spot_img
Home Blog Page 6410

ଟାଟା ପ୍ରୋଜେକ୍ଟସ ଲିମିଟେଡ ନିର୍ମାଣ କରିବ ନୂଆ ସଂସଦ ଭବନ, ମିଳିଛି ୮୬୧.୯୦ କୋଟି ଟଙ୍କାର କଣ୍ଟ୍ରାକ୍ଟ

ନୂଆଦିଲ୍ଲୀ: ଟାଟା ପ୍ରୋଜେକ୍ଟସ ଲିମିଟେଡ ୮୬୧.୯୦ କୋଟି ଟଙ୍କାରେ ନୂଆ ସଂସଦ ଭବନ ନିର୍ମାଣ କରିବା ପାଇଁ କଣ୍ଟ୍ରାକ୍ଟ ପାଇଛି । ଟାଟା ନିର୍ମାଣ ପାଇଁ ପକାଯାଇଥିବା ଟେଣ୍ଡରରେ ଲାର୍ସନ ଆଣ୍ଡ ଟବ୍ରୋକୁ ପଛରେ ପକାଇଛି । ଲାର୍ସନ ୮୬୫ କୋଟିର ଟେଣ୍ଡର ପକାଇଥିଲା । Central Public Works Department ନୂଆ ସଂସଦ ନିର୍ମାଣ ପାଇଁ ବୁଧବାରକୁ ଟେଣ୍ଡର ଖୋଲିଲା । ଯେଉଁଥିରେ ଟାଟାକୁ ଏହି ଟେଣ୍ଡର ମିଳିଲା । ସୂଚନା ମୁତାବକ ଏହି ପ୍ରକଳ୍ପ ଏକ ବର୍ଷ ମଧ୍ୟରେ ନିର୍ମାଣ ହେବାର ସମ୍ଭାବନା ରହିଛି । CPWD ନୂଆ ସଂସଦ ଭବନ ନିର୍ମାଣ ପାଇଁ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ନେଇ ଅନୁମାନ କରୁଥିଲେ ।

ଖବର ଅନୁସାରେ ନୂଆ ବିଲଡିଙ୍ଗକୁ ତ୍ରିକୋଣ ଆକାରର ଡିଜାଇନରେ ନିର୍ମାଣ କରାଯିବ । ବର୍ତ୍ତମାନ ଥିବା ସଂସଦ ଭବନ ବ୍ରିଟିଶ ସମୟରେ କରାଯାଇଥିଲା ଏବଂ ଏହାର  ଆକୃତି ବୃତ୍ତାକାର । ଯଦିଓ ଦେଶ ସ୍ୱାଧୀନ ହେବାର ୭୫ ବର୍ଷରେ ପଦାର୍ପଣ କରିବ ତଥାପି ସଂସଦ ଭବନ ଆଜି ମଧ୍ୟ ପୁରୁଣା । ଏଠାରେ ଭିନ୍ନ ଭିନ୍ନ ସମସ୍ୟା ସାମ୍ନାକୁ ଆସୁଛି । ତେବେ ୧୫ ଅଗଷ୍ଟ ୨୦୨୨କୁ ୭୫ ବର୍ଷ ସ୍ୱାଧୀନତା ଦିବସରେ ସାଂସଦମାନେ ନୂଆ ସଂସଦରେ ବସନ୍ତୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଛା ।

ସୂଚନାଯୋଗ୍ୟ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ନୂଆ ସଂସଦ ଭବନର ଆବଶ୍ୟକତାକୁ ନେଇ ପୂର୍ବରୁ କହି ସାରିଛନ୍ତି ।

ସଂସଦ ଭବନ ୧୯୧୧ରେ ନିର୍ମାଣ ଆରମ୍ଭ ହୋଇଥିଲା । ସେହି ସମୟରେ ବ୍ରିଟିଶ୍ ଶାସନରେ ଦିଲ୍ଲୀ ଭାରତର ରାଜଧାନୀ ହୋଇଥିଲା । ୧୯୨୭ରେ ସଂସଦ ଭବନର ଉଦଘାଟନ ହୋଇଥିଲା । ଏବେ ସଂସଦରେ ସଟ ସର୍କିଟିଙ୍ଗ ଭଳି ଅନେକ ସମସ୍ୟା ଦେଖା ଦେଉଛି । ତେଣୁ ନୂଆ ସଂସଦ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତି ହୋଇଛି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମହାରାଷ୍ଟ୍ରରେ ବିରୋଧ: ସ୍ଥଗିତାଦେଶକୁ ଭୁଲ ବୋଲି କହିଲେ ବିକ୍ଷୋଭକାରୀ

0

ପୁନେ: ସୁପ୍ରିମକୋର୍ଟଙ୍କ ଆଦେଶକୁ ମହାରାଷ୍ଟ୍ରରେ ବିରୋଧ । ଚଳିତ ବର୍ଷ ‘ମରାଠା କୋଟା’କୁ ଲାଗୁ କରାଯିବା ଉପରେ ସ୍ଥଗିତାଦେଶ ଜାରି କରିଥିଲେ ମାନ୍ୟବର ସୁପ୍ରିମକୋର୍ଟ । ଯାହାକୁ ନେଇ ଏବେ ପୁନେରେ ବିକ୍ଷୋଭ ଦେଖିବାକୁ ମିଳିଛି । କୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ଭୁଲ ବୋଲି କହିଛି ମରାଠା କ୍ରାନ୍ତି ମୋର୍ଚ୍ଚା । ଗତ ୧୦ ବର୍ଷ ଧରି ମାମଲା ଚାଲିଆସୁଥିବା ବେଳେ ଏହି ମାମଲାରେ ନିଜ ମତ ରଖିବା ପାଇଁ ପ୍ରତିବାଦ ବ୍ୟତୀତ ଅନ୍ୟ କୌଣସି ପନ୍ଥା ନଥିବା କହିଛନ୍ତି ବିକ୍ଷୋଭକାରୀ । 

Image

ସୂଚନା ଯୋଗ୍ୟ ଯେ, ଗତ ୯ ତାରିଖରେ ମରାଠା କୋଟା ସମ୍ପର୍କିତ ଏକ ମାମଲାର ଶୁଣାଣି କରିଥିଲେ ମାନ୍ୟବର ସୁପ୍ରିମକୋର୍ଟ । ଶୁଣାଣି ପରେ ନିଜ ନିଷ୍ପତ୍ତିରେ ଚଳିତ ବର୍ଷ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ମରାଠା କୋଟା ଲାଗୁକରାନଯିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏଥିସହିତ ମାମଲା ଆଗାମୀ ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର ଖଣ୍ଡପିଠ ଗଠନ ନେଇ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ ନିକଟକୁ ସୁପାରିସ୍ କରିଥିଲେ ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ । କିନ୍ତୁ ମାନ୍ୟବର କୋର୍ଟଙ୍କ ଏଭଳି ନିଷ୍ପତ୍ତକୁ ନେଇ ଏବେ ପ୍ରତିବାଦ ଦେଖିବାକୁ ମିଳିଛି ।

କଙ୍ଗନାଙ୍କ ଅଫିସ ଭଙ୍ଗା ପ୍ରସଙ୍ଗ : ଶରଦ ପାଓ୍ୱାର କହିଲେ ଏହା ଜରୁରୀ ନଥିଲା

ପକୁଡି ବିକି କାହିଁକି ଫାଇନ୍ ଦେଲେ ଯୁବ କଂଗ୍ରେସ ରାଜ୍ୟ ସଭାପତି ? ଜାଣନ୍ତୁ

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ପ୍ରତିବାଦ ସ୍ୱରୂପ ନିଆରା ଢଙ୍ଗରେ ପାଳିଛନ୍ତି କଟକ ଛାତ୍ର କଂଗ୍ରେସର ସଦସ୍ୟ । ଏହି ଦିବସକୁ ବେରୋଜଗାର ଦିବସ ଭାବେ ପାଳନ କରି ଚା ବିକିଛନ୍ତି ସଦସ୍ୟମାନେ। କଟକ ଛାତ୍ର କଂଗ୍ରେସର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଳିଛନ୍ତି । କଟକ କଚେରୀ ନିକଟରେ ଏକ ଚା ଦୋକାନ ଖୋଲି ଚା ବିକିଛନ୍ତି ଏହି ଯୁବକମାନେ । ଏଥିସହିତ ମୋଦିଙ୍କ ଜନ୍ମ ଦିବସକୁ ସେମାନେ ବେରୋଜଗାର ଦିବସ ଆଖ୍ୟା ଦେଇଛନ୍ତି ।

Youth Congress State President Fined After Sell pakoda In Bhubaneswar

ଛାତ୍ର କଂଗ୍ରେସ ସଦସ୍ୟମାନେ ହାତରେ କେଟିଲ ଧରି ସାମାଜିକ ଦୂରତ୍ୱ ରଖି ଦୋକାନକୁ ଆସୁଥିବା ସାଧାରଣ ଲୋକଙ୍କୁ ଚା’ ଦେବା ସହ ପାଠଶାଠ ପଢି ସେମାନେ କିପରି ମୋଦିଙ୍କ ଶାସନ ସମୟରେ ବେକାର ଅଛନ୍ତି ତାହା ବଖାଣିଥିଲେ। ଗତ ଛଅ ବର୍ଷ ମଧ୍ୟରେ ମୋଦି ଦେଇଥିବା ନିଯୁକ୍ତି ଓ ଚାକିରୀ ପ୍ରତିଶୃତି କେବଳ ନାରାବାଜିରେ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଛାତ୍ର କଂଗ୍ରେସ ଏଭଳି ନିଆରା ପ୍ରତିବାଦ ଜରିଆରେ ସାଧାରଣରେ ସଚେତନତା ସୃଷ୍ଟି କରିଥିଲେ ।

ପକୁଡି ବିକି ଫାଇନ୍ ଦେଲେ

ଅନ୍ୟପଟେ ପକୁଡି ବିକି ଫାଇନ୍ ଦେଇଛନ୍ତି ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କା । ଭୁବନେଶ୍ୱରରେ  ମୋଦିଙ୍କ ଜନ୍ମଦିନରେ ପକୁଡି ବିକି ପ୍ରତିବାଦ କରୁଥିଲା ଯୁବ କଂଗ୍ରେସ । କିନ୍ତୁ ପକୁଡି ବିକିବା ବେଳେ କର୍ମୀ ଭୁଲି ଯାଇଥିଲେ କରୋନା କଟକଣା କଥା । ମୋଦିଙ୍କୁ ବିରୋଧ କରିବାକୁ ତାଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ବେରୋଜଗାରୀ ଦିବସ ଭାବେ ପାଳନ କରିବା ନିଶାରେ କଂଗ୍ରେସ କର୍ମୀ ଭୁଲିଯାଇଥିଲେ ସାମାଜିକ ଦୂରତା କଥା । କିନ୍ତୁ ପୋଲିସ ଭୁଲିନଥିଲା କରୋନା କଟକଣା କଥା । କରୋନା କାଳରେ ଏମିତି ପକୁଡି ବିକା  କ୍ୟାପିଟାଲ ଥାନା ପୋଲିସ ନଜର ପଡିଥିଲା  । ତା’ପରେ ପୋଲିସ ଫାଇନ କାଟିଥିଲା । ତେବେ ଆମ ପାଖେ ପଇସା ନାହିଁ ଫାଇନ୍ କେମିତି ଦେବୁ କହି ଯୁବ କଂଗ୍ରେସ ସଭାପତି  ସ୍ମୃତି ରଞ୍ଜନ ଲେଙ୍କା ଭିକ୍ଷା କରିଥିଲେ । ଭିକ୍ଷା ଟଙ୍କାରେ ସେ ଫାଇନ୍ ଭରିଛନ୍ତି ।

Ladakh LAC News : ଚୀନକୁ ରାଜନାଥଙ୍କ ରୋକଠୋକ, ବେଜିଂର କଥା ଗୋଟେ କାମ ଗୋଟେ

ନୂଆଦିଲ୍ଲୀ: ଲଦାଖ ସ୍ଥିତିକୁ ନେଇ ରାଜ୍ୟସଭାରେ ଆଜି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜ ବକ୍ତବ୍ୟ ରଖିଛନ୍ତି । ଚୀନ୍ ବିରୋଧରେ ସେ ଦୋମୁହାଁ ନୀତିର ଅଭିଯୋଗ ଆଣିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଚୀନ୍ କହୁଛି ଗୋଟିଏ କଥା କିନ୍ତୁ କରୁଛି ଅଲଗା । ଚୀନ୍ ସହିତ ସଂପର୍କରେ ସୁଧାର ଆସି ପାରିବ କିନ୍ତୁ ସୀମା ବିବାଦର ପ୍ରଭାବ ନିଶ୍ଚିତ ଭାବେ ସଂପର୍କ ଉପରେ ପଡିବ ।   ଚୀନର ଗତିବିଧିରୁ ଜଣାପଡ଼ୁଛି ଏହା କହୁଛି ଗୋଟେ ଏବଂ କରୁଛି ଗୋଟେ ।  ଆଲୋଚନା ପରେ ମଧ୍ୟ ଚୀନ ଅଗଷ୍ଟ୨୯-୩୦ରେ ଉସୁକାଇବା ଭଳି କାମ କରିଥିଲା  । ଏଥିରୁ ଚୀନର ଦୋମୁହାଁ ନୀତି କଥା ସାମ୍ନାକୁ ଆସୁଛି । ରାଜ୍ୟସଭାରେ ରାଜନାଥ ସିଂ ସ୍ପଷ୍ଟ କରି ଦେଇଛନ୍ତି ଯେ, ଲଦାଖରେ ଭାରତୀୟ ସେନାକୁ ପାଟ୍ରୋଲିଂ କରିବାରୁ କେହି ମଧ୍ୟ ରୋକିବାର ସାହାସ କରିପାରିବେ ନାହିଁ ।

ଚୀନ ସହ ସୀମା ବିବାଦକୁ ନେଇ ସେ କହିଥିଲେ ଯେ, ଲଦାଖର ୩୮ ହଜାର ବର୍ଗ କିମି ଅଂଚଳ ଚୀନ୍ ଅଧିନରେ ଅଛି । ସେହିଭଳି ପାକିସ୍ତାନ ଅବୈଧ ଭାବରେ ୫ ହଜାର ୧୮୦ କିଲୋମିଟର ଭାରତୀୟ ଅଞ୍ଚଳ ଚୀନକୁ ଦେଇଦେଇଛି । ଚୀନ ଅରୁଣାଚଳ ପ୍ରଦେଶରେ ୯୦ ହଜାର ବର୍ଗ କିଲୋମିଟର ଅଞ୍ଚଳକୁ ନିଜର ବୋଲି ଦାବି କରୁଥିବା କଥା ମଧ୍ୟ କହିଛନ୍ତି ରାଜନାଥ ସିଂ । ତେବେ ସୀମାକୁ ନେଇ ବିବାଦ ପୂର୍ବରୁ ମଧ୍ୟ ହୋଇଛି । ଏହାକୁ ନେଇ ଉଭୟ ଦେଶର ବୟାନ୍ ଭିନ୍ନ ଭିନ୍ନ । ମଇ ମାସରେ ଚୀନ ଗଲଓ୍ୱାନ ଠାରେ ଭାରତୀୟ ସୈନିକଙ୍କ ପେଟ୍ରୋଲିଂକୁ ଅଟକାଇଥିଲେ । ଯାହାପରେ ୧୫ ଜୁନରେ ପିଏଲଏକୁ କଡ଼ା ଜବାବ ଦେଲା ଭାରତୀୟ ସେନା ।

ରାଜନାଥ ରାଜ୍ୟସଭାରେ ଏହା ମଧ୍ୟ କହିଛନ୍ତି କି ଚୀନ ଯାହା କଲା ତାହା ଦ୍ୱିପାକ୍ଷିକ ଚୁକ୍ତିନାମାର ଉଲଙ୍ଘନ । ସୀମାରେ ଚୀନର ସେନା ମୃତୟନ ପ୍ରକ୍ରିୟା ୧୯୯୩ ଏବଂ ୧୯୯୬ ମସିହାରେ ହୋଇଥିବା ଚୁକ୍ତିନାମା ବିରୁଦ୍ଧରେ । ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ପାଇଁ ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲକୁ ସମ୍ମାନ ଦେବା ଖୁବ ଜରୁରୀ । ଭାରତୀୟ ସେନା ଏହାକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରୁଛନ୍ତି । କିନ୍ତୁ ଚୀନ ପକ୍ଷରେ ଏଭଳି ନଜର ଆସୁନାହିଁ । ଆଲେଚନା ମାଧ୍ୟମରେ ଭାରତ ସମାଧାନ କରିବାକୁ ଚାହୁଁଥିବା କହିଛନ୍ତି ରାଜନାଥ ।

ପ୍ରତିରକ୍ଷାମନ୍ତ୍ରୀ ଚୀନକୁ ଦେଇଥିବା ବାର୍ତ୍ତାରେ କହିଛନ୍ତି କି ଭାରତ ଆଲୋଚନାକୁ ସମର୍ଥନ କରୁଛି କିନ୍ତୁ ନଇଁବ ନାହିଁ । ଏହା ସହିତ ଚୀନ ସୀମାରେ ଚୀନ ବିପୁଳ ସୈନ୍ୟ ମୃତୟନ କରିଛି ବୋଲି ରାଜନାଥ କହିଛନ୍ତି ।

ଡ୍ରଗ୍ସ ମାମଲାକୁ ନେଇ ନାମ ଆସିବା ପରେ କୋର୍ଟରେ ପହଞ୍ଚିଲେ ରକୁଲପ୍ରୀତ ସିଂ

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ସଂପୃକ୍ତି ଥିବା ଖବର ସାମ୍ନାକୁ ଆସିବା ପରେ ରକୁଲପ୍ରୀତ ସିଂ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ପିଟିସନରେ ତାଙ୍କ ବିରୁଦ୍ଧରେ ହୋଇଥିବା ମିଡିଆ କଭରେଜକୁ ରୋକିବା ପାଇଁ ସେ ନିବେଦନ କରିଛନ୍ତି । ଯେଉଁଥିରେ ତାଙ୍କ ଇମେଜ ଖରାପ କରିବା ପାଇଁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି । ତେବେ ଉକ୍ତ ମାମଲାକୁ ନେଇ କୋର୍ଟର ଶୁଣାଣି ଜାରି ରହିଛି ।

ରକୁଲ କୋର୍ଟରେ କହିଛନ୍ତି କି ରିୟାଙ୍କ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ମିଡିଆ ଟ୍ରାଏଲ ଜାରି ରହିଛି । ତାଙ୍କୁ ନେଇ କୌଣସି ମିଡିଆ କଭରେଜରୁ ସୁଯୋଗ ନଦେବା ପାଇଁ  ପାଇଁ ଇଡିକୁ ନିର୍ଦ୍ଦେଶ ଦେବା ପାଇଁ ସେ କୋର୍ଟରେ ପିଟିସନ ଦାଖଲ କରିଛନ୍ତି । ରକୁଲଙ୍କୁ ଜାଣିଶୁଣି ହାରାସ କରାଯାଉଥିବା କୋର୍ଟରେ କହିଛନ୍ତି ରକୁଲପ୍ରୀତଙ୍କ ଓକିଲ । ଏହି ମାମଲାର ଶୁଣାଣି ସମୟରେ ହାଇକୋର୍ଟ ସମସ୍ତ ମିଡିଆ ଚ୍ୟାନେଲକୁ ସଂଯମତାର ସହିତ କାମ କରିବାକୁ କହିଛନ୍ତି । ମିଡିଆ ଚ୍ୟାନେଲ ଗୁଡ଼ିକୁ ଇଣ୍ଟରିମ ଡାଇରେକ୍ସନ ଦେବା ପାଇଁ ହାଇକୋର୍ଟ କେନ୍ଦ୍ର ସରକାର, ନ୍ୟାସନାଲ ବ୍ରଡକାଷ୍ଟର ଆସୋସିଏସନ, ପ୍ରସାର ଭାରତୀ ଏବଂ ପ୍ରେସ କାଉଂସିଲିଂକୁ କହିଛନ୍ତି ।

ସୂଚନାଯୋଗ୍ୟ ରିୟାଙ୍କ ଡ୍ରଗ୍ସ ସଂମ୍ପୃକ୍ତି ମାମଲା ସାମ୍ନାକୁ ଆସିବା ପରେ ତାଙ୍କୁ NCB ପଚରାଉଚରା ଆରମ୍ଭ କରିଥିଲା । ଯାହାପରେ ଜେଲରେ ଅଛନ୍ତି ରିୟା । ତେବେ ଏହା ମଧ୍ୟରେ ରିୟା ସାରା ଅଲି ଖାନ ଏବଂ ରକୁଲପ୍ରୀତଙ୍କ ନାମ ନେଇଥିବା ଖବର ସାମ୍ନାକୁ ଆସିଥିଲା ।

ସରିଲା ବିଶ୍ୱର ସବୁଠୁ ଲମ୍ବା ସୁଡ଼ଙ୍ଗ ନିର୍ମାଣ, ମନାଲିରୁ ଲଦାଖ ଦୂରତା କମିଲା..

ନୂଆଦିଲ୍ଲୀ: ଅନେକ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଅଟଳ ଟନେଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆରମ୍ଭରୁ ୬ ବର୍ଷ ମଧ୍ୟରେ ଟନେଲ କାର୍ଯ୍ୟ ସରିବ ବୋଲି ଲକ୍ଷ ରଖାଯାଇଥିଲେ ମଧ୍ୟ ଏହା ୧୦ ବର୍ଷରେ ଶେଷ ହୋଇଛି ।

ପୃଥିବୀର ଦୀର୍ଘତମ ରାଜପଥ ସୁଡ଼ଙ୍ଗ ‘ଅଟଳ ଟନେଲ୍‌’ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୧୦ ହଜାର ଫୁଟ୍‌ରୁ ଅଧିକ ଉଚ୍ଚରେ ନିର୍ମିତ ଏହି ଦୀର୍ଘତମ ହାଇଓ୍ୱେ ଟନେଲ୍‌ ଲେହ ସହ ମନାଲିକୁ ସଂଯୋଗ କରୁଛି । ୬ ବର୍ଷରେ ଶେଷ ହେବାର ଟାର୍ଗେଟ ଥିଲେ ମଧ୍ୟ ଅନେକ କଠିନ ପରିସ୍ଥିତି ଆସିବାରୁ ଏହାକୁ ୧୦ ବର୍ଷ ଲାଗିଛି । ଏନେଇ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ପି.ପୁରୁଷୋତ୍ତମ ସୂଚନା ଦେଇଛନ୍ତି ।

https://twitter.com/sahil11p/status/1303396281197371392

ଟନେଲର ପ୍ରତି ୬୦ ମିଟର ଅନ୍ତରରେ ସିସିଟିଭି କ୍ୟାମେରା ଓ ୫୦୦ ମିଟରରେ ଏମରଜେନ୍ସି ଏକ୍‌ଜିଟ୍‌ ଟନେଲ୍‌ ନିର୍ମାଣ କରାଯାଇଛି । ଯାହା ଦ୍ୱାରା କୌଣସି ବି ବିପଦକୁ ଏଡ଼ାଇ ଦିଆଯିବାର ସମ୍ଭାବନା ରହିଛି । ଟନେଲ ଭିତରେ ୫ଟି ଅଗ୍ନି ନିରୋଧକ ଯନ୍ତ୍ର ମଧ୍ୟ ସ୍ଥାପନ କରାଯାଇଛି । ଟନେଲର ଚଉଡ଼ା ସାଢ଼େ ୧୦ ମିଟର ରହିଛି । ଉଭୟ ପାର୍ଶ୍ୱରେ ଦୁଇ ଫୁଟ୍‌ ଲେଖାଏଁ ଫୁଟ୍‌ ପାଥ୍‌ ମଧ୍ୟ ରହିଛି । ଏହି ଟନେଲ୍‌ ଦେଇ ଲେହରୁ ମନାଲି ଗଲେ ୪୬ କିଲୋମିଟର ରାସ୍ତା କମିବା ସହ ୪ ଘଣ୍ଟା ସମୟ ବଞ୍ଚିବ ବୋଲି ପୁରୁଷୋତ୍ତମ କହିଛନ୍ତି ।

ଅଟଳ ଟେନେଲର ପ୍ରୋଜେକ୍ଟ ଡାଇରେକ୍ଟର କର୍ଣ୍ଣେଲ୍‌ ପରୀକ୍ଷିତ ମେହେର କହିଛନ୍ତି, ଏହି ଟନେଲ ତିଆରି ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ଏହାକୁ ତିଆରି କରିବା ପାଇଁ ଟିମ୍‌ରେ ଅନେକ ଅଭିଜ୍ଞ ଯନ୍ତ୍ରୀ ମଧ୍ୟ ସାମିଲ ଥିଲେ ।

https://twitter.com/sahil11p/status/1303396278496145408

ଭାରପ୍ରାପ୍ତ ପ୍ରିନିସିପାଲଙ୍କୁ ସଂପର୍କ ରଖିବାକୁ ଚାପ ପକାଉଥିଲେ ସମ୍ପାଦକ…ନହେଲେ ଚାକିରି ଖାଇଯିବେ ବୋଲି ଦେଉଥିଲେ ଧମକ

ରାଉରକେଲା: ରାଉରକେଲା ବିଶ୍ରା ଡାହାର ରୋଡ୍ ସରସ୍ଵତୀ ବିଦ୍ୟା ମନ୍ଦିର ସମ୍ପାଦକଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଭାରପ୍ରାପ୍ତ ପ୍ରିନ୍‌ସିପାଲ ଆଣିଲେ ଅସଦାଚରଣ ଅଭିଯୋଗ । ସମ୍ପାଦକ ରାଜେଶ ଅଗ୍ରୱାଲ ବିଭିନ୍ନ ସମୟରେ ଭାରପ୍ରାପ୍ତ ପ୍ରିନ୍‌ସିପାଲଙ୍କୁ ହୋଟେଲକୁ ଡାକିବା ସହ ସମୟ ସମୟରେ ହାତ ଧରିପକାଉଥିବା ଓ ବ୍ୟକ୍ତିଗତ ସମ୍ପର୍କ ରଖିବା ପାଇଁ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି ।

କେବଳ ସେତିକି ନୁହେଁ ସମ୍ପାଦକଙ୍କ କଥା ନରଖିବାରୁ ବିଭିନ୍ନ ସମୟରେ ଭାରପ୍ରାପ୍ତ ପ୍ରିନ୍‌ସିପାଲଙ୍କୁ ହଇରାଣ କରିବା ସହ ଚାକିରିରୁ ଇସ୍ତଫା ଦେବାକୁ ଧମକ ଦେଉଥିବାନେଇ ଉଦିତନଗର ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ  ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସରସ୍ଵତୀ ବିଦ୍ୟା ମନ୍ଦିର ସଭାପତି କହିଛନ୍ତି ଯେ, ସଂପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଜାତୀୟ ବେରୋଜଗାର ଦିବସ ରୂପେ ପାଳିଲେ ବିରୋଧୀ

ଭୁବନେଶ୍ୱର,୧୭ ।୯(ବ୍ୟୁରୋ)-  ସେପ୍ଟେମ୍ବର ୧୭ ତାରିଖ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ ତମ ଜନ୍ମଦିନ । ପ୍ରଧାନମନ୍ତ୍ରୀଙ୍କ ଏହି ଜନ୍ମଦିନକୁ ଭାଜପା ପକ୍ଷରୁ ବିଭିନ୍ନ ଢଙ୍ଗରେ ପାଳନ କରାଯାଉଛି । ଏହି  କାର୍ଯ୍ୟକ୍ରମକୁ ସପ୍ତାହେବ୍ୟାପୀ ସେବା ସପ୍ତାହ ବୋଲି ମଧ୍ୟ କୁହାଯାଇଛି । ହେଲେ ଟୁଇଟର ଜଗତ ତଥା ସୋସିଆଲ ମିଡିଆରୁ ମୋଦିଙ୍କ ଜନ୍ମଦିନରେ ଟ୍ରେଣ୍ଡ ହୋଇଥିବା ଏକ ବିଷୟ ତାଙ୍କ ଜନ୍ମଦିନକୁ ପାଣିଚିଆ କରିବା ପରି ମନେ ହେଉଛି ।

ବିରୋଧୀ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ପକ୍ଷରୁ #NationalUnemploymentDay ଟ୍ରେଣ୍ଡ କରାଯାଉଛି । ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍ ଡି ଏ) ପକ୍ଷରୁ ଅତୀତରେ ନିଆଯାଇଥିବା ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ନିଷ୍ପତ୍ତି, ରୋଜଗାର ସୃଷ୍ଟି ନ ହେବା ବିଷୟକୁ ବିରୋଧୀ ପ୍ରସଙ୍ଗ କରିଛନ୍ତି । କରୋନା ମହାମାରୀ କାରଣରୁ ଏହା ବିରୋଧରେ ବଡ଼ ବଡ଼ ସଭା ସମିତି ଅନୁମତି ନାହିଁ । ତେଣୁ ଏକ ପ୍ରତୀକାତ୍ମକ ବିରୋଧ ଉଦ୍ଦେଶ୍ୟରେ ଏପରି ଟ୍ରେଣ୍ଡି କରାଯାଇଥିବା ଜଣାପଡିଛି ।  ଗୁରୁବାର ସକାଳୁ ପ୍ରଧାନମନ୍ତ୍ରୀ ଜନ୍ମଦିନ ଉପଲକ୍ଷେ ତାଙ୍କୁ ଶୁଭେଚ୍ଛା ଜଣାଇ ଲକ୍ଷାଧିକ ଟୁଇଟ୍ କରାଯାଇଛି । ସାମନ୍ତରାଳ ଭାବେ ନିଯୁକ୍ତି ଦାବି କରି #NationalUnemploymentDay ଟ୍ରେଣ୍ଡ କରାଯାଇଛି ।

କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ଏହି ହ୍ୟାସଟ୍ୟାଗ ଟ୍ରେଣ୍ଡ କରାଯିବାସହ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ଦେଶରେ ଜୟପୁର, ରାୟପୁର, ପୁଡୁଚେରୀ,ଚଣ୍ଡିଗଡ,ମୁମ୍ବାଇ ଇତ୍ୟାଦି ସ୍ଥାନରେ ଏହି ପ୍ରତୀକାତ୍ମକ ବିକ୍ଷୋଭ କରାଯାଇଛି । କେତେକ ସ୍ଥାନରେ କଂଗ୍ରେସ କର୍ମୀମାନେ ଚା ଏବଂ ପକୋଡି ପ୍ରସ୍ତୁତି କରି ବିକୁ ଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି । ଅନୁରୂପଭାବେ ଓଡ଼ିଶାରେ କଟକ ଏବଂ ଭୁବନେଶ୍ୱର ମଧ୍ୟ ଯୁବ କଂଗ୍ରେସ ପକ୍ଷରୁ ମୋଦିଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ରୂପେ ପାଳନ କରାଯାଇଛି ।

 

 

ରାଜ୍ୟରେ କରୋନାରେ ଆଉ ୧୩ଜଣଙ୍କ ମୃତ୍ୟୁ, ମୋଟ୍ ମୃତ୍ୟୁ ସଂଖ୍ୟା ୬୬୯କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ୩ ହଜାର ଉପରେ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୨୪୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫୦୨ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ଅନ୍ୟ ୧୭୩୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୧୬୧ ପହଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଜଣ ହୋଇଥିବା ବେଳେ କଟକରୁ ୩୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୨୯ ହଜାର ୮୫୯ ଜଣ । ରାଜ୍ୟରେ ୨୬ ଲକ୍ଷ ୧୯ ହଜାର ୬୦୧ କମୁଲେଟିଭ ଟେଷ୍ଟ ଏପର୍ଯ୍ୟନ୍ତ ହୋଇଛନ୍ତି । କରୋନା ସକ୍ରିୟ ସଂଖ୍ୟା ୩୬ ହଜାର ୫୮୦। ସବୁଠାରୁ ବଡ଼ କଥା ହେଉଛି ଆଜି ୧୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା ୬୬୯ରେ ପହଞ୍ଚିଛି । ଅନ୍ୟପକ୍ଷରେ ଆଜି ପୁଣିଥରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୪୩ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ୱରରୁ ୭୦ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି, ସେ ମଧୂମେହ ଓ ଉଚ୍ଚରକ୍ତଚାପରେ ପୂର୍ବରୁ ପିଡ଼ୀତ ଥିଲେ । ସେହିଭଳି ଭୁବନେଶ୍ୱରରୁ ଆଉ ଜଣେ ୭୫ ବର୍ଷିୟ ମହିଳାଙ୍କ ମୃଦତ୍ୟୁ ହୋଇଛି । ଏହା ସହ ଜଣେ ୬୮ ବର୍ଷିୟ ପୁରୁଷଙ୍କ ମଧ୍ୟ ମୃତ୍ୟୁ ହୋଇଛି । ସେ ମଧୂମେହ ଓ ହୃଦରୋଗରେ ପୀଡ଼ିତ ଥିଲେ ।

ସେହିଭଳି କଟକରୁ ଜଣେ ୮୦ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ । ଗଜପତି ୫୬ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି, ସେ ମଧୂମେହ ଓ ଉଚ୍ଚରକ୍ତରେ ପୀଡ଼ିତ ଥିଲେ । ସେହିପରି ଗଜପତିରୁ ଆଉଜଣେ ୫୦ ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ଜଣେ ୬୫ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି, ସେ ମଧୂମେହ ଓ ଉଚ୍ଚରକ୍ତରେ ପୀଡ଼ିତ ଥିଲେ  ।

ପୁରୀରୁ ୮୫ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ସେ ମଧୂମେହ ଓ ଉଚ୍ଚରକ୍ତରେ ପୀଡ଼ିତ ଥିଲେ । ସେହିଭଳି ପୁରୀରୁ ଆଉ ଜଣେ ୬୨ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି, ସେ ମଧୂମେହ ଓ ଉଚ୍ଚରକ୍ତରେ ପୀଡ଼ିତ ଥିଲେ । ସହି ପୁରୀରୁ ଜଣେ ୬୫ ବର୍ଷିୟ ଓ ଜଣଅେ ୫୪ ବର୍ଷିୟ ପୁରୁଷଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ସେହିଭଳି ସୁବର୍ଣ୍ଣପୁରରୁ ଜଣେ ୭୨ ବର୍ଷିୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସେ ପୁର୍ବରୁ କରୋନାରୀ ଆଟାରୀ ଡିଜଜ୍ ଓ ମଧୂମେହ ରୋଗରେ ପୀଡ଼ିତ ଥିଲେ ।

ମହିଳାଙ୍କ ସହ ଯୁବକଙ୍କୁ ବାନ୍ଧି ଦାଣ୍ଡରେ ବୁଲାଇଲେ ଗାଁ ଲୋକ, ଜାଣନ୍ତୁ କ’ଣ ପାଇଁ ?

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ପାଳପାଟଣାରେ କଙ୍ଗାରୁକୋର୍ଟ । ଜଣେ ବିବାହିତା ମହିଳା ଓ ଜଣେ ଯୁବକଙ୍କୁ ରଶିରେ ବାନ୍ଧି ଗାଁରେ ବୁଲାଇଲେ କିଛି ଯୁବକ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଖବର ଅନୁସାରେ ଗାଁର ଜଣେ ମହିଳାଙ୍କ ସ୍ୱାମୀଙ୍କ ଘରେ ନଥିବା ବେଳେ ତାଙ୍କ ଘରକୁ ରାତିରେ ଜଣେ ଯୁବକ ଯାଇଥିଲେ । ଏ ସଂପର୍କରେ ଜାଣିପାରି ଗାଁର କିଛି ଯୁବକ ଉଭୟଙ୍କୁ ଘରେ ତାଲା ପକାଇ ଦେଇଥିଲେ । ପରଦିନ ସକାଳେ ମହିଳା ଓ ଯୁବକଙ୍କୁ ରଶିରେ ବାନ୍ଧି ଗାଁରେ ବୁଲାଇବାର ଭିଜୁଆଲ ଭାଇରାଲ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ, ମହିଳା ଜଣଙ୍କର ସ୍ୱାମୀ ଘରେ ନଥିବାବେଳେ ଯୁବକ ଜଣଙ୍କ ତାଙ୍କ ଘରକୁ ଯାଇଥିଲେ । ଏ ବିଷୟରେ ଜାଣିବା ପରେ ସ୍ଥାନୀୟ ଯୁବକ ଘରକୁ ବାହାରୁ ତାଲା ପକେଇ ଦେଇଥିଲେ । ସକାଳେ ଦୁହିଁଙ୍କୁ ରଶିରେ ବାନ୍ଧି କିଛି ଯୁବକ ଗାଁରେ ବୁଲାଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କିଛି ବୁଦ୍ଧିଜୀବୀ ପୋଲିସକୁ ଅବଗତ କରାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରିଥିଲା ।

ଆଇଆଇସିଙ୍କ ସୂଚନା ଅନୁଯାୟୀ, ଏବାବଦରେ ବର୍ତ୍ତମାନ ଥାନାରେ କୌଣସି ଏଫଆଇଆର ଦାଖଲ ହୋଇନାହିଁ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଜୁଆଲ ମଧ୍ୟ ପୋଲିସ ହସ୍ତଗତ ହୋଇନାହିଁ । ଏଫଆଇଆର ଦାଖଲ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି । ବର୍ତ୍ତମାନ ଯୁବକଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ସ୍ଥାନୀୟ ଯୁବକଙ୍କ ସୂଚନା ଅନୁଯାୟୀ, ଉକ୍ତ ଯୁବକ ଜଣଙ୍କ ମହିଳାଙ୍କ ଘରକୁ ବାରମ୍ବାର ଯାଉଥିଲେ । ଗତକାଲି ଯୁବକ ଜଣଙ୍କ ମହିଳାଙ୍କ ଘରକୁ ଯିବାର ଦେଖିବା ପରେ ଦୁହିଁଙ୍କୁ ଘର ଭିତରେ ତାଲା ପକାଇଦେଇଥିଲେ । ଏପର୍ଯ୍ୟନ୍ତ ଘଟଣାକୁ ନେଇ ମହିଳା କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଏଫଆଇଆର ଦାଖଲ ହେବା ପରେ ଆଇନ ଅନୁଯାୟୀ ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।