spot_img
Home Blog Page 6455

ଗିରଫ ହେଲେ ଫ୍ୟାକ୍‌ଟ୍ରି ଓ ବଏଲର୍ସର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା

ଭୁବନେଶ୍ୱର: ଗିରଫ ହେଲେ ଫ୍ୟାକ୍‌ଟ୍ରି ଓ ବଏଲର୍ସର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା ।  ଆୟବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍‌ସ ଗିରଫ କରିଛି । ଭୁବନେଶ୍ୱର, କଟକ, କୋରେଇ ଓ ପୁଡୁଚେରୀ ସମେତ ୬ଟି ଜାଗାରେ ଚଢାଉ କରିଥିଲା ଭିଜିଲାନ୍ସ । ଗତକାଲି ଏହି ସବୁ ସ୍ଥାନରେ ଚଢଉ ହୋଇଥିଲା ।


ଭୁବନେଶ୍ୱର ଘାଟିକିଆ, କଟକରେ ଶ୍ୱଶୁର ଘର, କୋରେଇ ପୈତୃକ ବାସଭବନ, କଟକ ସିଡିଏରେ ଥିବା ଫ୍ଲାଟ, କଟକ ଓ ଭୁବନେଶ୍ୱର ଅଫିସ କାର୍ଯ୍ୟାଳୟ ଓ ପୁଡୁଚେରୀରେ ଥିବା ଘରେ ରେଡ୍ କରିଥିଲା । ଆଜି ତାଙ୍କୁ ଗିରଫ କରାଯାଇଛି ।

ଭିଜିଲାନ୍ସ ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ନେତୃତ୍ୱ ଗତକାଲି ରେଡ୍ ହୋଇଥିଲା‌ ।  ଚଢ଼ାଉ ବେଳେ ତାଙ୍କର ବିପୁଲ ଗାଡେନ ସ୍ଥିତ ଫ୍ଲାଟରୁ ନଗଦ ୨ ଲକ୍ଷ ଟଙ୍କା ଏବଂ ୫ଶହ ଗ୍ରାମରୁ ଅଧିକ ପରିମାଣର ସୁନା ଅଳଙ୍କାର ମିଳିଥିଲା । ବିଭିନ୍ନ ବ୍ୟାଙ୍କରେ ସ୍ତାବର ଅସ୍ତାବର ସମ୍ପତି ଜମା ରହିଥିବା ସୂଚନା ପାଇଥିଲା ଭିଜିଲାନ୍ସ ଟିମ । ଖାଲି ତାଙ୍କ ନାମରେ ନୁହେଁ ତାଙ୍କ ସମ୍ପର୍କିୟଙ୍କ ନାମରେ ମଧ୍ୟ ସମ୍ପତ୍ତି ରହିଥିବା ତଦନ୍ତରୁ ଜଣା ପଡୁଛି ।

CSKକୁ ଆଉ ଏକ ବଡ଼ ଝଟକା: ରୈନାଙ୍କ ପରେ ହରଭଜନ ସିଂହ ଖେଳିବେନି IPL

ନୂଆଦିଲ୍ଲୀ: ଆଇପିଏଲ୍ ଆରମ୍ଭ ହେବାକୁ ଆଉ ଦିନ କେଇଟା ରହିଲା । କିନ୍ତୁ ଅତି ମଧ୍ୟରେ ଚେନ୍ନାଇ ସୁପର କିଙ୍ଗର ସମସ୍ୟା କମିବାର ନାଆ ଧରୁନି । କରୋନା ପରେ ଦଳର ଗୋଟିଏ ପରେ ଗୋଟିଏ ତାରକା ଖେଳାଳି ଆଇପିଏଲର ବର୍ତ୍ତମାନର ସିଜନ୍ ନ ଖେଳିବାକୁ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ସୁରେଶ ରାଇନାଙ୍କ ପରେ ଚେନ୍ନାଇ ସୁପର କିଙ୍ଗ୍ସର ଭେଟେରାନ ବୋଲର ହରଭଜନ ସିଂଙ୍କୁ ମଧ୍ୟ ଆଇପିଏଲର ୧୩ତମ ସିଜିନରୁ ବାଦ୍ ଦିଆଯାଇଛି । ବ୍ୟକ୍ତିଗତ କାରଣ ଦର୍ଶାଇ ହରଭଜନ ଏହି ସିଜିନରେ ନିଜକୁ ଦୂରେଇ ରଖିଛନ୍ତି । ଜଣାଇ ରଖୁଛୁ ଯେ, ହରଭଜନ ସିଏସକେ ଟିମ ସହିତ ୟୁଏଇରେ ପହଞ୍ଚି ନଥିଲେ ।

ୟୁଏଇ ପହଞ୍ଚି ନଥିଲେ ହରଭଜନ

ୟୁଏଇ ଯିବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଚେପୁକରେ ପାଞ୍ଚ ଦିନିଆ ତାଲିମ ଶିବିର କରିଥିଲା । ହରଭଜନ ସିଂ ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସେଠାରେ ପହଞ୍ଚି ନଥିଲେ । ଜାଡେଜା ଦଳ ସହ ୟୁଏଇରେ ପହଞ୍ଚିଥିବାବେଳେ ହରଭଜନ ସିଂ ଭାରତରେ ଥିଲେ । ସୂଚନା ଅନୁଯାୟୀ, ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ବର୍ଷ ହରଭଜନ ଆଇପିଏଲ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ।

ଦଳର ଷ୍ଟାର ବୋଲର ହେଉଛନ୍ତି ହରଭଜନ ସିଂ

CSK ରେ ଉଭୟ ରୈନା ଏବଂ ହରଭଜନଙ୍କ ଅନୁପସ୍ଥିତି ଦଳର ସମସ୍ୟା ବଢ଼ାଇବ । ସୁରେଶ ରୈନା ଦଳର ନିୟମିତ ନମ୍ବର ତିନି ବ୍ୟାଟ୍ସମ୍ୟାନ୍ ଏବଂ ତାଙ୍କୁ ମିଷ୍ଟର ଆଇପିଏଲ୍ କୁହାଯାଏ। ଏଥି ସହିତ ହରଭଜନ ସିଂ ଦଳର ଅନ୍ୟତମ ତାରକା ଖେଳାଳି ଅଟନ୍ତି । ଗତ ସିଜନରେ ଭଜ୍ଜି ୧୬ ୱିକେଟ୍ ନେଇଥିଲେ ଏବଂ ପରପଲ୍ କ୍ୟାପ୍ ରେସରେ ସାମିଲ ହୋଇଥିଲେ । ଆଇପିଏଲ୍ ଇତିହାସରେ ସର୍ବାଧିକ ୱିକେଟ୍ ନେଇ ଭଜ୍ଜି ତୃତୀୟ ସ୍ଥାନରେ ଅଛନ୍ତି। ଏଥର ୟୁଏଇର ତିନୋଟି ଭିନ୍ନ ସ୍ଥାନରେ ଏକ ଖାଲି ଷ୍ଟାଡିୟମରେ ଆଇପିଏଲ୍ ଖେଳାଯିବ। ସେପ୍ଟେମ୍ବର ୧୯ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ଲିଗରେ ସଂକ୍ରମଣକୁ ରୋକିବା ପାଇଁ ଅନେକ ସତର୍କତା ଅବଲମ୍ବନ କରାଯାଉଛି।

ଏଥିପାଇଁ ସମସ୍ତ ଦଳ ୟୁଏଇରେ ପହଞ୍ଚି କଡା ସୁରକ୍ଷା ଭିତରେ ବିଭିନ୍ନ ସ୍ଥାନରେ ତାଲିମ ଆରମ୍ଭ କରିଛନ୍ତି। ତେବେ ଚେନ୍ନାଇ ସୁପର କିଙ୍ଗ୍ସ ଅନୁମୋଦନକୁ ଅପେକ୍ଷା କରିଛି । ଦଳର ୧୩ ଜଣ ସଦସ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା ​​ଯାହା ପରେ ସମଗ୍ର ଦଳକୁ କ୍ୱାରେଣ୍ଟିନ କରାଯାଇଥିଲା |

ବଲାଙ୍ଗିର ଉପଜିଲ୍ଲାପାଳଙ୍କ ନାଁରେ ଅସଦାଚରଣ ଅଭିଯୋଗ

ବଲାଙ୍ଗିର: ଉପଜିଲ୍ଲାପାଳଙ୍କ ନାଁରେ ଅସଦାଚରଣ ଭଳି ଗୁରୁତର ଅଭିଯୋଗ । ବଲାଙ୍ଗିର ଉପଜିଲ୍ଲାପାଳଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜନୈକ ମହିଳ କିରାନୀ ଏହି ଅଭିଯୋଗ ଆଣିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ମହିଳା କର୍ମଚାରୀ ।ଉପଜିଲ୍ଲାପାଳ ସଂଜୟ ମିଶ୍ର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅନ୍ୟତ୍ର ବଦଳି କରିବାକୁ ସେ ନିବେଦନ କରିଥିଲେ  ।

ଅଭିଯୋଗ ପରେ ଉପଜିଲ୍ଲାପାଳଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି ଜିଲ୍ଲାପାଳ । ତେବେ ଉପଜିଲ୍ଲାପାଳଙ୍କ ଉପରେ ଉଠିଥିବା ଅଭିଯୋଗର ତଦନ୍ତ ପାଇଁ ଏକ କମିଟ ଗଠନ କରାଯାଇଛି । ଜଣେ ମହିଳା କର୍ମଚାରୀଙ୍କ ନେତୃତ୍ୱରେ ୩ ଜଣିଆ କମିଟି ଗଠନ କରାଯାଇଛି । ସେପଟେ ତଦନ୍ତ ମୁତାବକ ପୀଡ଼ିତା କର୍ମଚାରୀଙ୍କ କାଉନସେଲିଂ କରାଯାଇଛି ବୋଲି ତଦନ୍ତରେ ନିଯୋଜିତ ହୋଇଥିବା କମିଟି ମୁଖ୍ୟ କହିଛନ୍ତି ।

ଅନ୍ୟପକ୍ଷରେ ପୁରା ଘଟଣାକ୍ରମ ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଜିଲ୍ଲାପାଳ ।

ଡ୍ରଗ୍ସ କନେକ୍ସନ୍ ନେଇ ରିୟାଙ୍କ ଘରେ NCBର ଛାନବିନ୍,ଭାଇ ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କୁ ପଚରାଉଚରା

ମୁମ୍ବାଇ: ପ୍ରଥମେ ଇଡି, ତା ପରେ ସିବିଆଇ ଆଉ ଏବେ NCB । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକସନ୍ ନେଇ ଖୋଳତାଡ ଆରମ୍ଭ କରିଛି ନ୍ୟାରୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ  । ଆଜି ରିୟାଙ୍କ ଭାଇ ସୌଭିକଙ୍କ ଚକ୍ରବର୍ତ୍ତି ଓ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଉଠାଇଛି NCB  । ଏଥିସମେତ ରିୟାଙ୍କ ଘରେ ମଧ୍ୟ ହୋଇଛି ଚଢାଉ  । ଡ୍ରଗ୍ସ କାରବାର ନେଇ ଏକ ହ୍ୱାଟ୍ସଆପ୍ ଚାଟ୍ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଛାନଭିନ୍  ।

NCB ଟିମ୍ ରିୟା, ରିୟାଙ୍କ ଭାଇ ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କ ଘରେ ଚଢାଉ କରିଥିଲେ । ଏହି ସମୟରେ ସୌଭିକ ଓ ମିରାଣ୍ଡାଙ୍କ ଡିଜିଟାଲ ଡିଭାଇସକୁ ଜବତ କରିଛି NCB  । ମୋବାଇଲ୍ ଓ ଲାପଟପ ମଧ୍ୟ ଅକ୍ତିଆର କରିବା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମଧ୍ୟ NCB ହାତରେ ଲାଗିଛି । ଘଟଣାର ପୁରା ସତ୍ୟାସତ୍ୟ ପାଇଁ ସୌଭିକ ଓ ସାମୁଏଲକୁ ମୁହାଁମୁହିଁ ଜେରା କରିପାରେ NCB । ଏଭଳିକି ସୌଭିକ ଚକ୍ରବର୍ତ୍ତି ଓ ସାମୁଏଲ ମିରାଣ୍ଡା ଗିରଫ ହେବାର ମଧ୍ୟ ସମ୍ଭବନା ରହିଛି । କାରଣ ହ୍ୱାଟ୍ସଆପ୍ ଚାଟରେ ସୌଭିକଙ୍କ ଡ୍ରଗ୍ସ କାରବାର ନେଇ ଅନେକ ପ୍ରମାଣ ମିଳିଥିବା ଜଣାପଡିଛି ।

ଡ୍ରଗ୍ସ କାରବାରରେ ରିୟାଙ୍କ ଭାଇଁ ସୌଭିକଙ୍କ ନାଁ ସାମ୍ନାକୁ ଆସିବା ପରେ ଏବେ ବଢିଛି ରିୟାଙ୍କ ପାଇଁ ମଧ୍ୟ ବଢିଛି ବିପଦ । ଡ୍ରଗ୍ସ ମାମଲାରେ ତିନି ଜଣକୁ ଗିରଫ କରାଯାଇଛି  । ଆଉ କାହାର ହାତ ରହିଛି ଡ୍ରଗ୍ସ ରାକେଟ ପଛରେ ସେ ନେଇ ତଦନ୍ତ ଅଭିଯାନକୁ ଜୋରଦାର କରିଛି NCB । ସେପଟେ ଆଜି ମଧ୍ୟ ଦିଶା ସାଲିୟାନଙ୍କ କମ୍ପାନୀର କର୍ମଚାରୀ ବଣ୍ଟି ସଜଦେହକୁ ପଚରାଉଚରା କରୁଛି ସିବିଆଇ । ଦିଶାଙ୍କ ମୃତ୍ୟୁକୁ ନେଇ ସିବିଆଇ କରୁଛି ପଚରାଉଚରା ।

ଦିଶା ସୁଶନ୍ତଙ୍କ ପୂର୍ବ ମ୍ୟାନେଜର ହୋଇଥିବାବେଳେ ଜୁନ୍ ୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଡଃ ହରିଶ ସେଠୀଙ୍କୁ ପଚରାଉଚରା କରୁଛନ୍ତି ସିବିଆଇ ଟିମ୍ । ରିୟା ହରିଶ ସେଠୀଙ୍କୁ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସେପଟେ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ କହିଛନ୍ତି ରିୟା ସୁଶାନ୍ତଙ୍କ ଜୀବନରେ ଆସିବା ପରେ ସୁଶାନ୍ତଙ୍କ ଦେହ ଖରାପ ହୋଇଥିଲା ।

ତାମିଲନାଡୁର କୁଡ୍ଡାଲୋରରେ ବାଣ କାରଖାନାରେ ବିସ୍ଫୋରଣ, ୬ ମୃତ

0

କୁଡ୍ଡାଲୋର: ତାମିଲନାଡୁର କୁଡ୍ଡାଲୋରର ଏକ ବାଣ କାରଖାନାରେ ଜୋରଦାର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏଯାବତ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ତାମିଲନାଡୁର କୁଡ୍ଡାଲୋରରେ ଶୁକ୍ରବାର ସକାଳେ ଯେତେବେଳେ ଲୋକମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ, ଠିକ ସେତିକିବେଳେ ସେହି ଅଞ୍ଚଳରେ ଏକ ଜୋରଦାର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହାର ଶବ୍ଦ ବହୁ ଦୂର ଯାଏ ଶୁଣିବାକୁ ମିଳିଥିଲା ।

ଘଟଣାର ସୂଚନା ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ଘଟଣାଟି କୁଡ୍ଡାଲୋର ଜିଲ୍ଲାର କଟ୍ଟୁମନ୍ନାରକୋଲୀ ଅଞ୍ଚଳରେ ଏକ ବାଣ କାରଖାନାରେ ହୋଇଥିବା ଜଣାପଡ଼ିଥିଲା । ଏହି ଅଞ୍ଚଳ ରାଜଧାନୀ ଚେନ୍ନାଇ ଠାରୁ ୧୯୦ କିଲୋମିଟର ଦୂରରେ ଅବସ୍ଥିତ ।

କାରଖାନାରେ ତୁରନ୍ତ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଯାବତ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି  । କାରଖାନା ଭିତରୁ ସମସ୍ତ ମୃତ ଦେହକୁ ବାହାର କରାଯାଇଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଜଣାଇ ରଖୁଛୁ ଯେ ଏହି ଦୁର୍ଘଟଣାରେ ଅନେକ ଲୋକ ଗମ୍ଭୀର ରୂପରେ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସରକାରୀ ନିର୍ବାହୀଯନ୍ତ୍ରୀଙ୍କୁ ଚପଲରେ ମାଡ଼ ମାରିବା ଘଟଣାରେ ଥାନାରେ ଅଟକ ବିଜେପି ବିଧାୟକ

ବାରିପଦା: ବାରିପଦା ଆଇଟିଡିଏ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଘଟଣା । ଉକ୍ତ ଘଟଣାରେ ବିଧାୟକ ପ୍ରକାଶ ସୋରେନ ଓ ତାଙ୍କ ସହଯୋଗୀ ପ୍ରଶାନ୍ତ ବେହେରା ଥାନାରେ ଅଟକ । ଅଭିଯୋଗ ପରେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରିଥିଲେ ।

ଏହାପରେ ବିଧାୟକ ଓ ସମର୍ଥକଙ୍କୁ ଅଟକ ରଖାଯାଇଛି । ସେପଟେ ବାରିପଦା ସଦର ବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ସହଯୋଗୀ ପ୍ରଶାନ୍ତ ବେହେରାଙ୍କୁ ଥାନାରେ ଅଟକ ରଖିବା ପ୍ରତିବାଦରେ ବିଜେପି ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତକାଲି ନିଜର ଦବାଦବା ଜାହିର କରିବାକୁ ଯାଇ ନିର୍ବାହୀ ଯନ୍ତ୍ରୀଙ୍କୁ ବିଧାୟକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ଜିଲ୍ଲା ସର୍କିଟ୍ ହାଉସକୁ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ବିଭାଗୀୟ ବିଲ୍ ପେମେଣ୍ଟ ଏବଂ ନିଜ ସମର୍ଥକଙ୍କୁ ଠିକା କାମ ଦେବାକୁ ଧମକ ଦେବା ସହ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ଲଦାଖ ସୀମାରେ ଉତ୍ତେଜନା ମଧ୍ୟରେ ଋଷ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ଋଷ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଋଷରେ ଆୟୋଜିତ ସାଂଘାଇ ସହଯୋଗ ସଙ୍ଗଠନ SCO ବୈଠକ ପାଇଁ ମସ୍କୋରେ ରାଜନାଥ । ଆଜି ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିପାରନ୍ତି ରାଜନାଥ ସିଂ । ଉଭୟ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ ହୋଇପାରେ ଆଲୋଚନା । ଏହା ପୂର୍ବରୁ ଗତକାଲି ଋଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗୀଙ୍କ ସହ ରାଜନାଥଙ୍କ ହୋଇଥିଲା ଆଲୋଚନା । ପ୍ରାୟ ଏକ ଘଣ୍ଟା ଧରି ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଦୁଇ ଦେଶର ନିଷ୍ପତ୍ତି ଏବେ ପାକିସ୍ତାନ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି  । ସବୁବେଳେ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ପାକିସ୍ତାନ ପ୍ରତି ଶକ୍ତ ହୋଇଛି ଋଷ ।

ପାକିସ୍ତାନ ପ୍ରତି ଋଷର No Arms Supply ପଲିସି ଜାରି ରହିବ ବୋଲି ଜଣାପଡିଛି । ଏହାର ଅର୍ଥ ପାକିସ୍ତାନକୁ ଆଉ କୌଣସି ବଡ଼ ଯୁଦ୍ଧାଅସ୍ତ୍ର ଦେବ ନାହିଁ ଋଷ । ଏଥିସମେତ ଭାରତ ଓ ଋଷ ମଧ୍ୟରେ ସୁରକ୍ଷାକୁ ନେଇ ଥିବା ସମ୍ପର୍କ ଆହୁରି ସୁଦୃଢ ହେବ ବୋଲି ଋଷ ପ୍ରତିରକ୍ଷା ମନ୍ତ୍ରୀ ଭରସା ଦେଇଛନ୍ତି । ବୈଠକରେ ଭାରତର ମେକ୍ ଇନ୍ ଇଣ୍ଡିଆ କାର୍ଯକ୍ରମକୁ ସମର୍ଥନ କରିଥିଲେ ଋଷ ପ୍ରତିରକ୍ଷା ମନ୍ତ୍ରୀ । ଋଷ ଅନେକ ପ୍ରସଙ୍ଗରେ ଭାରତକୁ ସବୁବେଳେ ସମର୍ଥନ କରିଆସିଛି । ଚୀନ ସହ ଭାରତର ସମ୍ପର୍କ ବିଗିଡୁଥିବାବେଳେ ଋଷର ସମର୍ଥନ ଅନେକ ଗୁରୁତ୍ୱ ବହନ କରୁଛି ।

ଯୋରନ୍ଦାରେ ଫାଣ୍ଡି ଅଧିକାରୀଙ୍କ ଦାଦାଗିରି, ରାତି ଅଧରେ ବିନା ବର୍ଦ୍ଦିରେ ଘରେ ପଶି ଦମ୍ପତିଙ୍କୁ ନିସ୍ତୁକ ମାଡ଼

0

ଢେଙ୍କାନାଳ: ଫାଣ୍ଡି ଅଧିକାରୀଙ୍କ ଦାଦାଗିରି । ପୂରା ଇଲାକାରେ ପୋଲିସ ବାବୁଙ୍କ ନାଁ ଶୁଣିଲେ କୋକୁଆ ଭୟ । ଆଉ ଯିଏ ବାବୁଙ୍କ ରୋବାବକୁ ବେଖାତିର କଲା ସେ ଚାରି ପାଞ୍ଜିରୁ ଗଲା । ଆଉ ଏ ପୋଲିସ ବାବୁ ଜଣକ ହେଉଛନ୍ତି ଢେଙ୍କାନାଳ ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅଧିକାରୀ ଶିବ ରଞ୍ଜନ ସିଙ୍ଗା । ନାମ ସିଙ୍ଗା ଆଉ କାମ ମଧ୍ୟ ଠିକ ସିଂଘମ ଭଳି । ଲୋକ ମଧ୍ୟ ଭୟରେ ତାଙ୍କୁ ଡାକନ୍ତି ସିଂଘମ ସାର । ବାବୁଙ୍କ ଦବଙ୍ଗଗିରିକୁ ନେଇ ଏବେ ଚର୍ଚ୍ଚା କାହିଁରେ କଣ ? କେତେବେଳେ ଆଦିବାସୀଙ୍କ ଉପରେ ଜୁଲମ ତ ଆଉ କେତେବେଳେ ଘର ତୁରନ୍ତ ଛାଡିବା ପାଇଁ ବାବୁଙ୍କ ଖୁଲ୍ଲମଖୁଲା ଧମକ  ।

ରାତି ଅଧରେ ମଦ ପିଇ ଘରେ ପଶି ଭଙ୍ଗା ରୁଜା କରିବା ସହ ମହିଳାଙ୍କୁ ଅସଦାଚରଣ  । ତା’ସହ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ଯୋରନ୍ଦା ଫାଣ୍ଡି ଅଧିକାରୀଙ୍କ ଶିବ ରଞ୍ଜନ ସିଙ୍ଗାଙ୍କ ନାଁରେ  । ଅଭିଯୋଗ ଆଣିଛନ୍ତି ନେଉଳପୋଇ ଗାଁର ଦମ୍ପତି ରୁକୁନ ଓ ତାଙ୍କ ସ୍ତ୍ରୀ ଅଞ୍ଜଳି ଗଡ଼ନାୟକ ଏବଂ ପରିବାର ଲୋକ । ଅଗଷ୍ଟ ୨ ତାରିଖ ରାତି ସାଢେ ଏଗାରଟାରେ ଯୋରନ୍ଦା ଫାଣ୍ଡି ଅଧିକାରୀ ଶିବ ରଞ୍ଜନ ସିଙ୍ଗା ଆଉ ଜଣେ ଥାନା କର୍ମଚାରୀ ସହ ସାଦା ପୋଷାକରେ ଯାଇ ଘର କବାଟ ବାଡେଇ ଥିଲେ । କବାଟ ଖୋଲିବା ପରେ କାହାକୁ କିଛି ନପଚାରି ଘରକୁ ଧସେଇ ପଶିଥିଲେ। କିଛି ବୁଝିବା ପୂର୍ବରୁ ରୁକୁନ ଗଡ଼ନାୟକଙ୍କୁ ଶୋଇବା ଘରୁ ଭିଡି ଆଣି ତଳେ ପକାଇଦେଇଥିଲେ  । ତା’ପରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ବିଧା ଗୋଇଠା ମାରି ଚାଲିଥିଲେ ।

ଫାଣ୍ଡି ବାବୁଙ୍କ ଏପରି ଉଗ୍ରରୂପ ଦେଖି ସ୍ତ୍ରୀ ଅଞ୍ଜଳି ଛଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଥାନା ବାବୁ ତାଙ୍କୁ ବି ଛାଡ଼ି ନଥିଲେ  । ତାଙ୍କୁ ମଧ୍ୟ ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ। ପରେ ଉଭୟଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା  ।  ଯେଉଁଥିରେ ଅଞ୍ଜଳି ପିନ୍ଧିଥିବା ଲୁଗା ଚିରି ଯାଇଥିଲା। ତା’ ସହିତ ଅଶ୍ଳୀଳ ଭାଷାରେ ଗାଳି କରିଥିବା ଅଭିଯୋଗ କରିଛନ୍ତି ଅଞ୍ଜଳି। ଖାଲି ଏତିକିରେ ଫାଣ୍ଡି ବାବୁଙ୍କ ରାଗ ଶୁଝି ନଥିଲା। ଘରର ଆସବାବପତ୍ରକୁ ଭାଙ୍ଗି ଦେଇଥିଲେ । ଆଉ ରାତି ଅଧରେ ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା ଏ ଭୟାନକ ଆକ୍ରମଣ । ରୁକୁନଙ୍କ ଗୋଡ଼ ଆଣ୍ଠୁରେ ସୃଷ୍ଟି ହୋଇଛି କ୍ଷତ। ଖାଲି ଆଣ୍ଠୁ କାହିଁକି ବେକ ପିଠି ସବୁଠି ବାବୁଙ୍କ ମାଡ଼ର ଚିହ୍ନ  । ଏହାକୁ ନେଇ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଅଭିଯୋଗ କରିଥିଲେ  ।

ଏବେ ଆସନ୍ତୁ ଜାଣିବା କଣ ରହିଛି ଘଟଣା ପଛର କାହାଣୀ  । ରୁକୁନ ଗଡ଼ନାୟକଙ୍କ କହିବା ଅନୁଯାୟୀ ୨ ତାରିଖ ସନ୍ଧ୍ୟାରେ ଗାଁର ପିଣ୍ଡାରେ ବସିଥିବା ବେଳେ ଜଣେ ଲୋକ ବାଇକରେ ଆସି ତାଙ୍କ ମୁହଁକୁ ଗାଡି ଲାଇଟ ପକାଇ ଗାଳି ଗୁଳଜ କରିଥିଲେ । ଆଉ ରୁକୁନ ପ୍ରତିବାଦ କରିବାରୁ ସେ ବ୍ୟକ୍ତି ଜଣକ ତାଙ୍କୁ ଗାଳି କରିବା ସହ ରହ ତୋ କଥା ବୁଝୁଛି କହି ଧମକ ଦେଇ ପଳେଇଥିଲେ । ଆଉ ସେହି ଘଟଣାକୁ ନେଇ ପୋଲିସ ରାତି ଅଧରେ ଆସି ଘରେ ପଶି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ରୁକୁନ ।

ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ନନ୍ଦିଘୋଷ ଟିଭି ଗାଁରେ ପହଞ୍ଚି ନେଇଥିଲା କିଛି ପ୍ରତିକ୍ରିୟା  । ସମସ୍ତେ ଫାଣ୍ଡି ଅଧିକାରୀଙ୍କ ବିରୁଦ୍ଧରେ ପ୍ରତିକ୍ରିୟା ଦେଇଥିବାବେଳେ ଫାଣ୍ଡି ବାବୁ ଘଟଣାକୁ ଖଣ୍ଡନ କରିଛନ୍ତି  । ତେବେ ପ୍ରଶ୍ନ ଉଠୁଛି କିଏ ସେ ପାୱାରଫୁଲ ଲୋକ ଯାହାର କେବଳ ଫୋନ ଅଭିଯୋଗରେ ବାବୁ ଯାଇଥିଲେ ରାତି ଅଧରେ ତଦନ୍ତ କରିବାକୁ । ପୋଲିସକୁ ଏପରି ଅସଭ୍ୟ ଆଚରଣ ପାଇଁ ଅନୁମତି ଦେଲା କିଏ  ? ସାମାନ୍ୟ କଥାରେ ଅଭିଯୁକ୍ତଙ୍କୁ ସକାଳେ ଡାକିଥିଲେ କଣ ଅସୁବିଧା ହୋଇଥାନ୍ତା ?

ଜେଲରୁ ମୁକ୍ତ ହେବାର ୧୦ ଦିନ ମଧ୍ୟରେ ଚାକିରି ପାଇଲେ ପୂର୍ବତନ କଏଦୀ

ଫ୍ଲୋରିଡ଼ା: ଜେଲରୁ ମୁକ୍ତ ହେବା ନିହାତି ଭାବରେ ଏକ ସକରାତ୍ମକ ଅନୁଭୂତି । ଅନେକ ଦିନ ଧରି ବାହାର ଦୁନିଆ ସହିତ କଏଦୀଟିର ଯୋଗାଯୋଗ ବିଛିନ୍ନ ହୋଇଥାଏ । ଚାଲିଚଳଣି ମଧ୍ୟ ବଦଳି ଯାଇଥାଏ । କିନ୍ତୁ ବାହାରକୁ ଆସିବା ମାତ୍ରେ ସାମ୍ନାକୁ ଚାଲିଆସେ ସଙ୍ଗର୍ଷର କରୁଣ ଚିତ୍ର । ଜୀବନଶୈଳୀ ବାଧାପ୍ରାପ୍ତ ହୁଏ । ବନ୍ୟାର କରାଳ ରୂପ ଭଳି ଜୀବନଟା ଅନ୍ଧକାରମୟ ଲାଗେ । କେବେ ସେ ଘୃଣାର ପାତ୍ର ସାଜେ ତ କେତେବେଳେ ନିରାଶ  ଜୀବନରେ ଛାଇ ଯାଏ । ଏଭଳି ପରିସ୍ଥିତିରେ ସେ ବଞ୍ଚିବାର ରାସ୍ତା ଖୋଜେ । ଆଉ ଏଥିପାଇଁ ତାକୁ ପ୍ରତି ମୁହୂର୍ତ୍ତରେ ମରି ମରି ବଞ୍ଚିବାକୁ ପଡ଼େ । ଏଭଳି କିଛି ପୂର୍ବତନ କଏଦି ଅଛନ୍ତି ଯେଉଁ ମାନେ ଜୀବନରେ ସମସ୍ତ ସମସ୍ୟାକୁ ପଛରେ ପକାଇ ସଫଳତା ପାଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋଣ୍ଡାରେଲ ହାରିସ୍ ଜଣେ । ନିକଟରେ ସେ ଟ୍ୱିଟରରେ ତାଙ୍କ ଖୁସିକୁ ସାରା ଦୁନିଆ ସହିତ ବାଣ୍ଟିଛନ୍ତି । ଜେଲରୁ ଆସିବାର ଖୁବ କମ ଦିନ ମଧ୍ୟରେ ଚାକିରି ପାଇଛନ୍ତି । ତାହା ପୁଣି ଜୀବନର ପ୍ରଥମ ଚାକିରି । ବାସ୍ତବରେ ଜେଲରୁ ଆସିବାର ୧୦ ଦିନ ମଧ୍ୟରେ ଚାକିରି ପାଇଛନ୍ତି ହାରିସ । ନିହାତି ଭାବରେ ଏହା ତାଙ୍କ ପାଇଁ ଏକ ବଡ଼ ଡିଲ ଏବଂ ଚ୍ୟାଲେଞ୍ଜ ମଧ୍ୟ ।

ଜେଲରୁ ବାହାରିବା ପରେ ନୂଆ ଭଳି ଜୀବନ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି ହାରିସ୍ । ହାରିସଙ୍କୁ  ହଠାତ୍ କାମ ମିଳିଯିବାଟା ନିହାତି ଭାବରେ ଆଶ୍ଚର୍ଯ୍ୟଜନକ। କାରଣ ଜେଲରୁ ବାହାରିଥିବା ବ୍ୟକ୍ତିର ଜୀବନ ଅନ୍ୟମାନଙ୍କ ଭଳି ସମାନ ନଥାଏ । ପୂର୍ବରୁ କଏଦୀ ଥିବାରୁ ଚାକିରି ଦେବାକୁ କୁଣ୍ଠାବୋଧ କରନ୍ତି ଅନେକ ନିଯୁକ୍ତିଦାତା । କେବେ କିଛି ସମସ୍ୟା ହେବା ଭୟରେ କେତେକ କର୍ମଚାରୀ ଏମାନଙ୍କ ସହିତ କାମ କରିବା ପାଇଁ ମଧ୍ୟ ନାପସନ୍ଦ କରନ୍ତି । ଏଭଳି ପରିସ୍ଥିତିରେ ଜୀବନକୁ ପୁଣିଥରେ ଗଢି ତୋଳିବା ଖୁବ କଷ୍ଟସାଧ୍ୟ ହୋଇଥାଏ । କିନ୍ତୁ ୧୦ ଦିନ ମଧ୍ୟରେ ଚାକିରି ଖୋଜି ପାଇଯିବା ପରେ ହାରିସ୍ ଅନ୍ୟ ଜେଲ ଫେରନ୍ତା କଏଦୀ ମାନଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି ।

 

 

ବିଶ୍ୱବ୍ୟାପୀ କରୋନା ମହାମାରୀ କାଳରେ ଚାକିରି ପାଇବା ଏକ ପ୍ରତିଯୋଗୀତା ହୋଇଥିବା ବେଳେ ହାରିସଙ୍କ ଏଭଳି ହଠାତ୍ ଚାକିରି ପାଇବା ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହା ସହିତ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ହାରିସ ଏହି ଖବର ପୋଷ୍ଟ କରିବାର ଗୋଟିଏ ଦିନ ମଧ୍ୟରେ ୭ ଲକ୍ଷ ଲାଇକ୍ସ ପାଇଥିବା ବେଳେ ୩୯,୯୦୦ ଥର ରିଟ୍ୱିଟ୍ ହୋଇଛି । କେତେକ ପୂର୍ବ କଏଦୀ ଦୀର୍ଘ ଦିନ ଧରି କାମ ପାଇନଥିବା କଥା ମଧ୍ୟ ହାରିସଙ୍କ ସହିତ ଶେୟାର କରିଛନ୍ତି ।

ସୂଚନାଯୋଗ୍ୟ ହାରିସ ତାଙ୍କ ବନ୍ଧୁ ରିକ୍ ଓ୍ୱଲଟରଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ । ଯିଏ ଜଣେ ପୂର୍ବ କଏଦୀ ଏବଂ ସଫ୍ଟଓ୍ୱେର ଡେଭଲପର ମଧ୍ୟ । ରିକଙ୍କୁ ନଜରରେ ରଖି କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗରେ କ୍ୟାରିଅର କରିବାକୁ ନିଷ୍ପତ୍ତି ନେଇଥିଲେ ହାରିସ୍ । ଶେଷରେ ସଫଳତା ମଧ୍ୟ ପାଇଲେ । ବାସ୍ତବରେ ହାରିସଙ୍କ କାହାଣୀ ଖୁବ ନିଆରା ।

ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ଗଲା…

ଭୁବନେଶ୍ୱର: ରାଜ୍ୟରେ ଆଜି ୩୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ବଲାଙ୍ଗିର ଜିଲ୍ଳାରୁ ୨ଜଣ ଲେଖାଏଁ ମୃତ୍ୟୁ ହୋଇଥିବା ବେଳେ ରାୟଗଡ଼ାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବଲାଙ୍ଗିରରୁ ଜଣେ ୧୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ସିକିଲ୍‌ ସେଲ୍‌ ଡିସ୍‌ଅର୍ଡର ରୋଗରେ ଆକ୍ରାନ୍ତ ଥିଲେ । ସେହିଭଳି ବଲାଙ୍ଗିରରୁ ଆଉ ଜଣେ ୭୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ଡାଇବେଟିସ୍‌ ଓ ହାଇପର୍‌ଟେନ୍‌ସନ୍‌ ରୋଗରେ ଆକ୍ରାନ୍ତ ଥିଲେ ।

ଭୁବନେଶ୍ୱରରୁ ମଧ୍ୟ ଜଣେ ୯୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । କଟକର ଜଣେ ୫୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ଟ୍ୟୁବରକୁଲୋସିସ୍‌ ରୋଗରେ ଆକ୍ରାନ୍ତ ଥିଲେ । ସେହିଭଳି ଆଉ ଜଣେ କଟକର ୬୭ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ଡାଇବେଟିସ୍‌ ଓ ହାଇପରଟେନ୍‌ସନ୍‌ ରୋଗରେ ଆକ୍ରାନ୍ତ ଥିଲେ । ଗଞ୍ଜାମରୁ ମଧ୍ୟ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

ଗଞ୍ଜାମରୁ ଆଉ ଜଣେ ମଧ୍ୟ ୫୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ । ଖୋର୍ଦ୍ଧାରୁ ଜଣେ ୬୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ଥିଲେ । ରାୟଗଡ଼ାରୁ ମଧ୍ୟ ଜଣେ ୫୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ଥିଲେ ।