spot_img
Home Blog Page 6584

PF ଆକାଉଣ୍ଟଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ପେନସନ୍‌କୁ ନେଇ ନୂଆ ନିୟମ..

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଇପିଏଫ୍‌ଓ ଦ୍ୱାରା ଅନେକ ନିୟମରେ ପରିବର୍ତ୍ତନ କରାଯାଇଛି । ଲୋକଙ୍କ ସୁବିଧା ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ଆହୁରି ସହଜ କରାଯାଇଛି । ଏବେ ଇପିଏଫ୍‌ ଆକାଉଣ୍ଟଧାରୀ ମାତ୍ର କିଛି ମିନିଟ୍‌ ମଧ୍ୟରେ ଅନ୍‌ଲାଇନ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିପାରିବେ ।

କେବଳ ଗୋଟିଏ ଆପ୍‌ ୟୁନିଫାଏଡ୍‌ ମୋବାଇଲ ଆପ୍ଲିକେସନ୍‌ ଫର୍‌ ନ୍ୟୁ-ଏଜ୍‌ ଗଭର୍ଣ୍ଣାନ୍ସ (UMANG) ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଅତି ସହଜରେ ହୋଇପାରିବ । ନିକଟ ଅତୀତରେ ଇପିଏଫ୍‌ ଆକାଉଣ୍ଟଧାରୀଙ୍କ ସୁବିଧା ପାଇଁ ଏହି ଆପ୍‌ରେ ଅନେକ ପରିବର୍ତ୍ତନ କରାଯାଇଛି ।

ଏହି ଆପ୍‌ ମାଧ୍ୟମରେ, ଇପିଏସ୍ ସଦସ୍ୟମାନଙ୍କୁ କର୍ମଚାରୀ ପେନ୍‌ସନ୍ ସ୍କିମ୍, ୧୯୯୫ ଅନ୍ତର୍ଗତ ଯୋଜନାର ପ୍ରମାଣପତ୍ର ପାଇବା ପାଇଁ ବେଶ୍‌ ସହାୟକ ହେବ । ଯୋଜନାର ପ୍ରମାଣ ପତ୍ର ସେହି ସଦସ୍ୟମାନଙ୍କୁ ଦିଆଯାଉଛି ଯେଉଁମାନେ ସେମାନଙ୍କର EPF ଟଙ୍କା ଉଠାଇ ନିଅନ୍ତି କିନ୍ତୁ ଅବସର ବୟସରେ ପେନ୍‌ସନ୍‌ ସୁବିଧା ପାଇବା ପାଇଁ EPFO ​​ସହିତ ସେମାନଙ୍କର ସଦସ୍ୟତା ବଜାୟ ରଖିବାକୁ ଚାହାଁନ୍ତି ।

ପେନ୍‌ସନ୍‌ ପାଇବା ପାଇଁ ଜଣେ ସଦସ୍ୟ ସେତେବେଳେ ଯୋଗ୍ୟ ହୋଇଥାଏ, ଯେତେବେଳେ ଉକ୍ତ ସଦସ୍ୟ ଅନ୍ୟୁନ ୧୦ ବର୍ଷ ପର୍ଯ୍ୟନ୍ତ ୧୯୯୫ ପେନ୍‌ସନ୍‌ ଯୋଜନାର ସଦସ୍ୟ ରହିଥାଏ । ନୂଆ ଚାକିରିରେ ଯୋଗଦେବା ପରେ ମଧ୍ୟ ଏହି ସ୍କିମ୍‌ର ଚାଲୁ ରଖିହେବ ।

ଏହା ବ୍ୟତୀତ, ସଦସ୍ୟଙ୍କ ମୃତ୍ୟୁ ପରେ ଯୋଜନାର ପ୍ରମାଣ ପତ୍ର ପରିବାର ଲୋକଙ୍କୁ ପେନ୍ସନ୍ ପାଇବାରେ ସାହାଯ୍ୟ କରିଥାଏ । ତେବେ ଉମାଙ୍ଗ ଆପ୍ ମାଧ୍ୟମରେ ଯୋଜନାର ପ୍ରମାଣ ପତ୍ର ଆବେଦନ କରି ହେବ । ପ୍ରମାଣ ପତ୍ର ପାଇଁ ଫିଜିକାଲି ଆବେଦନ କରିବାକୁ ପଡ଼ିବ ନାହିଁ । କରୋନା ମହାମାରୀ ସମୟରେ ଏହା ବିଶେଷ ଉପଯୋଗୀ ହେବ ବୋଲି କୁହାଯାଉଛି । ଏହାସହ ଅନାବଶ୍ୟକ କାଗଜପତ୍ରରୁ ମଧ୍ୟ ଏହାଦ୍ୱାରା ମୁକ୍ତି ମିଳିବ ।

ଏହି ସୁବିଧା ଦ୍ୱାରା ପ୍ରାୟ ୬ କୋଟି ସଦସ୍ୟ ଉପକୃତ ହେବେ । ଉମଙ୍ଗ ଆପ୍‌ରେ ସେବା ପାଇବାକୁ ହେଲେ ଏକ ସକ୍ରିୟ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ଏବଂ EPFO ​​ରେ ପଞ୍ଜୀକୃତ ଏକ ମୋବାଇଲ୍ ନମ୍ବର ରହିବା ଆବଶ୍ୟକ । ସୂଚନାଯୋଗ୍ୟ ଯେ, ଭାରତରେ ମୋବାଇଲ୍ ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହିତ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ଜାତୀୟ ଇ-ଗଭର୍ନାନ୍ସ ଡିଭିଜନ୍ (ନେଜିଡି) UMANG ର ବିକାଶ କରିଛି ।

ଜଣେ IPSଙ୍କ ପାଇଁ ଲାଲୁ ବିହାର ଭୋଟଯୁଦ୍ଧରୁ ଗାଏବ,ଗୋଖାଦ୍ୟ କାଣ୍ଡ ଏମତି ବଦଳାଇ ଦେଇଥିଲା ବିହାର ରାଜନୀତି

ଭୁବନେଶ୍ୱର: ବିହାର ପ୍ରଥମଥର ପାଇଁ ଏମିତି ଏକ ନିର୍ବାଚନ ଦେଖିବ ,ଯେଉଁଥିରେ  ଲାଲୁ ନାହାନ୍ତି । ସମୋସେ ମେଁ ଆଲୁ ଔର ବିହାର ମେ ଲାଲୁ ସବ୍ କୋ ପସନ୍ଦ ହେ । ହେଲେ ଏବେ କଥା ପସନ୍ଦର ନୁହେଁ । ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଏବେ ଜେଲ ଦଣ୍ଡ ଭୋଗୁଛନ୍ତି ।  ଲାଲୁ ଥିଲେ ନିର୍ବାଚନ ଯେ ଭିନ୍ନ ଓ ଅଧିକ ରୋଚକ ହୋଇଥାନ୍ତା ଏକଥା ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ । ନବେ ଦଶକର ଏମିତି ନେତା ଆଜି କାରଗାର ଭିତରେ ରହି ଯେଉଁ ଅବଶୋଷ ଓ ପଶ୍ଚାତାପ କରୁଛନ୍ତି, ତା’ ପ୍ରଚ୍ଛଦପଟ୍ଟରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ସମ୍ପର୍କରେ ଆମେ ଖୁବ୍ କମ୍ ଚର୍ଚ୍ଚା କରୁ । ସେ ନାୟକ ହୁଅନ୍ତୁ ଅବା ଖଳନାୟକ । ହେଲେ ଲାଲୁ ଓ ତାଙ୍କ ସମ୍ପର୍କର ତିକ୍ତତା ଦିନେ ବିହାର ରାଜନୀତିର ସରହଦ ଭାଙ୍ଗି ରାଜଧାନୀ ଦିଲ୍ଲୀ ପହଞ୍ଚିଥିଲା । ତେବେ କଣ ଥିଲା ଏହି ଘଟଣାକ୍ରମ, ଯାହାଙ୍କ ପାଇଁ ଲାଲୁ ଆଜି ବିହାର ନିର୍ବାଚନରୁ ବଞ୍ଚିତ,ଆସନ୍ତୁ ଜାଣିବା

କିଏ ସେ ?

୧୯୮୪ର ବ୍ୟାଚର ଗୁଜୁରାଟ କ୍ୟାଡରର ଆଇପିଏସ ଅଫିସର ରାକେଶ ଅସ୍ଥାନା । ଯେଉଁ ଚାରା ଦୁର୍ନୀତି ଅଭିଯୋଗରେ ଲାଲୁ ପ୍ରସାଦ ଯାଦବ ଏବେ ଜେଲ ଦଣ୍ଡ ଭୋଗୁଛନ୍ତି ତାହାର ପ୍ରାରମ୍ଭିକ ତଦନ୍ତକାରୀ ଥିଲେ ଆସ୍ଥାନା । ଅସ୍ଥାନା ସେତେବେଳେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । କେବଳ ଚାରା ଦୁର୍ନୀତି ପ୍ରସଙ୍ଗ  ନୁହେଁ, ଲାଲୁ ଯାଦବଙ୍କ ପରିବାର ବିରୋଧରେ ଥିବା ବେଆଇନ ସମ୍ପତ୍ତି ଠୁଳ  ମାମଲା ଓ ଲାଲୁ ରେଳମନ୍ତ୍ରୀ ଥିବା ବେଳେ ତାଙ୍କ ବିରୋଧରେ ଥିବା ଜମି ଆବଣ୍ଟନ ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ରାକେଶଙ୍କ ଅଧିନରେ ଥିଲା ।

ରେଳମନ୍ତ୍ରୀ ଥିବା ବେଳର ବିବାଦ ଓ ଅସ୍ଥାନାଙ୍କ ଭୂମିକା –

୨୦୧୭ର ତଦନ୍ତରେ ସିବିଆଇ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ହୋଟେଲ ଆବଣ୍ଟନ କ୍ଷେତ୍ରରେ ଦୁର୍ନୀତି ହୋଇଛି । ସରକାରୀ ପ୍ରାବଧାନ ଅନୁଯାୟୀ ହୋଟେଲ ଲିଜ ନେବା ନେଇ ନିଷ୍ପତ୍ତି ହୋଇଥିଲା, ମାତ୍ର ସରକାର ହୋଟେଲ ଜମିକୁ ହିଁ ଲିଜରେ ସମ୍ପୃକ୍ତ କରିଥିଲେ । ଯାହା ଫଳରେ ସରକାରଙ୍କ ରାଜକୋଷ ପ୍ରଭାବିତ ହେବା ସହ ବେସରକାରୀ ସଂସ୍ଥା ବେଆଇନ ଫାଇଦା ଉଠାଇଥିଲେ । ଏହି ପ୍ରକ୍ରିୟା ଦ୍ୱାରା ରେଳବାଇକୁ କ୍ଷତି ସହିବାକୁ ପଡିଥିଲା ।  ସିବିଆଇର କହିବା କଥା ଯେ ଜମିକୁ ଶାଗ-ମାଛ ଦରରେ ବିକ୍ରି କରାଯାଇଥିଲା । ଏହାର ଉଦାହରଣ ସ୍ୱରୂପ ଏକ ଜମିର ବାସ୍ତବିକ ମୂଲ୍ୟ ଓ ଲିଜର ପରିମାଣକୁ ମଧ୍ୟ ସିବିଆଇ ଦର୍ଶାଇଥିଲା । ସିବିଆଇ ଅନୁଯାୟୀ, ୩୨ କୋଟି ମୂଲ୍ୟର ଜମିକୁ ସରକାର ୬୫ ଲକ୍ଷ ଟଙ୍କାରେ ଲିଜ ଦେଇଥିଲେ । ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଏଭଳି ହୋଇଥିଲା । ଏମିତିକି ଆଇଆରସିଟିସି ହୋଟେଲ ପାଇଁ ଜମି ଲିଜ ଦେବା ବେଳେ ଲାଲୁ ଢିଲା ନୀତି ଆପଣାଇ ଏହି ବେସରକାରୀ ସଂସ୍ଥାକୁ ମଧ୍ୟ ସହଯୋଗ କରିଥିବା ସିବିଆଇ ତଦନ୍ତରେ ଉଲ୍ଲେଖ ରହିଥିଲା । ତେବେ ଏହି ପ୍ରସଙ୍ଗ ଅପରାଧିକ ମାମଲା ୪୨୦ ଓ ୧୨୦ ବି ଲାଗୁ କରି ସିବିଆଇ ତଦନ୍ତ ଜାରି ରଖିଥିଲା ।

ସେହିଭଳି ୧୯୯୫ ମସିହାରେ ଲାଲୁ ମୁଖ୍ୟମନ୍ତ୍ରୀ ହେବା ପରେ ସିବିଆଇ ଚାରା ଦୁର୍ନୀତି ମାମଲାର ତଦନ୍ତ ଜୋରସୋରରେ ଆରମ୍ଭ କରିଥିଲା । ସେତେବେଳେ ମଧ୍ୟ ତଦନ୍ତ ଦାୟିତ୍ୱରେ ଥିଲେ ରାକେଶ ଅସ୍ଥାନା । ଏହି ପ୍ରସଙ୍ଗରେ ଲାଲୁଙ୍କୁ ପଚାର ଉଚରା ପାଇଁ ରାକେଶ ଅସ୍ଥାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତେବେ ଜେରା ଦୂରର କଥା ଲାଲୁ ସାକ୍ଷାତକାର ମଧ୍ୟ ଦେଇନଥିଲେ । ଏହାପରେ ଅସ୍ଥାନା ଲାଲୁଙ୍କ କାର୍ଯ୍ୟଳୟରୁ ଫେରି ଆସିଥିଲେ ସତ ମାତ୍ର ସିବିଆଇ ଏହି ମାମଲା ଉପରେ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ଭାବେ କାର୍ଯ୍ୟ କରିଥିଲା । ତେବେ ସିବିଆଇ ତଥ୍ୟ ଅନୁଯାୟୀ, ଚାରା ଦୁର୍ନୀତି ବିବାଦରେ ଲାଲୁ ସରକାରର ସିଧାସଳଖ ସଂପୃକ୍ତି ରହିଛି । ତେଣୁ ସିବିଆଇ ସମୟ ସମୟରେ ଆରଜେଡି ଦଳ ତଥା ସରକାରର ଅନ୍ୟ ନେତା-ମନ୍ତ୍ରୀଙ୍କ ସହ ଆଲୋଚନା କରିବାର ପ୍ରୟାସ ଜାରି ରଖିଥିଲେ ।

ଲାଲୁଙ୍କ ଡର –

ଲାଲୁ ସିବିଆଇକୁ ଦର୍ଶନ ଦେଉନଥିଲେ । ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଲୁଚିବା କେବେ ଦେଖା ଯାଇନଥିଲା । ଏହା ଭିତରେ ଲାଲୁଙ୍କ ଦଳର ଜଣେ ନେତା ବିହାର ସରକାରଙ୍କ ଜଣେ ଅଧିକାରୀଙ୍କୁ ସିବିଆଇ ସହ ସଂପର୍କ ସ୍ଥାପନ କରିବାକୁ କହିଥିଲେ । ଏହି ଅଧିକାରୀ ଆସ୍ଥାନାଙ୍କ ଜଣେ ସହଯୋଗୀଙ୍କୁ ଭେଟିଥିଲେ । ସେହି ସାକ୍ଷାତକାରରୁ ଜଣା ପଡିଥିଲା ଲାଲୁ ଦେଖା ନଦିବାର ଅସଲ କାରଣ ।  ଉକ୍ତ ସରକାରୀ ଉଚ୍ଚ ଅଧିକାରୀଙ୍କ କହିବା ଅନୁଯାୟୀ, ଲାଲୁଙ୍କୁ ତାଙ୍କ ସମର୍ଥକମାନେ ସିବିଆଇକୁ ଭେଟିବା ପାଇଁ ମନା କରୁଥିଲେ । କିଛି ଆରଜେଡି ନେତା ଏଭଳି ମଧ୍ୟ ଥିଲେ ଯେଉଁମାନେ ସିବିଆଇ ତଦନ୍ତକୁ ନେଇ ଭୟଭୀତ  ଥିଲେ । ସେମାନଙ୍କ ଧାରଣା ଥିଲା ଯେ, ଅସ୍ଥାନା ଜେରା ବେଳେ ଭୀଷଣ ମାଡ ମାରୁଥିଲେ । ରାଗୁଆ ଖାଦ୍ୟ ଦେଇ ପିଇବାକୁ ପାଣି ଦେଉନଥିଲେ । ସେହିଭଳି ପାଇଜାମା ଭିତରେ ମୂଷା ଛାଡି, ପାଇଜାମାକୁ ବନ୍ଦ କରି ଦେଉଥିଲେ । ଆରଜେଡି ନେତାଙ୍କର ଏହି ଭୟ କାରଣରୁ ହିଁ ଲାଲୁ ସିବିଆଇକୁ ଭେଟୁନଥିଲେ ବୋଲି ଉକ୍ତ ଉଚ୍ଚ ଅଧିକାରୀ କହିଥିଲେ । ତେବେ ସିବିଆଇ ଅଧିକାରୀ ଜଣଙ୍କ ଉକ୍ତ ଅଧିକାରୀଙ୍କୁ କହିଥିଲେ ଯେ, ଏହା ମିଛ । ଆସ୍ଥାନା ଯେତେ ରାଗୀ ହେଲେ ମଧ୍ୟ ଜଣେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ କେବେ ମଧ୍ୟ ହାତ ଉଠାଇବେ ନାହିଁ । ଏହାପରେ ଲାଲୁ ସିବିଆଇ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ରାଜି ହୋଇଥିଲେ ।

ତେବେ ଏହା ପରର କାହାଣୀ ପୁଣି ନୂଆ ମୋଡ ନେଲା । କେନ୍ଦ୍ରରେ ବାଜପେୟୀ ସରକାର ଆସିବା ପରେ ଅସ୍ଥାନା ନିଜ କ୍ୟାଡର ଗୁଜୁରାଟକୁ ଫେରିଗଲେ । ଲାଲୁଙ୍କୁ ମନେ ହେଲା, ଯେମିତି ଅସ୍ଥାନାଙ୍କଠୁ ଆଶ୍ୱସ୍ତି ମିଳିଗଲା । ମନମୋହନ ସରକାର ଆସିବା ପରେ ଲାଲୁ ଚାରା ଦୁର୍ନୀତି ଟ୍ୟାଗକୁ ହଟାଇବା ପାଇଁ ଯଥେଷ୍ଟ ପ୍ରୟାସ କରିଛନ୍ତି । ତେବେ ଏସବୁ ଶେଷ ପର୍ଯ୍ୟନ୍ତ ଅସଫଳ ରହିଥିଲା । ତେବେ ପୁଣି ମୋଦି ସରକାର ଆସିବା ପରେ ଅସ୍ଥାନା ସିବିଆଇ ଦପ୍ତରକୁ ଫେରିଲେ । ମୋଦୀଙ୍କ ଖାସ୍ ଏହି ଆଇପିଏସ ଅଫିସରଙ୍କୁ ଅତିରିକ୍ତ ନିର୍ଦ୍ଦେଶକର ଦାୟିତ୍ୱ ମିଳିଲା । ପୁଣି ଥରେ ଯାଞ୍ଚ ପ୍ରଖର ହେଲା ଓ ଏବେ ମଧ୍ୟ ଯାଞ୍ଚ ଚାଲିଛି । ଲାଲୁ ତଦନ୍ତରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଛନ୍ତି । ଅସ୍ଥାନା ରୂପକ ବାଦଲ ଲାଲୁଙ୍କ ରାଜନୀତିକୁ ଏକଦମ ପଙ୍ଗୁ କରିଦେଲା । ବିହାର ରାଜନୀତିରୁ ଲାଲୁଙ୍କୁ ଏକରକମ ବିଦା ହେବାକୁ ପଡିଲା । ଯେତେବେଳେ ବି ଲାଲୁଙ୍କ ରାଜନୈତିକ ଜୀବନର ଚର୍ଚ୍ଚା ହେବ, ଆଲୋଚକ ଅସ୍ଥାନାଙ୍କ ଭୂମିକା ମନେ ରଖିବେ, ନିଶ୍ଚୟ ।

OTV ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ବଢ଼ୁଛି ଅଡ଼ୁଆ, ଗିରଫ ଦାବି କରି କ୍ରାଇମବ୍ରାଞ୍ଚ ଏସଟିଏଫ ଆଗରେ ବିକ୍ଷୋଭ

ଭୁବନେଶ୍ୱର: ରାଜଧାନୀର ନାବାଳିକା ଗଣଦୁର୍ଷ୍କମ ଓ ସାରୁଅ ଜମି ଦୁର୍ନୀତି ମାମଲାରେ ଅଡ଼ୁଆରେ ପଡ଼ିଛନ୍ତି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ଏନେଇ ରାଜ୍ୟର ବିଭିନ୍ନ ସଙ୍ଗଠନ, ବୁଦ୍ଧିଜୀବୀ ଏବଂ ବ୍ୟକ୍ତି ବିଶେଷ ତାଙ୍କ ଗିରଫ ଦାବି କରିଛନ୍ତି । ସେହି କ୍ରମରେ ରାଜଧାନୀରେ ଥିବା କ୍ରାଇମବ୍ରାଞ୍ଚ ଏସଟିଏଫ ଆଗରେ ଓଡିଶା ଲୋକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥି ସହ  କ୍ରାଇମବ୍ରାଞ୍ଚ ଜରିଆରେ ପୋଲିସ ଡିଜିଙ୍କୁ ଦୁଇଟି ସଙ୍ଗୀନ ମାମଲାର ତୁରନ୍ତ ତଦନ୍ତ ପାଇଁ ଦାବିପତ୍ର ଦିଆଯାଇଛି ।

ଖୋର୍ଦ୍ଧା ଜିଲ୍ଲା ସାରୁଅ ଅଞ୍ଚଳରେ ନିରୀହ ଲୋକଙ୍କ ଜମି ହଡ଼ପ , ଚଞ୍ଚକତା ପୂର୍ବକ ସେମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ଓଟିଭି ଏମ୍‌ଡି ଏବଂ ତାଙ୍କ ନିକଟ ସମ୍ପର୍କିୟଙ୍କର ପ୍ରତ୍ୟେକ୍ଷ ସମ୍ପୃକ୍ତ ରହିଥିବା ଅଭିଯୋଗ ହୋଇଛି । ତେଣୁ ଏହାର ତଦନ୍ତ ତୁରନ୍ତ କରାଯାଇ ସ୍ଥାନୀୟ ଲୋକଙ୍କୁ ନ୍ୟାୟ ଦିଆଯାଉ ବୋଲି ଲୋକ ଦଳ ପକ୍ଷରୁ କୁହାଯାଇଛି । ଅପର ପକ୍ଷରେ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ନିଜ କର୍ମଚାରୀଙ୍କୁ ଓଟିଭି ଏମ୍‌ଡି ସୁରକ୍ଷା ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଏହି ମାମଲାର ତଦନ୍ତ କରି ତ୍ୱରିତ ନ୍ୟାୟ ପାଇର୍ ଓଡ଼ିଶା ଲୋକ ଦଳ ପକ୍ଷରୁ ଦାବି କରାଯାଇଛି ।

ବିହାର ରାଜନୀତିରେ ଛକାପଞ୍ଝା: ଲୁଚୁଛି ନା ଗୋଡ଼ ଦି’ଟା ଦୁଶୁଛି ନ୍ୟାୟରେ BJPର LJP ପ୍ରୀତି

ପାଟନା: ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୮ ତାରିଖରେ ହେବାକୁ ଯାଉଛି । ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ମଧ୍ୟ ଆରମ୍ଭ ହୋଇ ଗଲାଣି । କିଛି କିଛି ସଂସ୍ଥା ନିର୍ବାଚନୀ ଫଳାଫଳ ନେଇ ପୂର୍ବାନୁମାନ କଲେଣି । ଏହି ପୂର୍ବାନୁମାନ ହିଁ ବିଜେପିକୁ ହରଡ଼ଘଣାରେ ପକାଇଛି । ଦିବଂଗତ ନେତା ରାମବିଳାସ ପାଶୱାନଙ୍କ ଦଳ ରାଷ୍ଟ୍ରୀୟ ଲୋକ ଜନ ଶକ୍ତି ପାର୍ଟି(ଏଲଜେପି) ଅଲଗା ହୋଇ ଲଢିବା ବିଜେପିକୁ ଏତେଟା ଫାଇଦା ଦେଉନାହିଁ । ଓଲଟି ଏଲଜେପି ଭାରତୀୟ ଜନତା ପାର୍ଟିର ବି-ଟିମ୍ ଭାବେ କାର୍ଯ୍ୟ କରୁଥିବା ପ୍ରତୀୟମାନ ହେଉଛି । ଯାହା ଦ୍ୱାରା ବିଜେପି ଲଢୁଥିବା ସିଟ୍ ଗୁଡିକରେ ଜେଡିୟୁ ସମର୍ଥକଙ୍କ ଯେପରି ସହଯୋଗ ମିଳିବା କଥା, ମିଳୁ ନାହିଁ ।

nitish bjp ljp

ଭାଜପାର କେତେକ ନେତା ମଧ୍ୟ ଦଳର ଦ୍ୱିମୁଖୀ ଆଭିମୁଖ୍ୟକୁ ପଦାରେ ପକାଇ ଦେଇଛନ୍ତି । କେତେକ ଭାଜପା ନେତା ଏଲଜେପିରେ ଯୋଗ ଦେବା ପରେ ଖୋଲାଖୋଲି ନୀତିଶ କୁମାରଙ୍କ ବିରୋଧରେ କହୁଛନ୍ତି । କେବଳ ସେତିକି ନୁହେଁ, ଭାଜପାକୁ ମଧ୍ୟ ସମର୍ଥନ କରୁଛନ୍ତି । ତେଣୁ ଏହା ତୃଣମୂଳସ୍ତରରେ ଜେଡିୟୁ କର୍ମୀଙ୍କୁ ରଗାଉଥିବା କୁହାଯାଉଛି । କୌଣସିମତେ ଘଟଣାଠାରୁ ନଜର ହଟାଇବା ପାଇଁ ଭାଜପା ହାତଗଣତି ନେତାଙ୍କୁ ନିଲମ୍ବିତ ମଧ୍ୟ କରିଛି । ହେଲେ ଲୁଚିଛି ନା ଗୋଡ଼ ଦି’ଟା ଦୁଶୁଛି ନ୍ୟାୟରେ ଭାଜପାର ଅସଲ ଚାଲ ଧରାପଡିଯାଇଛି । ଯେଉଁ ଉଦ୍ଦେଶ୍ୟରେ ଏଲଜେପିକୁ ପ୍ରୋତ୍ସାହିତ କରାଯାଉଛି, ସେହି ତୁଳନାରେ ଚିରାଗ ପାଶୱାନଙ୍କ ଦଳ ସଫଳତା ପାଇବ ନାହିଁ ବୋଲି ସମୀକ୍ଷକମାନେ ମତ ଦେଲେଣି ।

ସେହିପରି କୌଣସି ମତେ ବିହାର ବିଧାନସଭାରେ ସର୍ବବୃହତ ଦଳ ଭାବେ ଉଭା ହେଲେ ବି ଏକାକୀ ସରକାର ଗଢିବାର ସାମର୍ଥ୍ୟ ଭାଜପା, ଜେଡିୟୁ କିମ୍ବା ଆରଜେଡି ପାଖରେ ନାହିଁ । ତେଣୁ ପ୍ରାଥମିକ ଭାବେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଆସିଥିବା ଏକ ଜନମତ ସର୍ଭେରେ ଝୁଲା ବିଧାନସଭାର ସୂଚନା ଆସିଛି । ଯାହା ବିଜେପିକୁ ହରଡ଼ଘଣାରେ ପକାଇଛି । ଏକୁଟିଆ ଭାବେ ବିଜେପି ଯଦି ଅଧିକ ସିଟ୍ ପାଇଲେ ବି ଜଣେ ସହଯୋଗୀ ଲୋଡା । ସେହି ନ୍ୟାୟରେ ଏଲଜେପି ଅପେକ୍ଷା ନୀତିଶଙ୍କ ଦଳର ସମ୍ଭାବନା ଅଧିକ ରହିଛି । ତେଣୁ ତୃଣମୂଳସ୍ତରରେ ବିଜେପି ଯେ ଜେଡିୟୁ ବିରୋଧୀ ଏବଂ ନୀତିଶଙ୍କ ପ୍ରଭୁତ୍ୱକୁ କ୍ଷୁର୍ଣ୍ଣ କରିବାକୁ ଚାହୁଁଛି, ସେ ବାର୍ତ୍ତା କିପରି ପ୍ରଚାର ନ ହେବ, ସେଥିପ୍ରତି ଧ୍ୟାନ ଦେଉଛି ।

nitish

ନୀତିଶ ମଧ୍ୟ ଅନୁରୂପଭାବେ ବିଜେପିର ଭିତିରିଆ ଚାଲକୁ ବୁଝି ନିଜ ପାଇଁ ପ୍ଲାନ-ବି ପ୍ରସ୍ତୁତ କରୁଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ନିକଟରେ କରାଯାଉଥିବା ଏକ ସର୍ଭେ କୁହାଯାଇଛି ଯେ, ଆରଜେଡି-କଂଗ୍ରେସ-ବାମମେଣ୍ଟ ପ୍ରାୟ ୮୦ ପାଖାପାଖି ଆସନ ପାଉଛନ୍ତି । ସେହିପରି ଜେଡିୟୁ ମଧ୍ୟ ୭୦ରୁ ଅଧିକ ଆସନ ପାଉଛି । ତେଣୁ ଭାଜପା ଯଦି ନୀତିଶଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଚାହିଁବ, ତେବେ ନୀତିଶ ୨୦୧୫ ଭଳି ଅଣ ଭାଜପା ଦଳକୁ ନେଇ ସରକାର ଗଢିବାକୁ ପ୍ରୟାସ ଯେ ନ କରିବେ, ସେ କଥା କିଏ କହିପାରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

ପ୍ରତିଷ୍ଠା ହେବ ଫିଜିକାଲ ଏଜୁକେସନ୍ କଲେଜ, ୧୦ ଏକର ଜମିରେ ବିନିଯୋଗ ହେବ ପ୍ରାୟ ୩୦ କୋଟି ଟଙ୍କା

ଭୁବନେଶ୍ୱର: ଫୋକସରେ ଓଡ଼ିଶା ସ୍ପୋର୍ଟ୍ସ ।  ପ୍ରତିଷ୍ଠା ହେବ ଫିଜିକାଲ ଏଜୁକେସନ୍ କଲେଜ । ଏଥିପାଇଁ ତମାଣ୍ଡୋରେ ଚିହ୍ନଟ ହୋଇଛି ୧୦ଏକର ଜମି ।  ବିନିଯୋଗ ହେବ ପ୍ରାୟ ୩୦କୋଟି ଟଙ୍କା ।  କ୍ରୀଡାର ବିକାଶ ସହିତ ଭିତ୍ତି ଭୂମିର ବିକାଶ ଉପରେ ଗୁରୁତ୍ତ୍ୱ ଦେଉଛନ୍ତି ରାଜ୍ୟ ସରକାର । କ୍ରୀଡାବିତଙ୍କୁ ଚିହ୍ନଟ ପାଇଁ ହଷ୍ଟେଲ ନିର୍ମାଣ କରାଯାଉଥିବା ବେଳେ ଏବେ ପ୍ରଶିକ୍ଷକଙ୍କ ଉପରେ ରହିଛି ନଜର । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଶାରୀରିକ ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟ ।

ଏନେଇ ତମାଣ୍ଡୋ ନିକଟରେ ୧୦ଏକର ସରକାରୀ ଜମି ଚିହ୍ନଟ କରାଯାଇ କ୍ରୀଡାବିଭାଗକୁ ହସ୍ତାନ୍ତର କରାଯାଇଛି । ଦୁଇଟି ପର୍ଯ୍ୟାୟରେ ବିନିଯୋଗ ହେବ ପ୍ରାୟ ୩୦କୋଟି । ତେବେ ଜବରଦଖଲରେ ଥିବା ଜମି ବାଧକ ସାଜିଛି ପ୍ରକଳ୍ପ କାର୍ଯ୍ୟରେ । ଚିହ୍ନଟ ଜମିକୁ ଜବରଦଖଲ ମୁକ୍ତ କରିବାକୁ ବିଡିଏ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ହେଁ ଅଞ୍ଚଳବାସୀଙ୍କ ବିରୋଧ ଯୋଗୁଁ ସୃଷ୍ଟି ହୋଇଛି ଜଟିଳ ପରିସ୍ଥିତି ।

ଦୀର୍ଘ ୨୦ବର୍ଷରୁ ଅଧିକ ହେବ ଚିହ୍ନଟ ସରକାରୀ ଜମିକୁ ନିଜ ଅକ୍ତିଆରରେ ରଖିଛନ୍ତି ଲୋକେ । କିଛି ଜମି ସେମାନଙ୍କୁ ସରକାରୀ ଭାବେ ଲିଜ୍ ସୂତ୍ରରେ ଦିଆଯାଇଛି । ଫଳରେ ଦଖଲରେ ରଖିଥିବା ଲୋକେ ଜମି ଛାଡିବାକୁ ପ୍ରସ୍ତୁତ ନାହାନ୍ତି । କିଛି ଜମିକୁ ନେଇ ମାମଲା ଉଚ୍ଚ ନ୍ୟାୟାଳୟରେ ଥିବା ବେଳେ ଅନ୍ୟ କିଛି ଜମିକୁ ନେଇ ରହିତା ଦେଶ ମଧ୍ୟ ରହିଛି  । ଦଖଲରେ ଥିବା ଲୋକଙ୍କ ପ୍ରତିବାଦ ସତ୍ତ୍ୱେ ସମ୍ପୃକ୍ତ ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯାଇ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନେଇଛି କ୍ରୀଡା ବିଭାଗ ।

ନିଜ Smartphoneରେ ଏମିତି ବ୍ୟବହାର କରନ୍ତୁ ‘Password Protection Feature’: ଫଲୋ କରନ୍ତୁ ଏହି ଷ୍ଟେପ୍

ପୂର୍ବ ସପ୍ତାହରେ ଗୁଗଲ ନିଜ ଇଣ୍ଟରନେଟ ବ୍ରାଉଜର କ୍ରୋମରେ ଏକ ନୂଆ ପାସୱାର୍ଡ ପ୍ରୋଟେକସନ ଭିଚର ଜାରି କରିଛି । ଏହି ଫିଚର ଆସିବା ଦ୍ୱାରା ମୋବାଇଲ ପ୍ଲାଟଫର୍ମସ ପାଇଁ ବ୍ରାଉଜରର ଭର୍ଜନ ଏବେ ଆପଣଙ୍କର Saved Login Credentialକୁ ସେହି Login Details ର ଏକ ଲିଷ୍ଟ ସହିତ ତୁଳନା କରିବ ଯାହା ପୂର୍ବରୁ କମ୍ପ୍ରୋମାଇଡ ହୋଇସାରିଛି ।

ଯଦି ଏହାର କୌଣସି ମ୍ୟାଟ ମିଳିବ ତେବେ ଏହା ଆପଣଙ୍କୁ ସୂଚିତ କରାଇବ । ଆପଣଙ୍କ ସୁବିଧା ପାଇଁ ବ୍ରାଉଜର ଆପଣଙ୍କୁ ସେହି ସ୍ଥାନକୁ ନେଇକି ଯିବ ଯେଉଁଠି ଆପଣ ନିଜ Credential କୁ ପରିବର୍ତ୍ତନ କରିପାରିବେ । ଏହି ଫିଚରକୁ କ୍ରୋମ ୮୬ ଅପଡେଟର ଅଂଶ ରୂପେ ଉଭୟ ଆଣ୍ଡରଏଡ ଏବଂ iOS ସ୍ମାଟଫୋନ ପାଇଁ ଜାରି କରିଛି । ଏହାକୁ ସେଫ୍ଟି ଚେକ୍ ନାଁ ଦିଆଯାଇଛି ।

Compromised Password କୁ Direct କରିବା ପାଇଁ କ୍ରୋମ ଆପଣଙ୍କୁ Username ଏବଂ Passwordର ଏକ କପିକୁ ଗୁଗଲକୁ ପଠାଇବ । କମ୍ପାନୀର ଦାବି ମୁତାବକ, ଏହା ଏକ Encryption ର Special Form ରେ ପଠାଯିବ । ଏହା ପରେ ଗୁଗଲ ଏହାକୁ Compromised ହୋଇସାରିଥିବା Credentialsର ଲିଷ୍ଟ ସହିତ ତୁଳନା କରିବ ।

ଧ୍ୟାନ ଦିଅନ୍ତି ଯେ, ଗୁଗଲ ଏହି Encrypted Copy ଦ୍ୱାରା ଆପଣଙ୍କ Username ବା Password କୁ ଡିରାଇଭ କରିପାରିବ ନାହିଁ । ଏହି ଫିଚର ସେହି ନିର୍ଦ୍ଦିଷ୍ଟ ପାସୱାର୍ଡ ଉପରେ କାମ କରିବ ଯାହାକୁ ଆପଣ କ୍ରୋମକୁ ମନେ ରଖିବା ପାଇଁ ସ୍ୱାଧୀନତା ଦେଇଥିଲେ  ।

ଏହି ଫିଚର ବ୍ୟବହାର କରିବା ପାଇଁ ଏହି ସବୁ ଷ୍ଟେପକୁ ଫଲୋ କରନ୍ତୁ ।

– ଗୁଗଲ କ୍ରୋମ ଓପନ କରନ୍ତୁ

– ସେଟିଂସକୁ ଯାଆନ୍ତୁ

-ପାସୱାର୍ଡ ଉପରେ କ୍ଲିକ କରନ୍ତୁ

-ଏହା ପରେ ଚେକ୍ ପାସୱାର୍ଡ ଉପରେ କ୍ଲିକ କରନ୍ତୁ

ସାମନ୍ତରାପୁର ମିଠା ଦୋକାନୀକୁ ହତ୍ୟା ମାମଲା: ଷଡଯନ୍ତ୍ରକାରୀକୁ ୨ ଦିନିଆ ରିମାଣ୍ଡରେ ଆଣିଲା ପୋଲିସ

ଭୁବନେଶ୍ୱର: ସାମନ୍ତରାପୁର ମିଠା ଦୋକାନୀକୁ ହତ୍ୟା ମାମଲା । ଷଡଯନ୍ତ୍ରକାରୀ ରାଜ କିଶୋର ବେହେରାଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଲା  ଲିଙ୍ଗରାଜ ଥାନା ପୋଲିସ । ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସଡିଜେଏମ କୋର୍ଟ । ରାଜାକୁ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ପୋଲିସ । ତେବେ କୋର୍ଟ ୫ ଦିନ ବଦଳରେ ୨ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛି ।  ହତ୍ୟାକାଣ୍ଡକୁ ନେଇ ପୋଲିସ ଅଧିକ ପ୍ରମାଣ ଖୋଜୁଥିବା ବେଳେ ଦୁଇ ଦିନର ରିମାଣ୍ଡ ପୋଲିସ ପାଇଁ ବହୁତ ସହାୟକ ରହିବ ।

ଏହି ରିମାଣ୍ଡରେ ପୋଲିସକୁ ହତ୍ୟାକାଣ୍ଡକୁ ନେଇ ଆହୁରି ଅଧିକ ପ୍ରମାଣ ପାଇବ ବୋଲି ପୋଲିସ୍‌ ନିଜେ ସୂଚନା ଦେଇଛି । ତେବେ ରିମାଣ୍ଡ ଅବଧି ସମୟରେ ପୋଲିସ ହତ୍ୟା କାଣ୍ଡର ବିଭିନ୍ନ ଦିଗକୁ ନେଇ ଅଭିଯୁକ୍ତକୁ ପ୍ରଶ୍ନ କରିପାରେ ବୋଲି ଅନୁମାନ କରାଯାଉଛି । ହତ୍ୟା ପାଇଁ କେତେ ଦିନ ପୂର୍ବରୁ ଡିଲ ହୋଇଥିଲା ? ହତ୍ୟା ପାଇଁ କିଏ ସୁପାରି ଦେଇଥିଲା ? ଏହାକୁ ଛାଡ଼ି ପୂର୍ବରୁ କେତେ ସୁପାରି ନେଇଛି ? ହତ୍ୟା ପାଇଁ ମାରଣାସ୍ତ୍ର ତିଆରି ପାଇଁ କେଉଁଠି ଦିଆଯାଇଥାଏ ? ଏଭଳି ଅନେକ ପ୍ରଶ୍ନକୁ ନେଇ ରିମାଣ୍ଡ ସମୟରେ ଜେରା କରିପାରେ ପୋଲିସ ।

ବାଘ ଛାଲ ଡିଲ ବେଳେ ବେପାରୀ ବେଶରେ ମାଡ଼ି ବସିଲା ଏସଟିଏଫ, ୧ ଲକ୍ଷ ୨୦ ହଜାର ଟଙ୍କାର ଛାଲ ଜବତ

ଭୁବନେଶ୍ୱର: ବିପଦରେ ବାଘଙ୍କ ବଂଶ । ଲକଡାଉନ ପରେ ଅନଲକରେ ମାତିଲେ ଶିକାରୀ । ୧ ଲକ୍ଷ ୨୦ ହଜାର ଟଙ୍କାରେ କଲରାପତରିଆ ଛାଲ ହେଉଥିଲା ଡିଲ୍ । ସୁବର୍ଣ୍ଣପୁରରୁ ରାଜ୍ୟ ବାହରକୁ ହୋଇଥାନ୍ତା ଚାଲାଣ । ବାଘ ଛାଲ ଡିଲ ବେଳେ ବେପାରୀ ବେଶରେ ମାଡି ବସିଲା ଏସଟିଏଫ । ମହୁଲପାଲି ଅଞ୍ଚଳର ବେପାରୀ ଅଶୋକ ଛତ୍ରିଆକୁ ଗିରଫ କରିଛି ଏସଟିଏଫ ।  ଅଶୋକ କେବେଠାରୁ ବାଘ ଛାଲ ବେପାର କରୁଥିଲା । ତା ଲିଙ୍କରେ କେତେ ଜଣ ଏଜେଣ୍ଟ ଅଛନ୍ତି । କେତେ ଜଣକୁ ବାଘଛାଲ ବିକ୍ରି କରିଛି ଅଶୋକ । ବାଘଟିକୁ ଗୁଳି କରି ନା ଶିକାର କରି ହତ୍ୟା କରାଯାଇଛି । କେବେ ଶିକାର ହୋଇଥିଲା ସେ ନେଇ ତନାଘନା କରୁଛି ଏସଟିଏଫ। ଏ ସବୁ ଜାଣିବା ଡେରାଡୁନରେ ଥିବା  ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ କେମିକାଲ ଟେଷ୍ଟ ପାଇଁ ଛାଲ ପଠାଯିବ ବୋଲି ଏସଟିଏଫ କହିଛି  ।

ବିଦେଶରେ ବାଘ ଛାଲର ଅଧିକା ଡିମାଣ୍ଡ ରହିଛି । ବାଘଛାଲ କାରାବର ହବ୍ ହେଉଛି କୋଲକାତା । ଓଡିଶାରୁ ଭାୟା କୋଲକାତ ସିଲିଗୁଡି, ନେପାଳ, ତିବଦ୍ଦ, ବର୍ମା, ଚାଇନା ଓ ଇରାନକୁ ଛାଲ ଚାଲାଣ ହେଉଛି । ରାଜ୍ୟରେ ୧୬ଟି ବନ୍ୟପ୍ରାଣୀ ଡିଭିଜନରେ ୨୦୧୫-୧୬ ଯାଏଁ ୨୪ଟି ବାଘ ଶିକାର ହୋଇଛି  ବୋଲି ପିସିସିଏଫ କହିଛି । ସେପଟେ ଏସଟିଏଫର ରିପୋର୍ଟ ଅନୁସାରେ ବିଗତ ୩ ବର୍ଷରେ ୧୧ଟି ବାଘ ଛାଲ, ୪ଟି ହରିଣ ଛାଲ ଓ ଗୋଟିଏ ଜୀବନ ବଜ୍ରକାପ୍ତା ଉଦ୍ଦାର କରିଥିବା ବେଳେ ୪ ବଜ୍ରକାପ୍ତାର କାତି ଜବତ ହୋଇଛି । ସେପେଟ ୱାଇଡ ଲାଇଫ ମାମଲାରେ ୩୮ ଜଣଙ୍କୁ ଗିରଫ କରିଛି ଏସଟିଏଫ ।

ଏସଟିଏଫ ଶିକାରୀ ଓ ବେପାରୀ ମାନଙ୍କ ବିରୋଧରେ ଏସଟିଏଫ ଆକ୍ସନ ନେଉଛି । ହେଲେ ବନ ବିଭାଗ କରୁଛି କରଣ । ଶିକାରୀ- ବନ ବିଭାଗ ସହିତ ତାଳମେଳ ରହୁଛି କି । ବାଘ ଛାଲ ଜବତ ହେଉଛି ଶିକାରୀ ଗିରଫ ହେଉଛନ୍ତି, ହେଲେ ଶିକାର ବନ୍ଦ ହେଉନି । ଯାହାକୁ ନେଇ ଉଠିଛି ବଡ ପ୍ରଶ୍ନ ।

ତନିସ୍କ ବିଜ୍ଞାପନକୁ ନେଇ ବିଗିଡ଼ିଲେ କଙ୍ଗନା‌, ‘ଏଭଳି ଚିନ୍ତାଧାରାଠାରୁ ଲୋକଙ୍କୁ ଦୂରେଇ ରଖିବା ଜରୁରୀ…’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ତନିସ୍କ କମ୍ପାନୀର ଏକ ବିଜ୍ଞାପନକୁ ନେଇ ଜୋରଦାର୍‌ ସମାଲୋଚନା କରାଯାଉଛି । ଏହି ବିଜ୍ଞାପନ ଲଭ୍‌ ଜିହାଦ୍‌ ଭଳି ଶବ୍ଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଏହି ବିଜ୍ଞାପନକୁ ଲୋକଙ୍କ ପ୍ରବଳ ବିରୋଧ ପରେ କମ୍ପାନୀ ପକ୍ଷରୁ ହଟାଇ ଦିଆଯାଇଛି । ତେବେ ଏହି ପୁରା ଘଟଣା ଉପରେ ଏବେ ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାଓ୍ୱତଙ୍କ ବୟାନ୍‌ ମଧ୍ୟ ସାମ୍ନାକୁ ଆସିଛି । କଙ୍ଗନା ନିଜ ବୟାନରେ ତନିସ୍କର ଏହି ବିଜ୍ଞାପନକୁ ବିରୋଧ କରିଛନ୍ତି ।

ବିଜ୍ଞାପନକୁ ନେଇ କଙ୍ଗନା ଲେଖିଛନ୍ତି ଯେ, ଏହାର କନ୍‌ସେପ୍ଟ ସେତେ ଭୁଲ୍‌ ନ ଥିଲା କିନ୍ତୁ ଏହାର ଉପସ୍ଥାପନା ଅତ୍ୟନ୍ତ ଖରାପ ଥିଲା । ଜଣେ ହିନ୍ଦୁ ମହିଳାଙ୍କ ବିବାହ ମୁସଲମାନ ପରିବାରରେ ହୋଇଛି । ମହିଳା ଜଣକ ଅତ୍ୟନ୍ତ ଧିର ସ୍ୱରରେ ନିଜ ଶାଶୁଙ୍କୁ ପଚାରୁଛନ୍ତି ଯେ, ‘ଏହି ରୀତିନୀତି ତ ଆପଣଙ୍କ ପରିବାରରେ ନାହିଁ ତେବେ କାହିଁକି ଏହାକୁ ପାଳନ କରୁଛନ୍ତି ?’ ସେ ମହିଳା କ’ଣ ସେହି ଘରର ନୁହଁନ୍ତି ? ତାଙ୍କୁ କାହିଁକି ଏଭଳି ପ୍ରଶ୍ନ ପଚାରିବାକୁ ପଡ଼ୁଛି ? କ’ଣ ସେ ତା’ ନିଜ ଘରେ ଚାପଗ୍ରସ୍ତ ହୋଇ ରହୁଛି ?

କଙ୍ଗନା ଏତିକିରେ ଅଟକି ନଥିଲେ । ଏହାପରେ ସେ ଆଉ ଦୁଇଟି ଟ୍ୱିଟ୍‌ ମଧ୍ୟ କରିଥିଲେ । କଙ୍ଗନା ଅନେକ ଦିଗରୁ ତନିସ୍କର ଏହି ବିଜ୍ଞାପନକୁ ନିନ୍ଦା କରିଥିଲେ । ସେ କହିଥିଲେ ଏହା ଅନେକ ଦିଗରୁ ଭୁଲ ପ୍ରଦର୍ଶିତ କରାଯାଇଛି । ମହିଳା ଜଣଙ୍କ ପୂର୍ବରୁ ସେହି ଘରେ ରହୁଥିଲେ ସତ, କିନ୍ତୁ ତାଙ୍କ କୋଳରେ ଘରର ଉତ୍ତରାଧିକାରୀ ଆସିବା ପରେ ବୋହୂର ଦରଜା ଦିଆଗଲା । ଏହା କେବଳ ଲଭ୍‌ ଜିହାଦ୍‌କୁ ପ୍ରୋତ୍ସାହନ କରୁନି ବରଂ ଯୌନ ଶୋଷଣକୁ ମଧ୍ୟ ପ୍ରୋତ୍ସାହିତ କରୁଛି ।

ଏହା ବ୍ୟତୀତ କଙ୍ଗନା ହିନ୍ଦୁ ଧର୍ମର ଲୋକଙ୍କୁ ସତର୍କ ମଧ୍ୟ କରାଇଛନ୍ତି । ସେ କହିଛନ୍ତି ଜଣେ ହିନ୍ଦୁ ଭାବେ ଆମେ ନିଜକୁ ଆତଙ୍କବାଦୀଙ୍କ ଏଭଳି ଅନ୍ଦାଜରୁ ଦୂରେଇ ରଖିବା । ଯେଉଁମାନେ ଆମ ମନରେ ଏଭଳି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ସମାଜଠାରୁ ଦୂରେଇ ରଖିବା ନିହାତି ଜରୁରୀ ।

https://twitter.com/KanganaTeam/status/1315912815509598208

ସଫଳତା ଏବଂ ଆର୍ଥିକ ସମୃଦ୍ଧି ପାଇଁ ଘରକୁ ଆଣନ୍ତୁ ଏହି ଲାଫିଙ୍ଗ ବୁଦ୍ଧ

ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ଅନେକ ଲୋକ ନିଜ ଘରେ ବିଭିନ୍ନ ଜିନିଷ ରଖନ୍ତି, ଯାହାକୁ ସେମାନେ ଭାଗ୍ୟର ସଙ୍କେତ ବୋଲି ବିବେଚନା କରନ୍ତି । ହେଲେ ବାସ୍ତୁ ଶାସ୍ତ୍ର ବା ଫେଙ୍ଗ୍ ଶୁଇରେ ଲାଫିଙ୍ଗ ବୁଦ୍ଧଙ୍କ ବିଶେଷ ଗୁରୁତ୍ୱ ବିଷୟରେ କୁହାଯାଇଛି । ଏହାର ପ୍ରତିମାକୁ ଲକୀ ଚାର୍ମ ଭାବରେ ବିବେଚନା କରାଯାଏ, ତେଣୁ ଲାଫିଙ୍ଗ ବୁଦ୍ଧ ଘରେ ଏବଂ ଅଫିସରେ ରଖାଯାଏ । ଏହା ସୁଖ ସମୃଦ୍ଧି, ସଫଳତା ଏବଂ ଅର୍ଥନୈତିକ ସମୃଦ୍ଧି ଆଣିଥାଏ । ଏହା ମଧ୍ୟ ନକାରାତ୍ମକ ଶକ୍ତିକୁ ସକାରାତ୍ମକରେ ପରିଣତ କରିଥାଏ । ଲାଫିଙ୍ଗ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଅନେକ ପ୍ରକାରର ହୋଇଥାଏ ଏବଂ ପ୍ରତ୍ୟେକ ଇଚ୍ଛା ପାଇଁ ସ୍ୱତନ୍ତ୍ର ଲାଫିଙ୍ଗ ବୁଦ୍ଧଙ୍କ ମହତ୍ତ୍ୱ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଲାଫିଙ୍ଗ ବୁଦ୍ଧ କେଉଁ ଇଚ୍ଛା ପୂରଣ କରେ…

ଏହି ଲାଫିଙ୍ଗ ବୁଦ୍ଧ ଆଣିଥାଏ ଆର୍ଥିକ ସ୍ଥିତିରେ ସୁଧାର

ଯଦି ଆପଣଙ୍କର ବ୍ୟବସାୟରେ ବାରମ୍ବାର କ୍ଷତି ହେଉଛି, କିମ୍ବା ଆପଣ ଟଙ୍କା ପଇସା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଅଫିସ୍ ଟେବୁଲ ଉପରେ ଦୁଇ ହାତ ଉପରକୁ କରି ରହିଥିବା ବୁଦ୍ଧଙ୍କୁ ରଖିବା ଲାଭଦାୟକ ଅଟେ । ଏହା କରିବା ଦ୍ୱାରା କ୍ଷତି ପରିବର୍ତ୍ତେ ଉନ୍ନତି ହୁଏ ଏବଂ ଲାଭ ହୁଏ ।

ଏହି ଲାଫିଙ୍ଗ ବୁଦ୍ଧ କରଜ ସମସ୍ୟାକୁ ଶେଷ କରିଥାଏ

ଯଦି ଆପଣ ଧାର କରଜ ସମସ୍ୟା ନେଇ ଚିନ୍ତିତ ରହୁଛନ୍ତି, ତେବେ ଘରେ ଧନର ଗଣ୍ଠିଲି ଧରି ରହିଥିବା ବୁଦ୍ଧଙ୍କୁ ଘରକୁ ଆଣନ୍ତୁ । ମାନ୍ୟତା ରହିଛି ଯେ, ଏହା ନିଜ ଗଣ୍ଠିଲିରେ ସବୁ ସମସ୍ୟାକୁ ଭର୍ତ୍ତି କରି ଜୀବନରେ ଖୁସି ଆଣିଥାନ୍ତି । ଏହା ସହିତ ଧନ ସମ୍ବନ୍ଧିତ ସମସ୍ୟାର ମଧ୍ୟ ସମାଧାନ ହୋଇଥାଏ ।

ଏହା ସନ୍ତାନ ପ୍ରାପ୍ତ ଯୋଗ ଦେଇଥାଏ

ପିଲାମାନଙ୍କ ସହିତ ଖେଳୁଥିବା ଲାଫିଙ୍ଗ ବୁଦ୍ଧଙ୍କୁ ଘରକୁ ଆଣିବା ଦ୍ୱାରା ସକାରାତ୍ମକ ଶକ୍ତି ଆସିଥାଏ ଏବଂ ଯଦି ଏକ ସନ୍ତାନହୀନ ଦମ୍ପତି ଏହି ବୁଦ୍ଧଙ୍କୁ ନିଜ ଶୟନ କକ୍ଷରେ ରଖନ୍ତି, ତେବେ ସନ୍ତାନ ପ୍ରାପ୍ତିର ଯୋଗ ହୋଇଥାଏ । ଏହା ସହିତ ଜୀବନର ଅଧିକାଂଶ ଦିଗରେ ମଧ୍ୟ ଏହା ସହାୟକ ହୋଇଥାଏ ।

ବାଣିଜ୍ୟ ବା ଦୋକାନ ପାଇଁ ଆଣନ୍ତୁ ଏହି ଲାଫିଙ୍ଗ ବୁଦ୍ଧ

ଯଦି ବାଣିଜ୍ୟ ବା ଦୋକାନ ଠିକ ଭାବରେ ଚାଲୁନି ବା ବିକ୍ରି ହେଉନାହିଁ ତେବେ ଥଳି ଧରିଥିବା ବୁଦ୍ଧଙ୍କୁ ମୁଖ୍ୟ ଦ୍ୱାରରେ ରଖିବା ଦ୍ୱାରା ଗ୍ରାହକ ମାନେ ଆପଣଙ୍କ ଦୋକାନ ପ୍ରତି ଆକର୍ଷିତ ହୋଇଥାଆନ୍ତି । ଆପଣଙ୍କ ଧନ ବୃଦ୍ଧି ହୋଇଥାଏ, ଏହା ଦ୍ୱାରା ଆପଣଙ୍କ ଦୋକାନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ।

ଖରାପ ନଜରରୁ ବଞ୍ଚିବା ପାଇଁ ଆଣନ୍ତୁ ଏହି ଲାଫିଙ୍ଗ ବୁଦ୍ଧ

ଖରାପ ନଜର ବା ଗୁଣି ଗାରେଡ଼ି ପାଇଁ ଚିନ୍ତିତ ଥିଲେ ଘରେ ହେଉ ବା ଅଫିସରେ ଆପଣ ଡ୍ରାଗନରେ ବସିଥିବା ଲାଫିଙ୍ଗ ବୁଦ୍ଧ ବସାଇ ପାରିବେ । ଏମିତି କରିବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ଏବଂ ଘରର ସଦସ୍ୟଙ୍କ ଉପରେ ଖରାପ ନଜର କୌଣସି ପ୍ରଭାବ ପଡ଼ିନଥାଏ ।

ସୁଖ ଶାନ୍ତି ପାଇଁ ଆଣନ୍ତୁ ଏହି ଲାଫିଙ୍ଗ ବୁଦ୍ଧ

ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଘରୁ ସୁଖ ଶାନ୍ତି କେବେ ନଯାଉ ତେବେ ଆପଣ ହାତରେ ଏକ ପାତ୍ର ଧରି ହସୁଥିବା ବୁଦ୍ଧଙ୍କୁ ଘରକୁ ଆଣନ୍ତୁ । ଏହା କରିବା ଦ୍ୱାରା ସମସ୍ତ ଦୁଃଖ ସମାପ୍ତ ହୋଇଥାଏ ଏବଂ ଘରେ ଏକ ସକରାତ୍ମକ ବାତାବରଣ ସୃଷ୍ଟି କରିଥାଏ । ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ପ୍ରେମ ବଜାୟ ରହିଥାଏ ।