୟରେ ମାମୁଁ ସନ୍ଦେହ କରୁଥିଲା  । ଏହା ମାଇଁ ଜାଣିବା ପରେ ମିଦରେ ନିଶା ବଟିକା ଦେଇଥିଲା । ଫଳରେ ମାମୁଁର ମୃତ୍ୟୁ ହେବାରୁ ତାକୁ ମାରିପଟେ ପୋତି ଦେଇଥିଲା । ଶରୀର ଶୀଘ୍ର ପଚିଯିବା ପାଇଁ ଗାତରେ ୧୨ କିଲୋ ଲୁଣ ରଖାଯାଇଥିଲା। ଶିବବୀରଙ୍କ ସ୍ତ୍ରୀ ପ୍ରଥମେ ପିଲାମାନଙ୍କୁ ନିଶା ମିଶ୍ରିତ ଚା ପିଆଇଥିଲେ ଯାହା ଦ୍ୱାରା ସେମାନେ ଶୋଇପାରିବେ, କିନ୍ତୁ ବଡ଼ ପୁଅ ଚା ପିଇ ନଥିଲା, ତାକୁ ଏହାର ସ୍ୱାଦ ପସନ୍ଦ ଆସି ନଥିଲା ଏବଂ ସେ ଏହାକୁ ଫିଙ୍ଗି ଦେଇଥିଲା। ଏହା ପରେ ସେ ଶୋଇପଡ଼ିଲା। ସମସ୍ତଙ୍କୁ ଶୋଇ ପକାଇ ଅପରାଧକୁ କାର୍ଯ୍ୟକାରୀ କରିବାକୁ ଚାହୁଁଥିଲା ଲକ୍ଷ୍ମୀ।

ଏନକାଉଣ୍ଟରରେ ଟପ୍ କ୍ୟାଡର ନକ୍ସଲ ନିହତ

ନନ୍ଦିଘୋଷ ବ୍ୟୁରୋ : ଟପ୍ କ୍ୟାଡର ନକ୍ସଲ ନିହତ। ସେ ହେଲା ଅମିତ ହାଁସଦା ଓରଫ ଆପ୍ତାନ। ଝାଡ଼ଖଣ୍ଡର ଚାଇବାସାରେ ହୋଇଥିବା ଏନକାଉଣ୍ଟରରେ ସେ ନିହତ ହୋଇଛି। ଅମିତ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ସହିତ ହୋଇଥିଲା ଏନକାଉଣ୍ଟର। ଏସପି ପାରସ ରାଣା କହିଛନ୍ତି ଯେ ପଶ୍ଚିମ ସିଂହଭୂମି ଜିଲ୍ଲାର ଗୋଇଲକେରା ପୋଲିସ ଷ୍ଟେସନ ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା। ଘଟଣାସ୍ଥଳରୁ ଏକ SLR ରାଇଫଲ୍, ବିସ୍ଫୋରକ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏନକାଉଣ୍ଟର ପରେ ସୁରକ୍ଷା କର୍ମୀମାନେ ଅନ୍ୟ ମାଓବାଦୀ ଆଡ୍ଡା ଠାବ କରିବା ପାଇଁ ଜଙ୍ଗଲ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛନ୍ତି। କିଛି ଦିନ ତଳେ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରେ ହୋଇଥିବା ନକ୍ସଲ ଏନକାଉଣ୍ଟରରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ।

ୟୁକ୍ରେନ ଉପରେ ଋଷର ବଡ଼ ଆକ୍ରମଣ, ୮୦୦ରୁ ଅଧିକ ଡ୍ରୋନ ମାଡ଼…

ନନ୍ଦିଘୋଷ ବ୍ୟୁରୋ: ଥମିବାର ନାଁ ନେଉନି ଋଷିଆ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନର ରାଜଧାନୀ କିଭରେ ଋଷର ବଡ଼ ଧରଣର ଆକ୍ରମଣ । ପ୍ରଥମଥର ଲାଗି କ୍ୟାବିନେଟ କୋଠା ଉପରେ ଆକ୍ରମଣ କରାଯାଇଥିବା କୁହାଯାଉଛି । ଏନେଇ ୟୁକ୍ରେନ ସାମରିକ ବିଭାଗ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ସେପଟେ ପ୍ରତ୍ୟକ୍ଷଦର୍ଶୀମାନେ ମଧ୍ୟ କ୍ୟାବିନେଟ ବିଲ୍ଡିରୁ ଧୂଆଁ ବାହାରୁଥିବା ନେଇ କହିଛନ୍ତି ।

ୟୁକ୍ରେନର ଅଧିକାରୀମାନେ କହିଛନ୍ତି କି, ରାତି ଅଧରେ ଋଷିଆ ପକ୍ଷରୁ ଆକ୍ରମଣ କରାଯାଇଛି । ଯେଉଁଥିରେ ଜଣେ ଶିଶୁଙ୍କ ସହ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୮ ଜଣ ଆହତ ହୋଇଛନ୍ତି । ସରକାରୀ ମୁଖ୍ୟାଳୟ ସାଙ୍ଗକୁ କିଭର ଅନେକ କୋଠାରେ ନିଆଁ ଲାଗିଛି । ପ୍ରଥମେ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ମଧ୍ୟ ମାଡ଼ କରାଯାଇଥିବା ଦାବି କରାଯାଇଛି । ତେବେ କୁହାଯାଉଛି କି, ୮୦୫ ଡ୍ରୋନ ଏବଂ ଏବଂ ୧୩ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ତେବେ ଆାବାସିକ କୋଠା ଗୁଡ଼ିକ ଏଥିରେ ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି ।

ରୋଗୀ ଆଣିବାକୁ ଯାଇ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ

ନନ୍ଦିଘୋଷ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ୧୦୮ ଆମ୍ବୁଲାନ୍ସ ସେବାର ବିକଳଚିତ୍ର  । ରୋଗୀ ଆଣିବାକୁ ଯାଇ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ  । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ଗାଁରେ । ଗେଙ୍ଗୁଟିଆ ଗ୍ରାମର ବାସନ୍ତୀବେହେରାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକ ବାସନ୍ତୀଙ୍କୁ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରିବା ପାଇଁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । ଖବର ପାଇ ୧୦୮ କର୍ମଚାରୀ ମାନେ ଆମ୍ବୁଲାନ୍ସକୁ ଧରି ଗେଙ୍ଗୁଟିଆ ଗାଁରେ ପହଞ୍ଚିଥିବା ବେଳେ ରୋଗୀଙ୍କୁ ଆମ୍ବୁଲାନ୍ସରେ ଭର୍ତ୍ତି କରୁଥିବା ବେଳେ ହଠାତ ଆମ୍ବୁଲାନ୍ସଟି ଷ୍ଟାର୍ଟ ହୋଇ ନଥିଲା । ଫଳରେ ଗ୍ରାମବାସୀ ମାନେ ଆମ୍ବୁଲାନ୍ସକୁ ଧକ୍କା ମାରି ଷ୍ଟାର୍ଟ କରିବାକୁ ଉଦ୍ୟମ କରୁଥିବା ବେଳେ, ଆମ୍ବୁଲାନ୍ସ ଇଂଜିନରେ ଧୂଆଁ ଦେଖିବାକୁ ମିଳିଥିଲା। ଫଳରେ ଗୁରୁତର ରୋଗୀଙ୍କୁ ପରିବାର ଲୋକ ଅନ୍ୟ ଏକ ଗାଡି ସାହାଯ୍ୟରେ ମେଡିକାଲରେ ଭର୍ତ୍ତି କରିଥିଲୋ।