spot_img
Home Blog Page 6464

ଖୁସି ଖବର- ଆପେ ଆପେ ଜଣଙ୍କ ଶରୀର ହେଲା HIV ମୁକ୍ତ

ନୂଆଦିଲ୍ଲୀ: ଦୁନିଆର ପ୍ରଥମ ମାମଲା । ଯେଉଁଠି ବିନା କୌଣସି ଚିକିତ୍ସାରେ ଜଣେ HIVରୁ ସୁସ୍ଥ ହୋଇଛନ୍ତି । ଜଣେ ବ୍ୟକ୍ତିଙ୍କ ଇମ୍ୟୁନ୍ ସିଷ୍ଟମ୍ ଏହି ଭୟଙ୍କର ଭାଇରସକୁ ସମ୍ପୂର୍ଣ୍ଣ ଭାବେ ଶେଷ କରି ଦେଇଛି ଓ ସଂକ୍ରମିତ ବ୍ୟକ୍ତି ଜଣକ ସୁସ୍ଥ ଅଛନ୍ତି । ଏହି ମାମଲାକୁ ନେଇ ବୈଜ୍ଞାନିକ ମାନେ ଯେ କେବଳ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ତା ନୁହେଁ, ବରଂ HIV ଚିକିତ୍ସା କ୍ଷେତ୍ରରେ ଏହା ବେଶ୍ ସହାୟକ ହେବ ।

୨୬ ଅଗଷ୍ଟରେ ଏକ ମ୍ୟାଗାଜିନରେ ପ୍ରକାଶିତ ରିପୋର୍ଟ ମୁତାବକ, ଉକ୍ତ ବ୍ୟକ୍ତିଙ୍କ ଶରୀରରେ HIVର ସକ୍ରିୟ ଭାଇରସ୍ ନାହିଁ । ଏହାର ଅର୍ଥ ସେ HIV ସଂକ୍ରମିତ ହୋଇଥିଲେ ଓ ଆପେ ଆପେ ଠିକ୍ ହୋଇ ଯାଇଛନ୍ତି । ଏହି ମାମଲା ସାମନାକୁ ଆସିବା ପରେ ଡାକ୍ତର ଶରୀରରେ ଥିବା ୧.୫ ବିଲିୟନ୍ ଅର୍ଥାତ୍ ୧୫୦ କୋଟି କୋଶିକା (ରକ୍ତ କଣିକା)ର ଯାଞ୍ଚ କରିଥିଲେ । ଏହି ରୋଗୀଙ୍କୁ EC2 ନାମ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଶରୀରରେ ଦୁଇଥର ବୋନ୍ ମୈରୀ ଟ୍ରାନ୍ସପ୍ଲାଣ୍ଟ ଦ୍ୱାରା HIV ଠିକ୍ ହୋଇଛି । ଏହା ଦ୍ୱାରା ଶରୀରରେ HIV ଭୂତାଣୁ ବହୁତ ଶୀଘ୍ର କମିଥାଏ ଓ ପୁଣି ଲେଉଟି ଆସିନଥାଏ । କିନ୍ତୁ, ଶରୀରର ଇମ୍ୟୁନ୍ ସିଷ୍ଟମ ନିଜେ ନିଜେ HIV ସହ ଲଢ଼ି ତାକୁ ଖତମ କରିଦେବା, ତାହା ପୁଣି ବିନା କାହା ସହାୟତାରେ । ଏପରି ଚିକିତ୍ସା ବିଜ୍ଞାନରେ ପ୍ରଥମଥର ହୋଇଛି ।

ଏହା ପରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ପରୀକ୍ଷା କରାଯାଇଛି । ଯାହାଙ୍କ ନାମ ଦିଆଯାଇଛି EC1 । ତାଙ୍କ ଶରୀରରେ ଥିବା ୧୦୦ କୋଟି ରକ୍ତ କଣିକାର ଯାଞ୍ଚ କରାଯିବା ପରେ କେବଳ ଗୋଟିଏରେ ମିଳିଛି ସକ୍ରିୟ ଭାଇରସ୍ । କିନ୍ତୁ ତାହା ଜେନେଟିକାଲି ନିଷ୍କ୍ରିୟ । ଅର୍ଥାତ୍ ଏହି ଦୁଇ ଜଣଙ୍କ ଶରୀରରେ ଜେନେଟିକ୍ସ ପ୍ରକାରେ ଉଭୟଙ୍କ ଠାରେ HIV ଭୂତାଣୁ ଖତମ ହୋଇଯାଇଛି ।

ଯାଞ୍ଚ ପରେ ବୈଜ୍ଞାନିକ ଉଭୟଙ୍କୁ ଏଲଟି କଣ୍ଟ୍ରୋଲର୍ସ ନାମ ଦେଇଛନ୍ତି । ଏଲଟି କଣ୍ଟ୍ରୋଲର୍ସ ଅର୍ଥ ହେଉଛି- ଯେଉମାନଙ୍କ ଶରୀରରେ HIV ଅଛି । କିନ୍ତୁ ତାହା ନିଷ୍କ୍ରିୟ ଅବା ଏତେ କମ୍ ପରିମାଣରେ ରହିଛି ଯାହାକୁ ବିନା ଔଷଧରେ ଠିକ୍ କରାଯାଇ ପାରିବ । ସେମାନଙ୍କ ଶରୀରରେ HIVର ଲକ୍ଷଣ ଅଥବା ଭୂତାଣୁ ଦ୍ୱାରା ହେଉଥିବା କ୍ଷତି ଦେଖାଯାଏ ନାହିଁ ।

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ HIV ଉପରେ ଅଧ୍ୟୟନ କରୁଥିବା ସତ୍ୟା ଡାଣ୍ଡେକର କହିଛନ୍ତି- ଏହା କିଛି ମାସ ବା ବର୍ଷର କଥା ନୁହେଁ । ଏହା ବହୁତ ଅଧିକ ଲମ୍ବା ସମୟରୁ ବିକଶିତ ହୋଇଥିବା ଇମ୍ୟୁନ୍ ସିଷ୍ଟମ ଦେଖାଯାଉଛି । ଦୁନିଆର ୩.୫୦ କୋଟି ଲୋକ HIV ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୯.୫୦ ପ୍ରତିଶତ ଲୋକଙ୍କୁ ପ୍ରତିଦିନ ଆଣ୍ଟିରେଟ୍ରୋୱାଇରଲ୍ ଔଷଧ ଅର୍ଥାତ HIV ମେଡିସିନ୍ ନେବାକୁ ପଡ଼େ । ବିନା ଔଷଧରେ ଏହି ରୋଗ ଉପରେ ନିୟନ୍ତ୍ରଣ ଅସମ୍ଭବ ।

ସତ୍ୟାଙ୍କ ଅନୁଯାୟୀ- ଏଯାବତ୍ କୌଣସି ବୈଜ୍ଞାନିକ ଏଲଟି କଣ୍ଟ୍ରୋଲର୍ସର ଇମ୍ୟୁନ୍ ସିଷ୍ଟମ ଓ HIV ମଧ୍ୟରେ ହେଉଥିବା ସଂଘର୍ଷକୁ ରେକର୍ଡ କରିଛନ୍ତି ନା ଏନେଇ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ସମସ୍ତ ମଣିଷଙ୍କ ଶରୀରର ପ୍ରତିରୋଧକ ପ୍ରଣାଳି ଅର୍ଥାତ୍ ଇମ୍ୟୁନ୍ ସିଷ୍ଟମ ଉପରେ HIV ଭୂତାଣୁ ଆକ୍ରମଣ ଉପରେ ଆମେ ଧ୍ୟାନ ଦେଇନୁ । ଏଥିପାଇଁ ଯେବେ କାହାକୁ ଏଲଟି କଣ୍ଟ୍ରୋଲ ଘୋଷଣା କରାଯାଏ । ସେତେବେଳେ ସିଏ HIVକୁ ପରାସ୍ତ କରି ସାରିଥାଏ ।

ବୈଜ୍ଞାନିକ ମାନେ ଏହା ବି ମାନନ୍ତି ଉଭୟଙ୍କ ଶରୀରରେ HIVର କମଜୋର ଭୂତାଣୁ ଥାଇପାରେ । ବୈଜ୍ଞାନିକ ୬୪ ଏଲଟି କଣ୍ଟ୍ରୋଲର୍ସ ଶରୀରରେ HIV ସଂକ୍ରମଣର ଅଧ୍ୟୟନ କରିଛନ୍ତି । ଏଥିରୁ ୪୧ ଜଣ ଆଣ୍ଟିରେଟ୍ରୋୱାଇରାଲ ଔଷଧ ନେଉଥିଲେ । କିନ୍ତୁ ଆକ୍ରାନ୍ତ EC2 କୌଣସି ଔଷଧ ନେଇ ନଥିଲେ ମଧ୍ୟ HIV ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ ହୋଇଯାଇଛି ।

IPL 2020: ପୁଣି ହେଲା ଚେନ୍ନାଇ ସୁପରକିଙ୍ଗସର କରୋନା ପରୀକ୍ଷା

0

ନୂଆଦିଲ୍ଲୀ: IPL 2020ର ପ୍ରସ୍ତୁତି ପାଇଁ ଅଭ୍ୟାସ ଆରମ୍ଭ ହୋଇନଥିବା ବେଳେ  ସାମ୍ନାକୁ ଆସିଛି ଏକ ଆଶ୍ୱସ୍ତି କରିବା ଭଳି ଖବର । ଚେନ୍ନାଇ ସୁପରକିଙ୍ଗସର ସମସ୍ତ ଖେଳାଳୀ ଏବଂ ଅନ୍ୟ ସଦସ୍ୟ କୋଭିଡ ନେଗେଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଦଳର ୧୩ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯେଉଁ କାରଣରୁ ଦଳର ସଙ୍ଗରୋଧ ସମୟକୁ ବଢାଇ ଦିଆଯାଇଥିଲା । କିନ୍ତୁ ଗତ ସୋମବାରକୁ ହୋଇଥିବା କରୋନା ପରୀକ୍ଷାରେ ସମସ୍ତ ପଜିଟିଭ୍ ସଦସ୍ୟ ନେଗେଟିଭ୍ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ଦୀପକ ଚାହର ଏବଂ ଋତୁରାଜ୍ ଗାୟକଓ୍ୱାଡ଼ ମଧ୍ୟ କରୋନାରୁ ବର୍ତ୍ତି ଯାଇଛନ୍ତି ।

ପୁଣିଥରେ ହେବ କରୋନା ଟେଷ୍ଟ

ଦଳର ସମସ୍ତ ସଦସ୍ୟ କରୋନା ନେଗେଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ ଅଭ୍ୟାସ କରିବା ସମ୍ଭବ ନୁହେଁ । କାରଣ ଆସନ୍ତା ଗୁରୁବାରକୁ ଚେନ୍ନାଇର ସମଗ୍ର ଦଳର ପୁଣିଥରେ କରୋନା ଟେଷ୍ଟ କରାଯିବ । ଏହାପରେ ସେମାନଙ୍କୁ ଅଭ୍ୟାସ ପାଇଁ ଅନୁମତି ପ୍ରଦାନ କରାଯିବ ।

ସାଉଥ ଆଫ୍ରିକା କ୍ରିକେଟର ଫାଫ୍ ଡୁ ପ୍ଲେସିସ, ଲୁଙ୍ଗି ଏନଗିଡ଼ି ଏବଂ କଗିସୋ ରବାଡ଼ା ୧୯ ସେପ୍ଟେମ୍ବରକୁ ଆରମ୍ଭ ହେବାକୁ ଥିବା ଆଇପିଏଲ ପାଇଁ ମଙ୍ଗଳବାରକୁ ୟୁଏଇ ପହଞ୍ଚି ସାରିଛନ୍ତି ।

ଦକ୍ଷିଣ ଆଫ୍ରିକାର ପୂର୍ବ କ୍ୟାପଟେନ୍ ଡୁ ପ୍ଲେସିସ ଏବଂ ଏନଗିଡ଼ି ସିଏସକେରେ ଥିବାବେଳେ ରବାଡ଼ା ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଅଛନ୍ତି । ଏହି ଦୁଇ ଫ୍ରାଞ୍ଚାଇଜ୍ ନିଜର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ତିନି ଖେଳାଳୀଙ୍କ ଫଟୋ ଶେୟାର କରିଛନ୍ତି । ତିନି ଖେଳାଳୀଙ୍କୁ ୬ ଦିନ ଧରି ସଙ୍ଗରୋଧରେ ରହିବାକୁ ପଡ଼ିବ । ଏହା ସହିତ ତୃତୀୟ ଏବଂ ଷଷ୍ଠ ଦିନରେ କରୋନା ପରୀକ୍ଷା ହେବ । ତିନିଜଣଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନେ ଅଭ୍ୟାସ ଆରମ୍ଭ କରିପାରିବେ ।

ଭଲ ବର୍ଷା ଆଣିଥିଲା ଅନେକ ସ୍ୱପ୍ନ, ଉଜାଡ଼ି ଦେଲା ସାର କଳାବଜାରୀ

ଧର୍ମଗଡ଼: ଚାଷୀଙ୍କ ଚିନ୍ତା ବଢାଇଛି ସାର । ଏ ବର୍ଷ ରାଜ୍ୟ ଭଲ ବର୍ଷା ହୋଇଛି । ଭଲ ଚାଷ ହେବା ଖୁସିରେ ବିଲରେ ଧାନ ରୋଇଥିଲେ ଚାଷୀ । ବର୍ଷା ପରେ ଜମିରେ ଚାଷ ପାଇଁ ଚାଷୀ ଅଣ୍ଟା ଭିଡିଥିଲେ । କିନ୍ତୁ ଏବେ ବୋଧେ ଭଲ ଚାଷ ହେବା ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଯିବ । କାରଣ ୟୁରିଆର ଅଭାବ ଚାଷୀଙ୍କୁ ଅଡୁଆରେ ପକାଇଛି । ସବୁଠାରୁ ବଡ଼ କଥା ହେଉଛି ଚାଷୀଙ୍କୁ ୟୁରିଆ ମିଳୁନଥିବା ବେଳେ ୟୁରିଆ କଳାବଜାରୀ କିନ୍ତୁ ଜୋର ସୋରରେ ଚାଲିଛି । ଏଭଳି କିଛି ସ୍ଥିତି କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି । ଏଭଳି ଅଭିଯୋଗ ଆସିଛି ଜୁନାଗଡ଼ ବ୍ଲକ୍ ମିଚା ଗାଁରୁ । ଜଣେ ଛାତ୍ରଙ୍କ ନାଁ ରେ ସାର କଳାବଜାରୀ କରୁଛନ୍ତି ବିକ୍ରେତା  ।

ଏମିତି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାରେ । ଜିଲ୍ଲାର ଜୁନାଗଡ ଥାନା ମୀଚା ଗାଁ ର ପରମେଶ୍ଵର ସରାଫ । ସେ ସ୍ଥାନୀୟ ଚିଚେଇଗୁଡ଼ା ମହାବିଦ୍ୟାଳୟ ଯୁକ୍ତ ଦୁଇ କଳାର ଦ୍ଵିତୀୟ ବର୍ଷର ଛାତ୍ର  । ତାଙ୍କ ନାଁ ରେ ହୋଇଛି ସାର କଳା ବଜାରୀ  । ସେ ୮୦ ବସ୍ତା ୟୁରିଆ ନେଇଥିବା ସେହି ଗାଁର ଡମ୍ବରୁ ଧର ସରାଫ ନାମକ ଜଣେ ବିକ୍ରେତା ଦର୍ଶାଇଛନ୍ତି । ଜୁନାଗଡ ଅଞ୍ଚଳରେ ଚାଷୀଙ୍କୁ ଆବଶ୍ୟକ ପରିମାଣ ସାର ମିଲିପାରୁ ନାହିଁ ।

କଳାବଜାରୀ କରି ଏହାର ଫାଇଦା ଉଠାଉଛନ୍ତି ବିକ୍ରେତା । ତେବେ ଏହି ଘଟଣା ଜଣା ପଡିବା ପରେ ଭୁଲରେ ଏପରି ହୋଇଥିବା ବିକ୍ରିତା କହିଛନ୍ତି । ସେପଟେ  ୨୧ଦିନ ପାଇଁ ବିକ୍ରେତାଙ୍କୁ ନିଲମ୍ବିତ କରାଯାଇ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି ଜିଲ୍ଲା କୃଷି ଅଧିକାରୀ  । ୟୁରିଆର ଅଭାବ ଯୋଗୁଁ ଚାଷୀଙ୍କ ଚିନ୍ତା ବଢିଥିବାବେଳେ ବିକ୍ରିତାଙ୍କ କଳାବଜାରୀ ପ୍ରଶାସନକୁ ଅଡୁଆରେ ପକାଇଛି ।

AGR Case : ୧୦ ବର୍ଷରେ ବକେୟା ସୁଝିବେ ସବୁ ଟେଲିକମ୍ ସଂସ୍ଥା, ଜାଣନ୍ତୁ ଭୋଡାଫୋନ୍ ଓ ଏୟାରଟେଲ ଉପରେ କେତେ ବାକି ?

0

ନୂଆଦିଲ୍ଲୀ : ସୁପ୍ରିମ୍ କୋର୍ଟର ଶୁଣାଣି ଅନୁଯାୟୀ ଆସନ୍ତା ୧୦ ବର୍ଷ ମଧ୍ୟରେ ଭାରତରେ ସେବା ଯୋଗାଉଥିବା ଟେଲିକମ୍ୟୁନିକେସନ ସଂସ୍ଥା  ନିଜ ନିଜର ଏଜିଆର ବକେୟା ରାଶି ପଇଠ କରିବେ । ତେବେ  କିସ୍ତିରେ ବକେୟା ପଇଠ କରିବାର ସମୟସୀମା ଏପ୍ରିଲ ୧, ୨୦୨୧ରୁ ଆରମ୍ଭ ହେବ । ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛି । ତେବେ ଆସନ୍ତା ୧୦ ବର୍ଷ ମଧ୍ୟରେ ପ୍ରତିବର୍ଷ ଫେବୃଆରୀ ୭ ତାରିଖ ମଧ୍ୟରେ ଟେଲିକମ୍ ସଂସ୍ଥାକୁ ନିଜ ନିଜର ବକେୟା ରାଶି କିଛି ଅଂଶ ପଇଠ କରିବାକୁ ପଡ଼ିବ । ଅର୍ଥାତ୍ ନିଜ ମନ ମୁତାବକ କିସ୍ତିରେ ସଂସ୍ଥମାନେ କେନ୍ଦ୍ର ସରକାରଙ୍କ ବକେୟା ସୁଝିପାରିବେ । ତେବେ କିସ୍ତି ପ୍ରକ୍ରିୟାକୁ ଆସିବା ପୂର୍ବରୁ ଏଜିଆର ରାଶିର ୧୦ ପ୍ରତିଶତ ପ୍ରଥମେ ସୁଝିବା ଆବଶ୍ୟକ । ଅର୍ଥାତ୍ ଯେଉଁ ସଂସ୍ଥା ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ଅତିକମରେ ୧୦ ପ୍ରତିଶତର ଏଜିଆର ରାଶି ସୁଝିପାରିନଥିବ, ଉକ୍ତ ସଂସ୍ଥାକୁ ସୁପ୍ରିମ୍ କୋର୍ଟର ଏହି କିସ୍ତି ଭିତ୍ତିକ ବକେୟା ପରିଶୋଧ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ ।

ଏଜିଆର୍ କ’ଣ ?

୧୯୯୪ ମସିହାରେ କେନ୍ଦ୍ର ସରକାର ଦେଶରେ ଟେଲିକମ୍ ସେକ୍ଟରକୁ  ବିତ୍ତୀୟ ଉଦାରୀକରଣ ନୀତି ମଧ୍ୟରେ ସାମିଲ କରିଥିଲେ । ଯାହା ଫଳରେ ଅନେକ ଆନ୍ତର୍ଜାତିକ ସଂସ୍ଥା ସମୟକ୍ରମେ ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଖରେ ପହଞ୍ଚିବା ସହଜ ହୋଇଥିଲା । ତେବେ ପ୍ରତିବଦଳରେ ଭାରତ ସରକାରଙ୍କ ସହ ସମ୍ପୃକ୍ତ ସଂସ୍ଥାକୁ ଚୁକ୍ତି କରିବାକୁ ପଡ଼ିଥାଏ । ମୋଟାମୋଟୀ ଭାବେ ସରକାର କିଭଳି ଭାବେ ଦେଶର ଉଦାରୀକରଣ ଦ୍ୱାରା ଲାଭବାନ ହୋଇପାରିବେ ତାହା ହିଁ ଏହି ଚୁକ୍ତିର ଉଦ୍ଦେଶ୍ୟ  । ଚୁକ୍ତିରେ ଏଜିଆର ଶଦ୍ଦର ବ୍ୟବହାର ହୋଇଥାଏ । ଏଜିଆର୍ କିମ୍ୱା ଆଡଜଷ୍ଟେଡ୍ ଗ୍ରସ୍ ରେଭେନ୍ୟୁ ଆଧାରରେ ଟେଲିକମ୍ ସଂସ୍ଥା ସରକାରଙ୍କୁ ନିଜ ଲାଭାଂଶର କିଛି ଅଂଶ ପଇଠ କରନ୍ତି । ଏହି ସଂସ୍ଥା ଭାରତରେ ଏକ ବଜାର ପାଇଥିବା ଓ ବ୍ୟାପାର କରିବାର ସୁଯୋଗ ପାଇଥିବା ହେତୁ ସରକାର ସେମାନଙ୍କଠାରୁ ଅର୍ଥରାଶି ଆଦାୟ କରନ୍ତି । ତେବେ ଏଜିଆରକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇ ସରକାରଙ୍କୁ ଅର୍ଥ ପଇଠ କରାଯାଏ । ପ୍ରଥମତଃ, ବାର୍ଷିକ ଲାଇସେନ୍ସ ଫି’ ଓ ଅନ୍ୟଟି କେନ୍ଦ୍ର ସରକାରଙ୍କ ସ୍ପେକଟ୍ରମ୍ ବ୍ୟବହାର ଅର୍ଥ ରାଶି । ସରକାରଙ୍କ ତରଫରୁ ଏହି ସଂସ୍ଥାକୁ ଉଭୟ ସ୍ପେକଟ୍ରମ୍ ଓ ଲାଇସେନ୍ସ ପ୍ରଦାନ କରାଯାଇଥାଏ । ପ୍ରତିବଦଳରେ ଟେଲିକମ୍ ସଂସ୍ଥା ସରକାରଙ୍କୁ ଚୁକ୍ତି ନିର୍ଦ୍ଧାରିତ ଅର୍ଥ ପଇଠ କରନ୍ତି । ତାହା ହିଁ ଏଜିଆର୍  । ଆମ ଦେଶର ଜାତୀୟ ଟେଲିକମ୍ ପଲିସି-୧୯୯୪ ଅନୁଯାୟୀ ପ୍ରତି ଟେଲିକମ୍ ସଂସ୍ଥା ସରକାରଙ୍କୁ ଲାଇସେନ୍ସ ଫି’ ବାବଦକୁ ଲାଭାଂଶର ୮ ପ୍ରତିଶତ ଓ ସ୍ପେକଟ୍ରମ୍ ବ୍ୟବହାର ବାବଦକୁ ୩ରୁ ୫ ପ୍ରତିଶତ ସରକାରଙ୍କୁ ଦେବାର ପ୍ରାବଧାନ ରହିଛି ।

ଏଜିଆରକୁ ନେଇ ଦେଶରେ ସମସ୍ୟା କ’ଣ ?

କେନ୍ଦ୍ର ଟେଲିକମ୍ୟୁନିକେସନ୍ ମନ୍ତ୍ରାଳୟ ଅନୁଯାୟୀ କେନ୍ଦ୍ର ସରକାର ଭିନ୍ନ ଭିନ୍ନ ଟେଲିକମ୍ ସଂସ୍ଥାଠାରୁ ୧ଲକ୍ଷ ୯୨ ହଜାର ୨୯୨ କୋଟି ଟଙ୍କାର ବକେୟା ରାଶି ଫେରସ୍ତ ପାଇବାର ଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଟେଲିକମ୍ ସଂସ୍ଥା ୨୫ ହଜାର ୮୯୬ କୋଟି ଟଙ୍କା ସରକାରଙ୍କୁ ଫେରସ୍ତ କରିଛନ୍ତି । ତେବେ ଏତେ ମାତ୍ରର ରାଶି ୨୦ ବର୍ଷରୁ ଅଧିକ ସମୟ ଧରି ବକେୟା ପଡ଼ିରହିଥିବାରୁ କେନ୍ଦ୍ର ଟେଲିକମ୍ୟୁନିକେସନ ବିଭାଗ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା । ପ୍ରତିକ୍ରିୟାରେ ସମସ୍ତ ଟେଲିକମ୍ୟୁନିକେସନ୍ ସଂସ୍ଥା ସୁପ୍ରିମ କୋର୍ଟର ପାଖରେ ନିଜ ନିଜ ଗୁହାରି ଶୁଣାଇଥିଲେ । ତେବେ ପ୍ରାୟ ସମସ୍ତେ ଅଧିକରୁ ଅଧିକ ସମୟ ମାଗିଥିବା ବେଳେ ଭୋଡ଼ାଫୋନ୍ ଓ ଭାରତୀ ଏୟାରଟେଲ୍ ଭଳି ସଂସ୍ଥା ବକେୟା ରାଶି ସୁଝିବା ପାଇଁ ୧୫ ବର୍ଷ ସମୟ ମାଗିଥିଲେ । ଗତ ୨୦୧୯ ଅକ୍ଟୋବର ମାସରେ ସୁପ୍ରିମ କୋର୍ଟ ଏହି ଘଟଣାରେ ଶୁଣାଣି କରି ଟେଲିକମ୍ ସଂସ୍ଥାକୁ ଟଙ୍କା ପଇଠ କରିବାକୁ କହିଥିଲେ ମାତ୍ର ଟେଲିକମ୍ ସଂସ୍ଥାଗୁଡ଼ିକ ଟଙ୍କା ଦେବାର ଅସମର୍ଥ ଥିବା ଜାନୁଆରୀ ୨୦୨୦ରେ ଜଣାଇଥିଲେ । କାରଣ ଦର୍ଶାଇ କହିଥିଲେ ଯେ  ଏତେ ପରିମାଣର ଅର୍ଥ ଏତେ କମ୍ ସମୟ ମଧ୍ୟରେ ଦେଲେ ସଂସ୍ଥା ଦେବାଳିଆ ହେବାର ସମ୍ଭାବନ ରହିଛି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଆଜି ମାମଲାର ଶୁଣାଣି କରି ଟେଲିକମ୍ ସଂସ୍ଥାକୁ ୧୦ ବର୍ଷର ସମୟ ସୀମା ଦେଇଛନ୍ତି । କିସ୍ତି ଭିତ୍ତିରେ ଟେଲିକମ୍ ସଂସ୍ଥା ଅର୍ଥ ପଇଠ କରିପାରିବେ ।

କେଉଁ ସଂସ୍ଥା ଉପରେ କେତେ ବାକି ?

ଭୋଡାଭୋନ୍-ଆଇଡିଆ ଟେଲିକମ୍ ସଂସ୍ଥା ଉପରେ ୫୦ ହଜାର କୋଟି ଟଙ୍କାର ବାକି ରହିଥିବା ବେଳେ ଭାରତୀ ଏୟାରଟେଲ୍ ୨୬ ହଜାର କୋଟି ଟଙ୍କାର ବକେୟା ରାଶି ସୁଝିବ । ସେହିଭଳି ଅନେକ ଛୋଟ ଛୋଟ ଟେଲିକମ୍ ସଂସ୍ଥା ଉପରେ ମଧ୍ୟ ବକେୟା ରହିଛି । ଏମାନେ ଆଗାମୀ ୧୦ ବର୍ଷ ମଧ୍ୟରେ ସରକାରଙ୍କୁ ଅର୍ଥରାଶି ପଇଠ କରିବେ । ଅନ୍ୟପକ୍ଷରେ ଅର୍ଥ ବ୍ୟତୀତ ଅନ୍ୟ ସମ୍ୱଳ ମାଧ୍ୟମରେ ବିଭିନ୍ନ ସଂସ୍ଥା ବାକି ସୁଝିବାକୁ ଆଗ୍ରହୀ ଥିବା ବେଳେ ସରକାର ଏହାକୁ ଗ୍ରହଣ କରିବେ କି ନାହିଁ- ସେ ନେଇ କୌଣସି ବିଚାର ହୋଇନାହିଁ । ଖୁବ୍ ଶୀଘ୍ର ଏନେଇ ବିଚାର ହେବ ।

ଲଭ୍‌ ସେକ୍ସ ଆଉ ଧୋକା : କନଷ୍ଟେବଳଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପ୍ରେମିକା

ବଣାଇଁ: ପୁଣି ଖାକିରେ ଲାଗିଲା ଦାଗ । ପ୍ରଥମେ ପ୍ରେମ ଓ ତା’ପରେ ପ୍ରତାରଣା । ଏଭଳି କିଛି ସାଂଘାତିକ ଅଭିଯୋଗ ଆସିଛି ଜଣେ ପୋଲିସ କନେଷ୍ଟବଲଙ୍କ  ବିରୋଧରେ । । ବିବାହ ପାଇଁ ପ୍ରଥମେ ପ୍ରଲୋଭନ ଦେଖାଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ତେବେ ମହିଳା ବିବାହ କରିବାକୁ କହିବାରୁ କନଷ୍ଟେବଳ ଜଣଙ୍କ ମନା କରିଦେଇଥିଲେ । ପରେ ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ଦୁଷ୍କର୍ମର ସାଙ୍ଘାତିକ ଅଭିଯୋଗ ଓଡିଶା ସଶସ୍ତ୍ର ପୋଲିସ ବଳ କନଷ୍ଟେବଳଙ୍କ ନାଁରେ ହୋଇଛି ।

ସୂଚନା ଅନୁଯାୟୀ, ମହିଳା ତାଙ୍କ ନାନୀଙ୍କ ଗାଁକୁ ଯାଇଥିବା ବେଳେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ । ପ୍ରେମ ପରେ ମହିଳାଙ୍କ ଅନିଚ୍ଛା ସତ୍ତ୍ୱେ ଶାରୀରିକ ସମ୍ପର୍କ ରଖିଥିଲେ ପୋଲିସ ବାବୁ । ବଣାଇଁ ଉପଖଣ୍ଡର ଟିକାୟତପଲ୍ଲୀ ଥାନା ଅଞ୍ଚଳର ଯୁବତୀ ଜଣଙ୍କ ଏନେଇ ଅଭିଯୋଗ କରିଛନ୍ତି । ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ରଖିଲେ । କିନ୍ତୁ ବିବାହ କଥା ଉଠାଇଲେ କୌଣସି ନା କୌଣସି ବାହାନା କରି କଥାକୁ ଟାଳି ଦେଉଥିଲେ । ଖାଲି ସେତିକି ନୁହେଁ ଶାରୀରିକ ସମ୍ପର୍କ ପରେ ମହିଳା ଗର୍ଭବତୀ ହେବା ପରେ ଗର୍ଭକୁ ମଧ୍ୟ ନଷ୍ଟ କରିଥିଲେ ଅଭିଯୁକ୍ତ କନଷ୍ଟେବଳ ।

ତେବେ ଗର୍ଭ ନଷ୍ଟ କରିବା ପରେ ଏବେ ପ୍ରତାରଣା ଦେବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ମହିଳା । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି l ଅଭିଯୁକ୍ତ କନେଷ୍ଟବଳ ଜଣଙ୍କ ହେଉଛନ୍ତି ମହୁଲପଦା ଥାନା ଝିଙ୍କନଳୀ ଗାଁର ଲକ୍ଷ୍ମଣ ମୁଣ୍ଡାରୀ । ସେ ଏବେ ରାଉରକେଲାରେ କାର୍ଯ୍ୟରତ ଅଛନ୍ତି । ତେବେ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଅଭିଯୋଗକାରିଣୀଙ୍କ ଡାକ୍ତରୀ ମଇନା ନିମନ୍ତେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି ।

ଚୀନ ପାଇଁ ଆମେରିକାର ମାଷ୍ଟର ପ୍ଲାନ, ଏହି ଦେଶ ମାନଙ୍କ ସହିତ ମିଶି ଆରମ୍ଭ କରିବ ନାଟୋ ଭଳି ସଙ୍ଗଠନ

ଓ୍ୱାଶିଂଟନ୍: ଦକ୍ଷିଣ ଏସିଆ ଏବଂ ଦକ୍ଷୀଣ ଚୀନ ସାଗରରେ ଚୀନର ଦାଦାଗିରି ବିରୁଦ୍ଧରେ ଆମେରିକା ନିଜର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିସାରିଲାଣି । ଆମେରିକା ଇଣ୍ଡୋ-ପେସିଫିକ କ୍ଷେତ୍ରରେ ଭାରତ,ଜାପାନ ଏବଂ ଅଷ୍ଟ୍ରେଲିଆକୁ ନେଇ North Atlantic Treaty Organization ବା ନାଟୋ ଭଳି ଏକ ସଙ୍ଗଠନ ଗଠନ କରିବାକୁ ଚାହୁଁଛି । ଚୀନକୁ ଲଗାମ ଦେବା ପାଇଁ  ନାଟୋ ଭଳି ଏକ ମହାସନ୍ଧିର ଆବଶ୍ୟକତା ରହିଛି ବୋଲି ଅନୁଭବ କରୁଛି ଆମେରିକା । ଆମେରିକାର ଉପ ବୈଦେଶିକ ମନ୍ତ୍ରୀ ଷ୍ଟିଫେନ ବିଗନ ସୋମବାର ଦିନ କହିଛନ୍ତି କି, ଖୁବଶୀଘ୍ର ଏହି ୪ ଦେଶର ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇପାରେ । ଉକ୍ତ ବୈଠକରେ ପ୍ରସ୍ତାବିତ ସଙ୍ଗଠନ ଏବଂ ସୈନ୍ୟ ସହଯୋଗକୁ ନେଇ ଆଲୋଚନା କରାଯିବ । ବିଗନ ୟୁଏସ ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରଶିପ ଫୋରମରେ ଆମେରିକାର ଲକ୍ଷ୍ୟ ବିଷୟରେ ନିଜର ମତ ପ୍ରକାଶ କରିଛନ୍ତି । ତାଙ୍କ କହିବାନୁଯାୟୀ ଏହି ଚାରି ଦେଶଙ୍କୁ ମିଶି ଚୀନକୁ ସାମ୍ନା କରିବାକୁ ପଡ଼ିବ । ସୂଚନାଯୋଗ୍ୟ ବିଗନ ଭାରତରେ ଆମେରିକାର ପୂର୍ବ ରାଷ୍ଟ୍ରଦୂତ ରିଚାର୍ଡ଼ ବର୍ମାଙ୍କ ସହିତ ଅନଲାଇନରେ ଆଲୋଚନା କରୁଥିଲେ ।

ନାଟୋ ଭଳି ସଙ୍ଗଠନର ଆବଶ୍ୟକତା

ବିଗନ କହିଛନ୍ତି କି ଇଣ୍ଡୋ ପେସିଫିକ କ୍ଷେତ୍ରରେ ମଜବୁତ ସ୍ଥିତିର ଆବଶ୍ୟକତା ରହିଛି । ତାଙ୍କ ନିକଟରେ ନାଟୋ କିମ୍ବା ଇଉରୋପୀୟ ୟୁନିଅନ ଭଳି ମଜବୁତ ମେଣ୍ଟ ନାହିଁ । ଏକଦା ନାଟୋରେ ସାମିଲ  ହେବାକୁ ଅନେକ ଦେଶ ନାପସନ୍ଦ କରୁଥିଲେ । କିନ୍ତୁ ପରେ ଅନେକ ଦେଶ ଏଥିରେ ସାମିଲ ହୋଇଥିଲେ ।  ଏହି ମହା ଚୁକ୍ତି ସେତେବେଳେ ସମ୍ଭବ ଯେତେବେଳେ ଅନ୍ୟ ଦେଶ ଗୁଡ଼ିକ ଆମେରିକା ଭଳି ଦୃଢ ପ୍ରତିବଦ୍ଧ ହେବେ । ବିଗନ ଏହା ମଧ୍ୟ କହିଛନ୍ତି କି ମାଲବାର ନାଭାଲ ଏକ୍ସରସାଇଜରେ ଅଷ୍ଟ୍ରେଲିଆର ଭାଗ ନେବା ପ୍ରତିରକ୍ଷା ଦୀଗରେ ଏକ ବଡ ପଦକ୍ଷେପ ।

ଗଣମାଧ୍ୟମର ଖବର ଅନୁସାରେ ଭାରତ ସ୍ପଷ୍ଟ ଭାବରେ ମାଲାବାର ନାଭାଲ ଏକ୍ସରସାଇଜରେ ଅଷ୍ଟ୍ରେଲିଆର ସାମିଲ ହେବାକୁ ନେଇ ସଙ୍କେତ ଦେଉଛି । ବିଗନ କହିଛନ୍ତି କି Quadrilateral Security Dialogueର ଦେଶ ଗୁଡ଼ିକ ସହିତ ଭିଏତନାମ, ସାଉଥ କୋରିଆ ଏବଂ ନ୍ୟୁଜିଲ୍ୟାଣ୍ଡକୁ ସାମିଲ କରାଯାଉ । ତେବେ ଏଥିରେ ପୂର୍ବରୁ ଭାରତ,ଜାପାନ,ଅଷ୍ଟ୍ରେଲିଆ ଏବଂ ଆମେରିକା ସାମିଲ ଅଛନ୍ତି । ଏହାର ଲକ୍ଷ୍ୟ ଇଣ୍ଡୋ-ପେସିଫିକ କ୍ଷେତ୍ରରେ ଶାନ୍ତି ବଜାୟ ରଖିବା ।

ସୂଚନାଯୋଗ୍ୟ ମାଲାବାର ନାଭାଲ ଏକ୍ସରସାଇଜ ୧୯୯୨ରେ ଭାରତ ଓ ଆମେରିକା ମଧ୍ୟରେ ଆରମ୍ଭ ହୋଇଥିଲା । ପରେ ୨୦୧୫ରେ ଏଥିରେ ଜାପାନ ସାମିଲ ହେଲା । ୨୦୦୭ରେ ଥରେ ଅଷ୍ଟ୍ରେଲିଆ ଏଥିରେ ଭାଗୀଦାର ହୋଇଥିଲା । କିନ୍ତୁ ପରେ ଏଥିରୁ ଓହରି ଯାଇଥିଲା । ୨୦୦୭ରେ ସିଙ୍ଗାପୁର ମଧ୍ୟ ସାମିଲ ହୋଇଥିଲା । ଚଳିତ ଖବର ଅନୁସାରେ ଏବେ ପୁଣିଥରେ ଅଷ୍ଟ୍ରେଲିଆ ଏଥିରେ ସାମିଲ ହେବାପାଇଁ ଇଛା ପ୍ରକାଶ କରିଛି ।

ଛୁଟିରେ ଘରକୁ ଆସି ବିଷ ପିଇଁ ଆତ୍ମହତ୍ୟା କଲେ ଯବାନ

ଭୁବନେଶ୍ୱର: ବିଷ ପିଇ ଆତ୍ମହତ୍ୟା କଲେ ଯବାନ । ଘରକୁ ଆସିଥିବା ବେଳେ ରାତିରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ ଜଣଙ୍କ ହେଉଛନ୍ତି ବାରଙ୍ଗ ଥାନା ଗୋଡ଼ିସାହି ନରାଜମାର୍ଥାପୁର ପଞ୍ଚାୟତ ତଳଗଡ଼ ଗାଁର । ସେହି ଗାଁର ଭଗବାନ ସାହୁଙ୍କ ସାନ ପୁଅ ହେଉଛନ୍ତି ମୃତ ଲୋକନାଥ ସାହୁ । ସେ ଓଏସଏପି ବାଟାଲିୟନରେ କାର୍ଯ୍ୟରତ ଥିଲେ । କିନ୍ତୁ ତାଙ୍କର କିଛିଦିନ ତଳେ କେନ୍ଦୁଝରରେ ପୋଷ୍ଟିଙ୍ଗ ହୋଇଥିଲା । ତେବେ ବୁଲିବା ପାଇଁ ୪ ଦିନ ତଳେ ସେ ଘରକୁ ଫେରିଥିଲେ । ହେଲେ ସୋମବାର ରାତ୍ରିରେ ସମସ୍ତେ ଖାଇ ପିଇ ଶୋଇଗଲାପରେ ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।

ସେପଟେ ଖବର ପାଇ ଗୋଡ଼ିସାହି ଫାଣ୍ଡି ଅଧିକାରୀ ସୁବାସ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି । ତେବେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣା ଉପରେ ତାର ପ୍ରାଥମିତ ତଦନ୍ତ ଆରମ୍ବ କରିଛି । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ସେନେ ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।

ବ୍ରିଟିଶ ପୋଲିସର ତଲାସୀ ନେଇଥିବା ସେହି ପିଲା, ଯିଏ ପରେ ହୋଇଥିଲେ ଦେଶର ପ୍ରଥମ ନାଗରିକ

ନୂଆଦିଲ୍ଲୀ: ଚାଲି ଯାଇଛନ୍ତି ପ୍ରଣବ ମୁଖାର୍ଜୀ । ସେ  ନିଜ ସହ ଭାରତର ରାଜନୀତିରେ କେତେକ କାହାଣୀକୁ ନେଇ ମଧ୍ୟ ଚାଲି ଯାଇଛନ୍ତି ।  ୧୯୩୫ ମସିହା ଡିସେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିବା ପ୍ରଣବ ଦେଖିଥିଲେ ପରାଧୀନ ଭାରତର ସଂଘର୍ଷ, ସ୍ୱାଧୀନତା ପାଇଁ ଆନ୍ଦୋଳନ । ଭାରତ ସ୍ୱାଧୀନ ହେବା ପରେ ବାଳକ ମୁଖାର୍ଜୀ (ପୋଲ୍ଟୁ) ମଧ୍ୟ ଦେଖିଥିଲେ ଦେଶ କଡ଼ ଲେଉଟାଇବାର ଦୃଶ୍ୟ । ଯୁବକ ହେଉ ହେଉ ପ୍ରଣବ ନିଜେ ଭାରତର ବିକାଶ ଯାତ୍ରାରେ ସାମିଲ୍ ହୋଇଥିଲେ । ପରେ ଶିଖିଥିଲେ ରାଷ୍ଟ୍ରନୀତି ଓ ଏଥିରେ ପାରଙ୍ଗମ ହୋଇଥିଲେ । ଦିଲ୍ଲୀରେ କଂଗ୍ରେସ ଓ ସରକାର ପାଇଁ ସଂକଟମୋଚକ କୁହାଯାଉଥିବା ପ୍ରଣବ ନିଜ ଘର ଚିନ୍ତାରୁ କେବେ ମୁକୁଳି ପାରୁନଥିଲେ ।

ଭଉଣୀ… ଖୁବ୍ ଥଣ୍ଡା ପଡ଼ୁଛି

ଜାନୁଆରୀ ମାସର ଏକ ଶୀତୁଆ ରାତିରେ ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲାର ୮୨ ବର୍ଷୀୟ ଅନ୍ନପୂର୍ଣ୍ଣ ବାନାର୍ଜୀଙ୍କ ଘର ଫୋନ୍ ଘଣ୍ଟି ବାଜିଥିଲା । ଅନ୍ନପୂର୍ଣ୍ଣା ଆନମନା ହୋଇ ଫୋନ୍ ଉଠାଇଥିଲେ ତ ଶୁଣିଲେ ‘ମୁଁ ଟିଭିରେ ଦେଖିଲି, ଖୁବ୍ ଥଣ୍ଡା ପଡ଼ୁଛି, ତୁମେ ଠିକ୍ ଅଛ ତ ।’ ଏହି ବୟସ୍କ ମହିଳାଙ୍କ ଖବର ନେବା ପାଇଁ ଫୋନରେ ଥିଲେ ପ୍ରଣବ ମୁଖାର୍ଜୀ । ଯିଏ କି ନିଜ ବଡ଼ ଭଉଣୀର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଥିଲେ ।

ପାଲିଙ୍କି ପଛରେ ଦୌଡ଼ିଥିଲେ

୨୦୧୨ ମସିହାରେ ୮୨ ବର୍ଷୀୟ ଅନ୍ନପୂର୍ଣ୍ଣ ମୁଖାର୍ଜୀ ପୁରୁଣା ସ୍ମୃତିକୁ ମନେ ପକାଇ କହିଥିଲେ । ପ୍ରଣବ ୮ ବର୍ଷର ଥିବାବେଳେ ମୋର ବିବାହ ହୋଇଥିଲା । ସେତେବେଳେ ମୋତେ ପାଲିଙ୍କିରେ ଶାଶୂଘର ନେବା ବେଳେ ପୋଲ୍ଟୁ ପଛେ ପଛେ ଧାଇଁଥିଲା । ପୁଣି ଯେତବେଳେ ସପ୍ତାହ ପରେ ସେ ମିରାତି ଫେରିଥିଲେ ପ୍ରଣବ ତାଙ୍କ ପାଇଁ ଶାଳ ପତ୍ରରେ ମିଠେଇ ଲୁଚାଇ ରଖିଥିଲେ । ଯେଉଁଥିରେ ପିମ୍ପୁଡ଼ି ଲାଗି ଯାଇଥିଲା । ଯାହାକୁ ଦେଖି ଭାବବିହ୍ୱଳ ହୋଇଯାଇଥିଲେ ଅନ୍ନପୂର୍ଣ୍ଣା । ଚଳିତବର୍ଷ ଜାନୁଆରୀରେ ଅନ୍ନପୂର୍ଣ୍ଣାଙ୍କ ଦେହାନ୍ତ ହୋଇଥିଲା ।

ଘରୁ ହିଁ ରାଜନୀତି ଶିଖିଥିଲେ ପ୍ରଣବ । ପ୍ରଣବଙ୍କ ପିତା କାମଦା କିଂକର ମୁଖାର୍ଜୀ ବୀରଭୂମ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ଥିଲେ । ଏହାବ୍ୟତୀତ ସେ ୧୯୫୨ରୁ ୧୯୬୪ ମସିହା ମଧ୍ୟରେ ପଶ୍ଚିମବଙ୍ଗ ବିଧାନ ପରିଷଦର ସଦସ୍ୟ ରହିଥିଲେ ।

ପ୍ରଣବ ମୁଖାର୍ଜୀଙ୍କ ପୈତୃକ ଗାଁରେ ତାଙ୍କ ପଡ଼ୋଶୀ ଧନପତି ଚୌଧୁରୀ କୁହନ୍ତି- ମୁଖାର୍ଜୀଙ୍କ ପୈତୃକ ଘର ରାଜନୈତିକ ଗତିବିଧିର କେନ୍ଦ୍ର ପାଲଟିଥିଲା । ଧନପତି ସେତେବେଳେ ତାଙ୍କ ସାଙ୍ଗ ବାଦଲ ଓ କୀର୍ତ୍ତିଙ୍କ ସାଙ୍ଗେ ପୋଲ୍ଟୁଙ୍କ ସହ ଘଣ୍ଟା ଘଣ୍ଟା ବିତାଉଥିଲେ ଓ ରାଜନୈତିକ ଚର୍ଚ୍ଚା ମଧ୍ୟ କରୁଥିଲେ ।

୭ ବର୍ଷର ପ୍ରଣବ ବ୍ରିଟିଶ୍ ପୋଲିସର ଯାଞ୍ଚ କରିଥିଲେ

ପ୍ରଣବ ମୁଖାର୍ଜୀଙ୍କ ପିଲାଦିନ ପରାଧୀନ ଭାରତରେ କଟିଥିଲା । ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନ ବେଳେ ପ୍ରଣବଙ୍କ ବାପା ଜେଲରେ ଥିଲେ । ସେହି ସମୟରେ ବ୍ରିଟିଶ୍ ପୋଲିସର ଦୁଇ ଜଣ କନେଷ୍ଟବଳ ପ୍ରଣବ ମୁଖାର୍ଜୀଙ୍କ ଘରେ ଯାଞ୍ଚ ପାଇଁ ପହଞ୍ଚିଥିଲେ । ସେତେବେଳେ ୭ ବର୍ଷର ହୋଇଥିବା ପ୍ରଣବ ଡରି ନଯାଇ ଘରେ ପୋଲିସକୁ ପଶିବାକୁ ଦେଇନଥିଲେ । ବରଂ ଘରେ ପଶି ଯାଞ୍ଚ ପୂର୍ବରୁ ସେମାନଙ୍କ ତଲାସି ହେବ ବୋଲି କହିଥିଲେ । ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଦୁଇ କନେଷ୍ଟବଳ । ସେମାନେ ପଚାରିଥିଲେ- ତୁମେ ଏମିତି କାହିଁକି କରିବାକୁ ଚାହୁଁଛ, ଆଉ ଏତେ ଛୋଟ ପିଲା ୬ ଫୁଟର କନେଷ୍ଟବଳଙ୍କ ଯାଞ୍ଚ କେମିତି କରିବ । ପ୍ରଣବ କହିଥିଲେ- ଆପଣ ମୋତେ କାଖ କରନ୍ତୁ,ମୁଁ ତଲାସି ନେବି । ଏମିତି ପୋଲ୍ଟୁ ଦୁଇ କନେଷ୍ଟବଳଙ୍କ ତଲାସି ନେଇଥିଲେ ।

ପ୍ରକୃତରେ ସ୍ୱାଧୀନତା ଲଢ଼େଇ ବେଳେ ଲୋକଙ୍କୁ ଫସାଇବା ପାଇଁ ଇଂରେଜ ପୋଲିସ ଘରକୁ ଯାଞ୍ଚ ପାଇଁ ଆସିବା ସହିତ ବ୍ରିଟିଶ୍ ଆଇନ୍ ନଜରରେ ଆପତ୍ତିଜନକ ହୋଇଥିବା ଦସ୍ତାବିଜ୍ ଆନ୍ଦୋଳକାରୀଙ୍କ ଘରେ ରଖି ଦିଅନ୍ତି । ପୋଲିସ ତାକୁ ଘରୁ ପାଇଥିବା ଦସ୍ତାବିଜ୍ ବତାଇବା ସହ ତାଙ୍କ ଉପରେ ମକଦ୍ଦମା ଚଳାଉ ଥିଲା । କାମଦା କିଂକର ମୁଖାର୍ଜୀ ଏହି କଥାକୁ ପିଲାଙ୍କୁ କହିଥିଲେ । ଯେବେ କେହି ପୋଲିସ ଘରକୁ ଯାଞ୍ଚ ପାଇଁ ଆସିବ ପ୍ରଥମ ତାକୁ ଯାଞ୍ଚ କରିବା ପରେ ଭିତରକୁ ଆସିବାକୁ ଦେବ ।

ବାପା ପଚାରିଥିଲେ ଅର୍ଥମନ୍ତ୍ରୀଙ୍କ କାମ କଣ ?

ପ୍ରଣବ ମୁଖାର୍ଜୀ ଯେତେବେଳେ ୧୯୮୨ ମସିହାରେ ପ୍ରଥମଥର ପାଇଁ ଦେଶର ଅର୍ଥମନ୍ତ୍ରୀ ହୋଇଥିଲେ ତ ବାପା ପଚାରିଥିଲେ- ପୁଅ, ଏହା ବିଷୟରେ କିଛି ଜାଣିଛ ? ଅନ୍ନପୂର୍ଣ୍ଣା ମୁଖାର୍ଜୀ ଏହି କଥାକୁ ମନେ ପକାଇ କୁହନ୍ତି- ପ୍ରଣବ ପିତାଙ୍କୁ ଏହି ପ୍ରଶ୍ନର ଉତ୍ତରର କହିଥିଲେ- ମୁଁ କାମ କରିଲେ ତ ଶିଖିବି, ମୋତେ ଜଣା ମାଆ ଘର କେମିତି ଚଳାନ୍ତି ।

ଅବଶୋଷରେ ରହୁଥିଲେ

ଦିଲ୍ଲୀ କଂଗ୍ରେସର ନେତା ଓ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ୨୦୧୨ରେ ପ୍ରଣବଙ୍କୁ ମନେ ପକାଇ କହିଥିଲେ- ତାଙ୍କ ମନରେ ସଦାବେଳେ ଅବଶୋଷ ରହୁଥିଲା… ବାପା ଯଦି ଟିକିଏ ଲମ୍ବା ହୋଇଥାନ୍ତେ । ଶର୍ମିଷ୍ଠା କୁହନ୍ତି- ବାପାଙ୍କୁ ନେଇ ମୋ ମନରେ ସଦାବେଳେ ଅବଶୋଷ ରହୁଥିଲା । ବାପା ଯଦି ଆଉ ଟିକିଏ ଲମ୍ବା ହୋଇଥାନ୍ତେ ତ ମୋ ପ୍ରତିଷ୍ଠା ଆଉ ଟିକିଏ କିଛି ଇଞ୍ଚ୍ ବଢ଼ି ଯାଇଥାନ୍ତା । ପରିପ୍ୱକ ହେବା ପରେ ଭାବିଲି ବ୍ୟକ୍ତିର ଉଚ୍ଚତା ଛୋଟ ହୋଇପାରେ, କିନ୍ତୁ ତାଙ୍କର ବ୍ୟକ୍ତିତ୍ୱ ଅନେକ ଗୁଣରେ ବଡ଼ । ଯଦି ମୁଁ ଜୀବନରେ ସେଇ ଉଚ୍ଚତାର ଟିକିଏ ବି ଅଂଶ ହୋଇପାରିବି ତ ଉପଲବ୍ଧି ଯେମିତି ହେବ । ସେତେବେଳେ ଯାଏଁ ମୋତେ ମୋର ପ୍ରତିବିମ୍ବରେ କାମ ଚଳାଇବାକୁ ପଡ଼ିବ ।

‘ବାପାଙ୍କଠୁ ପଇସା ନେବା ମୁସ୍କିଲ୍’

୨୦୧୨ ମସିହାରେ ଶର୍ମିଷ୍ଠା କହିଥିଲେ- ବାପା ଯଦିଓ ପାୱାରଫୁଲ ବ୍ୟକ୍ତି, କିନ୍ତୁ ଘରେ ତାଙ୍କର ନୀତି ଚାଲେନାହିଁ । ତାଙ୍କ ପରିବାର ଲୋକତାନ୍ତ୍ରିକ ଅଟେ । ସମସ୍ତେ ନିଜ ନିଜ କଥାକୁ ସ୍ୱାଧୀନତାର ସହ କୁହନ୍ତି ।

ସେ ଆହୁରି କହିଥିଲେ- ବାପାଙ୍କ ଠାରୁ ପଇସା ନେବା ବହୁତ ମୁସ୍କିଲ୍ କାମ । ଏଥିପାଇଁ କେତେଥର ଖୁସାମତ କରିବାକୁ ପଡ଼େ । ଏମିତି କାରଣ ଦେବା ସହ ବୁଝାଇବାକୁ ପଡ଼େ । ଯଦି ତଥାପି କାମ ନ ହୁଏ ତ ଧମକ ଦେବାକୁ ପଡ଼େ । ଏଥିପାଇଁ ଲମ୍ବା ଆଲୋଚନା ପରେ ସହମତି ହୁଏ ଓ ଦାବିର ମାତ୍ର ୪ରୁ ୫ ପ୍ରତିଶତ ଟଙ୍କା ମିଳିଥାଏ ।

‘ସୁନା’ କହି ଡାକନ୍ତିନି ବାପା

ଶର୍ମିଷ୍ଠା କୁହନ୍ତି- ପଇସା ଦେବା ପରେ ବାପା ତାଙ୍କୁ ଚୋର, ଡାକୁ ଡାକିବାକୁ କୁଣ୍ଠାବୋଧ କରନ୍ତି ନାହିଁ । କିନ୍ତୁ, ତାଙ୍କ ଶବ୍ଦରେ ଭଲ ପାଇବା ଥାଏ । ଯେତେବେଳେ ବାପା ବହୁତ ଖୁସି ଥାଆନ୍ତି ତ ‘ମାଙ୍କଡ଼’ କହି ଡାକନ୍ତି । କେବେ ବି ସେ ଅନ୍ୟ ବଙ୍ଗାଳି ପିତା, ମାତାଙ୍କ ଭଳି ‘ସୋନା’ ‘ପୁଚୁ’ କହି ଡାକନ୍ତି ନାହିଁ ।

ଇନ୍ଦିରା କହିଥିଲେ- ଶିକ୍ଷକ ରଖନ୍ତୁ, ଇଂରାଜୀ ଉଚ୍ଚାରଣ ସୁଧୁରିଯିବ

ଦିଲ୍ଲୀରେ ପାଖାପାଖି ୫ ଦଶକ ଧରି ରାଜନୀତି ପରେ ପ୍ରଣବ ମୁଖାର୍ଜୀ ନିଜ ବଙ୍ଗାଳି ଅନ୍ଦାଜକୁ ବଜାଇ ରଖିଥିଲେ । ତାଙ୍କ ହିନ୍ଦୀ ବଙ୍ଗାଳି ମିଶା ଥିଲା, ତାଙ୍କ ଇଂରାଜୀ ଉଚ୍ଚାରଣରେ ଥିଲା ମାଟିର ସ୍ପର୍ଶ । ମନ୍ତ୍ରୀ ଭାବେ କ୍ୟାରିୟର ଆରମ୍ଭ ପାଇଁ ପ୍ରଣବ ଦିଲ୍ଲୀ ଆସିଲେ ତ ଇନ୍ଦିରା, ପ୍ରଣବଙ୍କ ଏହି ଗୁଣକୁ ଜାଣି ନେଇଥିଲେ । ସେ ପ୍ରଣବଙ୍କୁ ଉପଦେଶ ଦେଇ କହିଥିଲେ- ଜଣେ ଇଂରାଜୀ ଶିକ୍ଷକ ରଖନ୍ତୁ, ଯିଏ ଆପଣଙ୍କ ଇଂରାଜୀ ଉଚ୍ଚାରଣକୁ ସୁଧାରିବ । ଇନ୍ଦିରା ଏମିତି ବି କହିଥିଲେ ଜଣେ ଶିକ୍ଷକ ଖୋଜିଦେବି, ଯିଏ ଚୁପଚାପ୍ ଇଂରାଜୀ ଶବ୍ଦ ଉଚ୍ଚାରଣ ଶିଖାଇ ଦେବ ।

ପ୍ରଣବ ଇନ୍ଦିରାଙ୍କ ପରାମର୍ଶକୁ ସିଧା ସିଧା ଖାରଜ କରି ଦେଇଥିଲେ । କହିଥିଲେ- ମ୍ୟାଡାମ୍ କୌଣସି ଫାଇଦା ନାହିଁ । ଯାହା ହୋଇଯାଇଛି, ତାକୁ ହଟାଯାଇ ପାରିବ ନାହିଁ । ମୁଁ ଯୁଆଡ଼େ ଗଲେ ବି କାହାକୁ ନ ପଚାରି ନିଜ ବ୍ୟାକଗ୍ରାଉଣ୍ଡ ନେଇଯିବି । ଇନ୍ଦିରା ତାଙ୍କ କଥାରେ ସହମତ ନଥିଲେ ମଧ୍ୟ ତାଙ୍କ ଉପରେ ଜୋର ଦେଇ ନଥିଲେ ।

ପ୍ରଣବଙ୍କ ରାଜନୈତିକ ଜୀବନ ଯାତ୍ରା ମଧ୍ୟ ବେଶ୍ ରୋଚକପୂର୍ଣ୍ଣ ଥିଲା । ୧୯୬୯ରେ କଂଗ୍ରେସ ପକ୍ଷରୁ ସେ ରାଜ୍ୟସଭା ଯାଇଥିଲେ । ଇନ୍ଦିରା ଗାନ୍ଧି ତାଙ୍କ ପ୍ରତିଭାକୁ ଦେଖି ତାଙ୍କର ବିଶ୍ୱସନୀୟ କରିଥିଲେ । କିନ୍ତୁ, ଇନ୍ଦିରାଙ୍କ ଠାରୁ ଆରମ୍ଭ ହୋଇଥିବା ପ୍ରଣବଙ୍କ ଯାତ୍ରା ରାଜୀବ ଗାନ୍ଧିଙ୍କ ସହ ଆସି ଏକ ମୋଡରେ ଅଟକି ଯାଇଥିଲା । କଂଗ୍ରେସରେ ଅନେକ ତାଙ୍କୁ ଇନ୍ଦିରା ଗାନ୍ଧିଙ୍କ ଉତ୍ତରାଧିକାରୀ ମାନୁଥିଲେ । କିନ୍ତୁ, ଇନ୍ଦିରାଙ୍କ ହତ୍ୟା ପରେ ରାଜୀବ ଗାନ୍ଧି ଯେତେବେଳେ ଦଳ ସମ୍ଭାଳିଲେ ତ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ପ୍ରଣବ ମୁଖାର୍ଜୀଙ୍କୁ କଂଗ୍ରେସରୁ ବାହାର କରି ଦିଆଯାଇଥିଲା ।

ଦଳରୁ ବାହାର କରିଥିଲେ ରାଜୀବ

୧୯୮୬ରେ ପ୍ରଣବ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ ନାମରେ ଏକ ଅଲଗା ରାଜୈନିତକ ଦଳ ଗଠନ କରିଥିଲେ । ଯେତେବେଳେ ତାଙ୍କୁ ଏନେଇ ପଚରା ଗଲା ତ ସେ କହିଥିଲେ- ଏବେ ମୋତେ ମାତ୍ର ୪୦ ବର୍ଷ । କେନ୍ଦ୍ର କ୍ୟାବିନେଟରେ ୧୦ ବର୍ଷ ରହି ସାରିଛି । ରାଜ୍ୟସଭାରେ ୧୪ ବର୍ଷର ଅଭିଜ୍ଞତା ଅଛି । ମୋତେ ବୁଝାପଡ଼ୁନି ମୋର ବାକି ଜୀବନ କଣ କରିବ । ୩ ବର୍ଷ ପରେ ରାଜୀବ ଓ ପ୍ରଣବଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ପ୍ରଣବ ତାଙ୍କ ଦଳକୁ କଂଗ୍ରେସରେ ମିଶାଇ ଦେଇଥିଲେ ।

‘ଆପଣଙ୍କ ବିକଳ୍ପ ଦିଅନ୍ତୁ, ରାଷ୍ଟ୍ରପତି ହେବେ’

୨୦୧୨ରେ ପ୍ରଣବଙ୍କୁ ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ନେଇ ଚର୍ଚ୍ଚା ହେଉଥିଲା । ତାଙ୍କ ନାଁ ଫାଇନାଲ୍ ହୋଇନଥିଲା । ପ୍ରଣବ ମୁଖାର୍ଜୀ ନୂଆଦିଲ୍ଲୀ ସ୍ଥିତ ନିଜ ଘର ୧୩ ତାଲକଟୋରା ରୋଡରେ ଥିଲେ । ସେତେବେଳେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ତାଙ୍କୁ ଅବିଳମ୍ବେ ପହଞ୍ଚିବାକୁ କହିଥିଲେ । ପ୍ରଣବ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଆଲୋଚନା ହୋଇଥିଲା ।

ସୋନିଆ ତାଙ୍କୁ ପରାମ୍ପରାଗତ ଗାରିମା ଅନୁସାରେ ବୁଝାଇଥିଲେ ସେ ତାଙ୍କ ପ୍ରାର୍ଥୀତ୍ୱ ବିରୋଧରେ ନୁହଁନ୍ତି । ଆପଣଙ୍କୁ ମୋର କାମ କରିବାକୁ ପଡ଼ିବ । ଆପଣ କୁହନ୍ତୁ କ୍ୟାବିନେଟରେ ଆପଣଙ୍କ ସ୍ଥାନ କିଏ ପୂରଣ କରିପାରିବ, ଯିଏ ଆପଣଙ୍କ କାମ କରିପାରିବ । ଆପଣ ମୋତେ ଏକ ନାମ କୁହନ୍ତୁ ଓ ଆପଣ କଂଗ୍ରେସର ରାଷ୍ଟ୍ରପତି ପ୍ରାର୍ଥୀ ହୁଅନ୍ତୁ । ପ୍ରଣବ ଅଳ୍ପ ସମୟ ନିରବ ରହିବା ସହ ଜୋରରେ ହସିଥିଲେ… ତାଙ୍କ ସହ ହସିଥିଲେ ସୋନିଆ ଗାନ୍ଧି ।

ରାଜନୈତିକ ଜୀବନ ସହ ପ୍ରଣବଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ମଧ୍ୟ ନିଷ୍ଠାପର ଥିଲା । ପ୍ରତି ଦଶହରାରେ ସେ ଗାଁକୁ ଯାଇ ଚଣ୍ଡିପାଠ କରୁଥିଲେ । ଜଣେ ପାରମ୍ପରିକ ବଙ୍ଗାଳି ଭଦ୍ରଲୋକ ଜୀବନ ବିତାଉଥିଲେ । ପ୍ରଣବଙ୍କ ପିଲାଦିନ, ତାଙ୍କ କାହାଣୀ ଓ ପଲ୍ଟିକାଲ ଇଞ୍ଜିନିୟରିଂ ବଦଳିଥିବା ଭାରତର ଛବି ।

ସେପ୍ଟେମ୍ବର ୩୦ ଯାଏଁ ବଢ଼ିଲା ସ୍ୱର୍ଗଦ୍ୱାରରେ ଶବଦାହ କଟକଣା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ନେଇ ରାଜ୍ୟରେ ଆଜିଠୁ ଅନ୍‌ଲକ୍ ୪ ଲାଗୁ ହୋଇଛି । ଅନ୍‌ଲକ୍‌ ୪ରେ ରାଜ୍ୟରେ କିଛି କଟକଣା ଉପରେ କୋହଳ କରାଯାଇଛି । କିନ୍ତୁ, ପୂର୍ବ ଭଳି ପୁରୀ ସ୍ୱର୍ଗଦ୍ୱାରରେ ଯେଉଁ କଟକଣା ଥିଲା ତାହା ଏବେ ପର୍ଯ୍ୟନ୍ତ ବଳବତ୍ତର ରହିଛି । ସ୍ୱର୍ଗଦ୍ୱାରରେ କଟକଣା ଅନୁଯାୟୀ ବାହାର ରାଜ୍ୟରୁ କିମ୍ବା ବାହାର ଜିଲ୍ଲାରୁ ଶବ ଦାହ ଉପରେ ରୋକ ଲାଗିଥିଲା । ଉକ୍ତ କଟକଣାକୁ କରୋନା ପାଇଁ ଆଉ ମାସେ ବଢ଼ାଇ ଦିଆଯାଇଛି । ସେପ୍ଟେମ୍ବର ୩୦ ଯାଏଁ ସ୍ୱର୍ଗଦ୍ୱାରରେ ବାହାରୁ ଆସୁଥିବା ମୃତଦେହ ଦାହ କରାଯାଇ ପାରିବ ନାହିଁ ।

ସେପଟେ ପୁରୀରେ କରୋନା ସଂକ୍ରମଣ ସାଢ଼େ ୩ ହଜାର ପାର ହୋଇଛି । ପ୍ରତିଦିନ ୧୦୦ରୁ ଅଧିକ କରୋନା ସଂକ୍ରମଣ ମାମାଲା ପୁରୀ ଜିଲ୍ଲାରୁ ଚିହ୍ନଟ ହେଉଛି । ଆଜି ୧୩୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୭୦୮ ଜଣ ଏବେ ସୁସ୍ଥ ହୋଇଥିବା ବେଳେ ୯୧୦ ଜଣ ଏବେ ରାଜ୍ୟରେ କରୋନା ସକ୍ରିୟ ରହିଛନ୍ତି । କରୋନାରେ ପୁରୀ ଜିଲ୍ଲାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।

‘କଟକଣା କୋହଳ ପରେ ବସ୍ ସେବା ସ୍ୱାଭାବିକ ହେବ’

ଭୁବନେଶ୍ୱର : ଅନଲକ୍ -୪ରେ ରାଜ୍ୟ ସରକାର କଟକଣାକୁ ଅତି କୋହଳ କରିଛନ୍ତି  । ଲକଡାଉନ୍ ଓ ସଟଡାଉନ୍ କଟକଣା ବି ସେପ୍ଟେମ୍ୱର ମାସ ପାଇଁ ବନ୍ଦ ରହିଛି । ରାତ୍ରିକର୍ଫ୍ୟୁକୁ ସରକାର ଉଠାଇ ସାରିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ ହୋଇପାରେ ବୋଲି ରାଜ୍ୟ ପରିବବନ ମନ୍ତ୍ରୀ ପଦ୍ମନାଭ ବେହେରା ପୂର୍ବାନୁମାନ କରିଛନ୍ତି । ସେ ଆଶାବ୍ୟକ୍ତ କରିଛନ୍ତି ଯେ ଏଣିକି ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ  ହେବ ।

ତେବେ କଟକଣା ବେଳେ ମଧ୍ୟ ସରକାରୀ ଓ ବେସରକାରୀ ବସ ସେବା ଚାଲୁ ରହିଥିଲା । ମାତ୍ର ସାଧାରଣ ଲୋକେ କରୋନା ଓ କଟକଣା ଆକଟରେ ଯାତ୍ରା କରିବାରେ ଇଚ୍ଛୁକ ନଥିଲେ । ଯାହା ଫଳରେ କାଁ ଭାଁ ବସ୍ ସେବା ଚାଲିଥିଲା । ପୁରୀ, ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ସମ୍ୱଲପୁର ଭଳି ଗହଳି ସ୍ଥାନକୁ ମଧ୍ୟ ଦିନକୁ ଅତି ବେଶୀରେ ଗୋଟିଏ ଦୁଇଟି ବସ ଚାଲୁଥିଲା । ଯାତ୍ରୀ ନହେବା ହେତୁ ଘରୋଇ ବସ୍ ମାଲିକମାନେ ଅନୁମତି ଥାଇ ମଧ୍ୟ ବସ୍ ଚଳାଉନଥିଲେ । ଅନ୍ୟପକ୍ଷରେ ସରକାରୀ ବସ୍ ସେବା ବିନା ଯାତ୍ରୀରେ ମଧ୍ୟ ସେବା ଚାଲୁ ରଖିଥିଲେ ।

 

ତେବେ ଏବେ ସ୍ଥିତି ବଦଳିବା ନେଇ ଆଶା ସଞ୍ଚାର ହୋଇଛି । ଉଲ୍ଲେଖଯୋଗ୍ୟ ଯେ ସରକାରଙ୍କ ତରଫରୁ ବସ୍ ଯାତ୍ରା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । କୋଭିଡ୍ ଗାଇଡଲାଇନ ଆଧାରରେ ଯାତ୍ରୀମାନେ ବସରେ ଯାତ୍ରା କରିପାରିବେ । ସେହିଭଳି ବସ୍ ମାଲିକମାନଙ୍କ ଦାବିକୁ ମାନି ସରକାର ଟ୍ୟାକ୍ସ ସ୍ଲାବରେ ମଧ୍ୟ ପରିବର୍ତ୍ତନ କରିଛନ୍ତି ।