ସମ୍ୱଲପୁର: ପୁଣି ଥରେ ବନ୍ଦ ହେଲା ଭୀମସାର ଓପିଡ଼ି ସେବା । ୧୦ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବ ପରେ ବନ୍ଦ ହୋଇଛି ଓପିଡ଼ି ସେବା । ଚିହ୍ନଟ ହୋଇଥିବା ୧୦ ଡାକ୍ତରଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ବେଳେ ବିଭାଗର ସମସ୍ତ କର୍ମଚାରୀଙ୍କର ମଧ୍ୟ ସ୍ୱାବ ସଂଗ୍ରହ କରାଯାଇଛି । ଏହି ବିଭାଗ ବନ୍ଦ ହେବା ପରେ ଭୀମସାରର ମେଡ଼ିସିନ ବିଭାଗକୁ ଜରୁରୀକାଳୀନ ବିଭାଗକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ସୂଚନା ଥାଉକି ଭୀମସାର ର ସମସ୍ତ ଓପିଡ଼ି କୁ ଦୁଇଟି ପର୍ଯ୍ୟାୟରେ ବନ୍ଦ କରାଯାଇଥିଲା । ଏହା ସହିତ କ୍ୟାନ୍ସର ବିଭାଗ ମଧ୍ୟ ଆଜି ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।
ବଜାର ଅଭାବରୁ ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ
ମୟୂରଭଞ୍ଜ: କରୋନା ଭୟାବହତା ଚାଷୀଙ୍କ ନିଦ ହଜାଇ ଦେଇଛି । ବଜାର ଅଭାବରୁ ନିଜର କଷ୍ଟ ଉପାର୍ଜିତ ଫସଲକୁ ବିକ୍ରି କରି ନପାରି ଚିନ୍ତାରେ ଚାଷୀ । ଫଳରେ ମୟୂରଭଞ୍ଜ ଜିଲ୍ଲାର ଚାଷୀମାନେ ଅଭିବୀ ବିକ୍ରିର ଶିକାର ହୋଇଛନ୍ତି । ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଲେମ୍ବୁ ବିକ୍ରି କରି ନପାରି ଚାଷୀ ହଇରାଣ ହେଉଥିବାବେଳେ ଗଛମୂଳେ ପଡି ସଢିଯାଉଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଲେମ୍ବୁ । କରୋନା ଦେଇଛି ଦୁଃଖ । ଅଭାବୀ ବିକ୍ରିର ଶିକାର ଚାଷୀ । ବିକ୍ରି ହୋଇ ପାରୁନି ଫସଲ । ଗଛମୂଳେ ପଡି ସଢୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଲେମ୍ବୁ । ଏପରି ସ୍ଥିତି ଏବେ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ଜିଲ୍ଲାର କୁଳିଅଣା ଲେମ୍ବୁର ସ୍ଵତନ୍ତ୍ର ପରିଚୟ ରହିଛି ।

ବୁଢ଼ାବଳଙ୍ଗ ନଦୀ କୂଳରେ ଥିବା କୁଳିଅଣା ଏବଂ ଶାମାଖୁଣ୍ଟା ବ୍ଲକର କେତେକ ଅଂଚଳରେ ବହୁଳ ପରିମାଣରେ ଲେମ୍ବୁ ଉତ୍ପାଦିତ ହୋଇଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟରେ ଏହି ଲେମ୍ବୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଏବଂ ବାହାର ରାଜ୍ୟକୁ ବିକ୍ରିପାଇଁ ଯ।ଇଥାଏ । ମାତ୍ର ଚଳିତ ବର୍ଷ କରୋନାର ଭୟାବହତା ଯୋଗୁଁ ମାସ ମାସ ଧରି ଲକଡାଉନ ସଟଡାଉନ ଫଳରେ ଏହି ବ୍ୟବସାୟ ସମ୍ପୂର୍ଣ ବନ୍ଦ ହୋଇପଡିଛି । ବିକ୍ରି ପାଇଁ ବ୍ୟବସ୍ଥା ନଥିବାରୁ ହାତ ଟେକି ବସିଛନ୍ତି ଲେମ୍ବୁ ବ୍ୟବସାୟୀ ।

ମୟୂରଭଞ୍ଜ ଜିଲ୍ଲାର ମୃର୍ତ୍ତିକା ଫଳଚାଷ ପାଇଁ ବେଶ ଉପଯୋଗୀ ହୋଇଥିବାରୁ ଏଠାରେ ବିଭିନ୍ନ କିଷମର ଫଳ ଉତ୍ପାଦନ କରିଥାନ୍ତି ଚାଷୀମାନେ । କୁଳିଅଣା, ଭଗବାନପୁର, ଗେଣ୍ଡାପୋଖରୀ, ପାତିହିଞ୍ଜା, ଗୌଡରମା ଏବଂ ପାରୁଳିଅ । ପଞ୍ଚାୟତର ବିଭିନ୍ନ ଅଞ୍ଚଳର ଚାଷୀମାନେ ପ୍ରାୟ ୪ଶହ ହେକ୍ଟରରୁ ଅଧିକ ଜମିରେ ଲେମ୍ବୁ ଉତ୍ପାଦନ କରିଥାନ୍ତି । ତେବେ ବର୍ଷକୁ ପ୍ରାୟ ୪୦ ରୁ ୪୮ ହଜାର କ୍ୱିଣ୍ଟାଲ ଉତ୍ପାଦିତ ଲେମ୍ବୁକୁ ସେମାନେ ବାହାର ରାଜ୍ୟକୁ ପଠାଇଥାନ୍ତି । ତେବେ କଟକଣା ସତ୍ତ୍ୱେ ବିକଳ୍ପ ବ୍ୟବସ୍ଥା କରିବାକୁ ଯୋଜନା କର।ଯିବ ବୋଲି କହିଛନ୍ତି ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଅଧିକାରୀ ।
ପରିସ୍ଥିତିକୁ ଦେଖି ମୁନାଫାଖୋର ବ୍ୟବସାୟୀମାନେ ସେଥିରୁ ଲାଭ ଉଠାଉଛନ୍ତି । ତେଣୁ ସରକାରୀ ସ୍ତରରେ ମାର୍କେଟିଂ ବ୍ୟବସ୍ଥା କିମ୍ବା ଫଳ ପ୍ରସେସିଂ ୟୁନିଟ ସ୍ଥାପନ କରାଯିବାକୁ ଯୋଜନା କରିବାକୁ ଚାଷୀମାନ ଦାବି କରିଛନ୍ତି ।
ନକଲି ମେସେଜ୍ ଚିହ୍ନଟ କରିବା ପାଇଁ ହ୍ୱାଟ୍ସଆପ୍ ଆଣିଲା ନୂଆ ଫିଚର
ଆଜିକାଲି ସୋସିଆଲ ମିଡିଆରେ ପ୍ରତି ମୁହୂର୍ତ୍ତରେ ଭାଇରାଲ ହେଉଥିବା ନକଲି ମେସେଜ ଲୋକଙ୍କୁ ଦ୍ୱନ୍ଦରେ ପକାଉଛି । ଯେଉଁଥିପାଇଁ ଅସଲି ଏବଂ ନକଲି ମେସେଜକୁ ଚିହ୍ନଟ କରିବା ପାଇଁ ହ୍ୱାଟ୍ସଆପ୍ ଆଣିଛି ନୂଆ ଫିଚର । ଏହି ଫିଚର ମାଧ୍ୟମରେ ନକଲି ଏବଂ ଅସଲି ମେସେଜକୁ ଚିହ୍ନଟ କରିବା ବ୍ୟବହାରକାରୀଙ୍କ ପାଇଁ ସହଜ ହୋଇଯିବ । ନକଲି ମେସେଜ ଭାଇରାଲ ହୋଇ ଗୁଜବ ସୃଷ୍ଟି କରିବା ପୂର୍ବରୁ ଏହାର ସତ୍ୟତା ଲୋକଲୋଚନକୁ ଆସିଯାଇଥିବ । ଆସନ୍ତୁ ଆଲୋଚନା କରିବା ଏହି ଫିଚର ବିଷୟରେ ।

ହ୍ୱାଟ୍ସଆପରେ ଆସିଥିବା ଏହି ନୂଆ ଫିଚରର ନାମ search the web ହ୍ୱାଟ୍ସଆପ ମେସେଜରେ ଦିଆଯାଇଥିବା ମ୍ୟାଗ୍ନିଫାଇଙ୍ଗ୍ ଗ୍ଲାସକୁ ଟ୍ୟାପ୍ କରି ଡବଲ ଚେକର ଫିଚର ଆଜିଠାରୁ ଆରମ୍ଭ ହେବ । ନିଜ ବ୍ଲଗରେ ହ୍ୱାଟ୍ସଆପ କହିଛି ଯେ ବାରମ୍ବାର ପଠା ଯାଉଥିବା ମେସେଜକୁ ଅତି ସହଜରେ ଏହି ଫିଚର ମାଧ୍ୟମରେ ଚେକ୍ କରାଯାଇ ପାରିବ । ଏହା ମାଧ୍ୟମରେ ଭାଇରାଲ ମେସେଜର ସତ୍ୟାସତ୍ୟ ଜାଣି ହେବ ।
ବାସ୍ତବରେ ଏହି ଫିଚରକୁ ବ୍ୟବହାର କରିବା ପାଇଁ କେବଳ ହ୍ୱାଟ୍ସଆପ୍ ଯଥେଷ୍ଟ ନୁହେଁ । ଏହି ଫିଚର ପାଇଁ ଏକ ଅପ୍ସନ ଦିଆଯାଇଛି । ଯାହା ମାଧ୍ୟମରେ ମେସେଜକୁ ବ୍ରାଉଜର ଜରିଆରେ ଅପଲୋଡ କରିବାକୁ ହେବ ଏବଂ ଏହାପରେ ଇଂଟରନେଟରେ ଏହି ମେସେଜକୁ କ୍ରଶ୍ ଚେକ୍ କରି ହେବ । ହ୍ୱାଟ୍ସଆପ୍ ଅନୁସାରେ ଏହି ନୂଆ ଫିଚର ଆଜିଠାରୁ ବ୍ରାଜିଲ ,ଇଟାଲୀ,ଆୟରଲ୍ୟାଣ୍ଡ,ମେକ୍ସିକୋ, ସ୍ପେନ୍ ଏବଂ ୟୁଏସରେ ଆରମ୍ଭ କରାଯାଉଛି । ଏହି ଫିଚର ହ୍ୱାଟ୍ସଆପର ଆଣ୍ଡ୍ରଏଡ, ଆଇଓଏମ୍ ଏବଂ ହ୍ୱାଟ୍ସଆପ୍ ଓ୍ୱେବରେ କାମ କରିବ ।
ଧାନ ଅମଳକୁ ନେଇ ଚିନ୍ତାରେ ଚାଷୀ: ପାଣି ଅଭାବରୁ ନାଲି ପଡ଼ିଲାଣି ତଳି
ବାଲେଶ୍ୱର: ଆକାଶରେ ବାଦଲ, ହେଲେ ବର୍ଷାର ଦେଖା ନାହିଁ । ଫଳରେ ଜମିରେ ମାଟି ଫାଟି ଆଁ କଲାଣି । ଚାଷ କେମିତି ହେବ ସେନେଇ ଚିନ୍ତାରେ ଚାଷୀ । ପାଣି ଅଭାବରୁ ପୋତା ଯାଇଥିବା ତଳି ନାଲି ପଡ଼ିଗଲାଣି । ପୁଣି କେଉଁଠି ସରକାରୀ ଡିପ୍ବୋରଓ୍ୱେଲ୍ ଅଚଳ ହୋଇପଡ଼ିଛି । ସେପଟେ ବର୍ଷା ନହେଲେ ବାଲେଶ୍ୱରରେ ମରୁଡ଼ି ପରିସ୍ଥିତି ଦେଖାଦେଇ ପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଚାଷ ଜମିରେ ତଳି ପଡ଼ିଛି । ହେଲେ ପାଣି ଅଭାବରୁ ଉପାଡ଼ି ହେଉନି । ତଳି ସବୁ ପାଣି ଅଭାବରୁ ନାଲି ପଡ଼ିଲାଣି । ଏହି ସ୍ଥିତି ହେଉଛି ବାଲେଶ୍ୱର ଜିଲା ସଦର ବ୍ଲକ୍ର ମଥାନି, କୁରାଢିଆ ପଞ୍ଚାୟତର କୁରାଢିଆ, ମଲ୍ଲୀସାହି, ସଂସାରପୁର, ପରମାଦେଇପୁର, ଚାଉଳଘେରା, ହଳଦୀପଦା, ବଡ଼ଖୁଡ଼ି, ଧତାକନ୍ଦ, ତିଗିରିଆ, ନଳବାହାର ଗାଁର । ଗାଁ ଚାରିପାଖରେ ଥିବା ହଜାର ହଜାର ଏକର ଜମିରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । ଚାଷୀ ଏବେ ଧାନ ଅମଳକୁ ନେଇ ଚିନ୍ତାରେ ପଡ଼ିଛି । ଯାହା ବିହନ ଥିଲା ତାକୁ ତଳି ପକାଇ ଦେଇଛି । ତଳି ପୁଣି କାମରେ ଲାଗୁନି । ଯଦି ତଳି ପୋଡ଼ି ଯାଏ ତେବେ ପୁଣି ତଳି ପକାଇବାକୁ ବିହନ ନଥିବାରୁ ମଥାରେ ହାତ ଦେଇ ବସିଛି ଚାଷୀ । ଗାଁ ନିକଟରେ ରହିଛି ସରକାରୀ ଡିପ୍ବୋରଓ୍ୱେଲ୍ । ହେଲେ ବର୍ଷକ ପୂର୍ବରୁ ବିଦ୍ୟୁତ ତାର ଚୋରି ହୋଇ ଯାଇଥିବାରୁ ଏହା ଚାଷୀଙ୍କ କାମରେ ଆସୁନି ।
ନଳକୂଅ ଅଚଳ ହୋଇ ଯାଇଥିବାରୁ ଚଳିତବର୍ଷ ବର୍ଷା ଅଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି । ସେପଟେ ପାଣିପାଗ ବିଭାଗର ସୂଚନା ଅନୁସାରେ ଜୁନ, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ହାରାହାରି ୧ ହଜାର ମିଲିମିଟର ବର୍ଷା ହୋଇଥାଏ । ହେଲେ ଗତ ୨୦୧୮ ମସିହା ଜୁଲାଇ ମାସରେ ୩୪୮.୦୭ ମିଲିମିଟର, ୨୦୧୯ ଜୁଲାଇରେ ୧୯୪.୦୬ ଓ ଗତ ଜୁଲାଇ ମାସରେ ମାତ୍ର ୧୬୫.୦୭ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ସ୍ୱାଭାବିକ ବର୍ଷା ନହେଲେ ଜିଲାରେ ମରୁଡ଼ି ପରିସ୍ଥିତି ଦେଖାଦେଇପାରେ । ବର୍ଷା ଅଭାବକୁ ଟାଣ ଖରା । ପୁଣି ଚାଷ ଜମିରୁ ପାଣି ସୁଖି ଗଲାଣି । ଲଘୁଚାପ ବର୍ଷା ନହେଲେ, ଶ୍ରାବଣ ମାସରେ ଧାନତଳି ପୋଡ଼ି ଯିବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଇଛି ।














