spot_img
Home Blog Page 6468

କୁମ୍ଭକାର ପରିବାରରେ ଖୁସିର ମାହୋଲ, ଲାଗିପଡ଼ିଛନ୍ତି କୌଳିକ ବୃତ୍ତିରେ

ନବରଙ୍ଗପୁର: ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୀପାବଳିରେ ବାଣ ବିକ୍ରି ଉପରେ ରୋକ ଲଗାଇଛନ୍ତି । ଏହାସହ ପାରମ୍ପରିକ ରୀତିରେ ଦୀପ ଜାଳି ଦୀପାବଳି ପାଳନ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ତେଣୁ ଏବେ ଲୋକଙ୍କ ମଧ୍ୟରେ ମାଟି ଦୀପ କିଣାକୁ ନେଇ ଆଗ୍ରହ ପ୍ରକାଶ ପାଇଛି । ଲୋକଙ୍କ ମଧ୍ୟରେ ମାଟି ଦୀପର ଚାହିଦା ବଢ଼ିବା ଦେଖି ଚଳିତ ବର୍ଷ ଭଲ ଦି’ପଇସା ରୋଜଗାର ଆଶାରେ ଅଛନ୍ତି କୁମ୍ଭକାର । ଏଥିପାଇଁ କୁମ୍ଭାର ପରିବାରଙ୍କ ମୁହଁରେ ହସ ଦେଖିବାକୁ ମିଳିଛି । କୁମ୍ଭାର ପରିବାର ମାନେ ଅନ୍ୟ କାର୍ଯ୍ୟ ଛାଡି କେବଳ ଦୀପ ତିଆରି କରିବାରେ ବ୍ୟସ୍ତ ହୋଇପଡିଛନ୍ତି ।

ଦେଶରେ ଗୋଟିଏ ପଟେ ଚାଇନା ବସ୍ତୁକୁ ବର୍ଜନ କରିବା ଆହ୍ଵାନ ଯୋଗୁଁ ମାଟି ଦୀପର ଚାହିଦା ବଢିବାରେ ଲାଗିଛି । ମାଟି ଦୀପର ଚାହିଦା ବଢୁଥିବା ଦେଖି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ତଣ୍ଡାଗୁଡା ଗାଁର କୁମ୍ଭକାର ପରିବାର ବେଶ ଉତ୍ସାହିତ ଅଛନ୍ତି । ଏଠାକାର ସମସ୍ତ କୁମ୍ଭାର ପରିବାର କେବଳ ଦୀପ ନିର୍ମାଣ କରିବାରେ ବ୍ୟସ୍ତ ଅଛନ୍ତି ।

ସପରିବାର ଏଥିରେ ନିଯୋଜିତ ହୋଇଥିବା ବେଳେ କୁମ୍ଭାର ପରିବାରଙ୍କ ଘରେ ଦୀପ ଛଡା ଅନ୍ୟ କୌଣସି ମାଟି ସାମଗ୍ରୀ ଦେଖିବାକୁ ମିଳୁନାହିଁ । ସରକାରଙ୍କ ବାଣ ଫୁଟାଇବା ଉପରେ ରୋକ ସାଙ୍ଗକୁ ବିକ୍ରି ବନ୍ଦ ଫଳରେ ଲୋକେ କେବଳ ଦୀପ ଜାଳି ଦୀପାବଳି ପାଳନ ପାଇଁ ପ୍ରସ୍ତୁତି କରୁଥିବାରୁ ଦୀପ ବିକ୍ରି ଅଧିକ ହେବ ବୋଲି ଆଶା କରିଛନ୍ତି କୁମ୍ଭାର ପରିବାର । ଆଉ ଏଥିରୁ ବେଶ୍‌ ଦି, ପଇସା ଲାଭ ଉଠାଇବା ପାଇଁ ସେମାନେ ଦିନରାତି ଏକ କରି କେବଳ ଦୀପ ତିଆରି କରିବାରେ ବ୍ୟସ୍ତ ହୋଇପଡିଛନ୍ତି ।

ଚାଇନା ଦୀପ ଏବଂ ଲିଚୁ ଲାଇଟ୍‌ ଲଗାଇ ଅଧିକାଂଶ ଲୋକେ ଦୀପାବଳି ପାଳନ କରି ଆସୁଥିଲେ । ହେଲେ ଏବର୍ଷ ସରକାରଙ୍କ ନିଷେଧାଦେଶ ଏବଂ ଦୀପ ଲଗାଇ ଦୀପାବଳି ପାଳନ ଆହ୍ଵାନ ଯୋଗୁଁ କୁମ୍ଭାର ପରିବାରଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

Diwali

ଚଳିତ ବର୍ଷ ଦୀପ ବିକ୍ରି ଅଧିକ ହେବ ବୋଲି ବ୍ୟବସାୟୀମାନେ କୁମ୍ଭାର ପରିବାରଙ୍କ ନିକଟକୁ ଆସି ପୂର୍ବରୁ ଅଗ୍ରୀମ ଟଙ୍କା ଦେଇ ଦୀପ ଅର୍ଡର ଦେଉଛନ୍ତି । ସେହି ଅନୁସାରେ କୁମ୍ଭାର କାରିଗର ଦୀପ ତିଆରି କରିବାରେ ଲାଗିପଡିଛନ୍ତି । ଜିଲ୍ଲା ବାହାରୁ ଏବଂ ଆଖପାଖ ଅଞ୍ଚଳରୁ ବ୍ୟବସାୟୀମାନେ ଦୀପ କିଣିବାକୁ ଆସୁଥିବାରୁ ସେମାନେ ଅଧିକ ଉତ୍ସାହିତ ରହିଛନ୍ତି ।

ବିହାର ବିଧାନସଭା ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ୧୫ ଜିଲ୍ଲାର ୭୮ଟି ଆସନ ପାଇଁ ଚାଲିଛି ମତଦାନ

ବିହାର: ଆଜି ବିହାର ବିଧାନସଭା ପାଇଁ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ । ଏହି ଶେଷ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‍ଗ୍ରହଣ କରାଯାଉଛି । ଏହି ପର୍ଯ୍ୟାୟ ୨ କୋଟି ୩୫ ଲକ୍ଷ ଭୋଟର୍‍ ୧୨ ଶହ ୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ସେମାନଙ୍କ ମଧ୍ୟରେ ଶହେ ୧୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ମୋଟ ୩୩ ହଜାର ୭୮୨ ମତଦାନ କେନ୍ଦ୍ର ମଧ୍ୟରୁ ୪ ହଜାର ୯୯୯ ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି ।

କିଷାନଗଞ୍ଜ, କଟିହାର, ମାଧେପୁରା ଏବଂ ସପୌଲ ଆଦି ୧୫ଟି ଜିଲ୍ଲାରେ ମତଦାନ ହେବ । ସେହିପରି ବାଲ୍ମିକୀ ନଗର ସଂସଦୀୟ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ତେବେ ନକ୍ସଲ ପ୍ରବଣ ବାଲ୍ମିକୀ ନଗର, ରାମନଗର, ସିମ୍ରି ଭକ୍ତିଆରପୁର ଏବଂ ମହିଶିହି ଆସନରେ ଦିନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ବିଜେପି ୩୫ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଜେଡିୟୁ ୩୭ଟି, ବିକାଶଶୀଳ ଇନ୍‍ସାନ୍‍ ପାର୍ଟି ୫ଟି ଆସନରୁ ଲଢୁଛନ୍ତି ।

ସେହିପରି ହିନ୍ଦୁସ୍ଥାନୀ ଆୱମ୍‍ ମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍‍ ରାମ ମାନ୍‍ଝୀ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମହାମେଣ୍ଟରୁ ଆରଜେଡି ୪୬ଟି ଏବଂ କଂଗ୍ରେସ ୨୫ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସିପିଆଇଏମ୍‍ଏଲ୍‍ ପକ୍ଷରୁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସିପିଆଇ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି । ସେହିପରି ଲୋକ ଜନଶକ୍ତି ପାର୍ଟିର ୪୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଉପେନ୍ଦ୍ର ଖୁସ୍‍ୱାଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକସମତା ପାର୍ଟି ୨୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୫ଟି ସହଯୋଗୀ ରାଜନୈତିକ ଦଳ ସହିତ ବହୁଜନ ସମାଜ ପାର୍ଟି ୧୯ଟି ଆସନ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଗୋଆରେ ମିଲିନ୍ଦ ସୋମନଙ୍କ ବିରୋଧରେ ମାମଲା ରୁଜୁ, ଜାଣନ୍ତୁ କାରଣ

ଗୋଆ: ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୋଆର ଭସ୍କୋ ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି। ନ୍ୟୁଡ୍ ଫଟୋଶୁଟ୍ ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ପୂର୍ବରୁ ମଧ୍ୟ ମିଲିନ୍ଦ ନିଜର ଏମିତି ଅନେକ ଫଟୋସୁଟ୍ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମିଲିନ୍ଦ ନିଜ ମଡେଲିଂ ଓ ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଏଥର ନିଜ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଅସୁବିଧାରେ ପଡିଛନ୍ତି ମିଲିନ୍ଦ ।

ଇଣ୍ଟରନେଟ୍ ପୋଷ୍ଟ ଆଇଟି ଆକ୍ଟ ଅଧୀନରେ ଆଇପିସିର ଧାରା ୨୯୪  ଏବଂ ୭ ଅନୁଯାୟୀ ମିଲିନ୍ଦଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ନଭେମ୍ବର ମାସ ୪ ତାରିଖରେ ମିଲିନ୍ଦ ତାଙ୍କ ୫୫ ତମ ଜନ୍ମଦିନ ପାଳନ କରୁଥିବାବେଳେ ସୋମନ୍ ଏକ ଫଟୋଶୁଟ୍ କରିଥିଲେ । ଏହି ଫଟୋ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ । ଏହି ଫୋଟରେ ସୋମନ ନ୍ୟୁଡ୍ ହୋଇ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା । ଏହି ଫଟୋ ସେୟାର କରି ଅଭିନେତା “ହ୍ୟାପି ବର୍ଥଡେ ଟୁ ମି” ଲେଖିଛନ୍ତି ।

ମିଲିନ୍ଦ ସୋମନଙ୍କ ଫଟୋ ସାମ୍ନାକୁ ଆସିବା ପରେ ଗୋଆର ଏକ ରାଜନୈତିକ ଦଳ ‘ଗୋଆ ସୁରକ୍ଷ ମଞ୍ଚ’ ଭସ୍କୋ ପୋଲିସ ଷ୍ଟେସନରେ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସୋମନଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଅପଲୋଡ୍ କରିବା ଗୋଆର ସଂସ୍କୃତିକୁ ଅପମାନିତ କରିଛି। ଏହି ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ନିକଟରେ ଅଶ୍ଳୀଳ ଭିଡିଓ ସୁଟିଂ ଅଭିଯୋଗରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ଗୋଆରେ ଗିରଫ କରାଯାଇଥିଲା।  କାନାକୋନା ସହରର ଚାପୋଲି ଡ୍ୟାମରେ ଅଶ୍ଳୀଳ ଭିଡିଓ ଓ ଫଟୋ ସୁଟ କରିବା ପାଇଁ ପାଣ୍ଡେଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଡ୍ୟାମର ପରିଚାଳନା ସମ୍ଭାଳୁଥିବା ଜଳ ସମ୍ପଦ ବିଭାଗ ଏନେଇ ଅଭିଯୋଗ କରିଥିଲା । ଏହି ମାମଲାରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା।

ରାଜଧାନୀରେ ଟେରାକୋଟା ପ୍ରଦର୍ଶନୀ, ୫ ଟଙ୍କାରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ମିଳୁଛି ମାଟି ସାମଗ୍ରୀ

ଭୁବନେଶ୍ୱର: କରୋନା କଟକଣା ଭିତରେ ପଡିଛି ଟେରାକୋଟା ପ୍ରଦର୍ଶନୀ । ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆରେ, ଦୀପାବଳିକୁ ଦୃଷ୍ଟିରେ ରଖି ମୃତ୍ତିକା ୨୦ର ୬ ଦିନିଆ ପ୍ରଦର୍ଶନୀ ଉଦ୍ଦଘାଟିତ‌ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ଭିଡିଓ କନଫରେନ୍ସିଂ ମଧ୍ୟମରେ ଉଦ୍ଦଘାଟନ କରିଛନ୍ତି ହସ୍ତତନ୍ତ, ବୟନ ମନ୍ତ୍ରୀ ପଦ୍ମିନୀ ଡିଆନ ।

ଏହି ପ୍ରଦର୍ଶନୀରେ ଏକତ୍ର ଦେଖିବାକୁ ମିଳିଛି ଦୀପଠାରୁ ଆରମ୍ଭ କରି ଘରସଜା ଜିନିଷର ସମ୍ଭାର । କରୋନାର ସମସ୍ତ କଟକଣା ମାନି ଆୟୋଜନ କରାଯାଇଛି ଟେରାକୋଟା ପ୍ରଦର୍ଶନୀ । ୧୦୧ଟି ଷ୍ଟଲରେ ରହିଛି ଅନେକ ପ୍ରକାରର ଛୋଟ ବଡ଼ ମାଟି ନିର୍ମିତ ଘରସଜା ଜିନିଷର ଏକତ୍ର ସମ୍ଭାର । ଦୀପାବଳିକୁ ଦୃଷ୍ଟିରେ ରଖି ଅନେକ ପ୍ରକାର ରଙ୍ଗବେରଙ୍ଗ ଦୀପରେ ଝଲସୁଛି ପ୍ରଦର୍ଶନୀ ପଡିଆ । ୫ ଟଙ୍କାରୁ ଆରମ୍ଭ କରି ୩୦୦୦ ଟଙ୍କାରେ ମିଳୁଛି ଟେରାକୋଟା ସାମଗ୍ରୀ । ୨୦ ଗୋଟି ଜିଲ୍ଳାର ମୃତ୍ତିକା କାରିଗର ଏଥିରେ ଅଂଶ ଗ୍ରହଣ କରିଛନ୍ତି ।

ମାଟିରେ ତିଆରି ଜିନିଷ ଘରର ଅଳଙ୍କାର ସାଜି ଥିଲା ବେଳେ ବିଭିନ୍ନ ଭେରାଇଟର ଦୀପ ଗ୍ରାହାକଙ୍କୁ ଆକୃଷ୍ଟ କରୁଛି । କୁସଳୀ କାରିଗରଙ୍କ ହାତର ଚାତୁରୀରେ ନିର୍ମୀତ ମାଟି କାରୁକାର୍ଯ୍ୟ ବେଶ୍‌ ମନଲୋଭା ହୋଇଛି । ଦୀର୍ଘ ସାତ ମାସ ପରେ ଏହି ହସ୍ତତନ୍ତ ପ୍ରଦର୍ଶନୀ ପଡିଥିବାରୁ ବେଶ୍‌ ଖୁସି ଅଛନ୍ତି ରାଜଧାନୀବାସୀ ।

ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦିତ ଏହି ଟେରାକୋଟା ପ୍ରଦର୍ଶନୀରେ ପ୍ରାୟ ୧୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସାମଗୀ ବିକ୍ରୀ ହେବାର ଆସା ରଖିଛି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ।

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ ବୋର୍ଡ଼ ସଭାପତିଙ୍କୁ ନିର୍ଦେଶ ଦେଇଛନ୍ତି । ଗୋଟିଏ ପଟେ ସ୍କୁଲ ଖୋଲି ନଥିବାବେଳେ ଅନ୍ୟପଟେ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି ପ୍ରକାଶକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ସଂଘ ଅସନ୍ତୋଷ ପ୍ରକାଶ କରିଥିଲେ । ପାଠ ପଢା ନହୋଇ ପରୀକ୍ଷା ପାଇଁ ଫର୍ମ ପୂରଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା । ସ୍କୁଲ ଏବର୍ଷ ନଖୋଲିବାକୁ ଗଣଶିକ୍ଷା ବିଭାଗ ନିଷ୍ପତି ନେବା ପରେ ବିଜ୍ଞପ୍ତିକୁ ପ୍ରତ୍ୟାହାର ପାଇଁ ନିର୍ଦେଶ ଦିଆଯାଇଛି ।

ସେପଟେ ଆଗାମୀ ଡିସେମ୍ବର ୩୧ ମଧ୍ୟରେ ରାଜ୍ୟରେ ସ୍କୁଲ ଖୋଲିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଚଳିତ ମାସରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଥିଲା । ଡିସେମ୍ବର ଦ୍ୱିତୀୟ ସପ୍ତାହରେ କରୋନାର ଦ୍ୱିତୀୟ ଲହର ଆସିବା ନେଇ ଆଶଙ୍କା କରାଯାଇଛି । ଅନ୍ୟପଟେ ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବା ପରେ ସଂକ୍ରମଣ ବଢିଛି ।

ଏସବୁକୁ ଦେଖି ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର । ଡିସେମ୍ବରରେ କରୋନାର ଦ୍ୱିତୀୟ ଲହର ଆସିବା ଆଶଙ୍କା ଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବେ ସ୍କୁଲ ଖୋଲିବ ନାହିଁ ବୋଲି ଘୋଷଣା କରିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବିଭାଗ ଚିନ୍ତା କରୁଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାସ । ପୂର୍ବଭଳି ଅନ୍‌ଲାଇନ୍ ପାଠପଢା ଜାରି ରହିବ ଏବଂ ପରିସ୍ଥିତିକୁ ଦେଖି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

୧୪ ବର୍ଷର ନିସ୍ୱାର୍ଥପର ସେବାରେ ୬୦ ହଜାର ଲୋକ

ଭୁବନେଶ୍ୱର: ଗ୍ରହଣଖଣ୍ଡିଆ ଓ ମୋତିଆବିନ୍ଦୁ ରୋଗୀଙ୍କ ପାଇଁ ଦେବଦୁତ ସାବର୍ଜିଷଛନ୍ତି ଇଂଞ୍ଜିନିୟର ଦିଲ୍ଲିପ ପଟ୍ଟନାୟକ । ଲକ୍ଷାଧିକ ଟଙ୍କାର ଚାକିରି ଛାଡି ସ୍ୱେଚ୍ଛାକୃତ ଭାବେ ରୋଗୀ ସେବା କରୁଛନ୍ତି । ୧୪ ବର୍ଷର ନିସ୍ୱାର୍ଥପର ରୋଗୀ ସେବାରେ ପାଖାପାଖି ୬୦ ହଜାର ରୋଗୀଙ୍କୁ ସେ ନୂଆ ଜୀବନ ଦେଇଛନ୍ତି । ମାନବ ସେବା ହିଁ ମାଧବ ସେବା ବୋଲି ବିଶ୍ୱାସ କରନ୍ତି ଇଞ୍ଜିନିୟର ଦିଲ୍ଲୀପ ପଟ୍ଟନାୟକ ।

Engineer Dillip Patnaik

ତେଣୁ ଲକ୍ଷେ ଟଙ୍କିଆ ଚାକିରୀ ଛାଡି ସ୍ୱେଚ୍ଛାକୃତ ଭାବେ ଦିଲ୍ଲୀପ ଗରିବ ରୋଗୀଙ୍କ ସେବା କରୁଛନ୍ତି । ଗ୍ରହଣଖଣ୍ଡିଆ ଓ ମୋତିଆବିନ୍ଦୁ ରୋଗୀଙ୍କୁ ଦେଉଛନ୍ତି ଆର୍ଥିକ ସହାୟତା । ଏପରିକି ମହାମାରୀ ସମୟରେ ମନ୍ଦିର ସେବକଙ୍କୁ ସାହାଯ୍ୟ ଓ ଭିକ୍ଷାବୃତି କରୁଥିବା ଭିନ୍ନକ୍ଷମଙ୍କୁ ରାସନ ସାମଗ୍ରୀ ସହ ଯୋଗାଇଛନ୍ତି ବାଦ୍ୟଯନ୍ତ୍ର । ତେବେ ତାଙ୍କର ଏହି ନିସ୍ୱାର୍ଥପର ସେବା ପାଇଁ ତାଙ୍କୁ ସହଯୋଗ କରୁଛନ୍ତି ଜଣେ ଅଭିଜ୍ଞ ଡାକ୍ତର । ଆଗକୁ ଓଲ୍ଡଏଜ୍‌ ହୋମ କରିବାର ସେ ଯୋଜନା ରଖିଛନ୍ତି ।

Engineer Dillip Patnaik

ଗରିଗଙ୍କ ପାଇଁ ଦେବଦୁତ ସାଜିଛନ୍ତି ଏହି ସହୃଦୟ ଯନ୍ତ୍ରୀ । ଏପରିକି ଯେଉଁଠି ସୁବିଧା ସୁଯୋଗ ଅପହଞ୍ଚ ହେଉଛି ସେଠି କ୍ୟାମ୍ପ ପକାଇ ମାଗଣାରେ କରାଉଛନ୍ତି ଅସ୍ତ୍ରପୋଚାର । ଭୂବନେଶ୍ୱର ବାସିନ୍ଦା ଇଞ୍ଜିନିୟର ଜଣଙ୍କ ଚେନ୍ନାଇର ଏକ ଘରୋଇ କମ୍ପାନୀର ଚାକିରୀ କରୁଥିଲେ । ତାଙ୍କର ଏଭଳି କାର୍ଯ୍ୟ ପାଇଁ କେବଳ ରୋଗୀ ନୁହନ୍ତି , ସବୁ ମହଲରୁ ତାଙ୍କୁ ପ୍ରଶଂସା କରାଯାଉଛି ।

ଲଣ୍ଡା ହେବାକୁ ବସିଲାଣି ମୂଲ୍ୟବାନ ପାହାଡ଼, ପ୍ରଶାସନ ନିଦାବିଷ୍ଣୁ

ଯାଜପୁର: ଯାଜପୁର ଜିଲ୍ଲାରେ ଏବେ ପାହାଡ଼ ଧ୍ୱଂସ ପାଇବାକୁ ବସିଲାଣି । ଖଣି ମାଫିଆ ମାନେ ବେଆଇନ ଭାବେ ପାହାଡ଼ ଖନନ କରି ରାଜ୍ୟ ତଥା ଦେଶ ବାହାରକୁ କଳା ପଥର ଚାଲାଣ କରି ମାଲାମାଲ ହେଉଛନ୍ତି । ହେଲେ ପ୍ରଶାସନ ପକ୍ଷରୁ କୌଣସି ଠୋସ୍‌ କାର୍ଯ୍ୟନୁଷ୍ଠାନ ନିଆ ଯାଉନଥିବାରୁ ଧିରେ ଧିରେ ଲଣ୍ଡା ହେବାକୁ ବସିଲାଣି କଳା ପଥର ପାହାଡ଼ ।

Mining

ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଯାଜପୁର ଧର୍ମଶାଳା ତହସିଲରେ ପଥର ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ଓ ଖଣି ମାଫିଆଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଥିବାରୁ ଏଭଳି ବେଆଇନ୍‌ କାରବାର ଚାଲିଥିବା କୁହାଯାଉଛି । ୱାରଗନ ବ୍ଳାଷ୍ଟିଂ ଦ୍ୱାରା ବଡ଼ ବଡ଼ ପାହାଡ଼ ଭାଙ୍ଗି ପଥର ଚୋରା ଚାଲଣ ହେଉଛି । ଏହି ଅଞ୍ଚଳରୁ ସହ ସହ ଟ୍ରିପ୍‌ ପଥର ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଯାଉଥିବା ଅଭିଯୋଗ ରହିଛି । ଏମିତିକି ବିଦେଶକୁ ଏହି ପଥର ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଡଙ୍କାରୀ, ରାହାଡ଼ପୁର, ବିଛାଖଣ୍ଡି ପାହାଡ଼ରେ ମେଗା କ୍ରସର ପକାଇ ଲୁଟ୍‌ କରୁଛନ୍ତି କଳା ପଥର ।

Mining

ପାହାଡ଼ରୁ ବେଆଇନ ଖନନ ଯୋଗୁ ଅନେକ ସମସ୍ୟା ଦେଖାଦେଉଛି । ବ୍ଳଷ୍ଟିଙ୍ଗ ମାଧ୍ୟମରେ ପାହାଡ଼ ଫଟା ଯାଉଥିବାରୁ ବନ୍ୟ ଜନ୍ତୁଙ୍କ ଅକାଳରେ ମୃତ୍ୟୁ ହେଉଛି । ଏପରିକି ପାଣି ଦୂଷିତ ହେଉ ଥିବାରୁ ଲୋକେ ମଧ୍ୟ ରୋଗର ଶିକାର ହେଉଛନ୍ତି । ବଡ଼ ବଡ଼ ମେଗା କ୍ରସରର ଧୂଳିରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ତେବେ ଯାଜପୁର ଜିଲ୍ଲାପାଳ କହିଛନ୍ତି ବେଆଇନ ଖାଦାନରେ ଚଢ଼ାଉ କରି ଫାଇନ ଆଦାୟ ହେଉଛି । ଆଗାମୀ ଦିନରେ କିଛି ପାହାଡ଼କୁ ଲିଜ୍‌ ଆକାରରେ ଦିଆଯିବ ଯାହା ଫଳରେ ଏହି ବେଆଇନ କାରବାରକୁ ରୋକା ଯାଇପାରିବ ।

ଦିଲ୍ଲୀର ପ୍ରଦୂଷଣ ସ୍ଥିତି ଜୀବନ ପ୍ରତି ବଢାଉଛି ବିପଦ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢ଼ୁଛି ବାୟୁ ପ୍ରଦୂଷଣ । ଗତକାଲି ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୪୫୦ ପାର୍‌ ହୋଇଥିବା ବେଳେ ଆଜି ବି ୪ଶହ ଉପରେ ରହିଛି । ଦିନକୁ ଦିନ ସଙ୍ଗୀନ ହେଉଛି ଦିଲ୍ଲୀ ବାୟୁର ସ୍ଥିତି । ଦିଲ୍ଲୀର କେତେକ ସ୍ଥାନରେ ରାସ୍ତା ସ୍ପଷ୍ଟଭାବେ ଦେଖାଯାଉନଥିବା ବେଳେ ଘନ କୁହୁଡ଼ି ଦେଖାଦେଉଛି । ଫଳରେ ଯାତାୟାତରେ ବାଧା ଉପୁଜିବା ସହ ଆଗାମୀ ଦିନରେ ଶୀତ ଯୋଗୁଁ ଆହୁରି ବାଧା ଉପୁଜିବ ବୋଲି କୁହାଯାଉଛି ।

ଏକ ଅନୁସନ୍ଧାନ ଅନୁଯାୟୀ, ୨୦୧୬ ରୁ ୨୦୧୯ ମସିହା ମଧ୍ୟରେ ମାତ୍ର ୪ ଦିନ ସୁସ୍ଥ ଜଳବାୟୁ ଥିବାବେଳେ ୩୬୬ ଦିନ ସର୍ବାଧିକ ପ୍ରଦୂଷିତ ହୋଇଥିବା ଜଣା ପଡିଛି । ପ୍ରଦୂଷଣ ହେତୁ ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁଥିପାଇଁ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ବିଗିଡିବାରେ ଲାଗିଛି । ପ୍ରଦୂଷଣ ଯୋଗୁଁ କରୋନା ସଂକ୍ରମଣ ବଢିବାର ମଧ୍ୟ ସମ୍ଭାବନା ଅଧିକ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ପ୍ରଦୂଷଣ ଯୋଗୁଁ ଭାରତରେ ୧୨.୫ ପ୍ରତିଶତ ଲୋକ ମୃତ୍ୟୁବରଣ କରନ୍ତି । ଏହା ବ୍ୟତୀତ ବିଶ୍ୱର ୩୦ଟି ପ୍ରଦୂଷିତ ସହର ତାଲିକା ମଧ୍ୟରେ ଭାରତର ୨୧ ଟି ସହର ରହିଛି । ଦିଲ୍ଲୀରେ ଏୟାର କ୍ୱାଲିଟି ଖରାପ ହୋଇଥିବାରୁ ଜୀବନ ପ୍ରତି ବିପଦ ବଢିବାରେ ଲାଗିଛି । ସେଥିପାଇଁ ପ୍ରତିବର୍ଷ ୧୦,୦୦୦ ରୁ ୩୦,୦୦୦ ଲୋକଙ୍କର ମୃତ୍ୟୁ ହେଉଛି । ଏକ ରିସର୍ଚ୍ଚ ଅନୁସାରେ ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହେଉଥିବା ଉତ୍ତର ଭାରତର ଅଞ୍ଚଳରେ ମହାମାରୀର ସଂଖ୍ୟା ଏବଂ ମୃତ୍ୟୁ ହାରକୁ ନେଇ ଚିନ୍ତା ବଢିଛି ।

IPLରୁ ବିଦା ହେଲା କୋହଲିଙ୍କ RCB, ୬ ୱିକେଟରେ ଜିତି ଆଉ ପାଦେ ଆଗକୁ ଗଲା SRH

ଦୁବାଇ: ଦୁବାଇ: ଆଇପିଏଲ୍ ୨୦୨୦ର ଏଲିମିନେଟର୍ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ ପରାସ୍ତ କରିଛି । ଏହି ପରାଜୟ ସହିତ RCB ପାଇଁ ଟୁର୍ନାମେଣ୍ଟ ସମାପ୍ତ ହୋଇଛି । ବିରାଟବାହିନୀକୁ ବିଦା କଲା ହାଇଦ୍ରାବାଦ । ଗତକାଲି ଆବୁଧାବିରେ ଖେଳାଯାଇଥିବା ଏଲିମିନେଟର ମୁକାବିଲାରେ ବାଙ୍ଗାଲୋରକୁ ହରାଇ କ୍ୱାଲିଫାୟାର୨କୁ ପ୍ରବେଶ କରିଛି ହାଇଦ୍ରାବାଦ ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ହାଇଦ୍ରାବାଦ । ପରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓଲାହାଇଥିଲା ବିରାଟ ବାହିନି । ହେଲେ ହାଇଦ୍ରାବାଦର ଘାତକ ବୋଲିଂ ଆଗରେ ଘାଇଲା ହୋଇଥିଲା ବାଙ୍ଗାଲୋର  । ଶେଷରେ ୭ ଓ୍ବିକେଟ ହରାଇ ୧୩୧ ରନ କରିଥିଲା ଦଳ  ।  ପରେ ହାଇଦ୍ରାବାବ ନିର୍ଦ୍ଧାରିତ ୧୩୨ ରନକୁ ୧୯ ଓଭର ୪ ବଲରେ କରି ବିଜୟ ହୋଇଥିଲା  । ରବିବାର ହାଇଦ୍ରାବାଦ ଓ ଦିଲ୍ଲୀ ମଧ୍ୟରେ କ୍ୱାଲିଫାୟାର ୨ ଖେଳାଯିବ ।

ଗତ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ-ଦିଲ୍ଲୀ । ଏବଂ ସେଥିରେ ମୁମ୍ବାଇ ଦିଲ୍ଲୀକୁ ମାତ୍ ଦେଇ ଫାଇନାଲରେ ପାଦ ଥାପି ଥିଲା । ସେହିପରି ଗତ କାଲି ମ୍ୟାଚରେ ବିରାଟବାହିନୀଙ୍କୁ ବିଦା କରି ହାଦ୍ରାବାଦ ବାଜି ମାତ୍ କରିଛି । ୨୦୦୮ ମସିହାରୁ ଆଜି ପର୍ଯ୍ୟନ୍ତ ସମ୍ମାନଜନକ ପ୍ରଦର୍ଶନ କରିପାରି ନାହିଁ RCB । ଦଳରେ ଅନେକ ଦମଦାର ଖେଳାଳି ଥିଲେ ମଦ୍ୟ ଟିମ୍ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି ।

ଆଜି ଏହି ରାଶିର ଲୋକଙ୍କର ଦିନଟି ଭଲରେ କଟିବ, ଜାଣନ୍ତୁ

ଆଜିର ପଞ୍ଚାଙ୍ଗ:

୭ ନଭେମ୍ବର, ୨୦୨୦, ଶନିବାର

୧୪୨୮ ସାଲ,୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ତୁଳା ୨୨ ଦିନ, କାର୍ତ୍ତିକ ମାସ, କୃଷ୍ଣପକ୍ଷ,ସପ୍ତମୀ ତିଥି

ସକାଳ ୮ଟା ପର୍ଯ୍ୟନ୍ତ ପୁନର୍ବସୁ ନକ୍ଷତ୍ର , ଏହା ପରେ ପୁଷ୍ୟା ନକ୍ଷତ୍ର

କର୍କଟ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଯୋଗିନୀ ବାୟବ୍ୟେ କୋଣରେ ଅବସ୍ଥାନ କରିଥିବାରୁ

ବାୟବ୍ୟେ କୋଣକୁ ଯାତ୍ରା କରିବା ନିଷେଧ

କୌଣସି ରାଶି ପାଇଁ ଘାତଚନ୍ଦ୍ର ନାହିଁ

ବୃଷ,ସିଂହ,କନ୍ୟା ରାଶି ପାଇଁ ଘାତବାର

ଶୁଭ ସମୟ- ଦିନ ୧୦ଟା ୨୩ ମିନିଟ୍ ଠାରୁ ଦିନ ୧ଟା ୨୫ ମିନିଟ୍

ଅଶୁଭ ସମୟ- ସକାଳ ୮ଟା ୩୦ ମିନିଟ୍ ଠାରୁ ସକାଳ ୧୦ଟା ପର୍ଯ୍ୟନ୍ତ

ନିଷେଧ ଖାଦ୍ୟ – ପିତା ଜାତୀୟ ଖାଦ୍ୟ ଖାଇବା ନିଷେଧ ରହିଛି

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ଭାବୁଥିବା କାମ ପୁରା ହୋଇଯିବ

ଦ୍ୱିଜା ନକ୍ଷତ୍ର – ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ, ପ୍ରେମ ଜୀବନକୁ ନେଇ ଚିନ୍ତା ବଢିବ

କୃତ୍ତିକା ନକ୍ଷତ୍ର – କୌଣସି ନୂଆ କାମ ଆରମ୍ଭ ପାଇଁ ଦିନ ଭଲ ରହିଛି

ହନୁମାନ ଚାଳିଶା ୩ ଥର ପାଠ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ

ରୋହିଣି ନକ୍ଷତ୍ର – ଆପଣଙ୍କ ବ୍ୟବହାର ଶତ୍ରୁ ବୃଦ୍ଧି କରିବ, ଜଗିରଖି କଥା ହୁଅନ୍ତୁ

ମୃଗଶିରା ନକ୍ଷତ୍ର – ରୋଜଗାର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ

ମା’ଲକ୍ଷ୍ମୀଙ୍କୁ କ୍ଷୀରି ଭୋଗ ଲାଗି କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ବଡ ସପଳତା ମିଳିବା ସହ ସମୟ ପୂର୍ବରୁ କାର୍ଯ୍ୟ ସଫଳ ହୋଇଯିବ

ଆର୍ଦ୍ରା ନକ୍ଷତ୍ର – ଦାୟିତ୍ୱ ନିର୍ବାହ କରିବାରେ ବିଫଳ ରହିବେ, ସବୁ କାମରେ ବିଳମ୍ବ ହେବ

ପୂନର୍ବସୁ ନକ୍ଷତ୍ର – ଆପଣଙ୍କ ବ୍ୟବହାର ଦ୍ବାରା ସହକର୍ମୀ ଖୁସି ରହିବେ

ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର -ଘର ପାଇଁ ଜରୁରୀ ଜିନିଷ କିଛି କିଣିପାରନ୍ତି

ପୁଷ୍ୟା ନକ୍ଷତ୍ର – କର୍ମକ୍ଷେତ୍ରରେ ସଫଳତା ପାଇଁ ଅନ୍ୟ ଠାରୁ ପରାମର୍ଶ ନେବେ

ଅଶ୍ଲେଷା ନକ୍ଷତ୍ର – ବ୍ୟବସାୟରେ ଧନ ଲାଭର ସୁଯୋଗ ରହିଛି, ସନ୍ଧ୍ୟା ସମୟରେ ପରିବାର ସହ ସମୟ କାଟନ୍ତୁ

ଗରିବ ବ୍ୟକ୍ତିକୁ କିଛି ସାହାଯ୍ୟ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ସଫଳତା ପାଇବ

ପୂର୍ବାଫାଲଗୁନି ନକ୍ଷତ୍ର – ପୂର୍ବ ନିର୍ଦ୍ଧାରିତ କାମରେ କିଛି ପରିବର୍ତ୍ତନ ହୋଇପାରେ

ଉତ୍ତରାଫାଲଗୁନୀ ନକ୍ଷତ୍ର – ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ସୁଯୋଗ ପାଇବେ

ଗୁଡ ଖାଇ ଜଳପାନ କରନ୍ତୁ, ଶୁଭ ଖବର ପାଇବେ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର ସ୍ୱାସ୍ଥ୍ୟ ଭଲ ରହିବା ସହ ମିତ୍ର ବନ୍ଧୁଙ୍କର ସହଯୋଗ ପାଇବେ

ହସ୍ତା ନକ୍ଷତ୍ର – ଅଫିସ୍‌ରେ ନିଜର କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ

ଚିତ୍ରା ନକ୍ଷତ୍ର – କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଥିଲେ ଆଜି ହିଁ କରନ୍ତୁ, ସଫଳତା ପାଇବେ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଜୀବନସାଥୀଙ୍କ ସଫଳତା ଓ ବ୍ୟବହାରକୁ ନେଇ ମନ ପ୍ରସନ୍ନ ରହିବ

ସ୍ୱାତୀ ନକ୍ଷତ୍ର – ଗାଡି ଧିରେ ଚଳାନ୍ତୁ, ବିପଦ ରହିଛି

ବିଶାଖା ନକ୍ଷତ୍ର – ଦିନଚର୍ଯ୍ୟାରେ କିଛି ପରିବର୍ତ୍ତନ ଆସିପାରେ, ଆର୍ଥିକସ୍ଥିତିରେ ସୁଧାର ଆସିବ

ନିଜ ମା’କିମ୍ବା ସ୍ତ୍ରୀଙ୍କୁ କିଛି ଉପହାର ଦିଅନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ନୂଆ କାର୍ଯ୍ୟ ପାଇଁ କିଛି ପ୍ଳାନିଙ୍ଗ କରନ୍ତୁ

ଅନୁରାଧା ନକ୍ଷତ୍ର – ପୁରାଦିନ ଆନନ୍ଦରେ କଟିବ, ସମସ୍ତ ଚିନ୍ତାରୁ ମୁକ୍ତି ପାଇବେ

ଜ୍ୟେଷ୍ଠା ନକ୍ଷତ୍ର – ନୂଆ କାର୍ଯ୍ୟ ପାଇଁ କିଛି ପ୍ଳାନିଙ୍ଗ କରନ୍ତୁ

ଲୋକମାନଙ୍କ ସହଯୋଗ ଆପଣଙ୍କ ମନୋବଳକୁ ଦୃଢ କରିବ

ପଶୁ,ପକ୍ଷୀଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ

ପୂର୍ବାଷାଢା ନକ୍ଷତ୍ର – ପୂର୍ବ ଅପେକ୍ଷା ଆର୍ଥିକସ୍ଥିତି ଖରାପ ରହିବ

ଉତ୍ତରାଷାଢା ନକ୍ଷତ୍ର – ନିଜ କାମ ପାଇଁ ଅନେକ ପ୍ରଶଂସା ପାଇବେ

ରାମରକ୍ଷା ସ୍ତୋତ୍ର ପାଠ କରନ୍ତୁ, ସବୁ ଚିନ୍ତା ଦୁର ହେବ

ମକର ରାଶି 

ଉତ୍ତରାଷାଢା ନକ୍ଷତ୍ର – ଘରୋଇ କାର୍ଯ୍ୟକୁ ପୁରା କରିବାରେ ସକ୍ଷମ ରହିବେ

ଶ୍ରବଣା ନକ୍ଷତ୍ର – ଆଜି କାର୍ଯ୍ୟ ବ୍ୟସ୍ତତାରେ ସମୟ କଟିବ

ଧନିଷ୍ଠା ନକ୍ଷତ୍ର – ଅନେକ ଦିନ ଧରି ଅଟକି ଥିବା କାମ ପୁରା ହେବ

ମା’ଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ଲଗାନ୍ତୁ

କୁମ୍ଭ ରାଶି 

ଧନିଷ୍ଠା ନକ୍ଷତ୍ର – କିଛି ଭଲ ଖବର ମିଳିବ,ଯାହାକୁ ନେଇ ଦିନସାରା ମନ ପ୍ରସନ୍ନ ରହିବ

ଶତଭିଷା ନକ୍ଷତ୍ର – ମାନସମ୍ମାନ ପ୍ରତି ବିପଦ ରହିଛି,ଜଗିରଖି କଥା କୁହନ୍ତୁ

ପୂର୍ବଭାଦ୍ର ନକ୍ଷତ୍ର – ମହିଳା ମିତ୍ରଙ୍କର ସହଯୋଗ ପାଇବେ

ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ, ମନରେ ଶାନ୍ତି ଆସିବ

ମୀନ ରାଶି 

ପୂର୍ବଭାଦ୍ର ନକ୍ଷତ୍ର – କ୍ୟାରିଅରରେ ସଫଳତା ପାଇଁ ଭଲ ପରାମର୍ଶ ପାଇବେ

ଉତ୍ତରଭାଦ୍ର ନକ୍ଷତ୍ର – ନିଜ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଆସିବ

ରେବତୀ ନକ୍ଷତ୍ର – ପରିବାର ସହ ହସଖୁସିରେ ସମୟ କଟିବ

ବ୍ରାହ୍ମଣଙ୍କୁ ଫଳ ଦାନ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935