spot_img
Home Blog Page 6466

ରାଜ୍ୟରେ ୩୦୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ୩୦୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୧୮୪୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୮୧ ଜଣ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଆଉ ୪୦୫୩ ଜଣ ସୁସ୍ଥ ହୋଇଥିବା ମଧ୍ୟ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ରାଜ୍ୟରେ ଏବେ ସୁଦ୍ଧା ୧୮,୩୯,୮୫୪ ଜଣଙ୍କ ନମୁନା ପରୀକ୍ଷା ସରିଛି । ସେଥିମଧ୍ୟରୁ ୧,୦୬,୫୬୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୭୭,୨୮୬ । ଅନ୍ୟପଟେ ଏବେ ୨୮,୭୧୯ଟି ମାମଲା ସକ୍ରିୟ ରହିଛି ।

ଅନୁଗୁଳରୁ ୫୮, ବାଲେଶ୍ୱର ୪୦, ବରଗଡ଼ ୬୧, ଭଦ୍ରକ ୯୪, ବଲାଙ୍ଗିର ୨୪, ବୌଦ୍ଧ ୯, କଟକ ୩୧୨, ଦେଓଗଡ଼ ୧, ଢ଼େଙ୍କାନାଳ ୧୩୨, ଗଜପତି ୨୯, ଗଞ୍ଜାମ ୨୦୭, ଜଗତସିଂହପୁର ୭୮, ଯାଜପୁର ୮୫, ଝାରସୁଗୁଡ଼ା ୫୯, କଳାହାଣ୍ଡି ୮୨, କନ୍ଧମାଳ ୨୨, କେନ୍ଦ୍ରାପଡ଼ା ୧୨୮, କେନ୍ଦୁଝରରୁ ୫୦, ଖୋର୍ଦ୍ଧାରୁ ସର୍ବାଧିକ ୬୬୬ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି କୋରାପୁଟରୁ ୧୩୯, ମାଲକାନଗିରି ୩୨, ମୟୂରଭଞ୍ଜ ୨୧୫, ନବରଙ୍ଗପୁର ୪୬, ନୟାଗଡ଼ ୬୭, ନୂଆପଡ଼ା ୭୯, ପୁରୀ ୧୩୬, ରାୟଗଡ଼ା ୧୩, ସମ୍ବଲପୁର ୮୩, ସୋନପୁର ୨୨, ସୁନ୍ଦରଗଡ଼ରୁ ୫୬ ଜଣ ଚିହ୍ନଟ ହୋଇଛନ୍ତି ।

୧୯ କେଜିର ୧୪ ଖଣ୍ଡ ହାତୀ ଦାନ୍ତ ଜବତ

କେନ୍ଦୁଝର: ଜବତ ହେଲା ବହୁ ପରିମାଣର ହାତୀଦାନ୍ତ । ହାତୀଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କଲା ବନ ବିଭାଗ । ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୯ କେଜି ଓଜନର ୧୪ଟି ହାତୀଦାନ୍ତ ଓ ଗୋଟିଏ କାର ଜବତ ମଧ୍ୟ କରିଛି ବନ ବିଭାଗ । ବିଶେଷ ସୁତ୍ରରୁ ଖବର ପାଇ ଆନନ୍ଦପୁର ଡିଏଫ୍‌ଓଙ୍କ ନିର୍ଦେଶରେ ଏକ ଟିମ୍‌ ହାତୀ ଦାନ୍ତ କାରବାର କରୁଥିବା ବ୍ୟବସାୟୀ ମାନଙ୍କୁ ପିଛା କରିଥିଲା ।

Elephant

ଏକ କାରର ପିଛା କରି ହରିଚନ୍ଦନପୁର ଥାନା ପିଟାପିଟି ଗ୍ରାମ ନିକଟରେ ଗାଡି ଓ ଦାନ୍ତକୁ ଜବତ କରିଥିଲା ଟିମ୍‌ । ସେଠାରୁ ଖସି ପଳାଉଥବା ଅଭିଯୁକ୍ତ ମାନଙ୍କୁ ଗୋଡାଇ ବାୟାପିଟା ଗାଁରୁ ଗିରଫ କରିଥିଲା । ତେବେ ହାତୀଦାନ୍ତ କେଉଁଠୁ ଆସିଲା, କେଉଁଠିକୁ ଯାଉଥିଲା, ଏନେଇ ଯାଂଚ କରୁଛି ବନବିଭାଗ  ।

ଦିଲ୍ଲୀସ୍ଥିତ ଲୋଧିଘାଟରେ ରାଜକୀୟ ସମ୍ମାନରେ ହେବ ପ୍ରଣବଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ: ଆରପାରିରେ ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ସଂକଟମୋଚକ ପ୍ରଣବ ମୁଖାର୍ଜି । ୮୪ ବର୍ଷ ବୟସରେ ସୋମବାର ତାଙ୍କର ନିଧନ ହୋଇଥିବା ବେଳେ ମଙ୍ଗଳବାର ଅନ୍ତିମ ସଂସ୍କାର ହେବ । ଦ୍ୱିପ୍ରହର ସମୟରେ ଦିଲ୍ଲୀସ୍ଥିତ ଲୋଧିଘାଟରେ ରାଜକୀୟ ସମ୍ମାନ ସହିତ ପ୍ରଣବଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହେବ । ଏହା ପୂର୍ବରୁ ସକାଳ ସାଢ଼େ ୯ଟାରେ ତାଙ୍କ ପାର୍ଥିବ ଶରୀରକୁ ସରକାରୀ ଆବାସକୁ ନିଆଯାଇଛି । ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶେଷ ଦର୍ଶନ କରିବେ ।

ପରେ ଦିନ ୧୧ଟା ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତିଙ୍କ ସମେତ ବହୁ ବିଶିଷ୍ଟ ଲୋକ ପ୍ରଣବଙ୍କ ପାର୍ଥିବ ଶରିରକୁ ଶେଷ ଦର୍ଶନ କରିବେ । ପରେ ଦିନ ୨ଟାରୁ ୨.୩୦ ମଧ୍ୟରେ ରାଜକୀୟ ସମ୍ମାନ ସହିତ ଲୋଧିଘାଟରେ ଅନ୍ତିମ ସଂସ୍କାର କରାଯିବ ।

ସୋମବାର ପ୍ରଣବ ମୁଖାର୍ଜୀ ଦୁନିଆକୁ ଅଲବିଦା କହିଛନ୍ତି । ଦୀର୍ଘ ଦିନ ଧରି ସେ ଦିଲ୍ଲୀରେ ଆର୍ମି ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଫୁସଫୁସରେ ସଂକ୍ରମଣ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ସେ ଭେଣ୍ଟିଲେଟରରେ ଚିକିତ୍ସାଧିନ ଥିଲେ । ଗତ କିଛି ଦିନ ହେଲା ସେ ଡିପ୍ କୋମାରେ ଥିଲେ । ଦେହାନ୍ତ ବେଳକୁ ପ୍ରଣବଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ପ୍ରଣବଙ୍କ ଦେହାନ୍ତ ଖବର ପ୍ରଥମେ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟୁଇଟ କରି ସୂଚନା ଦେଇଥିଲେ ।

ଏହି ମହାନ ନେତାଙ୍କ ବିୟୋଗରେ ଭାରତ ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଭବନରେ ଜାତୀୟ ପତାକାକୁ ଅର୍ଦ୍ଧ ନମିତ କରାଯାଇ ପ୍ରଣବ ମୁଖାର୍ଜୀଙ୍କୁ ସମ୍ମାନ ଜଣାଯାଇଛି । ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ଯାଏଁ ସରକାରୀ ସ୍ତରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ ।

ନିଶା ମାଫିଆଙ୍କ ସହ ଲିଙ୍କ ଅଭିଯୋଗରେ ନିଲମ୍ବିତ ଆଇଆଇସିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଳେଶ୍ୱର: ବ୍ରାଉନସୁଗର ମାଫିଆ ଓ ଆଇଆଇସି ଧନେଶ୍ୱର ସାହୁ ଅଡିଓ ଭାଇରାଲ୍ ଘଟଣାରେ ନୂଆ ମୋଡ଼ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଧନେଶ୍ୱର ସାହୁଙ୍କ ଭୁବନେଶ୍ୱର ଓ କଟକ ସ୍ଥିତ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ । ଏହାସହ ସରକାରୀ ବାସଭବନ ଓ ନରସିଂହପୁର ବନ୍ଧହୁଡା ସ୍ଥିତ ଶ୍ୱଶୁର ଘରେ ମଧ୍ୟ ଚଢ଼ାଉ କରାଯାଇଛି । ଏଭଳି ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଚାଲିଥିବା ବେଳେ ପୂର୍ବରୁ ଡ୍ରଗ୍ସ ମାଫିଆଙ୍କ ସହ ଲିଙ୍କ ଅଭିଯୋଗରେ ଧନେଶ୍ୱରଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ ଡିଜିପି । ବ୍ରାରନସୁଗର ମାଫିଆଙ୍କ ସହ ପୋଲିସ ଲିଙ୍କ୍‌ ଘଟଣାରେ ଅଧିକ ଖୋଳତାଳ ଚାଲିଛି । ଚଢାଉରେ ଡିଏସ୍‌ପି ସରତ କୁମାର ମହାପାତ୍ର ବାରିପଦା ୟୁନିଟ୍,‌ ଏଲ୍‌ ଏନ୍‌ ମୁଖି ବାଲେଶ୍ୱର ୟୁନିଟ୍ ଏବଂ ୧୧ ଜଣିଆ ଟିମ୍ ଚଡାଉ କରିଛନ୍ତି ।

Jaleswar Police

ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ ଏକ ଅଡ଼ିଓ ଭାଇରାଲ ହୋଇଥିଲା । ଜଳେଶ୍ୱର ଥାନା ଅଧିକାରୀ ବ୍ରାଉନସୁଗାର କାରବାର ପାଇଁ ୫ ଲକ୍ଷ ଟଙ୍କାର ଡିଲ କରୁଥିଲେ । ଯାହାକି ସେହି ଅଡିଓ ଟେପ୍‌ରୁ ସ୍ପଷ୍ଟ ହୋଇଥିଲା । ଅଡିଓ କ୍ଲିପକୁ ଭଲ ଭାବେ ଶୁଣିଲେ ଏକଥା ମଧ୍ୟ ସ୍ପଷ୍ଟ ହେଉଥିଲା ଯେ, ବ୍ରାଉନସୁଗାର ପାଇଁ ପୋଲିସ ଅଧିକାରୀ ପ୍ରଥମ ଥର ଟଙ୍କା ନେଉ ନାହାନ୍ତି । ପୋଲିସ ଅଧିକାରୀ ଓ ବ୍ରାଉନସୁଗାର ମାଫିଆଙ୍କ ମଧ୍ୟରେ ସମ୍ପର୍କ ନୂଆ ନୁହେଁ । ଉଭୟ ପରସ୍ପରକୁ ବ୍ୟକ୍ତିଗତ ଭାବେ ଜାଣିବା ସହ ପୂର୍ବରୁ ମଧ୍ୟ ଏଭଳି କାରବାର କରି ସାରିଛନ୍ତି । ତେବେ ସବୁବେଳେ ପୋଲିସ ବାବୁଙ୍କ ପାଖରେ ଠିକ୍ ସମୟରେ ଟଙ୍କା ପହଞ୍ଚେ । ମାତ୍ର ସେହିଥର ପହଞ୍ଚିନଥିଲା । ଏଇ କଥାକୁ ନେଇ ରାଗି ପଞ୍ଚମ ହୋଇଯାଇଥିଲେ ପୋଲିସ ଅଧିକାରୀ । ଯାହାର ପ୍ରତିବାଦ କରିଥିଲେ ଡ୍ରଗ୍ସ ମାଫିଆ । ଏହି ଭାଇରାଲ ଅଡିଓକୁ ଯେକେହି ବି ଶୁଣିବେ ଏହା ସ୍ପଷ୍ଟ ବାରିପାରିବେ ।

Jaleswar IIC Vigilnce

ଜିଲ୍ଲାକୁ କଦଳୀ ଗାଡ଼ିରେ ଆସେ ବ୍ରାଉନସୁଗର । ଏହି ଘଟଣାକୁ ଦେଖି ଆଖି ବନ୍ଦ କରିଦେବା ପାଇଁ ପୋଲିସବାବୁ ନେଉଥିଲେ ମୋଟା ଅଙ୍କର ହାତଗୁଞ୍ଜା । ଯେଉଁଥିପାଇଁ ଫୋନରେ ଦୁଇଜଣଙ୍କ ଭିତରେ ଆଲୋଚନା ଚାଲିଥିଲା ।

ପୋଲିସ-ଅବକାରୀ ବିଭାଗ ତାଳମେଳ ଅଭାବ, ରାଜଧାନୀରେ ବେଧଡ଼କ ଚାଲିଛି ନିଶା ବେପାର

ଭୁବନେଶ୍ୱର (ମାନସ ମହାପାତ୍ର): ରାଜଧାନୀରେ ବେଧଡ଼କ ଚାଲିଛି ଚୋରା ଦେଶୀ-ବିଦେଶୀ ମଦ ବେପାର । ଦିନ ଦ୍ୱିପ୍ରହରେ ରାସ୍ତା ଉପରେ ଲାଗୁଛି ମଦର ପସରା । ଆଉ ଏହାର ମାଷ୍ଟରମାଇଣ୍ଡ ସାଜିଛନ୍ତି ମହିଳା । ରାଜଭବନ ନିକଟସ୍ଥ କାଳୀ ମନ୍ଦିର ବସ୍ତିରେ ଖୁଲାମଖୁଲା ନିଶା କାରବାର ଚାଲିଥିବା ନେଇ ଖବର ପାଇ ପହଞ୍ଚିଥିଲା ନନ୍ଦିଘୋଷ ଟିମ ।

ପାନ ଦୋକାନ ଆଢୁଆଳରେ କିଛି ମହିଳା ଚୋରା ମଦ ବେପାର କରୁଥିବା ଜାଣିବାକୁ ପାଇଥିଲା ଟିମ୍‌ । ସତ୍ୟାସତ୍ୟ ଜାଣିବା ପରେ ମୋବାଇଲ କ୍ୟାମେରା ଯୋଗେ ମଦ ବିକ୍ରିର ଦୃଶ୍ୟକୁ କଏଦ କରିବାକୁ ଚେଷ୍ଟା କରିଥିଲା ଟିମ୍‌ । ଆଉ ଦୃଶ୍ୟ ଦେଖିବା ପରେ ହୋଇଯାଇଥିଲା ଅକଲ ଗୁଡୁମ୍‌ । ଜଣେ ମହିଳା ନିଜ ପାନ ଦୋକାନରୁ ଦେଶୀ ମଦ ଆଣି ଗରାଖଙ୍କୁ ଦେଉଛନ୍ତି । ଗରାଖ ଏଠାରୁ କିଣିବା ପରେ ରାସ୍ତା ଉପରେ ବସି ପିଉଛନ୍ତି ମଦ । କେବଳ ସେତିକି ନୁହେଁ ଭିଭିଆପି ଏରିଆ ହେବା ସତ୍ତ୍ୱେ ଏଠାରେ ଗଞ୍ଜେଇ ଓ ବାଉନସୁଗର ମିଳୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି ।

ରାଜଧାନୀରେ ଦିନକୁ ଦିନ ଏଭଳି କାୟା ମେଲାଉଛି ନିଶା ବେପାର । କମିଶନରେଟ୍‌ ପୋଲିସର ନାକ ତଳେ ଏଭଳି ଗୋଲକ ଧନ୍ଦା ଚାଲୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପୋଲିସ କୁଆଡେ ମାସିକିଆ ବଟି ନେଇ ଚୁପ୍‌ ବସିଛି । ଆଉ ବେଳେ ଲୋକ ଦେଖାଣିଆ ଚଢ଼ାଉ କରୁଛି । ସବୁଠାରୁ ବଡ଼ କଥା ହେଲା ଚଢ଼ାଉ ପୂର୍ବରୁ ବେପାରୀ ପାଉଛନ୍ତି ଖବର । ଆଉ ସଜାଗ ହେଉଛନ୍ତି । ତେବେ ବେପାରୀଙ୍କୁ ପୋଲିସ ଚଢ଼ାଉର ଖବର କେମିତି ଆସୁଛି ତାହା ଚିନ୍ତାର ବିଷୟ । ତେବେ ଅବକାରୀ ବିଭାଗକୁ ଏନେଇ ସୂଚନା ଦିଆଯିବା ପରେ ଘଟଣାକୁ ଗୁରୁତର ସହ ନେଇଛି ।

ପୋଲିସ ଓ ଅବକାରୀ ବିଭାଗ ମଧ୍ୟରେ ତାଳମେଳ ଅଭାବ ନିଶା ବେପାରୀଙ୍କୁ ବେଶ ସୁହାଉଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଫଳରେ ଚୋରା ନିଶା କାରବାରର ହବ୍‌ ପାଲଟିଛି ରାଜଧାନୀ ।

ଏହି ରାଶିର ବ୍ୟକ୍ତି ସାବଧାନ, ଧୋକା ଦେଇପାରନ୍ତି ଆତ୍ମୀୟ

ଆଜିର ପଞ୍ଚାଙ୍ଗ: ୦୧/୦୯/୨୦୨୦ ମଙ୍ଗଳବାର, ୧୪୨୮ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍, ସିଂହ ୧୭ଦିନ, ଭାଦ୍ରବ ଶୁକ୍ଲ ୧୪ଶୀ ଦିବା ୦୯:୩୯ ଗତେ ପୂର୍ଣ୍ଣିମା

– କୁମ୍ଭଚନ୍ଦ୍ର ଅହୋରାତ୍ର

– ଧନିଷ୍ଠା ଦିବା ୦୪:୩୮ ଗତେ ଶତଭିଷା ନକ୍ଷତ୍ର

– ଘାତ ଚନ୍ଦ୍ର – ମିଥୁନ ଓ ମୀନ ରାଶି

– ଘାତ ବାର – ମକର ରାଶିର

– ଯୋଗିନି – ପଶ୍ଚିମେ ଦିବା ୦୯:୩୯ ଗତେ ବାୟବ୍ୟେ

– ପୁଷ୍କର ଦୋଷ – ୧ପାଦ ଲାଗିବ

– ଶୁଭ ସମୟ –

ଦିବା ୦୮:୪୧ ରୁ ୧୦:୩୨

ଦିବା ୦୧:୦୧ ରୁ ୦୧:୧୯

ଦିବା ୦୪:୨୫ ରୁ ୦୫:୦୮

ସଂଧ୍ୟା ୦୫:୫୮ ରୁ ୦୬:୪୪

ସଂଧ୍ୟା ୦୯:୦୪ ରୁ ୧୧:୨୩

– ଅଶୁଭ ସମୟ –

ପ୍ରାତଃ ୦୭:୦୭ ରୁ ୦୮:୪୦

ଦିବା ୦୧:୧୯ ରୁ ୦୪:୨୫

ମଙ୍ଗଳବାର-

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର- ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ ।

ଦ୍ୱିଜା ନକ୍ଷତ୍ର – କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ ।

କୃତ୍ତିକା ନକ୍ଷତ୍ର – ଦାୟିତ୍ୱ ଏବଂ ଆର୍ଥିକ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ ।

– ଶୁଭ ରଙ୍ଗ – ଧଳା

– ଓଁ ବୃଂ ବୃହଷ୍ପତୟେ ନମଃ ୨୭ଥର ଜପ କରନ୍ତୁ ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ମାନ ସମ୍ମାନ, ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ ।

ରୋହିଣି ନକ୍ଷତ୍ର – ଆଜି ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଆନ୍ତୁ ଶୁଭ ଖବର ମିଳିବ, ଇଛାପୁରଣ ହେବ ।

ମୃଗଶିରା ନକ୍ଷତ୍ର – ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି ହେବ, ପିତୃମାତୃ ସ୍ୱାସ୍ଥ୍ୟଚିନ୍ତା ବଢିବ ।

– ଶୁଭ ରଙ୍ଗ – ହଳଦିଆ

– କାଉଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ ।

ମିଥୁନ – ମୃଗଶିରା ନକ୍ଷତ୍ର – ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ମନେ ମନେ ଓଁ ନମଃ ଶିବାୟ ଜପକରୁଥିବେ ।

ଆର୍ଦ୍ରା ନକ୍ଷତ୍ର – ଟଙ୍କପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅଥପ୍ରାପ୍ତିର ସୂଚନା ମିଳିଵ ।

ପୂନର୍ବସୁ ନକ୍ଷତ୍ର – ଆଜି କିଛି ଚିନି ଗୁଡ ଲାଲ ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ ମନମୁତାବକ ଫଳ ପାଇବେ ।

– ଶୁଭ ରଙ୍ଗ – ଲାଲ ଗୋଲାପି

– ଗୃହରେ ଉତ୍ତର ଦିଗକୁ ମୁଖକରି ୨୧ଥର ଓଁ କ୍ଳୀଂ କୃଷ୍ଣାୟ ଗୋବିନ୍ଦାୟ ଗୋପିଜନ ବଲ୍ଲବାୟ ନମଃ ଜପ କରନ୍ତୁ ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣା ରହିବ, ନିଜଲୋକମାନେ ହଇରାଣ କରିବେ ।

ପୂଷ୍ୟା ନକ୍ଷତ୍ର – ଆୟ କମିବ ବ୍ୟୟ ବୃଦ୍ଧି ହେବ ଓ ଭୁଲ ନିଷ୍ପତିର ଶିକାର ହେବେ ।

ଅଶ୍ଲେଷା ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ଦୁର୍ଗାଙ୍କର  ଚାଳିଷା ପାଠକରି ଦିନ ଆରମ୍ଭ କରିବେ ।

– ଶୁଭ ରଙ୍ଗ – ହଳଦିଆ

– ଗୃହରେ ଶୋରିଷ ତେଳର ଦ୍ବୀପ ପଶ୍ଚିମ ଦିଗରେ ଲଗାଇ ଓଁ ଶଂ ଶନିଶ୍ଚରାୟ ନମଃ ୨୭ଥର ଜପ କରନ୍ତୁ ।

ସିଂହ ରାଶି

ମଘା ନକ୍ଷତ୍ର – ମଥାରେ ରକ୍ତ ଚନ୍ଦନ ଲଗାନ୍ତୁ ମନୋବାଞ୍ଛିତ ପରିବେଷ ପରିସ୍ଥତି ମିଳିବ ।

ପୂର୍ବାଫାଲଗୁନି ନକ୍ଷତ୍ର – ଶୁଭରେ ଶୁଭରେ ଦିନ କଟିବ, କୌଣସି ପୁରୁଣା ଯୋଜନାରେ ସଫଳ ହେବେ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – କୌଣସି ଦ୍ରବ୍ୟ ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ ।

– ଶୁଭରଙ୍ଗ – ଧଳା

– ହନୁମାନ ଚାଳିଷା ଜପକରି ଦିନ ଆରମ୍ଭ କରନ୍ତୁ ।

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ବ୍ୟବସାୟରେ ଲାଭ ବଢିବ ଏବଂ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ମିଳିବ, ବିବାହ ନିମନ୍ତେ ବାଟ ଖୋଲିବ ।

ହସ୍ତା ନକ୍ଷତ୍ର – କାର୍ଯ୍ୟରେ ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୂରଣ ହେବ ।

ଚିତ୍ରା ନକ୍ଷତ୍ର – ପୁଞ୍ଜି ଲଗାଣକାରୀ ସଂସ୍ଥା ସହିତ ଜଡିତ ହୋଇ ଲାଭ ହେବ ମାତ୍ର ସ୍ୱାସ୍ଥ୍ୟପ୍ରତି ସତର୍କ ରହିବେ ।

– ଶୁଭ ରଙ୍ଗ – ସବୁଜ

– ଓଁ ରାଂ ରାହବେ ନମଃ ୨୭ଥର ଜପ କରନ୍ତୁ ।

ତୁଳା ରାଶି

ଚିତ୍ରା ନକ୍ଷତ୍ର – କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ ।

ସ୍ୱାତୀ ନକ୍ଷତ୍ର – ପିଲାମନଙ୍କୁ ନୁତନ କର୍ମନିଯୁକ୍ତିର ଖବର ମିଳିବ,ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ ।

ବିଶାଖା ନକ୍ଷତ୍ର – ଅଯଥା କଥାରେ ମୁଣ୍ଡ ପୁରାଇ ହଇରାଣ ହେବେ, ଆଜି ମନେ ମନେ ମାଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ପାଉଁସିଆ

– କଳା ପିମ୍ପୁଡିଙ୍କୁ ଚିନି ଗୁଡ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ।

ବିଛା ରାଶି

ବିଶାଖା ନକ୍ଷତ୍ର – ମନର ଆଶାପୁରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ ।

ଅନୁରାଧା ନକ୍ଷତ୍ର – କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ଘରୁ ବାହାରିଲା ବେଳେ ମହୁଖାଇ ବାହାରନ୍ତୁ ରିଷ୍ଟ କମିବ ।

ଜ୍ୟେଷ୍ଠା ନକ୍ଷତ୍ର – କୌଣସି ଯୋଜନାରେ ସଫଳ ହେବେ, ଆର୍ଥିକ ସ୍ୱଛଳତା ପରିଲିକ୍ଷିତ ହେବ ।

– ଶୁଭ ରଙ୍ଗ – ଲାଲ

– “ଓଁ ତାରା ଦେବୀ ନମଃ” ୨୭ଥର ଜପ କରନ୍ତୁ ଆର୍ଶିବାଦ ମିଳିବ ।

ଧନୁ ରାଶି

ମୂଳା ନକ୍ଷତ୍ର – ଆଜି ଚନ୍ଦନର ଟିକା ମଥାରେ ଲଗାନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ।

ପୂର୍ବଷାଢା ନକ୍ଷତ୍ର – ଆଜି କିଛି ମିଠା ଦାନ କରନ୍ତୁ ଅଟକିଥିବା କାମ ପୂରଣ ହେବ ।

ଉତ୍ତରାଷାଢା ନକ୍ଷତ୍ର – ଗଛିତ ଅର୍ଥ (ସେଭିଙ୍ଗସ ରୁଫ) ବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ ।

– ଶୁଭ ରଙ୍ଗ – ଲାଲ

– ଗୃହର ତୁଳସି ଚଉରା ମୂଳରେ ଦ୍ୱୀପ ଦାନ କରନ୍ତୁ ଆର୍ଶିବାଦ ମିଳିବ ।

ମକର ରାଶି –

ଉତ୍ତରାଷାଢା ନକ୍ଷତ୍ର – କୌଣସି ପ୍ରକାରର ଧୋକା ମିଳିବ, ଆଜି ଗୋଟିଏ ଲାଲ ମନ୍ଦାର ଗଛ ଲଗାନ୍ତୁ ।

ଶ୍ରବଣା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ପିମ୍ପୁଡିଙ୍କୁ ଗୁଡ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ଧନିଷ୍ଠା ନକ୍ଷତ୍ର – ଅନୁକୁଳ ସମୟ ରହିବ ଏବଂ ବାସନା ଅତର (ପଫ୍ୟୁମ୍) ବ୍ୟବହାର କରନ୍ତୁ ଶୁଭଫଳ ମିଳିବ ।

– ଶୁଭ ରଙ୍ଗ – ସବୁଜ

– ଚନ୍ଦନ ଗୋରଚନା ମିଶାଇ ମଥାରେ ଟିକା ଲଗାନ୍ତୁ ।

କୁମ୍ଭ ରାଶି – ଧନିଷ୍ଠା ନକ୍ଷତ୍ର – ଆଜି କିଛି ଅଟା କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ଶୁଭରେ ଶୁଭରେ ଦିନ କଟିବ ।

ଶତଭିଷା ନକ୍ଷତ୍ର – ଆଜି ଲାଲ ରଙ୍ଗର କିଛି ବ୍ୟବହାର କରନ୍ତୁ ନାହିଁ ଏବଂ କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ  ।

ପୂର୍ବଭାଦ୍ର ନକ୍ଷତ୍ର – ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ।

– ଶୁଭ ରଙ୍ଗ – କଳା ନିଳ

– ସ୍ନାନସାରି ହନୁମାନଙ୍କୁ ପ୍ରଣାମ କରି ଦିନ ଆରମ୍ଭ କରନ୍ତୁ ।

ମୀନ ରାଶି –

ପୂର୍ବଭାଦ୍ର ନକ୍ଷତ୍ର – ଆଜି ଭାଗ୍ୟ ସାଥ ଦେବେ ତେଣୁ ମନର ପ୍ରତ୍ୟେକ ଆଶା ନିମନ୍ତେ ଚେଷୋକ ।

ଉତ୍ତରଭାଦ୍ର ନକ୍ଷତ୍ର – ଅର୍ଥଚିନ୍ତା ଏବଂ ମାନସିକ ଅଶାନ୍ତି ବଢିବ ତେଣୁ ହନୁମାନଙ୍କ ନିମନ୍ତେ ଗୃହରେ ଦ୍ୱୀପ ଦିଅନ୍ତୁ ।

‍ରେବତୀ ନକ୍ଷତ୍ର – ଅଯଥା ଅର୍ଥହାନି ହେବ ଏବଂ ଅଗ୍ନି କିମ୍ବା ବିଦ୍ୟୁତ ଜନିତ ଦୁର୍ଘଟଣା ରହିବ ।

– ଶୁଭ ରଙ୍ଗ – ଗୋଲାପି ରଙ୍ଗ

– ସ୍ନାନସାରି ପଶ୍ଚିମ ଦିଗକୁ ମୁହଁ କରି ଶନି ଭଗବାନଙ୍କୁ ୮ଥର ଓଁ ଶଂ ଶନିଶ୍ଚରାୟ କହି ପ୍ରଣାମ କରି ଦିନ ଆରମ୍ଭ କରିବେ ।

 

ଜ୍ୟୋତିର୍ବିଦ୍ ଶ୍ରୀପତି ଆଚାର୍ଯ୍ୟ

ପଞ୍ଚମ ଦିନରେ ଜେରା ହେବେ ରିୟା

ନୂଆଦିଲ୍ଲୀ: ମଙ୍ଗଳବାର ବି ରିୟା ଚକ୍ରବର୍ତ୍ତୀ ହେବେ ଜେରା । ଲଗାତାର ପଞ୍ଚମ ଦିନ ପାଇଁ ରିୟାଙ୍କୁ ଜେରା କରିବ ସିବିଆଇ । ଗତ ୪ ଦିନ ମଧ୍ୟରେ ରିୟା ଦୀର୍ଘ ୩୫ ଘଣ୍ଟା ଧରି ମାରାଥନ୍‌ ଜେରାର ସମ୍ମୁଖୀନ ହୋଇସାରିଛନ୍ତି । ଆଜି ମଙ୍ଗଳବାର ପଞ୍ଚମ ଦିନରେ ମଧ୍ୟ ସେ ସିବିଆଇ ଜେରାର ସମ୍ମୁଖୀନ ହେବେ । ୩୫ ଘଣ୍ଟା ଜେରା ମଧ୍ୟରେ ସିବିଆଇ ରିୟାଙ୍କୁ ଅନେକ ପ୍ରଶ୍ନ କରିଛି । ସୁଶାନ୍ତଙ୍କ ସହ ସମ୍ପର୍କ, ସୁଶାନ୍ତଙ୍କ ପରିବାର ସହ ସମ୍ପର୍କ, ଗ୍ରଗ୍ସ କନେକସନ୍, ୟୁରୋପ ଟ୍ରିପ୍‌ ଓ ଆର୍ଥିକ କାରବାର ନେଇ ଲଗାତାର ଚାରି ଦିନ ଧରି ଜେରା କରିଛି ସିବିଆଇ ଟିମ୍ ।

riya

ତେବେ ସିବିଆଇର ଅନେକ ପ୍ରଶ୍ନରୁ ରିୟା ବର୍ତ୍ତିବା ପାଇଁ ଚେଷ୍ଟା କରୁଥିବାବେଳେ ଡ୍ରଗ୍ସ କାରବାର ନେଇ ପ୍ରଶ୍ନରେ ରିୟା ବିରକ୍ତି ପ୍ରକାଶ କରିଛନ୍ତି । ଯାହାକି ରିୟାଙ୍କ ଡ୍ରଗ୍ସ କନେକସନ ବିଷୟରେ ଆହୁରି ସନ୍ଦେହକୁ ଘନିଭୂତ କରିଛି । ସେପଟେ ବାନ୍ଦ୍ରା ରେଷ୍ଟୁରାଣ୍ଟ ଡାଇରେକ୍ଟର କୃଣାଲ ଜାନି ଓ ରିୟାଙ୍କ ମଧ୍ୟରେ ହ୍ୱାଟସ୍‌ଆପ୍ ଚାଟ୍ ଏବେ ସାମ୍ନାକୁ ଆସିଛି ।

ଯେଉଁଥିରେ କୃଣାଲ ଜାନି ଓ ରିୟା ଚକ୍ରବର୍ତ୍ତୀ, ହସିସ୍ ଓ ଡୁବିଜ୍‌ଙ୍କ ବିଷୟରେ କଥାବର୍ତ୍ତା ହେଉଥିବାର ଜଣାପଡିଛି । ଏଥିସହ ଏହି ଗ୍ରୁପରେ ରିୟା ଓ ସାମୁଏଲସଙ୍କ ମଧ୍ୟରେ ଡ୍ରଗ୍ସ କାରବାର ବାବଦରେ ମଧ୍ୟ ଆଲୋଚନା ହେଉଥିବାର ଜଣାପଡିଛି । ଏହାକୁ ଆଧାର କରି କୃଣାଳକୁ ଇଡି ୬ ଘଣ୍ଟା ଜେରା କରିଛି । ତେବେ ଏହି ହ୍ୱାଟସ୍‌ଆପ୍ ଚାଟ୍ ଡ୍ରଗ୍ସ କନେକସନ୍‌ ନେଇ ସନ୍ଦେହ ସୃଷ୍ଟି କରୁଥିବା ବେଳେ ଏବାବଦରେ ସିବିଆଇ ଆଜି ରିୟାଙ୍କୁ ପଚରାଉଚରା କରିପାରେ ବୋଲି ଜଣାପଡିଛି । ଅନ୍ୟପଟେ ଇଡି ପୁଣି ଥରେ ଗୌରବ ଆରିୟାଙ୍କୁ ସମନ ନୋଟିସ୍‌ ଜାରି କରିଛି । ମଙ୍ଗଳବାର ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୌରବକୁ ଡ୍ରଗ୍ସ କନେକସନ ଓ ଟଙ୍କା ନେଣଦେଣ ବିଷୟରେ ଜେରା କରିବ ।

ଭିଜିଲାନ୍ସ ଜାଲରେ ନିଲମ୍ୱିତ ଜଳେଶ୍ୱର IIC…ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଏକକାଳୀନ ଚଢାଉ

ଭିଜିଲାନ୍ସ ଜାଲରେ ନିଲମ୍ୱିତ ଜଳେଶ୍ୱର IIC… ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଏକକାଳୀନ ଚଢାଉ

ଆରମ୍ଭ ହୋଇଛି ଜେଇଇ ମେନ୍… ରାଜ୍ୟର ୩୮ହଜାର ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ଆରମ୍ଭ ହୋଇଛି ଜେଇଇ ମେନ୍… ରାଜ୍ୟର ୩୮ହଜାର ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ସୁଧୁରୁଛି ବନ୍ୟା ସ୍ଥିତି, କମୁଛି ହୀରାକୁଦ ଜଳସ୍ତର..

ସମ୍ବଲପୁର: ଅଧା ରାଜ୍ୟ ଏବେ ବନ୍ୟା ଜଳରେ ଉବୁଟୁବୁ । ଚାରିଆଡ଼େ ଖାଲି ପାଣି ହିଁ ପାଣି । ଅନେକ ଗାଁ ଏବେ ବି ଜଳବନ୍ଦୀରେ । ତେବେ ଏହାରି ଭିତରେ ଏବେ ମହାନଦୀ ଦୁର୍ବଳ ହେଉଥିବା ନେଇ ସୂଚନା ମିଳିଛି । କାରଣ ପୂର୍ବାପେକ୍ଷା ଏବେ ହିରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳପ୍ରବେଶର ପରିମାଣ କମ୍‌ ରହିଛି । ଏବେ ସୁଦ୍ଧା ୩୨ଟି ସ୍ଲୁଇସ୍‌ଗେଟ୍‌ ଦେଇ ହିରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ବିପଦ ସଂକେତ ୬୩୦ ଫୁଟ ଥିବା ବେଳେ ଏବେ ୬୨୬ ଫୁଟରେ ରହିଛି ଜଳସ୍ତର । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩ଲକ୍ଷ ୮୦ହଜାର ୭୬୪ କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୫ଲକ୍ଷ ୩୩ହଜାର ୨୩୪ କ୍ୟୁସେକ୍‌ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପାର୍ଶ୍ୱରୁ ୨୩ ଓ ଦକ୍ଷିଣପାର୍ଶ୍ୱରୁ ୯ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ସୋମାବାର ୪୬ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଥିଲା ।

ସେପଟେ କଟକ ମୁଣ୍ଡଳିରେ ମଧ୍ୟ ବନ୍ୟା ଜଳ ପ୍ରବାହ ସାମାନ୍ୟ କମିଛି । ଏବେ ମୁଣ୍ଡୁଳିରେ ୧୦ ଲକ୍ଷ ୨ ହଜାର ୮୨୩ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ସେହିପରି ନରାଜଠାରେ କାଠଯୋଡି ନଦୀରେ ବନ୍ୟାଜଳ ପ୍ରବାହ ମଧ୍ୟ କମିଛି । ଏଠାରେ ଏବେ ୫ ଲକ୍ଷ ୬୭୧ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ଉଭୟ ସ୍ଥାନରେ ଜଳସ୍ତର ବିପଦ ସଂକେତ ତଳେ ରହିଥିବା ଦେଖାଯାଇଛି ।