spot_img
Home Blog Page 6671

ଲଗାତାର ୨ଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖିଲା ଚେନ୍ନାଇ

ଆବୁଧାବି: ଆଇପିଏଲ ଲଢେଇ ।  ଚେନ୍ନାଇ ସୁପରକିଙ୍ଗସକୁ ୪୪ ରନରେ ହରାଇଲା ଦିଲ୍ଲୀ କ୍ୟାପିଟଲ୍ସ । ଚେନ୍ନାଇକୁ ୧୭୬ ରନର ଟାର୍ଗେଟ ଦେଇଥିଲା ଦିଲ୍ଲୀ ।  ଏହାର ଜବାବରେ ୭ ୱିକେଟ୍ ହରାଇ ୧୩୧ ରନ୍ କରିବାରେ ସହାୟକ ହୋଇଥିଲା ଧୋନିଙ୍କ ଟିମ୍ । ଓପନର ମୁରଲି ବିଜୟ ୧୦ ରନ୍ ଓ ସେନ୍ ୱାଟସନ୍ ୧୪ ରନ୍ କରି ଆଉଟ ହୋଇଥିବାବେଳେ ଫାଫ୍ ଡୁ ପ୍ଲେସିସ୍ ୪୩ ରନ୍ । କେଦାର ଯାଦବ ୨୬ ରନ୍, ଅଧିନାୟକ ମହେନ୍ଦ୍ର ସିଂ ଧୋନି ୧୫ ରନ୍ ଓ ରବିନ୍ଦ୍ର ଜାଡେଜା ୧୨ ରନ୍ କରି ଆଉଟ ହୋଇଥିଲେ ।

ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ ।  ଜବାବରେ ଦିଲ୍ଲୀର ଓପନର ବ୍ୟାଟସମ୍ୟାନ୍ ପୃଥି ସ ୬୪ ରନ୍ କରି ଆଉଟ ହୋଇଥିବାବେଳେ ୩୫ ରନ୍ କରି ଆଉଟ ହୋଇଥିଲେ ଶିଖର ଧାୱନ । ସେହିଭଳି ଅଧିନାୟକ ଶ୍ରେୟର ଆୟାର ୨୬ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ରିସଭ ପନ୍ଥ ୩୭ ରନ୍ କରି ଅପରାଜିତ ଥିଲେ । ସେପଟେ ଆଜି ଆବୁଧାବିରେ ମୁହାଁମୁହିଁ ହେବେ ସନ ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଡ୍ ରାଇଡର୍ସ

କରୋନାକୁ ମାତ୍ ଦେବାକୁ ଜିଲ୍ଲା ବଣିକ ସଙ୍ଘର ଦୃଢ ନିଷ୍ପତ୍ତି

ଝାରସୁଗୁଡ଼ା: କରୋନାକୁ ମାତ ଦେବାକୁ ଅଣ୍ଟା ଭିଡ଼ିଛି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ । ଗତ କିଛିଦିନ ହେବ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନେଇଛି ପଦକ୍ଷେପ । ଝାରସୁଗୁଡାର ସମସ୍ତ ଦୋକାନ ବଜାର ଆଜିଠାରୁ ୭ଦିନ ପାଇଁ ବନ୍ଦ ରହିବ । ଏ ନେଇ ନିଷ୍ପତ୍ତି ନେଇଛି  ଜିଲ୍ଲା ବଣିକ ସଙ୍ଘ । ବନ୍ଦ ସମୟରେ କେବଳ ପନିପରିବା ଦୋକାନ, ଗ୍ରୋସେରୀ ଦୋକାନ ଓ ମାଛମାଂସ ଦୋକାନ ସକାଳ ୭ରୁ ୧୨ଟା ଯାଏଁ ଖୋଲା ରହିବ ।  ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଜିଲ୍ଲା ବଣିକ ସଙ୍ଘ ନିଷ୍ପତ୍ତି ନେଇଛି ।

କେବଳ ସେତିକି ନୁହେଁ ଏନେଇ ଦୋକାନୀଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ପ୍ରଭାବିତ ଦୋକାନୀଙ୍କୁ ପ୍ରଶାସନ ତରଫରୁ ୨୫୦୦ ଟଙ୍କା ସହାୟତା ମିଳିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଝାରସୁଗୁଡା ଜ଼ିଲ୍ଲାରେ କରୋନା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉ ଥିବାରୁ ବେହେରାମାଲ, ସରବାହାଲ, ପୁରୁଣାବସ୍ତି ଏବଂ ଏକାତାଲି ଅଂଚଳକୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇଛି l ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ l

ବେଶ୍ୟାବୃତ୍ତି ନେଇ ବମ୍ୱେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ: ଅପରାଧ ନୁହେଁ ବେଶ୍ୟାବୃତ୍ତି

ମୁମ୍ୱାଇ: ବେଶ୍ୟାବୃତ୍ତି ନେଇ ବମ୍ୱେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବେଶ୍ୟାବୃତ୍ତି କୌଣସି ଅପରାଧ ନୁହେଁ । ପ୍ରାପ୍ତ ବୟସ୍କ ମହିଳା ଓ ଯୁବତୀ  ସେମାନେ କ’ଣ କରିବେ ସେ ନେଇ ନିଷ୍ପତ୍ତି ନେବାର ଅଧିକାର ରହିଛି  ବୋଲି ରୁଲିଂରେ କହିଛନ୍ତି ମାନ୍ୟବର କୋର୍ଟ । ବେଶ୍ୟାବୃତ୍ତିରେ ସାମିଲ ୩ ମହିଳାଙ୍କ ଆବେଦନର ଶୁଣାଣି କରି ବମ୍ୱେ ହାଇକୋର୍ଟ ଏଭଳି କହିଛନ୍ତି । ଏବଂ ସମ୍ପୃକ୍ତ ୩ ମହିଳାଙ୍କୁ ମୁକ୍ତ କରିଦେଇଛନ୍ତି । କୋର୍ଟ ଆହୁରୀ କହିଛନ୍ତି, ମହିଳା ଓ ଯୁବତୀମାନେ ନିଜ ଇଚ୍ଛା ଅନୁସାରେ ସେମାନଙ୍କ ବୃତ୍ତି ଚୟନ କରିପାରିବେ। ବିନା ଅନୁମତିରେ ମହିଳାମାନଙ୍କୁ କେହି ବି ଅଟକ ରଖିପାରିବେ ନାହିଁ । ତେବେ ମାମଲାର ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ୍ ପୃଥୀରାଜ ଚୌହାନ ବ୍ୟାଖ୍ୟା କରି କହିଛନ୍ତି ଯେ, immoral traffic prevention act 1956  ଅନୁଯାୟୀ ଦେହ ବେପାର ବେଆଇନ୍ ନୁହେଁ ।  ଆଇନରେ ଏମିତି କିଛି ବି ପ୍ରାବଧାନ  ନାହିଁ, ଯାହା ଦେହ ବେପାରକୁ ଅପରାଧ ଭାବେ ବିବେଚନା କରିପାରିବ। ସେହିପରି ଦେହ ବେପାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ଦଣ୍ଡ ଦେବାର ଅଧିକାର ମଧ୍ୟ ଏହି ଆଇନରେ ନାହିଁ । କୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ, ବ୍ୟବସାୟିକ ଫାଇଦା ପାଇଁ କୌଣସି ବ୍ୟକ୍ତିଙ୍କୁ ବ୍ୟବହାର କରିବା ଶୋଷଣ କରିବା ଆଇନତଃ ଦଣ୍ଡନୀୟ । କୋର୍ଟଙ୍କ ଏହି ରୁଲିଂ ପରେ ଦେହ ବେପାର କାର୍ଯ୍ୟରେ ସାମିଲ ଥିବା ୨୧, ୨୨ ଓ ୨୩ ବର୍ଷର ୩ ମହିଳାଙ୍କୁ ସମ୍ମାନର ସହ ମୁକ୍ତ କରିଦିଆଯାଇଛି ।

ଟାଟା ସୁମୋ ବୋଲି କାହିଁକି କୁହାଯାଇଥାଏ, କାରଣ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ…ପଢନ୍ତୁ…..

ଭୁବନେଶ୍ୱର: ମଣିଷକୁ ଭଲ ପାଉଥିବା, ଜୀବନ୍ତ କରୁଥିବା ଓ ସାଧନା ବୋଲି ବୁଝୁଥିବା ଲୋକେ ଦିନେ ଉଦାହରଣ ପାଲଟି ଦୁନିଆ ଛାଡନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଲେ ସୁମନ୍ତ ମୁଲଗାଓକର୍ । ସେ ନିଜ କର୍ମକୁ ନିଷ୍ଠାପର ଭାବେ କରି ଟାଟା ଭଳି ଅନୁଷ୍ଠାନରେ ଏକ ମାଇଲ ଖୁଣ୍ଟ ପାଲଟିଥିଲେ । ଟାଟା ନିଜର ଏକ ଚାରିଚକିଆ ଯାନକୁ ତାଙ୍କ ନାମରେ ନାମିତ କରିଥିଲା ।  ଟାଟା କମ୍ପାନୀରେ କାର୍ଯ୍ୟରତ ଥିବା ମୁଲଗାଓକର୍ ନିଜ ଅସ୍ୱାଭାବିକ ବ୍ୟବହାର ପାଇଁ ଦିନେ ସମସ୍ତଙ୍କ ନଜରକୁ ଆସିଥିଲେ । ସାଧାରଣତଃ ମଧ୍ୟାହ୍ନ ଭୋଜନ ବିରତିରେ  ଟାଟାର ସମସ୍ତ ବରିଷ୍ଠ କର୍ତ୍ତୃପକ୍ଷମାନେ ଏକାଠି ବସି  ଭୋଜନ କରିଥାନ୍ତି ।

ମାତ୍ର କେବଳ ମୋଲଗାଓକର ସେମାନଙ୍କ ସହ ଏକାଠି ନ ଖାଇ ଏହି ସମୟରେ ନିଜ ଗାଡ଼ି ଧରି ବାହାରକୁ ଚାଲି ଯାଆନ୍ତି । ଠିକ୍ ମଧ୍ୟାହ୍ନ ଭୋଜନ ସରିଲେ,  ସେ କିଛି ସମୟ ପୂର୍ବରୁ ଆସି କମ୍ପାନୀରେ ପହଞ୍ଚି ଯାଆନ୍ତି । ତାଙ୍କ ଅଫିସ ବନ୍ଧୁମାନଙ୍କର ଧାରଣା ଏହା ଥିଲା ଯେ,  ସେ କୌଣସି ବଡ଼ ହୋଟେଲରେ ଖାଇବା ଉଦ୍ଦେଶ୍ୟରେ ବାହାରି ଯାଉଥିଲେ । ମାତ୍ର ବାସ୍ତବତା ଏହାଠରୁ ସମ୍ପୂର୍ଣ୍ଣ ଭିନ୍ନ ଓ ପ୍ରେରଣାଦାୟକ ଥିଲା । ତେବେ ଦିନେ ତାଙ୍କର ଏଭଳି ପ୍ରତି ଦିନ ବାହାରକୁ ଯିବା ଘଟଣାର ସତ୍ୟତା ଜାଣିବା ପାଇଁ ତାଙ୍କର ଜଣେ ବନ୍ଧୁ ତାଙ୍କ ପିଛା କଲେ । ମୁଲଗାଓକର ମଧ୍ୟାହ୍ନ ଭୋଜନ ବିରତି ସମୟରେ, କେଉଁଠିକି ଯାଉଛନ୍ତି ଜାଣିବା ପାଇଁ ବନ୍ଧୁଜଣକ ତାଙ୍କ ପଛେ ପଛେ ଗଲେ । ସେ ଦେଖିଲେ, ମୁଲଗାଓକରଙ୍କ ଗାଡ଼ି ଏକ କମ୍ପାନୀଠାରୁ କିଛି ଦୂରରେ ଥିବା ଏକ ଢାବାରେ ଅଟକିଲା ।

ମୋଲଗାଓକର ଢ଼ାବାରେ ଖାଦ୍ୟ ବରାଦ କରି ଢ଼ାବାରେ ଥିବା ଟ୍ରକ୍ ଡ୍ରାଇଭରମାନଙ୍କ ସହ ଆଲୋଚନା କଲେ । ଖାଦ୍ୟ ଖାଇବା ମଝିରେ ମଝିରେ ଟାଟା ଟ୍ରକକୁ ନେଇ ଡ୍ରାଇଭରମାନେ କେତେ ସନ୍ତୁଷ୍ଟ ସେ ନେଇ ପ୍ରଶ୍ନ କରୁଥିଲେ । ଟ୍ରକର ମାନରେ ଆଉ କଣ କଣ ପରିବର୍ତ୍ତନ କରି ହେବ ଓ ଜଣେ ଡ୍ରାଇଭର ଭାବେ ଟାଟା ଟ୍ରକଠାରୁ ସେମାନଙ୍କର କଣ ଆଶା ରହିଛି ସେ ନେଇ ପ୍ରଶ୍ନ କରିଥିଲେ । ଡ୍ରାଇଭରମାନଙ୍କ ଠାରୁ ବିସ୍ତୃତ ଭାବେ ଟ୍ରକର ବ୍ୟବହାରିତା ସମ୍ୱନ୍ଧୀତ ତଥ୍ୟ ସଂଗ୍ରହ କରୁଥିଲେ । ଏହିଭଳି ଭାବେ ପ୍ରତି ଦିନ ଡ୍ରାଇଭରମାନଙ୍କ ସହ ଆଲୋଚନା କରି ସେ ଅଫିସ ଫେରୁଥିଲେ ।

ସେମାନଙ୍କ ଅଭିଜ୍ଞତାକୁ କମ୍ପାନୀର କାମରେ ଲଗାଇବାକୁ ଚେଷ୍ଟା କରୁଥିଲେ । ଟାଟା ଟ୍ରକରେ କୌଣସି ପ୍ରକାର ପରିବର୍ତ୍ତନ କରିବା ବେଳେ ସେ ସେମାନଙ୍କ ମତକୁ ପ୍ରାଥମିକତା ଦେଉଥିଲେ । ପଥରେ ଚିନ୍ତା କରନ୍ତୁ ତ, ଜଣେ କର୍ମଚାରୀର ନିଜ କମ୍ପାନୀ ପ୍ରତି ୟାଠାରୁ ବଡ଼ ପ୍ରତିବଦ୍ଧତା କଣ ଥାଇପାରେ? ଏଭଳି ଏକ କର୍ମଚାରୀ ପାଇଁ କମ୍ପାନୀ ନିଜକୁ ଗର୍ବିତ ଅନୁଭବ କରୁଥିବ ନିଶ୍ଚୟ । ତେବେ ଟାଟା କମ୍ପାନୀ ତାଙ୍କର କମ୍ପାନୀ ପ୍ରତି ଏହି ଉତ୍ସର୍ଗୀକୃତ ମନୋଭାବ ଦେଖିବା ପରେ ନିଜର ଏକ ଚାରିଚକିଆ ଯାନକୁ ମୋଲଗାଓକରଙ୍କ ନାମରେ ନାମିତ କରିଥିଲା । ତାହା ଥିଲା ‘ସୁମୋ’ । ଘରେ ଘରେ ପରିଚିତ ନାଁ ଟାଟା ସୁମୋ । ସୁମନ୍ତ ଶଦ୍ଦରୁ ସୁ ଓ ମୋଲଗାଓକର ଶଦ୍ଦରୁ ମୋ ଶଦ୍ଦକୁ ଉଠାଇ, ଟାଟା ନିଜ ଚାରିଚକିଆ ଯାନର ନାମକରଣ କରିଥିଲା ଟାଟା ‘ସୁମୋ’ । ଏମିତି ଉଦାହରଣ ପ୍ରମାଣ କରେ କର୍ମବୀରଙ୍କ ମହାନତାକୁ । ସେଇ କ୍ୱଚିତ ନିଷ୍ଠାପରତାକୁ ଯାହା ଯୁଗେ ଯୁଗେ ପ୍ରେରଣା ହୋଇ ବଞ୍ଚିବ ।

 

‘କୃଷି ଏକ ରାଜ୍ୟ ପ୍ରସଂଗ, ବିଧେୟକ ଆଣିବା ପୂର୍ବରୁ ରାଜ୍ୟ ଗୁଡ଼ିକର ମତ ଲୋଡ଼ିବା କଥା’

ଭୁବନେଶ୍ୱର :  ନିକଟରେ କେନ୍ଦ୍ର ସରକାର ୨ଟି କୃଷି ବିଲକୁ ସଂସଦରେ ଗୃହୀତ କରାଇଛନ୍ତି । ଏହି ବିଲ୍ କୃଷି ସ୍ୱାର୍ଥ ବିରୋଧୀ ବୋଲି ବିରୋଧୀମାନେ ଅଭିଯୋଗ କରିଆସିଛନ୍ତି । ଏପରିକି ଏହି ବିଲ୍ କୁ ଭାଜପା ନେତୃତ୍ୱାଧୀନ ଏନଡିଏର ଅଂଶୀଦାର ଥିବା ଶିରୋମଣି ଅକାଳି ଦଳ ମଧ୍ୟ ବିରୋଧ କରିଥିଲା । ଏହି ଦଳର କ୍ୟାବିନେଟରେ ସଦସ୍ୟ ଥିବା ହରସିମରତ କୌର ନିଜ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ବିଜୁ ଜନତା ଦଳ, ଟିଆରଏସ ପ୍ରମୁଖ ଆଞ୍ଚଳିକ ଦଳମାନେ ବିରୋଧରେ ସଂସଦରେ ମତ ରଖିଥିଲେ । ଏପରିକି ଏହାକୁ ତରବରିଆ ଭାବେ ଗୃହୀତ ନ କରାଇ ସିଲେକ୍ଟ କମିଟିକୁ ପଠାଇବା ପାଇଁ ମତ ଦେଇଥିଲେ ।

ଏହି କ୍ରମରେ କଂଗ୍ରେସ ଏବଂ ବାମଦଳ ପ୍ରମୁଖ ୨୫ ତାରିଖ ଅର୍ଥାତ ଶୁକ୍ରବାର ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଥିଲେ । ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଇତି ମଧ୍ୟରେ ବରିଷ୍ଠ ନେତା ତଥା ପୂର୍ବତନ କୃଷି ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ବିରୋଧ ମତ ରଖିଛନ୍ତି । ଦାମୋଦର କହିଛନ୍ତି ଯେ, କୃଷି ଏକ ରାଜ୍ୟ ପ୍ରସଙ୍ଗ । ତେଣୁ ଏ ସମ୍ପର୍କିତ କୌଣସି ବିଧେୟକ ଆଣିବା ପୂର୍ବରୁ ରାଜ୍ୟ ଗୁଡିକର ମତ ଲୋଡିବା କଥା । ମାତ୍ର ମୋଦି ସରକାର ତାହା କଲେ ନାହିଁ । ଆମ ରାଜ୍ୟରେ ୧୨ ମାସରେ ୧୩ ପର୍ବ ହୁଏ, ସେହିପରି ଅନ୍ୟ କୌଣସି ରାଜ୍ୟରେ ଦେଖାଯାଇ ନ ଥାଏ । ନଇକେ ବାଙ୍କ୍, ଦେଶକେ ଫାଙ୍କ ଭଳି ପ୍ରତି ରାଜ୍ୟର କୃଷି ଅନ୍ୟଠାରୁ ଭିନ୍ନ । ଏହି ବିବିଧତାକୁ ନେଇ କୃଷି ସମ୍ପର୍କିତ ନିଷ୍ପତ୍ତି ହେବ କଥା । ମାତ୍ର କେନ୍ଦ୍ର ସରକାର, ତାହା କରୁ ନ ଥିବା ଦାମ ଅଭିଯୋଗ କରିଛନ୍ତି ।

କର୍ପୋରେଟ ଲବିକୁ ଖୁସି କରାଇବା ପାଇଁ ଏପରି କରାଯାଇଥିବା ରାଉତ ଅଭିଯୋଗ କରିଛନ୍ତି । ଅତୀତରେ ବିଶ୍ୱ ବାଣିଜିକ୍ୟ ସଙ୍ଗଠନ ପକ୍ଷରୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଏବଂ ସବସଡି ଉଚ୍ଛେଦ ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ସବୁ କାରଣ ପାଇଁ ଏପରି ହୋଇଥିବା ଦାମ କହିଛନ୍ତି । ପୁନର୍ବାର ଦାମ କହିଛନ୍ତି, ବର୍ତ୍ତମାନ ଯେଉଁ ମାନଙ୍କର ଜମି ଅଛି, ସେମାନେ ଚାଷ କରୁ ନାହାନ୍ତି । ଭାଗଚାଷୀମାନେ ଚାଷ କରୁଛନ୍ତି । ତେଣୁ କୌଣସି ଦୁର୍ବିପାକ, ବିପର୍ଯ୍ୟୟ ହେଲେ ତାହାର ଫାଇଦା ତଥା ସରକାରୀ ସହୟତା ମୂଳ ଜମି ମାଲିକ ପାଉଛନ୍ତି । କଳାହାଣ୍ଡି ପରି କୃଷି ପ୍ରଧାନ ଜିଲାର ୭୧ ପ୍ରତିଶତ ଜମି ମାତ୍ର ୧୩ଟି ପରିବାର ହାତରେ ରହିଛି ।  ନିକଟରେ କେନ୍ଦ୍ର ସରକାର ଯେଉଁ ଏମଏସପି ଘୋଷଣା କରିଛନ୍ତି, ତାହା ଓଡ଼ିଆ ଚାଷୀଙ୍କ କାର୍ଯ୍ୟରେ ଲାଗିବ ନାହିଁ ବୋଲି ଦାମ ରୋକଠୋକ୍ ଶୁଣାଇ ଦେଇଛନ୍ତି ।

Modi Cabinet Approved Increase MSP Rabi Crops Farmer Bill

ନୂତନ ବ୍ୟବସ୍ଥାରେ ପୂର୍ବ ପ୍ରଚଳିତ ମଣ୍ଡି ବ୍ୟବସ୍ଥା ଉଠିଯିବ । ଧୀରେ ଧୀରେ ସରକାରୀ ମଣ୍ଡି ଲୋପ ପାଇବ । ଏହା ଦ୍ୱାରା କମଦାମରେ ଚାଷୀ ନିଜ ଅମଳ ବିକ୍ରି କରିବାକୁ ବାଧ୍ୟ ହେବ । ଏହାର ଫାଇଦା ମଧ୍ୟସ୍ଥି ମାନେ ନେବେ, ମୁନାଫା କମାଇବେ । ଆଉ ଚାଷୀ ଭକୁଆ ହେବେ ବୋଲି ଦାମ ପୂର୍ବାନୁମାନ କରିଛନ୍ତି । କେନ୍ଦ୍ର ସରକାର ଚାହିଁଥିଲେ ରାଜ୍ୟ ସଭା ବିରୋଧୀକୁ ସମ୍ମାନ ଦେଇ ଜାତୀୟ ବିତର୍କ ତଥା ସିଲେକ୍ଟ କମିଟିକୁ ପଠାଇ ଦେଇପାରିଥାନ୍ତେ, ମାତ୍ର କେବଳ ନିଜର ଅହଂକାର ପାଇଁ ମୋଦି ସରକାର ଏପରି କଲେ ନାହିଁ ।

ଏନସିବିକୁ ରକୁଲ୍ ପ୍ରୀତିଙ୍କ ଗୁରୁତ୍ୱପୂଣ୍ଣ ତଥ୍ୟ ପ୍ରଦାନ: ହ୍ୱାଟସ୍ ଆପ୍ ଗ୍ରୁପ୍ ଆଡମିନ୍ ଥିଲେ ଦୀପିକା!

ମୁମ୍ୱାଇ: ଖୋଲୁଛି ବି-ଟାଉନର ବିୟୁଟିଙ୍କ ଗୁମର । ଡ୍ରଗ୍ସ କାରବାର ନେଇ ଏନସିବିର ଛାଟ ପରେ ଧୀରେ ଧୀରେ ସାମ୍ନାକୁ ଆସୁଛି ଅନେକ ରୋଚକ ତଥ୍ୟ । ଆଜି ଏନସିବିରେ ହାଜର ହୋଇ ଡ୍ରଗ୍ସ କାରବାରର ଖୁଲ୍ଲାସା କରିଛନ୍ତି ରକୁଲପ୍ରୀତ ସିଂହ । ଡ୍ରଗ୍ସ ହ୍ବାଟସଆପ୍ ଗ୍ରୁପର ଆଡମିନ୍ ଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ । ମୁଁ କେବେ ଡ୍ରଗ୍ସ ନେଇନି , ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ନିଅନ୍ତି ବୋଲି କହିଛନ୍ତି ରକୁଲ । ସେପଟେ କରଣ ଜହର କରିଥିବା ପାର୍ଟି ଉପରେ ରହିଛି  ଏନସିବିର ନଜର । ଆସନ୍ତାକାଲି ଏନସିବି ତଦନ୍ତର ସମ୍ମୁଖୀନ ହେବେ ଦୀପିକାଙ୍କ ସମେତ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ ।

ବଲିଉଡ୍ ବିୟୁଟିଙ୍କ ଖୋଲୁଛି ପେଡି । ବି-ଟାଉନରେ ଚାଲେ ଡ୍ରଗ୍ସ ପାର୍ଟି । ସାମ୍ନାକୁ ଆସିଲା ବିସ୍ଫୋରକ ତଥ୍ୟ । ଡ୍ରଗ୍ସ କାରବାରରେ ବୁଡି ରହୁଥିଲା ମାୟାନଗରୀ ମୁମ୍ବାଇ ! ଏନସିବିର ଛାନଭିନ ପରେ ଏବେ ଏଭଳି ସତ ସାମ୍ନାକୁ ଆସିବାରେ ଲାଗିଛି । ସୁଶାନ୍ତ ସିଂ ମୃତ୍ୟୁ ମାମଲାର ସତ ଖୋଜୁ ଖୋଜୁ ବି-ଟାଉନର ବିୟୁଟିଙ୍କ କାରବାରର ପର୍ଦ୍ଦାଫାସ ହେଉଛି । ଡ୍ରଗ୍ସ କାରବାର ନେଇ ଏନସିବି ଶୁକ୍ରବାର ଅଭିନେତ୍ରୀ ରକୁଲପ୍ରୀତି ସିଂଙ୍କୁ କରିଥିଲେ ଚାରି ଘଣ୍ଟା ଜେରା । ଏହି ସମୟରେ ଏନସିବିକୁ ଅନେକ ତଥ୍ୟ ଦେଇଛନ୍ତି ରକୁଲ । ଡ୍ରଗ୍ସ ହ୍ବାଟସଆପ୍ ଗ୍ରୁପର ଆଡମିନ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଥିବା ନେଇ ତଦନ୍ତକାରୀ ସଂସ୍ଥା ଆଗରେ କହିଛନ୍ତି ରକୁଲ । ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । 2017ରେ ଏହି ହ୍ବାଟସଆପ୍ ଗ୍ରୁପରେ ଚାଟ୍ ହୋଇଥିବା କହିଛନ୍ତି ରକୁଲ । ସେ ନିଜେ କେବେ ବି ଡ୍ରଗ୍ସ ନେଉନଥିଲେ, କି କୌଣସି ଡ୍ରଗ୍ସ ମାଫିଆଙ୍କ ସମ୍ପର୍କରେ ନଥିଲେ । ତେବେ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ନେଉଥିବା ଓ ପାଖରେ ଡ୍ରଗ୍ସ ରଖିଥିବା କଥା ଏନସିବିକୁ କହିଛନ୍ତି ରକୁଲ । ସେପଟେ ଦୀପିକାଙ୍କ ମ୍ୟାନେଜର କରିସ୍ମାଙ୍କ ଉପରେ ଏନସିବି ନଜର ରଖିଥିବାବେଳେ ଧର୍ମା ପ୍ରଡକ୍‌ସନର କ୍ଷୀତିଜ ରବିପ୍ରସାଦଙ୍କୁ ପଚରାଉଚରା କରିଛନ୍ତି ଏନସିବି ଟିମ୍ । କ୍ଷୀତିଜ ତଦନ୍ତକାରୀ ଟିମକୁ ଅନେକ ଗହନ କଥା କହିଥିବା ଜଣାପଡିଛି ।

ଏହାରି ମଧ୍ୟରେ ବଢିଛି ବାଜିରାଓ ମସ୍ତାନୀ ଦୀପିକା ପାଦୁକୋନଙ୍କ ଅଡୁଆ । ଶନିବାର ଦୀପିକା ଏନସିବିରେ ହାଜର ହୋଇ ତଦନ୍ତର ସମ୍ମୁଖୀନ ହେବେ । ଦୀପିକାଙ୍କ ସମେତ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ ମଧ୍ୟ ଶନିବାର ଏନସିବିରେ ହାଜର ହେବେ ।  ଡ୍ରଗ୍ସ କାରବାର ନେଇ ଏନସିବି ସ୍କାନରରେ ରହିଛନ୍ତି 50 ଜଣ ସେଲିବ୍ରିଟି । ତାଲିକାରେ ଅନେକ ଜଣାଶୁଣା ଅଭିନେତା, ଅଭିନେତ୍ରୀ, ପ୍ରଡ୍ୟୁସର, ଡାଇରେକ୍‌ଟର ରହିଛନ୍ତି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଚାଲିଥିବା ତଦନ୍ତରେ ଡ୍ରଗ୍ସ ଲିଙ୍କ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି  ।

ନୂଆ କୃଷି ବିଲ୍: ଉତ୍ତର ଭାରତରେ ଚକ ଅଖ ଜାମ୍, ଓଡ଼ିଶାରେ ବିଭିନ୍ନ କୃଷକ ସଂଗଠନର ପ୍ରତିବାଦ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲକୁ ନେଇ ଚାଷୀଙ୍କ ସଂଗ୍ରାମ ଜାରି ରହିଛି  । ପ୍ରତିବାଦରେ ଆଜି ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ଉତ୍ତର ଭାରତରେ ଏହାର ବେଶ ପ୍ରଭାବ ଦେଖିବାକୁ ମିଳିଛି  । ସରକାର ବିରୋଧୀ ନାରାବାଜି ସହ ରାସ୍ତା ଅବରୋଧ, ରେଳ ରୋକ କରି ତୁରନ୍ତ ବିଲ ପ୍ରତ୍ୟାହାର କରିବାକୁ ଦାବି ଜଣାଇଛନ୍ତି  । ତେବେ ଭାରତ ବନ୍ଦ ଡାକରାର ଆଶିଂକ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି  । ନବ ନିର୍ମାଣ କୃଷକ ସଂଗଠନ ପରି କିଛି ଚାଷୀ ସଂଗଠନ ଆନ୍ଦୋଳନ କରି ନୂଆ ବିଲ ଚାଷୀର ସର୍ବନାଶ କରିବ ବୋଲି କହିଛନ୍ତି  ।

ନାରାବାଜି, ପ୍ଲାକାର୍ଡ ପ୍ରଦର୍ଶନ ଓ ରାସ୍ତା ରୋକ  । ଟାୟାର ଜାଳି, ବସ ରୋକି, ରେଲୱେ ଧାରଣାରେ ଡେରା ପକାଇ ଠପ କଲେ ଜୀବନ ଯାତ୍ରା । ନୂଆ କୃଷି ବିଲ ବିରୋଧରେ କେନ୍ଦ୍ର ସରକାରକୁ କଡ଼ା ତାଗିଦ  । ବିଲ ପ୍ରତ୍ୟାହାର କର ନହେଲେ ଆନ୍ଦୋଳନ ଆହୁରି ଉଗ୍ର ହେବ  । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପୂରା ଉତ୍ତର ଭାରତରେ  । ବିଶେଷ କରି ପଞ୍ଜାବ ଓ ହରିୟାଣାରେ ଚାଷୀ ନିକଟରେ ସଂସଦରେ ପାରିତ ହୋଇଥିବା ତିନି କୃଷି ବିଲର ତୀବ୍ର ବିରୋଧ କରିଛନ୍ତି  । ଏହାସହ ବିହାର, ଦିଲ୍ଲୀ, ମହାରାଷ୍ଟ୍ର, ଝାଡ଼ଖଣ୍ଡ,  ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ସରକାରଙ୍କ ଏହି ନୂଆ କୃଷି ବିଲ୍ ଚାଷୀବିରୋଧି, ଏହା ଦ୍ବାରା ଚାଷୀକୁଳ ପ୍ରଭାବିତ ହେବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ତେଣୁ କେନ୍ଦ୍ର ସରକାର ତୁରନ୍ତ ଏହି ବିଲ୍‌କୁ ପ୍ରତ୍ୟାହାର କରିବା ପାଇଁ ଦାବି ହୋଇଛି  ।

ସେପଟେ କୃଷି ବିଲ୍‌କୁ ବିରୋଧ କରି ଭାରତ ବନ୍ଦର ଆଶିଂକ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି  । ବିଭିନ୍ନ କୃଷକ ଓ ମଜଦୁର ସଂଗଠନ ଏକାଠି ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତଳିକା ଦାହ କରିଛନ୍ତି  । ଭୁବନେଶ୍ବରରେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ବିକ୍ଷୋଭ ପ୍ରଦର୍ଶନ କରି ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ସେମାନଙ୍କୁ ଅଟକ ରଖାଯାଇଥିଲା  । ଭୁବନେଶ୍ବରରେ କୃଷି ଭବନ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରି କୃଷି ଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ  । ପୋଲିସ ସୋମାନଙ୍କୁ ଉଠାଇନେଇଥିଲା  । କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ବିଲକୁ  ସଂସଦରେ ଧ୍ଵନି ମତରେ ଅନୁମୋଦନ କରାଯିବା ଗଣତନ୍ତ୍ର ବିରୋଧୀ । ଏହା ଚାଷୀର ସର୍ବନାଶ କରିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ସଂଗଠନ  ।

ସେହିପରି ଢେଙ୍କାନାଳ, ରାୟଗଡା, ମୟୂରଭଞ୍ଜ, ବରଗଡ଼, କଳାହାଣ୍ଡି, ବାଲେଶ୍ୱର, ନବରଙ୍ଗପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି  । ଏହି ଜିଲ୍ଲାଗୁଡିକରେ ବିଭିନ୍ନ ଚାଷୀ ସଂଗଠନ ଏକାଠି ହୋଇ ରାଜରାସ୍ତାରେ ବିକ୍ଷୋଭ କରିବା ସହିତ ସରକାର ବିରୋଧୀ ନାରାବାଜି କରିଛନ୍ତି  । ତେବେ ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ନୂତନ କୃଷି ବିଲ୍‌ର ପ୍ରତ୍ୟାହାର ନକରିଛନ୍ତି ସେପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିଭିନ୍ନ କୃଷକ ସଂଗଠନ  ।

ଡ୍ରଗ୍ସ ଚାଟକୁ ସ୍ୱୀକାର କଲେ କରିଶ୍ମା, ଦୀପିକାଙ୍କ ସହ ସାମ୍ନାସାମ୍ନି ହେବ ଜେରା

ମୁମ୍ବାଇ: ଆଜି ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମାଙ୍କୁ ଜେରା କରିଛି NCB । ତେବେ କାଲି ମଧ୍ୟ ତାଙ୍କୁ ପଚରାଉଚରା ପାଇଁ NCB ଡାକିଛି । ଦୀପିକା ପାଦୁକୋନଙ୍କୁ ସାମ୍ନା ସାମ୍ନି ବସାଇ ଏନସିବି ଜେରା କରିବ । ସୂଚନା ଅନୁଯାୟୀ, କରିଶ୍ମା ଡ୍ରଗ୍ସ ଚାଟକୁ ସ୍ୱୀକାର କରିଛନ୍ତି । କିନ୍ତୁ ଡ୍ରଗ୍ସକୁ ନେଇ ସଠିକ ରୂପେ ଉତ୍ତର ଦେଉନାହାନ୍ତି ।  ସେଥିପାଇଁ ଦୀପିକା ଏବଂ କରିଶ୍ମାଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିବାକୁ ନିଷ୍ପତ୍ତି ନେଇଛି NCB । ସୂଚନା ଅନୁଯାୟୀ କରିଶ୍ମାକୁ ଆଜି NCB ୬ ଘଣ୍ଟା ଧରି ଜେରା କରିଛି ।

ତେବେ ଅନ୍ୟପଟେ ଏନସିବି ଆଜି ବଲିଉଡ ଅଭିନେତ୍ରୀ ରାକୁଲପ୍ରୀତଙ୍କୁ ଜେରା କରିଛି । ପଚରାଉଚରା ବେଳେ ସେ ଅନେକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଘରେ ଡ୍ରଗ୍ସ ଥିଲା ସତ କିନ୍ତୁ ତାହା ରିୟା ରଖିଥିଲେ । ଅନେକ ବଡ ତାରକାଙ୍କ ମ୍ୟାନେଜରଙ୍କୁ NCB ପ୍ରଶ୍ନ କରିଛି । ଏହି ଯାଞ୍ଚରେ ଗୋଟିଏ ପଟେ ଅନେକ ବଡ ନାମ ବାହାରୁଥିବା ବେଳେ ରିୟାଙ୍କ ପାଇଁ ଅସୁବିଧା ବଢ଼ିବାରେ ଲାଗିଛି । ଏବେ ଦେଖିବା ବାକି ରହିଲା ଯେ ଶନିବାର ଦିନ ଦୀପିକା, ସାରା, ଶ୍ରଦ୍ଧା କପୁରଙ୍କୁ ଜେରା ବେଳେ ଆଉ କେତେ ରହସ୍ୟ ପଦାକୁ ଆସୁଛି ।

ପୁରୀ-କୋଣାର୍କରେ ଆରମ୍ଭ ହେବ ମୋ ବସ୍ ସେବା, ରାଜଧାନୀରୁ ୨ଟି ରୁଟରେ ଗଡ଼ିବ ବସ୍…..

0

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ମୋ ବସ୍ ସେବା ଏବେ ପୁରୀ ଓ କୋଣାର୍କରେ ଉପଲବଧ ହେବ । ରାଜଧାନୀ ଭୁବନେଶ୍ୱରରୁ ପ୍ରତ୍ୟେହ ମୋ ବସ୍ ପୁରୀ ଓ କୋଣାର୍କ ଅଭିମୁଖେ ଯାତ୍ରା କରିବ । ଆସନ୍ତା ୨୭ ତାରିଖ ପର୍ଯ୍ୟଟନ ଦିବସ ହୋଇଥିବା ହେତୁ ସରକାର ଏହି ଦିନ ମୋ ବସ୍ ସେବା ସଂପୃକ୍ତ ସ୍ଥାନକୁ ଆରମ୍ଭ କରିବେ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ଶ୍ରୀକ୍ଷେତ୍ର ଧାମ ପୁରୀ ଓ ସୂର୍ଯ୍ୟକ୍ଷେତ୍ର କୋଣାର୍କକୁ ଏଯାବତ ମୋ ବସ ସେବା ଆରମ୍ଭ ହୋଇନାହିଁ ।

ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକେ ଏହ ଦୁଇଟି ସ୍ଥାନକୁ ବୁଲିବାକୁ ଯାଇଥାନ୍ତି । ତେଣୁ ସରକାର ସାଧାରଣର ଦାବି ଓ ଗମନାଗମନକୁ ସରଳ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କ୍ରୁଟି ପରିଚାଳନା ନିର୍ଦ୍ଦେଶକ ଅରୁଣ ବ୍ରୋଥା ସୂଚନା ଦେଇଛନ୍ତି । ବିଶେଷ ଭାବେ ୨ଟି ରୁଟରେ ଏହି ବସ୍ ସେବା ଆରମ୍ଭ ହେବ । ଭୁବନେଶ୍ୱରରୁ ପୁରୀ ଓ କୋଣାର୍କ ଯିବା ପାଇଁ ୭୦ ଟଙ୍କାର ଭଡା ଧାର୍ଯ୍ୟ କରାଯାଇଛି  । କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ବସରେ ଯାତ୍ରା କରିପାରିବେ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି  ।

ଧଳାଜହରର କଳାଧନ୍ଦାରେ କୋଟିପତି ହୋଇଗଲେଣି କଲେଜ ପିଲା, ଏପଟେ ବନ୍ଧୁକ ଡିଲ୍‌ରେ ଲେଡି ଡନ୍

ଭୁବନେଶ୍ୱର: ନିଶା କାରବାରର ହବ୍ ପାଲଟିଛି ଓଡ଼ିଶା । ପୋଲିସକୁ ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ବଢ଼ାଇ ଚାଲିଛନ୍ତି ନେଟ୍‌ୱର୍କ । ବ୍ରାଉନସୁଗର ଓ ଗଞ୍ଜେଇଠାରୁ ଆରମ୍ଭ କରି ମାରଣାସ୍ତ୍ରର ଚାଲିଛି ଖୁଲମଖୁଲା କାରବାର । ଗତ ମାର୍ଚ୍ଚ ୧୮ ତାରିଖରେ ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ବ୍ରାଉନସୁଗର ଜବତ ସହ ଦୁଇ ଛାତ୍ରଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ । ତାଙ୍କ କଳାଧନର ସାମ୍ରାଜ୍ୟ ଦେଖି ଏହାର ତଦନ୍ତ ଭାର ଇଡିକୁ ଦିଆଯାଇଛି । ଆଜି ଭୁବନେଶ୍ୱର କଳ୍ପନା ଛକରେ ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ୍‌ କରିବା ସହ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍ ।

ଏବେ ପ୍ରଶ୍ନ ଉଠୁଛି କୁଆଡେ ଆସୁଥିଲା ଏତେ ଟଙ୍କା ? ନିଶା ସାମ୍ରାଜ୍ୟର ମାଷ୍ଟର ମାଇଣ୍ଡ କିଏ ? ଆର୍ଥିକ କାରବାରର ଖୋଳତାଡ଼ କରିବ ଇଡି । ବ୍ୟାଜ୍ୟାପ୍ତି ହେବ ଅଭିଯୁକ୍ତଙ୍କ ସମ୍ପତ୍ତି । ଗତ ମାର୍ଚ୍ଚ ୧୮ ତାରିଖରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ଅଞ୍ଚଳରୁ ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିଲା । ମାମଲାରେ ଦୁଇ ବିଟେକ ଛାତ୍ର ଲୋକନାଥ ବେହେରା ଓରଫ୍ ଲକି ଏବଂ ତାର ସହଯୋଗୀ ପ୍ରଦୀପ କୁମାର ଦାସକୁ ଗିରଫ କରିଥିଲା ଏସଟିଏଫ ।

ଏବେ ତାଙ୍କ କଳା ସମ୍ରାଜ୍ୟ ଦେଖିବା ପରେ ବ୍ରାଉନସୁଗାର ବିକ୍ରି ଅର୍ଥରେ ସେ କେତେ ପରିମାଣର ସମ୍ପତ୍ତି, ସୁନା ଅଳଙ୍କାର, ବ୍ୟାଙ୍କ ଜମା ରଖିଛି, ସେ ନେଇ ଇଡି ତଦନ୍ତ କରିବ । ପ୍ରମାଣ ମିଳିବା ପରେ ଇଡି ସମ୍ପତ୍ତି ଜବତ ସହ ବ୍ୟାଜ୍ୟାପ୍ତି କରିବ ବୋଲି ଜଣାପଡ଼ିଛି । ତେବେ ମାମଲାକୁ ସିବିଆଇକୁ ଦେଲେ ଅଧିକ ତଦନ୍ତ ହୋଇ ପାରିବ ବୋଲି ପୂର୍ବତନ ଡିଜିପି କହିଛନ୍ତି।

ସେପଟେ ଭୁବନେଶ୍ୱରରୁ ଆଜି ଚୋରା ବନ୍ଧୁକ କାରବାର‌ର ପର୍ଦ୍ଦାଫାସ୍‌ କରିଛି ଏସଟିଏଫ । ଏହି ଡିଲ୍‌ରେ ଜଣେ ମହିଳା ସଂପୃକ୍ତ ଥିବା ଜଣାପଡିଛି । କଳ୍ପନା ଛକରେ ପଟ୍ଟାମୁଣ୍ଡାଇର ରାଜେନ୍ଦ୍ର ସାହୁ, ଗୌରାଙ୍ଗ ଜେନା ଓ ମହିଳା ଜଣଙ୍କ ମିଶି ଜଣେ ବ୍ୟବସାୟୀଙ୍କ ଠାରୁ ୪୫ ହାଜର ଟଙ୍କାର ଗୋଟିଏ ୯ ଏମଏମ ପିସ୍ତଲ ଓ ୪ ରାଉଣ୍ଡ ଓ ଗୁଳି କିଣି ଥିଲେ । ଜାଗା ଛାଡିବା ପୂର୍ବରୁ ଖବର ପାଇ ମାଡି ବସିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ କିନ୍ତୁ ବ୍ୟବସାଯୀ ଜଣଙ୍କ ଖସି ପଲାଇବାରେ ସଫଳ ହୋଇଥିଲେ ।

ତେବେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଆଇନ ଫାଙ୍କ ଦେଇ ଅପରାଧୀମାନେ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ କଳା କାରନାମା । ପୋଲିସ ଉପରକୁ ଅଙ୍ଗୁଳି ଉଠୁଛି  ।