spot_img
Home Blog Page 6472

ଦୁଷ୍କର୍ମ ପରେ ଭଉଣୀଙ୍କୁ କରାଯାଇଥିଲା ହତ୍ୟା, ୧୯ ବର୍ଷ ପରେ ଏମିତି ନେଲେ ପ୍ରତିଶୋଧ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁରାଦାବାଦରୁ ଆସିଛି ଏମିତି ଏକ ମାମଲା ଯାହାକୁ ଜାଣିଲେ ଆପଣ ବିସ୍ମିତ ହୋଇଯିବେ । କ୍ରୋଧ ଯେ ହୃଦୟରେ ୧୯ ବର୍ଷ ଧରି ପାଉଁଶ ତଳର ନିଆଁ ପରି ଜଳେ ଆଉ ଦିନେ ଜାଳିଦିଏ ତାହା କେହି କେବେ ଭାବି ନଥିବେ । କିନ୍ତୁ ଏମିତି ହିଁ ଘଟିଛି ମୁରାଦାବାଦରେ । ଜଣେ ଯୁବକ ସାଙ୍ଗମାନଙ୍କ ମିଶି ୧୯ ବର୍ଷେ ତଳେ ତା ଭଉଣୀ ସହ ହୋଇଥିବା ଅପରାଧର ପ୍ରତିଶୋଧ ନେଇଛି । ଗାଁରେ ଥିବା ଅଭିଯୁକ୍ତର ଗଳା କାଟି ବିଭତ୍ସ ଭାବେ ହତ୍ୟା କରିଛି ଭାଇ ।

ସୂଚନା ଅନୁସାରେ, ମୁରାଦାବାଦ ଥାନା ଛଜଲୈଟ ଗ୍ରାମ ଚୌରା ରସୁଲପୁରର ଏହି ଘଟଣା । ଏଠାରେ ୧୯ ବର୍ଷ ତଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଯୁବକ ଜଣେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଭଉଣୀ ମୃତ୍ୟୁକୁ ସହଜରେ ସହ୍ୟ କରିପାରି ନଥିଲା ଭାଇ । ପିଲାବେଳରୁ ହିଁ ଭଉଣୀ ମୃତ୍ୟୁର ପ୍ରତିଶୋଧ ପାଇଁ ଅଡ଼ି ବସିଥିଲା । ଆଉ ୧୯ ବର୍ଷ ପରେ ସାଙ୍ଗଙ୍କ ସହ ନେଇଛି ପ୍ରତିଶୋଧ ।

ଉଭଣୀର ହତ୍ୟାକାରୀକୁ ପ୍ରଥମେ ଅପହରଣ କରିବା ପାରେ ମାରି ଦେଇଛି । ପୋଲିସ ହତ୍ୟା କରିଥିବା ଅଭିଯୁକ୍ତ ଭାଇ ସହ ତା ସାଙ୍ଗଙ୍କୁ ଗିରଫ କରିଛି । ଥାନା ଅଧିକାରୀଙ୍କ ଅନୁସାରେ ୧୯ ବର୍ଷ ତଳେ ବରାସତ, ଇରଶାଦର ଭଉଣୀକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା । ତାପରେ ପ୍ରତିଶୋଧର ନିଆଁରେ ଜଳୁଥିଲା ଇରଶାଦ । କିଛିଦିନ ତଳେ ଇରଶାଦ ଗାଁର ଜବରୁ ଓ ଫିରାସତ ସହ ମିଶି ବରାସତକୁ ଅପହରଣ କରିନେଇ ହତ୍ୟା କରିଥିଲା । ପୋଲିସ ଇରଶାଦ ଓ ଫିରାସତକୁ ଗିରଫ କରିଥିବା ଆଉଜଣେ ଅଭିଯୁକ୍ତ ଫେରାର ରହିଛି ।

SSR Case: ତୃତୀୟ ଦିନ ରିୟାଙ୍କୁ ୯ ଘଣ୍ଟା ଜେରା କଲା ସିବିଆଇ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତୀ ଫସିଛନ୍ତି । ମୁମ୍ବାଇ ପୋଲିସ ଓ ଇଡିର ପଚରାଉଚରା ପରେ ଏବେ ଲଗାତାର ସିବିଆଇ ଜେରା କରୁଛି । ଘଣ୍ଟା ଘଣ୍ଟା ଧରି ରିୟାଙ୍କୁ ଜେରା କରୁଛି ସିବିଆଇ । ତିନିଦିନ ମଧ୍ୟରେ ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରାୟ ୨୬ ଘଣ୍ଟା ପଚରାଉରଚରା କରି ସାରିଲାଣି । ଆସନ୍ତାକାଲି ସୋମବାର ପୁଣି ଥରେ ଜେରା ପାଇଁ ରିୟାଙ୍କୁ ସିବିଆଇ ସମନ ଜାରି କରିଛି ।

ଶୁକ୍ରବାର ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ପଚରାଉଚରା ଆରମ୍ଭ କରିଥିଲା । ପ୍ରଥମ ଦିନ ୧୦ ଘଣ୍ଟା ଧରି ରିୟା ସିବିଆଇ ପ୍ରଶ୍ନର ଉତ୍ତର ଦେଇଥିଲେ । ତାପରେ ଶନିବାର ୭ ଘଣ୍ଟା ଧରି ଜେରା କରିଥିଲା ସିବିଆଇ । ରବିବାର ୯ ଘଣ୍ଟାର ପ୍ରଶ୍ନ ପରେ ରିୟାଙ୍କୁ ସୋମବାର ହାଜର ହେବା ପାଇଁ ସିବିଆଇ ନୋଟିସ୍ ଦେଇଛି । ୩ ଦିନରେ ରିୟାଙ୍କୁ ୨୬ ଘଣ୍ଟା ଧରି ଜେରା କରାଯାଇଛି । ସୋମବାର ଜେରା ପାଇଁ ଡକରା ହୋଇଥିବା ବେଳେ ପଚରାଉଚରା ସମୟ ବଢ଼ିବା ସହିତ ରିୟାଙ୍କ ଲାଗି ମୁସ୍କିଲ୍ ବଢ଼ି ବଢ଼ି ଚାଲିଛି ।

୨୬ ଘଣ୍ଟାର ଜେରା

ତିନିଦିନ ଜେରାରେ ରିୟାଙ୍କୁ ସିବିଆଇ ଅନେକ ପ୍ରଶ୍ନ ପଚାରିଛି । ରବିବାର ସିବିଆଇର ଫୋକସ୍ ଡ୍ରଗ୍ସ ଉପରେ ଥିଲା । କୁହାଯାଉଛି ସୁଶାନ୍ତଙ୍କୁ ଡ୍ରଗ୍ସର ଓଭରଡୋଜ୍ ଦେବା ନେଇ ରିୟାଙ୍କୁ ସିବିଆଇ ବାରମ୍ବାର ପଚାରିବା ସହ ୮ ଜୁନକୁ ସୁଶାନ୍ତଙ୍କ ଘର କାହିଁକି ଛାଡ଼ିଲ ବୋଲି ପ୍ରଶ୍ନ କରିଛି । ତେବେ, ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଠିକ୍ ନଥିବା ବେଳେ ରିୟା କାହିଁକି ତାଙ୍କୁ ଛାଡ଼ିକରି ପଳାଇଥିଲେ ?

ରିୟାଙ୍କୁ ସୁଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସିବିଆଇ କେତକ ପ୍ରଶ୍ନ କରିଛି । ଯେମିତି କି ରିୟା କେବେ ଜାଣିବାକୁ ପାଇଥିଲେ କି ସୁଶାନ୍ତ କେବେ ମାନସିକ ଚାପରେ ଥିବା ଜାଣିବାକୁ ପାଇଲେ ? ସୁଶାନ୍ତ କେବେ ପ୍ରଥମଥର ଡାକ୍ତରଙ୍କୁ ଦେଖାଇଥିଲେ । ସୁଶାନ୍ତଙ୍କୁ ଔଷଧ କିଏ ଦେଉଥିଲା । କାହିଁକି ସୁଶାନ୍ତଙ୍କ ଡାକ୍ତରଙ୍କୁ ବାରମ୍ବାର ପରିବର୍ତ୍ତନ କରାଯାଉଥିଲା । ତିନିଦିନ ମଧ୍ୟରେ ସିବିଆଇ ଏମିତି ପ୍ରଶ୍ନର ଚକ୍ରବ୍ୟୁହରେ ରିୟାଙ୍କୁ ଛନ୍ଦି ଚାଲିଥିବା ବେଳେ ରିୟା ନିଜ ବୟାନର କେତେ କାୟମ ରହିଛନ୍ତି ତାହା ଦେଖିବାର କଥା ।

ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆସନ୍ତାକାଲି ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରଖିବେ । ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଏନେଇ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଗତ ତିନି ଭିତରେ ଓଡ଼ିଶା ଏବଂ ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଏହା ପ୍ରଭାବରେ ସୁବର୍ଣ୍ଣ ରେଖା, ବୁଢାବଳଙ୍ଗ, ମହାନଦୀରେ ବନ୍ୟା ସୃଷ୍ଟି ହୋଇଛି ।

ମହାନଦୀରେ ଏବେ ୯.୧୧ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଛି । ହୀରାକୁଦ ଜଳଭଣ୍ଡାରରୁ ଏବେ ୭.୬ ଲକ୍ଷ କ୍ୟୁସେକରୁ ଅଧିକ ବନ୍ୟାଜଳ ନିଷ୍କାସନ ହେଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ତିନୋଟି ଗେଟ୍ ବନ୍ଦ କରାଯାଇଛି । ଏବେ ମାତ୍ର ୪୩ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଆଗକୁ ଆଉ ଗେଟ୍ ବନ୍ଦ କରାଯିବ କି ନାହିଁ ସେ ନେଇ ଜଳ ସମ୍ପଦ ବିଭାଗ ନିଷ୍ପତ୍ତି ନେବ । କାଲି ସୁଦ୍ଧା ବନ୍ୟା ସ୍ଥିତି ସାମାନ୍ୟ ସ୍ୱାଭାବିକ ହେବ ।

ମହାନଦୀ ବନ୍ୟାଜଳ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲାର ୩ଟି ବ୍ଲକ ପ୍ରଭାବିତ ହେବ । ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳ ଓ ପୁରୀ ଜିଲ୍ଲା ପ୍ରଭାବିତ ହେବ । ସେହିଭଳି କଟକର କିଛି ଅଞ୍ଚଳ ମଧ୍ୟ ପ୍ରଭାବିତ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟର ବିଭିନ୍ନ ସ୍ଥାନରେ ୩୬ଟି ଘାଇ ବନ୍ୟାରେ ସୃଷ୍ଟି ହୋଇଛି । ତେବେ, ଗୋଟିଏ ସ୍ଥାନରେ ମନ୍ୟୁଷକୃତ ନଦୀବନ୍ଧ ଭଙ୍ଗାଯିବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ରାଜଧାନୀରେ ଗୋଟିଏ ଦିନରେ କରୋନାର ଦୁଇଟି ରେକର୍ଡ

ଭୁବନେଶ୍ୱର: ୬୭ ୱାର୍ଡରୁ ୫୧୫ ସଂକ୍ରମିତ ଚିହ୍ନଟ । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି । ଗୋଟିଏ ଦିନରେ କରୋନା ସଂକ୍ରମଣରେ ଦୁଇ ଦୁଇଟି ଅଲୋଡ଼ା ରେକର୍ଡ କରିଛି ରାଜଧାନୀ ଭୁବନେଶ୍ୱର । ଦିନକରେ ୫୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୨୧ରେ ପହଞ୍ଚିଛି । ଏନେଇ ବିଏମସି ସୂଚନା ଦେଇଛି ।

ଗତ ୨୪ ଘଣ୍ଟାରେ ବିଏମସିର ୪୬ ନମ୍ବର ୱାର୍ଡରୁ ସର୍ବାଧିକ ୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନମ୍ବର ୨୭, ୪୦ରୁ ୨୯ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ୨ ନମ୍ବର ୱାର୍ଡରେ ସର୍ବାଧିକ ୧୩୯ଟି ସକ୍ରିୟ ସଂକ୍ରମିତ ମାମଲା ରହିଛି । ଗତ ୨୪ ଘଣ୍ଟାରେ ରାଜଧାନୀରୁ ୨୯୭ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

ରାଜଧାନୀରେ ଏଯାବତ୍ ୧୦ ହଜାର ୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୬୧ ଜଣ ସୁସ୍ଥ ହୋଇଛନ୍ତି । ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୩ ହଜାର ୯୧୦ଟି କେସ୍ ସକ୍ରିୟ ରହିଛି ।

ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଚିକିତ୍ସା, ଦିନକରେ ୧୦୪ ସୁସ୍ଥ

ଭୁବନେଶ୍ୱର: ସଂକ୍ରମଣକୁ ମାତ୍ ଦେଇ ଚାଲିଛି ଓଡ଼ିଶା । ରାଜ୍ୟରେ ଏଯାବତ୍ ୧ ଲକ୍ଷ ୯୩୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୩ ହଜାର ୨୩୩ ଜଣ ସୁସ୍ଥ ହୋଇଛନ୍ତି । ଆଜି ଆଉ ୨୫୧୯ ଜଣ ଆରୋଗ୍ୟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ, ବଡ଼ କଥା ହେଉଛି କରୋନା ଯୁଦ୍ଧରେ ଗୁରୁତର ରୋଗୀଙ୍କ ପାଇଁ ସଞ୍ଜିବନୀ ସାଜିଛି ପ୍ଲାଜମା ଥେରାପି । ଗୁରୁତର କରୋନା ପୀଡ଼ିତ ପ୍ଲାଜମା ଚିକିତ୍ସା ଦ୍ୱାରା ସୁସ୍ଥ ହେଉଛନ୍ତି ।

ଆଜି ଗୋଟିଏ ଦିନରେ ପ୍ଲାଜମା ନେଇଥିବା ୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଥିପାଇଁ ପ୍ଲାଜମା ଚିକିତ୍ସାରେ ନିୟୋଜିତ ଡାକ୍ତରୀ ଟିମ୍ ଓ ପ୍ଲାଜମା ଦାତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ଧନ୍ୟବାଦ ଦେଇଛି । ସୂଚନା ଯୋଗ୍ୟ ଯେ, ଏଯାବତ୍ ରାଜ୍ୟର ୬ଟି ସ୍ଥାନରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି ।

ଏଥିସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୧୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୧୯ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୨୧୬, ପୁରୀରୁ ୨୧୦, ରାୟଗଡ଼ା ୨୦୫, କୋରାପୁଟ ୧୬୯, ମୟୂରଭଞ୍ଜ ୧୫୦, କଟକ ୧୨୯, ବାଲେଶ୍ୱର ୧୦୦, ନୟାଗଡ଼ ୯୫, ସମ୍ବଲପୁର ୮୫, ମାଲକାନଗିରି ୮୪, ଭଦ୍ରକ ୭୭, ଢେଙ୍କାନାଳ ୭୬, ନବରଙ୍ଗପୁର ୫୮, କନ୍ଧମାଳ ୪୮, ବଲାଙ୍ଗିର ୪୫, ସୁନ୍ଦରଗଡ଼ ୪୨, ଗଜପତି ୪୦, କେନ୍ଦ୍ରାପଡ଼ା ୩୯, ଝାରସୁଗୁଡ଼ା ଓ କେନ୍ଦୁଝରରୁ ୩୮ ଜଣ ଲେଖାଏଁ, ସୋନପୁର ୩୩, ନୂଆପଡ଼ା ୨୮, ଜଗତସିଂହପୁର ୨୭, ବରଗଡ଼ ୨୫, କଳାହାଣ୍ଡି ୧୯, ଯାଜପୁର ୧୨, ଦେବଗଡ଼ ୭, ବୌଦ୍ଧ ୪ ଓ ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି ।

କିଛିଦିନ ତଳେ କରୋନା ସଂକ୍ରମିତ ହୋଇଥିବା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ସେ ସୁସ୍ଥ ହୋଇଥିବା ନେଇ ନିଜେ ସୂଚନା ଦେଇଛନ୍ତି । ସୁସ୍ଥ ହେବା ପରେ ସେ ନିଜ କର୍ମକ୍ଷେତ୍ରକୁ ଫେରିଥିବା ସୂଚନା ଦେଇଛନ୍ତି ।

ରାଜ୍ୟରେ ୧ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଦେଶର ଅନ୍ୟ ରାଜ୍ୟ ତୁଳନାରେ ନିୟନ୍ତ୍ରଣରେ ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ଲକ୍ଷେ ପାର୍‌ କରିଛି । ମାର୍ଚ୍ଚ ୧୫ରେ ରାଜ୍ୟରେ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ରୋଗୀ । ୧୬୭ ଦିନ ପରେ ରାଜ୍ୟରେ ୧ ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଅନ୍ୟ ରାଜ୍ୟର କରୋନା ମିଟର ଉପରେ ନଜର ପକାଇଲେ ଓଡିଶାରେ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ଢେର କମ୍ ରହିଛି । ସେହିଭଳି ସାରା ଦେଶରେ ସ୍ଥିତି ବେକାବୁ ହେଉଥିବା ବେଳେ ଓଡ଼ିଶାରେ ସ୍ଥିତି ଆୟତ୍ତରେ ଅଛି ।

କମୁନି କରୋନା ପ୍ରକୋପ । ବଢିଚାଲିଛି ମହାମାରୀ ପ୍ରଭାବ । ରାଜ୍ୟରେ ଏକ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା । ସେପଟେ ଦେଶରେ ୩୫ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଢେର ଭଲ ରହିଛି । କୋଭିଡ୍ ମୁକାବିଲାରେ ଅନ୍ୟ ରାଜ୍ୟଙ୍କୁ ପଛରେ ପକାଇ ଢେର ଆଗରେ ଅଛି ଓଡ଼ିଶା । ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା ଓ ଆସାମ ୧ ଲକ୍ଷ ଆକ୍ରାନ୍ତଙ୍କ କ୍ଲବରେ ପୂର୍ବରୁ ସାମିଲ ହୋଇସାରିଛନ୍ତି । ମାର୍ଚ୍ଚ ୧୫ରେ ଭୁବନେଶ୍ୱରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୧୬୭ ଦିନ ପରେ ଏହା ୧ ଲକ୍ଷ ଟପିଛି ।

ମହାରାଷ୍ଟ୍ରରେ ୯୫, ତାମିଲନାଡୁରେ ୧୧୮, ଦିଲ୍ଲୀରେ ୧୨୬, ଆନ୍ଧ୍ରପ୍ରଦେଶରେ ୧୩୬ କର୍ଣ୍ଟାଟକରେ ୧୩୯, ବିହାରରେ ୧୪୬, ପଶ୍ଚିମବଙ୍ଗରେ ୧୪୭, ଆସାମରେ ୧୫୦, ଉତ୍ତର ପ୍ରଦେଶରେ ୧୫୨, ତେଲେଙ୍ଗାନାରେ ୧୭୩ ଦିନ କରୋନା ଆକ୍ରନ୍ତ ସଂଖ୍ୟା ୧ ଲକ୍ଷ ଟପିଥିଲା । ଏ ତମାମ ରାଜ୍ୟର ସ୍ଥିତି ଉପରେ ନଜର ପକାଇଲେ ଓଡ଼ିଶାରେ ସ୍ଥିତି ଭଲ ରହିଛି । କେବଳ ଅନ୍ୟ ରାଜ୍ୟ ନୁହେଁ, ଦେଶରେ ଯେଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି ସେହି ଅନୁପାତରେ ଓଡ଼ିଶାରେ କମ୍ ସଂକ୍ରମିତ ହେଉଛନ୍ତି ।

ଗୋଟିଏ ଦିନରେ ଦେଶରେ ୭୮, ୭୬୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩ ହଜାର ୧୪ ସଂକ୍ରମିତ । ଗୋଟିଏ ଦିନରେ ଦେଶରେ ୯୪୮ ଜଣକ ଜୀବନ ନେଇଛି କରୋନା । ରାଜ୍ୟରେ ୧୨ ଜଣକ ମୃତ୍ୟୁ ହୋଇଛି । ସେହିଭଳି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୩, ୪୯୮ ଥିବାବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ହେଉଛି ୪୮୨ । ଦେଶରେ ମୃତ୍ୟୁ ହାର ହେଉଛି ୧. ୭୯% ଓ ରାଜ୍ୟରେ ମୃତ୍ୟୁ ହାର ହେଉଛି ୦.୫ ପ୍ରତିଶତ । ଦେଶରେ ଆରୋଗ୍ୟ ହାର ୭୬% ଥିବା ବେଳେ ରାଜ୍ୟର ଆରୋଗ୍ୟ ହାର ହେଉଛି ୭୨ % ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ୍ ମୁକାବିଲାରେ ରାଜ୍ୟ ସରକାରଙ୍କ ପ୍ରଦର୍ଶନ ଢେର ଭଲ ରହିଛି । ସେଥିପାଇଁ ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ କମିଛି ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ।

ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର: କରୋନା କବଳରେ ରାଜ୍ୟର ଆଉ ଜଣେ ବିଧାୟକ । ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କରୋନା ହୋଇଛି । ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ଦେଇଛନ୍ତି ନିଜେ ବିଧାୟକ । ସୋସିଆଲ୍ ମିଡିଆରେ ସେ ଏନେଇ ସୂଚନା ଦେଇଛନ୍ତି । ଗତକାଲି ବିଧାୟକଙ୍କ ଡ୍ରାଇଭର କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା । ତା’ପରଠାରୁ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର ଆଇସୋଲେସନରେ ଥିଲେ ।

ଆଜି ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ଅନ୍ୟ କର୍ମଚାରୀ ଓ ପରିବାର ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ରହିଛି । ବିଧାୟକ ଏବେ ଘରେ ହୋମ୍ ଆଇସୋଲେସନରେ ଅଛନ୍ତି । ବର୍ତ୍ତମାନ ବିଧାୟକଙ୍କ ଠାରେ କରୋନାର କୌଣସି ବାହ୍ୟ ଲକ୍ଷଣ ନାହିଁ । ତାପମାତ୍ରା, ଅକ୍ସିଜେନ୍ ଲିଭେଲ ଠିକ୍ ରହିଛି । ତେବେ, ସେ ପୂର୍ବରୁ ଡାଏବେଟିସରେ ପୀଡ଼ିତ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଥିବା ସୂଚନା ଦେଇଛନ୍ତି ।

ମୋଟାମୋଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ବିଧାୟକ ସୂଚନା ଦେଇଛନ୍ତି । ବିଧାୟକ ଏବେ ଜରୁରୀ କାମକୁ ଟେଲିଫୋନ କନଫେରେନ୍ସ ଜରିଆରେ କରୁଛନ୍ତି । ଏବଂ ଏବେ କିଛିଦିନ ପାଇଁ ଛୋଟକଥାରେ ଯୋଗାଯୋଗ ନ କରିବାକୁ ସେ ଅନୁରୋଧ କରୁଛନ୍ତି । ଏହା ପୂର୍ବରୁ ସାଲେପୁର ବିଧାୟକ, ନୀଳଗିରି ବିଧାୟକ, ଖଣ୍ଡପଡ଼ା ବିଧାୟକ କରୋନାରେ ସଂକ୍ରମିତ ହୋଇଥିଲେ ।

ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ କନେଷ୍ଟବଳ

ସମ୍ବଲପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ପୋଲିସ କର୍ମଚାରୀ । ପୋଲିସ କର୍ମଚାରୀ ଜଣଙ୍କ ହେଲେ ଝାରସୁଗୁଡ଼ା ଜିଆରପିର କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ପାତ୍ର । ରେଳବାଇ ଥାନାର ବୋଲେରୋ ଗାଡିରେ ଗଞ୍ଜେଇ ନେଇ ଯାଉଥିବାବେଳେ ସମ୍ବଲପୁରର ରେଙ୍ଗାଲି ପୋଲିସ ହାତରେ ଧରା ପଡ଼ିଛନ୍ତି ପୂର୍ଣ୍ଣଚନ୍ଦ୍ର ।

ତାଙ୍କ ଠାରୁ ୨୧ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଗାଡ଼ିକୁ ରେଙ୍ଗାଲି ପୋଲିସ ଜବତ କରିଥିବା ଜଣାପଡ଼ିଛି । କନେଷ୍ଟବଳ ଜଣକ ଗଞ୍ଜେଇ କେଉଁଠିକୁ ନେଇକି ଯାଉଥିଲେ ? କେବେଠାରୁ ଗଞ୍ଜେଇ କାରବାରରେ ସେ ସମ୍ପୃକ୍ତ ଅଛନ୍ତି,  ସେ ନେଇ ଅଧିକ ତଦନ୍ତ କରୁଛି ରେଙ୍ଗାଲି ପୋଲିସ ।

ଛାତ୍ରଛାତ୍ରୀଙ୍କୁ ସହାୟତାର ହାତ ବଢ଼େଇଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର: ଜେଇଇ ମେନ୍‍ ଓ ନିଟ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ସହାୟତାର ହାତ ବଢ଼େଇଛି ଓଡ଼ିଶା ମୋ ପରିବାର । ଆସନ୍ତା ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ବନ୍ୟା ଓ କରୋନା ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ଯେପରି ସୁରୁଖୁରୁରେ ପରୀକ୍ଷା ଦେଇପାରିବେ ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷାର୍ଥୀମାନେ ଯେଭଳି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ଦିଗରେ ସମ୍ଭାବ୍ୟ ସହାୟତା ଗ୍ରହଣ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

FILE

ସ୍ୱେଚ୍ଛାସେବୀ ତଥା ସଦସ୍ୟମାନଙ୍କୁ ସାମିଲ୍ କରି ପରୀକ୍ଷାର୍ଥୀ, ରାଜ୍ୟ ପ୍ରଶାସନ ଓ ସେମାନଙ୍କ ନୋଡାଲ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରି ସହାୟତା ଲାଗି ପଦକ୍ଷେପ ନିଆଯାଉଛି ବୋଲି ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି । ସମସ୍ତ ଜିଲ୍ଲାରେ ମୋ ପରିବାରର ପ୍ରତିନିଧିମାନେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି । ଛାତ୍ରଛାତ୍ରୀମାନେ ପରୀକ୍ଷାସ୍ଥଳକୁ ଯିବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ଯାତାୟତଜନିତ ସମସ୍ୟାର ସମାଧାନ ଲାଗି ଚେଷ୍ଟା କରିବ ଓଡ଼ିଶା ମୋ ପରିବାର । ପରୀକ୍ଷା କେନ୍ଦ୍ର ନିକଟରେ ଓଡ଼ିଶା ମୋ ପରିବାର ପକ୍ଷରୁ ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି ।

ଯେଉଁଠାରେ ସ୍ୱେଚ୍ଛାସେବୀମାନେ ସକାଳ ୭ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଉପସ୍ଥିତ ରହିବେ । ପରୀକ୍ଷା କେନ୍ଦ୍ର ନିକଟରେ ପ୍ରାର୍ଥୀ ତଥା ସେମାନଙ୍କ ସମ୍ପର୍କୀୟଙ୍କ ଲାଗି ସାନିଟାଇଜର, ପାଣି ବୋତଲ, ବିସ୍କୁଟ ପ୍ୟାକେଟ ଉପଲବ୍ଧ କରାଯାଇଛି । ପ୍ରତ୍ୟେକ ସହରରେ ଓଡ଼ିଶା ମୋ ପରିବାର ତରଫରୁ ପ୍ରତିନିଧିତ୍ୱ କରୁଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ନାମ ଓ ସେମାନଙ୍କ ମୋବାଇଲ ନମ୍ବର ଜାରି କରାଯାଇଛି । ଆବଶ୍ୟକ ସ୍ଥଳେ ଏହି ନମ୍ବରରେ ପରୀକ୍ଷାର୍ଥୀ ଓ ସେମାନଙ୍କର ଅଭିଭାବକମାନେ ଯୋଗାଯୋଗ କରିପାରିବେ ।

ରାଜ୍ୟର ୨୦ ଜିଲ୍ଲାର ୧୧୨ ବ୍ଲକରେ ବନ୍ୟା ତାଣ୍ଡବ, ୧୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଜଳ କବଳରେ ଅଧାରୁ ଅଧିକ ଓଡ଼ିଶା । ରାଜ୍ୟର ୨୦ଟି ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି । ୨୦ ଜିଲ୍ଲାର ୧୧୨ଟି ବ୍ଲକରେ ବନ୍ୟାର ପ୍ରଭାବ ରହିଛି । ୮୯୬ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ୩୨୫୬ଟି ଗାଁରେ ପଶିଛି ବନ୍ୟା ଜଳ । ରାଜ୍ୟର ୨୧ଟି ପୌରାଞ୍ଚଳର ୭୫ଟି ୱାର୍ଡ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି । ଏଥିରେ ୧୪ ଲକ୍ଷ ୩୨ ହଜାର ୭୦୧ ଜଣ ପ୍ରଭାବିତ ହୋଇଛନ୍ତି ।

୩୪୦ଟି ଗାଁ ଜଳବନ୍ଦୀ ହୋଇ ରହିଛି । ୨ ଲକ୍ଷ ୬୫ ହଜାର ୭୨୩ ଲୋକ ଆଜି ସୁଦ୍ଧା ପାଣିଘେରରେ ଅଛନ୍ତି । ବନ୍ୟା ବିପନ୍ନଙ୍କ ପାଇଁ ୩୫୭ଟି ସ୍ଥାନରେ ମାଗଣା ଖାଦ୍ୟ ଯୋଗାଇ ଦିଆଯାଉଛି । ୫୭ ହଜାର ୮୨୪ ଜଣଙ୍କୁ ସହାୟତା ପ୍ରଦାନ କରାଯାଇଛି । ରାଜ୍ୟରେ ବନ୍ୟାଜନିତ ୧୭ ଜଣଙ୍କ ମୃତ୍ୟୁ ହୋଇଛି ଏଯାବତ୍ । ପ୍ରାୟ ୧୦ ହଜାର ୩୮୨ଟି ଘର କ୍ଷତିଗ୍ରସ୍ତ ହୋଇଛି ।

ବନ୍ୟା ପ୍ଲାବିତ ଅଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୪୫ଟି ମେଡିକାଲି ଟିମ୍ ନିୟୋଜିତ ହୋଇଛନ୍ତି । ଗୋପାଳିତ ପଶୁଙ୍କ ଚିକିତ୍ସା ପାଇଁ ନିୟୋଜିତ ହୋଇଛନ୍ତି ୪୨ଟି ଟିମ୍ । ବନ୍ୟା ଯୋଗୁଁ ୧ ଲକ୍ଷ ୬୮ ହଜାର ୯୦୪ ହେକ୍ଟର ଚାଷ କ୍ଷିତଗ୍ରସ୍ତ ହୋଇଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ NDRFର ୧୪ଟି ଟିମ୍, ଓଡ୍ରାଫର ୧୭ଟି ଟିମ୍, ଅଗ୍ନିଶମ ବାହିନୀର ୨୨ଟି ଟିମ୍ ନିୟୋଜିତ ଅଛନ୍ତି । ୨୫୪ଟି ବୋଟ୍ ଉଦ୍ଧାର କାର୍ଯ୍ୟରେ ଲାଗିଛି । ୧୧ ଜିଲ୍ଲାର ୧୦୭ଟି ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ୫ଟି ଜିଲ୍ଲାର ୩୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି ।

ଜଳବନ୍ଦୀ ଓଡ଼ିଶା… କେମିତି ଚାଲିଛି ଉଦ୍ଧାର କାର୍ଯ୍ୟ ?