spot_img
Home Blog Page 6556

ପାଚିକାରୁ ପରୋପକାର କେଉଁଥିରେ କମ୍ ନୁହଁନ୍ତି ଦିବ୍ୟାଙ୍ଗ ରବୀନ୍ଦ୍ର

ମହାକାଳପଡ଼ା: ସେ ଜଣେ ଦିବ୍ୟାଙ୍ଗ । ହେଲେ ନିଜେ ନିଜ ଉପରେ ଆତ୍ମନିର୍ଭର । ବିଦ୍ୟାଳୟରେ ପୁରଷ ପାଚିକା ଭାବେ କାର୍ଯ୍ୟ କରୁଥିବା ରବୀନ୍ଦ୍ରଙ୍କ ନିଶା ଶିକ୍ଷାଦାନ । ବିଦ୍ୟାଳୟରେ ପାଚିକା ଭାବେ କାମ କରୁଥିବା ରବୀନ୍ଦ୍ର ସମୟ ମିଳିଲେ ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢାଇଥାନ୍ତି । କେବଳ ସେତିକି ନୁହେଁ ପଞ୍ଚାୟତରେ ପରୋପକାର କାମ ପାଇଁ ବେଶ୍ ଚର୍ଚ୍ଚିତ ରବୀନ୍ଦ୍ର ।

Meet Disabled Man Rabindra Of Kendrapada

କେନ୍ଦ୍ରାପଡ଼ା ଜିଲ୍ଲା ସୁନୀତି ପଞ୍ଚାୟତ ଖରଆଣ୍ଟା ଗାଁ ରବୀନ୍ଦ୍ର ନାୟକ । ଜନ୍ମରୁ ଦିବ୍ୟାଙ୍ଗ, ହେଲେ କାହାରି ଉପରେ ନିର୍ଭରଶୀଳ ନୁହଁନ୍ତି ସେ । କାପୁରାଇ ବିଦ୍ୟାଳୟରେ ପୁରୁଷ ପାଚିକା ଭାବେ କାର୍ଯ୍ୟ କରିବା ସହ ସମୟ ମିଳିଲେ ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷାଦାନ ଦେଇଥାନ୍ତି । ଏହା ସହିତ ସ୍କୁଲ ପରିବେଶ ପରିଷ୍କାର ରଖିବା ସହ ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟରେ ମଧ୍ୟ ଲାଗି ପଡ଼ିଥାନ୍ତି ।

Meet Disabled Man Rabindra Of Kendrapada

ଶିକ୍ଷାଦାନ ସହ ପରୋପକାର କାର୍ଯ୍ୟ ପାଇଁ ମଧ୍ୟ ରବୀନ୍ଦ୍ରଙ୍କ ବେଶ୍ ଚର୍ଚ୍ଚା । ଗାଁରେ ନଳକୂପ ସଜାଡ଼ିବା ହେଉ କି କାହାକୁ ବାର୍ଦ୍ଧକ୍ୟ ଭତ୍ତା । ସବୁଥିରେ ଆଗଭର ହୋଇ ନିଜ ତିନି ଚକିଆ ଟ୍ରାଇ ସାଇକେଲ ଧରି ତୁରନ୍ତ ବାହାରି ପଡ଼ନ୍ତି ରବୀନ୍ଦ୍ର । ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କର ଏପରି ପରୋପରାକାରୀ କାର୍ଯ୍ୟକୁ ସମସ୍ତେ ବେଶ୍ ପ୍ରଂଶସା କରୁଛନ୍ତି ।

ଲଦାଖରୁ ଚୀନ୍‌ ସୈନିକଙ୍କୁ ଗିରଫ କଲା ଭାରତୀୟ ସେନା, ମିଳିଲା ସେନା ସମ୍ବନ୍ଧିତ କାଗଜପତ୍ର

ନୂଆଦିଲ୍ଲୀ / ଲଦାଖ: ଗୋଟିଏ ପଟେ ଭାରତ ଓ ଚାଇନା ମଧ୍ୟରେ ଏଲ୍‌ଏସିରେ ତିକ୍ତତା ବଢ଼ୁଥିବା ବେଳେ ଅନ୍ୟପଟେ ଭାରତୀୟ ସୀମା ଭିତରୁ ଜଣେ ଚୀନ୍‌ ସୈନିକଙ୍କୁ ଗିରଫ କରାଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚୀନ୍‌ ସୈନିକ କାହିଁକି ଭାରତ ଭିତରେ ପ୍ରବେଶ କରିଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ମଳିଥିବା ସୂଚନା ଅନୁସାରେ ଉକ୍ତ ଚୀନ୍‌ ସୈନିକ ରାସ୍ତା ଭୁଲି ଭାରତୀୟ ସୀମାରେ ପ୍ରବେଶ କରିଥିବା ଅନୁମାନ କରାଯାଉଛି । ତେଣୁ ତାଙ୍କୁ ଭାରତୀୟ ସେନା ନିଜ କଷ୍ଟଡିରେ ରଖିଛି । ପ୍ରୋଟୋକଲ ଅନୁଯାୟୀ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କୁ ଚୀନ୍‌ ସେନାକୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି । ଲଦାଖର ଡେମ୍‌ଚୋକ୍‌ ଇଲାକାରୁ ଉକ୍ତ ଚୀନ୍‌ ସୈନିକଙ୍କୁ ଗିରଫ କରିଛି ଭାରତୀୟ ସେନା ।

China

ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଚୀନ୍ ସୈନିକଙ୍କ ନାମ କର୍ପୋରଲ୍‌ ୱାଙ୍ଗ କିମ୍ବା ଲଙ୍ଗ । ତାଙ୍କୁ ଭାରତୀୟ ସେନା ପକ୍ଷରୁ ଥଣ୍ଡାରୁ ରକ୍ଷା ପାଇଁ ଚିକିତ୍ସା ସହାୟତା, ଖାଦ୍ୟ ଏବଂ ଉଷୁମ ପୋଷାକ ଯୋଗାଇ ଦିଆଯାଇଛି ।

China

ସୂତ୍ରରୁ ପ୍ରକାଶ ଯେ, ଚୀନ୍ ସେନାର ଷଷ୍ଠ ମୋଟରାଇଜଡ୍ ଇନ୍‌ଫେନ୍‌ଣ୍ଟ୍ରି ଡିଭିଜନର ଏହି ସୈନିକଙ୍କୁ ପଚରାଉଚରା କରାଯାଉଛି । ସେ କୌଣସି ଗୁପ୍ତମିଶନରେ ଭାରତରେ ପ୍ରବେଶ କରିଥିବା ନେଇ ସନ୍ଦେହ କରାଯାଉଛି । ତାଙ୍କ ନିକଟରୁ କିଛି ସେନାର ଦଲିଲ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

ଯୁବକଙ୍କୁ ଗଳାକାଟି ହତ୍ୟା ଘଟଣାରେ ୧୨ ଗିରଫ

ସମ୍ବଲପୁର: ଜୁଜୁମରା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୁଜୁମୁରା ଥାନା ପୋଲିସ । ବାନ୍ଦେର ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ଧୋଲୋମୁଣ୍ତା ଗାଁର ନିଲାମ୍ଵର ବନଛୋରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିବା ସହ ୧୨ ଜଣଙ୍କୁ ଗିରଫ କରିଛି ।

Jujumura Police Arrested 12 In A Murder Case

ଜଙ୍ଗଲରେ ଜୀବଜନ୍ତୁଙ୍କ ଶିକାର ପାଇଁ ଅଭିଯୁକ୍ତମାନେ ବିଦ୍ୟୁତ୍ ତାର ବିଛାଇଥିଲେ । ଉକ୍ତ ତାର ସଂପ୍ସର୍ଶରେ ଚାଲି ଯାଇଥିଲା ନିଳାମ୍ବରଙ୍କ ଜୀବନ । ଏହାକୁ ଲୁଚାଇବାରୁ ଯାଇ ଅଭିଯୁକ୍ତମାନେ ନୀଳାମ୍ବରଙ୍କୁ ଧାରୁଆ ଅସ୍ତ୍ରରେ  ଆକ୍ରମଣ ପରେ ଗଳାକାଟି ଜଙ୍ଗଲକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା ।

Jujumura Police Arrested 12 In A Murder Case

ଅଭିଯୋଗ ପରେ ଶୁକ୍ରବାର ଠାରୁ ତଦନ୍ତ ଆରମ୍ଭ କରିଥିଲା ଜୁଜୁମୁରା ପୋଲିସ । ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ରାହ୍ମଣୀପାଲିର ଗାଁର ୧୨ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି । ପୋଲିସି ଧାରା ୩୦୨/୨୦୧/୩୪ ଆଇପିସିରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ନୀତିଶ କୁମାର -ଚିରାଗ ପାଶୱାନଙ୍କ କଳି ପଛରେ କିଏ ?

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ । ଭୋଟଦାନ ଦିନ ଯେତିକି ପାଖେଇ ଆସୁଛି, ନିର୍ବାଚନ ନେଇ ସେତିକି ଉତ୍କଣ୍ଠା ବଢୁଛି । କେବଳ ବିହାର ନୁହେଁ, ସାରା ଦେଶର ରାଜନୈତିକ ବର୍ଗ ମହଲର ନଜର ଏହି ନିର୍ବାଚନ ଉପରେ ରହିଛି । ଭୋଟ ଗ୍ରହଣ ପୂର୍ବରୁ ଲୋକେ ନିର୍ବାଚନକୁ ନେଇ ଭିନ୍ନ ଭିନ୍ନ ଧାରଣା ରଖିଲେଣି । କିଛି ସପ୍ତାହ ତଳେ ଯେଉଁ କଥା କେବଳ ଗଣମାଧ୍ୟମ ଏବଂ ରାଜନୈତିକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସୀମିତ ରହିଥିଲା । ତାହା ଏବେ ସାଧାରଣ ବିହାରୀ ମୁହଁରେ ଶୁଣିବାକୁ ମିଳୁଛି । ଆମେ କେଉଁ ଆଡ଼କୁ ଇସାରା କରୁଛୁ, ତାହା ଆଉ ଆପଣଙ୍କ ଅବୁଝା ନ ଥିବ ।

ଲୋକ ଜନଶକ୍ତି ପାର୍ଟି(ଏଲଜେପି) ବିହାର ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ଅଂଶୀଦାର ହୋଇ ରହିନାହିଁ । ହେଲେ ବିଜେପି ବିରୋଧରେ ପ୍ରାର୍ଥୀ ମଧ୍ୟ ଦେଇ ନାହିଁ । ବିହାରରେ ଏନଡିଏର ପ୍ରମୁଖ ଅଂଶୀଦାର ଜେଡି(ୟୁ) ବିରୋଧରେ କିନ୍ତୁ ଶାଣିତ ଆକ୍ରମଣ କରୁଛି ଏଲଜେପି । ଜେଡିୟୁ ଲଢୁଥିବା ପ୍ରତିଟି ଆସନରେ ପ୍ରାର୍ଥୀ ଦେଇ ଏଲଜେପି ନୀତିଶ କୁମାରଙ୍କ ଭୟାନକ କ୍ଷତି ସାଧନ କରିବାକୁ ଚେଷ୍ଟା କରିଛନ୍ତି ।

ନିକଟରେ ଟୁଇଟରରେ ହ୍ୟାସଟ୍ୟାଗ ମାଧ୍ୟମରେ ଅସମ୍ଭବ ନୀତିଶ ଶବ୍ଦକୁ ଯୋଡା ଯଆଇ ପ୍ରଚାର କରାଯାଉଛି । ଏହାର ଅର୍ଥ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାର ରାଜନୀତିର କ୍ଷମତାକୁ ଫେରିବା ଅସମ୍ଭବ । ଏହାକୁ ଏଲଜେପି ପ୍ରମୁଖ ଚିରାଗ ପାଶୱାନ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ବହୁଳ ଭାବେ ଭାଇରାଲ କରାଯାଇଛି । ନୀତିଶ କୁମାର ଏବଂ ତାଙ୍କ ସହଯୋଗୀ ବିଗତ ୧୫ ବର୍ଷର କାର୍ଯ୍ୟକଳାପକୁ ଦେଖି ଭୋଟ ମାଗୁଛନ୍ତି । ଏହି ପ୍ରଚାରକୁ ତାତ୍ସଲ୍ୟ କରି ଚିରାଗ କୁହନ୍ତି ଯେ, ୧୫ ବର୍ଷର କଥା ଛାଡନ୍ତୁ ନୀତିଶ ବାବୁ । ବିଗତ ୫ ବର୍ଷରେ ଜେଡିୟୁ ସରକାର କ’ଣ କରିଛି । ତାହାର ହିସାବ ପ୍ରଥମେ ଦିଅନ୍ତୁ  ବୋଲି ଚିରାଗ କହିଛନ୍ତି ।

ଖାଲି ସେତିକି ନୁହେଁ, ଗତ ୫ ବର୍ଷରେ ବିହାରରେ ଅଫିସର ରାଜ ବଢିଛି । ଶାସନତନ୍ତ୍ରରେ ଶିଥୀଳତା ଆସିଛି । ନୀତିଶ କୁମାରଙ୍କ ଦ୍ୱାରା ପ୍ରତିଶ୍ରୁତି ଦିଆଯାଇଥିବା ୭ ନିଶ୍ଚୟ କାର୍ଯ୍ୟକ୍ରମ ମଧ୍ୟରୁ କୌଣସି ଗୋଟିଏ ବି ସଫଳ ହୋଇ ନାହିଁ ବୋଲି ଜୁନିୟର ପାଶୱାନ ମତ ରଖିଛନ୍ତି । ତେଣୁ ବିହାରରେ ଜେଡିୟୁ-ଭାଜପା ନୁହେଁ, ବିହାରରେ ଭାଜପା-ଏଲଜେପି ସରକାର ଗଠନ ହେବାର ଆବଶ୍ୟକତା ରହିଛି । ବିହାରଫାଷ୍ଟ୍ ବିହାରୀଫାଷ୍ଟ ହିଁ ଦଳର ଲକ୍ଷ୍ୟ । ଏଥିପାଇଁ ବିହାରବାସୀଙ୍କ ସ୍ନେହ, ଶ୍ରଦ୍ଧା ଆବଶ୍ୟକ ରହିଥିବା ଟୁଇଟ୍ କରି ଚିରାଗ କହିଛନ୍ତି । ହେଲେ ପ୍ରାୟ ୧୬ ମାସତଳେ ସାଧାରଣ ନିର୍ବାଚନରେ ବିହାରର ଜମୂଇ ଆସନରେ ନୀତିଶଙ୍କୁ ଚିରାଗ ପ୍ରଚାର ପାଇଁ ନେଇଥିଲେ । ନୀତିଶ ମଧ୍ୟ ଚିରାଗଙ୍କ ପାଇଁ ଭୋଟ ମାଗିଥିଲେ । ହେଲେ ଏତେ କମ୍ ସମୟରେ କେମିତି ଚିରାଗଙ୍କ ଆଭିମୁଖ୍ୟ ବଦଳିଗଲା ବୋଲି ଚର୍ଚ୍ଚା ଚାଲିଛି । ତେଣୁ ଏଲଜେପିର ଜେଡିୟୁ ମାଇନସ ବଟ୍ ବିଜେପି ପ୍ଲସର ଚିନ୍ତାଧାର ଭାଜପାର ନା ଆଉ କାହାର ।

 

ରାଜନୈତିକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚିରାଗ ରଣନୀତି ପଛରେ ଭାଜପା ଏକମାତ୍ର ହିଁ କାରଣ ନାହିଁ । ବିହାର ରାଜନୀତିରେ ନୀତିଶଙ୍କ ଶତ୍ରୁ ସଂଖ୍ୟାର ମଧ୍ୟ ଅଭାବ ନାହିଁ । ୨୦୧୫ ବିଧାନସଭା ନିର୍ବାଚନରେ ନୀତିଶଙ୍କ ବ୍ଲୁ-ଆଇଡ୍ ବଏ ଥିବା ଜଣେ ବ୍ୟକ୍ତି ମଧ୍ୟ ଚିରାଗଙ୍କୁ ବିଦ୍ରୋହ ପାଇଁ ଉସକାଉଛନ୍ତି । ସେହି ବ୍ୟକ୍ତିଜଣଙ୍କ ବିହାର ବିଧାନସଭା ନିର୍ବାଚନରେ ଅଦୃଶ୍ୟ ରହିଛନ୍ତି । ହେଲେ କେତେକ ଛୋଟଛୋଟ କଥାରେ ମୁଣ୍ଡ ଖେଳାଉଛନ୍ତି । ସେ ବର୍ତ୍ତମାନ ପଶ୍ଚିମବଙ୍ଗ ରାଜନୀତିର ମମତା ବାନାର୍ଜୀଙ୍କ ପରାମର୍ଶଦାତାଭାବେ କାର୍ଯ୍ୟ କରୁଛନ୍ତି ।  ହଁ , ଆମେ କାହା କଥା କହୁଛୁ, ଆପଣମାନେ ଠଉରେଇ ସାରିବେଣି ।

ସେ ହେଉଛନ୍ତି ପ୍ରଶାନ୍ତ କିଶୋର । ଜେଡିୟୁରୁ ନିଲମ୍ବିତ ହେବା ପରେ ନୀତିଶ ବିରୋଧୀ ଲୋକଙ୍କ ସହ ଯୋଡି ହୋଇଛନ୍ତି ପ୍ରଶାନ୍ତ । ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚା(ହାମ) ଜେଡିୟୁ ନିକଟତର ହେବା ପୂର୍ବରୁ ଏଲଜେପିକୁ ରଣନୀତି ବଦଳାଇବାକୁ ପରାମର୍ଶ ଦେଇଥିଲେ ପ୍ରଶାନ୍ତ । ଖାଲି ସେତିକି ନୁହେଁ ଏଲଜେପି କିପରି ତୃତୀୟ ସାମ୍ମୁଖ୍ୟ ତଥା ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟର ସହ ଆସନ ବୁଝାମଣା କରିପାରିବ । ସେ ନେଇ ମଧ୍ୟ ପ୍ରଶାନ୍ତ ଚେଷ୍ଟା କରୁଛନ୍ତି । ତେଣୁ ଚିରାଗଙ୍କ ଆଭିମୁଖ୍ୟ ଏତେମାତ୍ରାରେ ନୀତିଶ ବିରୋଧୀ ହୋଇଥିବା କୁହାଯାଇଛି ।

ହେଲେ ଏଲଜେପି ମୁଖ୍ୟପାତ୍ର ଅସରଫ ଅନସାରୀ ଅତି ଚାଲାକିର ସହ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି । ହେଲେ ଏହି କଥା ହିଁ ବିହାର ପାୱାର କରିଡ଼ରର ପ୍ରମୁଖ ପ୍ରସଙ୍ଗ ହୋଇଛି ।

 

ହାଥରସ୍‌ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ଜେରା କରିବ CBI, ମେଡିକାଲରେ ବି ପହଞ୍ଚିବ ଟିମ୍‌

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ହାଥରସ୍‌ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା କରିବ ସିବିଆଇ । ଏଥିପାଇଁ ସୋମବାର ସିବିଆଇର ୧୦ ଜଣିଆ ଟିମ୍ ଆଲିଗଡ଼ରେ ପହଞ୍ଚିଛନ୍ତି । ଏହି ଟିମ୍ ଦୁଇଟି ଭାଗରେ ବିଭକ୍ତ ହୋଇଛି । ଗୋଟିଏ ଟିମ୍ ଜେଏନ୍ ମେଡିକାଲ କଲେଜରେ ଡାକ୍ତରଙ୍କୁ ଭେଟିବାକୁ ଯାଇଥିବା ବେଳେ ଅନ୍ୟ ଏକ ଟିମ୍ ଅଭିଯୁକ୍ତଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି ।

Another Dalit Minor Girl Rape Murder Case In UP Bhadohi After Hathras Balrampur

ଘଟଣା ଘଟିବା ପରେ ହାଥରସ୍‌ରେ ପ୍ରାଥମିକ ଚିକିତ୍ସା ପରେ ପୀଡିତାଙ୍କୁ ଆଲିଗଡ଼ ଜେଏନ ମେଡିକାଲକୁ ନିଆଯାଇଥିଲା । ଏଠାରେ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଚାଲିଥିଲା । ସେଠାରୁ ଦିଲ୍ଲୀ ନିଆଯାଇଥିଲା ଓ ପରେ ୨୯ ସେପ୍ଟେମ୍ବରରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସିବିଆଇ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରଖିଛି । ଲଗାତାର ଜଣକ ପରେ ଜଣକୁ ପଚରାଉଚରା କରୁଛି ସିବିଆଇ । ହେଲେ ଘଟଣାକୁ ଅନେକ ଦିନ ବିତି ଯାଇଥିବାରୁ ପ୍ରମାଣ ସଂଗ୍ରହ କରିବାକୁ ସିବିଆଇକୁ ସମୟ ଲାଗୁଥିବା କୁହାଯାଉଛି ।

Rape Attempt Victim Attacked Stabbed With Knife Kanpur UP

ସେପଟେ ୧୪ ସେପ୍ଟେମ୍ବରରେ ଯେଉଁ ବାଜରା କ୍ଷେତରେ ଏହି ଘଟଣା ଘଟିଥିଲା ସେହି ଜମିର ମାଲିକ ଯୋଗୀ ସରକାରଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦାବି କରିଛି । ଘଟଣା ପରଠାରୁ ପୋଲିସ୍ ତାଙ୍କୁ ତାଙ୍କ ଜମିକୁ ଯିବାକୁ ଦେଉନାହିଁ । ଜମି ଚାରିପଟେ ଅବରୋଧ କରାଯାଇଛି । ସେପଟେ ଜମି ମାଲିକ ସୋମ୍‌ ସିଂହଙ୍କ ଭାଇ ବିକ୍ରମ ଓରଫ ଛୋଟୁକୁ ପୋଲିସ୍ ପ୍ରତ୍ୟକ୍ଷଦର୍ଶୀ ଭାବେ ଦର୍ଶାଇଛି । ତାଙ୍କୁ ସିବିଆଇ ଏବେ ସୁଦ୍ଧା ଦୁଇଥର ଜେରା କରି ସାରିଛି । ଘଟଣା ଦିନ ସେ କ୍ଷେତରେ ଘାସ କାଟୁଥିଲା । ଚିତ୍କାର ଶୁଣିବା ପରେ ଯାଇ ଦେଖିବା ବେଳକୁ ଯୁବତୀ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ । ସେଠାରେ ତାଙ୍କ ଭାଇ ଓ ମାଆ ବି ଉପସ୍ଥିତ ଥିବା ସେ ସିବିଆଇକୁ ନିଜ ବୟାନରେ କହିଥିଲେ ।

ହଟିଲା ସ୍ୱର୍ଗଦ୍ୱାରରେ ଶବଦାହ କଟକଣା, ମାନିବାକୁ ପଡ଼ିବ ଏହି ନିୟମ

ପୁରୀ: ଏଣିକି ବାହାର ଜିଲ୍ଲାର ଲୋକ ବି ପୂର୍ବଭଳି ପୁରୀ ସ୍ୱର୍ଗଦ୍ୱାର ଶବଦାହ କରିପାରିବେ । ଜିଲ୍ଲା ବାହାର ଲୋକଙ୍କ ପାଇଁ ଜିଲ୍ଲା ପ୍ରଶାସନ ଲାଗୁ କରିଥିବା ପୂର୍ବ କଟକଣାକୁ ଉଠାଇ ନେଇଛି । ଫଳରେ ପୂର୍ବଭଳି ବାହାର ଜିଲ୍ଲା ଲୋକ ସ୍ୱର୍ଗଦ୍ୱାର ଆସି ଶେଷକୃତ୍ୟ କରିପାରିବେ ।

Other District People Can Cremated Body of Relatives In Swargadwar

ତେବେ ଶବଦାହ ବେଳେ ସମସ୍ତଙ୍କୁ କୋଭିଡ୍ ନିୟମ ପାଳନ ସହ ଅନ୍ୟ ସମସ୍ତ ନିୟମ ମାନିବାକୁ ପଡ଼ିବ । କିନ୍ତୁ, ସ୍ୱର୍ଗଦ୍ୱାରରେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବଦାହ କରାଯାଇ ପାରିବ ନାହିଁ । ଏହା ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିବ । ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି ।

Other District People Can Cremated Body of Relatives In Swargadwar

ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ବାହାର ଲୋକଙ୍କ ଶବଦାହ ଉପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଥିଲା । ଏବେ ରାଜ୍ୟ ସହ ଜିଲ୍ଲାରେ ସଂକ୍ରମଣ ଖସୁଥିବା ବେଳେ ପ୍ରଶାସନ ପ୍ରତିବନ୍ଧକ ହଟାଇ ଦେଇଛି । ଏଯାବତ୍ ପୁରୀ ଜିଲ୍ଲାରେ ୧୧ ହଜାର ୮୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧ ୪୯ ଜଣ ସୁସ୍ଥ ହୋଇଛନ୍ତି । ୭୧୬ଟି ସକ୍ରିୟ ସଂକ୍ରମଣ ରହିଥିବା ବେଳେ ଜିଲ୍ଲାରେ ୭୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ଟ୍ୱିଟର୍‌ କହିଲା ଜାମ୍ମୁ-କାଶ୍ମୀର ଚୀନ୍‌ର ! ଉପଭୋକ୍ତା କହିଲେ ଅଧିକାରୀଙ୍କୁ ଗିରଫ କର…

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ଅଫିସର ମାନଙ୍କୁ ଗିରଫ କରାଯାଉ । ଏଭଳି ଦାବି ସୋସିଆଲ ମିଡିଆରେ ଏବେ ଜୋର ଧରିଛି । ମାଇକ୍ରୋବ୍ଲଗିଂ ଓ୍ୱେବ୍‌ ସାଇଟ୍‌ ଟ୍ୱିଟରକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ  ଅସନ୍ତୋଷ ବଢ଼ିବାରେ ଲାଗିଛି । ଯାଥାଶୀଘ୍ର ଟ୍ୱିଟର ଇଣ୍ଡିଆର ଅଧିକାରୀଙ୍କୁ ଗିରଫ କରଯାଉ ବୋଲି ୟୁଜର୍ସ ମାନେ ଦାବି କରିଛନ୍ତି ।

ଟ୍ୱିଟର ପକ୍ଷରୁ ଜାମ୍ମୁ-କାଶ୍ମୀର ଏକ ସ୍ଥାନକୁ ଚାଇନାର ଅଂଶ ବୋଲି ଦର୍ଶାଯିବା ପରେ ବିବାଦ ଆରମ୍ଭ ହୋଇଛି । ଇଣ୍ଟରନେଟ୍‌ରେ ଟ୍ୱିଟରର ଏଭଳି ଆଚରଣକୁ ଏକ ବଡ଼ ଅପରାଧ ବୋଲି ଲୋକମାନେ ବିବେଚନା କରିଛନ୍ତି । ତେଣୁ ଯେଉଁ ଏଭଳି ଭୁଲ ପାଇଁ ଦାୟୀ ସେମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ୟୁଜର୍ସମାନେ ଦାବି କରିଛନ୍ତି ।

ଟ୍ୱିଟରର ଏଭଳି ଆଚରଣ ବିରୋଧରେ ପ୍ରଥମେ ଅବଜରର୍ଭର ରିସର୍ଚ୍ଚ ଫାଉଣ୍ଡେସନ୍‌ (ଓଆରଏଫ)ର କାଞ୍ଚନ ଗୁପ୍ତା ଏହି ସ୍ୱର ଉଠାଇଥିଲେ । କାଞ୍ଚନ ଗୁପ୍ତା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଥିଲେ, ‘ଟ୍ୱିଟର ଏବେ ଭୂଗୋଳ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇସାରିଛି’। ଟ୍ୱିଟର ପକ୍ଷରୁ ଜାମ୍ମୁ କାଶ୍ମୀରର ଏକ ଅଂଶକୁ ଚୀନ୍‌ର ବୋଲି ଦର୍ଶାଯାଇଛି । ଏହା ଯଦି ଭାରତୀୟ ଆଇନ୍‌ର ଉଲ୍ଲଂଘନ ନୁହେଁ, ତେବେ କ’ଣ  ? କ’ଣ ଆମେରିକା କମ୍ପାନୀ ଭାରତୀ ଆଇନ୍‌ଠାରୁ ଉର୍ଦ୍ଧ୍ୱରେ ।

କାଞ୍ଚନ ଗୁପ୍ତା ଏଥିରେ ଟେଲିକମ୍ ଏବଂ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଟ୍ୟାଗ୍ କରିଛନ୍ତି । ଏହା ପରେ ଅନ୍ୟ ଟ୍ୱିଟର ବ୍ୟବହାରକାରୀମାନେ ମଧ୍ୟ ଟ୍ୱିଟର ଇଣ୍ଡିଆର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

ଏକ ଲାଇଭ୍‌ ବ୍ରଡ୍‌କାଷ୍ଟରେ ଜାମ୍ମୁ-କାଶ୍ମୀରକୁ ଚୀନ୍‌ର ଅଂଶ ବୋଲି ଦର୍ଶଯାଇଥିବା ବିବାଦକୁ ନେଇ ଟ୍ୱିଟରର ଲୋକସମ୍ପର୍କ ଅଧିକାରୀ କହିଛନ୍ତି, ଏହା ଏକ ବୈଷୟିକ ତ୍ରୁଟି ରହିଥିଲା । ଏଥିପ୍ରତି ଆମେ ଅବଗତ ରହିଛୁ । ଏହି ଘଟଣାର ସମ୍ବେଦନଶୀଳତାକୁ ଆମେ ସମ୍ମାନ ଦେଉଛୁ । ଆମ କମ୍ପାନୀ ପକ୍ଷରୁ ଏହି ବୈଷୟିକ ତ୍ରୁଟିକୁ ଯଞ୍ଚ କରାଯାଇ ଏହାର ସମାଧାନ କରାଯାଇ ସାରିଛି ।

ଏହି ଘଟଣାକୁ ନେଇ ଜଣେ ଟ୍ୱିଟର ଉପଭୋକ୍ତା ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ, ଭାରତ ଏହି ପ୍ରସଙ୍ଗରେ ନୀରବ ରହିବା ଉଚିତ୍ ନୁହେଁ । ଟୁଇଟର ଇଣ୍ଡିଆର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଗିରଫ କରାଯିବା ଉଚିତ୍ ।

ସାଣ୍ଟ ମିସାଇଲର ସଫଳ ପରୀକ୍ଷଣ, ଆକାଶରୁ ସ୍ଥଳ ଭାଗକୁ କଲା ଲକ୍ଷ୍ୟଭେଦ

ବାଲେଶ୍ୱର: ଓଡ଼ିଶ ସମୁଦ୍ର ଉପକୂଳରୁ ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ ମିସାଇଲ (SANT)ର ଉତକ୍ଷେପଣ କରାଯାଇଛି । ଆକାଶରୁ ସ୍ଥଳଭାଗକୁ ଲକ୍ଷ୍ୟଭେଦ୍ କରିଛି ସାଣ୍ଟ । ଏହାକୁ ଯୁଦ୍ଧବିମାନରୁ ଉତକ୍ଷେପଣ କରାଯିବା ପରେ ଲକ୍ଷ୍ୟଭେଦ କରିଥିଲା । ସାଣ୍ଟର ଲକ୍ଷ୍ୟଭେଦ କ୍ଷମତା ୧୫ରୁ ୨୦ କିଲୋମିଟ ରହିଥିବା ବେଳେ ଏହାର ଓଜନ ୪୩ କିଲୋଗ୍ରାମ । ୧.୮୫ ମିଟର ଲମ୍ବର ସାଣ୍ଟରେ ୮ କେଜି ପର୍ଯ୍ୟନ୍ତ୍ର ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

Standoff Anti-Tank Missile Sant Flight Tested Successfully 

ଏହା ପୂର୍ବରୁ ୨୦୧୮ ମସିହାରେ ପୋଖରଣରେ ହେଲିନା ସାଣ୍ଟ ମିସାଇଲର ଉତକ୍ଷେପଣ କରାଯାଇଥିଲା । ଭାରତୀୟ ବାୟୁ ସେନା ଓ ଡିଆରଡିଓର ମିଳିତ ଉତକ୍ଷେପଣ ସଫଳ ହୋଇଥିଲା ।

୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ୨୩ ଯାଏଁ ବର୍ଷା

ଭୁବନେଶ୍ୱର: ପୁଣି ବର୍ଷା ବିପଦ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହୋଇପାରେ । ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୨୦ ତାରିଖରେ ପ୍ରବଳ ବର୍ଷା ନେଇ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଉପକୂଳ ଓଡ଼ିଶା ସହ ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି ।

A Fresh Low Pressure Area Likely To Form Over Central Bay Of Bengal Around 19th October

୨୧ ତାରିଖରେ ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୨ ତାରିଖରେ ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏଥିସହ ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Rain Forecast Yellow Alert Issued To Nine Districts

୨୩ ତାରିଖରେ ମଧ୍ୟ ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହିଥିବାରୁ ୨୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ମୂର୍ତ୍ତି ବିବାଦରେ ହାଇକୋର୍ଟର ଶୁଣାଣି; ୯ଟି ମଣ୍ଡପରେ ବଡ ମୂର୍ତ୍ତି ଓ ସବୁଠି ହେବ ପୂଜା…

କଟକ: ଦୁର୍ଗାପୂଜା ମୂର୍ତ୍ତି ବିବାଦ ମାମଲାରେ ହାଇକୋର୍ଟ ଶୁଣାଣି କରିଛି । ଶୁଣାଣିରେ କଟକ ସହରର ୯ଟି ବଡ ମୂର୍ତ୍ତି ପୂଜାକୁ ଅନୁମତି ମିଳିଛି । ତେବେ ଏହି ୯ଟି କମିଟି ପକ୍ଷରୁ ସମସ୍ତ ତଥ୍ୟ କୋର୍ଟ ସମ୍ମୁଖରେ ରଖାଯାଇଥିଲା । ସେହିଭଳି ଆଡଭୋକେଟ୍ ଜେନେରାଲ୍ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷ ରଖି ତଥ୍ୟ ଉପସ୍ଥାପିତ କରିଥିଲେ । ସମସ୍ତ ପକ୍ଷର ତର୍କ ଶୁଣି ସାରିବା ପରେ କୋର୍ଟ ଏଭଳି ନିଷ୍ପତ୍ତି ନେଇଛି ।

ତେବେ ରାଜ୍ୟ ସରକାରଙ୍କ ପାର୍ବଣ ଗାଇଡଲାଇନ ଆଧାରରେ ହିଁ ଏହି ପୂଜା କମିଟି ପୂଜା କରିପାରିବ ବୋଲି ସ୍ପଷ୍ଟ ଶଦ୍ଦରେ କୁହାଯାଇଛି । କରୋନା କଟକଣାରେ କୌଣସି ଖିଲାପ ଦେଖାଗଲେ, କାର୍ଯ୍ୟାନୁଷ୍ଠାନ ହେବ । ତେବେ ଭସାଣୀ ନିଷ୍ପତ୍ତିକୁ ସରକାର ପ୍ରଶାସନ ହାତରେ ଟେକିଛନ୍ତି । ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଦେଖି ଏସମ୍ୱନ୍ଧୀତ ନିଷ୍ପତ୍ତି ନେବେ ବୋଲି କୋର୍ଟ କହିଛି ।

ଅନ୍ୟ ପକ୍ଷରେ କମିଶନରେଟ୍ ପୋଲିସ ପାର୍ବଣ ଋତୁ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି । ଚାନ୍ଦା ଆଦାୟ ଏକ ପ୍ରକାର ବଟି ଆଦାୟ ବୋଲି କହିଛି । କମିଟି କାହାରିକୁ ଚାନ୍ଦା ପାଇଁ ବାଧ୍ୟ କରିପାରିବ ନାହିଁ ବୋଲି କହିଛି । ଏଭଳି ଅଭିଯୋଗ ସାମ୍ନାକୁ ଆସିଲେ, ସଂମ୍ପୃକ୍ତ କମିଟି ବଟି ଆଦାୟ କରୁଛି ବୋଲି ଧରି ନିଆଯିବ ଓ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିଶନରେଟ୍ ପୋଲିସ୍ ସ୍ପଷ୍ଟ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ସମସ୍ତ ପୂଜା ମଣ୍ଡପ ୪ଫୁଟ ମଧ୍ୟରେ ମୂର୍ତ୍ତି କରିବାକୁ ସେପ୍ଟେମ୍ବର ୧୦ ତାରିଖରେ ଗାଇଡ୍‌ଲାଇନ ଜାରି କରିଥିଲେ ରାଜ୍ୟ ସରକାର। ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ପୋଲିସ କମିଶନର ମଧ୍ୟ ଗତ ସେପ୍ଟେମ୍ବର ୧୭ ତାରିଖରେ ସମାନ ନିର୍ଦ୍ଦେଶନାମା ଦେଇଥିଲେ। ରାଜ୍ୟ ସରକାର ଓ ପୋଲିସ କମିଶନରଙ୍କ ଏହି ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜ୍ଜୁ ମାମଲାର ଶୁଣାଣି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଚାଲିଥିଲା।

ଗତ ସେପ୍ଟେମ୍ବର ୩୦ ତାରିଖରେ ପୋଲିସ କମିଶନରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଗତ ୯ ତାରିଖରେ ପୋଲିସ କମିଶନର ସାନି ସତ୍ୟପାଠ ଦାଖଲ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଜବାବ ଦାଖଲ କରାଯାଇଥିଲା । ତେବେ ଏବେ ଶୁଣାଣି ଆସିବା ପରେ କଟକର ସବୁଠି ମୂର୍ତ୍ତି ପୂଜା ହେବା ସହ ୯ଟି ବଡ ମୂର୍ତ୍ତି ପୂଜା ପାଇବ ।