spot_img
Home Blog Page 6585

କରୋନା କାଳରେ ଲୋକଙ୍କୁ ଆକୃଷ୍ଟ କରୁଛି କୋରାପୁଟର ମିରିଗାନି ମାସ୍କ

କୋରାପୁଟ: କରୋନା ଛଡ଼ାଇ ନେଇଥିଲା ବ୍ୟବସାୟ । ବେପାର ନ ଥିବାରୁ ହନ୍ତସନ୍ତ ହେଉଥିଲେ ବ୍ୟବସାୟୀ । ହେଲେ କରୋନା ପାଇଁ ମିଳିଗଲା ରୋଜଗାରର ପନ୍ଥା । ବ୍ୟବସାୟ ମିଳିଲା ଅନ୍ୟ ଉପାୟ ।  କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର ମିରିଗାନ ଶାଢ଼ୀ ଦେଶ ତଥା ବିଦେଶରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସେହିପରି ବର୍ତ୍ତମାନ କରୋନା ମହାମାରୀ ସମୟରେ ମିରିଗାନ ମାସ୍କର ମଧ୍ୟ ପ୍ରବଳ ଚାହିଦା ରହିଛି । ଏହି ମାସ୍କ ପ୍ରାକୃତିକ ରଙ୍ଗ ଏବଂ ସୂତାରେ ତିଆରି ହୋଇଥିବା ଯୋଗୁଁ ଚର୍ମରେ କୌଣସି କ୍ଷତି ହୋଇନଥାଏ । କୋଟପାଡ଼ ଅଞ୍ଚଳର ମିରିଗାନ ସାହିର କିଛି ଯୁବତୀ ପ୍ରଥମେ ନିଜେ ବ୍ୟବହାର କରିବା ପାଇଁ ଗୋଟିଏ ଗୋଟିଏ ମାସ୍କ ପ୍ରସ୍ତୁତ କଲେ ।

ତାହାକୁ ଦେଖି ଧୀରେ ଧୀରେ ମିରିଗାନ ମାସ୍କ ଏତେ ଚାହିଦା ବଢିଗଲା ଯେ ଏବେ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଅର୍ଡର ଆସୁଛି ଏହି ମାସ୍କ ପାଇଁ  । ଗୋଟିଏ ମାସ୍କ ତିଆରି କରିବା ପାଇଁ ୩୦ ମିନିଟ ସମୟ ଲାଗିଥାଏ । ପ୍ରତିଦିନ ୧୦୦ ରୁ ୧୫୦ ଟି ମାସ୍କ ତିଆରି କରନ୍ତି ଏହି ଯୁବତୀ ମାନେ । ୪୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ଯାଏଁ ଗୋଟିଏ ମାସ୍କ ର ମୂଲ୍ୟ ରହିଛି । ସୁଲଭ ମୂଲ୍ୟ ଏବଂ ନିରାପଦ ଥିବା ଯୋଗୁଁ ଲୋକେ ଏବେ ମିରିଗାନ ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

ଭୁବନେଶ୍ୱର, କୋଲକତା, ମୁମ୍ବାଇ, ଦିଲ୍ଲୀ ରେ ମଧ୍ୟ ମିରିଗାନ ମାସ୍କ ର ଚାହିଦା ରହିଥିବା କହିଛନ୍ତି । କରୋନା କୋଟକଣା ମଧ୍ୟରେ କୋଟପାଡ଼ ଅଞ୍ଚଳର ମିରିଗାନ ବସ୍ତ୍ର ଆଉ ବିକ୍ର ହୋଇପାରିଲା ନାହିଁ । ଶେଷରେ କିଛି ଯୁବତୀ ମିଶି ମିରିଗାନ ବସ୍ତ୍ର ରେ ମାସ୍କ ତିଆରି କରିବା ଆରମ୍ଭ କଲେ । ଧୀରେ ଧୀରେ ଏତେ ଚାହିଦା ବଢିଗଲା ଯେ ଏବେ ଠିକରେ ମାସ୍କ ଯୋଗାଇ ପାରୁନାହାନ୍ତି । ବିଭିନ୍ନ ଡିଜାଇନ ର ମାସ୍କ ପ୍ରସ୍ତୁତ କରୁଛନ୍ତି ସେଥିପାଇଁ ଲୋକେ ଆଉ କମ୍ପାନୀ ମାସ୍କକୁ ବ୍ୟବହାର ନକରି ଏହି ମିରିଗାନ ମାସ୍କ ପ୍ରତି ଆକୃଷ୍ଟ ହେଉଛନ୍ତି । ଏହି ମାସ୍କ ତିଆରି କରି ଦୁଇ ପଇସା ରୋଜଗାର କରି ଯୁବତୀ ମାନେ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ସୁଧୁରୁନି ଚୀନ୍‌, ସୀମା ସ୍ଥିତି ପରଖିବାକୁ ଯିବ ସଂସଦୀୟ କମିଟି

ନୂଆଦିଲ୍ଲୀ: ସୁଧୁରୁନି ଚୀନ୍ ।‌ ବାରମ୍ବାର ଆଲୋଚନା ପରେ ମଧ୍ୟ ଚୀନ ନିଜର ପ୍ରକୃତି ଛାଡୁନାହିଁ । ଭାରତ ପକ୍ଷରୁ ବାରମ୍ବାର ଶାନ୍ତି ବାର୍ତ୍ତା ଦିଆଯାଉଥିଲେ ମଧ୍ୟ ଚୀନ୍‌ର କଥା ଗୋଟେ କାମ ଆଉ ଗୋଟେ । ଉପରେ ଶାନ୍ତି ଚାହୁଁଛି ବୋଲି ଚୀନ୍‌ ଯେତେ ଡେଙ୍ଗୁରା ପିଟୁଥିଲେ ମଧ୍ୟ ବାସ୍ତବରେ ତାର ଆଚରଣ ସେୟା ନୁହେଁ । ଏହାସତ୍ତ୍ୱେ ଶାନ୍ତି ପାଇଁ ଦୁଇଦେଶ ମଧ୍ୟରେ ଲଗାତାର ଆଲୋଚନା ଜାରି ରହିଛି । ଚୀନର ପ୍ରତି ପଦକ୍ଷେପ ଉପରେ ନଜର ରଖିଛି ଭାରତୀୟ ସେନା । ଏଥର ଯଦି ଚୀନ କିଛି ପଦକ୍ଷେପ ନିଏ ତେବେ ଏହାର କଡ଼ା ଜବାବ ଦିଆଯିବ ବୋଲି ଭାରତ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି ।

ସୀମାରେ ହିମ‌ ପ୍ରବାହ ଆରମ୍ଭ ହୋଇଯାଇଛି । ତେବେ ଏହାରି ଭିତରେ ସୀମା ସ୍ଥିତି କିପରି ରହିଛି ଯାଞ୍ଚ କରିବାକୁ ସଂସଦୀୟ କମିଟି ଏଲଏସି ଯିବ ବୋଲି କୁହାଯାଇଛି । PAC ଲେହ ଯାଇ ଭାରତୀୟ ସେନାର ସ୍ଥିତି ଓ ସେମାନଙ୍କ ପ୍ରସ୍ତୁତି ନେଇ ଆଲୋଚନା କରିବ । ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧରୀଙ୍କ ନେତୃତ୍ୱରେ ଏହି ଟିମ୍‌ ୨୮ କିମ୍ବା ୨୯ ଅକ୍ଟୋବରରେ ଲେହ ଯାତ୍ରା କରିବେ । ଏଥିପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା ଅନୁମତି ଦେଇସାରିଛନ୍ତି ।

ଏହି ଗସ୍ତ ସମୟରେ ସମସ୍ତ ସାଂସଦ ସେନାର ଉତ୍ତର କମାଣ୍ଡ ଅଧିକାରୀଙ୍କୁ ସାକ୍ଷାତ କରିବା ସହ ସୁରକ୍ଷାକାର୍ଯ୍ୟରେ ନିୟୋଜିତ କମାଣ୍ଡରଙ୍କ ସହ ବି ଆଲୋଚନା କରିବେ । ଫରଓ୍ୱାର୍ଡ ପୋଷ୍ଟକୁ ଯାଇ ସେନାଙ୍କୁ ବି ଭେଟିବ PAC । ଦୁଇ ଦିନିଆ ଗସ୍ତରେ ଥିବା ଏହି ଟିମ ଲେହସ୍ଥିତ DRDO ଅଫିସରେ ପହଞ୍ଚିବାର କାର୍ଯକ୍ରମ ମଧ୍ୟ ରହିଛି ।

ସେହିଭଳି ଗୋଟିଏପଟେ ଶାନ୍ତିର କଥା କରୁଥିବ ଚୀନ କିନ୍ତୁ ଅନ୍ୟପଟେ ସୀମାରେ ସେନା ଠୁଳ କରିବାରେ ଲାଗିଛି । ଚୀନର ଏହି ଦୋମୁହାଁ ଆଚରଣ ଯୋଗୁଁ ଲଦାଖରେ ସୃଷ୍ଟି ହୋଇଛି ଯୁଦ୍ଧ ପରିସ୍ଥିତି । ଦକ୍ଷିଣ ପ୍ୟାଙ୍ଗଙ୍ଗ ସି ର ୭୦ କିଲୋମିଟର ଅଞ୍ଚଳ ସମେତ ସୀମାରେଖାରେ ଭାରତର ସ୍ଥିତି ସୁଦୃଢ ହେବା ପରେ ଚୀନ ଏବେ ଚିନ୍ତାରେ ।

ତାଇୱାନ ଉପରେ ଯୁଦ୍ଧ ଯୋଜନା କରୁଛି ଚୀନ୍, PLAର ସମରାଭ୍ୟାସ…

ନୂଆଦିଲ୍ଲୀ: ତାଇୱାନ-ଚୀନ ବିବାଦ ପୁଣି ମୁଣ୍ଡ ଟେକିଛି । ଯଦିଓ ତାଇୱାନ ସଂଯୁକ୍ତ ରାଷ୍ଟ୍ରର ଅଂଶ ନୁହେଁ, ତଥାପି ବିଶ୍ୱର ପ୍ରାୟ ସମସ୍ତ ଦେଶ ଏହାକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ଦେଖନ୍ତି । ମାତ୍ର ଚୀନର କ୍ରମାଗତ ଭାବେ ତାଇୱାନ ବିରୋଧୀ ଆଭିମୁଖ୍ୟ ଏହି ଛୋଟିଆ ଦ୍ୱୀପ ପାଇଁ ସମସ୍ୟା ହୋଇ ଠିଆ ହୋଇଛି । ତେବେ ଚୀନର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଚୀନ ତାଇୱାନ ଉପରେ ଆକ୍ରମଣ କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚଳାଇଛି ।

ବିଗତ ଦିନରେ ଏହି ଗଣମାଧ୍ୟମ ତାଇୱାନ ଉପରେ ଯୁଦ୍ଧ ହେବା ନେଇ ଆଲୋଚନା କରିଥିଲେ । ତେବେ ଏହା ଠିକ ପରେ ଅର୍ଥାତ୍ ନିକଟ ଅତୀତରେ ଚୀନ ସେନା ଏକ ଦ୍ୱୀପ ଦଖଲ କରିବା ପାଇଁ ସମରାଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ମଧ୍ୟ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ମିଡିଆରେ ଘୂରି ବୁଲୁଛି । ଏଣୁ ଅନୁମାନ କରାଯାଉଛି ଯେ, ଚୀନ ସେନା, ପିପୁଲ୍ସ ଲିବରେସନ ଆର୍ମି ତାଇୱାନ ଉପରେ ଯୁଦ୍ଧ ଘୋଷଣା କରିପାରେ । ସବୁଠାରୁ ବଡ କଥା ଚୀନ ସେନାର ସମରାଭ୍ୟାସ ଉପକୂଳବର୍ତ୍ତୀ ଅଞ୍ଚଳରେ ହେଉଛି । ତାଇୱାନ ଏକ ଦ୍ୱୀପ ହୋଇଥିବା ହେତୁ ଏଭଳି ସମରାଭ୍ୟାସ ଉକ୍ତ ଦେଶ ପାଇଁ ସମସ୍ୟା ବଢାଇଛି ।  ତେବେ ସମରାଭ୍ୟାସ ସମୟରେ ଚୀନ ସେନା ମିସାଇଲ୍, ଯୁଦ୍ଧ ବିମାନର ବ୍ୟବହାର କରୁଛି । ପିପୁଲ୍ସ  ଲିବରେସନ ଆର୍ମିର ୭୩ ତମ ଶ୍ରେଣୀକୁ ଏହି ଦାୟିତ୍ୱ ମିଳିଥିବା ରିପୋର୍ଟ ପ୍ରକାଶ କରିଛି ।

ଚୀନ ସରକାର ତାଇୱାନକୁ କେବେ ମଧ୍ୟ ଏକ ଦେଶ ଭାବେ ଗ୍ରହଣ କରିନାହାନ୍ତି । ଚୀନ ଏହି ଦ୍ୱୀପକୁ ନିଜ ଦେଶ ଅନ୍ତର୍ଗତ ଏକ ସ୍ୱୟଂଶାସିତ ପ୍ରଦେଶର ମାନ୍ୟତା ଦେବାକୁ ପ୍ରସ୍ତୁତ  । ମାତ୍ର ସାମରିକ, ବ୍ୟାପାର ଭଳି ଅନେର ପ୍ରମୁଖ କ୍ଷେତ୍ରରେ ନିଜର ପ୍ରଭୁତ୍ୱ ରଖିବା ଚାହୁଁଛି । ଅର୍ଥାତ୍ ସ୍ୱଂୟ ସମ୍ପୂର୍ଣ୍ଣ ତାଇୱାନ କଥା ଉଠିଲେ ଏହାକୁ ଗ୍ରହଣ କରିବାକୁ ଚୀନ ଆଦୌ ପ୍ରସ୍ତୁତ ନୁହେଁ । ତାଇୱାନ ସାଉଥ୍ ଚାଇନା ସମୁଦ୍ରରେ ମଧ୍ୟରେ ଏକ ଦ୍ୱୀପ ହୋଇଥିବା ହେତୁ ଚୀନ ସେଠାରେ ନିଜ ପ୍ରଭାବ କମାଇବାକୁ ଚାହୁଁନାହିଁ  । ତାଇୱାନ ଏକ ସ୍ୱତନ୍ତ୍ର ଦେଶ ହେଲେ, ଅନ୍ତର୍ଜାତୀୟ ସ୍ତରରେ ତାଇୱାନ ସହ ଅନ୍ୟ ଦେଶର ବାଣିଜ୍ୟିକ, କୁଟନୈତିକ ଓ ସାମରିକ ସମ୍ପର୍କ ଚୀନ ପାଇଁ ସମସ୍ୟା ବଢାଇପାରେ ।

ମା’ ବିରଜାଙ୍କ ରଥଯାତ୍ରାରେ ପୁରୀ ରଥଯାତ୍ରାର ଆକ୍ସନ ପ୍ଲାନ୍‌, ରହିବେ ଏତିକି ସେବାୟତ

ଯାଜପୁର: କରୋନା କଟକଣା ଭିତରେ ହେବ ମା’ ବିରଜାଙ୍କର ରଥଯାତ୍ରା । ପୁନରାବୃତ୍ତି ହେବ ପୁରୀ ଶ୍ରୀଗୁଣ୍ଡିଚା ରଥଯାତ୍ରାର ଆକ୍ସନ ପ୍ଲାନ୍‌ । ୯ ଦିନର ରଥଯାତ୍ରାରେ କରୋନାକୁ ନେଇ ରହିଛି ଅନେକ କିଛି ପ୍ଲନ୍‌ । ଆସନ୍ତା ୧୭ ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ରଥଯାତ୍ରା । ଏହି ରଥଯାତ୍ରା ପାଇଁ ଅନେକ କଟକଣା କରାଯାଇଛି । ଆସନ୍ତା ୧୭ରେ ମା ବିରଜାଙ୍କ ରଥଯାତ୍ରା ପାଇଁ ହାଇକୋର୍ଟ ଜିଲ୍ଲାପାଳଙ୍କୁ ସମ୍ପୂର୍ଣ ଦାୟିତ୍ଵ ନ୍ୟସ୍ତ କରିଛନ୍ତି ।

ଜିଲ୍ଲାପାଳଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଥିବାରୁ ସୂଚାରୁ ରୂପେ ପରିଚାଳନା ପାଇଁ ସମସ୍ତ ପଦକ୍ଷପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେବାୟତଙ୍କ ସଂଖ୍ୟା ୬୦ ରେ ସୀମିତ ରଖିବା ସହ ରଥ ଚାଳନା ପାଇଁ ୧୮ ରଥ ଟାଣିବା ପାଇଁ ୬୦ ଲାଖବିନ୍ଧା କାର୍ଯ୍ୟ ସମ୍ପର୍ଣ ପାଇଁ ୯୯ ଜଣଙ୍କୁ ସ୍ୱୀକୃତି ପ୍ରଦାନ କରାଯିବ. ଏଥିସହ ମାଙ୍କ ମହାସ୍ନାନ ପାଇଁ ୨୦ ଜଣ ବୈତରଣୀ ବ୍ରାହ୍ମଣଙ୍କୁ ନିୟୋଜିତ କରାଯିବ। ଏ ସମସ୍ତ ସେବାୟତଙ୍କ ପାଇଁ କୋଭିଡ ଟେଷ୍ଟ ଅନିର୍ବାର୍ଯ୍ୟ । ଏ ସମସ୍ତଙ୍କୁ ସଙ୍ଘରୋଧରେ ରହିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏଥିସହ ମନ୍ଦିର ଚତୃପାର୍ଶ୍ୱରେ ଏହି ୯ ଦିନ ରଥଯାତ୍ରା ରେ ୧୪୪ ଧାରା ବଳବତ୍ତର ରହିବ ।

ବିଜେପି କାର୍ଯ୍ୟାଳୟ ସାମ୍ନାରେ ମହିଳାଙ୍କ ଆତ୍ମାହୁତି..!

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟ ଫାଟକ ସାମ୍ନାରେ ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମହିଳା ଜଣକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହି ଘଟଣା ଦେଖି ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ଓ ଗଣମାଧ୍ୟମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ତେବେ ମହିଳାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲେ ମହିଳା ଜଣଙ୍କ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମେଡିକାଲରେ ମହିଳାଙ୍କୁ ପଚରାଉଚରା କରୁଛି । ମେଡିକାଲରୁ ମିଳିଥିବା ସୂଚନା ଅନୁଯାୟୀ ମହିଳାଙ୍କ ଅବସ୍ଥା ଗୁରୁତର ଅଛି ।

Why CM Yogi Adityanath Is Getting Fail To Manage Uttar Pradesh Law And Order

ହଜରତଗଞ୍ଜ କୋଟୱାଲୀରୁ ଏହି ଘଟଣା ସାମ୍ନାକୁ ଆସିଛି । ପୀଡିତା ମହିଳା ଜଣକ ହେଉଛନ୍ତି ୟୁପି ମହାରାଜଗଞ୍ଜର ଅଞ୍ଜନା ତିୱାରୀ । ସେ ଅଖିଳେଶ ତିୱାରୀ (୩୫) ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା । ଏହାପରେ ମହିଳା ଜଣକ ଧର୍ମ ପରିବର୍ତ୍ତନ କରି ଆସିଫ୍‌ ନାମକ ଜଣେ ଯୁବକଙ୍କ ସହ ବିବାହ କରିଥିଲେ । ବିବାହ ପରେ ଆସିଫ୍‌ ରଜା ସାଉଦି ଚାଲି ଯାଇଥିଲେ । ତେବେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆସିଫ୍‌ଙ୍କ ପରିବାର ଲୋକ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ । ତେଣୁ ଏଥିରେ ଅତିଷ୍ଟ ହୋଇ ମହିଳା ଜଣକ ରାଜ୍ୟ ବିଜେପି କାର୍ଯ୍ୟାଳୟ ଗେଟ୍‌ ନମ୍ବର ଦୁଇ ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

UP Lady

ମହିଳା ଜଣକ କହିଛନ୍ତି, ସେ ଏହି ଘଟଣା ନେଇ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ କୌଣସି ସୁଫଳ ମିଳି ନ ଥିଲା । ଫଳରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ଦୁଃଖ ଜଣାଇବାକୁ ଚାହୁଁଥିଲେ । ହେଲେ ସେଥିରେ ମଧ୍ୟ ସେ ନିରାଶ ହେଲେ । ତେଣୁ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ଏହି ଘଟଣାକୁ ଦୃଷ୍ଟିରେ ରଖି ଯୋଗୀ ସରକାର କଠୋର ପଦକ୍ଷେପ ନେବାକୁ ଚିନ୍ତା କରୁଛନ୍ତି । ଏଭଳି ଘଟଣାକୁ ରୋକିବା ପାଇଁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ସୂଚନାନୁଯାୟୀ, ନିକଟ ଅତୀତରେ ମେରଠ, କାନପୁର ଏବଂ ଲଖିମପୁର ଖିରୀରେ ଝିଅମାନଙ୍କୁ ଠକିବା ଏବଂ ସେମାନଙ୍କୁ ପ୍ରତାରଣା କରିବା ଘଟଣା ବାରମ୍ବାର ସାମ୍ନାକୁ ଆସିଛି । ମେରଠ ଏବଂ ଲଖିମପୁରରେ ମହିଳାଙ୍କୁ ହତ୍ୟା ମଧ୍ୟ କରାଯାଇଛି ।

ଭୂତଳ କୋଇଲା ଖଣିରେ ବାଲି ଫିଲିଂ ନହେବାରୁ ଘଟୁଛି ଅଘଟଣ, ଠା ଠା ଦବୁଛି ମାଟି

ଅନୁଗୁଳ: ବର୍ଷା ନ ଥାଇ ମାଟି ତଳୁ ବାହାରୁଛି ଝରଣା ଭଳି ପାଣି । ଯେଉଁ ସ୍ଥାନ ପୂର୍ବରୁ ଭୂତଳ କୋଇଲା ଖଣି ଥିଲା ସେଠାରୁ ଏବେ ଅନର୍ଗଳ ପାଣି ବାହାରିବାରେ ଲାଗିଛି । ଏଭଳି ସ୍ଥାନରୁ ପାଣି ବାହାରିବା ମାନେ ମାଟି ଧସିବାର ପୂର୍ବ ସଂକେତ । ଯେଉଁଥି ପାଇଁ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ମନରେ ଏକ ପ୍ରକାରର ଭୟ ଦେଖା ଦେଇଛି । ଭୟର କାରଣ ହେଉଛି ମାଟି ଭିତରୁ ପାଣି ବାହାରିଲେ ସେଠିକାର ମାଟି ଧସିପାରେ । ଭୂତଳ କୋଇଲା ଖଣିରେ ବାଲି ଭର୍ତ୍ତି କରାଯାଇନଥିବା ଯୋଗୁଁ ସେଠାରେ ପାଣି ବାହାରୁଛି ।

ଯେଉଁ ପରିମାଣରେ ପାଣି ବାହାରୁଛି ମାଟି ଅତଡା ଖସିବାର ସମ୍ଭାବନା ରହିଛି । ଯଦି ଦେଖିବା ୨୦୦୬ ମସିହାରେ ମଧ୍ୟ ଏଭଳି ସମାନ ଘଟଣା ଘଟିଥିଲା । ଆଉ କିଛି ଦିନ ପରେ ପାଣି ବହାରୁଥିବା ସ୍ଥାନରୁ ମାଟି ଧସିଥିଲା । ତେବେ ଆଜି ପୁଣି ସମାନ ଢଙ୍ଗରେ ପାଣି ବାହାରୁଥିବା ଯୋଗୁଁ ଲୋକଙ୍କ ମନରେ ଛନକା ପଶିଛି । ଆଉ ଏଥିପାଇଁ ଖଣି କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ ।

ବନ୍ଦ ହୋଇ ଯାଇଥିବା ଭୁତଳ କୋଇଲା ଖଣିରେ ପର୍ଯ୍ୟାପ୍ତ ପରିମାଣର ବାଲି ଭର୍ତ୍ତି କରିବାକୁ ନିର୍ଦେଶ ରହିଛି । ତେବେ ଖଣି ପକ୍ଷରୁ ଏହାକୁ ପାଳନ କରା ଯାଉ ନାହିଁ । ଅଳ୍ପ ଅଳ୍ପ ବାଲି ଭର୍ତ୍ତି କରି କାମ ତୁଲାଇ ଦେଉଛନ୍ତି ଖଣି କର୍ତ୍ତୃପକ୍ଷ । ଯାହା ଫଳରେ ଏଭଳି ସମସ୍ୟା ଦେଖା ଦେଇଥିବା ବେଳେ ଅନେକ ସମୟରେ ତାଳଚେର ଅଞ୍ଚଳରେ ମାଟି ଦବୁଛି । ମାଟି ଦବି ବହୁ ଘର ମଧ୍ୟ ନଷ୍ଟ ହୋଇଛି । ଏହାକୁ ନେଇ ଅନେକ ଥର ଅଭିଯୋଗ ଓ ଆନ୍ଦୋଳନ ହୋଇଥିଲେ ମଧ୍ୟ ଚେତୁ ନାହାନ୍ତି ଖଣି ଅଧିକାରୀ । ସେପଟେ ଖଣି ଅଧିକାରୀ ବାଲି ସଠିକ ପରିମାଣରେ ଭର୍ତ୍ତି ନହେବାକୁ ପରୋକ୍ଷରେ ସ୍ୱିକାର କରିଛନ୍ତି ।  ତାଙ୍କ କହିବା କଥା ପର୍ଯ୍ୟାପ୍ତ ପରିମାଣର ବାଲି ମିଳୁ ନଥିବା ଯୋଗୁଁ ବାଲି ଭର୍ତ୍ତି ହୋଇପାରୁନାହିଁ । ତେବେ ଏଭଳି ଘଟଣା ପାଇଁ ଆତଙ୍କିତ ନ ହେବାକୁ ସେ କହିଛନ୍ତି ।

ନିର୍ବାଚନରେ ହାରିଥିବା ପ୍ରାର୍ଥୀଙ୍କୁ ଭୋଟର ଦେଲେ ୨୧ ଲକ୍ଷ ଟଙ୍କା !

ଯୋଧପୁର: ନିର୍ବାଚନ ଜିତି ସାରିବା ପରେ ମତଦାତାଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସଭା ଆୟୋଜନ ହେବା କଥା ତ ଆପଣ ଶୁଣିଥିବେ । କିନ୍ତୁ ଯୋଧପୁର ଜିଲ୍ଲା ପିପାଡ଼ ତହସିଲରେ ପଞ୍ଚାୟତ ନିର୍ବାଚନ ପରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଠାରେ ନିର୍ବାଚନରେ ହାରିବା ପରେ ଜଣେ ପ୍ରାର୍ଥୀ ଧନ୍ୟବାଦ ସଭା ଆୟୋଜନ କରିଥିଲେ । ମତଦାତାଙ୍କୁ ଏହି ଧନ୍ୟବାଦ ସମାରୋହରେ ନିମନ୍ତ୍ରଣ ଦେବା ସହ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା । ନିର୍ବାଚନରେ ହାରିଥିବା ପ୍ରାର୍ଥୀଙ୍କ ଦ୍ୱାରା ଆୟୋଜିତ ଧନ୍ୟବାଦ ସଭା ପରେ ଗ୍ରାମୀଣ ଭୋଟର ବିଚଳିତ ହୋଇଯାଇଥିଲେ । ଏମିତିକି ଗ୍ରାମବାସୀ ମାନେ ଏପରି କିଛି କରିଥିଲେ ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ।

​ବିବାହ ସମାରୋହ ଭଳି ହୋଇଥିଲା ଆୟୋଜନ

ସୂଚନା ଅନୁଯାୟୀଏହି ଧନ୍ୟବାଦ ସଭାର ଦୃଶ୍ୟ କୌଣସି ବିବାହ ସମାରୋହଠୁ କମ୍ ନଥିଲା । ଢୋଲ ବାଇଦ ସହ ଏହି ସମାରୋହ ସମାପ୍ତ ହୋଇଥିଲା ।  ଏହି ଅବସରରେ ୱାର୍ଡ ମେମ୍ବର ମାନେ ପ୍ରାର୍ଥୀଙ୍କୁ ପୁଷ୍ପମାଳ ଅର୍ପଣ କରିଥିଲେ ।

ପୂର୍ବତନ ସରପଞ୍ଚ ମଧ୍ୟ କଲେ ଆର୍ଥିକ ସହାୟତା

ମିଳିଥିବା ସୂଚନା ଅନୁଯାୟୀ ମୁକୁନ୍ଦ ଦେବସିଙ୍କ ପରିବାର ବନ୍ଧୁ ଶ୍ୟାମ ଚୌଧୁରୀ ତାଙ୍କୁ ସେଠାରେ ୫ ଲକ୍ଷ ୫୧ ହଜାର ଟଙ୍କା ସାହାଯ୍ୟ କରିଥିଲେ । ପୂର୍ବତନ ସରପଞ୍ଚ ଭାନାରାମ ୧ ଲକ୍ଷ ୧୧ ହଜାର ଟଙ୍କା ସହାୟତା କରିଥିଲେ। ଏହା ପରେ ଗାଁର ବରିଷ୍ଠ ଲୋକମାନେ ସରପଞ୍ଚ ପ୍ରାର୍ଥୀ ଏବଂ ତାଙ୍କ ପରିବାରକୁ ଏହି ରାଶି ପ୍ରଦାନ କରିଥିଲେ ।

ମତଦାତା ଏହାକୁ ଦେଖି ଆର୍ଥିକ ସାହାଯ୍ୟ କରିବା ପାଇଁ ନେଲେ ନିଷ୍ପତ୍ତି

ଧନ୍ୟବାଦ ସଭାରେ ପହଞ୍ଚିଥିବା ମତଦାତା ପରାଜିତ ପ୍ରାର୍ଥୀଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଲେ ଏବଂ ସେଠାରେ ଉପସ୍ଥିତ ସମସ୍ତେ ତତକ୍ଷଣାତ ୨୧ ଲକ୍ଷ ଟଙ୍କା ଏକତ୍ର କଲେ ।

ମତଦାତାଙ୍କ ଠାରୁ ମିଳିଥିବା ସମର୍ଥନ ପାଇଁ କିଛି କରିବାକୁ ଚାହୁଁଥିଲେ ମୁକୁନ୍ଦ ଦିବାସୀ

ସୂଚନା ଅନୁଯାୟୀ ପୀପାଡ ତହସିଲର ନାନଣ ଗାଁରେ ପଞ୍ଚାୟତ ନିର୍ବାଚନରେ ମୁକୁନ୍ଦ ଦିବାସୀ, ସୁନ୍ଦରୀ ଦେବୀଙ୍କ ଠାରୁ ମାତ୍ର ୮୪ ଭୋଟରେ ହାରିଥିଲେ । ମୁକୁନ୍ଦ ଦିବାସୀଙ୍କ ମନୋବଳ ଯଥେଷ୍ଟ୍ର ହ୍ରାସ ପାଇଯାଇଥିଲା । କିନ୍ତୁ ଏତେ ଭାରି ସଂଖ୍ୟାରେ ମିଳିଥିବା ଭୋଟ ପାଇଁ ମତଦାତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଥିଲେ ମୁକୁନ୍ଦ । ଏହାପରେ ସେ ଏକ ଧନ୍ୟବାଦ ସଭା ଆୟୋଜନ କରିଥିଲେ ।

ତୁହାକୁ ତୁହା ବର୍ଷାରେ ଗଞ୍ଜାମ,ଗଜପତି ପ୍ରଭାବିତ, ଗାଁ ବୁଡ଼ିଲା ଘର ଭାଙ୍ଗିଲା

ଗଞ୍ଜାମ/ଗଜପତି: ବାତ୍ୟା ଭୟ ଟଳିବା ପରେ ଏବେ ବର୍ଷା ଦେଖାଉଛି ତାର ତାଣ୍ଡପ ଲୀଳା । ଆନ୍ଧପ୍ରଦେଶର କାକିନାଡ଼ା ନିକଟରରେ ଗଭୀର ଅବପାତ କାରଣରୁ ରାଜ୍ୟରେ ତୁହୁକୁ ତୁହା ବର୍ଷା ଲାଗି ରହିଛି । ଅବପାତ ପ୍ରଭାବରେ ଧୋଇ ଯାଇଛି ଦକ୍ଷିଣ ଓଡ଼ିଶା । ଗଜପତି ଏବଂ ଗଞ୍ଜାମରେ ବର୍ଷାର ପ୍ରଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । କେଉଁଠି ବର୍ଷା ଘର ଭାଙ୍ଗିଛି  ତ ପୁଣି କେଉଁଠି ଘରେ ଆଣ୍ଠୁଏ ଉଚ୍ଚର ପାଣି ଭରି ରହିଛି ।  ବର୍ଷାକୁ ନେଇ ପାହାଡ଼ିଆ ଅଞ୍ଚଳରେ ଥିବା ଆଦିବାସୀ ମାନେ ଆତଙ୍କିତ ହୋଇପଡ଼ିଛନ୍ତି । ବିଶେଷ କରି ବାଘଲଟି ଜଳ ଭଣ୍ଡାର ଆର ପାରିରେ ଥଇଥାନ ଅପେକ୍ଷାରେ ରହିଥିବା ପାଞ୍ଚରୁ ଉର୍ଦ୍ଧ୍ୱ ଗାଁର ଲୋକମାନଙ୍କ ଚିନ୍ତା ବଢିଯାଇଛି ।

ବର୍ଷାର ପ୍ରକୋପ ବଢୁଥିବାରୁ ବାଘଲଟି ପ୍ରକଳ୍ପ ତରଫରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ପାହାଡ଼ ଉପରୁ ପାଣି ଖସି ଗାଁ ଭିତରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଏପଟେ ଦୁଇଦିନ ହେବ ବର୍ଷା ଜାରି ରହିଥିବା ବେଳେ ପାହାଡ଼ି ଇଲାକାର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ପରିଲିକ୍ଷିତ ହୋଇଛି ।

ସାନଖେମୁଣ୍ଡି ବ୍ଲକ କଉଡ଼ିଆ ପଂଚାୟତ ବଉଳଘାଇ ଗ୍ରାମ ସିନ୍ଧୁଆ ସ୍ବାଇଁଙ୍କ ଘର ଲଗାଣ ବର୍ଷା ରେ ବହୁ ପୁରାତନ ଘର ଛାତ ରୁ ପାଣି ବାହାରିବେଳେ ଅନ୍ୟ ଘର ବାଡ଼ ବା କାନ୍ଥ ଭୁଶୁଡି ଘରେ ପଡି ରହିଛି । ସେପଟେ ଘୋଡାହାଡ ଡ୍ୟାମ  ରେ ଜଳପତ୍ତନ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବା ବେଳେ ମଙ୍ଗଳବାର ସକାଳ ୬ ଟା ସୁଦ୍ଧା ଜଳପତ୍ତନ ୧୧୫.୨୦ ମିଟର ରେ ପହଞ୍ଚିଛି । ଡ଼୍ୟାମ ଅଞ୍ଚଳରେ ୮୩ ମି. ମି ବର୍ଷା ହୋଇଥିବା ବେଳେ ନଦୀକୂଳିଆ ଲୋକଙ୍କ ସତର୍କ କରିଛି ଜଳସମ୍ପଦ ବିଭାଗ । ସ୍ପିଲୱେ ଦେଇ ନଦୀ ମଧ୍ୟକୁ ପାଣି ଛଡାଯିବ । ଘୋଡାହାଡ ନଦୀତଟବାସୀଙ୍କୁ ଡ୍ୟାମକୁ ଯିବାକୁ ବାରଣ କରାଯାଇଛି ।

ସେପଟେ ପାରଳାଖେମୁଣ୍ଡି ସୁବାସ ନଗରରେ ରାତି ତମାମ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ମାଟି କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଲା ।  ଅଳ୍ପକେ ବର୍ତ୍ତିଲେ ହରିଶ୍ଚନ୍ଦ୍ର ନାଗବଂଶଙ୍କ ପରିବାରର ପାଞ୍ଚ ଜଣ ସଦସ୍ୟ। ବର୍ଷା ଯୋଗୁଁ ରାତିରେ ଘରଭିତରେ ପାଣି ପଡ଼ୁଥିବାରୁ ଶୋଇ ପାରିନଥିଲେ ଲୋକେ। ଏହି ସମୟରେ ମାଟି କାନ୍ଥଟି ଭୁଶୁଡି ପଡିଥିଲା। କାନ୍ଥ ଭୁଷୁଡି ଯିବାରୁ ସମ୍ପୂର୍ଣ୍ଣ ବାସହୀନ ସୋଇପଡିଛନ୍ତି ପରିବାରର ଲୋକେ। ତେବେ ଏମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରିଛନ୍ତି ।

ସେପଟେ ଗଜପତି ପାହାଡିଆ ଅଞ୍ଚଳରେ ଭୁଷ୍ଖଳନ ସମ୍ଭାବନା ଥିବାରୁ ପାଖାପାଖି ୫ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାର ଆର୍ ଉଦୟଗିରି, ରାୟଗଡ଼, ଗୁମ୍ମା, କାଶୀନଗର, ଗୋଷାଣୀ ତଥା ପାରଳାଖେମୁଣ୍ଡି ଅଞ୍ଚଳର ୫୦୦ରୁ ଅଧିକ  ପ୍ରଭାବିତ ଅନେକ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ସୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇ ବିଭିନ୍ନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସାମ୍ଭାବ୍ୟ ଭୁଷ୍ଖଳନ ଅଞ୍ଚଳକୁ ବିଶେଷ ଦୃଷ୍ଟି ଦିଆଯାଇଛି ।

ତିତିଲି ବାତ୍ୟା ଫଳରେ ଗଜପତି ଏବଂ ଗଞ୍ଜାମ ଜିଲ୍ଲା  ତୁମ୍ବା ନିକଟରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ପର୍ଶୁରାମ କୁଣ୍ଡ ଧ୍ୱଂସ ବିଧ୍ୱସ୍ତ ହେବା ସହ ପୁରିଆ ସାହି କ୍ଷୁଦ୍ର ଜଳ ପ୍ରକଳ୍ପ ମାଟିରେ ମିଶିଯାଇଥିଲା । ଏପର୍ଯ୍ୟନ୍ତ ଆଦିବାସୀ ଇଲାକାର ଲୋକମାପେ ଏଯାଏଁ ସେଥିରୁ ମୁକୁଳି ପାରୁନାହାନ୍ତି । ବହୁ ପରିବାର ଏବେ ବି ବେଘର ହୋଇ ରହିଛନ୍ତି । ତିତିଲି ବାତ୍ୟାର ଘାଆ ଏଯାଏଁ ଲିଭିନଥିବା ବେଳେ ଆଜି ପୁଣି ଲଘୁଚାପ ବର୍ଷା ଘାଆରେ ଲୁଣ ଛିଞ୍ଚିଛି ।

Online Sale: କ୍ରେଡିଟ କାର୍ଡ, ଡେବିଟ କାର୍ଡ ହେଉ ବା କ୍ୟାସ ଅନ ଡେଲିଭରୀ, କେମିତି କରିବେ ପେମେଣ୍ଟ ?

ଅନଲାଇନ ପେମେଣ୍ଟ ଦିନକୁ ଦିନ ବଢିବା ସହିତ, ଅନଲାଇନ ଟଙ୍କା ଠକେଇ ମଧ୍ୟ ବଢ଼ିବାରେ ଲାଗିଛି । ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାବେଳେ ଅନେକ ଅନଲାଇନ ଆପରେ ସେଲ ଆରମ୍ଭ ହୋଇଛି । ତେବେ ଏହି ପାର୍ବଣରେ ସେଲ ଗୁଡ଼ିକର ମଜା ନେବା ପାଇଁ ଆପଣଙ୍କୁ କେମିତି ପେମେଣ୍ଟ କରିବା ଆବଶ୍ୟକ ? ଆପଣ ନଗଦ କ୍ୟାସ ପେମେଣ୍ଟ ହେଉ ବା ଡେବିଟ କାର୍ଡ, କ୍ରେଡିଟ କାର୍ଡ କେମିତି କରିବେ ପେମେଣ୍ଟ ଜାଣନ୍ତୁ ।

ପେମେଣ୍ଟର ରହିଛି ଅନେକ ଚଳନ

ଅନଲାଇନ କମ୍ପାନୀ ଗୁଡ଼ିକ ସାଧାରଣତଃ ପେମେଣ୍ଟ ପାଇଁ ଅନେକ ପ୍ରକାର ପଦ୍ଧତି ଦେଇଥାନ୍ତି । ଏଥିରେ କ୍ରେଡିଟ କାର୍ଡ, ଡେବିଟ କାର୍ଟ ଏବଂ କ୍ୟାସ ଅନ ଡେଲିଭରୀ ସବୁଠୁ ବେଶୀ ପ୍ରଚଳିତ ପଦ୍ଧତି ଅଟେ । ବର୍ତ୍ତମାନ ୱଲେଟ ପେମେଣ୍ଟ ମଧ୍ୟ ଖୁବ ପ୍ରଚଳିତ ।  ଆମାଜନ ନିଜର ୱଲେଟ ଆରମ୍ଭ କରିସାରିଛି । କମ୍ପାନୀର କହିବା ମୁତାବକ ଯଦି ଗ୍ରାହକ ୱଲେଟରୁ ପେମେଣ୍ଟ କରୁଛନ୍ତି ତେବେ ତାଙ୍କୁ ମଧ୍ୟ ଆକର୍ଷଣୀୟ ପ୍ରତ୍ସାହନ ମିଳିବ ।

ଡେବିଟ କାର୍ଡ Worst Financial Tool

ସାଇବର ଫ୍ରଡ୍ ବିଶେଷଜ୍ଞ ଫ୍ରେଙ୍କ ଏବାଗନେଲ ମିଡିଆରେ ଏକ ଲେଖା ମାଧ୍ୟମରେ ଚେତାବନୀ ଦେଇଛନ୍ତି ଯେ, ଡେବିଟ କାର୍ଡକୁ କେବେ ବ୍ୟବହାର କରିବା ଉଚିତ ନୁହେଁ । ଏହାକୁ ସେ ସବୁଠୁ ଖରାପ ଆର୍ଥିକ ଟୁଲ ବୋଲି ବିବେଚନା କରିଛନ୍ତି । ତାଙ୍କ କହିବା ମୁତାବକ ଆପଣ ଯେବେବି ଅନଲାଇଲ ପେମେଣ୍ଟ ପାଇଁ ଡେବିଟ କାର୍ଡର ବ୍ୟବହାର କରନ୍ତି, ଆପଣଙ୍କ ଟଙ୍କା ଏବଂ ବ୍ୟାଙ୍କ ଆକାଉଣ୍ଟ ବିପଦରେ ପଡ଼ିଥାଏ । ଯଦି ଆପଣଙ୍କ ଡେବିଟ କାର୍ଟ କୌଣସି ଫ୍ରଡ ହାତରେ ଲାଗିଯାଏ ତେବେ କ୍ଷଣିକ ଭିତରେ ଆପଣଙ୍କ ଟଙ୍କା ଚୋରୀ ହେବାର ସମ୍ଭାବନା ରହିଛି ।

କ୍ରେଡିଟ କାର୍ଡ ବ୍ୟବହାର କରନ୍ତୁ

ଏବାଗନେଲଙ୍କ କହିବା ଅନୁଯାୟୀ ଡେବିଟ କାର୍ଡ ବ୍ୟବହାର କରିବା ସବୁଠୁ ସୁରକ୍ଷିତ । କାରଣ ଏହା ଦ୍ୱାରା ଆପଣ ଅନେକ ଲାଭ ପାଇପାରିବେ । ସର୍ବପ୍ରଥମେ କ୍ରେଡିଟ କାର୍ଡ ସାହାଯ୍ୟରେ ଆପଣ କ୍ରେଡିଟ କାର୍ଡ କମ୍ପାନୀର ଟଙ୍କା ଖର୍ଚ୍ଚ କରି ଏହାକୁ ୨ ମାସ ପରେ ଟଙ୍କା ପେମେଣ୍ଟ କରିପାରିବେ । ଦ୍ୱିତୀୟରେ, କାର୍ଡରେ କ୍ରେଡିଟ ସୀମା ରହିଥାଏ । ଯଦି ଏହା କୌଣସି ଫ୍ରଡ ହାତରେ ଲାଗି ଯାଏ ତେବେ ସେ ଆପଣଙ୍କ କାର୍ଡରେ ସୀମା ବାହାରକୁ ଯାଇ ଅଧିକ ଖର୍ଚ୍ଚ କରିପାରିବ ନାହିଁ । ତୃତୀୟରେ, ଯେତେବେଳେ ଏକ ବଡ ଡାଟା ବ୍ରେକ୍ ସୂଚିତ ହୁଏ, କ୍ରେଡିଟ୍ କାର୍ଡ ପ୍ରଦାନ କରୁଥିବା କମ୍ପାନୀ ଆପଣଙ୍କ କାର୍ଡକୁ ବାତିଲ୍ କରି ଏକ ନୂତନ କାର୍ଡ ପଠାଇଥାଏ ।

କ୍ୟାସ ଅନ ଡେଲିଭରୀ ପଦ୍ଧତି ମଧ୍ୟ ସୁବିଧାଜନକ

ଯଦି ଆପଣଙ୍କ ପାଖରେ କ୍ରେଡିଟ କାର୍ଡ ନାହିଁ ତେବେ ଡେବିଟ କାର୍ଡର ବ୍ୟବହାର ଖୁବ ସତର୍କ ହୋଇ କରନ୍ତୁ । ଚେଷ୍ଟା କରନ୍ତୁ ଯେ, ଇ କମର୍ସ କମ୍ପାନୀ ଆପଣଙ୍କ ପାଖରୁ କ୍ୟାସରେ ହିଁ ଟଙ୍କା ନେଉ । ଏହି ପ୍ରକ୍ରିୟାରେ ଆପଣଙ୍କ ଆକାଉଣ୍ଟର ଡିଟେଲ ଆଉ କାହା ପାଖକୁ ଯିବାର ଆଶଙ୍କା ରହିବ ନାହିଁ ।

ଡେବିଟ କାର୍ଡ ବ୍ୟବହାର ବେଳେ ନଜରରେ ରଖନ୍ତୁ ଏହି କଥା

ଆପଣ ଯେତେବେଳେ ଡେବିଟ କାର୍ଡର ବ୍ୟବହାର କରିବାବେଳ ସେହି ଡେବିଟ କାର୍ଡ ବ୍ୟବହାର କରନ୍ତୁ ଯେଉଁଥିରେ ଅଳ୍ପ ଟଙ୍କା ଥିବ । ଯେଉଁ ଆକାଉଣ୍ଟରେ ଆପଣଙ୍କର ଦରମା ବା ବିଜନେସର ଟଙ୍କା ଆସେ ସେହି ଡେବିଟ କାର୍ଡର ବ୍ୟବହାର ଅନଲାଇନ ପେମେଣ୍ଟରେ ବ୍ୟବହାର କରନ୍ତୁ ନାହିଁ ।

ବିଜେପି ନେତାଙ୍କ ଅକଲ ଗୁଡୁମ୍, ଅସଲି ନେତାଙ୍କ ଟିକେଟ୍ ନେଇ ଉଡନ’ଛୁ ମାରିଲେ କର୍ମୀ

ପାଟଣା : ରାଜନୀତିରେ କେବେ କେବେ ଦଳର କର୍ମୀମାନେ ମଧ୍ୟ ନେତାମାନଙ୍କୁ ଚକମା ଦେଇ ଦିଅନ୍ତି । ଏମିତି ଏକ ରୋଚକ ଘଟଣା ବିହାରର ରୋସଡା ବିଧାନସଭା କ୍ଷେତ୍ରରେ ଦେଖିବାକୁ ମିଳିଛି । ଯେଉଁଠାରେ, ସମାନ ନାମ ଥିବା କାରଣରୁ ଜଣେ କର୍ମୀ ପ୍ରକୃତ ପ୍ରାର୍ଥୀ ବଦଳରେ ଟିକେଟ ନେଇ ନାମଙ୍କନ ଦାଖଲ କରିବାକୁ ସବଡିଭିଜନ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚିଯାଇଥିଲେ । ସମସ୍ତିପୁର ଜିଲ୍ଲାର ରୋସଡା ଆସନ ଏନଡିଏ ମେଣ୍ଟରେ ବିଜେପି ଖାତାକୁ ଯାଇଥିଲା । ସେଠାରୁ ବିରେନ୍ଦ୍ର କୁମାର ପାସୱାନଙ୍କ ନାମ ପ୍ରାର୍ଥୀ ଭାବରେ ତାଲିକାରେ ପ୍ରକାଶ ପାଇଥିଲା । ଏହି ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଏକ ଅଜବ ଘଟଣା ଘଟିଗଲା ।

ବିଜେପି କର୍ମୀମାନେ ନିଜ ନିଜ ନେତାଙ୍କୁ ହିଁ ଚମକାଇ ଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରାର୍ଥୀମାନଙ୍କ ଧାଡି ଲାଗିଥିଲା । ଏହି ତାଲିକାରେ ବିରେନ୍ଦ୍ର କୁମାର ପାସୱାନଙ୍କ ନାମ ଦେଖି ଦରଭଙ୍ଗା ନିବାସୀ ବିରେନ୍ଦ୍ର ପାସୱାନ ରୋସଡା ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ବିରେନ୍ଦ୍ର କୁମାର ପାସୱାନ ଭାବେ ଟିକେଟ୍ ଗ୍ରହଣ କରିଥିଲେ । ସେ ଟିକେଟରେ ନିଜ ନାଁ ସହ, ତାଙ୍କ ବାପାଙ୍କ ନାଁ ପୁରଣ କରି ନାମାଙ୍କନ ଦାଖଲ କରିବାକୁ ସାମସ୍ତିପୁର ଜିଲ୍ଲାର ରୋଜଡା ସବଡିଭିଜନ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଏ ହେଉଛନ୍ତି ଦରଭଙ୍ଗାର ବିରେନ୍ଦ୍ର ପାସୱାନ୍, ଯିଏ ପ୍ରକୃତ ପ୍ରାର୍ଥୀଙ୍କ ଟିକେଟ ନେଇ ଯାଇଥିଲେ ।

କହିରଖୁଛୁ ଯେ, ବିଜେପି ସାମସ୍ତିପୁରର ବିରେନ୍ଦ୍ର କୁମାର ପାସୱାନଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ସୋମବାର ଦଳ ଯେତେବେଳେ ଟିକେଟ ପାଇଁ ପାଟନାରେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ, ଟିକେଟ ତ ବୀରେନ୍ଦ୍ର କୁମାର ପାସୱାନ୍ ନେଇଯାଇଛନ୍ତି । ଏହା ଶୁଣି ବିଜେପି ନେତାମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ବିରେନ୍ଦ୍ର କୁମାର ପାସୱାନ୍ ତ ଏଇଠି ଅଛନ୍ତି ତେବେ ଟିକେଟ ନେଲା କିଏ ?

ଯେତେବେଳେ ଏହାର ତଦନ୍ତ ଆରମ୍ଭ ହେଲା, ବହୁ ସଂଖ୍ୟାରେ ବିଜେପି କର୍ମୀଙ୍କୁ ରୋସଡା ସବଡିଭିଜନ କାର୍ଯ୍ୟାଳୟକୁ ପଠାଯାଇଥିଲା, ସେତେବେଳେ ସେମାନେ ପୂରା ଘଟାଣା ଜାଣିବାକୁ ପାଇଲେ । ଦରଭଙ୍ଗା ନିବାସୀ ବିରେନ୍ଦ୍ର ପାସୱାନ୍ ଚକମା ଦେଇ ବିଜେପି ଟିକେଟ ନେଇଆସିଥିଲେ । ଏହାପରେ ରାଜ୍ୟ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଥିଲା । ତା’ପରେ, ପୂର୍ବରୁ ଟିକେଟକୁ ବାତିଲ୍ କରିବା ପରେ ପ୍ରକୃତ ବିରେନ୍ଦ୍ର କୁମାର ପାସୱାନଙ୍କ ନାଁରେ ନୂଆ ଟିକେଟ ଆସିଥିଲା ।

ବର୍ତ୍ତମାନ ସମସ୍ତିପୁର ବିଜେପି କର୍ମୀମାନେ ସୋସିଆଲ ମିଡିଆରେ ଅସଲି ପ୍ରାର୍ଥୀ ବିରେନ୍ଦ୍ର କୁମାର ପାସୱାନ ଏବଂ ନକଲି ପ୍ରାର୍ଥୀ ବିରେନ୍ଦ୍ର ପାସୱାନଙ୍କ ବିଷୟରେ ଅବଗତ କରାଇ ଏମିତି ଘଟଣାରୁ ବର୍ତ୍ତିବାକୁ ଅନୁରୋଧ କରିଛନ୍ତି ।