spot_img
Home Blog Page 6456

ବନ୍ୟା ପରେ ଏବେ ଘାରିଛ ଝାଡ଼ାବାନ୍ତି ଚିନ୍ତା

ଯାଜପୁର: ବନ୍ୟା ପ୍ରଭାବରେ ଉବୁଟୁବୁ ହେଲା ଅଧା ଓଡ଼ିଶା । ବର୍ଷା କମିବା ପରେ ଏବେ ପାଣି ଛାଡ଼ିଯାଇଛି । ହେଲେ ଏବେ ମଧ୍ୟ ରାଜ୍ୟର କିଛି ଅଞ୍ଚଳ ବନ୍ୟା ପାଣିରେ ବୁଡ଼ି ରହିଛି । ତେବେ ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ମଧ୍ୟରେ ଯାଜପୁର ରହିଛି । ଯାଜପୁର ଦଶରଥପୁରରେ ବନ୍ୟା ପରେ ଏବେ ଝାଡାବାନ୍ତି ଆତଙ୍କ ଦେଖିବକୁ ମିଳିଛି । କମାରିଢ଼ିହ ପଂଚାୟତ ସହିମାଢ଼ରେ ୧୨ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ମଙ୍ଗଳପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗାଁର ଆହୁରି ୫୦ରୁ ଅଧିକ ଲୋକ ଆକ୍ରାନ୍ତ ଥିବା ସୂଚନା ମିଳିଛି ।  ଗାଁରେ ସ୍ୱାସ୍ଥ୍ୟ ବିଭାଗ ଟିମ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି । ଦୂଷିତ ପାଣି ବ୍ୟବହାର ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଥିବା ଡାକ୍ତରୀ ଟିମ୍‌ ସୂଚନା ଦେଇଛି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଔଷଧ ପାଇଁ ସାଇକେଲରେ ରଣପୁରରୁ ରାଜଧାନୀ, ପୁଅର ଜୀବନ ପାଇଁ ବାପାର ସଂଘର୍ଷ

ନୟାଗଡ଼: ସ୍ନେହ, ସନ୍ତାନ ଓ ସ୍ୱାସ୍ଥ୍ୟ ଭିତରେ ଚାଲିଛି ଅହରହ ସଂଘର୍ଷ । ରଣପୁରର ଜୀବନ ରାଜଧାନୀରେ ବନ୍ଧା ପଡ଼ିଛି । ସାଇକେଲରେ ପ୍ରତି ମାସରେ ଚାଲିଛି ଜୀବନ କିଣା । ଆଉ ଏ ଜୀବନ କିଣା ବିକା ରାସ୍ତାର ଲମ୍ବା ୧୩୫ କିଲୋମିଟର । ଏହା ରାସ୍ତାରେ ଅନେକ ବାଧା ବିଘ୍ନ ଆସେ , ହେଲେ ସବୁ ଅସୁବିଧାକୁ ଭଲପାଇବାର ଭଉଁରୀରେ ଦାବି ଦେଇ ଆଗେଇ ଚାଲେ ବାପା । ପୁଅକୁ ବଞ୍ଚାଇବାର ଏ ହେଉଛି ଗୋଟିଏ ବାପାର  ଯୁଦ୍ଧ । ଆଉ ଏ ସଂଘର୍ଷର ଯୁଦ୍ଧରେ ଢ଼ାଲ ହୋଇ ଛିଡ଼ା ହୋଇଛି ବାପା । ମୁହଁରେ ଅଭାବି ଦୁନିଆର ନିରାଶା ଆଉ ଅସହାୟତାର ମେଞ୍ଚାମେଞ୍ଚା ଭସା ବାଦଲ । ତଥାପି ଅସହାୟର ବାଦଲ ଭିତରେ ବାରି ହୋଇପଡ଼ୁଛି ସମ୍ପର୍କର ସମ୍ପୂର୍ଣ୍ଣତା । କାରଣ ବାପା ପୁଅକୁ ବଞ୍ଚାଇବା ପାଇଁ ପ୍ରତି ମାସରେ ୧୩୫ କିଲୋମିଟର ଔଷଧ ପାଇଁ ଯାତ୍ରା କରୁଛି । ଆଉ ସାଇକଲର ଚକା ସହ ଘୁରି ଚାଲିଛି ପୁଅର ଜୀବନ ଚକ୍ର ।

ପୁଅକୁ ୫ ମାସ ହୋଇଥିଲା ବେଳେ ମାଆ ଆରପାରିକୁ ଛାଡ଼ି ଚାଲିଗଲେ । ତାପରେ କିଛି ଦିନ ଭଲରେ ଚାଲିଥିଲା ସଂସାର । କିନ୍ତୁ ଦୁଃଖ ବୋଧେ ସୁଖର ଦୁନିଆକୁ ଯିବାକୁ ପଛରୁ ଟାଣି ଧରିଥିଲା । ମାଆ ଚାଲି ଯିବାର କିଛି ମାସ ପରେ ଜଣାପଡ଼ିଲା ପୁଅ ହୃଦ ରୋଗର ଶିକାର ହୋଇଛି । ଦୁନିଆ କଣ ଜାଣିନଥିବା କୁନି ଜୀବନ ଏବେ ହୃଦ ରୋଗରେ ପିଡ଼ିତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରଣପୁର ବ୍ଲକ୍ ତାଳକଣିର ମାଗୁଣି ବେହେରାଙ୍କ ଜୀବନରେ । ପୁଅର ନା ହେଉଛି ରୁଦ୍ର ବେହେରା । ରୁଦ୍ର ପାଇଁ ରଣପୁରରେ ଔଷଧ ମିଳୁନାହିଁ । ସେଥିପାଇଁ  ମାଗୁଣି ପ୍ରତି ମାସରେ ଅଟୋରେ ଭବନେଶ୍ୱର ଆସନ୍ତି ଔଷଧ ପାଇଁ । କିନ୍ତୁ ଅର୍ଥାଭାବ ଅଟୋରେ ଯିବା ବ୍ରେକ୍‌ ଲଗାଇଲା । ତଥାପି ହାର ମାନିଲେନି ମାଗୁଣି । ଅଟୋ ହେଲାନି ବୋଲି କଣ ମୋ ପୁଅକୁ ଜୀବନ ଯୁଦ୍ଦ ହାରି ଯିବାକୁ ଦେବି । ଏଭଳି କିଛି ଭାବନାକୁ ସାମର୍ଥ୍ୟ କରି ସାଇକେଲେ ବାହାରିଲେ ଭୁବନେଶ୍ୱର । ପ୍ରତି ମାସରେ ଚାଲିଛ ରଣପୁରରୁ ରାଜଧାନୀ ୧୩୫ କିଲୋ ମିଟରର ଯାତ୍ରା ।

ମାଗୁଣିଙ୍କର ୩ଟି ସନ୍ତାନ ଅଛନ୍ତି  ।  ବଡ ପୁଅ ଓ ଝିଅଙ୍କ ପାଠ ପଢା ସହିତ  ଘର ଖର୍ଚ୍ଚର ବୋଝ ମାଗୁଣିଙ୍କ ଉପରେ । ଏପଟେ ଶିଶୁଟିର ଜୀବନ ବଞ୍ଚାଇବାକୁ ଅପରେସନ୍ ନିହାତି ଜରୁରୀ । ସରକାରୀ ସ୍ତରରେ କିଛି ସାହାର୍ଯ୍ୟ ସହଯୋଗ ମିଳିଲେ ଶିଶୁଟିର ଜୀବନ ରକ୍ଷା ହୋଇପାରନ୍ତା । ଏଥିପାଇଁ ସରକାରଙ୍କୁ ସାହାର୍ଯ୍ୟ ମାଗିଛନ୍ତି ମାଗୁଣି।

ରାଜ୍ୟରେ ପୁଣି ୩୨୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ୩୨୬୭ କରୋନା ଆକ୍ରାନ୍ତ ଚିହ୍ନଟ । ଦିନକୁ ଦିନ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୯୬୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩୦୬ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ ୩୨୭୮ ଜଣ ସୁସ୍ଥ ହୋଇଥିବା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରାଜ୍ୟରେ ଏବେ ସୁଦ୍ଧା ୧୯ ଲକ୍ଷ ୯୭ ହଜାର ୩୪୫ ଜଣଙ୍କ କରୋନା ଟେଷ୍ଟିଂ ସରିଲାଣି । ସେଥିମଧ୍ୟରୁ ୧୧ ଲକ୍ଷ ୬ ହଜାର ୬୭୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୮୭ ହଜାର ୩୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଏବେ ମୋଟ ୨୮ ହଜାର ୭୪୩ ଟି କରୋନା ମାମଲା ସକ୍ରିୟ ରହିଛି ।

୩୨୬୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୬୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୯, ବରଗଡ଼ରୁ ୧୨୦, ଭଦ୍ରକରୁ ୧୩୮, ବଲାଙ୍ଗିରରୁ ୪୩, ବୌଦ୍ଧରୁ ୪୪, କଟକରୁ ୩୮୪, ଦେଓଗଡ଼ରୁ ୨୩, ଢ଼େଙ୍କାନାଳରୁ ୧୮, ଗଜପତିରୁ ୧୮, ଗଞ୍ଜାମରୁ ୯୭, ଜଗତସିଂହପୁରରୁ ୬୬, ଯାଜପୁରରୁ ୨୩, ଝାରସୁଗୁଡ଼ାରୁ ୩୭, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୨୭, କେନ୍ଦ୍ରାପଡ଼ାରୁ ୫୧, କେନ୍ଦୁଝରରୁ ୧୦୭, ଖୋର୍ଦ୍ଧାରୁ ୮୫୯, କୋରାପୁଟରୁ ୮୩, ମାଲକାନାଗିରିରୁ ୧୭, ମୟୂରଭଞ୍ଜରୁ ୧୩୪, ନବରଙ୍ଗପୁରରୁ ୮୫, ନୟାଗଡ଼ରୁ ୭୦, ନୂଆପଡ଼ାରୁ ୪୦, ପୁରୀରୁ ୨୩୫, ରାୟଗଡ଼ାରୁ ୧୬୯, ସମ୍ବଲପୁରରୁ ୮୦, ସୋନପୁରରୁ ୬୬, ସୁନ୍ଦରଗଡ଼ରୁ ୧୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଚନ୍ତି ।

ପରିବା ହାଟ ଭିତରକୁ ପଶିଗଲା ଟ୍ରକ୍, ଦୁର୍ଘଟଣାରେ ବ୍ୟବସାୟୀଙ୍କ ମୃତ୍ୟୁ‌

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟୀ ପରିବା ହାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପରିବା ବଜାର ଉପରେ ମାଡ଼ିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

 

ସୂଚନା ଅନୁଯାୟୀ, ଆଜି ସକାଳୁ ବାରବାଟି ପରିବା ହାଟରେ ବ୍ୟବସାୟୀ ମାନେ ପରିବା ବିକ୍ରି ପାଇଁ ବସିଥିଲେ । ସେହି ସମୟରେ ଏକ ଟ୍ରକ ଆଉ ଏକ ଟ୍ରକ୍ କୁ ଓଭରଟେକ୍ କରିବା ସମୟରେ ଭାରଶ୍ୟାମ ହରାଇ ହାଟ ଆଡକୁ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ପରିବା ବ୍ୟବସାୟୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ର ଡ୍ରାଇଭର୍ ସେଠାରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଫେସବୁକରେ ଦେଶ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଗାଳିଦେବା ପରେ ଦେଶଦ୍ରୋହ ମାମଲାରେ ଜଣେ ଗିରଫ

ସାଲେପୁର: ଦେଶଦ୍ରୋହ ମାମଲାରେ ଜଣେ ଗିରଫ । ଗିରଫ କଲା ଉତ୍ତରପ୍ରଦେଶ ବାଗପତ ଜିଲ୍ଲା ସିଂହବାଲି ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ କଟକ ସାଲେପୁର ଥାନା କୁଶମ୍ବୀ ଗାଁରେ ରହୁଥିଲେ । ତେବେ ଅଭିଯୁକ୍ତ ଜଣକ ହେଉଛି ସୟଦ ହସନ ଅହମ୍ମଦ । ୟୁପି ପୋଲିସ ଆଜି ସକାଳୁ ସୟଦ ହସନର ମେଡିକାଲ ଯାଞ୍ଚ କରି କଟକ ସିଜିଏମ କୋର୍ଟରେ ହାଜର କରାଇଛି ।

ସୂଚନା ଅନୁଯାୟୀ, ଫେସବୁକରୁ ଫୋନ ନମ୍ବର ସଂଗ୍ରହ କରି ଉତ୍ତର ପ୍ରଦେଶ ଜିଲ୍ଲାର ହିନ୍ଦୁ ବାହିନୀର ଅଧକ୍ଷ କୂଳଦୀପ ପାଞ୍ଚାଲଙ୍କୁ ଫୋନରେ  ଜୀବନରୁ ମାରିଦେବାକୁ ଧମକ ଦେବା ସହ ଭାରତ ମାତା ପ୍ରତି ଆପତ୍ତି ଜନକ ଶବ୍ଦ ପୋଷ୍ଟ କରିବା ଏବଂ ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶର ମୂଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ବିରୁଦ୍ଧରେ ଆପତ୍ତି ଜନକ ମନ୍ତବ୍ୟ ବାରମ୍ବାର ଦେବା ନେଇ ଉତ୍ତର ପ୍ରଦେଶ ପୋଲିସ ପାଖରେ ଅଭିଯୋଗ ହୋଇଥିଲେ । ହିନ୍ଦୁ ବହାନି ଅଧକ୍ଷ କୂଳଦୀପ ପାଞ୍ଚାଲ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ଉତ୍ତର ପ୍ରଦେଶ ପୋଲିସ ତାର ତଦନ୍ତ ଆରମ୍ଭ କରିଥିଲା । ଫୋନ କଲ ଟ୍ରେସିଂ କରି ସଂପୃକ୍ତ ଯୁବକକୁ  ସାଲେପୁର ଥାନା ସାହାଯ୍ୟରେ କୁସମ୍ଭି ଗାଁରୁ ଗିରଫ କରିଥିଲା ।  ଏନେଇ ଉତ୍ତର ପ୍ରଦେଶ ବାଗପଦ ଜିଲ୍ଲା ପୋଲିସର  ଥାନା କେଶ ନଂ ୨୦୧/୨୦ ରେ କେଶ ରୁଜ ହେବାସହ ଆଇପିସି ର ୧୨୪ ଏ, ୫୦୭, ୧୫୩ଏ ଓ ୫୦୪ ଦଫା ରେ ମାମଲା ରୁଜ କରିଛି ।

କରୋନା ମହାମାରୀ ସମୟରେ କର୍ମୀଙ୍କୁ ବିନା ସୂଚନାରେ ବହିଷ୍କାର ପାଇଁ OPTCL କର୍ମଚାରୀଙ୍କ ଆନ୍ଦୋଳନ

ବୁର୍ଲା: ୫ଦିନରେ ପହଁଚିଲା OPTCL କର୍ମଚାରୀଙ୍କ  ଆନ୍ଦୋଳନ । ବୁର୍ଲାସ୍ଥିତ OPTCLର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ସୁରକ୍ଷା କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଆଜି ମଧ୍ୟ ଜରିରହିଛି । ଦୀର୍ଘ ବର୍ଷ ହେବ କାର୍ଯ୍ୟକରୁଥିବା ଠିକା ସୁରକ୍ଷା କର୍ମୀଙ୍କୁ ବିନା ସୂଚନାରେ କାମରୁ ବହିଷ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି କରୋନ ମହାମାରୀ ସମୟରେ କେମିତି କର୍ମଚାରୀ ମାନଙ୍କୁ ବାହାର କରାଯାଉଛି । ଏହାକୁ ବିରୋଧ କରି ସୁରକ୍ଷା କର୍ମୀ ଶତାଧିକ ସଂଖ୍ୟାରେ ଓପିଟିସିଏଲ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ଦାବିରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

OPTCL ବରିଷ୍ଠ ମହାପ୍ରବନ୍ଧକ ଗୋବିନ୍ଦ ସ୍ୱାଇଁ ଏବଂ ଉପ ମହାପ୍ରବନ୍ଧକ ଡି ସାହୁ, କର୍ତ୍ତୃପକ୍ଷ ଓ ସୁରକ୍ଷା କର୍ମଚାରୀ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା । ୧୫ ଦିନ ଭିତରେ ସମସ୍ୟାର ସମାଧାନ ନହେଲେ ତୃତୀୟ ସପ୍ତାହରୁ ପୁଣିଥରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କର୍ତ୍ତୃପକ୍ଷଙ୍କୁ ସୂଚିତ କରାଯାଇଛି । ଆଜିର ବିକ୍ଷୋଭ ପ୍ରଦର୍ଶନ ରେ ସମସ୍ତ ଡିଭିଜନରୁ ଶତାଧିକ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ । ତେବେ କୋଭିଡ ୧୯ ରେ କୌଣସି କର୍ମଚାରୀଙ୍କୁ ଛଟେଇ ନ କରାଯିବାକୁ ସ୍ପଷ୍ଟ ଆଦେଶ ସରକାରଙ୍କ ରହିଛି । ହେଲେ OPTCL ରେ ସରକାରଙ୍କ ନିୟମ ଲାଗୁ କଣ ପାଇଁ ହେଉନାହିଁ ବୋଲି ବିଶିଷ୍ଟ ଶ୍ରମିକ ନେତା ପ୍ରଶାନ୍ତ ପାଢୀ ପ୍ରଶ୍ନ କରିଛନ୍ତି ।

ଘରୁ କରୋନା ଚିହ୍ନଟ ପରେ ଘର ସାମ୍ନାରେ ପୋଷ୍ଟର ଲଗାଇବାରୁ କରୋନା ମହିଳା ଯୋଦ୍ଧାଙ୍କୁ ଆକ୍ରମଣ

ଗଞ୍ଜାମ: ସମଗ୍ର ବିଶ୍ୱ କରୋନା ସହ ସଂଘର୍ଷ କରୁଛି ।  ଆଉ ଏ ସଂଘର୍ଷରେ ଆଗ ଧାଡ଼ିରେ ରହିଛନ୍ତି କରୋନା ଯୋଦ୍ଧା । କାରଣ ସେମାନେ କରୋନା ସହ କରୁଛନ୍ତି ଅହରହ ଯୁଦ୍ଧ । ତେବେ ଏମାନେ କରୋନା ସହ ଲଢ଼ିବା ସହ ସାମ୍ନା କରୁଛନ୍ତି ଘୃଣ୍ୟ ମାନସିକତାର । କରୋନା ଯୋଦ୍ଧାକୁ ବାରମ୍ବାର ହେଉଛି ଆକ୍ରମଣ । କେତେ ଦୟନୀୟ ଆମ ସମାଜର ମାନସିକତା । କେତେବେଳେ ଡାକ୍ତରଙ୍କୁ ମାଡ଼ ହେଲାଣିତ ପୁଣି କେତେବେଳେ ଆଶାକର୍ମୀଙ୍କୁ  । ନିଜ କର୍ତ୍ତବ୍ୟ ତୁଲାଇବାକୁ ଯାଇ ଏମାନେ ଶିକାର ହେଉଛନ୍ତି ଆକ୍ରୋଶର ।

ତେବେ ଜଣେ କରୋନା ଯୋଦ୍ଧା ଅଙ୍ଗନବାଡି କର୍ମୀ ଯୁବକଙ୍କ ଆକ୍ରମଣର ଶିକାର ହୋଇଚନ୍ତି । ତାଙ୍କ ଭୁଲ କେବଳ ଏତିକି ଥିଲା ଯେ ଘରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଘର ଆଗରେ ପୋଷ୍ଟର ଟିଏ ଲଗେଇଥିଲେ । ଏଭଳି ଏକ ଘଟଣା  ଯାହାଫଳରେ ଉତ୍ୟକ୍ତ ହୋଇ ଆକ୍ରାନଙ୍କର ପୁଅ କେଉଁ କାରଣରୁ ମୋ ଘର ସାମ୍ନାରେ ପୋଷ୍ଟର ଲଗେଇଲୁ ବୋଲି କହିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ସେତିକିରେ ଥମି ନଥିଲା ତାଙ୍କର ରାଗ ।

କୁକୁଡାଖଣ୍ଡି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନସ୍ଥ ଜୁଗୁଡି ଅଞ୍ଚଳର ଏକ ନମ୍ବର କେନ୍ଦ୍ରର  ଅଙ୍ଗନବାଡି କର୍ମୀ  ବାସନ୍ତୀ ରାଉଳଙ୍କୁ  ବିଚ ରାସ୍ତାରେ ଚୁଟୀ ଘୋଷାଡ଼ି ନିସ୍ତୁକ ମାଡ଼ ମାରିଥିଲେ । ଏ ନେଇ କର୍ମୀ ଜଣଙ୍କ ଗୋଳନ୍ଥରା ଥାନାରେ ମାମଲା ରୁଜୁ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଚି କେବେ ସୁଧୁରିବ ସମାଜର ଅସାଧୁ ବ୍ୟକ୍ତିଙ୍କ ମାନସିକତା I

ସରକାରୀ ନିର୍ବାହୀଯନ୍ତ୍ରୀଙ୍କୁ ଚପଲରେ ମାରି ବିବାଦରେ ବିଜେପି ବିଧାୟକ

ବାରିପଦା: ଉତୁରୁଛନ୍ତି ବିଜେପି ନେତା । ମାନୁ ନାହାନ୍ତି ଅସହିଷ୍ଣୁତାର ବନ୍ଧବାଡ଼ । ଅମାନିଆ ପଣର ଭାଙ୍ଗି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ରେକର୍ଡ । ରାଜଧାନୀରେ ବିଜେପି ମୁଣ୍ଡିଆଳ ରେକର୍ଡ ଭାଙ୍ଗିବା ପରେ ଏବେ ତାଙ୍କୁ ଦେଖି ଅନ୍ୟ ବିଜେପି ନେତା ମାନେ ମଧ୍ୟ ଅମାନିଆ ହେବାରେ ଲାଗିଛନ୍ତି । ଅମାନିଆ ପଣରେ ରେକର୍ଡ କରିଥିଲେ, ଏବେ ଦାଦଗିରି କରୁଛନ୍ତି ବିଜେପି ବିଧାୟକ । ନିଜର ଦବାଦବା ଜାହିର କରିବାକୁ ଯାଇ ନିର୍ବାହୀଯନ୍ତ୍ରୀଙ୍କୁ ଚପଲରେ ମାଡ଼ ମାରିଛନ୍ତି । ଖାଲି ସେତିକି ନୁହେଁ ଅଶ୍ଳୀଳ ଭାଷାରେ ଗାଲିଗୁଲଜ ମଧ୍ୟ କରିଛନ୍ତି । ଲୋକ ପ୍ରତିନିଧିଙ୍କ ଏଭଳି ଆଚରଣ ଏବେ ପଦାରେ ପକାଇଛି । ତେବେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ବିରୋଧରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ପ୍ରକାଶ ସୋରେନ । ତାଙ୍କ କହିବା ଅନୁଯାୟୀ ସେଖାଲି ତାଙ୍କୁ ଗାଳି ଦେଇଛନ୍ତି । ମାଡ଼ ମାରିବା କଥା ହେଉଛି ସମ୍ପୂର୍ଣ୍ଣ ଭିତିହୀନ ।

ଅଭିଯୋଗ ଅନୁଯାୟୀ, ଗତକାଲି ସଂଧ୍ୟାରେ  ଜିଲ୍ଲା ସର୍କିଟ୍ ହାଉସକୁ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ଡାକିଥିଲେ । ସେଠାରେ ପ୍ରକାଶ ଓ ତାଙ୍କ ସମର୍ଥକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ବିଭାଗୀୟ ବିଲ୍ ପେମେଣ୍ଟ ଏବଂ ନିଜ ସମର୍ଥକଙ୍କୁ ଠିକା କାମ ଦେବାକୁ ଧମକ ଦେବା ସହ ଠିକାଦାର ପ୍ରଶାନ୍ତ ମହାନ୍ତିଙ୍କୁ ନଗଦ ୧୦ ଲକ୍ଷ ଟଙ୍କା ପେମେଣ୍ଟ ଦେବାକୁ ଧମକ ଦେଇଥିଲେ । କିନ୍ତୁ ଏଭଳି ଦାବିକୁ ନମାନିବାରୁ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଥିଲେ ପ୍ରକାଶ । ଖାଲି ସେତିକି ନୁହେଁ ବାରିପଦା ଅ।ଇଟିଡିଏ ର ଠିକାଦାରି କାମକୁ ନେଇ କାହିଁକି ଥାନାରେ ମାମଲା ହେଲା ବୋଲି ପ୍ରଶ୍ନ କରିଥିଲେ ପ୍ରକାଶ । ଏନେଇ ଥାନାରେ ଏତଲା ହୋଇନଥିବା ସୂଚନା ମିଳିଛି । ସେପଟେ ଆହତ ଗଣପତିଙ୍କୁ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

 

Corona News: ରାଜ୍ୟରେ ୮୭ ହଜାର ଟପିଲା କରୋନା ସୁସ୍ଥତା, ଆଜି ସୁସ୍ଥ ହେଲେ ୩, ୨୭୮ ଆକ୍ରାନ୍ତ

ଭୁବନେଶ୍ୱର: ସଂକ୍ରମଣ ସହ ସଂଘର୍ଷ । ହାରୁଛି କରୋନା, ଜିତୁଛି ଓଡ଼ିଶା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୩୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୨୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ୩, ୨୭୮ ଆକ୍ରାନ୍ତ ସୁସ୍ଥ ହେବା ସହ ରାଜ୍ୟରେ ମୋଟ ୮୭ ହଜାର ୩୫୧ ଜଣ କରୋନାରୁ ଏଯାବତ୍ ସୁସ୍ଥ ହୋଇ ସାରିଲେଣି ।

ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୩୬୮, କଟକରି ୨୩୦, ଯାଜପୁରରୁ ୧୯୫, ରାୟଗଡ଼ାରୁ ୧୮୭, ବରଗଡ଼ରୁ ୧୮୫, ବାଲେଶ୍ୱରରୁ ୧୨୪, ପୁରୀରୁ ୧୨୨, ନୟାଗଡ଼ ୧୨୧, ମାଲକାନଗିରି ୧୧୭, ମୟୂରଭଞ୍ଜ ୧୧୭, କୋରାପୁଟ ୧୦୭, ସୁନ୍ଦରଗଡ଼ ୧୦୪, ଭଦ୍ରକ ୯୮, ଝାରସୁଗୁଡ଼ା ୮୯, କନ୍ଧମାଳ ୮୮, ଜଗତସିଂହପୁର ୭୭, କେନ୍ଦୁଝର ୬୯, ସମ୍ବଲପୁର ୬୭, ଢେଙ୍କାନାଳ ୬୬, ନବରଙ୍ଗପୁର ୪୭, ଗଜପତି ୪୩, କେନ୍ଦ୍ରାପଡ଼ା ୩୫, ନୂଆପଡ଼ା ୨୫, ବଲାଙ୍ଗିର ୨୪, କଳାହାଣ୍ଡି ୨୪, ସୋନପୁର ୨୩, ବୌଦ୍ଧ ୮, ଦେବଗଡ଼ ୫ ଓ ଅନୁଗୁଳରୁ ୨ ଜଣ ଆରୋଗ୍ୟ ହୋଇଛନ୍ତି ।

ରାଜ୍ୟରେ ଏଯାବତ୍ ୧ ଲକ୍ଷ ୧୩ ହଜାର ୪୧୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୫୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୭ ହଜାର ୩୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୫ ହଜାର ୪୮୫ ଜଣ କରୋନା ସଂକ୍ରମିତ ରହିଛନ୍ତି ।

ଚିନ୍ମୟୀଙ୍କୁ ନେଇ ବିଦ୍ୟାଶ୍ରୀ କହିଲେ ଭୟଙ୍କର କଥା…

ଭୁବନେଶ୍ୱର: ଚିନ୍ମୟୀଙ୍କ ଚାଞ୍ଚଲ୍ୟକର ବୟାନ ପରେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଗୁମର । ଆଦିତ୍ୟଙ୍କ ସହ ଥିବା ସମ୍ପର୍କକୁ ଚିନ୍ମୟୀ ପ୍ରମାଣ କରିଛନ୍ତି । ଏଥିସହ ଆଦିତ୍ୟଙ୍କ ପରିବାର କରୁଥିବା ଅଭିଯୋଗକୁ ସିଧା ସିଧା ଖଣ୍ଡନ କରିଛନ୍ତି ଚିନ୍ମୟୀ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ।

ଚିନ୍ମୟୀଙ୍କ ସହ ଆଦିତ୍ୟ କାହିଁକି ସମ୍ପର୍କ କାଟିଲେ । ଏବଂ ସମ୍ପର୍କ ଭାଙ୍ଗିବା ପରେ ଚିନ୍ମୟୀ କିଭଳି ଭାବେ ହଇରାଣ କରୁଥିଲେ ବିଦ୍ୟାଶ୍ରୀ ସେ କଥା ବଖାଣିଛନ୍ତି । ବିଦ୍ୟାଶ୍ରୀ କହିଛନ୍ତି- ସାଇକୋ ଲେଡି ସହ ଅନେକ ପ୍ରୋବ୍ଲେମ୍ ଥିଲା । ଆଦିତ୍ୟଙ୍କ ବାପାମାଆ ଏହି ସମ୍ପର୍କକୁ ବିରୋଧ କରୁଥିଲେ । ବିଭିନ୍ନ ସମୟରେ ଚିନ୍ମୟୀ ନିଜର ହାତ କାଟିବା ସହ ମରିବା ନେଇ ଧମକ ମଧ୍ୟ ଦେଉଥିଲେ ବୋଲି ବିଦ୍ୟାଶ୍ରୀ ଅଭିଯୋଗ କରିଛନ୍ତି ।

ଆଦିତ୍ୟଙ୍କୁ ଅନ୍ୟ କାହା ସହ ଚିନ୍ମୟୀ ବାହା କରାଇ ଦେଉନଥିଲେ । ଏପରିକି ନିର୍ବନ୍ଧ ଦିନ ଫୋନ୍ କରି ଧମକ୍ ଦେଇଥିଲେ ଚିନ୍ମୟୀ । ବାରମ୍ବାର ବ୍ଳାକମେଲିଂ କରୁଥିଲେ । ଏହି ସାଇକୋ ପ୍ରୋବ୍ଲେମ୍ ପାଇଁ ଆଦିତ୍ୟ-ଚିନ୍ମୟଙ୍କ ବ୍ରେକଅପ୍ ହୋଇଥିଲା ବୋଲି ବିଦ୍ୟାଶ୍ରୀ କହିଛନ୍ତି ।