ଭୁବନେଶ୍ୱର: ରାଜ୍ୟରେ ୨ଟି ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ବୁଧବାର ଉପନିର୍ବାଚନ ସମ୍ପର୍କିତ ପୂର୍ଣ୍ଣାଙ୍ଗ ବିବରଣୀ ରଖିଛନ୍ତି । ୨ଟି ଆସନରେ ଭୋଟଦାନ ପ୍ରକ୍ରିୟା ସରିବା ପରେ ଭୋଟ ପ୍ରତିଶତ ନେଇ ଗଣମାଧ୍ୟମକୁ ଅବଗତ କରାଯାଇଛି ।
ବାଲେଶ୍ୱର ସଦର ଆସନରେ ୭୦.୬୯ ପ୍ରତିଶତ ମତଦାନ ହୋଇଛି । ସେହିପରି ଏହି ଆସନରେ ୧୬୯୩ ଜଣ ପୋଷ୍ଟାଲ ବାଲଟ୍ ରେ ମତଦାନ ଦେଇଛନ୍ତି । ଅନୁରୂପଭାବେ ତିର୍ତ୍ତୋଲରେ ୬୯.୬୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଏହି ଆସନରେ ୧୦୪ ଜଣ କୋଭିଡ ସଂକ୍ରମିତ ମତଦାନ କରିଛନ୍ତି । ସେହିଭଳି ୩୧୯୩ ଜଣ ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ ଦେଇଛନ୍ତି ।
କରିଶ୍ମାଙ୍କ ଘରୁ ଡ୍ରଗ୍ସ ମିଳିବା ପରେ ବଢିବାରେ ଲାଗିଛି ଦୀପିକାଙ୍କ ଅଡ଼ୁଆ
ମୁମ୍ବାଇ: ଡ୍ରଗ୍ସ ଜାଲରେ ଫଶୁଛନ୍ତି ବଡ଼ ବଡ଼ ସେଲିବ୍ରିଟି । ଆଉ ବହୁଦିନ ହେବ ଯେଉଁ ନେମ୍ ଆଉ ଫେମ୍ ପାଇଥିଲେ ସେ ସବୁ ହୋଇଯାଇଛି ଧୂଳି ସାଥ୍ । କିଛିଦିନ ହେବ ଏହି ଡ୍ରଗ୍ସ ଜାଲରେ ପଡ଼ିଥିବା ଅଭିନେତ୍ରି ଅଡ଼ୁଆ ତୁଟିବାର ନାଁ ନେଉ ନାହିଁ । ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଡୁଆ ବଢିବାରେ ଲାଗିଛି । ବଲିଉଡରେ ଡ୍ରଗ୍ସ କାରବାର ଅଭିଯୋଗରେ ଆଜି ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ପଚରାଉଚରା କରୁଛି ଏନସିବି ।
ଗତ କିଛି ଦିନ ଧରି କରିସ୍ମା ନିଖୋଜ ଥିବା ଚର୍ଚ୍ଚା ହେଉଥିଲା । ଶେଷରେ ଏନସିବିର ସମନ ପରେ ସେ ଆଜି ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଡ୍ରଗ୍ସ କନେକସନ ମାମଲାରେ ସର୍ଚ୍ଚ ଅପରସେନ ବେଳେ କରିଶ୍ମାଙ୍କ ଘରୁ ଡ୍ରଗ୍ସ ମିଳିଥିଲା । ସେବେଠୁ ଏନସିବି ରାଡାରରେ ଅଛନ୍ତି ଦୀପିକା ପାଦୁକୋନ ଓ ତାଙ୍କ ମ୍ୟାନେଜର । ପୂର୍ବରୁ ଦୀପିକା ପାଦୁକୋନଙ୍କୁ ପଚରାଉଚରା କରାଯାଇଥିଲା । କିଛି ଦିନ ବ୍ୟବଧାନ ପରେ ଏନସିବି ପୁଣି ଥରେ ତଦନ୍ତ ଜୋରଦାର କରିଛି । ପୂର୍ବରୁ ଦୀପିକା ଓ କରିସ୍ମାଙ୍କୁ ଆମ୍ନାସାମ୍ନା କରି ମଧ୍ୟ ପଚରାଉଚରା କରାଯାଇଥିଲା ।
ନେପାଳ ଗସ୍ତରେ ସେନା ମୁଖ୍ୟ ନରବଣେ, କହିଲେ ଆହୁରି ମଜବୁତ ହେବ ଭାରତ ନେପାଳ ସମ୍ପର୍କ
ନୂଆଦିଲ୍ଲୀ: ନେପାଳ ଗସ୍ତରେ ଜେନେରାଲ ନରବଣେ, ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସମେତ ନେପାଳର ପ୍ରତିପକ୍ଷ ଜେନେରାଲ ପୁରନ ଚାନ୍ଦ ଥାପାଙ୍କୁ ଭେଟିବେ । ସେ ନେପାଳୀ ସେନାର ଆର୍ମି କମାଣ୍ଡ ଏବଂ ଷ୍ଟାଫ୍ କଲେଜରେ ଛାତ୍ର-ଅଧିକାରୀମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ ।
ଦୁଇ ଦିନିଆ ନେପାଳ ଗସ୍ତ ପୂର୍ବରୁ ସେନା ମୁଖ୍ୟ ନରବଣେ ତାଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ତାଙ୍କର ଏହି ଗସ୍ତ ଭାରତ ଏବଂ ନେପାଳ ମଧ୍ୟରେ ବନ୍ଧୁତାକୁ ମଜବୁତ କରିବ ବୋଲି ସେ କହିଛନ୍ତି।
ସେନା ମୁଖ୍ୟ ନରବନେ କହିଛନ୍ତି, ମୁଁ ଖୁସି ଯେ ମୁଁ କାଠମାଣ୍ଡୁ ଯାଇ ଭାରତ ଏବଂ ନେପାଳ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାକୁ ଯାଉଛି। ଏଭଳି ନିମନ୍ତ୍ରଣରେ ନେପାଳ ପରିଦର୍ଶନ କରି ମୋର ପ୍ରତିପକ୍ଷ ଜେନେରାଲ ଥାପାଙ୍କୁ ଭେଟି ମୁଁ ଖୁସି ଅଟେ । ମୁଁ ନିଶ୍ଚିତ ଯେ ଏହି ଗସ୍ତ ଦୁଇ ସୈନ୍ୟବାହିନୀକୁ ମଜବୁତ କରୁଥିବା ବନ୍ଧୁତା ଏବଂ ବନ୍ଧୁତାକୁ ମଜବୁତ କରିବାରେ ଏକ ଲମ୍ବା ରାସ୍ତା ପ୍ରସ୍ତୁତ କରିବ ।
ନଭେମ୍ବରରେ ଖୋଲିବ ସ୍କୁଲ ! ନଆସିଲେ ଅନ୍ଲାଇନ୍ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଚଳିତ ମାସରେ ସ୍କୁଲ ଖୋଲିବା ନେଇ ସରକାର ପ୍ରସ୍ତୁତ ହେଉଛନ୍ତି । ମଙ୍ଗଳବାର ଏନେଇ ବିଭାଗୀୟ ବୈଠକ ବସିଥିଲା । ଏଥିରେ ପାଞ୍ଚ ଅଂଶୀଦାରଙ୍କ ସହ ଆଲୋଚନା ହୋଇଛି । କେବେ ଓ କେମିତି ସ୍କୁଲ ଖୋଲିବ ସେ ନେଇ ଏସଓପି ପ୍ରସ୍ତୁତ ହେଉଛି । ଏହାପରେ କ୍ଷେତ୍ରରେ କାମ କରୁଥିବା ଜିଲ୍ଲାପାଳ ଓ ଡିଇଓଙ୍କ ସହ ଆଲୋଚନା କରିବୁ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଅନ୍ୟପଟେ ଏବେ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି । ଆଉ ଅଧିକ ସିଲାବସ ହ୍ରାସ ହେବ ନାହିଁ । ବାକି ୭୦ ପ୍ରତିଶତ ପାଠ୍ୟକ୍ରମ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମ୍ପୂର୍ଣ୍ଣ କ୍ଲାସ୍ ହେବ । ସ୍କୁଲ ଛାଡ଼ିବା ପାଇଁ ଯଦି ଅଭିଭାବକ ରାଜି ନ ହୁଅନ୍ତି, ସେହି ଛାତ୍ରମାନଙ୍କ ପାଇଁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଭାଗୟୀ ମନ୍ତ୍ରୀ ।
ତେବେ ପୂର୍ବରୁ ନଭେମ୍ବର ୧୫ ପରେ ଅର୍ଥାତ୍ ୧୬ରୁ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ନଭେମ୍ବର ୩୦ ଯାଏଁ ସ୍କୁଲ ବନ୍ଦ ନିଷ୍ପତ୍ତି ଅପରିବର୍ତ୍ତିତ ରହିଥିଲା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାନି ନିର୍ଦ୍ଦେଶନାମା ମଧ୍ୟ କରାଯାଇଥିଲା । ସ୍କୁଲ ଖୋଲିବା ଓ ପରିଚାଳନା ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ ।
ବିବାଦ ସମାଧାନ କରିବାକୁ ଯାଇ ହଟହଟା ହେଲା ପୋଲିସ
ବାଲେଶ୍ୱର: ବିବାଦ ସମାଧାନ କରିବାକୁ ଯାଇ ହଟହଟା ହେଲା ପୋଲିସ । ପୋଲିସ ଉପସ୍ଥିତିରେ ଯୁବତୀଙ୍କୁ ବାଡେଇଲେ ଅଭିଯୁକ୍ତ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଲେଶ୍ୱର ଔପଦା ଥାନା ପରମାନନ୍ଦପୁରରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଗାଁର ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡ଼ି ବିବାଦ ଲାଗିରହିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ପାଇଁ ପହଞ୍ଚିଥିଳା ସ୍ଥାନୀୟ ପୋଲିସ ।

ତେବେ ପୋଲିସ ପହଞ୍ଚୁଥିବା ବେଳେ ଗୋଟିଏ ପରିବାର ପକ୍ଷରୁ ଗାଡ଼ିକୁ ଅଟକାଯାଇଥିଲା । ଏମିତିକି ତଦନ୍ତ ବେଳେ ପୋଲିସ ଆଗରେ ଜଣେ ଯୁବତୀଙ୍କୁ ମାଡ ମରାଯାଇଥିଲା । ତେବେ ପରିସ୍ଥିତିକୁ ସାନ୍ତ କରିବା ଉଦେଶ୍ୟରେ ପୋଲିସ ମଧ୍ୟ ହାତ ଉଠାଇଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଏଥିପାଇଁ ପୋଲିସକୁ ହଟହଟା ହେବାକୁ ପଡ଼ିଛି । ଏହି ଘଟଣା ନେଇ ଏସପିଙ୍କ ପାଖରେ ଅଭିଯୋଗ କରିଛନ୍ତି ଉକ୍ତ ମହିଳାଙ୍କ ପରିବାର । ସେପଟେ ଘଟଣା ନେଇ ସ୍ଥାନୀୟ ଔପଦା ଥାନା ଆଇଆଇସିଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ । ସୂଚନାଯୋଗ୍ୟ, ଔପଦା ଥାନା ଅନ୍ତର୍ଗତ ପରମାନନ୍ଦ ପୁର ଗ୍ରାମର ମୁକୁନ୍ଦ ନାୟକ ଓ ଉପେନ୍ଦ୍ର ନାୟକଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡ଼ି ବିବାଦ ଲାଗିରହିଛି ।
ଡେରାସ୍ରେ ଖୁବ୍ଶୀଘ୍ର ବୋଟିଂ ବ୍ୟବସ୍ଥା, ଜଙ୍ଗଲୀ କଟେଜ୍ ସହ ଜଙ୍ଗଲ ସଫାରୀ ସୁବିଧା
ଭୁବନେଶ୍ୱର: ଶୀତ ଆସିଲେ ଲୋକେ ବୁଲିବାକୁ ପସନ୍ଦ କରିଥାନ୍ତି । ବିଭିନ୍ନ ପର୍ଯ୍ୟଟନ ସ୍ଥଳିକୁ ଛୁଟିଥାଏ ପର୍ଯ୍ୟଟକଙ୍କ ସୁଅ । ହେଲେ ଏଥର କୋଭିଡ୍ କଟକଣା ଯୋଗୁଁ ପର୍ଯ୍ୟଟନସ୍ଥଳି ଗୁଡ଼କ କିଛି ମାତ୍ରାରେ ଫିକା ପଡ଼ିଯାଇଛି । ପର୍ଯ୍ୟଟକଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ରହିଛି । ଦୂରଦୂରାନ୍ତରେ ଥିବା ପର୍ଯ୍ୟଟନସ୍ଥଳିକୁ ନଯାଇ ଆଖପାଖରେ ଥିବା ଅଞ୍ଚଳରେ ବୁଲିବା ପାଇଁ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି ।

ଖାସ୍ ଏଥିପାଇଁ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଡମପଡ଼ାରେ ଥିବା ଡେରାସ୍ ଡ୍ୟାମ୍ ପ୍ରତି ପ୍ରଶାସନର ନଜର ପଡ଼ିଛି । ଡେରାସ୍ ଡ୍ୟାମ୍କୁ ବୁଲିବାକୁ ଭୁବନେଶ୍ୱରବାସୀ ଆଗ୍ରହ ପ୍ରକାଶ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଚେଷ୍ଟା କରାଯାଇଛି । ଭୁବନେଶ୍ୱରବାସୀଙ୍କ ପାଇଁ ମାତ୍ର ୨୦ କିଲୋମିଟର ଦୂରରେ ଏହି ଡ୍ୟାମ । ତେଣୁ ଆଗକୁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶା ରହିଛି । ଆଉ ଏହି ପର୍ଯ୍ୟଟକଙ୍କୁ ପ୍ରଶାସନ ପକ୍ଷରୁ ଏବେ ବୋଟିଂ ବ୍ୟବସ୍ଥା କରାଯାଉଛି । ଆସନ୍ତା ଡିସେମ୍ବରରୁ ଏଠାରେ ଆରମ୍ଭ ବୋଟିଂ ଆରମ୍ଭ ହେବ ।

ଡମପଡା ଅଭୟାରଣ୍ୟ ମଧ୍ୟରେ ରହିଛି ଡେରାସ ଡ୍ୟାମ୍ । ଗଭୀର ଜଳଭଣ୍ଡାର ଚାରିପଟେ ଜଙ୍ଗଲ ଭରା ପାହାଡ ସହ ପ୍ରାକୃତିକ ମନୋରମ ଦୃଶ୍ୟ । ଖାଲି ସେତିକି ନୁହେଁ ଚନ୍ଦକା ଜଙ୍ଗଲର ପ୍ରାକୃତିକ ପରିବେଶ ସହ ବାଉଁଶ ଘର, କାଠ ଘର, ଜଙ୍ଗଲୀ କଟେଜ ଓ ଜଙ୍ଗଲ ସଫାରୀ ସହ ରାତ୍ରିଯାପନର ସୁବିଧା ମଧ୍ୟ ରହିଛି । ସେପଟେ ବୋଟିଂ ବ୍ୟବସ୍ଥା ହେଲେ ପର୍ଯ୍ୟଟକମାନେ ବୋଟିଂ କରି ପ୍ରାକୃତିକ ମନୋରମ ଦୃଶ୍ୟ ଉପଭୋଗ କରିବାର ସୁଯୋଗ ପାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ୧୦ ସିଟ୍ ବିଶିଷ୍ଟ ବୋଟରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଯୋଜନା ରହିଛି ।

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ ବାସଭବନରେ ଆଜି ସକାଳୁ କଟକ ଓ ଅନୁଗୁଳ ଭିଜିଲାନ୍ସ ବିଭାଗ ମିଳିତ ଚଢ଼ାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ତେବେ ଏବେ ମଧ୍ୟ ଚଢ଼ାଉ ଜାରି ରହିଥିବା ଯୋଗୁଁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି ଭିଜିଲାନ୍ସ ବିଭାଗ । ଚଢ଼ାଉ ବେଳେ ଯନ୍ତ୍ରୀଙ୍କ ଘରୁ ନଗଦ ୮୧ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ।

ବସନ୍ତଙ୍କ ଜଗତସିଂହପୁର ସିଠାଳ ଗ୍ରାମରେ ଥିବା ପୈତୃକ ଘର, ଶ୍ୱଶୂର ଘର ଓ ସ୍ତ୍ରୀଙ୍କ ନାଁରେ ଥିବା ୪ ମହଲା ଘର ଏବଂ ବଇଣ୍ଡାର ସରକାରୀ ଘର ଓ ଅଫିସରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ବସନ୍ତଙ୍କ ଠାରୁ ନଗଦ ୮୧ ହଜାର ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି । ଏହାସହ ପ୍ରାୟ ୫୦୦ ଗ୍ରାମ୍ର ସୁନା, ରୁପା, ବ୍ୟାଙ୍କ ପାସ୍ ବୁକ୍, ଫିକ୍ସ ଡିପୋଜିଟ୍ ବଣ୍ଡ, ଏଲ୍ଆଇସି ବଣ୍ଡ, ଜମିପଟ୍ଟା କରାଯାଇଛି । ଅନ୍ୟପଟେ କଟକ ଓ କେନ୍ଦ୍ରାପଡାରେ ଭିଜିଲାନ୍ସ ଟିମ୍ ଚଢାଉ ଜାରିରଖିଛି ।




