spot_img
Home Blog Page 6522

ଆଳୁ ଦାମ କାହିଁକି ବଢୁଛି ? କାହା ନୀତି ଆଣିଛି ଏହି କୃତିମ ମୂଲ୍ୟ ବୃଦ୍ଧି…ଜାଣନ୍ତୁ..

ନୂଆଦିଲ୍ଲୀ: ସାରା ଦେଶରେ ଅହେତୁକ ଭାବେ ଆଳୁ ଦଳ ବଢିବାରେ ଲାଗିଛି । ଆଳୁ ଉତ୍ପାଦନ ଏବଂ ମହଜୁଦ୍ ପ୍ରଭାବିତ ହୋଇ ନ ଥିଲେ ମଧ୍ୟ ଦର ବୃଦ୍ଧି ପାଇଛି । ଯାହାକୁ ନେଇ ଖାଉଟି ଅସନ୍ତୋଷ ବୃଦ୍ଧି ପାଉଛି । ଏହି ଆଳୁଦର ବୃଦ୍ଧି ପାଇଁ ସିଧାସଳଖ ଭାବେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଉଛି ।

କୃଷି ସମୀକ୍ଷକଙ୍କ ମତାମତ ଅନୁଯାୟୀ, ଅସାଧୁ ବ୍ୟବସାୟୀଙ୍କ କବଳରୁ ଦେଶର ଚାଷୀ ଓ ଖାଉଟୀଙ୍କୁ ସୁରକ୍ଷା ଦେବାକୁ ୧୯୫୫ ମସିହାରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ରହିଥିଲା । ଏହି ଆଇନ ବଳରେ ରାଜ୍ୟ ସରକାରମାନେ ଏସବୁ ସାମଗ୍ରୀକୁ ବିପୁଳ ପରିମାଣରେ ଜମା ରଖୁଥିବା ଅଥବା ମନଇଚ୍ଛା ଦରରେ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ଥିଲା । କିନ୍ତୁ ନିକଟରେ କେନ୍ଦ୍ରସରକାର ଆଣିଥିବା ତିନୋଟି କୃଷି ଆଇନ ଅନ୍ତର୍ଗତ ଏହି ଆଇନରେ ଯେଉଁ ସଂଶୋଧନ କରିଛନ୍ତି ସେଥିରେ ଆଳୁ, ପିଆଜ, ଡାଲି, ଖାଇବା ତେଲ ପରି ସାମଗ୍ରୀଗୁଡିକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟେଇ ଦିଆଯାଇଛି । ଯାହା ଏକ ଜନତା ବିରୋଧୀ ପଦକ୍ଷେପ ।

Sundergarh District Administration Fixed Selling Price Of Onions & Potatoes

ଫଳରେ ଏସବୁ ସାମଗ୍ରୀକୁ ମନଇଚ୍ଛା ଜମା ରଖିବାକୁ ତଥା ମନଇଚ୍ଛା ଦରରେ ବିକ୍ରି କରିବାକୁ ଆଗରୁ ଥିବା ପ୍ରତିବନ୍ଧକ ହଟିଯାଇଛି। ନୂଆ ଆଇନ ଫଳରେ ବଡ ବ୍ୟବସାୟୀ କମ୍ପାନୀମାନେ ନିଜର ବିପୁଳ ପୁଞ୍ଜି ବଳରେ ଏସବୁ ସାମଗ୍ରୀକୁ ଚାଷୀ ମାନଙ୍କ ଠାରୁ ଶସ୍ତାରେ କିଣି, ତାକୁ ଗୋଦାମରେ ମନଇଚ୍ଛା ଜମା କରି ଏବଂ ଆକାଶଛୁଆଁ ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ହେଲେ ଆଇନରେ ଆସିଥିବା ପରିବର୍ତ୍ତନ ଦ୍ୱାରା ରାଜ୍ୟ ସରକାରମାନଙ୍କ କ୍ଷମତାକୁ ହ୍ରାସ କରିଦିଆଯାଇଛି ।  ଏହା ଦ୍ୱାରା ରାଜ୍ୟ ସରକାର ମାନେ କୌଣସି ଆଇନଗତ ପଦକ୍ଷେପ ନେବାକୁ ସମର୍ଥ ହେବେ ନାହିଁ ।

କ’ଣ ରହିଛି ଆଳୁ ସମ୍ବଦ୍ଧୀୟ ପରିସଂଖ୍ୟନ

ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶ । ଏହାର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରାଜ୍ୟରେ ୩୦.୫୬ ଲକ୍ଷ ଟନ ଆଳୁ କେବଳ ଉତ୍ତର ପ୍ରଦେଶରେ ମହଜୁଦ୍ ରହିଛି । ସେଥିରୁ ୮ ଲକ୍ଷ ମଞ୍ଜି ପାଇଁ ରହିଥିବା ବେଳେ ବାକି ୨୨ ଲକ୍ଷ ଖାଇବା ପାଇଁ ରଖାଯାଇଛି । ଆଗକୁ ନଭେମ୍ବରରେ ଆଳୁର ନୂଆ ଫସଲ ଆସିବାକୁ ଯାଉଛି । ଏହି ଫସଲ ଆସିବା ବେଳକୁ ବର୍ତ୍ତମାନ ଗଚ୍ଛିତ ଥିବା ଆଳୁ ପରିମାଣରୁ ମାତ୍ର ୧୦ ଲକ୍ଷ ଟନ୍ ସରିଥିବ । ସେହିପରି ଚଳିତ ବର୍ଷ ଦେଶରେ ଆଳୁ ଉତ୍ପାଦନ ୫୨.୫୨ ମିଲିୟନ ଟନ୍ ଉତ୍ପାଦିତ ହେବ ବୋଲି ଗତ ଜାନୁୟାରୀରେ ଆକଳନ କରାଯାଇଥିଲା । ଏଥିରୁ ୬ ମିଲିୟନ ଟନ୍ ବୀଜ ବାବଦକୁ , ୨.୮୦ ଆଳୁ ପ୍ରକ୍ରିୟାକରଣ ବାବଦରେ ବିନିଯୋଗ ହେବ । ୬ ଲକ୍ଷ ଟନ ଆଳୁ ରପ୍ତାନୀ ମଧ୍ୟ କରାଯିବ । ଏହିପରି ଭାବେ ୩୭ ମିଲିୟନ ଟନ ଆଳୁ ଆବଶ୍ୟକ ହେବ । ତେଣୁ ଆବଶ୍ୟକତା ଠାରୁ ଅଧିକ ଆଳୁ କେବଳ ୟୁପିରେ ମହଜୁଦ୍ ଅଛି । ତେଣୁ ଆଳୁ ଉତ୍ପାଦନ ହେଉଥିବା ଅନ୍ୟ ରାଜ୍ୟର ପରିମାଣକୁ ମିଶାଇଲେ ଏହା ଦେଶପାଇଁ ଯଥେଷ୍ଟ ବୋଲି ପ୍ରତୀୟମାନ ହେଉଛି ।

କୃଷି ଆଇନ ସଂଶୋଧନ ପରେ ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ ବାଦ୍ ପଡ଼ିବା ପରେ ମୂଲ୍ୟ ବୃଦ୍ଧି ହୋଇଛି । କାରଣ ରାଜ୍ୟ ସରକାର ଏହା ଉପରେ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରିପାରୁନାହାନ୍ତି । ତେଣୁ କେନ୍ଦ୍ର ସରକାର ଆଳୁ ଷ୍ଟକ ଉପରେ ଅଙ୍କୁଶ ଲଗାଇ ଦର ନିୟନ୍ତ୍ରଣ କରିବାର ସମୟ ଆସିଥାବ ସମୀକ୍ଷକମାନେ କହିଛନ୍ତି ।

ରାଜ୍ୟରେ ସୁସ୍ଥ ହେଲେ ୨୦୦୩ କରୋନା ସଂକ୍ରମତି

ଭୁବନେଶ୍ୱର: ରାଜ୍ୟରେ କୁମୁଛି କରୋନା ସଂକ୍ରମଣ । ଦିନକୁ ଦିନ ତଳମୁହାଁ ହେଉଛି କରୋନା ଗ୍ରାଫ । ରାଜ୍ୟରେ ଆଜି ପୁଣି ୨୦୦୩ କରୋନା ସଂକ୍ରମତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ସୁସ୍ଥଙ୍କ ପରେ ରାଜ୍ୟରେ ମୋଟ ୨ ଲକ୍ଷ ୬୬ ହଜାର ୧୦୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧାରୁ ୨୨୯, ଅନୁଗୁଳରୁ ୧୫୯, କଟକରୁ ୧୪୧, ସୁନ୍ଦରଗଡ଼ରୁ ୧୩୧, ଯାଜପୁରରୁ ୧୧୩, ବାଲେଶ୍ୱରରୁ ୧୦୪, ମୟୂରଭଞ୍ଜରୁ ୧୦୧

କଳାହାଣ୍ଡିରୁ ୯୧, କେନ୍ଦ୍ରାପଡ଼ାରୁ ୮୦, ବରଗଡ଼ରୁ ୭୮, ବଲାଙ୍ଗିରରୁ ୭୨, ପୁରୀରୁ ୬୯, କେନ୍ଦୁଝରରୁ ୫୩, କୋରାପୁଟରୁ ୫୩, ଜଗତସିଂହପୁରରୁ ୪୮, ନୂଆପଡ଼ାରୁ ୪୭, ଝାରସୁଗୁଡ଼ାରୁ ୪୬, ନବରଙ୍ଗପୁରରୁ ୪୫, ସୋନପୁରରୁ ୪୩, ଢ଼େଙ୍କାନାଳରୁ ୩୬, ସମ୍ବଲପୁରରୁ ୩୫, ଗଞ୍ଜାମରୁ ୩୩, କନ୍ଧମାଳରୁ ୩୧, ମାଲକାନାଗିରିରୁ ୨୯, ନୟାଗଡ଼ରୁ ୨୪, ଗଦ୍ରକରୁ ୧୭, ରାୟଗଡ଼ାରୁ ୧୬, ଦେଓଗଡ଼ରୁ ୧୩, ବୌଦ୍ଧରୁ ୧୧, ଗଜପତିରୁ ୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ଫୋନ୍ କରୁଛନ୍ତି ସାବାସି ଦେଉଛନ୍ତି, କୋଭିଡ୍ ଯୋଦ୍ଧାଙ୍କ ମନୋବଳ ବଢାଉଛନ୍ତି ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡବନ୍ଧ ଗାଁର ସବିତା କୁମାରୀ ପାଢୀ । ଅଙ୍ଗନଓ୍ୱାଡି କର୍ମୀ ସବିତା ଗତ ୭ ମାସ ହେଲା ଘର ଘର ବୁଲି ଆଞ୍ଚଳିକ ଗୀତ ମାଧ୍ୟମରେ କରୋନା ନେଇ ସଚେତନ କରୁଛନ୍ତି । ସମାନ ଢଙ୍ଗରେ ଆଶା କର୍ମୀ ସୁଜାତା ମିଶ୍ର ବି ଲୋକଙ୍କୁ ସଚେତନ କରିବାରେ ଲାଗି ପଡ଼ିଛନ୍ତି । ସେମାନଙ୍କ ଅଭିନବ ଚିନ୍ତାଧାରା ଓ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେହିପରି ବରଗଡ଼ କଟାପାଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କୋଭିଡ ଯୋଦ୍ଧା ଥିବା ଆୟୁଷ ଡାକ୍ତର ଲୋଟସ୍ ମିଶ୍ରଙ୍କ କରୋନା ସମୟରେ କାମକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ମୋହର । ଏହା ଦ୍ୱାରା ମହାମାରୀ ସମୟରେ କାମ କରିବାର ମନୋବଳ ବୃଦ୍ଧି ହୋଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଜେପି ବିଧାୟକ ସୁକାନ୍ତ ନାୟକ । ପ୍ରଥମ ଲୋକ ପ୍ରତିନିଧି ଭାବେ କୋଭିଡ ସଂକ୍ରମିତ ହୋଇଥିଲେ । ସ୍ୱାସ୍ଥ୍ୟ ସଂପର୍କରେ ଫୋନ ଯୋଗ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳମତ ନିର୍ବିଶେଷରେ କୋଭିଡ ସଂକ୍ରମିତ ବିଧାୟକ ଓ ସାଂସଦଙ୍କୁ ମିଳୁଛି ନବୀନଙ୍କ ସାନ୍ତ୍ୱନା । ଡାକ୍ତର, ନର୍ସ, ଅଙ୍ଗନୱାଡି କର୍ମୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ କୋଭିଡ ସମୟରେ କାମକୁ ବି ମିଳୁଛି ନବୀନଙ୍କ ପ୍ରଶଂସା । କାହା ସହ ସିଧା କଥା ହେଉଛନ୍ତି ତ ଆଉ କାହା କାମ ସଂପର୍କରେ କୋଭିଡ ବୈଠକ ଗୁଡ଼ିକରେ ଆଲୋକପାତ କରୁଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସାକୁ ସ୍ୱାଗତ କରିବା ସହ ସେମାନଙ୍କ ସୁରକ୍ଷା ଦାବି କରିଛନ୍ତି ବିରୋଧୀ ।

ଗାଁ କି ସହରରେ ପ୍ରଶଂସାକୁ ସୀମିତ ରଖି ନାହାନ୍ତି ମୁଖ୍ୟମନ୍ତ୍ରୀ । ଉପାନ୍ତ କଳାହାଣ୍ଡି ନିୟମଗିରି ପର୍ବତରେ ଆଞ୍ଚଳିକ ଭାଷା ମାଧ୍ୟମରେ ଡଙ୍ଗରିଆ କନ୍ଧଙ୍କୁ ସଚେତନ କରୁଥିବା ଯୁବ ସ୍ୱେଚ୍ଛାସେବୀ ପାର୍ବତୀ ହିକ୍କାଙ୍କ ଉଦ୍ୟମ ବି ନବୀନଙ୍କ ପ୍ରଶଂସା ସାଉଣ୍ଟିଛନ୍ତି ।

ମର୍ଣ୍ଣିଂ ୱାକରେ ଯାଉଥିବା ମହିଳାଙ୍କ ସହ ଖରାପ ବ୍ୟବହାର କରି ପୋଲିସ SI ଗିରଫ

ନୂଆଦିଲ୍ଲୀ: ରକ୍ଷକ ଭକ୍ଷକ ସାଜିଲେ ଆପଣ କାହାକୁ ସୁରକ୍ଷା ମାଗିବେ । ଏମିତି ଏକ ମାମଲା ଆସିଛି ଦିଲ୍ଲୀର ଦ୍ୱାରକା ଅଞ୍ଚଳରୁ । ଯେଉଁଠି ଦିଲ୍ଲୀ ପୋଲିସର ଜଣେ ସବ୍-ଇନ୍ସପେକ୍ଟର ମର୍ଣ୍ଣିଂ ୱାକରେ ଯାଉଥିବା ଓ ସାଇକେଲିଂ କରୁଥିବା ମହିଳାଙ୍କ ସହ ଅସଦ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମାମଲା ସାମନାକୁ ଆସିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏସ୍ଆଇଙ୍କୁ ଗିରଫ କରିଛି । ଗିରଫ ଅଧିକାରୀ ଜଣଙ୍କ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ସବ୍-ଇନ୍ସପେକ୍ଟର ଥିବାବେଳେ ଏବେ ଟ୍ରାଫିକ୍ ଫୋଲିସର ଡିସିପି ଅଫିସରେ ଅଛନ୍ତି ।

ସୂଚନା ଅନୁଯାୟୀ, ପୀଡ଼ିତା ମହିଳା ଜଣଙ୍କ ତାଙ୍କ ସହ ହୋଇଥିବା ଖରାପ ବ୍ୟବହାର ନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଥିଲେ । ଯାହାକି ଭାଇରାଲ୍ ହୋଇଛି । ପୀଡ଼ିତା ମହିଳା ଦିଲ୍ଲୀ ପୋଲିସ ହେଲ୍ପଲାଇନକୁ କରିଥିବା କଲ୍ ପ୍ରକାରେ ପୋଲିସ ମାମଲା ରୁଜୁ କରିଛି । ପୋଲିସ ମୁତାବକ, ଗତ ୧୭ ଅକ୍ଟୋବର ସକାଳେ ଦ୍ୱାରକା ସେକ୍ଟର ୧୧ ଡିଡିଏ ସ୍ପୋର୍ଟ୍ସ କମ୍ପ୍ଲେକ୍ସରୁ ଦଶହରା ଗ୍ରାଉଣ୍ଡ ଯାଇଥିବା ରାସ୍ତାରେ ଏକ କାର ମର୍ଣ୍ଣିଂ ୱାକ ଓ ସାଇକେଲିଂ କରୁଥିବା ମହିଳା ଓ ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିଲା । ପୀଡ଼ିତାଙ୍କ ଅଭିଯୋଗ ପ୍ରକାରେ କାରରେ ବସିଥିବା ଯୁବକ ଜଣଙ୍କ ନିଜର ଗୁପ୍ତାଙ୍ଗ ପ୍ରଦର୍ଶନ କରିଥିଲେ । ଆଉ ଜଣେ ମହିଳା ଅଭିଯୋଗ କରିଛନ୍ତି ଯୁବକ ଜଣଙ୍କ ତାଙ୍କୁ ଜୋର ଜବରଦସ୍ତ ଭାବେ ଟଣାଓଟରା କରିଥିଲା । ଦ୍ୱାରାକା ସାଉଥ ଥାନାରେ ଏନେଇ ତିନୋଟି ଅଲଗା ଅଲଗା ଅଭିଯୋଗ ପ୍ରକାରେ ମାମଲା ରୁଜୁ ହୋଇଛି ।

ପୀଡ଼ିତା ପୋଲିସକୁ କହିଛନ୍ତି- ଯୁବକ ଜଣଙ୍କ ପାଉଁଶିଆ ରଙ୍ଗର କାରରେ ଆସୁଥିଲା । ଏବଂ ଉକ୍ତ କାରର ନମ୍ବର ପ୍ଲେଟ୍ ନାହିଁ । କାରର ପଛ ଭାଗ ମଧ୍ୟ ଚେପା ଅଛି । ଅନ୍ୟଜଣେ ଅଭିଯୋଗକାରୀ ପୋଲିସକୁ ମୋବାଇଲରେ ରେକର୍ଡିଂ କରିଥିବା ଭିଡିଓ ଦେଇଛନ୍ତି । ଯେଉଁଥିରେ ସେ କାର ଦେଖାଯାଉଛି । ଯାହାପରେ ପୋଲିସ ସିସିଟିଭି ସାହଯ୍ୟରେ ଉକ୍ତ କାରକୁ ଠାବ କରିଛି । ୧୦୦ ପୋଲିସ କର୍ମୀଙ୍କୁ ନେଇ ଗଠିତ ଟିମ୍ ୧୦୦ରୁ ଅଧିକ ସିସିଟିଭି ଫୁଟେଜ ଦେଖିଥିଲେ । ଏଥିରୁ ମିଳିଥିଲା ଅଭିଯୁକ୍ତଙ୍କ ପତ୍ତା । ଜେରା ପରେ ଜଣାପଡ଼ିଥିଲା ଯୁବକ ଜଣଙ୍କ ଦିଲ୍ଲୀ ପୋଲିସରେ ଏସ୍ଆଇ ପୁନୀତ ଗ୍ରେୱାଲ ।

ଅଭିଯୁକ୍ତ ଏସ୍ଆଇ ପୁନୀତ ଗ୍ରେୱାଲ ୨୦୧୧ ବ୍ୟାଚର । ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ରୁହେ । ଦ୍ୱାରକା ଜିଲ୍ଲା ପୋଲିସ ଅଭିଯୁକ୍ତ ଏସ୍ଆଇ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଡିଏସପି ସ୍ପେଶାଲ ସେଲକୁ ଚିଠି ଲେଖିଛନ୍ତି । ଏଥିସହ ତାକୁ ଚାକିରିରୁ ବହିଷ୍କାର କରାଯାଇ ଗିରଫ କରାଯାଇଛି ।

ସାବଧାନ ! ପକେଟରେ ବି ସୁରକ୍ଷିତ ନୁହେଁ ATM, ଏହି ନୂଆ ମେସିନ୍ ଖାଲି କରି ଦେଇପାରେ ଆକାଉଣ୍ଟ

ଶିମଳା: ସାଇବର କ୍ରାଇମ୍ ବଢ଼ି ଚାଲିଥିବା ବେଳେ ଏକ ଚାଞ୍ଚଲ୍ୟକର ଖବର ଆସିଛି । ଲୁଟେରା ଟେକ୍ନୋଲଜିର ଏମିତି ବ୍ୟବହାର କରୁଛନ୍ତି ଯେ ଆପଣଙ୍କ ପକେଟରେ ଥିବା ଏଟିଏମ ବି ସୁରକ୍ଷିତ ନୁହେଁ । ସାଇବର ଲୁଟେରାଙ୍କ ହାତରେ ଏମିତି ଏକ ମେସିନ୍ ଲାଗିଛି ଯାହା ୧୦୦ ମିଟର ଦୂରରେ ପର୍ସ ଭିତରେ ଥିବା ଏଟିଏମକୁ ସ୍କାନ କରି ସମସ୍ତ ଡାଟା ଚୋରି କରିପାରିବ । ଆଖି ପିଛୁଳାକେ ଖାଲି କରିଦେବ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ।

ଏହି ମେସିନର ନାଁ ହେଉଛି ୱାଇଫାଇ ସ୍କାମର । ହିମାଚଳ ପ୍ରଦେଶରେ ଏହି ପ୍ରକାରର କୌଣସି ମାମଲା ଆସିନାହିଁ । କିନ୍ତୁ ଆଶଙ୍କା କରାଯାଉଛି ବିଗତ ଦିନରେ ଯେଉଁ ଏଟିଏମ କ୍ଲୋନିଂ ମାମଲା ଆସିଥିଲା । ସେଥିରେ ୱାଇଫାଇ ସ୍କାମରର ବ୍ୟବହାର କରାଯାଇଥିଲା । ସାଇବର ଥାନା ପୋଲିସ ଏହି ଦିଗର ଯାଞ୍ଚ କରୁଛି ।

Cyber Crime Now Even The ATM Card Is Also Not Safe To Carry In Pocket Or Wallet

ସାଇବର ଥାନାର ଆଡିସନାଲ ଏସପି ନରବୀର ସିଂହ ରାଠୋର କହିଛନ୍ତି- ଲୁଟେରା ଏଟିଏମ୍ ମେସିନରୁ ଟଙ୍କା କାଢ଼ୁଥିବା ଅବା ଅନ୍ୟ କୌଣସି ସ୍ଥାନରେ ଏଟିଏମରେ ଟଙ୍କା ପୈଠ କରୁଥିବା ଲୋକଙ୍କ କାର୍ଡକୁ ବ୍ୟବହାର କରନ୍ତି । ସାଇବର ଲୁଟେରା ସେହି ଠାରୁ ଅଳ୍ପ କିଛି ଦୂରରେ ବସି ୱାଇଫାଇ ସ୍କାମର ନାମକ ଏକ ମେସିନ ବ୍ୟବହାର କରନ୍ତି । ଏହି ମେସିନରେ ୱାଇଫାଇଲ୍ ଲାଗିଥାଏ, ଯାହାକୁ ଜିଏସଏମ୍ ମଡ୍ୟୁଲ୍ ରିସିଭର । ଏହାର ସଫ୍ଟୱେର କୌଣସି ଟର୍ମିନଲ ଅଥବା ପିଓଏସ୍ ମେସିନ୍ ଜଡ଼ିତ ଥାଏ । ଲୁଟେରା ଏଟିଏମଠାରୁ ଦୂରରେ ରହି ଏହି ମେସିନକୁ ଏକ୍ସ-ରେ ମେସିନ ଭଳି ବ୍ୟବହାର କରି ଏଟିଏମକୁ ସ୍କାନ କରିନିଏ । ଫଳରେ ଲୁଟେରା ଲାପଟପ ଅଥବା ଅନ୍ୟ ଡିଭାଇସକୁ ଏଟିଏମ୍ ପିନ୍ ନମ୍ବର ସହିତ ଅନ୍ୟ ସୂଚନା ଆସିଯାଏ । ଏହି ଗୋପନୀୟ ସୂଚନା ସାହାଯ୍ୟରେ ଲୁଟେରା ଏଟିଏମ୍ ତିଆରି କରି ବ୍ୟାଙ୍କ ଖାତାରୁ ଟଙ୍କା କାଢ଼ିନିଏ ।

ରାଠୋରଙ୍କ ଅନୁସାରେ ରାଜ୍ୟରେ ଏବେ ଯାଏଁ ଏଟିଏମ୍ କ୍ଲୋନିଂର ୫ଟି ମାମଲା ସାମନାକୁ ଆସିଛି । ଆନ୍ତଃରାଜୀୟ ବସ୍ ଷ୍ଟାଣ୍ଡ ଶିମଳା, ସୋଲନ ଓ କାଙ୍ଗଡ଼ାରେ ଏମିତି ମାମଲା ଆସିଛି । ଯେଉଁଥିରେ ଅଭିଯୋଗକାରୀଙ୍କ ପାଖାପାଖି ୮୦ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି । ଏହି ଠକେଇରେ ଏଭଳି କୌଣସି ମେସିନ୍ ବ୍ୟବହାର ହୋଇଥିବା ନେଇ ତାର ଯାଞ୍ଚ ଚାଲିଛି । ଲୋକଙ୍କୁ ସତର୍କ ରହିବାକୁ ପୋଲିସ କହିଛି ।

ସାଇବର ଠକେଇରୁ କେମିତି ବଞ୍ଚିବେ ?

ଠକେଇରୁ ବର୍ତ୍ତିବା ଲାଗି ପୋଲିସ ଲୋକଙ୍କୁ ପରାମର୍ଶ ଦେଇଛି । ଏଟିଏମ ରଖିବା ପାଇଁ ମିଳୁଥିବା ସ୍ୱତନ୍ତ୍ର ୱାଲେଟ୍ ବ୍ୟବହାର ପାଇଁ ପୋଲିସ କହିଛି । ବିଶେଷ ୱାଲେଟରୁ ସ୍କାନିଂ ହୋଇପାରିବ ନାହିଁ । ଏଥିସହ ଅତିରିକ୍ତ ସୁରକ୍ଷା ସହ ଏଟିଏମ ଓ କ୍ରେଡିଟ୍ କାର୍ଡ ବ୍ୟବହାର ସହ ବେଳେ ବେଳେ ପିନ୍ ନମ୍ବର ବଦଳାନ୍ତୁ । ସମ୍ଭବ ହେଲେ ଅଧିକରୁ ଅଧିକ ଅନଲାଇନ୍ ପେମେଣ୍ଟ କରନ୍ତୁ ।

ବାହାମାସ କଂପାନୀ ୨୦୧୩ରୁ ବନ୍ଦ,କିନ୍ତୁ ଅରଟେଲରେ ଜାରି ରହିଛି ନିବେଶ !

ଭୁବନେଶ୍ୱର: ଦରିଆପାରି ଭୂତ କଂପାନୀ ସହିତ ପଣ୍ଡା ପରିବାରର ସଂପୃକ୍ତିକୁ ନେଇ ପୁଣିଥରେ ଝଡ଼ ସୃଷ୍ଟି ହୋଇଛି । ବାହାମାସରେ ପଂଜିକୃତ କିନ୍ତୁ ଅସ୍ଥିତ୍ୱରେ ନଥିବା ସେଲ୍ କଂପାନୀ ସହିତ ବୈଜୟନ୍ତ ଓ ଜଗି ପଣ୍ଡାଙ୍କ ମାଲିକାନାରେ ଥିବା ଓ ଟିଭି ଏବଂ ଅରେଟଲର ମଧ ଲିଙ୍କ୍ ଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ଏଠି ପ୍ରଶ୍ନ ଉଠୁଛି କେମିତି କଳା ଟଙ୍କାକୁ ଧଳା କରାଯାଉଥିଲା ? କେମିତି ଦେଶରୁ ଟଙ୍କା ଦରିଆପାର ହୋଇ ବାହାମସ ଯାଉଥିଲା ? କେମିତି ସେଇ ଟଙ୍କା ଧଳା ହୋଇ ପୁଣି ଭାରତକୁ ଫେରୁଥିଲା ଏବଂ କେମିତି ହେଉଥିଲା ଟ୍ୟାକ୍ସ ଚୋରି ?


ଯାହା ତଥ୍ୟ ମିଳୁଛି ତାହା ଅନୁସାରେ ମେସିନା, ପିକିକା ଓ ଫିନ୍ଲେ ନାମକ ତିନିଟି ଜାଲି କମ୍ପାନୀରୁ ଓରଟେଲ୍ କମ୍ୟୁନିକେସନ୍କୁ ଭିନ୍ନ ଭିନ୍ନ ସମୟରେ କୋଟି କୋଟି ଟଙ୍କାର ନିବେଶ ଆସିଛି । ବାହାମାସ୍ ରେଜିଷ୍ଟ୍ରାର୍ କଂପାନୀର ରେକର୍ଡ ଅନୁସାରେ ଏ ତିନୋଟି କଂପାନୀର ଠିକଣା ଗୋଟିଏ । ଯାହାର ବୈଧତା ଉପରେ ଉଠିଛି ପ୍ରଶ୍ନ । ତେବେ ଏମାନଙ୍କର ନିର୍ଦ୍ଦେଶକ କିଏ ଏବଂ କେଉଁ ବ୍ୟବସାୟ ପାଇଁ ଏମାନେ ପଞ୍ଜୀକୃତ କରିଥିଲେ ସେ ସଂପର୍କରେ କିଛି ବି ଉଲ୍ଲେଖ ନାହିଁ । ସାମ୍ ଇନଭେଷ୍ଟମେଣ୍ଟ ମାଧ୍ୟମରେ ବୈଜୟନ୍ତ ପଣ୍ଡା, ଜାଗି ମଙ୍ଗତ ପଣ୍ଡା ଓ ମଞ୍ଜୁଲା ଦେବୀ ସ୍ରୋଫ୍ କଳାଧନକୁ ଭାରତ ଆଣିଥିବା ଅଭିଯୋଗ ହୋଇଛି । ୧୦ କୋଟିରୁ ଅଧିକ ଟଙ୍କାର କଳାଧନ ଓରଟେଲ୍ କମ୍ୟୁନିକେସନକୁ ୨ଟି ଜାଲି କଂପାନୀରୁ ଆସିଥିବା ଅଭିଯୋଗ ହୋଇଛି ।


ଇଣ୍ଟରନ୍ୟାସନାଲ କନଷ୍ଟୋରଟିୟମ ଅଫ୍ ଇନଭେଷ୍ଟିକେଟିଭ ଜର୍ଣ୍ଣାଲିଷ୍ଟସ ପକ୍ଷରୁ ବାହାମାସରେ କଳାଧାନ କାରବାର କରୁଥିବା ୪୭୫ ଭାରତୀୟଙ୍କ ସମ୍ପର୍କରେ ସୂଚନା ପାଇଥିଲେ । ଏହି ବ୍ୟକ୍ତିବିଶେଷମାନେ ଖଣି କାରବାର, ରିୟଲ ଇଷ୍ଟେଟ , ଗଣମାଧ୍ୟମ ଓ ମନୋରଞ୍ଜନ ଦୁନିଆ ସହ ଜଡିତ । ମୁଖ୍ୟତଃ ୩ଟି କମ୍ପାନୀ ସହ ଭାରତୀୟମାନଙ୍କ ବେଆଇନ କାରବାର ନେଇ ଖୋଳତାଡ କରାଯାଇଛି । ଏହି ୩ କମ୍ପାନୀ ତଥା ଫିନଲେ, ପିକ୍କିଆ, ମେସିନା ଦ୍ୱାରା ବୈଜୟନ୍ତ ଏବଂ ଜଗି ମଙ୍ଗତ ଦ୍ୱାରା କଳାଧନ ବିଭିନ୍ନ କମ୍ପାନୀରେ ବିନିଯୋଗ କରୁଥିଲେ । ବିନିଯୋଗ ମୁଖ୍ୟତଃ ସେହି କମ୍ପାନୀଗୁଡିକରେ ହେଉଥିଲା ଯେଉଁଥିରେ ପଣ୍ଡା ଦମ୍ପତି କିମ୍ବା ତାଙ୍କ ପରିଜନ ମାଲିକାନା ଥିବେ । ଏପରିକି ହାୱାଲା ମାଧ୍ୟମରେ ଭାରତରୁ ସିଧାସଳଖ ବାହାମାସକୁ ପ୍ରେରଣ କରାଯାଇଛି । ଏଥିରେ ପଣ୍ଡା ଦମ୍ପତିଙ୍କ ସହ ମଞ୍ଜୁଳା ଦେବୀ ସର୍ଫ ମଧ୍ୟ ରହିଛନ୍ତି । ମଞ୍ଜୁଳା ଓଟିଭି, ଓରଟେଲ, କିଶାନଗଡ଼ ଏନଭରମେଣ୍ଟାଲ ଆକ୍ସଲ ପ୍ରାଃ ଲିଃର ନିର୍ଦ୍ଦେଶିକା ରହିଛନ୍ତି । ୩ ସେଲ୍ ତଥା ଜାଲି କମ୍ପାନୀ ଜରିଆରେ ନିବେଶ କରାଇ କଳାଧନ ଭାରତରେ ଧଳା କରିବାକୁ ଚେଷ୍ଟା କରାଯାଉଥିଲା ।


କଂପାନୀ ୩,ଠିକଣା ଗୋଟିଏ !
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି- ଏହି ୩ଟି ଜାଲି କମ୍ପାନୀର ଠିକଣା ଗୋଟିଏ ବୋଲି ଦର୍ଶାଯାଇଛି । ଏହି କମ୍ପାନୀରେ କେଉଁମାନେ ନିର୍ଦ୍ଦେଶକ ଅଛନ୍ତି, ସେ କଥା ବି ଉଲ୍ଲେଖ କରାଯାଇନାହିଁ । ଫିନଲେ କମ୍ପାନୀ ୧୬ ଜୁନ୍ ୧୯୯୩ରେ ଆରମ୍ଭ ହୋଇଥିବା ଉଲ୍ଲେଖ କରାଯାଇଛି । ସେହିପରି ପିକ୍କିଆ ୨୦୦୩ ମସିହା ମାର୍ଚ୍ଚ ୧୧ରେ ହୋଇଥିବା କୁହାଯାଇଛି ।ମେସିଆ ୩ ଜାନୁୟାରୀ ୧୯୯୫ରେ ହୋଇଥିବା ଉଲ୍ଲେଖ ରହିଛି । ଏହିପରି ଭାବେ ୧୮ କୋଟି ଟଙ୍କାର ନିବେଶ ସମ୍ପର୍କରେ ଦସ୍ତାବିଜ୍ ରୁ ଉଲ୍ଲେଖ ମିଳିଛି ।
ଅଧିକାଂଶ ଟଙ୍କା ପରୋକ୍ଷ ଭାବରେ ନିବେଶ କରାଯାଇଛି । ଏହି ନିବେଶକୁ ଏଫଡିଆଇ ନିବେଶ ନିୟମକୁ ବାଦ୍ ଦେଇ କରାଯାଇଥିବା କୁହାଯାଇଛି । ଏହିପରିଭାବେ ଅରଟେଲ କମୁନିକେଶନ ମେଟ୍ରୋସ୍କାଏ ନେଟ୍ ଲିଃ, ଓଟିଭି କମ୍ପାନୀ ଦ୍ୱାରା କୋଟି କୋଟି ଟଙ୍କାର କାରବାର କରାଯାଇଛି ।

ଦିଲ୍ଲୀରେ ଘର କିଣା ଓ ବାହାମାସ ଲିଙ୍କ୍
୨୬ ଜାନୁଆରି ୨୦୧୯ରେ ସୁରଙ୍ଗୀ ସର୍ଭିସେସ୍ ଲିମିଟେଡ୍ ଠାରୁ ନୂଆଦିଲ୍ଲୀର ସଫଦର ଜଙ୍ଗ୍ ଅଂଚଳରେ ୧୦ କୋଟି ଟଙ୍କାରେ ଗୋଟିଏ ବଙ୍ଗଳା କିଣିଥିଲେ । ସୁରଙ୍ଗୀ ସର୍ଭିସେସ୍ ଲିମିଟେଡକୁ ବାହାମାସର ଦୁଇଟି କଂପାନୀ ଫିନଲେ ଓ ମେସିନା ନିୟନ୍ତ୍ରଣ କରନ୍ତି । ତେବେ ମଜାର କଥା ହେଉଛି ଫିନଲେ ୨୦୧୮ ଓ ମେସିନା ୨୦୧୩ରେ ବନ୍ଦ ହୋଇଯାଇଥିଲେ ବୋଲି ବାହାମାସ ସରକାର କହୁଛନ୍ତି । ଏବେ ପ୍ରଶ୍ନ ହେଲା ଯେତେବେଳେ ଦୁଇଟି କଂପାନୀର ଅସ୍ଥିତ୍ୱ ନାହିଁ ସେତେବେଳେ ସେମାନେ ଭାରତରେ ଗୋଟିଏ କଂପାନୀକୁ କେମିତି ନିୟନ୍ତ୍ରଣ କରୁଛନ୍ତି ? ଫିନଲେ ଓ ମେସିନା ପଣ୍ଡା ପରିବାର ନିୟନ୍ତ୍ରଣରେ ଥିବା ଅରଟେଲରେ ମଧ୍ୟ ନିବେଶ କରିଛି । ଦୁଇଟି କଂପାନୀ ଯାହାଙ୍କର ଅସ୍ଥିତ୍ୱ ନାହିଁ ସେହି ଭୂତ କଂପାନୀ ଅରଟେଲରେ କେମିତି ନିବେଶ କଲେ ତାହା ବଡ ଓ ସାଂଘାତିକ ପ୍ରଶ୍ନ । କାରଣ ଓ –ଟିଭିରେ ଅରଟେଲ୍ ୩ ପ୍ରତିଶତ ନିବେଶ କରିଛି ।

 

୨ ବର୍ଷ ତଳେ ଜାତୀୟ ଗଣମାଧ୍ୟମରେ ବାହାମାସ୍ ଲିକରେ ବୈଜୟନ୍ତ ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କ ନାଁ ଆସିବା ପରେ ଦିଲ୍ଲୀ ହାଇକୋର୍ଟରେ ରୁଜୁ ହୋଇଥିଲା ମାମଲା । ୨୦୧୯ ଜାନୁଆରୀ ୨୪ରେ ହୋଇଥିବା ପିଆଇଏଲକୁ ବିଚାରଯୋଗ୍ୟ କହି ଗ୍ରହଣ କରିଥିଲେ ହାଇକୋର୍ଟ ।

୨୦୨୦ ଫେବୃଆରୀ ୭ ତାରିଖରେ କେନ୍ଦ୍ରୀୟ ସଂସ୍ଥାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲା ହାଇକୋର୍ଟ । କଳାଧନ କେଳେଙ୍କାରୀ ମାମଲାକୁ ଗମ୍ଭୀର କହିବା ସହ ବୈଜୟନ୍ତ ଓ ଜାଗ୍ଗିଙ୍କ ସଂପୃକ୍ତି ନେଇ ଥିବା ଅଭିଯୋଗର ତ୍ୱରିତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଇତି ମଧ୍ୟରେ ନିର୍ଦ୍ଦେଶକୁ ୮ ମାସ ବିତି ଯାଇଥିବା ବେଳେ ତଦନ୍ତର ଶିଥିଳତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀର ପାଥ୍ ସଂଗଠନ ।

ଉପରୁ ଖସୁଛି କଳା ଫଥର ଭାଙ୍ଗୁଛି ଘରଦ୍ୱାର, ଅଭିଯୋଗ ପରେ ବି ଶୁଣୁନାହାନ୍ତି ବଡ଼ବଡ଼ିଆ ବାବୁ

ଝାରସୁଗୁଡ଼ା: କୋଇଲା ବ୍ଲାଷ୍ଟିଂ ଯୋଗୁଁ ଗାଁ ଲୋକେ ଅନ୍ତସନ୍ତ । କୋଇଲା ଖନନ ପାଇଁ ଗାଁ ପାଲଟିଛି ଭଗ୍ନସ୍ତୁପ । ପ୍ରତିଦିନ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି ୮ ପରିବାର । ବଡ଼ ବଡ଼ ବ୍ଲାଷ୍ଟିଂରେ ଥରିଉଠୁଛି ଗାଁ । ଅଭିଯୋଗ ପରେ ଅଭିଯୋଗ ହୋଇଚାଲିଛି । କିନ୍ତୁ ବଡ଼ବଡ଼ିଆଙ୍କ ପାଖରେ ନିରିହ ଲୋକଙ୍କର ଅଭିଯୋଗ ଅଣଦେଖା ହୋଇ ରହିଯାଏ ।  ବିରାଟ ବିରାଟ ପଥର ଖଣ୍ଡ ଉଡ଼ି ଆସି ଘର ଉପରେ ପଡୁଛି ।

ଝାରସୁଗୁଡ଼ା ବେଲପାହାଡ଼ ଚିଙ୍ଗିରୁଗୁଡ଼ା ଗାଁରୁ ନଜର ଆସିଛି ଏଭଳି ଚିତ୍ର । ୪ ମାସ ହେବ ଗାଁର ଟ୍ରାନ୍ସଫରର୍ମର ଖରାଫ ହୋଇ ପଡିଛି । ଫଳରେ ନାଁ ଅଛି ବିଜୁଳି ନାଁ ପିଣିବାକୁ ପାଣି । ଏମସିଏଲ ପକ୍ଷରୁ କିଛି ଲୋକଙ୍କୁ ଥଇଥାନ କରାଯାଇଥିବାବେଳେ ଅନ୍ୟ କେତେକଙ୍କୁ ଥଇଥାନ କରାଯଇନି । ଫଳରେ ତେଜିଛି ତୀବ୍ର ଅସନ୍ତୋଷ ।

ବର୍ଷାରେ ଘର ଭାଙ୍ଗି ଯାଇଥିବାରୁ ଗାଁ ଲୋକେ କ୍ଲବଘରେ ଆଶ୍ରୟ ନେଇଛନ୍ତି । ସେମାନେ କହିଛନ୍ତି ନିଯୁକ୍ତି ଓ ଉପଯୁକ୍ତ କ୍ଷତିପୂରଣ ନମିଳିବା ଯାଏଁ ଭିଟାମାଟି ଛାଡିବେ ନାହିଁ । ସେପଟେ ଉପ ଜିଲ୍ଲାପାଳ କହିଛନ୍ତି ଗାଁ ଲୋକଙ୍କ ପକ୍ଷରୁ କୌଣସି ଅଭିଯୋଗ ଆସିନି । ପ୍ରଶାସନ ସହ ଆଲୋଚନା ପରେ ନିୟମ ମୁତାବକ ସମସ୍ତ ଦାବି ପୂରଣ କରାଯିବ ।ଗ୍ରାମବାସୀ ଗାଁ ଛାଡ଼ିଲା ପରେ ଚିଙ୍ଗରିଗୁଡ଼ା ଗାଁ ମାନଚିତ୍ର ହଜିଯିବେ ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ ।

ପେଟ୍ରୋଲ ଓ ଡିଜେଲ୍ ଉପରେ ୬ ଟଙ୍କା ଯାଏଁ ବଢ଼ିପାରେ ଏକ୍ସାଇଜ୍ ଡ୍ୟୁଟି, ସିଧା ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ମହଙ୍ଗା… ମହଙ୍ଗା… ମହଙ୍ଗା… । ଆଳୁ, ପିଆଜ ପରେ ତେଲରେ ଲାଗିବାକୁ ଯାଉଛି ନିଆଁ । ମିଳିଥିବା ଖବର ମୁତାବକ କେନ୍ଦ୍ର ସରକାର ପୁଣି ଥରେ ପେଟ୍ରୋଲ-ଡିଜେଲ୍ ଏକ୍ସାଇଜ୍ ଡ୍ୟୁଟି ବଢ଼ାଇବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସରକାର ଲିଟର ପିଛା ୩ରୁ ୬ ଟଙ୍କା ଯାଏଁ ଏକ୍ସାଇଜ୍ ଡ୍ୟୁଟି ବଢ଼ାଇ ପାରନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାର ମେ ମାସରେ ପେଟ୍ରୋଲ ଉପରେ ଲିଟର ପିଛା ୧୦ ପଇସା ଓ ଡିଜେଲ ଉପରେ ଲିଟର ପିଛା ୧୩ ପଇସା ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିଥିଲେ ।

Centre May Hike Petrol Diesel Excise Duty RS 3 To 6 Per Liter Soon

୨୦୧୪ରେ ପେଟ୍ରୋଲ ଉପରେ ସମ୍ପୂର୍ଣ୍ଣ କର ଲିଟର ପିଛା ୯ ଟଙ୍କା ୪୮ ପଇସା ଥିବାବେଳେ ଡିଜେଲ ଲିଟର ପିଛା ୩.୫୬ ଟଙ୍କା ଟ୍ୟାକ୍ସ ରହିଥିଲା । ସେବେଠାରୁ ଆଜି ଯାଏଁ ଟିକସ (କର) ବଢ଼ି ବଢ଼ି ପେଟ୍ରୋଲ ଲିଟର ପିଛା ୩୨ ଟଙ୍କା ୯୮ ପଇସା ଓ ଡିଜେଲ ଲିଟର ପିଛା ଟିକସ ୩୧ଟଙ୍କା ୮୩ ପଇସାରେ ପହଞ୍ଚିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲଗାତାର ଟିକସ ବଢ଼ୁଥିବା ବେଳେ ଅଶୋଧିତ ତୈଳ ଦର ହ୍ରାସର ଫାଇଦା ଗ୍ରାହକଙ୍କୁ ମିଳୁନାହିଁ । ବରଂ ବେଳକୁ ବେଳ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିଛି ।

ପେଟ୍ରୋଲ ଉପରେ ଲାଗୁଥିବା ଟିକସ୍ ଓ କମିଶନ କେତେ…

ଏକ୍ସ ଫ୍ୟାକ୍ଟ୍ରି ମୂଲ୍ୟ- ୨୫ ଟଙ୍କା ୩୨ ପଇସା

ଭଡ଼ା ଓ ଅନ୍ୟ ଖର୍ଚ୍ଚ- ୦.୩୬ ପଇସା

ଏକ୍ସାଇଜ୍ ଡ୍ୟୁଟି- ୩୨ ଟଙ୍କା ୯୮ ପଇସା

ଡିଲର କମିଶନ- ୩ ଟଙ୍କା ୬୯ ପଇସା

VAT (ଡିଲର କମିଶନ ସହ)- ୧୮ ଟଙ୍କା ୭୧ ପଇସା

Centre May Hike Petrol Diesel Excise Duty RS 3 To 6 Per Liter Soon

ଏବେ କଣ ହେବ ?

କରୋନା ଯୋଗୁଁ ଅର୍ଥନୀତି ଦେବାଳିଆ ହୋଇଯାଇଥିବା ବେଳେ କ୍ଷତିଗ୍ରସ୍ତ ଆର୍ଥିକ ସ୍ଥିତିରୁ ମୁକୁଳିବା ଲାଗି ସରକାର ତୃତୀୟ ପ୍ୟାକେଜ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ସରକାରଙ୍କୁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ତେଣୁ, ଏହାର ଭରଣ ଟ୍ୟାକ୍ସ (ଏକ୍ସାଇଜ୍ ଡ୍ୟୁଟି)ରୁ ସରକାର କରିବାକୁ ଚାହୁଁଛନ୍ତି ।

ସୂତ୍ର ଅନୁସାରେ ଲିଟର ପିଛା ଏକ୍ସାଇଜ୍ ଡ୍ୟୁଟି ୩ରୁ ୬ ଟଙ୍କା ଯାଏଁ ବଢ଼ିପାରେ । କିନ୍ତୁ, ସରକାର ଚାହୁଁଛନ୍ତି ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି ପରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ନହେଉ । ଏଥିପାଇଁ ନୂଆ ଯୋଜନା ଉପରେ ସରକାର କାମ କରୁଛନ୍ତି । ତେବେ, ଅଶୋଧିତ ତୈଳ ଶସ୍ତା ହେବା ପରେ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ଯେତିକି କମିବା କଥା ସେତିକି ଖସି ନାହିଁ ।

Centre May Hike Petrol Diesel Excise Duty RS 3 To 6 Per Liter Soon

ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୪୫ ଡଲାରରୁ ୪୦ ଡଲାରକୁ ଖସି ଆସିଛି । ଏହାର ଫାଇଦା ସରକାରଙ୍କୁ ଉଠାଇବା ଦରକାର ।

ଏକ୍ସାଇଜ୍ ଡ୍ୟୁଟି ଟଙ୍କାଏ ବଢ଼ିଲେ କେତେ ଲାଭ ?

ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟିରେ ପ୍ରତି ୧ ଟଙ୍କା ବୃଦ୍ଧି ଦ୍ୱାରା କେନ୍ଦ୍ର ସରକାର ୧୩ ହଜାରରୁ ୧୪ ହଜାର କୋଟି ଟଙ୍କା ପ୍ରତିବର୍ଷ ଅଧିକ ରାଜସ୍ୱ ପାଇଥାନ୍ତି । ସେହିଭଳି ଅଶୋଧିତ ତୈଳ ଦର ହ୍ରାସ ଯୋଗୁଁ ସରକାରଙ୍କୁ ଲାଭ ମିଳେ । ଭାରତ ଆବଶ୍ୟକତାର ପାଖାପାଖି ୮୨ ପ୍ରତିଶତ ଅଶୋଧିତ ତୈଳ କିଣେ । ଅଶୋଧିତ ତୈଳ ଦର ହ୍ରାସ ଦ୍ୱାରା ଜେଶର କରେଣ୍ଟ ଆକାଉଣ୍ଟ ଡେଫିସିଟ୍ (CAD) କମି ପାରେ ।

କରୋନା କଟକଣା ଯୋଗୁଁ ବନ୍ଦ ହେଲା ଶହଶହ ବର୍ଷର ବଳିଯାତ୍ରା ପରମ୍ପରା, କେବଳ ପରମ୍ପରା ପାଳିଲେ ପୂଜକ

ସୋନପୁର: ଖାଁ ଖାଁ ସୁବର୍ଣ୍ଣପୁରର ତନ୍ତ୍ରପୀଠ । ବନ୍ଦ ରହିଛି ମାଆଙ୍କ ବଳି ଯାତ୍ରା । ୯ ଦିନ ଧରି ଏହି ଯାତ୍ରା କରୋନା କଟକଣା ଯୋଗୁଁ ବନ୍ଦ ରହିଛି । କାଁ ଭାଁ ଶ୍ରଦ୍ଧାଳୁ ଦୀପଟିଏ ଜାଳିଦେଇ ଯାଉଥିବାବେଳେ ମନ୍ଦିର ଭିତରେ ପୂଜାରୀମାନେ କେବଳ ପାଳନ କରିଛନ୍ତି ପରମ୍ପରା । ଦଶହରା ଅବସରରେ ପ୍ରତିବର୍ଷ ଲୋକାରଣ୍ୟ ଥିବା ଏହି ତନ୍ତ୍ରପୀଠ ଏବେ ଶୂନସାନ୍ ।

ରାଜାରାଜୁଡା ଅମଳର ବଳିଯାତ୍ରା ବନ୍ଦ । କରୋନା କଟକଣା ଯୋଗୁଁ ବନ୍ଦ ରହିଛି ଯାତ୍ରା । ୯ ଦିନ ବ୍ୟାପୀ ଚାଲୁଥିବା ଯାତ୍ରା କେବଳ ପରମ୍ପରାରେ ସୀମିତ । ମନ୍ଦିର ଭିତରେ ପୂଜାରୀମାନଙ୍କୁ ଛାଡିଦେଲେ କାଁ ଭାଁ ଭକ୍ତ ଦୀପଟିଏ ଜାଳିଦେଇ ଯାଉଛନ୍ତି । ବଳି କହିଲେ ସାଧାରଣତଃ ପଶୁ ପକ୍ଷୀଙ୍କ ବଳିଙ୍କୁ ବୁଝାଇଥାଏ । କିନ୍ତୁ ଏଠାରେ ଯନ୍ତ୍ରମନ୍ତ୍ରକୁ ଆଧାର କରି ସମର୍ପଣ ଭାବରେ ପାଳିତ ହୁଏ ଯାତ୍ରା । ୩୬ ପାଟକ ବା ସମ୍ପ୍ରଦାୟର ଲୋକେ ଏଥିରେ ନିୟୋଜିତ ହୋଇଥାନ୍ତି ।

ଖମ୍ବେଶ୍ୱରୀଙ୍କ ପୀଠରେ ୯ଦିନ ଧରି ପାଳିତ ହୁଏ ଅଷ୍ଟଚଣ୍ଡୀଙ୍କ ବଳିଯାତ୍ରା । ବରୁଆକୁ ଅରୁଆ ଚାଉଳରେ ତିଆରି ଯନ୍ତ୍ରରେ ମନ୍ତ୍ରପୂତ କରି ପ୍ରକଟିତ ହୁଏ ଦୈବୀଶକ୍ତି । ଶୋଳ ଭରନୀ ବାଦ୍ୟର ତାଳେତାଳେ ନୃତ୍ୟକରି ଦର୍ଶନ ଦିଅନ୍ତି ମହାବଳି । ଆଶ୍ୱିନ ଅମାବାସ୍ୟାରୁ ପୂର୍ଣ୍ଣମୀ ଯାଏଁ ପାଳିତ ହୁଏ ଏହି ଯାତ୍ରା । ହେଲେ କରୋନା ଉଜାଡିଛି ପରମ୍ପରା ।

ପ୍ରଥମ ଦିନରେ ଉଆଁସ ବଳିରୁ ଆରମ୍ଭ ହୋଇ ନିଶାବଳି, ଖଉଳ ବଳି, ଡାଙ୍ଗୁଆ ବଳି, ଗାୟନ ବଳି, ନବମୀ ବଳି, ମହାବଳି, ଦଶହରା ବଳି ଓ ପୂର୍ଣ୍ଣମୀ ବଳି ଆଦି ଏଠାରେ ୯ ପ୍ରକାର ବଳି ପାଳନ ହୁଏ ।

ଉପନିର୍ବାଚନ ତାରିଖ ପାଖେଇବା ସହ ଜମୁଛି ପ୍ରଚାର, ଜିତିବା ପାଇଁ ଚାଲିଛି ପ୍ରାର୍ଥୀଙ୍କର ଆପ୍ରାଣ ଉଦ୍ୟମ ଚେଷ୍ଟା

ବାଲେଶ୍ୱର/ତିର୍ତ୍ତୋଲ: ଉପନିର୍ବାଚନ ପ୍ରଚାର ପାଇଁ ମଝିରେ ଆଉମାତ୍ର ୬ଦିନ । ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ସମୀକରଣ ସେତିକି ରୋମାଞ୍ଚକର ହେଉଛି । ତିର୍ତ୍ତୋଲରେ ଆଜି କଂଗ୍ରେସକୁ ସିପିଏମ୍ ସମର୍ଥନ କରିବା ନେଇ ଦୁଇଦଳ ମଧ୍ୟରେ ବୁଝାମଣା ହୋଇଛି । ଏନେଇ ବିଜେଡି କହିଛି ସମର୍ଥନ କୌଣସି ପ୍ରଭାବ ପଡ଼ିବ ନାହିଁ । ସେପଟେ ବାଲେଶ୍ୱରରେ ତିନିଦଳର ନେତା ଓ ପ୍ରାର୍ଥୀ ଜିତିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିରିଡ଼ି ଅଞ୍ଚଳରେ ବିଜେଡିର ରୋଡ୍‌ ଶୋ’ । ରାଜ୍ୟସଭା ସଦସ୍ୟ ମୁନା ଖାନ୍‌ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେଡିରେ ମିଶ୍ରଣ ପର୍ବ ସହ ପ୍ରଚାର ଜୋର ଧରିଛି । ସେପଟେ କଂଗ୍ରେସ ପକ୍ଷରୁ ଆଜି ସିପିଏମ୍‌ ସହିତ ବୁଝାମଣା କରାଯାଇଛି । ତେବେ କଂଗ୍ରେସକୁ ସିପିଏମ୍‌ର ସମର୍ଥନ ଦ୍ବାରା ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ବି କର୍ମୀ ଓ ନେତାଙ୍କ ସହ ପ୍ରଚାର ଜାରି ରଖିଛନ୍ତି ।

ସେପଟେ କମ୍ପୁଛି ବାଲେଶ୍ବର ସଦର । ଘରଘର ବୁଲି ବିଜେପି ପ୍ରାର୍ଥୀ ମାନସ ଦତ୍ତ ଭୋଟ୍‌ଭିକ୍ଷା କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ତାଙ୍କ ପାଇଁ ପ୍ରଚାର କରିଛନ୍ତି  । ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଛାନୁଆ ପଞ୍ଚାୟତରେ ରୋଡ୍‌ ଶୋ’ ଓ ସଭା କରିଥିଲେ । ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଦେବୀ ମିଶ୍ର, ପ୍ରଣବ ବଳବନ୍ତରାୟ, ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା ଯୋଗଦେଇଥିଲେ । କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମଧ୍ୟ ଜୋରଦାର ପ୍ରଚାର କରିଛନ୍ତି  । ଦଳର ତୁଙ୍ଗନେତାମାନେ ବାଲେଶ୍ବର ଆସିବା ପରେ କଂଗ୍ରେସର ଜୋସ୍ ବଢ଼ିଛି । ଆସନ୍ତା ନଭେମ୍ବର ୧ତାରିଖ ସଂଧ୍ୟାରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହେବ ।