spot_img
Home Blog Page 6467

ରାଜ୍ୟରେ ବଢ଼ୁଛି କରୋନା ସୁସ୍ଥ ସଂଖ୍ୟା, ସୁସ୍ଥ ହେଲେ ୪ ହଜାରରୁ ଅଧିକ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ପାଦରେ ପାଦ ମିଶାଇ ଚାଲିଛି କରୋନା ସୁସ୍ଥତା ହାର । ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହେଉଛନ୍ତି । ତେବେ ଆଜି ରାଜ୍ୟରେ ୨୬୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୫୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ୩୦ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି କରୋନା ରୋଗୀ । ଏହା ହେଉଛି କରୋନା ଭୟ ଭିତରେ ଏକ ବଡ଼ ଆଶ୍ୱସ୍ତିର ଖବର । ତେବେ ନୂଆ ସୁସ୍ଥ ସଂଖ୍ୟା ପରେ ରାଜ୍ୟରେ ୭୭ ହଜାର ୨୮୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ତେବେ କେଉଁ କେଉଁ ରାଜ୍ୟରୁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ଦେଖନ୍ତୁ । ରାୟଗଡ଼ାରୁ ୬୦୮ ସର୍ବାଧିକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । କଟକରୁ ୪୬୮, ଖୋର୍ଦ୍ଧାରୁ ୩୭୦, ଯାଜପୁରରୁ ୩୩୯, ଗଞ୍ଜାମରୁ ୨୩୩, ସୁନ୍ଦରଗଡ଼ରୁ ୨୧୭, କୋରାପୁଟରୁ ୧୭୫, ଭଦ୍ରକରୁ ୧୭୨, କଳାହାଣ୍ଡିରୁ ୧୬୫, ପୁରୀରୁ ୧୪୪, ନୟଗଡ଼ରୁ ୧୪୧, ମୟୂରଭଞ୍ଜରୁ ୧୨୮, ମାଲକାନାଗିରିରୁ ୧୨୦, ବରଗଡ଼ରୁ ୧୦୦, ସମ୍ବଲପୁରରୁ ୯୨, ବାଲେଶ୍ୱରରୁ ୮୩, କନ୍ଧମାଳରୁ ୭୯, ଢ଼େଙ୍କାନାଳରୁ ୬୬, ବଲାଙ୍ଗିରରୁ ୬୨, ନବରଙ୍ଗପୁରରୁ ୫୨, କେନ୍ଦ୍ରାପଡ଼ାରୁ ୫୦, ଗଜପତିରୁ ୪୮, ଜଗତସିଂହପୁରରୁ ୩୫, ଝାରସୁଗୁଡ଼ାରୁ ୩୫, କେନ୍ଦୁଝରରୁ ୨୯, ଦେବଗଡ଼ରୁ ୧୩, ସୋନପୁରରୁ ୧୩, ନୂଆପଡ଼ାରୁ ୯, ବୌଦ୍ଧରୁ ୬, ଏବଂ ଅନୁଗୁଳରୁ ୧ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଭାରତୀୟ ଅର୍ଥନୀତିକୁ ଶକ୍ତ ଝଟକା, ୪୦ ବର୍ଷ ମଧ୍ୟରେ ଜିଡିପି ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ: ତଳକୁ ତଳ ଖସୁଛି ଭାରତୀୟ ଅର୍ଥନୀତି । କରୋନା ମାଡ଼ରେ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି ଅର୍ଥ ବ୍ୟବସ୍ଥା । ଏପ୍ରିଲରୁ ଜୁନ୍ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବିକାଶ ଦର (GDP) ୨୩.୯ ପ୍ରତିଶତ ଖସିଛି । ୨୦୨୦-୨୧ ଆର୍ଥିକ ବର୍ଷର ଜୁନ୍-ଏପ୍ରିଲ୍ ତ୍ରୈମାସିକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଏଥିସହ କୋର ସେକ୍ଟର ଜିଡିପିରେ ମଧ୍ୟ ହ୍ରାସ ଘଟିଛି । ଜୁଲାଇ ମାସରେ ୮ ଇଣ୍ଡଷ୍ଟ୍ରୀର ଉତ୍ପାଦନରେ ୯.୬ ପ୍ରତିଶତ ହ୍ରାସ ପାଇଛି । ପ୍ରଥମ ତିନି ମାସରେ ରିୟଲ ଜିଡିପି ୨୬.୯୦ ଲକ୍ଷ କୋଟି ଟଙ୍କା ଥିଲା । ଯେତେବେଳେ କି ଗତବର୍ଷ ଏହି ସମୟରେ ୩୫.୩୫ ଲକ୍ଷ କୋଟି ଟଙ୍କା ଥିଲା । ଏହି ପ୍ରକାରେ ଜିଡିପି ୨୩.୯ ପ୍ରତିଶତ ହ୍ରାସ ପାଇଛି ।

୮ଟି ବଡ଼ ଉଦ୍ୟୋଗରେ ଉତ୍ପାଦନ ଜୁଲାଇ ମାସରେ ୯.୬ ପ୍ରତିଶତ ହ୍ରାସ ପାଇଛି । ଏହା ଲଗାତାର ପଞ୍ଚମ ମାସ ଧରି ଖସିବାରେ ଲାଗିଛି । କାରଣ ଉତ୍ପାଦନ ହ୍ରାସ ପାଇଛି । ମୁଖ୍ୟତଃ ଇସ୍ପାତ, ରିଫାଇନାରୀ, ଉତ୍ପାଦ ଓ ସିମେଣ୍ଟ କ୍ଷେତ୍ରରେ ଖରାପ ପ୍ରଦର୍ଶନ ପାଇଁ ବଡ଼ ଉଦ୍ୟୋଗରେ ଉତ୍ପାଦନ କମିଛି । ୨୦୧୯ ଜୁଲାଇରେ ୮ଟି ବଡ଼ ଉଦ୍ୟୋଗର ଉତ୍ପାଦନ ୨.୬ ପ୍ରତିଶତ ବୃଦ୍ଧି ପାଇଥିଲା ।

ଚଳିତ ତ୍ରୈମାସିକରେ ଦୁଇ ମାସ ଏପ୍ରିଲ ଓ ମେରେ ଅଭିବୃଦ୍ଧି ହାର ଯୋଡ଼ା ଯାଇଛି । ଯେତେବେଳେ ଲକଡାଉନ୍ ପାଇଁ ପୂରା ଅର୍ଥବ୍ୟବସ୍ଥା ଠପ୍ ହୋଇ ଯାଇଥିଲା । ଜୁନରେ ଅର୍ଥନୀତିରେ ଅଭିବୃଦ୍ଧି ଅଳ୍ପ ଥିଲା । ଏଥିପାଇଁ ପୂର୍ବରୁ ବିଭିନ୍ନ ଏଜେନ୍ସି ଏହି କଥାର ଆଶଙ୍କା କରିଥିଲେ । ତ୍ରୈମାସିକରେ ଜିଡିପି ୧୬ରୁ ୨୫ ପ୍ରତିଶତ କମିବା ନେଇ ଆଶଙ୍କା ପ୍ରକାଶ କରିଥିଲେ ।

ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ଦ୍ୱାରା ସୋମବାର ଜାରି କରାଯାଇଥିବା ତଥ୍ୟ ଅନୁସାରେ, ଜୁଲାଇରେ ସାରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ୭ଟି କ୍ଷେତ୍ର କୋଇଲା, କଚ୍ଚା ତେଲ, ପ୍ରାକୃତିକ ଗ୍ୟାସ, ରିଫାଇନାରୀ ଉତ୍ପାଦ, ଇସ୍ପାତ୍, ସିମେଣ୍ଟ ଓ ବିଜୁଳି କ୍ଷେତ୍ରରେ ହ୍ରାସ ଘଟିଛି ।

 

ମହାବାତ୍ୟା ବେଳେ ଓଡ଼ିଶାରେ ଥିଲେ ତିନି ଦିନ, ମଟରସାଇକେଲରେ ବୁଲିଥିଲେ

ଭୁବନେଶ୍ୱର: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି । ୮୪ ବର୍ଷ ବୟସରେ ଦୁନିଆରୁ ମେଲାଣି ନେଇଛନ୍ତି ପ୍ରଣବ ବାବୁ । ଭାରତୀୟ ରାଜନୀତିର ଭଦ୍ରଲୋକ । ଏକ ବଙ୍ଗୀୟ ମଧ୍ୟବିତ୍ତ ପରିବାରରୁ ଆସିଥିବା ପ୍ରଣବଙ୍କର ଇତିହାସ ଓ ସଂସ୍କୃତିରେ ଥିଲା ଗଭୀର ରୁଚି । ସେହି କ୍ରମରେ ଓଡ଼ିଶା ସହ ଥିଲା ତାଙ୍କର ସଂପର୍କ ନିବିଡ଼ । ଓଡ଼ିଶାର ଇତିହାସ ଓ ସଂସ୍କୃତି ତାଙ୍କୁ ବେସ ପ୍ରଭାବିତ କରିଥିଲା । ଏହା ଅନେକ ସମୟରେ ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି ।

tarunkanti with pranab
ମହାବତ୍ୟା କାଳରେ ରାମନଗର ଅଂଚଳରେ ପ୍ରଣବ ମୁଖାର୍ଜୀ

ଓଡ଼ିଶା ସହ ବଙ୍ଗ ପ୍ରଦେଶର ସମ୍ପର୍କ ବାବଦରେ ଥରେ ଆଲୋଚନା କରି ସେ ରବୀନ୍ଦ୍ରନାଥ ଟାଗୋରଙ୍କୁ ସ୍ମରଣ କରିଥିଲେ । ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ କେମିତି ବିଶ୍ୱକବିଙ୍କୁ ପ୍ରଭାବିତ କରିଥିଲା ସେ କଥା କହିଥିଲେ ପ୍ରଣବ ମୁଖାର୍ଜୀ । ଓଡ଼ିଶା ଓ ରବିନ୍ଦ୍ରନାଥଙ୍କ ସଂପର୍କକୁ ମନେ ପକାଇ ସେ ଜଗତସିହଂପୁର ପାଣ୍ଡୁଆ ଗାଁ କଥା ଏକ ସଭାରେ କହିଥିଲେ । ଜଗତସିଂହପୁରର ପାଣ୍ଡୁଆ ଗାଁରେ ରବିନ୍ଦ୍ରନାଥଙ୍କ ଜେଜେବାପାଙ୍କ ଜମିଦାରୀ ଥିଲା । ଏହି କ୍ରମରେ ତାଙ୍କର ଓଡ଼ିଶା ଆସିବା ହେଉଥିଲା । ପୁରୀର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ରବିନ୍ଦ୍ରନାଥ ଜଗନ୍ନାଥପୁରୀରେ ଘର କରିଥିଲେ ।

tarunkanti with pranab
୨୦୧୩ରେ ଭୁବନେଶ୍ୱର ରାଜଭବନରେ ପ୍ରଣବଙ୍କୁ ସାକ୍ଷାତ କରୁଛନ୍ତି ତରୁଣକାନ୍ତି

ପ୍ରଣବଙ୍କ ଓଡ଼ିଶାକୁ ଭଲ ପାଇବା କେତେ ଥିଲା ତାହା ୧୯୯୯ ମସିହାର ମହାବାତ୍ୟା ପରେ ଜଣା ପଡ଼ିଥିଲା । ସେତେବେଳେ କଂଗ୍ରେସର ମହାସଚିବ ଥିବା ପ୍ରଣବ ତିନି ଦିନ ପାଇଁ କେନ୍ଦ୍ରାପଡାରେ ରହିଥିଲେ । କେନ୍ଦ୍ରାପଡାର ରାମନଗର ଅଂଚଳରେ ମହାବାତ୍ୟା ପ୍ରଭାବିତ ଅଂଚଳର ଦୂରାବସ୍ଥାକୁ ନିଜ ଆଖିରେ ଦେଖିଥିଲେ । ସେହି ସମୟରେ ରାମନଗରର ତରୁଣକାନ୍ତି ନାମକ ଯୁବକଙ୍କ ମୋଟର ସାଇକେଲରେ ସେ ତିନି ଦିନ ଧରି ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଥିଲେ । ଏହି ସମୟରେ ପ୍ରଣବ ବାବୁ ତରୁଣକାନ୍ତିଙ୍କ ଘରେ ଖାଇଥିଲେ ମଧ୍ୟ । ତରୁଣକାନ୍ତିଙ୍କ ଘରେ ସେ ମାଛ ତରକାରୀ ଓ ଭାତ ଖାଇଥିଲେ ।

tarunkanti with pranab
ମହାବାତ୍ୟା ପରେ ରାମନଗରରେ ପ୍ରଣବ

୨୦୧୩ ମସିହାରେ ଯେତେବେଳେ ପ୍ରଣବ ମୁଖାର୍ଜୀ ରାଷ୍ଚ୍ରପତି ଭାବେ ଓଡ଼ିଶା ଗସ୍ତରେ ଆସିଥିଲେ, ସେତେବେଳେ ତରୁଣକାନ୍ତିଙ୍କୁ ସାକ୍ଷାତ କରିଥିଲେ । ରାଷ୍ଟ୍ରପତି ପୁରୀରେ ଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ । ସେହି ସମୟରେ ତରୁଣକାନ୍ତିଙ୍କ ଗାଁର ଅନେକ ଲୋକ ରାଷ୍ଚ୍ରପତିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ତରୁଣକାନ୍ତି ମଧ୍ୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ରାଷ୍ଟ୍ରପତି ଭବନର ସଚିବଙ୍କୁ ଇମେଲ୍ କରିଥିଲେ । ତେବେ ତାଙ୍କର ଆଶା ନଥିଲା ଯେ, ମହାମହିମ ରାଷ୍ଟ୍ରପତି ତାଙ୍କୁ ସାକ୍ଷାତ କରିବେ । ତେବେ ହଠାତ ରାଷ୍ଟ୍ରପତି ଭବନରୁ ତାଙ୍କୁ ଫୋନ୍ ଆସିଥିଲା । ପୁରୀରେ ନୁହଁ ଭୁବନେଶ୍ୱର ରାଜଭବନରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ତରୁଣକାନ୍ତିଙ୍କୁ ମିଳିଥିଲା ନିମନ୍ତ୍ରଣ । ଏଇ ଗୋଟିଏ କଥାରୁ ଜଣା ପଡ଼େ ଦେଶର ପ୍ରଥମ ନାଗରିକ ହୋଇଥିଲେ ମଧ୍ୟ ପ୍ରଣବ ୧୯୯୯ ମସିହାରେ ଭେଟିଥିବା ଜଣେ ସାଧାରଣ ଗ୍ରାମୀଣ ଯୁବକଙ୍କୁ ଭୁଲି ନଥିଲେ ।

tarunkanti with pranab
ତରୁଣକାନ୍ତିଙ୍କ ବାଇକ ପଛରେ ପ୍ରଣବ

ପ୍ରଣବ ଓଡ଼ିଶା ଆସିଲେ ଓଡ଼ିଶାର ଜାତୀୟ ଖାଦ୍ୟ ପଖାଳ ଖାଉଥିଲେ । ୨୦୧୮ ମସିହାରେ ଦି ଟାଲ୍ ମ୍ୟାନ୍ ପୁସ୍ତକ ଉନ୍ମୋଚନ ପାଇଁ ଓଡ଼ିଶା ଆସି ସେ ନବୀନ ନିବାସର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭାରତୀୟ ରାଜନୀତିର ଅନ୍ୟ ବରିଷ୍ଠ ନେତାଙ୍କ ସହ ପଖାଳ ଖାଇଥିଲେ ।

ISIS ଆତଙ୍କବାଦୀ ଅବୁ ୟୁସୁଫ କରିଥିଲା କରୋଲବାଗରେ ବଡ ଧରଣର ଆକ୍ରମଣ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ISIS ଆତଙ୍କବାଦୀ ଅବୁ ୟୁସୁଫକୁ ପଚରା ଉଚରା ସମୟରେ ତା’ଠାରୁ ବଡ ତଥ୍ୟ ମିଳିଛି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ସାମ୍ନାରେ ପଚରାଉଚରା ସମୟରେ ସୋମବାର ଦିନ ସେ ଦିଲ୍ଲୀର କରୋଲବାଗରେ ଏକ ବଡ଼ ଧରଣର ବିସ୍ଫୋରଣ କରିବାକୁ ଚାହୁଁଥିଲା ବୋଲି ସ୍ୱୀକାର କରିଛି । କେବଳ ଏଇଥିପାଇଁ ସେ କରୋଲବାଗରେ ଲୁଚି ରହିଥିଲା । ସୁଯୋଗ ଦେଖି ଜନଗହଳି ସ୍ଥାନରେ କୁକର ବମ୍‌ ପ୍ଲାଣ୍ଟ କରି ବିସ୍ଫୋରଣ କରିବାର ଲକ୍ଷ୍ୟ ରଖିଥିଲା ଅବୁ ।

 ୨୨ ଅଗଷ୍ଟରେ ରାଜଧାନୀ ଦିଲ୍ଲୀରେ ଧୌଲାକୁଆଁ ଅଞ୍ଚଳରେ ଏନକାଉଣ୍ଟର ପରେ ଧରା ପଡ଼ିଥିଲା ଅବୁ ୟୁସୁଫ । ପୋଲିସର କହିବା ଅନୁଯାୟୀ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ସହିତ ଅବୁର ଯୋଗାଯୋଗ  କହିଛି  । ସୂଚନାଯୋଗ୍ୟ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ୨୨ ଅଗଷ୍ଟ ରାତିରେ ଧୌଲାକୁଆଁ ଓ କରୋଲବାଗକୁ ଯୋଡ଼ୁଥିବା ରିଜ୍‌ ରୋଡ଼ ନିକଟରେ ଏକନାଉଣ୍ଟର ପରେ ଅବୁକୁ ଗିରଫ କରିଥିଲା । ତା ନିକଟରୁ ଦୁଇଟି IED ଏବଂ ଏକ ବନ୍ଧୁକ ଜବତ କରିଥିଲା ପୋଲିସ। ସେହି ସମୟରେ ଅବୁ ଏକ ବାଇକ ସହିତ ଧରା ପଡ଼ିଥିଲା ଓ ତା ନିକଟରେ ୧୫ କିଲୋ ବିସ୍ଫୋଟକ ଥିଲା । ଅବଶ୍ୟ ପୋଲିସର କହିବା ଅନୁସାରେ ତା ନିକଟରୁ ପ୍ରେସର କୁକରରେ ତିଆରି IED ଜବତ ହୋଇଥିଲା ।

ଏହା ସହିତ ଅବୁ ଅନ୍ୟ ଏକ ବଡ଼ କଥାର ଖୁଲାସା କରିଛି । ପୋଲିସର ପଚରାଉଚରା ସମୟରେ ସେ କହିଛି କି ରାମ ମନ୍ଦିରର ଭୂମି ପୂଜନ ପରେ ISIS ଦେଶର କେତେକ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ କରିବା ପାଇଁ ଯୋଜନା କରୁଛି । ତେବେ ଭୂମି ପୂଜନର ଏକ ମାସ ମଧ୍ୟରେ ଏଭଳି ଆତଙ୍କ ଖେଳାଇବାର ଯୋଜନା କରାଯାଇଥିବା କହିଛି ଅଭିଯୁକ୍ତ ଅବୁ ୟୁସୁଫ୍‌ ।

ଖବର ଅନୁସାରେ ରାଜଧାନୀରେ ଆତଙ୍କ ସୃଷ୍ଟି କରିବା ପାଇଁ ଏକ ଆତଙ୍କବାଦୀ ପ୍ରବେଶ କରିଛି ବୋଲି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲକୁ ସୂଚନା ମିଳିଥିଲା । ଯାହାପରେ ପୋଲିସର ଏକ ଦଳ ଧୌଲାକୁଆଁ ନିକଟରେ ସନ୍ଦିଗ୍ଧକୁ ଧରିବା ପାଇଁ ଚେଷ୍ଟା କଲେ, କିନ୍ତୁ ସେ ଫାୟାରିଙ୍ଗ ଆରମ୍ଭ କରିଦେଲା । ଉଭୟ ପକ୍ଷରୁ ଗୁଳି ଚଳାଇବା ପରେ ଆତଙ୍କବାଦୀକୁ ଗିରଫ କରିବାରେ ସକ୍ଷମ ହେଲା ପୋଲିସ । ସ୍ୱତନ୍ତ୍ର ସେଲର ଡିସିପି ପ୍ରମୋଦ କୁଶବାହଙ୍କ କହିବା ଅନୁସାରେ ଧରା ପଡ଼ିଥିବା ଆତଙ୍କବାଦୀ ଅବୁ ୟୁସୁଫର ଇସଲାମିକ ଷ୍ଟେଟ୍ ସହିତ ସମ୍ପର୍କ ଓ ଯୋଗାଯୋଗ ଅଛି ।

ପ୍ରଣବ ମୁଖାର୍ଜୀଙ୍କ ଚେଷ୍ଟାରେ ଭାରତ ରତ୍ନ ପୁରସ୍କାର ପାଇଥିଲେ ମଦର ଟେରେସା

ନୂଆଦିଲ୍ଲୀ: ଖୁବ କମ ଲୋକ ଜାଣିଥିବେ କି ସମାଜସେବୀ ମଦର ଟେରେସାଙ୍କୁ ଭାରତ ରତ୍ନ ମିଳିବା ପଛରେ ଦିବଙ୍ଗତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଏକ ପ୍ରମୁଖ ଭୂମିକା ରହିଥିଲା । ତାଙ୍କୁ ଭାରତ ରତ୍ନ ପ୍ରଦାନ କରିବାରେ ପ୍ରଣବ ପ୍ରଥମ ପ୍ରସ୍ତାବ ଦେଇଥିଲେ । ସେହି ସମୟର ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀ ପ୍ରସ୍ତାବରେ ମୋହର ମାରିଥିଲେ ମଧ୍ୟ ଭାରତରେ ମଦର ଟେରେସାଙ୍କୁ ଭାରତ ରତ୍ନ ଦେବା ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହୋଇଥିଲା । ବିଶେଷ ଭାବରେ ଇନ୍ଦୀରାଙ୍କର ରାଜନୈତିକ ବିରୋଧୀ ମଦର ଟେରେସାଙ୍କ ବିଦେଶିନୀ ହୋଇଥିବା ଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ସେମାନଙ୍କ ଯୁକ୍ତି ଥିଲା କି ମଦର ଟେରେସା ଭାରତର ନାଗରିକ ହୋଇ ନଥିବା ହେତୁ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଦେବା ଉଚିତ ହେବ ନାହିଁ । ମାତ୍ର ପ୍ରଣବ ମୁଖାର୍ଜୀ ଏଭଳି ଅବାନ୍ତର ଯୁକ୍ତିକୁ ଖଣ୍ଡନ କରିବା ସହ ମଦର ଟେରେସାଙ୍କୁ ଭାରତ ରତ୍ନ ଦେବା ସପକ୍ଷରେ ଯୁକ୍ତି ବାଢିଥିଲେ । କେବଳ ସେତିକି ନୁହେଁ ଇନ୍ଦୀରା ଏହାକୁ ନେଇ ଖୁବ ଚିନ୍ତିତ ହୋଇ ଯାଇଥିଲେ । କାରଣ ଏହା ଏକ ବଡ଼ ଘଟଣାର ରୂପ ନେଇଥିଲା ।
ସୂଚନାଯୋଗ୍ୟ ଭାରତ ରତ୍ନର ଏକ ପ୍ରକ୍ରିୟା ରହିଛି । ଏଥିପାଇଁ ଜ୍ୟୁରି କମିଟି ଥାଏ । ପରେ ପ୍ରସ୍ତାବକୁ ହୋମ ମିନିଷ୍ଟ୍ରିକୁ ପଠାଯାଏ । ଏହାପରେ କ୍ୟାବିନେଟ ନିକଟକୁ ପ୍ରସ୍ତାବ ପଠାଯାଏ । ପ୍ରକ୍ରିୟା ସମୟରେ ଇନ୍ଦୀରାଙ୍କ ସାମ୍ନାରେ ପ୍ରଶ୍ନ ରଖାଗଲା କି ଅନ୍ୟ ଦେଶର ନାଗରିକଙ୍କୁ କିଭଳି ଭାରତ ରତ୍ନ ପ୍ରଦାନ କରାଯିବ?

ପ୍ରଣବ ମୁଖାର୍ଜୀଙ୍କୁ ଟେକ୍ସଟ ବୁକ ମ୍ୟାନ ବୋଲି କୁହାଯାଏ । ଯେଉଁଥିରେ ସେ କହିଥିଲେ କି ସମ୍ବିଧାନରେ ଏଭଳି କୌଣସି ନିୟମ ନାହିଁ, ଯେଉଁଥିରେ କୁହାଯାଇଛି କି କେବଳ ଭାରତୀୟ ନାଗରିକଙ୍କୁ ଭାରତ ରତ୍ନ ଦିଆଯିବ । ମଦର ଟେରେସା ଦୀର୍ଘ ଦିନ ଧରି ଭାରତରେ ରହିଛନ୍ତି । ଭାରତୀୟଙ୍କ ସେବା କରିଛନ୍ତି । ତାହାର ଅର୍ଥ ସେ ଭାରତୀୟ ହୋଇ ସାରିଛନ୍ତି । ତେଣୁ ନାଗରିକ ହୋଇନଥିବାରୁ ଭାରତ ରତ୍ନରୁ ବଞ୍ଚିତ କରିବାର ପ୍ରଶ୍ନ ଉଠୁନି କହି ଯୁକ୍ତି ବାଢିଥିଲେ ପ୍ରଣବ । ପରେ ତାଙ୍କ ଦାବିକୁ ସମ୍ବିଧାନ ବିଶେଷଜ୍ଞ ଉଚିତ ଭାବିଲେ ଏବଂ ମଦର ଟେରେସାଙ୍କୁ ଭାରତ ରତ୍ନ ଦେବାପାଇଁ ଅନୁମତି ଦେଲେ । ୧୯୮୦ରେ ମଦର ଟେରେସାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଗଲା । ଏହାର ଏକ ବର୍ଷ ପୂର୍ବରୁ ତାଙ୍କୁ ୧୯୭୯ରେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ମଦର ଟେରେସାଙ୍କୁ ନେଇ ଆରଏସଏସର ଅଭିଯୋଗ ଥିଲା କି ଗରୀବଙ୍କ ସେବା କରିବା ପଛରେ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ଖ୍ରୀଷ୍ଟିୟାନ କରିବା । ନିଜର ସାମ୍ବିଧାନିକ ଜ୍ଞାନକୁ ବ୍ୟବହାର କରି ପ୍ରଣବ ନା କେବଳ ନିଜ ବିରୋଧରେ ଉଠିଥିବା ଶବ୍ଦକୁ ବନ୍ଦ କଲେ ବରଂ ମଦର ଟେରେସାଙ୍କୁ ଭାରତ ରତ୍ନ ମଧ୍ୟ ଦେଲେ । ଏହାକୁ ଆଧାର କରି ପରେ ଅବଦୁଲ ଗଫ୍ଫାର ଖାନ, ନେଲସନ ମଣ୍ଡେଲାଙ୍କୁ ମଧ୍ୟ ଭାରତ ରତ୍ନ ପ୍ରଦାନ କରାଗଲା । ଗଫ୍ଫାର ଖାନ ଉଦାର ଏବଂ ଗାନ୍ଧିବାଦି ଥିଲେ । ୧୯୮୭ରେ ସେ ଭାରତ ରତ୍ନ ପାଇଥିଲେ ।

ନେଲସନ ମଣ୍ଡେଲା ଆଫ୍ରିକାର ଗାନ୍ଧି ଭାବରେ ପରିଚିତ । ବର୍ଣ୍ଣ ବୈଷମ୍ୟ ବିରୋଧରେ ଲଢିଥିବା ମଣ୍ଡେଲାଙ୍କ ଯୋଗଦାନକୁ କେହି ଭୁଲିପାରିବେ ନାହିଁ । ମହାତ୍ମା ଗାନ୍ଧିଙ୍କ ଭଳି ଅହଂସା ମାର୍ଗରେ ଚାଲିଥିବା ମଣ୍ଡେଲା ବର୍ଣ୍ଣ ବୈଷମ୍ୟ ପାଇଁ ଲଢି ୨୭ ବର୍ଷ ଜେଲଦଣ୍ଡ ଭୋଗିଥିଲେ । ୧୯୯୦ରେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା ।

ଭାରତୀୟ ରାଜନୀତିର ଧୂରୀଣ ଚାଣକ୍ୟଙ୍କ ମଧ୍ୟରେ ଥିଲେ ସେ ଅନ୍ୟତମ

ପ୍ରଣବ ମୁଖାର୍ଜୀ । ଭାରତୀୟ ରାଜନୀତିର ଧୂରୀଣ ଚାଣକ୍ୟଙ୍କ ମଧ୍ୟରେ ସେ ଅନ୍ୟତମ। ୬ ଦଶନ୍ଧିରୁ ଅଧିକ ସମୟ ଧରି ପ୍ରତ୍ୟକ୍ଷ ରାଜନୀତିରେ ଜଡ଼ିତ । ୮୪ ବର୍ଷ ବୟସରେ ଜୀବନ ମୃତ୍ୟୁ ସହ ସଂଗ୍ରାମ । ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଥିଲେ ଭାରତର ୧୩ତମ ରାଷ୍ଟ୍ରପତି । ୧୯୬୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହଯୋଗରେ ପାର୍ଲାମେଣ୍ଟରେ ପ୍ରଥମକରି ପ୍ରବେଶ କରିଥିଲେ ପ୍ରଣବ ମୁଖାର୍ଜୀ । କଂଗ୍ରେସର ରାଜ୍ୟ ସଭା ଟିକେଟରେ ସେ ସାଂସଦ ହୋଇଥିଲେ । ୧୯୭୩ରେ ଇନ୍ଦିରାଙ୍କ କ୍ୟାବିନେଟରେ ପ୍ରଥମ କରି ମନ୍ତ୍ରୀ ହେଲେ ପ୍ରଣବ । ଏହାପରେ ୧୯୭୫,୧୯୮୧, ୧୯୯୩ ଏବଂ ୧୯୯୯ରେ ସେ ପୁନର୍ବାର ରାଜ୍ୟସଭାକୁ ମନୋନୀତ ହେଲେ । ୧୯୮୪ରେ ସେ ନିଜେ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ ଗଠନ କରିଥିଲେ ।

୧୯୮୯ରେ ରାଜୀବ ଗାନ୍ଧିଙ୍କ ସହ ଆଲୋଚନା ପରେ ଏହା କଂଗ୍ରେସରେ ବିଲୀନ ହୋଇଥିଲା । ୧୯୯୧ରେ ସେ ରାଜୀବ ଗାନ୍ଧିଙ୍କ ନିଧନ ପରେ କଂଗ୍ରେସରେ ବେଶ ସକ୍ରିୟ ହେଲେ। ନରସିଂହା ରାଓ ତାଙ୍କୁ ପ୍ଲାନିଂ କମିଶନ ଉପାଧ୍ୟକ୍ଷ କରାଇଥିଲେ । ୧୯୯୫ରେ ବୈଦେଶିକ ମନ୍ତ୍ରୀ ହେଲେ । ୨୦୦୪ରେ ୟୁପିଏ-୧ ସମୟରେ ପ୍ରଣବ ମୁଖାର୍ଜୀ ପ୍ରଥମ କରି ଲୋକସଭା ନିର୍ବାଚନ ଲଢ଼ିଲେ । ମନମୋହନ ସିଂଙ୍କ ସରକାରରେ ପ୍ରତିରକ୍ଷା, ବୈଦେଶିକ ଓ ଅର୍ଥମନ୍ତ୍ରୀ ହେବା ସହ ତାଙ୍କ ଅନୁପସ୍ଥିତିରେ କ୍ଯାବିନେଟ୍ ବୈଠକ ସମ୍ଭାଳିଥିଲେ ।

୨୦୦୯ରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଅର୍ଥମନ୍ତ୍ରାଳୟର ଦାୟିତ୍ୱ ଦିଆୟାଇଥିଲା । ସୋନିଆ ଗାନ୍ଧି ପ୍ରଣବ ମୁଖାର୍ଜୀଙ୍କୁ ବେଶ୍ ଗୁରୁତ୍ୱ ଦେଉଥିଲେ । କଂଗ୍ରେସର କ୍ରାଇସିସ୍ ମ୍ୟାନେଜର ଥିଲେ ପ୍ରଣବ । ୨୦୦୮ରେ ତାଙ୍କୁ ପଦ୍ମ ବିଭୂଷଣ ଏବଂ ୨୦୧୯ରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ୧୧ ଡିସେମ୍ବର ୧୯୩୫ରେ ପଶ୍ଚିମବଙ୍ଗରେ ତାଙ୍କର ଜନ୍ମ । ୨୦୧୫ରେ ତାଙ୍କ ପତ୍ନୀଙ୍କର ବିୟୋଗ ହୋଇଥିଲା ।

ରାଜନୀତିର ଅଜାତଶତ୍ରୁ, ସବୁ ଦଳରେ ଥିଲେ ପ୍ରଶଂସକ

ଭୁବନେଶ୍ୱର:  ସବୁବେଳେ ହସ । ନିଜ ଦଳ ହେଉ, କି ବିରୋଧୀ ସମସ୍ତଙ୍କ ସେ ଥିଲେ ଅତି ପ୍ରିୟ ।  କୋଲକାତାରୁ ସଂସଦ । ଆଉ ସଂସଦରୁ ରାଷ୍ଟ୍ରପତିର ରାଇସେନା ହିଲ, 50 ବର୍ଷର ରାଜନେତିକ ଜୀବନ ।  ଏଥିରୁ 40 ବର୍ଷର ସଂସଦୀୟ ଜୀବନ ।  କେନ୍ଦ୍ରରେ ପ୍ରତିରକ୍ଷା, ଅର୍ଥ ଭଳି ଗୁରୁ ଦାୟିତ୍ୱ ଆଉ ଦଳ ପାଇଁ ଅନେକ ସମୟରେ ସେ ସାଜିଛନ୍ତି ଶଙ୍କଟମୋଚକ ।  ଲମ୍ବା ରାଜନୀତିର ଜୀବନ ପୁଣି ଦେଶର ସର୍ବୋଚ୍ଚ ନାଗରିକ ପଦ । ସେ ହେଉଛନ୍ତି ପ୍ରଣବ ଦା । ଭାରତ ରାଜନୀତିର ଅଜାତ ଶତ୍ରୁ, ବିଚକ୍ଷଣ ବୁଦ୍ଧି, ରାଜନୈତିକ ରଣନୀତିକାର, ଆଇନକୁ ଅତି ନିକଟରୁ ବୁଝୁଥିବା ରାଜନେତା ପ୍ରଣବ ମୁଖାର୍ଜୀ । ଯେତେବେଳେ ଏତେ ସବୁ ପଦ ପଦବୀ କଥା ମନକୁ ଆସେ ସେତେବେଳେ ମନେ ପଡନ୍ତି ବିଚକ୍ଷଣ ରାଜନେତା ପ୍ରଣବ ମୁଖାର୍ଜୀ ।  ରାଜନୀତି ପରିବାରରେ ଜନ୍ମ ହୋଇଥିବାରୁ ରାଜନୀତିକୁ ପେସା କରି ନେଇଥିଲେ ପ୍ରଣବ ଦା ।

କୋଲକାତାର ବୀରଭୂମିରେ 1935 ମସିହା ଡିସେମ୍ବର 11 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ପ୍ରଣବ ମୁଖାର୍ଜୀ । ପିତା କାମଦା କିଙ୍କର ମୁଖାର୍ଜୀ ଓ ମାତା ରାଜଲଷ୍ମୀଙ୍କ କୋଳମଣ୍ଡନ କରି ଜନ୍ମ ହୋଇଥିଲେ ଏହି ଜଗତଜନ୍ମା ସନ୍ତାନ ।  ପିଲା ଦିନରୁ ପାଠ ପଢାରେ ବେସ ରୁଚି ରଖୁଥିଲେ ପ୍ରଣବ । ସୁରି ବିଦ୍ୟାସାଗର କଲେଜରୁ ପାଠ ପଢା ଆରମ୍ଭ କରିଥିବା ପ୍ରଣବ ପଲିଟିକାଲ ସାଇନସ ଓ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଏଥି ସମେତ କୋଲକାତା ବିଶ୍ୱ ବିଦ୍ୟାଳୟରୁ LLB ଡିଗ୍ରୀ ମଧ୍ୟ ହାସଲ କରିଥିଲେ ପ୍ରଣବ । କୋଲକାତାରେ ଏକ କମ୍ପାନୀରେ କ୍ଲର୍କ ଭାବେ କାମ ଆରମ୍ଭ କରିଥିଲେ, ଏହାପରେ 1963ରେ ବିଦ୍ୟାନଗର କଲେଜରେ ପଲିଟିକାଲ ସାଇନ୍ସରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଶିକ୍ଷା ଦାନ କରିଥିଲେ । ଏତେ ସାରା ଡିଗ୍ରୀ ଓ ଜ୍ଞାନର ଅଧିକାରୀ ସତ୍ତ୍ୱେ ରାଜନୀତିକୁ ଜୀବନର ଅସ୍ତ୍ର ବୋଲି ଧରି ନେଇଥିଲେ ପ୍ରଣବ । ରାଜ୍ୟ ରାଜନୀତି ପରିବର୍ତ୍ତେ ଦିଲ୍ଲୀ ଦରବାରରେ ରାଜନୀତିର ରଣାଙ୍ଗନକୁ ଓହ୍ଲାଇଥିଲେ ଦାଦା । 1969ରେ ରାଜନୀତିରେ ପାଦ ଦେଲେ ପ୍ରଣବ । ଏହା ପରେ ଆଉ ସେ ପଛକୁ ଫେରି ଚାହିଁ ନାହାନ୍ତି । ବୀଚକ୍ଷଣ ରାଜନୀତି ପାଇଁ ସେ ସମୟର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ରାଜନୀତିରେ ସୁଯୋଗ ଦେଇଥିଲେ ।  ଏହା ପରେ କଂଗ୍ରେସ ପାଇଁ ପ୍ରଣବ ବନି ଯାଇଥିଲେ ଅତି ଗୁରୁତ୍ୱପୂର୍ଣ ।  ସେଥିପାଇଁ ତ ବିପଦ ସମୟରେ କଂଗ୍ରେସ ପାଇଁ ସଂକଟମୋଚକ ସାଜନ୍ତି ପ୍ରଣବ ଆଉ ସତ୍ତା ସମୟରେ ମିଳେ ଗୁରୁ ଦାୟିତ୍ୱ ।

ରାଜନୀତିର ଶିଖର ଛୁଇଂଥିବା ପ୍ରଣବ ସମୟ କ୍ରମେ ହେଲେ ଦେଶର ରାଷ୍ଟ୍ରପତି ।  ଯେତେବେଳେ 2012ରେ କଂଗ୍ରେସ ରାଷ୍ଟ୍ରପତି ପ୍ରାର୍ଥୀ ଖୋଜୁଥାଏ, ସେତେବେଳେ ଗୋଟିଏ ନା ବାରମ୍ବାର ଆସୁଥିଏ, ଆଉ ସେ ହେଉଛନ୍ତି ପ୍ରଣବ ମୁଖାର୍ଜୀ । ଏହି ପଦ ପାଇଁ ମଧ୍ୟ ଆଶା ବାନ୍ଧିଥିଲେ ଦାଦା । କଂଗ୍ରେସ ମଧ୍ୟ ତାଙ୍କୁ ନିରାଶ କରିନଥିଲା ।ଯେତେବେଳେ କଂଗ୍ରେସ ପ୍ରଣବଙ୍କ ନା ଘୋଷଣା କଲା, ସେତେବେଳେ ଅନେକ ବିରୋଧୀ ମଧ୍ୟ ଏହାକୁ ସ୍ୱାଗତ କଲେ । କାରଣ ସମସ୍ତଙ୍କ ଅତି ପ୍ରିୟ ଥିଲେ ପ୍ରଣବ  । ଆଉ ଶେଷରେ ରାଷ୍ଟ୍ରପତି ପଦ ଅଳଙ୍କୃତ କଲେ ।

 

ଇଏ ତ ଥିଲା ରାଜନୀତିର କଥା ।  ରାଜନୀତିରେ ସୃଷ୍ଟି କରିଥିବା ଅଜାତ ଶତ୍ରୁ ପ୍ରଣବ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।  2008ରେ ପ୍ରଣବଙ୍କୁ ମିଳିଥିଲା ପଦ୍ମ ବିଭୁଷଣ ସମ୍ମାନ ।  2019ରେ ଭାରତ ରତ୍ନ ଭଳି ସର୍ବୋଚ୍ଚ ସଂମ୍ମାନରେ ସମ୍ମାନିତ ହୋଇଥିଲେ ଦାଦା ।  କେବଳ ଏତିକି ନୁହେଁ, ଅନେକ ଡ଼କ୍ଟରେଟ ସମ୍ମାନ ସହ ବିଦେଶ ରାଷ୍ଟ୍ରରୁ ମଧ୍ୟ ତାଙ୍କୁ  ଅନେକ ସମ୍ମାନ । ରାଜନୀତି ଭଳି ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ବେଶ୍‌ ଶୃଙ୍ଖଳିତ ଥିଲେ  । 1957 ଜୁଲାଇ 13 ତାରିଖରେ ସୁରଭା ମୁଖାର୍ଜୀଙ୍କୁ ବିବାହ କରିଥିଲେ ପ୍ରଣବ । ତାଙ୍କର ଦୁଇ ପୁଅ ହେଉଛନ୍ତି ଇନ୍ଦ୍ରଜିତ ଓ ଅଭିଜିତ ମୁଖାର୍ଜୀ ଓ ଜଣେ ଝିଅ ଶର୍ମିଷ୍ଠା ମୁଖାର୍ଜୀ । 2015 ଅଗଷ୍ଟ 18 ତାରିଖରେ 74 ବର୍ଷ ବୟସରେ ପ୍ରାଣ ହରାଇଥିଲେ ପତ୍ନୀ ସୁରଭା । କହିବାକୁ ଗଲେ ଏକାଧାରରେ ପ୍ରଣବ ଥିଲେ ଜଣେ ରାଜନେତା । ଆଇନ ବିଶାରଦ, ମିଷ୍ଟଭାସି ଓ ସମସ୍ତଙ୍କ ଅତି ପ୍ରିୟ

ଗତ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଥିବାବେଳେ ସୋମବାରକୁ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ସମସ୍ତଙ୍କ ପ୍ରିୟ ପ୍ରଣବ ।

LAC Face Off: ସୀମାରେ ଚୀନ୍ ଉଡ଼ାଇଲା ଯୁଦ୍ଧ ବିମାନ J-20, ଟକ୍କର ଦେବ ରାଫେଲ୍

ନୂଆଦିଲ୍ଲୀ: ଲଦାଖର ପେଙ୍ଗୋଙ୍ଗ୍ ହ୍ରଦରେ ଚୀନ ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ଯାହାକୁ ବିଫଳ କରିଛନ୍ତି ଭାରତୀୟ ଯବାନ । ଯାହାପରେ ଚୀନ୍ ସେନା ସୀମା ନିକଟରେ ଲଦାଖ ଉପରେ ଯୁଦ୍ଧ ବିମାନ ଜେ-୨୦ ଉଡ଼ାଉଛି । ଯାହାକୁ ଟକ୍କର ଦେବା ପାଇଁ ଭାରତୀୟ ବାୟୁସେନାର ରାଫେଲ, ସୁଖୋଇ-୩୦ ଏମକେଆଇ ଓ ତେଜସ୍ ପ୍ରସ୍ତୁତ ରହିଛନ୍ତି ।

ରାଫେଲ ଆଗରେ ଚୀନର J-୨୦ର ଇଞ୍ଜିନ୍ ନିମ୍ନମାନର । ଲଢ଼େଇରେ ମଧ୍ୟ ରାଫେଲ, J-୨୦ ଠାରୁ ବହୁତ ଆଗୁଆ । ରାଫେଲରେ ୱାୟର ୱେପନ୍ ଲୋଡ୍, ବ୍ୟାଟର ହାର୍ଡାଣ୍ଡ ଓ ଲିଥଲ ମିସାଇଲ୍ ପାୱାର ରହିଛି । ଆସନ୍ତୁ ଜାଣିବା ରାଫେଲ୍ (Rafale) ଚୀନର ଯୁଦ୍ଧ ବିମାନ ଚେଙ୍ଗଦୁ ଜେ-୨୦ ଠାରୁ କେଉଁଥି ପାଇଁ ଭଲ ।

ପ୍ରଥମେ ଇଞ୍ଜିନ୍ କଥା ଦେଖିବାକୁ ଗଲେ ରାଫେଲରେ ଦୁଇଟ Snecma M88 ଇଞ୍ଜିନ୍ ରହିଛି । ଯାହା ୫୦ କିଲୋନ୍ୟୁଟନ ଥ୍ରଷ୍ଟ ନିର୍ମାଣ କରେ । ଚେଙ୍ଗଦୁ ଜେ-୨୦ରେ ଶେନୟାଙ୍ଗ WS-10 ବି ଇଞ୍ଜିନ୍ ଲାଗିଛି । ଯାହା ୧୪୫ କିଲୋନ୍ୟୁଟନ ଥଷ୍ଟ ନିର୍ମାଣ କରେ । କିନ୍ତୁ ରାଫେଲ୍ ଇଞ୍ଜିନର ଥ୍ରଷ୍ଟ ତାକୁ ଚଲାଇବା ସହଜ କରିଥାଏ ।

ରାଫେଲ୍ ସୁପିରିୟର କମ୍ବାଟରେ ମଧ୍ୟ ଚେଙ୍ଗଦୁ ଜେ-୨୦ରୁ ଭଲ ଅଟେ । କାରଣ ରାଫେଲର ଆକାର ତାକୁ ଆକାଶରେ କ୍ଲୋଜ୍ କମ୍ବାଟରେ ସାହାଯ୍ୟ କରିଥାଏ । ଯେତେବେଳେ କି ଚେଙ୍ଗଦୁ ଜେ-୨୦ରେ ଆକାର ତାକୁ କ୍ଲୋଜ୍ କମ୍ବାଟରେ ଟିକିଏ ଅସୁବିଧା ସୃଷ୍ଟି କରିଥାଏ ।

ରାଫେଲରେ ସ୍କ୍ଲାପ୍ ଇଜି ଷ୍ଟ୍ରମ୍ ସ୍ୟାଡୋ, ଏଏଏସ୍ଏମ୍, ଏଟି ୭୩୦ ଟ୍ରିପଲ ଇଜେକ୍ଟର ରାକ, ଡାମୋକ୍ଲେସ ପଡ, ହ୍ୟାମର ମିସାଇଲ୍ ଖଞ୍ଜା ଯାଇପାରିବ । ଯେତେବେଳେ କି ଚେଙ୍ଗଦୁ ଜେ-୨୦ରେ ଏଏଏମ୍, ସର୍ଟ ରେଞ୍ଜ ଏଏଏମ୍, ଇଣ୍ଟର୍ନାଲ ଅଟୋକ୍ୟାନନ୍ ଓ ରୋଟରୀ କ୍ୟାନନ ମସିନ ଖଞ୍ଜା ଯାଇପାରିବ ।

ରାଫେଲ ୪.୫ ଜେନରେସନର ଟ୍ୱିନ୍ ଇଞ୍ଜିନ୍, କନାଡ଼ା ଡେଲ୍ଟା ୱିଙ୍ଗ, ମଲ୍ଟି ରୋଲ୍ ଯୁଦ୍ଧ ବିମାନ ଅଟେ । ଯେତେବେଳେ କି ଚେଙ୍ଗଦୁ ଜେ-୨୦ ସିଙ୍ଗଲ ସିଟ୍, ପ୍ରତିପାଗରେ ଉଡ଼ି ପାରିବ, ଷ୍ଟେଲଥ, ୫ମ ଜେନରେସନର ଯୁଦ୍ଧ ବିମାନ ଅଟେ । ରାଫେଲର ସର୍ଭିସ୍ ସିଲିଂ ୧୫ ହଜାର ୨୩୫ ମିଟର ହୋଇଥିବା ବେଳେ ଚେଙ୍ଗଦୁ ଜେ-୨୦ର ୨୦ ହଜାର ମିଟର ଅଟେ । ରାଫେଲ ସର୍ବାଧିକ ଘଣ୍ଟା ପ୍ରତି ୨୧୩୦ କିଲୋମିଟର ସ୍ପିଡ୍ ଥିବାବେଳେ ଚେଙ୍ଗଦୁ ଜେ-୨୦ ଘଣ୍ଟାପ୍ରତି ୨୨୨୩ କିଲୋମିଟର ଉଡ଼ିପାରିବ ।

ରାଫେଲ ଆକାରରେ ଚେଙ୍ଗଦୁ ଜେ-୨୦ଠାରୁ ଛୋଟ ଅଟେ । ଚେଙ୍ଗଦୁ ଜେ-୨୦ର ଲମ୍ବା ୨୦.୪ ମିଟର ହୋଇଥିବା ବେଳେ ରାଫେଲର ଲମ୍ବ ୧୫.୨୭ ମିଟର । ଚେଙ୍ଗଦୁ ଜେ-୨୦ର ଚଉଡ଼ା ୧୩.୫ ମିଟର ଅଟେ । ରାଫେଲର ଚଉଡ଼ା ୧୦.୮୦ ମିଟର । ଜେ-୨୦ର ଉଚ୍ଚତା ୪.୪୫ ମିଟର ଓ ରାଫେଲର ଉଚ୍ଚତା ୫.୩୪ ମିଟର । ଜେ-୨୦ର ଓଜନ ୧୯.୪ ଟନ୍ ହୋଇଥିବା ବେଳେ ରାଫେଲର ଓଜନ ୧୦.୩ ଟନ୍ ଅଟେ । ଅସ୍ତ୍ରଶସ୍ତ୍ର ସହ ଚେଙ୍ଗଦୁ ଜେ-୨୦ର ଓଜନ ୩୬ ଟନ୍ ହେଉଥିବା ବେଳେ ରାଫେଲର ଓଜନ ୨୪. ୫ ଟନ୍ ଅଟେ ।

ରାଫେଲର ରାଡାର ଓ ଏଭିୟୋନିକ୍ସ ସିଷ୍ଟମ ଅତ୍ୟାଧୁନିକ ଅଟେ । ଚୀନ ଆଜି ଯାଏ ରାଡାର ସିଷ୍ଟମ ନେଇ କୌଣସି ସୂଚନା ଦେଇନାହିଁ । ରାଫେଲରେ ଆକ୍ଟିଭ୍ ଇଲେକ୍ଟ୍ରୋନିକଲି ସ୍କ୍ୟାଣ୍ଡ ଏରେ ଲାଗିଛି । ଏହାବ୍ୟତୀତ ରାଫେଲରେ ଇଲେକ୍ଟ୍ରୋନିକ୍ ୱାରଫେୟର ସୁଟ୍ ସ୍ପେକ୍ଟାର ଲାଗିଛି । ଯାହା ଶତ୍ରୁକୁ କୌଣସି ପ୍ରକାରେ ଖୋଜି ଅସ୍ତ୍ରଶସ୍ତ୍ର ମାରିପାରେ ।

କାହଁକି ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ ପ୍ରଣବ ମୁଖାର୍ଜୀ ?

ବ୍ୟୁରୋ ରିପୋର୍ଟ: ୧୯୬୯ ରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ପ୍ରଣବ ଦା ନିଜର ବିଚକ୍ଷଣ ବୁଦ୍ଧି, ଦକ୍ଷତା ପାଇଁ କଂଗ୍ରେସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ୧୯୭୨ରେ ଯେତେବେଳେ ବାଙ୍ଗଲା କଂଗ୍ରେସ ସହ କଂଗ୍ରେସର ମିଶ୍ରଣ ହୋଇଥିଲା ସେତେବେଳେ ଇନ୍ଦିରା ଗାନ୍ଧୀଙ୍କ ସହ ପ୍ରଣବ ମୁଖାର୍ଜୀଙ୍କର ସମ୍ପର୍କ ନିବିଡ଼ ହେବାରେ ଲାଗିଥିଲା । ଏଇଥିପାଇଁ ତାପର ବର୍ଷ ଅର୍ଥାତ ୧୯୭୩ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ସରକାରରେ କେନ୍ଦ୍ରରେ ଔଦୋଗିକ ବିକାଶ ମନ୍ତ୍ରୀ ହୋଇଥିଲେ ପ୍ରଣବ ମୁଖାର୍ଜୀ । ତା ପରେ ପରେ କେନ୍ଦ୍ର ସହ ଦଳରେ ମଧ୍ୟ ପ୍ରଣବଙ୍କର ଦବଦବା ବଢିଚାଲିଥିଲା । ଅର୍ଥ, ପ୍ରତିରକ୍ଷା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ହୋଇଥିଲେ ପ୍ରଣବ । ବିଭିନ୍ନ ବିଭାଗର ମନ୍ତ୍ରୀ ପଦରେ ଅହେତୁକ ସଫଳତା ଓ ବିକାଶ ପରେ ପ୍ରଣବଙ୍କ ଗଣନା ଦଳରେ ଆଗ ଧାଡିରେ ହେଲା ।

ଏମିତିକି ସେ ଦଳକୁ ଅନେକ ସଙ୍କଟରୁ ମଧ୍ୟ ବଞ୍ଚାଇଛନ୍ତି । ସେଥିପାଇଁ ତାଙ୍କୁ କଂଗ୍ରେସର ସଙ୍କଟ ମୋଚନ ବୋଲି ମଧ୍ୟ କୁହାଯାଏ । ତା ସତ୍ୱେ ବି କେଉଁଠି ନା କେଉଁଠି ପ୍ରଣବଙ୍କୁ ସବୁବେଳେ ପାଓ୍ୱାର କରିଡରରୁ ଦୁରରେ ରଖାଯାଇଛି । ଯେତେବେଳେ କଂଗ୍ରେସରେ ସୋନିଆଙ୍କ ରାଜ ଆରମ୍ଭ ହେଲା ସେତେ ବେଳେ ଏଭଳି ଚର୍ଚ୍ଚା ସାମ୍ନାକୁ ଆସିଥିଲା । କାରଣ ପ୍ରଣବ ରାଜନୀତିରେ ଚାଟୁକାରିତାଙ୍କୁ ଆଦୌ ବରଦାସ୍ତ କରିପାରନ୍ତି ନାହିଁ । ଏଇଥିପାଇଁ ବୋଧ ହୁଏ ପ୍ରଣବଙ୍କୁ ସବୁବେଳେ ପ୍ରଧାନମନ୍ତ୍ରୀ ଗାଦି ନିକଟରୁ ଦୁରେଇ ରଖାଯାଇଥିଲା । କାରଣ ସୋନିଆକୁ ସବୁବେଳେ ରିମୋଟ କଣ୍ଟ୍ରୋଲରେ ସରକାର ଚଲାଇବାକୁ ପସନ୍ଦ ଥାଏ ।

ପ୍ରଣବ ପ୍ରଧାନମନ୍ତ୍ରୀ ହୋଇଥିଲେ ବୋଧେ ଏପରି ହୋଇପାରିନଥାନ୍ତା । ସୋନିଆଙ୍କ କଥା ନଶୁଣି ନିଜ ଅଭିଜ୍ଞତା ବଳରେ ନିଜେ ସରକାର ଚଳାଇଥାନ୍ତେ ପ୍ରଣବ । ସୋନିଆ ସରକାରଙ୍କ ଉପରେ ସମସ୍ତ ପ୍ରକାର କଣ୍ଟ୍ରୋଲ ହରାଇଥାନ୍ତେ । ଖାସ ଏଇଥିପାଇଁ ପ୍ରଣବଙ୍କଠୁ କମ୍ ଅଭିଜ୍ଞତା ଥିବା ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ପ୍ରସ୍ତାବ ରଖିଥିଲେ ସୋନିଆ । ପ୍ରଣବ ମଧ୍ୟ ସୋନିଆଙ୍କର ଏଭଳି ନିଷ୍ପତ୍ତିକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ମନମୋହନ ସିଂ ସିଧାସଳଖ ଭାବେ କୌଣସି ନିର୍ବାଚନ ଲଢିନଥିଲେ । ରାଜ୍ୟସଭା ଆସନରୁ ପ୍ରଧାନମନ୍ତ୍ରୀ ହୋଇଥିଲେ ମନମୋହନ । ତେବେ ସେ ଯାହା ବି ହେଉ ରାଜନୀତିରେ ସବୁ କିଛି ମାଫ ଭାବି ଏକଥା କୁ ଭୁଲିଯାଇଥିଲେ ପ୍ରଣବ  । ନିଜେ ମନମୋହନ ସିଂ ମଧ୍ୟ ଅନେକ ବୈଠକରେ ସୋନିଆଙ୍କ ନିଷ୍ପତ୍ତିରେ ପ୍ରଣବ ଦା ଅଶାନ୍ତି ଥିଲେ ବୋଲି କହିଥିଲେ ।

କିନ୍ତୁ ସୋନିଆ ମନେ ମନେ ପ୍ରଣବ ଦାଙ୍କ ଅବହେଳା କରିଥିବା ଅନୁଭବ କରିଥିଲେ । ତାଙ୍କୁ ଆଗାମୀ ଭବିଷ୍ୟତରେ ସର୍ବୋଚ୍ଚ ସ୍ଥାନରେ ବସାଇବା ପାଇଁ ସ୍ଥିର କରିଥିଲେ । ଏଇଠି କୁହାଯାଇପାରେ ସୋନିଆଙ୍କର ସେହି ନିଷ୍ପତ୍ତି ପାଇଁ ଆଜି କଂଗ୍ରେସର ଦଶା ଅତି ଶୋଚନୀୟ । ପ୍ରଣବ ପ୍ରଧାନମନ୍ତ୍ରୀ ହୋଇଥିଲେ ଆଜି କଂଗ୍ରେସ ସ୍ଥିତି ବୋଧହୁଏ ଏପରି ହୋଇନଥାନ୍ତା । ଯାହାବି ହେଉ ୨୦୧୨ରେ କଂଗ୍ରେସ ପ୍ରଣବଙ୍କୁ ଦେଶର ରାଷ୍ଟ୍ରପତି ଆସନରେ ବସାଇବା ପାଇଁ ସ୍ଥିର କରିଥିଲେ । ଏପରି ଭାବେ ପ୍ରଣବ ରାଜନୈତିକ ଜୀବନରେ ପୂର୍ଣ୍ଣଛେଦ ପକାଇବା ପାଇଁ ଏକ ଯୋଜନା ବୋଲି ମଧ୍ୟ ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ହୋଇଥିଲା ।

ପ୍ରଣବ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ବୋଧହୁଏ ଗାନ୍ଧୀ ପରିବାରର ଗୁରୁତ୍ୱ ଆଜି ବିଶେଷ ଭାବେ ଲୋକ ଲୋଚନକୁ ଆସିନଥାନ୍ତା । ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନେକ ରାଜନୀତି କରିଛନ୍ତି । ୨୦୧୪ରେ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ପ୍ରଚାର ବେଳେ ପ୍ରଣବଙ୍କୁ କଂଗ୍ରେସରେ ଅବହେଲା ପ୍ରସଙ୍ଗ ଉଠାଇଥିଲେ । କୁହାଯାଏ ଏଇଥିପାଇଁ ପଶ୍ଚିମବଙ୍ଗରେ କଂଗ୍ରେସ ପ୍ରତି ଲୋକଙ୍କର ମନବୃତି ବଦଳିଥିଲା ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ,୮୪ ବର୍ଷ ବୟସରେ ନେଲେ ମେଲାଣି,ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ପରଲୋକ ଘଟିଛି । ଏନେଇ ତାଙ୍କ ପୁତ୍ର ଅଭିଜିତ୍ ମୁଖାର୍ଜୀ ସୂଚନା ଦେଇଛନ୍ତି । ପ୍ରଣବ ଥିଲେ ଦେଶର ୧୩ ତମ ରାଷ୍ଟ୍ରପତି । ତାଙ୍କ ମୃତ୍ୟୁ ଖବର ଆସିବା ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଗୃହମନ୍ତ୍ରୀ ଅମିତ ଅନୀଲ ଚନ୍ଦ୍ର ଶାହ ପ୍ରମୁଖ ଟ୍ୱିଇଟ୍ କରି ଶୋକ ପ୍ରକାଶ କରିଛନ୍ତି ।

ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ତେବେ ବ୍ଲଡ୍ କ୍ଲଟିଙ୍ଗ ପାଇଁ ତାଙ୍କର ସର୍ଜରୀ ଚାଲିଥିଲା । ଗତ କିଛି ଦିନ ତଳେ ସେ ଚିକିତ୍ସା ପାଇଁ ଯିବା ପରେ ସେ କରୋନର ଶୀକାର ହୋଇଥିବା ଜଣାପଡ଼ିଥିଲା ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣବଙ୍କ ବିୟୋଗରେ ଟ୍ୱିଇଟ୍ ଯୋଗେ ଶୋକବ୍ୟକ୍ତ କରିଛନ୍ତି ।  ତାଙ୍କ ବିୟୋଗ  ଅଗଷ୍ଟ ୮, ୨୦୧୯ରେ ପ୍ରଣବଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା ।

ସେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଲୋକସଭା, ରାଜ୍ୟସଭାରେ ପ୍ରତିନିଧିତ୍ୱ କରିସାରିଛନ୍ତି । ସୂଚନା ଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଣବଙ୍କ ବିୟୋଗରେ ଶୋକ ପ୍ରକାଶ କରି ଟ୍ୱିଇଟରେ ତାଙ୍କ ରାଜନୀତିକ ଯାତ୍ରାକୁ ସଫଳ ବୋଲି କହିବା ସହ ତାଙ୍କୁ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ବୋଲି କହିଥିଲେ ।

ଉଲ୍ଲେଖଯୋଗ୍ୟ ଗତ ୨୦ ଦିନ ତଳେ ପ୍ରଣବ ମୁଖାର୍ଜୀଙ୍କୁ ନୂଆଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ସଙ୍ଗିନ ଥିଲା । ଏହାପରେ ତାଙ୍କର ବ୍ରେନରେ ଥିବା ବ୍ଲଡ୍ କ୍ଲଟିଂ ସମସ୍ୟାକୁ ଭଲ କରିବା ପାଇଁ ଅଗଷ୍ଟ ୧୦ ତାରିଖରେ ତାଙ୍କର ସର୍ଜରୀ କରାଯାଇଥିଲା । ସର୍ଜରୀ ପରେ ତାଙ୍କୁ ଭେନଟିଲେଟରରେ ରଖାଯାଉଥିଲା । ଭେନଟିଲେଟରକୁ ନେବା ପରେ ପରେ ହିଁ ଜଣାପଡ଼ିଥିଲା ଯେ ସେ କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଏହାପରେ ଅଗଷ୍ଟ ୧୯ ତାରିଖରେ ତାଙ୍କର ଫୁସଫୁସ୍ ସାମୟିକ ଭାବେ କାର୍ଯ୍ୟ କରିବା ବନ୍ଦ କରିଥିଲା । ଗତ ଅଗଷ୍ଟ ୧୯ଠାରୁ ପ୍ରତ୍ୟହ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟୁଥିଲା । ଏହି କ୍ରମରେ ଆଜି ତାଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଛି ।