spot_img
Home Blog Page 658

ଶ୍ରୀକ୍ଷେତ୍ରରେ ଭକ୍ତ-ଭଗବାନଙ୍କ ମହାମିଳନ; ନୀଳାଚଳ ଛାଡ଼ି ନବଦିନାତ୍ମକ ଯାତ୍ରାରେ ଯିବେ ମହାପ୍ରଭୁ

ନନ୍ଦିଘୋଷ ବ୍ୟୁରୋ :  ଶ୍ରୀକ୍ଷେତ୍ରରେ ଭାବ ଭକ୍ତିର ଜୁଆର । ଭାଇ ଭଉଣୀଙ୍କା ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧା ବିଗ୍ରହ । ରଥରେ ଚଢି ଶ୍ରୀଗୁଣ୍ଡିଚା ଯିବେ ମହାପ୍ରଭୁ । ଜନ୍ମବେଦୀ ଆଡପ ମଣ୍ଡପରେ କରିବେ ଲୀଳାଖେଳା । ଏଥିପାଇଁ ଜନ ସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ । ଭକ୍ତ ଓ ଭଗବାନଙ୍କ ଏହି ମହା ମିଳନକୁ ଦେଖିବା ସାର ଜଗତ । ଏଥିପାଇଁ ଗତକାଲିଠାରୁ ସିଂହଦ୍ବାର ଆଗରେ ପ୍ରସ୍ତୁତ ହୋଇ ରହିଛନ୍ତି ତିନି ରଥ । ସକାଳୁ ସକାଳି ଶ୍ରୀମନ୍ଦିରର ନୀତିକାନ୍ତି ପରେ ରଥ ସୋଧ କରାଯାଇ ଆଜ୍ଞମାଳ ବିଜେ କରାଯିବ । ଏହାପରେ ଆରମ୍ଭ ହେଲ ସମସ୍ତ ନୀତିକାନ୍ତି । ରଥକୁ ବିଜେ କରିବେ ଚଳନ୍ତି ପ୍ରତିମା, ଶ୍ରୀ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ଆସିବେ କାଳିଆ ଠାକୁର । ନନ୍ଦିଘୋଷ ରଥରେ ମହାପ୍ରଭୁ, ତାଳଧ୍ବଜରେ ବଳଭଦ୍ର, ଦର୍ପଦଳନରେ ବିରାଜିବେ ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ । ଆରମ୍ଭ ହେବେ ନୀଳାଚଳରୁ ସୁନ୍ଦରଞ୍ଚଳକୁ ଯାତ୍ରା ।

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନଙ୍କ ପାଇଁ ରଥଯାତ୍ରା ଅନୁଭୂତିକୁ ସମୃଦ୍ଧ କରିବା ନିମନ୍ତେ ରିଲାଏନ୍ସ ପକ୍ଷରୁ ବହୁବିଧ ପ୍ରୟାସ

– ଅନ୍ନ ସେବା ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶନାର୍ଥୀଙ୍କୁ ପୁଷ୍ଟିକର ଏବଂ ଗରମ ଭୋଜନ ବିତରଣ
– ୧୦୦ ପୋଲିସ ସହାୟତା ପୋଷ୍ଟ ସ୍ଥାପନ କରାଯାଇଛି ଯାହା କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆଶ୍ରୟ ପ୍ରଦାନ କରିବ
– ଭିଡ଼ ପରିଚାଳନାରେ ସହାୟତା ପାଇଁ ୪,୦୦୦ ରୁ ଅଧିକ ସ୍ଵେଚ୍ଛାସେବୀ ନିୟୋଜିତ
ଭୁବନେଶ୍ୱର, ଜୁନ୍ ୨୬, ୨୦୨୫: ଓଡ଼ିଶା ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଜିଲ୍ଲା ପ୍ରଶାସନ ସହିତ ସହଭାଗିତାରେ ଦର୍ଶନାର୍ଥୀମାନଙ୍କୁ ସୁଗମ, ସୁରକ୍ଷିତ ଏବଂ ପରିପୂର୍ଣ୍ଣ ଯାତ୍ରାର ଅନୁଭୂତି ସୁନିଶ୍ଚିତ କରିବା ପାଇଁ ବିବିଧ ପଦକ୍ଷେପ ମାଧ୍ୟମରେ ବ୍ୟାପକ ପ୍ରୟାସ ଆରମ୍ଭ କରିଛି।

ପୁରୀରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ ଯେଉଁମାନେ ଶ୍ରୀଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଏହି ଅନନ୍ୟ ଯାତ୍ରା ଦେଖିବା ପାଇଁ ଏକାଠି ହୁଅନ୍ତି।

ସେବାର ଭାବନାକୁ ସମ୍ମାନ ଜଣାଇ, ରିଲାଏନ୍ସ ଫାଉଣ୍ଡେସନ୍, ଏହାର ୱି କେୟାର ଭାବନା ସହିତ ବିବିଧ ଅର୍ଥପୂର୍ଣ୍ଣ ଯୋଗଦାନ ଜରିଆରେ ଏହି ୧୩ ଦିନ ବ୍ୟାପୀ ପବିତ୍ର ଯାତ୍ରାରେ ସହଯୋଗ କରୁଥିବାରୁ ଗୌରବାନ୍ୱିତ ମନେକରୁଛି।

“ରିଲାଏନ୍ସର ୱି କେୟାର ଦର୍ଶନରେ ସେବା ଗଭୀର ଭାବରେ ଅନ୍ତଃର୍ନିହିତ ହୋଇରହିଛି ଏବଂ ପୁରୀରେ ଭକ୍ତଗଣଙ୍କର ସେବା କରିବାର ଏହି ସୁଯୋଗ ବାସ୍ତବରେ ଏକ ଆଶୀର୍ବାଦ। ଆମେ ବିଶ୍ୱାସ କରୁଛୁ ଯେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଏବଂ କର୍ତ୍ତବ୍ୟରତ ସମସ୍ତ କର୍ମଚାରୀଙ୍କ ସେବା କରି ଆମେ ଈଶ୍ୱରଙ୍କ ସେବା କରୁଛୁ। ଭୋଜନ ଠାରୁ ସୁରକ୍ଷା ଯାଏଁ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀମାନଙ୍କ ଅନୁଭୂତିକୁ ସୁଗମ, ନିରାପଦ ଓ ଆରାମଦାୟକ କରି ସମୃଦ୍ଧ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ” ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଅନନ୍ତ ଏମ୍ ଅମ୍ବାନୀ କହିଛନ୍ତି।

ରିଲାଏନ୍ସର ସେବା ପ୍ରୟାସର ପ୍ରମୁଖ ଅଂଶ:

ଅନ୍ନ ସେବା: ରିଲାଏନ୍ସ ଫାଉଣ୍ଡେସନ୍ ଯାତ୍ରା ମାର୍ଗରେ ଛଅଟି ପ୍ରମୁଖ ସ୍ଥାନରେ ଲକ୍ଷ ଲକ୍ଷ ଭକ୍ତ ଏବଂ ପୋଲିସ କର୍ମଚାରୀଙ୍କୁ ପୁଷ୍ଟିକର ଗରମ ଭୋଜନ ପରିବେଷଣ କରୁଛି ଏବଂ କୌଣସି ବ୍ୟକ୍ତି ଭୋକରେ ନଯିବା ସୁନିଶ୍ଚିତ କରୁଛି।

ପରିଚ୍ଛନ୍ନତା: ଖାଦ୍ୟ ଷ୍ଟଲଗୁଡିକରେ କଣ୍ଟାକ୍ଟଲେସ୍ ସାନିଟାଇଜର ସହ ପୌରପାଳିକା ସହିତ ସହଭାଗିତାରେ ପରିଷ୍କାର ପରିଚ୍ଛନ୍ନତା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟାଗ ଯୋଗାଇ ଦିଆଯାଇଛି ଏବଂ ପୋଲିସ ଶିବିରଗୁଡ଼ିକୁ ପରିଚ୍ଛନ୍ନତା ଓ ପରିମଳ ସୁବିଧା ଉପଲବ୍ଧ କରାଯାଇଛି।

ଭିଡ଼ ପରିଚାଳନା: ପୌରପାଳିକା ଏବଂ ପୋଲିସ କର୍ତ୍ତୃପକ୍ଷଙ୍କ ସହିତ ମିଳିତ ସହଭାଗିତାରେ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀମାନଙ୍କ ମାର୍ଗଦର୍ଶନ ଏବଂ ସୁଗମ ଯାତ୍ରା ପାଇଁ ଦୂରରୁ ସ୍ପଷ୍ଟ ଦେଖାଯାଉଥିବା ମାର୍ଗଦର୍ଶକ ବୋର୍ଡ ଏବଂ ଦିଗସୂଚକ ସ୍ଥାପନ କରାଯାଇଛି ।

ସ୍ବେଛାସେବୀ ସହାୟତା: ଚିହ୍ନିତ ୟୁନିଫର୍ମ ବା ପୋଷାକ ମାଧ୍ୟମରେ ସହଜରେ ସୂଚିତ ହୋଇପାରୁଥିବା ୪,୦୦୦ରୁ ଅଧିକ ସ୍ଵେଚ୍ଛାସେବୀ ଭିଡ଼ ପରିଚାଳନା ସହାୟତା ଏବଂ ଗ୍ରୀଷ୍ମ ପ୍ରବାହରେ ଭକ୍ତମାନଙ୍କୁ ଆବଶ୍ୟକ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ ରହିଥିବା ଜଳ ପଏଣ୍ଟଗୁଡ଼ିକର ତଦାରଖ କରିବେ।

ଗରମରୁ ଆଶ୍ଵସ୍ତି: ଶ୍ରଦ୍ଧାଳୁ ଏବଂ ଦର୍ଶନାର୍ଥୀମାନଙ୍କୁ ଗରମରୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ, ପରିବେଶ ଅନୁକୂଳ ସାମଗ୍ରୀରେ ତିଆରି ଦେଢ଼ ଲକ୍ଷରୁ ଅଧିକ ହାତପଙ୍ଖା ବିତରଣ କରାଯିବ।

ପୋଲିସ ସହାୟତା: କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ପାଇଁ ୧୦୦ ଟି ପୋଲିସ ସହାୟତା ପୋଷ୍ଟ ଏବଂ ଆଶ୍ରୟସ୍ଥଳ ସ୍ଥାପନ କରାଯାଇଛି ଯାହା ସହାୟତା ଆବଶ୍ୟକ କରୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ସହଜ ଓ ସୁଗମ ସହାୟତା ସ୍ଥାନ ପ୍ରଦାନ କରୁଛି।

ପାଣିପାଗ ପ୍ରସ୍ତୁତି: ବର୍ଷା ଋତୁକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀମାନଙ୍କୁ ୩,୫୦୦ ରେନକୋଟ୍ ବିତରଣ କରାଯାଇଛି। ଏଥି ସହିତ ଲକ୍ଷ ଲକ୍ଷ ଦର୍ଶନାର୍ଥୀଙ୍କୁ ସେବା ଯୋଗାଉଥିବା ସ୍ୱେଚ୍ଛାସେଵୀ, ପୌର କର୍ମଚାରୀ ଏବଂ ପୋଲିସ କର୍ମଚାରୀଙ୍କୁ ରିଫ୍ରେସମେଣ୍ଟ କିଟ୍ ମଧ୍ୟ ପ୍ରଦାନ କରାଯିବ।

ଚଳିତ ବର୍ଷ ପ୍ରାରମ୍ଭରେ ମହାକୁମ୍ଭ ୨୦୨୫ ରେ ପ୍ରୟାଗରାଜ ଠାରେ ରିଲାଏନ୍ସ ଲକ୍ଷ ଲକ୍ଷ ଦର୍ଶନାର୍ଥୀଙ୍କୁ ଭୋଜନଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ପରିବହନ ସେବା ସମେତ ବିବିଧ ପଦକ୍ଷେପ ଜରିଆରେ ସେବା ପ୍ରଦାନ କରିଥିଲା। ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଜନ ସମୁଦାୟକୁ ସହାୟତା କରି ସମସ୍ତଙ୍କୁ ଏକ ସୁରକ୍ଷିତ, ସୁସ୍ଥ ଅନୁଭୂତି ପ୍ରଦାନ କରିବାନେଇ ରିଲାଏନ୍ସ ଦୃଢ ପ୍ରତିବଦ୍ଧତା ପ୍ରଦର୍ଶିତ କରିଆସିଛି। ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ କାର୍ଯ୍ୟକାରୀ କରାଯାଉଥିବା ବିବିଧ ପ୍ରୟାସ ମାନବତା ଓ ଈଶ୍ୱରଙ୍କ ସେବା କରିବାର ଆଉ ଏକ ସୁଯୋଗ ଆଣିଦେଇଛି।

ପୁରୀ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ମାଗଣା ଭୋଜନ ପ୍ରଦାନ କରିବ ଅଦାନୀ ଗ୍ରୁପ

ପୁରୀ: ଅଦାନୀ ଗ୍ରୁପ ପକ୍ଷରୁ ଓଡ଼ିଶାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୁରୀରେ ସେବା ଆରମ୍ଭ କରାଯାଇଛି । ଜୁନ ୨୬ରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ରଥଯାତ୍ରାରେ ଭକ୍ତ ଓ ଅଧିକାରୀଙ୍କ ପାଇଁ ଖାସ୍ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭ ମେଳାରେ ସେବା କରିବା ପରେ ଏବେ ଅଦାନୀ ପୁରୀରେ ତା’ର ସେବା ଆରମ୍ଭ କରିଛି । ଶ୍ରୀ ଜଗନ୍ନାଥଙ୍କ ଏହି ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେବ ।

ଏଥର ପାଖାପାଖି ୪୦ ଲକ୍ଷ ଭକ୍ତଙ୍କୁ ମାଗଣା ଖାଦ୍ୟ ଓ ଥଣ୍ଡା ପାନୀୟ ପ୍ରଦାନ କରାଯିବ । ସେଥିପାଇଁ ପୁରୀର ବିଭିନ୍ନ ସ୍ଥାନରେ କାଉଣ୍ଟର ଖୋଲାଯାଇଛି । ସେଠାରେ ଭକ୍ତମାନଙ୍କୁ ମାଗଣା ଓ ପୌଷ୍ଟିକ ଖାଦ୍ୟ ମିଳିବ । ଗରମରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାନୀୟ ମଧ୍ୟ ମାଗଣାରେ ପ୍ରଦାନ କରାଯିବ । ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀ ଏନେଇ କୁହନ୍ତି, ’ସେବା ହିଁ ସାଧନା ଅଟେ ।’ ସେଥିପାଇଁ ସ୍ଥାନୀୟ ଲୋକଙ୍କ ସହ ମିଶି ଅଦାନୀ ଗ୍ରୁପ ଏହି ମହତ୍ କାର୍ଯ୍ୟ ଆରମ୍ଭ କରିଛି ।

ଲଗାତର ତିନିଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ସାରି ଦିଅନ୍ତୁ ଜରୁରୀ କାମ

ଆସନ୍ତା ତିନି ଦିନରେ ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି କାମ ଅଛି, ତେବେ ତାହା ପୂରା ହୋଇପାରିବ ନାହିଁ । ପ୍ରକୃତ କଥା ହେଉଛି, ଜୁନ ୨୭ରୁ ୨୯ ପର୍ଯ୍ୟନ୍ତ ଲଗାତର ତିନି ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ତେଣୁ ଏପରି ସ୍ଥିତିରେ ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି କାମ ଥାଏ, ତେବେ ତାହା ଆସନ୍ତା ସୋମବାର ବା ଜୁନ ୩୦ରେ ହିଁ ପୂରା ହେବ । ଜୁନ ୨୭ରେ ଓଡ଼ିଶାର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହେବ । ଏହି କାରଣରୁ ସେହିଦିନ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ଜୁନ ୨୮ ଚତୁର୍ଥ ଶନିବାର ଓ ୨୯ (ରବିବାର) ସାପ୍ତାହିକ ଛୁଟି ଦିନ ରହିଛି । ତେଣୁ ଶନି ଓ ରବିବାର ଦୁଇଦିନ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।

କାଲି ରତ୍ନବେଦୀ ଛାଡି ଭକ୍ତଙ୍କ ଗହଣରେ ଜନ୍ମବେଦୀକୁ ଯିବେ ମହାପ୍ରଭୁ

ପୁରୀ: ରଥ ପଥ ପ୍ରସ୍ତୁତ । ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ସିଂହଦ୍ବାର ଆଗକୁ ଟାଣିନେଲେ ସୁରକ୍ଷା କର୍ମୀ । ପ୍ରଥମେ ନନ୍ଦିଘୋଷ, ତାପରେ ଦର୍ପଦଳନ ଓ ପରେ ତାଳଧ୍ବଜ ରଥକୁ ସିଂହଦ୍ବାର ସମ୍ମୁଖରେ ପହଞ୍ଚିଲେ । କାଲି ରତ୍ନବେଦୀ ଛାଡି ଭକ୍ତଙ୍କ ଗହଣରେ ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଯିବେ କାଳିଆ ସାଆନ୍ତ । ଭକ୍ତଙ୍କ ମେଳରେ ଗଡ଼ିବ ମହାପ୍ରଭୁଙ୍କ ଦିବ୍ୟ ରଥ । ଆଜି ୧୫ ଦିନର ଅଣସର ସାରି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ରଥଯାତ୍ରା ପାଇଁ ପୁରୀରେ ଜମିଲାଣି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଏବେ ଅପେକ୍ଷା କେତେବେଳେ ନୀଳକନ୍ଦର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ବଳିଆରଭୂଜ ।

Sourav Ganguly Biopic: ଦାଦାଙ୍କ ବାୟୋପିକର ଲିଡ ରୋଲରେ ଆସିବେ ରାଜକୁମାର ରାଓ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପ୍ଟେନ ଓ ମହାନ୍ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ବାୟୋପିକ । ଉକ୍ତ ଫିଲ୍ମର ଲିଡ ରୋଲରେ ଆସିବେ ବଲିଉଡ ଅଭିନେତା ରାଜକୁମାର ରାଓ । ଗାଙ୍ଗୁଲି କେବଳ ଭାରତୀୟ କ୍ରିକେଟରେ ନୁହନ୍ତି, ବରଂ ବିଶ୍ବ କ୍ରିକେଟରେ ଜଣେ ମହାନ ଖେଳାଳି ଭାବେ ଜଣାଶୁଣା ଅଟନ୍ତି । ଗାଙ୍ଗୁଲିଙ୍କୁ ନେଇ ପ୍ରସ୍ତୁତ ହେବାକୁ ଥିବା ଏହି ବାୟୋପିକରେ କାମ କରିବା ନେଇ ନିଜେ ରାଜକୁମାର ମୋହର ମାରିଛନ୍ତି ।

ଗାଙ୍ଗୁଲିଙ୍କ ବାୟୋପିକକୁ ନେଇ କିଛି ମାସ ଧରି ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ରାଜକୁମାର ଉକ୍ତ ଅଟକଳ ଉପରେ ବିରାମ ଲଗାଇଛନ୍ତି । ସେ ବାୟୋପିକରେ ଗାଙ୍ଗୁଲିଙ୍କ ଭୂମିକା ନିଭାଇବେ ବୋଲି ଅଫିସିଆଲ ଭାବେ ଘୋଷଣା କରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ମଧ୍ୟ ରାଜକୁମାର ଏନେଇ ସ୍ପଷ୍ଟ କରିଥିଲେ । ତେବେ ଏହି ଚରିତ୍ରକୁ ନେଇ ସେ ନର୍ଭସ ଅଛନ୍ତି । ଏଥସହିତ ନୂଆ ଚ୍ୟାଲେଞ୍ଜ ପାଇଁ ସେ ବହୁତ ଉତ୍ସାହିତ । ଏହା ଏକ ବଡ଼ ଦାୟିତ୍ବ ହୋଇଥିଲେ ହେଁ ସେଥିରେ ବହୁତ ମଜା ଆସିବ । ଗାଙ୍ଗୁଲିଙ୍କ ଭୂମିକା ଠିକରେ ନିଭାଇବା ପାଇଁ ରାଜକୁମାର ତାଙ୍କର ସବୁ ଅଙ୍ଗଭଙ୍ଗୀ, ଠାଣି ଶିଖିବା ସହ ବଙ୍ଗାଳି ଭାଷା ଶିଖୁଛନ୍ତି ।

ଭାରତ ବିପକ୍ଷ ଏଜବେଷ୍ଟନ ଟେଷ୍ଟ ପାଇଁ ଇଂଲଣ୍ଡ ଟିମ୍ ଘୋଷିତ: ୪ ବର୍ଷ ପରେ ଦଳକୁ ଫେରିଲେ ଆର୍ଚର

ବର୍ମିଂଘମ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ମୁକାବିଲା ଜୁଲାଇ ୨ରେ ବର୍ମିଂଘମର ଏଜବେଷ୍ଟନରେ ଖେଳାଯିବ । ଏହି ମୁକାବିଲା ପାଇଁ ଆୟୋଜକ ଇଂଲଣ୍ଡ ତା’ର ଟିମ୍ ଘୋଷଣା କରିଛି । ଜୁନ ୨୬ରେ ଇଂଲଣ୍ଡ ଓ ଓ୍ବେଲସ କ୍ରିକେଟ ବୋର୍ଡ (ଇସିବି) ୧୫ ସଦସ୍ୟ ବିଶିଷ୍ଟ ଟିମ୍ ଘୋଷଣା କରିଛି ।

ଦ୍ବିତୀୟ ଟେଷ୍ଟରେ ମଧ୍ୟ ଇଂଲିଶ ଟିମର ଅଧିନାୟକ ଭାର ବେନ ଷ୍ଟୋକ୍ସଙ୍କ ହାତରେ ନ୍ୟସ୍ତ ରହିବ । ଅନ୍ୟପକ୍ଷରେ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ୪ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ୨୦୨୧ରେ ଭାରତ ଗସ୍ତ ପରେ ଆର୍ଚର ଟେଷ୍ଟ ସେଟ-ଅପରେ ସାମିଲ ହୋଇନଥିଲେ । ସେହିବର୍ଷ ଫେବୃଆରୀରେ ସେ ଅହମ୍ମଦାବାଦରେ ନିଜର ଅନ୍ତିମ ଟେଷ୍ଟ ଖେଳିଥିଲେ ।

ଇଂଲଣ୍ଡ ଟିମ୍: ବେନ ଷ୍ଟୋକ୍ସ (ଅଧିନାୟକ), ଜୋଫ୍ରା ଆର୍ଚର, ଶୋଏବ ବଶୀର, ଜ୍ୟାକବ ବେଥେଲ, ହ୍ୟାରୀ ବ୍ରୁକ, ବ୍ରାୟଡନ କାର୍ସ, ସାମ କୁକ, ଜ୍ୟାକ କ୍ରାଉଲୀ, ବେନ ଡକେଟ, ଜେମୀ ଓବର୍ଟନ, ଓଲୀ ପୋପ, ଜୋ ରୁଟ, ଜେମୀ ସ୍ମିଥ, ଜୋଶ ଟଙ୍ଗ, କ୍ରିସ ଓକ୍ସ ।

ଡବଲ ଇଞ୍ଜିନ ସରକାରରେ ଦଳିତମାନେ ଅଧିକ ଅବହେଳିତ: କଂଗ୍ରେସ

ଭୁବନେଶ୍ଡବର: ଡବଲ ଇଞ୍ଜିନ ସରକାରରେ ଦଳିତ ମାନେ ଅଧିକ ଅବହେଳିତ ହୋଇଛନ୍ତି । ଗତ ୨୨ ତାରିଖରେ ଧରାକୋଟରେ ଦଳିତଙ୍କୁ ଅତ୍ୟାଚାର ଦଳିତଙ୍କୁ ମାନସିକ ଆଘାତ ଦେଇଛି । ଦଳିତମାନଙ୍କ ଉପରେ ଏତେ ବଡ ଘଟଣା ଘଟିଲା । ଭାରତ ବର୍ଷରେ ଓଡ଼ିଶା ଲଜ୍ଜିତ ହେଲା  । ହେଲେ ସରକାର କୌଣସି ମନ୍ତ୍ରୀ ଏଯାଏ ଘଟଣା ସ୍ଥଳକୁ ଯାଇନାହାନ୍ତି । ଧରାକୋଟ ଘଟଣାରେ ସରକାରଙ୍କ ନିରବତାକୁ ନେଇ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । କହିଛନ୍ତି, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଅତ୍ୟାଚାରର ଶିକାର ହୋଇଥିବା ଦଳିତ ପରିବାରକୁ ୧୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ସେ ଦାବି କରିଛନ୍ତି । ସେହିପରି କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର କହିଛନ୍ତି, ତୁରନ୍ତ ଦଳିତ ମାନଙ୍କୁ ନ୍ୟାୟ ଦିଅନ୍ତୁ ସରକାର ।

ଥଣ୍ଡା କାଶ ରୋଗୀ, ବୟସ୍କ ଲୋକ ରଥଯାତ୍ରା ଭିଡ଼କୁ ଯାଆନ୍ତୁ ନାହିଁ: ସ୍ୱାସ୍ଥ୍ୟ ବିଭାଗ

ପୁରୀ: ଥଣ୍ଡା କାଶ ରୋଗୀ, ବୟସ୍କ ଲୋକ, ବହୁ ରୋଗରେ ପୀଡିତ ବ୍ୟକ୍ତି ଓ ଯାହାର ଇମ୍ୟୁନିଟି କମ ସେମାନେ ରଥଯାତ୍ରା ଭିଡକୁ ନ ଯିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । କୋଭିଡ ଓ ରାଜ୍ୟରେ ବ୍ୟାପୁଥିବା ହଇଜାକୁ ଆଖି ଆଗରେ ରଖି ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି ଶେଷ କରିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ । ପୁରୀରେ ହସ୍ପିଟାଲ ପ୍ରସ୍ତୁତ ଅଛି । ଅଧିକ ବେଡ଼, ଆଇସିୟୁ, ଅଧିକ ଆମ୍ବୁଲାନ୍ସ, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ମୁତୟନ କରାଯାଇଛି । ପୁରୀରେ ରହି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏସବୁର ପ୍ରତ୍ୟକ୍ଷ ତଦାରଖ କରିବେ । ପୁରୀର ଖାଦ୍ୟର ମାନ ପରୀକ୍ଷା ହେଉଛି । ୫ଟିରୁ ଅଧିକ ଟିମ ଖାଦ୍ୟର ମାନ ପରୀକ୍ଷା କରୁଛନ୍ତି । ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ସହ ଅନ୍ୟାନ୍ୟ ବାଟରେ ଶୁଦ୍ଧ ପାନୀୟ ଜଳ ରଥଯାତ୍ରା ସମୟରେ ଯୋଗାଇ ଦିଆଯାଉଛି । ପାନୀୟ ଜଳ ବିଶୋଧନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଟିମ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରହି ପୁରୀର ସମ୍ପୂର୍ଣ୍ଣ ସ୍ଥିତିକୁ ନିୟନ୍ତ୍ରଣ କରିବେ । ହାଇୱେ ଠୁ ଆରମ୍ଭ କରି ରଥ ଓ ବଡ଼ଦାଣ୍ଡ ସବୁଆଡେ ମୋବାଇଲ ଟିମ ସଜାଗ ରଖାଯାଇଥିବା ସୂଚନା ଦେଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର। ସେହିପରି ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଭଲ୍ୟୁଣ୍ଟର ପ୍ରସ୍ତୁତ ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

YouTubeର ଲାଇଭ୍ ଷ୍ଟ୍ରିମିଂ ନିୟମ ବଦଳିଲା: ଏଣିକି ଏଇମାନେ କରିପାରିବେ ନାହିଁ ଲାଇଭ୍ ଷ୍ଟ୍ରିମିଂ…

ୟୁଟ୍ୟୁବ ତା’ର ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ୟୁଟ୍ୟୁବରେ ଲାଇଭ୍ ଷ୍ଟିମିଂ ନିୟମକୁ ଗୁଗଲ କଠୋର କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ନୂଆ ନିୟମ ଲାଗୁ ହେବା ପରେ ସମସ୍ତେ ଲାଇଭ୍ ଷ୍ଟ୍ରିମ କରିପାରିବେ ନାହିଁ । ଶିଶୁଙ୍କୁ ଅଧିକ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଗୁଗଲ ଏହି ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ସୁଦ୍ଧା ଲାଇଭ ଷ୍ଟ୍ରିମିଂର ସର୍ବନିମ୍ନ ବୟସ ୧୩ ବର୍ଷ ରହିଥିଲା, ଯାହାକୁ ବଢ଼ାଯାଇ ଏବେ ୧୬ ବର୍ଷ କରାଯାଇଛି । ଆସନ୍ତା ମାସ ୨୨ ତାରିଖ ଠାରୁ ଏହି ନୂଆ ନିୟମ ଲାଗୁ ହେବ ।

ନୂଆ ନିୟମ ଅନୁସାରେ, ୧୬ ବର୍ଷରୁ କମ୍ ବୟସର ଶିଶୁମାନେ ଏଣିକି ଲାଇଭ୍ ଷ୍ଟ୍ରିମିଂ କରିପାରିବେ ନାହିଁ । ନାବାଳକଙ୍କ ସୁରକ୍ଷା ବୃଦ୍ଧି ଓ ଅନଲାଇନ ଦର୍ଶକଙ୍କ ସହ ଯୋଡ଼ି ହେବାରେ ଶିଶୁଙ୍କ କ୍ଷେତ୍ରରେ ଦେଖାଦେଉଥିବା ରିସ୍କକୁ ସୀମିତ କରିବା ପାଇଁ ୟୁଟ୍ୟୁବ ଏହି ନୂଆ ନିୟମ ଲାଗୁ କରିଛି । କିଶୋର ଓ ଶିଶୁଙ୍କ ସୁରକ୍ଷା ଦିଗରେ ଏହା ୟୁଟ୍ୟୁବର କାମର ଏକ ଅଂଶ ବୋଲି କୁହାଯାଇଛି । ତେବେ ନୂଆ ନିୟମ ଲାଗୁ ହେବା ପରେ ମଧ୍ୟ ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ ଲାଇଭ ଷ୍ଟ୍ରିମରେ ଆସିବାକୁ ଅନୁମତି ମିଳିବ । ମାତ୍ର ସେଥିପାଇଁ କଠୋର ସର୍ତ୍ତ ରହିଛି । ପିଲାମାନେ କ୍ୟାମେରା ଆଗରେ କୌଣସି ବଡ଼ (ଆଡଲ୍ଟ)ଙ୍କ ସହ ସହ ଲାଇଭ ଷ୍ଟ୍ରିମିଂ କରିପାରିବେ । ଯଦି ଏପରି ନହୁଏ, ତେବେ ୟୁଟ୍ୟୁବ ଲାଇଭ ଚ୍ୟାଟକୁ ବନ୍ଦ କରିଦେବ ବା ଷ୍ଟ୍ରିମିଂକୁ ସମ୍ପୂର୍ଣ୍ଣ ଭାବେ ହଟାଇଦେବ ।