spot_img
Home Blog Page 6430

ଇମ୍ରାନ ଖାନଙ୍କ ବଡ଼ ଅଭିଯୋଗ: କହିଲେ, ଭାରତ ପାକିସ୍ତାନକୁ ତିନି ଭାଗରେ ବିଭାଜିତ କରିବାକୁ ଚାହୁଁଛି

ନୂଆଦିଲ୍ଲୀ: ପାକିସ୍ତାନର ବିରୋଧୀ ଦଳ ପିଏମ୍ଏଲ୍-ଏନ୍ ନେତା ନଓ୍ୱାଜ ସରିଫ୍‌ଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଏଭଳି କି ତାଙ୍କୁ ସେ ଦେଶଦ୍ରୋହୀ ବୋଲି ମଧ୍ୟ ସମ୍ୱୋଧନ କରିଛନ୍ତି  । ନଓ୍ୱାଜ ସରିଫ୍ ସେନା ଏବଂ ସେନା ନେତୃତ୍ୱ ବିରୋଧରେ ବିଦ୍ରୋହ କରିବାକୁ ଉସୁକାଉଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଇମ୍ରାନ୍ । ଏହାଠାରୁ ବଡ଼ ଦେଶଦ୍ରୋହ କ’ଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେଠାକାର ଜିଏନ୍ଏନ୍ ଟୁଡେ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି, ଭାରତ ପାକିସ୍ତାନକୁ ୩ ଭାଗରେ ବିଭାଜିତ କରିବାକୁ ଚାହୁଁଛି । ମଜବୁତ୍ ସେନା ଯୋଗୁଁ ପାକିସ୍ତାନ ଆଜି ଯାଏଁ ବଞ୍ଚିରହିଛି । ନଚେତ ଇରାକ୍ ଓ ଇରାନ୍ ଭଳି ଆମକୁ ମଧ୍ୟ ଦୁର୍ବଳ କରିସାରିଥାନ୍ତେ । ବିରୋଧୀ ପାର୍ଟି ଭାରତକୁ ସୁହାଇଲା ଭଳି କହୁଥିବା ସେ କହିଛନ୍ତି ।

ଚୋରି କରିଥିବା ଟଙ୍କାରେ ବିଳାସମୟ ଫ୍ଳାଟ୍ କିଣି, ସେଥିରେ ବସି ଜଣେ ବ୍ୟକ୍ତି(ନଓ୍ୱାଜ ସରିଫ୍) ସେନା ଯବାନଙ୍କୁ ସୈନ୍ୟ ନେତୃତ୍ୱ ବିରୋଧରେ ବିଦ୍ରୋହ କରିବାକୁ କହୁଛନ୍ତି । ସେ କୌଣସି ବିଚାରପତିଙ୍କୁ ଭଲ କହୁଛନ୍ତି ତ, ପାନାମା ମାମଲାରେ ତାଙ୍କୁ ଦଣ୍ଡାଦେଶ ଶୁଣାଇଥିବା ବିଚାରପତିଙ୍କୁ ଖରାପ କହୁଛନ୍ତି । ସେ ନ୍ୟାୟପାଳିକାରେ ମଧ୍ୟ ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି ।

ଇମ୍ରାନ୍ ଖାନ୍ ନିଜ ସାକ୍ଷାତକାରରେ କହିଛନ୍ତି, ନଓ୍ୱାଜ ସରିଫ୍ ବିଦେଶରେ ଡରୁଆଙ୍କ ଭଳି ବସିଛନ୍ତି । ଏବଂ ନିଜ ସମର୍ଥକଙ୍କୁ ସରକାରଙ୍କ ବିରୋଧରେ ବିଦ୍ରୋହ କରିବାକୁ ଉସୁକାଉଛନ୍ତି । ପିଏମ୍ଏଲ୍-ଏନ୍ ସୁପ୍ରିମୋ ଏବଂ ତାଙ୍କ ଝିଅ ଆରମ୍ଭରୁ ଚୁପ୍ ରହିଲେ, କାହିଁକି ନାଁ ସେ ମୁକ୍ତ ହେବା ପାଇଁ ଚେଷ୍ଟା କରୁଥିଲେ । ଯେତେବେଳେ ତାଙ୍କୁ ଲାଗିଲା ତାଙ୍କ ପାଖରେ ଏବେ କୌଣସି ରାସ୍ତା ନାହିଁ, ସେ ମୋ ଉପରେ ଆରୋପ ଲଗାଇବା ଆରମ୍ଭ କରିଦେଲେ ।

ଏଥିସହିତ ଭାରତରେ ନଓ୍ୱାଜ ସରିଫଙ୍କ ଏତେ ଲୋକପ୍ରିୟତା ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଇମ୍ରାନ୍ ଖାନ୍  । ଯେଉଁ ବ୍ୟକ୍ତି ଜିୟା-ଉଲ୍ଲ-ହକ୍କ କୋଳରେ ବଢ଼ିଛି । ସେ ଅଚାନକ୍ ଲୋକତାନ୍ତ୍ରିକ ହୋଇଯାଇଛି । ଇମ୍ରାନ ଖାନ୍ ଯିଏ ଗ୍ରାଉଣ୍ଡ ଜିରୋରୁ କାମ ଆରମ୍ଭ କରିଛନ୍ତି ଏବଂ ଲୋକଙ୍କ ସମର୍ଥନ ଜୁଟାଇଛନ୍ତି, ସେ ସେନାର ହାତବାରିସି ସାଜିଛନ୍ତି ।

କରୋନା ସମୟରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ ଆଶା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୫-ଟି କାର୍ଯ୍ୟକ୍ରମ ଅଧୀନରେ କୃଷକ, କୃଷି କର୍ମଚାରୀ ମାନଙ୍କ ପାଇଁ କୃଷକ ଡାଟାବେସ୍‌, କୃଷିସାମଗ୍ରୀ  ବିକ୍ରେତାମାନଙ୍କ ପାଇଁ ଅନ୍‌ଲାଇନ ଲାଇସେନ୍‌ସ ପ୍ରଦାନ, ଦକ୍ଷ କର୍ମଚାରୀ ମାନଙ୍କ ପାଇଁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଦି ବିଭିନ୍ନ ଅନ୍‌ଲାଇନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।   ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୃଷକ ଓଡିଶାରେ ଆମର ୭୬ ଲକ୍ଷ ଚାଷୀ ଭାଇଭଉଣୀ ମାନଙ୍କ Database ରଖାଯିବା ବହୁତ ଭଲ ଉଦ୍ୟମ। ଏହାସହିତ ସବୁ ଚାଷୀ ମାନଙ୍କୁ କୃଷକ ପରିଚୟ ପତ୍ର ମଧ୍ୟ ଦିଆଯିବ। ଏହା ଦ୍ୱାରା ଚାଷୀମାନେ ସହଜରେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ। କୃଷକ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟର ୭୬ ଲକ୍ଷ ଚାଷୀ ମାନଙ୍କୁ ନେଇ କୃଷକ ଡାଟାବେସ୍‌ର ଶୁଭାରମ୍ଭ କରାଯାଇଛି।

Second Wave Of Covid-19 May Affect Odisha After December Second Week

ଏହି ଡାଟାବେସ୍‌ର ଯାଞ୍ଚ ପ୍ରକ୍ରିୟା ୧୦୦ ଦିନ ମଧ୍ୟରେ ସଂପୂର୍ଣ୍ଣ କରାଯାଇ କୃଷକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ଏହା ଦ୍ୱାରା କୃଷକମାନେ ବିଭିନ୍ନ ଯୋଜନା ଓ ସେବାର ସୁଫଳ ଅତି ଶୀଘ୍ର ପାଇପାରିବେ । ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଭାଇଭଉଣୀ ନିଜ କାମ ଛାଡି ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ନ ଆସି ଘରେ ରହି ଅନ୍‌ଲାଇନ ଜରିଆରେ ସେବା ପାଆନ୍ତୁ ବୋଲି ସେ ଚାହାନ୍ତି। ଆରମ୍ଭ ହେଉଥିବା କୃଷକ ଓଡିଶା, Input Dealer ମାନଙ୍କ ପାଇଁ ଅନ୍‌ଲାଇନ ଲାଇସେନ୍‌ସ, OUAT student ମାନଙ୍କୁ ଅନ୍‌ଲାଇନ ସାର୍ଟିଫିକେଟ, Agriculture Field Staff ମାନଙ୍କ ପାଇଁ ‘ଦକ୍ଷତା’ ଆଦି କାର୍ଯ୍ୟକ୍ରମ ବିଭାଗକୁ ଚାଷୀ ମାନଙ୍କ ସହିତ ସିଧା ଯୋଡିବାରେ ସହାୟକ ହେବ। ଭଲ କାମ କରୁଥିବା କୃଷି ବିଭାଗର କର୍ମଚାରୀ ମାନଙ୍କୁ ସ୍ୱୀକୃତି ଦେବା ପାଇଁ ହେଉଥିବା ଉଦ୍ୟମକୁ ସେ ପ୍ରଶଂସା କରି ଦକ୍ଷ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

Bihar Election 2020 PM Narendra Modi Agriculture Bills Farmers Protest

ରାଜ୍ୟରେ କୃଷି ଓ କୃଷକର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିଚାଲିବା ପାଇଁ ସେ ଆହ୍ବାନ ଦେଇ କହିଥିଲେ ଯେ ଚାଷ ଆମ ଅର୍ଥନୀତିର ମେରୁଦଣ୍ଡ। କରୋନା ସମୟରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ ଆଶା ଭାବରେ ଦେଖାଦେଇଛି। ଏ ବର୍ଷ ଆମେ bumper crop ଆଶା କରୁଛୁ । ଏଥିପାଇଁ ଆମର ଚାଷୀ ଭାଇଙ୍କୁ ସେ  ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ସାମଗ୍ରୀ ବିକ୍ରେତା ମାନଙ୍କ ପାଇଁ ଇ-ଲାଇସେନ୍‌ସ ପ୍ରଦାନ ସହିତ ୬ଟି ଅନ୍‌ଲାଇନ ସେବା ଏବଂ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍‌ଲାଇନ ସାର୍ଟିଫିକେଟ ଓ ମାର୍କସିଟ୍‌ ଆଦି ୯ଟି ସେବା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ।  ଏହି କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସରେ ୨୨ ଜଣ କର୍ମଚାରୀ ଓ ଅକ୍ଟୋବର ମାସରେ ୩୮ ଜଣ କର୍ମଚାରୀଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହି ଅବସରରେ ନୂଆପଡା ଓ ଗଞ୍ଜାମ ଜିଲ୍ଲାର ଦକ୍ଷ କର୍ମଚାରୀ ଓ କୃଷକ ସରକାରୀ ଯୋଜନାର ସଫଳ ପରିଚାଳନା ସଂପର୍କରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ । ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଆମ କୃଷି କାର୍ଯ୍ୟକ୍ରମରେ ଚାଷୀ ମାନଙ୍କୁ ମୋବାଇଲ ଫୋନ ଭିତ୍ତିକ କୃଷି ପରାମର୍ଶ ସେବା ପ୍ରଦାନ କରାଯାଉଛି। ୨୦୧୮ ମସିହାରେ ମାତ୍ର ୫୦ ହଜାର ଚାଷୀଙ୍କୁ ଧାନ ଫସଲ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ୧୦ ଲକ୍ଷ ଚାଷୀଙ୍କୁ ୧୫ ଗୋଟି ଫସଲ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଉଛି ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ କୃଷି ବିଭାଗ କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛି । ୫-ଟି କାର୍ଯ୍ୟକ୍ରମକୁ ବିଭାଗ ନିଷ୍ଠାର ସହ ଅନୁପାଳନ କରୁଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗର ଅନ୍‌ଲାଇନ ସେବା, ଦକ୍ଷତା କାର୍ଯ୍ୟକ୍ରମ, ଆମ କୃଷି ଆଦି ସଂପର୍କରେ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ବିଭାଗୀୟ ପ୍ରମୁଖ ସଚିବ ସୌରଭ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସ୍ୱତନ୍ତ୍ର ସଚିବ ଧନ୍ୟବାଦ ଅର୍ପଣ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, OUATର କୁଳପତି, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ, ମତ୍ସ୍ୟ ଓ ପଶୁସଂପଦ ବିଭାଗର ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି), ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ କୃଷି ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

ଖୋର୍ଦ୍ଧା ପରେ ଏବେ ଅସ୍ତରଙ୍ଗରେ ଏକର ଏକର ଜମି ଓଡ଼ିଶା ଇନଫ୍ରାଟେକ କିଣିଥିବା ଅଭିଯୋଗ

ପୁରୀ: ସାରୁଅ ଜମି କେଳେଙ୍କାରି ପରେ ଏବେ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ମଧ୍ୟ ସମାନ ଅଭିଯୋଗ । ଶିଶୁଆ ପଞ୍ଚାୟତର ବିଭିନ୍ନ ଗାଁରେ ଏକର ଏକର ଜମି ଓଡିଶା ଇନଫ୍ରାଟେକ କିଣିଥିବା ଅଭିଯୋଗ ହୋଇଛି । ଅସ୍ତରଙ୍ଗରେ ତଣ୍ଡାହାର, ଛେନୁ, ଉଦୟକଣି ଗାଁର ଶହ ଶହ ଏକର ଜମି ବୈଜୟନ୍ତ ପଣ୍ଡା ଓ ତାଙ୍କ ସହଯୋଗୀମାନେ ଓଡିଶା ଇନଫ୍ରାଟେକ କମ୍ପାନୀ ନାଁରେ କିଣିଛନ୍ତି । ଉପକୂଳବର୍ତୀ ଗାଁକୁ ସମୁଦ୍ର ମାଡ଼ି ଆସୁଥିବାରୁ ଗାଁ ଲୋକେ ବୈଜୟନ୍ତଙ୍କୁ ଶାଗ ମାଛ ଦରରେ ଜମି ବିକିଛନ୍ତି ।

ସମୁଦ୍ର ଭିତରେ ଲୁଚି ଯାଇଥିବା ଗାଁର ଅଧିକାଂଶ ଅଂଶ ଏବେ ବୈଜୟନ୍ତ ଓ ତାଙ୍କ କମ୍ପାନୀ ନାଁରେ ରହିଛି । ଚିଙ୍ଗୁଡ଼ି ଘେରି କରିବା ନାଁରେ ଜମି କିଣିବା ପରେ ନିଜେ ବୈଜୟନ୍ତ ପଣ୍ଡା ଆସି ଜମି ମାପ କରିବାରୁ ଜମିର ଅସଲି କ୍ରେତା ବୈଜୟନ୍ତ ପଣ୍ଡା ବୋଲି ଜଣାପଡିଥିଲା । ତେବେ ସାରୁଅ ଭଳି ଏଠି ମଧ୍ୟ ଦଳିତଙ୍କ ଜମିକୁ ଚଞ୍ଚକତା କରି କିଣିଥିବା ଅଭିଯୋଗ ହୋଇଛି  ।

କ୍ୟାଟ ଓ୍ୱାକ ସହ ଡ୍ୟାନସରେ ଜଲଓ୍ୱା, ଡାକ୍ତର ହେଲେ ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୱାଇଡ୍ ୨୦୨୦ର ଫାଇନାଲିଷ୍ଟ

ଭଞ୍ଜାମ: ଇଛାଶକ୍ତି ଦେଖେନି ବୟସ କି ପେଶା । ମନୋବଳ ଦୃଢ ଥିଲେ ଜଣେ ଅସମ୍ଭବକୁ ବି ସମ୍ଭବ କରିଥାଏ । ଆଉ ଏହି କଥାକୁ ସତ କରି ଦେଖାଇଛନ୍ତି ବ୍ରହ୍ମପୁରରେ ଏମକେସିଜିର ଜଣେ ଡାକ୍ତର । ନିଜ ଶରୀରକୁ ଫିଟ ରଖିବା ସହ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆଜି ସେ ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୱାଇଡ ୨୦୨୦ ପ୍ରତିଯୋଗିତାରେ ଭାଗ ନେଇ ଫାଇନାଲ ପାଇଁ ମନୋନିତ ହୋଇଛନ୍ତି ।

ବ୍ରହ୍ମପୁର ଏମକେସିଜି ମେଡିକାଲର ପ୍ରଫେସର ମହିଳା ଡାକ୍ତର ସୁଚିତ୍ରା ହାଲଦାର । ଘର ତାଙ୍କର ଖୋଡାସିଂ ଅଞ୍ଚଳରେ । ହେଲେ ନିଜର ସୁନ୍ଦର ସ୍ୱାସ୍ଥ୍ୟ ଓ କଳା ପାଇଁ ସେ ପାଇଛନ୍ତି ସଫଳତା । ଭୁବନେଶ୍ୱରରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୱାଇଡ୍ ୨୦୨୦ ପ୍ରତିଯୋଗିତାରେ ବନିଛନ୍ତି ଫାଇନାଲିଷ୍ଟ ।

ସାରା ଭାତରରୁ ୧୬୦ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ସ୍ତାନ ପାଇଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର ସୁଚିତ୍ରା ହାଲଦାର । ତାଙ୍କର ଏହି ସଫଳତା ପାଇଁ ପରିବାରରେ ଖୁସିର ଲହରି ଖେଳିଯାଇଛି । ନିଜ କର୍ମମୟ ଜୀବନରୁ ଟିକିଏ ସମୟ ମିଳିଲେ ଡ୍ୟାନ୍ସ ଓ ଯୋଗ କରିବାକୁ ଭୁଲନ୍ତିନି ।

ଡିସେମ୍ବର ୧୨ରେ ସିଙ୍ଗାପୁର, ଥାଇଲାଣ୍ଡ, ଏବଂ ମାଲେସିଆରେ ପ୍ରତିଯୋଗିତାର ଫାଇନାଲ ଅନୁଷ୍ଠିତ ହେବ । ଏଥିରେ ସେ ବାଜି ମାରିବେ ବୋଲି ଆଶା ରଖିଛନ୍ତି ।

ଚାଷୀ ପାଇଲେ ନିଜସ୍ୱ ଧାନ ବିକ୍ରି ଅଧିକାର, ପଞ୍ଜିକୃତ ମଣ୍ଡିରେ ହିଁ ବିକ୍ରି ହେବ ଧାନ

ଭୁବନେଶ୍ୱର: ଆସିଲା ନୂଆ ଧାନ କିଣା ନୀତି । ଏଥିରେ ଚାଷୀ ଚାହିଁଲେ ନିଜ ବ୍ୟବହାର ବା ଖୋଲାରେ ବିକ୍ରି କରିବା ପାଇଁ କିଛି ପରିମାଣର ଧାନ ରଖିପାରିବେ । ପୂର୍ବରୁ ଜଳସେଚିତ ଜମିରୁ ୧୯ କ୍ବିଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୩ କ୍ବିଣ୍ଟାଲ ଧାନ ସଂଗ୍ରହ ହେଉଥିଲା । ଏହା ଜରିଆରେ ଚାଷୀଙ୍କ ଅଧିକାର ଉପରେ ରୋକ ଲାଗିବ ନାହିଁ ।

ଚଳିତ ବର୍ଷ ପଞ୍ଜିକୃତ ଚାଷୀଙ୍କୁ ହିସାବ କରି ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତେବେ ଯଦି ଧାର୍ଯ୍ୟ ଲକ୍ଷ୍ୟରୁ ଧାନର ପରିମାଣ ବଢେ, ତାହା କିଣିବାର ନିଷ୍ପତ୍ତି ନେବା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ମିଳିଛି ସ୍ବତନ୍ତ୍ର ଅଧିକାର । ତେବେ ଯେଉଁ ମଣ୍ଡିରୁ ଟୋକନ ପାଇଛନ୍ତି ଚାଷୀ, ସେଠାରେ ହି ବିକି ପାରିବେ ଧାନ ।

ଗତ ବର୍ଷ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ଅସନ୍ତୋଷ ଥିଲା । ଚଳିତ ବର୍ଷ ବି ଟୋକନ ବ୍ୟବସ୍ଥା ରହିଛି । ହେଲେ ଧାନ କିଣା ନୀତିରେ ବିଭିନ୍ନ ସଂଶୋଧନ ଆସିଥିବାରୁ, ସ୍ବଚ୍ଛ ପ୍ରକ୍ରିୟା ନେଇ ଚାଷୀ ଆଶା କରିଛନ୍ତି ।

ଗତବର୍ଷ  ଆଦାୟଯୋଗ୍ୟ ଚାଉଳକୁ ଶତପ୍ରତିଶତ ଫେରସ୍ତ କରିଥିବା ମିଲର ହି ଧାନ ସଂଗ୍ରହ ପ୍ରକ୍ରିୟାରେ ଭାଗ ନେଇ ପାରିବେ । ଅଭାବୀ ଧାନ ବିକ୍ରିକୁ ପ୍ରତିହତ କରିବାକୁ ଜିଲ୍ଲା ପ୍ରଶାସନ ଓ ସଂଗ୍ରହକାରୀ ସଂସ୍ଥା ଆବଶ୍ୟକୀୟ ପଦକ୍ଷେପ ନେଇ ପାରିବେ ।

ମସ୍କଙ୍କ ଗୋଟିଏ ଦିନରେ ୪ଥର କରୋନା ଟେଷ୍ଟ: ୨ ଥର ନେଗେଟିଭ୍

ନୂଆଦିଲ୍ଲୀ: କୋଭିଡ-୧୯ ଟେଷ୍ଟ କରାଇଛନ୍ତି ସ୍ପେସ୍-ଏକ୍ସ ଏବଂ ତେସଲାର (ଆମେରିକାର ନାସା ଏବଂ ୟୁଏସ୍ ଏୟାର ଫୋର୍ସ ସହ ଚୁକ୍ତିବଦ୍ଧ କମ୍ପାନୀ)ର ମାଲିକ ଏଲନ ମସ୍କ । କୋଭିଡ-୧୯ ଟେଷ୍ଟ ତାଙ୍କର କହିବା ହେଲା  ଯେ, ସେ ଗୋଟିଏ ଦିନରେ ୪ଥର କରୋନା ଟେଷ୍ଟ କରାଇଥିଲେ । ଯେଉଁଥିରୁ ୨ ଥର ପଜିଟିଭ୍ ଏବଂ ୨ ଥର ନେଗେଟିଭ ଆସିଥିଲା । କରୋନା ଟେଷ୍ଟର ଏଭଳି ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମସ୍କ । ଏବଂ କିଛି ଗଡ଼ବଡ଼ ହୋଇଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି ।

Maybe Elon Musk Should Take SpaceX Public Instead? (Private:SPACE) | Seeking Alpha

ଏହା ପୂର୍ବରୁ ମଧ୍ୟ କରୋନା ଭାଇରସକୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଥିବା ବେଳେ ସେ ଏହାକୁ ଅତି ହାଲୁକା ଭାବେ ନେଇଛନ୍ତି । ମାର୍ଚ୍ଚରେ ସେ କହିଥିଲେ ଏପ୍ରିଲ ଯାଏଁ ଆମେରିକାରେ କରୋନାର ଗୋଟିଏ ମଧ୍ୟ ମାମଲା ସାମ୍ନାକୁ ଆସିବନାହିଁ । କିନ୍ତୁ ଆମେରିକାରେ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି । ମସ୍କ ଗୁରୁବାର ଟ୍ୱିଟ୍ କରି କହିଛନ୍ତି , ଆଜି ମୋର ଚାରି ଥର କୋଭିଡ ଟେଷ୍ଟ ହୋଇଥିଲା  । ଯେଉଁଥିରୁ ୨ଥର ନେଗେଟିଭ୍ ଓ ୨ଥର ପଜିଟିଭ୍ ଆସିଛି । ସେହି ମେସିନ ସେହି ଟେଷ୍ଟ ଏବଂ ସେହି ନର୍ସ । ମସ୍କଙ୍କ ଏହି ଟ୍ୱିଟ ଉପରେ ପ୍ରତିକ୍ରିୟା ଜଣେ ୟୁଜର ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଏଥି ପାଇଁ ବୋଧେ ସଂକ୍ରମଣ ମାମଲା ଅଧିକ ସଂଖ୍ୟାରେ ବଢ଼ିବାରେ ଲାଗିଛି । ଏହାର ଜବାବ ଦେବାକୁ ଯାଇ ମସ୍କ କହିଛନ୍ତି , ‘ଯାହା ମୋ ସହ ହୋଇଛି’ ।

ଦ୍ୱିତୀୟ ଲ୍ୟାବ୍ ଟେଷ୍ଟ

ମସ୍କ କହିଛନ୍ତି ଯେ, ସେ ଦ୍ୱିତୀୟ ଲ୍ୟାବରୁ ମଧ୍ୟ ତାଙ୍କର ଟେଷ୍ଟ ହୋଇଥିଲା । ଯାହାର ରିପୋର୍ଟ ଆସିବାକୁ ୨୪ ଘଣ୍ଟା ବାକି ଅଛି । ସେ ଟ୍ୱିଟରେ କହିଛନ୍ତି, ଅନ୍ୟ ଲ୍ୟାବରେ ପିସିଆର ଟେଷ୍ଟ ହୋଇଛି । ଏହାର ରିପୋର୍ଟ ଆସିବାକୁ ୨୪ ଘଣ୍ଟା ସମୟ ଲାଗିବ । ସେ କହିଛନ୍ତି ତାଙ୍କ ନିକଟରେ ଥଣ୍ଡା, କାଶ ଭଳି ସାଧାରଣ ଲକ୍ଷଣ ପ୍ରକାଶ ପାଇଥିଲା ।

ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା, ସ୍ୱଚ୍ଛତା ଓ ପରିମଳ ଦୃଷ୍ଟିରୁ ନିଆଯାଇଛି ବହୁ ପଦକ୍ଷେପ

ଭୁବନେଶ୍ୱର: ସ୍ୱଚ୍ଛତା ଓ ପରିବେଶକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି ଭୁବନେଶ୍ୱର ମହାନଗର ନିଗମ । ତେବେ କରୋନା କଟକଣା ଯୋଗୁଁ ଅଟକି ରହିଥିଲା ବହୁ ପ୍ରକଳ୍ପ । ଗତବର୍ଷ ଜାତୀୟ ସ୍ତରରେ ହେଉଥିବା ସ୍ୱଚ୍ଛ ସର୍ବେକ୍ଷଣରେ ପଛରେ ପଡ଼ିଯାଇଥିଲା ସ୍ମାର୍ଟସିଟି ଭୁବନେଶ୍ୱର । ଚଳିତ ଥର ଆରମ୍ଭ ହୋଇଛି ସ୍ୱଚ୍ଛ ସର୍ବେକ୍ଷଣ ପ୍ରକ୍ରୀୟା । ଘର ଘର ବୁଲି ଲୋକଙ୍କୁ କରାଯାଉଛି ସଚେତନ । ଶେଷ ହୋଇଛି ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୪୩ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର । ବର୍ଜ୍ୟବସ୍ତୁ ପ୍ରକ୍ରୀୟା କରଣ ସହିତ ନିୟୋଜିତ କରାଯାଇଛି ସ୍ୱଚ୍ଛସାଥୀଙ୍କୁ ଓ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ।

ଜନସାଧାରଣଙ୍କ ସହଯୋଗ ବିନା ବିକାଶ ଅସମ୍ଭବ । ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି । ଏସବୁ ଦିଗରେ ଗୁରୁତ୍ୱ ଦେଉଛି ବିଏମସି । ଦେଶର ମୋଟ ୩୮୨ଟି ସହରକୁ ନେଇ ଚାଲିଥିବା ସର୍ଭେକ୍ଷଣରେ ଗତବର୍ଷ ଭୁବନେଶ୍ୱରର ସ୍ଥାନ ୨୩୩ରେ ଥିଲା । କିନ୍ତୁ ବର୍ଷକ ମଧ୍ୟରେ ବିଏମ୍ସି ପକ୍ଷରୁ ପରିମଳ ଓ ପରିବେଶ କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଏମ୍‌ସିକୁ ସହାୟକ ହେବ ବୋଲି କହିଛନ୍ତି ପରିବେଶବିତ । ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ରାଜ୍ୟର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ଭଳି ୪ଟି ସହର ସାମିଲ ହୋଇଛି ।

ପିପିଲି ଉପନିର୍ବାଚନ ନେଇ ବୃଦ୍ଧି ପାଇଲାଣି ସକ୍ରିୟତା, କଂଗ୍ରେସ ଗଠନ କଲା କମିଟି

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କଲେଣି ବିରୋଧୀ  ।  ବାଲେଶ୍ୱର ଉପନିର୍ବାଚନରେ ନୈରାଶ୍ୟ ଜନକ ପ୍ରଦର୍ଶନ ପରେ ପିପିଲିରେ କିଭଳି ଭଲ ପ୍ରଦର୍ଶନ କରାଯିବ ସେନେଇ ବିଚାର ବିମର୍ଶ ହୋଇଛି  । ପୁରୀ ଜିଲ୍ଲା ଏବଂ ପିପିଲିର ବରିଷ୍ଠ କଂଗ୍ରେସ ନେତାଙ୍କ ସହ ପିସିସି ସଭାପତି ଆଲୋଚନା କରିବା ସହ ବ୍ଲକ ଏବଂ ଏନଏସି ସ୍ତରରେ କମିଟି ଗଠନ କରିଛନ୍ତି  । ସାତ ଦିନ ମଧ୍ୟରେ କମିଟି ରିପୋର୍ଟ ଦେବାକୁ କୁହାଯାଇଛି  । ସେହି ଆଧାରରେ ପ୍ରାର୍ଥୀ ଚୂଡାନ୍ତ କରାଯିବ  ।

ମୋଟ ଉପରେ କହିବାକୁ ଗଲେ ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ଉପ ନିର୍ବାଚନରେ ବିଫଳ ହେବା ପରେ ବିରୋଧୀ କାରଣ ଖୋଜିବାରେ ବ୍ୟସ୍ତ  । ସେହି ଦଶା ଯେମିତି ପିପିଲିରେ ନହେବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି  । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କଂଗ୍ରେସ ପିପିଲି ଉପନିର୍ବାଚନ ପାଇଁ ଏକ ଗୁରୁତ୍ବପୂର୍ଣ ବୈଠକ କରିବା ସହ ପୁରୀ ଜିଲ୍ଲା ଏବଂ ପିପିଲି ଅଂଚଳର ନେତା କର୍ମୀଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି  । ପିପିଲିରେ କଂଗ୍ରେସର ସାଂଗଠନିକ ସ୍ଥିତି କଣ ଅଛି ଏବଂ କିଭଳି କଂଗ୍ରେସ ଏଠାରେ ଭଲ ପ୍ରଦର୍ଶନ କରିବ ସେ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି  । ପ୍ରାଥମିକ ପର୍ଯ୍ୟାୟରେ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି  । ଗଠନ କରାଯାଇଥିବା କମିଟି ୩ ନାମ ପିସିସିକୁ ସୁପାରିଶ କରିବେ  । ଏହା ପରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ  ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ବିଜେପି ମଧ୍ୟ ପିପିଲି ପାଇଁ ପ୍ରସ୍ତୁତି ଜୋରଦାର କରିଛି  । ବାଲେଶ୍ୱର ଓ ତିର୍ତୋଲରେ ଦଳ ଯେଉଁ ଭୂଲ କରିଛି ତାହା ଆଉଥରେ ଦୋହରାଯିବନି ବୋଲି ବିଜେପି ପକ୍ଷରୁ କୁହାଯାଇଛି  ।

ହାତୀ ମଣିଷ ଲଢେଇରେ ଲାଗିବ ବ୍ରେକ୍, ସମ୍ବଲପୁରରେ ଗଠନ ହେଲା ସ୍ୱତନ୍ତ୍ର ଟାସ୍କଫୋର୍ସ

ଭୁବନେଶ୍ୱର: ହାତୀ ଓ ମଣିଷର ଲଢେଇ ଏକ ନିତି ଦିନିଆ ଘଟଣାରେ ପରିଣତ ହୋଇଛି । ବିଶେଷ କରି ଜଙ୍ଗଲ ନିକଟରେ ଥିବା ଗ୍ରାମବାସୀଙ୍କ ପାଇଁ ଏହା ଜୀବନ ମରଣର ପ୍ରଶ୍ନ ହୋଇ ଛିଡ଼ା ହୋଇଛି । ତେବେ ଏହି ହାତୀ ଉପଦ୍ରବ ରୋକିବା ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ସ୍ୱତନ୍ତ୍ର ଟାସ୍କଫୋର୍ସ । ଏଥିପାଇଁ ଦାୟିତ୍ୱରେ ରହିବେ ସମ୍ବଲପୁର ଡିଏଫଓ ।

ଧୀରେ ଧୀରେ ଜଙ୍ଗଲ ଛାଡ଼ି ସହର ଓ ଗାଁ ମୁହାଁ ହେଉଛନ୍ତି ହାତୀ । ଅନେକ ସମୟରେ ହାତୀପଲଙ୍କ ଉତ୍ପାତ ଯୋଗୁଁ ଲୋହଙ୍କ ଜୀବନହାନି ବି ହେଉଛି । ତେବେ ସରକାର ଏହାକୁ ରୋକିବା ପାଇଁ ଗଠନ କରିଛନ୍ତି ଟାସ୍କଫୋର୍ସ । ଏହାର ଦାୟିତ୍ୱରେ ରହିବେ ସମ୍ବଲପୁର ଡିଏଫଓ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ସହ କଣ ପଦକ୍ଷେପ ନେବାକୁ ଜରୁରୀ ସେସବୁର ରିପୋର୍ଟ ଦେବ ଟାସ୍କଫୋର୍ସ ।

ଟାସ୍କଫୋର୍ସ ଆସନ୍ତା  ତିନି ବର୍ଷ ଭିତରେ କଣ ସବୁ ପଦକ୍ଷେପ ନିଆଯାଇ ପାରିବ ତାର ରିପୋର୍ଟ ପ୍ରଦାନ କରିବ । ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ଆକଳନ କରି ରିପୋର୍ଟ ଦିଆଯିବ । ଆସନ୍ତା ନଭେମ୍ବର ୨୫ ତାରିଖ ସୁଦ୍ଧା ପିସିସିଏଫଙ୍କୁ  ରିପୋର୍ଟ ଦିଆଯିବ ବୋଲି ସମ୍ବଲପୁର ଡିଏଫଓ ସୂଚନା ଦେଇଛନ୍ତି ।

ନେହେରୁଙ୍କ ପୁନଃ ଆବିଷ୍କାର ଜରୁରୀ

ଭୁବନେଶ୍ୱର :  ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘ଭାରତ ନିର୍ମାଣରେ ନେହେରୁଙ୍କ ଆଦର୍ଶ ଓ ଭୂମିକା’ ଶୀର୍ଷକ ଆଲୋଚନା ଚକ୍ର କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭିକ ସୂଚନା ଦେଇ ପିସିସି ସଭାପତି ପଟ୍ଟନାୟକ ନେହେରୁଙ୍କୁ ଆଧୁନିକ ଭାରତର ନିର୍ମାତା ବୋଲି ଅଭିହିତ କରିଥିଲେ । ତାଙ୍କର ତ୍ୟାଗ ଓ ଆଦର୍ଶରେ ଆଜିର ଯୁବ ସମାଜ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ କରିଥିଲେ ।


ବକ୍ତା ଭାବରେ ଯୋଗଦେଇ ଦାସ ବେନହୁର କହିଲେ ଯେ ୧୯୪୭ ମସିହା ପୂର୍ବରୁ ଭାରତ ଓ ୧୯୪୭ ସ୍ୱାଧିନତା ପରର ଭାରତ ମଧ୍ୟରେ ନେହେରୁ ଥିଲେ ସୁବର୍ଣ୍ଣ ସେତୁ । କେବଳ ଭାରତର କାହିଁକି, ସେ ଜଣେ ବିଶ୍ୱ ବନ୍ଦିତ ନେତା ଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବ୍ରିଟିଶ ଯେତେବେଳେ ଭାରତବର୍ଷକୁ ଛାଡି ଚାଲିଗଲେ ସେତେବେଳେ ଏକ ସମ୍ବଳହୀନ ଭାରତବର୍ଷକୁ ଛାଡି ଯାଇଥିଲେ । ଏହି ପରିସ୍ଥିତିରେ ସ୍ୱାଧିନ ଭାରତବର୍ଷକୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ନେହେରୁ ଯେଭଳି ପଦକ୍ଷେପ ଗ୍ରହଣ କରିଥିଲେ, ତା’ର ପଟ୍ଟାନ୍ତର ନାହିଁ । ବିଜ୍ଞାନ, କାରିଗରୀ ଓ ଶିଳ୍ପର ବିକାଶକୁ ସେ ପ୍ରାଥମିକତା ଦେଇଥିଲେ । ସେହିଭଳି କୃଷିର ଉନ୍ନତି ପାଇଁ ନଦୀବନ୍ଧ ଯୋଜନା ତାଙ୍କର ଅନବଦ୍ୟ କୃତୀ । ଦୀର୍ଘ ବର୍ଷ କାରାବରଣ କରିଥିଲେ ମଧ୍ୟ ତାଙ୍କ ଲକ୍ଷ୍ୟରୁ କେବେ ସେ ବିଚ୍ୟୁତ ହୋଇନାହାନ୍ତି । ଭାରତକୁ ସ୍ୱାଧିନତା ଦେବାରେ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ ହୋଇଥିଲେ ମଧ୍ୟ ଦେଶକୁ ଆଧୁନିକ ଭାରତରେ ପରିଣତ କରିଥିଲେ ସ୍ୱର୍ଗତ ନେହେରୁ । ଆଜି ଦେଶରେ ନେହେରୁଙ୍କ ପୁନଃ ଆବିଷ୍କାରର ଆବଶ୍ୟକତା ରହିଛି । ଭାରତ ନିର୍ମାଣରେ ନେହେରୁଙ୍କ ତ୍ୟାଗ ଓ ଆଦର୍ଶକୁ ଆଜିର ଯୁବ ସମାଜ ଲୋକଲୋଚନରେ ପହଂଚାଇବା ନିତାନ୍ତ ଜରୁରୀ ବୋଲି  ବେନହୁର କହିଥିଲେ ।

ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଲେ ଯେ ନେହେରୁଙ୍କର ତ୍ୟାଗ ଓ ଆଦର୍ଶର ବ୍ୟାପକତାକୁ ଆଜି କେବଳ ଶିଶୁ ଦିବସ ପାଳନରେ ସଂକୁଚିତ କରାଯାଇଛି । ନେହେରୁଙ୍କ ରଚିତ ଆତ୍ମଜୀବନୀର ଗୁରୁତ୍ୱ ଏତେ ବେଶି ଯେ ଯଦି ସେ ପ୍ରଧାନମନ୍ତ୍ରୀ ନହୋଇଥିଲେ ବି ଆତ୍ମଜୀବନୀ ପାଇଁ ବିଶ୍ୱରେ ଖ୍ୟାତ ହୋଇଥାନ୍ତେ । ଶେଷରେ ବରିଷ୍ଠ ଆଇନଜୀବୀ ଶ୍ରୀ ଶିବାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ସୁରେଶ କୁମାର ରାଉତରାୟ, ବିପିନ୍ ଦାସ, ଶୁଭେନ୍ଦୁ ମହାନ୍ତି, ଜ୍ଞାନଦେବ ବେଉରା, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଦୀପକ ମହାପାତ୍ର, ହଳଧର ସେଠୀ, ସ୍ୱାଗତିକା ପଟ୍ଟନାୟକ, ସଂଜୀବ ଗିରି, ଦେଓ ପ୍ରସାଦ, ଜ୍ୟୋତିଷ ସାହୁ, ଲିଙ୍ଗରାଜ ସାହୁ, ସ୍ୱାଧିନବାଳା ଦାସ, ଶ୍ରିୟାସ୍ମିତା ପଣ୍ଡା, ସୁଶାନ୍ତ ତ୍ରିପାଠୀ, ନାସିର ଅହମ୍ମଦ ଖାନ, ରସିକ ପଟ୍ଟନାୟକ, ନିରୁପମା ପାତ୍ର, କୁସୁମ ପ୍ରଧାନ, ଅଶୋକ ଦାସ, ଶମ୍ଭୁ ପାଣିଗ୍ରାହୀ, ଜୟକୃଷ୍ଣ ସୁବୁଦ୍ଧି, ଅନାମ ନାୟକ, ସଂକୁନା କହଁର, ସୁବ୍ରତ ମହାପାତ୍ର, ଚୈତାଳି ପଟ୍ଟନାୟକ, ରାମାନନ୍ଦ ଶ୍ରୀଚନ୍ଦନ, ମନୋଜ ସାହୁ, ସାଗର ପରିଡା ପ୍ରମୁଖ ବହୁ ନେତୃବୃନ୍ଦ ଓ କର୍ମୀ ଯୋଗ ଦେଇଥିଲେ ।