spot_img
Home Blog Page 6416

ଅପରେସନ ଏଲିଫ୍ୟାଣ୍ଟ ସଫଳ, ୨ ଘଣ୍ଟାର ସଂଘର୍ଷ ପରେ ଉଦ୍ଧାର ହେଲେ ହାତୀ ଛୁଆ

କେନ୍ଦୁଝର: ଚମ୍ପୁଆ ରେଞ୍ଜ କାନପୁର ଡ୍ୟାମ ଶାଖା କେନାଲକୁ ଖସିପଡ଼ିଥିବା ୨ ହାତୀ ଶାବକ ଉଦ୍ଧାର । ୨ ଘଣ୍ଟାର ରେସକ୍ୟୁ ଅପରେସନ ପରେ ୨ ହାତୀ ଛୁଆଙ୍କୁ ଉଦ୍ଧାର କରିଛି ବନବିଭାଗ ।

ଗତକାଲି ବିଳମ୍ବିତ ରାତିରେ ୨୨ଟିକିଆ ହାତୀପଲ ଜାମୁଦଲକ ପେଟ୍ରୋଲ ପମ୍ପ୍ ପଛପଟ ରାସ୍ତାରେ ଯାଉଥିବା ବେଳେ ୨ ହାତୀ ଛୁଆ କେନାଲ ଭିତରକୁ ଖସିପଡ଼ିଥିଲେ । ଅନ୍ୟ ହାତୀ ମାନେ ଜାଗା ଛାଡ଼ି ଚାଲିଯାଇଥିବା ବେଳେ ୩ ମାଈ ହାତୀ ଶାବକ ଦ୍ୱୟଙ୍କ ଜଗି ରହିଥିଲେ । ଏନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେବା ପରେ ଜେସିବି ସାହାଯ୍ୟରେ ହାତୀ ଛୁଆକୁ ଉଦ୍ଧାର କରାଯାଇଛି ।

ଅନ୍ୟପଟେ ଓଡ଼ିଶା ସୀମାନ୍ତରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଛତିଶଗଡ଼ ଧାମତରୀରୁ ଓଡ଼ିଶାକୁ ସଂଯୋଗ କରୁଥିବା ରାସ୍ତା ଉପରେ ଆତଙ୍କ ଖେଳାଉଛନ୍ତି ହାତୀପଲ । ଖାସ କରି ଭୋର ସମୟ ଏବଂ ସଂଧ୍ୟା ହେଲେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ଫଳରେ ସେହି ରାସ୍ତାରେ ଯାତାୟାତ କରିବାରୁ ଲୋକେ ଭୟ କରୁଛନ୍ତି । ସେହିପରି ସ୍ଥାନୀୟ ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ଥିବାରୁ ଲୋକ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଟ୍ରଲର- ଅଟୋରିକ୍ସା ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୨ ମୃତ, ୧୦ ଗୁରୁତର

ମୟୂରଭଞ୍ଜ:  ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରଲର- ଅଟୋରିକ୍ସା ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ହେତୁ ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ, ୧୦ ଜଣ ଆହତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ତେବେ ମୃତକ ଦ୍ୱୟଙ୍କ ପରିଚୟ ମିଳିପାରିନି । ଘାଟିରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ଅଟୋରିକ୍ସାକୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ବାଙ୍ଗୀରିପୋଷି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରଲରର ବ୍ରେକ ଫେଲ ଯୋଗୁ ଦୁର୍ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ, ୨ ଦିନ ଧରି ବୁଲିବେ ବନ୍ୟା ପ୍ରଭାବିତ ଅଞ୍ଚଳ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ । ଗୃହ ବିଭାଗର ଯୁଗ୍ମ ସଚିବ ପ୍ରବୀଣ ବୈଶିଷ୍ଠଙ୍କ ନେତୃତ୍ୱରେ ଏହି ଟିମ୍ ବନ୍ୟା କ୍ଷୟକ୍ଷତି ଆକଳନ କରିବେ । ଓଡ଼ିଶାରେ ୨ଦିନ ଧରି ବନ୍ୟାଞ୍ଚଳ ବୁଲି ଏକ ରିପୋଟ୍ ପ୍ରସ୍ତୁତ କରିବ କେନ୍ଦ୍ରୀୟ ପ୍ରତିନିଧି ଦଳ ।

 

ଏହି ଟିମ୍ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ଟିମରେ କୃଷି, ଜଳ ସମ୍ପଦ ଓ ସଡ଼କ ପରିବହନ ବିଭାଗ ସଦସ୍ୟ ସାମିଲ ହେବେ । ବନ୍ୟାଞ୍ଚଳ ପରିଦର୍ଶନ କରି ୧୭ ତାରିଖ ଅପରାହ୍ନରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବ ଏହି ଟିମ୍ ।

 

ଗତ ବନ୍ୟାରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରୀୟ ଟିମକୁ ଦେବେ ରାଜ୍ୟ ସରକାର । ଏହି ବୈଠକରେ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ରାଜ୍ କୁମାର ଶର୍ମା, ଏସଆରସି ପ୍ରଦୀପ୍ତ ଜେନା ଓ ବିଭିନ୍ନ ବିଭାଗର ସଚିବ ମାନେ ଉପସ୍ଥିତ ରହିବେ । ତେବେ ବିଳମ୍ବରେ କେନ୍ଦ୍ରୀୟ ଟିମ୍ ଆସିବା ନେଇ ପ୍ରଶ୍ନ ଉଠାଇଥିଲେ ରାଜନୈତିକ ଦଳ. ଏହା ପୂର୍ବରୁ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର ।

ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଜୀବନ ଜୀବିକା ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଉପକୃତ ହେବେ ସବୁ ପ୍ରକାରର ପାରମ୍ପରିକ ଚାଷୀ । ଗତ ବନ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି ।

India Corona Update: ୧୧ ଦିନରେ ୧୦ ଲକ୍ଷ ନୂଆ ମାମଲା, ଦେଶରେ କରୋନା @୫୦ ଲକ୍ଷ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କରୋନା । ମଙ୍ଗଳବାର ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ଲକ୍ଷ ପହଞ୍ଚିଯାଇଛି ।  କକରୋନା ଭାଇରସର ଦୃତ ସଂକ୍ରମଣ ଏହାକୁ ଦେଖି ଅନୁମାନ କରାଯାଇପାରିବ ଯେ, ମାତ୍ର ୧୧ ଦିନରେ ଭାରତରେ ୧୦ ଲକ୍ଷ ନୀତନ କରୋନା କେସ ପଞ୍ଜିକୃତ ହୋଇଛି ଏବଂ ଦୁଇ ମାସ ଭିତରେ ୪୦ ଲକ୍ଷ ମାମଲା ବଢ଼ିଛି । ସକ୍ରିୟ ମାମଲା ୧୦ ଲକ୍ଷ ପାର କରିଛି । ଏହି ମହାମାରୀ ବର୍ତ୍ତମାନ ଯାଏ ୮୦ ହଜାରରୁ ଅଧିକ ଲୋକଙ୍କର ଜୀବନ ନେଇ ସାରିଛି ।

ଦେଶରେ ବଢ଼ିବାକୁ ଲାଗିଛି କରୋନା ମାମଲା

ଯଦି ଦେଶରେ କରୋନା ମାମଲାର ଦୃତ ସଂକ୍ରମଣ କଥା ଦେଖିବା ତେବେ ପୂର୍ବ ଦୁଇ ମାସ ଅତି ଭୟଙ୍କ ରହିଛି । ଦେଶରେ ୧-୧୦ ଲକ୍ଷ ମାମଲା ୧୬୭ ଦିନରେ ହୋଇଥିଲା, ୧୦-୨୦ ଲକ୍ଷ ମାମଲା ମାତ୍ର ୨୧ ଦିନରେ ପହଞ୍ଚିଥିଲା । ୨୦-୩୦ ଲକ୍ଷ ମାମଲା ୧୯ ଦିନରେ, ୩୦-୪୦ ଲକ୍ଷ ମାମଲା ୧୩ ଦିନରେ ଏବଂ ୪୦-୫୦ ଲକ୍ଷ ମାମଲା ମାତ୍ର ୧୧ ଦିନରେ ପହଞ୍ଚିଛି । ଭାରତ କରୋନା ସଂକ୍ରମଣ ମାମଲାରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା ପ୍ରଥମ ଏବଂ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି ।

କାଲି ସନ୍ଧ୍ୟା ପର୍ଯ୍ୟନ୍ତ ଏମିତି ଥିଲା ସଂଖ୍ୟା

କରୋନା ମହାମାରା ଦେଶକୁ ଅସ୍ତବ୍ୟସ୍ତ କରି ରଖିଛି । ପ୍ରତିଦିନ ସଂକ୍ରମିତଙ୍କ ବଡ଼ ସଂଖ୍ୟାରେ ବଢ଼ିବାରେ ଲାଗିଛି । ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଏହି ମହାମାରୀ ଦ୍ୱାରା ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଖ୍ୟା ଅନୁଯାୟୀ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୪୮,୪୬,୪୨୮ ଲକ୍ଷରେ ପହଞ୍ଚିଛି । ଅନ୍ୟପଟେ ୯,୮୬,୫୯୮ ଲକ୍ଷ ସକ୍ରିୟ ମାମଲା ରହିଛି । ୩୭,୮୦,୧୦୮ ସଂକ୍ରମିତଙ୍କ ଏହି ମହାମାରୀରେ ମୃତ୍ୟୁ ହୋଇଛି ।

ଶୀତଦିନ ପାଇଁ ଲଦାଖରେ ଭାରତୀୟ ସେନାର ପ୍ରସ୍ତୁତି, ଯବାନଙ୍କ ପାଇଁ ଆଗୁଆ ପହଞ୍ଚିଲା ଆବଶ୍ୟକୀୟ ସାମଗ୍ରୀ

ନୂଆଦିଲ୍ଲୀ: ସୀମାରେ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାବେଳେ ଆଗକୁ ଶୀତ ଦିନ ଆସୁଥିବାରୁ ଏହାକୁ ନଜରରେ ରଖି ଆଗୁଆ ପଦକ୍ଷେପ ନେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ଯେଭଳି ଆମ ଯବାନମାନଙ୍କ କୌଣସି ଅସବୁଧା ନ ହେବ ସେଥିପାଇଁ ନିଆଯାଇଛି ସମସ୍ତ ପଦକ୍ଷେପ । ଯବାନମାନଙ୍କ ପାଇଁ ଗରମ ପ୍ରଦାନକାରୀ କପଡା, ଇନ୍ଧନ ସହ ସ୍ୱତନ୍ତ୍ର କ୍ୟାମ୍ପର ବ୍ୟବସ୍ଥା ହୋଇଛି । ସେହିଭଳି ରାସନ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଛି । ଶୀତ ଦିନେ ଲଦାଖରେ ତାପମାତ୍ରା ଜିରୋ ଡିଗ୍ରୀକୁ ଖସି ଆସେ । ବରଫର ଭିଡ ଭିତରେ ସେନାବାହିନୀକୁ ଶତୃପକ୍ଷକୁ ଜବାବ ଦେବାକୁ ପଡେ । ଏହାକୁ ନଜରରେ ରଖି ଆଗୁଆ ପଦକ୍ଷେପ ନିଆଯାଇଛି ।

ଅନ୍ୟପଟେ ପୂର୍ବ ଲଦାକ୍ଷରେ ଚୀନ ସେନା ଅନୁପ୍ରବେଶ କରିବା ଉଦ୍ୟମ କରିବା ପରେ ଦେଶର ସେନା ଏବେ ସତର୍କ ରହିଛି । ତେବେ ସାମ୍ପ୍ରତିକ ସ୍ଥିତି ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ମନ୍ତବ୍ୟ ରଖିଛନ୍ତି । ଲୋକସଭାର ଅଭିଭାଷଣ ଦେଇ ସେ ଚୀନ୍ ଓ ଭାରତ ସୀମାର ବାସ୍ତବ ଚିତ୍ର ସମ୍ପର୍କରେ ସାରା ଦେଶବାସୀଙ୍କୁ ଅବଗତ କରାଇଛନ୍ତି ।

ଚୀନର ଆଭିମୁଖ୍ୟ କ’ଣ ?

ସେ କହିଛନ୍ତି ଯେ ଚୀନ୍ ଓ ଭାରତର ସୀମା ବିବାଦ ଏବେକାର ନୁହେଁ । ଏହା ବହୁ ବର୍ଷ ପୁରୂଣା । ଏନେଇ ୧୯୫୦ ଓ ୬୦ରେ ବଡ଼ ଧରଣର ଆଲୋଚନା ହୋଇଥିଲା । ଦ୍ୱିପାକ୍ଷିକ ଆଲୋଚନା ସମେତ ଓ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଛି । ମାତ୍ର ଚୀନ ଏସବୁକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । କ୍ରମାଗତ ଭାବେ ଭିନ୍ନ ଭିନ୍ ସମୟରେ ଚୀନ୍ ସୀମା ବିବାଦକୁ ପ୍ରେତ୍ସାହିତ କରିଛି । ତେବେ ଚୀନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଅବଗତ କରାଇଛନ୍ତି । ସେ କହିଛନ୍ତି ଯେ LACକୁ ଉଭୟ ଦେଶର ସୀମା ବୋଲି ନିର୍ଦ୍ଧାରଣ କରାଯିବା ପରେ ମଧ୍ୟ ଚୀନ୍ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ।

ଚୀନ ବୁଝିବା ଏହା ଯେ LAC ନିର୍ଦ୍ଧାରିତ ସୀମା ନୁହେଁ । ସୀମା ପାଇଁ ପୁଣି ଥରେ ଆଲୋଚନା ହୋଇ ଆପୋଷ ବୁଝାମଣା ହେବା ଆବଶ୍ୟକ । ମାତ୍ର ଭାରତ ଚୀନର ଏଭଳି ପ୍ରସ୍ତାବ ସହ ଆଦୌ ସହମତ ନୁହେଁ । ଭାରତ ବିଚାରରେ ଐତିହାସିକ, ରାଜନୀତିକ ଓ ଭୌଗଳିକ ଦୃଷ୍ଟିକୋଣରୁ ସୀମା ନିର୍ଦ୍ଧାରିତ ହୋଇଛି । ଯେଉଁ ସୀମା ଆଧାରରେ ଦୁଇ ଦେଶ ଅଲଗା ହୋଇଛନ୍ତି ତାହା ନାର୍ଯ୍ୟ ଓ ସମୟଉପଯୋଗୀ ମଧ୍ୟ ଥିଲା ।   ପ୍ରଧାନମନ୍ତ୍ରୀଙ୍କ ଗସ୍ତ, ମୁଁ ବି ଯାଇଥିଲା । ଅଦମ୍ୟ ସାହାସ ଓ ପରାକ୍ରମକୁ ଅନୁଭବ କରିଛି ।

ଚୀନ ଦ୍ୱିପାକ୍ଷିକ ରାଜିନାମାର ଉଲଂଘନକାରୀ :

ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ରାଜିନାମାକୁ ଚୀନ ବାରମ୍ଭାର ଉଲଙ୍ଘନ କରୁଛି । ନିର୍ଦ୍ଧାରିତ ସୀମାକୁ ଚୀନ୍ ଗ୍ରହଣ କରୁନଥିଲେ ମଧ୍ୟ ଶାନ୍ତି ରକ୍ଷା କ୍ଷେତ୍ରରେ LACକୁ ଚୀନ୍ ସୀମା ଭାବେ ଗ୍ରହଣ କରେ । ଅର୍ଥାତ୍ ଯେ ପର୍ଯ୍ୟନ୍ତ ଚୀନ୍ ନିଜ ନୀତି ଆଧାରରେ ସୀମା ନିର୍ଦ୍ଧାରଣ ନକରିପାରିଛି, ସେପର୍ଯ୍ୟନ୍ତ ଚୀନ ଏବେକାର ସୀମାକୁ ଗ୍ରହଣ କରିବ ଓ LAC ଅତିକ୍ରମ କରିବ ନାହିଁ । ମାତ୍ର ରାଜିନାମା ସତ୍ତ୍ୱେ ମଧ୍ୟ ଚୀନ୍ ନିଜ ବିସ୍ତାରବାଦୀ ନୀତିରେ କାୟମ ରହିଛି ।

ସାଂପ୍ରତିକ ସ୍ଥିତିରେ ଚୀନ୍ ପୂର୍ବ ଲଦାକ୍ଷରେ ୩୮ ହଜାର ବର୍ଗ କିଲୋମିଟର ଜମି ନିଜ ଦଖଲରେ ବେଆଇନ ଭାବେ ହାତେଇଛି । ସେହିଭଳି ପାକିସ୍ତାନ ଅଧିକୃତ ଭାରତର କିଛି ଅଂଶକୁ ମଧ୍ୟ ପାକିସ୍ଥାନ ଚୀନ ହାତରେ ଟେକିଛି । ଏହାବ୍ୟତୀତ ଅରୁଣାଚଳପ୍ରଦେଶର କିଛି ସ୍ଥାନକୁ ଚୀନ୍ ଜବରଦଖଲରେ ରଖିଥିବା ବେଳେ ଅନ୍ୟ କିଛି ସ୍ଥାନକୁ ନିଜର ବୋଲି ଦାବି କରୁଛି ।

ଆଜି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା, କରୋନା କଟକଣା ଭିତରେ ଗାଇଡଲାଇନ୍ ଅନୁଯାୟୀ ହେବ ପୂଜା

ଭୁବନେଶ୍ୱର: ଆଜି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା । ତେବେ କରୋନା ପାଇଁ ସବୁ ପର୍ବପର୍ବାଣୀ ପରି ବିଶ୍ୱକର୍ମା ପୂଜା ମଧ୍ୟ ଫିକା ପଡିଯାଇଛି । ସରକାରୀ ଗାଇଡଲାଇନ୍ ଅନୁସାରେ କଟକଣାରେ ଆୟୋଜିତ ହେବ ପୂଜା । ମହାଆଡମ୍ବର ବଦଲରେ କେବଳ ବିଧି ରକ୍ଷା ପାଇଁ ସବୁଠି ପୂଜା ପାଇପାଇବେ ବିଶ୍ୱକର୍ମା । ଏପଟେ ପୂଜା ପୂର୍ବରୁ ଖାଁ ଖାଁ ପାରାଦୀପ ସହର ।

ପାରାଦୀପର ଗଣପର୍ବ ହେଉଛି ବିଶ୍ୱକର୍ମା ପୂଜା । ପୂଜାର ୨ମାସ ଆଗରୁ ସବୁପ୍ରସ୍ତୁତି ଆରମ୍ଭ ହୋଇଯାଥାଏ । ସୁଉଚ୍ଛ ତୋରଣ ସହିତ ଆଖିଦୃଶିଆ ମଣ୍ଡପରେ ପୂଜା ପାଆନ୍ତି ବିଶ୍ୱକର୍ମା । ତେବେ ସବୁବର୍ଷ ପରି ଏବର୍ଷ ଗହଳି ଚହଳି ନାହିଁ । କରୋନା ପାଇଁ କେବଳ ବିଧି ରଖିବାକୁ ଛୋଟ ମୁର୍ତ୍ତି ଆଣି ପୂଜା କରାଯିବ ବୋଲି ପୂଜା କମିଟି ଗୁଡିକ କହିଛନ୍ତି ।

ଗୁଣାତ୍ମକ କୋଭିଡ୍ ସେବାକୁ ଗୁରୁତ୍ୱ ଦେଲେ ରାଜ୍ୟ ସରକାର…

ଭୁବନେଶ୍ୱର: ରାଜ୍ୟ ସରକାର ଜିଲ୍ଲାସ୍ତରୀୟ କୋଭିଡ୍ ସ୍ୱାସ୍ଥ୍ୟ ସେବା ପରିଚାଳନାକୁ ଅଧିକା ଗୁଣାତ୍ମକ ଓ ସକ୍ରିୟ କରିବା ଦିଗରେ ଧ୍ୟାନ ଦେଇଛନ୍ତି । ଏଥିପାଇଁ ପରିଚାଳନାସ୍ତରେ ନୂଆ ଓ ଅଭିନବ ପଦକ୍ଷେପ ନେବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳ, ପୌରପରିଷଦ କମିଶନର ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ବିଶେଷ ଭାବେ ସମ୍ୱେଦନଶୀଳ କୋଭିଡ୍ ରୋଗୀମାନଙ୍କର କିଭଳି ଭାବେ ଚିକିତ୍ସା କରାଯିବ ସେନେଇ ଚିଠିରେ ଉଲ୍ଲେଖ ରହିଛି ।

ରାଜ୍ୟ ସରକାର କୋଭିଡ୍ କେୟାର ବ୍ୟବସ୍ଥାକୁ ବିକେନ୍ଦ୍ରୀକରଣ କରିବା ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣତଃ କୌଣସି ରୋଗୀ କୋଭିଜ୍ ସଂକ୍ରମଣରେ ଅଧିକ ସମ୍ୱେଦନଶୀଳ ସ୍ଥିତିକୁ ଚାଲି ଆସିଲେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସଂପୃକ୍ତ ରୋଗୀଙ୍କୁ ଭୁବନେଶ୍ୱର ଓ କଟକର ଡ଼ାକ୍ତରଖାନାକୁ ପଠାଉଛନ୍ତି । ଆଗାମୀ ସମୟରେ ଏଭଳି ନକରି ଜିଲ୍ଲାରେ ଆଇସିୟୁ ସୁବିଧାକୁ ଏକତ୍ରୀକରଣ କରି ଜିଲ୍ଲାର ସମସ୍ତ ରୋଗୀଙ୍କ ଚିକିତ୍ସା କରିବା ପାଇଁ ସରକାରୀ ନିର୍ଦ୍ଦେଶ ମିଳିଛି । ସେହିଭଳି କୋଭିଡ୍ ରୋଗ ଓ ରୋଗୀଙ୍କ ସମ୍ପର୍କିତ ତଥ୍ୟ ପାଇଁ ତାଲିମ ଓ ପ୍ରଶିକ୍ଷଣର ମାତ୍ରାକୁ ମଧ୍ୟ ତୃଣମୂଳ ସ୍ତରରେ ବଢାଇବା ପାଇଁ କୁହାଯାଇଛି ।

ଏହାବ୍ୟତୀତ ଜିଲ୍ଲା ଚିକିତ୍ସାଳୟରେ ମଧ୍ୟ ତାଲିମର ମାତ୍ରା ବଢିବା ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିଭଳି ରେଫରାଲ ପିଲିସିକୁ ଅଦିକ ସକ୍ଷମ କରିବା ସପକ୍ଷରେ ସରକାର ଧ୍ୟାନ ଦେବକୁ କହିଛନ୍ତି । ରୋଗୀକୁ ଗୋଟିଏ ହସ୍ପିଟାଲରୁ ଅନ୍ୟ ଏକ ହସ୍ପିଟାଲକୁ ରେଫର କରାଯାଉଥିଲେ ବେଳେ ଉଭୟ ହସ୍ପିଟାଲ ମଧ୍ୟରେ ଏକ ସଠିକ ଯୋଗସୂତ୍ର ସ୍ଥାପନ ହେବ । ସେହିଭଳି ରୋଗୀ ଏକ ନିର୍ଦ୍ଦିଷ୍ଟ ଡ଼ାକ୍ତରଖାନା (ବିଶେଷ ଭାବେ କଟକ ଓ ଭୁବନେଶ୍ୱର) ଯିବା ପାଇଁ ଉଚ୍ଚୁକ ଥିଲେ ମଧ୍ୟ ସଂପୃକ୍ତ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ ସହ ବିସ୍ତୃତ ଭାବେ ଆଲୋଚନା କରିବା ଆବଶ୍ୟକ । ତେବେ ରୋଗୀ ଗମାନଗମନ ବେଳେ ଯେଭଳି ତାଙ୍କର ଜୀବନ ପ୍ରତି ବିପଦ ନାହିଁ ସେ ନେଇ ମଧ୍ୟ ଡ଼ାକ୍ତରଖାନା ଧ୍ୟାନ ଦେବା ଉଚିତ୍ ।

କରୋନା ସଂକ୍ରମଣ ଶୀକାର ହୋଇଥିବା ବ୍ୟକ୍ତିଙ୍କ ଠିକ୍ ସମୟରେ ଠିକ୍ ଚିକିତ୍ସା କରିବା ଉପରେ ଧ୍ୟାନ ଦିଆଯାଉ । ଆଇସିଏମଆର ପ୍ରୋଟୋକଲ୍ ଆଧାରରେ ଚିକିତ୍ସା, ଅତିକମ୍ ଆଇସିୟୁ ବେଡର ଅଧା ସଂଖ୍ୟକ ସେମି ଆଇସିୟୁ ବେଡ୍, ଅନଲାଇନ୍ ମାଧ୍ୟମରେ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଦେବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ କରୋନା ସଂକ୍ରମଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନିଆଯାଇଥିବା ହେତୁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଓ ସମ୍ୱେଦନଶୀଳ ଚିକିତ୍ସାରେ ସମସ୍ୟା ଉପୁଜିପାରେ । ଏଣୁ ସବୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଏନେଇ ପ୍ରସ୍ତୁତ ରୁହନ୍ତୁ ବୋଲି ସରକାର କହିଛନ୍ତି । ପ୍ରସୂତି, କ୍ୟାନସର ଚିକିତ୍ସା ଓ ଡାଇଲିସିସ୍ ପାଇଁ ଯଥେଷ୍ଟ ବେଡ୍ ରଖିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିଭଳି ମାନବ ସମ୍ୱଳ ପରିଚାଳନା, ଆବଶ୍ୟକୀୟ ପରିମାଣର ଡ଼ାକ୍ତରୀ ସରଞ୍ଜାମ ମହଜୁଦ ରଖିବା ସହ କୋଭିଡ୍ ଚିକିତ୍ସାକୁ ପ୍ରେରିତ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଛି ।

ଦେଶର ପ୍ରଥମ ୮ଟି ଖେଲୋ ଇଣ୍ଡିଆ ଷ୍ଟେଟ୍‌ ସେଣ୍ଟର ଅଫ୍ ଏକ୍ସଲେନ୍ସ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ଦେଶର ପ୍ରଥମ ୮ଟି ଖେଲୋ ଇଣ୍ଡିଆ ଷ୍ଟେଟ୍‌ ସେଣ୍ଟର ଅଫ୍ ଏକ୍ସଲେନ୍ସ ମଧ୍ୟରେ ସ୍ଥାନୀତ କରାଯାଇଛି । ଏହା ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଫ୍ଲାଗସିପ୍ ପ୍ରତିଭା ଚିହ୍ନଟ ଏବଂ ପୋଷଣ କାର୍ଯ୍ୟକ୍ରମ ଖେଲୋ ଇଣ୍ଡିଆର ଅନ୍ତର୍ଭୁକ୍ତ ହୋଇଛି । ଭିତ୍ତିଭୂମି ନବୀକରଣ, କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ଏବଂ ଗୁଣାତ୍ମକ ପ୍ରଶିକ୍ଷଣ ସାଙ୍ଗକୁ ଫିଜିଓ ଥେରାପିଷ୍ଟ, କ୍ରୀଡ଼ା ବିଶେଷଜ୍ଞ ନିଯୁକ୍ତ ହେବେ ।

ଖେଳାଳିମାନଙ୍କୁ ଉଚ୍ଚମାନର ଉପକରଣ ମଧ୍ୟ ଯୋଗାଇ ଦିଆଯିବ । ଏହାର ସୁପରିଚାଳନା ନିଶ୍ଚିତ କରିବାକୁ ଏକାଡେମୀରେ ଉଚ୍ଚ କାର୍ଯ୍ୟଦକ୍ଷତା ସଂପନ୍ନ ପରିଚାଳକ ମଧ୍ୟ ରହିବେ । ୪ ବର୍ଷ ମଧ୍ୟରେ ମୋଟ ବଜେଟ୍ ୧୨.୦୨ କୋଟି ଟଙ୍କା ବ୍ୟୟରେ କଳିଙ୍ଗ ଷ୍ଟାଡିୟମକୁ ନବୀକରଣ କରାଯିବ ।

Khelo India

କ୍ରୀଡ଼ା ମନ୍ତ୍ରଣାଳୟ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ କ୍ରୀଡା ଭିତ୍ତିଭୂମିକୁ ନବୀକରଣ କରୁଛି, ରାଜ୍ୟର ସହଭାଗିତାରେ ଏବଂ ସମଗ୍ର ଦେଶରେ ଏକ ଦୃଢ଼ କ୍ରୀଡ଼ା ଇକୋସିଷ୍ଟମ୍ ସୃଷ୍ଟି କରିବା ଲକ୍ଷ୍ୟରେ କେଆଇଏସସିଇ ଗଠନ କରୁଛି । ପ୍ରଥମ ପାଦରେ ଓଡ଼ିଶାର ଭୁବନେଶ୍ୱରରେ ଥିବା ୮ଟି କେଆଇଏସସିଇ ଚିହ୍ନଟ କରାଯାଇଛି । ଅନ୍ୟ କେଆଇଏସସିଇଗୁଡିକ ମିଜୋରାମ, ତେଲେଙ୍ଗାନା, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳରେ ପ୍ରତିଷ୍ଠା କରାଯିବ ।

ଗୃହ ବିଭାଗର ଯୁଗ୍ମ ସଚିବଙ୍କ ନେତୃତ୍ୱରେ କାଲି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ରାଜ୍ୟରେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରୀୟ ପ୍ରତିନିଧି ଦଳ । ଗୃହ ବିଭାଗର ଯୁଗ୍ମ ସଚିବ ପ୍ରବୀଣ ବୈଶିଷ୍ଠଙ୍କ ନେତୃତ୍ୱରେ ଏକ ଟିମ୍ ବନ୍ୟା କ୍ଷୟକ୍ଷତି ଆକଳନ କରିବେ । ରାଜ୍ୟରେ ୨ ଦିନ ଧରି ବନ୍ୟାଞ୍ଚଳ ବୁଲି ରିପୋର୍ଟ ପ୍ରସ୍ତୁତ କରିବ କେନ୍ଦ୍ରୀୟ ପ୍ରତିନିଧି ଦଳ । ଏହି ଟିମ୍ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବ ।

Central Team On Two Day Visit TO Flood Affected District Of Odisha

ଟିମରେ କୃଷି, ଜଳ ସମ୍ପଦ ଓ ସଡ଼କ ପରିବହନ ବିଭାଗ ସଦସ୍ୟ ରହିବେ । ତେବେ, ବିଳମ୍ବରେ କେନ୍ଦ୍ରୀୟ ଟିମ୍ ଆସିବା ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଶ୍ନ ଉଠାଇଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରି ସାରିଛନ୍ତି ।

CM ANNOUNCED SPECIAL PACKAGE OF RS.300 CRORE FOR THE FARMERS AFFECTED BY FLOOD

ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଜୀବନ ଜୀବିକା ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଉପକୃତ ହେବେ ସବୁ ପ୍ରକାରର ପାରମ୍ପରିକ ଚାଷୀ । ଗତ ବନ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।