spot_img
Home Blog Page 6389

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୭୭୮ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଆଉ ୭୭୮ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୪୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ୩୩୨ ଲୋକାଲ କେସ ରହିଛି । ଆଉ ୧୭ ଜୀବନ ନେଇଛି ମହାମାରୀ । ଅନୁଗୁଳରୁ ସର୍ବାଧିକ ୬୮ ଆକ୍ରାନ୍ତ ଚିହନ୍ଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୬୪, ଖୋର୍ଦ୍ଧାରୁ ୬୧, ବାଲେଶ୍ୱରରୁ ୬୧, ମୟୂରଭଞ୍ଜରୁ ୫୮, କଟକରୁ ୫୪,

କେନ୍ଦୁଝରରୁ ୫୩, ସମ୍ବଲପୁର ଓ ଜଗତସିଂହପୁରରୁ ୪୦ଜଣ ଲେଖାଏଁ ସଂକ୍ରମିତ ଚିହନ୍ଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୩୨୩ରେ ପହଞ୍ଚିଛି । ସେମଧ୍ୟରୁ ୩ ଲକ୍ଷ ୩ ହଜାର ୮୯୭ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ, ଏବେବି ୭ ହଜାର ୭୪୮ ସକ୍ରିୟ ମାମଲା ରହିଛି ।

ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀର ଏଟିଏମ୍‌, ଶାବଳରେ ତାଡ଼ୁଥିବା ବେଳେ ଧରିଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି ଏଟିଏମ୍‌ ଲୁଟେରାଙ୍କ ଆତଙ୍କ । ଗୋଟିଏ ପରେ ଗୋଟିଏ ଏଟିଏମ୍‌କୁ ଟାର୍ଗେଟ କରୁଛନ୍ତି ଲୁଟେରା । ଆଗି ପୁଣି ରାଜଧାନୀରେ ଆଉଥରେ ଏଟିଏମ୍‌  ଲୁଟ୍ ପାଇଁ ଟାର୍ଗେଟରେ ଥିଲା ଏଟିଏମ୍‌ ।

ଝାରପଡ଼ା କଟକ ରୋଡ ଅଞ୍ଚଳରେ ଏଟିଏମ୍‌ ଲୁଟ ବେଳେ ଉଦ୍ୟମ ପଣ୍ଡ ହୋଇଛି । ୫ ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ ।

ଏଟିଏମ୍‌କୁ ଶାବଳ ଦ୍ଵାରା  ତାଡୁ ଥିବା ବେଳେ ରେଡ ହ୍ୟାଣ୍ଡରେ ଧରିଲା ଲକ୍ଷ୍ମୀସାଗର ଥାନା ପୁଲିସ । ଅଭିଯୁକ୍ତକୁ ପଚରାଉଚରା ପରେ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ବସ୍ତି ଅଞ୍ଚଳର ପୋଲିସ ସନ୍ଦେହ କରୁଛି । ପୂର୍ବରୁ କ୍ରାଇମ ରେକର୍ଡ ଯାଞ୍ଚ କରୁଛି ପୋଲିସ ବୋଲି  ଭୁବନେଶ୍ଵର ଡିସିପି ସୂଚନା ଦେଇଛନ୍ତି ।

ଜାନୁଆରୀ ୨ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ଦକ୍ଷିଣ ଭାରତକୁ ଦର୍ଶନ ଯାତ୍ରା

ଭୁବନେଶ୍ୱର: ଦକ୍ଷିଣ ଭାରତ ମନ୍ଦିର ମାଳିନୀ ଦର୍ଶନ ଯାତ୍ରା ଜାନୁଆରି ୨ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ । ଭୁବନେଶ୍ୱରରୁ ଦକ୍ଷିଣ ଭାରତକୁ ଆଇଆରସିଟିସି ଦ୍ୱାରା ଏହି ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍ ବାହାରିବ । ରାମେଶ୍ୱରମ, ମଦୁରାଇ ଏବଂ ତିରୁପତି ମନ୍ଦିର ସହିତ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଭ୍ରମଣ ପାଇଁ ଭାରତ ଦର୍ଶନ ପ୍ୟାକେଜର ଏହା ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍ ।

ଏଥିପାଇଁ ସମସ୍ତ COVID-19 ସତର୍କତା ଅବଲମ୍ବନ କରାଯିବ । ହୋଟେଲ ଓ ଧର୍ମଶାଳାର ସାନିଟାଇଜେସନ୍, ଲଗେଜ ସାନିଟାଇଜେସନ, ଥର୍ମାଲ୍ ସ୍କ୍ରିନିଂ ଦ୍ୱାରା ତାପମାତ୍ରା ଯାଞ୍ଚ, ମାସ୍କ ସହିତ କୋଭିଡ୍ କିଟ୍ ଯୋଗାଇ ଦିଆଯିବ । ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରୀକାକୁଲମ୍, ବିଜୟନଗରମ, ବିଶାଖାପାଟଣା ଓ ବିଜୟୱାଡାଠାରେ ବୋର୍ଡିଂ ପଏଣ୍ଟ ରଖାଯାଇଛି ।

ସାଧାରଣ ଲୋକ ପାଇଁ ଅତି ସୁଲଭ ମୂଲ୍ୟରେ ଦକ୍ଷିଣ ଭାରତର ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥାନଗୁଡ଼ିକ ପରିଦର୍ଶନ କରିବା ନିମନ୍ତେ ଏହା ଅତି ବିରଳ ସୁଯୋଗ । କେବଳ ୮ ହଜାର ୮୫ ଟଙ୍କା ମୂଲ୍ୟରେ ୭ ରାତି ଏବଂ ୮ ଦିନ ପାଇଁ ଏହି ବ୍ୟବସ୍ଥା କରାଯାଇଛି ।

ପୁରୀ ହାଜତ ମୃତ୍ୟୁ ମାମଲାରେ ପୋଲିସ ରଖିଲା ପକ୍ଷ, ଅନ୍ତିମ ସଂସ୍କାରରେ ଉପସ୍ଥିତ ଥିଲେ ପରିବାର ଲୋକ

ପୁରୀ: ପୁରୀ ହାଜତ ମୃତ୍ୟୁ ଅଭିଯୋଗ ଘଟଣା । ଅନ୍ତିମ ସଂସ୍କାରରେ ପରିବାରଲୋକ ସାମିଲ ନହେବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୁରୀ ଏସପିଙ୍କ କାର୍ଯ୍ୟାଳୟ । ସ୍ୱର୍ଗଦ୍ୱାରରେ କେ ରମେଶଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଅନ୍ତିମ ସଂସ୍କାରରେ ରମେଶଙ୍କ ବାପା ସାମିଲ ଥିଲେ ବୋଲି ଏସପି କାର୍ଯ୍ୟାଳୟ ଟ୍ୱିଟ କରି କହିଛନ୍ତି ।

ଏହାସହ ରମେଶଙ୍କ ଦାଦା କେ ଆର୍ଯ୍ୟ ମଧ୍ୟ ସାମିଲ ହୋଇଥିଲେ ଅନ୍ତିମ ସଂସ୍କାରରେ । ଶବ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟ ଉପସ୍ଥିତ ରହି ଡାକ୍ତରଖାନାରୁ ମୃତଦେହକୁ ଗ୍ରହଣ କରିଥିଲେ ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି ପୁରୀ ଏସପି କାର୍ଯ୍ୟାଳୟ ।

ମିଳିଲା ପ୍ରମାଣ: ନଗରୋଟାରେ ନିହତ ଆତଙ୍କବାଦୀଙ୍କୁ ପାକିସ୍ତାନରୁ ଦିଆଯାଉଥିଲା ନିର୍ଦ୍ଦେଶ

ନାଗରୋଟା: ଗୁରୁବାର ଦିନ ଜାମ୍ମୁର ନାଗରୋଟାରେ ଏନକାଉଣ୍ଟରରେ ନିହତ ହୋଇଥିବା ସମସ୍ତ ଚାରି ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ସଂଗଠନର ଥିଲେ । ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ଏହି ସମସ୍ତ ଆତଙ୍କବାଦୀଙ୍କୁ ନିର୍ବାଚନ ସମୟରେ ଏକ ବଡ଼ଧରଣର ଆକ୍ରମଣ ଉଦ୍ଦେଶ୍ୟରେ ପଠାଯାଇଥିଲା । ପାକିସ୍ତାନରେ ଥିବା ଜୈଶ ମସୁଦ ଅଜହରର ଭାଇ ରଓଫ ଲାଲା ସହ ଲଗାତାର ଯୋଗାଯୋଗରେ ଥିଲେ । ଗୁଇନ୍ଦା ବିଭାଗ କହିଛି ଯେ, ଯେତେବେଳେ ଆତଙ୍କବାଦୀଙ୍କ ଏନକାଉଣ୍ଟର କରାଯାଉଥିଲା ସେତେବେଳେ ମଧ୍ୟ ରଓଫ ଲାଲା ଏହି ସମସ୍ତ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଉଥିଲେ।

ଏସମ୍ପର୍କିତ ପ୍ରମାଣ ଏବେ ଗୁଇନ୍ଦା ବିଭାଗକୁ ମିଳିସାରିଛି । ଜୈଶର ଏହି ଆତଙ୍କବାଦୀଙ୍କୁ ପାକିସ୍ତାନରୁ ପଠାଯାଇଛି ଏବଂ ସେଠାରୁ ନିର୍ଦ୍ଦେଶ ମଧ୍ୟ ଦିଆଯାଉଥିଲା । ଗୁଇନ୍ଦା ବିଭାଗ ଆତଙ୍କବାଦୀଙ୍କ ନିକଟରୁ ପାକିସ୍ତାନୀ କମ୍ପାନୀର ଡିଜିଟାଲ ମୋବାଇଲ୍ ରେଡିଓ (ଡିଏମଆର) ଜବତ କରିଛି। କେବଳ ଏତିକି ନୁହେଁ, ଆତଙ୍କବାଦୀଙ୍କଠାରୁ ମିଳିଥିବା ମୋବାଇଲର ମେସେଜ ଦେଖିବା ପରେ ଏହା ସ୍ପଷ୍ଟ ହୋଇଥିଲା ଯେ ଆତଙ୍କବାଦୀମାନେ ପାକିସ୍ତାନରେ ବସିଥିବା ମାଷ୍ଟରମାଇଣ୍ଡଙ୍କ ସହ ନିରନ୍ତର ଯୋଗାଯୋଗ ରହୁଥିଲେ । ଏହି ମେସେଜ ପାକିସ୍ତାନର ଶାକରଗଡ଼ରୁ ପଠାଯାଇଛି।

ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ଡିଜିଟାଲ୍ ମୋବାଇଲ ରେଡିଓକୁ ପାକିସ୍ତାନ କମ୍ପାନୀ ମାଇକ୍ରୋ ଇଲେକ୍ଟ୍ରୋନିକ୍ସ ଦ୍ୱାରା ନିର୍ମିତ । ଏହି ମେସେଜ ଦେଖିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ପାକିସ୍ତାନ ପୁଣି ଥରେ ଭାରତରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କରୁଛି । ଏହାସହ ଆତଙ୍କବାଦୀଙ୍କ ଜୋତା ମଧ୍ୟ ପାକିସ୍ତାନର କରାଚିରେ ତିଆରି ହୋଇଥିବା ଜଣାପଡ଼ିଛି । ଏହାସହ ଏକ ଓୟାରଲେସ୍ ସେଟ ଏବଂ ଏକ ଜିପିଏସ୍ ଡିଭାଇସ୍ ମଧ୍ୟ ଜବତ କରାଯାଇଛି, ଯାହାର ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ସମସ୍ତ ଉପକରଣ ପାକିସ୍ତାନରୁ ଆସିଛି।

କିଛି ଦିନ ପୂର୍ବେ ଶକରଗଡ଼ରେ ଥିଲା ରଓଫ ଲାଲା

ସୂଚନା ଅନୁଯାୟୀ, ରଓଫ ଲାଲା କିଛି ଦିନ ପୂର୍ବରୁ ଜାମ୍ମୁର ସାମ୍ବାରେ ଏବଂ ପାକିସ୍ତାନର ଶକ୍କରଗଡର ଦେଖାଯାଇଥିଲା। ଜାନୁଆରୀ ୩୧ରେ ମଧ୍ୟ ରଓଫ ଲାଲା ଏହିଭଳି ଭାବେ ଆତଙ୍କବାଦୀଙ୍କୁ ପ୍ରବେଶ କରାଇବାକୁ ଷଡଯନ୍ତ୍ର କରିଥିଲା, କିନ୍ତୁ ସୁରକ୍ଷା ବାହିନୀ ତାଙ୍କୁ ଏକ ଟୋଲ ପ୍ଲାଜା ନିକଟରେ ନିହତ କରିଥିଲେ।

ଆତଙ୍କବାଦୀଙ୍କ ନିକଟରୁ 11 AK 47 ରାଇଫଲ

ନିହତ ହୋଇଥିବା ଜୈଶ ଆତଙ୍କବାଦୀଙ୍କ ଠାରୁ 11 AK 47 ରାଇଫଲ, ୨୯ଟି ହ୍ୟାଣ୍ଡ ଗ୍ରେନେଡ ଏବଂ ତିନୋଟି ବନ୍ଧୁକ ଜବତ କରାଯଇଥିଲା ।

ସ୍କୁଲ ବନ୍ଦ ପ୍ରସଙ୍ଗ: ସ୍କୁଲ ବନ୍ଦ ନୁହେଁ, ଗୁଣାତ୍ମକ ଶିକ୍ଷା ପ୍ରଦାନ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର: ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ବାରମ୍ବାର ହୋହଲ୍ଲା ଓ ହଟ୍ଟଗୋଳ । ପୁରୀ ହାଜତ ମୃତ୍ୟୁ ମାମଲା ସହିତ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି ବୃଦ୍ଧି ପାଇଛି । ରାଜ୍ୟରେ ୧୪ ହଜାର ସ୍କୁଲ ବନ୍ଦ କରିବାକୁ ପ୍ରସ୍ତାବ ଥିବା ନେଇ ବିରୋଧୀ ଦଳ ହଙ୍ଗାମା କରିଥିଲେ । ତେବେ ସରକାରୀ ପକ୍ଷର କହିବା ଥିଲା ଯେ, ସ୍କୁଲ ବନ୍ଦ ପାଇଁ ସରକାର କୌଣସି ନଷ୍ପତ୍ତି ନେଇ ନାହାନ୍ତି ।

ବିରୋଧୀ ଦଳର ଅଭିଯୋଗ ଉପରେ ଉତ୍ତର ରଖି ବିଜେଡି  ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ସରକାର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇନାହାନ୍ତି । ବ୍ଲକ୍‌ ସ୍ତରରେ କମିଟି ଗଠନ କରାଯଇଛି, ସେମାନେ ନିଷ୍ପତ୍ତି ନେବେ । ହଠାତ ସରକାର ସ୍କୁଲ ବନ୍ଦ କରିବେ ନାହିଁ । ସରକାର ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛନ୍ତି ବୋଲି ଦେବୀ  ମିଶ୍ର କହିଥିଲେ ।

ସେପଟେ  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ ଯେ,  ସ୍କୁଲ ବନ୍ଦ କରିବା ନୁହେଁ ଛାତ୍ରଛାତ୍ରୀ ଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ।ରାଜ୍ୟରେ ୧୪ହଜାର ସ୍କୁଲ ନୁହେଁ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି୭୭୭୨ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ହୋଇଥିବା ସର୍ବଦଳୀୟ ବୈଠକର ନିଷ୍ପତି ଅନୁସାରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ତାହା କାର୍ଯ୍ୟକାରୀ କରାଯିବ। ତେବେ କୌଣସି ଛାତ୍ରଛାତ୍ରୀ ଯେମିତି ଡ୍ରପଆଉଟ ନ ହୁଅନ୍ତି ତାକୁ ଆଖି ଆଗରେ ରଖି ବହୁ ଆଗରୁ ନିଷ୍ପତ୍ତି ନିଆଯାଇଛି। ଆଗକୁ ସ୍କୁଲରେ ଶ୍ରେଣୀ ଶିକ୍ଷକ ରହୁଥିଲେ। କିନ୍ତୁ ପିଲା କମ୍ ପାଇଁ ଶ୍ରେଣୀ ଶିକ୍ଷକ ଦେବା ସମ୍ଭବ ହେଉନାହିଁ। ଗୋଟିଏ ସ୍କୁଲରେ ଯଦି ଏକା ସାଙ୍ଗରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବସନ୍ତି ତେବେ ଶିକ୍ଷକ ପାଠ ପଢେଇବା ଅସୁବିଧା ହେବ। ଏସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବାର ଉଦେଶ୍ୟ ରାଜ୍ୟ ସରକାରଙ୍କ ର ନୁହେଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସରକାରଙ୍କ ଲକ୍ଷ୍ୟ ।

ତେବେ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ଗୃହରେ ବିରୋଧୀଙ୍କ ହଟ୍ଟଗୋଳର ପ୍ରଥମେ ୧୫ ମିନିଟ୍ ପରେ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ସ୍କୁଲ ବନ୍ଦ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଥିଲେ, ଶିକ୍ଷା ହେଉଛି ସମସ୍ତଙ୍କ ମୌଳିକ ଅଧିକାର । ସରକାର ନିର୍ଦ୍ଦେଶ ଦିଅନ୍ତୁ, ଏସବୁ ବନ୍ଦ ନହେଉ । ଆବଶ୍ୟକ ପଦକ୍ଷେପ ନିଆଯାଉ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ କହିଥିଲେ ସ୍କୁଲ ବନ୍ଦ ନହେଉ । ସ୍କୁଲ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବାକୁ ବିଜେପି ଓ କଂଗ୍ରେସ ଦାବି କରିଥିଲେ ।

’ବିଫ୍ ବ୍ୟାନ୍’ ଲାଗି ଅକ୍ସଫୋର୍ଡ ୟୁନିଭର୍ସିଟିରେ ଉଠୁଛି ଦାବି; ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା

ବ୍ରିଟେନ: ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନେ କ୍ୟାଣ୍ଟିନରେ ଗୋମାଂସ ଏବଂ ବିଭିନ୍ନ ପ୍ରକାରର ଲାଲ ମାଂସ ଉପରେ ରୋକ୍ ଲଗାଇବା ପାଇଁ ଦାବି କରିଛନ୍ତି । ଯାହା ସପକ୍ଷରେ ୟୁନିଭର୍ସିଟିର ଦୁଇ ତୃତୀୟାଂଶ ଛାତ୍ରଛାତ୍ରୀ ଭୋଟ୍ ଦେଇଛନ୍ତି।

ଏଭଳି କଲେ ପର୍ଯ୍ୟାବରଣ ଉପରେ ଏହାର ଭଲ ପ୍ରଭାବ ପଡିବ ବୋଲି ସେମାନେ ଯୁକ୍ତି ବାଢିଛନ୍ତି। ଆସନ୍ତୁ ଜାଣିବା କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା ଏବଂ ଏହା ଦ୍ବାରା କିଭଳି ଗ୍ଲୋବାଲ୍ ଓ୍ବାର୍ମିଂକୁ କମ୍ କରାଯାଇପାରିବ ।
ବର୍ତ୍ତମାନ ସମୟରେ ବ୍ରିଟେନର ଅନେକାଂଶ କଲେଜରେ ଶାକାହାରୀ ଖାଦ୍ୟ ପଦାର୍ଥକୁ ଏକପ୍ରକାର ପ୍ରୋମୋଟ୍ କରାଯାଉଛି । ଏହି ପଦକ୍ଷେପ କଲେଜ ପ୍ରଶାସନ ନୁହେଁ ବରଂ ଛାତ୍ରଛାତ୍ରୀମାନେ ନିଜେ ନେଉଥିବା ସୂଚନା ମିଳିଛି।

ସେଭଳି କିଛି ବିଶ୍ବବିଦ୍ୟାଳୟ ମଧ୍ୟରେ ରହିଛି- ଲଣ୍ଡନ ୟୁନିଭର୍ସିଟି, କେମ୍ବ୍ରିଜ ୟୁନିଭର୍ସିଟି ଏବଂ ଗୋଲ୍ଡସ୍ମିଥ ୟୁନିଭର୍ସିଟି ଆଦି । ଯାହା ପରେ ଅକ୍ସଫୋର୍ଡ ୟୁନିଭର୍ସିଟିର ଷ୍ଟୁଡେଣ୍ଟ ୟୁନିଅନ୍ ଏଥିରେ ସାମିଲ ହୋଇଛି । ତେବେ ଛାତ୍ରଛାତ୍ରୀ ମାନଙ୍କ ଏଭଳି ଦାବି ସମ୍ପର୍କରେ କଲେଜ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ନିଷ୍ପତ୍ତି ହୋଇନାହିଁ ।

ଛାତ୍ରଛାତ୍ରୀ ମାନଙ୍କ କହିବା ଅନୁଯାୟୀ ଗୋମାଂସ କିମ୍ବା ଲାଲ୍ ମାଂସ ଖାଇବା ଦ୍ବାରା ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ୍ ଓ୍ବାର୍ମିଂକୁ ଅଧିକ ବୃଦ୍ଧି କରିଥାଏ । ବିଫ୍ ବ୍ୟାନ ନେଇ ବିଶ୍ୱବିଦ୍ୟାଳୟର 22 ହଜାରରୁ ଅଧିକ ଛାତ୍ରଛାତ୍ରୀ ସଂଗଠନ ଏହି ଦାବି କରିଛି।  ’ଡେଲି ମେଲ’ ଗଣମାଧ୍ୟମର ଖବର ଅନୁଯାୟୀ ଏହି ପ୍ରସ୍ତାବ ଷ୍ଟୁଡେଣ୍ଟ ୟୁନିଅନ୍ ବିଶ୍ୱବିଦ୍ୟାଳୟ ମ୍ୟାନେଜମେଣ୍ଟକୁ ପଠାଇଛି। ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ପରିଚାଳନା କମିଟି ଦ୍ବାରା ନିଆଯିବ ।

ଏହା ଜଳବାୟୁ ପରିବର୍ତ୍ତନକୁ କିପରି ରୋକିବ?

ପରିବେଶ ବିଶେଷଜ୍ଞମାନଙ୍କ ମତରେ ମାଂସ ଯୋଗାଣ ପାଇଁ ଅଧିକରୁ ଅଧିକ ଗୋରୁ ପାଳିବା ଏବଂ ଯାହା ଫଳରେ ସେମାନଙ୍କ ଠାରୁ ବହୁ ପରିମାଣର ଗ୍ରୀନ୍ ହାଉସ୍ ଗ୍ୟାସ୍ ବାହାରିଥାଏ । ଯେଉଁ ଗ୍ୟାସ୍ କି ସୂର୍ଯ୍ୟର ଉତ୍ତାପକୁ ଅବଶୋଷଣ କରିବା ସହ ପୃଥିବୀକୁ କ୍ରମାଗତ ଭାବେ ଗରମ କରିଥାଏ ।

ମିଥେନ ଗ୍ୟାସ ନିର୍ଗମନ ଏକ ପ୍ରମୁଖ ସମସ୍ୟା-
ଏକ ଆକଳନ ଅନୁଯାୟୀ ପୃଥିବୀର ମୋଟ ଗ୍ରୀନ୍ ହାଉସ୍ ଗ୍ୟାସର ୧୪ ପ୍ରତିଶତ ଗାଈ, ବଳଦ, ଷଣ୍ଢ ଏବଂ ମେଣ୍ଢା ଭଳି ଗୃହପାଳିତ ପଶୁମାନଙ୍କଠାରୁ ନିର୍ଗତ ହୁଏ। ଏହାବ୍ୟତୀତ ଗୋମାଂସ ଉତ୍ପାଦନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ବହୁ ପରିମାଣର ଜଳ ମଧ୍ୟ ଆବଶ୍ୟକ ହୋଇଥାଏ ।|

ଏପରିକି ଗାଈ ପାଇଁ ଏକ ଟନ୍ ଚାରା ପ୍ରସ୍ତୁତ କରିବା ଲାଗି ହାରାହାରି ୧,୬୨,୫୯,୦୦୦ ଲିଟର ପାଣି ଆବଶ୍ୟକ ପଡିଥାଏ । ଏପରି ପରିସ୍ଥିତିରେ, ଆପଣ ଯଦି ଅଧା ପରିମାଣର ବି ମାଂସ ଖାଆନ୍ତି, ତାହେଲେ ଆପଣ ସମ ପରିମାଣର ଜଳ ମଧ୍ୟ ବ୍ୟବହାର କରୁଛନ୍ତି । ବିଫ୍ ବ୍ୟାନ ହେଲେ ଏକପ୍ରକାର ଜଳ ମଧ୍ୟ ନଷ୍ଟ ହେବନାହିଁ ।

ଶାକାହାରୀ ଖାଦ୍ୟରୁ ମଧ୍ୟ ସମାନ ପୋଷଣ ମିଳିଥାଏ । ଯୋଗାଏ |
ଜୀବଜନ୍ତୁ ମାନଙ୍କ ଠାରୁ ମିଳୁଥିବା ମାଂସ, ଅଣ୍ଡା ଏବଂ କ୍ଷୀର ପରି ଖାଦ୍ୟ ପଦାର୍ଥ ବିଶ୍ୱ ପ୍ରୋଟିନ୍ ଯୋଗାଣର ମାତ୍ର ୩୭ ପ୍ରତିଶତ ହୋଇଥାଏ । ଏହାର ଅର୍ଥ ବାକି ଅଂଶ ଶାକାହାରୀ ଖାଦ୍ୟ ଦ୍ୱାରା ପୂର୍ଣ୍ଣ ହୋଇଥାଏ । ୟୁଏସ୍ ଡାଏଟାରୀ ଗାଇଡଲାଇନ ଆଡଭାଇଜରି କମିଟିର ସଦସ୍ୟ ଲିଣ୍ଡା ୱାନ୍ ହର୍ନ କୁହନ୍ତି, ମାଂସାହାରୀ ଖାଦ୍ୟପଦାର୍ଥ ବଦଳରେ ଉଦ୍ଭିଦ ଜାତୀୟ ଖାଦ୍ୟପଦାର୍ଥ ଗ୍ରହଣ କରିବା ଉଚିତ୍। ମାଂସରୁ ଯେତିକି ପରିମାଣର ପ୍ରୋଟିନ୍ ମିଳେ ସମ ପରିମାଣର ପ୍ରୋଟିନ୍ ଶୁଖିଲା ଫଳ, ବାଦାମ, ଛେନା, ବିନ୍ସ ଏବଂ ମଟର ଆଦି ଜିନିଷରୁ ମଧ୍ୟ ମିଳିଥାଏ ।

ଫ୍ରେଣ୍ଡସ୍ ଅନ୍ ଆର୍ଥ ନାମକ ଏକ ସଂଗଠନ ଅନୁଯାୟୀ, ବିଶ୍ୱରେ 50 କୋଟି ଲୋକ ସଂପୂର୍ଣ୍ଣ ଶାକାହାରୀ ହୋଇଥିବା ବେଳେ ଏହି ସଂଖ୍ୟା ବଢିବାରେ ଲାଗିଛି ।

ଭୁବନେଶ୍ୱର ଏମ୍ସରେ ରୋବୋଟିକ ଟେକ୍ନୋଲୋଜି, କମ୍‌ ସମୟରେ ଉପଶମ ପାଇବେ ରୋଗୀ

ଚିକିତ୍ସା ବିଜ୍ଞାନରେ ଅତ୍ୟାଧୂନିକ ସେବା ଭାବେ ଉଭା ହୋଇଛି ରୋବୋଟିକ ଟେକ୍ନୋଲୋଜି । ଚିକିତ୍ସକଙ୍କୁ ସହଯୋଗ କରିବା ପାଇଁ ଏଣିକି ସେବା ଯୋଗାଉଛି ରୋବଟ । ଭୁବନେଶ୍ବର ଏମ୍ସର ଫିଜିକାଲ ମେଡିସିନ ଏଣ୍ଡ ରିହାବିଲିଟେସନ ବିଭାଗରେ ଆରମ୍ଭ ହୋଇଛି ଆଡଭାନ୍ସ ରୋବୋଟିକ ସିଷ୍ଟମ । ସ୍ପାଇନଲ କର୍ଡ ଇଞ୍ଜରୀ , ବ୍ରେନ ଇଞ୍ଜରୀ , ଏକାଧିକ ସ୍କେରୋସିସ , ପାରାପ୍ଲେଜିଆ ଭଳି ସମସ୍ୟା ହୋଇଥିଲେ ଏହାର ଚିକିତ୍ସା କରିବ ରୋବଟ ।

ସ୍ବିଜରଲ୍ୟାଣ୍ଡରେ ନିର୍ମିତ ଏହି ଅତ୍ୟାଧୂନିକ ରୋବଟ ଚିକିତ୍ସା ପଦ୍ଧତ୍ତିରେ ବହୁ ସଫଳତା ପାଇଥିବାରୁ ବର୍ତ୍ତମାନ ସମୟରେ ଏହା ବହୁ ଉପଯୋଗୀ ହୋଇପାରିଛି । ପ୍ରତିଦିନ ୮ରୁ ୧୦ ଜଣ ରୋଗୀଙ୍କୁ ଥେରାପି ଦେଇପାରୁଛି ଏହି ରୋବର୍ଟ । ଆଗକୁ ସର୍ଜରୀ ପାଇଁ ରୋବଟ ବ୍ୟବହାର କରିବାକୁ ଯୋଜନା କରିଛି ଭୁବନେଶ୍ବର ଏମ୍ସ ।

ଏମ୍ସକୁ ଆସିଥିବା ଏହି ଆଡଭାନ୍ସ ରୋବର୍ଟିକ ରିହାବିଲିଟେସନ ସିଷ୍ଟମର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା । ଯାହାକୁ ପିଏମଆର ଡିପାର୍ଟମେଣ୍ଟରେ ରଖାଯାଇଛି । ସ୍ପାଇନାଲ ଇଞ୍ଜରୀ,ପାରାଲିସିସ,ହେମିପ୍ଲେଜିଆ, କ୍ୱାଡିପ୍ଲେଜାସିଆ ଭଳି ରୋଗୀଙ୍କ ପାଇଁ ଏହା ହେବ ଖୁବ ଉପଯୋଗୀ । ମାନୁଆଲ ଥେରାପିରେ ଦୀର୍ଘ ଦିନ ସମୟ ଲାଗୁଥିବା ବେଳେ ଏହି ରୋବର୍ଟିକ ଥେରାପିର ଅବଧି ରହିବ ପ୍ରାୟ ଏକ ମାସ । ଏହାଦ୍ୱାରା ମାଂସପେଶୀରେ ଥିବା ଦୁବର୍ଳତାରେ ସୁଧାର ଆସିବ ।

ସାଧାରଣ ଥେରାପି ଆଉ ରୋବର୍ଟିକ ଥେରାପିକ ମଧ୍ୟରେ କ’ଣ ରହିଛି ତଫାତ?

ଯଦିଓ ପୂର୍ବରୁ ମାନୁଆଲ ମ୍ୟାନେଜମେଣ୍ଟ ହେଉଥିଲା, ଏବେ କିନ୍ତୁ ଏହା ଯନ୍ତ୍ରଦ୍ୱାରା ପରିଚାଳିତ ହେବ । ଗବେଷଣା ଅନୁସାରେ ପୂର୍ବ ପଦ୍ଧତି ଅପେକ୍ଷା ଏହି ରୋବର୍ଟିକ ପଦ୍ଧତି ଅଧିକ ଉପଶମ ପ୍ରଦାନ କରିବ । ତେବେ ଦିନକୁ ୮ ଜଣ ରୋଗୀ ଏହି ସୁବିଧା ନେଇପାରିବେ । ବିଭିନ୍ନ ସ୍ଥାନରେ ରୋବର୍ଟିକ ପଦ୍ଧତି ସୁବିଧା ଉପଲବ୍ଧ ହେଉଥିବା ବେଳେ ଏମ୍ସରେ ଏହି ରୋବର୍ଟ ସଂଖ୍ୟାକୁ ବଢାଇବାକୁ ଚିନ୍ତା କରୁଛନ୍ତି କର୍ତ୍ତୃପକ୍ଷ ।

ତେବେ ଏହି ରୋବର୍ଟିକ ଚିକିତ୍ସା ପାଇଁ ଆଗାମୀ ଦିନରେ ପ୍ରଶିକ୍ଷଣର ବ୍ୟବସ୍ଥା କରାଯିବ । ଯେଉଁଠାରେ ଛଅ ମାସ ଧରି ଡାକ୍ତରଙ୍କୁ ପ୍ରଶିକ୍ଷଣ ଦେବେ ଇଞ୍ଜିନିୟର । ଏହାଦ୍ୱାରା ମ୍ୟାନପାଓ୍ୱାର କମିବ ଏବଂ ରୋଗୀ ଖୁବ କମ ଦିନରେ ରୋଗରୁ ଉପଶମ ପାଇପାରିବେ । ଯାହା ଦିନେ ମାନବ କରୁଥିଲା ତାହା ଆଜି ରୋବର୍ଟ କରୁଛି । ତେବେ କେଉଁଭଳି ଏହି ରୋବର୍ଟ ପରିଚାଳିତ ହେଉଛି ନଜର ପକାନ୍ତୁ ।

କେବଳ ରୋବର୍ଟ ଥରାପି ନୁହେଁ ବରଂ ରୋବର୍ଟ ସର୍ଜରୀ ପାଇଁ ମଧ୍ୟ ଆଶା ବାନ୍ଧିଲେଣି କର୍ତ୍ତୃପକ୍ଷ । ଏହି ଉନ୍ନତମାନର ପଦ୍ଧତି ଦ୍ୱାରା ହସ୍ପିଟାଲରେ ସୁରୁଖୁରୁରେ ସର୍ଜରୀ ହୋଇପାରିବ । ଚିକିତ୍ସା ପଦ୍ଧତ୍ତିର ଏହି ନୂଆ କୌଶଳ ଅନେକଙ୍କୁ ବଞ୍ଚିବାର ରାହା ଦେଖାଇବ ବୋଲି ଆଶା ରଖିଛନ୍ତି ବିଶେଷଜ୍ଞ ।

ବିଧାନସଭାରେ ପୁଣି ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ,ଆଲୋଚନା ପାଇଁ ଦାବି

ଭୁବନେଶ୍ୱର: ବିଧାନସଭାରେ ଆଜି ପୁଣି ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ବାଚସ୍ପତି ରୁଲିଂ ଦିଅନ୍ତୁ । ଗୃହର ସବୁ କାର୍ଯ୍ୟ ବାତିଲ କରି ମୋସନ ଆକାରରେ ହାଜତ ମୃତ୍ୟୁ ପ୍ରସଙ୍ଗ ଆଲୋଚନା ହେଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସଂହ ମିଶ୍ର କହିଥିଲେ, ହାଜତ ମୃତ୍ୟୁ ମାମଲା ଉଠାଇଥିଲେ । ସେ କହିଥିଲେ ଯେ, ଏନ୍‌ଏଚ୍‌ଆର୍‌ସି ତାଗିଦ କଲେ । ମାନବ ଅଧିକାର ଉଲ୍ଲଂଘନ ହେଉଛି । ଏସ୍‌ପିଙ୍କୁ କେବଳ ବଦଳି କଲେ ହେବନି, ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ନରସିଂହ ମିଶ୍ର କହିଥିଲେ ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ, ହାଜତ ମୃତ୍ୟୁ ଏକ ଦୁଃଖଦ ଘଟଣା । ମୁଲତବୀ ନୋଟିସ ଦେଇଛନ୍ତି ବିରୋଧୀ । କିନ୍ତୁ ମୋସନ ଆକାରରେ କାହିଁକି ଆଲୋଚନା କରିବାକୁ ଦାବି କରୁଛନ୍ତି ।ଏ ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ଅଛି । ତେଣୁ ଏହା ଉପରେ ଯଦି ଆଲୋଚନା ହୁଏ, ତେବେ ଘଟଣା ପ୍ରଭାବିତ ହେବାରେ ସମ୍ଭାବନା ଅଛି  ।

ନେଫ୍ରୋଲୋଜି ବିଶେଷଜ୍ଞ ପ୍ରଫେସର ଡାକ୍ତର ଚିତ୍ତ ରଞ୍ଜନ କରଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବିଶିଷ୍ଟ ନେଫ୍ରୋଲୋଜି ବିଶେଷଜ୍ଞ ପ୍ରଫେସର ଡାକ୍ତର ଚିତ୍ତ ରଞ୍ଜନ କରଙ୍କ ଦେହାନ୍ତ । ଦୀର୍ଘ ଦିନ ଧରି ସେ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ଦେହାନ୍ତ ହୋଇଛି । ଡାକ୍ତର କର ଓଡିଶାରେ ପ୍ରଥମେ ଏସିବି ବଡ଼ ମେଡିକାଲରେ କାଡାଭେରିକ ଅପରେସନ କରିଥିଲେ ।

ମୃତ ବ୍ୟକ୍ତିଙ୍କ ଶରିରରୁ କିଡନୀ ନେଇ ଅନ୍ୟ ବ୍ୟକ୍ତିଙ୍କଠାରେ  ପ୍ରତିରୋପଣ କରିବାରେ ମଧ୍ୟ ସେ ସଫଳ ହୋଇଥିଲେ । ଶ୍ରୀ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହା ସହ ଶ୍ରୀ କରଙ୍କ ବିୟୋଗ ଓଡିଶା ଚିକିତ୍ସା ଜଗତ ପାଇଁ ଅପୁରଣୀୟ କ୍ଷତି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।