spot_img
Home Blog Page 6410

ପୁରୀକୁ ନେଇ ଲେଖାଶ୍ରୀଙ୍କ ଅରୁଚିକର ମନ୍ତବ୍ୟକୁ ସମସ୍ତ ରାଜନୈତିକ ଦଳର ନିନ୍ଦା

ଭୁବନେଶ୍ୱର:  ପୁରୀର ପରିଚୟ ସମ୍ପର୍କିତ ବିବାଦୀୟ ବୟାନ ଦେଇ ହରଡ଼ଘଣାରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ବିଜେପି ନେତା ସମ୍ବିତ ପାତ୍ରଙ୍କ ଯୋଗୁ ପୁରୀକୁ ଲୋକେ ଜାଣିଲେ ବୋଲି ଲେଖଶ୍ରୀ ଦେଇଥିବା ବୟାନକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା ହୋଇଛି। ବିଜେଡି ଓ କଂଗ୍ରେସ ସମେତ ଖୋଦ ନିଜ ଦଳ ଅର୍ଥାତ ବିଜେପି ନେତା ବି ଏ ପ୍ରସଙ୍ଗରେ ଲେଖାଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ଭୁଲକୁ ସ୍ୱୀକାର କରିବାକୁ କହିଛନ୍ତି।

ଲେଖାଶ୍ରୀଙ୍କ ମନ୍ତବ୍ୟ ତାଙ୍କ ନିର୍ବୋଧତାକୁ ସୂଚଉଛି ବୋଲି କହିଛି ବିଜେଡି। ଜଗନ୍ନାଥ ପ୍ରେମୀଙ୍କ ମନରେ ଏହି ବୟାନ ଆଘାତ ଦେଇଛି । ପୁରୀ କହିଲେ ଜଗନ୍ନାଥଙ୍କ କଥା ବୁଝାଏ। ଜଗନ୍ନାଥଙ୍କୁ କୌଣସି ନେତାଙ୍କ ସହ ତୁଳନା କରିବା ଏହା ନିର୍ବୋଧତା ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି। ଲେଖାଶ୍ରୀଙ୍କ ଉଦ୍ଦେଶ୍ୟ ହେଉଛି ନିଜ ଦଳୀୟ ନେତାଙ୍କୁ ତେଲ ମାରିବା ଓ ପଦପଦବୀ ପାଇବା । ପୁରୀବାସୀଙ୍କୁ ଅପମାନିତ କରିବା। ସେ ନିଜ ଦଳ ଭିତରେ ନେତାଙ୍କ ସହ କଥା ହେଉନହାନ୍ତି ବୋଲି କହିଛନ୍ତି ପ୍ରମିଳା।

 

ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତା ସୌମ୍ୟ ରଂଜନ ପଟ୍ଟନାୟକ ଙ୍କ କହିବା କଥା ତାଙ୍କୁ ଯେତେବେଳେ  ବାହାରେ ଲୋକେ ପଚାରୁଥିଲେ ଓଡିଶା କେଉଁଠି ସେତେବେଳେ ଜଗନ୍ନାଥଧାମ ପୁରୀର ପରିଚୟ ଦେଉଥିଲେ । ପରେ ଲୋକେ ଜାଣିପାରୁଥିଲେ ।ଏବେ କେମିତି ସମ୍ବିତ ନୂଆ ପରିଚୟ ଦେଲେ ମୁଁ ଜାଣିପାରୁନାହିଁ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି।ଏଭଳି  ଶସ୍ତା ମନ୍ତବ୍ୟ  ଲେଖାଶ୍ରୀ ମାଡାମ ଦିଅନ୍ତୁ ନାହିଁ ବୋଲି ସେ କହିଛନ୍ତି।

ଜଗନ୍ନାଥଙ୍କ ପ୍ରସଙ୍ଗରେ ଲେଖଶ୍ରୀଙ୍କ ବୟାନକୁ ନେଇ ଗର୍ଜିଛି କଂଗ୍ରେସ। ଜଗନ୍ନାଥ ଧାମକୁ ନେଇ ଏଭଳି ମନ୍ତବ୍ୟ ଦେବା ନିନ୍ଦନୀୟ ଓ ସେ ତୁରନ୍ତ ରାଜ୍ୟବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେପଟେ ଖୋଦ ନିଜ ଦଳ ବି ଏ ପ୍ରସଙ୍ଗରେ ଲେଖା ଙ୍କ ଉପରେ ବର୍ଷିଛି। ଲେଖାଶ୍ରୀ ସାମନ୍ତସିଂହାର ଯଦି ଏଭଳି କଥା କହିଛନ୍ତି ତାହେଲେ ଏହା ହାସ୍ୟାସ୍ପଦ। ସେ ଏଥିପାଇଁ ଦୁଃଖ ପ୍ରକାଶ କରିବା କଥା,ଜଗନ୍ନାଥ ଧାମ ଜଗନ୍ନାଥଙ୍କ ପାଇଁ ସାରା ବିଶ୍ୱରେ ପରିଚିତ,ସମ୍ବିତ ପାତ୍ରଙ୍କ ପାଇଁ ନୁହଁ ବୋଲି କହିଲେ ବିଜେପି ନେତା ପ୍ରଦୀପ ପୁରୋହିତ। ଏହି ପ୍ରସଙ୍ଗରେ ଯୁବ  ନେତା ତଥା ଭାରତୀୟ ଭାଷା ଆପଣାନ୍ତୁ ସଙ୍ଗଠନର ରାଜ୍ୟ ସଭାପତି  ଆଶିଷ ମିଶ୍ର ଏତଲା ମଧ୍ୟ ଦାୟର କରିଛନ୍ତି ।

 

ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତନକୁ ଟାର୍ଗେଟ, କହିଲେ ଆତଙ୍କକୁ ପ୍ରସୟ ଦେଉଥିବା ଦେଶକୁ ବିରୋଧ କରାଯାଉ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସମେତ ଅନ୍ତର୍ଜାତୀୟ ସଂଗଠନରେ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ପୁଣିଥରେ ଦୋହରାଇଛନ୍ତି । ଏଥିସହ ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଗୁଡ଼ିକୁ ଦଣ୍ଡିତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପ୍ରଶଂସା କରିଥିଲେ ।

ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବ୍ରିକ୍ସର ସଫଳ ଆଚରଣ ପାଇଁ ମୁଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅଭିନନ୍ଦନ ଜଣାଉଛି । ଭାରତର ସଂସ୍କୃତିରେ ସମଗ୍ର ବିଶ୍ୱକୁ ପରିବାର ପରି ବ୍ୟବହାର କରାଯାଇଛି । ଯେଉଁଥିପାଇଁ ଶାନ୍ତି ରକ୍ଷା କରିବାରେ ଭାରତ ତାର ଅଧିକାଂଶ ସୈନିକଙ୍କୁ ହରାଇଛି ।

ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତିଯେ ବିଶ୍ୱ ଶାସନର ବିଶ୍ୱସନୀୟତା ଏବଂ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି । ଏହାର ମୁଖ୍ୟ କାରଣ ହେଉଛି ସମୟର ସହିତ ଏଥିରେ ସଠିକ୍ ପରିବର୍ତ୍ତନ ହୋଇନାହିଁ । ଏହା ୭୫ ବର୍ଷ ପୁରୁଣା ବିଶ୍ୱ ମାନସିକତା ଏବଂ ବାସ୍ତବତା ଉପରେ ଆଧାରିତ । ଯେଉଁଥିପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ପରିବର୍ତ୍ତନ ଅତ୍ୟନ୍ତ ଅନିବାର୍ଯ୍ୟ ବୋଲି ଭାରତ ବିଶ୍ୱାସ କରେ । ଏହି ପ୍ରସଙ୍ଗରେ ଆମର ବ୍ରିକ୍ସ ସହଯୋଗୀଙ୍କ ସହଯୋଗ ଆଶା କରୁଛୁ ବୋଲି ମୋଦି କହିଛନ୍ତି ।

ଆତଙ୍କବାଦକୁ ନେଇ ମୋଦି କଡ଼ା ସମାଲୋଚନା କରିଛନ୍ତି । “ଆତଙ୍କବାଦ ଆଜି ବିଶ୍ୱର ସବୁଠୁ ବଡ଼ ସମସ୍ୟା । ସିଧା ଆକ୍ଷେପ ନକରି ମୋଦି ପାକ୍‌କୁ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ତଥା ସାହାଯ୍ୟ କରୁଥିବା ଦେଶଗୁଡ଼ିକ ମଧ୍ୟ ବିଶ୍ୱ ପାଇଁ ବଡ଼ ଦୋଶୀ । ସେଥିପାଇଁ ସମସ୍ୟାର ସମାଧାନ ପାଇଁ ଏହି ଦେଶମାନଙ୍କ ଉପରେ ମଧ୍ୟ ମିଳିତ ଭାବରେ କଠୋର ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

୧୦ କିଲୋମିଟର ଚାଲିଚାଲି ଜିଲ୍ଲାପାଳଙ୍କୁ ଭେଟିଲା କୁନି ଝିଅ; ବାପାଙ୍କ ନାଁରେ ଦେଲା ଏତଲା

କେନ୍ଦ୍ରାପଡ଼ା: କୁନି ପାଦରେ ୧୦ କିଲୋମିଟର ରାସ୍ତା  ପାର୍ କରି ୬ଷ୍ଠୀ ଶ୍ରେଣୀର ଛୁଆ ପହଞ୍ଚିଲା ଜିଲ୍ଲାପାଳ ବାବୁଙ୍କ ଦପ୍ତରରେ । ଅଭିଯୋଗ ବଖାଣି ନ୍ୟାୟ ପାଇଁ ଗୁହାରୀ କଲା । ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ । କୁନି ଝିଅର ଅଭିଯୋଗ ଅନୁଯାୟୀ, ମଧ୍ୟାହ୍ନ ଭୋଜନ ବାବଦକୁ ସରକାରଙ୍କ ତରଫରୁ ତାଙ୍କୁ ମିଳୁଥିବା ଅର୍ଥରାଶିକୁ ତାଙ୍କ ବାପା ହଡ଼ପ କରି ନେଉଛନ୍ତି । ତାହା ତାଙ୍କ ପ୍ରାପ୍ତ ହୋଇଥିବା ବେଳେ, ବାପା ତାଙ୍କୁ ତାଙ୍କର ଅଧିକାରରୁ ବଞ୍ଚିତ କରୁଛନ୍ତି । ଏପରିକି ତାଙ୍କୁ ମିଳୁଥିବା ଚାଉଳ ମଧ୍ୟ ବାପା ତାଙ୍କୁ ଦେଉନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ କୋଭିଡ୍ କଟକଣା ବେଳେ ସ୍କୁଲ ବନ୍ଦ ଥିଲା ସତ ମାତ୍ର ସରକାର ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥାର ଉତ୍ତରଦାୟିତ୍ୱ ତୁଟାଇନଥିଲେ । ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦୈନିକ ୮ ଟଙ୍କା ଓ ୧୫୦ଗ୍ରାମର ଚାଉଳ ଯୋଗାଉଥିଲେ ।

ତେବେ ଦୈନିକ ମିଳୁଥିବା ଟଙ୍କା ପିଲା କିମ୍ୱା ଅଭିଭାବକ ମଧ୍ୟରୁ ଜଣଙ୍କ ଆକାଉଣ୍ଟକୁ ଯାଇପାରିବ । ଅଭିଯୋଗ କରିଥିବା କୁନି ଝିଅର କହିବା କଥା ଯେ ତାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଥିବା ସତ୍ତ୍ୱେ ମଧ୍ୟ ତାଙ୍କ କୋଟାର ଟଙ୍କା ତାଙ୍କ ବାପାଙ୍କ ଆକାଉଣ୍ଟକୁ ଯାଉଥିଲା । କେବଳ ସେତିକି ନୁହେଁ, ତାଙ୍କ ବଦଳରେ ବାପା ସ୍କୁଲରୁ ଚାଳ ମଧ୍ୟ ସଂଗ୍ରହ କରୁଥିଲେ । ସେ ଏବେ ନିଜ ପିତାଙ୍କ ସହ ରହୁନାହାନ୍ତି, ତେଣୁ ଆଇନତଃ ତାଙ୍କୁ ମିଳିଥିବା ସରକାରୀ ସୁବିଧା ସୁଯୋଗର ହକଦାର ତାଙ୍କ ପିତାଙ୍କ ମାଧ୍ୟମରେ ତାଙ୍କ ପାଖକୁ ଆସିବା ଉଚିତ ନୁହେଁ । ସୂଚନାଯୋଗ୍ୟ ଯେ ଛାତ୍ରୀ ଜଣଙ୍କର ମା ଏବେ ଦୁନିଆରେ ନାହାନ୍ତି । ମା ଚାଲିଯିବା ପରେ ତାଙ୍କ ପିତା ସାନି ବିବାହ କରିଥିଲେ । ଏହାପରଠାରୁ ସେ ନିଜର ଜଣେ ସମ୍ପର୍କୀୟଙ୍କ ପାଖରେ ରହୁଛନ୍ତି ଓ ଉକ୍ତ ସମ୍ପର୍କୀୟ ତାଙ୍କ ଲାଳନ ପାଳନ ଦାୟିତ୍ୱ ନେଇଛନ୍ତି ।

ତେଣୁ ସେ ଚାହାନ୍ତି ଯେ ତାଙ୍କ ପାଇଁ ସବୁ ସୁବିଧା ସୁଯୋଗ ତାଙ୍କୁ ହିଁ ମିଳୁ । ତେବେ ଅଭିଯୋଗ ଆସିବାର ତୁରନ୍ତ ପରେ ହିଁ ଜିଲ୍ଲାପାଳ ସମର୍ଥ ବର୍ମା ସକ୍ରିୟ ଭାବେ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଣିକି ତାଙ୍କୁ ମିଳୁଥିବା ଆର୍ଥିକ ରାଶି ସିଧାସଳଖ ଭାବେ ଛାତ୍ରୀଙ୍କର ବ୍ୟାଙ୍କ ଆକାଉଣ୍ଟ ଯିବା ନେଇ ନିର୍ଦ୍ଦେଶ ଦେଇଥିବା ବେଳଏ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, କେବଳ ଛାତ୍ରୀଙ୍କ ଅନୁମତି ପରେ ହିଁ ତାଙ୍କ କୋଟାର ଚାଉଳ ପ୍ରଦାନ କରାଯାଉ । ତେବେ ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

କରୋନା ଭାଇରସ ଟିକାକୁ ନେଇ ବୈଜ୍ଞାନିକଙ୍କ ଚିନ୍ତା, କେମିତି ଭ୍ୟାକ୍ସିନ୍ ରହିବ ସୁପର କୁଲ୍ !

ନୂଆଦିଲ୍ଲୀ: କରୋନା ପରେ ଭ୍ୟାକ୍ସିନକୁ ନେଇ ଟେନସନ୍ ଥିଲା । ଏବେ ଦୁଇ ଦୁଇଟି ମେଡିକାଲ ଫାର୍ମ୍ ଭ୍ୟାକ୍ସିନର ସଫଳତା ନେଇ ଦାବି କରିବା ପରେ ଆଉ ଗୋଟିଏ ଚିନ୍ତା ମୁଣ୍ଡଟେକିଛି । ଚିନ୍ତା ହେଲା ଭ୍ୟାକ୍ସିନକୁ ଥଣ୍ଡା ରଖାଯିବ କେମିତି ? ଭ୍ୟାକ୍ସିନକୁ ଥଣ୍ଡା ରଖିବାକୁ ନେଇ ଭାରତ ଭଳି ଅନେକ ଦେଶଙ୍କ ମୁଣ୍ଡ ଆଗକୁ ଗରମ ହେବା ଶତ ପ୍ରତିଶତ ନିଶ୍ଚିତ । ଏମିତିରେ ଏବେ ବୈଜ୍ଞାନିକଙ୍କ ଚିନ୍ତା ହେଉଛି କରୋନା ଭ୍ୟାକ୍ସିନକୁ କେମିତି ଥଣ୍ଡା ରଖିବେ..

ଫିଜର କହୁଛି ମୋ ଭ୍ୟାକ୍ସିନ ୯୦ ପ୍ରତିଶତ ସଫଳ । ମଡେର୍ଣ୍ଣା କହୁଛି ଆମ ଭ୍ୟାକ୍ସିନ ୯୪ ପ୍ରତିଶତ ସଫଳ । ଖୁସୀର କଥା । କିନ୍ତୁ ବୈଜ୍ଞାନିକଙ୍କ ସହ ଭାରତ ଭଳି ଅନେକ ତୃତୀୟ ବିଶ୍ୱର ଦେଶ ଏହାକୁ ନେଇ ବେଶି ଖୁସୀ ହୋଇ ପାରୁନାହାନ୍ତି । କାରଣ ହେଉଛି mRNA ଟେକ୍ନୋଲୋଜି ଦ୍ୱାରା ତିଆରି ଏହି ଭ୍ୟାକ୍ସିନର ଟ୍ରାନ୍ସପୋର୍ଟେସନ୍ ଓ ସଂରକ୍ଷଣ ଗୋଟିଏ ବଡ ସମସ୍ୟା । କାରଣ ଏଭଳି ଭ୍ୟାକ୍ସିନ୍ –କୁ ମାଇନସ ୭୦ ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ କରି ରଖିବାକୁ ପଡିବ । ଏହି କାମ ସାମାନ୍ୟ ଫ୍ରିଜ୍ ଦ୍ୱାରା ସମ୍ଭବ ନୁହେଁ । ମଡେର୍ଣ୍ଣା ଭ୍ୟାକ୍ସିନ୍ ସହ ମଧ୍ୟ ସମାନ ସମସ୍ୟା ରହିଛି । ମଡେର୍ଣ୍ଣାକୁ ମଧ୍ୟ –ମାଇନସ ୨୦ ଡିଗ୍ରିରେ ପ୍ରିଜର୍ଭ କରିବାକୁ ପଡ଼ିବ । ଏମିତିରେ ଆସନ୍ତୁ ଜାଣିବା କେମିତି ଭ୍ୟାକ୍ସିନକୁ ଥଣ୍ଡା ରଖାଯିବ ଓ କାହିଁକି ଏହା ସହଜ ନୁହେଁ ।

ଏଠି କହି ରଖୁଛୁ ଯେ, ଅନ୍ୟ ଔଶଧ ଭଳି ଭ୍ୟାକ୍ସିନର ମଧ୍ୟ ଏକପାୟରୀ ଡେଟ୍ ରହିଥାଏ । ଏହା ସହିତ ଭ୍ୟାକ୍ସିନ୍ ମଧ୍ୟ ଶୀଘ୍ର ଖରାପ ହୁଏ । ଗୋଟିଏ ଭ୍ୟାକ୍ସିନକୁ ଯଦି ଏକ ନିଶ୍ଚିତ ତାପମାତ୍ରାରେ ସଂରକ୍ଷିତ ରଖା ଯାଏ କିମ୍ବା ଏହା ଯଦି ଧୁଳି ଓ ଧୁଆଁ ସଂସ୍ପର୍ଷରେ ଆସେ ତେବେ ଏହା ଖରାପ ହୋଇଯାଏ । ନିଶ୍ଚିତ ତାପମାତ୍ରାରେ ନଥିବା ଭ୍ୟାକ୍ସିନ୍ ନେଲେ ମଧ୍ୟ କୌଣସି ଫାଇଦା ମିଳେ ନାହିଁ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତିବର୍ଷ ଅଧାରୁ ଅଧିକ ଭ୍ୟାକ୍ସିନ୍ ପ୍ରିଜର୍ଭେସନ ସମସ୍ୟା କାରଣରୁ ଖରାପ ହୋଇଯାଏ । ଏଥିରେ ସବୁଠୁ ବଡ଼ କାରଣ ହେଉଛି ତାପମାତ୍ରାକୁ ନିୟନ୍ତ୍ରଣ ମଧ୍ୟରେ ନରଖି ପାରିବା । ଏମିତିରେ ବୈଜ୍ଞାନିକଙ୍କ ଚିନ୍ତା ହେଉଛି ଯେତେବେଳେ ପୁରା ଦୁନିଆ କରୋନା ଟିକା ଦରକାର କରୁଛି ସେତେବେଳେ ଯଦି ଟିକା ଖରାପ ହୁଏ ତେବେ କ’ଣ ହେବ ।

ଫିଜର ଓ ମଡେର୍ଣ୍ଣା ବ୍ୟାତିତ ଲାଇନରେ ଥିବା ଆହୁରି କିଛି ଟିକା ମଧ୍ୟ କୋଲ୍ଡ ଟେମ୍ପରଚର ଆବଶ୍ୟକ କରନ୍ତି । ଏମିତିରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଟିକା ଟ୍ରାନ୍ସପୋର୍ଟେସନ୍ ବେଳେ ତାପମାତ୍ରାକୁ ସ୍ଥିର ରଖିବା ଏକ ସମସ୍ୟା । ତେବେ ଏହାର ସମାଧାନ କ’ଣ ? ଡାଇ ଆଇସ୍ ଗୋଟିଏ ସମାଧାନ ହୋଇପାରେ । କିନ୍ତୁ ପ୍ରଶ୍ନ ହେଲା ଏତେ ମାତ୍ରାରେ ଡାଇ ଆଇସ୍ ଆସିବ କେଉଁଠୁ ?

ଡାଇ ଆଇସ୍ ହେଉଛି କଠିନ୍ କାର୍ବନ ଡାଆକ୍ସାଇଡ୍ । ଏହା ଏମିତି ଗୋଟିଏ କୁଲିଂ ଏଜେଣ୍ଟ୍ ଯାହା ବରଫକୁ ମଧ୍ୟ ଥଣ୍ଡା ରଖିଥାଏ । ଏହି ବରଫ ସାମାନ୍ୟ ଫ୍ରିଜରେ ଥିବା ବରଫ ତୁଳନାରେ ୪ ଗୁଣ ଅଧିକ ଥଣ୍ଡା ରହିଥାଏ । ସୁପର ମାର୍କେଟରେ ଏହା ବ୍ୟବହୃତ ହୋଇଥାଏ । ଅଧିକ ଅବଧି ପାଇଁ ଫ୍ରୋଜେନ୍ ଉତ୍ପାଦକୁ ରଖିବା ପାଇଁ ଏହି ବରଫ ବ୍ୟବହାର ହୋଇଥାଏ । ଏମିତିରେ ଯଦି ସବୁ ଡାଇ ଆଇସ୍ ଭ୍ୟାକ୍ସିନ୍ ପାଇଁ ଚାଲିଯିବ ,ତେବେ ଫ୍ରୋଜେନ୍ ଫୁଡ୍ ନଷ୍ଟ ହେବ । ଅନେକ ଦେଶରେ ଫ୍ରୋଜେନ୍ ଫୁଡ୍ ଖାଦ୍ୟର ଏକମାତ୍ର ମାଧ୍ୟମ ।

ଏହାକୁ ବି ଯଦି ନଜର ଅନ୍ଦାଜ କରାଯାଏ ତେବେ ଆଉ ଗୋଟିଏ ସମସ୍ୟା ହେବ ପରିବହନ । ଫ୍ୟାକ୍ଟ୍ରିରୁ ସାଧାରଣ ଲୋକଙ୍କ ପାଖରେ ପହଂଚିବାକୁ ଭ୍ୟାକ୍ସିନକୁ ଏକ ଲମ୍ବା ଚେନ୍ ଦେଇ ଗତି କରିବାକୁ ପଡିଥାଏ । ଟିକା ଫ୍ୟାକ୍ଟ୍ରିରୁ ବାହାରିବା ପରେ ସ୍ଥଳ ପଥରେ କିମ୍ବା ଜଳପଥ କିମ୍ବା ଆକାଶ ମାର୍ଗ ଦେଇ ଗନ୍ତବ୍ୟସ୍ଥଳରେ ପହଂଚେ । ସେଠାରୁ ଏହା ହସ୍ପିଟାଲକୁ ଯାଏ । ଏମିତି ଟ୍ରାନ୍ସପୋର୍ଟେସନ୍ କାଳରେ ମଧ୍ୟ ନିଶ୍ଚିତ ତାପମାତ୍ରାକୁ ବଜାୟ ରଖିବାକୁ ପଡିବ । ଯଦି ଟ୍ରାନ୍ସପୋର୍ଟେସନ୍ କାଳରେ ତାପମାତ୍ରରେ ପରିବର୍ତ୍ତନ ଆସେ ତେବେ ଭ୍ୟାକ୍ସିନର ପ୍ରଭାବ ରହିବ ନାହିଁ କିମ୍ବା ପୁରା ବେକାର ହୋଇଯିବ ।
ଏବେ କରୋନା ଭ୍ୟାକ୍ସିନ୍ ଏକ ନୂଆ ଭାଇରସ । ତେଣୁ କୌଣସି ପ୍ରକାରର ସମ୍ଭାବ୍ୟ ବିପଦକୁ ହାଲୁକାରେ ନିଆ ଯାଇ ପାରିବ ନାହିଁ । ଯଦି ଭ୍ୟାକ୍ସିନ କେବଳ ତାପମାତ୍ରା କାରଣରୁ ନଷ୍ଟ ହୁଏ ତେବେ ପୁଣି ଥରେ ଆହୁରି ଭ୍ୟାକ୍ସିନ୍ ତିଆରି କରିବାକୁ ପଡିବ । ପୁଣିଥରେ ତାକୁ ଟ୍ରାନ୍ସପୋର୍ଟ କରିବାକୁ ପଡିବ । ଅର୍ଥାତ ଅଧିକ ଅର୍ଥଶ୍ରାଦ୍ଧ । ୱାଲ ଷ୍ଟ୍ରିଟ୍ ଜର୍ଣ୍ଣଲ ଅନୁସାରେ ଦୁଇ କଂପାନୀ ଭ୍ୟାକ୍ସିନ ତିଆରିରେ ଯେତିକି ଅର୍ଥ ଖର୍ଚ୍ଚ କରୁନାହାନ୍ତି ତାହାଠୁ ଅଧିକ ଖର୍ଚ୍ଚ ଥର୍ମାଲ ଷ୍ଟୋରେଜରେ କରିବେ । ଯାହାର ସିଧା ଅର୍ଥ ହେଲା ଗ୍ରାହକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିବ ।

ଚାନ୍ଦିପୁରରେ ସ୍ୱଦେଶୀ ଯନ୍ତ୍ରପାତିରେ ନିର୍ମିତ ମିସାଇଲର ପରୀକ୍ଷଣ

ବାଲେଶ୍ୱର: କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଚାନ୍ଦିପୁରର ୩ନଂ ଲଞ୍ଚପ୍ୟାଡ଼ରୁ ପରୀକ୍ଷା ହେଲା ମିସାଇଲ୍ । ସ୍ଥଳଭାଗରୁ ଆକାଶକୁ ଟାର୍ଗେଟ କରିପାରୁଥିବା QUICK REACTION SUFACE TO AIR MISSILE ପରୀକ୍ଷଣ ସଫଳ ହୋଇଛି  । ଏହି କ୍ଷେପଣାସ୍ତ୍ର ପାଇଲଟଲେସ୍ ଟାର୍ଗେଟ ଏୟାରକ୍ରାଫ୍ଟ ବଂଶୀକୁ ଲକ୍ଷ୍ୟଭେଦ କରିଛି ।

ଏଥିରେ ବ୍ୟବହୃତ ସମସ୍ତ ଯନ୍ତ୍ରାଂଶ ସ୍ବଦେଶୀ ବୋଲି ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି । ତଥ୍ୟ ସଂଗ୍ରହ ପାଇଁ ଖଞ୍ଜା ଯାଇଥିବା 4ଟି ସ୍ୱତନ୍ତ୍ର ରାଡାର ସିଷ୍ଟମରୁ ମିଳିଥିବା ତଥ୍ୟକୁ ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ସମ୍ପୁର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ୩୦ କିଲୋମିଟର ଦୂରତା ମଧ୍ୟରେ ସ୍ଥଳଭାଗରୁ ଆକାଶକୁ ଟାର୍ଗେଟ୍‌ କରିପାରିବ । ଏହାର ବେଗ ଶବ୍ଦର ବେଗଠାରୁ ୪.୭ ଗୁଣ ଅଧିକ । ଏହି ମିସାଇଲର ପ୍ରଥମ ପରୀକ୍ଷା ୨୦୧୭ରେ କରାଯାଇଥିଲା ।

ସନ୍ତାନ ପ୍ରାପ୍ତି ପାଇଁ ୭ବର୍ଷର ଝିଅକୁ ଦୁଷ୍କର୍ମ କରି ହତ୍ୟା କଲେ, ଛାତିରୁ କଲିଜା କାଢ଼ି ସ୍ୱାମୀ ସ୍ତ୍ରୀ ଖାଇଲେ

କାନପୁର: ଯେତେବେଳେ ଦୀପାବଳିରେ ଘରେ ଘରେ ଦୀପ ଜଳୁଥିଲା ସେତେବେଳେ ଦୁର୍ବୃତ୍ତଙ୍କ ହାତରେ ଳିଭିସାରିଥିଲା କୁନି ଆଲୋକ । ନର ରାକ୍ଷସଙ୍କ କବଳରେ ଛଟପଟ ହେଉଥିଲା କୋମଳ ଜୀବନ । ପ୍ରଥମେ ଦୁଷ୍କର୍ମ କଲେ ଏବଂ ତା ପରେ ଗଳା ଚିପି ମାରିଦେଲେ । ଆଉ ତାପରେ ଯାହା ହେଲା ଆପଣ ଯଦି ଶୁଣନ୍ତି ତେବେ ଆପଣଙ୍କର ଲୋକ ଟାଙ୍କୁରି ଉଠିବ । ଉତ୍ତରପ୍ରଦେଶର କାନପୁରରେ ଦୀପାବଳି ରାତିରେ ଜଣେ ୭ବର୍ଷର ନାବାଳିକାକୁ ହତ୍ୟା ଘଟଣାରେ ପୋଲିସ ଏକ ଚକିତ କଲାଭଳି ତଥ୍ୟ ପ୍ରକାଶ କରିଛି । ତେବେ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ତନ୍ତ୍ର-ମନ୍ତ୍ରରେ ସଫଳ ଏବଂ ସନ୍ତାନ ପ୍ରାପ୍ତି ପାଇଁ ଏହି ହତ୍ୟା କରାଯାଇଥିଲା ବୋଲି ପୋଲିସ ସୂଚନା ଦେଇଛି । ଅଭିଯୁକ୍ତମାନେ ହେଉଛନ୍ତି  ମାମୁ ପର୍ଶୁରାମ, ମାଇଁ ସୁନେନା, ଭଣଜା ଅଙ୍କୁଲ ଏବଂ ଭଣଜାର ସାଙ୍ଗ ବିରେନ ।

ବାହାଘର ପରେ ଛୁଆ ହେଲାନାହିଁ ବୋଲି ନିରିହ ଶିଶୁକୁ ମାରିଦେଲେ । ଖାଲି ମାରିଲେ ନାହିଁ, ମାରି ସାରିଲା ପରେ ମୃତ ଝିଅର କଲିଜା ବାହାର କରି ଖାଇଲେ ସ୍ୱାମୀ ଏବଂ ସ୍ତ୍ରୀ । ଏମିତି ଏକ ଘଟଣା ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଆଜି ବିଜ୍ଞାନର ଦୁନିଆରେ ଏବେବି ମଣିଷ କଳା ଯାଦୁ ବା ଅନ୍ଧ ବିଶ୍ୱାଶ ଘେରରେ ରହିଛି । ବିଜ୍ଞାନ ଉପରୁ ଭରସାକୁ ଏଡ଼ାଇ କଳା ଯାଦୁ ଉପରେ ଲଦିବାରେ ଲାଗିଛନ୍ତି ବିଶ୍ୱାସ । ଯେଉଁଥିପାଇଁ ପ୍ରତି ଘଣ୍ଟାରେ ଏହିଭଳି ନିରିହ ଜୀବନ ଚାଲିଯାଉଛି ।

ସୂଚନା ଅନୁଯାୟୀ, ବାହାଘର ପରେ କାନପୁରର ଜଣେ ଦମ୍ପତିଙ୍କର ପର୍ଶୁରାମ ଏବଂ ସୁନୈନାଙ୍କର କୌଣସି ସନ୍ତାନ ହେଉନଥିଲା । ସେଥିପାଇଁ ଘଟାଇଲେ ଆଶ୍ଚର୍ଯ୍ୟ କଲାଭଳି ଘଟଣା । ସନ୍ତାନ ହେଉନଥିବାରୁ ସନ୍ତାନ ପ୍ରାପ୍ତି ପାଇଁ ରଚିଥିଲେ ତନ୍ତ୍ର ମନ୍ତ୍ରର ଷଡ଼ଯନ୍ତ୍ର । ଏହି ଷଡ଼ଯନ୍ତ୍ରକୁ ସଫଳ କରିବା ପାଇଁ ମାମୁ ପର୍ଶୁରାମ ତାଙ୍କର ଭଣଜାଙ୍କୁ ଘରକୁ ଡ଼ାକିଥିଲେ । ସେମାନଙ୍କୁ ସନ୍ତାନ ପାଇଁ ଏକ ଝିଅର କଲିଜା ଖାଇବାକୁ ପଡ଼ିବ ବୋଲି କହିଥିଲେ । ଏଥିପାଇଁ ପର୍ଶୁରାମ ଅଙ୍କୁଲଙ୍କୁ କିଛି ଟଙ୍କା ଦେଇଥିଲେ ଗୋଟେ ଝିଅର କଲିଜା ଆଣିବା ପାଇଁ ।

ଅଭିଯୁକ୍ତ ଭଣଜା ଅଙ୍କୁଲ ଏବଂ ତାର ଜଣେ ସାଙ୍ଗକୁ ପର୍ଶୁରାମ ଦେଇଥିଲେ ୧୫୦୦ ଟଙ୍କା । ଟଙ୍କା ପାଇବା ପରେ ଦୁଇ ଜଣ ମଦ ପିଇ ପାଖ ଏକ ଅଞ୍ଚଳରୁ ଜଣେ ୬ ବର୍ଷର ଝିଅକୁ ବାଣ କିଣାଇଦେବେ କହି ପାଖ ଏକ ଜଙ୍ଗଲକୁ ନେଇଯାଇଥିଲେ । ଯେଉଁଠାରେ କୁନି ଝିଅ ସହ ଦୁଷ୍କର୍ମ କରିବା ପରେ ତାର ବେକ ଚିପି ତାକୁ ହତ୍ୟା କରିଥିଲେ । ହତ୍ୟା ପରେ ପେଟ ଚିରିଦେବା ପରେ ଭିତରୁ ସମସ୍ତ ଅଙ୍ଗ ବାହାର କରି ମାମୁଁ ପର୍ଶୁରାମକୁ ଦେଇଥିଲେ ।

ଅଙ୍କୁଲଙ୍କ ଅନୁଯାୟୀ ମାମୁଁ ପର୍ଶୁରାମ ତାଙ୍କ ମାଇଁଙ୍କ ସହିତ ଝିଅର କଲିଜାକୁ ଖାଇ ବାକି ଅଂଶକୁ କୁକୁରକୁ ଖାଇବାକୁ ଦେଇଥିଲେ ।  ତା’ପରେ ବଳକୁ ଅଂଶକୁ ପଲିଥିନରେ ବାନ୍ଧି ଫିଙ୍ଗି ଦେଇଥିଲେ । ତେବେ ସକାଳେ କାଳୀ ମନ୍ଦିର ନିକଟରେ ଝିଅଟିର ବିକଳାଙ୍ଗ ମୃତଦେହ ପାଇଥିଲେ ଗାଁ ଲୋକେ । ପୋଲିସ ଏବେ ୪ ଜଣଙ୍କୁ ଗିରଫ କରି ପଚରାଉଚରା ଚଲାଇଛନ୍ତି ।

 

 

Odisha Corona Updates: ୬୪୪ ପଜିଟିଭ୍ ଚିହ୍ନଟ; ୧୭ ମୃତ

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍   । ୨୪ ଘଣ୍ଟାରେ ୬୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୩୭୧ ଜଣ ଚିହ୍ନଟ ହୋଇଥିବା ବେଳେ ୨୭୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୭୩, ସୁନ୍ଦରଗଡ଼ରୁ ୬୨, ମୟୂରଭଞ୍ଜରୁ ୫୯, କଟକରୁ ୩୮, କେନ୍ଦୁଝରରୁ ୩୭, ପୁରୀରୁ ୩୪, ବଲାଙ୍ଗୀରରୁ ୩୨,  ଅନୁଗୁଳ ଓ କେନ୍ଦ୍ରାପଡାରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ସଂକ୍ରମଣର ମାତ୍ରା ଉଲ୍ଲେଖନୀୟ ଭାବେ କମିଥିଲେ ମଧ୍ୟ ମୃତ ସଂଖ୍ୟା ଏଯାବତ୍ ନିୟନ୍ତ୍ରଣକୁ ଆସିନି । ଏହି କ୍ରମରେ ଆଜି ମଧ୍ୟ ରାଜ୍ୟରେ ଆଉ ୧୭କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୫୬୦ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୦ହଜାର ୫୨ ହୋଇଥିବା ବେଳେ ୨ଲକ୍ଷ ୯୯ହଜାର ୧୫୯ ସୁସ୍ଥ ହୋଇଛନ୍ତି । ସେହିଭଳି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯ହଜାର ୨୮୦ ।

କରୋନା ଦ୍ୱାରା ପ୍ରଭାବିତ ଶ୍ରୀମନ୍ଦିର ଆୟ, ନାଗାର୍ଜୁନ ବେଶ ପ୍ରସ୍ତୁତି ନେଇ ତତ୍ପର ପ୍ରଶାସନ

ପୁରୀ : ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ଆୟ କମିଛି । କରୋନାର ମୁକାବିଲା ସ୍ୱରୂପ କରାଯାଇଥିଲା ଲକ୍ ଡାଉନ । ଆଉ ବନ୍ଦ ରହିଥିଲା କାଳିଆର ସିଂହଦ୍ୱାର । ଭକତ ଭେଟି ପାରି ନ ଥିଲା ତା ପ୍ରିୟ ଭଗବାନକୁ । ଏହାର କିଛି ଦିନ ପରେ ହୋଇଥିଲା ଘୋଷ ଯାତ୍ରା । କଟକଣା ମଧ୍ୟରେ ହୋଇଥିଲା ରଥଯାତ୍ରା । ଯାତ୍ରୀ କିମ୍ବା ପୁରୀ ବାହାର ଲୋକଙ୍କୁ ହୋଇଥିଲା ବାରଣ । ଏହି ସମସ୍ତ କାର୍ଯ୍ୟାବଳୀର ପ୍ରଭାବ ଶ୍ରୀମନ୍ଦିର ଆୟ ଉପରେ ପକାଇଛି । ପ୍ରତିଦିନ ଲକ୍ଷାଧିକ ଟଙ୍କା ଶ୍ରୀମନ୍ଦିର ହୁଣ୍ଡିରେ ଜମା ହୋଇଥାଏ । ହେଲେ ତାହା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ।

ସେ ତ ବିଶ୍ୱନିୟନ୍ତା । ସାରା ଜଗତର ଅର୍ଥନୈତିକ ଉପଦେଷ୍ଟା । ସୁରୁଖୁରରେ ସମାପ୍ତ ହୋଇଆସୁଛି ତାହାର କାର୍ଯ୍ୟ । ଶ୍ରୀମନ୍ଦିର ପ୍ରଶାସନ ଲାଗିପଡିଛି ନାଗାର୍ଜୁନ ବେଶକୁ ସଫଳ କରିବା ପାଇଁ । ଶ୍ରୀମନ୍ଦିର ସମ୍ପର୍କିତ ଏମିତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଜି ଆଲୋଚିତ ହୋଇଥିଲା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ବୈଠକ ।

Mahaprabhu Nagatjuna Besa Puri Jagannath Mandir

ବୈଠକ ପରେ ଏହା ସମ୍ପର୍କରେ ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର । ସୂଚନାନୁଯାୟୀ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ 154 କୋଟି ଟଙ୍କାର ବଜେଟ ଅନୁମୋଦିତ ହୋଇଛି । କରୋନା ୟୋଗୁଁ ଶ୍ରୀମନ୍ଦିର ପ୍ରଶାସନର ଖର୍ଚ୍ଚ ବୃଦ୍ଧି ହୋଇଥିବା ବେଳେ ଆୟ କମ ରହିଛି  । ଯାହା ଶ୍ରୀମନ୍ଦିର ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଥିବା ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି । ଆୟ ବୃଦ୍ଧି କରିବାକୁ ପ୍ରଶାସନ ପକ୍ଷରୁ ଅନଲାଇନ୍ ଡୋନେସନ୍ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ପ୍ରକ୍ରିୟାରେ ଯିଏ ବି ଚାହିଁବ ସେମାନେ ମନ୍ଦିରକୁ ଅନଲାଇନ ମାଧ୍ୟମରେ ଦାନ କରିପାରିବେ । ସୁଧରୁ ୫୦ ପ୍ରତିଶତ ଆୟ ହେଉଥିବା ବେଳେ ହୁଣ୍ଡିରୁ ମଧ୍ୟ ଆୟ ହେଉଥିଲା । ଏବେ ଶ୍ରୀମନ୍ଦିର ଦାନ ଓ ହୁଣ୍ଡି ଆୟ ବନ୍ଦ ରହିଛି । ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ନିମନ୍ତେ ଏକ ସ୍ୱତନ୍ତ୍ର କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାର ନେତୃତ୍ୱ ନେବାକୁ ଥିବା ବେଳେ ଜିଲ୍ଲାପାଳ ଓ ଏସପି ଏହାର ସଦସ୍ୟ ରହିବେ । କମିଟି ବିଭିନ୍ନ ଦିଗକୁ ନେଇ ଆଲୋଚନା କରିବେ । ପ୍ରଶାସନିକ ଦିଗ ଉପରେ ଆଲୋଚନା ପରେ ଛତିଶା ନିଯୋଗ ସହିତ ଆଲୋଚନା କରାଯିବ । ଆସନ୍ତା ୩ ସପ୍ତାହ ପରେ ଏ ସଂପର୍କରେ ବିସ୍ତୃତ ଚିତ୍ର ସାମ୍ନାକୁ ଆସିପାରିବ । କୋଟି କୋଟି ଭକ୍ତ ଏବଂ ଶ୍ରଦ୍ଧାଳୁ ପର୍ଯ୍ୟାୟକ୍ରମେ କିଭଳି ଠାକୁରଙ୍କର ଦର୍ଶନ କରିପାରିବେ ସେ ନେଇ ନୂଆ ଗାଇଡଲାଇନ୍ ମଧ୍ୟ ଜାରି କରାଯିବ । ଆସନ୍ତା 19ରେ ରୁପା କବାଟ ଡିଜାଇନ ଫାଇନାଲ ପାଇଁ ବୈଠକରେ ଆଲୋଚନା ହେବ  । 20ଜଣିଆ କମିଟି ଏହି ନିଷ୍ପତି ନେବାକୁ ଥିବାବେଳେ ପ୍ରାଥମିକ ସ୍ତରରେ ଆଠଟି ଦ୍ୱାର ନିର୍ମାଣ କାର୍ଯ୍ୟ ପାଇଁ କାର୍ଯ୍ୟ ଆରମ୍ଭ ହେବ । ଶନିବାର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

 

ମିଡିଆକୁ ଢାଲ କରି କରୁଥିଲେ ଦୁର୍ନୀତି,ଏବେ ଯିଏ ସତ କହୁଛି ତାକୁ ବଦନାମ କରିବା ପାଇଁ କରୁଛନ୍ତି ଉଦ୍ୟମ

ଭୁବନେଶ୍ୱର: ବାହାମାସ୍ ମନି ଲଣ୍ଡ୍ରିଂ ମାମଲାରୁ ସାରୁଅ ଜମି ସ୍କାମ । ସ୍କାମ୍ ଖୋଲି ଦେଇଛି ମୁଖା । ଆମେ ରିପୋର୍ଟ କରୁ ଆପଣ ଡିସାଇଡ୍ କରନ୍ତି,ଟାଗ୍ ଲାଇନ ସହ ଖବର ଚଲାଉଥିବା ନ୍ୟୁଜ୍ ଚ୍ୟାନେଲ ଖବର କେମିତି ନିଜକୁ ସୁହାଇବ ତାକୁ ନେଇ ରିପୋର୍ଟ କରନ୍ତି । ମିଡିଆକୁ ବ୍ରହ୍ମାସ୍ତ୍ର କରି ନିଜ କଳା କାରନାମାକୁ ଲୁଚାଇ ଆସୁଥିବା ଚ୍ୟାନେଲ ଓ ଏହାର ପ୍ରମୋଟର ଏବେ ଗୋଟିଏ ପରେ ଗୋଟିଏ ମାମଲାରେ ଛନ୍ଦି ହୋଇ ବାଟବଣା ହେଲେଣି । ଲୋକଙ୍କ ସମ୍ମୁଖରେ ଅସଲ ମୁଖା ଖୋଲିବା ବିବ୍ରତ କଲାଣି । ତେଣୁ ସୁଟ୍ ଦ’ ମେସେଂଜର ନୀତିକୁ ଆପଣାଇଛି ଏହି ତଥାକଥିତ ନିରପେକ୍ଷ, ନିର୍ଭିକ ଚ୍ୟାନେଲ ଓ ଏହାର ୱେବ୍ ପୋର୍ଟାଲ ।


ସାରୁଅ ଜମି କେଳେଙ୍କାରୀରେ ଫଶି ଆକତାମାକତା ହୋଇଥିବା ମ୍ୟାଡାମ ପଣ୍ଡା ଓ ଟୁଇଟର ପଣ୍ଡା ଏବେ ସତ ଦେଖାଉଥିବା ନନ୍ଦିଘୋଷ ଟିଭିକୁ ଟାର୍ଗେଟ୍ କରିବା ଆରମ୍ଭ କଲେଣି । ନିଜ ଚ୍ୟାନେଲର ସିଷ୍ଟର କନସର୍ଣ୍ଣ କୁହାଯାଉଥିବା ଓଡ଼ିଶା ରିପୋର୍ଟର ଏକ ରିପୋର୍ଟ ଶନିବାର ସନ୍ଧ୍ୟା ବେଳେ ଡିଜିଟାଲ ପ୍ଲାଟଫର୍ମରେ ଅପଲୋଡ୍ କରିଛି । ଯେଉଁଥିରେ ନନ୍ଦିଘୋଷ ଟିଭି ଫର୍ଜି ଚ୍ୟାନେଲ, ଏହା ଅଳ୍ପ ଦିନ ମଧ୍ୟରେ ବନ୍ଦ ହୋଇଯିବ । ନନ୍ଦିଘୋଷ ପାଖରେ ଆବଶ୍ୟକ ଅନୁମତି ନାହିଁ । ଏହି ଚ୍ୟାନେଲର ମାଲିକାନାକୁ ନେଇ ଦ୍ୱନ୍ଦ୍ୱ ରହିଛି ଭଳି ପ୍ରଶ୍ନ ଉଠାଇଛି ।

BJD MP Sasmit And Amar Slams Jay Panda Over Land Scam
ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି ଟୁଇଟର ପଣ୍ଡାଙ୍କ ୱେବ ମିଡିଆ କେମିତି ଜାଣିଲା ନନ୍ଦିଘୋଷ ଫର୍ଜୀ ଚ୍ୟାନେଲ ? ଖଜୁରୀ ଗଛର କି ଗୁଣ ଗାଇବି, ସେ ତ ମୂଳରୁ ପାହାଚ ପାହାଚ । ବରାବର ମିଛ କହି ଆସୁଥିବା ପଣ୍ଡା ଦମ୍ପତିଙ୍କ ସଂସ୍ଥା ପୁଣି ମିଛ କହି ଜନସାଧାରଣଙ୍କୁ ବିଭ୍ରାନ୍ତି କରିବା ଆରମ୍ଭ କରିଦେଇଛି । ଔଷଧ ବିକଳରେ ତାଟିଆ କାମୁଡିବା ନ୍ୟାୟରେ ନିଜ ସ୍କାମ(ଦୁର୍ନୀତି ଓ କେଳେଙ୍କାରୀ)କୁ ଲୁଚାଇବା ପାଇଁ ପାଗଳ ଭଳି ଡହଡହ ସତକୁ ମିଛ ବୋଲି କହିବାକୁ ଉଦ୍ୟମ କରୁଛି । ଜଣେ ତଥାକଥିତ ସୂଚନା ଅଧିକାରୀ କର୍ମୀଙ୍କ ଅଜ୍ଞତାକୁ ଗୁପ୍ତଧନ ରୂପେ ବିବେଚନା କରି ଖୁସି ହୋଇଛନ୍ତି ପଣ୍ଡା କପଲ । କେବଳ ଖୁସି ହୋଇ ଯାଇଥିଲେ ଚଳିଥାନ୍ତା, କିନ୍ତୁ ସର୍ବସାଧାରଣଙ୍କ ପାଇଁ ଫେକ୍ ନ୍ୟୁଜ ମଧ୍ୟ ପରିବେଷଣ କରିଛି ବୈଜୟନ୍ତଙ୍କ ସଂସ୍ଥା । ଟୁଇଟର ପଣ୍ଡାଙ୍କ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ଲୋକପ୍ରିୟତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ସଂସ୍ଥାର ଲୁକ୍କାୟିତ ଆଭିମୁଖ୍ୟ ଏବଂ କର୍ମଚାରୀଙ୍କୁ ଫସାଇବା ନୀତି ଯୋଗୁ ଧୀରେ ଧୀରେ କର୍ମଚାରୀ ଛାଡିବା ଆରମ୍ଭ କରିଛନ୍ତି । ଏହା ଟୁଇଟର-ମ୍ୟାଡାମ ପଣ୍ଡାକୁ ଭୟଭୀତ କରିଛି । ଏଭଳି ଟ୍ରେଣ୍ଡ ଲାଗି ରହିଲେ ଶୂନ ଟିଭି କୁହାଯାଉଥିବା ସଂସ୍ଥା ଦିନେ ଗୋଲ ହୋଇଯିବ । ତେଣୁ ନନ୍ଦିଘୋଷ ଟିଭି ବନ୍ଦ ହୋଇଯିବ ବୋଲି କପୋଳକଳ୍ପିତ ଖବର ଜାଣିଶୁଣି ପରିବେଷଣ କରାଯାଇଛି । ନନ୍ଦିଘୋଷ ଟିଭି ଅଳ୍ପ ଦିନ ମଧ୍ୟରେ ଜନସାଧାରଣଙ୍କ ମଧ୍ୟରେ ଆଦୃତ ହୋଇଛି ।

Sarua Land Scam Issue Will Raise In Odisha Assembly Winter Session

କେବଳ ସେତିକି ନୁହେଁ, ଗୋଟିଏ ପରେ ଗୋଟିଏ ସ୍କାମର ପର୍ଦ୍ଦାଫାଶ କରୁଛି । ପଣ୍ଡା ବାବୁ-ବାବୁଆଣୀଙ୍କ ବାହାମାସ୍ ଲିଙ୍କ୍ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଟିକସ ଠକେଇର ଭୂସ୍ବର୍ଗ କୁହାଯାଉଥିବା ବାହାମାସର ଜାଲି କମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର କଳାଟଙ୍କାର କାରବାର କରିଥିଲେ ପଣ୍ଡା ଦମ୍ପତି। ଠକେଇ ଅଭିଯୋଗର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇ ସାରିଛନ୍ତି ଦିଲ୍ଲୀ ହାଇକୋର୍ଟ । ୨୦୧୯ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରୁଥିବା ‘ପାଥ’ ସଂସ୍ଥା ପକ୍ଷରୁ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ ପରେ ବୈଜୟନ୍ତ ଓ ଜଗିଙ୍କ ସବୁ କଳା କେଳେଙ୍କାରୀର ହୋଇଥିଲା ପର୍ଦ୍ଦାଫାସ । ଟୁଇଟର ପଣ୍ଡାଙ୍କ ବାହାମାସ୍ ଲିଙ୍କ୍ ନେଇ ୨୦୧୯ ଜାନୁଆରୀ ୨୪ରେ ହୋଇଥିବା ପିଆଇଏଲକୁ ବିଚାରଯୋଗ୍ୟ କହି ଗ୍ରହଣ କରିଥିଲେ ହାଇକୋର୍ଟ । ୨୦୨୦ ଫେବୃଆରୀ ୭ ତାରିଖରେ କେନ୍ଦ୍ରୀୟ ସଂସ୍ଥାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲା ହାଇକୋର୍ଟ । କଳାଧନ କେଳେଙ୍କାରୀ ମାମଲାକୁ ଗମ୍ଭୀର କହିବା ସହ ଅଭିଯୋଗର ତ୍ୱରିତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଇତି ମଧ୍ୟରେ ନିର୍ଦ୍ଦେଶକୁ ୮ ମାସ ବିତି ଯାଇଥିବା ବେଳେ ତଦନ୍ତର ଶିଥିଳତାକୁ ନେଇ ପ୍ରଶ୍ନ ଉଠାଇଥିଲା ଦିଲ୍ଲୀର ପାଥ୍ ସଂଗଠନ । ଇଏ ତ ଟୁଇଟର ପଣ୍ଡାଙ୍କ ଆର୍ନ୍ତଜାତୀୟ ମହାଠକେଇ । ଏହି କଥାକୁ ସମସ୍ତ ଦସ୍ତାବିଜ୍ ସହ ପରିବେଷଣ କରିଥିଲା ନନ୍ଦିଘୋଷ ଟିଭି । ଯାହା ତାଙ୍କୁ ଅଡୁଆରେ ପକାଇଥିଲା ।

Baijayant Panda Odisha Like Pakistan Tweet, BJP Said We Are Not With Him
ସେହିପରି ଟୁଇଟର ପଣ୍ଡା ଅନୁସୂଚିତ ଜାତି(ଏସସି) ବର୍ଗର ବ୍ୟକ୍ତିବିଶେଷଙ୍କ ଜମି ହାତେଇବା ପାଇଁ ନିଜ ସଂସ୍ଥାର କର୍ମଚାରୀଙ୍କୁ ହାତ ବାରିସି କରିଥିଲେ । ତାଙ୍କୁ ଭଗବାନଙ୍କ ଭଳି ଯେଉଁ କର୍ମଚାରୀମାନେ ଭାବୁଥିଲେ । ସେମାନଙ୍କୁ ଚାକିରୀର ଭୟ ଦେଖାଇ ସେମାନଙ୍କ ନାଁରେ ଜମି କିଣୁ ଥିଲେ ପୂର୍ବତନ ସାଂସଦ ମହୋଦୟ । କେବଳ ସେତିକି ନୁହେଁ, କମ୍ପାନୀର ନିର୍ଦ୍ଦେଶକ ତଥା ଉଚ୍ଚପଦସ୍ଥ କର୍ମଚାରୀଙ୍କ ଜରିଆରେ କରୁଥିଲେ କେଳେଙ୍କାରୀ । ବେଆଇନ ଜମି ହାତେଇବା, ବେଆଇନ ନିର୍ମାଣ କରିବା ପାଇଁ ସେମାନଙ୍କୁ କରିଥିଲେ ବ୍ୟବହାର । ଏହି କଥା ତାଙ୍କ କର୍ମଚାରୀମାନେ ମାନି ସାରିଛନ୍ତି । ଏହି ଖବରକୁ ମଧ୍ୟ ନନ୍ଦିଘୋଷ ଟିଭି ଯୁକ୍ତିଯୁକ୍ତ ତଥ୍ୟ ଆଧାରରେ ପରିବେଷଣ କରିଥିଲା । ଯାହା ଟୁଇଟର ପଣ୍ଡାଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା । ସତ୍ୟ ଆଧାରିତ ଖବର ପରିବେଷଣ କରିବା କଣ ଅପରାଧ ? ଯଦି ସତ୍ୟ କହିବା ଅପରାଧ, ତେବେ ତାହା ନନ୍ଦିଘୋଷ ଟିଭି ବାରମ୍ବାର ଏଭଳି ଅପରାଧ କରିବାକୁ କୁଣ୍ଠାବୋଧ କରିବ ନାହିଁ ।


ଏହି ୨ଟି ଘଟଣାକୁ ବାଦ୍ ଦେଲେ ବି ଆହୁରି ସାଘାଂତିକ ଅଭିଯୋଗ ରହିଛି ଟୁଇଟର ଦୁନିଆର ଏହି କାଗଜ ବାଘଙ୍କ ନାଁରେ । ସାରୁଅ ଜମିରେ ଗଢି ଉଠିଥିଲା ଷ୍ଟୁଡିଓ । ଆଉ ଏଥିରେ ନିୟୋଜିତ ହୋଇଥିଲେ କିଛି କର୍ମଚାରୀ । ଠିକା ନିଯୁକ୍ତି ହୋଇଥିବା ଏହି ଶ୍ରମିକମାନେ ଦିନ ଦିନ ଧରି ପାଉଣାରୁ ବଞ୍ଚିତ ହୋଇଛନ୍ତି । କରୋନାର କରାଳ ରୂପ ସେମାନଙ୍କୁ ଅର୍ଥନୈତିକ ଭାବେ ଭାଙ୍ଗି ଦେଇଥିଲା । ନିଜର ହକ୍ ପାଇଁ ସେମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ତାଙ୍କୁ ପାଉଣା ଦେବା ଦୂରର କଥା, ତାଙ୍କ କଥା ଶୁଣିବାକୁ ଟୁଇଟର ପଣ୍ଡାଙ୍କ ସମୟ ନାହିଁ । ଶୋଷିତ,ନିଷ୍ପେସିତ,ଅବହେଳିତଙ୍କ ସ୍ୱରକୁ ଗଣମାଧ୍ୟମରେ ପ୍ରସାରଣ କରିବା କଣ ଅପରାଧ । ତେଣୁ ନିଜ ଦୁର୍ନୀତି, କେଳେଙ୍କାରୀ ଘଟଣା ବାହାରକୁ ଆସିବା ପରେ ଟୁଇଟର ପଣ୍ଡା ଆବୁଲତାବୁଲ ହେଉଥିବା କୁହାଯାଉଛି ।

jagi Mangat Panda

ଏଥିରେ ଛାନିଆ ହୋଇ ତାଙ୍କ ଗଣମାଧ୍ୟମ ସଂସ୍ଥାର ଡିଜିଟାଲ ମାଧ୍ୟମରେ ଏକ ଭିତ୍ତିହୀନ ଖବର ପରିବେଷଣ କରାଯାଇଛି। ଯାହା ଅତ୍ୟନ୍ତ ହାସ୍ୟାସ୍ପଦ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୱେବସାଇଟରେ ସମସ୍ତ ତଥ୍ୟ ଉପଲବ୍ଧ । ଚ୍ୟାନେଲ ପ୍ରସାରଣ ପାଇଁ ନନ୍ଦିଘୋଷଟିଭିକୁ ଯେ ସ୍ୱୀକୃତି ମିଳିଛି ସେଥିରୁ ଅତ୍ୟନ୍ତ ସ୍ପଷ୍ଟ । ନନ୍ଦିଘୋଷ ଟିଭି ଯେଉଁ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି, ତାହା ମଧ୍ୟ ସଂପୃକ୍ତ ୱେବ ସାଇଟ୍ ରେ ଲେଖାଯାଇଛି । ଏଥିପାଇଁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିବା ଆବଶ୍ୟକ ନ ଥିଲା । ଭାରତବର୍ଷର ବିଭିନ୍ନ ଚ୍ୟାନେଲ ବିଭିନ୍ନ କମ୍ପାନୀ ଦ୍ୱାରା ପରିଚାଳିତ । ଏହା ମଧ୍ୟ ଆଇନତଃ ବୈଧ । ଏନେଇ ୱେବସାଇଟ୍ ରେ ମଧ୍ୟ ଏକଥା ସ୍ପଷ୍ଟ ଉଲ୍ଲେଖ ହୋଇଛି । ପୂର୍ବରୁ କମ୍ପାନୀ ପରିଚାଳନାରେ ଅନ୍ୟ ଏକ ନାଁରେ ଟିଭି ଥିଲା । ଏବେ ନନ୍ଦିଘୋଷ ଟିଭି ରହିଛି ।

Sarua Land Scam Case, Courts Direct To Send Notice To Affected
କୌଣସି ତଥ୍ୟ ଏବଂ ଆଧାର ନ ଥାଇ ଖବରକୁ ହଟଚମଟ କରି ପରିବେଷଣ କରିବାରେ ସିଦ୍ଧହସ୍ତ ଶୂନ ଟିଭି । ଅତୀତରେ ଏମିତି ଫେକ୍ ନ୍ୟୁଜ ପରିବେଷଣ କରି ଆଇନର ପରିସରଭୁକ୍ତ ହୋଇସାରିଛି ଏହି ସଂସ୍ଥା । ଏଥର ମଧ୍ୟ ଫେକ୍ ନ୍ୟୁଜ ପରିବେଷଣ କରିବା ସହ ଏହା କିଭଳି ଅଧିକରୁ ଅଧିକ ଭାଇରାଲ ହେବ, ସେଥିପାଇଁ ନିଜ ପ୍ରତିନିଧିଙ୍କୁ କାମରେ ଲଗାଇ ଦିଆଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ତଥ୍ୟକୁ ଏଠାରେ ଉପସ୍ଥାପନ କରାଯାଇଛି । ଏହାକୁ ଅନୁଧ୍ୟାନ କଲେ ଓଡ଼ିଶା ରିପୋର୍ଟର କେତେ ସତିଆ ତାହା ଜଣାପଡିବ ।


ଓଡ଼ିଶା ରିପୋର୍ଟରର ଖବରରେ ନନ୍ଦିଘୋଷ ଟିଭି ପ୍ରାଇଭେଟ୍ ଲିଃ ବିଷୟରେ ପ୍ରଶ୍ନ ଉଠାଯାଇଛି । ନନ୍ଦିଘୋଷ ଟିଭି ପ୍ରାଇଭେଟ ଲିଃ ସମ୍ପର୍କରେ ଜନସାଧାରଣ ଯଦି ତଥ୍ୟ ଚାହୁଁଛନ୍ତି, ତାହାକୁ ପ୍ରକାଶ କରିବାରେ ନନ୍ଦିଘୋଷ ଟିଭି କୁଣ୍ଠାବୋଧ କରିବ ନାହିଁ । କିନ୍ତୁ ଓଡ଼ିଶା ରିପୋର୍ଟରକୁ ତଥ୍ୟ ଦେବାକୁ ନନ୍ଦିଘୋଷ ଟିଭି ପ୍ରାଇଭେଟ ଲିଃ ବାଧ୍ୟ ନୁହେଁ । ନନ୍ଦିଘୋଷ ଟିଭି, ଚଳାଇବା ପାଇଁ ଅର୍ଥ କେଉଁଠୁ ଆସୁଛି, ସେ କଥା ଓଡ଼ିଶା ରିପୋର୍ଟର ପ୍ରଶ୍ନ କରୁଛି । ହେଲେ କହି ଦେଉଥାଉ ପରକୁ, ବୁଦ୍ଧି ନ ଆସଇ ନିଜକୁ ନ୍ୟାୟରେ ଓଡ଼ିଶା ରିପୋର୍ଟର ଚଳାଇବା ପାଇଁ କେଉଁଠୁ ପଇସା ଆସୁଛି, ସେ କଥା ତ ଓଡ଼ିଶା ରିପୋର୍ଟର ବାଲା ଜାଣିଥିବେ । ନନ୍ଦିଘୋଷ ଟିଭିର ଲୋକପ୍ରିୟତାରେ ଭୟଭୀତ ଏହି ସୋସିଆଲ ମିଡିଆ ନେତାଙ୍କ ସଂସ୍ଥା ଓଡ଼ିଶା ରିପୋର୍ଟର ବିରୋଧରେ ବିଭ୍ରାନ୍ତିକର ଖବର ପରିବେଷଣ ପାଇଁ ନନ୍ଦିଘୋଷ ଟିଭି ଆଇନର ଆଶ୍ରୟ ନେବ ବୋଲି ଏହାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସ୍ୱାଭିମାନବାସୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା; ସାମୂହିକ ବିକାଶ ଉପରେ ଗୁରୁତ୍ୱ, ସବୁ ଘରେ ସ୍ମାଟଫୋନ୍…

ସ୍ୱାଭିମାନ ଅଞ୍ଚଳ: ସ୍ୱାଭିମାନ ଅଞ୍ଚଳର ବିକାଶକୁ ସରକାର ପ୍ରାଥମିକତା ଦେଇଛନ୍ତି । ସ୍ୱାଭିମାନ ଅଞ୍ଚଳର ପ୍ରତି ପରିବାରକୁ ସ୍ମାଟଫୋନ୍ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ଡିଜିଟାଲ ପ୍ଲାଟଫର୍ମରେ ସ୍ୱାଭିମାନଅଞ୍ଚଳବାସୀଙ୍କ ସହ ଯୋଡି ହୋଇ ନବୀନ ପଟ୍ଟନାୟକ ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ସ୍ୱାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ଅଛି ଓ ଏହାକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବରେ ଗଢିବା ପାଇଁ ମୋର ଉଦ୍ୟମ ଜାରି ରହିବ।” ଉଲ୍ଲେଖଯୋଗ୍ୟ ଯେ, ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ ସ୍ମାଟଫୋନ୍ ଯୋଗାଇଦେବେ । ମୋବାଇଲ ଫୋନ ଦ୍ୱାରା ପିଲାଙ୍କ ଅନ୍‌ଲାଇନ ଶିକ୍ଷାରେ ସୁବିଧା ହେବା ସହିତ ଅଞ୍ଚଳର ଜନସାଧାରଣଙ୍କୁ ଅନ୍ୟ ଅଞ୍ଚଳ ସହିତ ଯୋଡିବାରେ ସହାୟକ ହେବ । ଏବେ ସ୍ୱାଭିମାନ ଅଞ୍ଚଳରେ ୪ଟି ମୋବାଇଲ ଟାୱାର  ଥିବା ବେଳେ ୪-ଜି ସୁବିଧା ସହ ଆଉ ତିନୋଟି ଟାୱାର କରାଯିବ।

ସେହିଭଳି୨୦୧୮ ଜୁଲାଇ ମାସରେ ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ଉଦ୍‌ଘାଟିତ ହୋଇଥିଲା । ଏଥିପାଇଁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଅର୍ଥରାଶି ଘୋଷଣା ହୋଇଥିଲା । ତେବେ ଏବେ ଏହାକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ । ଏହି ପରିବର୍ଦ୍ଧିତ ପ୍ୟାକେଜରେ ଶିକ୍ଷା ଠାରୁ ଆରମ୍ଭ କରି ଜୀବିକା ସ୍ୱାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି କ୍ଷେତ୍ରରେ ବିନିଯୋଗ ହେବ । ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ବିକାଶ କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ବାଭିମାନ ଅଞ୍ଚଳରେ ହଳଦୀ ଚାଷ ପ୍ରତି ଲୋକଙ୍କ ଆଦର ଦେଖି ଏଠାରେ ଅଧିକ ହଳଦୀ ଚାଷ ପାଇଁ ଅଧିକ ସୁବ୍ୟବସ୍ଥିତ ସୁବିଧା ସୃଷ୍ଟି କରାଯାଉଛି । ବଜାରରେ ସ୍ୱାଭିମାନ ହଳଦୀର ଚାହିଦାକୁ ଆହୁରି ବଢାଇବା ଦିଗରେ ମଧ୍ୟ ସରକାର ପ୍ରୟାସ ଯାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 ସେହିଭଳି ବିଦୁ୍ୟତ ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାର ସ୍ୱାଭିମାନ ଅଞ୍ଚଳକୁ ଗୁରୁତ୍ୱ ଦେଇଛନ୍ତି । ବିଜୁଳି ସେବା ପାଇଁ 33 x 11 kv ସବ୍‌ଷ୍ଟେସନ କାମ ଖୁବ ଶୀଘ୍ର ଶେଷ ହେବ ଏବଂ  11 kv 3 phase line connection ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  ଗାଁ ଗାଁରେ କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି ୭୮ କିଲୋମିଟର ପିଚୁ ରାସ୍ତା ଓ ୭ଟି ସେତୁ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ  । ଏହାସହିତ ଭଲ ପିଇବା ପାଣି ପାଇଁ ୨୦ କୋଟି ଟଙ୍କାରେ ଗୋଟିଏ ବୃହତ୍ ପାଇପ ଜଳଯୋଗାଣ ପ୍ରକଳ୍ପ  ଆରମ୍ଭ ହୋଇଛି ଏବଂ ୨୫୦ଟି ନଳକୂପ କାମ ଶେଷ ହୋଇଛି ବୋଲି ସେ ପ୍ରକାଶ କରିଥିଲେ। ସ୍ୱାଭିମାନ ଅଞ୍ଚଳରେ ଜଳସେଚନ ପାଇଁ ୩୨ କୋଟି ଟଙ୍କା ଖର୍ଚ୍ଚରେ ୪୩ଟି ଉଠା ଜଳସେଚନ ପ୍ରକଳ୍ପ ଏବଂ 419ଟି ବୋରୱେଲ୍ କରାଯିବ ଏବଂ ଏହାଦ୍ୱାରା ୧୭୦୦ ହେକ୍ଟର ଜମିକୁ ପାଣି ମିଳିପାରିବ । ସ୍ୱାଭିମାନ ଅଞ୍ଚଳର ୮୨ଟି ଅଙ୍ଗନବାଡି କେନ୍ଦ୍ର ଓ ସ୍ବାସ୍ଥ୍ୟ ଉପକେନ୍ଦ୍ର କାମ ଚାଲିଛି ଏବଂ ଖୁବ ଶୀଘ୍ର ଏହା ଶେଷ ହେବ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ  ମାଓ ଆଦର୍ଶରେ ଅନୁପ୍ରାଣିତ ଲୋକଙ୍କୁ ହିଂସା ଛାଡି ମୁଖ୍ୟଧାରାକୁ ଫେରି ଆସିବା ସହିତ ବିକାଶ କାମକୁ ଆଗେଇ ନେବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

ଅନ୍ୟପକ୍ଷରେ ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ତଥା କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ଥିର ଓ ସ୍ୱଚ୍ଛ ଶାସନ ଯୋଗୁ ଓଡିଶା ଆଜି ବିକାଶ କ୍ଷେତ୍ରରେ ବିଶ୍ୱ ଦରବାରରେ ସୁନାମ କରିଛି । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଞ୍ଚଳର ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ନବରଙ୍ଗପୁର ସାଂସଦ ଶ୍ରୀ ରମେଶଚନ୍ଦ୍ର ମାଝୀ ଏବଂ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା ମଧ୍ୟ କାର୍ଯ୍ୟକ୍ରମରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ। ଉଲ୍ଲେଖଯୋଗ୍ୟ ଯେ କିଛି ଅଞ୍ଚଳବାସୀ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ତାଙ୍କୁ କର୍ମଦାତା ବୋଲି କହିଥିଲେ । ଏହି ଅବସରରେ ସ୍ବାଭିମାନ ଅଞ୍ଚଳ ବିକାଶ ସଂପର୍କିତ ଏକ ଚଳଚ୍ଚିତ୍ର ପଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗ ପ୍ରମୁଖ ସଚିବ, ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗ ସଚିବ, Bharat Infratelର ରାଜ୍ୟ ମୁଖ୍ୟ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।