spot_img
Home Blog Page 6353

ଖୋଲିବ ଚନ୍ଦକା-ଡମପଡ଼ା ହାତୀ ଅଭୟାରଣ୍ୟ ଓ ଡେରାସ ଡ୍ୟାମ୍‌

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ଖୋଲିବ ଚନ୍ଦକା ଡମପଡ଼ା ହାତୀ ଅଭୟାରଣ୍ୟ ଓ ଡେରାସ୍‌ ଡ୍ୟାମ୍‌ । ମାର୍ଚ୍ଚ ୨୭ ତାରିଖରୁ କରୋନା ମହାମାରୀ ଯୋଗୁଁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ କରାଯାଇଥିଲା । ୭ ମାସ ପରେ ଚନ୍ଦକା ଖୋଲିଥିବା ବେଳେ, କୋଭିଡ୍‌ କଟକଣା କଡ଼ାକଡ଼ି କରାଯାଇଛି । ତେବେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି ।

ଥଣ୍ଡା କିମ୍ବା ଜ୍ୱର ଥିଲେ ପ୍ରବେଶ ନିଷେଧ କରାଯାଇଛି । ପର୍ଯ୍ୟଟକ ମାନେ ନେଚର କ୍ୟାମ୍ପ, ଅଭୟାରଣ୍ୟର ଜଙ୍ଗଲ ସଫାରି, ଡେରାସ୍‌ ଡ୍ୟାମ୍ ବୁଲିପାରିବେ । କଟେଜ୍‌ରେ ମଧ୍ୟ ରାତ୍ରିରହଣୀ ପାଇଁ ଅନଲାଇନ୍‌ରେ ବୁକିଂ କରିପାରିବେ ପର୍ଯ୍ୟଟକ । କଟେଜ, ନେଚର କ୍ୟାମ୍ପ, ପର୍ଯ୍ୟଟକଙ୍କ ଚଲାପଥ, ବସିବାସ୍ଥାନ ଆଦିକୁ ସାନିଟାଇଜ କରାଯିବାର ବ୍ୟବସ୍ଥା କରାଯାଇଛି ।

ହରସିମରତ କୌର ବାଦଲ ଓ ସୁଖବୀର ବାଦଲ ଚଣ୍ଡିଗଡ଼ରୁ ଗିରଫ

ଚଣ୍ଡିଗଡ଼: ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲଙ୍କୁ ଗୁରୁବାର ଗିରଫ କରାଯାଇଛି । ନୂଆ କୃଷି ଆଇନକୁ ବିରୋଧ କରି ଚଣ୍ଡିଗଡ଼ରେ ପ୍ରବେଶ ପାଇଁ ଚେଷ୍ଟା କରୁଥିଲେ । ହରସିମରତ କୌର ବାଦଲଙ୍କ ସହ ସୁଖବୀର ସିଂହ ବାଦଲ ଓ ଦଳର କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ମୁଲ୍ଲାପୁର ନିକଟରୁ ପୋଲିସ ସେମାନଙ୍କୁ ଗିରଫ କରିଛି । କୃଷି ଶୋଭାଯାତ୍ରା ବେଳେ ମୁଲ୍ଲାପୁର ବ୍ୟାରିୟର ନିକଟରେ ଲୋକଙ୍କୁ ଘଉଡ଼ାଇବା ଲାଗି ପୋଲିସ୍ ଲାଠିଚାର୍ଜ ସହ ପାଣି ମାଡ଼ କରିଥିଲା ।

ପୂର୍ବରୁ କୃଷି ବିଧେୟକକୁ ନେଇ ଶିରୋମଣି ଅକାଳୀ ଦଳ ବିଜେପି ସହ ୨୫ ବର୍ଷର ପୁରୁଣା ସମ୍ପର୍କକୁ ଭାଙ୍ଗିଥିଲା । କୌର ଗିରଫ ହେବା ପରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଅକାଳୀ ଦଳ ଗୁରୁବାର ପଞ୍ଜାବରୁ ଚଣ୍ଡିଗଡ଼ ଯାଏଁ କୃଷି ଆଇନକୁ ବିରୋଧ କରି ଶୋଭାଯାତ୍ରା ବାହାର କରିଥିଲେ । ତିନୋଟି ସ୍ଥାନରୁ ବାହାରିଥିବା ଶୋଭାଯାତ୍ରା ଚଣ୍ଡିଗଡ଼ ଆସୁଥିଲା । ତିନି ଶୋଭାଯାତ୍ରା ରାଜ୍ୟପାଳ ଙ୍କୁ ଭେଟି କୃଷି ଆଇନ୍ ବିରୋଧରେ ଦାବିପତ୍ର ଦେଇଥାନ୍ତେ । ହେଲେ ଚଣ୍ଡିଗଡ଼ ପହଞ୍ଚିବା ପୂର୍ବରୁ ହରସିମରତ ବାଦଲଙ୍କୁ ପୋଲିସ ଗିରଫ କରିଛି ।

ଗ୍ରେଟର ନୋଏଡ଼ାରେ ରାହୁଲ, ପ୍ରିୟଙ୍କା ଗାନ୍ଧିଙ୍କ ସମେତ କଂଗ୍ରେସର ୨୦୩ ନେତାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଗ୍ରେଟର ନୋଏଡାର ଇକୋଟେକ୍ ୱାନ୍ ପୋଲିସ ଥାନାରେ ଏଫଆଇଆର୍ ରୁଜୁ ହୋଇଛି । ପୋଲିସ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ୨୦୩ ଜଣ କଂଗ୍ରେସ ନେତାଙ୍କ ବିରୋଧରେ ରୁଜୁ କରିଛି FIR । ଏତଲାରେ ସଙ୍ଗୀନ ଧାରା ସବୁ ଲାଗିଛି । ଗୌତମବୁଦ୍ଧନଗର ପୋଲିସ ପକ୍ଷରୁ ରୁଜୁ ହୋଇଛି ମାମଲା ।

Hathras Congress Leader Priyanka Gandhi Angry Because She Is Mother Of 18 Year Old Daughter

ଏନେଇ ପୋଲିସ କହିଛି- ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପ୍ରାୟ ୨୦୦ କାର୍ଯ୍ୟକର୍ତ୍ତାଙ୍କ ସହିତ ହାଥରସ୍ ଯିବା ପାଇଁ ଡିଏନଡି ରାସ୍ତାରେ ନୋଏଡାରେ ପ୍ରବେଶ କରିଥିଲେ । ଯେଉଁଛିରେ ପ୍ରାୟ ୫୦ ଗାଡ଼ି ଥିଲା । ୧୪୪ ଧାରା ଲାଗୁ ସତ୍ତ୍ୱେ କୋଭିଡ୍ ସ୍ଥିତି ଜଣାଇବା ପରେ ଆଗକୁ ନଯିବା ପାଇଁ ଅନୁରୋଧ କରାଯାଇଥିଲା । ତେବେ, କେହି ନମାନି ସମସ୍ତ ଗାଡ଼ି ଯାତାୟାତ ନିୟମ ଉଲ୍ଲଂଘନ କରି ସାଧାରଣ ଯାତାୟାତ ଉପରେ ବାଧା ସୃଷ୍ଟି କରିଥିଲେ । ଫଳରେ ଯମୁନା ଏକ୍ସପ୍ରେସ୍ ଜାମ୍ ହୋଇ ଯାଇଥିଲା ।

Hathras Congress Leader Priyanka Gandhi Angry Because She Is Mother Of 18 Year Old Daughter

ଯମୁନା ଏକ୍ସପ୍ରେସରେ ୨ଟି ଗାଡ଼ି ନିକଟରେ ବେଶ୍ ଭିଡ଼ ଜମିଥିଲା ପୋଲିସ କହିଛି । ଯାହା ପରେ ଯମୁନା ଏକ୍ସପ୍ରେସର ଜିରୋ ପଏଣ୍ଟରେ ଗାଡ଼ିକୁ ଅଟକାଇବା ବେଳେ ପୋଲିସ ସହ ସେମାନେ ମୁହାଁମୁହିଁ ହୋଇଥିଲେ । ରାହୁଲ ଗାନ୍ଧି ଓ ପ୍ରିୟଙ୍କ ଯମୁନା ଏକ୍ସପ୍ରେସରେ କାର୍ଯ୍ୟକର୍ତ୍ତାଙ୍କ ପାଦରେ ଚାଲି ଚାଲି ଆଗକୁ ବଢ଼ିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱ ଜାମ୍ ହୋଇ ଯାଇଥିଲା । ଭିଡ଼ରେ ଆମ୍ବୁଲାନ୍ସ ମଧ୍ୟ ଫସି ଯାଇଥିଲା ।

୧୪୪ ଧାରା ଲାଗିଥିବାରୁ ଅନୁମତି ବିନା ଏତେ ସଂଖ୍ୟକ ଲୋକ ଏକ୍ସପ୍ରେସକୁ ଜବରଦସ୍ତ ଭାବେ ଯିବାକୁ ଚେଷ୍ଟ କରିଥିଲେ । ୧୪୪ ଧାରା ଉଲ୍ଲଂଘନ ନେଇ ଅବଗତ କରାଇଥିଲେ ବି ଶୁଣିନଥିଲେ । ଆଇନ୍ ଶୃଙ୍ଖଳା ସ୍ଥିତି ବିଗିଡ଼ିବା ନେଇ କହିବା ପରେ ବି କିଛି ପ୍ରଭାବ ପଡ଼ିନଥିଲା ବୋଲି ପୋଲିସ କହିଛି । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ୨୦୩ ଜଣଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯାଇଛି ।

ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ରାହୁଲ ଓ ପ୍ରିୟଙ୍କା ଦିଲ୍ଲୀରୁ ବାହାରିଥିଲେ । ଗ୍ରେଟର ନୋଏଡ଼ା ଏକ୍ସପ୍ରେସରେ ପୋଲିସ ସେମାନଙ୍କୁ ଅଟକାଇ ଥିଲା । ପୋଲିସ ଉଭୟଙ୍କୁ ଅଟକ ରଖିବା ପରେ ଛାଡ଼ି ଦେଇଥିଲା । ତାପରେ ରାହୁଲ ଓ ପ୍ରିୟଙ୍କା ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ ।

ହାଥରସ ଗଣଦୁଷ୍କର୍ମ ଘଟଣାର ତାତିରେ ସାରା ଦେଶରେ ପ୍ରତିବାଦ, ଭୁବନେଶ୍ୱରରେ ବିକ୍ଷୋଭ କଲା କଂଗ୍ରେସ

ଭୁବନେଶ୍ୱର: ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ଓ ପରେ ପୀଡିତାଙ୍କ ମୃତ୍ୟୁ ଘଟଣା ପରେ ସାରା ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି । ଏହି ପ୍ରତିବାଦ ଆହୁରି ତୀବ୍ର ରୂପ ନେଇଥିଲା ଯେତେବେଳେ, ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବାବେଳେ ସାଂସଦ ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକାଗଲା । ୟୁପି ପୋଲିସ ପକ୍ଷରୁ ସେମାନଙ୍କୁ ବ୍ୟାପକ ଠେଲାପେଲା କରାଗଲା । ଏହି ଘଟଣା ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ୟୁପିରେ କଂଗ୍ରେସର ଶୀର୍ଷ ନେତାଙ୍କୁ ହୋଇଥିବା ଏପରି ବ୍ୟବହାରକୁ ସହଜରେ ଗ୍ରହଣ କରି ନ ଥିଲେ କଂଗ୍ରେସ କର୍ମୀ ।

ରାଜଧାନୀ ଦିଲ୍ଲୀଠୁ ଆରମ୍ଭ କରି ମହାରାଷ୍ଟ୍ରର ମୁମ୍ବାଇ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ପ୍ରତିବାଦ । ଦିଲ୍ଲୀରେ କଂଗ୍ରେସ କର୍ମୀମାନେ କ୍ୟାଣ୍ଡେଲ ରାଲି କରି ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି । ସେପଟେ ତାମିଲନାଡୁ କଂଗ୍ରେସ ଭବନରୁ ଶୋଭାଯାତ୍ରାରେ ବାହାରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଦଳୀୟ କର୍ମୀ । ରାହୁଲ ଓ ପ୍ରିୟଙ୍କାଙ୍କୁ ହାଥରସକୁ ପ୍ରବେଶ ନକରେଇ ଦେବା ପାଇଁ ସବୁ ପ୍ରକାର ଷଡଯନ୍ତ୍ର କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଅନୁରୂପ ଭାବେ ଭୁବନେଶ୍ୱେର ମାଷ୍ଟରକ୍ୟାଣ୍ଟିନରେ ଯୁବ କଂଗ୍ରେସ କର୍ମୀ ଏବଂ କିଛି ବିଧାୟକ ଏକାଠି ହୋଇ ୟୁପିର ଯୋଗୀ ଆଦିତ୍ୟନାଥ ସରକାରକୁ ବିରୋଧ କରିଥିଲେ । ସେମାନେ ଯୋଗୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିଜେପି ବିରୋଧୀ ନାରା ଦେଇଥିଲେ । ଏପରିକି ଏହି ଘଟଣାର ଉପଯୁକ୍ତ ତଦନ୍ତ ହୋଇ ନ୍ୟାୟ ନ ମିଳିଲେ, ଆଗାମୀ ଦିନରେ ଓଡ଼ିଶାରେ କେନ୍ଦ୍ରୀୟ ଭାଜପା ନେତା ଏବଂ ପ୍ରଭାବଶାଳୀ କେନ୍ଦ୍ର ମନ୍ତ୍ରୀମାନଙ୍କୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କଂଗ୍ରେସ କର୍ମୀ କହିଛନ୍ତି ।

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ମା ଓ ଭଉଣୀମାନଙ୍କୁ ନ୍ୟାୟ ଦେବାରେ କେବଳ ୟୁପି ନୁହେଁ, ସାରା ଦେଶରେ ବିଜେପି ସରକାର ବିଫଳ ହୋଇଛି । ପୋଲିସର ଅପାରଗତା ଏବଂ ଉପଯୁକ୍ତ ଚିକିତ୍ସା ଅଭାବରୁ ହାଥରସର ଗରିବ ଝିଅଟି ମରିଗଲା । ତେଣୁ ଏହା ବିରୋଧରେ କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ପ୍ରତିବାଦ ହେବ । ଏହି ଘଟଣା ହିଁ ବିଜେପି ପତନର କାରଣ ହେବ ବୋଲି ତାରା ପ୍ରସାଦ କହିଛନ୍ତି ।

ବାଲେଶ୍ୱର,ତିର୍ତ୍ତୋଲ ଉପନିର୍ବାଚନ : ସର୍ବଦଳୀୟ ବୈଠକ ଡାକି ନିୟମ ବତାଇଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ବାଲେଶ୍ୱର ଜିଲା ବାଲେଶ୍ୱର ସଦର ଏବଂ ଜଗତସିଂହପୁର ଜିଲା ତିର୍ତ୍ତୋଲରେ ଆସନ୍ତା ନଭେମ୍ବର ୩ ତାରିଖରେ ଉପ ନିର୍ବାଚନ ହେବାକୁ ଯାଉଛି । କୋଭିଡ ସମୟରେ ଓଡ଼ିଶାରେ ଏହା ପ୍ରଥମ ନିର୍ବାଚନ । ତେଣୁ ଏହାକୁ ସୁରୁଖୁରରେ ସମ୍ପାଦିତ କରାଇବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତତ୍ପରତା ପ୍ରକାଶ କରିଛି ।  ଆଉ ଦିନ କେଇଟା ପରେ ଏ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ତେଣୁ ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନରେ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ କରାଯିବ ବୋଲି ସ୍ପଷ୍ଟ ସଙ୍କେତ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ପ୍ରଚାର ବେଳେ କୌଣସି ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପ କରାଯାଇ ପାରିବନି  । ପ୍ରଚାରବେଳେ ଦଳର ପୂର୍ବ କାର୍ଯ୍ୟକଳାପକୁ ସମାଲୋଚନା କରାଯାଇପାରେ । ସେହିପରି ଅପରାଧ ପୃଷ୍ଠଭୂମିର ପ୍ରାର୍ଥୀଙ୍କ ପାଇଁ ଦଳକୁ କୈଫିୟତ ଦେବାକୁ ହେବ । ଲୋକଙ୍କ ଅବଗତି ପାଇଁ ଅତିକମରେ ୩ଥର ଗଣମାଧ୍ୟମରେ ପ୍ରଚାର କରାଇବେ । ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାରପ୍ରସାର କରାଇବେ ପ୍ରାର୍ଥୀ । ୮୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କରାଯିବ । ଗୋଟିଏ ବୁଥରେ ସର୍ବାଧିକ ହଜାରେ ଭୋଟର ମତଦାନ କରିପାରିବେ ବୋଲି କୁହାଯାଇଛି । ।

ଭୋଟ ଗ୍ରହଣ ପୂର୍ବରୁ ସମସ୍ତ ବୁଥରେ ହେବ ବିଶୋଧନ କରାଯିବ । ନାମାଙ୍କନ ପତ୍ର ଦାଖଲ କରିବାବେଳେ ସର୍ବାଧିକ ୨ଜଣ ରହିବେ । ପଦଯାତ୍ରା ଓ ଘରକୁ ଘର ବୁଲି ପ୍ରଚାରବେଳେ ସର୍ବାଧିକ ୫ ଜଣ ରହିବେ ବୋଲି ଜଣାପଡିଛି  । ଏହି ବୈଠକରେ ବିଜେଡି ପକ୍ଷରୁ ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ, କଂଗ୍ରେସ ପକ୍ଷରୁ ଶିବାନନ୍ଦ ରାୟ, ସିପିଏମର ଦୁଷ୍ମନ୍ତ ଦାସ, ବିଜେପିର ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

ହତ୍ୟା ପୂର୍ବରୁ ସାଙ୍ଗ ତିଆରି କଲା ଟିକଟକ୍ ଭିଡିଓ, ଗୋଟିଏ ଝିଅକୁ ଭଲ ପାଉଥିଲେ ଦୁହେଁ

ଚଣ୍ଡିଗଡ଼: ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ୨ ସାଙ୍ଗ ଗୋଟିଏ ଝିଅକୁ ଭଲ ପାଇ ବସିଥିଲେ । ପରେ ଜଣେ ଅନ୍ୟ ଜଣଙ୍କୁ ରାସ୍ତାରୁ ହଟାଇବା ପାଇଁ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ । ଟିକଟିକ୍ ଭିଡିଓ ପ୍ରସ୍ତୁତି ନାଁରେ ହତ୍ୟାର ପୂରା ଭିଡିଓ ରେକର୍ଡ କରିଥିଲେ । ପୁଣି ଉକ୍ତ ପ୍ରକାରେ ସାଙ୍ଗକୁ ହତ୍ୟା କରିଛି ସାଙ୍ଗ । ଏଭଳି ହତ୍ୟାକାଣ୍ଡ ଘଟିଛି ପଞ୍ଜାବର ଜଳନ୍ଧର ସହରରେ ।

Tiktok Video Friend Plotting Love Triangle Jalandhar Punjab

ଜଳନ୍ଧରର କ୍ୟାଣ୍ଟ ଲାଲକୁର୍ତ୍ତି ବଜାରରେ ସୋମବାର ସନ୍ଧ୍ୟାରେ ୧୭ ବର୍ଷର ବାଳକକୁ ହତ୍ୟା କରାଯାଇଥିଲା । ହତ୍ୟାର ୨୪ ଘଣ୍ଟା ଭିତରେ କମିଶନରେଟ୍ ପୋଲିସ ମଙ୍ଗଳବାର ହତ୍ୟା ମାମଲା ଉପରୁ ପରଦା ଉଠାଇଥିଲା । ମୃତ ଅରମାନଙ୍କ ଜଣେ ନାବାଳକ ସାଙ୍ଗଙ୍କୁ ପୋଲିସ ଗିରଫ କରିଛି ।

Tiktok Video Friend Plotting Love Triangle Jalandhar Punjab

ଅଶୋକ କୁମାର ପୋଲିସକୁ କହିଛନ୍ତି- ତାଙ୍କ ପୁତୁରା ଅରମାନ ଛାବନି କେଭି-୪ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପଢ଼େ । ଅରମାନର ବାପା ଫ୍ରାନ୍ସରେ ରୁହନ୍ତି । ତାଙ୍କ ମାଆ ହିମାଚଳ ପ୍ରଦେଶ ଯାଇଥିଲେ । ପୋଲିସ ଏହି ମାମଲରେ ବିସ୍ତୃତ ଯାଞ୍ଚ ପରେ କିଶୋରକୁ ଗିରଫ କରିଛି । ଯିଏକି ଅରମାନଙ୍କ ସାଙ୍ଗ ।

Tiktok Video Friend Plotting Love Triangle Jalandhar Punjab

ପୋଲିସ କମିଶନର ଗୁରପ୍ରୀତ ସିଂହଙ୍କ ଅନୁସାରେ, ଅରମାନ ଓ ତାଙ୍କ ଅଭିଯୁକ୍ତ ସାଙ୍ଗ ଏକାଠି ପଢ଼ୁଛିଲେ । ଜଣେ ନାବାଳିକା ଝିଅକୁ ଅରମାନଙ୍କ ବନ୍ଧୁତା ଥିଲା । ସେହି ଝିଅକୁ ହିଁ ଭଲପାଇ ବସିଥିଲା ଅଭିଯୁକ୍ତ ସାଙ୍ଗ । ଆଉ ଇର୍ଷାରେ ଘଟିଲା ଏଭଳି ହତ୍ୟାକାଣ୍ଡ ।

Tiktok Video Friend Plotting Love Triangle Jalandhar Punjab

ଇର୍ଷା ଯୋଗୁଁ ଅରମାନର ସାଙ୍ଗ ପୂରା ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା । ଅଭିଯୁକ୍ତ ଅରମାନ ଉପରେ କ୍ରିକେଟ ବ୍ୟାଟରେ ଆକ୍ରମଣ କରିଥିଲା । ପରେ ତଣ୍ଟିକୁ କାଟି ଦେଇଥିଲା । ହତ୍ୟା ପୂର୍ବରୁ ଦୁହେଁ ଟିକଟକ୍ ଭିଡିଓ ପ୍ରସ୍ତୁତ କରିଥିଲେ । ପରେ ଅରମାନଙ୍କୁ ହତ୍ୟା କରିଥିଲା ସାଙ୍ଗ । ଅଶୋକଙ୍କ ଅଭିଯୋଗ ପରେ ପୋଲିସ ଆଇପିସି ଧାରା ୩୦୨, ୩୪ରେ ମାମଲା ରୁଜୁ କରିଛି ।

ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାରଙ୍କର ନୂଆ ଗାଇଡଲାଇନ୍, ଖୋଲିବନି ସ୍କୁଲ-କଲେଜ

ଭୁବନେଶ୍ୱର: ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାରଙ୍କର ନୂଆ ଗାଇଡଲାଇନ୍ । କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଅନ୍‌ଲକ୍‌ ୫.୦ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିବା ବେଳେ ଗୁରୁବାର ଓଡ଼ିଶା ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି ।

ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ:-

୧.ରାଜ୍ୟରେ ଅକ୍ଟୋବର ମାସରେ ଧାର୍ମିକ ସ୍ଥଳୀ, ସ୍କୁଲ ଓ କଲେଜ ବନ୍ଦ ରହିବ

୨.ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ

୩.ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ନାହିଁ

୪.ଉପ-ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ଅନୁଯାୟୀ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ

୫.ସିନେମା ହଲ୍, ସୁଇମିଂ ପୁଲ୍ ଓ ଥିଏଟର ପୂର୍ବ ଭଳି ବନ୍ଦ ରହିବ

୬.ସର୍ବସାଧାରଣ ସ୍ଥାନରେ ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ୬ ଫୁଟର ଦୂରତା ରହିବ

୭.ଅନ୍ତରାଜ୍ୟ ଓ ଆନ୍ତଃରାଜ୍ୟ ଗମନାଗମନ କଟକଣା ମୁକ୍ତ

୮.ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ଅନୁମତି

୯. ଅକ୍ଟୋବର ୧୫ରୁ ସରକାରୀ ସ୍ୱୀକୃତିପ୍ରାପ୍ତ ସୁଇମିଂ ପୁଲ୍ ଖେଳାଳି ନିମନ୍ତେ ଖୋଲା ରହିବ ।

ନାରୀ ସୁରକ୍ଷା କ’ଣ ଥିଲା ଯୋଗୀଙ୍କ ନିର୍ବାଚନୀ ଧୂଆଁବାଣ ?

ନୂଆଦିଲ୍ଲୀ, ଉତ୍ତର ପ୍ରଦେଶରେ ଏ କଣ ଚାଲିଛି ।  ହାଥରସ ଲଜ୍ଜା ପରେ ବ୍ୟବସ୍ଥାକୁ ପଚାରୁଛି ପ୍ରଶ୍ନ ପରେ ପ୍ରଶ୍ନ । ରାମ ରାଜ୍ୟରେ ଚାଲିଛି କି ରାବଣ ରାଜ । ନାରୀ ସୁରକ୍ଷା ନାଁରେ ମହିଳାଙ୍କ ସୁରକ୍ଷା ୟୁପିରେ ପ୍ରହସନରେ ପରିଣତ ହେବାରେ ଲାଗିଛି । ୟୁପିରେ ଘଟି ଯାଇଥିବା ଏହି ଘଟଣା ଦିଲ୍ଲୀର ନିର୍ଭୟା କାଣ୍ଡଠାରୁ ମଧ୍ୟ ହୃଦୟ ବିଦାରକ । କେବଳ ହାଥରସ ନୁହେଁ , ସେହି ୟୁପିର ବଳରାମପୁରରୁ ଆସିଛି ମଧ୍ୟ ଦୁଷ୍କର୍ମର ଆଉ ଏକ ଖବର । ଅର୍ଥାତ ହାସରଥର ପୀଡିତା ଯେତେବେଳେ ଜୁଇରେ ଜଳୁଥିଲା, ସେ ସମୟରେ ବଳରାମପୁର ଆଉ ଜଣେ ନାରୀର ସର୍ବସ୍ୱ ଲୁଟି ଚାଲିଥିଲେ କିଛି ନରରାକ୍ଷସ । ଏତେ ସବୁ ପରେ ଚେତୁ ନାହାନ୍ତି ଯୋଗୀ ସରକାର । ଏକ ସମୟରେ ଦୁଇ ସାଘାଂତିକ ଘଟଣା । ହେଲେ ବ୍ୟବସ୍ଥା ଏଠି ବିରୋଧୀ ସ୍ୱରକୁ ଚପାଇବାକୁ ଉଦ୍ୟମରେ ନିମଗ୍ନ । ସତେ ଯେମିତି କ୍ଷମତାର ନିଶାରେ ମତୁଆଲା ପାଲଟିଯାଇଛି ଯୋଗୀ ସରକାର । ରାସ୍ତାଘାଟରେ ମା, ଭଉଣୀଙ୍କ ଇଜ୍ଜତ ଲୁଟ୍ ହେଉଥିବା ବେଳେ ଲକ୍ଷ୍ମୌର ଶୀତତାପ ନିୟନ୍ତ୍ରିତ କକ୍ଷରେ ସୁରକ୍ଷିତ ରହିଛି ଯୋଗୀ ସରକାର ।

ସଶକ୍ତ ନେତା ବୋଲାଉଥିବା ଯୋଗୀ ଦୁଷ୍କର୍ମ ପରବର୍ତ୍ତୀ ନ୍ୟାୟର ପ୍ରକ୍ରିୟାକୁ ତ୍ୱରାନିତ କରିବା ପରିବର୍ତ୍ତେ ବିରୋଧୀଙ୍କ ସ୍ୱରକୁ ପ୍ରଶମିତ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ପ୍ରମୁଖଙ୍କୁ ପୀଡିତଙ୍କ ପରିବାରକୁ ଭେଟିବାକୁ ଦିଆଗଲା ନାହିଁ । ଅନୁରୂପଭାବେ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତା, ବହୁଜନ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଆନ୍ଦୋଳନର ବିରତ କରାଗଲା । ସବୁ ସ୍ଥାନରେ ୟୁପି ପୋଲିସକୁ ଜନତାଙ୍କ ଆକ୍ରୋଶକୁ ଦମନ କରିବାକୁ କୁହାଗଲା । ୨୦୧୭ରେ ଯେତେବେଳେ ୟୁପି ନିର୍ବାଚନ ହୋଇଥିଲା, ସେ ସମୟରେ ସମସ୍ତ ବିଜେପି ନେତା ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ପ୍ରମୁଖ ପ୍ରସଙ୍ଗ କରିଥିଲେ । ସେ ସମୟରେ କ୍ଷମତାସୀନ ଥିବା ସମାଜବାଦୀ ପାର୍ଟି ଏବଂ ପୂର୍ବରୁ ଶାସନ କରିଥିବା ବିଏସପି ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ । ୨୦୧୭ରେ ବିଜେପି ପକ୍ଷରୁ  ମଞ୍ଚରୁ ପଚରାଯାଇଥିଲା  ”କ୍ୟା କାରଣ ହୈ, ଉତ୍ତର ପ୍ରଦେଶ କି ବେଟୀ ସଲାମତ ନେହିଁ ହୈ ? ସେହି ସମାନ ପ୍ରଶ୍ନ ଏବେ ଜନତା ବିଜେପି ସରକାରକୁ ପଚାରୁଛି ।

ସେହିପରି ସ୍ମୃତି ଇରାନୀ ଏକଦା ଉତ୍ତର ପ୍ରଦେଶର ଆଇନକାନୁନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଉଥିଲେ । ଟୁଇଟ ପରେ ଟୁଇଟ କରି ପ୍ରତିପକ୍ଷକୁ ଟ୍ରୋଲ କରୁଥିଲେ । ହେଲେ କ୍ଷମତାସୀନ ହେବା ପରେ ଘଟଣା ସମ୍ପର୍କରେ ପଦେ ବି ମନ୍ତବ୍ୟ ଦେବାକୁ ଉଚିତ ମଣିନାହାନ୍ତି । ବିଭିନ୍ନ ସମୟରେ ସେ ସମୟରେ ଶାସକଙ୍କୁ ପ୍ରଶ୍ନ କରିଥିବା ସ୍ମୃତି ଇରାନୀଙ୍କ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

୨୦୧୭ରୁ ୨୦୨୦ କ୍ଷମତା ରହିଥିବା ଯୋଗୀ ସରକାର କଣ ନାରୀ ବିରୋଧୀ ହିଂସାର ପ୍ରକୃତ କାରଣ ବୁଝିବାରେ ଅସମର୍ଥ । ନା କଙ୍କଡାକୁ ଗୋଳିଆ ପାଣି ସୁହାଇବାକୁ ଭଳି ଏହି ଘଟଣାରୁ ଭବିଷ୍ୟତର ଭୋଟ ବିଭାଜନର ବାଟ ଫିଟାଇବାରେ ବ୍ୟସ୍ତ । କଣ ପୂର୍ବରୁ ମିଛ ପ୍ରତିଶ୍ରୁତି ଦେଇ କେବଳ ଲକ୍ଷ୍ମୌର ଗାଦି ଆସନ କରିବାକୁ ଚାହୁଁଥିଲେ ଯୋଗୀ । ସେହି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ପ୍ରକୃତ ଉଦ୍ଦେଶ୍ୟ କେମିତି ସାଧିତ ହେବ, ଯଦି ଆମେ ନାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିପାରିବା ନାହିଁ । ସ୍ୱପ୍ନର ପରିକଳ୍ପନା କିପରି ବାସ୍ତବରୂପ ନେବ , ଯଦି ନରରୂପୀ ସୀତାଙ୍କୁ ସମାଜ ମର୍ଯ୍ୟାଦା ନ ଦେବ ।

Hathras Gang Rape Victim's Father Unhappy With Probe, Demands CBI Investigation

କେବଳ ସେତିିକି ନୁହେଁ, ସ୍ଥାନୀୟ ପ୍ରଶାସନିକଙ୍କ ବ୍ୟବହାର ପୀଡିତା ପରିବାରର ଅପୂରଣୀୟ କ୍ଷତରେ ଚୂନ ମାରିବା ସଦୃଶ ହୋଇଛି । ପ୍ରଶାସନିକ ଅଧିକାରୀ ପ୍ରବୀଣ କୁମାର ଲକ୍କରଙ୍କ ନାଁରେ ପୀଡ଼ିତାଙ୍କ ଭାଉଜ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଜିଲ୍ଲାପାଳ ତାଙ୍କ ଶ୍ୱଶୁର ଅର୍ଥାତ୍ ପୀଡ଼ିତାଙ୍କ ବାପାଙ୍କୁ କହିଛନ୍ତି- ‘ତୁମ ଝିଅ ଯଦି କରୋନାରେ ମରିଥାନ୍ତା ତ ତୁମକୁ ସହାୟତା ଟଙ୍କା ମିଳିଥାନ୍ତା ।’ ଏଥିସହ ସୋସିଆଲ୍ ମିଡିଆରେ ବୁଲୁଥିବା ଜିଲ୍ଲାପାଳ ଓ ପୀଡ଼ିତାଙ୍କ ବାପାଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଭିଡିଓ ପ୍ରଶାସନ ଉପରେ ସନ୍ଦେହ ସୃଷ୍ଟି କରିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓରେ ଜିଲ୍ଲାପାଳ ପୀଡ଼ିତାଙ୍କ ବାପାଙ୍କୁ କହୁଛନ୍ତି- ଆପଣ ଆପଣଙ୍କ ବିଶ୍ୱନୀୟତାକୁ ହରାନ୍ତୁ ନାହିଁ । ଆଉ ମିଡିଆ ଆଜି ଅଧା ପଳାଇଛନ୍ତି ଆଉ କାଲି ଅଧା ପଳାଇବେ । ଆମେ ଆପଣଙ୍କ ସହିତ ଅଛୁ, ଆପଣଙ୍କ ଇଚ୍ଛା ଆପଣ ବାରମ୍ବାର ବୟାନ ବଦଳାଇବେ କି ନାହିଁ । ଆମେ ବି ବଦଳି ଯିବୁ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି । ଏହି କଥା ଦୁଇପଦ ସେ ଦଳିତ ପରିବାର ପ୍ରତି ନିରୋଳା ଉପହାସ ନୁହେଁ ତ ଆଉ କ’ଣ ।

ହାଥରସ୍ ପୀଡ଼ିତାଙ୍କ ବାପାଙ୍କୁ ଜିଲ୍ଲାପାଳ କହିଲେ, ତମ ଝିଅ ଯଦି କରୋନାରେ ମରିଥାନ୍ତା ?

 

 

ପୁରୀ ପରେ ଭୁବନେଶ୍ୱର ରାମ ମନ୍ଦିର ଭିକାରୀଙ୍କୁ ଥଇଥାନ ଯୋଜନା..

ଭୁବନେଶ୍ୱର: ସ୍ମାର୍ଟସିଟି ହେବ ଭିକାରୀ ମୁକ୍ତ । ବଡଦାଣ୍ଡ ଢାଞ୍ଚାରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ମନ୍ଦିର ଅଞ୍ଚଳରୁ ଭିକାରୀଙ୍କୁ କରାଯିବ ଥଇଥାନ । ପ୍ରଥମ ପର୍ଯ୍ୟାୟରେ ରାମ ମନ୍ଦିର ଅଞ୍ଚଳକୁ ଭିକାରୀ ମୁକ୍ତ ପାଇଁ ଘୋଷଣା କରିଛି ବିଏମ୍‌ସି । ଭିକାରୀଙ୍କୁ କେବଳ ବାରଣ କରାଯିବନି ବରଂ ସେମାନଙ୍କୁ ଚିହ୍ନଟ କରି ବିଭିନ୍ନ ଆଶ୍ରୟ ସ୍ଥଳରେ ଥଇଥାନ କରାଯିବ ।

Ram Mandir Bhubaneswar

ଏନେଇ ରାମ ମନ୍ଦିର ଟ୍ରଷ୍ଟି କର୍ମକର୍ତ୍ତାଙ୍କୁ ଅବଗତ କରାଯାଇଛି । ହୋର୍ଡିଂ ଓ ବ୍ୟାନର ମାଧ୍ୟମରେ ସଚେତନ କରିବେ ଟ୍ରଷ୍ଟି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଆଧାରରେ ବିଏମ୍‌ସି ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ମନ୍ଦିର ନିକଟରେ ଥିବା ୨ଟି ସହରାଞ୍ଚଳ ଆଶ୍ରୟସ୍ଥଳୀରେ ଭିକ୍ଷୁକଙ୍କୁ ଥଇଥାନ କରାଯାଉଛି । ଇତି ମଧ୍ୟରେ ମନ୍ଦିର ନିକଟରୁ ଏକାଧିକ ଭିକ୍ଷୁକଙ୍କୁ ଉଦ୍ଧାର କରି ବିଭିନ୍ନ ଆଶ୍ରୟସ୍ଥଳରେ ରଖାଯାଇଛି । ସେଠାରେ ସେମାନଙ୍କୁ ଖାଦ୍ୟ, ପାନୀୟ, ପରାମର୍ଶ, ପରିଧାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଭଳି ସମସ୍ତ ବ୍ୟବସ୍ଥା କରାଯାଇଛି ।

Ram Mandir Bhubaneswar

ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି କରିଥାନ୍ତି ଭିକ୍ଷୁକ । ତେବେ କୋଭିଡ୍ କଟକଣା ଯୋଗୁଁ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବା ଫଳରେ ସେମାନେ ରୋଜଗାର ହରାଇଛନ୍ତି । କିନ୍ତୁ ଭିକ୍ଷାବୃତ୍ତିକୁ ଅର୍ଥ ରୋଜଗାରର ଏକ ସହଜ ମାଧ୍ୟମ ଭାବେ ଗ୍ରହଣ କରି କିଛି ଯୁବକ ଅନେକ ସମୟରେ ଭକ୍ତ ତଥା ପର୍ଯ୍ୟଟକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ନଜିର ରହିଛି । ତେଣୁ ବିଏମସିର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ମନ୍ଦିର ପରିଚାଳକ । ସେପଟେ ଆଶ୍ରୟ ସ୍ଥଳକୁ ଯିବାକୁ ମଙ୍ଗୁନାହାନ୍ତି ଭିକ୍ଷୁକ । ସେଠାରେ ଅର୍ଥ ଉପାର୍ଜନର ସମସ୍ୟା ସହିତ ନିଶାସେବନ ସମ୍ଭବପର ହେଉନଥିବା କହିଛନ୍ତି ।

ଭିକାରୀଙ୍କୁ କେବଳ ଥଇଥାନ କରାଯିବ ତାହା ନୁହେଁ ବରଂ ସେମାନଙ୍କ ପାଇଁ ଆତ୍ମନିଯୁକ୍ତି କରିବାର ପନ୍ଥା ମଧ୍ୟ ଯୋଗାଇ ଦେବାକୁ ଯୋଜନା ରଖିଛି ବିଏମ୍‌ସି ।

ବଢ଼ିଲା କଟକଣା, ଆହୁରି ମାସେ ପର୍ଯ୍ୟନ୍ତ ବାହାର ଜିଲ୍ଲା ଲୋକଙ୍କ ଶବଦାହ ମନା

ପୁରୀ: ବଢ଼ିଲା କଟକଣା । ଆହୁରି ମାସେ ପର୍ଯ୍ୟନ୍ତ ପୁରୀ ବାହାର ଜିଲ୍ଲା ଲୋକଙ୍କ ଶବଦାହ ମନା । ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଶବ ଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ନକରିବା ନେଇ ପ୍ରଶାସନ ପକ୍ଷରୁ କରାଯାଇଥିବା କଟକଣାକୁ ଆଉ ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅକ୍ଟୋବାର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ପୁଣି ଲାଗୁ କରାଯାଇଛି । ପୁରୀ ଜିଲ୍ଲାର ସମସ୍ତ ତହସିଲଦାର ଓ ପୋଲିସ ଅଧିକାରୀଙ୍କୁ ବାହାର ରାଜ୍ୟ କିମ୍ବା ବାହାର ଜିଲ୍ଲାରୁ ମୃତଦେହ ନେଇ ନେଇ ପୁରୀ ସ୍ୱର୍ଗଦ୍ୱାର ଆସୁଥିବା ଗାଡ଼ି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାର ଜିଲ୍ଲାରୁ ମୃତଦେହ ନେଇ ଆସୁଥିବା କୌଣସି ବି ଗାଡ଼ିକୁ ପୁରୀ ଭିତରକୁ ନଛାଡ଼ିବାକୁ କୁହାଯାଇଛି ।

ତେବେ ଏହା ପୂର୍ବରୁ ମଧ୍ୟ ଥରେ ଏକ ମାସ ପାଇଁ ଏହି କଟକଣାକୁ ବୃଦ୍ଧି କରାଯାଇଥିଲା । କରୋନା କାଳରେ ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ଅଧିକାଂଶ ଲୋକ ପ୍ରାୟତଃ ପୁରୀ ସ୍ୱର୍ଗଦ୍ୱାରରେ ଆତ୍ମୀୟ ସ୍ୱଜନଙ୍କ ଶବ ସତ୍କାର ତଥା ମହୋଦଧିରେ ଅସ୍ଥି ବିସର୍ଜନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ହେଲେ କରୋନା ଭଳି ବିଷମ ପରିସ୍ଥିତିରେ ଏହି ସବୁକୁ ବାରଣ କରାଯାଇଛି ।

କରୋନା ପରିସ୍ଥିତି ସୁଧୁରିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ ଅନୁମତି ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ପୂର୍ବରୁ କହିଥିଲେ ।