spot_img
Home Blog Page 6555

‘ମୋ ସରକାର’ ଦ୍ୱାରା ମନିଟର୍‌ ହେବ ବିଦ୍ୟୁତ୍ ସେବା

ଭୁବନେଶ୍ୱର: ଏଣିକି ବିଦ୍ୟୁତ୍‌ ବିଲ୍ ପୈଠ କିମ୍ବା ବିଦ୍ୟୁତ୍‌ ସମ୍ବନ୍ଧୀୟ ଅନ୍ୟ କୌଣସି କାମ ପାଇଁ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଅଫିସକୁ ଯିବାକୁ ପଡ଼ିବନି । ଆପ୍‌ ମାଧ୍ୟମରେ ହେବ ସମସ୍ତ ସମସ୍ୟାର ସମାଧାନ । ରାଜ୍ୟ ସରକାରଙ୍କ ଦ୍ୱାରା  ଉଦ୍‌ଘାଟିତ ହେଲା ‘ମୋ ବିଦ୍ୟୁତ୍’ ଆପ  ଏବଂ ୱେବ ପୋର୍ଟାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆପ ଏବଂ ପୋର୍ଟାଲକୁ ଆନୁଷ୍ଠାନିକ ଭାବେ  ଲୋକାର୍ପିତ କରିଛନ୍ତି । ରାଜ୍ୟ ଶକ୍ତି ବିଭାଗରେ 5T ପ୍ରୟାସ ଦିଗରେ ଏହି ନୂଆ ପଦକ୍ଷେପ ନିଆଯାଇଛି ।

CM Naveen Patnaik Inaugurated Mo Bidyut App

ଏଥିରେ ବିଦ୍ୟୁତ୍ ଉପଭୋକ୍ତା ଓ ଜନସାଧାରଣ ତ୍ୱରିତ ଓ ଦକ୍ଷ ସେବା ପାଇବେ । ଆପ୍ ମାଧ୍ୟମରେ ଉପକୃତ ହେବେ ୮୯ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା । ଏଣିକି ବିଦ୍ୟୁତ୍ ସେବା ‘ମୋ ସରକାର’ ଦ୍ୱାରା ମନିଟର୍‌ କରାଯିବ । ୫ କିଲୋୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ୪୮ଘଣ୍ଟାରେ ଦିଆଯିବ । ଅନ୍‌ଲାଇନ୍‌ ବିଦ୍ୟୁତ୍ ଦେୟରେ ଉପଭୋକ୍ତାଙ୍କୁ ୨ ପ୍ରତିଶତ ଅତିରିକ୍ତ ରିହାତି ମିଳିବ । କୋଭିଡ୍ ମହାମାରୀ ବେଳେ ଏହି ପୋର୍ଟାଲର ଶୁଭାରମ୍ଭ, ରାଜ୍ୟ ସରକାରଙ୍କ ଏକ ସମୟ ଉପେଯୋଗୀ ପଦକ୍ଷେପ । ଏହି ଅବସରରେ ଗ୍ରୀଡକୋ ସିଏମଡି ସୌରଭ ଗର୍ଗ ଏହି ଆପ ଏବଂ ପୋର୍ଟାଲର ଉପକାରିତା ସମ୍ପର୍କରେ ବିଶେଷ ତଥ୍ୟ ରଖିଥିଲେ ।

ସେହିପରି ଏହି ଆପ ଯେଉଁ ଉଦ୍ଦେଶ୍ୟରେ କରାଯାଉଛି । ତାହାକୁ ଉପଯୋଗ କରିବା ପାଇଁ ଗ୍ରୀଡକୋ ସିଏମଡି ଅନୁରୋଧ କରିଥିଲେ ।

ଓଡ଼ିଶାକୁ ପାକିସ୍ତାନ ସହ ତୁଳନା, ବିଜେପି କହିଲା ଏ ପ୍ରସଙ୍ଗରେ ଆମେ ନାହୁଁ ବୈଜୟନ୍ତଙ୍କ ସହ

ଭୁବନେଶ୍ୱର: ବିବାଦ-ବୈଜୟନ୍ତ-ବକ୍‌ୱାସ୍ । ଏ ତିନୋଟି ଶବ୍ଦ ପରସ୍ପର ସହ ଏଥିପାଇଁ ଜଡ଼ିତ ଯେ, ବୈଜୟନ୍ତ ପ୍ରଥମେ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କଲେ । ସମାଲୋଚନାର ଶିକାର ପରେ ଅର୍ଥ କଦର୍ଥ କହି ଖସି ଯିବାକୁ ଉଦ୍ୟମ କଲେ । ହେଲେ ମାତୃଭୂମି ପ୍ରତି ଅପଶବ୍ଦର ବ୍ୟବହାର କରି ତିଳେ ମାତ୍ର ଅନୁତାପ କଲେ ନାହିଁ । ଯେଉଁ ମାଟି ତାଙ୍କୁ ଓ ତାଙ୍କ ପରିବାରକୁ ପ୍ରତିପତ୍ତିଶାଳୀ କରିଛି, ଯେଉଁ ମାଟି ତାଙ୍କୁ କ୍ଷମତା ଉପଭୋଗ କରିବାର ସୁଯୋଗ ଦେଇଥିଲା, ତାର ଇଜ୍ଜତକୁ ମାଟିରେ ମିଶାଇବାକୁ ପଛାଇଲେ ନାହିଁ ବିଜେପିର ଏହି ରାଷ୍ଟ୍ରୀୟ ନେତା । ଓଲଟି ନିଜ ପତ୍ନୀଙ୍କ ମାଲିକାନାରେ ଥିବା ଚ୍ୟାନେଲର ଓକିଲାତି ପାଇଁ ଏକ ଜାତୀୟ ଗଣମାଧ୍ୟମକୁ ମଧ୍ୟ ଅସ୍ତ୍ର ସଜାଇଲେ ବୈଜୟନ୍ତ । ଏବେ ଏହି ଟ୍ୱିଟର ଟାଇଗରଙ୍କ ବିରୋଧରେ ନିନ୍ଦାର ତାଲିକା ଯେତିକି ବଢୁଛି, ବିଦ୍ରୋହର ସ୍ୱର ବି ସେତିକି ତେଜୁଛି । ଲଢୁଆ ଓଡ଼ିଆ ଜାତି ମୁଣ୍ଡରେ ଅପବାଦ ଲଗାଇଥିବା ବୈଜୟନ୍ତଙ୍କ ବିରୋଧରେ ଏବେ ସବୁଠି ଅସନ୍ତୋଷର ନିଆଁ ।

Baijayant Panda Odisha Like Pakistan Tweet, BJP Said We Are Not With Him

‘ଜାତିର ଉନ୍ନତି ସେ କାହୁଁ କରିବ ସ୍ୱାର୍ଥେ ଯାର ବ୍ୟସ୍ତ ମନ,

ଶାଗୁଆ ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ ?’

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅମରବାଣୀକୁ ଆଜି ଏଥିପାଇଁ ମନେପକାଇବାକୁ ବାଧ୍ୟ ହେଉଛୁ ଯେ, ଯେତେବେଳେ ଜଣେ ସ୍ୱାର୍ଥରେ ଅନ୍ଧ ହୋଇଯାଏ, ସେ ଜାତି ଓ ନିଜ ମାତୃଭୂମିକୁ ସମ୍ମାନ ଦେବାକୁ ଭୁଲିଯାଏ । ହୀନ ରାଜନୀତିର ସୂତ୍ରଧର ବୈଜୟନ୍ତ ପଣ୍ଡା ଯାହାର ଜ୍ୱଳନ୍ତ ଉଦାହରଣ । ଏକାଧିକ ଥର ଓଡ଼ିଶା ମାଟିରୁ ନିର୍ବାଚିତ ହୋଇବି ସ୍ୱାର୍ଥପରତାରେ ସବୁସୀମା ଟପି ଯାଇଛନ୍ତି ବିଜେପିର ଏହି ନେତା । ନିଜ ପାରିବାରିକ ନ୍ୟୁଜ୍ ଚ୍ୟାନେଲର ଇମେଜ ବଞ୍ଚାଇବାକୁ ଯାଇ ରକ୍ତମୁଖା ହୋଇଯାଇଛନ୍ତି ବୈଜୟନ୍ତ । ଓଡ଼ିଶାର ଆଇନ୍ ବ୍ୟବସ୍ଥାକୁ ପାକିସ୍ତାନ ସହ ତୁଳନା କରିଛନ୍ତି । ତାଙ୍କର ଏହି ମତକୁ ବିରୋଧ କରି ଝାରସୁଗୁଡ଼ାର ଖିଦମତ କମିଟି,  ସଙ୍ଗିନୀ ପରି ଅନେକ ସାମାଜିକ ସଙ୍ଗଠନ ଝାରସୁଗୁଡା ରେଳ ଷ୍ଟେସନ ଆଗରେ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ବୈଜୟନ୍ତ ରାଜନୈତିକ ଲାଭ ପାଇଁ ଓଡ଼ିଶାର ମାନ ମହତ୍ତ ଉପରେ କଟାକ୍ଷ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଛବିକୁ ମଳିନ କରିବାକୁ ଉଦ୍ୟମ କରିଥିବା ସଂଗଠନ ପକ୍ଷରୁ କୁହାଯାଇଛି । ସେପଟେ ସମ୍ବଲପୁର ଗୋଲ ବଜାର ଛକରେ ଘଟଣାକୁ ନିନ୍ଦା କରି କୁଶ ପୁତ୍ତଳିକା ଦାହ କରିଛି ସ୍ୱାଭିମାନ ଓଡ଼ିଶା ।

Baijayant Panda Odisha Like Pakistan Tweet, BJP Said We Are Not With Him

ନିନ୍ଦା ଅପବାଦର ପୋଖରୀରେ ବୁଡ଼ ପକାଇ ସାରିବା ପରେ ବି ଏ ପୂର୍ବତନ ସାଂସଦଙ୍କ ନିର୍ଲଜତା ସମସ୍ତଙ୍କୁ ଚକିତ କରିଛି । ଓଲଟି ଅର୍ଥ କଦର୍ଥର ଯୁକ୍ତି ବାଢୁଛନ୍ତି ଏ ନେତା । ଯାହାକୁ ଦଳମତ ନିର୍ବିଶେଷରେ ସମସ୍ତେ ନିନ୍ଦା କରିଛନ୍ତି । ଏନେଇ ଯୁବ ଓଡ଼ିଶା ଅଭିଯାନ ପକ୍ଷରୁ କ୍ୟାପିଟାଲ ଥାନାରେ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଏତଲା ସହ ଦେଶଦ୍ରୋହ ମାମାଲା ରୁଜୁ ପାଇଁ ଦାବି କରାଯାଇଛି । ଏପରିକି ଏ ପ୍ରସଙ୍ଗରେ ମାପିଚୁପି ବୟାନ ରଖୁଥିବା ବିଜେପି ଆଜି ଜଟିଳ ପରିସ୍ଥିତିରେ ପଡ଼ିଥିଲା । ଶେଷରେ ବୈଜୟନ୍ତଙ୍କ ସହ ଆମେ ନାହୁଁ ବୋଲି କହିଥିଲେ ବିଜେପି ନେତା ।

Baijayant Panda Odisha Like Pakistan Tweet, BJP Said We Are Not With Him

ଜନପ୍ରତିନିଧିଙ୍କ ଭିଡିଓ ଭାଇରାଲ, ନାବାଳିକା ଗଣଦୁଷ୍କର୍ମ ଓ ସାରୁଅ ଜମି କେଳେଙ୍କାରୀ ଭଳି ଏକାଧିକ ମାମାଲାରେ ଛନ୍ଦି ହୋଇଛନ୍ତି ବୈଜୟନ୍ତଙ୍କ ପରିବାର । ମଳିନ ଛବି ସତେଜ କରିବାକୁ ହୀନ ଉଦ୍ୟମ କରି ଏବେ ଏକ୍ସପୋଜ୍ ହୋଇଛନ୍ତି । ପୂର୍ବରୁ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିରେ କଣଠେସା ହୋଇଥିଲେ । ବିଜେପି ସହ ଭିତ୍ତିରି ସମ୍ପର୍କ କଥା ଉଠାଇ ଚର୍ଚ୍ଚିତ ହୋଇଥିଲେ ରାଜନୀତିର ଏ ବିଭୀଷଣ । ପରେ ନିଷେଦ୍ଦାଞ୍ଚଳରେ ଅଣଓଡ଼ିଆ ବନ୍ଧୁଙ୍କ ସହ ହେଲିକପ୍ଟର ଉଡ଼ାଇ ବି ସମାଲୋଚନାର ଶିକାର ହୋଇଥିଲେ । ତଥାପି ଏ ବିଜ୍ଞ ନେତାଙ୍କ ମାନସିକତାରେ ଆସୁନି ସୁଧାର ।

ବୈଜୟନ୍ତଙ୍କୁ ମହଙ୍ଗା ପାକିସ୍ତାନ ମନ୍ତବ୍ୟ : ସବୁ ବର୍ଗରୁ ପ୍ରବଳ ବିରୋଧ , ରାଜ୍ୟଦ୍ରୋହୀ ମନ୍ତବ୍ୟ ପାଇଁ ସାଥ୍ ଦେଲାନି ଦଳ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ଶାନ୍ତିପ୍ରିୟ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିଥିଲେ । କେବଳ ଏତିକି ନୁହେଁ, ଏପରି ଭୁଲ୍ କରି ତାହାକୁ ଉଚିତ ଦର୍ଶାଇବାକୁ ଚେଷ୍ଟା କରିଚାଲିଲେ । ନିଜର ଭୁଲ୍ ଓ ଅକ୍ଷମଣୀୟ ଟୁଇଟ୍ କୁ ପ୍ରତ୍ୟାହାର କରିବା ଦୂରର କଥା । ତାହାକୁ ପିନ୍ଡ ଟୁଇଟ୍ କରି ରଖି ସମର୍ଥନ ଯୋଗାଡ଼ କରିବାରେ ଲାଗିଲେ । ଆଶ୍ଚର୍ଯ୍ୟର ବିଷୟ କେନ୍ଦ୍ରରେ କ୍ଷମତାସୀନ ଥିବା ଭାଜପାର ଉପସଭାପତି ହୋଇଥିଲେ ମଧ୍ୟ, ଦେଶର ବିଭିନ୍ନ ପ୍ରମୁଖ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖୁନାହାନ୍ତି ବୈଜୟନ୍ତ । ହେଲେ ନିଜର କଳା ସାମ୍ରାଜ୍ୟ ବିରୋଧରେ ଟିକେ ସ୍ୱର ଉଠିଲେ, ତାହାକୁ ସହ୍ୟ କରି ପାରୁ ନାହାନ୍ତି ।


ନିଜକୁ ଲୋକ ପ୍ରତିନିଧି ବୋଲାଉ ଥିବା ପଣ୍ଡାବାବୁ ଅନ୍ୟ ଜଣେ ମହିଳା ଲୋକ ପ୍ରତିନିଧିଙ୍କ କରୁଣ ନିବେଦନକୁ କର୍ଣ୍ଣପାତ କରୁନାହାନ୍ତି । କେନ୍ଦୁଝର ଏମପି ତଥା ଦେଶର ସର୍ବକନିଷ୍ଠ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବଦନାମ କରିବା ପାଇଁ ଗତବର୍ଷ କେତେକ ଆପତ୍ତିଜନକ ପୋଷ୍ଟ ଓ ଭିଡିଓକୁ ସେୟାର କରାଯାଇଥିଲା । ଆଉ ଏହାକୁ ସେୟାର କରିବା ପଛରେ ମୁଖ୍ୟ କାର୍ପଟଦାର ରମେଶ ରଥ ଥିଲେ ବୋଲି ଅଭିଯୋଗ ହେଉଛି । ରମେଶ ରଥ ହେଉଛନ୍ତି ଓଟିଭି ସଂସ୍ଥାର ଜଣେ ପ୍ରମୁଖ କର୍ମଚାରୀ । ଏହି ସବୁ ଫଟୋ ଭିଡିଓ ସେୟାର କରି ଏମପିଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ବିଜେଡି ପ୍ରାର୍ଥୀଙ୍କୁ ବଦନାମ କରି ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବା । ହେଲେ ନିୟତିର ନିୟମ ବିଚିତ୍ର ଥିଲା ଯେ ପାଞ୍ଚେ ପର ମନ୍ଦ, ତା’ ମନ୍ଦ ପାଞ୍ଚନ୍ତି ନ୍ୟାୟରେ ଭୋଟ ଧର୍ମଯୁଦ୍ଧରେ ଜିତିଲେ ଚନ୍ଦ୍ରାଣୀ । ଆଉ କେନ୍ଦ୍ରାପଡ଼ାରୁ ଲଢୁଥିବା ବୈଜୟନ୍ତ ହାରି ଯାଇଥିଲେ ନିର୍ବାଚନୀ ରାଜନୀତିକୁ ନୂଆ କରି ଓହ୍ଲାଇଥିବା ଅନୁଭବ ମହାନ୍ତିଙ୍କ ହାତରୁ ।


ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦ ହିଁ ବୈଜୟନ୍ତଙ୍କୁ ୨ ଥର ରାଜ୍ୟ ସଭା , ୨ ଥର ଲୋକ ସଭାର ସଦସ୍ୟ କରାଇଥିଲା । କିନ୍ତୁ ବୈଜୟନ୍ତ ୨୦୧୪ ନିର୍ବାଚନ ପରେ ଦଳ ବିରୋଧୀ ଆଭିମୁଖ୍ୟ ଦେଖାଇବାରେ ଲାଗିଥିଲେ । ହିନ୍ଦୀରେ ଏକ ଢଗ ଅଛି ‘ଲୋଗ୍ ବଦଲତେ ନେହିଁ, ବେ ନକାବ ହୋତେ ହେଁ’’ ଏହାର ଅର୍ଥ ଲୋକ ବଦଳନ୍ତି ନାହିଁ, ନିଜର ଅସଲ ମୁଖା ଦେଖାଇ ଥାଆନ୍ତି । ୨୦୧୪ ନିର୍ବାଚନ ପରେ ନିଜ ଚ୍ୟାନେଲ ଦ୍ୱାରା ଏକ ସର୍ଭେ କରି ନିଜକୁ ବିଜେଡିର ଅନ୍ୟତମ ପ୍ରମୁଖ ଚେହେରା ବୋଲି ପ୍ରଦର୍ଶିତ କରାଇଥିଲେ । କେବଳ ସେତିକି ନୁହେଁ, ବିଜେଡି କୋଟାରୁ ଅର୍ଥ ସମ୍ବଦ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ କମିଟି ଚେୟାରମ୍ୟାନ ହେବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଥିଲେ । ଏଥିପାଇଁ ବିଜେଡି ତାଙ୍କ ନାଁ ସୁପାରିସ କରୁ ବୋଲି ସେ ଚାହିଁଥିଲେ । କେନ୍ଦ୍ରରେ କାହାକୁ କିପରି ପ୍ରବର୍ତ୍ତାଇ ହେବ, ସେ କଥା ସିଏ ବୁଝିବେ ବୋଲି ମଧ୍ୟ କହିଥିଲେ ।

୨୦୧୭ ମସିହା ପୂର୍ବରୁ ବିଜେଡିକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ ବୈଜୟନ୍ତ । ସେ କରୁଥିବା ଦଳ ବିରୋଧୀ କାର୍ଯ୍ୟକୁ ଟୁଇଟରରେ ପ୍ରକାଶ କରିଥିଲେ ତତ୍କାଳୀନ ବିଜେଡି ଏମପି ତଥାଗତ ସତପଥୀ । ଏହା ପରେ ବୈଜୟନ୍ତଙ୍କ ବିଜେପି ପ୍ରେମ ବଢି ବଢି ଯାଇଥିଲା । ପଞ୍ଚାୟତନିର୍ବାଚନରେ ବିଜେଡିର ପ୍ରକୃତ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟ କଲେ । ଇଏ ତ କିଛି ନ ଥିଲା । ବୈଜୟନ୍ତ ପଣ୍ଡାଙ୍କ ଗ୍ରୁପ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ଅତ୍ୟନ୍ତ ଅରୁଚିକର ସମ୍ବାଦ ପରିବେଷଣ କରିଥିଲେ । ଯାହା କୋଟି କୋଟି ଓଡ଼ିଆଙ୍କୁ ବ୍ୟଥିତ କରିଥିଲା ।

 

ବୈଜୟନ୍ତଙ୍କ ଟ୍ୱିଟକୁ ନେଇ ରାଜ୍ୟରେ ଆକ୍ରୋଶ ଦେଖା ଯାଇଛି । ବିଜେଡି ତାଙ୍କ ବିରୋଧରେ ବୟାନ ଦେବା କିଛି ବଡ କଥା ନୁହେଁ । ବଡ କଥା ହେଉଛି ତାଙ୍କ ନିଜ ଦଳ ବିଜେପିରୁ ତାଙ୍କୁ ଖୋଲା ସମର୍ଥନ ମିଳୁନି । ଏହାର କାରଣ କ’ଣ ? ହୁଏତ ବିଜେପି ମଧ୍ୟ ଖୋଲାଖୋଲି ତାଙ୍କୁ ସମର୍ଥନ କରି ଲୋକଙ୍କ ସମର୍ଥନ ହରାଇବାକୁ ଚାହୁଁନି । କୌଣସି ଜଣେ ବି ବିଜେପି ନେତା ତାଙ୍କ ସପକ୍ଷରେ ମତ ରଖିନାହାନ୍ତି । ଦଳ ବୈଜୟନ୍ତଙ୍କ ସପକ୍ଷରେ ବାହାରିବା ଦୂରର କଥା, କୌଣସି ବରିଷ୍ଠ ନେତା ତାଙ୍କ ସପକ୍ଷରେ ମତ ଦେବାକୁ ରୋକଠୋକ୍ ମନା କରିଦେଇଛନ୍ତି ।କେତେକ ନେତା ତ ନିଜ ନାମ ଗୋପନ ରଖି କହିଛନ୍ତି, ଭାଜପାରେ କର୍ମକର୍ତ୍ତା ଭାବେ ଅଛୁ ରହିବୁ । ହେଲେ କେତେକ ତ ନିଜ ସ୍ୱାର୍ଥ ହାସଲ ପାଇଁ ଦଳରେ ମିଶିଛନ୍ତି । ନିଜର ଗୋଷ୍ଠୀ ତିଆରି କରିବାକୁ ଚେଷ୍ଟା କରୁଛନ୍ତି । ସଚ୍ଚୋଟ କର୍ମୀଙ୍କ ଅପେକ୍ଷା ନିଜର ବେପାର ସାମ୍ରାଜ୍ୟ ବୃଦ୍ଧି କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ଦଳ ରାଜ୍ୟରେ ବଦନାମ ହୋଇଗଲାଣି ।

ଏହି ଖବର ଲେଖା ହେଲା ବେଳକୁ ସାରା ଓଡ଼ିଶାରେ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କରାଯାଉଥିଲା । କିନ୍ତୁ ବିଜେପିର କୌଣସି ବଡ ନେତା ତାଙ୍କ ସପକ୍ଷରେ ମୁହଁ ଖୋଲୁନାହାନ୍ତି । ଏମିତିକି ଦଳର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ସ୍ୱାଭିମାନ ସହ କୌଣସି ପରିସ୍ଥିତିରେ ବି ସାଲିସ କରାଯିବ ନାହିଁ । ରାଜ୍ୟର ଅପମାନ ସହ୍ୟ କରାଯିବ ନାହିଁ ।

ମିଛ ଭିଡିଓକୁ ନେଇ ମର୍ମାହତ ଚନ୍ଦ୍ରାଣୀ ମୁର୍ମୁ, କହିଲେ, ଓଟିଭି ସବୁ ଜାଣି ଲୁଚାଉଛି ସତ

ଭୁବନେଶ୍ୱର: ଦେଶର ସର୍ବକନିଷ୍ଠ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ନ୍ୟାୟ ପାଇଁ ବାଚସ୍ପତିଙ୍କୁ ଗୁହାରି କରିଛନ୍ତି । ସ୍ୱାଧିକାର ନୋଟିସ୍ ଆଣି ଓଟିଭିର ଚେହେରା ପଦାରେ ପକାଇଦେବାକୁ ସେ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଛନ୍ତି । କହିଛନ୍ତି, ଓଟିଭି ସାମ୍ବାଦିକ ଓ ଅନ୍ୟମାନେ ମିଶି ମିଛ ଅଶ୍ଲୀଳ ଭିଡିଓ ଭାଇରାଲ କରିଥିଲେ । ଏହା ତାଙ୍କୁ ବଦନାମ ଓ ମାନସିକ ନିର୍ଯାତନା ଦେଇଛି । ତାଙ୍କ ଚରିତ୍ର ପ୍ରତି ପ୍ରଶ୍ନବାଚୀ ଛାଡ଼ି ଯାଇଛି । ଘଟଣାରେ ପୋଲସ ଓଟିଭିର କନିଷ୍ଠସ୍ତରର ସାମ୍ବାଦିକଙ୍କୁ କେବଳ ଜେରା କରିଛି । ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କ ନାଁ ଆସିବା ପରେ ପୋଲିସ ଜେରା କରିଛି । ହେଲେ ଓଟିଭି ସତ ଲୁଚାଇବାକୁ ଚେଷ୍ଟା କରୁଥିବା ଚନ୍ଦ୍ରାଣୀ ସ୍ୱାଧିକାର ଭଙ୍ଗ ନୋଟିସରେ ଆରୋପ ଆଣିଛନ୍ତି ।

Keounjhar MP Chandrani Murmu Says Viral Video Harassed Him Mentally

ଏଠି ପ୍ରଶ୍ନ ଉଠୁଛି କାହିଁକି ଓଟିଭି ସତ ଲୁଚାଉଛି ? ଏ ନେଇ ସେ ଓଟିଭିର ମାଲିକ ଦମ୍ପତି ଜଗି ମଙ୍ଗତ ପଣ୍ଡା ଓ ସ୍ୱାମୀ ବୈଜୟନ୍ତ ପଣ୍ଡାଙ୍କୁ ଦାୟୀ କରିଛନ୍ତି । ପଚାରିଛନ୍ତି ପ୍ରଶ୍ନ । ଯଦି ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ପରିବାରର ଜଣେ ମହିଳାଙ୍କର ଏଭଳି ମିଛ ଓ ଅଶ୍ଲୀଳ ଭି଼ଡିଓ ଭାଇରାଲ୍ ହୋଇଥାନ୍ତା, ତେବେ କ’ଣ ସେମାନେ ସାମ୍ବାଦିକ ରମେଶ ରଥଙ୍କୁ ସୁରକ୍ଷା ଦେଇଥାନ୍ତେ ? ଜଗି ପଣ୍ଡା ଜଣେ ମହିଳା । ତାଙ୍କ ବିବେକ କୁଆଡ଼େ ଗଲା ? ତାଙ୍କୁ ନ୍ୟାୟ ନମିଳିଲେ ଭାରତୀୟ ଗଣତନ୍ତ୍ର ପ୍ରତି ଅନ୍ୟାୟ ହେବ ବୋଲି କହିଛନ୍ତି ଚନ୍ଦ୍ରାଣୀ ।

Keounjhar MP Chandrani Murmu Says Viral Video Harassed Him Mentally

ଚନ୍ଦ୍ରାଣୀଙ୍କ ସମର୍ଥନରେ ବାହାରିଛନ୍ତି ରାଜ୍ୟର ବିଭିନ୍ନ ଆଦିବାସୀ ସଂଗଠନ । ଏପରି ଚରିତ୍ର ସଂହାରକୁ ସମସ୍ତେ ନାପସନ୍ଦ କରିବା ସହିତ ଏହାର ଦୃଢ଼ ବିରୋଧ କରିଛନ୍ତି । କହିଛନ୍ତି, ବୈଜୟନ୍ତ ଓ ଜଗିଙ୍କ ପରି ରାଜ୍ୟର ଏକ ନମ୍ବର ବୈଦ୍ୟୁତିକ ଗଣମାଧ୍ୟମ ମାଲିକ କିପରି ଏହାକୁ ପ୍ରଶୟ ଦେଲେ । ଦୀର୍ଘ ସମୟ ବିତି ଥିଲେ ସୁଦ୍ଧା ଓଟିଭି ସତ ପ୍ରକାଶ ନକରି ନିଜ ସାମ୍ବାଦିକଙ୍କୁ ଘଣ୍ଟ ଘୋଡାଇବା ଆଦୌ ଯୁକ୍ତିଯୁକ୍ତ ନୁହେଁ ।

Keonjhar Police Integrated Senior Otv Correspondence In Vulgar Viral Case

ଗତ ଗୁରୁବାର ଜନପ୍ରତିନିଧିଙ୍କ ଭିଡିଓ ଭାଇରାଲ ମାମଲାରେ ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ଅଟକ ରଖି ତିନି ଘଣ୍ଟା ଜେରା କରିଥିଲା ପୋଲିସ । ଆସନ୍ତା ୨୧ ତାରିଖରେ ପୁଣି ହାଜର ହେବାକୁ କେନ୍ଦୁଝର ପୋଲିସର ନିର୍ଦ୍ଦେଶ ଦେଇଛି ।

ବଢ଼ିଲା ଅର୍ଣ୍ଣବଙ୍କ ଅଡ଼ୁଆ, ନୋଟିସ୍‌ ଜାରି ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ମୁମ୍ବାଇ: TRP ସ୍କାମ ନେଇ ବଢ଼ିଲା ରିପବ୍ଲିକ ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅଡ଼ୁଆ । ଅର୍ଣ୍ଣବଙ୍କୁ ଟିଆରପି ସ୍କାମ ମାମଲାରେ ସମନ ଜାରି କରିବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଦୁଇ ବିଚାରପତି ଜଣ୍ଟିସ୍ ଏସ.ଏସ୍ ସିନ୍ଧେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ଖଣ୍ଡପୀଠ ସମନ ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

arnab goswami

ତେବେ ମୁମ୍ବାଇ ପୋଲିସକୁ ତଦନ୍ତରେ ସମ୍ପୂର୍ଣ ସହଯୋଗ କରିବେ ବୋଲି କହିଛନ୍ତି ଅର୍ଣ୍ଣବ ଓକିଲ ହରିସ ସାଲଭେ । କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି, ଯଦି ଅର୍ଣ୍ଣବ ଜଣେ ଅଭିଯୁକ୍ତ ତେବେ ତାଙ୍କୁ ମୁମ୍ବାଇ ପୋଲିସ ସମନ ଜାରି କରୁ । ଏଆରଜି ଆଉଟଲିୟର ମିଡିଆ ଲିମିଟେଡର ରିଟ୍‌ ଆବେଦନର ଶୁଣାଣି କରି କୋର୍ଟ ଏହି ସମନ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୫ ତାରିଖରେ କୋର୍ଟ ଏ ସଂପର୍କରେ ଚୂଡ଼ାନ୍ତ ଶୁଣାଣି କରିବେ ।

Bombay-high-court

ଏହା ପୂର୍ବରୁ ଅର୍ଥାତ ୪ ତାରିଖ ପୂର୍ବରୁ ମୁଦା ଲଫାପାରେ ତଦନ୍ତର ସମସ୍ତ ଦସ୍ତାବିଜ ଉପସ୍ଥାପନ କରିବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ତେବେ ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ଅର୍ଣ୍ଣବଙ୍କୁ ଜଣେ ଅଭିଯୁକ୍ତ ବୋଲି ଦର୍ଶାଇ ପାରିନାହିଁ । ଅନ୍ୟପଟେ ଅର୍ଣ୍ଣବ ନିଜ ସୁରକ୍ଷା ପାଇଁ ବମ୍ବେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିସାରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ପାଇଁ ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ମାମଲା ଲଢୁଛନ୍ତି ।

ବିଏମସି ଅଞ୍ଚଳରୁ ଚିହ୍ନଟ ହେଲେ ଆଉ ୨୧୩ ଜଣ ସଂକ୍ରମିତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ଆଉ ୨୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୮ଟି ମାମଲା ଆସିଥିବା ବେଳେ ୧୪୫ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ବିଏମସି ଅଞ୍ଚଳରୁ ୩୦୭ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

BMC Reports 213 Covid Infected Case In Last 24 Hours

ସ୍ଥାନୀୟ ସଂକ୍ରମଣ ମାମଲା ମଧ୍ୟରୁ ନୟାପଲୀରୁ ୭ ଜଣ, ଓଲ୍ଡ ଟାଉନରୁ ୬ ଜଣ, ବରମୁଣ୍ଡାରୁ ୮ ଜଣ ଓ ପଟିଆରୁ ସର୍ବାଧିକ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ମାମଲାରେ ଚନ୍ଦ୍ରଶେଖରପୁରରୁ ସର୍ବାଧିକ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

BMC Reports 213 Covid Infected Case In Last 24 Hours

ବିଏମସି ଅଞ୍ଚଳରେ ଏଯାବତ୍ ୨୭ ହଜାର ୪୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪ ହଜାର ୪୫୦ ଜଣ ସୁସ୍ଥ ହୋଇସାରିଲେଣି । ୧୪୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ହଜାର ୮୩୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ବଢ଼ୁଛି ଇମ୍ରାନ ବିରୋଧୀ ହାଓ୍ୱା, ନୱାଜ୍‌ ସରିଫ୍‌ଙ୍କ ଜ୍ଵାଇଁଙ୍କୁ ଗିରଫ କଲା ପାକିସ୍ତାନ ପୋଲିସ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫ୍‌ଙ୍କ ଜ୍ଵାଇଁ ସଫଦର ଆୱାନଙ୍କୁ କରାଚି ପୋଲିସ ଗିରଫ କରିଛି । ପାକିସ୍ତାନ ମୁସଲିମ ଲିଗ୍ ନେତା ତଥା ନୱାଜଙ୍କ ଝିଅ ମରିୟମ ନୱାଜ୍‌ ସରିଫ୍‌ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ପାକିସ୍ତାନ ଡେମୋକ୍ରାଟିକ୍ ମୁଭ୍‌ମେଣ୍ଟର କରାଚି ରାଲି ପରେ ଆୱାନଙ୍କୁ ଗିରଫ କରାଯାଇଛି । ମରିୟମ କହିଛନ୍ତି ଯେ ସେମାନେ କରାଚିର ଏକ ହୋଟେଲରେ ରହୁଥିଲେ । ଏହି ସମୟରେ ପୋଲିସ ତାଙ୍କ କୋଠରୀର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା ​​ଏବଂ କ୍ୟାପଟେନ ସଫଦର ଆୱାନଙ୍କୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ପାକିସ୍ତାନରେ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ହୋଇଥିବା ବିକ୍ଷୋଭ ସମାବେଶରେ ମରିୟମ ନୱାଜ ଅଂଶଗ୍ରହଣ କରିଥିଲେ । ପାକିସ୍ତାନରେ ଇମ୍ରାନ ଖାନ ସରକାର ବିରୋଧରେ ଦିନକୁ ଦିନ ସ୍ୱର ତୀବ୍ର ହେବାରେ ଲାଗିଛି । ଇମ୍ରାନ ସରକାରଙ୍କ ବିରୋଧରେ ବିକ୍ଷୋଭ ଓ ଶୋଭାଯାତ୍ରା ବୃଦ୍ଧି ପାଉଛି । ଏହା ଇମ୍ରାନ ଖାନ ଏବଂ ପାକିସ୍ତାନୀ ସେନା ପାଇଁ ଚିନ୍ତାର କାରଣ ପାଲଟିଛି ।

କରାଚିରେ ଅନୁଷ୍ଠିତ ଏହି ବିରୋଧୀ ସମାବେଶରେ ଅନେକ ଲୋକ ଏକତ୍ରିତ ହୋଇଥିଲେ । ସମାବେଶରେ ମରିୟମ ନୱାଜ ଇମ୍ରାନ ସରକାର ଉପରେ ପ୍ରବଳ ବର୍ଷିଥିଲେ । ସେ କହିଥିଲେ, ଯଦି ଆମେ କ୍ଷମତାକୁ ଫେରିବୁ ତେବେ ଇମ୍ରାନ ଜେଲରେ ରହିବେ । ସମାବେଶ ଆରମ୍ଭରୁ ମରିୟମ ନୱାଜ ପ୍ରଥମେ କରୋନାରେ ଜୀବନ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଭୁଲରେ ମଧ୍ୟ ଦାନ କରନ୍ତୁ ନାହିଁ ଏହି ଜିନିଷ, ସମସ୍ୟା ସୃଷ୍ଟି ହୋଇପାରେ

ବାସ୍ତୁଶାସ୍ତ୍ରରେ ମାନବ ଜୀବନ ସହିତ ଜଡ଼ିତ ଏଭଳି କେତେକ କଥା ଉଲ୍ଲେଖ ରହିଛି ଯାହା ଖୁବ ଆଶ୍ଚର୍ଯ୍ୟଜନକ । କେହି କେହି ଏହାକୁ ବିଶ୍ୱାସ କରନ୍ତି ତ ଆଉ କେହି ଏହାକୁ ବିଶ୍ୱାସ କରନ୍ତି ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ଦାନ କରିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । କୁହାଯାଏଯେ ଦାନ କରିବା ଦ୍ୱାରା ବ୍ୟକ୍ତିର କେତେକ ସମସ୍ୟା ଦୂର ହୋଇଥାଏ ଓ ଭଗବାନଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ। କିନ୍ତୁ କେବେ କେବେ ବ୍ୟକ୍ତି ଭୁଲରେ ଏଭଳି କିଛି ଦାନ କରିଦିଅନ୍ତି, ଯାହା ଦ୍ୱାରା କ୍ଷତି ପହଂଚିଥାଏ । ଏଭଳି କିଛି ଜିନିଷ ରହିଛି ଯାହାକୁ ଦାନ କରିବା ଅନୁଚିତ । ଆସନ୍ତୁ ଆଲୋଚନା କରିବା ।

ଝାଡୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ଭାବେ ଗ୍ରହଣ କରାଯାଏ । ଏହାକୁ ଦାନ କରିବା ଅନୁଚିତ । ଏଭଳି କରିବା ଦ୍ୱାରା ମା ରାଗି ଯାଆନ୍ତି ଏବଂ ଗୃହରେ ଧନର ଅଭାବ ଦେଖାଯାଏ ।

ବାସୀ ଖାଦ୍ୟ କାହାକୁ ମଧ୍ୟ ଦାନ କରିବା ଅନୁଚିତ । କାହାକୁ ବାସୀ ଖାଦ୍ୟ ଦାନ କରିବା ଦ୍ୱାରା ଘରର ସଦସ୍ୟ ରୋଗଗ୍ରସ୍ତ ହୋଇଥାନ୍ତି ।

ଶାସ୍ତ୍ର ଅନୁସାରେ ପ୍ଲାଷ୍ଟିକ କିମ୍ବା ଷ୍ଟିଲ ବାସନ ଦାନ କରିବା ଅନୁଚିତ । ଷ୍ଟିଲ ଦେବା ଦ୍ୱାରା ସୁଖ ଶାନ୍ତି ଦୂର ହୋଇଯାଏ ଏବଂ ପ୍ଲାଷ୍ଟିକ ଦେବା ଦ୍ୱାରା ବାଣିଜ୍ୟରେ କ୍ଷତି ପହଂଚିଥାଏ ।

ଶନି ଦଷା ଥିବା ବ୍ୟକ୍ତିଙ୍କ ପାଇଁ ତୈଳଦାନ କରିବା ଶୁଭ ହୋଇଥାଏ । କିନ୍ତୁ ତୈଳ ଖରାପ ନ ହୋଇ ଭଲ ହୋଇଥିବା ଆବଶ୍ୟକ ।

ଏହା ବ୍ୟତୀତ କାହାକୁ ଧାରୁଆ ଜିନିଷ ଦାନ କରିବା ଅନୁଚିତ । ଏହା ଦ୍ୱାରା ସୁଖ ଓ ଶାନ୍ତି ଦୂର ହୋଇଥାଏ  ଏବଂ ସମସ୍ୟା ପିଛା ଛାଡ଼େନି ।

 

ପର୍ଯ୍ୟାୟ କ୍ରମେ ଜବରଦଖଲ ମୁକ୍ତ ହେବ ସ୍ମାର୍ଟ ସିଟି

ଭୁବନେଶ୍ୱର: ରାଜଧାନୀର ଅନ୍ୟତମ ପ୍ରମୁଖ ସମସ୍ୟା ହେଉଛି ଜବରଦଖଲ । ସ୍ମାର୍ଟସିଟିକୁ ଜବରଦଖଲ ମୁକ୍ତ କରିବା ସହିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଉଭୟ ବିଡିଏ ଓ ବିଏମସି କର୍ତ୍ତୃପକ୍ଷ । ଏଥିରେ ବିନିଯୋଗ ହେବ କୋଟି କୋଟି ଟଙ୍କା । ଏହି କ୍ରମରେ ବିଡିଏ ପକ୍ଷରୁ ଶୈଳଶ୍ରୀ ବିହାର ଛକରେ ରାସ୍ତା ଉପରେ ନିର୍ମାଣ ହୋଇଥିବା ସାଇ ମନ୍ଦିରର ମୁଖ୍ୟଦ୍ୱାର ଓ ପାଚେରିକୁ ଉଚ୍ଛେଦ କରାଯାଇଛି । ସେହିଭଳି ନନ୍ଦନ ବିହାର ଅଞ୍ଚଳରେ ବିଲଡରଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ଲୋକଙ୍କ ଅଭିଯୋଗ କ୍ରମେ ଆପାର୍ଟମେଣ୍ଟର ପାଚେରିକୁ ମଧ୍ୟ ଭାଙ୍ଗିଛି ବିଡିଏ ।

BDA And BMC Enforcement Drive in Bhubaneswar

ରାସ୍ତା ଉପରେ ନିର୍ମାଣ ହୋଇଥିବା ସାଇ ମନ୍ଦିର ମୁଖ୍ୟଦ୍ୱାରକୁ ନେଇ ଲାଗି ରହିଥିଲା ବିବାଦ । ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ ହୋଇଥିଲା । ସେହିଭଳି ନନ୍ଦନ ବିହାରରେ ମଧ୍ୟ ଅନୁରୂପ ଭାବେ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଆଜି ହୋଇଥିଲା କାର୍ଯ୍ୟାନୁଷ୍ଠାନ । ତେବେ ବିଡିଏର ପଦକ୍ଷେପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉଭୟ ସାଇ ମନ୍ଦିର ପରିଚାଳକ ଓ ଆପାର୍ଟମେଣ୍ଟର ଜମି ମାଲିକ ।

BDA And BMC Enforcement Drive in Bhubaneswar

ରାସ୍ତାର ପ୍ରଶସ୍ଥିକରଣ ସମୟରେ କେବଳ ଯେ ଜବରଦଖଲ ଉଚ୍ଛେଦ ହେବ ଏହା ନୁହଁ ବରଂ ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବସଷ୍ଟପ୍ ଗୁଡିକୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ।

ସରଗରମ ବିହାର ରାଜନୀତି, ଜେଲ୍‌ ଭିତରୁ ନୀତିଶଙ୍କୁ ତାତ୍ସଲ୍ୟ କଲେ ଲାଲୁ

ବିହାର: ସରଗରମ ବିହାର ରାଜନୀତି । ନିର୍ବାଚନ ଯେତିକି ପାଖେଇ ଆସୁଛି ଆରୋପ ପ୍ରତ୍ୟାରୋପର ମାତ୍ରା ସେତିକି ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ପ୍ରଚାର ରାଲିରେ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷୁଛନ୍ତି । ସେରଘାଟୀ ବିଧାନସଭା କ୍ଷେତ୍ରରେ ରାଲି ସମୟରେ ତେଜସ୍ୱୀ ଯାଦବଙ୍କ ୧୦ ଲକ୍ଷ ସରକାରୀ ଚାକିରି ଘୋଷଣାକୁ ତୀବ୍ର ସମାଲୋଚନା କରିଛନ୍ତି ନୀତିଶ । ତେଜସ୍ୱୀଙ୍କୁ ତାତ୍ସଲ୍ୟ କର ସେ କହିଛନ୍ତି କିଛି ଲୋକ କେବଳ କହିବା ଜାଣନ୍ତି, ହେଲେ ଲୋକଙ୍କ କାମ ଆସିବାବେଳେ ଦେଖା ଦିଅନ୍ତି ନାହିଁ ।

ଲାଲୁ ଯାଦବଙ୍କୁ ଯେତେବେଳେ ଜେଲ ହେଲା, ସେତେବେଳେ ପତ୍ନୀ ରାବିଡି ଦେବୀଙ୍କୁ କ୍ଷମତାରେ ବସାଇଦେଲେ । ହେଲେ ଜନତା ଜାଣିଛନ୍ତି ଏହି ମହିଳା ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳାଙ୍କ ପାଇଁ କଣ କରିଛନ୍ତି ! ସେପଟେ ଜେଲରେ ଥିବା ଲାଲୁ ଯାଦବ ନୀତିଶଙ୍କ ଏହି ମନ୍ତବ୍ୟର ଜବାବ ଦେଇଛନ୍ତି । ନୀତିଶଙ୍କୁ ଟ୍ୱିଟ୍‌ କରି ଲାଲୁ କହିଛନ୍ତି, ‘ସେ ବୁଢା ହୋଇ ଗଲେଣି । ଏବେ ବିଶ୍ରାମ ନେବାର ବୟସ ଆସିଯାଇଛି । ସେଥିପାଇଁ ସେ ଏଣୁତେଣୁ ଗପି ଚାଲିଛନ୍ତି ।’

Bihar Assembly Election With Out Lalu Prasad Yadav

ସୂଚନାଯୋଗ୍ୟ ଯେ, ପ୍ରଥମ ଥର ପାଇଁ ଏହି ବିଧାନସଭା ନିର୍ବାଚନରେ ଲାଲୁ ଅନୁପସ୍ଥିତ ରହିବେ । ଆସନ୍ତା ୨୮ ଅକ୍ଟୋବରରେ ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଆସନ ପାଇଁ ଭୋଟିଂ ହେବ । ଏହି ୭୧ ଆସନରେ ୧ ହଜାର ୬୬ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏଥିପାଇଁ ସମସ୍ତ ଦଳ ଭୋଟରଙ୍କୁ ମନାଇବାକୁ ନିଜର କଳବଳ କୌଶଳ ଜାରି ରଖିଛନ୍ତି ।