spot_img
Home Blog Page 6460

ଧରାପଡ଼ିଲେ ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ୧୨ ଶିକ୍ଷକ

କେନ୍ଦୁଝର: ସାରଙ୍କ ଚଞ୍ଚକତା । ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିଲେ ଶିକ୍ଷକ । ଜଣେ କି ଦୁଇ ଜଣ ନୁହେଁ ଏଭଳି ୧୨ ଜଣ ଶିକ୍ଷକ ଧରାପଡ଼ିଛନ୍ତି । କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକରୁ ଧରା ପଡ଼ିଥିବା ୧୨ ଜଣ ଶିକ୍ଷକ ଜାଲ୍ ବିଇଡି ସାର୍ଟିଫିକେଟ୍ ଦେଇ ଚାକିରି କରିଥିଲେ । ସରକାରଙ୍କ ନିର୍ଦ୍ଦେଶ ପରେ ଯାଞ୍ଚରୁ ଜଣାପଡ଼ିଛି ନିଯୁକ୍ତି ବେଳେ ସେମାନେ ବିଭିନ୍ନ ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ ଦେଇଥିଲେ ଯାହା କି ଜାଲ୍ ।

ଏଭଳି ୧୨ ଜଣ ଶିକ୍ଷକ ଧରାପଡ଼ିବା ପରେ ସେମାନଙ୍କ ନାଁରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଇଓମାନଙ୍କୁ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ । ଜିଲ୍ଲାର ଯୋଡ଼ା ବ୍ଲକରୁ ଜଣେ ଶିକ୍ଷକ, ସାହଡ଼ପଡ଼ା ବ୍ଲକରୁ ୨ ଜଣ, ହରିଚନ୍ଦନପୁର ବ୍ଲକରୁ ୨ ଜଣ, ବାଂଶପାଳ ବ୍ଲକରୁ ୨ ଜଣ, ଘସିପୁରା ବ୍ଲକରୁ ଜଣେ, ହାଟଡିହି ବ୍ଲକରୁ ୨ ଜଣ, ଝୁମ୍ପୁରା ବ୍ଲକରୁ ଜଣେ ଓ ପାଟଣା ବ୍ଲକରୁ ଜଣେ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଶିକ୍ଷକ ଧରାପଡ଼ିଛନ୍ତି ।

କେବଳ କେନ୍ଦୁଝର ଅନେକ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏମିତି ମାମଲା ସାମନାକୁ ଆସୁଛି । କେବେ କିଏ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ କୋଟା ଚାକିରି ମାଡ଼ି ବସୁଛି ତ ଆଉ କିଏ ଯୋଗ୍ୟତା ନଥାଇ ମିଛ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି କରୁଛି ।

LAC face-off: ଚୀନ୍ ସହ ବ୍ରିଗେଡିୟର ସ୍ତରୀୟ ଆଲୋଚନା ଶେଷ, କାଲି ପୁଣି ହୋଇପାରେ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦକୁ ନେଇ ବୁଧବାର ବସିଥିବା ଏକ ବ୍ରିଗେଡିୟର ସ୍ତରର ବୈଠକ ସରିଛି । ତେବେ, ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । କୁହାଯାଉଛି ଗୁରୁବାର ପୁଣି ଥରେ ଆଉ ଏକ ବୈଠକ ବସିବ । ସୂତ୍ର ଅନୁସାରେ ଚୀନ୍ ପୂରା ମାମଲାରେ ଜଲଦି ସମାଧାନ ଚାହୁଁଛି ।

ଏହା ପୂର୍ବରୁ ପୂର୍ବ ଲଦାଖର ପ୍ୟାଙ୍ଗୋଗ ହ୍ରଦ ନିକଟରେ ଭାରତ-ଚୀନ ସୈନିକ ମୁହାଁମୁହିଁ ହୋଇଥିଲେ । ଏହାର ସମାଧାନ ପାଇଁ ଦୁଇ ଦେଶର ସେନା ମଧ୍ୟରେ ମଙ୍ଗଳବାର ଚୁଶୁଲରେ ତୃତୀୟ ଥର ଆଲୋଚନା ଆରମ୍ଭ ହୋଇଥିଲା । ବ୍ରିଗେଡ କମାଣ୍ଡର ସ୍ତରୀୟ ଆଲୋଚନା ଚୁଶୁଲରେ ହୋଇଥିଲା ।

ଗତ ମାସ ୨୯ ଓ ୩୦ ଅଗଷ୍ଟ ରାତିରେ ଚୀନ ପକ୍ଷରୁ ଅନୁପ୍ରବେଶ ଉଦ୍ୟମ ହୋଇଥିଲା । ଏହାପରେ ବ୍ରିଗେଡ୍ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ମଙ୍ଗଳବାର ମଧ୍ୟ ଏହି ବୈଠକ କେତେ ଘଣ୍ଟା ଧରି ଚାଲିଥିଲା । କିନ୍ତୁ ଏଥିରୁ କୌଣସି ସମାଧାନର ପନ୍ଥା ବାହାରି ପାରିନଥିଲା । ଏମିତିରେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି । ପ୍ୟାଙ୍ଗୋଗ୍ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଦୁଇ ଦେଶ ମଧ୍ୟରେ ବିବାଦୀୟ ଅଞ୍ଚଳ ବିଚାର-ବିମର୍ଷ ଚାଲିଛି । ଚୀନ ଗତ କିଛିଦିନ ମଧ୍ୟରେ ୩ଥର ଅନୁପ୍ରବେଶ ଉଦ୍ୟମ କରିଥିବା ବେଳେ ଭାରତୀୟ ସେନା ତାହାକୁ ବିଫଳ କରିଛି ।

ଚୀନ ପ୍ରଥମେ ଅଗଷ୍ଟ ୨୯ ଓ ୩୦ରେ ପ୍ୟାଙ୍ଗୋଗ୍ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଅନୁପ୍ରବେଶ ଉଦ୍ୟମ କରିଥିଲା । ଯାହାକୁ ରୋକିଥିଲେ ଭାରତୀୟ ଯବାନ । ଏହା ପରେ ପୁଣି ଅଗଷ୍ଟ ୩୧ ରାତିରେ ଚୀନ ବ୍ଲାକ ଟପ୍ ନିକଟରେ ଅନୁପ୍ରବେଶ ଉଦ୍ୟମ କରିଥିଲା । ଯେଉଁଠାରେ ଏବେ ଭାରତୀୟ ସେନା ଉପସ୍ଥିତି ଜାହିର କରିଛି । ୧ ସେପ୍ଟେମ୍ବରରେ ମଧ୍ୟ ଚୀନ ଚୁମାର ଅଞ୍ଚଳରେ ପ୍ରବେଶ ପାଇଁ ଚେଷ୍ଟା କରିଥିଲା । ଭାରତୀୟ ସେନାକୁ ଦେଖି ବୀପରିତ ଦିଗରେ ପଳାଇଥିଲେ ।

ଭାରତ ବ୍ଲାକ ଟପ୍ ଓ ହେଲମେଟ ଟପ୍ ନିକଟରେ ଚୀନ ସେନା ମୁତୟନକୁ ନେଇ ଚିନ୍ତା ପ୍ରକାଶ କରିଛି । ଭାରତୀୟ ସୈନିକ ପର୍ବତ ଶିଖରକୁ ନିଜ ଅକ୍ତିଆରକୁ ନେଇଥିବା ବେଳେ ଭାରତ ପଛକୁ ଫେରୁ ବୋଲି ଚୀନ ସେନା ଚାହୁଁଛି । ଉଭୟ ପକ୍ଷ ମଧ୍ୟରେ ସୋମବାର ୫ ଘଣ୍ଟା ଧରି ଆଲୋଚନା ଚାଲିଥିଲା ।

Corona News: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୦୩ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ସଂକ୍ରମଣକୁ ମାତ୍ ଦେଉଛି ଓଡ଼ିଶା । ଗତ ୨୪ ଘଣ୍ଟା ମଧ୍ୟରେ ୩୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୮୪ ହଜାର ୭୩ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

କଟକରୁ ସର୍ବାଧିକ ୬୫୦ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୯୩, ଯାଜପୁରରୁ ୨୧୩, ଗଞ୍ଜାମରୁ ୨୦୯, ରାୟଗଡ଼ାରୁ ୧୮୫, ସମ୍ବଲପୁରରୁ ୧୭୨, କୋରାପୁଟରୁ ୧୪୯, ପୁରୀରୁ ୧୨୮, ନୟାଗଡ଼ରୁ ୧୨୫, ମୟୂରଭଞ୍ଜ ୧୦୪, କେନ୍ଦୁଝରରୁ ୯୦, ସୁନ୍ଦରଗଡ଼ ୮୭, ଅନୁଗୁଳ ୮୦, ବାଲେଶ୍ୱର ୭୯, ମାଲକାନଗିରି ୭୬, କନ୍ଧମାଳ ୫୫, ଭଦ୍ରକ ୪୯, ଜଗତସିଂହପୁର ୪୯, ବଲାଙ୍ଗିର ୪୭, ଗଜପତି ୩୭, ବରଗଡ଼ ୩୫, ନୂଆପଡ଼ା ୩୫, ନବରଙ୍ଗପୁର ୩୪, ଢେଙ୍କାନାଳ ୩୨, କେନ୍ଦ୍ରାପଡ଼ା ୩୦, ସୋନପୁର ୨୫,  କଳାହାଣ୍ଡି ୧୪, ଝାରସୁଗୁଡ଼ା ୧୩ ଓ ଦେଓଗଡ଼ରୁ ୮ ଜଣ ଆରୋଗ୍ୟ ହୋଇଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୦୯ ହଜାର ୭୮୦ରେ ପହଞ୍ଚିଛି । ମୋଟ ୮୪ ହଜାର ୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୫ ହଜାର ୧୪୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଆଜି ୧୧ ମୃତ୍ୟୁ ସହ ରାଜ୍ୟରେ ୫୧୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

Cabinet Decision: ଧାନ ସହିତ ଅଣଧାନ ଫସଲର ଅମଳ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କୃଷି କ୍ୟାବିନେଟ୍ ବୈଠକରେ ଆଜି ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୃଷି ଓ କୃଷକଙ୍କର ବିକାଶ ପାଇଁ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୫୫.୫୨ ଲକ୍ଷ ହେକ୍ଟର ଜମି କଭର କରାଯାଇଛି । ଧାନ ସହିତ ଅଣଧାନ ଫସଲର ଅମଳ ଉପରେ ଗୁରୁତ୍ୱ ଦିଆଯାଇଛି ।

କୃଷକଙ୍କ ସହାୟତା କରିବା ପାଇଁ ଏକ ନୂଆ ହେଲ୍ପ ନମ୍ବର ଜାରି କରାଯାଇଛି । ୨୦୨୦ ଆର୍ଥିକ ବର୍ଷରେ ୧୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । କମର୍ସିଆଲ୍ ବ୍ୟାଙ୍କ ଓ ସୋସାଇଟି ମାଧ୍ୟମରେ ଦିଆଯାଇଛି ଋଣ । ଭାଗଚାଷୀଙ୍କ ପାଇଁ ହୋଇଥିବା ବଳରାମ ଯୋଜନା ସଂପର୍କରେ ସୂଚନା ଦେଇଥିଲେ କୃଷି ସଚିବ ସୌରଭ ଗର୍ଗ । ଉତ୍ପାଦନ ତୁଳନାରେ ବ୍ୟବସାୟ କିଭଳି ଅଧିକ ହେବ ଏବଂ ଚାଷୀଙ୍କୁ ସେମାନଙ୍କର ଉପଯୁକ୍ତ ପ୍ରାପ୍ୟ ମିଳିପାରିବ ସେ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର ।

Cabinet Decision: ରେଭେନ୍ସା ବିଶ୍ୱବିଦ୍ୟାଳୟ ଆକ୍ଟ-୨୦୦୫ ପ୍ରତ୍ୟାହାର, ସବୁ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ଆକ୍ଚ

ଜବରଦଖଲକାରୀଙ୍କ କବଜାରେ ଭୁବନେଶ୍ୱର, ସଙ୍କୁଚିତ ହେବାରେ ଲାଗିଛି ରାସ୍ତାଘାଟ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ବଡ ସମସ୍ୟା ‘‘ଜବରଦଖଲ’’ । ବଢୁଛି ଜବରଦଖଲକାରୀଙ୍କ ଦୌରାତ୍ମ୍ୟ । ଏଠି ରହିଛି ୪ଶହରୁ ଅଧିକ ବସ୍ତି । ଆଗକୁ ସହରାଞ୍ଚଳରେ ରହିବନି ବସ୍ତି । ପ୍ରତିଦିନ ଚାଲିଛି ବସ୍ତି ଉଚ୍ଛେଦ । ହେଲେ ଚିନ୍ତା ବଢାଉଛି ନିଗମ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଜବରଦଖଲକାରୀଙ୍କ ସଂଖ୍ୟା । ରାସ୍ତାଘାଟ କିଛି ମାନୁନାହାନ୍ତି । ସବୁ ସେମାନଙ୍କ ଅକ୍ତିଆରରେ । ସଙ୍କୁଚିତ ହେବାରେ ଲାଗିଛି ରାସ୍ତାଘାଟ । ଭୁବନେଶ୍ୱରର ଶାନ୍ତି ବସ୍ତି ଏଥିରୁ ଅନ୍ୟତମ । ଯାହା ଅଞ୍ଚଳବାସୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିବାରେ ଲାଗିଛି । ସେପଟେ ଉଚ୍ଛେଦ ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ବା ଥଇଥାନର ବ୍ୟବସ୍ଥା ହେଉନଥିବା ଅଭିଯୋଗ କରିଛନ୍ତି ଜବରଦଖଲକାରୀ ।

ରାଜଧାନୀକୁ ଜବରଦଖଲ ମୁକ୍ତ କରିବାକୁ ଉଭୟ ବିଏମସି ଓ ବିଡିଏ ପକ୍ଷରୁ ଗଠନ ହୋଇଛି ସ୍ୱତନ୍ତ୍ର ସ୍କ୍ୱାର୍ଡ । କମିଶନରେଟ୍ ପୋଲିସର ମଧ୍ୟ ନିଆଯାଉଛି ସହଯୋଗ । ବୁଲଡୋଜର ଜରିଆରେ ଭିନ୍ନଭିନ୍ନ ଅଞ୍ଚଳରେ ନିୟମିତ ଜାରି ରହିଛି ଉଚ୍ଛେଦ କାର୍ଯ୍ୟ । ତଥାପି ମାଡି ଆସୁଛନ୍ତି ଜବରଦଖଲକାରୀ । ଯାହାକୁ ସ୍ୱୀକାର ମଧ୍ୟ କରିଛନ୍ତି ଖୋଦ୍ ବିଡିଏ ଏନଫୋର୍ସମେଣ୍ଟ ଅଧିକାରୀ । ସେପଟେ ଏଭଳି ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର । ଉଚ୍ଛେଦ ସାଙ୍ଗକୁ ନିୟମିତ ଚଢାଉର ଆବଶ୍ୟକତା ରହିଛି । ଜବରଦଖଲ ବୃଦ୍ଧିର ହେଉଛି ପ୍ରମୁଖ କାରଣ । ତେବେ ଏଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବକୁ ଦାୟୀ କରାଯାଇଛି ।

Cabinet Decision: ରେଭେନ୍ସା ବିଶ୍ୱବିଦ୍ୟାଳୟ ଆକ୍ଟ-୨୦୦୫ ପ୍ରତ୍ୟାହାର, ସବୁ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ଆକ୍ଚ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଶିକ୍ଷା କ୍ଷେତ୍ରକୁ ନେଇ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପ୍ରେସମିଟରେ ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ପବ୍ଲିକ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ୍ ୧୯୮୯ ଅନ୍ତର୍ଭୂକ୍ତ ହୋଇଥିବା ବେଳେ ରେଭେନ୍ସା ପାଇଁ ୨୦୦୫ରେ ସ୍ୱତନ୍ତ୍ର ଆଇନ୍ ଆସିଥିଲା । ସରକାର ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି । ଏଣିକି ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଏବେ ବିଶ୍ୱବିଦ୍ୟାଳୟ ଆଇନ୍ ୧୯୮୯ରେ ପରିଚାଳିତ ହେବ । ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ୍ ୧୯୮୯  ସେଥିରେ ଅନେକ ସଂଶୋଧନ ଅଣାଯାଇଛି ।

ବିଶ୍ୱବିଦ୍ୟାଳୟରେ ଥିବା ସିନେଟ ଓ ସିଣ୍ଡିକେଟ୍ ମଧ୍ୟରୁ ସିନେଟକୁ ଉଠାଇ ଦିଆଯାଇଛି । ସିଣ୍ଡିକେଟକୁ ବ୍ୟବସ୍ଥିତ କରିବାକୁ ସେଥିରେ କିଛି ପରିବର୍ତ୍ତନ ଅଣାଯାଇଛି । ବିଶ୍ୱବିଦ୍ୟାଳୟର ଭିସିଙ୍କ ଅଧିନରେ ଜଣେ ଏକାଡେମିସିଆନ୍ ରହିବେ । ଭାଇସ୍ ଚାନ୍ସଲରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି । ଏଣିକି ଭିସି ଗୋଟିଏ ବିଶ୍ୱବିଦ୍ୟାଳୟରେ ୩ ବର୍ଷ ବଦଳରେ ୪ ବର୍ଷ ରହିବେ । ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା ୬୭ ରଖାଯାଇଛି । ସେମାନଙ୍କୁ ପୁନଃ ନିଯୁକ୍ତି ବିଶ୍ୱବିଦ୍ୟାଳୟରେ ଦିଆଯିବ ନାହିଁ ।

ସବୁ ବିଶ୍ୱବିଦ୍ୟାଳୟ ପାଇଁ ଅଧ୍ୟାପକ ଚୟନ ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ କରିବେ । ଏବଂ ଅଣଶିକ୍ଷକ ନିଯୁକ୍ତି ଷ୍ଟେଟ ସିଲେକ୍ସନ ବୋର୍ଡ କରିବ । ଯାହାକି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଛି । ପ୍ରତିବର୍ଷ ବିଶ୍ୱବିଦ୍ୟାଳୟ ଗୁଡ଼ିକର ଅଡିଟ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେଉଥିଲା । ତାହାକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ପାଇଁ ୟୁନିଭରସିଟି ୱେବସାଇଟରେ ୩ ବର୍ଷ ପାଇଁ ରଖାଯିବ ।

ୟୁଜି ଓ ପିଜି ପରୀକ୍ଷା ଶେଷ ଲାଗି ସମୟସୀମା ଅକ୍ଟୋବର ୧୦କୁ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ୟୁଜିସିକୁ ଅନୁରୋଧ

ଭୁବନେଶ୍ୱର: ୟୁଜି ଓ ପିଜି ଫାଇନାଲ ପରୀକ୍ଷା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୦ ତାରିଖ ମଧ୍ୟରେ ହେବ । ସେହିପରି ପରୀକ୍ଷା ଫଳ ଅକ୍ଟୋବର ୩୧ ସୁଦ୍ଧା ପ୍ରକାଶ ପାଇବ ବୋଲି କୁହାଯାଉଛି । ସେପଟେ କିନ୍ତୁ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ସମାପନ ସମୟ ସୀମାକୁ ବୃଦ୍ଧି କରିବାକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିସନ-ୟୁଜିସିକୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଛି । ଏହି ସବୁ ପରୀକ୍ଷା ଶେଷ ଲାଗି ସମୟସୀମା  ଅକ୍ଟୋବର ୧୦କୁ ବୃଦ୍ଧି ପାଇଁ ରାଜ୍ୟ ସରକାର ୟୁଜିସିକୁ ଅନୁରୋଧ କରିଛନ୍ତି । ପରୀକ୍ଷା ମଝିରେ ଅତି କମ୍‌ରେ ଦିନକର ବ୍ୟବଧାନ ରଖିବାକୁ ପ୍ରସ୍ତାବ ଦିଆଯାଇଛି । ଏହା ଦ୍ୱାରା ପରୀକ୍ଷା କେନ୍ଦ୍ରଗୁଡିକୁ ସଠିକ୍‌ ଭାବେ ପରିଷ୍କାର ପରିଚ୍ଛନ୍ନ କରି ରଖାଯାଇ ପାରିବ ଏବଂ ଉପଯୁକ୍ତ ଭାବେ ସାନିଟାଇଜ୍ ହୋଇପାରିବ । ସେପ୍ଟେମ୍ବର ୩୦ ମଧ୍ୟରେ ଏହିସବୁ ପରୀକ୍ଷା ଶେଷ କରିବାକୁ ୟୁଜିସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ତେଲୁଗୁ ସୁପରଷ୍ଟାର ପଓ୍ୱନ କଲ୍ୟାଣଙ୍କ ଜନ୍ମଦିନ ପାଳନ ପ୍ରସ୍ତୁତି ସମୟରେ ଦୁର୍ଘଟଣା,୩ ମୃତ ୩ ଆହତ

ହାଇଦ୍ରାବାଦ: ଫିଲ୍ମ ସୁପରଷ୍ଟାର ପଓ୍ୱନ କଲ୍ୟାଣଙ୍କ ଜନ୍ମଦିନ ପାଳନ କରିବାକୁ ନେଇ ପ୍ରସ୍ତୁତି ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୨ ସେପ୍ଟେମ୍ବରକୁ ପଓ୍ୱନଙ୍କ ଜନ୍ମଦିନ । ଯାହାକୁ ତାଙ୍କ ରାଜ୍ୟର ଲୋକ ଖୁବ ଉତ୍ସାହର ସହିତ ପାଳନ କରନ୍ତି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ତାଙ୍କ ପ୍ରଶଂସକ ପଓ୍ୱନଙ୍କ ଜନ୍ମଦିନକୁ ଖୁବ ଧୁମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି କରୁଥିଲେ । ଯେଉଁଥିରେ ତାଙ୍କର କିଛି ପ୍ରଶଂସକ ୪୦ ଫୁଟ ଉଚ୍ଚରେ କଟଆଉଟ ଲଗାଉଥିବା ସମୟରେ ହାଇ ଭୋଲଟେଜ ତାର ସମ୍ପର୍କରେ ଆସି ତିନି ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ୩ ଜଣ ଗମ୍ଭୀର ଆହତ ହୋଇଛନ୍ତି । ଗମ୍ଭୀର ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ ୧ ସେପ୍ଟେମ୍ବରକୁ ରାତି ପ୍ରାୟ ସାଢେ ଆଠଟା ସମୟରେ ଆନ୍ଧ୍ର ପ୍ରଦେଶର ଚିତ୍ତୁର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ତେବେ ମୃତକଙ୍କ ପରିବାରର ଦାୟୀତ୍ୱ ନେବେ ବୋଲି କହିଛନ୍ତି ପଓ୍ୱନ । ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଲେଖାଏଁ ଦେବା ପାଇଁ ସେ ଘୋଷଣା କରିଛନ୍ତି । ଉକ୍ତ ଘଟଣାରେ ଆନ୍ଧ୍ର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି । ବଲିଉଡ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ବୋନି କପୂର ଟ୍ୱିଟ କରି କହିଛନ୍ତି କି ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ।

Cabinet Decision: ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ରକୁ କରାଯିବ ଅନୁରୋଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଐତିହ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦ୍ୱିତୀୟ ଐତିହ୍ୟ କ୍ୟାବିନେଟ ବୈଠକରେ ୭ଗୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ରାଜ୍ୟ ସଂସ୍କୃତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଓଡ଼ିଶା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ସଂସ୍କୃତି ସମ୍ପର୍ଣ୍ଣ ପରିଚିତ ରାଜନୈତିକ ଆୟତ୍ତନା । ଭାରତ ସରକାର ୧୯୬୪ ମସିହାରେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଓ ୨୦୧୪ ମସିହାରେ ଓଡ଼ିଆ ଭାଷାକୁ ଷଷ୍ଠତମ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିଛନ୍ତି । ଓଡ଼ିଶା ସରକାର ୨୦୦୮ ମସିହାରେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି । ଓଡ଼ିଶାର ଏହି ପରମ୍ପରା ସଂଗୀତ, ଶୈଳ, ଶୈଳୀ ପୁରାତନ ଓ ଶାସ୍ତ୍ରାନୁସାରୀ । ଏହାର ଗାୟନ ପଦ୍ଧତି ମଧ୍ୟ ଭାରତର ଅନ୍ୟ ଶାସ୍ତ୍ରୀୟ ସଂଗୀତ ମଧ୍ୟରେ ସ୍ୱତନ୍ତ୍ର । ତେଣୁ, ଓଡ଼ିଶା ନୃତ୍ୟ ପରି ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ ନିମନ୍ତେ ପ୍ରସ୍ତାବ ଅନୁମୋଦନ ମିଳିଛି ।

ଓଡ଼ିଶାର ଐତିହ୍ୟ ଓ ଏହାର କୀର୍ତ୍ତିରାଜ, ପ୍ରାଚୀନ ମନ୍ଦିର, ସ୍ତୁପ ଓ ଭାସ୍କର୍ଯ୍ୟ ଗୁଡ଼ିକର ରକ୍ଷାଣବେକ୍ଷଣ ଓ ଅନ୍ୟ ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସମ୍ପାଦିତ ହେଉଥିବାରୁ ପ୍ରତ୍ୟେକ କାର୍ଯ୍ୟର ଗୁଣବତ୍ତା, ଅନୁଶୀଳ ଓ ତଦାରଖ କାର୍ଯ୍ୟ ସଂସ୍କୃତି ନିର୍ଦ୍ଦେଶାଳୟର ଜଣେ ମାତ୍ର ନିର୍ଦ୍ଦେଶକଙ୍କ ଅଧୀନରେ ପରିଚାଳିତ ହେଉଛି । ଫଳରେ ପରିଚାଳନା ଅତ୍ୟନ୍ତ କଷ୍ଟସାଧ୍ୟ ହେଉଛି । ତେଣୁ, ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଚାଳାନ ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ସହ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ନିମନ୍ତେ ପ୍ରସ୍ତାବ ଅନୁମୋଦିତ ହୋଇଛି ।

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଅଧିନରେ ୧୫ଗୋଟି ଗୁରୁତ୍ୱପୂର୍ଣ୍ଣ ଉପ ବିଭାଗ ସମେତ ରାଜ୍ୟର ସମସ୍ତ ଜିଲ୍ଲା ସଂଗ୍ରହାଳୟ ହେଉଛି । ରାଜ୍ୟ ସଂଗ୍ରହାଳୟରେ ଗଚ୍ଛିତ ଥିବା ପ୍ରାଚୀନ ସାମଗ୍ରୀ ବିଶ୍ୱରେ ଅନନ୍ୟ । ଏଗୁଡ଼ିକର ରକ୍ଷାଣବେକ୍ଷଣ ସମେତ ପ୍ରାଚୀନ ପୋଥିଗୁଡ଼ିକ ଡଜିଟାଇଜେସନ୍, ପଞ୍ଜିକରଣ, ସଂରକ୍ଷଣ ଓ ପ୍ରକାଶନ ଦିଗରେ କାର୍ଯ୍ୟ କରୁଛୁ । ଏତଦବ୍ୟତୀତ କଟକ ଆନନ୍ଦଭବନ, କେନ୍ଦୁବିଲି ସ୍ଥିତ ଜୟଦେବ ଭବନ ପରିଚାଳନା ଓ ରକ୍ଷାଣବେକ୍ଷଣ ରାଜ୍ୟ ସଂଗ୍ରହାଳୟ କରୁଛି । ତେଣୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ନିମନ୍ତେ ପ୍ରସ୍ତାବକୁ ମିଳିଛି ଐତିହ୍ୟ କ୍ୟାବିନେଟ ଅନୁମୋଦନ ।

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଗଚ୍ଛିତ ପୁରାତନ କୀର୍ତ୍ତିରାଜି, ପ୍ରାଚୀନମୁଦ୍ରା ଓ ଅଭିଲେଖ, ତାଳପତ୍ର ପୋଥି, ନୃତତ୍ତ୍ୱ, ଖଣି ଓ ଭୂତତ୍ତ୍ୱ ଆଦି ଅମୂଲ୍ୟ ସମ୍ପଦ, ନୌବାଣିଜ୍ୟ ପରମ୍ପରା, ହାତୀଦାନ୍ତ ଓ କାରୁକଳା, ଅସ୍ତ୍ରଶସ୍ତ୍ର, ବ୍ରୋଞ୍ଜମୂର୍ତ୍ତି ଓ ପାରମ୍ପରିକ ଚିତ୍ର ପୃଥିବୀର କୋଣ ଅନୁକୋଣରେ ପହଞ୍ଚାଇବା ଉଦ୍ଦେଶ୍ୟରେ, ସାମ୍ପ୍ରତିକ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ ଭର୍ଚୁଆଲ୍ କରାଯିବା ସଂଗେ ସଂଗେ ଅନୁରୂପ ଢାଞ୍ଚାରେ ପ୍ରବାଦପୁରୁଷ ବିଜୁ ବାବୁଙ୍କ ଆନନ୍ଦଭବନ ସଂଗ୍ରହାଳୟକୁ ମଧ୍ୟ ଭର୍ଚୁଆଲ୍ କରାଯିବା ନିମନ୍ତେ ପ୍ରସ୍ତାବ ଅନୁମୋଦନ ହୋଇଛି ।

ବିଭିନ୍ନ ସାଂସ୍କୃତିକ କ୍ଷେତ୍ରରେ ଯୋଗ୍ୟ ବିବେଚିତ କଳାକାରମାନଙ୍କୁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରଦାନ କରୁଥିବା ଏକାଡେମୀ ପୁରସ୍କାର ଗୁଡ଼ିକର ଅର୍ଥରାଶି ବୃଦ୍ଧି ନିମନ୍ତେ ପ୍ରସ୍ତାବ ଅନୁମୋଦିତ କରାଯାଇଛି । ପୁରସ୍କୃତ ବ୍ୟକ୍ତିବିଶେଷଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଧର୍ମପଦ ସମ୍ମାନ ଏବଂ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ ନିମନ୍ତେ ଅର୍ଥରାଶି ଏକଲକ୍ଷ ଟଙ୍କାରୁ ପାଞ୍ଚ ଲକ୍ଷ ଟଙ୍କା, ଏକାଡେମୀଗୁଡ଼ିକର ପୁରସ୍କାର ପାଇଁ ଅର୍ଥରାଶି ପଚାଶହଜାର ଟଙ୍କାରୁ ଦୁଇ ଲକ୍ଷ ଟଙ୍କା ତଥା ଏକାଡେମୀ ସମ୍ବର୍ଦ୍ଧନା ରାଶି ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ବିଭିନ୍ନ ଏକାଡେମୀ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ କେନ୍ଦ୍ର ଗୁଡ଼ିକରେ ଖାଲି ପଡ଼ିଥିବା କର୍ମକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ଏକ ମୁକ୍ତ ବିଜ୍ଞାପନ ମାଧ୍ୟମରେ ଓ ଆବଶ୍ୟକସ୍ଥଳେ ମନୋନୟନ ମାଧ୍ୟମରେ ଚୟନ କରାଯିବା ପାଇଁ ପ୍ରସ୍ତାବ ଅନୁମୋଦନ ହୋଇଛି ।

ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଭାରତବର୍ଷର ଜଣେ ବିଶିଷ୍ଟ ମାନବବାଦୀ ବ୍ୟକ୍ତିତ୍ୱ । ଓଡ଼ିଶା ଓ ଭାରତର ମୁକ୍ତି ସଂଗ୍ରାମର ଅନ୍ୟତମ ଅଗ୍ରଣୀ ସୈନିକ । ନବଉତ୍କଳର ସ୍ଥପତି । ସତ୍ୟବାଦୀ ବକୁଳ ବନବିଦ୍ୟାଳୟ ଓ ସମ୍ବାଦପତ୍ର ‘ସମାଜ’ର ପ୍ରତିଷ୍ଠାତା । ଶିକ୍ଷା, ରାଜନୀତି, ସାହିତ୍ୟ, ସଂସ୍କୃତି ଓ ଅଧ୍ୟାତ୍ମବୋଧକୁ ସମୀକୃତ କରିବାରେ ତାଙ୍କ ସାଧନା ଅନନ୍ୟ । ତାଙ୍କ ଜନ୍ମପୀଠ (ସୁଆଣ୍ଡୋ)ର ସାମଗ୍ରୀକ ବିକାଶ ଓ ଉନ୍ନତିକରଣ ପାଇଁ ସରକାର ଏକ ପ୍ରକଳ୍ପ ପ୍ରସ୍ତୁତ କରୁଛନ୍ତି, ଯାହାର ଆନୁମାନିକ ଆକଳନ ସାଢ଼େ ଏଗାର କୋଟି ଟଙ୍କା । ଏହି ପଦକ୍ଷେପ ପାଇଁ ପ୍ରସ୍ତାବ ଅନୁମୋଦନ କରାଗଲା ।

ଭୁବନେଶ୍ୱରରେ ୧୧ ହଜାର ପାର କରୋନା ସଂକ୍ରମଣ, ସୁସ୍ଥ ହେଲେ ନୂଆ ୩୦୦ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟ ସହ ରାଜଧାନୀରେ ବଢ଼ିବାକୁ ଲାଗିଛି କରୋନା ସଂକ୍ରମଣ । ବୁଧବାର ଖୋର୍ଦ୍ଧା ଜିଲ୍ଲାରୁ ଦିନକରେ ସର୍ବାଧିକ ୭୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ କେବଳ ୫୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୨୨୦ ଜଣ ଚିହ୍ନଟ ହୋଇଥିବା ବେଳେ ୩୨୧ ରହିଛି ଲୋକାଲ କଣ୍ଟାକ୍ଟ ।

ତେବେ ନୂଆ ସଂକ୍ରମଣ ଚିହ୍ନଟ ପରେ ଭୁବନେଶ୍ୱରରେ ମୋଟ ୧୧ ହଜାର ୨୭୩ କରୋନ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ହଜାର ୯୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଭୁବନେଶ୍ୱରରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୨୮୨ ଜଣ ସକ୍ରିୟ ରହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସୁସ୍ଥ ସଂଖ୍ୟା ମଧ୍ୟ ରାଜଧାନୀରେ ବଢ଼ିବାକୁ ଲାଗିଛି । ବୁଧବାର ୩୦୦ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତ ।