spot_img
Home Blog Page 6523

କରୋନା ପାଇଁ ଏବେ ଅଦରକାରୀ ବାଉଁଶରେ ତିଆରି ସୁନ୍ଦର ସୁନ୍ଦର ଘର ସଜ୍ଜା ସାମଗ୍ରୀ

ବାଲେଶ୍ୱର: କରୋନା ଉଜାଡ଼ି ଦେଇଛି ଅନେକଙ୍କ ଜୀବନ ଜୀବିକା । ୬ ମାସ ଧରି କଟକଣା ଲାଗିବା ଫଳରେ ବହୁ କାରିଗର ହାତ ବାନ୍ଧି ବସି ରହିଛନ୍ତି । ବିକ୍ରିବଟା ନଥିବାରୁ କର୍ମଚାରୀଙ୍କୁ ଦରମା ଦେବା ତ ଦୂରର କଥା ନିଜର ଚଳିବା ବି କଷ୍ଟକର ହୋଇ ପଡିଛି । ବାଉଁଶରେ ସୁନ୍ଦର ସୁନ୍ଦର ଅଳଙ୍କାର । ଗଦା ହୋଇ ରହିଛି ଘର ସଜ୍ଜା ସାମଗ୍ରୀ । ହେଲେ ସବୁ ଗୁଡାକ ଯେପରି ଅଦରକାରୀ । କାରିଗରର ଏହିସବୁ ସୁନ୍ଦର କାରିଗରୀ ଏବେ ଅଲୋଡା ।

କରୋନା କଟକଣା ଯୋଗୁଁ ବିକ୍ରିବଟା ବନ୍ଦ । ଯିଏ ବହିଣା ଦେଇଥିଲେ ସେମାନେ ବି ଫେରାଇ ନେଉଛନ୍ତି । ତେଣୁ ଅଖା ଭିତରେ ବନ୍ଧା ହୋଇ ରହିଛି ସବୁ କଳାକୃତି । ଏବେ ହାତ ବାନ୍ଧି ବସିଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକର ଜାମୁଝାଡି ଗାଁର ବାଉଁସ କଳାକୃତି ପ୍ରଶିକ୍ଷକ ସରୋଜିନୀ ଦାସ । କର୍ମଚାରୀ ଓ ଶ୍ରମିକଙ୍କୁ ଦରମା ଦେବା ତ ଦୂରର କଥା ନିଜେ ଚଳିବା କଷ୍ଟକର ଥିବାରୁ ବୃତ୍ତି ବଦଳାଇବାକୁ ଚିନ୍ତା କରୁଥିବା କହିଛନ୍ତି ।

ତ୍ରିପୁରାରେ ଶିକ୍ଷା ନେବା ପରେ ନିଜ ଉଦ୍ୟମରେ ବାଉଁଶ କାରିଗରୀ ଆରମ୍ଭ କରିଥିଲେ ସରୋଜିନୀ । ଜିଲ୍ଲା ତଥା ଜିଲ୍ଲା ବାହାର ଅନେକ ତାଙ୍କ ନିକଟରୁ ପ୍ରଶିକ୍ଷଣ ବି ନେଇଛନ୍ତି । ଅନେକଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି । ଏଥିପାଇଁ ଅନେକ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛନ୍ତି ସରୋଜିନୀ । ହେଲେ କରୋନା ଯୋଗୁଁ ମେଳା, ମହୋତ୍ସବ ବନ୍ଦ ରହିଥିବାରୁ ବିକ୍ରିବଟା ନାହିଁ ।

ଉତ୍କଳିକା ମାଧ୍ୟମରେ ରାଜ୍ୟ ସରକାର ସାମଗ୍ରୀ କ୍ରୟ କଲେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି । ରୋଜଗାର ହରାଇବା ପରେ କର୍ମଚାରୀଙ୍କୁ ଦରମା ଦେବାକୁ ମୁର୍ତ୍ତୀ କାରିଗରଙ୍କ ନିକଟରୁ ମୁର୍ତ୍ତୀ ଆଣି ପଲିସ କରି କଛି ରୋଜଗାର କରିବାକ ଚେଷ୍ଟା କରିଛନ୍ତି ସରୋଜିନୀ ।

ତାଜମହଲ ପରିସରରେ ଉଡ଼ିଲା ଗେରୁଆ ପତାକା, ହେଲା ଶିବ ଚାଳିଶା ପାଠ

ଆଗ୍ରା: ବିଜୟା ଦଶମୀ ଅବସରରେ ଆଗ୍ରା ତାଜମହଲ ପରିସରରେ ଗେରୁଆ ପତାକା ଉଡ଼ାଇବା ଭିଡିଓ ଭାଇରାଲ୍ ହେଉଛି । ହିନ୍ଦୁବାଦୀ ସଂଗଠନର ଜଣେ କାର୍ଯ୍ୟକର୍ତ୍ତା ତାଜମହଲ ମଧ୍ୟ ପଶି ଗେରୁଆ ପତାକା ଉଡ଼ାଇବା ସହ ଶିବ ଚାଳିଶା ପାଠ କରିଛନ୍ତି । ତେବେ, ଭାଇରାଲ୍ ଭିଡିଓର ସତ୍ୟତା ଜଣାପଡ଼ିନାହିଁ । କିନ୍ତୁ, ଯେଉଁ ପ୍ରକାରେ ପତାକା ଉଡ଼ାଯାଇଛି ତାକୁ ନେଇ ତାଜମହଲ କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନ ଉଠିଛି ।

Agra Hindu Leader Chanting Shiva Chalisa Inside Taj Mahal With Saffron Flag

ଗେରୁଆ ପତାକା ସହ ଶିବ ଆରାଧନା କରୁଥିବା ଏହି ବ୍ୟକ୍ତି ଜଣଙ୍କ ଆଗ୍ରା ହିନ୍ଦୁ ଜାଗରଣ ମଞ୍ଚର ଯୁବ ଜିଲ୍ଲା ଅଧ୍ୟକ୍ଷ । ସୂଚନା ଅନୁସାରେ ହିନ୍ଦୁ ଜାଗରଣ ମଞ୍ଚର ଯୁବ ଜିଲ୍ଲା ଅଧ୍ୟକ୍ଷ ଗୌରବ ଠାକୁରଙ୍କ ଦ୍ୱାରା ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୫ ଥର ତାଜମହଲ ପରିସରରେ ଶିବ ଆରାଧନା ସହ ପତାକା ଉଡ଼ାଯାଇଛି ।

Agra Hindu Leader Chanting Shiva Chalisa Inside Taj Mahal With Saffron Flag

ଗୌରବ ଠାକୁରଙ୍କ ଦାବି ହେଉଛି- ବିଶ୍ୱର ଆଶ୍ଚର୍ଯ୍ୟ ତାଜମହଲ ଏକ ମକବରା (ସମାଧି) ନୁହେଁ, ବରଂ ଏହା ଆରାଧ୍ୟ ଭଗବାନ ଶିବଙ୍କ ପ୍ରାଚୀନ ମନ୍ଦିର ଅଟେ । ତାଙ୍କ କହିବା ଅନୁଯାୟୀ, ସେ ପୂର୍ବରୁ ଶିବଙ୍କ ଆରାଧନା କରିଛନ୍ତି ଏବଂ ଆଗକୁ ମଧ୍ୟ କରିବେ ।

ଗୌରବ ଦାବି କରନ୍ତି- କୁହାଯାଉଥିବା ତାଜମହଲ ପ୍ରକୃତରେ ‘ତେଜୋମହଲ’ ଅଟେ । ଏହି ସତ ଲୋକଙ୍କ ସାମନାକୁ ଆସିବା ଉଚିତ୍ । ତାଙ୍କ ଦାବି ଅନୁସାରେ ଶାହଜହାଁଙ୍କ ଦ୍ୱାରା ତିଆରି ହୋଇଥିବା ତାଜମହଲ କୌଣସି ପ୍ରେମର ପ୍ରତୀକ ନୁହେଁ ବରଂ ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ।

Agra Hindu Leader Chanting Shiva Chalisa Inside Taj Mahal With Saffron Flag

ଏବେ ଏହି ଭିଡିଓ ଭାଇରାଲ୍ ହେବା ପରେ ତାଜମହଲର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ବାରମ୍ବାର ଏଭଳି ଘଟଣା ତାଜମହଲ ପରିସରରେ ଘଟୁଥିବା ବେଳେ ସୁରକ୍ଷା ଏଜେନ୍ସି ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ନିର୍ବାଚନ ସମୟରେ ହିସାବ ଗଣିତକୁ ନେଇ ମୁହାଁମୁହିଁ କଂଗ୍ରେସ ଓ ବିଜେପି

ଭୁବନେଶ୍ୱର: କେନ୍ଦ୍ର ସରକାର ଓଡିଶା ଠାରୁ କେତେ ନେଉଛନ୍ତି ଓ କେତେ ଦେଉଛନ୍ତି । କେତେ ଟଙ୍କା ଦେଇଛନ୍ତି ଓ କେତେ ଟଙ୍କା ଓଡ଼ିଶା ହରାଇଛି । ତାହାକୁ ନେଇ ପୁଣି ଆରମ୍ଭ ହୋଇଛି ରାଜନୀତି ଗଣିତ । ଉପ ନିର୍ବାଚନ ସମୟରେ ଏହି ହିସାବ ଗଣିତକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି । ଏହାର ସତ ପଦାକୁ ଆସିବାକୁ ହେଲେ ଏକ ଖୋଲା ବିତର୍କକୁ ବିଜେପି ଆସୁ ବୋଲି କଂଗ୍ରେସ କହିଛି । ସେପଟେ କଂଗ୍ରେସ ଅଭିଯୋଗ କରିଛି ମୋଦି ସରକାର କମ ଦେଇ ଅଧିକ ପ୍ରଚାର କରୁଛି ।

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁଗୋ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ହିସାବ ଦେଇ ଟାର୍ଗେଟ କରିଛନ୍ତି । ତାଙ୍କର ଯୁକ୍ତି ହେଉଛି ୫ ବର୍ଷ ହେବ କୋଇଲା ରୟାଲିଟି ସଂଶୋଧନ କେନ୍ଦ୍ର ସରକାର କରିନଥିବାରୁ ରାଜ୍ୟ ୭ ହଜାର କୋଟିରୁ ଅଧିକ ହରାଇଲା । କୋଇଲା ସେସ ବାବଦକୁ ୧୮ହଜାର କୋଟି ନେଇ ଓଡିଶାକୁ କେତେ ମିଳିଛି, ଚତୃଦଶ ଅର୍ଥ କମିଶନ ୪୨ପ୍ରତିଶତ ବଦଳରେ ୪୧ପ୍ରତିଶତ ଦେବା, ଜିଏସ୍‌ଟି ବାକି ନଦେବା ଆଦି ପ୍ରସଙ୍ଗ କରି ବିଜେପିକୁ ଘେରିଛି ଦଳ । ଅନ୍ୟପଟେ କଂଗ୍ରେସ ଅଭିଯୋଗର କଡା ଜବାବ ଦେଇଛି ବିଜେପି । ଦଳ କହିଛି କେନ୍ଦ୍ର ସରକାର ମାଗିବା ପୂର୍ବରୁ ଓଡିଶାକୁ ଟଙ୍କା ପଠାଉଛି ।

ସେପଟେ କେନ୍ଦ୍ର ସରକାର ଓଡିଶାରୁ କେତେ ଦେଉଛନ୍ତି ତାହାର ହିସାବ ହେବା ସହ କେତେ ପାଉଛନ୍ତି ତାହାର ହିସାବ ହେବା ଆବଶ୍ୟକ ବୋଲି ବିଜେଡି କହିଛି । ଓଡିଶାକୁ ଅନେକ ସମୟରେ ତାହାର ହକରୁ ବଞ୍ଚିତ କରାଯାଉଥିବା ଦଳ କହିଛି । ନିର୍ବାଚନ ସମୟ ଆସିଲେ କେନ୍ଦ୍ର ଟଙ୍କାର ହିସାବ ରାଜନୀତିର ପୁରୁଣା ଟେପ ବାଜେ । ଯାହା ବାଲେଶ୍ୱର ଓ ତିର୍ତୋଲ ଉପ ନିର୍ବାଚନରୁ ଆରମ୍ଭ ହୋଇ ଏଵେ ରାଜଧାନୀରେ ପହଞ୍ଚିଛି ।

ବାଇ-ଇଲେକ୍‌ସନ ରାଜନୀତିରେ ଧସେଇ ପଶିଛି କରୋନା ଟିକା ରାଜନୀତି…

ଭୁବନେଶ୍ୱର: ଉପନିର୍ବାଚନ ରାଜନୀତିରେ କରୋନା ଟିକା । ବିହାର ପରେ ଓଡ଼ିଶାରେ ତାତି । ଭୋଟ୍‌ ପାଇଁ ବାଜିରେ ଲାଗିଲା ମାଗଣା ଟିକା । ମୁହାଁମୁହିଁ ହେଲେ ବିଜେଡି-ବିଜେପି-କଂଗ୍ରେସ । କରୋନା ଟିକା କେବେ ଆସିବ, କେବେ ଲୋକଙ୍କୁ ମିଳିବ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ଉପନିର୍ବାଚନରେ କିନ୍ତୁ ଟିକାକୁ ନେଇ ରାଜନୀତି ଜମିଛି । ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ ନିର୍ବାଚନୀ ଇସ୍ତାହାରରେ ମାଗଣାରେ କରୋନା ଟିକା ଦେବ ବୋଲି କହିବା ପରେ ଓଡ଼ିଶାରେ ଉଭୟ କଂଗ୍ରେସ ଓ ବିଜେଡି ଏହାକୁ ନେଇ ପ୍ରଶ୍ନ କରିଥିଲେ ।

ସେପଟେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ଓଡ଼ିଶାରେ କେବେ ମାଗଣାରେ ଟିକା ମିଳିବ ବୋଲି ପ୍ରଶ୍ନ କରିଥିଲେ ଓ ଏହାର ଉତ୍ତର କେନ୍ଦ୍ରମନ୍ତ୍ରୀ ଦେବେ କି ବୋଲି କହିଥିଲେ । ଏନେଇ ରାଜନୀତି ଜୋର ଧରିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଭାରତରେ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ । ଓଡ଼ିଶା ବି ପାଇବ । ପ୍ରତାପ ଷଡ଼ଙ୍ଗୀଙ୍କ ଏହି ବୟାନ ପୁଣି କରୋନା ଟିକା ରାଜନୀତିକୁ ସରଗରମ କରିଛି ।

ତେବେ ଏଯାଏଁ କରୋନା ଟିକା ଆସିନଥିବା ବେଳେ କେନ୍ଦ୍ରମନ୍ତ୍ରୀ କିପରି ଓ କେଉଁ ଟିକା ବାଣ୍ଟିବେ ବୋଲି ବିଜେଡି ପ୍ରଶ୍ନ କରିଛି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଏହା କେନ୍ଦ୍ରମନ୍ତ୍ରୀଙ୍କ ଏକ ଧୂଆଁବାଣ । ଉପ- ନିର୍ବାଚନକୁ ଆଖିରେ ରଖି ଏପରି କହିଛନ୍ତି । କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛି ।

ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ଟିକାକୁ ନେଇ ବୟାନ ବାଜି ସେତେ ଜୋର ଧରୁଛି । ତେବେ ନେତାଙ୍କ ଟିକା ବୟାନ ଲୋକଙ୍କୁ କେତେ ପ୍ରଭାବିତ କରୁଛି ତାହା ଦେଖିବାର କଥା ।

ଲକଡାଉନରେ ଭରିଛନ୍ତି କି EMI ? ଆପଣଙ୍କ ଖାତାକୁ ଫେରିବ ଟଙ୍କା…

ନୂଆଦିଲ୍ଲୀ: ଆପଣ ଲକଡାଉନରେ ଲୋନ୍ ମୋରେଟୋରିୟମ୍ ସୁବିଧା ନେଇନାହାଁନ୍ତି ଏବଂ ସମସ୍ତ କିସ୍ତି ଦେଇଛନ୍ତି । ତାହାଲେ ଦୀପାବଳି ପୂର୍ବରୁ ଆପଣଙ୍କ ଖାତାକୁ ସରକାର ଟଙ୍କା ପଠାଇବେ । ଲକଡାଉନ ସମୟରେ ନିର୍ଦ୍ଧାରିତ ସମୟ ସୀମାରେ କିସ୍ତି ଭରିଥିବା ଲୋକଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଫର ମିଳିବ । କେନ୍ଦ୍ର ସରକାର ଲୋନ୍ ମୋରାଟୋରିୟମ୍ ସୁଧ ଉପରେ ସୁଧକୁ ନେଇ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ମୋଦି ସରକାରଙ୍କ ଘୋଷଣା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର । ଯେଉଁମାନେ ସମୟରେ EMI ଭରିଛନ୍ତି, ସେମାନଙ୍କୁ ସୁଧ ଉପରେ ସୁଧ ହିସାବରେ ଅର୍ଥ ଫେରସ୍ତ କରାଯିବ । ଆଉ ଯେଉଁମାନେ ସମୟରେ ମାସିକ କିସ୍ତି ଭରି ନାହାଁନ୍ତି ସେମାନଙ୍କ ସୁଧ ସରକାର ଭରଣା କରିବେ ।

If You Paid EMI On Time During The Lockdown Then Government Will Give You Cashback Facility

କାହାକୁ ମିଳିବ କ୍ୟାଶବ୍ୟାକ ?

ସରକାରଙ୍କ ଅନୁସାରେ ଲୋନ୍ ନେଇଥିବା ଯେଉଁ ଗ୍ରାହକ ମୋରେଟୋରିୟମ୍ ବ୍ୟବସ୍ଥାର ଲାଭ ନେଇନାହାଁନ୍ତି ଏବଂ ସମୟରେ ମାସିକ କିସ୍ତି ଦେଇଛନ୍ତି । ସେମାନଙ୍କୁ କ୍ୟାଶବ୍ୟାକ ମିଳିବ । ଏହି ଯୋଜନା ପ୍ରକାରେ ଋଣ ନେଇଥିବା ଲୋକଙ୍କୁ ୬ ମାସର ସାଧାରଣ ଓ କମ୍ପାଉଣ୍ଡ ଇଣ୍ଟ୍ରେଷ୍ଟ ମଧ୍ୟରେ ବ୍ୟବଧ୍ୟାନରେ ଲାଭ ମିଳିବ ।

ଜାଭେଦକରଙ୍କ ଟ୍ୱିଟ୍

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଯେଉଁମାନେ ସମୟରେ EMI ଦେଇଛନ୍ତି । ସେମାନଙ୍କୁ ସୁଧର ସୁଧ ହିସାବରେ କ୍ୟାଶବ୍ୟାକ ମିଳିବ । ଏହାବାଦ୍ ଯେଉଁମାନେ ସମୟରେ ମାସିକ କିସ୍ତି ଦେଇନାହାଁନ୍ତି ସେମାନଙ୍କ ସୁଧ ଉପରେ ସୁଧ ସରକାର ଦେବେ ।

ସମସ୍ତ ପ୍ରକାର ଋଣକାରୀଙ୍କୁ ମିଳିବ ଲାଭ

ଏହି ଯୋଜନା ପ୍ରକାରେ ଗୃହଋଣ, ଶିକ୍ଷା ଋଣ, କ୍ରେଡିଟ୍ କାର୍ଡ ବାକି, ଗାଡ଼ି ଋଣ, MSME ଋଣ, ଘରଉପକରଣ ଋଣକାରୀ ଲାଭ ପାଇବେ ।

୬ ମାସର ଲୋନ୍ ମୋରେଟୋରିୟମ୍

କରୋନା ମହାମାରୀ ସମୟରେ ଆରବିଆଇ ଗ୍ରାହକଙ୍କୁ ୬ ମାସ ପାଇଁ ଲୋନ୍ ମୋରେଟୋରିୟମ୍ ସୁବିଧା ଦେଇଥିଲା । ମହାମାରୀ ସମୟରେ ମାସିକ କିସ୍ତି ଦେବାରେ ଅସମର୍ଥ ଥିହା ଲୋକ ଲୋନ୍ ମୋରେଟୋରିୟମ୍ ସୁବିଧା ନେଇଥିଲେ ।

If You Paid EMI On Time During The Lockdown Then Government Will Give You Cashback Facility

ଅଗଷ୍ଟ ଯାଏଁ ଲାଭ

ମାର୍ଚ୍ଚ ୧ରୁ ନେଇ ଅଗଷ୍ଟ ୩୧ ତାରିଖ ଯାଏଁ ଗ୍ରାହକଙ୍କୁ ଲୋନ୍ ମୋରେଟୋରିୟମ୍ ସୁବିଧା ଦିଆଯାଇଥିଲା । ଏହାଦ୍ୱାରା ମୋରେଟୋରିୟମ୍ ପିରିୟଡରେ ସୁଧ ଉପରେ ସୁଧକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସରକାର କହିଥିଲେ ଋଣକାରୀଙ୍କୁ ସୁଧ ଉପରେ ସୁଧ ଦେବା ଆବଶ୍ୟକ ନାହିଁ । ଏହାଦ୍ୱାରା ରାଜକୋଷ ଉପରେ ପ୍ରାୟ ୭୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ।

ସୁଧ ଉପରେ ସୁଧରୁ ମୁକ୍ତି

୨ କୋଟି ଟଙ୍କା ଯାଏଁ ଋଣ ନେଇଥିବା ଗ୍ରାହକଙ୍କୁ ସରକାର ଲୋନ୍ ମୋରେଟୋରିୟମର ସୁବିଧା ଦେଇଥିଲେ । ସରକାରଙ୍କ ଅନୁସାରେ ୬ ମାସର ଲୋନ୍ ମୋରେଟୋରିୟମ୍ ସମୟରେ ୨ କୋଟି ଟଙ୍କା ଯାଏଁ ଋଣ ନେଇଥିବା ଗ୍ରାହକଙ୍କୁ ସୁଧ ଉପରେ ସୁଧ ଦେବାକୁ ପଡ଼ିବ ନାହିଁ ।

ଏବେ ଆସିଛି ମା’ଙ୍କୁ ମେଲାଣି ଦେବା ସମୟ, କରୋନା କଟକଣା ମଧ୍ୟରେ ହେବ ଭଷାଣ

କଟକ: ଧରାପୃଷ୍ଠରେ ମା’ଙ୍କ ଆଗମନ ପରେ ଏବେ ଆସିଛି ମା’ ଙ୍କୁ ମେଲାଣି ଦେବା ସମୟ । ବିନା ଯାକଜମକରେ ଆସିଲେ ମା’, ଆଉ ଏବେ ମେଲାଣି ମଧ୍ୟ ବିନା ଯାକଜମକରେ ହିଁ ହେବ । କରୋନା କଟକଣାରେ ଆୟୋଜିତ ହେବ ଭଷାଣ କାର୍ଯ୍ୟକ୍ରମ । ପୂଜା ସରିଲା ପରେ ଏବେ ମେଲାଣି ନେବାର ବେଳ । ମଣ୍ଡପରେ ବିଧି ଅନୁଯାୟୀ ମାଆଙ୍କ ଦଶମୀ ପୂଜା ରୀତିନୀତି ଅନୁଯାୟୀ କରାଯାଇଥିଲା । ଏଥର ପୂଜା ପରି ଭସାଣ ପାଇଁ ମଧ୍ୟ କଟକଣା ଲଗାଇଛି ପ୍ରଶାସନ । କଟକରେ ପ୍ରଥମେ ବେଙ୍ଗଲୀ ମେଢ ଗୁଡ଼ିକ ବିଜୟା ଦଶମୀରେ ବିସର୍ଜିତ ହେବାର ପରମ୍ପରା ରହିଥିବାରୁ ଦଶମୀ ରାତିରେ ଏହି ସବୁ ମୂର୍ତ୍ତୀ ସହରର ୧୪ ଟି କୃତ୍ରିମ ପୁଷ୍କରଣୀରେ ବିସର୍ଜିତ ହେବେ।

କାଲି ସକାଳୁ ପୂଜା ମଣ୍ଡପରୁ ବାହାରିବେ ସମସ୍ତ ମେଢ । ପ୍ରଶାସନ ଧାର୍ଯ୍ୟ କରିଥିବା ନିୟମ ଓ ପୋଲିସ ସହାୟତାରେ ନିଜ ନିଜ ଅଞ୍ଚଳରେ ବିସର୍ଜିତ ହେବେ ସମସ୍ତ ମୂର୍ତ୍ତି । ଏଥର ଭସାଣ ପାଇଁ କଟକ ସହରରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ହେବେ । ପୂଜା ମଣ୍ଡପଗୁଡ଼ିକ ମଧ୍ୟ କୋଭିଡ୍ ପାଇଁ ନିୟମ ମାନି ଭସାଣ କରିବାକୁ ସମ୍ମତି ଦେଇଛନ୍ତି । ପୂଜା ପରି ମାଆଙ୍କ ଭସାଣ ବିଧି ଅନୁଯାୟୀ ଶେଷ ହେବ ବୋଲି ଆଶା । ପୁଣି ଅପେକ୍ଷା ଆର ବର୍ଷକୁ

ମେହବୁବା ମୁଫତିଙ୍କ ବିବାଦୀୟ ବୟାନ ପରେ ବିଜେପିର ତୀବ୍ର ବିରୋଧ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଜାତୀୟ ପତାକାକୁ ନେଇ ଦେଇଥିବା ବିବାଦୀୟ ବୟାନ ପରେ ଜୋରଦାର ହଙ୍ଗାମା ଆରମ୍ଭ ହୋଇଛି । ଆଜି ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତା ଶ୍ରୀନଗରରେ ବିରୋଧ ପ୍ରଦର୍ଶନ କରିଛନ୍ତି । ବିଜେପି ନେତାମାନେ ଲାଲଚୌକରେ ଜାତୀୟ ପତାକା ଉଡାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେଠାରେ ପୋଲିସ ପହଞ୍ଚି ସେମାନଙ୍କୁ ଅଟକାଇଥିବା ବେଳେ କିଛି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି । ଏଥିସହ ପିଡିପି କାର୍ଯ୍ୟାଳୟ ଆଗରେ ଜାତୀୟ ପତାକା ଉଡାଇବା ସହ ଭାରତ ମାତା କି ଜୟ ନାରା ଦିଆଯାଇଥିଲା ।

ନିକଟରେ ମେହବୁବା ମୁଫତି ନଜରବନ୍ଦୀରରୁ ବାହାରିବା ପରେ ଚଳଚଞ୍ଚଳ ହୋଇଛି କାଶ୍ମୀରରେ ରାଜନୀତି । ଦୁଇ ଦିନ ତଳେ ସେ କାଶ୍ମୀରର ପତାକା ନଫେରିଲେ ସେ ଜାତୀୟ ପତାକା ଧରିବେ ନାହିଁ ବୋଲି କହିଥିଲେ । କାଶ୍ମୀରର ସ୍ୱତନ୍ତ୍ର ପତାକା ତାଙ୍କ ପରିଚୟ ବୋଲି ମେହେବୁବା କହିଥିଲେ । କାଶ୍ମୀରରେ ଧାରା ୩୭୦ ନଫେରିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ମେହେବୁବା ମୁଫତି କହିଛନ୍ତି ।

Jammu Kashmir BJP Tiranga Yatra Mehbooba Mufti Statement BJP Workers Arrest

ନଜରବନ୍ଦୀରରୁ ମୁକୁଳିବା ପରେ ମେହବୁବା ମୁଫତି ନିଜ ବୟାନ ଦ୍ୱାରା ହଇଚଇ ସୃଷ୍ଟି କରିଛନ୍ତି । ତାଙ୍କ କହିବାନୁସାରେ ଜାମ୍ମୁ କାଶ୍ମୀର ବ୍ୟତୀତ ସେ ଅନ୍ୟ କୌଣସି ପତାକା ଧରିବେ ନାହିଁ । ମେହବୁବାଙ୍କ ଏହି ବିବୃତ୍ତିକୁ ବିଜେପି ଦେଶଦ୍ରୋହୀ ବୋଲି କହିଛି । ବିଜେପି କହିଛି ଯେ, ପୃଥିବୀର କୌଣସି ଶକ୍ତି ଧାରା ୩୭୦ ଫେରାଇ ଆଣିପାରିବ ନାହିଁ । ରାଜ୍ୟ ବିଜେପି ସଭାପତି ରବୀନ୍ଦ୍ର ରାଇନା ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଅନୁରୋଧ କରିଛନ୍ତି ଯେ, ଦେଶଦ୍ରୋହୀ ବୟାନ ପାଇଁ ମେହବୁବା ମୁଫତିଙ୍କୁ ଗିରଫ କରାଯାଉ ।

Coronavirus Update: ପୁଣି ଫେରୁଛି ଲକଡାଉନ୍-ସଟଡାଉନର ବେଳ, ୟୁରୋପର ପ୍ରାୟ ଦେଶରେ ସାନି କଟକଣା….

ନୂଆଦିଲ୍ଲୀ:  କରୋନା ସାଙ୍ଗରେ ନେଇ ଆସିଥିଲା, ଲକଡାଉନ୍ ଓ ସଟଡାଉନର କଟକଣା । ସାଧାରଣ ଜନଜୀବନକୁ ଅସ୍ତବସ୍ତ କରି ସାମାଜିକ ଦୂରତ୍ୱମାନିବାକୁ ବାଧ୍ୟ କରିଥିଲା । ଏବେ ମଧ୍ୟ କରୋନାର ପ୍ରାଦୂର୍ଭାବ ରହିଛି । ତେବେ ଅର୍ଥନୈତିକ କାରଣ କଟକଣା କୋହଳ କରିବା ପ୍ରାୟ ସବୁ ଦେଶକୁ ବାଧ୍ୟ କରିଛି । ତେଣୁ ପ୍ରାୟ ଅଧିକାଂଶ ଦେଶ କଟକଣାକୁ କୋହଳ କରିଛନ୍ତି । ଏଇ ଭିତରରେ ଏକ ଆଶଙ୍କା ମଧ୍ୟ କୁହୁଳୁଛି । କୋହଳ କରିବା ଦ୍ୱାରା ସଂକ୍ରମଣ ଆହୁରି ବଢି ମଧ୍ୟ ପାରେ । ଏଣୁ ଆବଶ୍ୟକୀୟ କଟକଣା ଉପରେ ଜୋର ଦେବା ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି- ସ୍ପେନ ଓ ଶ୍ରୀଲଙ୍କା ଭଳି ଦେଶ । ସଂକ୍ରମିତ କମୁଥିଲେ ମଧ୍ୟ କଟକଣାକୁ ଏକମଦ କୋହଳ କରିବା ଏକପ୍ରକାର ମୂର୍ଖାମୀ ବୋଲି ସ୍ପେନ ଓ ଶ୍ରୀଲଙ୍କା ମନେ କରୁଛନ୍ତି ।

ସ୍ପେନରେ କୋଭିଡ -୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାତିରେ କର୍ଫ୍ୟୁ ଲାଗୁ ହୋଇଛି ଏବଂ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଏ ସମ୍ପର୍କିତ ସୂଚନା ଦେଇଛନ୍ତି ।  ଦେଶରେ ରାତି ୧୧ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ସେହି ସମୟରେ ଲୋକମାନେ ଘରୁ ବାହାରିପାରିବେ ନାହିଁ । ଏହି ନିୟମ ଗତ କାଲି ରବିବାର ଠାରୁ ଲାଗୁ ହୋଇଛି । ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ବିଭିନ୍ନ ଅଞ୍ଚଳର ଗତିବିଧି ଉପରେ ମଧ୍ୟ ରୋକ୍ ଲଗାଇ ପାରିବ। ଚଳିତ ବର୍ଷ ଆରମ୍ଭରେ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ସ୍ପେନର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ଥିଲା  । ଏହାକୁ ଦୃଷ୍ଟିରେ ରଖି କଡ଼ାକଡ଼ି ଲକଡାଉନ୍ ଲାଗୁ କରାଯାଇଥିଲା, ଯାହା ଦୁନିଆର ସବୁଠାରୁ କଠୋର ଲକଡାଉନ୍ ଥିଲା । ଏବେ ମଧ୍ୟ ଲକଡାଉନ୍ ଉପରେ ଜୋର ଦିଆଯିବ । ସଂକ୍ରମଣ ନକମିବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।

ଅବଶ୍ୟ, ଅନ୍ୟ ୟୁରୋପୀୟ ଅଞ୍ଚଳ ଭଳି ସ୍ପେନ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ଶିକାର ହୋଇଛି। ଇଟାଲୀରେ ମଧ୍ୟ ରବିବାର ଠାରୁ ନୂଆ ପ୍ରତିବନ୍ଧକ ନିୟମ ଘୋଷଣା କରିଛି । ସରକାର କହିଛନ୍ତି ଯେ ସଂକ୍ରମଣ ମାମଲା ବୃଦ୍ଧି ହେତୁ ଦେଶର ସ୍ୱାସ୍ଥ୍ୟ ସେବା ଉପରେ ଅନେକ ଚାପ ରହିଛି। ଗତ କାଲି ଫ୍ରାନ୍ସରେ ୫୨,୦୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମହାମାରୀ ଆରମ୍ଭରୁ ସ୍ପେନରେ ସଂକ୍ରମଣ ମାମଲା ୧୦ ଲକ୍ଷ ପାର କରି ପ୍ରାୟ ୩୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଣୁ ଇଟାଲୀରେ କଟକଣା ଏକ ପ୍ରକାରର ବାଧ୍ୟତା । ଆଜିଠୁ ଇଟାଲୀରେ ସିନେମା ହଲ୍, ସୁଇମିଂ ପୁଲ, ଏବଂ ଜିମ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାର୍, ରେଷ୍ଟୁରାଣ୍ଟ ଏବଂ କାଫେ ଗୁଡିକ ସନ୍ଧ୍ୟା ୬ ଟା ସୁଦ୍ଧା ବନ୍ଦ କରିବାକୁ କୁହାଯାଇଛି । କିନ୍ତୁ ଦୋକାନ ଏବଂ ଅଧିକାଂଶ ବ୍ୟବସାୟ କାରବାର ଜାରି ରହିବ ।

ସେପଟେ ଶ୍ରୀଲଙ୍କାର ନିଜ ଅଧିକାଂଶ ମାର୍କେଟକୁ ବନ୍ଦ କରିଛି । ​​ ଅନେକ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି । ଯାତ୍ରୀବାହୀ ରେଳସେବାକୁ ସଙ୍କୁଚିତ କରାଯାଇଛି ସରକାର ୧୬ଟି ଟ୍ରେନ ସେବାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି । ଅନାବଶ୍ୟକ ସ୍ଥଳେ ଯାତ୍ରା ନକରିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ମିଳିଛି ।

ଗତ ବର୍ଷ ଡିସେମ୍ବର ମାସରେ ଚାଇନାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ସମଗ୍ର ବିଶ୍ୱକୁ ଲକ୍ କରିଦେଇଥିଲା । ପରେ ଆସ୍ତେ ଆସ୍ତେ ଲକଡାଉନ୍ ପ୍ରଯ୍ୟାୟକ୍ରମେ ଖୋଲିଥିଲା । ହେଲେ ଏବେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଭୟ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ବିଶ୍ୱର ଅନେକ ଦେଶରେ କରୋନା ସଂକ୍ରମଣର ସଂଖ୍ୟା ପୁଣି ବୃଦ୍ଧି ହେବାରେ ଲାଗିଛି । । ସେଥିପାଇଁ ଅନେକ ସ୍ଥାନରେ ସତର୍କତା ଅବଲମ୍ବନ କରିବା ଆରମ୍ଭ ହୋଇସାରିଛି । କିଛି ସପ୍ତାହ ପୂର୍ବରୁ ଯେଉଁ ନିୟମ ଗୁଡିକୁ କୋହଳ କରାଯାଇଥିଲା, ତାହା ପୁଣି ଥରେ କାର୍ଯ୍ୟକାରୀ କରାଯାଇଛି। ୟୁରୋପରେ ସଂକ୍ରମଣର ମାମଲା ବୃଦ୍ଧି ପାଇଛି, ସେଥିପାଇଁ ନୂତନ ପ୍ରତିବନ୍ଧକ ଜାରି କରାଯାଇଛି  । ଏହା ବ୍ୟତୀତ ଜର୍ମାନୀ, ପୋଲାଣ୍ଡ, ବେଲଜିୟମ୍ ରେ ମଧ୍ୟ ପୁଣି ଥରେ ଲକଡାଉନର ନୂତନ ଗାଇଡଲାଇନ୍ ଜାରି କରାଯାଇଛି ।

ଦାଦାବଟି ନେଇ ଗିରଫ ହେଲେ ରାଜଧାନୀର ୬ ନକଲି ସାମ୍ୱାଦିକ….

ଭୁବନେଶ୍ୱର: ରାଜଧାନୀରେ ଏକ ଘିଅ କମ୍ପାନୀଠାରୁ ବଟି ମାଗି ୬ ଜଣ ନକଲି ସାମ୍ୱାଦିକ ଗିରଫ ହୋଇଛନ୍ତି । କମ୍ପାନୀର ମାଲିକଙ୍କୁ ଧମକାଇ ଏକ ୱେବ ଚ୍ୟାନେଲର ୬ ଜଣ ସାମ୍ୱାଦିକ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ତେବେ ୧ ଲକ୍ଷ ୩୦ ହଜାର ଟଙ୍କା ଫୋନ୍ ପେ ମାଧ୍ୟମରେ ଓ ୩୪ ହଜାର ଟଙ୍କା ନଗଦ ଆକାରରେ ସାମ୍ୱାଦିକମାନେ କମ୍ପାନୀଠାରୁ ଆଣିଛନ୍ତି ।

ଖବର ପାଇ ସ୍ପେଶାଲ ସ୍କ୍ୱାର୍ଡ ଓ ତମାଣ୍ଡୋ ପୋଲିସ ୬ ଜଣ ସାମ୍ୱାଦିକଙ୍କୁ ଗିରଫ କରିଛି । ତେବେ କମ୍ପାନୀକୁ ଡରାଇ-ଧମକାଇ ସାମ୍ୱାଦିକମାନେ ବଟି ଆଦାୟ କରୁଥିଲେ । ବଟି ନଦେଲେ ତାଙ୍କ ବିରୁଦ୍ଧରେ ଖବର ପରିବେଷଣ କରିବା ପାଇଁ ଧମକ ଦେଇଥିଲେ । ତେଣୁ କମ୍ପାନୀ ମାଲିକ ବାଧ୍ୟ ହୋଇ ସଂପୃକ୍ତ ସାମ୍ୱାଦିକମାନଙ୍କୁ ବଟି ଭାବେ ୧ ଲକ୍ଷ ୬୪ ହଜାର ଟଙ୍କା ଦେଇଛି ।ଉଲ୍ଲେଖଯୋଗ୍ୟ, ଟ୍ୱିନ ସିଟିରେ ବଟି ପରମ୍ପରାକୁ ସମୂଳେ ନାଶ କରିବା ପାଇଁ କମଶିନରେଟ୍ ପୋଲିସ ନିଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବଟିକୁ ନାକୁ ଚାଲୁ ରଖିଛି ।

ଭୁବନେଶ୍ୱର ଓ କଟକରେ ଯେଉଁ ବି ସ୍ଥାନରେ ବଟି ଆଦାୟ ନେଇ ଖବର ମିଳୁଛି, କମିଶନରେଟ୍ ପୋଲିସ ଘଟଣାକୁ ପ୍ରାଥମିକତା ଦେଇ କାର୍ଯ୍ୟାନୁଷ୍ଠାନ ନେଉଛି । ପୋଲିସ ସ୍ଥିତିରେ ଉପରେ ସୂଚନା ଦେଇ ଜଣାଇଛି ଯେ, ଧରା ପଡିଥିବା ଅଭିଯୁକ୍ତମାନେ ରେଜିଷ୍ଟ୍ରେସନ ନକରି ସାଧାରଣ ଲୋକଙ୍କଠାରୁ ଦାଦାବଟି ଆଦାୟ କରୁଥିଲେ । ପୋଲିସ ଅଭିଯୁକ୍ତମାନଙ୍କଠାରୁ ମୋବାଇଲ ଫୋନ୍, ୨ଟି କାର୍, ନଗଦ ଟଙ୍କା ଓ ମିଛ ସାମ୍ୱାଦିକ ପରିଚୟ ପତ୍ର ଜବତ କରିଛି ।  ଏମାନଙ୍କ ବିରୋଧରେ ଡକାୟତି ମାମଲା ରୁଜ୍ଜୁ କରି ପୋଲିସ କୋର୍ଟ ଚାଲଣ କରିଛି । ତେବେ ଆହୁରି ଅନେକ ବ୍ୟକ୍ତି ଏହା ସହ ସଂଶ୍ଲିଷ୍ଟ ଥାଇ ପାରନ୍ତି ବୋଲି ପୋଲିସ ଆଶଙ୍କା କରୁଛି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିବ ବୋଲି ଜିସିପି ସ୍ପଷ୍ଟ କରିଛନ୍ତି ।

ଉଦ୍ଧବ ଠାକରେଙ୍କ ମନ୍ତବ୍ୟ ନେଇ ରାଗିଗଲେ କଙ୍ଗନା, କହିଲେ ଏମିତି କଥା…

ମୁମ୍ବାଇ: କଙ୍ଗନା ରାନାୱତ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ପୁଣିଥରେ ବିବାଦ ଆରମ୍ଭ ହୋଇଛି। ଏଥର ଡ୍ରଗ୍ସ ପ୍ରସଙ୍ଗ ଉପରେ ଉଭୟଙ୍କର ବୟାନବାଜି ଦେଖିବାକୁ ମିଳିଛି । ନିକଟରେ ମୁଖ୍ୟମନ୍ତ୍ରୀ ଠାକରେ ଦଶହରା ରାଲିରେ କଙ୍ଗନାଙ୍କୁ ଆକ୍ଷେପ କରି କହିଥିଲେ ଯେ, କିଛି ଲୋକେ ମୁମ୍ବାଇକୁ ଡ୍ରଗ୍ସର ହବ୍ କହି ଅସମ୍ମାନ କରିବାକୁ ଚେଷ୍ଟା କରୁଛନ୍ତି। ଏହା ବ୍ୟତୀତ କଙ୍ଗନାଙ୍କ ଜନ୍ମ ରାଜ୍ୟ ହିମାଚଳ ପ୍ରଦେଶକୁ ଇଙ୍ଗିତ କରି ଠାକରେ କହିଥିଲେ ଯେ, ଗଞ୍ଜେଇ ଚାଷ କେଉଁଠାରେ ସବୁଠାରୁ ଅଧିକ ହୁଏ ତାହା ଲୋକେ ବୋଧେ ଜାଣିନାହାନ୍ତି । ବାସ୍ତବରେ ଏହା କଙ୍ଗନାଙ୍କୁ ଏକ କଟାକ୍ଷ ଥିଲା । କଙ୍ଗନାଙ୍କ ରାଜ୍ୟ ହିମାଚଳପ୍ରଦେଶ ଏକ ପ୍ରମୁଖ ଗଞ୍ଜେଇ ଉତ୍ପାଦନ କରୁଥିବା ରାଜ୍ୟ । ତେଣୁ ତାଙ୍କୁ ଛିଗୁଲେଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ରଖିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କର ଏହି ମନ୍ତବ୍ୟକୁ ନେଇ କଙ୍ଗନା କଡ଼ା ଜବାବ ଦେଇଛନ୍ତି।କଙ୍ଗନା ଟ୍ୱିଟ୍ କରି କହିଛନ୍ତି- ‘ମୁଖ୍ୟମନ୍ତ୍ରୀ ଲଜ୍ଜା ଅନୁଭବ କରିବା କଥା । ସରକାର ହୋଇ, ନିଜେ ଏଭଳି ପ୍ରସଙ୍ଗରେ ମତପୋଷଣ କରିବା ଆଦୌ ଉଚିତ୍ ନୁହେଁ । ଏଭଳି କରି ସେ ନିଜ ମାନସମ୍ନାନକୁ ହରାଉଛନ୍ତି ।

ମୁଖ୍ୟମନ୍ତ୍ରୀ  ନିଜ ପଦମର୍ଯ୍ୟାଦାର ମୂଲ୍ୟବୋଧକୁ ଧ୍ୟାନରେ ରଖି ମନ୍ତବ୍ୟ ରଖିବା ଉଚିତ୍ । ଯେଉଁଭଳି ଭାବେ ଉଦ୍ଧବ ବ୍ୟବହାର କରୁଛନ୍ତି, ମନେ ହେଉଛି ଯେ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଯୋଗ୍ୟ ନୁହଁନ୍ତି । ଏହା ସହ ନିଜ ପୋଷ୍ଟରେ ସେ ଉଦ୍ଧବଙ୍କ ଉଦ୍ଦେଶ୍ୟରେ SHAME(ଲଜ୍ୟା) ଶବ୍ଦକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ହିମାଚଳ ପ୍ରଦେଶ ଭଳି ରାଜ୍ୟ ବିଷୟରେ ଏଭଳି ଛୋଟ ଏବଂ ଖରାପ ଧାରଣା ରଖିଥିବା ଲୋକ କେବଳ ଖରାପ ରାଜନୀତି ହିଁ କରିପାରିବେ। ହିମାଚଳ ପ୍ରଦେଶ ଭଗବାନ ଶିବ ଏବଂ ମାଆ ପାର୍ବତୀଙ୍କ ବାସସ୍ଥାନ । ସେଠାରେ ମାର୍କଣ୍ଡିୟ, ମନୁ ଋଷି ଏବଂ ପାଣ୍ଡବଙ୍କ ଭଳି ମହାନ ସାଧକମାନେ ଅନେକ ଦିନ ବିତାଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ହୀନ ମାନସିକତା ତାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ବାରି ହୋଇପଡୁଛି ।

ହିମାଚଳ ଭଳି ଦେବ ଭୂମିକୁ ଉଦ୍ଧବ ଅପମାନ କରିଛନ୍ତି । ସେଠାରେ ସର୍ବାଧିକ ସଂଖ୍ୟକ ମନ୍ଦିର ରହିଛି ଏବଂ ଶୂନ୍ୟ ଅପରାଧ ହାର ମଧ୍ୟ ରହିଛି । ସେଠାରେ ଥିବା ଜମି ଖୁବ ନିଆରା ଯେଉଁଠାରେ ସବୁ ପ୍ରକାର ଫଳ ଚାଷ କରାଯାଏ । କେବଳ ସେତିକି ନୁହେଁ କଙ୍ଗନା ଏହା ମଧ୍ୟ କହିଛନ୍ତି ଯେ, ଉଦ୍ଧବ ରାଜ୍ୟର ସରକାର । ମାଲିକ ଭଳି ବ୍ୟବହାର କରିବା ବନ୍ଦ କରନ୍ତୁ । ଦେଶକୁ ବିଭାଜନ କରିବାର ଅପପ୍ରଚେଷ୍ଟାରୁ ବିରତ ରୁହନ୍ତୁ ।

ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ପରଠୁ କଙ୍ଗନା ରାନାୱତ ଏବଂ ଠାକରେଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। କଙ୍ଗନା ଥରେ ନିଜ ବୟାନରେ ମୁମ୍ବାଇକୁ PoK ସହିତ ତୁଳନା କରିଥିଲେ । ସେବେଠାରୁ ସଞ୍ଜୟ ରାଉତଙ୍କ ସମେତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କଙ୍ଗନାଙ୍କୁ ଟାର୍ଗେଟ କରିଥିଲେ। ଏବଂ ସେମାନଙ୍କ ମଧ୍ୟରେ ଆଜି ଯାଏଁ ବିବାଦ ଜାରି ରହିଛି ।