spot_img
Home Blog Page 6405

କଟକ ଦୁର୍ଗାପୂଜାକୁ ନେଇ ନୂଆ ବିବାଦ: ବିନା ମତାମତରେ ସିପି ନିର୍ଦ୍ଦେଶନାମା ଜାରି କରିଥିବା ଅଭିଯୋଗ

0

କଟକ: ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣକୁ ନେଇ ବିବାଦ ଥମିନଥିବାବେଳେ ପୋଲିସ କମିଶନରଙ୍କ ନୂଆ ନିର୍ଦ୍ଦେଶାନାମା ବିବାଦରେ ଯୋଡ଼ିଛି ନୂଆ ଫର୍ଦ୍ଦ ।  ନିର୍ଦ୍ଦେଶନାମାରେ ପୂଜା ପରମ୍ପରା ସହିତ ଜଡ଼ିତ ଥିବା ତିନି ଜଣ ବ୍ୟକ୍ତିଙ୍କ ମତାମତ ନିଆଯାଇଥିବା କୁହାଯାଇଛି । ତେବେ ଏହି ତିନି ବ୍ୟକ୍ତିଙ୍କ ସହ ପୋଲିସ ପ୍ରଶାସନ କୌଣସି ଆଲୋଚନା କରି ନ ଥିବା ଜଣାପଡିଛି । ଯାହାକୁ ନେଇ ଦେଖାଦେଇଛି ବିବାଦ । ସେପଟେ ନିର୍ଦ୍ଦେଶାନାମାକୁ ଚ୍ୟାଲେଞ୍ଜ କରି ପୁଣି ହାଇକୋର୍ଟ ଯିବ ବୋଲି କହିଛି ବାଲୁବଜାର ପୂଜା କମିଟି ।

ଜଟିଳ ପରିସ୍ଥିତିରେ ହେଉଛି ମାଆଙ୍କ ପୂଜା । ମୂର୍ତ୍ତି ନିର୍ମାଣକୁ ନେଇ ଥମିନି ବିବାଦ । ଏପଟେ ବିବାଦରେ ସିପିଙ୍କ ନୂଆ ନିର୍ଦ୍ଦେଶାନାମା । ମା’ଙ୍କ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ ହାଇକୋର୍ଟ ଯାଏଁ ପହଞ୍ଚିବାବେଳେ ଏପଟେ ପୋଲିସ କମିଶନରଙ୍କ ନୂଆ ନିର୍ଦ୍ଦେଶାନାମା ଆସିବା ପରେ ଏହାକୁ ନେଇ ଦେଖାଦେଇଛି ବିବାଦ । ସିପିଙ୍କ ରିପୋର୍ଟରେ ଉଲ୍ଲେଖ ରହିଥିବା ୩ ଜଣ ପାରମାର୍ଶଦାତାଙ୍କୁ ନେଇ ଅଡୁଆ ସୃଷ୍ଟି ହୋଇଛି । ରିର୍ପୋଟ ଅନୁଯାୟି ତିନି ପରାମର୍ଶଦାତାଙ୍କ ମତାମତ ଅନୁସାରେ ବେଲବରଣୀ ଓ ପ୍ରାଣପ୍ରତିଷ୍ଠା ଯାଏଁ ମା’ଙ୍କ ମୂର୍ତ୍ତିର ଉଚ୍ଚତାର ଛୋଟ ବଡ଼ ଓ ଆକାରରେ ପରିବର୍ତ୍ତନ କରାଯାଇପାରିବ ।

ଏହି ଆଧାରରେ ମୂର୍ତ୍ତି କାରିଗର ପ୍ରଦୀପ ବେହେରା ଓ ଦୁଇ ଜଣ ପୂଜକ ମନୋଜ ପଣ୍ଡା ଓ ରାଜକିଶୋର ଶତପଥୀଙ୍କ ମତାମତ ନିଆଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ । କିନ୍ତୁ ପୋଲିସ କମିଶନର କିମ୍ବା ଅନ୍ୟ କେହି ପୋଲିସ ଅଧିକାରୀ ସେମାନଙ୍କ ସହିତ ଆଲୋଚନା କରି ନାହାଁନ୍ତି । କିମ୍ବା ମତାମତ ନେଇ ନ ଥିବା କହିଛନ୍ତି ପୂଜକ ମନୋଜ ପଣ୍ଡା ଓ ମୂର୍ତ୍ତି କାରିଗର ପ୍ରଦୀପ ବେହେରା । ଏପରିକି ସେମାନଙ୍କ ନାଁ ରିର୍ପୋଟରେ ସିପି କିଭଳି ଉଲ୍ଲେଖ କଲେ ତାହା ଜାଣି ସେମାନେ ତାଜୁବ ହୋଇଯାଇଛନ୍ତି ।

ଏତିକିରେ ସୀମିତ ନାହିଁ ସିପିଙ୍କ ରିର୍ପୋଟ ବିବାଦ । ଏହି ରିର୍ପୋଟରେ ଉଲ୍ଲେଖ ରହିଛି ହାଇକୋର୍ଟରେ ଇଣ୍ଟରଭିନର ହୋଇଥିବା ପିଟିସନର ମାନେ ଭୁଲ ତଥ୍ୟ ଉପସ୍ଥାପନା କରିଛନ୍ତି । ମୂର୍ତ୍ତି ନିର୍ମାଣ ନ କରି ମଧ୍ୟ ମଣ୍ଡପରେ ମୂର୍ତ୍ତି ଠିଆ ହୋଇଥିବା କଥା କୋର୍ଟରେ ଉଲ୍ଲେଖ ରହିଛି । ସିପିଙ୍କ ରିର୍ପୋଟ ମୁତାବକ କଟକରେ ମୋଟ ୧୬୨ଟି ପୂଜା ମଣ୍ଡପ ମଧ୍ୟରୁ ୧୪୨ଟି ମଣ୍ଡପ ମୂର୍ତ୍ତି ତିଆରି କରି ନହାଁନ୍ତି । ୯ ଟି ମଣ୍ଡପ ସରକାରୀ ନିୟମ ଅନୁସାରେ ୪ ଫୁଟର ମୂର୍ତ୍ତି ତିଆରି କରିଛନ୍ତି । ୯ଟି ପୂଜା ମଣ୍ଡପ ବଡ ମୂର୍ତ୍ତି ତିଆରି କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଟି ୫ ଫୁଟ ଉଚ୍ଚ ଓ ୯ଟି ୮ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ କରିଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ମୁତାବକ ବୁଧବାର ସଂନ୍ଧ୍ୟା ୭ଟା ସୁଦ୍ଧା ୪ ଫୁଟରୁ ଉଚ୍ଚତା ମୂର୍ତ୍ତି ଆବେଦନ କରିଥିବା ପୂଜା କମିଟିକୁ ମଧ୍ୟ ଅନୁମତି ପ୍ରଦାନ କରିନାହାଁନ୍ତି ପୋଲିସ କମିଶନର । ଯାହାଫଳରେ ବଡ଼ ମୂର୍ତ୍ତି ଗଠନ କରିଥିବା ପୂଜା କମିଟିଙ୍କୁ ଲାଗିଛି ବଡ଼ ଝଟକା । ଏଭଳି ଏକ ନିର୍ଦ୍ଦେଶାନାମାକୁ ଚ୍ୟାଲେଞ୍ଜ କରି ପୁଣି ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛି ବାଲୁବଜାର ପୂଜା କମିଟି । ଅପରପଟେ କଟକରେ ପୂଜାକୁ ନେଇ କୌଣସି ବିବାଦ ନଥିବା କହିଛନ୍ତି କଟକ ଡିସିପି ।

ବର୍ଷେ କି ଦୁଇ ବର୍ଷ ନୁହେଁ ବିଗତ ୬ ଶହ ବର୍ଷରୁ ଊର୍ଦ୍ଧ୍ୱ ଧରି ମା’ ଦୁର୍ଗା ଐତିହାସିକ ସହର କଟକରେ ପୂଜା ପାଇ ଆସୁଛନ୍ତି । ଅନେକ ଜଟିଳ ସ୍ଥିତି ମଧ୍ୟରେ ବି ମାଙ୍କ ପୂଜା ହୋଇଛି । ତେବେ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ମାଙ୍କ ମୂର୍ତ୍ତି ପୂଜା ଆଗକୁ କିପରି ହେବ ତାହାକୁ ନେଇ ଦ୍ୱନ୍ଦ ଭିତରେ ରହୁଛନ୍ତି କଟକର ସମସ୍ତ ପୂଜା କମିଟି ।

ଅକ୍ଟୋବର ୧୨ରୁ ୧୯ ଯାଏ ହେବ ଚଳିତ ବର୍ଷ OJEE ପରୀକ୍ଷା

ଭୁବନେଶ୍ୱର: ଅକ୍ଟୋବର ୧୨ରୁ ୧୯ଯାଏ ହେବ ଚଳିତ ବର୍ଷ OJEE ପରୀକ୍ଷା । ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ରାଜ୍ୟର ୨୧ଟି ସହରରେ ମୋଟ ୫୩ଟି କେନ୍ଦ୍ରରେ ହେବ ଚଳିତ ବର୍ଷ ଓଜେଇଇ ପରୀକ୍ଷା । ଏହା ସହ ରାଜ୍ୟ ବାହାରେ ରାଂଚି, କୋଲକାତା, ପାଟନାରେ ମଧ୍ୟ ଓଜେଇ ପରୀକ୍ଷା ହେବ ।

ମେ’ ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା OJEE ପରୀକ୍ଷାକୁ କରୋନା ମହାମାରୀ ପାଇଁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଏହା ଅକ୍ଟୋବର ୧୨ରୁ ୧୭ ତାରିଖ ଯାଏ କରାଯିବ ବୋଲି ସୂଚନା ଦିଆଯାଇଛି ।

ସେପ୍ଟେମ୍ବର ଶେଷ ସୁଦ୍ଧା ପରୀକ୍ଷା ସମ୍ବନ୍ଧିତ ସମସ୍ତ ବିବରଣୀ OJEE ର ଅଫିସିଆଲ ୱେବସାଇଟ www.ojee.nic.in ଏବଂ www.odishajee.com ରେ ପାଇପାରିବେ ।

ଋଷର ଭ୍ୟାକସିନ ନେଉଥିବା ୭ରୁ ଜଣେ ବ୍ୟକ୍ତି ହେଉଛନ୍ତି ଅସୁସ୍ଥ, ଭାରତକୁ ମଧ୍ୟ ଆସୁଛି ଡୋଜ

ନୂଆଦିଲ୍ଲୀ: ଦେଶରେ ଦୃତଗତିରେ ବଢ଼ୁଥିବା କରୋନା ଭାଇରସର ସଂକ୍ରମଣକୁ ଦେଖି ଏବେ ସମସ୍ତେ ଭ୍ୟାକସିନର ଅପେକ୍ଷାରେ ଅଛନ୍ତି । ଭାରତରେ ପ୍ରସ୍ତୁତ ହେଉଥିବା ଭ୍ୟାକସିନ ପୂର୍ବରୁ ଋଷର ଭ୍ୟାକସିନ Sputnik V ଭାରତରେ ପହଞ୍ଚିବା ଆଶା କରାଯାଉଛି । ଅବଶ୍ୟ ଏସବୁ ମଧ୍ୟରେ ଖବର ଆସିଛି ଯେ, ଋଷର ଭ୍ୟାକସିନ ନେଇଥିବା ପ୍ରତି ୭ ଜଣ ଭଲେଣ୍ଟିୟର୍ସଙ୍କ ମଧ୍ୟରୁ ଜଣଙ୍କ ମଧ୍ୟରେ ଏହାର ପାଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏହି ଖବରର ଖୁଲାସା ଖୋଦ ଋଷର ସ୍ୱାସ୍ଥ୍ୟ ମନ୍ତ୍ରୀ ମିଖାଇଲ ମୁରାଶ୍କୋ କରିଛନ୍ତି ।

ମୁରାଶ୍କୋ ମସ୍କୋ ଟାଇମ୍ସୃକୁ ଦେଇଥିବା ଏକ ମନ୍ତବ୍ୟରେ କହିଛନ୍ତି ଯେ, ଭ୍ୟକସିନ ନେଇଥିବା ପ୍ରାୟ ୧୪ ପ୍ରତିଶତ ଲୋକଙ୍କ ମଧ୍ୟରେ ଏହାର ପ୍ରାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କରୋନା ଭ୍ୟାକସିନ ନେଉଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ଭ୍ୟସିନର ଡୋଜ ନେବା ପରେ ସେ ଶରୀରରେ ଦୁର୍ବଳତା ଏବଂ ମାଂସପେଶୀରେ କଷ୍ଟ ଅନୁଭବ କରିଥିଲେ । ଅବଶ୍ୟ ସେ ଏହା ମଧ୍ୟ କହିଛନ୍ତି ଯେ,  କରୋନା ଭ୍ୟାକସିନ ନେବା ପରେ ଏଭଳି ସମସ୍ୟା ଦେଖାଦେଇପାରେ ବୋଲି ପୂର୍ବରୁ ଦର୍ଶାଯାଇଥିଲା ଏବଂ ତା’ ପର ଦିନ ସେ ଠିକ୍ ଅନୁଭବ କରୁଥିବା ବୋଲି ମଧ୍ୟ କହିଛନ୍ତି ।

ସୂଚନା ଅନୁଯାୟୀ ଏହି ଭ୍ୟକସିନର କ୍ଲିନିକାଲ ପରୀକ୍ଷଣର ପ୍ରାରମ୍ଭିକ ଫଳ ସେପ୍ଟେମ୍ବର ୪ ତାରିଖରେ ଦ ଲାନସେଟ ଜର୍ନଲରେ ପ୍ରକାଶିତ କରାଯାଇଛି । ଏଥିରେ କୁହାଯାଇଛି ଯେ, ଭ୍ୟାକସିନକୁ ୭୬ ଜଣ ଲୋକଙ୍କୁ ଦିଆଯାଇଛି ।

ଭ୍ୟାକସିନ ନେବା ପରେ ଏହା ସଂପୂର୍ଣ୍ଣ ଭାବେ ସୁରକ୍ଷିତ ବୋଲି କୁହାଯାଇଛି । ଜର୍ନଲରେ କୁହାଯାଇଛି ଯେ ୨୧ ଦିନ ମଧ୍ୟରେ ଭଲେଣ୍ଟିୟର୍ସଙ୍କ ଶରୀରରେ ବିନା କୌଣସି ପାର୍ଶ୍ୱ ପ୍ରତିକ୍ରିୟାରେ ଆଣ୍ଟିବଡ଼ୀ ପ୍ରସ୍ତୁତ ହୋଇଛି । ଅବଶ୍ୟ ଏଥିରୁ ୫୮ ପ୍ରତିଶତ ଲୋକ ଇଜେକସନ ଲଗାଇଥିବା ସ୍ଥାନରେ ଦରଜ ଅନୁଭବ କରିଥିଲେ । ଅନ୍ୟପଟେ ୨୮ ପ୍ରତିଶତ ଲୋକ ଦୁର୍ବଳତା ଏବଂ ୨୪ ପ୍ରତିଶତ ଲୋକ ମାଂସପେଶୀରେ କଷ୍ଟ ହେଉଥିବା ଅଭିଯୋଗ କରିଥିଲେ ।

ଜୋର ଧରିଲା ବିହାର ରାଜନୀତି , ୫୦ରୁ ଅଧିକ ନେତା ନିଜ ନିଜ ସନ୍ତାନଙ୍କ ପାଇଁ ମାଗିଲେ ଟିକେଟ୍ !

ପାଟନା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ନୂଆ ଘୋଷଣା କରାଯାଉଛି । ଏକଥା ଆଉ ବୁଝିବାରେ ଅସୁବିଧା ନାହିଁ ଯେ, ନିର୍ଦ୍ଧାରିତ ସମୟରେ ହିଁ ବିହାର ନିର୍ବାଚନ ହେବ । ଭାରତୀୟ ରାଜନୀତିରେ ୟୁପି ପରେ ବିହାର ରାଜନୀତି ସର୍ବାଧିକ ଗୁରୁତ୍ୱ ରହିଛି । ତେଣୁ ଏହି ରାଜ୍ୟରେ କ୍ଷମତା ହାସଲ କରିବା ଏବଂ କ୍ଷମତା ବଜାୟ ରଖିବା ଉଭୟ ଶାସକ ଓ ବିରୋଧୀ ଗୋଷ୍ଠୀ ପାଇଁ ସମ୍ମାନର ପ୍ରଶ୍ନ ।

ଦେଶର ସାଧାରଣ ନିର୍ବାଚନ ହେଉ କି ରାଜ୍ୟର ବିଧାନସଭା ନିର୍ବାଚନ, ଦଳବଦଳ ଏକ ସାଧାରଣ କଥା ହୋଇଥାଏ । ଏହା ସବୁ ଦଳରେ ଦେଖାଦେଇଥାଏ । ସେହିପରି ଆଉ ଏକ ପ୍ରଥା ମଧ୍ୟ ସମସ୍ତ ରାଜନୈତିକ ଦଳରେ ଆଦର୍ଶଗତ ମତ ପାର୍ଥକ୍ୟ ସତ୍ତ୍ୱେ ଦେଖା ଯାଇଥାଏ । ଏହା ହେଉଛି ନିଜ ନିଜର ସନ୍ତାନମାନଙ୍କୁ ରାଜନୈତିକ ଥଇଥାନ କରିବା । ବିହାର ରାଜନୀତିକୁ ଅନୁଧ୍ୟାନ କଲେ ପ୍ରାୟ ସମସ୍ତ ନେତା ଲୋକ ନାୟକ ଜୟ ପ୍ରକାଶ ନାରାୟଣଙ୍କ ଆନ୍ଦୋଳନ ଏବଂ ପରବର୍ତ୍ତୀ ମଣ୍ଡଳ ଆନ୍ଦୋଳନରୁ ଆସିଥିବା ବ୍ୟକ୍ତି । ଏହି ପିଢି ପ୍ରାୟତଃ ବୟସର ଅପରାହ୍ନରେ ପହଞ୍ଚିଲେଣି । ତେଣୁ ଏହି ନିର୍ବାଚନ କେତେକଙ୍କ ପାଇଁ ଶେଷ ନିର୍ବାଚନ ହୋଇଥିବା ବେଳେ, କେତେକ ରାଜନେତା ସମୟ ପୂର୍ବରୁ ନିଜ ପୁତ୍ର, କନ୍ୟା ମାନଙ୍କୁ ଥଇଥାନ କରିବାକୁ ଚାହିଁ ବସିଛନ୍ତି ।

ଏମିତି ବି ଦେଖିବାକୁ ଗଲେ ପରିବାରବାଦର ଏକ ଗଡ଼ ବିହାର ରାଜନୀତି । ଏକଦା ବିହାରକୁ ଶାସନ କରୁଥିବା ଆରଜେଡି ମଧ୍ୟ ଦ୍ୱିତୀୟ ପିଢିର ନେତାଙ୍କ ହାତରେ । ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପତ୍ନୀ ରାବ୍ରି ଦେବୀଙ୍କ ପରେ ପୁତ୍ର ତେଜସ୍ୱୀ ଓ ତେଜପ୍ରତାପ ଦଳୀୟ କାର୍ଯ୍ୟ ତଦାରଖ କରୁଛନ୍ତି । ସେହିପରି ଏଲ୍ ଜେ ପିରେ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ପୁତ୍ର ଚିରାମ ପାଶୱାନ ମଧ୍ୟ ରାଜ୍ୟ ରାଜନୀତିରେ ଅଧିକ ସକ୍ରିୟ ଜଣାପଡୁଛନ୍ତି । କେବଳ ଯାଦବ କିମ୍ବା ପାଶୱାନ ପରିବାର ନୁହେଁ । ବିହାରରେ ଚଳିତ ଥର ଟିକେଟ ଚାହୁଁଥିବା ରାଜନେତାଙ୍କ ତାଲିକା ଲମ୍ବିବାରେ ଲାଗିଛି । ଏହି ସଂଖ୍ୟା କୁଆଡେ ଅର୍ଦ୍ଧ ଶତକ ଛୁଇଁବ ବୋଲି ଜଣାପଡିଛି ।

ପ୍ରାଥମିକ ସୂଚନାନୁଯାୟୀ ବର୍ତ୍ତମାନ ବିଜେପିର ନିମ୍ନଲିଖିତ ନେତାମାନେ ନିଜ ନିଜ ପୁଅ ପାଇଁ ଟିକେଟ ମାଗୁଛନ୍ତି । ଏହି ନେତାମାନେ ହେଲେ- ଅଶ୍ୱନୀ ଚୌବେ, ରାମକୃପାଳ ଯାଦବ, ଗୋପାଳ ନାରାୟଣ ସିଂ, ଶିବାନ ସିଂ, ଛେଦୀ ପାଶୱାନ ଏବଂ ରଣଜିତ ପାଶୱାନ ପ୍ରମୁଖ । ସେହିପରି ଜେଡିୟୁର ନିଜ ସନ୍ତାନ ପାଇଁ ଟିକେଟ ଚାହୁଁଥିବା ବ୍ୟକ୍ତିମାନେ ହେଉଛନ୍ତି- ଶିବାନନ୍ଦ ତିୱାରୀ, ପ୍ରଭୁନାଥ ସିଂ, କାନ୍ତି ସିଂ , ବଶିଷ୍ଠ ନାରାୟଣ ସିଂ, ରାଧାଚରଣ ସେଠ୍ ଏବଂ ନିଖିଲ ମଣ୍ଡଳ ପ୍ରମୁଖ । ଅନୁରୂପ ଭାବେ କଂଗ୍ରେସରୁ ମଦନମୋହନ ଝା ଏବଂ ସଦାନନ୍ଦ ସିଂ ଏହି ତାଲିକାରେ ରହିଛନ୍ତି ।

, ବିହାର ରାଜନୀତିରେ ଆରଜେଡି, ଜେଡିୟୁ ଏବଂ ଭାଜପାକୁ ତ୍ରିଭୁଜ ବୋଲି କୁହାଯାଇଥାଏ । ତ୍ରିଭୁଜରେ ଯେପରି ଦୁଇ କୋଣର ପରିମାଣ ଅନ୍ୟ ୨ କୋଣରୁ ଅଧିକ ହୋଇଥାଏ, ବିହାର ରାଜନୀତି ସେପରି ଫଳାଫଳ ଦେଇଥାଏ । ବିଜେପି-ଜେଡିୟୁ ମିଶି କେତେବେଳେ ସରକାର କରିଥାଆନ୍ତି, ପୁଣି କେତେବେଳେ ଜେଡିୟୁ-ଆରଜେଡି ମିଶି ସରକାର ଗଢିବାର ନଜିର ରହିଛି । ଆଉ ଏକ ଆଶ୍ଚର୍ଯ୍ୟର କଥା ଏହି କି ଯେ, ଏହି ୩ ଦଳର ରାଜ୍ୟ ସଭାପତିମାନେ ନିଜ ନିଜ ସନ୍ତାନମାନଙ୍କ ପାଇଁ ଟିକେଟ୍ ମାଗୁଛନ୍ତି ।

 

ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପରୁ ଆରମ୍ଭ ହେବ ବିଦ୍ୟୁତ ଯୋଗାଣ: ଶିଳ୍ପ ପ୍ରତିଷ୍ଠାର ସମ୍ଭାବନା

0

କଳାହାଣ୍ଡି: ପୂରଣ ହେବାକୁ ଯାଉଛି କଳାହାଣ୍ଡିର ଅନେକ ଦିନର ସ୍ୱପ୍ନ । ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପରୁ ଆରମ୍ଭ ହେବାକୁ ଯାଉଛି ବିଦ୍ୟୁତ ଯୋଗାଣ । ଏହା ଫଳରେ ଜିଲ୍ଲାରେ ବିଦ୍ୟୁତ ସମସ୍ୟା ଦୂର ହେବାସହ ଶିଳ୍ପ ପ୍ରତିଷ୍ଠାର ସମ୍ଭାବନା ସୃଷ୍ଟି କରିଛି । ପୂରଣ ହେବ କଳାହାଣ୍ଡି ଜିଲ୍ଲାର ସ୍ୱପ୍ନ । ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପରୁ ଆରମ୍ଭ ହେବ ବିଦ୍ୟୁତ ଯୋଗାଣ । ଜିଲ୍ଲାରେ ବିଦ୍ୟୁତ ଚାହିଦା ସହ ସୃଷ୍ଟି ହୋଇଛି ଶିଳ୍ପ ପ୍ରତିଷ୍ଠାର ସମ୍ଭାବନା ।

କଳାହାଣ୍ଡି ଜିଲ୍ଲାରେ ୧୯୯୬ ରେ ଲୋକାର୍ପିତ ହୋଇଥିଲା ଏସିଆର ଅନ୍ୟତମ ବହୁମୁଖୀ ଇନ୍ଦ୍ରାବତୀ ଜଳପ୍ରକଳ୍ପ । ଏହାଦ୍ବାରା ଜିଲ୍ଲାର ୨୫ ପ୍ରତିଶତ ଚାଷ ଜମିକୁ ଜଳ ଯୋଗାଣ ସହ ୬ଶହ ମେଗାଓ୍ୱାଟ୍ ବିଦ୍ୟୁତ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲାକୁ ଇନ୍ଦ୍ରାବତୀରୁ ସିଧାସଳଖ ବିଦ୍ୟୁତ ଯୋଗାଣ ହୋଇପାରିଲା ନାହିଁ । ଏବେ କିନ୍ତୁ ସେହି ଆଶା ପୂରଣ ହେବାକୁ ଯାଉଛି ।

ସିଧାସଳଖ ବିଦ୍ୟୁତ୍ ଯୋଗାଣ ହେଲେ ସାରା ଜିଲ୍ଲାବାସୀଙ୍କୁ ଏହାର ସୁଫଳ ମିଳିବ । ଏହାସହ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠାର ସମ୍ଭାବନା ସୃଷ୍ଟି ହେବ । ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଅଞ୍ଚଳରେ ନୂଆ ଆଶା ସଞ୍ଚାର ହୋଇଛି । ଏହାଦ୍ୱାର ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ନୂତନ ରୋଜଗାର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

ନେପାଳକୁ ଚୀନର ଚକମା : ସୀମା ବନ୍ଦ ,ନେପାଳକୁ ଆସିପାରୁନି ଜରୁରୀ ସାମଗ୍ରୀ

କାଠମାଣ୍ଡୁ: ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଚୀନ ପ୍ରେମ ଏବେ ଦେଶବାସୀଙ୍କୁ ଅଡୁଆରେ ପକାଇଛି । ଭାରତ ସହ ବିନା କାରଣରେ ସୀମା ବିବାଦ ସୃଷ୍ଟି କରିଥିବା ନେପାଳକୁ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତା ଘାରିଛି । ଭାରତଠାରୁ କଟି ଚୀନ ହାତ ଧରିଥିବା ନେପାଳ ଗତ କେଇ ମାସ ହେବ  ଚୀନରୁ ଔଷଧ ସହ ଅନେକ ଅନ୍ୟ ଜରୁରୀ ସାମଗ୍ରୀ ଆମଦାନୀ କରୁଥିଲା । କିନ୍ତୁ ବର୍ଡ଼ର ଚେକପୋଷ୍ଟକୁ ଏବେ ଚୀନ  ବନ୍ଦ କରି ରଖିଛି । ଏହି କାରଣରୁ ଗତ ୮ରୁ ୯ ମାସ ହେବ ଚୀନ ରାସ୍ତା ଦେଇ ଆସୁଥିବା ନେପାଳର ଆବଶ୍ୟକୀୟ ସାମଗ୍ରୀ, ଔଷଧ ଏବଂ ଯନ୍ତ୍ରପାତି ସୀମାରେ ଫସି ରହିଛି । ଭାରତ ସହିତ ସମ୍ପର୍କରେ ତିକ୍ତତା ଆସିବା ପରେ ନେପାଳ ଜରୁରୀ ଜିନିଷ ପାଇଁ ଚୀନକୁ ସହାୟତା ମାଗିଥିଲା । କିନ୍ତୁ ସୁଯୋଗ ଦେଖି ଚୀନ ଧୋକା ଦେବ ଏହା ଓଲି ଜାଣି ନଥିଲେ । ଏବେ ନେପାଳ ବଜାରରେ ନିଆଁ ଲାଗିଛି । କାରଣ ଔଷଧ ଠାରୁ ଅନ୍ୟ ସାମଗ୍ରୀ ବଜାରରୁ ଉଭାନ ହୋଇ ଯାଇଛି କିମ୍ବା ଚଢା ଦରରେ ବିକ୍ରୀ ହେଉଛି ।

ଚୀନ ଏବଂ ନେପାଳ ଦ୍ୱିପାକ୍ଷୀୟ ବ୍ୟାପାର ପାଇଁ ରସୁବାଗଢୀ-କେରୁଙ୍ଗ ଏବଂ ତତୋପାନି ଖାସାରେ ବର୍ଡ଼ର ଚେକପୋଷ୍ଟ ନିର୍ମାଣ କରିଥିଲେ । ଏହି ରାସ୍ତାରେ ନେପାଳର ଔଷଧ, ଆବଶ୍ୟକୀୟ ଖାଦ୍ୟ ପଦାର୍ଥ ଏବଂ ଜରୁରୀ ସାମଗ୍ରୀ ପରିବହନ ହେଉଥିଲା । କରୋନା ସଂକ୍ରମଣର ବାହାନା ଦେଖାଇ ଚୀନ୍ ଜାନୁୟାରୀ ଠାରୁ ଏହି ଦୁଇ ଚେକପୋଷ୍ଟକୁ ବନ୍ଦ କରି ଦେଇଛି । ନେପାଳ ସରକାରଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ ଚୀନ ଉକ୍ତ ଚେକେପାଷ୍ଟକୁ ଖୋଲୁନାହିଁ ।

ନେପାଳର ଗଣମାଧ୍ୟମର ଖବର ଅନୁସାରେ ନେପାଳରେ ଚୀନର ଅଘୋଷିତ ଅବରୋଧ କାରଣରୁ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ହେବାରେ ସମସ୍ୟା ଦେଖାଯାଉଛି । ସିଙ୍ଗତି ହାଇଡ୍ରୋପାଓ୍ୱାର ପ୍ରକଳ୍ପ ସହିତ ଜଡ଼ିତ ଚୀନ ଉପକରଣ ଗତ ୮ ମାସ ହେବ ସୀମା ଚେକପୋଷ୍ଟରେ ଫସି ରହିଛି । ତେବେ ଯଥାଶୀଘ୍ର ଏହାକୁ ଖୋଲିବାକୁ ଅନୁରୋଧ କରିଛନ୍ତି ନେପାଳ ସରକାର ।