spot_img
Home Blog Page 6617

ସାମ୍ୱାଦିକଙ୍କୁ ସମ୍ମାନିତ କଲା ‘ରେଡ୍ ସ୍ୱସ୍ତିକ୍ ସୋସାଇଟି’ ସାମାଜିକ ଅନୁଷ୍ଠାନ

ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରି କରାଯାଇଛି । ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ , ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି । ସବୁବେଳେ ଯିଏ ଜନସାଧାରଣ ଓ ପ୍ରଶାସନ ପାଇଁ କାମ କରୁଛି ସେହି ଗଣମାଧ୍ୟମ ପ୍ରତିନିଧିଙ୍କୁ ସହାୟତାର ହାତ ବଢ଼ାଇଛି ସ୍ୱେଚ୍ଛାସେବୀ ସଂଗଠନ ‘ରେଡ୍ ସ୍ୱସ୍ତିକ୍’ । ଆଜି ‘ରେଡ୍ ସ୍ୱସ୍ତିକ୍’ ପକ୍ଷରୁ ଜୟଦେବ ଭବନ ସମ୍ମୁଖରେ ଆୟୋଜିତ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭାଇଜର, ଗ୍ଲୋଭସ୍, ମାସ୍କ, ଆର୍ସେନିକ୍ ୩୦ଏଲ୍ବି, ସାନିଟାଇଜର, ପତଞ୍ଜଳି କାଢ଼ା ଆଦି ସୁରକ୍ଷା ଉପକରଣ ବିତରଣ କରାଯାଇଥିଲ ଏବଂ ସେମାନଙ୍କ କାର୍ଯ୍ୟକୁ ପ୍ରଂଶସିତ କରାଯାଇଥିଲା । ‘ରେଡ୍ ସ୍ୱସ୍ତିକ୍’ର ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କହିଥିଲେ ଯେ ମହାମାରୀ ‘କରୋନା ଆତଙ୍କରେ ସମଗ୍ର ବିଶ୍ୱ ଆତଙ୍କିତ । କରୋନା ରୂପକ ରାକ୍ଷସ ଅନେକ ନିରୀହ ଜୀବନ ନେଇସାରିଥିବାବେଳେ ବ୍ୟାପକ ସଚେତନତା ଦ୍ୱାରା ଏହା ରୋକାଯାଇପାରିବ । ଯେଉଁମାନେ ଏହି କରୋନା ଭୂତାଣୁ ସଂକ୍ରମଣରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ଏହି ମହତ୍ କାର୍ଯ୍ୟରେ ନିଜକୁ ସମର୍ପିତ କରିଛନ୍ତି ସେମାନଙ୍କ ମଧ୍ୟରୁ ଗଣମାଧ୍ୟମ ପ୍ରତିନିଧି ଅନ୍ୟତମ । ଜନସାଧାରଣ କିଭଳି କରୋନା ସଂକ୍ରମଣରେ ଆକ୍ରାନ୍ତ ନ ହେବେ ସେଥିପାଇଁ ସେପାଇଁ ସେମାନେ ସଚେତନତା ଜାରି ରଖିଛନ୍ତି । ଏଥିପାଇଁ ସେମାନଙ୍କୁ ‘ରେଡ୍ ସ୍ୱସ୍ତିକ’ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଉଛି ।

ଦେଶର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରେଡ୍ ସ୍ୱସ୍ତିକ୍ ସୋସାଇଟି’ ରାଜ୍ୟ ତଥା ଦେଶ ବିଦେଶରେ କରୋନା ପରି ଏକ ମହାମାରୀ ସ୍ଥିତିରେ ଅସହାୟ ଜନସାଧାରଣଙ୍କ ସେବା ନିମନ୍ତେ ସହଯୋଗର ହାତ ବଢ଼ାଇଛି । ସ୍ୱେଚ୍ଛାସେବୀ ସଂଗଠନ ‘ରେଡ୍ ସ୍ୱସ୍ତିକ୍’ର ଓଡ଼ିଶା ଶାଖା ମୁଖ୍ୟ ଶ୍ରୀ ବିଜୟ ଆଚାର୍ଯ୍ୟ ଏବଂ ସଚିବ ତଥା କୋଷାଧ୍ୟକ୍ଷ ଶ୍ରୀ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାନଗର ନିଗମ, ପୋଲିସ କମିଶନରେଟ୍ ସହଯୋଗରେ ରେଡ୍ ସ୍ୱସ୍ତିକ୍ ପକ୍ଷରୁ ନିରାଶ୍ରୟ ତଥା ଅସହାୟଙ୍କ ନିକଟରେ ୨୫,୬୩୨ ଖାଦ୍ୟପୁଡ଼ିଆ ବିତରଣ କରାଯାଇଛି । ଏହାସହିତ ‘ରେଡ୍ ସ୍ୱସ୍ତିକ୍’ ପକ୍ଷରୁ କମିଶନରେଟ୍ ପୁଲିସଙ୍କୁ ୫୧୫ ଓ ପୁରୀ ପୁରୀ ପୁଲିସଙ୍କୁ ୧୦୦ ଛତା, ଭାରତୀୟ ଡାକ ସେବା କର୍ମଚାରୀଙ୍କୁ ୧୦୦୦ରୁ ଊର୍ଦ୍ଧ୍ୱ ମାସ୍କ ବିତରଣ କରାଯାଇଛି ।ସେହିପରି ‘ରେଡ୍ ସ୍ୱସ୍ତିକ୍’ ପକ୍ଷରୁ ଦୁଇ ଥର ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଏବଂ ଏଥିରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ପୂର୍ବତନ ମିସ୍ ଇଣ୍ଡିଆ ୱିନର୍ ୨୦୧୯, ମିସ୍ ଟନ୍ ଇଣ୍ଟରନ୍ୟାସ୍ନାଲ୍ ୨୦୧୮ ଏବଂ କିଟ୍ ନହ୍ନିପରି ୨୦୧୬ ମୈତ୍ରୀ ମୋନାଲି, ଲୋକ ସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରେଡ୍ ସ୍ୱସ୍ତିକ୍ର ସମସ୍ତ ସଦସ୍ୟଙ୍କ ସହ ଶ୍ରୀ ଗଗନ ପଇତାଲ ସହଯୋଗ କରୁଛନ୍ତି ।

ଉତ୍ପାଦନ କରୁଥିବା ଫସଲ ବୀମା ଅନ୍ତର୍ଭୁକ୍ତ ହୋଇଥିଲେ ମିଳିବ ବୀମା ରାଶି

ନୂଆଦିଲ୍ଲୀ: ଚଳିତ ଖରିଫ୍ ଓ ରବି ଚାଷ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହେବ । ଏ ନେଇ ଗତ ଜୁଲାଇ ୨୧ ତାରିଖରେ ହୋଇଥିବା ରାଜ୍ୟସ୍ତରୀୟ ସମନ୍ୱୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କୃଷି ମନ୍ତ୍ରାଳୟକୁ ମଧ୍ୟ ଏ ସଂକ୍ରାନ୍ତରେ କାର୍ଯ୍ୟକାରିତା ପାଇଁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ଏହା ଉଭୟ ଋଣଗ୍ରସ୍ତ ଓ ଋଣ ନେଇ ନଥିବା ଚାଷୀଙ୍କ ପାଇଁ ଲାଗୁ କରାଯିବ ।

ଭାଗଚାଷୀ, ଭୂମିହୀନ ଚାଷୀଙ୍କୁ ମିଳିବ ଫସଲ ବୀମା । ତେବେ ସେମାନେ ଉତ୍ପାଦନ କରୁଥିବା ଫସଲ ବୀମା ତାଲିକାଭୁକ୍ତ ହୋଇଥିଲେ ଯାଇ ମିଳିବ ସୁବିଧା । ପୂର୍ବରୁ ଋଣ ନେଇନଥିବା ଚାଷୀଙ୍କୁ ଜମିର ମାଲିକାନା ଦସ୍ତାବିଜ ସହ ଅନ୍ୟାନ୍ୟ ଆଇନଗତ କାଗଜପତ୍ର ଦାଖଲ କରିବାକୁ ହେବ । ଏଥିସହ ସେମାନେ ଆତ୍ମ ଘୋଷଣାପତ୍ର ଦେବେ ଯାହାକୁ ସୋଇଂ ସାର୍ଟିଫିକେଟ ଭାବେ ବ୍ୟବହାର କରାଯିବ ।

ତେବେ କିଶାନ କ୍ରେଡିଟ ପରି ଅନ୍ୟାନ୍ୟ ଋଣ ନେଇଥିବା ଚାଷୀଙ୍କ ପାଇଁ ବୀମା ବାଧ୍ୟତାମୂଳକ ନୁହେଁ । ଯେଉଁମାନେ ଏହି ପରି ଅନ୍ୟ ସୁବିଧା ପାଇ ଆବେଦନ କରିଥିବେ, ସେମାନଙ୍କୁ ଜାତୀୟ ଫସଲ ବୀମା ପୋର୍ଟାଲରେ ସାମିଲ ହେବା ପାଇଁ ଅନୁମତି ମଗାଯିବ । ହେଲ ଯେଉଁ ଚାଷୀଙ୍କ ଲୋନ୍‌ର ଗୁଣବତ୍ତା ଭଲ ନଥିବ, ସେମାନଙ୍କୁ ବ୍ୟାଙ୍କ ଅଣଋଣି ଚାଷୀ ଭାବେ ତାଲିକାଭୁକ୍ତ କରିବେ । ପଞ୍ଜିକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ରହିଛି । ଏବେ ନଜର ପକାଇବା କେଉଁ ବ୍ୟାଙ୍କ କେଉଁ ଜିଲ୍ଲାରେ ବୀମା ପ୍ରଦାନ କରିବେ ।

ମୟୂରଭଞ୍ଜ, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ଦେବଗଡ଼ ଜିଲ୍ଲା ପାଇଁ ଏଚଡିଏଫସି ଏଗ୍ରୋ ଜିଆଇସି ଲିମିଟେଡର ପ୍ରଥମ କ୍ଲଷ୍ଟର

ଏଆଇସି ଅଫ୍ ଇଣ୍ଡିଆ ଲିମିଟେଡର ଦ୍ୱିତୀୟ କ୍ଲଷ୍ଟରକୁ ମିଳିଛି ଗଞ୍ଜାମ, କଳାହାଣ୍ଡି, ସୁବର୍ଣ୍ଣପୁର ଓ ପୁରୀ ଜିଲ୍ଲା

ଏଚଡିଏଫସି ଏଗ୍ରୋ ଜିଆଇସି ଲିମିଟେଡର ପ୍ରଥମ କ୍ଲଷ୍ଟର ବରଗଡ଼, ଭଦ୍ରକ, ଗଜପତି, ଜୟପୁର, ଯାଜପୁର ଓ ଜଗତସିଂହପୁରରେ ପ୍ରଦାନ କରିବ

ରିଲାଏନସ୍ ଜିଆଇସି ଲିମିଟେଡ ଚତୁର୍ଥ କ୍ଲଷ୍ଟର ପାଇଁ ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, ନୂଆପଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା

ବଲାଙ୍ଗୀର, ବାଲେଶ୍ୱର, ମାଲକାନଗିରି, ନୟାଗଡ଼ ଓ ଢେଙ୍କାନାଳରେ ଏଆଇସି ଅଫ୍ ଇଣ୍ଡିଆ ଲିମିଟେଡର ପଞ୍ଚମ କ୍ଲଷ୍ଟର ପ୍ରଦାନ କରିବେ

ରିଲାଏନସ୍ ଜିଆଇସି ଲିମିଟେଡ ଷଷ୍ଠ କ୍ଲଷ୍ଟର କେନ୍ଦୁଝର, କଟକ, ଖୋର୍ଦ୍ଧା, ରାୟଗଡ଼ା, ଅନୁଗୁଳ ଓ ଝାରସୁଗୁଡ଼ାରେ କାମ କରିବ

ଖରିଫ ପାଇଁ ଏପ୍ରିଲ ପହିଲାରୁ ଜୁଲାଇ ୩୧ ଭିତରେ ଲୋନ ପ୍ରଦାନ ସମୟ ଧାର୍ଯ୍ୟ ହୋଇଛି । ତାଲିକାରୁ ବାଦ୍ ପାଇଁ ଜୁଲାଇ ୨୪ ଭିତରେ ବ୍ୟାଙ୍କ ପାଖରେ ଆବେଦନ କରିବା ସମୟ । ଏହି ତାଲିକାରେ ଥିବା ଫସଲ ହେଉଛି

ଧାନ- ଏହା ୩୦ ଜିଲ୍ଲାର ସମସ୍ତ ପଞ୍ଚାୟତ, ଏନଏସି, ପୌର ପରିଷଦ ଓ ମହାନଗର ନିଗମରେ କାର୍ଯ୍ୟକାରୀ ହେବ

ଚିନା ବାଦାମ- ୧୬ଟି ଜିଲ୍ଲାର ୭୫ ବ୍ଲକରେ କାମ ହେବ

ତୁଳା- ୯ଟ ଜିଲ୍ଲାର ୪୪ଟି ବ୍ଲକରେ କାର୍ଯ୍ୟକାରୀ

ହଳଦୀ- ୫ ଜିଲ୍ଲାର ୧୭ଟି ବ୍ଲକ

ଅଦା- ୭ ଜିଲ୍ଲାର ୨୫ଟି ବ୍ଲକ

ମସୁର ଡାଲି- ୧୫ ଜିଲ୍ଲାର ୧୨୩ଟି ବ୍ଲକ

ମକା- ୧୮ ଜିଲ୍ଲାର ୧୮୦ ବ୍ଲକ

ମାଣ୍ଡିଆ- ୬ ଜିଲ୍ଲାର ୬୬ଟି ବ୍ଲକ

କରୋନାରେ ମୃତକଙ୍କ ଶବ ସତ୍କାର ନେଇ ଗାଇଡଲାଇନ୍‌: ମୃତଦେହକୁ ଦେଖିପାରିବେ ସମ୍ପର୍କୀୟ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମିଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଏ ବିଷୟରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରମାନଙ୍କୁ ଚିଠି ଅବଗତ କରାଇଛନ୍ତି । କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ପରିବାରକୁ ହସ୍ତାନ୍ତର ନେଇ ସର୍ତ୍ତମୂଳକ ଅନୁମତି ଦିଆଯିବ । ମୃତଦେହ ନ ଛୁଇଁ ଧର୍ମୀୟ ବ୍ୟବସ୍ଥାରେ ସତ୍କାର ପାଇଁ ଅନୁମତି ମିଳିବ ବୋଲି ଏସ୍ଆରସି ଶ୍ରୀ ଜେନା ଚିଠିରେ ଉଲ୍ଲେଖ କରିଛନ୍ତି ।

ମୃତଦେହକୁ ଲିକ୍ ପ୍ରୁଫ୍ ପ୍ଲାଷ୍ଟିକ ବ୍ୟାଗରେ ରଖି ପରିବହନ କରିବାକୁ ନିର୍ଦ୍ଦେଶ । ବ୍ୟାଗର ବାହାର ଭାଗକୁ ୧ ପ୍ରତିଶତ ହାଇପୋକ୍ଲୋରାଇଡ୍‌ରେ ଡିକଣ୍ଟାମିନେଟ୍ କରାଯିବ । ଆବଶ୍ୟକ ସତର୍କତା ଅବଲମ୍ୱନ କରି ପରିବାର ଲୋକେ ମୃତଦେହ ଦେଖି ପାରିବେ । ଆତ୍ମୀୟମାନେ ହ୍ୟାଣ୍ଡ ସାନିଟାଇଜର, ମାସ୍କ ଓ ଗ୍ଲୋବସ୍ ବ୍ୟବହାର କରିବା ବାଧ୍ୟତାମୂଳକ । ମୃତଦେହକୁ ଗାଧୋଇଦେବା, ଚୁମ୍ୱନ ଓ ଆଲିଙ୍ଗନ କରିବା ସମ୍ପୂର୍ଣ୍ଣ ବାରଣ । ମୃତ ଦେହକୁ ନ ଛୁଇଁ ଧର୍ମୀୟ ବ୍ୟବସ୍ଥାରେ ସତ୍କାର କରିବାକୁ ସ୍ୱତନ୍ତ୍ର ନିର୍ଦ୍ଦେଶ । ଶେଷକୃତ୍ୟ ପରେ ପରିବାର ଲୋକେ ଚିତାଭସ୍ମ ନେଇ ପାରିବେ ।

କରୋନା ବଦଳାଇଦେଲା ଜୀବନ ଓ ଜୀବିକା

ଭୁବନେଶ୍ୱର,(ଅନୁଜ ଦାସ): ସବୁକିଛି ବଦଳାଇ ଦେଇଛି କରୋନା । ବଦଳିଯାଇଛି ଜୀବନ ଓ ବଞ୍ଚିବାର ଶୈଳୀ । ହରାଇବାକୁ ପଡିଛି ଚାକିରି, ବଦଳିଯାଇଛି ପେଶା  । ସ୍ଥିତି ଏମିତି ହେଲାଣି ସମ୍ପତ୍ତି ବିକ୍ରି କରି ଚଳିଲାଣି ମଣିଷ । ନିକଟରେ ଏକ ସର୍ଭେରୁ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ  । ଯେ, ଓଡିଶାର ୨୭ ପ୍ରତିଶତ ଲୋକ ଆୟ ଶୂନ୍ୟ ହୋଇ ସମୟ ବିତାଉଛନ୍ତି  । କରୋନା ଭୂତାଣୁ ବିରୋଧରେ ସାରା ବିଶ୍ୱ ଲଢୁଛି  । ଲକଡାଉନ ଓ ସଟଡାଉନ ଫର୍ମୁଲାରେ ନିୟନ୍ତ୍ରଣ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଜୀବନ ସିନା ବଞ୍ଚିଯାଉଛି କିନ୍ତୁ ଜୀବିକା ହରାଇ ଘରେ ବସିଛନ୍ତି ଅନେକ । ଲକଡାଉନ ସମୟରେ ଓଡିଶା ଓ ଉତ୍ତର ପ୍ରଦେଶର ଆର୍ଥିକ ସ୍ଥିତିକୁ ନେଇ ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ କରିଛି ।

ସର୍ଭେରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଆପଣଙ୍କ ଚିନ୍ତା ବଢାଇଦେବ । ଲକଡାଉନ ସମୟରେ ଭୁଶୁଡି ପଡିଛି ଆର୍ଥିକ ସ୍ଥିତି  ।  ରୋଜଗାର ପନ୍ଥା ବନ୍ଦ ହୋଇଯିବାରୁ ୫୯ ପ୍ରତିଶତ ଲୋକ ସଞ୍ଚିତ ସମ୍ପତ୍ତି ଖର୍ଚ୍ଚ କରିବା ସହ ସମ୍ପତ୍ତି ବିକ୍ରି କରି ଚଳୁଛନ୍ତି  । ୧୭ ପ୍ରତିଶତ ଲୋକ ଋଣ କରି ଚଳୁଛନ୍ତି, ୨୭ ପ୍ରତିଶତ ଲୋକ ଲକଡାଉନରେ ଆୟଶୂନ୍ୟ ହୋଇଯାଇଛନ୍ତି  । ଲକଡାଉନରେ ଦୋକାନ ବଜାର ବନ୍ଦ ରହୁଥିବାରୁ ଅନେକ ଲୋକେ ବୃତ୍ତି ବଦଳାଇଦେଇଛନ୍ତି  ।

୯ ପ୍ରତିଶତ ଲୋକ ବୃତ୍ତି ବଦଳାଇ ଦେଇଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି  । ତେବେ ଏହି ସମୟରେ ରାଜ୍ୟ ସରକାର ଅଧିକ ନିଗମର ବ୍ୟବସ୍ଥା ସମତେ ଅଚଳ କାରଖାନାକୁ ପୁନ କାର୍ଯ୍ୟକ୍ଷମ କଲେ ରୋଜଗାର ହରାଇଥିବା ଲୋକେ ଭଲ ଟଙ୍କା ରୋଜଗାର କରିପାରିବେ ବୋଲି ବିଶେଷଜ୍ଞ କହିଛନ୍ତି  । ରୋଜଗାର ହରାଇଥିବାରୁ ଅନେକ ଲୋକଙ୍କ ଖାଦ୍ୟ ଶୈଳୀ ଉପରେ ବି ପ୍ରଭାବ ପଡିଛି  ।  ରାଜ୍ୟର ୫ ପ୍ରତିଶତ ଲୋକ ପ୍ରତିଦିନର ଖାଦ୍ୟରେ ନିୟନ୍ତ୍ରଣ କରି ଦିନ ବିତାଉଛନ୍ତି  ।

କେବଳ ଏତିକି ନୁହଁ ୧୫.୮ ପ୍ରତିଶତ ଲୋକ ବନ୍ଧୁ ଓ ପ୍ରିୟଜନଙ୍କ ସହାୟତାରେ ଚଳୁଛନ୍ତି  । ରାଜ୍ୟ ବାହାରୁ ଫେରିଥିବା ଲକ୍ଷାଧିକ ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକ କୁଶଳୀ କାରିଗର ଅଛନ୍ତି  ।  ଏଭଳି ଲୋକଙ୍କୁ ଚିହ୍ନଟ କରି ରାଜ୍ୟରେ ବଡ ବଡ କାରଖାନା ନିର୍ମାଣ କଲେ ଅନେକଙ୍କୁ ବଞ୍ଚିବାର ରାହା ମିଳିବ  ।  ରାଜ୍ୟର ରାଜସ୍ୱ ବି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ କହିଛନ୍ତି  ।

କଏଦୀଙ୍କ ପାଇଁ ଜେଲ୍‌ରେ କ୍ୱାରେଣ୍ଟାଇନ୍ ସେଣ୍ଟର: ଜେଲ୍‌କୁ ଆସିଲେ ସ୍କ୍ରିନିଂ ଓ ସାନିଟାଇଜେସନ୍ ପକ୍କା

ଭୁବନେଶ୍ୱର: କରୋନା ପାଇଁ ଝାରପଡା ଜେଲରେ ସ୍ୱତନ୍ତ୍ର ବ୍ୟବସ୍ଥା । ଜେଲ ଭିତରେ ସଂକ୍ରମଣ ବଢ଼ୁଥିବାରୁ ନୂଆ କଏଦୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି ଜେଲ କର୍ତ୍ତୃପକ୍ଷ । ସମସ୍ତ କଏଦୀଙ୍କ ପାଇଁ ୪ ଥାକିଆ ସ୍କ୍ରିନିଂ ଓ ସାନିଟାଇଜେସନ ବ୍ୟବସ୍ଥା କରାଯାଇଥିବା ବେଳେ ନୂଆ କଏଦୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ୱାର୍ଡର ବ୍ୟବସ୍ଥା କରାଯାଇଛି ।

କରୋନା ମୁକାବିଲା ପାଇଁ ଝାରପଡା ଜେଲକୁ ଆସୁଥିବା ନୂଆ କଏଦୀଙ୍କ ଲାଗି ୪ଟି କ୍ୱାରେଣ୍ଟାଇନ୍‌ ୱାର୍ଡର ବ୍ୟବସ୍ଥା କରାଯାଇଛି । ସେମାନଙ୍କର କୋଭିଡ୍ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ଥିବା କଏଦୀଙ୍କ ଭିତରୁ ଯଦି କାହାର ଥଣ୍ଡା, କାଶ, ଜ୍ୱର ଭଳି ଲକ୍ଷଣ ବାହାରେ, ତାହାଲେ ସେମାନଙ୍କ ପାଇଁ ଅନ୍ୟ ୱାର୍ଡର ବ୍ୟବସ୍ଥା ହୋଇଛି । ଜେଲ୍‌ର ଡାକ୍ତର ସେମାନଙ୍କୁ ନିୟମିତ ଚିକିତ୍ସା କରୁଥିବା ବେଳେ ଯଦି କାହାର କରୋନା ଲକ୍ଷଣ ଦେଖାଦିଏ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ  । କଏଦୀ ଓ ଜେଲର କର୍ମଚାରୀଙ୍କ ଲାଗି ୩ ହଜାର ମାସ୍କ ଯୋଗାଇ ଦିଆଯାଇଥିବା ବେଳେ ପ୍ରବେଶ ପଥରେ ସ୍କ୍ରିନିଂ ଓ ସାନିଟାଇଜ୍ କରାଯିବାର ବ୍ୟବସ୍ଥା ହୋଇଛି ।

ଝାରପଡ଼ା ଜେଲରେ ଆଜି ସୁଦ୍ଧା କୌଣସି କର୍ମଚାରୀ କିମ୍ବା କଏଦୀ କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି । ଗତକାଲି କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୧୪୪ ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି । ମାର୍ଚ୍ଚ ୨୦ରୁ ଆଜି ପର୍ଯ୍ୟନ୍ତ ୬୨୮ ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି ।

ଝାରପଡ଼ା ଜେଲ୍‌ର ୭୪୯ କଏଦୀ କ୍ଷମତା ଥିବା ବେଳେ ଏବେ ୬୭୦ଜଣ ଅଛନ୍ତି । ସେଥିପାଇଁ ଏବେ ସବୁପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଆଗକୁ କଟକଣା ଆହୁରି କଡ଼ାକଡ଼ି କରାଯିବ ବୋଲି ଝାରପଡା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଦିନକୁ ଦିନ କରୋନା କାୟା ମେଲାଇ ଚାଲିଛି । ଏଭଳି ସ୍ଥିତିରେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ବିଚାରାଧୀନ କଏଦୀ ମାନେ ରହୁଥିବାରୁ ପ୍ରତିଷେଧ ମୂଳକ ପଦକ୍ଷେପ ଅତ୍ୟନ୍ତ ଜରୁରୀ ହୋଇପଡିଛି

ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର କରିବ ଜଳସଂପଦ ବିଭାଗ: ବୁଡ଼ିବନି ଜଙ୍ଗଲ ଜମି କି ଗାଁ

ଭୁବନେଶ୍ୱର,(ପ୍ରିୟ ପ୍ରୀତମ ମହାନ୍ତି): ୨୦୨୫ ସୁଦ୍ଧା ନିୟନ୍ତ୍ରଣ ହେବ ବନ୍ୟା । ଏପରିକି ବନ୍ୟା ଜଳକୁ ଗଚ୍ଛିତ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଲଗାଯିବ । ଏ ନେଇ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହା ଦ୍ବାରା ନଦୀ ଜଳକୁ ସଂରକ୍ଷଣ କରି ହେବ । ଯାହା ଦ୍ୱାରା ବନ୍ୟାକୁ ନିୟନ୍ତ୍ରଣ କରାଯାଇ ଅନ୍ୟାନ୍ୟ କ୍ଷେତ୍ରରେ ବିନିଯୋଗ କରାଯାଇପାରିବ । ତେବେ କାମ ଆରମ୍ଭରେ ଲାଗିଛି କରୋନା ମାଡ଼ ।

ଏଣିକି କାମରେ ଲାଗିବ ବନ୍ୟା ଜଳ  । କ୍ଷତିକୁ ନେଇ ଦୂର ହେବ ଆଶଙ୍କା । ବନ୍ୟା ଜଳକୁ ସଂରକ୍ଷଣ କରିବାକୁ ଆରମ୍ଭ ହେବ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ଯୋଜନା । ଏହା ଦ୍ୱାରା ନଦୀ ଭିତରେ ହିଁ ନଦୀ ଜଳ ସଂରକ୍ଷିତ କରାଯାଇ ପାରିବ । ଯାହା ଭୂତଳ ଜଳକୁ ଉପରକୁ ଉଠାଇବାରେ ସହୟକ ହେବ । ପ୍ରତି ନଦୀର ବ୍ୟବଧାନରେ ଏହି କାର୍ଯ୍ୟ କରାଯିବ । ଏନେଇ ୧୧,୭୧୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ୬ ବର୍ଷ ଭିତରେ ଏହି କାମ ସରିବ ।

ଯୋଜନା ଅନୁସାରେ, ଋଷିକୂଲ୍ୟା, ବ୍ରାହ୍ମଣୀ, ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀ ପରି ୪୦ଟି ନଦୀ ଧାରାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଫଳରେ ଜଳ ସଙ୍କଟ ଆଶଙ୍କା ତ ଦୂର ହେବ, ତା ସହ ବନ୍ୟା ଜଳକୁ ବି ଅନ୍ୟାନ୍ୟ କାମରେ ସୁବିନିଯୋଗ କରାଯାଇ ପାରିବ । ତେବେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ମାତ୍ରେ ଲକଡାଉନ ହେବାରୁ କାର୍ଯ୍ୟ ଧିମେଇ ଯାଇଛି । ହେଲେ ଠିକଣା ସମୟରେ କାମ ସାରିବାକୁ ଲକ୍ଷ୍ୟ ରଖିଛି ଜଳସଂପଦ ବିଭାଗ ।

ବିଭିନ୍ନ ସମୟରେ ନଦୀ ଜଳ ବ୍ୟବହାର ନ ହେବାରୁ ସମୁଦ୍ରକୁ ପଳାଉଛି । ତେବେ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ବନ୍ୟା ଜଳର ସ୍ତରକୁ ବଢିବାକୁ ଦେବ ନାହିଁ । ଏଥି ପାଇଁ କିଛି କିଛି ବ୍ୟବଧାନରେ ନଦୀମାନଙ୍କରେ ବ୍ୟାରେଜ ନିର୍ମାଣ କରାଯିବ । ସେହି ଜଳକୁ ଜଳସେଚନ, ଜଳ ଯୋଗାଣ, ଇନଲାଣ୍ଡ ନାଭିଗେସନ ଓ ବିଦ୍ୟୁତ ଉତ୍ପାଦନରେ ବ୍ୟବହାର କରାଯାଇପାରିବ । ସ୍ୱଳ୍ପ ବର୍ଷା ଯୋଗୁଁ ଏଯାଏ ମହାନଦୀ ଉପରମୁଣ୍ଡ କି ତଳମୁଣ୍ଡରେ ପାଣି ନାହିଁ । ଯେଉଁଥି ପାଇଁ ସମ୍ଭାବ୍ୟ ବନ୍ୟା ଆକଳନ କରି ହୋଇନି ।

ପାକିସ୍ତାନ ତିଆରି କରୁଛି ସିକ୍ରେଟ୍ ଭାଇରସ୍,ଡ୍ରାଗନ ସହ କରିଛି ଡିଲ୍ !

ଭାରତକୁ ଘେରିବାକୁ ପାକିସ୍ତାନ ଓ ଚୀନ ହାତ ମିଳାଇଛନ୍ତି । ଚୋରି ଜ୍ଞାନରେ ପରମାଣୁ ବୋମା ତିଆରି କରିବା ଭଳି ପାକିସ୍ତାନ ଏବେ ଜୈବିକ ଅସ୍ତ୍ର ତିଆରି କରୁଛି । ଡ୍ରାଗନ ପାକିସ୍ତାନକୁ ଦେଉଛି ଭାଇରସ ଦାନା । ଭିକାରୀ ପାକିସ୍ତାନ ଭାରତ ବିରୋଧରେ ହଜାର ବର୍ଷର ଜିହାଦ ପାଇଁ ଏବେ ଯୋଗାଡ କରୁଛି ଚାଇନା ଭାଇରସ । ପାକିସ୍ତାନୀ ଲାବ୍,ଚାଇନିଜ୍ ଭାଇରସ । କରୋନାଠୁ ବଡ ହେବ ଭାରତ ଉପରେ ଏହି ଭାଇରସ ଆଟାକ୍ । ସୁରକ୍ଷା ଏଜେନ୍ସୀ କଲେ ଆଲର୍ଟ । ଚୀନ୍ ଲାବରୁ କରୋନା ବାହାରିଥିଲା,ପାକିସ୍ତାନ ଲାବରୁ କ’ଣ ବାହାରିବ ? ଆଉ ପାକିସ୍ତାନ ଟାର୍ଗେଟରେ କିଏ ? ଉତ୍ତର ଦିନ ଭଳି ସଫା । ଭାରତ ଓ କେବଳ ଭାରତ

କରୋନା କାଳରେ ପାକିସ୍ତାନୀ ଭାଇରସ !

ଉହାନ ଲାବରୁ ଚୀନା ଭାଇରସ ବାହାରିଥିଲା । ଅନେକ ଦିନ ହେଲା ଟ୍ରମ୍ପ ଚିତ୍କାର କରି କହି ଆସୁଛନ୍ତି । ଆମେରିକା ଖୋଲାଖୋଲି କହୁଛି । କିଛି ଦେଶ ପରୋକ୍ଷରେ କହୁଛନ୍ତି ଡ୍ରାଗନ ହାତରେ ରକ୍ତ । ଲକଡାଉନ୍ ପାଇଁ ଚୀନ୍ ଦାୟୀ । କିନ୍ତୁ ଚୀନ୍ ଏହାକୁ ସଫା ସଫା ଏଡାଇ ଯାଉଛି । ଖାଲି ଏତିକି ନୁହେଁ,ଭାରତୀୟ ସୁରକ୍ଷା ଏଜେନ୍ସୀଙ୍କ ଦାବି ପଛରେ ଯଦି ସତ ଥାଏ,ତେବେ ଦୁନିଆ ଆଉ ଗୋଟିଏ ବଡ ବିପଦ ସହ ମୁହାଁମୁହିଁ ହେବାକୁ ଯାଉଛି ।

virus pakistan

ମେଡ୍ ଇନ୍ ଚାଇନା ପରେ ଆସୁଛି ମେଡ୍ ଇନ୍ ପାକିସ୍ତାନ୍ !

ଦୁନିଆ ତିନି ମାସ ହେଲା ଲକଡାଉନରେ ଅଛି । ଭେନେଜୁଏଲାରୁ ଭାରତ । ଇଟାଲିରୁ ଇଥିଓପିଆ । ସବୁଠି କରୋନା ମାଡରେ ଜୀବନ ଅଟକି ଯାଇଛି । ଜୀବିକା ଉପରେ ଲାଗି ଯାଇଛି ତାଲା । ମେଡ୍ ଇନ୍ ଚାଇନ୍ ଭାଇରସର ପାଇଁ ଲକଡାଉନ୍ ଓ ସଟ୍ ଡାଉନ୍ ଭଳି ଶବ୍ଦ ଏବେ ଆମ ଜୀବନର ଅଙ୍ଗ । କିନ୍ତୁ ଯଦି ଗୁଇନ୍ଦା ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଆଗକୁ ଆସୁଛି ମେଡ୍ ଇନ୍ ପାକିସ୍ତାନ ଭାଇରସ ! ବିଶ୍ୱାସ ହେଉନି କି ? କରୋନା କାଳରେ ସବୁକିଛି ସମ୍ଭବ । ମହାମାରୀ ପାଇଁ ମାନବ ସଭ୍ୟତା ଧ୍ୱଂସ ପାଇବାର ଦୃଷ୍ୟ ଆଗରୁ ହଲିଉଡ୍ ଫିଲ୍ମ ସୌଜନ୍ୟରୁ ଦେଖୁଥିଲେ । ଏବେ ଖୋଦ୍ ଆପଣଙ୍କ ଘର ଆଗ ରାସ୍ତା ବି ଫାଙ୍କା । ଯଦି ହଲିଉଡ୍ ମାର୍କା ଫିଲ୍ମର ଦୃଷ୍ୟ ୨୦୨୦ରେ ସତ ହୋଇପାରେ ତେବେ ଆଗକୁ ମେଡ୍ ଇନ୍ ପାକିସ୍ତାନ୍ ଭାଇରସ ବି ସତ ହୋଇପାରେ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ଚୀନ୍,ଉତ୍ତର କୋରିଆରୁ ଧାର,ଦାନରେ ଆଣୁଥିବା ମିଶାଇଲ ଉପରେ ରଙ୍ଗ ବୋଳି ଔରଙ୍ଗଜେବ,ଘୋରିର ନାଁ ଦେଇ ଡୁପ୍ଲିକେଟ୍ ମିଶାଇଲ ତିଆରି କରୁଥିବା ପାକିସ୍ତାନ ଗଡ୍ ଫାଦର ଚୀନଠାରୁ ଭାରତ ପାଇଁ ଭାଇରସ ଧାର ଆଣିବା କିଛି ଅସମ୍ଭବ ନୁହେଁ । କାରଣ ପାକିସ୍ତାନ ସେଇ ନୀତିରେ ବିଶ୍ୱାସ କରେ ଯାହା କୁହେ ଘାଷ ଖାଇବୁ ପରମାଣୁ ବୋମା ତିଆରି କରିବୁ । ଭାରତ ସହ ହଜାର ବର୍ଷର ଜିହାଦ ଲଢିବୁ

ମେଡ୍ ଇନ୍ ପାକିସ୍ତାନ ଭାଇରସ କ’ଣ ?

pak lab

ଗୁଇନ୍ଦା ରିପୋର୍ଟ ଅନୁସାରେ ଚୀନ ସେନା ନିୟନ୍ତ୍ରିତ ଏକ ଲାବ୍ ପାକିସ୍ତାନୀ ସେନାର ଡିଫେନ୍ସ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ଅର୍ଗାନାଇଜେସନ୍ (ଡିଇଏସିଓ) ସହ ଗୁପ୍ତ ବୁଝାମଣା କରିଛି । ଏହି ଡିଲ୍ ଅନୁସାରେ ଦୁଇ ଦେଶ ସଂକ୍ରାମକ ରୋଗ  ଓ ନିୟନ୍ତ୍ରଣ ଉପରେ ମିଳିତ ଭାବେ କାର୍ଯ୍ୟ କରିବେ । ଏବେ ଜାଣନ୍ତୁ ଡିଲ୍ କାହା ସହିତ ହୋଇଛି । ଡିଲ୍ ସେହି ଲାବ୍ ସହ ହୋଇଛି ଯାହା ବିରୋଧରେ କରୋନା ଭାଇରସ ଲିକ୍ କରିବାର ଅଭିଯୋଗ ଅଛି । ଅର୍ଥାତ ପାକିସ୍ତାନୀ ସେନା ଉହାନ ଲାବ୍ ସହିତ ଡିଲ୍ କରିଛି । ଶୁଣିବାକୁ ଡିଲ୍ ସଫସୁତୁରା ଲାଗୁଥାଇ ପାରେ କିନ୍ତୁ ଏହା ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ନିଦ ହଜାଇ ଦେଇଛି । ସୁରକ୍ଷା ବିଶେଷଜ୍ଞଙ୍କ କହିବା ହେଉଛି ଚୀନ୍ ପାକିସ୍ତାନକୁ ବ୍ୟବହାର କରୁଛି । କରୋନା ପରେ ବିଶ୍ୱର ଅନେକ ଦେଶ ଚୀନ୍ ଉପରେ କ୍ଷୁବ୍ଧ ଅଛନ୍ତି । ତେଣୁ ଚୀନ୍ ନିଜ ଦେଶ ଭିତରେ ଜୈବିକ ଅସ୍ତ୍ର ଉପରେ ଗବେଷଣା ନକରି ପାକିସ୍ତାନ ମାଟିରେ ଜୈବିକ ଅସ୍ତ୍ର ଉତ୍ପାଦନ କରିବାକୁ ଚାହୁଁଛି । ଚୀନ୍ ଏମିତି କରିବାର କାରଣ ହେଲା ଯଦି ବି କିଛି ଦୁର୍ଘଟଣା ଘଟେ ତେବେ ବେଜିଂ କହିପାରିବ ଯେ, ଆମେ କିଛି ଜାଣିନୁ ।

biological

ଚୁକ୍ତିରେ କ’ଣ ଅଛି ?

ଟାଇମ୍ସ ଅଫ୍ ଇଣ୍ଡିଆ ଦି କ୍ଲାକ୍ସନ ସୂତ୍ର ଉଦ୍ଧାର କରି କହିଛି ଯେ, ଭାରତୀୟ ଗୁଇନ୍ଦା ଏଜେନ୍ସି ଏହି ଡିଲକୁ ନେଇ ଚିନ୍ତିତ ଅଛନ୍ତି । ସୁରକ୍ଷା ଏଜେନ୍ସୀଙ୍କ ସନ୍ଦେହ ଯେ, ଚୀନ ଏହି ଡିଲ୍ ଦ୍ୱାରା ଭାରତ ଓ ଅନ୍ୟ ପାଶ୍ଚାତ୍ୟ ଦେଶଙ୍କୁ କ୍ଷତି ପହଂଚାଇବାକୁ ଚାହୁଁଛି । ଏହା ସହ ଏହି ଚୁକ୍ତିର ଥିବା ଗଳା ବାଟ ଚୀନକୁ ସୁହାଇବ । ଯଦି ଭବିଷ୍ୟତରେ କିଛି ବି ହେବ ତେବେ ଚୀନ ସହଜରେ ନିଜକୁ ଅଲଗା କରିନେବ । ଏହି ଡିଲର ନାମ ହେଉଛି – “Collaboration for Emerging Infectious Diseases and Studies on Biological Control of Vector Transmitting Diseases”.

ଚୀନ-ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ଏହି ଡିଲ ଅନୁସାରେ ଉଭୟ ଦେଶ ଭୟଙ୍କର ବ୍ୟାକ୍ଟେରିଆ ଓ ଭାଇରସ ଉପରେ ଗବେଷଣା କରିବେ । ଏଥିପାଇଁ ଉହାନ ଲାବ ପାକିସ୍ତାନୀ ବୈଜ୍ଞାନିକଙ୍କୁ ଟ୍ରେନିଂ ଦେବ ଓ ଆର୍ଥିକ ସାହାଯ୍ୟ କରିବ । ଚୀନ,ପାକିସ୍ତାନକୁ ନିଜର ଭାଇରସ ଓ ବ୍ୟାକ୍ଟେରିଆ ସଂଗ୍ରହ କରିବାରେ ସାହାଯ୍ୟ କରିବ । ଯେମିତି ପାକିସ୍ତାନ ମଧ୍ୟ ଜୈବିକ ଯୁଦ୍ଧ ନେଇ ରିସର୍ଚ୍ଚ କରିବ

 

first world war

କ’ଣ ପାଇଁ ଡରୁଛନ୍ତି ଗୁଇନ୍ଦା ଏଜେନ୍ସୀ?

ସବୁଠାରୁ ବଡ ଭୟ ହେଉଛି ଭାଇରସ ଓ ବ୍ୟାକ୍ଟେରିଆ ଉପରେ ଗବେଷଣା ପାଇଁ ଯେଉଁଭଳି ଲାବ ଆବଶ୍ୟକ ପାକିସ୍ତାନ ପାଖରେ ସେଭଳି ଅତ୍ୟାଧୁନିକ ଲାବ୍ ନାହିଁ । ବାୟୋସେଫ୍ଟି ଲେଭଲ ୪ ଲାବରେ ହିଁ ଏଭଳି ଭୟଙ୍କର ଭାଇରସଙ୍କ ଗବେଷଣା ହୋଇପାରିବ ଯାହା ମହାମାରୀ ସୃଷ୍ଟି କରିପାରିବେ । ଚୀନର ଉହାନ୍ ଲାବ୍ ମଧ୍ୟ ସେହିଭଳି ଗୋଟିଏ ଲାବ୍ ।  ଉହାନ ଲାବ୍ ବିରୋଧରେ ଦାୟିତ୍ୱହିନତାର ଅଭିଯୋଗ ଲାଗୁଛି । ପାକିସ୍ତାନର ଜୈବିକ ଗବେଷଣା ଲାବ ଗୁଡିକଙ୍କ ସ୍ଥିତି ବେସ ଖରାପ । ବାୟୋସେଫ୍ଟି ପ୍ରୋଟୋକଲକୁ ନଜର ଅନ୍ଦାଜ କରି ଯଦି ଗବେଷଣା ହୁଏ ତେବେ କିଛି ମଧ୍ୟ ହେବ । ପାକିସ୍ତାନ ଭାରତର ପଡୋଷୀ ଦେଶ  । ଏମିତିରେ ଯଦି ପାକିସ୍ତାନରେ ଭାଇରସ ଲିକ୍ ହୁଏ ତେବେ ଭାରତ ଉପରେ ପ୍ରଭାବ ପଡିବ ।

biological war

ଜୈବିକ ଯୁଦ୍ଧ କ’ଣ ?

ଜୀବାଣୁ,ବିଶ,କିଟ କିମ୍ବା ଫଙ୍ଗସ ଭଳି ଏଜେଣ୍ଟଙ୍କ ଜରିଆରେ ଯେତେବେଳେ ଭୟଙ୍କର ସଂକ୍ରମଣକୁ ଆକ୍ରମଣ ପାଇଁ ବ୍ୟବହାର କରାଯାଏ ସତେବେଳେ ତାକୁ ଜୈବିକ ଯୁଦ୍ଧ ବୋଲି କୁହାଯାଏ । କେନ୍ ଏଲିବେକଙ୍କ ପୁସ୍ତକ ବାୟୋ ହାଜାର୍ଡ ଅନୁସାରେ ରିଫ୍ଟ ଭ୍ୟାଲି ଫେବର ଭାଇରସ,ଏବୋଲା ଭାଇରସ,ଜାପନୀ ଏନସେଫାଲାଇଟିସ ଭାଇରସକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି ।

ଜୈବିକ ଯୁଦ୍ଧର ଇତିହାସ

ଏନସିବିଆଇ ପୋର୍ଟାଲର ଏକ ରିପୋର୍ଟ ‘ଦି ହିଷ୍ଟ୍ରି ଅଫ୍ ବାୟୋଲଜିକଲ ୱାରଫେୟାର’ ଅନୁସାରେ ବିଂଶ ଶତାବ୍ଦୀରେ  ସଂକ୍ରମକ ରୋଗ କାରଣରୁ ୫୦ କୋଟିରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।  ଏହାମଧ୍ୟରୁ ଲକ୍ଷାଧିକ ମୃତ୍ୟୁ ଜୈବିକ ଅସ୍ତ୍ର ପ୍ରୟୋଗ କାରଣରୁ ହୋଇଥିଲା । ଉଦାହରଣ ସ୍ୱରୁପ ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଜାପାନ ଚୀନ୍ ଉପରେ ଜୈବିକ ଅସ୍ତ୍ର ଦ୍ୱାରା ଆକ୍ରମଣ କରିଥଲା ।  କେବଳ ଜାପାନ ନୁହେଁ ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶ ମଧ୍ୟ ବିଶ୍ୱଯୁଦ୍ଧରୁ ଶିତଳ ଯୁଦ୍ଧ କାଳରେ ଅନେକ ସମୟରେ ନିଜ ଶତ୍ରୁ ବିରୋଧରେ ଜୈବିକ ଅସ୍ତ୍ର ବ୍ୟବହାର କରିଛନ୍ତି ।

bio warfare

ସନ୍ଧି ଜରିଆରେ ପ୍ରତିବନ୍ଧକ

୧୯୨୫ ଓ ୧୯୭୨ ମସିହାରେ ଦୁଇଟି ମହତ୍ୱପୂର୍ଣ୍ଣ ସନ୍ଧି ହୋଇଥିଲା । ଏହି ଦୁଇ ସନ୍ଧିର ଲକ୍ଷ୍ୟ ଥିଲା ଜୈବିକ ଅସ୍ତ୍ର ବ୍ୟବହାର ଓ ନିର୍ମାଣକୁ ରୋକିବା । ଏହି ଦୁଇ ସନ୍ଧିରେ ଯୁଦ୍ଧରେ ଜୈବିକ ଅସ୍ତ୍ର ବ୍ୟବହାରକୁ ବେଆଇନ୍ କରାଯାଇଥିଲା । କିନ୍ତୁ ଏହସତ୍ୱେ ଅନେକ ଦେଶ ଏଭଳି ଗବେଷଣା ଜାରି ରଖିଥିଲେ ଓ ଏବେ ମଧ୍ୟ ଗବେଷଣା କରୁଛନ୍ତି । ଏନଟିଆଇ ରିପୋର୍ଟ ଅନୁସାରେ କାନାଡା,ଚୀନ୍,ଫ୍ରାନ୍ସ,ଜର୍ମାନୀ,ଇରାନ,ଇରାକ,ଇସ୍ରାଏଲ,ଜାପାନ,ଲିବିଆ,ଉତ୍ତର ପ୍ରଦେଶ,ଋଷ,ଦ.ଅଫ୍ରିକା,ସିରିଆ,ଇଂଲଣ୍ଡ ଓ ଆମେରିକା ଭଳି ଦେଶ ଏବେ ମଧ୍ୟ ଜୈବିକ ଅସ୍ତ୍ର ଉପରେ କାମ କରୁଥିବା ସନ୍ଦେହ କରାଯାଉଛି । ଚୀନର ଉହାନ ଲାବ୍ ଏହାର ଉଦାହରଣ ।

bio war

ଭାରତ ପାଇଁ କାହିଁକି ବିପଦ ଅଧିକ ?

ଚୀନ୍ ଓ ପାକିସ୍ତାନ  । ଏହି ଦୁଇ ଦେଶ ହେଉଛନ୍ତି ଭାରତର ପାରମ୍ପାରିକ ଶତ୍ରୁ । ଲଦାଖରୁ ପଛରୁ ହଟିଥିବାରୁ ଡ୍ରାଗନ ଅସନ୍ତୁଷ୍ଟ ଅଛି । ସର୍ଜିକାଲ ଷ୍ଟ୍ରାଇକ୍ କାରଣରୁ ପାକିସ୍ତାନ ମଧ୍ୟ ଭାରତ ଉପରେ ଉତକ୍ଷିପ୍ତ ଅଛି ।ଏମିତିରେ ଦୁଇ ଦେଶ ଆଗରୁ ଯେତିକି ନିକଟତର ଥିଲେ ଏବେ ଦୋସ୍ତି ତାଠାରୁ ଅଧିକ ହୋଇଛି । ଆଉ ଯଦି ଏହି ଜୈବିକ ଅସ୍ତ୍ର ଜିହାଦୀଙ୍କ ହାତରେ ଲାଗେ ତେବେ କ’ଣ ହେବ ତାହା ସମସ୍ତଙ୍କୁ ଜଣା । ଜିହାଦୀ ଆତଙ୍କବାଦୀ ଭାରତରେ ଭାଇରସ ଆତଙ୍କ ସୃଷ୍ଟି କରିବେ । ଆତଙ୍କବାଦୀ ଭାରତ ବିରୋଧରେ ଆନ୍ଥ୍ରାକ୍ସ,ପ୍ଲେଗ୍,ଇବୋଲା,ସାର୍ସ ଭଳି ଜୈବିକ ଅସ୍ତ୍ର ଭାରତ ବିରୋଧରେ ପ୍ରୟୋଗ କରିବା କିଛି ଅସମ୍ଭବ ନୁହେଁ ।

ଭାରତର ପ୍ରସ୍ତୁତୀ କ’ଣ ?

ଭାରତ ୧୯୭୨ ସନ୍ଧି ଅନୁସାରେ ଜୈବିକ ଅସ୍ତ୍ର ତିଆରି କରି ପାରିବ ନାହିଁ । କିନ୍ତୁ ଜୈବିକ ଅସ୍ତ୍ର ପଟୁ ଥିବା ବିପଦ ବାବଦରେ ଭାରତୀୟ ନେତୃତ୍ୱ ଅବଗତ ଅଛି । ଏଥିଲାଗି ଭାରତ ପ୍ରସ୍ତୁତ ମଧ୍ୟ ଅଛି । ଦେଶର ଅନେକ ଲାବ୍ ଏନେଇ କାମ ମଧ୍ୟ କରୁଛନ୍ତି । ଜୈବିକ ଅସ୍ତ୍ର ଆକ୍ରମଣରୁ କେମିତି ଦେଶକୁ ରକ୍ଷା କରାଯିବ ସେନେଇ ଗବେଷଣା ହେଉଛି । ମଧ୍ୟପ୍ରଦେଶ ସ୍ଥିତ ଗୋଆଲିଅରର ଡିଆରଡିଓ ଲାବ ଜୈବିକ ଅସ୍ତ୍ର ଆକ୍ରମଣ ମୁକାବିଲା ପାଇଁ ଗବେଷଣା ଚାଲୁଛି ।  ଏହାସହ  କେନ୍ଦ୍ର ସରକାର ନ୍ୟୁକ୍ଲିୟର,ବାୟୋଲଜିକାଲ ଆଣ୍ଡ୍ କେମିକାଲ (ଏନବିସି) ନିର୍ଦ୍ଦେଶାଳୟ ତିଆରି କରିଛନ୍ତି । ଯାହା ଏଭଳି ବିପଦ ଉପରେ ନଜର ରଖେ ।

ସେନା ବିରୋଧରେ ମନ୍ତବ୍ୟ ଦେଇ ଫସିଲେ ଜେଏନୟୁ ଛାତ୍ର, ଦିଲ୍ଲୀ ପୋଲିସ୍ ନିଜ ଆଡୁ ମାମଲା ଦାୟର କଲା…..

0

ଦେଶ ତଥା ସେନା ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଦିଲ୍ଲୀ ପୋଲିସ୍ ଜଣେ ଜେଏନୟୁ ଛାତ୍ରଙ୍କ ବିରୋଧରେ ମାମଲା ଦାୟର କରିଛି । ଦିଲ୍ଲୀ ପୋଲିସର କହିବା ଅନୁଯାୟୀ ସେ ସେନା ଓ ଆରଏସଏସ ବିରୋଧରେ ଉତ୍ତେଜନାମୂଳକ ମନ୍ତବ୍ୟ ରଖୁଥିଲେ । କାଶ୍ମୀରରେ ସେନା ନରସଂହାର କରୁଥିବା ଅଭିଯୋଗ ଆଣି ସରକାର ହିଂସାକୁ ପ୍ରୋତ୍ସାହନ ଦେଉଥିବା କହିଥିଲେ । ଛାତ୍ର ଜଣଙ୍କର ନାମ ସଜିଦ୍ ବିନ୍ ସଇଦ୍ । ତେବେ ଏବେ ମାମଲା ରୁଜୁ ହେବା ପରେ ଦିଲ୍ଲୀ ପୋଲିସ୍ ଖୁବ୍ ଶୀଘ୍ର ସଇଦଙ୍କୁ ପଚରାଉଚରା କରିପାରିବ ।

ସେ ନିଜ ଟ୍ୱିଟରରେ ପୋଷ୍ଟ କରି ଲେଖିଥିଲେ ଯେ କାଶ୍ମୀରରେ ଆରଏସଏସ ଦ୍ୱାରା ପ୍ରସ୍ତୁତ ସେନା ନରସଂହାର କରୁଛି । ଭାଜପା ସରକାରଙ୍କର କ୍ଷେତ୍ର ବିସ୍ତାରକୁ ନେଇ ଥିବା ଲୋଭକୁ କମାଇବା ଉଚିତ୍ ଓ କାଶ୍ମୀର ଜନସାଧାରଣଙ୍କୁ ସେମାନଙ୍କ ନିଷ୍ପତ୍ତି ନିଜସ୍ୱ ଭାବେ ନେବା ପାଇଁ ଅନୁମତି ଦେବା ଆବଶ୍ୟକ । ସେହିଭଳି ସଂଯୁକ୍ତ ରାଷ୍ଟ୍ର ଓ ଅନ୍ୟ ଆନ୍ତର୍ଜାତିକ ସଂସ୍ଥା ମଧ୍ୟ ସ୍ୱୟଂଶାସିତ କାଶ୍ମୀର ସପକ୍ଷରେ ଯୁକ୍ତି ଉପସ୍ଥାପନ କରୁଛନ୍ତି ଏଣୁ ଏନେଇ ଆନ୍ତର୍ଜାତିକ ସଂସ୍ଥା ଯୁକ୍ତି ଉପସ୍ଥାପନ କରିବା ପାଇଁ ଏହା ପ୍ରଯୁଜ୍ୟ ସମୟ ।

ଉଲ୍ଲେଖଯୋଗ୍ୟ ଯେ, ସେ ଏବେ କ୍ୟାମ୍ପସ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ ଅଛନ୍ତି । ତେବେ ଜାମିଆ ମିଲିଆ ଇସଲାମିଆ ହିଂସା ଓ ଦଙ୍ଗା ଘଟଣାରେ ମଧ୍ୟ ତାଙ୍କର ସଂପୃକ୍ତି ରହିଥିଲା । କ୍ରମାଗତ ଭାବେ ସାମ୍ପ୍ରଦାୟିକ ହିଂସାକୁ ଉସକାଇବାରେ ସେ ସକ୍ରିୟ ରହୁଛନ୍ତି । ସଜିଦଙ୍କ ବିରୋଧରେ ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ରାଜଦ୍ରୋହ ଅପରାଧ ମାମଲା ଦାୟର ଅଛି ।

ମନ୍ତ୍ରୀଙ୍କୁ ଗୁରୁଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ‘ଜିଲ୍ଲାକୁ ଯାଅ ପ୍ଳାଜ୍‌ମା ଦାନ ପାଇଁ ଲୋକଙ୍କୁ ଉତ୍ସାହିତ କର’

ଭୁବନେଶ୍ୱର: ପ୍ଲାଜମା ଦାନ ଅଭିଯାନ ପାଇଁ ଜିଲ୍ଲାସ୍ତରରେ ମନ୍ତ୍ରୀମାନେ କରୋନାରେ ସୁସ୍ଥ ହୋଇଥିବା ଲୋକମାନଙ୍କୁ ଉତ୍ସାହିତ କରିବେ । କରୋନାରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କୁ ପ୍ଲାଜମା ଚିକିତ୍ସା ଦ୍ୱାରା ଭଲ ହେଉଥିବାରୁ ରାଜ୍ୟ ସରକାର ଏହାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । କିପରି ଅଧିକ ଲୋକ ଏହି ଅଭିଯାନରେ ସାମିଲ ହେବ ସେଥଲାଗି ମନ୍ତ୍ରୀମାନଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦାୟିତ୍ୱ ପାଇବା ପରେ ମନ୍ତ୍ରୀମାନେ ଜିଲ୍ଳାଗସ୍ତ କରିବା ସହ ନିଜ ନିଜ କାମରେ ଲାଗିପଡ଼ିଛନ୍ତି । କଟକର ୪୮ ବର୍ଷୀୟା ମହିଳା ପ୍ଲାଜମା ଥେରାପି ଚିକିତ୍ସା ଦ୍ୱାରା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେଣୁ ରାଜ୍ୟରେ ଏବେ ପ୍ଲାଜମା ଥେରାପି ନୂଆ ଆଶା ସଂଚାର ସୃଷ୍ଟି କରିଛି । ଆତ୍ମ ବିଶ୍ୱାସ  ବି ବଢିଛି ଡ଼ାକ୍ତର ଓ ରୋଗୀଙ୍କର ।

ତେଣୁ କରୋନାରେ ସୁସ୍ଥ ହୋଇଥିବା ରୋଗୀମାନେ କିପରି ଅଧିକରୁ ଅଧିକ ପ୍ଲାଜମା ଦାନ କରିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିଲାଗି ସବୁ ମନ୍ତ୍ରୀମାନଙ୍କୁ କରୋନା ଗୁରୁଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ଜିଲ୍ଲାସ୍ତରରେ କିପରି ପ୍ଲାଜମା ସଂଗ୍ରହ ଅଧିକ ହେବ ଓ ଲୋକେ ଉତ୍ସାହିତ ହୋଇ ପ୍ଲାଜମା ଦାନ କରିବେ ସେଥିଲାଗି  ମନ୍ତ୍ରୀମାନଙ୍କୁ  ବିଭିନ୍ନ ଜିଲ୍ଳାର ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମନ୍ତ୍ରୀମାନେ ମଧ୍ୟ ଦାୟିତ୍ୱ ପାଇବା ପରେ ଜିଲ୍ଲାର ସମସ୍ତ ବିଧାୟକ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା ଆରମ୍ଭ କରିଦେଇଛନ୍ତି । କିଛି ମନ୍ତ୍ରୀ ବି ଜିଲ୍ଲାଗସ୍ତ କରି ସମୀକ୍ଷା ଆରମ୍ଭ କରିଛନ୍ତି । କେବଳ ସେତିକି ନୁହେଁ,  ନିୟମିତ ବ୍ୟବଧାନରେ ଦାୟିତ୍ୱ ପାଇଥିବା ମନ୍ତ୍ରୀମାନେ  ଜିଲ୍ଲାସ୍ତରରେ ପ୍ଲାଜମା ଦାନର ଅଗ୍ରଗତି ସର୍ମ୍ପକରେ ସମୀକ୍ଷା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଦାୟିତ୍ୱ ପାଇଥିବା ମନ୍ତ୍ରୀମାନେ କହିଛନ୍ତି,  ପ୍ଲାଜନା ଦାନ କରିବା ପାଇଁ ଭଲ ହୋଇଥିବା ରୋଗୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ  । ସେମାନଙ୍କ ପ୍ଲାଜମା ଦାନ ଦ୍ୱାରା କିପରି ଦୁଇଟି ଜୀବନ ରକ୍ଷା ହୋଇପାରୁଛି ତାହା ବୁଝାଇବେ ବୋଲି କହିଛନ୍ତି ।

ଧୀରେଧୀରେ ରାଜ୍ୟରେ ପ୍ଲାଜମା ଥେରାପି  ସଫଳ ହେବାରେ ଲାଗିଛି । ଆଗକୁ ଏହି ଚିକିତ୍ସା ଜରିଆରେ ଅଧିକ ଲୋକଙ୍କୁ ସଂପୂର୍ଣ୍ଣ ଭଲ କରିବା ସହ କରୋନା ମୃତ୍ୟୁକୁ ରୋକିବା ପାଇଁ  ଜିଲ୍ଲାସ୍ତରରୁ ପ୍ଲାଜମା ଦାନ ଅଭିଯାନକୁ ଜୋରଦାର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସ୍‌ସିବିରେ ପ୍ଳାଜ୍‌ମା ବ୍ୟାଙ୍କର ଉଦ୍‌ଘାଟନ କରିଥିଲେ । ଏବଂ ମାଗଣା ପ୍ଳାଜ୍‌ମା ଚିକିତ୍ସା ପାଇଁ ଘୋଷଣା ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହିତ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କୁ ପ୍ଳାଜ୍‌ମା ଦାନ ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକ ବ୍ୟତୀତ ବ୍ରହ୍ମପୁର ବଡ଼ ମେଡିକାଲ, ରାଉରକେଲା ଆଇଜିଏଚ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଳାଜ୍‌ମା ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସୂଚନା ଯୋଗ୍ୟ ଦେଶର ମାତ୍ର କିଛି ରାଜ୍ୟରେ ପ୍ଳାଜ୍‌ମା ଥେରାପି ଆରମ୍ଭ ହୋଇଥିବା ବେଳେ ସେଥିମଧ୍ୟରୁ ଓଡ଼ିଶା ଅନ୍ୟତମ ।

 

ଘରୋଇ ହସ୍ପିଟାଲ ପରେ ଏବେ ଶିଳ୍ପାନୁଷ୍ଠାନ ଚିନ୍ତା: ତାଗିଦ କଲେ ବିଏମସି କମିଶନର

ଭୁବନେଶ୍ୱର: ଶିଳ୍ପାନୁଷ୍ଠାନ କୋଭିଡ ନିୟମର ଅନୁପାଳନ ନକଲେ ହେବ କାର୍ଯ୍ୟାନୁଷ୍ଠାନ । ନିକଟରେ ଏକ ଶିଳ୍ପାନୁଷ୍ଠାନରୁ ୬୮ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ବିଏମସି କମିଶନର ଏଭଳି ଚରମବାଣୀ ଶୁଣାଇଛନ୍ତି । ଏଥିସହିତ ଆଜିଠାରୁ ବିଏମସି ଅଞ୍ଚଳରେ ଦୈନିକ ଟେଷ୍ଟିଂର ହାରକୁ ବୃଦ୍ଧି କରାଯାଉଛି । କରୋନା ସଂକ୍ରମିତଙ୍କ ପାଇଁ ଅଧିକ ସଂଖ୍ୟାରେ କୋଭିଡ ହସ୍ପିଟାଲ ଓ ବେଡର ମଧ୍ୟ ବ୍ୟବସ୍ଥା କରାଯାଉଛି ।

ତେବେ ଆପଣଙ୍କୁ ଯିବାକୁ ପଡିବନି କରୋନରେ ହସ୍ପିଟାଲ । ସିଧାସଳଖ କୋଭିଡ ହସ୍ପିଟାଲକୁ ନଯାଇ କେଭିଡ କେୟାର ହୋମରେ ଚିକିତ୍ସିତ ହେଇପାରିବେ । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପଦକ୍ଷେପ ନେଇଛି । ବିଏମସି କେଭିଡ କେୟାର ହେମ୍ ପାଇଁ ବର୍ତ୍ତମାନ ରାଜଧାନୀର ହାଇଟେକ୍ ମେଡିକାଲକୁ ଦାୟିତ୍ୱ ଦେଇଛି । ବର୍ତ୍ତମାନ ହାଇଟେକ୍ ମେଡିକାଲର ୫୦୦ ଶଯ୍ୟା ବିଶିଷ୍ଟ କେଭିଡ କେୟାର ହେମ୍ ତିଆରି କରାଯାଇଛି ।

କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଭୁବନେଶ୍ବରରେ କୋଭିଡ ବେଡ ସଂଖ୍ୟା ୩୩୨୧କୁ ବୃଦ୍ଧି କରାଯାଇଛି । ଏଥିସହିତ ରହିଛି ୮୫ଟି ଆଇସିୟୁ ଓ ୨୭ ଭେଣ୍ଟିଲେଟର ସୁବିଧା ।  ପୂର୍ବରୁ ରାଜଧାନୀ ପାଇଁ ବସ୍ତି ଓ ଘରୋଇ ହସ୍ପିଟାଲ ଚିନ୍ତା ବଢାଉଥିଲେ । ନିକଟରେ ଗୋଟିଏ ଶିଳ୍ପାନୁଷ୍ଠାନରୁ ୬୮ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ରଣନୀତି ବଦଳାଇଛି । ସବୁ ଶିଳ୍ପାନୁଷ୍ଠାନକୁ ସରକାରଙ୍କ କୋଭିଡ ଗାଇଡାଲାଇନର ଅନୁପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହାର ଅନୁପାଳନ ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସିଧାସଖଳ ଭାବେ ଏଭଳି ଚରମବାଣୀ ଶୁଣାଇଛନ୍ତି ବିଏମସି କମିଶନର । ରାଜଧାନୀରେ କୋଭିଡ ମୁକାବିଲାକୁ ଆହୁରି ପ୍ରଭାବୀ କରିବାକୁ ପ୍ରତି ଜୋନରେ ରାପିଡ ରେସପନସ ଟିମ ସଂଖ୍ୟା ୫କୁ ବୃଦ୍ଧି କରାଯାଇଛି । ଦୈନିକ ଟେଷ୍ଟିଂ ହାର ୧୪ଶହକୁ ମଧ୍ୟ ବୃଦ୍ଧି କରାଯାଉଛି । ପ୍ରତି ୱାର୍ଡ ଉପରେ ମଧ୍ୟ ନଜର ରଖୁଛନ୍ତି ୱାର୍ଡ ସଚେତକ । ବସ୍ତି ପାଇଁ ରହିଛି ଭିନ୍ନ ରଣନୀତି ।

କେବଳ କେଭିଡ କେୟାର ହୋମ୍ ନୁହେଁ ଖୁବ ଶୀଘ୍ର ରାଜଧାନୀର ଆଦିତ୍ୟ ଅଶ୍ବନୀ ହସ୍ପିଟାଲରେ ମଧ୍ୟ ୧୧୯ଟି ବେଡ ଓ ୩୧ଟି ଆଇସିୟୁ ୟୁନିଟ ରହିବ  । ଏହା ସହ ରାଜଧାନୀର ତିନି ବିଧାୟକ ନିଜସ୍ବ ପାଣ୍ଠିରୁ ନିଜନିଜ ଅଚଂଳରେ ୬୦ ସଂଖ୍ୟକ କେଭିଡ କେୟାର ହୋମ କରିବାର ଲକ୍ଷ୍ୟ ରଖିଛନ୍ତି । ଯାହା ଆଗାମୀ ତିନି ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ଠିକ ସେହି ଭଳି ଡୁମଡୁମା ଓ ରାଜଧାନୀର ବିଭିନ୍ନ ଆର୍ପାଟମେଣ୍ଟ ମାନଙ୍କ ମଧ୍ୟରେବି  କୋଭିଡ କେୟାର ହୋମ ତିଆରି ହେବ  ।