spot_img
Home Blog Page 6534

ଷ୍ଟାର ପ୍ରଚାରକଙ୍କୁ ନେଇ ଜମୁଛି ପ୍ରଚାର: ବାଲେଶ୍ୱରରେ ବିଜେଡିର ବିରାଟ୍ ରୋଡ୍ ଶୋ’

ଜମୁଛି ଉପନିର୍ବାଚନ ତାତି । ଜୋରଦାର ପ୍ରଚାର କରୁଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ। ମଇଦାନକୁ ଓହ୍ଲାଇଛନ୍ତି ସବୁ ଦଳର ଷ୍ଟାର୍‌ ପ୍ରଚାରକ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବଡ଼ ନେତା ଡେରା ପକାଇଛନ୍ତି । ଆଉ ୯ଦିନ ପରେ ପ୍ରଚାର ସରିବ । ତେଣୁ ସବୁ ଦଳର ନେତା ଓ ପ୍ରାର୍ଥୀ ଜିତିବା ପାଇଁ ସବୁ ପ୍ରକାର ରଣକୌଶଳ ଆପଣାଉଛନ୍ତି  । ବାଲେଶ୍ୱରରେ ବିଜେଡିର ବିରାଟ ରୋଡ୍‌ ଶୋ’ । ବିଭିନ୍ନ ଓ୍ୱାର୍ଡରେ ପ୍ରଚାର  । ଦଳ ପକ୍ଷରୁ ଆଜି ଆଳୁମେଦା, କଷାଫଳରେ ସଭା ସହ ରୋଡ୍‌ ଶୋ’ କରାଯାଇଥିଲା। ପଞ୍ଚୁପଡାରେ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ସଭା କରିଥିଲେ । ସେପଟେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ଘରଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ମାନସଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ସହରରେ ପଦଯାତ୍ରା କରିଥିଲେ। ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ରଘୁନାଥପୁରରେ କଂଗ୍ରେସ କର୍ମୀ ସମ୍ମିଳନୀ କରିଥିଲା  ।

https://www.facebook.com/NandighoshaTV/videos/681005799507394

ଦଳର ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ନେତା ଓ କର୍ମୀଙ୍କ ସାଥୀରେ ପ୍ରଚାର କରିଥିଲେ  । ପିସିସି ପ୍ରଭାରୀ ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ସପ୍ତଗିରି ଉଲାକା , ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝିଙ୍କ ଭଳି ବହୁ ତୁଙ୍ଗ ନେତା ସାମିଲ ହୋଇଥିଲେ । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ରୋଡ୍‌ ଶୋ’ରେ ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି । ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ବିଜେଡିର ବହୁ ହେଭିଓ୍ୱେଟ୍‌ ରାସ୍ତାକୁ ଓହ୍ଲାଇଥିବାବେଳେ ପଛରେ ପଡ଼ିଯାଇଛନ୍ତି ବିଜେପି ପ୍ରାର୍ଥୀ ରାଜକିଶୋର ବେହରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିର୍ତ୍ତୋଲ ଆସିବାର ଥିଲା । କିନ୍ତୁ ଶେଷରେ ଭର୍ଚୁଆଲ ବୈଠକରେ ସନ୍ତୁଷ୍ଟ ହେବାକୁ ପଡିଛି। ନିର୍ବାଚନକୁ ଆଉ ମାତ୍ର କେଇଦିନ ଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି  ।

ସେଞ୍ଚୁରୀ ମାରିପାରେ ପିଆଜ ଦର: କଳା ବଜାରୀ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

0

ରାଉରକେଲା, ଭୁବନେଶ୍ୱର: ନିୟନ୍ତ୍ରଣ ବାହାରେ ପିଆଜ ଦର । ମାରିପାରେ ସେଞ୍ଚୁରୀ  । କଳା ବଜାରୀ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲପାଳମାନଙ୍କୁ ସରକାର ନିର୍ଦ୍ଦେଶ ଦେବା ପରେ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ ହୋଇଛି । ନାସିକ ଓ କୁନ୍ନୁର ପରି ଯେଉଁସ୍ଥାନ ଉପରେ ପିଆଜ ପାଇଁ ଓଡ଼ିଶା ନିର୍ଭରଶୀଳ, ସେଠାରେ ପ୍ରବଳ ବର୍ଷା ଯୋଗୁ ଫସଲ ନିଷ୍ଟ ହୋଇଛି । ଏଭଳି ସ୍ଥିତି ଦୀପାବଳି ଯାଏ ଜାରି ରହିବ । କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ପିଆଜକୁ ବାଦ୍ ଦେବା ପରେ ଏପରି ସ୍ଥିତି ଉପୁଜିଛି । ପିଆଜ ଦର ବୃଦ୍ଧି ପାଇଁ ଦାୟୀ କିଏ? କାହିଁକି ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଲା ପିଆଜ ?  ! ଦୀପାବଳି ଆଣିପାରେ ଖୁସି ଖବର  ।

ଆହୁରି କନ୍ଦାଇବ ପିଆଜ । ହାଣ୍ଡିଶାଳରୁ ଧୀରେ ଧୀରେ ଉଭାନ ହେବାରେ ଲାଗୁଛି ଏହି ଅତିପ୍ରିୟ ସାମଗ୍ରୀ । ଆଜି ପିଆଜ ଦର କିଲୋ ପିଛା ୭୫ ଅଛି, କାଲି ୮୫ ଟପି ପାରେ । କେନ୍ଦ୍ର ସରକାର ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ଦେବା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ପ୍ରଶାସନ ନିୟନ୍ତ୍ରଣରେ ଦର ରହୁନି । ପାଇକାରୀ ବ୍ୟବସାୟୀଙ୍କୁ ଅଧିକ ହନ୍ତସନ୍ତ କରୁଛି ପରିବହନ ଖର୍ଚ୍ଚ । ଗୋଟାଏ ଟ୍ରକ୍‌ରେ ଦୈନିକ ୨୨ରୁ ୨୫ ଟନ ପିଆଜ ଆସିଥାଏ । କ୍ବିଣ୍ଟାଲ ପିଛା ୫ ଟଙ୍କା ୩୦ ପଇସା ପରିବହନ ଖର୍ଚ୍ଚ ବହନ କରୁଛନ୍ତି ପଇକାରୀ ବ୍ୟବସାୟୀ । ନାସିକ, ଅହମ୍ମଦନଗର, କୁନ୍ନୁର ଆଦି ସ୍ଥାନରୁ ଆସୁଥିବା ପିଆଜ ପାଇଁ ୫ ଟଙ୍କା ୫୦ ପଇସାରୁ ଅଧିକ ଖର୍ଚ୍ଚ ହେଉଛି ।

https://www.facebook.com/NandighoshaTV/videos/667352414200907

ଯାହା ପାଇକାରୀ ଦର ୭୮ ଟଙ୍କା ଯାଏ ନେବାରେ ଆଶଙ୍କା  ହେଲାଣି । ଏପରି ହେଲେ ଖୁଚୁରା ବ୍ୟବସାୟୀ ୮୨ ଟଙ୍କାରେ ପାଇକାରୀରେ କିଣି ୮୫ରେ ବିକି ପାରନ୍ତି । ଆନ୍ଧ୍ର, ତେଲେଙ୍ଗାନା, ନାସିକରେ ଏକ ମାସ ହେବ ପ୍ରବଳ ବର୍ଷା ହେବାରୁ ପିଆଜ ନଷ୍ଟ ହୋଇଛି । ଭଲ ଅମଳ ଦୀପାବଳି ପରେ ହେବାର ସମ୍ଭାବନା ରହିଛି । ତେବେ ପାଇକାରୀ ବ୍ୟବସାୟୀ ଓ ଖୁଚୁରା ବ୍ୟବସାୟୀଙ୍କ ଭିତରେ ଦର ନେଇ ସମନ୍ୱୟ ରକ୍ଷା କରିବାକୁ ଦୁଇ ଦିନ ଭିତରେ ଯୋଗାଣ ବିଭାଗ ଭର୍ଚ୍ୟୁଆଲ ବୈଠକ ଜରିଆରେ ଆଲୋଚନା କରିବ । ଗତକାଲି କଳାବଜାରୀ ଉପରେ ନଜର ରଖିବାକୁ ଯୋଗାଣ ବିଭାଗ ନର୍ଦ୍ଦେଶ ଦେବା ପରେ ଚେତିଛି ଜିଲ୍ଲା ପ୍ରଶାସନ । ଏ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ରାଉରକେଲା ସହରର ବିଭିନ୍ନ ପିଆଜ ଗୋଦାମ ଓ ଦୋକାନରେ ଯାଞ୍ଚ କରିଛି  ଯୋଗାଣ ବିଭାଗ । ଚଢା ଦରରେ ବିକ୍ରି ନକରିବାକୁ ବିଭାଗ ପକ୍ଷରୁ ଦୋକାନୀଙ୍କୁ ତାଗିଦ୍ କରାଯାଉଛି । ପୂର୍ବରୁ ବଜାରରେ ପିଆଜ ଦର ବଢିଲେ, ମୈତ୍ରୀ ଷ୍ଟୋରରେ ଜଣପିଛା ଦୁଇ କିଲୋ ପିଆଜ ସୁଲଭ ଦରରେ ବିକୁଥିଲା ଯୋଗଣ ବିଭାଗ । ହେଲେ ପିଆଜ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିବା ପରେ, ଏ ସୁବିଧା ବି ନ ମିଳିପାରେ । ବଜାରର ସ୍ଥିତି ବିଗିଡ଼ିଲେ, ପୁଣି ଥରେ ନିଜସ୍ୱ ଆୟତ୍ତରେ ମୈତ୍ରୀ ଷ୍ଟୋର  ଜରିଆରେ ରାଜ୍ୟ ସରକାର ପିଆଜ ବିକି ପାରନ୍ତି ।

ରାଜ୍ୟରେ କରୋନାରୁ ଆଉ ସୁସ୍ଥ ହେଲେ ୨,୩୭୭ ଜଣ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨ ହଜାର ୩୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୯ ହଜାର ୪୧୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ସର୍ବାଧିକ ୩୯୪ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୨୦୪ ଜଣ, ବାଲେଶ୍ୱରରୁ ୧୬୨ ଜଣ, ମୟୂରଭଞ୍ଜରୁ ୧୨୬ ଜଣ, କଟକରୁ ୧୨୨ ଜଣ, ସୁନ୍ଦରଗଡ଼ରୁ ୧୦୯ ଜଣ, ଯାଜପୁରରୁ ୧୦୭ ଜଣ, ବରଗଡ଼ରୁ ୮୮ ଜଣ, ବଲାଙ୍ଗିରରୁ ୮୭ ଜଣ, ଝାରସୁଗୁଡ଼ାରୁ ୮୫ ଜଣ, ଭଦ୍ରକରୁ ୭୨ ଜଣ, ନୂଆପଡ଼ାରୁ ୬୫ ଜଣ, କେନ୍ଦ୍ରାପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୬୪ ଜଣ ଲେଖାଏଁ, ପୁରୀରୁ ୫୯ ଜଣ, ଜଗତସିଂହପୁର, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରୁ ୫୦ ଜଣ ଲେଖାଏଁ, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାରୁ ୩୪ ଜଣ ଲେଖାଏଁ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରୁ ୩୩ ଜଣ ଲେଖାଏଁ, ମାଲକାନଗିରିରୁ ୩୧ ଜଣ, ରାୟଗଡ଼ାରୁ ୨୯ ଜଣ, କୋରାପୁଟରୁ ୨୮ ଜଣ, ନୟାଗଡ଼ରୁ ୨୧ ଜଣ, ନବରଙ୍ଗପୁରରୁ ୧୫ ଜଣ, ଦେବଗଡ଼ରୁ ୧୦ ଜଣ, ଗଜପତିରୁ ୬ ଜଣ ଓ ରାଜ୍ୟପୁଲରୁ ୬୮ ଜଣ କରୋନା ଆରୋଗ୍ୟ ଲାଭ କରିଛନ୍ତି ।

Another 2377 Covid patients have recovered and are being discharged

ରାଜ୍ୟରେ ଏଯାବତ୍ ୨ ଲକ୍ଷ ୭୭ ହଜାର ୮୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଲକ୍ଷ ୫୯ ହଜାର ୪୧୮ ଜଣ ସୁସ୍ଥ ହୋଇ ସାରିଲେଣି । ଏବେ ରାଜ୍ୟରେ ୧୭ ହଜାର ୨୦୨ ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ୧ ହଜାର ୨୧୪ ଜଣଙ୍କ ମୃତ୍ୟୁ ହୋଇଛି ।

ଇମ୍ରାନ ଖାନଙ୍କୁ ବଡ଼ ଝଟକା, ଏବେ ବି ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ

ନୂଆଦିଲ୍ଲୀ: ଫାଇନାନ୍ସିଆଲ୍ ଆକ୍ସନ୍ ଟ୍ୟାକ୍ସ ଫୋର୍ସ (FATF) ପକ୍ଷରୁ ପାକିସ୍ତାନକୁ ବଡ଼ ଝଟକା ଲାଗିଛି । ପାକିସ୍ତାନ ଏବେ ବି ଗ୍ରେ ଲିଷ୍ଟରେ ରହିବ । ଇମ୍ରାନ୍ ଖାନ୍ ଏଫଏଟିଏଫର ୨୭ ମାନଦଣ୍ଡରୁ ୬ଟି ପାଳନ କରିବାରେ ଅସଫଳ ରହିଥିଲେ । ଜୁନ୍ ୨୦୧୮ରେ ଏଫଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଥିଲା । ସେତେବେଳେ ପାକିସ୍ତାନକୁ ଋଣ ସୁଝିବା ଓ ଆତଙ୍କବାଦକୁ ଆର୍ଥିକ ପ୍ରୋତ୍ସାହନ ବନ୍ଦ ପାଇଁ ୨୭ ପଏଣ୍ଟ ବିଶିଷ୍ଟ କାର୍ଯ୍ୟ ଯୋଜନାକୁ ୨୦୧୯ ଶେଷ ସୁଦ୍ଧା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ, ମହାମାରୀ କରୋନା ଭାଇରସ ପାଇଁ ଏହି ସମୟ ସୀମାକୁ ବଢ଼ାଇ ଦିଆଯାଇଥିଲା ।

କୁହାଯାଉଛି- ପାକିସ୍ତାନ ଜୈସ୍-ଏ-ମହମ୍ମଦ ମୁଖ୍ୟ ଅଜହର, ଲସ୍କର-ଏ-ତୋଇବା ସଂସ୍ଥାପକ ଓ ସଂଗଠନ ପରିଚାଳକ ଜହୁର ରହମାନ ଲଖବି ଭଳି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା । ଅଧିକାରୀଙ୍କ ଅନୁସାରେ- ଏଫଏଟିଏଫ ଏହା ଉପରେ ଜୋର ଦେଇଛି । ଆଣ୍ଟି-ଟେରଜିମ୍ ଆକ୍ଟ ପ୍ରାକରେ ୭,୬୦୦ ମୂଲ ସୂଚରୁ ୪୦୦୦ରୁ ଅଧିକ ଆତଙ୍କବାଦୀଙ୍କ ନାଁ ଅଚାନକ ଗାଏବ ହୋଇଯାଇଛି । ଏଭଳି ସ୍ଥିତିରେ ଲାଗୁଥିଲା ପାକିସ୍ତାନ FATFର ଗ୍ରେ ଲିଷ୍ଟରେ ରହିବ ।

Pakistan To Remain On The Grey List Of Terror Financing Watchdog Fatf

ଦୁନିଆର ୪ଟି ବଡ଼ ଦେଶ ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀ ଇସଲାମାବାଦର ଭୂମିରେ ସକ୍ରିୟ ଆତଙ୍କୀ ସମୁହ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଥିବା ପ୍ରତିବଦ୍ଧତାରେ ସନ୍ତୁଷ୍ଟ ନାହାଁନ୍ତି । ଏହା ପାକିସ୍ତାନ ଗ୍ରେ ଲିଷ୍ଟରେ ରହିବାର ଅନ୍ୟତମ କାରଣ ହୋଇପାରେ ।

ଭାରତ ଗୁରୁବାର କହିଥିଲା- ପାକିସ୍ତାନ ଦ୍ୱାରା ଆତଙ୍କୀ ସଂଗଠନ ଓ ମସୁଦ ଅଜହର ତଥା ଜକିଉର ରହମାନ ଲଖବି ଭଳି ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀଙ୍କୁ ସୁରକ୍ଷିତ ପରିବେଶ ଦେବା ଜାରି ରଖିଛି । ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ ଏକ ପ୍ରେସ ବିବୃତିରେ କହିଥିଲେ- ପାକିସ୍ତାନ ଆତଙ୍କବାଦୀଙ୍କୁ ଅନୁଦାନ ରୋକିବା ପାଇଁ ଏଫଏଟିଏଫ ଦ୍ୱାରା ଜାରି ୨୭ଟି ମାନଦଣ୍ଡରୁ ୨୧ଟିରେ କାମ କରିଛି ।

ସୋସିଆଲ୍ ମିଡିଆରେ ସାରଥିଙ୍କ ନୂଆ ଷଡ଼ଯନ୍ତ୍ର: ଏଥର ବାରିମୂଳ ନୁହେଁ ଅଜ୍ଞାତ ସ୍ଥାନରୁ ପ୍ରବଚନ

କେନ୍ଦ୍ରାପଡ଼ା: ଫେରୁଛନ୍ତି ସାରଥି । ଭାଣ୍ଡାଫୋଡ୍‌ ହେବା ସତ୍ତ୍ୱେ ସାରଥି ନିଜକୁ ଭଗବାନ ସଜାଇବା ଚେଷ୍ଟାରୁ ଓହରି ନାହାନ୍ତି  । କିଛି ଅନୁଗାମୀଙ୍କୁ ମୋହରା କରି ଅଜ୍ଞାତ ସ୍ଥାନରୁ ଫେସ୍‌ବୁକ୍‌ରେ ଜାଲ ବିଛାଇବା କାମ ଜାରି ରଖିଛନ୍ତି ସାରଥି। ଏହାକୁ ନେଇ କେନ୍ଦ୍ରାପଡ଼ା ସମେତ ପୂରା ରାଜ୍ୟରେ ପୁଣି ଚର୍ଚ୍ଚା  । ଫେସ୍‌ବୁକ୍‌ରେ ଏହି ଆକାଉଣ୍ଟ କିଏ, କାହିଁକି ଖୋଲିଛି ତାର ଖୁଲ୍ଲାସା ହେବା ଦରକାର ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି  । ନହେଲେ ପୁଣି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ  ।

ବ୍ୟାକ୍‌ କରୁଛନ୍ତି ସାରଥି ! ସୋସିଆଲ ମିଡିଆରେ ସାରଥିଙ୍କ ନୂଆ ଷଡ଼ଯନ୍ତ୍ର ! ଅନୁଗାମୀଙ୍କୁ ମୋହରା କରି ଦେବତା ହେବାକୁ ନୂଆ ଭାଣ୍ଡାମି  । ଏଥର ବାରିମୂଳ ନୁହେଁ ଅଜ୍ଞାତ ସ୍ଥାନରୁ ପ୍ରବଚନ  । ପୁଣି ଶୁଭିଲାଣି ମାନ୍ୟବର ମାନ୍ୟବର  । ଅନର୍ଗଳ ପ୍ରବଚନ ଦେଉଛନ୍ତି ସାରଥି ଓରଫ ସନ୍ତୋଷ ରାଉଳ  । କେନ୍ଦ୍ରାପଡ଼ା ମାଟି, ବଳଦେବଜିଉଙ୍କ ମାଟି, ମହାକାଳଙ୍କ ମାଟିକୁ ଅପବିତ୍ର, ବଦନାମ କରିଥିବା ସେହି ସାରଥି  । ଯାହା ପାଇଁ ଅଶାନ୍ତ ହୋଇଥିଲା ବାରିମୂଳ  । ସୃଷ୍ଟି ହୋଇଥିଲା ଆଇନଶୃଙ୍ଖଳା ପରିସ୍ଥିତି  । ସେ ଏବେ ଫେରୁଛନ୍ତି  । କିନ୍ତୁ କେନ୍ଦ୍ରାପଡ଼ାକୁ ନୁହେଁ, ସୋସିଆଲ ମିଡିଆକୁ କରିଛନ୍ତି ମାଧ୍ୟମ  । ଏପରି ଅଭିଯୋଗ ଆସୁଥିବାବେଳେ ଆମେ ଦେଖାଇବୁ ଆପଣଙ୍କୁ ସାରଥିଙ୍କ ସେହି ଚାଲ୍‌  ।

ଦେଖନ୍ତୁ ଏ ହେଉଛି ସାରଥି ପ୍ରଭୁ ନାମରେ ସୋସିଆଲ ମିଡିଆରେ ଖୋଲିଥିବା ଆକାଉଣ୍ଟ  । ପ୍ରଭୁ ସାରଥିଙ୍କ କଥାମୃତ, ଅନଭୂତିରେ ପ୍ରଭୁ ସାରଥି, ଶ୍ରୀମଦ ସାରଥି ଦେବଙ୍କ ଦିବ୍ୟବାଣୀ ଏପରି ଶିରୋନାମାରେ ଅପ୍‌ଲୋଡ୍‌ ହୋଇଛି ଶହଶହ ବାଣୀ  । ଫୁଲ ରଖି ପୂଜା ପାଉଥିବା ପାଦ ମଧ୍ୟ ପୋଷ୍ଟ ହୋଇଛି  । ଆଉ କିଛି ଭିଡିଓରେ ଅନୁଗାମୀ ମଧ୍ୟ ସାରଥିଙ୍କ ମାହାତ୍ମ୍ୟ ମଧ୍ୟ ପ୍ରଚାର କରୁଛନ୍ତି  । ବଖାଣୁଛନ୍ତି ଅନୁଭୂତିର କଥା  । ଏପରିକି ପ୍ରତ୍ୟେକ ଶନିବାର ରାତି ଆଠଟାରେ ଫେସବୁକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଲାଇଭ ଦେଖିବାକୁ ପୋଷ୍ଟ ହୋଇଛି ପ୍ରମୋ  । ୩ ଓ ୪ ଅକ୍ଟୋବରରେ ପୋଷ୍ଟ ହୋଇଥିବା ଏହି ବାର୍ତ୍ତାକୁ ଦେଖନ୍ତୁ  । ଯେଉଁଥିରେ ଜଳେଶ୍ୱରରେ ଦିଲ୍ଲୀପ ସାର୍‌ଙ୍କ ଘରେ ସାରଥିଙ୍କ ପାଦରୁ ଗଙ୍ଗାଜଳ ଝରୁଥିବା ଉଲ୍ଲେଖ ରହିଛି  । ଯାହାକୁ ନେଇ ଦେଖାଦେଲାଣି ଅସନ୍ତୋଷ  । ଏପରି ଚାଲିଲେ ପୁଣି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ସତର୍କ କରାଇଦେଇଛନ୍ତି ବୁଦ୍ଧିଜୀବୀ  । ଓଡ଼ିଶାର ଲୋକ ସରଳ ବିଶ୍ୱାସୀ  । ସେମାନଙ୍କ ବିଷରେ ବିଶ୍ୱାସରେ ବିଷ ଦେଇ ସାରଥି କେନ୍ଦ୍ରାପଡ଼ା ବାରିମୂଳରେ ଚଳାଇଥିଲେ ଗୁରୁଗିପି । ୨୦୧୫ରେ ଭାଣ୍ଡାଫୋଡ୍‌ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କରାଯାଇଛି ତଡିପାର  ।

କେନ୍ଦ୍ରାପଡ଼ା ମାଟିରେ ପାଦ ଦେବାକୁ କରାଯାଇଛି ବାରଣ  । ତଥାପିଙ୍କ ନାମରେ କିଏ କାହିଁକି ଏବଂ କେଉଁ ଉଦ୍ଦେଶ୍ୟ ନେଇ ଫେସ୍‌ବୁକରେ ଆକାଉଣ୍ଟ ଖୋଲି ପ୍ରଚାର ପ୍ରସାର ଚଳାଇଛନ୍ତି ତାହା ସ୍ପଷ୍ଟ ହେବା ଦରକାର  । ଆକାଉଣ୍ଟ ପଛର ଅନୁଗାମୀମାନେ ମଧ୍ୟ ବୁଝିବା ଦରକାର ସେମାନେ ଯାହା କରୁଛନ୍ତି ତାର ପରିଣାମ ଭୟାବହ ଏବଂ ବେଆଇନ  । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସଂସ୍କୃତି ଗବେଷକ କହିଛନ୍ତି  । ସେ ସାମ୍ନାକୁ ଆସୁନାହାନ୍ତି  । ଅନୁଗାମୀଙ୍କ ଦ୍ୱାରା ଆରମ୍ଭ କରିଛନ୍ତି ପୁଣି ମିଛ ଆଧ୍ୟାତ୍ମିକ ସାମ୍ରାଜ୍ୟ ବିସ୍ତାରର ଭୟାନକ ଷଡ଼ଯନ୍ତ୍ର  ।

ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଦର୍ଶନକୁ ଦେଖି ସେୱାଗଙ୍କ କଟାକ୍ଷ, କହିଲେ ‘ବୃଦ୍ଧ କଲ୍ୟାଣ କେନ୍ଦ୍ର’

 

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ମୁମ୍ବାଇ ଏବଂ ଚେନ୍ନାଇ ମଧ୍ୟରେ ମ୍ୟାଚ ଜାରି ରହିଛି । ୩ ଥର ଚମ୍ପିୟାନ ହୋଇଥିବା ଚେନ୍ନାଇ ଚଳିତ ସିଜିନରେ ନିଜର ସବୁଠୁ ଖରାପ ପ୍ରଦର୍ଶନ କରିଛି । ତେଣୁ ଟୁର୍ନାମେଣ୍ଟର ଫ୍ଲେ ଅଫରେ ପହଞ୍ଚିବା କଷ୍ଟସାଧ୍ୟ । ଆଉ ଆଜିର ମ୍ୟାଚରେ ଯଦି ଚେନ୍ନାଇ ପରାସ୍ତ ହୁଏ, ତେବେ ତାଲିକାରେ ଶେଷରେ ରହି ସିଜିନ୍ ସାରିବାର ଆଶଙ୍କା ରହିଛି ।

ଏହି ଖବର ଲେଖା ହେଲା ବେଳକୁ ଧୋନି ବାହିନୀ ୫ ଉଇକେଟ ହରାଇ ସାରିଥିଲା । ହେଲେ ଏହିସମୟରେ ପୂର୍ବତନ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେୱାଗଙ୍କ ମନ୍ତବ୍ୟ ଚର୍ଚ୍ଚାର କାରଣ ହୋଇଛି । ଧୋନୀଙ୍କ ଚେନ୍ନାଇକୁ ଛିଗୁଲେଇ ସେହ୍ୱାଗ କହିଛନ୍ତି ଯେ, ସ୍ମିଥ ତୋ ଗେୟୋ, ରାଜସ୍ଥାନ ଫ୍ଲପ୍ ହୋ ଗୟୋ, ଆରେ ପାଣ୍ଡେ ଜୀ ଇତନେ ଦିନ କାହାଁ ଗୟୋ, କଲ ଆୟୋ ଅର ହାଇଦ୍ରାବାଦ କୋ ଦିଲ୍ଲ ଗାର୍ଡେନ ଗାର୍ଡେନ କର ଦିୟୋ । ଏଭଳି ଏକ ମଜାଦାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ବୀରେନ୍ଦ୍ର ସେୱାଗ ଅବସର ନେବା ପରେ ଏମିତି ମଜା ମଜା ଭିଡ଼ିଓ ଛାଡୁଥିବାର ନିଜର ଆସୁଛି । ସେ ଏକ ଭିଡିଓର ଚେନ୍ନାଇକୁ ଉପହାସ କରିବା ପାଇଁ ଏହାକୁ ବୃଦ୍ଧ କଲ୍ୟାଣ କେନ୍ଦ୍ର ବୋଲି ଅଭିହିତ କରିଥିଲେ । ହେଲେ ସେ କୌଣସି ବ୍ୟକ୍ତିଗତ ଆକ୍ଷେପ କରି ନ ଥିଲେ । ଏହାକୁ କେବଳ ମଜା ପାଇଁ କହିଥିଲେ । ପୂର୍ବରୁ ମଧ୍ୟ ଚେନ୍ନାଇର ଖରାପ ପ୍ରଦର୍ଶନକୁ ଦେଖି ସେୱାଗ କହିଥିଲେ ଯେ, ଏହା କେତେକ ଖେଳାଳିଙ୍କ ପାଇଁ ସରକାରୀ ଚାକିରୀ ।

ଆମ ଆସନ ଟଳମଳ, ଯୁବପିଢିଙ୍କ ପ୍ରତିଭା ଦେଖି ଡ଼ର ଲାଗିଲାଣି : ଅଭିଜିତ୍ ମଜୁମଦାର

‘ରାତି ଛୋଟକୁ ଏଠି ସପନ ବେଶୀ, ହୃଦୟ ବଡ଼ ହେଲେ ଅଳପ ଖୁସି । ରାଗ ଭୁଲି ଦେ ତୁ ହସି । ତୁ ଥା ମୁଁ ଯାଉଛି ରୁଷି’ ଅଭିନେତା ଅରିନ୍ଦମଙ୍କ ଅଭିନୀତ ଏହି ଗୀତଟିକୁ ଗାଇଥିଲେ ବାବୁଲ ସୁପ୍ରିୟୋ । ଆଉ ଏହାକୁ ସ୍ୱର ଦେଇଥିବା ସଂଗୀତ ନିର୍ଦ୍ଦେଶକ ପରବର୍ତ୍ତୀ ସମୟରେ ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିଲେ । କେବଳ ଏହି ଗୀତ ନୁହେଁ । ତାଙ୍କ ସଂଗୀତ ନିର୍ଦ୍ଦେଶନାରେ ରହିଛି ଏମିତି ଢେର ସାରା ଗୀତ । ପ୍ରାଥମିକ ଭାବେ ‘ମାନନୀୟ ଜଗନ୍ନାଥ’, ‘ନନ୍ଦଲାଲାର ଟିକିପିଲା’ ଭଳି ଭଜନକୁ ସ୍ୱର ଦେଇଥିବା ବ୍ୟକ୍ତିଜଣଙ୍କ ପରବର୍ତ୍ତୀ ସମୟରେ ମେଲୋଡ଼ି, ଡ୍ରାମା ଏବଂ ସିଜିନି ଅନୁଯାୟୀ ଚାଲୁଥିବା ଗୀତରେ ନିଜକୁ ବ୍ୟସ୍ତ ରଖିଥିବା ମଣିଷ । ସେ ହେଉଛନ୍ତି ସଭିଙ୍କ ଅଭିଜିତ ଦା ଓରଫ ଅଭିଜିତ ମଜୁମଦାର । ଶାରଦୀୟ ପର୍ବ ଅବ୍ୟବହତି ମଧ୍ୟରେ ନନ୍ଦିଘୋଷ ଡିଜିଟାଲ ପକ୍ଷରୁ ତାଙ୍କ ସହ ହୋଇଥିବା ସାକ୍ଷାତକାରର କିଛି ଅଂଶ ନିମ୍ନରେ ପ୍ରଦାନ କରାଗଲା ।

୧. ସବୁ ବର୍ଷ ପୂଜାରେ ଅଭିଜିତ ଷ୍ଟେଜ୍ ପ୍ରୋଗ୍ରାମରେ ବ୍ୟସ୍ତ ଥାଆନ୍ତି । ହେଲେ ଏଥର କରୋନା ସମୟ । ଅଭିଜିତ ଏବେ କରୁଛନ୍ତି କ’ଣ?

ଉତ୍ତର- ବର୍ତ୍ତମାନ ତ କରୋନା ସମୟ । ତେଣୁ କୌଣସି ଶୋ ନାହିଁ । ସମ୍ବଲପୁର ମୋ ନିଜ ଘର । ଘରେ ବାପା, ମାଆ ସମସ୍ତେ ଅଛନ୍ତି । ତେଣୁ ସେମାନଙ୍କ ସହ ସମୟ ବିତାଇବା ପାଇଁ ଆସିଯାଇଛି । ଏଥିସହିତ ମୋ ଗୁରୁ ଜ୍ଞାନ ମହାପାତ୍ର ସାର, ମୋ ବନ୍ଧୁ ମାନଙ୍କୁ ଭେଟିବି । ଦାଦା ଯୋଉଠି ଯାଏ, ସେଠି ରୋଳା ହୁଏ । ମୁଁ ସମ୍ବଲପୁର ଆସିଥିବା ଖବର ଜାଣି କେତେକ ସାଙ୍ଗ ଛୋଟ ଧରଣର କାର୍ଯ୍ୟକ୍ରମ ଆୟୋଜନରେ ଲାଗି ଗଲେଣି । କୋଭିଡ଼ କଟକଣା ସହ ଆମେ ମଜା କରିବୁ ।

୨. କିଛିବର୍ଷ ପୂର୍ବରୁ ଆଲବମ୍ ଇଣ୍ଡଷ୍ଟ୍ରି ଭାରି ଡିମାଣ୍ଡରେ ଥିଲା । କାଳକ୍ରମେ ତାହା ଉଣା ହେଲା । ହେଲେ ବର୍ତ୍ତମାନ ୟୁ-ଟ୍ୟୁବ ମନୋରଞ୍ଜନର ଯୁଗ । ଏହି ପରିବର୍ତ୍ତନକୁ କିପରି ଦେଖୁଛନ୍ତି ?

ଉତ୍ତର- ନିଶ୍ଚିତ ରୂପେ ୟୁ-ଟ୍ୟୁବ ଆଉ କ୍ଷୁଦ୍ର ଚଳଚ୍ଚିତ୍ର ଆମକୁ ବଞ୍ଚାଇ ଦେଇଛି । କରୋନା ଯୋଗୁ ସିନେମା ପ୍ରାୟତଃ ବନ୍ଦ ଅଛି । ସିନେମା ଦ୍ୱାରା ଅଧିକ ଅର୍ଥ ମିଳିଥାଏ ସତ ହେଲେ ୟୁ-ଟ୍ୟୁବରେ ପାରଶ୍ରମିକ କମ୍ । ହେଲେ ଏହା ସମସ୍ତ କଳାକାରଙ୍କୁ ଏକ ବିକଳ୍ପ ରାହା ଯୋଗାଇଛି । ତେଣୁ ପୂର୍ବରୁ ୟୁ-ଟ୍ୟୁବକୁ ମନା କରୁଥିଲେ । ଏବେ କିନ୍ତୁ ଭାରି ଜୋରରେ ଏଥିରେ ମାତିଛି । ସେହିଭଳି ସରକାର ସୁଟିଂ ପାଇଁ ଅନୁମତି ଦେଇଥିବା ସକାରତ୍ମକ ଖବର । ବର୍ତ୍ତମାନ ସମୟରେ ୟୁ-ଟ୍ୟୁବ ମନୋରଞ୍ଜନର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି ।

୩.ଓଡ଼ିଆ ସିନେ ସଂଗୀତର ବର୍ତ୍ତମାନ ସ୍ଥିତି ସମ୍ପର୍କରେ କ’ଣ କହିବେ?

ଉତ୍ତର- ଓଡ଼ିଶା ଗୋଟେ ସଂଗୀତ ସହ ଓତଃପ୍ରୋତ ଭାବେ ଜଡିତ ଥିବା ରାଜ୍ୟଟିଏ । ଏଠି ବାହାଘର ଉତ୍ସବରେ ଗୀତ ହୁଏ । ଭସାଣିରେ ବି ଗୀତ ହୁଏ । ପରିଜନ ମରିଗଲେ ବି କେତେକ ସ୍ଥାନରେ ପାରମ୍ପରିକ ଗୀତ ବୋଲାଯାଏ । କେଉଁଠି ନା କେଉଁଠି ସଂଗୀତ ଆମ ଜନଜୀବନ ସହ ଜଡ଼ିତ ହୋଇ ରହିଯାଇଛି । ଆମ ରାଜ୍ୟରେ ବାଳକୃଷ୍ଣ ଦାଶଙ୍କ ଭଳି ବ୍ୟକ୍ତିତ୍ୱ ଜନ୍ମଗ୍ରହଣ କରିଛନ୍ତି । କୋଉ ପ୍ରାଚୀନ କାଳରୁ ଓଡ଼ିଶୀ ଆମର ସମ୍ପତ୍ତି ହୋଇ ରହିଛି । ସଂଗୀତର ସାଉଣ୍ଡ କ୍ଷେତ୍ରରେ ମଧ୍ୟ ଆମେ ସମୃଦ୍ଧ ହୋଇ ଗଲେଣି । ସାଉଣ୍ଡରେ ଆମେ ପଶ୍ଚିମବଙ୍ଗ ପାଖାପାଖି ପହଞ୍ଚିଗଲେଣି । ଆମ ରାଜ୍ୟରେ ଭଲ ଭଲ ସାଉଣ୍ଡ ଡିଜାଇନରମାନେ ଅଛନ୍ତି । ସେହିଭଳି ପ୍ରାଚୀନ ସଂଗୀତ, ଲୋକ ଗୀତ, କୋରାପୁଟିଆ ଗୀତ, ସମ୍ବଲପୁରୀ ଲୋକଗୀତକୁ ନେଇ ଭଲ ଗୀତ କରାଯାଇଛି ।

୪. କମ୍ପ୍ୟୁଟର ଆସିବା ପରେ ସଂଗୀତ ପାଇଁ ଅଧିକ ପରିମାଣରେ ଭିଏସଟି ବ୍ୟବହାର କରାଯାଉଛି । ମୋଟ ଉପରେ କହିବାକୁ ଗଲେ ଆକ୍ୱାଷ୍ଟିକକୁ କେହି ପଚାରୁ ନାହାନ୍ତି । ଏହା ଦ୍ୱାରା ସଂଗୀତର ଗୁଣାତ୍ମକ ହ୍ରାସ ହେଉନି କି?

ଉତ୍ତର- ଏହା ଅତି ସୁନ୍ଦର ପ୍ରଶ୍ନଟିଏ । ଏବେ ଭିଏସଟିକୁ ଅଧିକ ମାତ୍ରାରେ ରଖି ଆକ୍ୱାଷ୍ଟିକ୍ କମି ଯାଉଛି । ଅତୀତରେ ଭଉଁରୀ ବୋଲି ଗୋଟିଏ ସିନେମା କରିଥିଲି । ଏଥିରେ କେବଳ ଆକ୍ୱାଷ୍ଟିକ ହିଁ ବ୍ୟବହାର କରାଯାଇଥିଲା । ଆମେ ଏଥିରେ ଧୂମସା, ହେମସା, ଚଡ଼ଚଡି, ବଂଶୀ, ମେଣ୍ଡୋଲି, ମଣ୍ଡଲା ବ୍ୟବହାର କରିଥିଲୁ । ବିଷୟକୁ ନେଇ ଆମେ କାମ କରିଥାଉ । ଆଗାମୀ ଦିନରେ ଗୋଟିଏ ସିନେମାରେ ମାନ୍ଦଲ, ଢୋଲର ସ୍ୱରକୁ ନେଇ ସଂଗୀତ ପ୍ରସ୍ତୁତ କରୁଛୁ ।

୫. କେବଳ ପ୍ଲଟ ନା ଆଉ କୌଣସି ବିଷୟ ପାଇଁ ଏମିତି ଆଶ୍ରୟ ନିଅନ୍ତି?

ଉତ୍ତର- କାହାଣୀ ହିଁ ନିର୍ଦ୍ଧାରଣ କରିଥାଏ । ବାଳୁଙ୍ଗା ଟୋକା ସିନେମାରେ ଅନୁଭବଙ୍କ ପାଇଁ କ୍ଲାସିକାଲ ବ୍ୟବହାର କରାଯାଇ ପାରି ନ ଥାନ୍ତା । ଆଗରୁ ପ୍ରତି ସିନେମାରେ ଭଜନଟିଏ ରହୁଥିଲା । ଏବେ ତାହା ସମ୍ପୂର୍ଣ୍ଣ ମିସ୍ ହେଉଛି । ଇସ୍କ ହେ ମୌଲା ମୌଲା ଗୀତରେ ସୁଫିଆନା ସଂଗୀତ ଦିଆଗଲା , ତବଲା ବ୍ୟବହାର କଲା । ରେ ମନ ତୁ ଭଲ ପାଉଚୁରେ ଗୀଟାରକୁ ଗୁରୁତ୍ୱ ଦିଆଗଲା ।

୬. ନୂଆ ଗାୟକ ମାନେ ଆସୁଛନ୍ତି  । ସେମାନେ ସଫଳତା, ଲୋକପ୍ରିୟତା ପାଇବା ପରେ ଅଧ୍ୟବସାୟରେ ହେଳା କରୁଛନ୍ତି କି ?

ଉତ୍ତର- ସାମ୍ପ୍ରତିକ ସମୟରେ ବହୁ ପ୍ରତିଭାବାନ ଗାୟକ ସୃଷ୍ଟି ହୋଇଛନ୍ତି । ମାର୍କେଟକୁ ନୂଆ ନୂଆ ଗାୟକ ଆସୁଛନ୍ତି । ତେଣୁ ଏବେକାର ଗାୟକମାନେ ନିଜକୁ ପ୍ରସ୍ତୁତ କରି ରଖୁଛନ୍ତି ।ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ରହିଛି । ଆଗରୁ ଗାୟକମାନେ ଢିଲା ମାରୁଥିଲେ । ଏବେ ଆଉ ନାହିଁ । ସେ ଅଧିକ ଫୋକସ୍ କରୁଛନ୍ତି । କେବଳ ସିଙ୍ଗର ନୁହେଁ, ନୂଆ ନୂଆ ସଂଗୀତ ନିର୍ଦ୍ଦେଶକ ମଧ୍ୟ ଆସିଲେଣି । ଦିନ ଥିଲା କଳାକାର ମାନେ ଲୋକ ଗରିବ ବୋଲି ଭାବୁଥିଲେ । ଏବେ ସମୟ ବଦଳିଛି, ସିନେମାର ହିରୋ, ହିରୋଇନଙ୍କ ପରି ସେମାନେ ମଧ୍ୟ ଭଲ ପାରିଶ୍ରମିକ ପାଇଲେଣି ।

୭. ଯୁବ ଗାୟକ,ଗାୟିକାଙ୍କ ପରି ଯୁବ ସଂଗୀତ ନିର୍ଦ୍ଦେଶକ ଆସୁଛନ୍ତି କି? ଏହା ଉପରେ ଆପଣଙ୍କ ରାୟ କ’ଣ?

ଉତ୍ତର- ବହୁତ ନୂଆନୂଆ ସଂଗୀତ ନିର୍ଦ୍ଦେଶକ ମାର୍କେଟକୁ ଆସିଲେଣି । ମୁଁ ତ ଡରି ଗଲେଣି । ଅସଦ ନିଜାମ, ସୋମେଶ, ବିରଜା,ଜାପାନୀ ଭଲ ସଂଗୀତ କରୁଛନ୍ତି । ସେମାନେ ବହୁତ ଅପଡେଟ୍ ରହୁଛନ୍ତି । ସେମାନଙ୍କ ସାଉଣ୍ଡ ସମ୍ବଦ୍ଧୀୟ ଜ୍ଞାନ ପକ୍କା ରହୁଛି ।

 

୮. ସେହିସବୁ ଯୁବ ସଂଗୀତ ନିର୍ଦ୍ଦେଶକଙ୍କ ପାଇଁ ଆପଣଙ୍କ କ’ଣ ବାର୍ତ୍ତା ରହିବ ?

ଉତ୍ତର- ଗୋଟିଏ ଟେଷ୍ଟରେ ଶହେ ମାରିବା ଏବଂ ପରବର୍ତ୍ତୀ ସମୟରେ ସଚିନ ତେନ୍ଦୁଲକର ହେବା ୨ଟି ଭିନ୍ନ କଥା । ବର୍ତ୍ତମାନର ସମସ୍ତ ଯୁବ ସଂଗୀତ ନିର୍ଦ୍ଦେଶକ ଶହେ ମାରିଛନ୍ତି । ହେଲେ ଏତିକିରେ କାମ ସରେନି । ସେମାନଙ୍କୁ ସଚିନ ତେନ୍ଦୁଲକର ହେବାକୁ ପଡ଼ିବ । ଲମ୍ବା ରେସ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ । କିନ୍ତୁ ସେମାନେ ଆମ ପିଢିଠାରୁ ଅଧିକ ଜାଣିଛନ୍ତି ଏବଂ ଅଧିକ ଜ୍ଞାନ ଆହରଣ କରିବା ସହ ଅପ-ଟୁ-ଡେଟ୍ ରହୁଛନ୍ତି ।

 

୯. ଅଭିଜିତଙ୍କ ବିରୋଧରେ ସବୁଠୁ ବଡ଼ ଅଭିଯୋଗ ଲୋକପ୍ରିୟତା ପାଇଁ ଅନେକ ସମୟରେ ଶସ୍ତା ତଥା ଚାଲୁ ସଂଗୀତ ପରିବେଷଣ କରିଥାଆନ୍ତି?

ଉତ୍ତର- ଏକଥା ର ଉତ୍ତରରେ ଅଧିକ କହିବି । ସବୁଠାରୁ ଭଲ ଗୀତଗୁଡିକର ତାଲିକା ମୋ ନାଁରେ ଅଛି । ଆପଣମାନେ କହୁଥିବା ଶସ୍ତା ଗୀତର ତାଲିକା ବି ଅଛି । ହାଏରେ ହାଏ ତୋର ଚେହେରା, ତୋର ନୂଆ ସାୟରୀ, ତୁଥା ମୁଁ ଯାଉଛି ଋଷି କରିଛି । ହେଲେ ପପୁ ଅଭିନୟ କରୁଥିବା ରଙ୍ଗୀଲା ଟୋକା ସିନେମାରେ ଲିପଷ୍ଟିକ୍ ବାଲି ପାର କରେଗା କରିଛି । ହେଲେ ପରବର୍ତ୍ତୀ ସମୟରେ ପପୁ ପାଇଁ ଭଲ ପାଇଁ ଗଲି ସିନେ..ଜାଣେନା ନା ତୁ ମୋ କିଏ.. ଧାତ୍ ଗୀତ କରିଛି । ତେଣୁ ତାହା କାହାଣୀ ଏବଂ ଚରିତ୍ର ଉପରେ ଅଧିକ ନିର୍ଭର କରିଥାଏ ।

୧୦. ବେଳେ ଅନ୍ୟ ସଂଗୀତରୁ ପ୍ରେରଣା ନାଁ ଅନୁକରଣ ହୋଇଯାଏ । ଆଉ ଏହି ଅନୁକରଣ ହନୁକରଣରେ ପରିଣତ ହୋଇଯାଏ । ଏହାକୁ ନେଇ କ’ଣ କହିବେ?

ଉତ୍ତର- ଏହା ଠିକ୍ କଥା । ବେଳେ ବେଳେ ସଂଗୀତ ମିଶି ଯାଏ । କେତେକ ସମୟରେ ସ୍ୱର କରିବା ପରେ ପ୍ରଯୋଜକ ମାନେ ଖୁସି ହୋଇ ଯାଆନ୍ତି । ପରିବର୍ତ୍ତନ କରିବାକୁ ଚାହିଁଲେ ମନା କରନ୍ତି । ତେଣୁ ସେହି ଏକା ଗୀତ ରହିଯାଏ । କିନ୍ତୁ କେତେ ଗୀତ ଅବିକଳ କରାହୋଇଛି । ଏହା ଅନେକ ସମୟରେ ବାହାର ଲୋକ ଜାଣି ଆମକୁ ସମାଲୋଚନା କରନ୍ତି । ଆମକୁ ବି ଖରାପ ଲାଗେ । ହେଲେ ଆମ ଗୀତକୁ ନେଇ ବି ଭୋଜପୁରୀ, ଆସାମୀରେ କପି ହେଉଛି । ହେଲେ ତାହା ଅନେକଙ୍କୁ ଅଜଣା । ପ୍ରେରଣା ଯଦି ନ ହୋଇ ଥାଆନ୍ତା , ତେବେ ଏସ୍.ଡି ବର୍ମନ ଓଡ଼ିଆ ଗୀତ ‘ମଲ୍ଲୀ ମାଳ ଶ୍ୟାମକୁ ଦେବି’’ ଗୀତରୁ ହିନ୍ଦୀ ଗୀତ ‘ପିୟା ତୋସେ ନୈନା ଲଗେରେ’ ବନେଇ ନ ଥାନ୍ତେ ।

୧୧. ଜଣେ ଗାୟକ, ସଂଗୀତ ନିର୍ଦ୍ଦେଶକ, ମଞ୍ଚ ଗାୟକ କେଉଁ ପରିଚୟ ଆପଣଙ୍କୁ ଭଲ ଲାଗେ ?

ଉତ୍ତର-ଓଡ଼ିଆ ସିନେ ଜଗତ ମୋତେ ଦାଦା ବୋଲି ଡାକିଥାଏ । ଏହି ‘ଦାଦା’ ଡାକ ହିଁ ମୋତେ ସବୁଠୁ ଅଧିକ ଭଲ ଲାଗେ ।

ଆକାଶ ଛୁଆଁ ହେଲାଣି ପିଆଜ ଦର ! ଜାଣନ୍ତୁ ଦରବୃଦ୍ଧି ପଛର ୪ କାରଣ ଓ କେବେ କମିବ ମୂଲ୍ୟ…

ନୂଆଦିଲ୍ଲୀ: ଦେଶବ୍ୟାପୀ ପିଆଜ ଦରରେ ଲାଗିଛି ନିଆଁ । ନିଇତି ବଢ଼ି ଚାଲିଛି ଦର । ଲଗାତାର ଦ୍ୱିତୀୟ ବର୍ଷ ଖୁଚୁରା ବଜାରରେ ବଢ଼ିଛି ପିଆଜର ଭାଉ । ମୁମ୍ବାଇ ଓ ପୁନେରେ ପିଆଜର ପାଇକାର ଦର କେଜି ପିଛା ୧୦୦ ଟଙ୍କା ପହଞ୍ଚିଛି । ସରକାରଙ୍କ ଅନୁସାରେ ଦେଶରେ ପିଆଜର ଖୁଚୁରା ମୂଲ୍ୟ ୫୫ ଟଙ୍କା ୬୦ ପଇସା କେଜି ପିଛା ଥିଲା । ସେହିଭଳି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପିଆଜର କେଜି ପିଛା ଦର ୫୦ ଟଙ୍କା ଥିଲା । ତେବେ, କାହିଁକି ଅଚାନକ ବଢ଼ିଲା ପିଆଜର ଦର ।

Onion Prices Jumps Four Times Know Reason Why Rates Of Onion Get Increased

ସ୍ଥିତି ବିଗାଡ଼ିଲା ବର୍ଷା

ଭାରତରେ ତିନି ଋତୁ ଖରିଫ (ଗ୍ରୀଷ୍ମ), ଖରିଫ (ଗ୍ରୀଷ୍ମ ପରେ) ଓ ରବି (ଶୀତ)ରେ ପିଆଜ ଚାଷ ହୁଏ । ସେପ୍ଟେମ୍ବରରେ ଖରିଫ ପିଆଜର ଅମଳ ଆରମ୍ଭ ହୋଇଥାଏ । ନଭେମ୍ବର ପରେ ଖରିଫ ଓ ଏପ୍ରିଲ ପରେ ରବି ପିଆଜ ଆସେ । ଗତବର୍ଷ ଓ ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ପରେ ପିଆଜ ଚାଷ ବେଶ୍ ପ୍ରଭାବିତ ହୋଇଥିଲା । କର୍ଣ୍ଣାଟକରେ ପିଆଜ ଖରିଫ ଫସଲ (ଗ୍ରୀଷ୍ମ) ସେପ୍ଟେମ୍ବରରେ ବଜାରକୁ ଆସେ । ଯାହାକି ପ୍ରବଳ ବର୍ଷା ପାଇଁ ପ୍ରଭାବିତ ହୋଇଛି । ସେହିଭଳି ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ମହାରାଷ୍ଟ୍ରରେ ବର୍ଷା ପିଆଜ ଫସଲକୁ ନଷ୍ଟ କରି ଦେଇଛି ।

Onion Prices Jumps Four Times Know Reason Why Rates Of Onion Get Increased

ପିଆଜ ମଞ୍ଜିର ଅଭାବ

ପିଆଜ ଦର ଆକାଶ ଛୁଆଁ ହେବା ପଛରେ ଦ୍ୱିତୀୟ କାରଣ ହେଉଛି ମଞ୍ଜିର ଅଭାବ । ଡା. ପିକେ ଗୁପ୍ତାଙ୍କ ଅନୁସାରେ- ଗତବର୍ଷ ରବି ଓ ଖରିଫ ପିଆଜ ଫସଲ ପାଇଁ ମଞ୍ଜିର ଅଭାବ ଥିଲା ଓ ଚଳିତବର୍ଷ ରବି ଫସଲ ପାଇଁ ମଞ୍ଜିର ଅଭାବ ରହିଛି । ଫଳରେ ଦର ବୃଦ୍ଧି ଘଟିବ । ଦେଶର ଆବଶ୍ୟକତା ପିଆଜ ମଞ୍ଜିର ଅତି କମରେ ୧୦ ପ୍ରତିଶତ ନିଅଣ୍ଟ ରହୁଛି । କାରଣ ଅଧିକାଂଶ କୃଷକ ଦରବୃଦ୍ଧି ପରେ ଗତବର୍ଷର ରବି ଋତୁର ପୁନଃ ପ୍ରତିରୋପଣ ପାଇଁ ରଖିଥିବା ପିଆଜକୁ ବିକି ଦିଅନ୍ତି । ଯାହାର ପ୍ରଭାବ ଖରିଫ ଚାଷ ଉପରେ ପଡ଼ୁଛି । ଏବଂ ରବି ଫସଲ ସମୟରେ ମଧ୍ୟ ସମାନ ସ୍ଥିତି ଉପୁଜୁଛି ।

Onion Prices Jumps Four Times Know Reason Why Rates Of Onion Get Increased

ଷ୍ଟକ ପର୍ଯ୍ୟାପ୍ତ ନୁହେଁ

ଚେନ୍ନାଇସ୍ଥିତ ରାଜତି ଗ୍ରୁପର ନିର୍ଦ୍ଦେଶକ ମଦନ ପ୍ରକାଶ (ପିଆଜ ରପ୍ତାନକାରୀ) କହିଛନ୍ତି- କେନ୍ଦ୍ର ସରକାରଙ୍କ ପାଖରେ ପିଆଜ ଷ୍ଟକ୍ ପର୍ଯ୍ୟାପ୍ତ ନାହିଁ । ସେ ସରକାରଙ୍କ ପିଆଜ ଷ୍ଟକ୍ (ଏକ ଲକ୍ଷ ଟନ୍) ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି କେବଳ ତାମିଲନାଡ଼ୁକୁ ଗୋଟିଏ ଦିନରେ ୨ ହଜାର ଟନ୍ ପିଆଜ ଆବଶ୍ୟକ । ଏଥିରୁ ଆପଣ ଅନୁମାନ କରିପାରିବେ ଦେଶବ୍ୟାପୀ କେତେ ଆବଶ୍ୟକତା ରହିଛି । ସେ ଆହୁରି କହିଛନ୍ତି- ଭୀଷଣ ବର୍ଷା ପାଇଁ ପିଆଜ ଫସଲରେ ଅନ୍ଥ୍ରୋନୋଜ ଓ ଟ୍ୱିଷ୍ଟର ନାମକ ବ୍ୟାକ୍ଟେରିଆ ବଢ଼ି ଯାଇଛନ୍ତି । ଯେଉଁଥିପାଇଁ ୭୦ ପ୍ରତିଶତ ପିଆଜ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏଥିପାଇଁ ରବି ଫସଲର ୩୫ ପ୍ରତିଶତ ସଂରକ୍ଷଣ ମଧ୍ୟ ନଷ୍ଟ ହୋଇଛି ।

Onion Prices Jumps Four Times Know Reason Why Rates Of Onion Get Increased

ଅସ୍ଥିର ପ୍ରିମିୟମ୍

ଏମସିଏକ୍ସ ଅଧ୍ୟୟନ ଅନୁସାରେ ଦ୍ରବ୍ୟର ଆନୁମାନିକ ଅଭାବ ହେତୁ ପିଆଜର ଦର ବୃଦ୍ଧିର ଚତୁର୍ଥ କାରଣ ‘ଅସ୍ଥିର ପ୍ରିମିୟମ୍’ । ଏଥିପାଇଁ କୃଷି ଉତ୍ପାଦନ ମାର୍କେଟିଂ କମିଟିର ବଜାର ଦର ଖୁଚୁରା ଠାରୁ ପ୍ରାୟ ଦୁଇଗଣ ହୋଇଯାଏ । କୃଷି ଅର୍ଥଶାସ୍ତ୍ରୀଙ୍କ ପ୍ରକାରେ- ଉତ୍ପାଦନ କମ୍ ହେବା କ୍ଷଣି ଦର ଓ ପ୍ରିମିୟମ୍ ଅଚାନକ ବଢ଼ିଯାଏ । ତେବେ, ଡା. ଗୁପ୍ତା ପିଆଜ ମୂଲ୍ୟ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ଉପରେ ଆଶା ପ୍ରକାଶ କରିଛନ୍ତି । କହିଛନ୍ତି- କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ବିଶେଷ କରି ଇଜିପ୍ଟ ଭଳି ଦେଶରୁ ଆମଦାନୀ ଅନୁମତି ଦେଉଛନ୍ତି ।

ରିପବ୍ଲିକର ୧ ହଜାର କର୍ମଚାରୀଙ୍କ ବିରୋଧରେ ଏତଲା ରୁଜୁ କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଟିଆରପି ସ୍କାମରେ ଛନ୍ଦି ହୋଇ ପଡ଼ିଥିବା ରିପବ୍ଲିକ ମିଡିଆ ପାଇଁ ବଢ଼ିଲା ଅଡ଼ୁଆ । ମୁମ୍ବାଇ ପୋଲିସ ଆଜି ରପବ୍ଲିକ ମିଡିଆ ନେଟୱର୍କର ଏକ ହଜାର କର୍ମଚାରୀଙ୍କ ବିରୋଧରେ ଏତଲା ରୁଜୁ କରିଛି । ଏହି ଏତଲା ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ନିର୍ଦ୍ଦେଶରେ ରୁଜୁ ହୋଇଥିବା କୁହାଯାଉଛି । ରିପବ୍ଲିକର ବରିଷ୍ଠ ସମ୍ପାଦକଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରୁଜୁ ହୋଇଛି ।

Mumbai Police Files Fir On Republics Entire Editorial Team

ଏହା ପୂର୍ବରୁ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ରିପବ୍ଲିକ ମିଡିଆ ନେଟୱର୍କର ଟଏଲେଟ୍ ପେପର, ଟିସ୍ୟୁ ପେପର, ଏ-୪ ପେପର ସମେତ ଷ୍ଟେସନାରୀ ଜିନିଷର ମୂଲ୍ୟର ତଥ୍ୟ ମାଗିଥିଲା । ଏପରିକି ପୋଲିସ ରିପ୍ଲବିକ ଏୟାର କଣ୍ଡିସନିଙ୍ଗ୍ ଉପକରଣ, ଫର୍ଣ୍ଣିଟର, ମେକଅପ୍, ସୁଟ୍, ଆଦି ସମ୍ବନ୍ଧରେ ତଥ୍ୟ ମାଗିଥିଲା । ଏସବୁ ତଥ୍ୟ ମାତ୍ର ୧୨ ଘଣ୍ଟା ମଧ୍ୟରେ ପ୍ରଦାନ ପାଇଁ ପୋଲିସ କହିଥିବା ରିପବ୍ଲିକ ଟିଭି ପକ୍ଷରୁ କୁହାଯାଇଛି ।

Fake TRP Scandal Mumbai Police Vishal Bhandari Diary Republic TV Households

ରିପବ୍ଲିକର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ସମେତ ୧ ହଜାର ଜଣ ସାମ୍ବାଦିକଙ୍କ ବିରୋଧରେ ଜାମିନ୍-ବିହୀନ ମାମଲା ରୁଜୁ ହୋଇଛି । ମିଥ୍ୟା ଖବର ପ୍ରସାରଣ କରି ମୁମ୍ବାଇ ପୋଲିସକୁ ବଦନାମ କରୁଥିବାରୁ ଆଇପିସିର ଧାରା ୫୦୦ ଓ ୩୪ ଲଗାଇଛି ପୋଲିସ ।

ସ୍ୱାସ୍ଥ୍ୟକର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଖୁବଶୀଘ୍ର ଉପଲବ୍ଧ ହୋଇପାରେ କରୋନା ଟିକା । ଉଭୟ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନର ସ୍ୱାସ୍ଥ୍ୟକର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ମହାପାତ୍ରଙ୍କ ଏଭଳି ନିର୍ଦ୍ଦେଶ ପରେ କରୋନା ଟିକା ଖୁଆଶୀଘ୍ର ଉପଲବ୍ଧ ହେବା ନେଇ ଆଶା ସଂଚାର ହୋଇଛି । ଓଡ଼ିଶା ରାଜ୍ୟ ଶାଖା ‘ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍’ର ଅଧ୍ୟକ୍ଷ ଓଡ଼ିଶାର ସମସ୍ତ ‘ପାରାମେଡିକ୍ ଓ୍ୱାର୍କର୍ସ ଆସୋସିଏସନ୍’ ଏବଂ ଓଡ଼ିଶା ପ୍ରାଇଭେଟ ହସ୍ପିଟାଲ ଓନର୍ସ ଆସୋସିଏସନର ଅଧ୍ୟକ୍ଷଙ୍କ ପାଖକୁ ପତ୍ର ଲେଖାଯାଇଛି । ଯେଉଁଥିରେ ଖୁବଶୀଘ୍ର କରୋନା ଭାଇରସ୍ ଟିକା ମଳିପାରେ ବୋଲି ଆଶା କରାଯାଉଛି । ତେଣୁ ଏହି ନୂଆ ଟିକାର ପ୍ରଚଳନ ନିମନ୍ତେ ପ୍ରସ୍ତୁତି କରିବା ଲାଗି ଉଭୟ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନର ସ୍ୱାସ୍ଥ୍ୟ କର୍ମୀ ବା ହେଲ୍ଥ  କେୟାର ଓ୍ୱର୍କର୍ସମାନଙ୍କର ଡାଟାବେସ୍ ପ୍ରସ୍ତୁତ କରିବା ଲାଗି ଭାରତ ସରକାର କହିଛନ୍ତି ।

ପିଆଜ ଦର ନିୟନ୍ତ୍ରଣକୁ ଆଣିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ, ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଯୋଗାଣ ବିଭାଗ