spot_img
Home Blog Page 6418

ଉତ୍ପାତ କରୁଛନ୍ତି ଝାଡ଼ଖଣ୍ଡି ହାତୀପଲ, ଚିନ୍ତାରେ ଚାଷୀ

ନୀଳଗିରି: ନୀଳଗିରିରେ ଆତଙ୍କ ଖେଳାଇଲେ ଝାଡ଼ଖଣ୍ଡି ହାତୀପଲ । ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁଣି ନୀଳଗିରିକୁ ପ୍ରବେଶ କଲେ ଝାଡ଼ଖଣ୍ଡି ହାତୀପଲ । ଝାଡଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ଏହି ହାତୀପଲ ମୟୁରଭଞ୍ଜ ପରେ ବାଲେଶ୍ଵର ଜିଲ୍ଲା ନୀଳଗିରି ରେଞ୍ଜର ଦୁର୍ଗାଦେବୀ, ସୋନନଦୀ, ପୁନ୍ଦାଳ, କାଠପାଳ, ପାଟଣା ପରେ ଅଯୋଧ୍ୟା ଗୋପାଳପୁର ରାସ୍ତା ଅତିକ୍ରମ କରି ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପ୍ରଵେଶ କରିଛନ୍ତି ।

ଏହି ହାତୀପଲରେ ୨୫ ମାଈ ହାତୀ ଥିବାବେଳେ ୧୦ଟି ଦନ୍ତା ଓ ୭ଟି ଛୁଆ ସମେତ ମୋଟ ୪୨ଟି ହାତୀ ଅଛନ୍ତି । ଆସିବା ରାସ୍ତାରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ସୁରକ୍ଷା ଦୃଷ୍ଟିରୁ ବାଲେଶ୍ଵର ଡିଏଫଓ ବିଶ୍ଵରାଜ ପଣ୍ଡାଙ୍କ ନିର୍ଦେଶରେ ନୀଳଗିରି ରେଞ୍ଜର ମନୁଆର ଖାନ୍‌ ସମେତ ବହୁ ଫୋରେଷ୍ଟର, ଗାର୍ଡ ଓ ସବୁଜବାହିନୀ ଉପସ୍ଥିତ ରହି ହାତୀପଲକୁ ନିୟନ୍ତ୍ରଣ କରୁଛନ୍ତି । ତେବେ ହାତୀପଲଙ୍କ ଆଗମନ ଯୋଗୁଁ ଚାଷୀକୁଳ ତଥା ନୀଳଗିରି ବନାଞ୍ଚଳବାସୀଙ୍କ ଭୟଭିତ ହୋଇପଡିଥିବା ଦେଖିବାକୁ ମିଳିଛି ।

ପୁଣି ସାମ୍ନାକୁ ଆସିଲା ବିଜେପି ନେତ୍ରୀଙ୍କ ଅପରାଧୀ ଲିଙ୍କ୍‌

ଭୁବନେଶ୍ୱର: ପୁଣି ସାମ୍ନାକୁ ଆସିଲା ବିଜେପି ନେତ୍ରୀଙ୍କ ଅପରାଧୀ ଲିଙ୍କ୍‌ । ମହିଳାଙ୍କୁ ଅସଦାଚରଣ କରି ଜଣେ ଅଭିଯୁକ୍ତ ଜେଲ୍‌ରେ ଥିବା ବେଳେ, ତା’ସହ ବିଜେପି ନେତ୍ରୀଙ୍କ ଲିଙ୍କ୍‌ ଥିବା ଜଣାପଡ଼ିଛି । ଆମେ କହୁଛୁ ଭୁବନେଶ୍ୱର ସାଂସଦ ଅପରାଜିତା ସଢ଼ଙ୍ଗୀଙ୍କ କଥା । ସାଂସଦ ଭାବେ ନିର୍ବାଚିତ ହେବା ଦିନଠାରୁ ଅପରାଜିତା ବିଭିନ୍ନ ବିବାଦରେ ଛନ୍ଦି ହୋଇଆସୁଛନ୍ତି । କେତେବେଳେ ତାଙ୍କ ସହଯୋଗୀ ତଥା ସାଂସଦ ପ୍ରତିନୀଧିଙ୍କ ନାଁରେ ବଟି ଆଦାୟ କରୁଥିବା ଅଭିଯୋଗ ଆସୁଛି ତ କେତେବେଳେ ଖୋଦ୍‌ ଅପରାଜିତା ନିୟମ କାନୁନ ଭାଙ୍ଗି ନିଜର ଅମାନିଆପଣ ଦେଖାଉଛନ୍ତି ।

Aparajita Sarangi

ଏବେ ପୁଣି ସାମ୍ନାକୁ ଆସିଛି, ଜଣେ ଅଭିଯୁକ୍ତଙ୍କ ସହ ସାଂସଦଙ୍କ ଲିଙ୍କ୍ ଘଟଣା‌ । ବରଗଡ଼ ଥାନା ପୋଲିସ କିଛି ଦିନ ପୂର୍ବେ ଜଣେ ପୂଜକଙ୍କୁ ଗିରଫ କରିଥିଲା । ଆଉ ସେହି ପୂଜକ ସହ ସାଂସଦଙ୍କ ଲିଙ୍କ୍‌ ରହିଥିବା ଜଣାପଡ଼ିଛି । ସାଂସଦ ଓ ଅଭିଯୁକ୍ତ ପୂଜକଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ପୂଜକ ଜଣକ ମନ୍ଦିରରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ତାଙ୍କ ଭିଡିଓ ଭାଇରାଲ କରିଥିଲେ । ତେଣୁ ତାଙ୍କୁ ପୋଲିସ ଗିରଫ କରିଛି । ସେ ଏବେ ଜେଲ୍‌ରେ ଥିବା ବେଳେ ସାଂସଦ ଅପରାଜିତାଙ୍କ ସହ ତାଙ୍କର ସମ୍ପର୍କ‌ ଥିବା ନେଇ ଚର୍ଚ୍ଚା ହେଉଛି । ଅପରାଜିତାଙ୍କ ଜନ୍ମଦିନ ଅବସରରେ ସେ ତାଙ୍କୁ ଫୁଲ ତୋଡ଼ା ନେଇ ଦେଉଥିବା ସହ ସେଲ୍‌ଫୀ ଫଟୋ ଏବେ ଭାଇରାଲ ହେଉଛି ।

ଏଭଳି ଅନେକ ଅଭିଯୋଗ, ପୂର୍ବରୁ ମଧ୍ୟ ସାଂସଦଙ୍କ ନାଁରେ ରହିଛି । ସାଂସଦ ପ୍ରତିନିଧି ଭାବେ ଭୁବନେଶ୍ୱରରେ ନିଜର ଦବ୍‌ଦବା ଜାହିର କରୁଥିବା ଜଣେ ବାହୁବଳି ବ୍ୟକ୍ତି ସବୁବେଳେ ସାଂସଦଙ୍କ ଚାରିପାଖେ ରୁହନ୍ତି । ଆଉ ସେହି ବାହୁବଳିଙ୍କ ନାଁରେ ରହିଛି ଅନେକ ଅଭିଯୋଗ । ବଟି ଆଦାୟଠାରୁ ଆରମ୍ଭ କରି ଜୀବନରୁ ମାରିଦେବା ଭଳି ମାମଲା ତାଙ୍କ ନାଁରେ ରହିଛି । ଖାଲି ସେତିକି ନୁହେଁ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥିବାରୁ ତାଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା । ମାସ ମାସ ଧରି ସେ ଜେଲ୍‌ରେ ମଧ୍ୟ ଦିନ କାଟିଛନ୍ତି ।

ମହାନଦୀରୁ ଅଭିନେତା ଅମ୍ଳାନଙ୍କ ପତ୍ନୀ ଉଦ୍ଧାର ଘଟଣା, ମୁହଁ ଖୋଲିଲେ ଭୂମିକା

ଭୁବନେଶ୍ୱର: ମହାନଦୀରୁ ଅଭିନେତା ଅମ୍ଳାନଙ୍କ ପତ୍ନୀ ଉଦ୍ଧାର ଘଟଣା । ମୁହଁ ଖୋଲିଲେ ଅମ୍ଳାନଙ୍କ ପତ୍ନୀ । ସେ ଉପବାସ କରିଥିବାରୁ ତାଙ୍କୁ ଦୁର୍ବଳ ଲାଗୁଥିଲା । ପୂଜା ସାମଗ୍ରୀ ପକାଇବାକୁ ଗଲାବେଳେ ମୁଣ୍ଡ ବୁଲାଇ ଦେଇଥିଲା । ହାଇ ହିଲ ଜୋତା ପିନ୍ଧିଥିବାରୁ ଗୋଡ଼ ଖସିଗଲା ଓ ସେ ପଡ଼ି ଯାଇଥିଲେ । ତେଣୁ ମିଛ ଖବର ପ୍ରଚାର କରି ତାଙ୍କ ପରିବାର ଓ ସ୍ୱାମୀଙ୍କୁ ବଦନାମ ନକରାଯାଉ ବୋଲି ସେ ନିବେଦନ କରିଛନ୍ତି ।

ଗତକାଲି ଅପରାହ୍ନରେ କଟକ ବିଜୁ ପଟ୍ଟନାୟକ ପାର୍କ ନିକଟ ମଧୁସୂଦନ ସେତୁ ଉପରୁ ମହାନଦୀକୁ ଅଭିନେତା ଅମ୍ଲାନଙ୍କ ପତ୍ନୀ ଖସି ପଡିଥିଲେ । ଏନେଇ ସ୍ଥାନୀୟ ଲୋକ ପୋଲିସ ଓ ଅଗ୍ନିଶମ ବାହିନୀକୁ ଜଣାଇବା ସହ ଉଦ୍ଧାର କାମ କରିଥିଲେ। ଅଭିନେତା ଅମ୍ଲାନଙ୍କ ପତ୍ନୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

କମିଛି ପ୍ରଦୂଷଣ, ବାଣ ନଫୁଟିବାରୁ ସୁଧୁରିଛି ସ୍ଥିତି…

ଭୁବନେଶ୍ୱର: କମିଛି ପ୍ରଦୂଷଣ, କାରଣ ଏଥର ଦୀପାବଳିରେ ଫୁଟିନି ବାଣ । କରୋନା ପାଇଁ ଚଳିତ ବର୍ଷ ବାଣ ଫୁଟା ଉପରେ ଲାଗିଥିଲା କଟକଣା । ଏଥିପାଇଁ ପ୍ରଦୂଷଣ କମ୍ ହୋଇଛି । ତେବେ ବାଣ ଫୁଟାଇବାକୁ ସଂପୂର୍ଣ୍ଣ ନିଷେଧ କରିବାକୁ ଦାବି କରିଛନ୍ତି ପରିବେଶବିତ ।

ଲୁଚାଛପା ହୋଇ କିଛି ଲୋକ ବାଣ ଫୁଟାଇଲେ ସତ କିନ୍ତୁ ପୂର୍ବ ବର୍ଷ ତୁଳନାରେ କମ୍ ଥିଲା ବାଣ ଫୁଟା । ଫଳରେ ରାଜଧାନୀ ସମେତ ରାଜ୍ୟରେ କମିଛି ପ୍ରଦୂଷଣ । ୨୦୧୮ରେ ରାଜଧାନୀ ଭୁବନେଶ୍ୱରରେ ବାୟୁର ଗୁଣାତ୍ମକ ସୂଚକାଙ୍କ ସର୍ବାଧିକ ୩୬୯ ଥିଲା । ଏହି ସଂଖ୍ୟା ଚିନ୍ତାରେ ପକାଇଥିଲା । କିନ୍ତୁ ଚଳିତ ବର୍ଷ ଏହି ସଂଖ୍ୟା ଖସି ସର୍ବାଧିକ ୨୪୯ରେ ରହିଛି ।

BMC Put Restrictions On Road Site Selling Of Mahambati And Diwa Amid Corona

ଦୀପାବଳି ରାତିରେ ଭୁବନେଶ୍ୱରର କିଟ୍‌ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ଏକ୍ୟୁଆଇ ବା ବାୟୁର ଗୁଣାତ୍ମକ ସୂଚକାଙ୍କ ଥିଲା ୨୦୧, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ୨୧୧ । ୟୁନିଟ୍‌ ୮ ଅଞ୍ଚଳରେ ଏହା ୨୩୯ ଥିଲା, ମାଷ୍ଟର କ୍ୟାଣ୍ଟିନ୍‌ ଅଞ୍ଚଳରେ ଏହା ବଢି ୨୪୯ ପହଞ୍ଚିଥିଲା । ଏକ୍ୟୁଆଇ ୨୦୦ ଟପିଥିଲେ ବି ପୂର୍ବ ବର୍ଷଠାରୁ ଏହାକମ୍‌ ଥିବାରୁ ବାଣ ଫୁଟାଇବା ଉପରେ ଲାଗିଥିବା କଟକଣା ପରିବେଶ ପାଇଁ ବହୁତ ଭଲ ବୋଲି ପରିବେଶବିତ୍‌ ମତ ଦେଇଛନ୍ତି ।

୮ ମାସ ହେଲା ହଲ୍‌ ବନ୍ଦ, ଓ୍ୱେବ୍‌ ସିରିଜ୍‌ ପାଇଁ ମନ ବଳାଇଲେଣି ପ୍ରଯୋଜକ

ଭୁବନେଶ୍ୱର: କରୋନା ଯୋଗୁଁ ପ୍ରଭାବିତ ପୁରା ଓଲିଉଡ୍‌ ଜଗତ । ୮ ମାସ ପରେ ବି ପ୍ରେକ୍ଷାଳୟରେ ଝୁଲୁଛି ତାଲା । ମୁକ୍ତିଲାଭ ଅପେକ୍ଷାରେ ୧୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର । ତେବେ କରୋନା ପାଇଁ ଅଚଳ ହୋଇପଡ଼ିଥିବା ଓଲିଉଡ ଏବଂ ମହାମାରୀ ପ୍ରକୋପ କମିବା ପରେ ଧିରେ ଧିରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଛି ।

ଫିଲ୍ମ ପ୍ରସ୍ତୁତ ହୋଇସାରିଥିଲେ ମଧ୍ୟ ପ୍ରେକ୍ଷାଳୟ ବନ୍ଦ ପଡ଼ିଥିବାରୁ ମୁକ୍ତିଲାଭ କରିପାରୁ ନାହିଁ । ଏଥିପାଇଁ ଚିନ୍ତାରେ ପଡ଼ିଛନ୍ତି ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ । କରୋନା ମହାମାରୀ ସେମାନଙ୍କ ଆର୍ଥିକ ମାନଦଣ୍ଡ ଦୋହଲାଇ ଦେଇଛି । କଟକଣା ଭିତରେ ହଲ ଗୁଡିକୁ ଖୋଲିବାକୁ ଅନୁମତି ମିଳିବା ପରେ କିଛିଟା ଆଶା ସଞ୍ଚାର ହୋଇଛି । ଆଗକୁ ସିନେ ଇଣ୍ଡଷ୍ଟ୍ରିରେ ପୁଣି ପୂର୍ବାବସ୍ଥା ଫେରିବ ବୋଲି କହିଛନ୍ତି ସିନେ ସମୀକ୍ଷକମାନେ ।

ହଲେ ଏହାରି ମଧ୍ୟରେ କରୋନା କଟକଣା କିଛି ମାତ୍ରାରେ କୋହଳ ହୋଇଥିବାରୁ କିଛି ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ ସର୍ଟ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ମନ ବଳାଇଛନ୍ତି । ସର୍ଟ ଫିଲ୍ମ ନିର୍ମାଣ ଏବଂ ଓ୍ୱେବ୍‌ ସିରିଜ୍‌ ପାଇଁ ଅନେକ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଆଉ କିଛି ଓଲିଉଡ୍‌ ନିର୍ଦ୍ଦେଶକ ଓ ପ୍ରଯୋଜକ ନୂଆ ଫିଲ୍ମର ମହୁରତ କରିବା ପାଇଁ ଆରମ୍ଭ କରୁଛନ୍ତି । ତେବେ ୨୦୨୧ ପରେ ସ୍ଥିତିରେ ସୁଧାର ଆସିବ ବୋଲି ପ୍ରଯୋଜକମାନେ ଆଶା ରଖିଛନ୍ତି ।

ପୁରୁଣା ଆବେଦନକାରୀଙ୍କ ଟେଷ୍ଟ ସରିଲେ ନୂଆ ଆରମ୍ଭ ହେବ..

ଭୁବନେଶ୍ୱର: ରାଜ୍ୟର ସମସ୍ତ ଆରଟିଓରେ ଆଜିଠୁ ଆରମ୍ଭ  ହେଉଛି ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ । ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ ସେମାନେ ହିଁ ଟେଷ୍ଟ ଦେଇପାରିବେ । ପ୍ରାୟ ଦୁଇ ଲକ୍ଷ ଲୋକଙ୍କ ଆବେଦନ ପଡ଼ିରହିଛି । ଏହି ଦୁଇ ଲକ୍ଷ ଲୋକଙ୍କ ଟେଷ୍ଟ ସରିବା ପରେ ନୂଆ ଆବେଦନ ଆରମ୍ଭ ହେବ ।

RTO

କରୋନା କଟକଣା ପାଇଁ ପ୍ରାୟ ୮ ମାସ ଧରି ଆରଟିଓରେ ଗାଡ଼ି ସଂପର୍କିତ ସମସ୍ତ ଟେଷ୍ଟ ବନ୍ଦ ଥିଲା । କରୋନା କଟକଣା ମଧ୍ୟରେ ଏକା ସମୟରେ ୬ ଜଣ ପ୍ରାର୍ଥୀ ଟେଷ୍ଟ ଦେଇପାରିବେ । ସାମାଜିକ ଦୂରତା ବଜାୟ ରଖିବା ପାଇଁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବେଦନକାରୀଙ୍କ ପ୍ରଥମେ ଥର୍ମାଲ ସ୍କାନିଂ ହେବ । କରୋନା ଲକ୍ଷଣ ଦେଖାଦେଲେ ଟେଷ୍ଟ ପାଇଁ ଅନୁମତି ମିଳିବ ନାହିଁ । ସକାଳ ୭ଟାରୁ ଆରମ୍ଭ ହୋଇଛି ଟେଷ୍ଟ ପ୍ରକ୍ରିୟା ।

RTO

ଷ୍ଟାର୍ଟ ଅପ୍ ଲିଡ୍‌ର ସ୍ୱୀକୃତି ହାସଲ କଲା ଓଡ଼ିଶା

ଭୁବନେଶ୍ୱର: ଷ୍ଟାର୍ଟ ଅପ୍ ଲିଡର ସ୍ୱୀକୃତି ହାସଲ କଲା ଓଡିଶା । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟାର୍ଟଅପ୍ କାଉନସିଲ୍ ବୈଠକରେ ଏନେଇ ସୂଚନା ଦିଆଯାଇଛି । ବୈଠକରେ ଅଗ୍ରଗତି ସମୀକ୍ଷା କରି, ଲକ୍ଷ୍ୟଭିତ୍ତିକ ସହଭାଗିତା ଓ ସହାୟକ ନିୟାମକ ମାଧ୍ୟମରେ ରାଜ୍ୟରେ ଷ୍ଟାର୍ଟଅପ୍ ଇକୋ ସିଷ୍ଟମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଇନକ୍ୟୁବେଟର ଓ ଷ୍ଟାର୍ଟଅପ୍‌ମାନଙ୍କ ମଧ୍ୟରେ ଲଗାତର ଯୋଗାଯୋଗକୁ ଗୁରୁତ୍ୱ ଦିଆଯାଇଥିଲା । ଇଡ୍‌କୋର ନିର୍ମାଣାଧିନ ଜିରୋ-ହବ୍‌କୁ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏକ ଉନ୍ନତ ଷ୍ଟାର୍ଟଅପ୍ ହବ୍‌ ଭାବେ ବିକଶିତ କରି ଏଥିରେ ପରୀକ୍ଷଣ ଓ ଉତ୍ପାଦ ବିକାଶ ପାଇଁ ସାଧାରଣ ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୭ର ଜୁନ୍ ମାସରେ ରାଜ୍ୟର ପ୍ରଥମ ଷ୍ଟାର୍ଟଅପ୍‌କୁ ସ୍ୱୀକୃତି ମିଳିଥିଲା । ଏବେ ସୁଦ୍ଧା ରାଜ୍ୟରେ ଷ୍ଟାର୍ଟଅପ୍‌ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି । ରାଜ୍ୟରେ ୧୭ଟି ଇନକ୍ୟୁବେଟର୍‌, ୧୭ଟି ଅଣକ୍ଷୁଦ୍ର ଶିଳ୍ପ ଇନକ୍ୟୁବେଟର୍‌ ଓ ୧୩ଟି ନୋଡାଲ୍ ସଂସ୍ଥା କାର୍ଯ୍ୟ କରୁଛନ୍ତି । ୧୯୬ ଷ୍ଟାର୍ଟଅପ୍‌ଙ୍କୁ ପ୍ରାୟ ୧୫କୋଟିରୁ ଅଧିକ ଟଙ୍କାର ସହାୟତା ଦିଆଯାଇଛି । ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ଓ ଜୀବନ ବିଜ୍ଞାନ ପ୍ରତିଷ୍ଠାନଙ୍କୁ ଷ୍ଟାର୍ଟଅପ୍‌ ନୋଡାଲ୍ ସଂସ୍ଥାଭାବେ ତାଲିକାଭୁକ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁମୋଦନ ଦେଇଛନ୍ତି ।

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଚେତାବନୀ, ୨୦୨୧ ରେ ଗମ୍ଭୀର ହୋଇପାରେ ପରିସ୍ଥିତି

ନୂଆଦିଲ୍ଲୀ : ବିଶ୍ୱ ଏବେ କେବଳ କରୋନା ମହାମାରୀ ଜନିତ ଅସୁବିଧା ଦେଇ ଗତି କରୁନାହିଁ। ଏହି ମହାମାରୀ ପାଇଁ ବିଶ୍ୱରେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ରେ ଗୁରୁତର ଦୁର୍ଭିକ୍ଷ ଦେଖାଦେବାର ଆଶଙ୍କା ମଧ୍ୟ ରହିଛି । ଏଭଳି ପୂର୍ବାନୁମାନ କରିଛି ବିଶ୍ୱ ଖାଦ୍ୟ ସଂଗଠନ। ଚଳିତବର୍ଷ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଏହି ସଂସ୍ଥା ମୁଖ୍ୟ ଡେଭିଡ୍‌ ବିସ୍‌ଲିଙ୍କ ଦ୍ୱାରା କରାଯାଇଥିବା ଏଭଳି ଆକଳନ ଏବେ ଗଭୀର ଚିନ୍ତାର ବିଷୟ ପାଲଟିଛି ।

ସେ ଏହା ମଧ୍ୟ କହିଛନ୍ତି ଯେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇ ଏକ ସ୍ପଟଲାଇଟ ଓ ମେଗାଫୋନ୍‌ ଧରାଇ ଦିଆଯାଇଛି। ଏହି ଦୁଇଟି ସାଧନ ମାଧ୍ୟମରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ନିକଟରେ ଏହି ବାର୍ତ୍ତାକୁ ପହଞ୍ଚାଇ ସେମାନଙ୍କୁ ସତର୍କ କରାଯିବ ବୋଲି ସେ କହିଛନ୍ତି । ଗତ ଏପ୍ରିଲରେ ଜାତିସଂଘ ନିରାପତ୍ତା ପରିଷଦକୁ ସେ କରାଇଥିବା ସତର୍କତା ବିଷୟକୁ ମଧ୍ୟ ମନେ ପକାଇ ଦେଇଛନ୍ତି ।
ବିଶ୍ୱ କରୋନା ଭୂତାଣୁ ଜନିତ ମହାମାରୀକୁ ମୁକାବିଲା କରିବା ସହିତ କ୍ଷୁଧା ମହାମାରୀର ଦ୍ୱାରଦେଶରେ ମଧ୍ୟ ବିଶ୍ୱ ପହଞ୍ଚିଥିବା କହିଥିଲେ। ଏହାର ମୁକାବିଲା ପାଇଁ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତାହେଲେ ବିଶ୍ୱକୁ ଭୟଙ୍କର କ୍ଷୁଧା ବା ଦୁର୍ଭିକ୍ଷକୁ ସାମ୍ନା କରିବାକୁ ପଡ଼ିପାରେ ବୋଲି ସେ କହିଥିଲେ।

ଆଜିଠୁ ନୀତୀଶଙ୍କ ନୂଆ ଇନିଂସ, ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ପଟଣା: ଆଜିଠୁ ପୁଣି ବିହାରରେ ନୀତୀଶ ରାଜ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ଅପରାହ୍ନରେ ହେବ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ଶପଥ ଉତ୍ସବରେ ଏନଡିଏର ବରିଷ୍ଠ ନେତାଙ୍କ ସହ ସମସ୍ତ ବିଧାୟକମାନେ ଉପସ୍ଥିତ ରହିବେ। କିଛି ମନ୍ତ୍ରୀ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନୀତୀଶ କୁମାର । ନୀତୀଶଙ୍କ ନାଁରେ ଗତକାଲି ବସିଥିବା ଏନ୍‌ଡିଏ ବିଧାୟକ ଦଳ ବୈଠକରେ ମୋହର ବାଜିଥିଲା ।

ତେବେ କିଏ ହେବେ ବିହାରର ଉପମୁଖ୍ୟମନ୍ତ୍ରୀ ତାକୁ ନେଇ ସସପେନ୍ସ ଲାଗିରହିଛି । ସୁଶୀଲ ମୋଦିଙ୍କ ସ୍ଥାନରେ ବିଜେପି ନୂଆ ଚେହେରା ଦେବା ପାଇଁ ଚାହୁଁଥିବା ଚର୍ଚ୍ଚା ହେଉଛି । ତାରକିଶୋର ପ୍ରସାଦ ବିଧାନସଭାରେ ବିଜେପି ନେତା ମନୋନୀତ ହୋଇଛନ୍ତି । ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ବିଜେପିର ଦବ୍‌ଦବା ରହିବା ନିଶ୍ଚିତ ହୋଇଛି । ହାମ୍ ଓ ଭିଆଇପି ଦଳକୁ ମଧ୍ୟ ଗୁରୁତ୍ବ ଦେବ ଏନ୍‌ଡିଏ । ନିର୍ବାଚନରେ ଜେଡିୟୁକୁ ମାତ୍ର ୪୩ଟି ଆସନ ମିଳିଥିଲେ ମଧ୍ୟ ପୂର୍ବ ରଣନୀତି ଅନୁସାରେ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ମନବଳାଇଛି ।

ଆଜିଠୁ ମହାରାଷ୍ଟ୍ରରେ ଖୋଲୁଛି ସମସ୍ତ ଧାର୍ମିକ ଅନୁଷ୍ଠାନ, କୋଭିଡ୍ ନିୟମ ମାନି ମନ୍ଦିର ଓ ମସଜିଦ ଯିବା ପାଇଁ ଅନୁମତି

ମହାରାଷ୍ଟ୍ର: ଆଜିଠୁ ମହାରାଷ୍ଟ୍ରରେ ଖୋଲୁଛି ସମସ୍ତ ଧାର୍ମିକସ୍ଥଳୀ । ଏନେଇ ଗାଇଡଲାଇନ୍ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ମନ୍ଦିର ଓ ମସଜିଦକୁ ଯିବାକୁ ହେଲେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଆଶ୍ୱସ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ । ସମସ୍ତ ଧାର୍ମିକସ୍ଥଳୀକୁ ନିୟମିତ ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଠିକ୍ ସମୟରେ ମହାରାଷ୍ଟ୍ରରେ ଧାର୍ମିକସ୍ଥଳୀ ଖୋଲାଯାଇଥିବା କହିଛନ୍ତି ରାଜ୍ୟ ସରକାର । ଦେଶରେ ସମସ୍ତ ଧାର୍ମିକସ୍ଥଳୀ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ମଧ୍ୟ ମହାରାଷ୍ଟ୍ର ସରକାର ଏହା ଉପରେ ରୋକ୍ ଲଗାଇଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି । ମହାରାଷ୍ଟ୍ରରେ ସବୁଠୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।